Satya Prakash
ଗଳ୍ପ

ସମାଜ ସୁଧାରକ

ସମାଜ ସୁଧାରକ
—–by ସତ୍ୟ ପ୍ରକାଶ ସେଠୀ
ବୁଢ଼ା ଥରେ ଦୁଇ ଥର କଲିଙ୍ଗ୍ ବେଲ ଟିପି ଦେଲେ, ତେଣୁ ନାତି ଟୋକା ଘର ଭିତରୁ ବାହାରି ଆସି କହିଲା-” you Indian! Don’t know the principles of discipline? (ତୁମେ ଭାରତୀୟ! ତୁମକୁ ଶୃଙ୍ଖଳା ନିୟମ ଜଣା ନାହିଁ?)” ଦୁଇ ଥର କଲିଙ୍ଗ୍ ବେଲଟା ଟିପି ଦେବା କୁଆଡ଼େ ବିଶୃଙ୍ଖଳ ଆଚରଣ ଓ ଆମେରିକୀୟ ନିୟମ କାନୁନର ବିରୁଦ୍ଧ। ଯାହା ବି ହେଉ ସେଦିନ ବୃଦ୍ଧ ଭାରତୀୟ ଅପଦସ୍ତ ହୋଇଥିଲେ। ଆହୁରି ତାଙ୍କ ମନ ଦୁଃଖ ଯେ, ଆମେରିକାରେ ଦୀର୍ଘ ଦିନର ରହଣି କାଳ ମଧ୍ୟରେ ତାଙ୍କ ନାତି ତାଙ୍କୁ recognise କଲା ନାହିଁ ମାନେ ଅଜା ବୋଲି ମାନତି କଲା ନାହିଁ ।କୁଆଡ଼େ ଏମାନେ ଭାରତୀୟ ବୋଲି ତା’ ମନରେ ଭାରି ଘୃଣା। ଭାରତୀୟମାନେ poor(ଗରୀବ), ଏମାନଙ୍କର ଶୃଙ୍ଖଳା ଜ୍ଞାନ ନାହିଁ – ବୋଲି ପିଲାଟି ଭାରତୀୟ ମାନଙ୍କୁ ଆଦର କରି ପାରୁ ନଥାଏ।
ଏ କଥା ବୁଢ଼ାଙ୍କର କହିବାର ତାତ୍ପର୍ଯ୍ୟ ହେଲା ଭାରତୀୟ ମାନଙ୍କର ଦାରିଦ୍ର୍ଯ ଦୁରୀକରଣ କରି ଏମାନଙ୍କୁ ସ୍ୱାବଲମ୍ବନଶୀଳ କରି ଗଢି ତୋଳିବା ସଙ୍ଗେ ସଙ୍ଗେ ଅଧିକ ସୁସଙ୍ଗଠିତ ଓ ସୁଶୃଙ୍ଗଳିତ କରିବା କୁଆଡ଼େ ବୁଢ଼ାଙ୍କର ସେହିଦିନଠାରୁ ଲକ୍ଷ୍ଯ ଓ ପଣ (ମିଶନ ଆମେରିକା)।
ବୁଢ଼ା ଆମେରିକା ପରି ସଭ୍ୟ ଓ ଉନ୍ନତ ରାଷ୍ଟ୍ରରୁ ଗୋଟେ ବକ୍ସ ଚୋକଲେଟ୍ ଆଣିଥାନ୍ତି, ଯେଉଁଟା କି ଠିକ୍ ଗୋଟେ ମଦ ବୋତଲ ପରିକା ଦେଖିବାକୁ – ଉପରେ କାର୍ଡବରି ଓ ଭିତରେ ୱାଇନ୍। ବୁଢ଼ା ବୁଲି ବୁଲି ସମସ୍ତଙ୍କୁ ବାଣ୍ଟୁଥାନ୍ତି ଓ ଆମେରିକାର ଜୟଗାନ କରୁଥାନ୍ତି। “ସେଠାରୁ ସେ ଗୋଟାଏ ମିସନ୍ ଧରି ଫେରିଛନ୍ତି – ମାନେ ଭାରତକୁ ବଦଳାଇବେ, ଉନ୍ନତ ରାଷ୍ଟ୍ର ଓ ଉନ୍ନତ ଚରିତ୍ର ଗଢି ତୋଳିବେ” – ଏପରି କିଛି ସ୍ଲୋଗାନ୍ ଦେଉଥାନ୍ତି।

ବୁଢ଼ା – ମାନେ ବିଶିଷ୍ଟ ସମାଜ ସେବକ ରବି ନାରାୟଣ ନନ୍ଦ। ସୂର୍ଯ୍ୟ ସମ ତେଜ ଓ ନାରାୟଣ ସମ ଦୟାର୍ଦ୍ର ଚିତ୍ତ, ପ୍ରଗଲ୍ଭ ବକ୍ତା କିନ୍ତୁ ଭାରି ମିଷ୍ଟ ଭାଷୀ ବୋଲି ନିଜକୁ ନିଜେ ତ କହିଥାନ୍ତି। ମୋର ସେ ଚିହ୍ନା ଜଣା। ଏହି କିଛି ଦିନ ହେଲା ବିଦେଶ ମାଟିରୁ ଫେରିଛନ୍ତି। କଥାଟା କ’ଣ କି ଝିଅ ଜ୍ୱାଇଁ ତ ସୁଦୂର ଆମେରିକାରେ ରହୁଛନ୍ତି ଓ ଜ୍ୱାଇଁମାନେ ତ ସାଧାରଣତଃ ଶ୍ୱଶୁର ଘରପଟିଆ, ତେଣୁ ବୁଢ଼ା ବୁଢୀକୁ ଆମେରିକା ଯିବା ପାଇଁ ନିୟୋତା ଦେଇଥିଲେ। ବୁଢ଼ା ମନ ବି ବିଦେଶ ଦେଖିବା ପାଇଁ ଛନଛନ ହେଉଥିଲା। ଯାହା ବି ହେଉ ୱାଶିଂଟନ ଭଳିଆ ସହରରେ ବର୍ଷେ ଛଅ ମାସ ରହି ବୁଢ଼ା ଏବେ ଘରକୁ ଫେରିଛନ୍ତି। ତେଣୁ ବସିଲେ ଉଠିଲେ ଖାଲି ଆମେରିକା ଓ ଆମେରିକା ସହରର ବର୍ଣ୍ଣନା।  ସେଠାକାର ଲୋକଙ୍କର ଚାଲି ଚଳଣିର ଚର୍ଚ୍ଚା। ତାଙ୍କର ରହଣୀ ସହଣୀ ସବୁ କୁଆଡ଼େ ନିଆରା। ଆମ ପରିକା ଆଦୌ ନୁହଁ। ଭାରି ଆଜ୍ଞା! ସଭ୍ଯ ଶିକ୍ଷିତ। ଆଦବ କାଏଦା କାନୁନ୍ ମାନି କୁଆଡ଼େ ସମସ୍ତେ ଚଳନ୍ତି। ସେଥି ସକାଶେ ବୁଢ଼ାର ମନ ଭାରି କାନ୍ଦୁଛି। ଇଚ୍ଛା – ଏ ଦେଶକୁ ଆମେରିକା କରି ଗଢି ତୋଳିବେ। ବିଦେଶ ଫେରନ୍ତା ବୋଲି ବୁଲି ବୁଲି କେତେଟା ସଭା ସମିତିରେ ମଧ୍ଯ ଏ କଥାଟା କହିଲେଣି ଓ ଭାରତକୁ ଆମେରିକା କରି ଗଢି ତୋଳିବାର ଭାଷଣ ଓ ଉଦ୍ଘୋଷଣ ଶୁଣାଇ ସାରିଲେଣି। ନ ଦେଖିଲା ଓଉ ତ ଛଅ ଫଡା। ସମାଜ ସୁଧାରକ ବାବୁ ଯାହା କହୁଛନ୍ତି ସବୁ ସତ ହୋଇପାରେ, ତେଣୁ ତାଙ୍କ ସ୍ଵର ସହିତ ସ୍ଵର ମିଳେଇ – “ଆଜ୍ଞା! ଯାହା କହୁଛନ୍ତି ସବୁ ହଁ। ଆପଣ ଠିକ୍ କହୁଛନ୍ତି, ଆପଣ ଚାହିଁଲେ ଯାହା… ।
ଏ କଥାରେ ବୁଢ଼ା ଆହୁରି ଉତଫୁଲ୍ଲିତ ହୋଇ ଉଠଥାନ୍ତି। ଉତ୍ସାହିତ ହୋଇ ପଡ଼ି କହନ୍ତି -” ସେ ଏକା କାନ୍ଦୁ ନାହାଁନ୍ତି, ଆମେରିକାରେ ରହୁଥିବା ଆହୁରି ଗଣ୍ଡେ ଛଅଟା ପ୍ରବାସୀ ଓଡ଼ିଆ କାନ୍ଦୁଛନ୍ତି। ତାଙ୍କୁ କହିଛନ୍ତି ସ୍ଵଦେଶ ଯାଇ ସଭା ସମିତି କର, ଲୋକଙ୍କୁ ସଚେତନ କର, ଆମେ ତୁମ ପଛରେ ଅଛୁ ଓଡ଼ିଶାର ପରିବର୍ତ୍ତନର ଆମର ଲୋଡ଼ା। ଲୋକଙ୍କୁ ଯାଇ କୁହ-” ଆମେ ବଦଳିଲେ ଜନତା ବଦଳିବେ, ଜନତା ବଦଳିଲେ ଦୁନିଆ ବଦଳିବ, ବଦଳିବ ରାଜ୍ଯ ଓ ଦେଶ। ପରିବର୍ତ୍ତନଟା ଯେଣୁ ଏକାନ୍ତ କାମ୍ୟ, ତେଣୁ ଆସ ଆମେ ପରିବର୍ତ୍ତନକୁ ସ୍ଵାଗତ କରିବା ଓ ନିଜେ ପରିବର୍ତ୍ତିତ ହେବା। ”
ବାସ୍ତବରେ ଭାଷଣଟା ତ ନିଶ୍ଚିତ ଭାବରେ ବଢିଆ, ତା ‘ଠାରୁ ବହୁତ ବଢିଆ ଏ ଉଦ୍ଘୋଷଣ। ଏ କଥାଟା ବହୁତ ଓ ବହୁ ଭାବରେ ବହୁ ବାଗରେ ଶୁଣିଲୁଣି। କିନ୍ତୁ ତରିକାଟା? ତରିକାଟା ମନରେ – ପ୍ରଶ୍ନଗୁୁଚ୍ଛ ସୃଷ୍ଟି କରୁଥାଏ। କେଉଁ ବାଟରେ ଏତେଗୁଡା ସବୁ କଥା ସମ୍ଭବ ହେବ.. ?

ସତ କଥା ହେଲା – କଥାରେ ଦୁନିଆ ବଦଳେ ନାହିଁ। ହୁଏତ ମାନସିକ ସ୍ତରରେ ଚେତନାର ଗୋଟାଏ ଜାଗୃତି ଘଟିପାରେ। ହେଲେ ଏଥିପାଇଁ କାମ ଦରକାର – ଆଜ୍ଞା! କାମ, ଗୋଟାଏ ବ୍ୟବସ୍ଥା ଦରକାର ଓ ସେହି ବ୍ୟବସ୍ଥା ମୁତାବକ ଉତ୍ତମ କାର୍ଯ୍ୟପନ୍ଥା ଗ୍ରହଣର ଆବଶ୍ୟକତା ମଧ୍ଯ ରହିଥାଏ। ଏଇ ଯେଉଁ ବଡ଼ ବଡ଼ ଭାଷ୍ଯକାରମାନେ ବହୁତ ବଡ଼ ବଡ଼ କଥା କହିଥାନ୍ତି, ବାସ୍ତବରେ ଏମାନେ ହେଉଛନ୍ତି କଥା କୁହା ଚଢେଇ, ଏମାନଙ୍କର ଭାର ବହନ କରିବାର କ୍ଷମତା ଟିକିଏ କମ୍, ଖାଲି ଭାଷଣବାଜି ଯାହା। କାର୍ଯ୍ୟ କ୍ଷେତ୍ରରେ ଏମାନେ ଶୂନ୍। ପୂରାପୂରି ଫେଲ୍। ଯାହା କହନ୍ତି ଖାଲି ଭାଷଣରେ। ଶୁଣିବା ଲୋକଙ୍କୁ ଖୁସି ଲାଗେ। ହେଲେ ଏମାନେ ଲୋକଙ୍କୁ ଏମିତି ଭୁଆଁ ବୁଲାଇ ଠକିବାରେ ଓସ୍ତାଦ ଯେ ନକହିଲେ ଭଲ । ରାତାରାତି ବଡ଼ ଲୋକ ହେବାର ଏମାନଙ୍କର ଚକ୍ରାନ୍ତ-ଶେଷରେ ପଦାରେ ପଡି ହାଟରେ ଗଡାଗଡି ହୁଏ । ନୋହିଲେ ସର୍ବ ସାଧାରଣରେ ଅପଦସ୍ତ ହେବାଟା ତୟ।
ସେଦିନ ବୁଢ଼ା ପ୍ରବାସୀ ଭାରତୀୟ ସମ୍ମିଳନୀ କରିବାକୁ ମନେ ମନେ ସ୍ଥିର କରୁଥାନ୍ତି । ବହୁ ପ୍ରତିଷ୍ଠିତ ଲୋକଙ୍କୁ ଡାକି ପ୍ରସ୍ତୁତି ବୈଠକ ବା ବରାଦୀ ବୈଠକମାନ ଡକରା ଯାଇ ଖସଡା ପ୍ରସ୍ତୁତ ହେଲାଣି।ବଡ ବଡ ଲୋକ ସବୁ ଆସିବେ। ତିନି ଦିନ ଧରି ସଭା କାର୍ଯ୍ୟ ଚାଲିବ। ନେତାଙ୍କ ଠାରୁ ଆରମ୍ଭ କରି ସମସ୍ତ ଧର୍ମୀୟ ଗୁରୁ ଆସିବେ। ପୁଣି ଫିଲ୍ମ ଷ୍ଟାର୍ ଙ୍କ ଠାରୁ ଆରମ୍ଭ କରି ସଂସ୍କୃତି ଓ କଳାରେ ବିଶେଷ ପାରଦର୍ଶିତା ଲାଭ କରିଥିବା ସୁନାମଧନ୍ଯ କେତକ କଳାକାରଙ୍କୁ ଡକରା ହେବ। ବିଭିନ୍ନ୍ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଚାଷୀ ମୂଲିଆଙ୍କୁ ସମ୍ମାନିତ କରାଯିବ, ସମ୍ମାନିତ କରାଯିବ କୃତି ଲେଖକ ଓ ବରିଷ୍ଠ ସାମ୍ବାଦିକମାନଙ୍କୁ। ବିଧବା ଓ ଭିନ୍ନ୍କ୍ଷମ ମାନଙ୍କୁ ସାହାଯ୍ଯ ସହଯୋଗ ଯୋଗାଇ ଦିଆଯିବ ଇତ୍ୟାଦି ଇତ୍ୟାଦି ଅନେକ କଥା ଓ ଯୋଜନାର ଚୂଡାନ୍ତ ରୂପରେଖ। ଅନେକ ଲୋକ ସମାଗମ ହେବାକୁ ଲକ୍ଷ୍ୟ ରଖାଗଲା। ପ୍ରବାସୀ ଭାରତୀୟମାନେ ଏ ଦିଗରେ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେବେ, ଯେଉଁ ମାନଙ୍କୁ ବୁଢ଼ା ଆମେରିକାରେ ବକରା ବନେଇ ଭାରତୀୟ ସଂସ୍କୃତିର ତ୍ରାଣକର୍ତ୍ତା ରୂପେ ନିଜକୁ ଅଭିହିତ କରି ନିଜର ସ୍ଵତନ୍ତ୍ର ପରିଚୟ ସ୍ରୁଷ୍ଟି କରି ଆସିଛନ୍ତି। ଏଠୁ ବି ବଡ଼ ବଡ଼ କଥା କହି କିଛି ବଡ଼ ବଡୁଆଙ୍କଠୁଁ ବୁଢ଼ା ହାତେଇଲେଣି।

ଯାହା ବି ହେଉ ବଡ଼ ଜାକଜମକ୍ ରେ ସଭା କାର୍ଯ୍ୟ ହେଲା। ସମସ୍ତଙ୍କ ମନରେ ବଡ଼ ଉତ୍ସାହ, ଅନେକ ଆଶାବାଦୀ, “କିଛି ଗୋଟାଏ ହୋଇ ପାରେ”ର ମନରେ ତୋଳୁଥାଏ କେତେ ସମ୍ଭାବନା। ମୁଁ ବି ଦେଖି ଆକଲା ହୋଇଗଲି । କାହାରି ମନରେ ‘କିନ୍ତୁ ‘ନଥାଏ। ସମସ୍ତେ ନୂତନ ଆଲୋକରେ ତେଜୋଦୀପ୍ତ। ବୁଢ଼ା ବି ଲମ୍ବା ଚୌଡା ଭାଷଣ ଦେଲେ। ମୋତେ ଲାଗିଲା ଏଥର ଦୁନିଆଟା ବଦଳି ଯିବ।, ଦେଶଟା ପରିବର୍ତ୍ତିତ ହୋଇଯିବ ।ସତେ କି ମହାତ୍ମା ଗାନ୍ଧୀଜୀଙ୍କର ପୁନଃ ଆବିର୍ଭାବ ଘଟିଛି। ସେଦିନ ସେ ଦକ୍ଷିଣ ଆଫ୍ରିକାରୁ ଫେରି ଓ ଏ ଜଣକ ଆମେରିକାରୁ ଫେରିବା ପରେ…। ଅନ୍ୟ ଲୋକମାନଙ୍କର ଧାରଣା ବି ଆଜ୍ଞା! ସେହି ଏକା ପ୍ରକାରର। ବୁଢ଼ାର ପ୍ରସଂଶା ଚାରି ଆଡକୁ ଖେଳି ଗଲାଣି। ବୁଢ଼ା ଏବେ ଏକାବେଳକେ ରାତାରାତି ହିରୋ। ଗତକାଲି ଯାହାଙ୍କୁ କେହି ଚିହ୍ନି ନଥିଲେ, ଆଜି ସେ ବେଶ୍ ପରିଚିତ, ଜଣେ ବହୁ ଚର୍ଚ୍ଚିତ ଚେହେରା। ଏବେ ସବୁଠି ତାଙ୍କରି ଚର୍ଚ୍ଚା – “କୋଟିକରେ ଗୋଟେ ସିନା ଏମନ୍ତ ଲୋକ ମିଳନ୍ତି। ହେଲେ ଆଜ୍ଞା!”ବେଳେବେଳେ ପୁଣି ମନଟା ଭାରି ପ୍ରଶ୍ନିଳ ହୋଇ ଉଠୁଥାଏ-ବୁଢ଼ାର ଉଦ୍ଦେଶ୍ଯକୁ ନେଇ । ଯାହା ବି ହେଉ ଆପାତତଃ ସବୁ ତ ଠିକ୍ଠାକ୍ ଲାଗୁଥାଏ।
ସଭାରେ ଦିଆଯାଇଥିବା ପ୍ରତିଶ୍ରୁତି କିଛି ଏପରି ଥିଲା – ଆଦର୍ଶ ଗ୍ରାମ ପ୍ରତିଷ୍ଠା, କୃଷି ଓ କୃଷକର ଉନ୍ନତି, ମାଆ, ମାଟି ଓ ମାତୃଭାଷାର ବିକାଶ, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା, ଶିକ୍ଷାର ମାନବୃଦ୍ଧି ତଥା ଶିକ୍ଷାୟତନର ଆଧୁନିକୀକରଣ। ଏଗୁଡ଼ିକରେ ଟିକିଏ ରାଜନୈତିକକରଣର ଗନ୍ଧ ଓ ଛାପା ଅସ୍ପଷ୍ଟ ହୋଇ ନଜର ଆସୁଥିଲା। ତେଣୁ ମୋ ମନ ପ୍ରଶ୍ନିଳ ହୋଇ ଉଠିବା ସ୍ୱାଭାବିକ-ବୁଢ଼ାର ଉଦ୍ଦେଶ୍ୟ ଓ ଭଲ ମନ୍ଦକୁ ନେଇ । ଯାହା ବି ହେଉ ସଭାଟା କିନ୍ତୁ ସରଗରମ୍ ଥିଲା।
ଏହା ଭିତରେ ଦୀର୍ଘ କେଇ ମାସ ବିତିଗଲାଣି। କାହିଁ ଗୋଟେ ଅଧେ କଥାର କାର୍ଯ୍ୟକାରୀତା ନାହିଁ। ତାହାର ବାସ୍ତବତାକୁ ନେଇ ସନ୍ଦେହ ଉପୁଜିଲାଣି। ଉଦ୍ଦେଶ୍ଯରେ କିଛି ଖୋଟ ଥିଲା ପରି ମନେ ହେଉଥାଏ। ମେଳା ମହୋତ୍ସବ ନାଁରେ ମୋଟା ରକମର କିଛି ଚାନ୍ଦା ବୁଢ଼ା ବଜାରରୁ ଉଠେଇଥିବା କଥା କାନକୁ ଆସିଲାଣି। “ନାଁ ଏତେ ନୁହେଁ, ସେତେ ନୁହେଁ” ର ଦ୍ୱାହି ଦେଇ ବୁଢ଼ା କଥାଟାକୁ ଚାପି ଦେଉଥାନ୍ତିି।
ଏବେ ନିର୍ବାଚନର ବେଳ ପାଖେଇ ଆସିଲାଣି, ନିର୍ବାଚନର ବିଗୁଲ ବାଜି ସାରିଥାଏ। ବୁଢ଼ା ସଜବାଜ ହେଉଥାଏ – ଛିଡା ହେବା ପାଇଁ। ସତକୁ ସତ ଗୋଟେ ରାଜନୈତିକ ଦଳ ଧରି ବୁଢ଼ା ନିର୍ବାଚନ ମୈଦାନରେ ପ୍ରାଥୀ ହୋଇ ଅବତୀର୍ଣ୍ଣ ଏବଂ ସେହି ଲମ୍ବା ଚୌଡା ଓ ଗଳା ଫଟାଇ ନୀତି ଓ ଆଦର୍ଶବୋଧର ଭାଷଣ।
ଓଃ ହୋ! ଏତେ ବେଳକରେ କଥାଟା ଜଣା ପଡିଲା। ଏହି ତାହେଲେ ବୁଢ଼ାର ଅସଲ ନୀତି ଆଦର୍ଶବୋଧର ପରିଚୟ। ସତରେ ଏଠି ଢ଼ୋଙ୍ଗି ବାବା ମିଛ ଗୁରୁ ନକଲି ଦେଶ ସେବକଙ୍କର ଅଭାବ ନାହିଁ। ଏମାନେ ସମସ୍ତେ ମିଶି ପାଠ ପଢ଼ାଇବେ, ଆଉ ପାଠ ପଢିବାକୁ ଆମେ ମୂର୍ଖ ପ୍ରଜାଏ ସଦା ତୟାର ମାନେ ପ୍ରସ୍ତୁତ।
ଜୟ ଜୟ ଆହେ ମୋ ଦେଶ ସେବକ
ତୁମ ଚାରି ଖୁରାକୁ କରେ ଜୁହାର।।

ହେ ଭାଇ! ଆମ ଚିନ୍ତା ଛାଡ, ଦୁନିଆ ନବଦଳିଲା ନାହିଁ, ତୁମେ ଟିକିଏ ବଦଳନ୍ତ ଭଲା?

Related posts

ଶେଷ କେଇପଦ କଥା

satya

ତୁଳସୀ

satya

ଆମ କଲୋନୀର ହାଲଚାଲ

satya

Leave a Comment

Login

X

Register