ମୁଁ ସେଦିନ ଘଟଣା କ୍ରମେ ଯାଜପୁର ଯାଇଥାଏ । ଦେଖିଲି; ପ୍ରଚାର ପତ୍ର ବଣ୍ଟା ଚାଲିଥାଏ । – ‘ତୁମେ ଦେଶର ଅଭିବୃଦ୍ଧି କହି, ଶିଳ୍ପପତିରେ ଦେଲ ପ୍ରତିଶ୍ରୁତି, କଳିଙ୍ଗନଗରରେ ବିକ୍ଷୋଭକାରୀଙ୍କ ଉପରକୁ ବନ୍ଧୁକ ଫୁଟାଇଲ- ଠୋ’କିନା । ଯିଏ ଯୁଆଡ଼େ ଛାଡ଼ି ପଳାଇଲେ, ନିରୀହ ଆଦିବାସୀଙ୍କୁ ପଛପଟୁ ଗୁଳିବିଦ୍ଧ କଲ, ସେଇଠି ଟଳିପଡ଼ିଲେ କେତେ ନିରୀହ । ସରକାର ଓ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଠି ନିତି ଜୁଲମ ଚାଲେ । କଲେକ୍ଟର ବାହାବାହା ନିଏ । ମିଥ୍ୟା ନିନ୍ଦା ଓ ବଦଳି ପ୍ରହଶନ ଚାଲେ । ଆଦିବାସୀଙ୍କର ସରକାରଙ୍କ ଉପରେ ଭରଷା ତୁଟେ । ଆମ୍ଭେ କିନ୍ତୁ, ନଛୋଡ଼ବନ୍ଧାର ଦଳ ମରିବୁ ପଛେ; ହଟିବୁ ନାହିଁ , ନିଆଁହୁଳା ଜାଳି ରାସ୍ତା ଅବରୋଧ କରେ । ସରକାର ତୁମେ ଜବାବ ଦିଅ’ ।
ଭାବିଲି- ‘ଆଜି ରାତିଟା କଳିଙ୍ଗ ନଗରରେ କାଟିବି, ସେଠି କ’ଣ ଏମିତିକା ଗୋଟେ ଅଘଟଣ ଘଟଛି ; ବଢିଆ ସମ୍ବାଦଟାଏ ମିଳିଯିବ । ସଂପାଦକ ତାଜା ଖବରଟାଏ ପାଇଲେ ଭାରି ଖୁସି ହେବେ । ତା’ଛଡ଼ା ଦିନରେ ସେଠି ନିଶ୍ଚୟ ଶାସନ କଳ ତତ୍ପରଥିବ । ହୋହାଲ୍ଲା ଓ ବହୁଲୋକଙ୍କ ଯା’ଆସ ଭିତରେ ତାଙ୍କ ଭିତିରି କଥା ଗୁଡ଼ାକ ଜାଣିହେବ ନାହଁ । ଏଥିପାଇଁ ଟିକେ ନିରୋଳା ଦରକାର ।’
ଶେଷରେ ଯାଇ କଳିଙ୍ଗ ନଗରରେ ପହଞ୍ଚିଗଲି, ଦେଖିଲି ଦଳେ ଲୋକ ଘରଦ୍ୱାର ଛାଡ଼ି ଜଗିକି ବସିଛନ୍ତି । ଭାବୁଥାଏ- ‘କେଉଁଠୁ ଆରମ୍ଭ କରିବି, ବଣୁଆ ଝାଡ଼ୁଆ ଲୋକ । ରାଗିଗଲେ କଥା ସରିଲା । କିଛି କହିବେ ନାହିଁ, ଓଲଟି ଭୁରୁଡ଼ି ମାରିବେ । ଥରେ କିନ୍ତୁ ତାଙ୍କ ମନ ନେଇଗଲେ, ଭାରି ଆଦର କରିବେ । ସବୁ କହିବେ’ । ସାହସ ବାନ୍ଧି ପଚାରିଲି- ଭାଇ କାହିଁକି ଏଠି ରାତିଦିନ ନିଆଁହୁଳା ଜାଳି ବସିଛ? ଆଦିବାସୀ ନେତା, ମାନ୍ଦ୍ରୁ ମୁଣ୍ଡା ଦୌଡ଼ିଆସିଲା । ବିରାଟ ବଡ଼ ବୁକୁ, ଚେହେରାଟା ଦେଖି ଡ଼ର ଲାଗୁଥାଏ । କହିଲା- ‘ତୁମେ କିଏ ହୋ, ସରକାରଙ୍କ ଚାମଚା ନା ଶିଳ୍ପପତି ଦଲାଲଙ୍କ ଗୁମାସ୍ତା’ ? ମୁଁ ଟିକିଏ ଡ଼ରିଗଲି । କହିଲି- ‘ନା ଭାଇ! ମୁଁ ଜଣେ ସାମ୍ବାଦିକ । ଏଠିକି ଆସିଛି ତୁମ କାହାଣୀ ଶୁଣିବାକୁ ; ସମ୍ବାଦ ଛାପିିବି । ସବୁଲୋକଙ୍କ ପାଖରେ ତୁମ କଥା ପହଞ୍ଚାଇବି ’ ମୋତେ ଟିକେ ଗାରେଡ଼ିକି ଚାହିଁଲା, କ’ଣ ଭାବିଲା କେଜାଣି, ସେଠୁ ଉଠି ହଠାତ୍ ଚାଳିଗଲା । କେଉଁଠୁ ଗୋଟେ କାଠ ଗଡ଼ଟାଏ ଆଣି ମୋ ଆଗରେ କଚାଡ଼ି ଦେଲା, କହିଲା- ‘ଏଇଠି ବସ ବାବୁ’ ବସି ପଡ଼ିଲି । ଏଥର ଟିକିଏ ଭରସା ପାଇଲା; ସାହାସ ବାନ୍ଧି ପଚାରିଲି- ‘ ଭାଇ! ଶିଳ୍ପର ବିକାଶ ହେଲେ ତୁମର ତ ଭାଗ୍ୟ ବଦଳିଯିବ । ତୁମ ପିଲାଏ ଚାକିରି ପାଇବେ । ଦେଶ ଅର୍ଥନୀତିର ବିକାଶ ହେବ । ତୁମ ଅଂଚଳର ମାନଚିତ୍ର ବଦଳି ଯିବ, ଅସୁବିଧା କଣ ? ଅନେକ ଗାଡ଼ି ମୋଟର ଆସିବ, ବଜାର ହାଟ ବସିବ । ସ୍କୁଲ କଲେଜ ଖୋଲିବ । ତୁମେ କିଆଁ ଶୀଳ୍ପ ବିକାଶକୁ ବିରୋଧ କର? ତୁମର ତ ଲାଭ, ହିଁ ଲାଭ । ମାନ୍ଦ୍ରୁ ମୁଣ୍ଡା, ଏଥିରେ ବିରକ୍ତ ହୋଇ ଉଠିଲା । କହିଲା- “ରଖ ହୋ ! ତୁମ ଲାଭ କ୍ଷତିର ହିସାବ । ଲାଭ ଯାହାର ହେବା କଥା ହେଉଛି । ଆମେ ଖାଲି ହଇରାଣ ହରକତ ହେବା ସାର । ତୁମର ଶିଳ୍ପ ବିକାଶ ହେଉ କି ନହେଉ- ଆମକୁ ସେଥିରୁ କ’ଣ ମିଳିବ ? ଜଂଗଲ ଆମର । ଜଂଗଲ ଗଲେ ଆମ ଜୀବିକା ଯିବ । ଆମେ କ’ଣ ଖାଇ ବଞ୍ଚିବୁ କି ହୋ? ଚାଷ ଜମି ତ ସବୁ ଶିଳ୍ପରେ ଯିବ । କ’ଣ ଗୋଡ଼ି ପଥର ଖାଇ ଆମେ ଜୀବନ ଧାରିବୁ? ଘଣ ଖଣ୍ଡିକ ଆଗ ଯିବ । କେଉଁଠି ମୁଣ୍ଡ ଗୁଂଜିବୁ ? ଯେଉଁ ମାନଙ୍କର ଜମି ଜମା ଅଛି ସେମାନେ ସିନା ଦି ପଇସା ପାଇବେ । ଆମେ କ’ଣ ପାଇବୁ ? ପୁଣି ସରକାର ଜମି ହସ୍ତାନ୍ତର ନେଇ ମଧ୍ୟସ୍ଥି ସାଜେ । ସରକାରୀ କଳର ପୋଲିସ, ଜୁଲମ ପ୍ରୟୋଗ କରି ଆମକୁ ତଡ଼େ । କଂପାନୀ ସହ ସିଧା ସଳଖ ଆମର ବୁଝାବଣା ହେଉ ନଥିବାରୁ, ନେତାଏ ଫାଇଦାରେ ରହେ; ଆମକୁ ଭଣ୍ଡେ । କଂପାନୀ ଆମ ଦାବୀ ପ୍ରତି ଉଦାସୀନ ରହେ । ବାହାରୁ କୁଶଳୀ କାରିଗର ଆଣି, ନିଜ କାମ ତୁଲାଏ । ଆମେ ଏଠୁ ହଟିଲା ପରେ , ନା କମ୍ପାନୀ ନା ଆଉ କିଏ ବୁଝେ? ଆମେ ବେକାରୀ ହେଉ, ଭୋକ ଉପବାସରେ ସଢୁ । ଆମ ବିସ୍ଥାପନ କଥା- କିଏ ସେ ବୁଝେ? ଆମ ଘରଦ୍ୱାର ଓ ସୁବିଧା ସୁଯୋଗ ସବୁ ପଛକୁ ରହେ । ସରକାର ସେଠୁ ଖସଡ଼ା ମାରେ । ଆମ ଦୁଃଖ ସେ କେମିତି ବୁଝେ ?”
ମୁଁ ଭାବିବାକୁ ଲାଗିଲି – “ସତ କଥା । ଆଦିବାସୀଙ୍କର କି ଲାଭ ହୁଏ । ସରକାରଙ୍କର ଆର୍ଥିକ ଲାଭ ହୁଏ କି ନହୁଏ; କିନ୍ତୁ, ଆମ ଦେଶର ପ୍ରାକୃତିକ ସଂପଦକୁ ନଷ୍ଟ କରି, ଶିଳ୍ପପତି ମାଲାମାଲ ହୁଏ । ହେଲେ ପାହାଡ଼ିଆ ମଣିଷର କି ଲାଭ ହୁଏ । ତା’ ପିଲା ଚାକିରୀ ପାଏ ନା ତା’ର ଆର୍ଥିକ ବିକାଶ ହୁଏ । ବରଂ କଳକାରଖାନାରୁ ନିର୍ଗତ ବିଷାକ୍ତ ପଦାର୍ଥ ଓ ଦୂଷିତ ଧୂଆଁ ଯୋଗୁ ତା’ର ପରିବେଶ ପ୍ରଦୂଷିତ ହୁଏ । ରୋଗରେ ପଡ଼ି ସେ ହନ୍ତସନ୍ତ ହୁଏ । ଘରଦ୍ୱାର ଛାଡ଼ି, ଏଠି ସେଠି ବାରପିଣ୍ଡା ଉଣ୍ଡି ମୁଣ୍ଡ ଗୁଞେ । ତା’ର ବସତି ଓ ସମାଜ ଭାଙ୍ଗିଯିବା ଦ୍ୱାରା ତା’ର ନିରାପତ୍ତା ବିପନ୍ନ ହୁଏ । ତା’କୁ ସୁରକ୍ଷା ଦେବା ନାଁରେ ଆମେ ତାକୁ ଶୋଷି ଖାଏ, ତା’ର ଶ୍ରମ ନିର୍ଭରଶୀଳ, ଆମେ ପରାଙ୍ଗପୃଷ୍ଠ ପ୍ରାଣୀ, ଶିଳ୍ପ ନିର୍ମାଣ ଶେଷେ, ତା’ର ରକ୍ତକୁ ଚୁଷି, ପାଦରେ ଦଳି ଚକଟି ତାକୁ ତଳେ ଫିଙ୍ଗି ଦିଏ । ଦାରିଦ୍ର୍ୟ ତିତିକ୍ଷାରେ ସେ ସଢେ । ଅଶିକ୍ଷା ଅନ୍ଧକାରରେ ଆମେ ତାକୁ ରଖେ; ଏମିତି ଲୁଟେ । ହଠାତ୍ ମୋ ଭାବନାରେ ଭଟା ତୋଳି; ମୁଁ କହିଲି- “ଭଲ କଥାଟାଏ କହିଲ ହେ ମାନ୍ଦ୍ରୂ ଭାଇ! ଦେଲ ମୋତେ ମହାଶିକ୍ଷା ।” ସତକଥା, ଆମ ପାଇଁ ସରକାର କ’ଣ ଚୁକ୍ତି କରିବେ? କଂପାନୀ ସିଧା ସଳଖ ଲୋକଙ୍କ ସଙ୍ଗେ ଚୁକ୍ତି କରିବା ଦରକାର । ଲୋକଙ୍କୁ ବୁଝା ଶୁଝା କରି ବୁଝାବଣା ପତ୍ରରେ ସ୍ୱାକ୍ଷର କରିଲେ, ଅନେକଟା ସମସ୍ୟା ସମାଧାନ ହୋଇ ଯାଆନ୍ତା । କଂପାନୀ ଓ ଲୋକଙ୍କ ସହିତ ସିଧା ସଳଖ ସଂପର୍କ ସ୍ଥାପିତ ହୋଇ ପାରନ୍ତା । ଲୋକମାନେ ନିଜ ଦାବି ଉପସ୍ଥାପନ କରନ୍ତେ; କଂପାନୀ ବି ଲୋକଙ୍କର ଦୁଃଖ କିଛିଟା ଅନୁଭବ କରନ୍ତେ । ତଦାନୁସାରେ ସେମାନଙ୍କର ସମସ୍ୟା କିଛିଟା ଲାଘବ ହୋଇଯାଅନ୍ତା । ଉଭୟ କଂପାନୀ ଓ ଲୋକଙ୍କର ଫାଇଦା ହୁଅନ୍ତା ।
ମାନ୍ଦ୍ରୁ ଏତେବେଳ ଯାଏଁ , ସବୁ ଶୁଣୁଥିଲା । କହିଲା – “ସବୁ ଠିକ୍ ଯେ, ହେଲେ ଆମେ ବିସ୍ଥାପିତ ଯେ, ଘର ଦ୍ୱାର ଛାଡ଼େ- ଆମ ସାମାଜିକ ସମ୍ପର୍କ; ଆମ ସ୍ମୃତି ମନ୍ଦିର ଏ ଗାଁ; ଆମ ଗ୍ରାମ୍ୟ ସଂସ୍କୃତି, ସବୁ ଲୋପ ହୁଏ-କିଏ ସେ ତାକୁ ଫେରାଇ ଦେବ କୁହ ?” କଥା ହେଉଛି- ଯେଉଁ ଘର, ବାଡ଼ି, ଗାଡ଼ିଆ, ତେନ୍ତୁଳି ଗଛ, ନେଉଆ ଗଛ; ଦୁଆର ମୁହଁର ବର କୋଳି ଗଛ, ଆଉ ପଥର ମୁଣ୍ଡିଆ; ପୁଣି ଗାଁ ବରଗଛ ତଳେ ଦିଅଁ ଦେବତା – ସବୁ ତା’ ସ୍ମୃତିର ସ୍ମାରକୀ; ଯେଉଁଠି ସେ କାଟିଛି କେତେ ବିନିଦ୍ର ରଜନୀ, ପୁଣି ଉଦି ଉଦିଆ ଖରାବେଳ,ଆଉ ପାହାଁନ୍ତି ଶୀତ ରାତି – କେହି ସେ ସବୁ ଦେଇକି ପାରିବ? ବିସ୍ଥାପିତ ଯିଏ, ଏକା ସେଇ ସିନା ବୁଝେ-ତହିଁର ଦୁଃଖ ।
ମାନ୍ଦ୍ରୂର କଥାରେ ସମ୍ମତି ଜଣାଇ, ଅନ୍ୟ ଲୋକମାନେ ବି ପଦେ ଅଧେ ପାଳି ଧରୁଥା’ନ୍ତି । ମୋତେ ବି ଭାବିବାକୁ ମଜବୁର କରିଦେଇଥା’ ନ୍ତି । ଭାବନା ରାଜ୍ଯରେ ଘୂରି ବୁଲୁ ବୁଲୁ ମୁଁ କେତେବେଳୁ ହଜି ଯାଇଥାଏ; ଯେତେ ଚେଷ୍ଟା କଲେ ବି ଆଦୌ ପ୍ରକୃତିସ୍ତଃ ହୋଇପାରୁ ନଥାଏ । ସତେ କି ଭୂତଟାଏ ସବାର ହୋଇଛି । ପୁଣି ମୁଁ ଭାବିବାକୁ ଲାଗିଲି ।
“ମଣିଷକୁ ଆଜି ଖାଲି ବିସ୍ଥାପିତ ହେବାକୁ ପଡ଼ୁଛି । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଣଳର ବିକାଶ ସଙ୍ଗେ ସଙ୍ଗେ ମଣିଷର ଆବଶ୍ୟକତା ବଢିଛି । ଆଉ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ନାନାବିଧ ଉପାୟ ପାଞ୍ଚୁଛି । ଶିଳ୍ପର ଅଭିବୃଦ୍ଧି ଦେଶ ଅର୍ଥନୀତିର ମାନଦଣ୍ଡ- କହି; ବିଭିନ୍ନ କଳକାରଖାନା ନିତ୍ୟ ପ୍ରତିଷ୍ଠିତ ହେଉଛି । ଅନେକ ବିଦେଶୀ କଂପାନୀ ଆସୁଛନ୍ତି । ସେଜ୍ ଗଠକ କରି ସେମାନଙ୍କୁ ଆକୃଷ୍ଟ କରୁଛନ୍ତି । ପୁଣି ନୂତନ ନଦୀବନ୍ଧ ନିର୍ମାଣ, ବିଦ୍ୟୁତ ପ୍ରକଳ୍ପ, ବନ୍ଦର ନିର୍ମାଣ ଆଦି ଯୋଗୁଁ ଜମି ଅଧିଗ୍ରହଣ କରିବାକୁ ପଡ଼ୁଛି । ଏସବୁ ଠିକ୍ ଯେ; ହେଲେ ଜମି ଅଧିଗ୍ରହଣକୁ କେନ୍ଦ୍ର କରି କଳିଙ୍ଗନଗର ଠାରୁ ସିନ୍ଦୂର ନଦୀ ଗ୍ରାମ ଯାଏ; ସବୁଠି ଯେଉଁ ବିଦ୍ରୋହର ବହ୍ନି ଜଳୁଛି; ତାହା ସହଜେ ପ୍ରଶମିତ ହେବାକୁ ନାହିଁ । କଥାଟା ହେଉଛି, ମଣିଷର ଆବଶ୍ୟକତା ପାଇଁ ଆଜି ଚାଷଜମି ବନ୍ଧ୍ୟା ହେଉଛି । ଜଙ୍ଗଲ ନଷ୍ଟ ହେଉଛି । ପରିବେଶ ଓ ସମାଜ ଉପରେ ତା’ର କୁ ପରିଣାମ ବେଶ୍ ପରିଦୃଷ୍ଟ । ଜଙ୍ଗଲୀ ମଣିଷ ଆଜି ତା’ର ସ୍ୱରୋଜଗାର ପନ୍ଥା ହରାଇଛି । ନିଜର ସମୁଦ୍ର ପାଣିରୁ ଲୁଣ କିମ୍ବା ମାଛ ସିଏ ମାରି ପାରୁ ନାହିଁ । ନିଜ ଜଙ୍ଗଲରୁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରି ସେ ଆଜି ଜୀବିକା ନିର୍ବାହ କରି ପାରୁନାହିଁ । ଏପଟେ ନିଜ ଭିଟାମାଟି ଛାଡ଼ି ଯିବାର ଭୟ ତା’କୁ ଗ୍ରାସ କରିଛି । ଯେଉଁ ଜନମ ମାଟିର ମୋହ ତା’କୁ ଆକର୍ଷଣ କରେ; ଯେଉଁ କୁଡ଼ିଆ ତା’ର ଦ୍ରୌପଦେୟ ବ୍ରସ୍ତ ଘୋଡ଼ାଇ ତା’କୁ ଖରା, ଶୀତ, ବର୍ଷା କାକରରୁ ରକ୍ଷା କରି ଆସୁଛି- ତା’ ଭାଜି ଯାଉଥିବା ଦେଖି; ସିଏ ଆଜି ବିବ୍ରତ, ମନ ତାର ଦୁଃଖ ପରିତାପର ଘାରିଯାଏ । ଦେଖାଦିଏ ତୀବ୍ର ମାନସିକ ଦ୍ୱନ୍ଦ, ମନ ତା’ର ବିଦ୍ରୋହ କରି ଉଠେ । ପରସ୍ଥିତି ପରିବେଶ ସହ ତା’ର ସଂଘର୍ଷ ଦେଖାଦିଏ । ଏତେବେଳେ ସରକାରଙ୍କର ପରାମର୍ଶ ବା ଅନୁରୋଧକୁ ସେ ବେଖାତିରି କରେ । ଶିଳ୍ପପତିର ଅର୍ଥର ପ୍ରଲୋଭନ ତା’କୁ ପ୍ରଲୋଭିତ କରିପାରେନା ।
ଏହିପରି ଭାବନା ରାଜ୍ୟରେ ମୁଁ ଅହରହ ବିଚରଣ କରୁଥାଏ । ହଠାତ୍ ମୋର ସମସ୍ତ ଭାବନା ବିପର୍ଯ୍ୟସ୍ତ ହୋଇଗଲା । ଅନତି ଦୂରରେ ଚିତ୍ତା ଜଳୁଥାଏ । ଗୋଟିଏ ଛାୟାମୂର୍ତ୍ତି ମୋ ନଜରରେ ପଡ଼ିଲା, ମୁଁ ଚମକି ପଡ଼ିଲି । ଆଇମା ପାଖରୁ ତ ପ୍ରେତ-ଭୂତ ଜଂଗଲ ରାତି କଥା ଶୁଣିଥିଲି । ଥର ଥର ହୋଇ ବଡ଼ ପାଟି କଲି, … “ହେ ! …ହେ…ଇ…ଟି…କ…ଅ….ଣ ଦିଶୁଛି?” ଆଦିବାସୀମାନେ ମୋ ପାଖକୁ ଲାଗି ଆସିଲେ । କହିଲେ – “ନାଇଁ ହୋ ବାବୁ! ଚିଏ ଆମ ଶୁକ୍ରା ପିଲାଟାର ବା-ବାଇ ଗୁଲିରେ ମଲେ । ଯେତେ ବୁଜା ଚୁଜା କନେ କନ ହବ । ଚିଏ ଚେଟୁ ଜମା ହୁକୁନି ମ ବାବୁ । କିଆପିଆ ଛାଲି ସେଇଠି ବଇଚି, ବଲେଇ କି ଦି’ଟା ଦେନେ ମାଣ୍ଡି ଜୁମେ ମେ କରି, ପୁନି ଛେଇଟିକି ଚାଲି ଯାଉଚି । କାଆକୁ କିସ୍ କଉନୁ । ଇଛାହେଲେ ଦମେ କାନ୍ଦୁଚି । ପୁନି ଚେଇଟି ବଉଛି । ତା’ର ଆଉ ବାବୁ କେଇ ନାଇ, ଚିଏ କନ କରିବ । ପଇସା କଉଡ଼ି ବା, ମା, ବାଇ ସବୁତ ବାନୁଆଁ”
ସେ କଥା ଗୁଡ଼ାକ ଭାବି ମୋ ଅନ୍ତର ବିଦାରିତ ହେଉ ଯାଉଥାଏ । କଲିଜା ଥରି ଉଠୁଥାଏ । ମନ ଦୁଃଖରେ ଘାରି ହୋଇ ଯାଉଥାଏ । ଭାବୁଥାଏ- “ଭଗବାନଙ୍କ ରାଜ୍ୟରେ କାହିଁକି ସମସ୍ତେ ଏଭଳି ଦୁଃଖ ପାଆନ୍ତି? ପିଲାଟା ବା କାହାର କି ଦୋଷ କରିଥିଲା ?”
ରାତି ପାହି ଆସୁଥିଲା । ଏଥର ବିଦାୟ ନେବାର ବେଳ ହୋଇ ଯାଇଥିଲା । ସମସ୍ତଙ୍କୁ ଗଭୀର ଭାବେ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ମୁଁ ବାହାରିଲି । ଆଦିବାଦୀମାନେ ଛିଡ଼ା ହୋଇପଡ଼ିଲେ । ହାତ ଯୋଡ଼ି ନମସ୍କାର କଲେ । ଆଇଲା ବେଳକୁ କହିଲି – “ତୁମେ କଥାଟା ଭଲ ବାଗରେ ମୁଁ ଛାପିବି । ସମସ୍ତେ ଏକ ସ୍ୱରରେ କହିଲେ- “ହେଲେ ଆମେ ମରିବୁ ପଛେ, ଜମା ହଟିବୁ ନାହିଁ ।”ମୋ ମୁଣ୍ଡ ଭିତରେ ସେ ବିସ୍ଥାପନ ଭୂତଟା ଏମିତି ସବାର ହୋଇଯାଇଥାଏ ଯେ; ଆଉ ମୋଟରୁ ବାହାରୁ ନଥାଏ । “ବିସ୍ଥାପନ “ହେଡ଼୍ ଲାଇନରେ ସମ୍ବାଦଟିଏ ଛାପିଦେଲି । ସେତିକିରେ ଆମ କର୍ତ୍ତବ୍ୟ ଶେଷ । ହେଲେ ବିସ୍ଥାପନ? – “ବିସ୍ଥାପନ ସମସ୍ୟାଟା ରହିଯାଏ ଅନେକ ଦିନ ଧରି, ଯେ ପର୍ଯ୍ୟନ୍ତ ଆମେ ବା ଆମ ସରକାର ଆନ୍ତରିକତା ନଦେଖେଇଛେ ।