Satya Prakash
  • Home
  • ଗଳ୍ପ
  • ଶିବ ଚରଣ – ଏକ ଅମ୍ଲାନ ପ୍ରତିଭା
ଗଳ୍ପ

ଶିବ ଚରଣ – ଏକ ଅମ୍ଲାନ ପ୍ରତିଭା

ଓଡ଼ିଶାର ଅଖ୍ୟାତ ପଲ୍ଲୀ ବିଖ୍ୟାତ ଗ୍ରାମ ହେଉଛି ରାଜୁଆଳି ବିନ୍ଧା। କିଏ, କେବେ ଓ କାହିଁକି ଏହି ଗ୍ରାମଟି ବସେଇଥିଲା ତାହାର କୌଣସି ସାକ୍ଷ୍ୟ ପ୍ରମାଣ ନାହିଁ ବା ଐତିହାସକ ତଥ୍ୟ। ତଥାପି ଏହି କ୍ଷୁଦ୍ର ଗ୍ରାମଟିରେ କେଇ ଗୋଟି କୃଷିକାରୀ ପରିବାର କେଉଁ ଅନାଦି କାଳରୁ କୃଷି ଉପରେ ନିର୍ଭର କରି ଚଳି ଆସୁଛନ୍ତି। ଏବେ ତା ବୃଦ୍ଧି ପାଇ ପ୍ରାୟତଃ 200 ପରିବାର ଓ 2000 ରୁ ଅଧିକ ଲୋକ ସଂଖ୍ୟାରେ ପହଁଞ୍ଚିଛି। ଏହାର ଭୌଗୋଳିକ ସ୍ଥିତି ଓ ଅବସ୍ଥିତି ନାନା ବୈଚିତ୍ର୍ୟରେ ଭରା। ଗୋଟିଏ ପଟେ ସାଳନ୍ଦୀ ଓ ଅନ୍ୟପଟେ ନାଳଆ ନଦୀ ପରି ପ୍ରାକୃତିକ ପ୍ରତିବନ୍ଧକ। ଦୁଇଟି ନଦୀର ପରିବେଷ୍ଟନୀ ଭିତରେ ଗାଁଟି ପ୍ରାୟ ବିଚ୍ଛିନ୍ନାଞ୍ଚଳରେ ପରିଣତ ହୋଇଛି। ଯାତାୟାତ ଓ ଯାନବାହାନ ଚଳାଚଳ ପାଇଁ ବହୁବିଧ ଅସୁବିଧା। ଅବଶ୍ୟ ଏବର ପରିସ୍ଥିତି ଭିନ୍ନ, କିଛିଟା ସୁଧାର ଆସିବାକୁ ବାଧ୍ୟ। ପୃଥିବୀରେ ପ୍ରତ୍ୟେକଟି ସଭ୍ୟତା ଯେହେତୁ ନଦୀ କୂଳ ସଭ୍ୟତାରୁ ହିଁ ଆରମ୍ଭ ହୋଇଛି, ସେହି ଦୃଷ୍ଟିରୁ ବିଚାର କଲେ ନଦୀ ଦୁଇଟି ଯୋଗୁଁ ଗାଁଟି ସବୁବେଳେ ଶଶ୍ଯ ଶ୍ୟାମଳା ଥାଏ। ଯୁଆଡେ ଚାହିଁବ ଖାଲି ଫସଲ ହିଁ ଫସଲ। ଲୋକେ ପରା କୁହାକୁହି ହୁଅନ୍ତି – ରାଜୁଆଳି ବିନ୍ଧାର ମୂଳା ଓ ପାଳଙ୍ଗ ଶାଗ ଓଡ଼ିଶା ପ୍ରଶିଦ୍ଧ।
ପୁଣି ସେଇଠି ଅଛନ୍ତି ଗ୍ରାମର ଗ୍ରାମ ଦେବତୀ ଜାଡି ଠାକୁରାଣୀ, ଭଲରେ ମନ୍ଦରେ ଯିଏ ହୋଇଥାନ୍ତି ମୂକସାକ୍ଷୀ। ଗାଁର ସରଳ ନିଷ୍କପଟ ମଣିଷମାନେ ନିଜର ହାରି ଗୁହାରୀ ସବୁ ଜଣାଇଥାନ୍ତି ଏହି ମାଆଙ୍କ ମଣ୍ଡପରେ।
ପବିତ୍ର ଉତ୍କଳ ମହୋଦଧି ସେବିତ ଜଗତର ନାଥ ପ୍ରଭୂ ଜଗନ୍ନାଥଙ୍କ ଦେଶ ଓଡ଼ିଶା ରାଜ୍ୟର ଭଦ୍ରକ ଜିଲ୍ଲା ଉପକଣ୍ଠରେ ଅବସ୍ଥିତ ରାଜୁଆଳି ବିନ୍ଧା। ଏହାର ପ୍ରାକୃତିକ ଶୋଭା ସୁଷମା ଅତ୍ୟନ୍ତ ଚିତାକର୍ଷକ। ସାହାଡ଼ା, ବାଉଁଶ, ନଡ଼ିଆ ଆମ୍ବଡା, କଇଁଥ ଆଦି ଘେରା ଗାଁଟିର ଦୃଶ୍ୟରାଜି ଅତୀବ ମନୋରମ। ଗ୍ରାମ୍ୟ ପ୍ରାନ୍ତର ପିଲାମାନଙ୍କ ପାଇଁ କ୍ରୀଡ଼ାଭୂଇଁ । ପୁଣି ଗାଁକୁ ପରିବେଷ୍ଟିତ ହୋଇ ରହିଥିବା ନଦୀ ଦ୍ୱୟ, ଯେଉଁଠି ପହଁରିବାର ଓ ବନସୀ ପକାଇ ବାଳିଆ ଶେଉଳ ଧରିବାର ମଜା ନିଆରା। ଆହୁରି ମଧ୍ୟ ନଦୀ ପଠାରେ ଥିବା ଜାମୁକୋଳି ଗଛରୁ ଜାମୁକୋଳି ତୋଳି ଖାଇବା ବେଶ୍ ଉପଭୋଗ୍ୟ ହୋଇଥାଏ।
ସେଇଠି ସେଦିନ ପିତା ନିଧିରାମ ଓ ମାତା ପାଞ୍ଚାଳୀଙ୍କ କ୍ରୋଡ ମଣ୍ଡଳ କରି ଜନ୍ମ ନିଅନ୍ତି ଉଚ୍ଚ ଶିକ୍ଷିତ ଶିବ ଚରଣ। ପିଲାଦିନୁ ଶିବ ଚରଣଙ୍କ ଭାବ ଭଙ୍ଗୀରେ ଦେଖା ଦେଉଥିଲା ଅସ୍ୱାଭାବିକ ପରିବର୍ତ୍ତନ। ସେ ସଧାରଣ ପିଲା ଭାବେ ଜୀବନ ନିର୍ବାହ କରିବାକୁ ଚାହୁଁ ନଥିଲେ, ସେ ଚାହୁଁଥିଲେ – “ସାହେବ ହେବେ ସାହେବ”। ତେଣୁ ଖୁବ୍ ମନ ଲଗାଇ ପାଠ ପଢୁଥିଲେ। ଗ୍ରାମ୍ୟ ଚାଟଶାଳୀ ଓ ଅବଧାନଙ୍କ ପାଖରୁ ପାଠ ଆରମ୍ଭ କରି ସେ – – – – – ସ୍କୁଲରୁ ଶିକ୍ଷା ସମାପ୍ତ କରି ଆସିଯାଇଥିଲେ ଭଦ୍ରକସ୍ଥିତ ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାପୀଠକୁ। ରହଣି ଜାଗା ସଦା ବ୍ରତ ମଠ, କାମ ପରର ମଜୁରୀ ଲାଗି କରି ଚାରଣା ପଇସା ରୋଜଗାର କରିବା ଓ ସେଇଥିରେ ରହିବା ଖାଇବା ସହିତ ପାଠ ପଢା ଖର୍ଚ୍ଚ ଉଠେଇବା। ବଳକା ସମୟ ମିଳିଲେ ସ୍କୁଲ ଯିବା ଓ ପାଠ ପଢିବା। ଏହିଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଗଭୀର ଆତ୍ମ ବିଶ୍ବାସ ଓ ଅଧ୍ୟବସାୟ ନିଶା ଯୋଗୁଁ ପରିଶେଷରେ ସେ ସଫଳତାର ସହ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଗଲେ। ଯେତେବେଳେ ସମ୍ବାଦ ପତ୍ର ଜରିଆରେ ଏ ଖବବରଟା ଖୁବ୍ ପ୍ରଚାରିତ ହୋଇଗଲା, ସେତେବେଳେ – କି ଦେଖିବ ଖୁସି। ଗାଁ ଲୋକ ତ ଆଗ ଶିବୁକୁ ଧରି ଦମେ ଖଣ୍ଡ ନାଚି ପକାଇଲେ, ତା’ପରେ ପାଖ ପଡୋଶୀ ଚାରିଆଡ଼େ ବୁଲି କହିଲେ ଆମ ଶିବୁ ମାଟ୍ରିକ ପାସ୍ କରିଛି। ସେଦିନ ତ ଗାଁ ଗୋଟାକର ମେଳା – ମାନେ ଯେମିତି ମେଳା ଲାଗିଥିଲା ଶିବୁକୁ ଦେଖିବା ପାଇଁ।
ଏହି ଏତିକିରେ ଶିବୁଙ୍କର ସଫଳତାର କାହାଣୀର ପରିସମାପ୍ତି ଘଟି ନଥିଲା। ସେ ଗୋଟେ ପରେ ଗୋଟେ ପାହଚ ଅତିକ୍ରମ କରି ପାଟଣା ବିଶ୍ଵ ବିଦ୍ୟାଳୟ ଅଧୀନରେ ଥିବା ଫକୀର ମୋହନ କଲେଜରୁ ଇତିହାସ (ସମ୍ମାନ) ରଖି ସ୍ନାତକ ଡିଗ୍ରୀ ହାସଲ କଲେ। ପରେ ପୁଣି ରାଧାନାଥ ଟ୍ରେନିଂ କଲେଜରୁ ବି. ଏଡ୍. ହାସଲ କଲେ। ଆଉ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ଥିଲେ ହେଁ ଦରିଦ୍ରତା ଆଉ ଆଗକୁ ବାଟ କଢେଇ ନେଇ ପାରିଲା ନାହିଁ। ପାଠରେ ପଡ଼ିଲା ବେଢି। ଏଣିକି ଆରମ୍ଭ ହେଲା କର୍ମମୟ ଜୀବନ ଓ ଜଞ୍ଜାଳ।
ସେ ସରକାରୀ ଚାକିରୀକୁ ଜୀବନର ପେଶା ରୂପେ ବରୀ ନେଲେ।ସେ ପ୍ରଥମେ ନୟାଗଡ଼ ସ୍ଥିତ ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତ ହେଲେ ଓ ପରେ ଇନ୍ସପେକ୍ଟର, ସବ ଇନ୍ସପେକ୍ଟର ଓ ଡେପୁଟି ଇନ୍ସପେକ୍ଟର ଅଫ ସ୍କୁଲ୍ ଭାବେ ନିମାପଡ଼ା, ବାଲେଶ୍ଵର ଓ ରାଇରଙ୍ଗପୁର ଆଦି ସ୍ଥାନ ମାନଙ୍କରେ ଚାକିରୀ କରି ଶେଷରେ ନିଜ କର୍ମମୟ ଜୀବନରୁ ଅବସର ନେଇଥିଲେ। ଚାକିରୀ ଜୀବନରେ ସେ ବେଶ୍ ନିର୍ଭୀକ ଓ ସଚ୍ଚୋଟ ମଧ୍ୟ ଥିଲେ। ଦିନକର ଘଟଣା ଜଣେ ରାଜନେତା ତାଙ୍କୁ କହିଥିଲେ ପଞ୍ଚମ ଶ୍ରେଣୀରେ ତାଙ୍କର ଜଣେ ସମ୍ପର୍କୀୟ ପିଲାକୁ ସ୍କଲାରସିପ ଦେବା ପାଇଁ, ସେ କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ପାତରଅନ୍ତର କରିପାରିବେ ନାହିଁ ବୋଲି ରୋକ୍ଠୋକ କହିଦେଇଥିଲେ ଫଳରେ ତାଙ୍କୁ ଶୁଣିବାକୁ ମିଳିଥିଲା କଡା ତାଗିଦ୍ – “ଏ ଶିବ ଚରଣ ତୋ ଚରଣ ଛଡେଇଦେବି”। ତଥାପି ଶିବ ଚରଣ ନିଜ ନିଷ୍ପତ୍ତି ବଦଳାଇ ନଥିଲେ। ଅବଶ୍ଯ ଏଥିପାଇଁ ତାଙ୍କୁ ଶାସ୍ତି ଭୋଗିବାକୁ ପଡିଥିଲା ଓ ତାଙ୍କର ବଦଳି ହୋଇଥିଲା ସୁଦୂର କୋରାପୁଟ। ତଥାପି ନିଜ କର୍ତ୍ତବ୍ୟ ପଥରେ ସେ ଅବିଚଳିତ, ନୀତି ଆଦର୍ଶ କଥା ଉଠିଲେ ସେ ଅଚଳ ମହାମେରୁ। ଶିକ୍ଷା ଓ ଶିକ୍ଷା ଆୟତନକୁ ନେଇ ତାଙ୍କର ସମ୍ପର୍କ ଅତି ନିବିଡ଼। ଜଣେ ଆଦର୍ଶ ଶିକ୍ଷକ, କର୍ତ୍ତବ୍ୟନିଷ୍ଠ ଓ ଶୃଙ୍ଖଳିତ ସରକାରୀ କର୍ମଚାରୀ, ଅନୁଶାସନପ୍ରିୟ ପ୍ରଶାସକ, ନୀତି ଓ ଧର୍ମନିଷ୍ଠ ମଣିଷ। କର୍ମମୟ ଜୀବନ ଭିତରେ ସେ ଅନେକ ଲୋକଙ୍କୁ କର୍ମ ସଂସ୍ଥାନର ଅନୁସନ୍ଧାନ ଦେଇଛନ୍ତି ବା କାହାକୁ ସାହାଯ୍ୟର ହାତ ବଢ଼ାଇ ଦେଇ ଅନ୍ନସଂସ୍ଥାନଟିଏ ଯୋଗାଡ଼ କରି ଦେଇଛନ୍ତି।

କ୍ରମଶଃ…
ଇଏ ତ ଗଲା କର୍ମମୟ ଜୀବନର କଥା। ଏବେ ଆଲୋଚନା କରିବା ବ୍ୟକ୍ତିଗତ ଜୀବନୀ ସମ୍ପର୍କରେ। ଶିବ ଚରଣଙ୍କ ବାଲ୍ୟକାଳ ନିଶ୍ଚିତ ପକ୍ଷେ ସେତେ ସୁଖପ୍ରଦ ନଥିଲା। କାରଣ ଦରିଦ୍ର ଘରର ସୁଖ ଶାନ୍ତି ସବୁ ଏକ ପ୍ରକାରର। ପେଟକୁ ପେଟପୂରା ଦାନା ଓ ପିନ୍ଧିବାକୁ ଭଲ ଖଣ୍ଡେ ଲୁଗୁଆ ନଥିଲା । ଡିବିରି ଆଲୁଅ ଓ ଛଣ କୁଟା ଜାଳ ଭିତରେ ଜୀବନ ବେଶ ଧାଉଁଥିଲା। ଇଏ ପ୍ରତିଟି ଗରିବୀର ଆତ୍ମ କାହାଣୀ। ତଥାପି ବାପା ମାଆ ଦି’ଟା ଛୁଆଟାକୁ ପାଠ ଦି’ ଅକ୍ଷର ପଢେଇବା ପାଇଁ କ’ଣ କମତି କିଛି ସହିଛନ୍ତି, ଏପରିକି ପର ଘରେ ନୌକରୀ ଓ ମୂଲ ଲାଗିବାଠୁଁ ଆହୁରି କେତେ କ’ଣ। ଯାହା ବି ହେଉ ପାଠ ପଢା ସରିଗଲା ପରେ ଶିବ ଚରଣ ବି ସରକାରୀ ଚାକିରୀ ଖଣ୍ଡେ ପାଇଗଲେ। ଘରକୁ ସୁଖ ଶାନ୍ତି ଆସିବା ଆରମ୍ଭ ହୋଇଗଲା। ଘରର ଅବସ୍ଥା ମଧ୍ୟ ଧୀରେ ଧୀରେ ବଦଳିବାକୁ ଲାଗିଲା। ବାପା ମାଆଙ୍କର ଗୋଡ଼ ତ ଆଉ ତଳେ ଲାଗୁ ନଥଏ। ଇଚ୍ଛା ଭଲ ଘର ଦେଖି ବନ୍ଧୁ କରିବେ। ପୁଅକୁ ହାତକୁ ଦି’ ହାତ କରିଦେଲେ କାମ ଶେଷ। ସେ ତା’ର ଘର ସଂସାର ସମ୍ଭାଳିବ। ସେୟା ବି ହେଲା ଗୋଟାଏ ବଡ଼ ଘର ଦେଖି ତା’ର ବିବାହ ସମ୍ପନ୍ନ କରିଦେଲେ। ଭଦ୍ରକ ଅଞ୍ଚଳର ସବୁଠାରୁ ବଡ଼ ଜମିଦାର ଫତେହପୁରର ଜମିଦାର – – – – ଙ୍କ ବଡ଼ ଝିଅ ସୁମିତ୍ରାଙ୍କୁ ବିବାହ କଲେ ଶିବ ଚରଣ। ବେଶ୍ ହସଖୁସିରେ ଦିନ ପରେ ଦିନ ଅତିବାହିତ ହେବାକୁ ଲାଗିଲା। ମାତ୍ର୍ ଭଗବାନଙ୍କ ରାଜ୍ୟରେ ସବୁ ପ୍ରାଣୀଙ୍କର ସବୁ ସମୟ ସଦା ସର୍ବଦା ଖୁସିରେ ଯାଏ ନାହିଁ। ପରିବର୍ତ୍ତନର ଧର୍ମ ପାଳି ସବୁବେଳେ ଏମିତି ଉତ୍ଥାନ ଓ ପତ୍ତନ ଲାଗିରହିଥାଏ। ସେୟା ହିଁ ଘଟିଥିଲା ଶିବ ଚରଣଙ୍କ ଜୀବନ ଇତିହାସରେ। ସେଦିନ ହଠାତ୍ ଏମିତି କ’ଣ ହେଲା କେଜାଣି ସମସ୍ତଙ୍କୁ ଦୁଃଖ ଦରିଆରେ ଭଷାଇ ଦେଇ ସୁମିତ୍ରା ଦେବୀ ବାଟ କାଟିଲେ ଆରପାରିକୁ – ଅହି ସୁଲକ୍ଷଣୀ ହୋଇ।
ପାଖରେ ଛୋଟ ଛୋଟ(ଲକ୍ଷ୍ମୀକାନ୍ତ ଓ ସୂର୍ଯ୍ୟକାନ୍ତ) ପିଲା ଦୁଇଟି। ମୁଣ୍ଡ ଉପରେ ବଜ୍ର ପଡିଲା। ତଥାପି ହିମ୍ମତ ନହାରି ପିଲାଙ୍କୁ ମଣିଷ କରିବା ବ୍ରତରେ ବ୍ରତୀ ରହିଲେ। ହେଲେ ସଂସାର ବୋଝ ମୁଣ୍ଡାଇବା କି ଏତେ ସହଜ? ବାଧ୍ୟ ହୋଇ ଛୁଆଙ୍କ ମୁହଁକୁ ଚାହିଁ ଦ୍ଵିତୀୟ ଦାର ଗ୍ରହଣ କଲେ। ଘରକୁ ଆସିଲେ ଶାନ୍ତି ଲତା- ଦ୍ଵିତୀୟ ପତ୍ନୀ ହୋଇ। ତାଙ୍କ ଗର୍ଭରୁ ମଧ୍ୟ ପାଞ୍ଚୋଟି କନ୍ୟା (ଲିଲି, କବିତା, ସବିତା, ଡଲି ଓ ବେବି) ଓ ଦୁଇଟି ଶିଶୁ ପୁତ୍ର (ଚିନ୍ମୟ ଓ ବୁଲା) ଜନ୍ମ୍ ଗ୍ରହଣ କଲେ। ବଡ଼ ପରିବାର, ଦାୟିତ୍ଵ ଅଧିକ, ତଥାପି ସମସ୍ତଙ୍କୁ ବଡ଼ କରିବାର ସଂକଳ୍ପ ଓ ଉଚିତ୍ ଶିକ୍ଷା ପ୍ରଦାନ କରିବାର ଲକ୍ଷ୍ୟ। ତା’ ଭିତରୁ କେତେ ସଫଳ ଓ ଅସଫଳ ତାହା ତ ସମୟ ସାକ୍ଷ୍ୟ ଦେବ। ମଣିଷ ପରି ମଣିଷ କରି ଗଢି ତୋଳିବା ଲକ୍ଷ୍ୟରୁ ଆଜି ଜଣେ ଅବସରପ୍ରାପ୍ତ ପ୍ରାଧ୍ୟାପକ, ଭାଇଟି ମଧ୍ୟ ଶିକ୍ଷି ଆହରଣ କରି ସେଲ୍ ଟ୍ୟାକ୍ସ ବିଭାଗର ସି. ଟି. ଓ। ଝିଅମାନେ ମଧ୍ୟ ଭଲ ଜାଗାରେ ବିବାହ କରି ସୁଖ ଶାନ୍ତିରେ ସଂସାର ଧର୍ମ ପଳୁଛନ୍ତି। କାହାରି ବିଶେଷ କିଛି ଅସୁବିଧା ନାହିଁ। ନାତୁଣୀ( ମଲି)ଜଣେ ମଧ୍ଯ ଆଜି ଆମେରିକା ପରି ସହରରେ ଓ ନାତି( ମିଲୁ) ଆୟୁର୍ବେଦିକ ମହାବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର। ସବୁ ସଫଳତାର ମୂଳରେ ସେଇ ଜଣଙ୍କର ହାତ କରଣୀ। ହେଲେ ଶିବ ଆଜି ଏ ଇହଧାମରେ ନାହାଁନ୍ତି। ସେ କେବେଠାରୁ ଟିକଟ କାଟିଛନ୍ତି- ଆର ପୁରକୁ। ଗତ ତା 25 /07 /2000 ରିଖରେ ସେ ମହାପ୍ରୟାଣ ଲଭିଛନ୍ତି। ହେଲେ ପଛରେ ଛାଡ଼ି ଯାଇଛନ୍ତି ଛାପ। ତେଣୁ ଏବେ ବି ପରିବାର ଲୋକ ଝୁରନ୍ତି ଶିବ ଚରଣଙ୍କୁ। କେହି କେହି ଏବେ ବି ପରାମର୍ଶ ଦେଇଥାନ୍ତି – “ଶିବ ଚରଣଙ୍କ ପରି ହେବାକୁ ଆଉ ନାଲି କୋଠା (ସରକାରୀ ବାସ ଭବନ) ଚଢିବାକୁ। ଧନ୍ଯ ଆପଣ ସ୍ଵର୍ଗତଃ ଶିବ ଚରଣ, ଧନ୍ଯ ତୁମର ପାଠୁଆ ଗୁଣ।
ଜୟ ଜଗନ୍ନାଥ
-ସାହିତ୍ୟ ସାରଥି ଓ ସାହିତ୍ୟ ରତ୍ନ
ସତ୍ୟ ପ୍ରକାଶ ସେଠୀ

Related posts

ଗାଁରୁ ଫେରୁଛି, ଗାଁ ହଜିଛି ।

satya

ଶୀତଳ ତୁଣ୍ଡି

satya

ସମାଜ ସୁଧାରକ

satya

1 comment

bandar ceme online 24th July 2019 at 5:13 pm

Wow, fantastic blog layout! How long have you been blogging
for? you make blogging look easy. The overall look
of your website is wonderful, let alone the content! https://whitesilverplate.blogspot.com/

Reply

Leave a Comment

Login

X

Register