ଦୂର ଦିଗ୍ ବଳୟର ନୂଆଁଣିଆ ଆକାଶ ବୁକୁରେ ଉଙ୍କି ମାରୁଥିଲେ ଅସ୍ତଗାମୀ ସୂର୍ଯ୍ୟର କେତୋଟି ଆଲୋକ ରେଖା । ନଦୀ ପଠାର ଦହଲା ତଣ୍ଡୀ ଗୁଡ଼ାକ ମୁଣ୍ଡ ହଲାଇ ନାଚୁଥିଲେ ସ୍ରୋତସ୍ୱିନୀ ସ୍ୱରର ତାନେ ତାନେ । ସତେକି ସଂନ୍ଧ୍ୟା ଦେବୀଙ୍କ ସାନିଧ୍ୟ ନିମନ୍ତେ ବ୍ୟସ୍ତ । ପୁଣି ଟାଙ୍ଗରା ପଡ଼ିଆରେ ଛତରା ଗଛଟାର କ୍ରୋଡ଼ ପଞ୍ଜରରେ ରବିମାନ ଥିଲେ କେତେଟା ଆଲୋକ ବିଧୁରା ପରିବାର । ସତେକି ଆଗାମୀ ସଂଖ୍ୟାର ଆଗତ ଜୀବନ ଯାପନ ପାଇଁ ସନ୍ଦିହାନ, ଭୟଭୀତ, ବ୍ୟାକୁଳିତ– ସେମାନେ । ସତେକି ଏ ଦୁନିଆଟା ସପକ୍ଷ ବାଦୀ ଓ ବିପକ୍ଷ ବାଦୀର ପ୍ରତିମୂର୍ତ୍ତି । ଗୋଟିଏ ପଟେ ଆଗତକୁ ସ୍ୱାଗତ । ଅନ୍ୟପଟେ ଆଗତକୁ ପ୍ରାଣର ତିକ୍ତ ଅଭିବ୍ୟକ୍ତି ।
ବୀର କୁମାର ପୁରର ନରମା ଛାତି ଭିତରକୁ ଫୁଲି ଫୁଲି ଲମ୍ବି ଯାଇଛି ଧୂଳିଆ ରାସ୍ତାଟା ତା’ର ସଂଗ୍ରାମୀ ଜୀବନର ତିକ୍ତ ଅଭିଜ୍ଞତାରେ ସିକ୍ତ ହୋଇ, ଆଉ ତାହାରି ଉପରେ ଧୂଳିଆ ପାଦକୁ ବଢାଇ ଚାଲିଛନ୍ତି ରବି ନନ୍ଦନ, ମୁଣ୍ଡରେ ବୋଝକରି ସେହି ତିକ୍ତ ଅଭିଜ୍ଞତାର ଯୁକ୍ତି ଉପହାର । ସେ ବ୍ୟଗ୍ର– ଉତ୍ତ୍ୟକ୍ତ-ଭ୍ରାନ୍ତ । ଏ ସଂଗ୍ରାମୀ ଦୁନିଆର ଅଗ୍ନିଧାସରେ ସେ ତ୍ରସ୍ତ, ବିତ୍ରସ୍ତ । ମନର ଚଞ୍ଚଳତାକୁ ଗୁରୁ କରି ସେ ଆଗେଇ ଚାଲିଛନ୍ତି– ଏହି ସଂଗ୍ରାମୀ ଦୁନିଆର ଭଷ୍ମ କୁଣ୍ଡକୁ । ଚାହାଁନ୍ତି ସେ ପ୍ରତିଧ୍ୱନି ଦେବାକୁ ସଂଗ୍ରାମୀ ଖଡ୍ଗର ଝଙ୍କାର ଶବ୍ଦ ସହିତ । ନତୁବା ଲୁଚାଇବେ ସେଇଠି ସଂଗ୍ରାମୀ ମନର ଜୁଆ ଚୋରିକୁ ।
ମନରେ ଗୋଟିଏ ପ୍ରେରଣା, ଗୋଟିଏ ଧାରଣା ମନ ତଲବାରର ମୁନରେ- ହଟିଯାଅ, ହଟିଯାଅ ମଣିଷର କାଳରୂପି କୁସଂସ୍କାରବାହୀ ସମାଜ । ମନଇଚ୍ଛା ଏ ମଣିଷ ଜାତିଟାକୁ ଭୁଲେଇଛି ଦୁର୍ବଳତାର ସୁଯୋଗ ନେଇ, ଦୁର୍ଯୋଗ ଦୁଆର ଖୋଲି, ଅଯୋଗ୍ୟ ଦରିଆ ଆଡ଼କୁ ଟାଣି ନେଇଛି । ବେଶ୍ ତୁମ୍ଭର ଏଇଠି ଇତି ଅବଶ୍ୟମ୍ଭାବୀ; ଏଇଠି ଅଟକି ଯାଅ, ରକ୍ତର ଉଷ୍ଣତା ପତଳେଇ ଆସିଲା । ଚିନ୍ତାମଗ୍ନ ମଣିଷର ମନ ପକ୍ଷୀ ଉଡ଼ି ବୁଲିଲା ଖଣ୍ଡ ଗିରିର ଗୁହା ଉପରେ ଅଶୋକ ସ୍ତମ୍ଭର ଖୋଦିତାନୁଶାସନରେ ପୁରୀର ନଭଶ୍ଚୁମ୍ଭୀ ଦେଉଳର ଶାନ୍ତ, ମଧୁର କ୍ରୋଡ଼ ଉପରେ କୋଣାର୍କର ଜୀବନ ପ୍ରତ୍ୟୟ ମୂର୍ତ୍ତୀମାଳ ଉପରେ । ପୁଣି ପ୍ରକୃତିର ପ୍ରହସନରେ ଭାସିଯାଇଥିବା ହୀରୋସୀମା ଓ ନାଗାସାକି ଉପରେ ।
ହାୟରେ ମଣିଷ! ଧନ୍ୟ ତୋର ବିଜ୍ଞାନର ଉପକାର । ଧନ୍ୟ ତୋର ଆଜିର ପଥର ଭିକାରୀ, କଳା ଓ ସଂସ୍କୃତି । ହସର ଜୁଆର ଆଉ ଅନ୍ଧାରର ଆସନ୍ନ ଆଭାସ। ତାଳ ଦେଲା ଭାବନା ରାଜ୍ୟର ଅଡ଼ୁଆ ସୂତାଖିଅ ସହିତ ଆଷାଢ଼ର ମେଘୁଆ ପ୍ରକୃତି, ନଈ କୂଳିଆ ଶୀତୁଆ ପବନ ଅରମ୍ଭ କରି ସାରିଥିଲା ମୁଣ୍ଡ ପିଟିବାକୁ ଚାରିଆଡେ । ପାଦର ଗତି ହେଲା ଚଞ୍ଚଳ- ଆସ୍ତେ, ଆସ୍ତେ ।
ଗାଁ ମୁଣ୍ଡ– ବୀର କୁମାର ପୁରର ଆରମ୍ଭସ୍ଥଳୀ । ଅଟକି ଗଲେ ସେଇଠି । ଉଦ୍ଦେଶ୍ଯହୀନ ଭାବେ ଉପରକୁ ଅନାଇଲେ,ଦେଖିଲେ ବୁଢ଼ା ବରଗଛଟା ଗୋଡ଼ହାତ ଲମ୍ବେଇ ଛିଡ଼ା ହୋଇଛି । କେଉଁ ଦିନରୁ ହେଲାଣି କେଜାଣେ ତା’ର ଜନ୍ମ ବୃତ୍ତାନ୍ତ କହିବା ପାଇଁ ସମସ୍ତେ ଅକ୍ଷମ । ରାଇଜଯାକର ପକ୍ଷୀ ପଲଙ୍କର ବସା ସେଇଟା । ବଣି, ଟେଟେଇଁ, ପୁଟୁଳି, ବଗ, କୂଆ, ଭଜଭଜଳିଆ ଆଦି ସବୁ ଜାତିକା ଚଢ଼େଇ ବସା ଏଇଟା । ଫଡ଼ ଫଡ଼ ହୋଇ ଉଡ଼ିଗଲେ ବାଦୁଡ଼ି ଦୁଇଟା ଠିକ୍ ତାଙ୍କ ମୁଣ୍ଡ ଉପରେ । ଚିନ୍ତା ଭାଙ୍ଗିଗଲା ଗୋଟାଏ ଆଡୁ । ସତେ ଯେପରି ପକ୍ଷୀ ଗୁଡ଼ାକ ଉପହାସ କରୁଛନ୍ତି ତାଙ୍କୁ, ତାଙ୍କର ହା ହତାଶମୟ ଜୀବନକୁ । ବିନେତାଙ୍କର ବଂଶ ଥିଲା ଆଭିଯାତ୍ୟପୂର୍ଣ୍ଣ ଧନୀକ ପରିବାର, ମାତ୍ର ସେ ଦରିଦ୍ରତା ଆଡ଼କୁ ଢଳି ପଡ଼ିଛନ୍ତି । ସେ ହେଉଛନ୍ତି କେତେ ହନ୍ତସନ୍ତ, କେତେ ହୀନିମାନ ଏ ଦୁନିଆରେ । ଆଉ ପକ୍ଷୀ ଗୁଡ଼ାକ ସମାଜରୁ ଉଶୃଙ୍ଖଳ ହୋଇ ଯାପୁଛନ୍ତି ସରଳ ଜୀବନ । ହାୟ ଭଗବାନ୍! ଏହି ପକ୍ଷୀମାନଙ୍କ ଭଳି ଜନ୍ମ ନ କଲ କାହିଁକି ? ପକ୍ଷୀ ହେବାକୁ ଇଚ୍ଛା ହେଲା । ଇଚ୍ଛା ହେଲା ଗୋଡ଼ ଦୁଇଟିକୁ ଏକ କରି ହାତ ହଲାଇ ଉଡ଼ିଯିବାକୁ ।
କିନ୍ତୁ ………. କ’ଣ ସେ ହୋଇପାରିବ ପକ୍ଷୀ ? ମନ ଫେରିଲା ସେ ଆଡ଼ୁ ।
ପୁଣି ଚାହିଁଲା ପାଖ ଶ୍ମଶାନର ପାଉଁଶ ଗଦାକୁ । ଏଇ ଚିତା ଜଳୁଛି ଜୁକୁ ଜୁକୁ ହୋଇ । ସନିଆଁ ମା ପୋଡ଼ା ହୋଇଥିଲା କାଲି । ବିଚାରୀ ହତଭାଗିନୀ ପୁଅ ପାତି କେହି ନାହାଁନ୍ତି । ବୁଢ଼ୀ ଟୋପେ ପାଣି ପାଇଲା ନାହିଁ ଶେଷକୁ । ସେମିତି ଜ୍ୱରରେ ହନ୍ତ ସନ୍ତ ହୋଇ କେତେ ଦିନକେ ପିଣ୍ଡଠାରୁ ଅଲଗା ହୋଇଗଲା । ଶେଷକୁ ତା’ର ପୁତୁରା ଗୁନିଆଁ ଜମିବାଡ଼ି ପାଇବା ଆଶାରେ ତାକୁ ଖାଲି ପୋଡ଼ି ଦେଇ ଯାଇଛି । ଆଉ ଜାତି ଭାଇଙ୍କୁ ବକ୍ତେ ଖୁଆଇଛି । ନ ହେଲେ ସେତିକି ବି ହୋଇ ନଥାନ୍ତା । ପୁଣି ତାହାରି ପାଖକୁ ଟିକିଏ ଛାଡ଼ି ପଡ଼ିଛି ବୁଢ଼ାଟିଏ– ସେ ଗାଁର । ଧନରତ୍ନ ଢାଳି ଥିଲା ତା’ର ଯୈାବନରେ । ଧନ ଥିବା ସମୟରେ ଲୋକଙ୍କୁ ମାରିପିଟି ଶାସନ କରୁଥିଲା । ପୁଣି ସେ ମଲା ମଳ ମୁତ୍ରରେ ପଡ଼ି ପଡ଼ି । ପୁଅ ବୋହୂ ଅଲଗା କରି ଦେଇଥିଲେ ମଲା ବେଳକୁ ।
କୁକୁର ଗୁଡ଼ାକ ଭୋ ଭୋ ହୋଇ ଭୁକି ଉଠିଲେ; ଶାଗୁଣା ପଲକ କେଁ କାଁ ହୋଇ ଉଡ଼ିଗଲେ– କ୍ଷଣକ ପାଇଁ । ପୁଣି ଶୁଭିଲା ହାଡ଼ର ଚର୍ବଣ-ରଡ଼-ରଡ଼୍ -ମସ୍ । ଛି, ଛି କେଡ଼େ ବିଭତ୍ସ ପ୍ରକୃତି । ମଣିଷର ମାଂସ ପ୍ରତି ଏଗୁଡିକ କେଡ଼େ ଲୋଭୀ ? ଧିକ୍ ଏ ନର କଙ୍କାଳ ପିଶାଚ ଜାତିଟାକୁ ।
ଆଖି ବୁଲେଇଲେ ପଛକୁ । ଗାଁ ଆଡ଼କୁ ଗତି ହେଲା । ଭାବ ରାଶିରୁ କେତେଟା ଅଟକି ଗଲେ ସେହି ଗଛ କୋରଡ଼ରେ । ବାଦଲ ରାଶିର ଜମାଟଖାନା । ଆଜି ଏଇ ଆକାଶଟା କଳା-ଧଳା ଘୋଡ଼ାର ସବାର ହୋଇ ଗାଁ ରାସ୍ତାରେ ନର୍ତ୍ତନବ୍ୟସ୍ତ– ଏହି ଚାନ୍ଦ । ଜଗେଇ ସାହୁର ବାଡ଼ି ପଟୁ ଓସାସିଆ ପବନରେ ଭାସି ଆସିଥିଲା ମଳ୍ଲୀର ସୁଗନ୍ଧ । ଆଉ ନନ୍ଦ ସାହିରୁ ନନ୍ଦ ବୁଢ଼ାର କୀର୍ତ୍ତନ ସ୍ୱର । ବେଶ୍ ଖାପ ଖାଉଥିଲା ଦୁଇଟା ଯାକ । ଆଗେଇ ଚାଲିଲେ ରବିନନ୍ଦନ ଆଗକୁ ।
ଏଇଠି ରବିନନ୍ଦନଙ୍କ ଘର । ନଡିଆ ଗଛ ଦୁଇଟା ମୁଣ୍ଡ ଟେକି ଠିଆ ହୋଇଛନ୍ତି ତାଙ୍କ ବାପାଙ୍କ ଅମଳରୁ । ସେଇଟା ମାଳତୀ ଲତାଟା, ଫୁଲ ପେନ୍ଥାରେ ଭର୍ତ୍ତି ହୋଇ ତାଙ୍କୁ ଅନାଇଛି । ଟିକିଏ ଛାଡ଼ି ଲେଙ୍କୁଡ଼ି ଆମ୍ବ ଗଛଟା । ମରୁ ମରୁ ବଞ୍ଚିଛି– ସେ, ଏଇ ରବି ନନ୍ଦନଙ୍କର କେତେ ହେପାଜତରେ । ଏଇ ସାଲ ଭଲ ଫଳ ହୋଇଛି– ମଥା ନଇଁଛି ଲାଜରେ ।
ଗୁହାଳ ଘରୁ କାଳିଆ, ବଳିଆ, ଶବ୍ଦ କରି ଉଠିଲେ । ପାଦ ଶବ୍ଦ ଶୁଣି ଦାଣ୍ଡ ପିଣ୍ଡାରୁ ‘ବୁଲା’-କୁକୁରଟା ଦଉଡ଼ି ଆସି ଲାଙ୍ଗୁଡ଼ ଘସିଲା । ଗୋଡ଼ ମଧ୍ୟରେ ପଶି ପାଟିରେ ଦେହ ଘସିବାକୁ ଭାରି ଭଲପାଏ ସେ । ରବି ନନ୍ଦନ ତାକୁ ଚାପୁଡ଼ାଟାଏ ଦେଇ ପଶିଲେ ଘରେ । ସବୁ ଆଜି ଅସଂଯତ ଲୁଗାପଟା, ଟୋକେଇ, ପାଛିଆ ସବୁ ଗୁଡ଼ାକ ଆଜି ଅସଜ୍ଜିତ । ସତେ ଯେପରି ତାଙ୍କର ଦରିଦ୍ରତା ସପକ୍ଷରେ ଏଗୁଡ଼ାକ ନାଚି ବୁଲୁଛନ୍ତି କିମ୍ବା ଉପହାସ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଓସାରି ଆକଣ୍ଠରେ ଡ଼ାକିଲେ -ଛନ୍ଦା! ଇତସ୍ତତ ହୋଇ ଆଗେଇ ଆସିଲେ ଛନ୍ଦା, ଆଗେଇ ଆସିଲା ଉଦ୍ବିଘ୍ନତାର କେତୋଟି ହାସ୍ୟରେଖା ।
ସମ୍ମୁଖରେ ବିଷର୍ଣ୍ଣ ବଦନ ସ୍ୱାମୀ । ମୁଖର ଢଙ୍ଗ ବଦଳିଲା । ଚକ୍ଷୁ ହେଲା ପ୍ରଶ୍ନିଳ । ମନରେ ଉଠିଲା ପ୍ରଶ୍ନର ଝଡ଼– “ତୁମେ ତ ଢେର ଡ଼େରି ପର୍ଯ୍ୟନ୍ତ ବାହାରର କର୍ମମୟ ଜୀବନକୁ ଆଦରି ନେଉଛ ? କର୍ମମୟ ବର୍ତ୍ତମାନକୁ ନେଇ ଆଗେଇ ଚାଲୁଛ, ଭୁଲୁଛ ଅତୀତକୁ । କିନ୍ତୁ, ମୁଁ ……………….?”
–“ଛନ୍ଦା! ଟିକେ ଚାହା କରି ଆଣତ” ।
ଛନ୍ଦା ଚାଲିଗଲେ ରୋଷଘରକୁ । ଦାଣ୍ଡ ଘରକୁ ଟିକିଏ ଛାଡ଼ି ରୋଷଘର । ଭାରି ସଂଙ୍କୀର୍ଣ୍ଣ ଘରଟିଏ । ଧୂମ ପଟଳ ଘରେ ଏପାଖ ସେପାଖ ଉଡ଼ି ଛପର ଫୁଟାଉଛି । ପୁଣି କୁଣ୍ଡଳୀ ହୋଇ ଉଡ଼ିଯାଉଛି ଦୂର ରାଇଜକୁ । ସେହିଘରେ ଅହରହ କର୍ମରତା ଥାନ୍ତି ଛନ୍ଦା– ମାଣିକ ପୁରର ନବ ମହାନ୍ତିଙ୍କ କନ୍ୟା । ଛ’ଟି ବରଷ ତଳେ ସେ ହାତ ଧରିଥିଲେ ଏହି ରବି ନନ୍ଦନଙ୍କର । ସେତେବେଳେ ଥିଲା ପୂର୍ଣ୍ଣ ଯୈାବନ । ବର୍ତ୍ତମାନ ମଧ୍ୟ ସେହି ଯୈାବନଟା ଦେହ ମଧ୍ୟରେ ଆଗ ଭଳି ଢଳଢଳ ହେଉଛି । ଏ ଘରକୁ ଆସିବାର କେତୋଟି ବରଷ ପରେ ଶ୍ୱଶୁର ଗଲେ ସେ ପୁରକୁ । ପୁଣି ଆଉ କେତେଟା ମାସ ପରେ ବାପା, ମୂଳରୁ ତ ସେ ମାତୃହୀନା । ସ୍ୱାମୀ ହିଁ ଏକମାତ୍ର ସମ୍ବଳ । ଏଘରକୁ ଆସିବା ବେଳେ ଏ ଘରର ଅବସ୍ତା ଥିଲା ମଧ୍ୟମ ଧରଣର; ମାତ୍ର ଏବେ ସ୍ୱାମୀ, ସ୍ତ୍ରୀ ଦୁହେଁ ଦରିଦ୍ରତାଟାର ବୋଝଟାକୁ ଭଲ ଭାବରେ ମୁଣ୍ଡାଇ ଚାଲିଛନ୍ତି । କେବେ ଛନ୍ଦା ଖରାପ ପାଇନାହାଁନ୍ତି ରବି ନନ୍ଦନଙ୍କୁ, ବରଂ ମନ ପ୍ରାଣ ଦେଇ ସେବା କରିଛନ୍ତି । ଦୁଃଖ-ସୁଖରେ ଭାଗୀଦାର ହୋଇଛନ୍ତି ।
ରବିଙ୍କ ପାଖରେ ଚାହା ରଖିଲେ– ଛନ୍ଦା, ପୁଣି ଚକ୍ଷୁ ପ୍ରଶ୍ନିଳ– କାହିଁକି ଏତେ ଦୁଶ୍ଚିନ୍ତା, ଏତେ ଦୁଃଖ ? ଯଦି ସମାଜରେ ଏ ଦରିଦ୍ରତା ଭିତରେ ଚାଲି ନପାରିବ ତେବେ ଆଗେଇ ଚାଲ ଶୃଙ୍ଖଳ ହୀନ ଦୁନିଆକୁ । ମୁଁ ତୁମ୍ଭରି ସଙ୍ଗେ ଥିବି । ସେଇଠିକି ତ ଯିବା– ଯେଉଁଠି ମଣିଷ ପରର କେତେ ଉପକାର କରି ସାମାନ୍ୟ କେଇଟା ମାତ୍ର ପିଇସା ମୋହରେ ପରିଶ୍ରମତକ ଧନୀ ଗୋଡ଼ରେ ସମର୍ପି ଦିଏ ଏବଂ ରୁହେ ଗଛ ମୂଳରେ; କିନ୍ତୁ ଖୁସିରେ କିମ୍ବା ରହେ ବନ ଗହନର ତଳେ, ଯେଉଁଠି ଜଙ୍ଗଲି ମଣିଷ ପ୍ରକୃତିର ବିରୁଦ୍ଧରେ କରେ ଅଭିଯାନ; ରାତ୍ରିରେ ଆଶ୍ରୟ ନିଏ ପଥର ଖୋଲରେ, ଚାହିଁ ରହିଥାଏ ପଥର ଉହାଡ଼ୁ ପାହାନ୍ତି ଆଲୁଅର ଅଭିନନ୍ଦନକୁ । ତାପରେ ଆରମ୍ଭ କରେ ପୁଣି ତା’ର କର୍ମମୟ ଜୀବନ । ଆମ୍ଭେ କ’ଣ ପାରିବା ନାହିଁ ସେମିତି ? ମାତ୍ର ମୁହଁ ଖୋଲି କହି ପାରି ନଥିଲେ ଛନ୍ଦା ।
ଚାହା ଖାଉ ଖାଉ ଆରମ୍ଭ କଲେ ରବି ନନ୍ଦନ– ସେ ଖୁବ୍ ବ୍ୟସ୍ତ ଆଜି କେତେକ କାମ ପାଇଁ, କହୁ କହୁ ଆଖି ପଡ଼ିଗଲା ଖଟଟି ଉପରେ -ବହୁ ଦିନର ପୁରୁଣା ଖଟଟି, । ଦେହଟା ଯାକ କଳା ପଡ଼ିଗଲାଣି । କେତେ ଖଣ୍ଡି କାଠ ଭାଙ୍ଗି ପଡ଼ିଲାଣି । ତା’ରି ଭିତରେ ଥିବା ଖଣ୍ଡିଏ ଚିଠି ଉପରେ ପଡ଼ିଲା ନଜର । ଆଗ୍ରହ ହେଲା ପଢ଼ିବାକୁ ।
ବିନୋଦ– ରବି ନନ୍ଦନଙ୍କର ପିଲା ଦିନର ସାଙ୍ଗ ତାହାରି ଚିଠି–ଏ । ପ୍ରାୟ ସେ ସବୁଦିନେ ଗପ-ସପ ହେବାକୁ ଆସେ ଏଠିକି । ଆଜି ନପାଇ ଫେରି ଯାଇଛି । ବିଚରା ବହୁତ ବ୍ୟସ୍ତରେ ପଡ଼ିଛି । ସୁସ୍ଥ, ସବଳ, ସୁଠାମ ଯୁବକ । କେତେ କଷ୍ଟରେ ପଇସା ଦୋଟି ରୋଜଗାର କରେ । ଧନ ଦୈାଲତ ତା’ର ମନ୍ଦ ନୁହେଁ । ମାତ୍ର ଏଇ କେତେ ଦିନ ହେବ ପ୍ରକୃତିର ଧିକ୍କାରରେ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି । ଭାଇଟିଏ ତା’ର ରୋଗାକ୍ରାନ୍ତ– ଜୀବନ ସଂଙ୍କଟାପନ୍ନ ।
ବେଶି ସମୟ ଭାବାପନ୍ନ ନହୋଇ ଆରମ୍ଭ କଲେ ତାଙ୍କର ଦର୍ଶନ ତତ୍ତ୍ୱ । କହି ଚାଲିଲେ ଛନ୍ଦାଙ୍କୁ ତାଙ୍କର ମନର ବେଦନା ଆଉ ସମାଜର ଅଧଃପତନ ସଂପର୍କରେ–
ମଣିଷ ଜୀବନର ଗତି ଆଜି କୁଆଡ଼େ ମୁଁ ଜାଣିପାରେନା । ନୀତି ଯାଇଛି, ଧର୍ମ ଯାଇଛି ,ଯାଇଛି ସଂସ୍କୃତି । ମାତ୍ର ରହିଛି ଦୁର୍ନିତିର କରାଳ ଛାୟା ଏବଂ ବିଜ୍ଞାନର ମରୀଚିକା । ଚାରିଆଡ଼େ ଗଢ଼ି ଉଠିଛି କଳ କାରଖାନା, ଚାରିଆଡ଼େ ବାଷ୍ପ ଚାଳିତ କଳ । ଯୁଗର ଗତି ପାଇଁ କଳ୍ପନା କରୁଛି କିଏ । ମାତ୍ର, କାଳ-କୋଳରେ ରୁଦ୍ଧି ହୋଇ ମରିବାଟା ସାର ହେଉଛି । ବିଜୁଳି ଆଲୋକରେ ଝଲସୁଥିବା ମନାକର୍ଷଣକାରୀ ଚଳଚିତ୍ରର ନଗ୍ନଚିତ୍ର ଗୋଟିଏ ପଟେ । ଅନ୍ୟପଟେ ଭେକହୀନ ବିପୁଳ ଜନତାର ହା ହା ଚିତ୍କାର, ଟଙ୍କାର ଭୋକିଲା ମଣିଷ ପାଇଁ ଶୁଖିଲା ରୁଟିର ଆହ୍ୱାନ । ସେମାନେ ଗୋଟିଏ ପଟେ ରହି ଟାଣୁଛନ୍ତି ଏ ମଣିଷ ଜାତିଟାକୁ ଗୋଟିଏ ଉଲଂଘ କାଳରେଖା ଉପରକୁ । ମାନୁଛି ଛନ୍ଦା ! ଯୁଗ ଆଗେଇ ଚାଲିଛି । ସେ କେବେ ପଛାଇ ଯାଏ ନାହିଁ । ବୈାଜ୍ଞାନିକକୁ ଆଗରେ ରଖି ତା’ର ପଛରେ ଅଛି ଯେଉଁ ହା ହତାଶର ନିଆଁ- କୁହେଳିକା, ସେ ବି ଅଟକିବ ନାହିଁ । କିନ୍ତୁ ଗତି କୁଆଡ଼େ ? ସଭ୍ୟ ମାନବର ଉଦ୍ଦ୍ଯମ , ପରମାଣୁ ବୋମା ଭିତରକୁ ନା ଇରାକ୍ ଓ ଆଫଗାନିସ୍ଥାନର ମଶାଣି ପଦାକୁ; ନା…… ଏ ତୃତୀୟ ବିଶ୍ୱଯୁଦ୍ଧର କଳ୍ପନା ରାଜ୍ୟକୁ?
ଭଁ ……………. ଅଁ ………….. ଅଁ…………… ଅଁ ଅପେକ୍ଷା ନକରି ଉତ୍ତର ଦେଲା ନିକଟବର୍ତ୍ତୀ ଯୁଦ୍ଧ ଉଡ଼ାଜାହାଜ କାରଖାନାର ଗୋଟିଏ ଇଙ୍ଗିତ । ପରେ ଯନ୍ତ୍ର ଶବ୍ଦକୁ ଆଡ଼େଇ ଦେଇ ପ୍ରବେଶ କଲା ଗୋଟିଏ ନିସ୍ତବ୍ଧ ରାଜତ୍ୱର ପରିକ୍ରମା ।
ଘର ମଧ୍ୟରେ ଦୁଇଟି ପ୍ରାଣୀ । ସମସ୍ତେ ଭାବାପନ୍ନ । ଦର୍ଶନ ତତ୍ତ୍ୱର ରତ୍ନ ସାଉଁଟିବାରେ ବ୍ୟସ୍ତ । ତାହାରି ମଧ୍ୟରେ ପ୍ରବେଶ କଲେ ବିନୋଦ । ଝଲସି ଉଠିଲା ଚିନ୍ତାମଗ୍ନ ମଣିଷର କ୍ଷୀଣ ହାସ୍ୟରୁ ଝଲକାଏ । ଇଙ୍ଗିତ ଦେଲେ ରବିନନ୍ଦନ ବସିବାକୁ । ପୁଣି ଯୋଗହେଲା କଥୋପକଥନର ସୁଅ– ତୁମ୍ଭର ବହୁତ ଡ଼େରି ହୋଇଗଲା ରବି!
–ନା ଭାଇ ! ବାପା ଖଣ୍ଡପଡ଼ା ଚୈାଧୁରୀଙ୍କ ଠାରୁ ୨୦୦୦ ଟଙ୍କା କରଜ କରିଥିଲେ । ତାକୁ ବଢ଼ାଇ ସୁଧ ମୂଳ ସହିତ ୩୦୦୦ ଟଙ୍କା ତାଗିଦ କରି ଦେଇ ଯାଇଥିଲେ । ସେହି ଟଙ୍କା ଦେବାକୁ ଯାଇଥିଲି । ଆଚ୍ଛା ବିନୋଦ ତୁମ୍ଭର ରୋଗାକ୍ରାନ୍ତ ଭାଇଙ୍କ ହାଲ୍ କ’ଣ ?
–ନା ଅବସ୍ଥା ସେତେ ଭଲ ନୁହେଁ । ଡ଼ାକ୍ତର ଖାନାରେ ତାଙ୍କୁ ବହୁତ କଷ୍ଟରେ ଭର୍ତ୍ତି କରିଦେଇ ଆସିଛି । ଡ଼ାକ୍ତର ଚାହୁଁଛନ୍ତି ୧୦୦୦ ଟଙ୍କା କିଳା ପୋତେଇ । ସେତିକି ଦେବାକୁ ହେବ ତାଙ୍କୁ । ନ ହେଲେ ମୋ ଚୁଟି ତାଙ୍କ ହାତରେ । ଗୋଟିଏ ପଟେ ଭାଇର ଜୀବନ । ଆଉ ଗୋଟିଏ ପଟେ ଦୁର୍ନିତିର ବୋଝ । ବିନୋଦ କହିଲେ ରବି ମୋର ଅତି କମରେ ଆଉ ୨୦୦୦ ଟଙ୍କା ଦରକାର । ନ ହେଲେ ଭାଇଙ୍କୁ ବଞ୍ଚାଇବା ଅସମ୍ଭବ ହୋଇପଡ଼ିବ । କେଉଁଠି କିଛି ନ ପାଇ ତୁମ୍ଭରି ପାଖକୁ ଚାଲି ଆସିଛି ।
ସଙ୍ଗେ ସଙ୍ଗେ ବଳକା ସମୁଦାୟ ସମ୍ବଳ ୧୫୦୦ ଟଙ୍କା ବିନୋଦଙ୍କ ହାତକୁ ବଢାଇ ଦେଇଥିଲେ ରବି ନନ୍ଦନ ।
+ + + +
ଏହା ମଧ୍ୟରେ ଦୁଇମାସ ବିତି ଗଲାଣି । ରବିନନ୍ଦନ ଦେଇଥିବା ଟଙ୍କାରେ ପ୍ରାୟତଃ ସନ୍ତୁଷ୍ଟ ହୋଇ ନଥିଲେ ଚୈାଧୁରୀଏ । ରବିନନ୍ଦନଙ୍କ ବାପା ଥରେ କୁଆଡେ କେଇପଦ କଟୁକଥା କହିଦେଇ ଥିଲେ ଚୋଧୁରୀଙ୍କୁ । ତାଙ୍କର ରାଗ ଥିଲା ଏ ଘରଟା ଉପରେ ।
ସେଦିନ ଶ୍ରାବଣର ନିଃସ୍ତବ୍ଧ ସକାଳ । ୨୮୪୦୦ ଟଙ୍କା ୫୦ ପଇସାର କୋରକ ଆଣି ହାଜର କଲେ ଚୈାଧୁରୀ । ଘରେ କପର୍ଦ୍ଦକ ମଧ୍ୟ ନ ଥିଲା । ଚଳନ୍ତି ଅଚଳନ୍ତି ସମସ୍ତ ଜିନିଷ ହେଲା ନିଲାମ । ରବି ନନ୍ଦନଙ୍କ ମୁଣ୍ଡରେ ଚଢ଼ିଲା ରକ୍ତ । ଯେପରିକି ସେ ଚୈାଧୁରୀଙ୍କୁ ଟିକି ଟିକି କରି ଚିରି ପକାଇବେ । କିନ୍ତୁ ସେ କିଂକର୍ତ୍ତବ୍ୟବିମୁଢ଼ ହୋଇ ରହିଗଲେ । ପୁଲିସ୍ ସିପାହୀ ମାନଙ୍କ ଉପସ୍ଥିତିରେ ଘରୁ ସବୁ ଟିକ୍ନିକ୍ ପଦାର୍ଥ ବାହାର କରି ନିଲାମ କରାଇଦେଲେ । କୋରକର ମୂଲ୍ୟ ସହିତ ତଥାପି ପଦାର୍ଥର ମୂଲ୍ୟ ସମାନ ହେଲା ନାହିଁ । ଘର ଖଣ୍ଡିକ ଏବଂ ଡିହଟି ମଧ୍ୟ ନିଲାମ ହେଲା । ସେତିକି ଛାଡ଼ି ଯିବାକୁ ବହୁତ ଅନୁରୋଧ କରିଥିଲେ ରବି ନନ୍ଦନ । କିନ୍ତୁ କିଛି ଫଳହେଲା ନାହିଁ । ସବୁ ହେଲା ନିଲାମ ।
ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ । କିଏ ବା ଦେବ ଅଭୟ । ସମସ୍ତେ ତ କାମୁଡ଼ା କୁକୁର ଏ ସମାଜର । ଘରୁ ବାହାରି ଗଲେ । ଏବେ ସମ୍ବଳ ହୀନ, ଅସହାୟ ମଣିଷଟିଏର ରୂପ ରୂପାନ୍ତରରେ ରୂପାନ୍ତରିତ ହୋଇ ଗଲେ ରବିନନ୍ଦନ ।
–ଛନ୍ଦା ! ତୁମେ କାହିଁକି ଏକା ରହିବ ? ତୁମର ଏ ବାହାର ଦୁନିଆରେ ଚଳିବାକୁ ବହୁତ ଅସୁବିଧା ହେବ ! ତୁମ୍ଭେ ତୁମ୍ଭର ବାପ ଘରକୁ ଚାଲିଯାଅ ।
–କେଉଁଠିକି ଯିବି ? ବାପା, ମା, ଭାଇ, ଭଉଣୀ ତ କେହି ନାହାଁନ୍ତି । ମୁଁ କ’ଣ ଯାଇ ପାରିବି ଦାଦି ଖୁଡ଼ୀଙ୍କ ପାଖକୁ ଯେଉଁ ମାନଙ୍କ ମୁହଁରେ ଫୁଟି ଉଠେ ମୋ ପାଇଁ ସହସ୍ର ବ୍ୟଙ୍ଗ ବିଦ୍ରୂପୋକ୍ତି । ଯେଉଁମାନେ ପିତାଙ୍କର ସର୍ବସ୍ୱ ହସ୍ତାନ୍ତର କରି ନେଇ ମୋତେ କୁଟିଳ ଅକ୍ଷେପ କରିବାକୁ ଭୁଲି ନାହାଁନ୍ତି । ହଜାର ହଜାର ଗରିବ– ସମାଜର ଏହି ଜାଲ୍ ଜୁଆ ଚୋରିକୁ ଏଡ଼ାଇ ଦେଇ ପାରିଛନ୍ତି । ହସି ହସି ଆଉ କେତେକ ମଧ୍ୟ ସମାଜର ଏହି ନଗ୍ନ ଚରିତ୍ର ତଳେ ମୁଣ୍ଡ ପୋତି ଦୂରେଇ ଯାଇଛନ୍ତି ସମାଜର ନିର୍ଯ୍ୟାତନା ଠାରୁ ! ଆଖିରେ ଭରିଛନ୍ତି ଲୋତକର ଧାରା । ପଚାସଢ଼ା ମୁଠେ ଖାଇବାକୁ ନପାଇ ଲିଭି ଯାଇଛନ୍ତି ଦୁନିଆ ବକ୍ଷରୁ । ସେମାନେ ତ ମଣିଷ? ସେହି ମାନଙ୍କ ଭଳି ବରି ନେବା ସ୍ୱଚ୍ଛ, ପବିତ୍ର ଫାଙ୍କା ଜୀବନ ।
–ମିଶି ପାରିବ ତ ଛନ୍ଦା ସେମାନଙ୍କ ସହିତ ?
— ହଁ ମିଶି ପାରିବି । କେବଳ ମୋତେ ଦୂର ନ କଲେ ହେଲା ଏ ଶ୍ରୀ ପଦରୁ ।
ଦୁହେଁ ଚାଲିଥାନ୍ତି ଆଗକୁ ଆଗକୁ ଢେରେ ଆଗକୁ । ଚିନ୍ତାକଲେ ରବି ନନ୍ଦନ– ଏ ବିପର୍ଯ୍ୟୟ ବେଳେ ତେବେ ସେ କ’ଣ ବିନୋଦକୁ ମାଗିବେ ଆଶ୍ରୟ? ଦେବ ତ ସେ ? ବନ୍ଧୁ-ସେ ପୁରୁଣା ଦିନର ବନ୍ଧୁ ।
ଶ୍ରାବଣର ଶୁକ୍ଳ ତିଥିରେ ଚାନ୍ଦ ମେଘକୁ ମେଘ ବୁଲି ପୁଚି ଖେଳରେ ବ୍ୟସ୍ତ । ସମୁଦ୍ରର ଜୁଆର ପରେ ଭଟ୍ଟା ଆସିବା ଭଳି ଆଲୋକ ପରେ ଛାଇ, ଛାଇ ପରେ ଆଲୋକ ଆସି ସେମାନଙ୍କର ଦେହ ସ୍ପର୍ଶ କରି ଚାଲି ଯାଉଥାନ୍ତି ।
ଏଇ ତ ବିନୋଦର ଘର । ରବିନନ୍ଦନ ଡ଼ାକିଲେ– “ବିନୋଦ!” ବାହାରକୁ ଆସିଲେ ସେ ଆଗରୁ ସବୁକଥା ତ ଶୁଣିଥିଲେ । ତଥାପି ମିଥ୍ୟା ହସର ଇଙ୍ଗିତକୁ ସାଙ୍ଗ କରି କୂଟନୀତିରେ ପ୍ରହାର କଲେ ।
— “ରବି ! ମୁଁ ଟିକେ କଟକ ଯାଉଛି, ବହୁତ ଜରୁରୀ କାମ ଅଛି, ଆସିଲେ କଥା-ବାର୍ତ୍ତା ହେବା ।” ତାହା ପରେ ସେ ବାହାରି ଯାଇଥିଲେ । କିନ୍ତୁ, ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରିଥାନ୍ତେ ଭଲା ?
ରବି ନନ୍ଦନ ସବୁକଥା ବୁଝି ପାରିଲେ । ଏ ଦୁନିଆଟା ବିଶ୍ୱାସ ଘାତକତାର ଦୁନିଆ । କାହାରି ଦୋଷ ଏଥିରେ କିଛି ନାହିଁ । ସବୁ ଭାଗ୍ୟର ଦୋଷ । ଆଉ ଆଶ୍ରୟ ଟିକେ ପାଇଁ ହାତ ପାତିବ କାହାକୁ ? ସବୁଠାରୁ ଶ୍ରେଷ୍ଠ ଆଶ୍ରୟ ତ ଗଛମୂଳ ।
ପର ଦିନର ମଧୁର ସକାଳ । ପୂର୍ବାକାଶରୁ ଉଇଁ ଆସିଲା ଅନ୍ତିମ ସୂର୍ଯ୍ୟ ଝିଲିମିଲି ହୋଇ । ମେଞ୍ଚାଏ ପକ୍ଷୀ ଉଡ଼ିଗଲେ ଦୂର ଦୂନିଆକୁ ଖାଦ୍ୟ ସଂଗ୍ରହାର୍ଥେ, ନିକଟସ୍ଥ ଉଡ଼ାଜାହାଜ କାରଖାନାରୁ ଭାସି ଆସିଲା ଦିବସର ପ୍ରଥମ ଇଙ୍ଗିତ । କର୍ମମୟ ମଣିଷ ହେଲେ ଚଳଚଞ୍ଚଳ । ମନରେ ଉଠିଲା କେତେ ସାହସ, କେତେ ଉଦ୍ଦୀପନା । ସେହି ହେବ ଜୀବନ ନିର୍ବାହର ଶ୍ରେଷ୍ଠ ସହାୟ ।
+ + +
ଉଡ଼ାଜାହାଜ କାରଖାନାରେ ଶ୍ରମିକ ରବିନନ୍ଦନ ଆଉ ପାଖରେ ତାଙ୍କର ପତ୍ନୀ । ଦେହରେ କ୍ଳାନ୍ତି ନାହିଁ, ମନରେ ଶାନ୍ତି ନାହିଁ । ମାତ୍ର ଖାଲି ବିଷାଦ । ପୁରାମୁଠେ ଖାଇବାର ଅଭାବ, ମୁଣ୍ଡ ଗୁଞ୍ଜିବାକୁ ଘରର ଅଭାବ । କେବେ କେମିତି ଆଖିରୁ ଝରି ପଡ଼େ ଲୁହ । ଶ୍ରାବଣର ଧାରା ଆଉ କେତେ ସହନ୍ତା ଏ ଗରିବ ସମାଜର ଦହଗଞ୍ଜ । ସେ ବି କାନ୍ଦିଲା । ବରଗଛ ଶ୍ରାବଣର ଏ ଧାରାକୁ ଅଟକାନ୍ତା ଅବା କିପରି ? ଶର୍ଦ୍ଦି ଜ୍ୱର ହେଲା ଦୁହିଁଙ୍କୁ । କ୍ରମଶଃ ନିମୋନିଆଁ । ଦୁଇଓଳା ମୁଠେ ଖାଇବାକୁ ନାହିଁ । ଔଷଧର ପ୍ରଶ୍ନ ଆସିଲା କୁଆଡ଼ୁ ।
ରବିନନ୍ଦନ ମାଗିଲେ ପାଣି ଟୋପେ..
ଭାରି……ଶୋ….. ଷ– ଏଥର ଢଳି ପଡ଼ିଲେ । ଆଉ ନ ଥିଲେ ସେ ପିଇବାକୁ । ଛନ୍ଦାଙ୍କ ଆଖିରେ ନଥିଲା ଲୁହ । ଦେହ ହୋଇ ଆସିଥିଲା ଶିଥିଳ । ସେ ବି ଢଳି ପଡ଼ିଲେ ତାଙ୍କର ନିର୍ଜୀବ ଛାତି ଉପରେ ।
ଦୁଇଟା ପ୍ରାଣ, ଦୁଇଟି ଦେହ ଥିଲା ଏକା । ଆଜିବି ଏକ, ଏକ ହୋଇ ଉଠି ଯାଇଛନ୍ତି କାଳ ନର୍ତ୍ତନମୟ ସମୁଦ୍ର ବକ୍ଷକୁ । ଏକ ହୋଇ ଉଡ଼ି ଯାଇଛନ୍ତି ବେଳା ଭୂମିକୁ– ପାର୍ଥିବରୁ-ଅପାର୍ଥିବକୁ– ଯାହା ଚିରନ୍ତନ ଶାଶ୍ୱତ ।
6 comments
Wow, superb weblog layout! How long have you ever been running a blog for? you made running a blog glance easy. The full look of your website is magnificent, let alone the content!
I will immediately grab your rss feed as I can’t find your e-mail subscription hyperlink or e-newsletter service. Do you have any? Please permit me realize in order that I may subscribe. Thanks.
Outstanding post, you have pointed out some wonderful details , I also conceive this s a very superb website.
F*ckin’ amazing things here. I am very glad to look your post. Thank you a lot and i am looking forward to touch you. Will you please drop me a mail?
Hello my friend! I wish to say that this article is awesome, great written and come with almost all vital infos. I would like to look more posts like this .
Today, while I was at work, my cousin stole my apple ipad and tested to see if it can survive a forty foot drop, just so she can be a youtube sensation. My apple ipad is now broken and she has 83 views. I know this is totally off topic but I had to share it with someone!