ସାହିତ୍ୟିକ ଧୀର ବାବୁ ଏକ ଆକଳନ
—–by ସତ୍ୟ ପ୍ରକାଶ ସେଠୀ
ଆମ ଏଇ ଧୀର ବାବୁ, ଆମ ପାଖ ପଡ଼ୋଶୀ। ଆମ କଲୋନୀରେ ରହନ୍ତି। ଗାମ୍ଭୀର୍ଯ୍ୟପୂର୍ଣ୍ଣ ସ୍ବଭାବସିଦ୍ଧ ତାଙ୍କ ଚେହେରା। ଲୋକଟି ଗୁଣୀକର। ଟିକିଏ ପାଣ୍ଡିତ୍ୟ ଭାବ ତାଙ୍କଠିଁ ଅଧିକ। ଅଙ୍ଗ୍ରେଜୀରେ ପ୍ରଫେସର ଥିଲେ। ସେଇଥିପାଇଁ ଓଡ଼ିଆ ସାହିତ୍ୟ ଦରବାରରେ ସେ ପ୍ରଚଣ୍ଡ ପ୍ରତିଭା ରୂପେ ବେଶ୍ ଖ୍ୟାତ। ପ୍ରଚଣ୍ଡ ବାକ୍ ବିତଣ୍ଡା ଓ ପଦ ମର୍ଯ୍ୟାଦାକ୍ଷୂର୍ଣ୍ଣ ହେବାର ଅସହ୍ଯ ଯନ୍ତ୍ରଣା ଯୋଗୁଁ ସେ ଚାକିରୀ ଛାଡ଼ି ଏବେ ଘରେ ବସିଛନ୍ତି। ଅସଲ କଥାଟା ହେଲା ପିଲାମାନେ ଆମେରିକା ଭଳି ସହରରେ ରହୁଛନ୍ତି, ମୁଠା ମୁଠା ଟଙ୍କା ଦେଉଛନ୍ତି, ତେଣୁ ବୁଢ଼ାଙ୍କର ଅଭାବ କ’ଣ ଯେ ପର ଘରେ ଯାଇ ନୌକରୀ ଖଟିବେ? ବେଶ୍ ଏକା ଏକା ରହୁଛନ୍ତି। ପରାଧୀନତା କୁଆଡ଼େ ତାଙ୍କୁ ମୋଟେ ଭଲ ଲାଗେ ନାହିଁ। ଦିନ ସାରା ସଭା ସମିତି କରନ୍ତି, ରାତିରେ ସାହିତ୍ୟ ସାଧନା, ତେଣୀୀ ଆଉ କିଛି କଥା ପାଇଁ ତାଙ୍କୁ ତର ନାହିଁ। ସାହିତ୍ୟାସର ଓ ସାହିତ୍ୟ ସଭାଟା ମୁଖ୍ୟ। ବେଶ୍ ଟାଣ ଗଳାରେ ଦୁଇ ପଦ ଝାଡ଼ନ୍ତି। ସେଥିପାଇଁ କାଳେ ଲୋକଙ୍କର ଆଦର ବେଶୀ। ମନରେ ତାଙ୍କର ବି ଗର୍ବ- ଯାହା ହେଉ, ଅନ୍ୟ ମାନଙ୍କଠାରୁ ଲୋକେ ତାଙ୍କୁ ଉତ୍କୃଷ୍ଟ ମଣୁଛନ୍ତି। ସେଥିସକାଶେ ସେ କାନି ଝାଡ଼ି ବାଟ ଚାଲନ୍ତି।ନର ଲୋକକୁ ସେ ପଦେ କହନ୍ତି ନାହିଁ। ରାସ୍ତାରେ ଗର୍ଭଣା ଗାଈ ତାଙ୍କୁ ବାଟ ଛାଡିଦିଏ, ମାର୍କେଟରେ ତାଙ୍କର ଭାଉ ଅଧିକା। ଖାତିରଟା ବେଶୀ।
ଏହି କଲୋନୀରେ ସେ ରହନ୍ତି, ହେଲେ କାହା ସହ ଆଳପ ବା ମିଶିବାଟା ମୁଁ ଦେଖି ନାହିଁ। ଲୋକେ ତାଙ୍କ ବିଷୟରେ ଅନେକ କଥା କୁହାକୁହି ହୁଅନ୍ତି। ମୁଁ ଭାବିଲି – ଦିନେ ଲୋକଟା ପାଖକୁ ଯାଇ ତା’ ହାବଭାବ ଟିକିଏ ଠଉରେଇ ଆସିବି।
ସକାଳୁ ସକାଳୁ କଲିଙ୍ଗ୍ ବେଲଟା ଦେଇ ଦେଲି। ବୁଢ଼ା ଘର ଭିତରୁ ଆଲସେସିଅନ୍ କୁତା ଭଳି ଭୁକି ଉଠିଲେ-କିଏ ସେ? ମୁଁ ଶଙ୍କି ଗଲି। କହିଲି – ମୁଁ ସତ୍ୟ ଆଜ୍ଞା। ଆହୁରି କଠୋର ଓ କର୍କଶ ହୋଇ ଉଠୁଥାଏ ଗଳା – କୋଉ ସତ୍ୟ? କୁଆଡ଼େ ଆସିଛ?? ମନେ ମନେ ଭାବୁଥାଏ – ଲୋକଟା କେଡ଼େ ଅଭଦ୍ରାଟା କି ।ହେଲେ ମନର ଭାବ ମନରେ ମାରି କହିଲି – ଆଜ୍ଞା! ଏହି କଲୋନୀରେ ମୋ ଘର, ସାକ୍ଷାତ କରିବାକୁ ଟିକିଏ ଆସିଥିଲି। ମୁଁ ନୂଆ କରି ଟିକେ ସାହିତ୍ୟ ସାଧନା କରୁଛି ତ, ସେଇଥିପାଇଁ ଆପଣଙ୍କ ପରାମର୍ଶ ଓ ଟିପସ୍ ଟିକେ ନେବାକୁ ଆସିଛି। ବୁଢ଼ା ତ ଆହୁରି ଫୁଲି ଉଠିଲା। ହେଲେ ଔଦ୍ଧତ୍ୟ ବଢିବାକୁ ଲାଗୁଥାଏ। ବସିବାକୁ ତ କହିଲେ ନାହିଁ, ନ କୁହନ୍ତୁ, ହେଲେ ଦାଣ୍ଡ ପିଣ୍ଡାରେ ଛିଡା କରେଇ ଏମିତି ବକିଲେ ଯେ, ଯେମିତି ମୁଁ ତାଙ୍କ ଶ୍ରୋତା, ସେ ମୋ ବକ୍ତା। ପୁଣି ପାଟିରୁ ପ୍ରତ୍ୟୁତ୍ତର ଦେବା ପାଇଁ କିଛି ଉଙ୍କାରିଲା କ୍ଷଣି, ଯେମିତି ପୁଲିସ କଏଦୀକୁ ଶାସନ କରେ ଠିକ୍ ସେଇ ଠାଣିରେ…. ।
ମନେ ମନେ ଭାବୁଥାଏ – ପଟାସ ପଟାସ ୟା ଗାଲରେ ଦୁଇ ଚଟକଣି ବସି ଗଲେ ଲୋକଟା ସିଧା ହୋଇଯାନ୍ତା। ଏ ସାହିତ୍ୟ ସାଧନା କରୁଛି ନା ଢୋଙ୍ଗି ବାବା ହୋଇଛି। ଆଜି କାଲି ତ ଚୋରେଇ ଅନୁବାଦ କରିବା ଓ କପି କରି ସାହିତ୍ୟକ ବୋଲାଇବା ଲୋକଙ୍କର ଅଭାବ ନାହିଁ, ଏଇଟା ତା ଭିତରୁ ଗୋଟେ ନୁହଁ ତ?
ମୋତେ ଭାଷଣ ଝାଡ଼ିଲେ – ସାହିତ୍ୟ ସାଧନା କ’ଣ ଖେଳ ଘର କଥା ହୋଇଛି କି? ଏଇଟା ବିନା ଗୁରୁ ବିଦ୍ୟା ନୁହଁ। ପୁଣି ବହି ପତ୍ର କିଣି ଗୋଛା ଗୋଛା ବହି ପଢିବାକୁ ହେବ। ଦେଖୁନ! ମୋ ଘରେ ମୁଁ କେମିତି ଗୋଟେ ଲାଇବ୍ରେରୀ କରିଛି?
ସତ କଥା ତାଙ୍କ ଦାଣ୍ଡ ଘରେ ଲାଇବ୍ରେରୀଟେ ଅଛି, ଯେଉଁଠି ବହିର ପାହାଡ଼ ପରିକା ଗଦା, ଖେଳଣା ପରିକା ସଜା ଯାଇଛି।
ମୁଁ କହିଲି – ସାର୍ ଯେତେ ସବୁ କଥା କହିଲେ, ସେ ସବୁ କଥା ଗୁଡାକର ସାମଞ୍ଜସ୍ୟ ଆପଣଙ୍କଠିଁ ଅଛି। ତେଣୁ ଆପଣ ହେଉଛନ୍ତି ଅସଲ ଗୁରୁ, ମୁଁ ଆଉ କାହିଁକି କାହାକୁ କେଣେ ଖୋଜିବି? ଆପଣ ମୋର ଆଜିଠୁଁ ଗୁରୁ।
ବୁଢ଼ାକୁ କଥାଟା ବୋଧେ ମନକୁ ପାଇଲା। ଥୋଡ଼େ ଖଣ୍ଡ ଆଗ ହସି ନେଲେ। ମୁଁ ପ୍ରଥମ କରି ତାଙ୍କ ହସ ଦେଖିଲି। ତା’ପାରେ ଆଖି ପୁଣି ରଙ୍ଗା ହୋଇ ଗଲା। ସେ ବେଶ୍ ଟାଣ ଗଳାରେ ଓ ତାଚ୍ଛଲ୍ୟ ଭରା ଓଠରେ କହିବାକୁ ଲାଗିଲେ- “ତୁମେ! ତୁମେ ସାହିତ୍ୟ ସାଧନା କରିବ? ସାହିତ୍ୟକୁ କ’ ଣ ବୋଲି ଭାବିଲ କି ହୋ! ଏଇଟା ସରସ୍ଵତୀଙ୍କ ସାଧନା।ପଳା ପଳା! ଅନ୍ୟ କିଛି କର, ସାହିତ୍ୟ କଥା ଭୂଲି ଯା’। ତୁମ ଭଳିଆ କେତେ ଫୁଟ୍ ପାଥିଆ କବି ରାସ୍ତା କଡ଼ରେ ବୁଲୁଛନ୍ତି। କବିତାକୁ କାଗଜ ଡଙ୍ଗା କରି ପାଣିରେ ଭଷାଇ ଛୁଆଙ୍କ ସାଙ୍ଗରେ ଖେଳିବ ଯାଅ। ”
ଆଉ ଅଧିକ କିଛି ନକହି ଅପମାନିତ ହୋଇ ଫେରି ଆସିଲି। ମନେ ମନେ ପ୍ରତିଶୋଧର ବହ୍ନି ପ୍ରଜ୍ଜଳିତ ହେଉଥାଏ। ବାଣୀକୁ ଜୀବନରେ ସାଧନାର ବ୍ରତ ରୂପେ ଆଦରି ନେଲି। ମୋ ସାହିତ୍ୟକୁ ଅନୁଗ୍ରହ କରି ଜଣେ ପୁସ୍ତକ ପ୍ରକାଶକ ଛାପି ଦେଲେ। ସେଇଟି ଏଭଳି ଚର୍ଚିତ ହେଲା ଯେ, ଦିନେ ମୋତେ ଶ୍ରେଷ୍ଠ ସାହିତ୍ୟିକ ସମ୍ମାନରେ ସମ୍ମାନିତ କରାଗଲା। ମିଡିଆବାଲା ଘରକୁ ଧାଇଁଲେ। ଧୀର ବାବୁ ଆଗ ଆସି ମୋ ଘର ସାମ୍ନାରେ ହାଜର। ମିଡିଆକୁ ସେ ବାଇଟ୍ ଦେଉଥାନ୍ତି _”ମୁଁ ତାକୁ ପରାମର୍ଶ ଦେଇଥାଏ, ସେ ମୋତେ ଗୁରୁ ରୂପେ ମାନେ। ”
ମନେ ମନେ ଭାବେ- କି ବେହିଆ ଲୋକଟେ କି? ଲୋକଟା ସତରେ ସାହିତ୍ୟିକ ନା ପ୍ରଚାର ପ୍ରସାର ଧର୍ମୀ ଭିନ୍ନ୍ ଏକ ବ୍ୟକ୍ତିତ୍ଵ।
” ଏ ସାହିତ୍ୟ ସାମ୍ରାଜ୍ଯର ସମ୍ରାଟ(ଯେଉଁମାନେ ପ୍ରତିଷ୍ଠିତ ହୋଇ ସାରିଛନ୍ତି) ମାନଙ୍କ ଦ୍ଵାରା ପ୍ରଜା (ଯେଉଁମାନେ ନୂଆ କରି ସାହିତ୍ୟ ସାଧନା କରୁଛନ୍ତି) ମାନେ ବଡ଼ ଶୋଷିତ ଓ ଅତ୍ୟାଚାରିତ ହୁଅନ୍ତି। ଗାଁ ମାଇପେ (ଯେଉଁମାନଙ୍କର ପାଠ ସାଠ ଟିକିଏ କମ୍) ଙ୍କଠାରୁ ଏମାନଙ୍କଠିଁ ଇର୍ଷାଟା ଅଧିକ। ସାହିତ୍ୟନୁରାଗ କମ୍। ଏଇଟା ପ୍ରକୃଷ୍ଟ ଯୁଦ୍ଧ କ୍ଷେତ୍ର ଯେଉଁଠି ପ୍ରତିଦ୍ୱନ୍ଦିତା ଉତ୍କୃଷ୍ଟ ମାଧ୍ୟମ ଖୋଜୁଥାଏ। ସେଇ ଅସହିଷ୍ଣୁତାର ସ୍ମାରକୀ। କେହି କାହାକୁ ସହି ପାରନ୍ତି ନାହିଁ। ଅନ୍ୟକୁ ଟିକେ ଉପଦେଶ ବା ପରାମର୍ଶ ଦେଇ, ତାକୁ ପଥ ପ୍ରଦର୍ଶନ କରିବା – କେହି ଚାହାଁନ୍ତି ନାହିଁ। ବରଂ ତା ତ୍ରୁଟି ବିଚ୍ୟୁତିକି ଅଙ୍ଗୁଳି ନିର୍ଦ୍ଦେଶ କରି, ସର୍ବ ସାଧାରଣରେ ବେଜ୍ଜିତ କରି ତା’ ସ୍ପୃହା ଓ ସୃଜନଶୀଳତାକୁ ନଷ୍ଟ କରି ଦେଇଥାନ୍ତି। ଗୋଟାଏ ସାହିତ୍ୟ ବା ସାହିତ୍ୟିକକୁ ପ୍ରୋତ୍ସାହନ ବା ବଢାବା ଦେବା କଥା କେହି କେବେ ଚିନ୍ତା କରେ ନାହିଁ। ବରଂ ଆମେ, ଆମେ ବଡ଼ର ଡିଣ୍ଡିମାଟି ବେଶୀ ବାଜେ। ଏତେବେଳେ ସାହିତ୍ୟ ବଞ୍ଚି ରହିବ ତ? ନୂଆ ସାହିତ୍ୟିକଟେ ସୃଷ୍ଟି ହୋଇ ପାରିବ ତ? “–ଏମିତି କିଛି ବାର୍ତ୍ତା ସେଦିନ ମୋ ପାଟିରୁ ଅକସ୍ମାତ୍ ବାହାରି ପଡ଼ିଲା।
ଦେଖିଲି –ଧୀର ବାବୁଙ୍କ ମୁହଁଟା ଶୁଖି ଯାଇଥାଏ, ତଳକୁ ମୁହଁ ହାଣି ଗୋଡ଼ର ବୁଢ଼ା ଆଙ୍ଗୁଠିରେ ଦୁବ ମୂଳଟାକୁ ଉଖାଡୁ ଥାନ୍ତି।