Satya Prakash
ପ୍ରବନ୍ଧ

ସମ୍ପର୍କର ଇସ୍ତାହାର

ସମ୍ପର୍କ, ସମ୍ପର୍କ ଚାରିଆଡ଼େ ଖାଲି ସମ୍ପର୍କର ଆତ୍ମ ଫଟା ଚିତ୍କାର । କ’ଣ ସେହି ସମ୍ପର୍କର ମାନେ? ସମ୍ପର୍କର ଖିଅ ଧରି ଗୁନ୍ଥି ବସିଲେ, ସମଗ୍ର ବିଶ୍ଵଟା ଗୋଟିଏ ସୂତାରେ ଗୁନ୍ଥି ହୋଇଯାଏ। ସେ ପୁଣି ବିବିଧ ଭାବରେ ବିଭିନ୍ନ ପ୍ରକାରରେ। ଏହି ସମ୍ପର୍କ ମୂଳରେ ହୁଏ ତ କେତେ ଗୁଡ଼ିଏ କାରଣ ଥାଇପାରେ। ସେହି କାରଣ କେତେବେଳେ ବ୍ୟକ୍ତିଗତ ହୋଇପାରେ ତ, ପୁଣି କେତେବେଳେ ପାରିବାରିକ, ଧର୍ମଗତ, ଜାତିଗତ, ଦେଶଗତ, ବୈଷୟିକ, ଐତିହାସିକ , ଭୌଗୋଳିକ, ସାମାଜିକ ମଧ୍ୟରୁ କୌଣସିଟା ନା କୌଣସି ହୋଇପାରେ। ଏମାନେ ପୁଣି ନାନା ଭାବେ ପରିଚିତ। କିଏ ଦାଦା ତ କିଏ ବାପା ଆଉ ପୁଣି କିଏ ସାଥୀ ତ କିଏ ପୁଣି ଭାଇ – ଏ ସବୁକୁ କୁହଯାଏ ସମ୍ପର୍କର ବହୁ ବିଧତା। ତେବେ ଏଗୁଡ଼ିକୁ ଗୋଟି ଗୋଟି ବିଶ୍ଳେଷଣ କରାଯାଉ। ଏ ସବୁ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ ମନୁଷ୍ୟ ସମାଜ ଗୋଟିଏ ମୂଳ ଉତ୍ସରୁ ଉତ୍ସାରିତ। ମାନବ ସମାଜର ସୃଷ୍ଟି, ସଂସ୍ଥିତି ଓ ବିବର୍ତ୍ତନ ସମ୍ପର୍କରେ ମତାନୈକ୍ୟ ଥିଲେ ହେଁ, ଏହା ମୋଟାମୋଟି ଭାବେ ଗ୍ରହଣୀୟ ଯେ ସେହି ଏକ ଅଦୃଷ୍ଟ ଶକ୍ତିର ହାତ କରଣୀରେ ମାନବ ସମାଜର ଆଦି ମୂଳ ପୁରୁଷ ଓ ନାରୀର ସୃଷ୍ଟି। କ୍ରମେ ମଣିଷ ପ୍ରଜନନ ଶକ୍ତିର ଅଧିକାରୀ ହେବା ଫଳରେ ନିଜର ବଂଶ ବୃଦ୍ଧିରେ ସହାୟକ ହେଲା।, ଯାହା ଦ୍ୱାରା ଏ ବିରାଟ ମାନବ ସମାଜର ଆଜି ସୃଷ୍ଟି ପରିକଳ୍ପନା କରାଯାଇପାରିଛି। ଏଥିରୁ ଆପାତତଃ ଗୋଟିଏ ଧାରଣା ଅବଧାରଣା କରାଯାଇପାରେ ଯେ – ମାନବ ସାମାଜ ସହ ବ୍ୟକ୍ତିର ସମ୍ପର୍କ କେତେ ବେଶି ଘନିଷ୍ଠ ନୂହେଁ ସତେ? ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ, ଏ ସବୁ ସତ୍ତ୍ୱେ ପରସ୍ପର ଭିତରେ ଏତେଟା ବାଦାନୁବାଦ ଶତ୍ରୁତା ଅନାତ୍ମୀୟ ଭାବ ଦେଖା ଦେଇଛି କିପରି? ଏ ସବୁକୁ ଯେତେ ପରଖି ନିରେଖି ଦେଖିବା ସେତେ ଜଟିଳତାର ନିଗୂଢ ଫାଶରେ ବାନ୍ଧି ହୋଇଯିବ। ଅସ୍ପଷ୍ଟତା ହିଁ ସମ୍ପର୍କର ପ୍ରଧାନ ବୈଶିଷ୍ଟ୍ୟ। ରହସ୍ୟର ରେଶମି ଅବଗୁଣ୍ଠନ ଭିତରେ ମୁଖ ଆବୃତ କରି ସମ୍ପର୍କ ମନର ଚେତନ ସ୍ତରରୁ ଅବଚେତନ ସ୍ତରରେ, ବାସ୍ତବ ଜଗତରୁ ଆଧ୍ୟାତ୍ମିକ ଜଗତରେ ବିଚରଣ କରିବାକୁ ଚାହେଁ। ବାସ୍ତବରେ ଦେଖିବାକୁ ଗଲେ ସମ୍ପର୍କ ସୃଷ୍ଟି କରିବାରେ ସେତେ କିଛି ବାହାଦୂରି ନଥାଏ, ବଡ଼ କଥା ହେଉଛି” ସମ୍ପର୍କ ରଖିବା”, ସେଥିପାଇଁ କୁହଯାଏ – don’t try to create friends, rather try to keep friendship. ଅର୍ଥାତ୍ ବନ୍ଧୁତା  ରଖି ଜାଣିଥିଲେ, ବହୁ ବନ୍ଧୁ ଛାଏଁକୁ ମିଳିବେ, ବନ୍ଧୁତା ସୃଷ୍ଟି କରିବାର ଆବଶ୍ୟକତା ପଡ଼ିବ ନାହିଁ। କିନ୍ତୁ ସମ୍ପର୍କ ରଖିବା କ’ଣ ସହଜ କଥା? ହୁଏତ ଏହା ବାହାରକୁ ଯେତେଟା ସହଜ ଜଣା ଯାଉଛି, ବାସ୍ତବରେ ଏତେଟା ସହଜ ନୂହେଁ। ଏଥିପାଇଁ ଦରକାର ଅସୀମ ଧୈର୍ଯ୍ୟ ଓ ତ୍ୟାଗ। ପରିବେଶ ଓ ପରିସ୍ଥିତି ସହ ମୁକାବିଲା କରିବାର  କିଛିଟା ପାରିବାର ପଣିଆ ଓ ସାହସ। ଅସାଧାରଣ ହେବା ପାଇଁ ଅନେକ ପ୍ରତିଭାବାନ ବ୍ୟକ୍ତି ଇତିହାସର ସମୁଦ୍ରରେ କ୍ଷଣକେ ଢେଉ ଉଠାଇ ପୁଣି ସମୁଦ୍ର ପାଣିଟା ସହ ଏକାକାର ହୋଇଯାଇଛନ୍ତି। କାରଣ ଏଥିରେ ଥାଏ ଅନେକ ବାଧା ଓ ପ୍ରତିବନ୍ଧକ। ଏହି ବାଧା ବା ପ୍ରତିବନ୍ଧକ କେତେବେଳେ ବ୍ୟକ୍ତିଗତ (ଯାହା ପଇଁ ବ୍ୟକ୍ତି ନିଜେ ଦାୟୀ) ତ ପୁଣି କେତେବେଳେ ସମାଜ କୃତ। ଏହି ବ୍ୟକ୍ତିଗତ ବାଧା ପୁଣି ନାନା ପ୍ରକାରର। ସାମାଜିକ ବାଧା ମଧ୍ଯ ତଦ୍ରୁପ ବିବିଧ ପ୍ରକାରର ହୋଇପାରେ।

ତେବେ ଆସନ୍ତୁ ଏସବୁ ତର୍ଜ୍ଜମା କରି ଦେଖିବା।ସମ୍ପର୍କ ମୁଖ୍ୟତଃ ଦୁଇ ପ୍ରକାରର। ପାରିବାରିକ ଓ ଅଣପାରିବାରିକ। ପାରିବାରିକ ସମ୍ପର୍କରେ ବାଧାଟା ଏତେ ତୀବ୍ର ନୂହେଁ। ଯେତେବେଳେ ଏହି ବାଧାଟା ତୀବ୍ର ହୋଇଯାଏ ସେତେବେଳେ ଏହା ପାରିବାରିକ ସମ୍ପର୍କ ନରହି ଅଣପାରିବାରିକ ସମ୍ପର୍କ ହୋଇଯାଏ। ପାରିବାରିକ ସମ୍ପର୍କରେ ଯେଉଁ ଝଡ଼ ସୃଷ୍ଟି ହୁଏ, ତାହା ଅଦିନ ବର୍ଷା ପରି। କ୍ଷଣକେ  ମନୋମାଳିନ୍ୟ, ଅଶାନ୍ତି, ଅନୁଶୋଚନା, ଦୁଃଖ, ଅଶ୍ରୁ, ଯନ୍ତ୍ରଣା ଓ ମାନ ଅଭିମାନ। ପୁଣି ହସର ଜୁଆର ଛୁଟେ, ସୁଖର ଝରଣା ଝରେ ।ଏଠି କେହି କାହା ଭୁଲ୍ ଧରନ୍ତି ନାହିଁ। ସବୁ କେମିତି, ଛାଏଁ କୁ ଛାଏଁ ସମାଧାନ ହୋଇଯାଏ। ଏଇ ଦେଖନ୍ତୁ ଆମ ପରିବାର ଭିତରେ ବାପା, ମାଆ, ଭାଇ ଭଉଣୀ, ଦାଦା ଖୁଡୀ, ଜେଜେ ଜେଜେମା – ସମସ୍ତେ ଅଛନ୍ତି। କେତେବେଳେ କିଏ ଭାଇ ନାଁରେ ତ ଆଉ କିଏ ଭଉଣୀ ନାଁରେ allegation କଲାଣି, ପୁଣି କେତେବେଳେ ପରସ୍ପର ଭିତରେ ବାଡିଆ ପିଟା ହେଲେଣି, ବାପା ମାଆ ଉପରେ ରାଗିଲେଣି ତ ମା ବାପା ଉପରେ ଅଭିମାନ କଲେଣି। ବାପାଙ୍କର କଡା କଥାରେ ଦାଦାଙ୍କର ମନ ଦୁଃଖ ତ ଖୁଡୀଙ୍କର ନାନା ଅଭିଯୋଗ। କିନ୍ତୁ ଏତେ ସତ୍ତ୍ୱେ, ସେ ସବୁ ଭିତରେ କେମିତି ଗୋଟେ ଆନ୍ତରିକତା ଥାଏ। ଫଳରେ ଆପୋଷ ମିଳାମିଶା ବୁଝାବଣା ଓ ଥଟ୍ଟା ମଜ୍ଜା ଭିତରେ ସବୁ ସମାଧାନ ହୋଇଯାଏ। ପୁଣି କେତକ ଅଭିଯୋଗ ବିଚାରକୁ ଆସିବା ଆଗରୁ ବୁଦ୍ ବୁଦ୍ ପରାଏ ବିଲୀନ ଭଜେ। ସତେ ଯେମିତି କାହାରି କିଛି ହୋଇନାହିଁ। ସବୁ ଠିକ୍ ଠାକ୍, ସବୁ ପୁଣି ସ୍ୱାଭାବିକ। କିନ୍ତୁ ବେଳେବେଳେ ଏହା ଜଟିଳ ହୋଇଯାଏ, ସେତେବେଳେ ଏହା ଅଣ ପାରିବାରିକ ସମ୍ପର୍କରେ ରୂପାନ୍ତରିତ ହୋଇଯାଏ। ଏକଥା ମୁଁ ପୂର୍ବରୁ କହିଛି, ଅଶାନ୍ତି କୁହୁଳି କୁହୁଳି ବିରାଟ ରୂପ ଗ୍ରହଣ କରେ, ପାରିବାରିକ ସମ୍ପର୍କ ହୁଏ ବିଭାଜିତ। ତେବେ ଛାଡ଼ ଏସବୁ କଥା। ଆମେ ଏପର୍ଯ୍ୟନ୍ତ ଅସଲ କଥାକୁ ଆସି ନାହୁଁ, ଅସଲ କଥାଟା ହେଉଛି ସମ୍ପର୍କ ମଧ୍ୟରେ ଜୁଆର ଓ ଭଟ୍ଟା ସୃଷ୍ଟି ହୁଏ କାହିଁକି। କର୍ମମୟ ଜୀବନ ଭିତରେ ମଣିଷ ସାମାଜ ସଂସ୍ପର୍ଷରେ ଆସେ, ଦୁନିଆକୁ ପରଖି ନିରେଖି ଦେଖେ, ତାହା ମଧ୍ୟରେ ପୁଣି ଚିହ୍ନି ଚିହ୍ନାଏ ଦୁନିଆକୁ, ସମ୍ପର୍କର ଆମଦାନୀ ରପ୍ତାନୀ ଭିତରେ ଗଢି ତୋଳେ କେତେ ସମ୍ପର୍କ। ପୁଣି ଭାଙ୍ଗେ ପୁଣି ଗଢ଼େ। ଭଙ୍ଗାଗଢ଼ାର ଲୁଚୁକାଳି ଭିତରେ ପୁଣି ତ କେତେ ସମ୍ପର୍କ ରହି ଥାଏ। ସମ୍ପର୍କର ସାର୍ଥକତା କ’ଣ ଖାଲି ଭାଙ୍ଗିବାରେ? ସମ୍ପର୍କର ମାନେ କ’ ଣ ଖାଲି ପ୍ରତାରଣା ଆଉ ସ୍ୱାର୍ଥ ସିଦ୍ଧିର ପ୍ରଚ୍ଛନ୍ନ ମତଲବ ? ସମ୍ପର୍କକୁ ଗଢ଼ିଥିବା ଓ ସମ୍ପର୍କକୁ ଚିହ୍ନଥିବା ଲୋକର ସିନା ବ୍ୟଥା। ଅନ୍ୟର ବା ଯାଏ ଆସେ କେତେ।ସେ ସିନା ବୁଝିଛି ସମ୍ପର୍କର ମହତ୍ତ୍ଵ, ଆଉ କିଏ କାହିଁକି ବା ବୁଝିବ, ବୁଝିବା ବା କ’ଣ ଦରକାର।

ପ୍ରଥମେ ସମ୍ପର୍କରେ ସୃଷ୍ଟି ହେଉଥିବା ବ୍ୟକ୍ତିଗତ ବାଧା ସମ୍ପର୍କରେ ଆଲୋଚନା କରାଯାଉ। ବ୍ୟକ୍ତିଗତ ବାଧା ସେ ପୁଣି କ’ଣ? ଦୁଇଟି ସମ୍ପର୍କିତ ସତ୍ତାକୁ କେନ୍ଦ୍ର କରି ସମ୍ପର୍କ ଗଢି ଉଠେ। ସେମାନେ ହୋଇପାରନ୍ତି ପୁରୁଷ ଅବା ନାରୀ, ବ୍ୟକ୍ତି ଅଥବା ସାମାଜ ।ସେହି ଦୁଇଟି ସତ୍ତା ନିଜ ଦ୍ୱାରା ବେଳେବେଳେ ଜାଣି ଜାଣି ତ ପୁଣି ବେଳେ ଭ୍ରମରେ ପଡ଼ି ସୃଷ୍ଟି କରୁଥିବା ବାଧାକୁ କୁହାଯାଏ – ବ୍ୟକ୍ତିଗତ ବାଧା। ଏହି ବାଧା ଏକାନ୍ତ ବ୍ୟକ୍ତିଗତ ହୋଇପାରେ ବା ପାରସ୍ପରିକ ହୋଇପାରେ। ପୁଣି ଏଥିରେ ନୈବ୍ୟକ୍ତିକତାର ମୂର୍ଚ୍ଛନା ମଧ୍ୟ ତୋଳା ଯାଇପାରେ। ଯେତେବେଳେ ମୁଣ୍ଡକୁ ଭୂଆଁ ବୁଲାଏ ସନ୍ଦେହର ଜାଲରେ ପଡ଼ି ମଣିଷ ଉବୁଟୁବୁ ହୁଏ, ବିଶ୍ବାସ ଅବିଶ୍ୱାସ ନେଇ ମନରେ ପ୍ରଶ୍ନ ଉଠେ, ସେତେବେଳେ ସମ୍ପର୍କର ସୂତାଖିଅ ଯେତେ ମଜବୁତ୍ ହେଉ ଥାଉନା କାହିଁକି ଆପଣାଛାଏଁ ଛିଣ୍ଡିଯାଏ। କେଉଁଟା ଠିକ୍, କେଉଁଟା ଭୁଲ , କେଉଁଟା ସତ୍ୟ ପୁଣି କେଉଁଟା ମିଥ୍ୟା ମଣିଷ ସହଜରେ କଳି ପାରେ ନାହିଁ। ଯାହା ଏକ ବିରାଟ ଅସମାଧିତ ପ୍ରଶ୍ନ। ସିଦ୍ଧାନ୍ତରେ ପହଂଚି ମଧ୍ଯ ପହଞ୍ଚି ହୁଏନା। ମନରେ ଦେଖାଦିଏ ଅସରନ୍ତି ପ୍ରଶ୍ନଗୁଚ୍ଛ। ଦ୍ଵନ୍ଦ ଦେହେଳି ଦେଇ ମଣିଷ ଗତି କରେ। ସେଥିରୁ ପୁଣି ସୃଷ୍ଟି ହୁଏ ନାନା ନିତ୍ୟ ନୂତନ ସମସ୍ୟା। କେଉଁଟା ଭୁଲ କେଉଁଟା ଠିକ୍ ବାସ୍ତବରେ ନିରୂପଣ କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର। ଏଗୁଡ଼ିକ ବୋଧେ ବ୍ୟକ୍ତିଗତ ମତ ଓ ମନ୍ତବ୍ୟ। କାରଣ ବୁଦ୍ଧଙ୍କ ପାଇଁ ଯାହା ସତ୍ୟ ଯୀଶୁଙ୍କ ପାଇଁ ତାହା ସତ୍ୟ ହୋଇ ନପାରେ। ପୁଣି ଯୀଶୁଙ୍କ ପାଇଁ ଯାହା ସତ୍ୟ ମହମ୍ମଦଙ୍କ ପାଇଁ ତାହା ମିଥ୍ୟା ହୋଇପାରେ। ସମାଜ, ପରିବେଶ, ପରିସ୍ଥିତି ଓ ବ୍ୟକ୍ତି ଭେଦରେ ଧର୍ମ – ସତ୍ୟ – ନ୍ୟାୟର ସଂଜ୍ଞା ବଦଳିବାକୁ ବାଧ୍ୟ। ଆମ ପାଇଁ ଯାହା ଠିକ୍ ଆମେ ଠିକ୍ କହିଥାଉ, ଆମ ପାଇଁ ଯାହା ଭୁଲ ଆମେ ଭୁଲ ଭୁଲ କହି ଚାରିଆଡ଼େ ଡିଣ୍ଡିମ ପିଟୁ। କିନ୍ତୁ ଆମେ ଭୁଲିଯିବା ଉଚିତ୍ ନୂହେଁ ଯେ, ଆମ ପାଇଁ ଯାହା ଠିକ୍ – ଧର୍ମ – ସତ୍ୟ – ନ୍ୟାୟ ଅନ୍ୟ ଜଣଙ୍କ ପାଇଁ ତାହା ଠିକ୍ ସେୟା ହୋଇ ନପାରେ। ପୁଣି ତାକୁ ସେ ସମ୍ପୂର୍ଣ୍ଣ ଅସ୍ୱୀକାର କରିପାରେ, ଅସ୍ୱୀକାର କରିବା ନିହାତି ଅସ୍ୱାଭାବିକ ନୂହେଁ। କାହିଁକିନା ବ୍ୟାପାରଟି ସମ୍ପୂର୍ଣ୍ଣ ମନସ୍ତାତ୍ତ୍ୱିକ। ତେବେ ବିବେକ ଅନୁସରି କାର୍ଯ୍ୟ କଲେ ସୁଫଳ ଅବଶ୍ୟ ମିଳିବ। ଏତେବେଳେ ମନସ୍ତାତ୍ତ୍ୱିକ  (psychological temperament) ଦୃଷ୍ଟିଭଙ୍ଗି ନେଇ ନିଜର ବିଚାର ଶକ୍ତି (judgement capacity) ର ଯଥାଯଥ ପ୍ରୟୋଗ କରିବାର ଅଛି। ସମ୍ପର୍କର ସୁତାଖିଅଟାକୁ ଆହୁରି ଜୋହର୍ କରି ବାନ୍ଧିବାର ଅଛି। କିନ୍ତୁ ଥରେ ଭାବି ଦେଖ ତ ସମ୍ପର୍କଟା ଥରେ ତୁଟି ଗଲେ କେତେ ଦୁଃଖ ପାଇବେ ଆପଣ ନିଜେ ଆଉ ଆପଣଙ୍କ ସହ ସମ୍ପର୍କିତ ସେହି ଆତ୍ମିକ ସତ୍ତାଟି। ପ୍ରକୃତରେ ଯଦି ସେ ଦୋଷୀ ତେବେ ମୋର କିଛି କହିବାର ନାହିଁ, ସମ୍ପର୍କ ସୃଷ୍ଟି ମୂଳରେ ଯଦି କାହାର ପ୍ରଚ୍ଛନ୍ନ ମତଲବ ଥାଏ, ତେବେବି ମୋର କିଛି କହିବାର ନାହିଁ, କାରଣ ସମ୍ପର୍କ  ଗଢିବାର ଯଥାର୍ଥତା ବା ଅଯଥାର୍ଥତା ବିଚାର କରିବାକୁ ମୁଁ ଚାହୁଁ ନାହିଁ । ମାତ୍ର୍ ଗଢି ସାରି ଭାଙ୍ଗିବାରେ କେତେ ବେଶି ଦୁଃଖ ତା ଆପଣମାନେ ନିଶ୍ଚୟ ଉପଲବ୍ଧି କରୁଥିବେ।କାରଣ କୌଣସି କାରଣରୁ ସମ୍ପର୍କ ମଧ୍ୟରେ ଯଦି ଦେଖାଦିଏ ଏତେ ମାତ୍ର ଫାଙ୍କ, ପରବର୍ତ୍ତି ଜୀବନରେ ଅନେକଟା ପସ୍ତେଇବାକୁ ପଡ଼େ। ଏତେଟା ପସ୍ତେଇବାକୁ ପଡ଼େ ଯେ ତାହା ପ୍ରକାଶ କରିହୁଏ ନାହିଁ। ଖାଲି ମନର ବେଦନା ମନରେ ମରେ। ସ୍ମୃତିକୁ ଦୋହରାଇ ଦୁଃଖ କେବଳ ସାର ହୁଏ ସିନା, ଫଳ କିଛି ମିଳେ ନାହିଁ। ସେଥିପାଇଁ ତ କହନ୍ତି ବୁଝି ବିଚାରି କାର୍ଯ୍ୟ କଲେ ପରେ ଆଉ ପସ୍ତେଇବାର ଅବକାଶ ରହେ ନାହିଁ। କିନ୍ତୁ ସମ୍ପର୍କ ଗଢି ସାରି ଅଯଥା କାହା କଥାରେ ପ୍ରରୋଚିତ ଅବା ପ୍ରତାରିତ ହୋଇ ଭୁଲ କରି ବସ ନାହିଁ। ଯଦି ଆପଣଙ୍କ ସମ୍ପର୍କୀୟ /ସମ୍ପର୍କୀୟାଙ୍କ ବିଷୟରେ ମନରେ କେବେ ସନ୍ଦେହ ଉପୁଜେ, ସେତେବେଳେ ସିଧା ସଳଖ ତା’ର ସାମ୍ନା କରି କିଛି ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିବାର ଅଛି। ଯାହାଦ୍ୱାରା ସବୁକଥାର ସମାଧାନ ଛାଏଁକୁ ଛାଏଁ ହୋଇଯାଏ। ନହେଲେ ସମାଧାନର ରାହା ଖୋଜୁ ଖୋଜୁ କେତେବେଳେ ସମୟର ମରୁଭୂମିର ବାଲୁକା ପ୍ରାନ୍ତରରେ ସମ୍ପର୍କର ପାଦ ଚିହ୍ନ ଯେ ହଜି ଯିବ ତା’ର ହିସାବ କେହି ରଖିବେ ନାହିଁ। ବେଳେବେଳେ କଥାରେ କିଛି ନଥାଏ କିନ୍ତୁ ସନ୍ଦେହ ରୂପକ ରାକ୍ଷସଟା ବିରାଟ କାଣ୍ଡ ସୃଷ୍ଟି କରେ। କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି, ଏହା ସହ ଆଉ ଗୋଟାଏ କଥା ଯୋଡା ଯାଇପାରେ ଯେ ସନ୍ଦେହ ଖାଏ ସମ୍ପର୍କକୁ। ସେହିପରି ମଧ୍ୟ ଅଶାନ୍ତିର କଥା। ଥରେ ଅଶାନ୍ତିର ଝଡ଼ ସୃଷ୍ଟି ହେଲେ, ତାହା ସହଜେ ଥମେ ନାହିଁ। ମନରେ ଅଶାନ୍ତି କୁହୁଳି କୁହୁଳି ବିରାଟ ରୂପ ପରିଗ୍ରହଣ କରେ। ଏଥିପାଇଁ କୁହଯାଏ – ମଣିଷ ମନରେ କୌଣସି କାରଣରୁ ଥରେ ଅଶାନ୍ତି ସୃଷ୍ଟି ହେଲେ ସେ ବିନା କାରଣରେ ନିଜ ଇଚ୍ଛା ଅନୁସାରେ ସବୁ କଥାରେ କାରଣ ଖୋଜି ବସେ। ମନରେ କୁହୁଳି ଉଠୁଥିବା ଅସନ୍ତୋଷକୁ ଚାପି ରଖି ଦଗ୍ଧୀଭୂତ ହେବା ଦ୍ଵାରା ସମ୍ପର୍କରେ ବ୍ୟବଧାନ ବଢେ ସିନା, ହେଲେ ସମାଧାନର ବାଟ ଫିଟେନା। ସନ୍ଦେହ, ଅସନ୍ତୋଷ, ଅବିଶ୍ୱାସ ସବୁ ଏକା କଥା। କିନ୍ତୁ ମନେ ରଖିବା ଉଚିତ୍ ବିଶ୍ବାସ ଅବିଶ୍ୱାସ ମଧ୍ୟରେ ଦୂରତା ମାପୁ ମାପୁ ଯେପରି ସମ୍ପର୍କରେ ସନ୍ଧ୍ୟା ଆସି ଉପଗତ ନହୁଏ।

ଆଉ ଗୋଟାଏ କଥା, ଆପଣ ଯେପରି ଭାବରେ ସମ୍ପର୍କ ରଖିବାକୁ ଚାହୁଁଥିବେ ଅନ୍ୟ ଜଣେ ହୁଏତ ଠିକ୍ ଚାହୁଁ ନଥିବ। ପୁଣି ସମାଜକୁ ଆଖି ଠାର ମାରିବା ପାଇଁ ଉପରକୁ ଗୋଟେ ପ୍ରକାର ସମ୍ପର୍କର ପ୍ରହେଳିକା ସୃଷ୍ଟି କରି ଭିତରେ ଅନ୍ୟ ପ୍ରକାର ହେଲେ ଅବଶ୍ୟ ଆନେକଟା ଅସୁବିଧା ଅଛି। ଏଥିପାଇଁ ତ ଭାଇ ନାମରେ ପ୍ରେମିକ, ଭଉଣୀ ନାମରେ ପ୍ରେମିକା ସାଜିବା ଆଜି ବିଚିତ୍ର କଥା ନୂହେଁ। ସ୍ପଷ୍ଟତା ହିଁ ସମ୍ପର୍କର ବାସ୍ତବ ସ୍ଵରୂପ।ତାହା ପୁଣି ସାର୍ବଜନୀନ ଓ ସର୍ବକାଳୀନ ହେବା ବାଞ୍ଛନୀୟ। ଅର୍ଥାତ୍ ଆଜି ଭାଇ ତ କାଲି ସେଇ ଭାଇର ସମ୍ପର୍କ। ଆପଣ ଯେବେ ଭାଇର ସମ୍ପର୍କ ଗଢିବାରେ ପ୍ରୟାସୀ ତେବେ ଉଦାତ୍ତ ସ୍ଵରରେ ଘୋଷଣା କଲେ କ୍ଷତି କ’ଣ ଯେ ମୁଁ ଖାଲି ଭାଇଟିଏ ଆଉ ସେଇ ଭାଇଟିଏ ହୋଇ ରହିବାକୁ ଚାହେଁ ଯୁଗ ଯୁଗ ଧରି, ନାହିଁ ଏଠି ଛଳନା ବା ପ୍ରତାରଣାର ଅବକାଶ, ଅଛି ଖାଲି କିଛି ସ୍ନେହ ଆଉ ମମତା। ଖାଲି ଘୋଷଣା କରିଦେଲେ ସବୁ କିଛି ହୋଇ ଯାଏ ନାହିଁ।  ସମ୍ପର୍କଟା ଯେମିତି କ୍ଷୁଦ୍ର ସୀମା ସରହଦ ମଧ୍ୟରେ ପଞ୍ଜୁରାବଦ୍ଧ ହୋଇ ନରହୁ, ଡେଣା ମେଲାଇ ଉଡ଼ି ଯାଉ ପୃଥିବୀର କୋଣ ଅନୁକୋଣକୁ। ସମସ୍ତେ ସ୍ଵାଗତିକା ଗାଇ ଉଠନ୍ତୁ । ଜୟ ଜୟ କାରରେ ବିଶ୍ଵ ହେଉ ପ୍ରକମ୍ପିତ। ଅନାବିଳ ସ୍ନେହ ଓ ମମତା ଦେଖି ସମସ୍ତେ ହୁଅନ୍ତୁ ଚକିତ ଓ ମୁଗ୍ଧ ।ନିଜର ଆଦର୍ଶ ଓ ନିଷ୍ଠା ବଳରେ ସମସ୍ତଙ୍କୁ ଦେଖାଇ ଦିଅ ଯେ ତୁମର ସମ୍ପର୍କଟା କେତେ ସତେ ଅପଣାର ଓ ନିଚ୍ଛକ ବାସ୍ତବ। ଦେଖିବେ ସମାଜରେ ଆପଣଙ୍କ ପ୍ରତି ଯାଗିଥିବା ଘୃଣା ଆଉ ଅପବାଦ କେମିତି ଛାଏଁକୁ ଛାଏଁ ଲିଭି ଯାଉଛୁ। ସେଥିପାଇଁ ତ କହୁଛି ସଫଳ ଭାବେ ଅଭିନୟ କରି ଶିଖ। ଆପଣ ହୋଇପାରନ୍ତି ଛାତ୍ର ଅବା ନେତା କାହାର ଭାଇ ଅବା ଭଉଣୀ, ପିତା ଅବା ସେ ପୁତ୍ର, ଦେଶର ସାଧାରଣ ନାଗରିକ ଅବା ସର୍ବୋଚ୍ଚମୟ କର୍ତ୍ତା, କିନ୍ତୁ ଅଭିନୟ କରି ଶିଖ। ଯେତେବେଳେ ଯେଉଁ ଭୂମିକାରେ ଅଭିନୟ କର ନା କାହିଁକି, କିନ୍ତୁ ହେ ମୋର ସମ୍ପର୍କକାମୀ କଳାକାରବୃନ୍ଦ! ଆପଣଙ୍କ ଅଭିନୟ ନିଚ୍ଛକ ଓ ବାସ୍ତବ ହେଉ। ତେବେ ସିନା ସମସ୍ତଙ୍କର ବାଃ ବାଃ ପଦ ନେବ। ଜୀବନ ରଙ୍ଗମଞ୍ଚେ ଅଭିନୟ ହେବ ସଫଳ, ଜୀବନ ହେବ ସାର୍ଥକ। ସମ୍ପର୍କ ହେବ ମଧୁମୟ ଓ ଚିର ଭାସ୍ଵର। ମାତ୍ର ଅଭିନୟ ଭିତରେ ଅଭିନୟ ନହେଉ, ନୋହିଲେ ସେ କି ଆଉ ଅଭିନୟ?

ବେଳେବେଳେ ସାମାଜ ସମ୍ପର୍କର ବୁଢିଆଣୀ ଜାଲକୁ ଛିଣ୍ଡାଇ ଖିନଭିନ୍ କରି ପକାଏ।। ଯେତେବେଳେ ଦୁଇଜଣଙ୍କ ଭିତରେ ସୁସମ୍ପର୍କ ଗଢି ଉଠେ ସମାଜ ସାମାଜ ଭଲ ମନରେ ତା’କୁ ଗ୍ରହଣ କରିପାରେନା, ଫଳରେ ପରିସ୍ଥିତି ଓ ପରିବେଶ ସହ ସମାଜରେ ଦେଖାଦିଏ ତା’ର ତୀବ୍ର ସଂଗ୍ରାମ। ଦୁଇଜଣଙ୍କର ଘନିଷ୍ଠତା ଦେଖିଲେ ଅନ୍ୟଜଣେ ସହ୍ୟ କରିପାରେନା। ଇର୍ଷାରେ ଜଳିଯାଏ। ଏଇଟା ତା’ର ଭୁଲ ନୂହେଁ, ଭୁଲଟା ମଣିଷ ସମାଜର ।ମଣିଷ ଜାତିର। ଇର୍ଷା ପରାୟାଣା ମଣିଷ କାଠର ଚଷମା ପିନ୍ଧି ଦୁନିଆଟାକୁ ଦେଖେ। ଏତେବେଳେ ଭଲ ଜିନିଷ ତାକୁ ଭେଲ ଦେଖାଯିବା ସ୍ୱାଭାବିକ। କାହାରି ଭଲଟାକୁ ସେ ସହି ପାରେ ନାହିଁ। ପରନ୍ତୁ ନାନା କୁବିଧ ଉପାୟମାନ ଅବଲମ୍ବନ କରି କେତେବେଳେ ସେମାନଙ୍କ ଭିତରେ ଭୁଲ ବୁଝାବଣା ଆଣେ ତ ପୁଣି କେତେବେଳେ ସେମାନଙ୍କ ପୂତ ପବିତ୍ର ସମ୍ପର୍କକୁ ନେଇ ସମାଜରେ ନାନା କଥା, ନାନା ଅପପ୍ରଚାର ଚଳାଏ। ତାକୁ ସିଏ କଦର୍ଥନ କରି ବିକୃତ ରୁପଦିଏ। ଯାହାକୁ ହୁଏତ ବରଦାସ୍ତ କରିବା ସହଜ ନୂହେଁ। ଏଥିପାଇଁ ସମାଜରେ ନାନା ଅଘଟଣ ନିତି ଘଟେ ।ଅର୍ଥକୁ a ଅନର୍ଥ କରିବା ମଣିଷର ପ୍ରବୃତ୍ତି। ପୁଣି ମିଥ୍ୟା ଅପପ୍ରଚାର କାନରୁ କାନକୁ ସହସ୍ର କୋଷ ବ୍ୟାପିଯାଏ। ଚାରିଆଡ଼େ ହାଟ ବସେ ଅମୁକ କଥାକୁ ସମୁକ ହେଲା। ସମାଜରେ ମନ୍ଦଙ୍କ ସଂଖ୍ୟା ବେଶି, ଭଲଙ୍କ ସଂଖ୍ୟା ଏତେ କମ୍ ଯେ ଖୋଜି ବସିଲେ ହତାଶ ହେବାକୁ ପଡ଼େ।ତେବେ ଏଥିରେ ବିବ୍ରତ ହେବାର କିଛି ନାହିଁ। ସମସ୍ୟା ମଣିଷର, ମାତ୍ର୍ ଏକକ ଭାବେ ସେ ତ ତା’ର ଜନକ ହୋଇପାରେନା। ତେଣୁ ଏକକ ଭାବେ ସେ କ’ ଣ ସେ ସମସ୍ୟାର ସମାଧାନ କରିପାରିବ? ପରନ୍ତୁ ତା’ର ସ୍ରଷ୍ଟା ଯିଏ ତାହାରି ଠାରେ ହିଁ ତା’ ର ସମାଧାନର ମୂଳ ହେତୁ ନିହିତ।ସେହି ଅଦୃଷ୍ଟ ଶକ୍ତି ତା’ର ସମାଧାନର ପନ୍ଥା ନିରୂପଣ କରିପାରେ। ଏତଦ୍ ବ୍ୟତୀତ ସମସ୍ୟା ଓ ସମାଧାନ – କେବଳ ଦୁଇଟି କ୍ରମିକ ଧାରା। ଏକ ପରେ ଆନର ରାଜୁତି। ସମୟ ଅନୁସାରେ ତା ସଂଘଟିତ ହୁଏ, ପୁଣି ବିଲୟ ଭଜେ। ଏଥିପାଇଁ ବ୍ୟସ୍ତତା ଆଦୌ ଶୋଭନୀୟ ନୂହେଁ।ବରଂ ନିଜର କର୍ତବ୍ୟ ନୀରବଚ୍ଛିନ୍ନ ଭାବେ କରିଚାଲନ୍ତୁ। ଦେଖିବେ ସବୁ ଠିକ୍ ଠାକ୍ ହୋଇଯିବ। ଯାହା ବିଧେୟ ତାହା ମଧ୍ଯ ବାଞ୍ଛନୀୟ। ଆଜି ହୁଏତ ସମ୍ପର୍କକୁ ନେଇ ଏତେଟା ବାଦାନୁବାଦର ଆବଶ୍ୟକତା ପଡନ୍ତା ନାହିଁ। ଆଜି ଯଦି ସେଦିନ ଥା’ନ୍ତା ଯେଉଁ ଦିନ ପରସ୍ପର ଭିତରେ ଥିଲା ଅତୁଟ ବିଶ୍ବାସ ଓ ଏକାତ୍ମ ଭାବ।ସେଠି ନଥିଲା ଛଳନା ବା ପ୍ରତାରଣା। ଥିଲା ଖାଲି ଆତ୍ମିୟତାର ଆଲୋକ ଓ ପ୍ରୀତିର ଶେଫାଳି, ଆଉ  ଯେତେ ସବୁ ଆନ୍ତରିକତା। ସମାଜ ଛିଡା ହୋଇଥିଲା ତ୍ୟାଗପୂତର ମହିମା ଉପରେ। ଏକଥା ଶୁଣି କେତକ କହି ପାରନ୍ତି – ଗଲାଣି ତ ସେକାଳ ପଖାଳ, ଆଜି ଆଉ ଚିନ୍ତା କରି ଲାଭ କ’ଣ? ଠିକ୍ କଥା ସେଦିନ ତ ଆଜି ଆଉ ନାହିଁ। ଦିନ ଥିଲା ଯେତେବେଳେ ଗୋଟିଏ ମଣିଷର ଜୀବନ ପରିକ୍ରମା _କେବଳ ସେଇ ଗୋଟିଏ ନିର୍ଦ୍ଧିଷ୍ଟ ଇଲାକା ବା ଗୋଷ୍ଠୀରେ ବା ଗ୍ରାମରେ ଶେଷ ହେଉଥିଲା। ବାହାର ଦୁନିଆକୁ ଦେଖିବାର ବା ଚିହ୍ନିବାର ସୌଭାଗ୍ୟ ଖୁବ୍ ଅଳ୍ପ ଲୋକଙ୍କ ଭାଗ୍ୟରେ ଜୁଟୁଥିଲା। ଆଜି କିନ୍ତୁ ମଣିଷ ସଭ୍ଯ ହୋଇଛି, ଶିକ୍ଷିତ ହୋଇଛି, ନିମିଷକରେ ମାହାକାଶ ଯାନ ଚଢି ପୃଥିବୀଟା ପରିକ୍ରମା କରି ଆସୁଛି। ବାହାର ଦୁନିଆ ସହିତ ତା’ର ସମ୍ପର୍କ, ଦେଶ ବିଦେଶରେ ତା’ ର ସମ୍ପର୍କ। ଏତେବେଳେ ତା’ର ସମ୍ପର୍କର ହାତଟି ଖୁବ୍ ବେଶୀ ଲମ୍ବି ଯାଇଛି ନା? ସତରେ ଲମ୍ବି ଯାଇଛି କି ଛିଣ୍ଡିଯାଇଛି ତା’ ଆପଣମାନେ କହିବେ, ମୁଁ କାହିଁକି ଅଯଥାରେ ଏତେ ଅଡୁଆରେ ପଶିବି। କିନ୍ତୁ ମୋର କହିବାର କଥା ହେଉଛି _”ମୁଁ – ତୁ “ର ସମ୍ପର୍କ ଦୂର ହୋଇ କେଉଁ” ଆମେ” ର ସମ୍ପର୍କ ପ୍ରତିଷ୍ଠିତ ହେବ କେବଳ ସେହି ଦିନକୁ ଅପେକ୍ଷା ଆଉ ସେଇ ଅପେକ୍ଷାର ଶେଷ କେଉଁଠି? ଯେଉଁଦିନ ସମାଜରୁ ଗର୍ବ ମୋହ ଅହଙ୍କାର ଇର୍ଷା, ଗୁଜବ, ସ୍ବାର୍ଥପରତା ଭଣ୍ଡାମୀ, ଅନାତ୍ମୀୟତା କ୍ରୋଧ ଦ୍ଵେଷ ଦୂର ହୋଇଯିବ ସେଦିନ ବୋଧେ ଦୁନିଆଟା ଛାଏଁ ବଦଳିଯିବ। ସମସ୍ତେ ଆପଣାର ହୋଇଯିବେ।

Related posts

ଅଧ୍ୟୟନ ଓ ଅଧ୍ୟବସାୟ

satya

ଅଶ୍ଳୀଳତା

satya

ଭୌତିକ କର୍ମକାଣ୍ଡ

satya

Leave a Comment

Login

X

Register