Satya Prakash
ଗଳ୍ପ

ଶୀତଳ ତୁଣ୍ଡି

ଯୈାତୁକ, ଯୈାତୁକ, ଓଃ-କି ପ୍ରଚଣ୍ଡ– ଏ ? କି ଭୟଙ୍କର — ଏ  ଶବ୍ଦ? ନା-ନା.. ଆଉ ଚଳି ହେବ ନାହିଁ, ଆଉ ବଞ୍ଚିହେବ ନାହିଁ– ଏ ସଂସାରରେ । ଯେଉଁ ଆଡ଼େ ଚାହଁ ସବୁଆଡ଼େ ସେହି ଯୈାତୁକ ଆଉ ଦାବି  । ଦାବି ଆଉ ଯୈାତୁକ….

-ଓଃ…ଏତେ ଚିନ୍ତା କରିବାର କ’ଣ ଅଛି ? ଏତେ ଗୁଡ଼ାଏ ବକିବାର ବା କ’ଣ ଅଛି ? ମଣିଷ ପ୍ଲାଟ ଫର୍ମରୁ ଆସି ଗାଁ ମୁଣ୍ଡରେ ପହଞ୍ଚିଗଲାଣି- ତଥାପି ସେହି କଥା  । ସେହି ଦାବି-ଯୈାତୁକ-ଦାବି  । କିହୋ  ଟଙ୍କା ପଇସା ଅଛି ତ ଝିଅକୁ ବାହାଘର କରାଅ  । ନ ଅଛି ତ ନିଜକୁ ବନ୍ଧା ପକାଅ , ବିଲ, ବାଡ଼ି ବିକ୍ରି କର   । ଯାହା ହେଉ ପଛେ ଜ୍ୱାଇଁଙ୍କ ଦାବିଟା ଆଗ ପୂରଣ କର  । ଟି.ଭି ଦିଅ, ମୋଟର ସାଇକେଲ୍ ଦିଅ, ଫ୍ରିଜ୍ ଦିଅ ,ନଗଦ କ୍ୟାସ୍- ଟଙ୍କା ଦିଅ, ପଲଙ୍କ, ଆଲମିରା ଆଦି ଯାହାକିଛି ପାଉଛ ସବୁ ଦିଅ  । ପାରୁଛ ଯଦି ନିଜକୁ ନିଜେ ଦିଅ  । ଶେଷକୁ କିଛି ନ ପାଇଲେ ଦୁବ ଘାସ କିମ୍ବା ନରମ ତକିଆର ଆଶ୍ରୟ ନେଇ ଝିଅ ବାହା ଘରର ଚିନ୍ତାରୁ ମୁକ୍ତି ପାଇବା ପାଇଁ ଶେଷ  ଚେଷ୍ଟା କର  । ବାସ୍ ସେତିକି  । ଏଣିକି ତୁମ କଥା ତୁମର ଆମ କଥା ଆମର ।

ବାପରେ! କି ରାଗ କି ମଧ୍ୟସ୍ଥି ମହାଦେବଙ୍କର    ?                                                                                         ଲଳିତ ପୁର ଗାଁ  । ଗାଁଟିର ସୁମଧୁର ନାମ ସହିତ ଏହାର ପ୍ରକୃତିର ସାମଞ୍ଜସ୍ୟ ବହୁତ  । ଏହାର ଦକ୍ଷିଣ ପାଶ୍ୱର୍ରେ ପବିତ୍ର ବୈତରଣୀର ଧୀର ଚୁମ୍ବନ ଏବଂ ପ୍ରକୃତିର ହାସ  । ଜଳର ସ୍ୱଚ୍ଛତାର ନିଗୁଢ଼ ପରିବେଶ ମଧ୍ୟରେ ବାଲୁକାର ସୂକ୍ଷ୍ମ ଶୋଭା ବିଦ୍ୟମାନ । କେବଳ ଏତିକି ନୁହେଁ, କି ଅବା ବର୍ଣ୍ଣିବି ସେହି ଶୋଭାରାଶି–  ଯେତେବେଳେ ନିରନ୍ଦ୍ର ଅନ୍ଧକାର ସୂର୍ଯ୍ୟଙ୍କ ଶୁକ୍ଳାଲୋକରେ ବୁକୁଭେଦ କରି ଧରଣୀ ମାଆକୁ ଢାଙ୍କିବା ପୂର୍ବରୁ ସୂର୍ଯ୍ୟଦେବ ଦେଇ ଯାଇଥା’ନ୍ତି ସୁନେଲି ରକ୍ତିମ ଆଭା ଓ ସେହି ଆଭାସିକତା ବୃକ୍ଷ ପର୍ଣ୍ଣାଦି ଉପରେ ନିପତିତ ହୋଇ ସୃଷ୍ଟିକରେ ହୃଦୟ ଭରା ମନୋଲୋଭା ଦୃଶ୍ୟ । ସଂଧ୍ୟ୍ୟାର ମୃଦୁ ହିଲ୍ଲୋଳ କଲ୍ଲୋଳାୟିତ ହୋଇ ହୃଦୟ ତନ୍ତ୍ରୀକୁ ଧକ୍କା ଦିଏ  । ଏ କ’ଣ  ତୁମ୍ଭର ଶୋଭାଦେଶ  ? ନାଁ ଏ ଦେବତାଙ୍କର ଦୃଶ୍ୟାଦେଶ –   ଏ  ନନ୍ଦନ କାନନ- ପାରିଜାତର ହାର । ବୋଧହୁଏ ଭଗବାନ ବିଶ୍ୱକର୍ମାଙ୍କୁ ତାଙ୍କର ସମସ୍ତ କୈାଶଳ ଏହିଠାରେ କେନ୍ଦ୍ରୀଭୂତ କରିବା ପାଇଁ ଆଦେଶ ଦେଇଥିଲେ ।

ଯୁବତୀ ଲଳିତା- ଏହି ଗାଁ ରେ ବଢ଼ିଛି- ସେ  । ସେ ମାନବୀ ନା, ମାନବୀ ନୁହେଁ, ସେ ସ୍ୱର୍ଗର ଅପସରୀ, ସେ ରମ୍ଭା, ସେ ଉର୍ବଶୀ, ସେ ମେନକା କିମ୍ବା ମର୍ତ୍ତ୍ୟର ସ୍ୱପ୍ନ ଚିତ୍ର, ଅଠର ବୟସୀ, ଅନୁଢ଼ା ତରୁଣୀ- ଅବଗୁଣ୍ଠନବତୀ  ।

ଏହି ଗାଁଟିରେ ବହି ଯାଇଛି ସତର ବରଷ  । ଏକ-ଦୁଇ-ତିନି ……..ସତର । ଦିନପରେ ଦିନ ଗୋଟି ଗୋଟିି ହୋଇ ଗଡ଼ିଯାଏ, ବହିଯାଏ  ସବୁକିଛି ସମୟର ସ୍ରୋତରେ  । ଜଣା ପଡ଼େନି କିଛି — ଏ  ମଣିଷ ଜାତିଟାକୁ । କେଡ଼େ ଦୁର୍ଦ୍ଦାନ୍ତ, ଦୁର୍ଦ୍ଦଶ  –ଏ  । ଆଉ କେଡ଼େ ନୀରୀହ, ନିଚ୍ଛକ ଏ ପ୍ରାଣୀ  । ସେ କଡ଼େ ରକ୍ତର ତାଣ୍ଡବ ଲୀଳା ଏକଡ଼େ ସହେ ସୁଖ ଦୁଃଖର ଢେଉ ।

ସତର ବର୍ଷର ଅତୀତ କାହାଣୀ ଉପରେ ଲଳିତା ଜୀବନର ମାନ ଦଣ୍ଡ ଗଢ଼ା । ସେ ବିତାଇଛି  ବର୍ଷ କେତୋଟି; ନାଚି ଡ଼େଇଁ ତା’ର ପଲ୍ଲୀ ପ୍ରାନ୍ତରରେ  । ସେ କେତେ ହସିଥିବ  । କେତେ ହସାଇ ଥିବ  । କିଏ ତା’ର କଳନା କରୁଛି  । କିଏ ବା ହିସାବ ରଖୁଛି ତା’ର  । କିଛି ଦିନ ପରେ ଯିବ ତା’ର ଶ୍ବଶୁର ଘରକୁ – ହେବ ବୋହୂ, ବୃକ୍ଷର  ଲୁକ୍କାୟିତ କଢି  । ସେ ହୁଏତ  ଆଉ ଖୋଲିକି ହସି ପାରିବ ନାହିଁ  । ହସି ନ ପାରେ, ହେଲେ କାନ୍ଦି ପାରେ  । ଏ ଦୁନିଆ ହସ କାନ୍ଦର ଦୁନିଆ  । ଏଥିପାଇଁ ଦାୟୀ ଏହି ସମାଜ  । ଚିର ଦିନ ପାଇଁ ସେ ଏହାର ଦାୟିତ୍ୱ ଗ୍ରହଣ କରିବ, ମୁଣ୍ଡାଇ ଚାଲିବ ସବୁ ଅପବାଦ । ଦୁର୍ଦ୍ଦାନ୍ତ– ଏ ସମାଜ; ଦୁର୍ଗମ, ପଙ୍କିଳ– ଏହାର ପଥ  ।

ଲଳିତା ଦୁଇଟି ସାନ ଭାଇ ଭଉଣୀ ସହିତ ବଢ଼ି ଆସିଛି ଗୋଟାଏ ବୃକ୍ଷର ତିନୋଟି ପାରିଜାତ ପରି  । ବାପା- ମା’ଙ୍କର ଜ୍ୟେଷ୍ଟା କନ୍ୟା ସେ – ସ୍ନେହ ପାରାବାରର ଶଙ୍ଖ ଓ ଶାମୁକା  । ସ୍ନେହ ଶ୍ରଦ୍ଧାର ପରିସର ମଧ୍ୟରେ ବଢ଼ି ଆସିଛି ସେ ସତର ବର୍ଷ ଧରି । ପିଲାଦିନେ ମା’ତାକୁ କେତେ ଗେହ୍ଲା ନ କରିଛନ୍ତି ସତେ  । କେତେ ବୋକ ଦେଇଛନ୍ତି । କୋଳରେ ବସାଇ ହଲାଇଛନ୍ତି  । କାନ୍ଦିଲେ ବୋଧ କରନ୍ତି, ତା’କୁ ,ବାଇବେଲ କରନ୍ତି । ଗୁଣ୍ଠୁଣୀ ହାତୀର ଝୁଲା ଶିଖାନ୍ତି, ନ ବୁଝିଲେ ବାଇଆକୁ ଦିଅନ୍ତି  । ତୁନି ହୁଏ ଲଳିତା । ବୁଝେନା ଏହାର ଅର୍ଥ  ।

ବଡ଼ ହୁଏ ଲଳିତା  । ସାଙ୍ଗ ସାଥିଙ୍କ ସହ ଖେଳିବାକୁ ଯାଏ  । ମନ ପୂରାଇ ଖେଳେ  । ଦିନ ସରିଯାଏ, ଆସେ ଅନ୍ଧାର, ଖେଳି  ଖେଳି କ୍ଳାନ୍ତ ହୋଇ ପଡ଼ିଥାଏ  । ଫେରି ଆସେ ଘରକୁ  । ବୁଢ଼ା ବାପାଙ୍କ ପାଖରେ ବସି ଗପ ଶୁଣେ  । ରାଜା, ମନ୍ତ୍ରୀ ଗପ ନାଗର , ତନ୍ତୀ କଥା, ବାଘ ବାଘୁଣୀ କଥା, ଅସୁର ଅସୁରାଣୀ, ବଗ, ବଗୁଲି, ମାଙ୍କଡ଼ର ପିଠାଖିଆ, ରାମ ରାବଣ ଯୁଦ୍ଧ  । ଏହିପରି କେତେ ଗଡ଼ିଚାଲେ ଗୋଟିଏ ପରେ ଗୋଟିଏ  । ଥକା ଲାଗେନି, ଖରାପ ଲାଗେନି ତାଙ୍କୁ, କାରଣ ନାତୁଣୀ ତାଙ୍କର ଗେହ୍ଲି । କିନ୍ତୁ ଲଳିତାକୁ ନିଦ ଆସେ  । ଶୋଇପଡ଼େ ସେ ବୁଢ଼ା ବାପାଙ୍କ କୋଳରେ । ନିଦ ତା’କୁ ଘାରେ  । ସ୍ୱପ୍ନ ତା’କୁ ହଲାଏ  । ଦେଖେ ସେ ସ୍ୱପ୍ନ ପରେ ସ୍ୱପ୍ନ  । ଗଡ଼ିଯାଏ ଗୋଟିଏ ପରେ ଗୋଟିଏ ପର୍ବତ, ଶିଖରର ଜଳ ଧାରାପରି କିମ୍ବା ଚଳ ଚିତ୍ରର ଚିତ୍ରପଟ୍ଟ ପରି  । ସ୍ୱପ୍ନରେ ଦେଖେ ତା’ର ଦୈନନ୍ଦିନର କର୍ମଖନ୍ଦା– ସେ ଭାତ ରାନ୍ଧୁଛି, ସେ ଡ଼ାଲି ରାନ୍ଧୁଛି , ସେ  ତରକାରୀ ରାନ୍ଧୁଛି, ଧୂଳି ଘରେ ବନ୍ଧୁ ମାନଙ୍କୁ ସେ  ତା’ର ପରିବେଷଣ କରୁଛି  । ମିଛି ମିଛିକା ବୋହୂ ସାଜୁଛି , ଅନୁକରଣ କରୁଛି ସମାଜର ପ୍ରଥା, ଦେଖୁଛି କଳ୍ପନା ରାଇଜର ଭବିଷ୍ୟତ ଚିତ୍ର,  ପୁଣି ବନ୍ଧୁ ମାନଙ୍କ ସହିତ କଳି, ମାଡ଼ଗୋଳ, ଧୁମ୍ଧାମ କ୍ରନ୍ଦନ  । ଆଉ ପ୍ରତ୍ୟାବର୍ତ୍ତନ  । ବନ୍ଦ ହୁଏନି ସ୍ୱପ୍ନର ସ୍ରୋତ  । ଗଡ଼ିଆସେ ପୁଣି କୁହୁକ ରାଇଜର କୁହୁକ କାଠି  । ଗାଁ ମୁଣ୍ଡର ଶ୍ମଶାନରେ ମଲା ମଣିଷର କୁହାଟ ଡ଼ାହାଣୀ ପଲ, ମଶାଣି ସେପଟ ବର ଗଛରେ ଚିରଗୁଣୀର ନିଆଁ ହୁଳା  । ସେ ତା’ ପିଲାକୁ  ସେକୁଛି, ମଣିଷ ମାଂସ  ଖାଉଛି , ହାଟରୁ ଫେରୁଥିବା ବାଟୋଇକୁ  ଦେଖି ପାଖ ସଡ଼କ ଆଡ଼େ ଅନାଉଛି । ଏକୁଟିଆ ଦେଖିଲେ ବାଟ ଛେକିବ  । ତା’ର ରକ୍ତ ପିଇବ  । ଓଃ…କି କରୁଣ ଦୃଶ୍ୟ  ହୋଇ ନଥିବ ସେ ? ହଁ ଏଇତ ଜଣେ ଲୋକ ସଡ଼କ ଉପରେ ଯାଉଛି । ମାରିଦେବ ତା’କୁ; ଖାଇ ଦେବ ତା’କୁ  । ପରପାଇଁ ସହାନୁଭୂତି-ଗଭୀର ସହାନୂଭୁତି  । ହେ ଭଗବାନ ତା’କୁ ରକ୍ଷା କର– ବ୍ୟସ୍ତ ହୋଇପଡ଼େ — ସହାନୁଭୁତିର କେଇ ଟୋପା ଅଶ୍ରୁ ମୁଖ ମଣ୍ଡଳକୁ ଆଦ୍ର କରିଦିଏ  ।

ପୁଣି ଅସୁରୁଣୀ ବୁଢ଼ୀଟା ମୁଣ୍ଡମାଳଧରି ଚାଲିଛି  । ପଛରେ ବି ବାବନା ଭୂତଟା ଚାଲିଛି ହାଡ଼ ଖଣ୍ଡେ ଧରି  । ମଣିଷ ଖୋଜୁଛି , ରକ୍ତ ଖୋଜୁଛି – ସେ  । ତାଳଗଛ ପରି ଗୋଡ଼ ଦୁଇଟାକୁ ବଢ଼ାଇ ଚାଲିଛି ପୋଖରୀ କୂଳ ବରଗଛ ଆଡ଼କୁ । ସେଇଠି ତା’ର ବସା  । ସେଇଠି ମଣିଷ ମୁଣ୍ଡର ଗଦା  । ହାଡ଼ ମାଳର ସଂଖ୍ୟା କହିବ କିଏ । ଓଃ କି ଭୟଙ୍କର ଚିତ୍ର ସବୁ ? କି କୁତ୍ସିତ କଦାକାର ? ମନ ବୁଝେନା ଏ ସ୍ୱପ୍ନରେ ଭୟ ଲାଗେ  । ଦେହଝାଳ ଅଠା ହୁଏ, ହାତ ଗୋଡ଼ ଥରେ , ନିଦ ଭାଙ୍ଗେ  । ତାହା ପରେ ଚିତ୍କାର– ଓ-ଓ-ଓ-ଓ …………………….

ଗୋସେଇଁ ବାପାଙ୍କର ନିଦ ଭାଙ୍ଗେ  । ନାତୁଣୀକୁ ଟାଣିନେଇ ଛେପ ପକାଇ ଦିଅନ୍ତି । ବିଶ୍ୱାସ–ଡ଼ାହାଣୀ, ଚିରଗୁଣୀ ଭୟ କଟିଯିବ  । ତା’ ପରେ ରାତି ପାହେ, ଦିନ ଆସେ । ଲଳିତା ଶେଯରୁ ଉଠେ, ଏହିପରି ଦିନ ପରେ ଦିନ ଗଡ଼ିଯାଏ, ଗଡ଼ିଯାଏ ତା’ର ଜୀବନରେ କେତେ ଲମ୍ବ ବ୍ୟବଚ୍ଛେଦ  ।

ଏହି ପରି ଦିନ ପରେ ଦିନ କେତେ ଯେ  ବିତି ଯାଇଛି; ଏ ବିଗତ ଅଠର ବର୍ଷ ମଧ୍ୟରେ ସହିଛି ସେ ନିଦାଘ ପରେ ବର୍ଷା, ଶ୍ରାବଣର ଧାରା  । ଉପଭୋଗ କରିଛି ଶରତ ପୁର୍ଣ୍ଣିମା ଏବଂ ବସନ୍ତର ମୃଦୁ ସମୀରଣ  । ଗୋଟାଏ ନୁହେଁ  ବା ଦୁଇଟି  ନୁହେଁ ଏକ-ଦୁଇ-ତିନି ଏହିପରି ସତରଟି ବସନ୍ତ ସେ ବିତାଇଛି  । କିନ୍ତୁ ଏଇ ବସନ୍ତ ସେମାନଙ୍କ ଠାରୁ ସାମାନ୍ୟ ଭିନ୍ନ  । ଏ ବସନ୍ତରେ ସେ ଦେଖିଛି ମାତୃତ୍ୱର ସ୍ୱର୍ଣ୍ଣିମ  ସ୍ୱପ୍ନ, ଭବିଷ୍ୟତର ସୁନେଲି କଳ୍ପନା  । ଏ କଳ୍ପନା ଥରାଇଛି ତା’ର ହୃଦ ରାଇଜକୁ  । ଘଣ୍ଟା ଘଣ୍ଟା ଧରି ଭାବିଛି ଏ ଦୁନିଆର କଥା  । ତଥାପି ପାଇନି ତା’ର ଅନ୍ତ କେଉଁଠି  ।

ବାପା,ମା ତା’ର ଏବେ ବାହାଘର ପାଇଁ ବ୍ୟସ୍ତ ହେଲେଣି । ସାଇ ପଡ଼ିଶା, ବନ୍ଧୁ ବାନ୍ଧବଙ୍କୁ ଏକାଠି କରି ବରଟିଏ ଖୋଜି ଯିବା ପାଇଁ କେତେ ଅନୁରୋଧ କଲେଣି  ।  ସମସ୍ତେ ମଧ୍ୟ ନିଜେ ନିଜ ଚେଷ୍ଠାରେ ଲାଗିଛନ୍ତି  । ଝିଅର ବୟସ ବେଶି ହୋଇ ଯାଉଛି  । ପୁଣି ବୟସ ବେଶି  ହେଲେ ସମାଜରେ ତାକୁ କେହି ବିବାହ କରିବେ ନାହିଁ । ସେ ହେବ ସମାଜର ବ୍ୟତିକ୍ରମ  ।  ସେ ହେବ ବାଛନ୍ଦ ବା ପତିତା ।

ବର ଘର ଖୋଜିଯିବା ପାଇଁ ଦୁଇଜଣ ବାହାରି ପଡ଼ିଲେ  । ସେ ବାହାଘର ଖୋଜି ଠିକ କରିବେ, ବାହା ଘରର କାମ ତୁଲାଇବେ  । ପ୍ରଥମେ ସୀତାକାନ୍ତ ପୁର କଥା– ପ୍ରସ୍ତାବ ଉଠିଲା  । ପିଲାଟି  ବି.ଏ .ପାଶ୍ କରିଛି । ଧନ ଧାନ୍ୟରେ ବି ମନ୍ଦ ନୁହେଁ; ସେଇଠି ବାହାଘର ହେଲେ ଝିଅଟି ସୁଖରେ ଚଳିବ  । ଏହି ତାଙ୍କରି ମତ, ତାଙ୍କରି ଇଚ୍ଛା  । ପ୍ରସ୍ତାବ ପଡ଼ିଲା  । ବରଘର ମଙ୍ଗିଲେ  । କିନ୍ତୁ ଦାବି- ଟଙ୍କା, ଟି.ଭି, ମୋଟର ସାଇକେଲ୍, ଫ୍ରିଜ୍ ଇତ୍ୟାଦି । ଫଳରେ ଫେରିବାକୁ ପଡ଼ିଲା  । ଚକ୍ରଧର ପୁର, ପ୍ରତାପ ପୁର ଓ ଦଧି ପଦାକୁ ମଧ୍ୟ ପ୍ରସ୍ତାବ ପଠାଇଲେ – ସେମାନେ । କିନ୍ତୁ ସବୁଠାରେ ଏକ କଥା, ଏକ ପ୍ରଶ୍ନ-ଦାବି  । ଶେଷରେ ସେ ନିରାଶ ହୋଇ ପହଁଞ୍ଚିଲେ ବାଲିପୁରରେ   । ପିଲାଟି ବି.ଏସ୍.ସି ପଢ଼ିଛି  । ଖାନଦାନ୍ ଘର  । ଦାବି ମଧ୍ୟ ଟିକେ କମ୍ ।                       ଯାହାହେଉ ଏତେଦିନ ପରେ ଆଶାର କ୍ଷୀଣ ଆଲୋକ  ଟିକେ ପାଇ – ସେଇଠାରେ ସ୍ଥିର କଲେ  । ମନା କଲେ ତ ଚଳିବ ନାହିଁ  ।ଏ  ଓଡ଼ିଆ ମାନଙ୍କର ପରମ୍ପରା- ଯୈାତୁକ  । ପୂରାପୂରି ନଦେଲେ ତ ଅଧା ଅଧି ଦେବାକୁ ହେବ ? ଆଉ କ’ଣ ସେମାନେ ପାଠୁଆ ଝିଅଟାକୁ ଗୋଟାଏ ମୁର୍ଖ ହାତରେ ଧରାଇ ଦେଇଥାନ୍ତେ? ଝିଅଟା ତ ପୁଣି ମ୍ୟାଟ୍ରିକ ଖଣ୍ଡେ ପାଶ୍ କରିଛି  ।

ଏଣେ ବୁଢ଼ା ତ ବାହାଘର ପାଇଁ ଖୁବ୍ ବ୍ୟସ୍ତ   । ମଣିଷର ବିଶ୍ୱାସ ନାତି, ନାତୁଣୀଙ୍କର ବାହାଘର ଟିକେ ଦେଖିଲେ ସାତ ଜନ୍ମରୁ ଉଦ୍ଧାର ମିଳେ  ।କାଳେ ସିଧା ବୈକୁଣ୍ଠପୁର  । ଗୋଡ଼ରେ କଣ୍ଟା ଖୁଞ୍ଚ ବି ଲାଗିବ ନାହିଁ  । କେତେଥର ଭଗବାନଙ୍କ ଉପରେ ଭରସା ରଖିଛନ୍ତି  । ଦୀର୍ଘ ନିଃଶ୍ୱାସ ପକାଇ ଝାଳ ପୋଛିଛନ୍ତି  । କଥା ଛଳରେ କାହାକୁ କେମିତି କହି ଦେଉଥା’ନ୍ତି  ସବୁ କଥା  । ଆଶା ତାଙ୍କର ପୂର୍ଣ୍ଣ ହୋଇଛି  । ଏଥର  ଭଗବାନ ତାଙ୍କର ଆଶା ପୂର୍ଣ୍ଣ କରିଛନ୍ତ  । ଶୁଣିଛନ୍ତି ତାଙ୍କର ଡ଼ାକ  ।

ବାହା ଘରର କାମ- ବଡ଼ ଝାମେଲା  । ଅଡ଼ୁଆ ସୁତାର ଖିଅ ପରି କେତେ ଆଡ଼େ  କେତେ କାମ ଲଟେଇ ପଟେଇ  ଲାଗିଥିବ  । ତେଣୁ କାମଟା ସାରିବା ପାଇଁ ସମସ୍ତେ ବ୍ୟସ୍ତ  । ବର ଘରକୁ ନିର୍ବନ୍ଧ ଗଲାଣି  । ବନ୍ଧୁ ବାନ୍ଧବ ସମସ୍ତେ ନିମନ୍ତ୍ରୀତ ହୋଇ ସାରିଛନ୍ତି  । ବାହାଘର ଦିନକୁ ଦିନ ନିକଟ ହୋଇ ଆସୁଛି  । ଘଣ୍ଟାଏ ଗଲେ ବର୍ଷେ ଯାଏ, ପୁଣି ତ  ସବୁ ଜିନିଷ ଠିକ୍ କରିବାକୁ ପଡ଼ିବ ? ବାହାଘର କଥା ତ, କେତେ ପଦାର୍ଥ ଏଥିପାଇଁ ଲୋଡ଼ା । ତେଣୁ  କଥାରେ କହନ୍ତିନି – ‘ବାହାଘର ନା ବାଇଘର’ । ବାହାଘର ଆଉ ମାତ୍ର ଦୁଇଦିନ ଡ଼େରି  । ବରପାଇଁ ସମସ୍ତ ଜିନିଷର ବରାଦ ସରିଗଲା । ସବୁ ଠିକ୍ ଠାକ୍ ହେଲା । ମାତ୍ର ଦୁର୍ଭାଗ୍ୟବଶତଃ ମୋଟର ସାଇକେଲ୍ଟା ଆସି ପାରିଲା ନାହିଁ । ବାହା ଘର ସମୟ  । କେତେ ଟଙ୍କା କୁଆଡ଼େ ଯାଉଛି  । ଗୋଟାଏ ଭଲ ମୋଟର ସାଇକେଲ୍ ଆଣିବାକୁ ଟଙ୍କା ହେଲେ ତ ହୁଏ ? ତେଣୁ ସେଇଟା ପରେ ଦେବାକୁ ସ୍ଥିର ହେଲା  ।

ଘରଦ୍ୱାର ସବୁ ଲିପାପୋଛା ଚାଲିଛି । ତା’ ସାଙ୍ଗକୁ ଝୋଟି ଦିଆ, ରଙ୍ଗ ଦିଆ ଏହି ପରି କେତେ କଥା  । ଏତେ ବଡ଼ ଶୁଭ ଦିନଟାରେ ଘର ଗୁଡ଼ାକ ନ ସଜାଇଲେ ହେବ କିପରି ? ଏଣେ କନ୍ୟା ବି ବେସୁରା ରାଗିଣୀର କ୍ରନ୍ଦନ ଧ୍ୱନିର ଆହୁଲା ଧରି ନୟନାଶ୍ରୁ ଢାଳି ଜାହ୍ନବୀରେ ସନ୍ତରଣ କରୁଛି  । ପଲ୍ଲୀର ଝିଅ ହୋଇ ଆଉ ଦିନ କେତେଟା ପରେ, ପର ଘରକୁ ଚାଲିଯିବ – ନିଜର ଛବିଳ ପ୍ରକୃତିକୁ ଛାଡ଼ି  । ତେଣୁ ତାହା ମନରେ ଯେଉଁ କୋହ ଉଠୁଥିବ, ଯେଉଁ ଦୁଃଖ ହେଉଥିବ– ତାହା ବା ବର୍ଣ୍ଣିବ କିଏ?

ବାହାଘର ଦିନ ଉପସ୍ଥିତ ହେଲା  । ଭାଇ କୁଟୁମ୍ବମାନେ ମଣ୍ଡପ ସଜାଇବା ଠାରୁ ଆରମ୍ଭ କରି ତୋରଣ ସଜାଇବା, ଭୋଜି ଆୟୋଜନ କରିବା ଏବଂ ଆବଶ୍ୟକୀୟ ପଦାର୍ଥ ସବୁ ସଂଗ୍ରହ କରିବାରେ ବ୍ୟସ୍ତ  । ବନ୍ଧୁ ବାନ୍ଧବମାନେ ଆସ୍ତେ ଆସ୍ତେ ଆସିବାକୁ ଲାଗି ଗଲେଣି  । ଘର କୋଳାହଳରେ ପୁର୍ଣ୍ଣ  । ପିଲା ମାନଙ୍କର ମନ ଆନନ୍ଦରେ ଭରା । ହସ, ନାଚ, ଖେଳ, ଠେଲା, ପେଲା, ମାଡ଼, ଗୋଳ, ଧୁମ୍ ଧାମରେ ସେମାନେ ଲାଗି ଯାଇଛନ୍ତି  ।   ଘରେ ତ ଏବେ ସୁଖ, ଦୁଃଖ, କର୍ମ ଜଞ୍ଜାଳର ତ୍ରିବେଣୀ  ସ୍ରୋତ ବହୁଛି । ତେଣେ ପିଲାମାନଙ୍କର ଆନନ୍ଦ ଦର୍ଶନରେ ଯୋଗ ଦେବାକୁ ଯାଉଛି କିଏ ? ଲଳିତାର ଚକ୍ଷୁରେ ଆଜି ତପ୍ତ ନିର୍ଝରିଣୀ  । ଘରକୁ ଯେଉଁମାନେ କନ୍ୟା ଦେଖିବାକୁ ଆସୁଛନ୍ତି ତଥା ଘରର ଅନ୍ୟାନ୍ୟ ସ୍ତ୍ରୀ ଲୋକମାନେ ମଧ୍ୟ ଏହି କାନ୍ଦଣା ସ୍ରୋତରେ ମଗ୍ନ । ସେମାନଙ୍କ ମଧ୍ୟରୁ କେତେ ଜଣ ମଧ୍ୟ ବଣ୍ଟାବଣ୍ଟି ହୋଇ ବନ୍ଧୁ ବାନ୍ଧବଙ୍କ ଚର୍ଚ୍ଚାଠାରୁ ଆରମ୍ଭ କରି ରନ୍ଧା ବଢ଼ା କାର୍ଯ୍ୟରେ ବ୍ୟସ୍ତ  ।

ରାତ୍ର ଅର୍ଦ୍ଧେକ ଠାରୁ  ପ୍ରାୟ ଅଧିକ ହୋଇ ଗଲାଣି  । ପ୍ରାୟ ଦୁଇ କିମ୍ବା ତିନି ହେବ । ବରପକ୍ଷ ଗ୍ରାମ ମୁଣ୍ଡରେ ପହଞ୍ଚି ଗଲେଣି  । ଦୂର ବାଟ ହୋଇଥିବାରୁ ଡ଼େରିରେ ଆସିଛନ୍ତି  । ବର୍ତ୍ତମାନ ରୋଷଣୀ ଆରମ୍ଭ ହେବ । ବର ଗାଁ ମଝିଦେଇ ଯିବ  । ଗାଁର ପିଲାଛୁଆ, ବୋହୂ ଭୁଆଶୁଣିମାନେ ଦେଖିବାକୁ ବ୍ୟଗ୍ର  । କାର୍ ଧୀରେ ଧୀରେ ଗାଁ ମଝି ରାସ୍ତାରେ ଚାଲିଲା ରୋଷଣୀ କାର୍ଯ୍ୟ ବି ଚାଲିଛି  । ବାଘ ବାଘୁଣି ନାଚ, ବାଦ୍ୟ, ବାଣ ଫୁଟା କୁସ୍ତି ଇତ୍ଯାଦି। ବର ଦେଖିବା ପାଇଁ ଲୋକଙ୍କର ବହୁ ଭିଡ଼  । ପାଦ ପକାଇବାକୁ ରାହା ନାହିଁ । ଏ ଗହଳି ମଧ୍ୟରେ କାହା ଉପରେ ବାଣଫାଟି ଫୋଟକା ପଡ଼ିଲାଣି ତ, କିଏ ପଥର ହାବୋଡ଼ି ଖଣ୍ଡିଆ ଖାବରା ହେଲାଣି  । ତଥାପି ସେ ଗୁଡ଼ାକ ପ୍ରତି  ଖାତିର ନକରି ରୋଷଣୀ ସହିତ ସମସ୍ତେ ଚାଲିଛନ୍ତି  । ଗାଁ ମଝିରେ ଯିବା ସମୟରେ କୋଳାହଳ ହେଉଛି, ହୁଳ ହୁଳି ବି ପଡ଼ୁଛି  । କୋଳାହଳକୁ ଫଟାଇ ଦେଇ କେତେଟା ହୁଳହୁଳି ବାହାରି ଆସୁଛି । ପୁଣି ଆକାଶରେ ମିଶୁଛି ସେ  । ପିଲାମାନେ ଏପଟ ସେପଟ ହୋଇ ତୋପ ବାଣ ଗୁଡ଼ାକୁ ସଂଗ୍ରହ କରିବାରେ ଲାଗିଛନ୍ତି  । ଝିଅ ବୋହୂଙ୍କ ମଧ୍ୟରୁ କିଏ କେମିତି ବି ବର ବାଛିବାରେ ବ୍ୟସ୍ତ– କାଳିଆ- ଗୋରା, ଖରାପ- ଭଲ– ଶେଷ ଯୁକ୍ତି ।

ଶେଷରେ ରୋଷଣୀ ସରିଲା  । ବର କନ୍ୟାଘରେ ପହଞ୍ଚିଲେ  । ବନ୍ଦାପନା କାର୍ଯ୍ୟ ଶେଷ କରି ବରକୁ ଘରକୁ ପାଛୋଟି ନିଆଗଲା  । ବରପକ୍ଷ ଘରଙ୍କର ଖାଦ୍ୟ ପେୟର ବ୍ୟବସ୍ତା କରାଗଲା  । ବରଙ୍କର ମଧ୍ୟ ଉପଯୁକ୍ତ ସମାଜଗତ ଚର୍ଚ୍ଚା କରାଗଲା । ତାହାପରେ ଆରମ୍ଭ ହେଲା ବିବାହ କାର୍ଯ୍ୟ  । ବରଙ୍କୁ ବେଦୀ ପାଖକୁ ନିଆଗଲା  । କନ୍ୟା ଆସିଲା  । ମନ୍ତ୍ର ପଢ଼ାଗଲା  । ନଳ ଦମୟନ୍ତି, ହର ପାର୍ବତୀ ଯଥା ରାବଣସ୍ୟ ତଥା ମନ୍ଦୋଦରୀ ଇତ୍ୟାଦି ସ୍ତୋତ୍ର ସବୁ ପାଠ କରାଗଲା  । ଆମ ସମାଜର ନୀତି ଓ ପରମ୍ପରା ଅନୁଯାୟୀ କନ୍ୟା ପକ୍ଷକୁ ବେଦୀ ପାଖରେ ତାଙ୍କ ଯୈାତୁକ ବିବରଣୀ ଦେବାକୁ ପଡ଼େ ଏବଂ ବରପକ୍ଷ ଅଭାବ ପଦାର୍ଥର ପ୍ରତିବାଦ କରନ୍ତି  । ବର୍ତ୍ତମାନ କନ୍ୟା ପକ୍ଷକୁ ତାହାର ପାଳି ପଡ଼ିଲା  । ସେମାନେ ଦେଲେ ଯୈାତୁକର ଏକ ଲମ୍ବା ବିବରଣୀ  ।

୧.           ଯାନ ବାହନ-0

୨.           ଗାଈ-ଗୋଟାଏ,

୩.           ଖଟ ପଲଙ୍କ-ହଳେ,

୪.           ନଡ଼ିଆ ଗଛ –୨ ଟା,

୫.           ଟି.ଭି-ଗୋଟାଏ,

୬.           ଘଡ଼ି- ଏକଟା,

୭.           ଜମି-ଏକ ଏକର,

୮.           ଏବଂ ମୋଟର ସାଇକେଲ୍ ପାଇଁ ନଗଦ ୨୦ ହଜାର ଟଙ୍କା ।

ଅବଶିଷ୍ଠ ପରେ ଦିଆଯିବ  ।

ଏଥର ବେଦୀ କାର୍ଯ୍ୟ ଶେଷ ହେଲା ବର ବେଦୀକୁ ଉଠିଲେ । କିନ୍ତୁ ମନରେ ରୋଷ ମୋଟର ସାଇକେଲ ନାହିଁ । ଓଃ କି ଅପମାନ…. ଅସହ୍ୟ… ଅସହ୍ୟ  । ରାଗ ଓ ଅଭିମାନରେ ଜର୍ଜରିତ ହୋଇଗଲେ ବର  ।

ବର କନ୍ୟା ଶୀଘ୍ର ବାହାରି ଯିବେ  । ଦୂରବାଟ ଡ଼େରି ହେଲେ ରାତି ହୋଇଯିବ । ବର ପକ୍ଷଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା କରାଗଲା  । ତାହା ପରେ ଆରମ୍ଭ ହେଲା ଶୀତଳ ତୁଣ୍ଡୀ  । କିନ୍ତୁ ବର ଆଉ ଶୀତଳ ତୁଣ୍ଡୀକୁ ନ ଆସନ୍ତି  । ଏକାବେଳେକେ କଲିକତାରୁ ମୁମ୍ବାଇ ଗ୍ରସ୍ତ  । ଯାହାକୁ କଥାରେ କହନ୍ତି ରାତାରାତ ଲମ୍ବାଦାଢ଼ୀ  । କିହୋ! ଏକି କଥା ମୋଟର ସାଇକେଲ୍ ପାଇଁ  କାହିଁକି ଏତେ ରୋଷ ? ମୋଟର ସାଇକେଲଟା୍ କ’ଣ କୁଟୁମ୍ବ ପୋଷନ୍ତା ନା, ଗହୀର ବିଲରେ ହଳ କରନ୍ତା ? କୁହାଯାଇଛି ତ ମୋଟର ଗାଡ଼ି ଦିଆଯିବ  । ନ ହେଲେ ଟଙ୍କା ଦିଆଯିବ । ବର୍ତ୍ତମାନ ବି ନଗଦ ୨୦ ହଜାର ଟଙ୍କା ଦିଆ ଯାଉଛି  । ଏତେ କଥାରୁ ଅଛି କ’ଣ ? ନାହିଁ ଆଜ୍ଞା ଏଟା ସାହେବ ବଙ୍ଗାଳୀ ମାନଙ୍କର ଛାଞ୍ଚ  । ବାହାରକୁ ଯିବାକୁ ହେଲେ ଅନ୍ତତଃ ପକ୍ଷେ ମୋଟର ସାଇକେଲଟା ଥିବା ଦରକାର  । ନହେଲେ ମଣିଷ ଜୀବନର ଏ କି ସାର୍ଥକତା?

ଯାହାହେଉ କେତେ ବୁଝା ସୁଝା ପରେ ବର ଧୀରେ ଧୀରେ ଶୀତଳ ତୁଣ୍ଡୀକୁ ଗଲେ । ଶୀତଳ ତୁଣ୍ଡୀରେ ବର କନ୍ୟା ଜୁଅ କଉଡ଼ି ଖେଳିଲେ  । ରୋଷଣୀ ସରିଲା । କିନ୍ତୁ ରୋଷଣୀ ପଦାର୍ଥ ବର ଆଉ ନ ନିଅନ୍ତି  । ମୋଟ ଉପରେ କହିଲେ ଭଲ ହେବ ଯେ ପୂର୍ବ ରାଗର ଅସମାପ୍ତି  । ଏଣେ ବିରି ମାଡ଼ ଦେଖି କୋଳଥ ଚୋପା ହେଲାପରି ବରକଥା ଦେଖି ଘରେ କାନ୍ଦ ବୋବାଳି  । କାହାର ଚେତା ବୁଡ଼ିଲାଣି  ତ କିଏ ରାଗରେ ଦାନ୍ତ କଡମଡ କଲାଣି  । ଆଉ କେହି କେହି ଏ ବିଷୟରେ ଥଟ୍ଟା ତାମସା କରିବାକୁ ଅବା ଛି-ଛିକାର କରିବାକୁ ମଧ୍ୟ ପଛାଇଲେ ନାହିଁ  । ପିଲା ଛୁଆଙ୍କଠାରୁ ଆରମ୍ଭ କରି ବୁଢ଼ା, ବୁଢ଼ୀ, ବୟସ୍କ ପର୍ଯ୍ୟନ୍ତ ବରଙ୍କ ଆଗରେ ବ୍ୟଙ୍ଗ-ବିଦ୍ରୂପ କରିବାକୁ କେହି, ହେଲେ ଭୁଲିଲେ ନାହିଁ  । ନିର୍ଲ୍ଲଜା-ନିର୍ଲ୍ଲଠାଙ୍କର ମୁହଁ ସାତ କାହାଣ ବାର ପଣ । ଏତେ ଗୁଡ଼ାଏ କାଣ୍ଡ-କାରଖାନା ଘଟିବା ପରେ ମଧ୍ୟ ବରଙ୍କ ମନରେ କିପରି କେଜାଣି ସାମାନ୍ୟତମ ଚେତନା ପଶିଲା ନାହିଁ, ସେ ରୋଷଣୀ ପଦାର୍ଥ ନେବାକୁ ତେବେ ବି ଅରାଜି  । ଚୋରଙ୍କର ମୁହଁ ଟାଣ ପରି ଓଲଟା କହିଲେ କଣ ନା- “କନ୍ୟାକୁ ବିଦାୟ କରିବାର ଯଦି ଅଛି, ସିଧା ନେଇ ଗାଡ଼ିରେ ବସାଅ; ନୋହିଲେ ଆମେ ଏଥର ଚାଲିଲୁ; ତେଣିକି ତୁମର ଯାହା ଇଚ୍ଛା ସେୟା କର  ।”

କନ୍ୟାପକ୍ଷ ଯେଉଁ ସାମୂହିକ ଚିନ୍ତାରୁ କ୍ଷଣ ମାତ୍ର ଅବ୍ୟାହତି ପାଇଥିଲେ, ତାହାର ପୁନଃ ପୁନରାବୃତ୍ତି ଘଟିଲା  । ଏକ ଶଙ୍କାକୁଳ ପରିବେଶ ଭିତରେ କନ୍ୟା ବିଦାୟ ପର୍ବ ସମ୍ପନ୍ନ ହେଲା  । ମଝିରେ ଚାଲିଥାଏ ଗୋଡ଼ ଘୋଷାରି ଘୋଷାରି ତୁହାକୁ ତୁହା ଅଚେତ ହୋଇ ପଡ଼ୁଥିବା ଲଳିତା  । ପଛରେ ଶୋକ ସନ୍ତପ୍ତ ପରିବାର ବନ୍ଧୁ ଆତ୍ମୀୟ ସ୍ୱଜନ  । ଦୁଇ କଡ଼ରେ ସାଇ ପଡ଼ିଶା, ଗାଁ ମାଇପେ ଛୁଆପିଲା ସମସ୍ତଙ୍କ ଆଖିରେ ଲୋତକର ଧାର; ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା  ।

ବାପଘରେ ଏତିକି, ଲଳିତା ଜୀବନର ଶେଷକଥା, ଶେଷ ପର୍ଯ୍ୟାୟ …….ଆଉ ମଣିଷ ଜାତିର ଶେଷ ସଭ୍ୟତା–କୁସଂସ୍କାର–ଯୈାତୁକ ଦାବି  ।

Related posts

ନିଶିକାନ୍ତ

satya

ମା’ମଲା ମାମଲା ଫିଟ୍

satya

ଗାଁରୁ ଫେରୁଛି, ଗାଁ ହଜିଛି ।

satya

Leave a Comment

Login

X

Register