ମୁଁ ଆଜ୍ଞା! ବୃକ୍ଷ କହୁଛି
——-by ସତ୍ୟ ପ୍ରକାଶ ସେଠୀ
ମୁଁ ଆଜ୍ଞା ବୃକ୍ଷ କହୁଛି।ହଁ! ମରି ଜୀବାଶ୍ମ ପାଲଟିବା ଭିତରେ ମୋ ଆତ୍ମ କାହାଣୀ ମୁଁ ନିଜେ ଲେଖୁଛି। କି କହିବି, କେଉଁ କଥା ବା ଗୁପତ କାହାକୁ? ତଥାପି ଦୁଃଖ କହିବି ନା ସୁଖ କହିବି ନା ଯାହା ଅଙ୍ଗେ ଲିଭେଇଛି – ତାହା କହିବି?
ଏଇ ମଣିଷ ଗୁଡାକ ସତରେ ବେଇମାନ୍। ଆପଣା ସ୍ୱାର୍ଥେ ଖାଲି ଆପେ ଧାଆଁନ୍ତି। ଅନ୍ୟ ପାଇଁ ସମବେଦନା ବା ସମଭାବାପନ୍ନ ଏମାନେ ଆଦୌ ନୁହଁନ୍ତି । “ଆପେ ବଞ୍ଚିଲେ ବାପାର ନାଁ ନ୍ୟାୟ”ରେ ଏମାନେ ଅତି ଅମାନୁଷିକ ଓ ଅମାନବୀୟ ହୋଇଥାଆନ୍ତି। ନିଜେ ବଞ୍ଚିବେ ବୋଲି ଅନ୍ୟ କାହାକୁ ଶାନ୍ତିରେ ଗଣ୍ଡେ ଖାଇ ଦଣ୍ଡେ ଜିଇଁବାକୁ ଏମାନେ ଦିଅନ୍ତି ନାହିଁ।
ଦେଖୁ ନାହାନ୍ତି ଆଜ୍ଞା!
ମୁଁ ଗୋଟେ ସରଳ ଶିଶୁ ଗଛଟାଏ। କାହାର ବା କି ଦୋଷ କରିଥାଏ? ଓଲଟି ମୋ ଦେହେ ଫଳ ପୁଷ୍ପ ଭରି ମୁଁ ଅନ୍ୟ ପ୍ରାଣୀଙ୍କୁ ଆହାର ଭଲମନ୍ଦ ଯୋଗାଇଥାଏ!। କେହି କେହି ମୋ ଦେହର ଡାଳପତ୍ର ଖାଇ ଜୀବନ ନିର୍ବାହ କରନ୍ତି।
କେତେ କେତେ ପ୍ରାଣୀଙ୍କର ବା ଜୀବଜଗତର ମୁଁ ବାସସ୍ଥଳୀ ପାଲଟିଛି। ମୋହରି ଛାୟାବୃକ୍ଷ ତଳେ କ୍ଲାନ୍ତ ବାଟୋଇ ପ୍ରଚଣ୍ଡ ରୌଦ୍ରକ୍ଲିଷ୍ଟରୁ ରକ୍ଷା ପାଇବା ପାଇଁ କେବେ କେବେ ଆଶ୍ରୟ ଲୋଡନ୍ତି। ସେଇଠି ପୁଣି ମାନବ ଶିଶୁ ଡାଳ ମାଙ୍କୁଡି ଖେଳେ ନତୁବା ମୋ ଡାଳରେ ଝୁଲା ବାନ୍ଧି ଝୁଲି ଖେଳେ। ମୋ ହାଡ଼ ମାଂସ ନେଇ ମାନବ ବାସୋପଯୋଗୀ ଘର ଓ ଘର କରଣା ଜିନିଷ ତିଆରି କରେ। ତଥାପି ସେତିକିରେ ସେ ସନ୍ତୁଷ୍ଟି ହୋଇପାରେନା, ଅସନ୍ତୁଷ୍ଟି ଯେମିତି କି ତା ଜନ୍ମ୍ ଜାତକରେ ଲେଖା ହୋଇଛି।
ହେଇ ଦେଖୁନା! ଦୁରୂ ଦିଶୁଛି, ଆସିଗଲେଣି ଦୁଇ କାଠୁରିଆ ଭାଇ କାନ୍ଧରେ କୁରାଢ଼ି ପକାଇ। ଏଇ ଲାଗେ ମୋ ମୂଳରେ ଦେବେ ଯେ ଦି’ ଚୋଟା, ରଡ଼ ରଡ଼ କରି ଭାଙ୍ଗି ଯିବ ମୋର ଶକ୍ତ ହାଡଗଣ୍ଡି। ଅବିଳମ୍ବେ ଭୂଶାୟିତ ହେବ ମୋର ବିରାଟକାୟ ଶରୀର। ମୋତେ ଶୋଷି ଶୋଷି ନିଶେଷି ଖାଇଲା ପରେ ତଥାପି ମଣ୍ଟେନା ଏମାନଙ୍କ ଭୋକ ଓ ଅବଦମନିତ କାମନାର ଶୋଷ। ସତରେ କେଡ଼େ ନିଷ୍କରୁଣ- ଏମାନେ। ଦୟା – ଧର୍ମ- ପ୍ରେମ ବୋଲି କିଛି ନାହିଁ ଏମାନଙ୍କଠିଁ।
ଆଗ ଜଙ୍ଗଲ ନିଆଁ ଲଗାଇ ଦେବେ। ଗୁଳ୍ମ ଠାରୁ କଣ୍ଟା ଖୁଞ୍ଚ ସବୁ ସଫା ହୋଇଗଲା ପରେ ବଡ଼ ବଡ଼ ଗଛ ସବୁ କାଟି ଶୁଆଇ ଦେବେ। ମାହାଳିଆ ପାଇଲେ ଲୋକେ ଆଲକାତରା ଗିଳନ୍ତି। ତେଣୁ ଆବଶ୍ୟକତା ଠାରୁ ଢେର ଅଧିକ ଏମାନେ ନଷ୍ଟ କରନ୍ତି!। ବିନାଷ୍କାରଣେ ଜଙ୍ଗଲଟାଯାକ ଗଛ କାଟି ସଫା କରନ୍ତି।” ରଖି ସଞ୍ଚି “ଚଳିବା ଏମାନେ ଜାଣନ୍ତି ନାହିଁ। କିନ୍ତୁ “ତ୍ରୁଟି ନଷ୍ଟ “କରିବା ଭଲ କି ଶିଖନ୍ତି।
ହେଲେ ଯେତିକି ଭଲ ଗଛ କାଟୁଛ ସେତିକି ଭଲା ଗଛ ମୋ ମଞ୍ଜିରୁ ଲଗାନ୍ତେ? ନା! ଗଢ଼ିବା ଜାଣିବେନି ନାହିଁ ଖାଲି ଭାଙ୍ଗିବେ ଶିଖିବେ। ଧନ୍ୟରେ! ମଣିଷ, ତୋତେ ମଣିଷ କହିବା ।
ଏମାନେ ବୁଝନ୍ତି ନାହିଁ ହାନି ଲାଭ କେତେ। ମୁଁ ଯେ ବାୟୁ ମଣ୍ଡଳରୁ ସମସ୍ତ କ୍ଷତିକାରକ ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଅଲଟ୍ରା ଭାଓଲେଟ ରଶ୍ମି ଶୋଷି ଅମ୍ଳଜାନ ଯୋଗାଇଥାଏ – ତାହା ସେ ଭୂଲିଯାଏ, ଯାହା ପ୍ରାଣୀ ଜଗତର ଜୀବନ ନିର୍ବାହ ପାଇଁ ଏକାନ୍ତ ଅପରିହାର୍ଯ୍ୟ ମନେହୁଏ। ମୁଁ ନ ରହିଲେ ପ୍ରାଣୀ ଜଗତର ପରିକଳ୍ପନା ଅସମ୍ଭବ। ଏକଥା ଯେ ମଣିଷ ଆଦୌ ବୁଝି ନାହିଁ – ତାହା ନୁହଁ, ବରଂ ସବୁ ବୁଝି ନବୁଝିର ଢୋଙ୍ଗ କରେ ।ବଡ ସ୍ଵାର୍ଥାନ୍ଧ, ସ୍ୱାର୍ଥପର – ଏମାନେ, ତହିଁ କି ବାୟୁ ମଣ୍ଡଳର ସନ୍ତୁଳନ ରକ୍ଷା ହୋଇପାରିବ ତ?
ଶେଷରେ ଏମାନେ ରୋଗ କଷ୍ଟରେ ପଡି ପୋକ ମାଛି ପରି ମରିବେ ନାହିଁ ତ – ଆଉ କିଏ ମରିବ? ହେ ଭଗବାନ! ଏମାନଙ୍କୁ ଟିକିଏ ଭଲ ବୁଦ୍ଧି ଦିଅନ୍ତୁ ନି? ପରିବେଶର ସନ୍ତୁଳନ ନରହିଲେ ଏ ବିଶ୍ଵ କେମିତି ରହିବ ଯେ?
ପରନ୍ତୁ ଏକଥା ନିଶ୍ଚୟ ବୁଝିବାକୁ ହେବ ଯେ ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ମାନବ ଜୀବନ ଅସାର। ଉଦ୍ଭିଦ ଜଗତ ନରହିଲେ ବିଶ୍ଵ ଧ୍ଵଂସ ହୋଇଯିବ। ତେଣୁ ହେ ମାନବ ଜାତି! ବେଳ ଥାଉ ଥାଉ ଟିକିଏ ହୁସିଆର ହୁଅ।, ନହେଲେ ବେଳ ବୁଡିଗଲେ ବୁଡ଼ିବ ଯେ ଭେଳା।