ଶ୍ରୀ ସତ୍ୟ ପ୍ରକାଶ ସେଠୀଙ୍କ ରଚିତ ଗଳ୍ପ ସଂକଳନଟି ପାଠ କଲାପରେ ମନେହେଲା ପ୍ରବୀଣ କେହି ଜଣେ ଗାଳ୍ପିକ ଏହିପରି ବହି ଲେଖିଛନ୍ତି। ସଂଚିତ ଗଳ୍ପ ମାନଙ୍କରେ କେତେକ ମର୍ମସ୍ପର୍ଶୀ ବାର୍ତ୍ତାଳାପର ଅନ୍ତଧ୍ୱର୍ନି ଯେପରି ରସାଳ ଓ ଛବିଳ କରି ଦେଉଛି ପାଠକର ଆଖିକୁ, ମନକୁ । “ବୋଉଲୋ” ଏଇ ଗଳ୍ପର ଶୀର୍ଷକଟି କେତେ ଅନ୍ତରଙ୍ଗ ! ଏଥିରେ ପ୍ରକାଶ ପାଇଛି ଏକ ଯନ୍ତ୍ରଣାଦଗ୍ଧ ଆବେଗ ଉଦ୍ବେଗର ଭାବନା । “ମାଟି ମା-’ ଗଳ୍ପଟି ଗ୍ରାମ୍ୟ ମଣିଷର ସଂଘର୍ଷ ଓ ସ୍ୱପ୍ନର ସଙ୍କେତ ଦିଏ । ଭାଷା ସାବଲୀଳ ଏବଂ ଅନେକତ୍ର ବର୍ଣ୍ଣନାତ୍ମକ ହୋଇ ଥିବାରୁ ଏଥିପାଇଁ ପରିଶ୍ରମ କରିବାକୁ ପଡ଼େ । ଏ ଦୃଷ୍ଟିରୁ କଥାକାର ଶ୍ରୀ ସେଠୀ ଗଳ୍ପ ଭିତରେ ତାଙ୍କର କବିତ୍ୱର ସ୍ପନ୍ଦନ ଉପସ୍ଥାପିତ କରି ପାରିଛନ୍ତି । ନାସ୍ତିବାଣୀ “ଭୋଦେଇ ଖରା” “ଶେଷ କେଇପଦ କଥା” “ଅସ୍ତାଚଳର ସୂର୍ଯ୍ୟ” ଗଳ୍ପ ମାନଙ୍କରେ ବାସ୍ତବତା ଖୋଜି ବାହାର କରିବାକୁ ହୁଏ । ଗଳ୍ପ ଲେଖନ ଶୈଳୀରେ ଗାଳ୍ପିକର ନୀଜସ୍ୱ ବୋଲି କିଛି ଦାବି କରିପାରେ- ସେ ଦାବି ଯଥାର୍ଥ । “ସରଗ ତଳେ”, “ନୀଳ ଗଗନର ପଥିକ”, “ବିଜିତା ଆରୋହିଣୀ” ରେ ଗାଳ୍ପିକତା ସହିତ କାଳ୍ପନିକତାର ସାର୍ଥକ ସମନ୍ୱୟ ହୋଇ ପାରିଛି । “ସ୍ୱୟଂ ସହାୟିକା ଗୋଷ୍ଠୀ” ଗୋଟିଏ ଆଧୁନିକ ନାରୀ ସମସ୍ୟା ଭିତ୍ତିକ ସୁନ୍ଦର କଥାବସ୍ତୁ, ଯାହା ସମାଜ ପାଇଁ ପ୍ରତିଶ୍ରୁତିପୂର୍ଣ୍ଣ । “କୃତି”, “ଭାଗ୍ୟ”, “ଆଲୋକର ଅନ୍ତରାଳେ” ଶୀତଳ ତୁଣ୍ଡୀ’ ଗଳ୍ପ ଗୁଡ଼ିକରେ ଚରିତ୍ର ଅପେକ୍ଷା ସମାଜ ଚିତ୍ରର ଆଭିମୁଖ୍ୟ ସ୍ପଷ୍ଟ ହୋଇ ଉଠିଛି । ଗଳ୍ପ ସଂକଳନଟି କଥାକାରଙ୍କ ମନୀଷାର ସ୍ୱାକ୍ଷର ବହନ କରିଛି ।
ଏହା ସମସ୍ତଙ୍କ ପାଇଁ ଆକର୍ଷଣୀୟ । “ବୋଉଲୋ ଭାରି ଭୋକ । ମୁଁ ଏବେ କାଗଜ ଖାଉଛି” – ଆରମ୍ଭରୁ ଶେଷଯାଏ ସେହି ଆତ୍ମୀୟତାର ସ୍ୱାଗତୋକ୍ତି । ‘ମାଟି ମା’ରେ ଏପରି ଗୋଟିଏ ଧାଡ଼ି ଅଛି ଯାହା ସମଗ୍ର ଗଳ୍ପର ମନ୍ତ୍ରବାଣୀ — “ଦିଅ ମା’ ଦିଅ । ମୋରି ହାତରେ ଟେକିଦିଅ । ହାତ ପାତି ଦେଇଥିଲା । ସେଇଠି ମଧ୍ୟ ଝରିପଡ଼ିଥିଲା କୃତଜ୍ଞତାର ଅଶ୍ରୁ ଟୋପେ । ତୋଟା ତଳେ ବସିଲା । ଆମ୍ବ ଗଛର ମାଳେ ମାଳେ ଝଙ୍କାଳିଆ ପ୍ରକୃତି ଝୁଲେ” – ସେଥିରେ ରହିଛ କାବ୍ୟିକ ଅଭିବ୍ୟକ୍ତି । ‘ନାସ୍ତିବାଣୀ’ ଗଳ୍ପଟି ଗୋଟିଏ ନଦୀକୁ ଆଶ୍ରୟ କରି ତା’ର ବକ୍ତବ୍ୟ ବାଢ଼ିଛି । ପ୍ରଥମ ଧାଡ଼ିରେ ତାହା ବେଶ୍ ବାରି ହୋଇଯାଏ — “କେଡ଼େ ମନ ଖୁସିରେ କୁଳୁକୁଳୁ ହୋଇ ବହି ଯାଉଛି ବିଟପା । ସତେକି ତା’ର ଜଳକାଚବେଣୀଟା ବେଶ୍ ଅସ୍ତବ୍ୟସ୍ତ ହୋଇ ଉଠୁଛି” । ‘ଭୋଦେଇ ଖରା’ ଗଳ୍ପରେ ପ୍ରାକୃତିକ ବିପର୍ଯ୍ୟୟର ଚିତ୍ରକୁ ସଫଳ ଭାବରେ ଅଙ୍କା ଯାଇ ପାରିଛି – “ମହା ପ୍ରଳୟର ତାଣ୍ଡବ ପରେ ଚାରିଆଡ଼େ ଶ୍ମଶାନର ସ୍ତୁପିକୃତ ପାହାଡ଼” । “ଶେଷ କେଇପଦ କଥା’ ଗଳ୍ପରେ ଗୋଟିଏ ଚରିତ୍ର ମଧ୍ୟରେ କିଛି ତାତ୍ତ୍ୱିକ ମନନଶୀଳତାର ପରିଚୟ ମିଳେ- “ଆଜି ବିଶ୍ୱାସ କରିହୁଏ ନା, ଏଭଳି ମଣିଷର କ୍ରମ ବିକାଶ କି ସତରେ ସମ୍ଭବ ? ତେବେ କଣ ସବୁ ସମ୍ଭବ; ଯଦି ଉଚ୍ଚାଭିଳାଷ ଓ ତାକୁ କାର୍ଯ୍ୟକାରୀ କରିବାର ଐକାନ୍ତିକ ପ୍ରଚେଷ୍ଟା ଓ ସାଧନ ମଣିଷ ପାଖରେ ଥାଏ” । ଅସ୍ତାଚଳର ସୂର୍ଯ୍ୟ” କଥାଟି ମୂଳରୁ ରହସ୍ୟମୟ ମନେହେଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଖୁବ୍ ସରଳ ଓ ସ୍ୱାଭାବିକ ହୋଇ ପାରିଛି -” ଦେହର ଉଷ୍ଣତା କମିଯାଇଛି । କିନ୍ତୁ ମୃତ ସୂର୍ଯ୍ୟର ପରେ ପୁଣି ଜନ୍ମ ନେବ ଏକ ନୂତନ ସୂର୍ଯ୍ୟ ଆଜି ବର୍ଷା ରାତି । ସେଦିନ ବି ଥିଲା ବର୍ଷା ରାତି, ଯେଉଁଦିନ ବାସନ୍ତୀ ନବବଧୂ ସାଜି ଆସିଥିଲା ” । ‘ସରଗ ତଳେ’ ଗଳ୍ପରେ ଯେଉଁ ଜ୍ୱାଳା କଥା ବସ୍ତୁକୁ ଆକ୍ରାନ୍ତ କରିଛି ତା’ର ଆଭାସ ମିଳେ-“ଏଇ ଚିତା ଜଳୁଚି ଜୁକୁ ଜୁକୁ ହୋଇ । ସନିଆ ମା’ ପୋଡ଼ା ହୋଇଥିଲା କାଲି । ଦୁଇଟା ପ୍ରାଣ, ଦୁଇଟା ଦେହ ଥିଲା ଏକା । ଆଜି ବି ଏକ । ଏକ ହୋଇ ଉଠିଯାଇଛନ୍ତି କାଳ ନର୍ତ୍ତନମୟ ସମୁଦ୍ର ବକ୍ଷକୁ । ଏକ ହୋଇ ଉଡିଯାଇଛନ୍ତି ବେଳା ଭୂମିକୁ — ପାର୍ଥୀବରୁ ଅପାର୍ଥୀବକୁ — ଯାହା ଚିରନ୍ତନ ଶାଶ୍ୱତ । ‘ନୀଳ ଗଗନର ତଳେ’ ଗଳ୍ପଟିରେ ଆରମ୍ଭରୁ ଭଲ ଲାଗିଲା ଭଳି ବର୍ଣ୍ଣନା- “ମୋଡ଼ି ହୋଇ ପାହାଡ଼ ଚୂଡ଼ା ବଢ଼ି ଯାଇଥିଲା ଉପରକୁ — ଖୁବ୍ ଉପରକୁ । ଆଜି ଦୁଇଟି ମନରେ ଅପୂର୍ବ ଆନନ୍ଦ, ଅପୂର୍ବ ସାହସ । ସତେ କି ସେମାନେ ଅସୀମ ଆକାଶର ବାଦଲ, ନୀଳ ବାରିଧିର ଉତ୍ତାଳ ତରଙ୍ଗ” । ‘ବିଜିତା ଆରୋହିଣୀ’ ଗଳ୍ପରେ ବୈବାହିକ ଜୀବନର ଗୋଟାଏ ଅବଶ୍ୟମ୍ଭାବୀ । ଗାଳ୍ପିକ ଅଭିବ୍ୟକ୍ତି -” କିନ୍ତୁ ବିଜୟ କେମିତିବା ହାର ମାନିବ । କେତେ ଅବା ସେ ନାରୀର ଛଳନା ପାଖରେ ଟାଣ ଦେଖାଇ ପାରିବ” । ‘ଆମ ସ୍ୱୟଂ ସହାୟିକା ଗୋଷ୍ଠୀ’ ସେହିପରି ଏକ ସାମାଜିକ ପ୍ରସଙ୍ଗ । ‘କୃତି’ ଗଳ୍ପରେ ପ୍ରଥମରୁ କୁହାଯାଇଛି – “ଏଇ ଦେଖ ଆକାଶ ବକ୍ଷରେ… ସେ କ’ଣ ? ଓଃ ସେହି ମହାପୁରୁଷ ମାନଙ୍କର ଚିତ୍ରନା ।’ଭାଗ୍ୟ ‘ଗଳ୍ପଟିର ଚରିତ୍ର ସଂଳାପ ଭଲ ଲାଗିଲା ।” ବାରୁ ଭାଇ ! ବାରୁ ଭାଇ ! ହଠାତ୍ କେଉଁ ଏକ ଶବ୍ଦର ଆଘାତରେ ଚମକି ପଡ଼ିଲା ବାରୁ । ଏ ତ ସେହି ପରିଚିତ ସ୍ୱର । ସେହି ଅମ୍ବୀ କିନ୍ତୁ ବର୍ଷା ଝଡ଼ରେ, ଏ କ’ଣ ସମ୍ଭବ” ?ଆଲୋକର ଅନ୍ତରାଳେ “ଗଳ୍ପଟିରେ ଦେହର ଦହନ ସଂକ୍ରାନ୍ତ ଏକ ପ୍ରସଙ୍ଗ ବର୍ଣ୍ଣିତ, ଯେଉଁଥିରେ ଜଣେ ଲେଖକ ଓ ଜଣେ ଛାତ୍ରୀ ଭିତରେ ଆକର୍ଷଣ ପ୍ରେମରେ ପରିଣତ ହୋଇଛି -” ଇତିହାସ ଖୋଲିବାକୁ ନିଦେ୍ର୍ଦଶ ଦେଲେ ଜୀବନ ବାବୁ । ଅଲରାଉଣ୍ଡର ଶିକ୍ଷକ ସେ ।ଉଦ୍ୱିଘ୍ନ ଭାବରେ ସେ କହି ଚାଲିଥିଲେ ମୋଗଲ ବଂଶ ଉପରେ । ଦିଲ୍ଲୀର ବାଦ୍ଶାହା ଶାହାଜାହାନ୍ ଶ୍ରେଷ୍ଠ ପ୍ରେମିକ ପୁରୁଷ ସେ । ଏଇ ଦେଖ କେତକୀ! ସେହି ପ୍ରେମିକ ପୁରୁଷ ଶାହଜାହାନଙ୍କ ଚିତ୍ର । କେତକୀର ହାତ ଟାଣି ରଖିଲେ ଚିତ୍ର ଉପରେ । କ୍ରମଶଃ ଉତ୍ତେଜିତ ହୋଇପଡ଼ୁଥିଲେ ସେ” । ‘ଶୀତଳ ତୁଣ୍ଡି’ ଆମ ସମାଜର ପରଂପରାରେ ନିଗଡବଦ୍ଧ ଯୌତୁକ ପ୍ରଥାର ଗୋଟିଏ ବାସ୍ତବ ଚିତ୍ର -” ବାପ ଘରେ ଏତିକି, ଲଳିତା ଜୀବନର ଶେଷକଥା, ଶେଷ ପର୍ଯ୍ୟାୟ ….. ଆଉ ମଣିଷ ଜାତିର ଶ୍ରେଷ୍ଠ ସଭ୍ୟତା କୁସଂସ୍କାର ଯୈାତୁକ ଦାବି” ।
ମୋର ହୃଦବୋଧ ହେଉଛି ଗଳ୍ପ ଗୁଡ଼ିକ ମଣିଷ ଜୀବନର ସତ୍ୟ, ସ୍ୱପ୍ନ ଆଉ ସମ୍ଭାବନାକୁ ପାଠକ ମାନଙ୍କ ନିକଟରେ ଆଦୃତି ଲାଭ କରିବାରେ ସମର୍ଥ ହୋଇ ପାରିବ ।
(ଅନ୍ନଦା ପ୍ରସାଦ ରାୟ)