Satya Prakash
Uncategorised

ଇଏ ବି ଗୋଟେ ବାବା

ଇଏ ବି ଗୋଟେ ବାବା
—–by ସତ୍ୟ ପ୍ରକାଶ ସେଠୀ
ଆମ ଯାଜପୁର ସହର ଧୀରେ ଧୀରେ ସାହିତ୍ୟିକମାନଙ୍କର ପେଣ୍ଠସ୍ଥଳୀରେ ପରିଣତ ହେବାକୁ ବସିଲାଣି। ପୂର୍ବରୁ ହୁଏତ ଛୋଟ ବଡ଼ ଅନେକ ସାହିତ୍ୟକ ଥିଲେ, ହେଲେ ସେମାନେ ଯାଜପୁର ଛାଡ଼ି କଟକ ଭୁବନେଶ୍ବରରେ ରହିବାକୁ ଅଧିକ ପସନ୍ଦ କରୁଥିଲେ। ଆଉ କେତକ ଯାଜପୁରର ଉପାନ୍ତ ଅଞ୍ଚଳ ଗାଁ ଗହଳିରେ ରହୁଥିଲେ। ଏବେ କିନ୍ତୁ ଯୁଗ ଓଲଟା ହେଲାଣି। ଏଣିକି ଲୋକେ କଟକ ବା ଭୁବନେଶ୍ବର ଛାଡ଼ି ଯାଜପୁରରେ ବସବାସ କରିବାକୁ ଅଧିକ ପସନ୍ଦ କଲେଣି। କାରଣ ଯାଜପୁର ନୂଆ ଜିଲ୍ଲା ସଦର ମହକୁମାରେ ପରିଣତ ହେବା କ୍ଷଣି ସହରର ଚାକଚକ୍ୟ ଟିକିଏ ବୃଦ୍ଧି ପାଇଲାଣି। ସହରୀ ସଭ୍ୟତାର ଆକର୍ଷଣରେ ଏଠି ଏବେ ଅନେକ ଲୋକଙ୍କର ଭିଡ଼ । ନାମୀଦାମୀ ସାହିତ୍ୟକମାନେ ମଧ୍ୟ ନିଜର ପ୍ରଚାର ଓ ପ୍ରସାର ପାଇଁ ଏହି ସହରକୁ ଉଚିତ ସ୍ଥାନ ମଣି ଏଠାକୁ ବେଶ୍ ସମାଗମ କଲେଣି।
ସାହିତ୍ୟ ଭିତରେ ବାବା ମାନଙ୍କର ଆଧିପତ୍ୟ ମଧ୍ଯ କିଛି କମ୍ ନୂହେଁ। ଏମାନଙ୍କର ବାବାଗିରିର ଜୟଗାନ ପାଇଁ ମଧ୍ୟ ଏମାନେ ସାହିତ୍ୟ ପସରା ମେଲି ବସିନ୍ତି। କିଏ ପ୍ରବକ୍ତା ସାଜିବା ପାଇଁ ପ୍ରବଚନ ନିଶାରେ ସାହିତ୍ୟ ସଭାରେ ଧସେଇ ପଶିଲେଣି ତ ଆଉ କିଏ ପୁଣି ନିଜ ବାବାତ୍ବର ସୁପରିଚୟ ପାଇଁ ସାହିତ୍ୟକୁ ମାଧ୍ୟମ କଲେଣି। ଏହିପରି ଜଣେ ତିଳକ ଚିତ୍ତା ଧାରୀ ବାବାଙ୍କର ଏହି ସହରକୁ ଆଗମନ ହୁଏ ସୁଦୂର କଟକ ସହରର ଚାନ୍ଦିନୀଚୌକ ଅଞ୍ଚଳରୁ।ସେ ଯାଜପୁରରେ ଗୋଡ ଥାପୁଣୁ ନ ଥାପୁଣୁ ଖୋଲିଲେ ଅନେକ ନୂତନ ସାହିତ୍ୟାନୁଷ୍ଠାନ। କାରଣ ତାଙ୍କ ମତରେ ଯାଜପୁରିଆଗୁଡ଼ାକ ପଛୁଆ। ଏମାନେ କୁଆଡେ ସାହିତ୍ୟ ଅନୁଷ୍ଠାନ ଗଢି ଶିଖି ନାହାଁନ୍ତି। ତେଣିକି ସାହିତ୍ୟର କି ଲାଭ ହେବ ନା ସାହିତ୍ୟକର… । ତେଣୁ ଏମାନଙ୍କୁ ସେ ଅନୁଷ୍ଠାନ ଗଢ଼ିବା ଶିଖାଇଲେ। କେମିତି ଟ୍ରଷ୍ଟ ଗଢ଼ିବାକୁ ହେବ ବା ସାହିତ୍ୟ ଅନୁଷ୍ଠାନ ଗଢି ତାକୁ ରେଜିଷ୍ଟର କରିବାକୁ ହେବ – ତାହା ସେ ଭଲକି ଶିଖାଇଲେ। କାରଣ ଏ ଅନୁଭୂତିଟା ତାଙ୍କର କୁଆଡୁ ନୂଆ ନୂହେଁ – କଟକରୁ ରହିଛି। ତେଣୁ ବୋକା ଯାଜପୁରିଆଙ୍କୁ ସେ ପାଠୁଆ କରି ଗଢି ତୋଳିଲେ ଓ ଅନୁଷ୍ଠାନପ୍ରାଣା କରିଦେଲେ। ଏହି ଅନୁଷ୍ଠାନଗୁଡିକ ଜରିଆରେ ଏକ ନିର୍ଦ୍ଧିଷ୍ଠ ବ୍ଯବଧାନରେ ସଭା ସମିତି ହେଲା। ସେଠାରେ ଆଛା ଖାସା କିଛି ସାହିତ୍ୟକୁ ମାନପତ୍ର ଓ ଉପଢୌକନ ପ୍ରଦାନର ଉସ୍ତବରେ ଯାଜପୁର ସହର ସତେ ଯେମିତି ଉତ୍ସବ ମୁଖର ହୋଇ ଉଠିଲା। ବାବାଙ୍କର ପତିଆରାଟା ଗଗନକୁ ଛୁଇଁଲା। ଏହି ସୁଯୋଗରେ ବାବା କିଛି କମ୍ ଲୁଟିଲେ କି? କାହାକୁ ମାନପତ୍ରଟେ ଦେଲେ ଖର୍ଚ୍ଚ ବାବଦକୁ 1000 କି ଦୁଇ ହଜାର ପୁଣି ଦରକାର ନା! ତେଣୁ ଦାବି ମୁତାବକ ମୋଟା ଅଙ୍କରେ ଯାହା କିଛି। ସାହିତ୍ୟକମାନଙ୍କର ସାହିତ୍ୟର ପ୍ରସାର ଓ ପ୍ରଚାର ପାଇଁ ମଧ୍ଯ ବାବା ସର୍ବଦା ଆଗଭର। ଏଣୁ ସେମାନଙ୍କ ବହି ନେଇ କଟକରୁ ଛାପି ଆଣିଦେବାର ଗୁରୁ ଦାୟିତ୍ଵ ବାବା ବହନ କରନ୍ତି। ତେଣୁ ଟଙ୍କା ତ ତିରିଶ ଚାଳିଶ ହଜାର ଦରକାର ହେବ ନା। କାହିଁକି ନା କଟକର ସବୁ ଦାମୀ ତା ସାଙ୍ଗକୁ ବଡ଼ ପ୍ରେସର ବଡ଼ ଡିମାଣ୍ଡ।1000 କପି ପ୍ରିଣ୍ଟ ପାଇଁ ବାବା କହି ବହି ଦିଅନ୍ତି ମାତ୍ର 100 କି ଦୁଇ ଶହ। ବାବାଙ୍କର ଯୁକ୍ତି ହେଲା ଆଉ ଏକ୍ସଟ୍ରା କପିଗୁଡିକ ସେ publisher କୁ କହି ଓଡ଼ିଶାର କୋଣ ଓ ଅନୁକୋଣକୁ ପଠାଇ ଦେଇଛନ୍ତି, ଯେଉଁଥିରେ କି ସାହିତ୍ୟିକର ନାଁ ହେବ। ହେଲେ ବିଚରା ସାହିତ୍ୟକଟି ନିଜ ସହର ଯାଜପୁରର ବହି ଦୋକାନରେ ନିଜ ପ୍ରକାଶିତ ବହି ଖଣ୍ଡକର ମଲାଟଟିଏ ମଧ୍ଯ ନ ପାଇଁ ଚିନ୍ତିତ ହୋଇ ପଡେ। ଫଳରେ ଦେଖାଦିଏ ସଂଘର୍ଷ। ଏଇ କଥାକୁ କେନ୍ଦ୍ର କରି କେତେ ଲୋକଙ୍କ ସହ ବାବାଙ୍କର କେତେ କଳି ଗଲାଣି। ବାବା କିନ୍ତୁ ଭାରି ମାନି। ସେ ରୋକଠୋକ୍ କହି ଦିଅନ୍ତି-” ତୁମେ ସାହିତ୍ୟରେ ସ ଅକ୍ଷର ଜାଣି ନାହଁ, ତେଣୁ ସାହିତ୍ୟିକ ହୋଇ ପାରିବ ନାହିଁ। କାରଣ ସାହିତ୍ୟ ସାଧନା ପାଇଁ ଏହିଭଳି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପାଣିକୁ ଫିଙ୍ଗିବାକୁ ପଡ଼େ। ଯାହା ପାଖରେ ଧୈର୍ଯ୍ୟ ନାହିଁ କି ପଇସା ଖର୍ଚ୍ଚ କରିବାର ତାକତ୍ ସେ କୁଆଡେ ସାହିତ୍ୟକ ହୋଇ ପାରିବ ନାହିଁ ।ସାହିତ୍ୟର ସାଧନା କରୁଥିବା ନିରବ ସାହିତ୍ୟ ସାଧକଟି କାନ ମୁଣ୍ଡ ଆଉଁଷି ରହେ, ତା ମୁଣ୍ଡରୁ ସାହିତ୍ୟିକ ହେବାର ନିଶା ଏକଦମ୍ ହଟିଗଲା ପରେ ସେ ଲୁଚିକି ଘର କୋଣେ ବସେ।
ଏମିତିକା ଥୋକେ ଲୋକ ଯେଉଁଠି ଥିବେ ସେଠି ସାହିତ୍ୟ ନା ଫାଇତ।
ବାବା ଆମର ସାହିତ୍ୟିକ ବୋଲି ଢେର୍ ଡିଣ୍ଡିମ ପିଟିଲେଣି ଯାହା ଡିବି ଡିବି ହୋଇ ଖାଲି ବାଜୁଛି। ହେଲେ ବିରୋଧୀଙ୍କ ସଂଖ୍ୟା ବି କିଛି କମ୍ ନୂହେଁ। ସେମାନେ ବାବାଙ୍କ କାରନାମାକୁ ନେଇ କାହିଁକି କେଜାଣି ଏଣିକି ସ୍ଵର ଶାଣିତ କଲେଣି। ସେଦିନ ପରା ଜିଲ୍ଲା ମହୋତ୍ସବ ନାଁରେ କୁଆଡେ ବାବା ମାର୍କେଟରୁ ଖୁବ୍ ମୋଟା ଉଠାଇଥିଲେ। ସେୟାକୁ ନେଇ ପରା କଳିତକରାଳ। କେତେ ଲୋକ କେତେକଥା କହିଲେ। ଝଗଡ଼ା ଝାଣ୍ଟି ବହେ ଯାଇଛି। ତା ପରବର୍ଷରୁ ଆଉ କାହିଁ ଜିଲ୍ଲା ମହୋତ୍ସବ ନାହିଁ।
ଆଉ ଦିନକର କଥା ବାବୁ ଲମ୍ବୋଧର ଜଣେ ବୟସ୍କ ଲୋକ, ଭାରି ଭଲ ସାହିତ୍ୟ କରନ୍ତି। ତାଙ୍କ ଲେଖାକୁ ବାବା କୁଆଡ଼େ କଭର ପରିବର୍ତ୍ତନ କରି ତାଙ୍କ ନିଜ ନାଁରେ ଗୋଟେ ନୂଆ ବହି ଛାପି ଥିବାର ଖବର ଲମ୍ବୋଧର ବାବୁ ନିଜ ଆଖିରେ କଟକ ପ୍ରେସରେ ଦେଖିକି ଆସିଛନ୍ତି। ଆଉ କିଏ ବୃଦ୍ଧଙ୍କୁ ସମ୍ଭାଳେ ବା। ବିଚ୍ ରାସ୍ତାରେ ବଜାର ମଝିରେ ଯା ପାରି ତା ଗପି ଗଲେ। କ୍ଷମା ମାଗି ବୃଦ୍ଧଙ୍କ ଗୋଡ଼ହାତ ତଳେ ପଡ଼ି ବାବା ସେଠୁ ଜୀବନ ନେଇ ଫେରିଲେ, ନ ହେଲେ ସାଧାରଣ ଲୋକ ତ ପିଟି ପକାଇଥାନ୍ତେ। ଏହି ଭଳି ନାଟୁଆ ବାବାଙ୍କର କେତେ ନାଟ କିଏ ଏତେ ସବୁ ନାଟ ଦେଖିବ କହୁ ନାହାନ୍ତି? ଏଇ ବାବା ମାନଙ୍କର ପରା ଅନେକ ରୂପ। ସେ ନିଜ ପରା କହନ୍ତି ସେ ସାଧନା କରି ସିଦ୍ଧି ପାଇଥିବାରୁ ସିଦ୍ଧ ବାବା। ନିଜକୁ ସେ ସାଧକ ବୋଲି ଗର୍ବ କରନ୍ତି। କଥା କଥାକେ ଅଭିଶାପର ମହାମନ୍ତ୍ର ଫୁକନ୍ତି। ଲୋକଙ୍କୁ ଧର୍ମର ଦ୍ୱାହି ଦେଇ ବିପଦରେ ପକାନ୍ତି। ଗୁଣି ଗାରେଡ଼ିର ଭୟ ଦେଖାଇ ଭଲ କି ଲୁଟନ୍ତି। ହେ ବାବା! ତୁମର ସତେ କେତେ ରୂପ? ତୁମ 64 କଳାରୁ ଆମକୁ କଳାଏ ଦିଅନ୍ତ ନି? ସେଦିନ ପ୍ରଧାନ ବାବୁ ଚା ଦୋକାନରେ ବସି ଚା ପିଉ ଥିଲେ। ହଠାତ୍ ଦେଖିଲେ ବାବା ଜଣେ ଭଦ୍ର ଲୋକ ସହ କଥା ହେଉଛନ୍ତି। ଭଦ୍ର ଲୋକଟି ନିଜ ପରିସ୍ଥିତିକୁ ନେଇ ବୋଧେ ଚିନ୍ତିତ ଥାଆନ୍ତି। ବାବା କହୁଥାନ୍ତି ଘିଅ ଦୁଇ କେଜି ଦିଅ, ଅଖଣ୍ଡ ଜଳିବ, ପଇସା ଦି ତିନି ହଜାର ଯାହା ଦେଲେ ଚଳିବ ସେ ସେଥିପାଇଁ ଏତେ worried ନୂହେଁ ।ଲୋକଙ୍କୁ ସାହାଯ୍ୟ କରିବା ତାଙ୍କ ଧର୍ମ।ଏତକ ପୂଜା ବିଧି କଲା ପରେ ତାଙ୍କ ପୁଅ ନିଶ୍ଚୟ ମ୍ୟାଟ୍ରିକ ପାସ୍ କରିଯିବ ଓ ସ୍ତ୍ରୀ ବି ରୋଗ କଷ୍ଟରୁ ମୁକ୍ତି ପାଇବ।
ପ୍ରଧାନ ବାବୁ ଦୂରୁ ଦେଖି ଭାବୁଥାନ୍ତି – “ଏ ବାବାଙ୍କର କେତେ ରୂପ ଓ କେତେବେଳ କେଉଁ ଅବତାର କି?”
ବାସ୍ତବରେ ବାବା ଜଣେ ଅବତାରୀ ପୁରୁଷ। ତେଣୁ ତାଙ୍କର କେତେବେଳେ କେଉଁ ଅବତାର ତାହା ଛାର ସାଧାରଣ ମାନବ କାହୁଁ ବା ବୁଝିବ। ତେବେ ଏହି ବହୁରୂପୀ ବାବାଙ୍କର ଆଉ ଗୋଟେ ରୂପ ଚାଲନ୍ତୁ ଦେଖିବା।
ସେଦିନ ଶୀତ ମିଶା କୋହଲା ପବନ ଶୁଲୁ ଶୁଲୁ ବାଜୁଥାଏ। ତା ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ଚାଲିଥାଏ। ରାତି ପ୍ରାୟ ୧୦ ହେବ। ପ୍ରଧାନ ବାବୁ ନିଜ କବାଟର କିଳିଣୀ ଦେଇ ଘରର ମୁଖ୍ୟ ଦରଜା ବନ୍ଦ କରିବାକୁ ଯାଉଥିଲେ। ଆଖି ପଡ଼ିଲା ବାବାଙ୍କ ଉପରେ। ପଚାରିଦେଲେ-” କି ବାବା! ଏତେ ରାତିରେ କୁଆଡ଼େ ଯାଇଥିଲେ କି” ? ବାବା ଅଗତ୍ୟା ରୋକି ଗଲେ। କହିଲେ – “ନାହିଁମ! ଗୋଟେ ସାହିତ୍ୟ ସଭାରୁ ଫେରୁ ଫେରୁ ବିଳମ୍ବ ହୋଇଗଲା। ଇଏ ମୋ ଭାଣିଜୀ, ଜିଦ୍ କଲାରୁ ସାଙ୍ଗରେ ନେଇ ଆସିଲି “। ଇଏ ପ୍ରକାର ଉତ୍ତରଟି ଯଦିଓ ଟିକିଏ ଟିକିଏ ଅଡ଼ୁଆ ଲାଗୁଥିଲା ତଥାପି ପ୍ରଧାନ ବାବୁ ଚୁପ୍ ରହିଲେ।
ବାବା ଚାଲିଲେ ନିଜ ଘରକୁ ଯାହା ପ୍ରଧାନ ବାବୁଙ୍କ ଘରଠାରୁ ଅଳ୍ପ କିଛି ଦୂରରେ ଦଣ୍ଡାୟମାନ। ଚାକଚକ୍ୟପୂର୍ଣ୍ଣ ଗୃହଟି ବେଶ୍ ବିଳାସମୟ। ବାବା ଆସ୍ଥେ କରି କଞ୍ଚିରେ ତାଲା ଖୋଲିଲେ। ଟିକିଏ ରିଫ୍ରେସ ହେଲା ପରେ ରନ୍ଧାବଢାରେ ଲାଗିଗଲେ। ରୋଷେଇ ବାସର ପର୍ବ ଚାଲିଥାଏ। ଖଡର ଖଡର ଶବ୍ଦ ସହ ପାଉଁଜି ମିଶା କାଚ ଝଣର ଝଣର ଶବ୍ଦ ବି ବେଶ ହାସ୍ଯରୋଳକୁ ଦ୍ଵିଗୁଣିତ କରି ଗଢି ତୋଳିଥିଲା ପାଖ ଘରୁ ଶବ୍ଦ ଟିଏ ଭାସି ଆସିଲା – ଆଲୋ ଚେମି ବୋଉ! ବାପ ଘରୁ କେତେବେଳେ ଆସିଲ କି”?ବାବା କିଛି କ୍ଷଣ ସ୍ତବ୍ଧ ହୋଇ ଉତ୍ତର ଦେଲେ – ନାହିଁମ କେହି ନାହାନ୍ତି, ସେ ଏବେ ଆସିବେ ନାହିଁ। ବାସ ସେତିକି। ତେଣିକି ପଡ଼ୋଶୀନୀଙ୍କର ସନ୍ଦେହ ହେଲା କି କଣ ସେ ବୋଧେ କାହା ସହ ଫୋନ୍ ରେ କଥା ହୋଇଥିବେ। ଏପଟେ ଟିକିଏ ଖାଇ ପିଇ ବିଳାସୀ ବାବା ବିଳାସରେ ଉପବିଷ୍ଟ ହୋଇଛନ୍ତି କି ନାହିଁ କିଏ ସେ ଗୋଟେ ଫୋନ୍ ରେ ସମସ୍ତ ମଜା ଛଡ଼ାଇ ନେଲା। ଚେମି ବୋଉ ଫୋନ୍ ରେ କଣ ବକିଲେ କେଜାଣି ବାବାଙ୍କର ମୁଣ୍ଡ ଗରମ। ଅଗତ୍ୟା କିଛି ଉପାୟ ନ ପାଇ ପ୍ରଧାନ ବାବୁଙ୍କୁ ଫୋନ୍ ଲଗାଇଲେ। କହିଲେ- ଭାଇ! ତୁମେ ତ ଜାଣିଛ ବନ୍ଧୁ ପତ୍ନୀ ତୁମର ପନ୍ଦର ଦିନ ହେଲା ଘରେ ନାହାନ୍ତି। ତେଣୁ ଝିଅ ପିଲାଟା ମୋ ଘରେ ରାତିରେ ଏକୁଟିଆ ରହିଲେ ଲୋକେ କଣ କହିବେ। ମୁଁ ଟିକିଏ ତୁମ ଘରେ ଛାଡି ଆସିବି। ତୁମ ପିଲାମାନଙ୍କ ପାଖରେ ସେ ଶୋଇ ପଡ଼ିବ। ରାତି ପାହିଲେ ମୁଁ ନେଇ ବସ୍ ଷ୍ଟପ୍ ରେ ଛାଡ଼ି ଆସିବି । ସେ ତା ଘରକୁ ଚାଲିଯିବ। ପ୍ଲିଜ୍ ମନାକରନ୍ତୁ ନାହିଁ “। ପ୍ରଧାନ ବାବୁ ହଁ ନାହିଁ ହୋଇ କିଛି କହି ଆସୁଥିଲେ। ହେଲେ ସେ ସେପଟରୁ ଫୋନ୍ କାଟିଦେଲେ। ଦେଖିଲା ବେଳକୁ calling bell ର ଶବ୍ଦ ।ବାବା ସାଥିରେ ସେହି ଝିଅଟା। ପ୍ରଧାନ ବାବୁ ଅବାକ୍ ହୋଇ ପତ୍ନୀ ମୁହଁକୁ ଚାହୁଁଥାନ୍ତି, ଏପଟେ ବାବାଙ୍କୁ କିଛି କହି ପାରିଲେ ନାହିଁ। ବଡ ବିରକ୍ତି ଓ ଅନାସକ୍ତ ଭାବେ, କିନ୍ତୁ ଆତିଥ୍ୟ ଦେଲେ। କାରଣ ରାତି ସେତେବେଳକୁ 12.30। ଝିଅଟା ପ୍ରଧାନ ବାବୁଙ୍କ ଝିଅ ମାନଙ୍କ ସହ ରାତିଟା କୌଣସି ପ୍ରକାର ଶୋଇ ପଡିଲା। ହେଲେ ଝିଅଟାର ଓ ବାବାର ହାବଭାବ ଦେଖି ପତିପତ୍ନୀ ଦୁଇ ଜଣଙ୍କ ଆଖିକୁ କାହାକୁ ନିଦ ନାହିଁ। ମନରେ ଅନେକ ପ୍ରଶ୍ନ ବାବା ଚରିତ୍ର ଓ ବାବା ଗିରିକୁ ନେଇ ଘୃଣାରେ କୁଞ୍ଚିତ ହୋଇ ଯାଉଥାଏ ମସ୍ତକ।
ଅନ୍ୟପଟେ ଚେମି ବୋଉର ସନ୍ଦେହଟା ବୋଧେ ଜୋହର୍ ଧରିଲା କି କଣ ସେ ରାତି ନ ପାହୁଣୁ ଆସି ହାଜର। ବାବାଙ୍କର ନିଦଟା ପାକଳ ହୋଇ ନ ଥାଏ, କିନ୍ତୁ ପତ୍ନୀର ନଚା କୁଦା ଓ କବାଟ ବାଡ଼ା ଶବ୍ଦ ଶୁଣି ସେ ଅଳସେଇ ଭିଡ଼ି ହୋଇ ତୁରନ୍ତ ଉଠି କବାଟ ଖୋଲିଲେ। ଦ୍ଵାର ଖୋଲୁ ଖୋଲୁ ପତ୍ନୀ ଘରଟାଯାକ ଆଗ ଦରାଣ୍ଡି ଆସିଲେ। କହିଲେ – “କିଏ କିଏ ସତ କୁହନି! କାଲି ରାତିରେ ଏଠାକୁ ଆସିଥିଲା। କେଉଁ ଝିଅକୁ ଧରି ତୁମେ ଏତେ ସୁଆଙ୍ଗ କରୁଥିଲ ଯେ ମୋ ଫୋନ୍ ଉଠାଇବାକୁ ଘଣ୍ଟେ କି ଦି ଘଣ୍ଟା ଲାଗିଗଲା “।
ବାବା ଯେତେ ସଫେଇ ଦେଲେ ପତ୍ନୀ ବୁଝିଲେ ନାହିଁ। ଓଲଟା ଲମ୍ପଟ କାମୁକ ପୁରୁଷ କହି ଖାଲି ଝିଞାରି ଗୋଡାଇଲେ। ଲଜ୍ଜା ଅପମାନ ଓ ଭୟରେ ବାବାଙ୍କ ମୁହଁ ତଳକୁ ହୋଇ ଯାଉଥାଏ। କ୍ଷଣକ ପାଇଁ କାନରେ ହାତ ଦେଇ କାନ ବନ୍ଦ କରିନେଲେ। ଇଶ୍ୱରଙ୍କୁ ଆତ୍ମ ନିବେଦନ କରି ତ୍ରାହି ତ୍ରାହି ଡାକୁଥାନ୍ତି, ଘଟଣାଟାର ମୋଡ଼ ବଦଳେଇବାକୁ ବାରମ୍ବାର ଚେଷ୍ଟା କରୁଥାନ୍ତି। ଶେଷରେ କହିଲେ – ଟିକିଏ ଶାନ୍ତ ହୁଅ! ମୁଁ ବଜାରରୁ କ୍ଷୀର ପ୍ୟାକେଟ୍ଟିଏ ଧରି ଆସୁଛି, ଆଗ ଚା ଟିକିଏ ପିଇବା, ତାପରେ ଥଣ୍ଡା ମୁଣ୍ଡରେ ସବୁ କଥା ହେବା। ପତ୍ନୀ କହିଲେ – କଥା ବାଆଁରାଅ ନାହିଁ କହି ଦେଉଛି,ଏତେ ବଢ଼ି ଭୋରରୁ ତୁମକୁ କୋଉଠି କ୍ଷୀର ମିଳିବ ବା? ଅନାନି କହି ଦେଉଛି! ମୋ ମୁଣ୍ଡକୁ ବିଛା କାମୁଡ଼ିଲେ ନା ମୁଁ କାହାରି ନୂହେଁ। ମୋତେ ସତ କୁହ ସେ ଝିଅ ତ ରାତିକ ଭିତରେ କୁଆଡେ ଯାଇ ପାରି ନ ଥିବ, ତାକୁ କୋଉଠି ରଖିଛ? “
ବାବା ତାଙ୍କ କିଳି କିଳା ରାବ ସହି ପାରୁ ନ ଥିଲେ। ବାହାନା ଖୋଜି କ୍ଷୀର ଆଣିବା ବାହାନାରେ ଘରୁ ଗୋଡ଼ କାଢି ମୋଟର ସାଇକେଲ ଧରିଲେ। ସିଧା ଯାଇ ପ୍ରଧାନ ବାବୁ ଘରେ ହାଜର। ସେଠାରୁ ସେ ଝିଅଟାକୁ ଧରି ସିଧା ବସ୍ ଷ୍ଟାଣ୍ଡ ଅଭିମୁଖେ ଯାତ୍ରା କଲେ।
ଚେମି ବୋଉର ସନ୍ଦେହଟା ଠିକ୍ ।ସେ ଅନିସା କରି କରି ଆସି ପ୍ରଧାନ ବାବୁ ଘରଠିଁ ପହଂଚି ଯାଇଥିଲେ। ସେଠି ପ୍ରଧାନ ବାବୁ ପତ୍ନୀଠାରୁ ସବୁ କଥା ଶୁଣି ରାଗରେ ଲାଲ ପଡ଼ିଗଲେ। ଏଥର ରଣପା ରଣଚଣ୍ଡୀକୁ ଆଉ କିଏ ସମ୍ଭାଳେ। ସେ କାନିଟାକୁ ଅଣ୍ଟିରେ ଗୁଡ଼ାଇ ଦେଇ ସାଙ୍ଗରେ ଆସିଥିବା ସାନ ଭାଇ ସ୍କୁଟିରେ ବସି ବସ୍ ଷ୍ଟପ୍ ରେ ଯାଇ ଅଟକିଲେ। ଦେଖିଲା ବେଳକୁ ବାବା ରସିକଲାଲ ସୁନ୍ଦରୀ ତନୁଶ୍ରୀ ମହିଳାଙ୍କୁ ବସ୍ ରେ ବସାଉଛନ୍ତି। ଚେମି ବୋଉ ଏକରକମର ବସ୍ ରୁ ଦୁଇ ଜଣଙ୍କୁ ଘୋଷାରି ପକାଇ ଖାଲି ଚପଲରେ ଶେକି ପକାଇଲେ। ପାଟି କରି ଲୋକ ଜମା କଲେ। କହିଲେ ଇଏ ମୋର କୋଉ ଭାଣିଜୀ ବା? ପ୍ରଧାନ ବାବୁଙ୍କୁ କହିଛ କଣନା ଇଏ ମୋ ଭାଣିଜୀ।ମୋ ଭାଣିଜୀ ତ ଘରେ ନ ରଖି ଇଆ ତା ଘରେ ରାତି ଅଧରେ ଜାଗା କାହିଁକି ଉଣ୍ଡାଳୁ ଥିଲ? ମୋ ଘରେ କଣ ଜାଗା ନ ଥିଲା ରାତିକ ଶୋଇବା ପାଇଁ? ଚୋର! ଦୁରାଚାର!! ରାସ ଲୀଳା ସରିଲା ପରେ ଇଆ ତା ଘରେ ଛପୁଛ। କେତେ ଝିଅଙ୍କର ଜୀବନ ବରବାଦ କଲା ପରେ ତୁମେ ଆଉ ସୁଧୁରିବ”।ଏତକ କହି ସାରିଲା ବେଳକୁ ଚେମି ବୋଉ ବେହୋସ୍ ହୋଇ ତଳେ ପଡ଼ି ସାରିଥିଲେ। ସେତେବେଳକୁ କିନ୍ତୁ ଚପଲ ମାଡ଼ରେ ବାବାଙ୍କ କର୍ଣ୍ଣମୂଳି ସିଝି ଯାଇଥାଏ। ରୁଣ୍ଡ ହୋଇଥିବା ଲୋକଙ୍କର ଛିଛାକରରେ ବାବାଙ୍କ ମୁହଁ ତଳକୁ। ପାଖ ଚା ଦୋକାନରେ ବସି ଚା ପିଉଥିବା ଦଳେ ଲୋକ କଥା ହେଉଥାନ୍ତି -” ଇଏ କଣ ସେଇ ବାବା ଯିଏ ସାହିତ୍ୟ ମଞ୍ଚରେ ଛିଡ଼ା ହୋଇ ଲମ୍ବା ଲମ୍ବା ଭାଷଣ ଦିଅନ୍ତି”।

Related posts

ପଦେ

satya

ଶବ୍ଦ ଯୁଗଳ

satya

ମୁଁ ଆଉ କହିବି କ’ଣ

satya

Leave a Comment

Login

X

Register