ସୃଷ୍ଟିର କେଉଁ ଅଦିମ କାଳରୁ ମଣିଷ କ୍ରମ ବିକାଶୋନ୍ମୁଖୀ ହୋଇ, ଶେଷରେ ବିବର୍ତ୍ତନବାଦର କ୍ରମବର୍ଦ୍ଧିଷ୍ଣୁ ଧାରା ଦେଇ ଆଜିର ସଭ୍ୟ, ଶିକ୍ଷିତ, ଆଧୁନିକତମ ମାନବ ସମାଜ – ବିକାଶର ଶୀର୍ଷ ସୋପାନରେ ପାଦ ଥାପିଛି। ଏତେବେଳେ ତା ‘ର ରୁଚି, ବିଚାର ଭାବାବେଗରେ ବ୍ୟାପକ ପରିବର୍ତ୍ତନ ଘଟିଛି। ପରିବର୍ତ୍ତିତ ପରିସ୍ଥିତିରେ ଏ ପରିବର୍ତ୍ତନଶୀଳ ଦୁନିଆରେ ସେ ନିଜକୁ ଖାପ୍ ଖୁଆଇ ବଞ୍ଚିବାର ଓ ଜୀବନ ନିର୍ବାହ କରିବାର ନୂଆ ନୂଆ ଶୈଳୀମାନ ଆପଣେଇ ପ୍ରକାଶ କରିବାର ନୂତନ କୌଶଳ ଅବଲମ୍ବନ କରିଛି। ଆଗ ସେ ଠାର୍ ଠୁର୍ ନୀତିରେ ହେଁ – ହାଁ ମାରି କେତେ ଗୋଟି ଶବ୍ଦ ମାତ୍ର ନେଇ ତା’ର ଭାବାବେଗ ପ୍ରକାଶ କରୁଥିଲା। କ୍ରମଶଃ ସେଇ ସାଙ୍କେତିକ ଭାଷା ଓ ସ୍ଵଳ୍ପ କେତକ ଶାବ୍ଦିକ ପ୍ରୟାସ ଏକ ଚେତନଶୀ ଳ ମଣିଷର ଭାବ ବହନକାରୀ ଉଚ୍ଚାରଣକ୍ଷମ ଅବୟବରୁ ମୁଖଗହ୍ଵର ଦେଇ ନିସୃତ ଧ୍ୱନି ବା ଧ୍ୱନି ସମବାୟ ବାଣୀ ରୂପେ ପ୍ରକାଶ ପାଇ ସେହି ନିର୍ଦ୍ଧିଷ୍ଟ ଗୋଷ୍ଠୀର ବା ବର୍ଗର ଭାଷା ରୂପେ ପରିଗୃହୀତ ହେଲା।ପରେ ଲିପିର ଉଦ୍ଭାବନ ଓ ନିତ୍ଯ ନୈମିତ୍ତିକ ନୂତନ ନୁତନ ମୁଦ୍ରଣ ଯନ୍ତ୍ରର ବ୍ୟାପକ ବ୍ୟବହାର ଓ ପ୍ରସାର ଫଳରେ ଏହାର କାୟା ଓ ଶ୍ରୀ ଦିନକୁ ଦିନ ପ୍ରତିଦିନ ବୃଦ୍ଧି ଘଟିଲା। ପୃଥିବୀରେ ଅନେକ ଭାଷା ଓ ଭାଷା ଭାଷୀ ଲୋକ ଅଛନ୍ତି ଓ ପ୍ରତ୍ୟେକ ଭାଷା ସ୍ଵକୀୟ ସ୍ଵତନ୍ତ୍ରୀୟତାର ପରିଚାୟକ ହୋଇ ଏକ ବିଶେଷ ସ୍ଵାକ୍ଷର ବା ଆଲେଖ୍ୟ ବଚନ କରିଛି। ସେହିପରି ଓଡ଼ିଆ ଭାଷା ଏକ ଭାଷା ଯାହା ବହୁ ସମୃଦ୍ଧ ଓ ଅନେକ ସାହିତ୍ୟିକ ସୃଷ୍ଟି କରିବାକୁ ସକ୍ଷମ। ସେହି ପ୍ରୟାସର ଆମର ଏହି ବସନ୍ତ ବାହୁଡ଼ା ପତ୍ରିକାଟି ଅନ୍ୟ ଏକ ପ୍ରୟାସ ମାତ୍ର। ପ୍ରତିଷ୍ଠିତ କବିମାନଙ୍କୁ ବାଦ ଦେଲେ ଲେଖାରେ ଅଭ୍ୟାସ ରଖିଥିବା ଓ ଲେଖିବା ପାଇଁ ପ୍ରୟାସ ଜାରି ରଖିଥିବା ଯୁବ ସାହିତ୍ୟିକ ଗୋଷ୍ଠୀ ପାଇଁ ସୁଯୋଗ ସୃଷ୍ଟି କରିବା ଉକ୍ତ ପତ୍ରିକାର ମୂଳଲକ୍ଷ୍ୟ। ଏଥିପାଇଁ ଆପଣମାନେ ଆଗ୍ରହ ପ୍ରକାଶ କରନ୍ତୁ ତଥା ଆପଣମାନଙ୍କର ସହଯୋଗୀତା ଓ ସହଭାଗିତାର ହାତ ଲମ୍ବି ଆସୁ – ଏହା ହିଁ କାମନା, ଏଥି ସକାସେ ବସନ୍ତ ବାହୁଡ଼ା ପତ୍ରିକା ମଧ୍ଯ ବେଶ୍ ଆଶାବାଦୀ।
ଗାଁ ମାଟିର ବାସ୍ନା, ଗାଁ ଫୂଳର ମହକ, ଗାଁ ରାସ୍ତାରେ ଚାଳ ଘରର ଅଭେଦ୍ୟ ପାଚେରୀ ଡେଇଁ ପଡ଼ୁଥିବା ତେରଛା ଜହ୍ନ ଆଲୁଅ – ସବୁକିଛି ନିଆରା ପରମ୍ପରାର ଭିନ୍ନ୍ ଏକ ଆସ୍ବାଦନ। ଗାଁ ଯୁବକ ଯୁବତୀର ପ୍ରେମ, ଫଗୁର ଫଗୁ ଖେଳ ଚୈତ୍ରର ଚଇତାଳି, ବସନ୍ତର ମୃଦୁ ମଳୟ, କୋଇଲିର କୁହୁ ତାନ୍-ସବୁ କିଛି ଭିନ୍ନ୍, ଭିନ୍ନ୍ ଏକ ଅନୁଭବ, ଅନୁଭୁତିର ଗନ୍ତାଘର। ଗାଁର ଖରା-ବର୍ଷା, ଶୀତ-କାକର, ସଞ୍ଜ – ସକାଳ, ଦିନ – ରାତି, ନଦୀ ତୁଠର ପଥର ସିଆଁ ଘାଟ, ଗାଁ ମୁଣ୍ଡ ବର ଗଛ, ଅଙ୍କା ବଙ୍କା ହୁଙ୍କା, ଝାଟିମାଟିର ଘର, ଗାଁ ମଝି ଦାଣ୍ଡରେ ପିଲାଙ୍କ ବାଲି ଘର ପୁଣି କଣ୍ଢେଇ ବାହାଘର-ସବୁ ବିଚିତ୍ର ବର୍ଣ୍ଣାଳୀରେ ବର୍ଣ୍ଣାଢ୍ୟ।
ଏହି ପରି ଏକ ଗାଁ ଆମ ଗାଁ କହିଲେ ଅତ୍ୟୁକ୍ତି ହେବ ନାହିଁ ତେନ୍ତୁଳିଆ ଗାଁ’ରୁ ଗ୍ରାମ୍ୟ ପତ୍ରିକାଟିଏ – “ବସନ୍ତ ବାହୁଡ଼ା”। ଲେଖା ଗୁଡିକ ଭିତରେ ପ୍ରକୃତିର ବେଭାର ଓ ଗ୍ରାମ୍ୟ ଚିତ୍ର ବେଶ୍ ପରିସ୍ଫୁଟ। ଗାଁର ହର୍ଷ – ବିଶାଦ, ଘଟଣ – ଅଘଟଣ, ପୁନେଇଁ – ପର୍ବ, ଯନିଯାତ୍ରା, ଚାଲିଚଳନ, ଓଷା ବ୍ରତ, ଦିଅଁ ଦେବତା, ସବୁ କିଛି ଲେଖା ଭିତରେ ସ୍ଥାନିତ। ଏମିତି ଏକ ପରିସ୍ଥିତି ଓ ପରିବେଶ ଭିତରେ ଆମର ଏ ପତ୍ରିକା ପ୍ରଥମ ବର୍ଷର ପ୍ରଥମ ପତ୍ରିକା ହେଲେ ହେଁ, ବେଶ୍ କିଛି ରୁଚିମନ୍ତ ଓ ରୁଚିକର, ଯାହାକୁ ନେଇ ଆମେ ଆଶାବାଦୀ ହେବା ସ୍ୱାଭାବିକ। ଆପଣମାନଙ୍କ ସହଯୋଗ ଓ ସଦିଚ୍ଛାକୁ ପାଥେୟ କରି ଆଗାମୀ ଦିନରେ ଏହାର କଳେବର ଓ ଶ୍ରୀ ବୃଦ୍ଧି ଘଟି ଏକ ବଳିଷ୍ଠ ପତ୍ରିକାର ସ୍ଵାକ୍ଷର ନିଶ୍ଚିତ ବହନ କରିବ। ଏହି ଆଶା ଓ ଭରସା ରଖି ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ମତାମତ ଅପେକ୍ଷାରେ ରହିଲୁ ପରବର୍ତ୍ତୀ ପ୍ରକାଶନୀ ପର୍ଯ୍ୟନ୍ତ। ନମସ୍ତେ।
ସତ୍ୟ ପ୍ରକାଶ ସେଠୀ
ମୁଖ୍ୟ ସମ୍ପାଦକ,
ପ୍ରକାଶନୀ ସମୟ – ଅଶୋକାଷ୍ଟମୀ 2018