Satya Prakash
ଗଳ୍ପ

ଶେଷ କେଇପଦ କଥା

 

ବହୁ ପୁରାକାଳର କଥା  । ଦେଶ ମାତୃକା ବକ୍ଷରୁ ପରାଧୀନତାର ରବି ଅସ୍ତମିତ ହୋଇ ନ ଥାଏ । ଅନ୍ଧକାର ଅଶିକ୍ଷା ଜନୀତ ହତାଶାରେ ଯେଉଁଠି ଜନତା ଉପେକ୍ଷିତ ହୁଏ, ଆମେ ସେ ଦେଶର ସନ୍ତାନ ସନ୍ତତି । ବିକାଶର ତଣ୍ଟି ରୋଧକରି ଫିରୀଙ୍ଗୀ ବେପାରୀ ଆମକୁ ଏଇମିତି ଲୁଟି ଚାଲିଥାନ୍ତି । ଭାରତ ବର୍ଷକୁ ପରାଧିନତାର ବେଢ଼ି ପିନ୍ଧାଇ ଇଂରେଜମାନେ ଆମକୁ ଶାସନ କରୁଥାନ୍ତି, ପରାଧିନତାର କୋରଡ଼ା ମାଡ଼ ଖାଇ ଖାଇ ଆମେ ପ୍ରାୟ କୁବ୍ଜ ପାଲଟି ଯାଇଥାଉ  । ତାହାକୁ ପ୍ରତିରୋଧ ଅବା ପ୍ରତିବାଦ କରିବାର ଶକ୍ତି ଆମ ଭିତରେ ଏକଠା ହୋଇ ନଥାଏ  । ଅନୁନୟ ବିନୟ ଜରିଆରେ ସବୁ ହାସଲ କରିବା ଯେଣୁ ସମ୍ଭାବପର ନଥିଲା; ଆମ ସମସ୍ୟା ସେଇମିତି ରହିଥାଏ  । ରାସ୍ତାଘାଟ ଠାରୁ ଶିକ୍ଷା ସଭ୍ୟତା କ୍ଷେତ୍ରରେ ଅନଗ୍ରସର ହୋଇ ଆମେ ସବୁଠାରୁ ପଛରେ ପଡ଼ିଥାଏ  । ଆମ ଦେଶରୁ କଞ୍ଚାମାଲ ସ୍ୱଳ୍ପ ମୂଲ୍ୟରେ  ରପ୍ତାନୀ  ହୋଇ ବିଦେଶରୁ ସେହି ଜିନିଷ ଆସି ଚଢ଼ା ଦାମରେ ଏଠି ବିକ୍ରି ହୁଏ  । ପ୍ରଚଣ୍ଡ ଦାରିଦ୍ର୍ୟରେ ସମସ୍ତେ ସଢ଼ୁଥାନ୍ତି  । ଶିଳ୍ପର ଅନୁନ୍ନତି ଦେଶ ପ୍ରଗତିର ଅନ୍ତରାୟ ହୋଇ ଛିଡ଼ା ହୋଇଥାଏ  ।

ଆମ ଦାବୀକୁ ଭୃକ୍ଷେପ ନ କରି ବିଦୋଶୀ ଶାସକ ଉଦାସୀନ ରହେ  । ଫଳରେ ଶିକ୍ଷାୟତନଟିଏ ଖୋଜିଲେ ହତାଶ ହେବାକୁ ପଡୁଥାଏ  । ତାହା ସ୍ୱପ୍ନ ପରି ସୁଦୂର ପରାହତ ହୁଏ  । ଏତେବେଳେ ଗାଁ ଗହଳିରେ ଶିକ୍ଷିତ ଯୁବକଟିଏ ପାଇବା ବଡ଼ ମୁସ୍କିଲ ମନେହୁଏ  । କାଁ-ଭାଁ ସ୍କୁଲ୍ କଲେଜ୍ଟିଏ ଥାଏ  । ଶିକ୍ଷା ଆହୋରଣ କରିବା ସବୁଠୁ କଷ୍ଟକର ବ୍ୟାପାର  । ପାଠ ଶାଠ ପଢ଼ିବା ପାଇଁ ବହୁ ଅସୁବିଧା  । ଲୋକଙ୍କର ଆର୍ଥିକ ଅବସ୍ଥା ମଧ୍ୟ ସେତେ ସ୍ୱଚ୍ଛଳ ନଥାଏ  । ଉକôଟ ଦାରିଦ୍ର୍ୟ ସାଙ୍ଗକୁ ଦୂର ଦୂରାନ୍ତକୁ ଯାତ୍ରା କରି ପାଠ ପଢ଼ିବା ଏକ ବ୍ୟୟ ବହୁଳ ବ୍ୟାପାର  । ଏତେବେଳେ ଗରିବ ବାପୁଡ଼ାଟିଏ ପାଠ ପଢ଼ାଇବା ପାଇଁ ଯେ କେତେ ବଡ଼ ମାନସିକ ପ୍ରସ୍ତୁତି କରିଥାଏ, ତାହା ହୃଦୟଙ୍ଗମ  ନ କଲା ଲୋକ ସହଜରେ ବୁଝି ପାରିବ ନାହିଁ  ।

ସେଦିନ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ କୁଆଡ଼େ ରେଡ଼ିଓ ସମ୍ବାଦ ପତ୍ରରେ ଖବର ପ୍ରଚାର କରାଯାଇଥାଏ  । ଆସନ୍ତା କାଲି ଫଳ ଘୋଷିତ ହେବାକୁ ସ୍ଥିର ହୋଇଥାଏ  । ଏକଥା ପ୍ରଧାନ ଶିକ୍ଷକ ଡ଼ାକି କହିଲେ  । ଧୀରୁକୁ ରାତିରେ ନିଦ ନଥାଏ  । ବିଛଣାରେ ଏପଟ ସେପଟ ପଡ଼ି ଖାଲି ମୁରୁକି ମୁରୁକି ହସୁଥାଏ । ମନେ ମନେ ଭାବୁଥାଏ, ଏଥର ସେ କଲେଜ୍ ଯିବ  । କଲେଜ୍ ପଢ଼ୁଆ ପିଲା ହୋଇ ସହରରୁ ଯେତେବେଳେ ଗାଁ କୁ ଫେରିବ, ତା’ର ଆଦର ବଢ଼ିଯିବ  । ରାତା ପାହିଲେ ସେ ବାବୁ ହୋଇଯିବ  । ଆହୁରି ପାଠ ପଢ଼ି ସେ ବଡ଼ ସାହେବ ହେବ  । ଗୋରା ବାବୁଙ୍କ ସହିତ ମିଶିବ  । ମନରେ କେତେ ଯେ ଆଶାର ସମ୍ଭାର ନେଇ  ସେ ବିଛଣାରୁ ଉଠିଲା । ସହଳ ନିତ୍ୟ କର୍ମ ସଂପାଦନ କରି ସେ ଏକ ମୁହାଁକେ ସହର ଧରିଲା  । ମାତ୍ର ପରୀକ୍ଷା ଫଳ କାଗଜରେ ତା ନାଁ-ଟା ନ ପାଇ ସେ ଭାଙ୍ଗି ପଡ଼ିଲା  । ମୁଖ ମଣ୍ଡଳ ଝାଉଁଳି ଗଲା  । କେତେ ଦୁର୍ଭାବନା ମୁଣ୍ଡକୁ ଛୁଁଇଁଲା  । କାଳ କଥା ଗୁଡ଼ାକ ସବୁ ପାଟିରୁ ବାହାରି ପଡ଼ିଲା  । କାହାକୁ ବା ସେ ତା’ର ଏ ପୋଡ଼ା ମୁଁହଟାକୁ ଦେଖାଇବ  । ବାପା ତ ରାଗିକି ପଞ୍ଚମ ହେବେ  । ସାହି ପଡ଼ିଶା ସବୁ ଛି-ଛାକର କରିବେ  । କହିବେ ଅର୍ଥ ସବୁ ତୋଷରପାତ କଲା କିନ୍ତୁ ବାପା ମା’ଙ୍କର କି ଲାଭ ହେଲା?” ସାଙ୍ଗ ସାଥିମାନେ ଥଟ୍ଟା ପରିହାସ କରିବେ  । ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନମାନେ ତାଚ୍ଛଲ୍ୟ କରି ଉଠିବେ । ନାନା ମତ ମନ୍ତବ୍ୟରେ ବିଚରା ଶରବ୍ୟ ହେବ  । ମୁହଁ ଉଠାଇ ସେ ବାଟ ଚାଲି ପାରିବ ନାହିଁ  ।

ଲଜ୍ଜା ଅପମାନରେ ମୁଖ ମଣ୍ଡଳ ମଳିନ ପଡ଼ିଗଲା  । କିଛି ଗୋଟାଏ ଉପାୟ ମୁଣ୍ଡକୁ ଢୁକିଲା ନାହିଁ  । ବୁଦ୍ଧି ବାଟ କିଛି ଦିଶିଲା ନାର୍ହିଁ । ସେ ଭାବି ଭାବି ଗୋଟାଏ ତୋଟା ମାଳରେ ପହଞ୍ଚି ଗଲା, ଯେଉଁଠି ଶିଙ୍କୁଡ଼ିରେ ହାବୁଡ଼ି ପଡ଼ିଲା  । ସେଇଠି ଆଣ୍ଠେଇ ପଡ଼ିଲା  । କେତେ ଅତୀତ ବର୍ତ୍ତମାନ ହୋଇ ଛିଡ଼ା ହେଲା  ।  ପିଲା ଦିନର ସବୁ ସ୍ମୃତି ମନେ ପଡ଼ିଗଲା  ।

ସେ ପିଲାଟି ବେଳୁ କେମିତି ଭାରି ଜିଦିଆ ଥିଲା  । ଯାହା ଜିଦ୍ ଧରିଥିବ ସେୟା  । ସେଥିରୁ ଟିକିଏ ବିଚ୍ୟୁତ ହେଲେ ମା’ର ଚୁଟି ଟାଣି ମୁଣ୍ଡ ବାଳ ସବୁ ସଫା କରିଦେବ  । ଚୁଡ଼ି ଟାଣି ଭାଙ୍ଗିଦେବ  । ତାହାରି ଜିଦ୍ ଯୋଗୁ ବାପା ମା ଦୁଃଖ କଷ୍ଟରେ ରହି ତାକୁ ପାଠ ପଢ଼ାଇବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଲେ  । ତାହାର ଗଭୀର ଅଧ୍ୟବସାୟ ଓ କଠୋର ସାଧନା ଫଳରେ ଗୋଟାଏ ପରେ ଗୋଟାଏ ପରୀକ୍ଷା ଅତିକ୍ରମ କରି ସେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନିତ ହୋଇଗଲା  । ଡ଼ିବିରି ଆଲୁଅ ତଳେ ୟା-ତା ପାଖରୁ ପୁସ୍ତକ ଖଣ୍ଡେ ମାଗି ଆଣି ଯେ ପାଠ ପଢ଼ିବା କେତେ କଷ୍ଟକର ତାହା ବଖାଣି ନ ହେଲେ ବି ଚିରନ୍ତନ ସତ୍ୟ  । ପରିବାରର ଅଭାବ ଅସୁବିଧା ସାଙ୍ଗକୁ ପାଠ୍ୟ ପୁସ୍ତକର ଅଭାବି ବିକ୍ରି ଭାରି ଯନ୍ତ୍ରଣା ଦାୟକ  । ତଥାପି କଠୋର ପରିଶ୍ରମ କରି ସେ ମ୍ୟାଟ୍ରିକ ପରୀକ୍ଷାରେ ଅବତୀର୍ଣ୍ଣ ହେଲା  । ମାତ୍ର ସବୁ ବିଧିର ବିଡ଼ମ୍ବନା  । ଭାଗ୍ୟ ଏଥକୁ ସହାୟତା ଦେଲା ନାହିଁ । ଅଳ୍ପକେ ସେ  ଅକୃତ କାର୍ଯ୍ୟ ହୋଇଗଲା  । ଲଜ୍ଜା ଅପମାନରେ ମଥା ଅବନତ ହେଲା  । କାହା ଆଗରେ ସେ ମୁହଁ ଟେକି ଛିଡ଼ା ହେବ; ବାପାଙ୍କୁ କେମିତି ସାମ୍ନା କରିବ; ଇତ୍ୟାଦି ମନରେ ଅନେକ ପ୍ରଶ୍ନର ଗୁଚ୍ଛ  । ଏଥର ସେ ଅଣ୍ଟା ସଳଖି ଛିଡ଼ା ହେଲା  । କିଛି ଗୋଟାଏ ନିଷ୍ପତ୍ତି ନେବା ପୂର୍ବରୁ ଘରକୁ ପଛ କରି ସେ ଆଗକୁ ଧାଇଁଲା । ଆଖି ଯୁଆଡ଼କୁ ପାଇଲା ସିଆଡ଼କୁ ନାକ ସଳଖା ଚାହିଁଲା  । ମନେ ମନେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥାଏ  । ମନରେ  ଥକାନ ଓ ଶରୀରରେ ଅନେକ କ୍ଳାନ୍ତି ସେ ଅନୁଭବ କରୁଥିଲା  । ଏହି ସମୟରେ ଯେଉଁଠି ସେ ପହଞ୍ଚି ଗଲା; ସେଠାରେ ଗୋଟାଏ ମାଲବାହୀ ଜାହାଜରେ ମାଲ୍ ସବୁ ବୋଝେଇ ହେଉଥାଏ  । କାଲିକଟ ୟାର୍ଡ଼ ପରିସର – ଏ  । କୈାଣସି ପ୍ରକାର ସେ ଜାହାଜର ଡ଼କ୍ ଉପରକୁ ଉଠିଗଲା । ସେଇଠି ଶୋଇ ପଡ଼ିଲା  । ଉଠିଲା ବେଳକୁ ଯେ କେତେ ବେଳ ହୋଇ ଯାଇଛି– ତାହା ସେ ଜାଣି ପାରିଲା ନାହିଁ  ।

ହଠାତ୍ ଜାହାଜର କ୍ୟାପ୍ଟେନ୍ ଖବର ପାଇ ମାଡ଼ି ଆସିଲେ  । ଗୋଟାଏ ଗର୍ଜ୍ଜନ କରି କମ୍ପି ଉଠିଲେ  । କହିଲେ– “ଏ ପିଲା ତୁ କିଏ? ଏଠାକୁ କେମିତି ଆସିଲୁ ?” ଧୀରୁ ଭାଇର ପାଟି ଆଫା-ଆଫା ମାରି ନେଲା  । ସେ ଡ଼ରି ଯାଇ କାନ୍ଦି କାନ୍ଦି କହିଲା –” ମୁଁ ଜାହାଜରୁ ଡ଼େଇଁ ଆତ୍ମହତ୍ୟା କରିବି ପଛେ ଘରକୁ ଫେରି କାହାକୁ ମୁହଁ ଦେଖାଇ ପାରିବି ନାହିଁ  । ଥର ଥର ହୋଇ ସବୁ କହିଲା  । କ୍ୟାପ୍ଟେନ୍ ସାହେବଙ୍କର ଦୟା ଆସିଲା  । ଅନ୍ୟ ଗତି ଗତ୍ୟନ୍ତର ବି କିଛି ନଥାଏ  ।  ଜାହାଜ ଯାଇ ମଝି ଦରିଆରେ ଲହଡ଼ି ଖେଳୁଥାଏ  । ଆଉ ବନ୍ଦରକୁ ଏବେ ପ୍ରତ୍ୟାବର୍ତ୍ତନ କରିବା ପ୍ରାୟତଃ ସମ୍ଭବପର ନଥିଲା  । ଉପାୟ ଶୂନ୍ୟ ହୋଇ କ୍ୟାପ୍ଟେନ୍ ସାହେବ ପିଲାଟାକୁ ଭରସା ଦେଲେ  । ଜାହାଜ କୂଳ ଲଙ୍ଘି ଚାଲିଥାଏ ମଝି ପାରାବାରରେ  ।  ହେଲେ, ଧୀରୁ ଭାଇ ଭାବନାରେ ତିଳେ ହେଁ ଭଟ୍ଟା ନ ଥାଏ  ।

ଟିକି ପିଲା ବୋଲି ଯାହାକୁ ମଣନ୍ତି, ସେହି ଟିକି ପିଲାର ଭ୍ରୂଲତା ଚାଳନାରେ ଯମୁନା ନଦୀର ପ୍ରଳୟ ପୟୋଧି ଉତ୍ତାଙ୍ଗ ଜଳରାଶି ଦିନେ ଦ୍ୱିଧା ବିଭକ୍ତ ହୋଇ ଯାଇଥିଲା  । ସବୁ ଅସମ୍ଭବ ସେଦିନ କେମିତି ସମ୍ଭବ ହୋଇଥିଲା  । ସେହି ଟିକି ଗାଁ ର ଟିକି ପିଲାଟି ଧୀରୁ ଭାଇ, ଯିଏକି ଏକ କ୍ଷୁଦ୍ର ସାଧାରଣ କୃଷକ ପରିବାରରେ ତା’ର ଜନ୍ମ ଜାତକ ଲେଖାଇଛି, ଆଜି ଜାହାଜରେ ସାରା ବିଶ୍ୱ ପରିଭ୍ରମଣ କରିବ  । କେତେ ଦେଶ ବିଦେଶରେ ଜାହାଜ ଲଙ୍ଗର ପକାଇବ  । ସବୁ ସେ ଦେଖିବ  । ମନ ଭରି ଉପଭୋଗ କରିବ  । ସାହେବୀ ଆଦବ କାଇଦା ସବୁ ସେ ଶିଖିବ  । ବେଳେ ବେଳେ ଏକ ଅଜଣା ଆତଙ୍କର ଶିହରଣରେ ସେ ସିନା ଶିହରିତ ହୋଇ ଉଠୁଥାଏ, ହେଲେ ପୁଣି  କ୍ଷଣକେ ନିଜର ସ୍ୱପ୍ନିଳ ରାଇଜକୁ ଫେରି ଆସୁଥାଏ  । ମନରେ ଦେଖା ଯାଉଥାଏ ଅଫୁରନ୍ତ ଉତ୍ସବର ପାରାବାର  ।

ଶେଷରେ ଜାହାଜ ଯାଇ ସୁଇଡ଼େନ୍ ସହରରେ ପହଞ୍ଚିଲା  । ମାଲ୍ ସବୁ ନିଷ୍କାସିତ ହେବାକୁ ଲାଗିଲା  । କ୍ୟାପ୍ଟେନ୍ କେଉଁ ଆଡ଼େ ଚାଲି ଯାଇଥାନ୍ତି କେଜାଣି ଫେରିଲା ବେଳକୁ  ଇତି ମଧ୍ୟରେ ଅନେକ ସମୟ ଅତିକ୍ରାନ୍ତ ହୋଇ ଯାଇଥାଏ  । ଧିରୁ ଛାନିଆରେ ଗୋଟିଏ କୋଣରେ ବସି ପଡ଼ିଥାଏ  । ଭୟରେ ସନ୍ତ୍ରସ୍ତ ଦୃଷ୍ଟିଭଙ୍ଗିରେ ଚାରି ଆଡ଼କୁ ଚାହୁଁଥାଏ  । ମନେ ମନେ ଖାଲି କ୍ୟାପ୍ଟେନ୍ଙ୍କୁ ଖୋଜି ହେଉଥାଏ, ହେଲେ ଡ଼ରରେ କାହାକୁ କିଛି ପଚାରିପାରୁ ନଥାଏ  ।

ଅନେକ ସମୟ ପରେ, ବନ୍ଦର ବାହାରେ, ନିଜ ଖାତିରରେ, ଧୀରୁ ଭାଇ ପାଇଁ କୈାଣସି ପ୍ରକାରରେ ଗୋଟାଏ ଚଉକିଦାରି ଚାକିରୀ ଯୋଗାଡ଼ କରି- କ୍ୟାପ୍ଟେନ୍ ଫେରିଲେ  । ସେଇଟା ଥାଏ ଗୋଟାଏ ପ୍ଲାଷ୍ଟିକ୍ ଫ୍ୟାକ୍ଟେରୀ; ଯେଉଁଥିରେ ଧୀରୁ ଭାଇ ଏଣିକି ନିଜ ଜୀବନ ଖୋଜିବ  । କ୍ୟାପ୍ଟେନ୍ ସଧିରେ ଡ଼ାକି କହିଲେ “ଧୀରୁ– ମନ ଲଗାଇ କାମ କରିବ  । ଧୀରେ ଧୀରେ ସବୁ ଶିଖି ଯିବ  । ହେଲେ ଶିଖିବାର ମନୋବୃତ୍ତି ରହିଲେ ହେଲା  । କାହାକୁ ଠକିବ ନାହିଁ କି ଚୈାର୍ଯ୍ୟ ବୃତ୍ତି ଅବଲମ୍ବନ କରିବ ନାହିଁ  । ଅନ୍ୟକୁ ଠକିବା ଅର୍ଥାତ୍ ନିଜକୁ ଠକିବା  । ମନେରଖ ସଚ୍ଚୋଟ ପଣିଆ ମଣିଷର ସବୁଠାରୁ  ମହାର୍ଘ୍ୟ ଅସ୍ତ୍ର; ଜୀବନରେ ସଫଳତାର ଏହା ଏକମାତ୍ର ଚାବିକାଠି  । ତୁମେ ଆଦୈା ବ୍ୟସ୍ତ ହେବ ନାହିଁ  । ମୁଁ ଏଠାକୁ ପୁନଶ୍ଚ ଫେରିବା ବେଳକୁ ଦୁଇ ବର୍ଷ ଲାଗିଯିବ । ଫେରିଲେ ତୁମ ପାଇଁ ପାସ୍ ପୋର୍ଟ, ଭିସା ଆଦି ଯୋଗାଡ଼ କରି ଆଣିଥିବି, ତୁମର ମନୋଭାବ ବି ଟିକିଏ ବଦଳି ଯାଇଥିବ  । ତୁମକୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇ ନେବି  । କ’ଣ କହୁଛ କୁହ ?” ଧୀରୁ ଭାଇ ସହମତି ଜଟାଇ ମୁଣ୍ଡ ଟୁଙ୍ଗାରିଲା ।

ଏବେ ଧୀରୁ ଭାଇ ଗୋଟାଏ ନାମୀ ଦାମୀ କମ୍ପାନୀର ଚଉକିଦାର  । ଏଠି ନିତି ସେ କେତେ ନୂଆ ଲୋକ ଦେଖେ  । କମ୍ପାନୀର ସମସ୍ତ କାରବାର ଉପରେ ତୀକ୍ଷ୍ଣ ନଜର ରଖେ  । ସହଜେ ତ ପାଠ-ଶାଠ ଦୁଇ ଅକ୍ଷର ପଢ଼ିଛି  । ସବୁ କିଛି ବୁଝେ । ଆହୁରି ଏଠି ସେ ଭଲ ଭାବେ ଇଂରେଜୀ ଶିଖିଗଲାଣି, ଏଥର ସମସ୍ତଙ୍କ ସହ ମିଶି ଗଲାଣି  । ଆଉ ତା’ର କିଛି ଅସୁବିଧା ହୁଏ ନାହିଁ  । ବସାରେ ଆସି ପହଞ୍ଚିଲେ ଥକ୍କା ହୋଇ ଶୋଇଯାଏ  । ବାପା-ମା କଥା ମନେ ପଡ଼ିଲେ କେବେ କେବେ କାନ୍ଦି ଉଠେ । ମାତ୍ର କମ୍ପାନୀ ଭିତରେ ଥିଲେ ଉଚ୍ଚକିତ ସ୍ୱପ୍ନର ଆସ୍ତରଣ ଜମାଟ ବାନ୍ଧେ,  ଅହରହ ସେ ସ୍ୱପ୍ନରେ ମସ୍ଗୁଲ ହୋଇ ତହିଁରେ ବୁଡ଼ି ରହେ  ।

ନୀରବରେ ଭାବେ ସେ ବି ଗୋଟାଏ ଫ୍ୟାକ୍ଟେରୀ କରନ୍ତା, କେତେ ଗାଡ଼ି ମୋଟର ଚାକର ବାକର ଲଣ୍ଡ ଭଣ୍ଡ ହୁଅନ୍ତେ  । ତା’ ଦେଶରେ ଅଗଣିତ ନର ନାରୀ କର୍ମ ସଂସ୍ଥାନ ପାଆନ୍ତେ  । ନିଜ ଦେଶରେ ଗଚ୍ଛିତ ପ୍ରଚୁର କଞ୍ଚାମାଲ ସୁଲଭ ଦରରେ ମିଳି ପାରନ୍ତା  । ଫଳରେ ସେହି ଦେଶରେ କଞ୍ଚାମାଲରେ ପ୍ରସ୍ତୁତ ସାମଗ୍ରୀ ସେହି ଦେଶରେ ରହନ୍ତା  । ଲୋକେ ଶସ୍ତାରେ ହାତ ପାହାନ୍ତାରେ ସବୁ କିଛି ଦ୍ରବ୍ୟ ପାଇ ପାରନ୍ତେ  । ମାତ୍ର ତା’ ନିଜ ଦେଶରୁ ଆସୁଥିବା କଞ୍ଚାମାଲରେ ପ୍ରସ୍ତୁତ ସାମଗ୍ରୀ ପୁନରାୟ ଚଢ଼ା ଦାମରେ ଭାରତରେ ବିକ୍ରୀ ହେବ –ଏହା ବଡ଼ ଲଜ୍ଜାଜନକ କଥା  । ଏଭଳି ଏଣୁ-ତେଣୁ ଅନେକ ଭାବନା ତାକୁ ଆନ୍ଦୋଳିତ କରେ  । ମାତ୍ର ତାହାର ବାସ୍ତବ କାର୍ଯ୍ୟକାରୀତା ନେଇ ମନରେ ଶଙ୍କା ଉପୁଜେ  । ସେ ପୁଣି ଗୁମ୍ସୁମ୍ ହୋଇଯାଏ  ।

ଙ୍ଘ           ଙ୍ଘ           ଙ୍ଘ            ଙ୍ଘ

କ୍ୟାପ୍ଟେନ୍ ବୋଧହୁଏ ଭୁଲି ଯାଇଥାନ୍ତି ପିଲାଟିର କଥା  । ସେ ସୁଇଡ଼େନ୍ ଫେରିଲା ବେଳକୁ ଏହା ଭିତରେ ସାତ ବର୍ଷ ବିତି ଯାଇଥାଏ  । ଧୀରୁ ଭାଇ କ୍ୟାପ୍ଟେନ୍ଙ୍କୁ ଦେଖି ଆତ୍ମବିଭୋର ହୋଇ ଉଠିଲା  । ସତେକି ସବୁଠୁ ଆପଣାର  ଲୋକଟାକୁ ଏଥର ସେ ପାଇଗଲା  । ସ୍ୱଦେଶକୁ ଫେରିବାର ସ୍ୱପ୍ନରେ ସେ ବିଭୋର ହୋଇ ଉଠୁଥାଏ  । କ୍ୟାପଟେନଙ୍କୁ ପାଖରୁ ଇସାରା ପାଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କ୍ଷୀଣପ୍ରଭା ଆଲୋକ ରାଶି ଉକୁଟି ଉଠିଲି  । ଆଶାର କିରଣ ଉଦ୍ଗୀରଣ ହେଲା  । ସେ ନିଜ ସମାନ ପତ୍ର ସବୁ ପ୍ୟାକ କରିି ଜାହାଜରେ ବସି ପଡ଼ିଲା  ।

ଶେଷରେ ଜାହାଜ ଆସି କାଲିକଟ ବନ୍ଦର ଛୁଇଁଲା  । ବହୁ ପ୍ରତିକ୍ଷୀତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର ଯେଉଁ ଉତ୍କଣ୍ଠା ଓ ବ୍ୟଗ୍ରତା ଥିଲା ତା’ର ପରିସମାପ୍ତି ଘଟିଲା  ।

କ୍ୟାପ୍ଟେନ୍ ଧୀରୁର ମସ୍ତକରେ ଶେଷ ସ୍ପର୍ଶ ଦେଲେ, ତା’ର ପିଠି ମୁଣ୍ଡ ଥାପୁଡ଼ାଇ ଦେଇ ନିଜର କୋମଳ ହସ୍ତ ଚନ୍ଦ୍ରିକରେ ଏକ ମୃଦୁ ଶିହରଣର ରେଖାଟିଏ ଟାଣି ଦେଲେ  । ପାଟିରୁ ଝରି ପଡ଼ିଲା କେଇପଦ ମିଠା କଥା, ଶେଷ କଥା ଅଥଚ ଗଭୀର ଆତ୍ମୀୟତାର ଆନ୍ତରିକତାର ଅଭୁଲା ସ୍ମୃତି, ଅଭୁଲା କଥା, –“ଧୀରୁ ! ସିଧା ମା’ ବାପା ପାଖକୁ ଫେରିଯାଅ  । ସେମାନେ ତୁମକୁ ଚାହିଁ ରହିଥିବେ  । ନିଜ ଉପରେ ନିଜର ଆତ୍ମ ପ୍ରତ୍ୟୟ କେବେ ହରାଇବ ନାହିଁ  । ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ଅଭିଳାଷା  ।”

ମନେ ମନେ ସେ କ୍ୟାପ୍ଟେନ୍ଙ୍କୁ ଅନେକ ବଧାଇ ଓ କୃତଜ୍ଞତା ଜଣାଇଲା । ହେଲେ ଲାଜରେ ହୃଦୟର  ସବୁତକ ଅଭିବ୍ୟକ୍ତି ପରିପ୍ରକାଶ ହୋଇ  ପାରୁ ନ ଥାଏ  । ସେ ଧୀର ଅଥଚ ସନ୍ତ୍ରର୍ପଣତାର ସହକାରେ କ୍ୟାପ୍ଟେନ୍ଙ୍କ ପାଦଧୂଳି ନେଇ ମଥାରେ ମାରିଲା  । ସେଠୁ ସିଧା ଘରକୁ ଧାଇଁଲା  । ପରିବାର ଆତ୍ମୀୟ ସ୍ୱଜନ ଧୀରୁକୁ ଦେଖି ଖୁସିରେ ଆତ୍ମହରା ହୋଇ ଉଠିଲେ  । କୋଳାକୋଳି, କନ୍ଦାକନ୍ଦିର ପର୍ବ ତହିଁକି ଚାଲିଲା  । ଧୀରୁ ବିଦେଶ ଅନୁଭୂତି ସବୁ ଗୋଟି ଗୋଟି ବଖାଣି ବସିଲା  । ଏଥର କ୍ୟାପ୍ଟେନ୍ଙ୍କ କଥା ମନେ ପଡ଼ି ଯିବାରୁ ସେ ବ୍ୟସ୍ତ ହୋଇ ଉଠିଲା  । କିଛି ଗୋଟାଏ କରିବା ଚିନ୍ତାରେ ଗୁମୁରି ଉଠିଲା  ।

ବିଦେଶରୁ ସଂଗୃହୀତ ସ୍ୱଳ୍ପ ବଳକା ସଂଚିତ ଫୁଜିକୁ ଆଧାର କରି ସେ ସର୍ବ ପ୍ରଥମେ ଏକ ଅଣ୍ଡା ଦୋକାନ ଖୋଲିଲା  । ତହିଁରୁ ଉପାର୍ଜିତ ଅର୍ଥରେ ଆଉ ଗୋଟାଏ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଲା  । ତହିଁ ଉତ୍ତାରୁ ବିଦେଶାଗତ ଅନୁଭବ ଓ ଅନୁଭୂତି ସମସ୍ତକୁ ବିନିଯୋଗ କରି ଛୋଟ ପ୍ଲାଷ୍ଟିକ୍ ଫ୍ୟାକ୍ଟୋରୀ ବସାଇଲା  । ଯେତେବେଳେ କୈାଣସି ବ୍ୟବସାୟିକ କ୍ଷତି ସହି ନ ପାରି ସେ ହତୋତ୍ସହିତ ହୋଇପଡେ,ସେତେବେଳେ ତା’ର କ୍ୟାପ୍ଟେନ୍ଙ୍କ କଥା ମନେ ପଡ଼ିଯାଉଥାଏ  । ପୁଣି ନବ ଉନ୍ନାଦନାରେ ସେ ମାତିଯାଏ  ।

ନୂତନ କର୍ମ ପ୍ରେରଣାରେ ସେ ତତ୍ପର ହୋଇଉଠେ । କ୍ରମଶଃ ଗୋଟାଏ ପରେ ଗୋଟାଏ ସହସ୍ର ଶିଳ୍ପ ପ୍ରତିଷ୍ଠାନ ସେ ଖୋଲି ପକାଇଲା  । ଉପରକୁ ଉଠି ଚାଲିଲା  ଯେ ଉଠି ଚାଲିଲା ଏକାଥରକେ ନଭଶ୍ଚୁମ୍ଭୀ ଅଟ୍ଟାଳିକାରେ ଯାଇ ଜୀବନ ବିତିଲା  । ଆଜି ଏକ ଆଟାଚି ପରିପୂର୍ଣ୍ଣ ଟଙ୍କା ଯଦି ତାଙ୍କ ହାତରୁ ଖସି ବିଚ୍ଛୁରି ପଡ଼େ, ତାହାକୁ ସାଉଁଟିବା ପାଇଁ ଯେତିକି ସମୟର ଆବଶ୍ୟକତା ଅଛି, ସେତିକି ସମୟରେ ତା’ ଠାରୁ କେଇ ଗୁଣା ବେଶି ଅର୍ଥୋଉପାର୍ଜନ  କରିବାକୁ ସେ ସମର୍ଥ । ତେଣୁ ସେ ବିଶିଷ୍ଟ ଶିଳ୍ପପତି  । ଶ୍ରେଷ୍ଠ ଧନୀ  । ବିସ୍ମୟ ବ୍ୟକ୍ତିତ୍ୱ ।

ଆଜି ବିଶ୍ୱାସ କରି ହୁଏନା; ଏଭଳି ମଣିଷର କ୍ରମ ବିକାଶ କି ସତରେ ସମ୍ଭବ? ତେବେ କ’ଣ ସବୁ ସମ୍ଭବ; ଯଦି ଉଚ୍ଚାଭିଳାଷ ଓ ତାକୁ କାର୍ଯ୍ୟକାରୀ କରିବାର ଐକାନ୍ତିକ ପ୍ରଚେଷ୍ଟା ଓ ସାଧନ ମଣିଷ ପାଖରେ ଥାଏ ? ସେଦିନ ଅତିଥି ଶାଳାରେ ଧୀରୁ ଭାଇ ବସି ପଡ଼ିଥାନ୍ତି  । କ୍ୟାପ୍ଟେନ ପରିଧାନରେ ପରିହିତ ତୈଳ ଚିତ୍ରଟା ଆଡ଼କୁ ଖାଲିଦୃଷ୍ଟି ନିବଦ୍ଧ ଥାଏ  । ଆଖିରୁ ଝରି ପଡ଼ୁଥାଏ କୃତଜ୍ଞତାର କେଇ ଟୋପା ଅଶ୍ରୁ  । ଅଲକ୍ଷ୍ୟରେ ହାତ ଦୁଇଟା ହଠାତ୍ ଉପରକୁ ଉଠିଗଲା  । କାହାକୁ ପ୍ରଣାମ କରି ପୁଣି ଫେରି ଆସିଲା ପୁର୍ବ ସ୍ଥିତିକୁ  । ହେଲେ  ତାଙ୍କର ମନେପଡ଼ି ଯାଉଥାଏ ସେହି ଶେଷ କେଇ ପଦ କଥା, ଯାହା ଅଭୁଲା ସ୍ମୃତି; ଅଭୁଲା କଥା  ।

Related posts

ମୁଁ କାହାକୁ କୃତଜ୍ଞ

satya

ନିଶା ଓ ନିଶା

satya

କୁନା ବାପା ତୁମେ କିଛି ଜାଣିନ

satya

Leave a Comment

Login

X

Register