ଆଜି କାଲି ଦୁନିଆର ଗତି କୁଆଡ଼େ ? ଅଧୋଗତି ନା ଉର୍ଦ୍ଧ୍ଵଗତି? ଆଧୁନିକତାର ଆଳରେ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଆଜି ମାନବ ସମାଜକୁ ଧୀରେ ଧୀରେ ପଙ୍ଗୁ କରିବାରେ ଲାଗିଛି। ଦିନ ଥିଲା ମଣିଷ ନିଜର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରି ରଖିବା ପାଇଁ ଅହରହ ସଂଗ୍ରାମ ଓ ସଂଘର୍ଷ କରୁଥିଲା। ମାତ୍ର ଅଧୁନା ସମସ୍ତେ ପାଶ୍ଚାତ୍ୟାଭିମୁଖୀ। ଆଧୁନିକତାର ଦ୍ୱାହି ଦେଇ ଅତୀତର ପରମ୍ପରା ଓ ଐତିହ୍ଯକୁ ସେ ଆସ୍ଥେ ଆସ୍ଥେ ଭୁଲିବାକୁ ଲାଗୁଛି।ଫଳରେ ଆମର ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଭାଙ୍ଗିଯାଉଛି।ନୀତି ନୈତିକତାର ମୂଲ୍ୟବୋଧ କମି ଯାଉଛି। ଏତେବେଳେ ଜୀବନ ନିର୍ଦ୍ଧାରଣର ମାନଦଣ୍ଡ ଓ ମାପକାଠି କ’ଣ ହେବା ଉଚିତ୍ ସେ ସ୍ଥିର ନକରି ପାରି- ବଡ଼ ସନ୍ଦିହାନ ହୋଇ ଉଠିଛି। ଜ୍ଞାନ ବିଜ୍ଞାନର ପ୍ରଚାର ଓ ପ୍ରସାର ଫଳରେ ଆଜି ସମଗ୍ର ବିଶ୍ୱରେ ଭୂୟସୀ ପରିବର୍ତ୍ତନ ଦେଖା ଦେଇଛି। ଏହି ପରିବର୍ତ୍ତନର ଧାରାରେ ଆମ୍ଭେମାନେ ମଧ୍ଯ କମ୍ ପରିବର୍ତ୍ତିତ ହୋଇ ନାହୁଁ। ପରିବର୍ତ୍ତନ ବୋଇଲେ ସବୁ କିଛି ପରିବର୍ତ୍ତନ ହୋଇଛି। ଆମ ପୋଷାକ ପରିଚ୍ଛେଦ, ରହଣି ସହଣି, ଖାଦ୍ୟପେୟ, ଚାଲିଚଳନୀ, କଥାବାର୍ତ୍ତା, ଆଚାରବ୍ୟବହାର, ସବୁଥିରେ ଏହି ପରିବର୍ତ୍ତନର ଝଲକ।
ଗୋଟାଏ ଦୀର୍ଘ ନିଶ୍ଵାସର ଅନ୍ତରାଳେ.. ସଂସ୍କୃତି ନାଁରେ ଆଜି ଅପସଂସ୍କୃତି ଗୁଡ଼ାକ ଧସେଇ ପଶି ଆସୁଛି।ଆମ ସଂସ୍କୃତି ଢୋଲେ ମୂଷା (ଅପସଂସ୍କୃତି) ପଶି ଖୋଳ କଲାଣି, ତଥାପି ଆମେ ପ୍ରାଚୀନ ଐତିହ୍ଯ ସମ୍ପନ୍ନ କହି ଦେଶେ ଦେଶେ ବୁଲି ଡିଣ୍ଡିମ ପିଟେ। ଆଜି ନାରୀ ଓ ପୁରୁଷ ଭିତରେ ବିଶେଷ କିଛି ଫରକ୍ ନାହିଁ। ବରଂ ନାରୀ ପୁରୁଷ ଠାରୁ କେଇପାଦ ଆଗକୁ ବଢ଼ି ସେ ତା’ର ପୁରୁଷ ପ୍ରତିପକ୍ଷ (ମେଲ୍ କାଉଣ୍ଟରପାର୍ଟ) ସହିତ ପ୍ରତିଯୋଗୀତା ମୂଳକ ମନୋଭାବ ପୋଷଣ କରି ପୁରୁଷ ଭଳି ପୋଷାକ ପରିଚ୍ଛେଦ ସବୁ ପିନ୍ଧି ପାରୁଛି ଓ ପୁରୁଷ ପରି ସିଗାରେଟ୍ ଓ ମଦ୍ୟପାନ କରିବାକୁ ସକ୍ଷମତା ପ୍ରକାଶ କରିଛି। କ୍ଲବ ବାର ଓ ମଦୁଆ ଆଡ୍ଡାରେ ମଧ୍ଯ ସେ ତା ଉପସ୍ଥିତି ଜାହିର୍ କରି ପାରିଛି। ଏହା ହୁଏତ ଅନୁକରଣ ନହୋଇ ହନୁକରଣ ହୋଇପାରେ।ତେବେ ଶିକ୍ଷା, ପ୍ରତିଯୋଗୀତା, ପ୍ରତିରକ୍ଷା ଓ ଆତ୍ମରକ୍ଷା ଆଦି କ୍ଷେତ୍ରରେ ମଧ୍ୟ ସେ ସିନା ପାରଙ୍ଗମ ହାସଲ କରିପାରିଲେ ଯଥାର୍ଥରେ ନାରୀ ଜାଗରଣ ଓ ସଶକ୍ତିକରଣ ହୋଇପାରିବ ବୋଲି ଆମେ କହି ପାରିବା, ନୋହିଲେ ସେ କି ଆଉ ବିକାଶ? ତେବେବି ସେ ହଟକି ପଛରେ ଆଉ ନାହିଁ। ସବୁ କଥାରେ ଆଗଭର ହୋଇଛି।ପ୍ରତିବାଦର ସ୍ଵର ମଧ୍ଯ ତା ଭିତରେ ଅନୁରଣିତ ହୋଇଛି। ସେ ଆଉ ନିରବ ନିଶ୍ଚଳ ରହି ସବୁ କଥାକୁ ସହିବା ଅବସ୍ଥାରେ ନାହିଁ। ତେଣୁ କୁହାଯାଇ ପାରେ ନାରୀ ପ୍ରଗତୀ ଜିନ୍ଦାବାଦ୍। ତେଣୁ ସେ ହଟକି ପଛରେ ରହି ନାହିଁ।
ସବୁ କଥା ଠିକ୍ ଯେ, ହେଲେ ସମାଜରେ ଏତେ ଅବକ୍ଷୟ ଘଟୁଛି କାହିଁକି? ଜାତୀୟ ନିରାପତ୍ତା ଓ ସାମାଜିକ ସୁରକ୍ଷା ଆଦି ଆଇନ୍ ଥିବା ସତ୍ତ୍ୱେ ଓ ନାରୀ ଜାଗରଣ, ନାରୀ ସୁରକ୍ଷା ମଞ୍ଚ କାମ କରୁଥିବା ସତ୍ତ୍ୱେ କାହିଁ ଏତେ କିଛି ସୁଧାର ତ ଆସି ପାରିନାହିଁ। ତଥାପି ନାରୀ ନିର୍ଯ୍ୟାତନା ଓ ଅଶ୍ଳୀଳ ଇଙ୍ଗିତ(sledging) ର ସେ ଶୀକାର ହେଉଛି କିପରି? ମଣିଷ ଦିନକୁ ଦିନ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ଏତେଟା ବିଶୃଙ୍ଖଳିତ ଆଚରଣ ଓ ଭାବ ଭଙ୍ଗିର ପରିପ୍ରସାର ଓ ପ୍ରଚାର ଘଟୁଛି କିପରି? ଏଥିପାଇଁ ବାସ୍ତବରେ କିଏ ଓ କେଉଁ ପରିସ୍ଥିତି ଦାୟୀ?
ଏହିଭଳି କିଛି ଭାବନା ଓ ଭାବାନ୍ତର ସେଦିନ ସୃଷ୍ଟି ହେଉଥିଲା ଡାକ୍ତର ଅନିଲ ବାବୁଙ୍କ ମୁଣ୍ଡରେ। ମୁଣ୍ଡକୁ ଭାରକ୍ରାନ୍ତ କରି ସେ ଗନ୍ତବ୍ୟ ସ୍ଥଳୀକୁ ଫେରୁଥାନ୍ତି। ନିଜ ପ୍ରଶ୍ନରେ ନିଜେ ଶରବ୍ୟ ହୋଇ ସେ ବାରମ୍ବାର ଉତ୍ତର ଖୋଜୁଥାନ୍ତି। ପ୍ରଶ୍ନର ସବୁତକ ଉତ୍ତର ଖୋଜି ପାଇବା ପୂର୍ବରୁ ରାଇରଙ୍ଗପୁରରେ ବସ୍ ଆସି ପହଞ୍ଚି ଯାଇଥିଲା। କଣ୍ଡକ୍ଟରର “ଓହ୍ଲାଇବେ ନାହିଁକି ବାବୁ! “କୁହାଟରେ ସେ ଚମକି ପଡି ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରୁଥିଲେ। ଫଳରେ ଗାଡିରୁ ଧୀରେ ଧୀରେ ଓହ୍ଲାଉ ଓହ୍ଲାଉ ପିଛିଲା କଥା ଗୁଡ଼ାକ ଭୁଲିବାକୁ ଲାଗୁଥାନ୍ତି। କାରଣ ଅନତି ଦୂରରେ ହସପିଟାଲ୍ଟିଏ, ଯେଉଁଠି ତାଙ୍କୁ ଅପେକ୍ଷା କରି ରହିଥାନ୍ତି ସହସ୍ରାଧିକ ରୋଗୀମାନେ। ପେଶାରେ ସେ ଡାକ୍ତର ହୋଇଥିବାରୁ ରୋଗୀ ସେବାରେ ହିଁ ତାଙ୍କର ଆନନ୍ଦ। ଅନ୍ୟ କଥାରେ ତାଙ୍କର ଏତେଟା ଆଗ୍ରହ ରହେ ନାହିଁ। ସମୟର ଅଭାବ ହୁଏତ ଏହାର ଗୋଟେ କାରଣ ହୋଇପାରେ।
ତଥାପି ତାଙ୍କର ଏତେଗୁଡିଏ ଭାବନାର କାରଣଟା ତ କାହିଁ ଏତେ ସ୍ପଷ୍ଟ ହେଉନାହିଁ। ତେବେ ସେ କ’ଣ ପ୍ରଳାପ କରୁଥିଲେ? ନା.. ଏ କଥାଟା ଆଦୌ ନୂହେଁ,ତେବେ…ସେ କୌଣସି କଥାର ହୁଏତ ହେତୁ ନିରୂପଣ କରୁଥାଇପାରନ୍ତି।
କଥାଟା ହେଉଛି ସେଦିନ ଡାକ୍ତର ବାବୁ ବସ୍ ଯୋଗେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରୁଥାନ୍ତି। ବାଟରେ ନିଳଗିରି ଓ କପ୍ତିପଦା ପାଖରେ ହୋଇଛନ୍ତି କି ନାହିଁ – ବସ୍ ରେ ଅସମ୍ଭବ ଭିଡ଼। କାରଣ ବାହାଘର ସିଜିନ୍ ତ, ସେଇଥିଲାଗି ଏହି ରୁଟ୍ ରେ ଚାଲୁଥିବା ପ୍ରାୟତଃ ଆଧିକାଂଶ ବସ୍ ବାହାଘରିଆ ରିଜର୍ଭେସନ୍ ଭଡା ଯୋଗୁଁ କ୍ୟାନସଲ୍, ମାନେ ବନ୍ଦ। ତେଣୁ ଅସମ୍ଭାଳ ପରିସ୍ଥିତି, ନାହିଁ ନଥିବା ଅସୁବିଧା। ଗୋଡ଼ ଉପରେ ଗୋଡ଼ ପକାଇ ଯାତ୍ରୀମାନେ ଦଳି ଚକଟି ପକାଉଥାନ୍ତି। କାହାକୁ କ’ଣ ବା କହିବ, ବେନି ଜନେ ତ ପଡ଼ିଛି ସମ ଦଶା। ଖାଲି ନିରବରେ ଜନ୍ତ୍ରଣା ସହିବା ବ୍ୟତୀତ ଉତ୍ତର ନାହିଁ ପ୍ରତିବାଦ କରିବାକୁ। ଦେହକୁ ଦେହ ବାଜିଯାଉଥାଏ। ତଳେ ଶୋରିଷ ପକାଇବାକୁ ଜାଗା ନଥାଏ। ଭାରି ଭିଡ଼ ।ଏହିଭଳିଆ ଭିଡ଼ ତ ଅସାମାଜିକ ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ନିଜ ଅଭିଳଷିତ କୁକର୍ମକୁ ଅଞ୍ଜାମ୍( ସଫଳ ରୂପାୟନ) ଦେବା ପାଇଁ।
ହଠାତ୍ ପଛପଟୁ ଶବ୍ଦ ଶୁଭିଲା। ସ୍ତ୍ରୀ ଲୋକଟିଏ ବୋଧେ, ମାଷ୍ଟ୍ରାଣୀ ହେବ କି କ’ଣ। – “ମୋ ପର୍ସ.. ପର୍ସ.. କିଏ ଲୁଟି ନେଲା” । ଏ କଥା ଶୁଣି ଯାତ୍ରୀ ମାନେ ହୋ ହୋ ହୋଇଉଠି-“ଏ ଗାଡି ରଖ, ଗାଡି ରଖ” ପାଟି କରି ଉଠିଲେ। ଡ୍ରାଇଭର୍ ଗାଡି ସ୍ଲୋ କଲାଠୁଁ ଚୋର ଝରକା ଦେଇ ପାର। ବିଚରା ସ୍ତ୍ରୀ ଲୋକଟା ମୁଣ୍ଡ କାଣ୍ଡ ଆଉଁଷି ହୋଇ ରହିଲା। କିଛି ସମୟ ବାରୁବାରୁ ହେଉଥିଲା, ପୁଣି ଚୁପି ମାରି ବସିଲା। କ’ଣ କରିବ ନିଜ ଭାଗ୍ୟ ତ ଖରାପ, କାହାକୁ କହିବ, କହିଲେ ବା କେହି ଶୁଣନ୍ତେ? ନିଜ ମନକୁ ନିଜେ ବୋଧେ ବୁଝାଇ ଦେଇଥାଏ। ହେଲେ ଦେଖଣାହାରୀ, ଯେଉଁମାନେ ଦେଖୁଥିଲେ? ଏମାନଙ୍କର କ’ ଣ କିଛି କର୍ତ୍ତବ୍ୟ ନଥିଲା? ଏମାନେ ପରା ସବୁ ଶୁଣିବେ, ସବୁ ଦେଖିବେ, ହେଲେ ଚୁପ୍ ରହିବେ। ଅସଲ କଥାଟା ହେଲା ଝାମେଲା ଭିତରେ କିଏ ପଶୁଛି? ନିଜ ଉପରେ ନ ପଡିବା ଯାଏଁ ଏମାନେ ଘର ଛେଇବେ ନାହିଁ। ତେଣିକି ଦୁନିଆ ଭାସି ଯାଉ… କ’ଣ ହେଉଛି…
ଯାହା ହେଉ ଏ ହଟଚମଟ ପରେ କିଛି ସମୟ ଶାନ୍ତି ବିରାଜମାନ କଲା। ପରିବେଶ ଏକାନ୍ତ ସ୍ତବ୍ଧ। ସମସ୍ତେ ନିରବ। ବସ୍ ଧୀରେ ଧୀରେ ଆଗକୁ ବଢିଲା। ବସ୍ ଷ୍ଟପ୍ ଆସିଲେ କିଛି ଲୋକ ଓହ୍ଲାଇ ଯାଉଥାନ୍ତି ଓ କିଛି ନୂଆ ନୂଆ ଲୋକ ବସ୍ ଉପରକୁ ଉଠୁଥାନ୍ତି। ଯେତିକି ଓହ୍ଲାଉଥାନ୍ତି ତା ଠାରୁ ଦ୍ୱି ଗୁଣା ଚଢୁଥାନ୍ତି। ଲୋକାଲ୍ ବସରେ ଯାତ୍ରା ସତରେ ଭାରି କଷ୍ଟଦାୟକ, ମରଣାନ୍ତକ ଜନ୍ତ୍ରଣା। ଏପରି ଯାତ୍ରା ସମସ୍ତଙ୍କ ଭାଗ୍ୟରେ ସବୁବେଳେ ଜୁଟେ ନାହିଁ।
କିଛି ସମୟର ବ୍ୟବଧାନ ପରେ ଠିକ୍ ଡାକ୍ତର ବାବୁଙ୍କ ପାଖରେ ଏକ ଅଭାବନୀୟ ଘଟଣା ଘଟିଲା, ଯେଉଁ ଘଟଣା ପ୍ରତି ସେ ଉଦାସୀନ ହୋଇ ରହି ପାରିଲେ ନାହିଁ, ଲମ୍ଫ ମାରିଦେଲେ। ତାଙ୍କ ପାଖରେ ଗୋଟେ କଲେଜ ପଢୁଆ ଝିଅ- ଛିଡ଼ା ହୋଇଥିଲା। ବେଶ୍ ଆଧୁନିକା ଜଣାପଡ଼ୁନଥିଲା ପୋଷାକ ପରିଚ୍ଛେଦରୁ। କୋଉଟା କଟା ତ ଆଉ ଖଣ୍ଡେ ଅଧା ଖୋଲା। ତାକୁ ପରିବେଷ୍ଟିତ କରି ରହିଥାନ୍ତି ଦୁଇ /ତିନିଟା ଅସାମାଜିକ ଟୋକା। ଝିଅଟା ସହିତ ସ୍ଲେଜିଙ୍ଗ କରୁଥାନ୍ତି। କେତେବେଳେ ତା ‘ଗୋଡ ଉପରେ ଚଢି ଯାଉଥାନ୍ତି ତ ପୁଣି କେତେବେଳେ ତା’ ଅଙ୍ଗ ସୌଷ୍ଠବକୁ ଛୁଇଁ ଯାଉଥାନ୍ତି। ବେଳେବେଳେ ତା’ ଉପରେ ଏମିତି ଅଜାଡ଼ି ପଡୁଥାନ୍ତି ଯେ, ସେ ବିଚରା ଉପାୟ ନପାଇ ଡାକ୍ତର ବାବୁଙ୍କ ଆଡକୁ ଆଉଜି ଆସୁଥାଏ। ବିଚାରୀ ହତଚକିତ ହୋଇ ଉପାୟ ଖୋଜୁଥାଏ। ସେମାନେ ଯେତେବେଳେ ତାକୁ କିଛି ହଇରାଣ ହରକତ କରୁଥାନ୍ତି, ସେ ଜାଣିଶୁଣି ଡାକ୍ତର ବାବୁଙ୍କ ଆଡକୁ ଝୁଙ୍କି ପଡ଼ି ଯେପରି ଇଶାରା କରୁଥାଏ – “ଅଙ୍କଲ୍ ମୋତେ ସାହାଯ୍ୟ କରନ୍ତୁ, ଏ ରାକ୍ଷସ ଗୁଡ଼ାକ କବଳରୁ ମୋତେ ରକ୍ଷା କରନ୍ତୁ” । ତେଣୁ ଡାକ୍ତର ବାବୁ ଘଟଣାଟା ପ୍ରତି ତିକ୍ଷ୍ଣ ନଜର ରଖିଥାନ୍ତି। ଯେତେବେଳେ ଏମାନଂକର ଦୌରାତ୍ମ୍ୟ ବଢିବାକୁ ଲାଗିଲା, ଡାକ୍ତର ବାବୁ ଶୁଣାଇଲେ ସତର୍କ ଘଣ୍ଟି – “ଏ ବାବୁ ଟିକିଏ ସରେଇ କି ଛିଡା ହୁଅ”। ଓଲଟା ସେ ଦୁଇ /ତିନି ଜଣ କହୁଥାନ୍ତି-” ଆଉ ଆମେ କେଉଁଠି ଛିଡା ହେବୁ? ଗାଡିରେ ଆମକୁ ସିଟ୍ ଟେ ଦେଇ ଦେଉନ!” ଏହିଭଳି ଭ୍ରୂକ୍ଷେପବିହୀନ ପ୍ରତ୍ଯୁତ୍ତର ଓ ତାଚ୍ଛଲ୍ୟଭରା ହସ – ଠୋ.. ଠୋ.. ।
ଏହା ଭିତରେ ଡାକ୍ତର ବାବୁ ମନୋବଳକୁ ଦୃଢ଼ କରି ସାରିଥାନ୍ତି। ସେ ସୁଯୋଗ ଅପେକ୍ଷାରେ – ଠିକଣା ଅବସରକୁ। ଏହାପରେ କିନ୍ତୁ ସେମାନେ ଅଧିକ ଉତ୍ସାହିତ ହୋଇ ଝିଅଟା ପାଖକୁ ଅଧିକ ଲାଗି କରି ଛିଡାହେଲେ। ବୋଧେ ଏହାହିଁ ଥିଲା ସେମାନଙ୍କର ଔଦ୍ଧତ୍ୟତାର ପ୍ରତିବାଦ ଓ ପ୍ରତିବଦ୍ଧତାର ଶାଣିତ ସ୍ଵର – ଆଲେଖ୍ୟ। ଘଟଣା କ୍ରମେ ତା ଶରୀରର ବିଶେଷ ଅଙ୍ଗ ଦେଶକୁ ସ୍ପର୍ଶ କରିବାର ଧୃଷ୍ଟାତା କରିବାକୁ ମଧ୍ୟ ଭୁଲିଲେ ନାହିଁ, ଯେଉଁଥିରେ ଝିଅଟି ଉତ୍କ୍ଷିପ୍ତ ହୋଇ ଚଟକଣିଟିଏ ଦେବାକୁ ପଛେଇ ନଥିଲା। ଚୋରଙ୍କର ତ ମୁହଁ ଟାଣ, ଓଲଟା ସେମାନେ ଆକ୍ରମଣ କରି ଆସୁଥିଲେ। ଡାକ୍ତର ବାବୁଙ୍କ ଧୈର୍ଯ୍ୟର ବରଫ ତରଳିବାକୁ ଲାଗୁଥାଏ। ତାଙ୍କର କ୍ରୋଧାଗ୍ନିର ବହ୍ନି ଶିଖା ପ୍ରଚଣ୍ଡ ପ୍ରଜ୍ଜ୍ଵଳିତ ହେବାକୁ ଲାଗିଲା। ଆଖିରେ ସ୍ଫୁଲିଙ୍ଗ, ମନରେ ବିଦ୍ରୋହର ଲେଲିହାନ ଶିଖା, ଦେହରେ ତେଜସ୍କ୍ରିୟ ରଶ୍ମିର ଉଦ୍ଗୀରଣ ହୋଇ ଶରୀରକୁ ଯୋଗାଉ ଥାଏ ଅସୀମ ଅପରିମିତ ବଳ। ସେ ଗୋଟାକୁ ଭିଡ଼ି ଆଣି କଷିକି ଥାପଡଟେ ଦେଲେ। ଆଉ ଜଣେ ପ୍ରତିବାଦ କରି ଭିଡ଼ି ଆସିବାରୁ ତାକୁ ମଧ୍ଯ ଗୋଟେ ଶକ୍ତ ମୁଥ। ବସ୍ ସାରା ହଇଚଇ ସୃଷ୍ଟି ହୋଇଗଲା। ସମସ୍ତ ଲୋକ ମାଡ଼ି ଆସିଲେ, ସେମାନେ କିନ୍ତୁ ମୁହଁ ଭୂରି ମାରୁଥାନ୍ତି, ହେଲେ ଲୋକମାନେ ଏତେବେଳେ କିନ୍ତୁ ସେମାନଙ୍କୁ ଗଳା ଧକ୍କା ଦେଇ ବସରୁ ନିକାଲି ଦେଇଥାନ୍ତି ।
ଏହିପରି ବସରେ ଯାହା ଅଘଟଣ ଘଟିବାର ଥିଲା ସବୁ ଘଟି ସାରିଥିଲା। ଆଉ କିଛି ଘଟିବା ପୂର୍ବରୁ ବସ୍ ରାଇରଙ୍ଗପୁରରେ ପହଞ୍ଚି ସାରିଥିଲା। ଡାକ୍ତର ବାବୁ ଓହ୍ଲାଇ ସିଧା ଡାକ୍ତର ଖାନା ମୁହାଁ ଧାଇଁଲେ।ପଛରୁ କିଏ ଗୋଡ଼ଟାକୁ ଅଣ୍ଡାଳି ଧରିବାରୁ, ବୁଲି ପଡ଼ି ଚାହିଁଲେ। ଝିଅଟା ଗୋଡ଼ରୁ ନେଇ ମୁଣ୍ଡିଆ ମାରିଲା ଆଉ କୃତଜ୍ଞତା ମଧ୍ୟ ଜଣାଇବାକୁ ସେଦିନ ଭୁଲି ନଥିଲା। ଡାକ୍ତର ବାବୁ କହିଲେ – “ମାଆରେ ତୋ ସାହସକୁ ମୁଁ ନମନ କରୁଛି। ତୁ ଆହୁରି ସାହସୀ ହୋଇ ପ୍ରତିପକ୍ଷ ସହିତ ଲଢ଼ିବା ପାଇଁ ଶକ୍ତି ଓ ସାମର୍ଥ୍ୟ ଏକଠା କର। ଈଶ୍ଵର ତୋତେ ସହାୟକ ହୁଅନ୍ତୁ”।
ଡାକ୍ତର ବାବୁ ଆହୁରି କହୁଥିଲେ – “ନିଜେ ନିଜ ପାଇଁ ନଲଢି ପାରିଲେ ତୁମ ପାଇଁ କେଉଁ ସ୍ଵର୍ଗ ଦୂତ ଆସିବ ନାହିଁ ଲଢିବାକୁ। ନିଜେ ହିଁ ନିଜର ରକ୍ଷା କବଚ ପାଲଟ” । ଝିଅଟି ନିରବରେ ସମ୍ମତି ଦେଉଥାଏ। କୃତଜ୍ଞାତରେ ଭରି ଉଠୁଥାଏ ତା’ର ଅନ୍ତରାତ୍ମା।