Satya Prakash
ପ୍ରବନ୍ଧ

ଅଧ୍ୟୟନ ଓ ଅଧ୍ୟବସାୟ

ଅଧ୍ୟବସାୟୀ ଓ ଅଧ୍ୟବସାୟ
——by ସତ୍ୟ ପ୍ରକାଶ ସେଠୀ
ଅଧ୍ୟୟନ ଓ ଅଧ୍ୟବସାୟ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ବୈଭବ। ଦିନ ଥିଲା ଶିକ୍ଷା ଓ ସଭ୍ୟତା ମଣିଷକୁ ଛୁଇଁ ପାରିନଥିଲା। ଜଙ୍ଗଲରୁ ଫଳ ମୂଳ ସଂଗ୍ରହ କରି ସେ ଜୀବନ ଓ ଜୀବିକା ନିର୍ବାହ କରୁଥିଲା। ଜୀବନର ଅର୍ଥ କିଛି ବୁଝୁ ନଥିଲା ବା ତା’ର ଜୀବନ ସେପରି କିଛି ବୈଚିତ୍ରମୟ ନଥିଲା। ସ୍ୱାଭାବିକ ଜୀବନଶୈଳୀ ଭିତରେ ସେଇ ଆଦି ମାନବର ଆଦି କଥା ତା’ ରି ଭିତରେ ତାହାର ଇତି ଓ ଆରମ୍ଭ। ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି କେତେବେଳେ ସେ ଠୋ ଠୋ ହୋଇ ହସି ଉଠେ, ବିପର୍ଯ୍ୟୟର ଆଶଙ୍କା କରି ଚିତ୍କାର କରେ ବା ପୁଣି ମନର ଦୁଃଖ ଶୋକକୁ ପ୍ରକାଶ କରିବା ପାଇଁ ଗୁମୁରି ଗୁମୁରି କାନ୍ଦି ଉଠେ ।ମନର ଭାବକୁ ପ୍ରକାଶ କରିବା ପାଇଁ ସେମିତି କିଛି ଶବ୍ଦ ବା ଶାବ୍ଦିକ ପ୍ରୟୋଗ ସେ ଖୋଜି ପାଏନା, ଖାଲି ଅଳ୍ପ କେତେକ ପାଣିର ଝର ଝର, କୁଳୁକୁଳୁ, ପତ୍ରର ଖସ୍ ଖସ୍, ପକ୍ଷୀର ଫଡ଼ ଫଡ଼ ଶବ୍ଦ ଛାଡିଦେଲେ। ପ୍ରକୃତି କୋଳରେ ସେ ଜନ୍ମ୍ ନେଇ ସେହି ପ୍ରକୃତି କୋଳରେ ହସି, ଖେଳି, ବୁଲି ଜୀବନ ନିର୍ବାହ କରି ପୁଣି ସେଇ ପ୍ରକୃତି କୋଳରେ ପଚି ସଢ଼ି ଲୋଟି ଯାଏ। କେତେବେଳେ ପୁଣି ବନର ବାଘ ଭାଲୁ ଆଦି ହିଁସ୍ର ଜନ୍ତୁ ଦେଖି ଭୟ କାତର ହୋଇ ଜୀବନ ବିକଳରେ ପ୍ରକୃତି କୋଳରେ ଲୁଚି ଆଶ୍ରୟ ଖୋଜେ। ବାହାର ଦୁନିଆକୁ ଦେଖିବାର ବା ଜାଣିବାର ସୁଯୋଗ ତା’ ପାଖରେ ନଥିଲା। ସେଇ ନିର୍ଦ୍ଧିଷ୍ଟ ଗୋଷ୍ଠୀରେ ବା ଇଲାକାରେ ତା ଜୀବନ ପରିକ୍ରମା ସରି ଯାଉଥିଲା।
କ୍ରମଶଃ ସେ ସଭ୍ଯ ଓ ଶିକ୍ଷିତ ହେବାକୁ ଲାଗିଲା। ପ୍ରକୃତିର ଗୋଟେ ପରେ ଗୋଟେ ରହସ୍ୟ ଉନ୍ମୋଚନ କରିବା ତା ପାଇଁ ଏକ କୌତୁହଳ ହୋଇ ଉଠିଲା। ଧୀରେ ଧୀରେ ସବୁଟାକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଲା। ଜାଣିବାର ଇଛା ପ୍ରବଳ ହେବାରୁ ସେ ଗୁରୁ କୂଳ ଆଶ୍ରମ ଯିବାକୁ ଲାଗିଲା। ପ୍ରଥମେ ପ୍ରଥମେ ଶ୍ରୁତି ମାଧ୍ୟମରେ ସେ ସବୁ କିଛି ଶୁଣି ଶୁଣି ମନେ ରଖିଲା। ପରେ ଭାଷା, ଲିପି ଓ ମୁଦ୍ରଣ ଜନ୍ତ୍ରର ଉଦ୍ଭାବନ ଓ ବ୍ୟାପକ ପ୍ରସାର ଫଳରେ ଅଧ୍ୟୟନ ସହଜ ଓ ସୁଖ ପାଠ୍ୟ ହେବାକୁ ଲାଗିଲା। ଏଥି ସହ ତା’ର ପଠନ ଅଭ୍ୟାସ ବୃଦ୍ଧି ଘଟିଲା ଓ ପାଠ ପ୍ରତି ଅନାଗ୍ରହ ହଟି ଆଗ୍ରହ ପରିପ୍ରକାଶ ପାଇଲା। ପୂର୍ବେ କେବଳ ରାଜା ରାଜୁଡ଼ା ବା ଅଳ୍ପ କେତକ ମୁଷ୍ଟିମେୟଙ୍କ ସନ୍ତାନ ସନ୍ତତି ଏପ୍ରକାର ଶିକ୍ଷା ଆହରଣର ସୁଯୋଗ ନେଇ ପାରୁଥିଲା। ରାଜା, ମହାରାଜ ବା ଏବର ସରକାରଙ୍କ ପ୍ରୋସାହନ ଓ ପୃଷ୍ଠପୋଷକତା ଫଳରେ ଶହ ଶହ ଶିକ୍ଷା ଅନୁଷ୍ଠାନ ଗଢ଼ି ଉଠି ପାରିଛି। ବେସରକାରୀ ସଂସ୍ଥାର ମଧ୍ୟ ଆଜି ଅଭାବ ନାହିଁ। ଏବେ ପ୍ରୟତଃ ସମସ୍ତେ ଅଧ୍ୟୟନ ଓ ଅଧ୍ୟାପନା ପ୍ରତି ରୁଚି ରଖନ୍ତି। ଜ୍ଞାନ ବିଜ୍ଞାନର ଭୂୟସୀ ପ୍ରସଂଶା ଫଳରେ ମଣିଷ ଅନେକ କିଛି ଜାଣି ପାରିଛି। ଚିନ୍ତା ଓ ଚେତନାର ବ୍ୟାପକ ପରିବର୍ତ୍ତନ ଘଟିଛି। ମଣିଷ ଜୀବନର ବେଶ୍ କିଛି ମୁହୂର୍ତ୍ତ ଅଧ୍ୟୟନ ଓ ଅଧ୍ୟବସାୟରେ କାଟେଇବାକୁ ଉଚିତ୍ ମଣିଛି। ତେଣୁ ଅଧ୍ୟୟନ ମଣିଷ ଜୀବନର ଏକ ବିଶେଷ ବିଭାବ।
ଶିଶୁଟିଏ ଜନ୍ମ ହେବା କ୍ଷଣି ପରିବାରର ଲୋକ ବେଶ୍ ସଚେତନ ଓ ସତର୍କ ହୋଇ ପଡ଼ନ୍ତି। ବିଦ୍ୟାଳୟକୁ ସେ ଯାଇ ପାଠ ପଢିବ, ଅନ୍ୟ ମଣିଷ ପରି ଜଣେ ମଣିଷ ହୋଇ ସେ ଛିଡା ହେବ, ଅନ୍ୟ ଆଗେ ଭରସି କଥା କହିବ-ଏପରି ଚିନ୍ତାରେ ସମସ୍ତେ ମସଗୁଲ ହୋଇ ଉଠନ୍ତି। ପିଲାଟିକୁ ତିନି ବର୍ଷ ହେବା କ୍ଷଣି ତାକୁ ବିଦ୍ୟାଳୟ ପଠେଇ ଦିଅନ୍ତି। ବେଶ୍ କିଛି ଦିନ ଅଧ୍ୟୟନ କଲା ପରେ ସେ ବେଶ୍ ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କରେ, ନିଜ ଗୋଡ଼ରେ ନିଜେ ଛିଡା ହୁଏ, ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ସେ ନିଜ ପାଇଁ ଗୋଟେ କର୍ମ ଓ କର୍ମ ସଂସ୍ଥାନ ବାଛି ନିଏ। ଏତେବେଳକୁ ଦୁନିଆର ଭଲ ମନ୍ଦ ବୁଝି ପାରିବାକୁ ସେ ବେଶ୍ ସକ୍ଷମ ମନେ ହୋଇଥାଏ। ଏଥିପାଇଁ ହୁଏତ ତାକୁ ଅନେକ ପ୍ରତିଦ୍ୱନ୍ଦିତାମୟ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପଡ଼ି ଥାଏ। ସେଇଥିରେ ହିଁ ତା’ର ସାର୍ଥକତା ତଥା ଅନ୍ୟ ମଣିଷ ଠାରୁ ତାକୁ ନିଆରା କରି ଗଢି ତୋଳିବାର ଶେଷ ପ୍ରୟାସ ହୋଇଥାଏ। ତେଣୁ ମାନବ ଜୀବନର 30/40 ବର୍ଷ ଅଧ୍ୟୟନ ଓ ଅଧ୍ୟବସାୟରେ କଟିଯାଏ – ଯାହା ସହ ତା’ ର ନିବିଡ ସମ୍ପର୍କ ରହିଥାଏ।

ଏହି ଅଧ୍ୟୟନ ଓ ଅଧ୍ୟାପନା ସମସ୍ତଙ୍କ ଜୀବନରେ ଯେ ସୁରୁଖୁରୁରେ ଚାଲିଥାଏ – ତା’ ନୁହେଁ। ସେଥିପାଇଁ ନାନା ବାଧା ବନ୍ଧନ, ଘାତ ପ୍ରତିଘାତ ଦେଇ ତାକୁ ଆଗକୁ ବଢିବାକୁ ହୋଇଥାଏ। କେହି କେହି ଯିଏ ଏ ସବୁକୁ ଅକ୍ଲେଶରେ ପ୍ରତିହତ କରି ପାରେ ନାହିଁ, ଜୀବନରେ ଅକୃତକାର୍ଯ୍ୟ ହୋଇ ପରେ ଅନୁଶୋଚନା ଓ ପରିତାପର ନିଆଁରେ ଝଲସି ହୁଏ – ଏକାନ୍ତରେ ବସି ଭାବେ ମୁଁ କାହିଁକି ଅନ୍ୟ ମାନଙ୍କ ଠାରୁ ଆଜି ଏତେ ପଛରେ ପଡ଼ିଛି। ଏଥିପାଇଁ ସେ ଏକାକୀ ହୁଏତ ଦାୟୀ ହୋଇ ନପାରେ, କେତେବେଳେ ବା ଆର୍ଥିକ ଅନାଟନର ବୋଝ ଓ ପରିସ୍ଥିତି ପରିବେଶର ବାମ ଗତି ଏ ଦିଗରେ ଅନ୍ତରାୟ ହୋଇ ଛିଡ଼ା ହୋଇଥାଏ ଅଥବା ପୁଣି ଜୀବନରେ ନାନା ସଂଘାତ ଓ ସଂଘର୍ଷ ମଧ୍ୟ ତା’ର କୁପ୍ରଭାବ ପକାଇ ଥାଏ।ପ୍ରାୟତଃ ଏବର ଶିକ୍ଷା ଆହରଣ ପଦ୍ଧତି ଏକ ବ୍ୟୟ ବହୁଳ କାର୍ଯ୍ୟକ୍ରମରେ ପରିଣତ ହୋଇ ସାରିଛି। ଘରୋଇକରଣ ଫଳରେ ଦରିଦ୍ର ପିତା ମାତାର ସନ୍ତାନ ସନ୍ତତି ଉଚ୍ଚ ଶିକ୍ଷାରୁ ବଞ୍ଚିତ ରହିବାକୁ ବାଧ୍ୟ ହେଉଛନ୍ତି। ଶିକ୍ଷାକୁ ସରକାରୀ ପ୍ରୋତ୍ସାହନଯୁକ୍ତ ଓ ଫି’ ମୁକ୍ତ କରାଯିବା ଅପରିହାର୍ଯ୍ୟ ମନେ ହୁଏ। ଏହି ହେତୁ ଓ ଆର୍ଥିକ ନିଅଣ୍ଟିଆ ପରିସ୍ଥିତି ଯୋଗୁଁ ପିଲାଟି ଭଲ ଓ ବଡ଼ ଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇ ପାରେ ନାହିଁ, ଆର୍ଥିକ ଦୁର୍ଗତି ଏ ଦିଗରେ ବାଧକ ସାଜି ଥାଏ। ତଥାପି ତା’ର ଅଧ୍ୟୟନ ପିପାସା ତାକୁ ସମ୍ପୂର୍ଣ୍ଣ ରୋକି ପାରେ ନାହିଁ। ସେ ବିଦ୍ୟାଳୟ ଯିବା ଆରମ୍ଭ କରିଦିଏ।
ବେଶ୍ କିଛି ଦିନ ପରିବାରର ଲୋକ ଓ ଗୁରୁଜୀଙ୍କ ଇସାରାରେ ନାଚି ଥାଏ। ପାଠ କ’ ଣ ଓ କାହିଁକି ବୁଝି ନଥାଏ। ତଥାପି ସମସ୍ତେ ପଢୁଛନ୍ତି ଦେଖି ସିଏ ବି ପଢି ପକାଏ। ପ୍ରାଥମିକ ଶିକ୍ଷା ସରି ସରି ଆସିଲା ବେଳକୁ ସେ ଧୀରେ ଧୀରେ ଏହାର ଗୁରୁତ୍ଵ ଉପଲବ୍ଧି କରି ଆସୁଥାଏ। ଶିଶୁର ଚପଳ ମନ କ୍ରମଶଃ ଅଧ୍ୟବସାୟୀ ହୋଇପଡେ। ମାତ୍ର ଖେଳ କୁଦରୁ ମନ ଛାଡି ନଥାଏ। ତେଣୁ ବାପା ମାଆ ଗୁରୁଜନ ଓ ଗୁରୁଜୀଙ୍କର ତତ୍ତ୍ୱାବଧାନ ଓ ପ୍ରେରଣା ଟିକକ ଆଗକୁ ଆଗକୁ ପଥ ପ୍ରଦର୍ଶନ କରି ବାଟ କଢେଇ ନିଏ। ଏଥିରେ ବିଶେଷ ତ୍ରୁଟି ବା ବ୍ୟତିକ୍ରମ ପରିଲକ୍ଷିତ ହେଲେ ପିଲାଟି ବିଗିଡି ଯାଏ। ତା’ର ଶୈକ୍ଷଣିକ ଜୀବନ ଆକାଶ ଜଟିଳ ଗଣିତରେ ପରିଣତ ହୋଇଯାଏ, ଠିକଣା ବାଟ ଓ ମାର୍ଗ ହରାଇ ବସି ସେ ନିଜର ଅଧ୍ୟୟନରୁ ଓହରି ଯାଏ। ମଧ୍ୟ ଇଂରାଜୀ ଓ ଉଚ୍ଚ ଇଂରାଜୀ ପଢିଲା ବେଳେ ହୁଏତ ତା’ ଭିତରେ ଖେଳୁଆଡ଼ ମନୋବୃତ୍ତି ଟିକିଏ ଅଧିକ ଥାଏ। ମନ ଅହରହ ଚାହୁଁଥାଏ ସାଙ୍ଗ ସାଥୀ ଗହଣରେ ଖେଳିବାକୁ। ସେପଟେ ପାଠର ବୋଝଟା ବଢି ବଢି ଯାଉଥାଏ। ଟିକିଏ ଅବହେଳା କଲେ ପାଠଟା ଅବୁଝା ରହିଯାଏ। ଆଉ ଆଗକୁ ଉଦ୍ଧେଇବା କଷ୍ଟକର ହୋଇପଡ଼େ। ଏତେବେଳେ ବେଶୀ ସ୍ନେହାନ୍ଧ ହୋଇ ନଯାଇ ଲଗାମର ଅଙ୍କୁଶଟାକୁ ଟିକିଏ ଜୋହର୍ କରି ଭିଡ଼ି ଧରିବାର ଆବଶ୍ୟକତା ଥାଏ ।ପିଲାର ଖୁବ୍ ପାଖାପାଖି ରହି, ନିକଟ ନୈକଟ୍ଯ ସମ୍ପର୍କ ସ୍ଥାପନ କରି ତାକୁ ଉଚିତ୍ ପରମର୍ଶ ଓ ମାର୍ଗ ଦର୍ଶନ ଜରିଆରେ କିଛିଟା motivation ଓ boostings ଦେବାକୁ ପଡ଼ି ଥାଏ। ଯାହାଦ୍ୱାରା ସେ ଅଧ୍ୟବସାୟୀ ହୋଇପଡ଼ିବ ଓ ସ୍କୁଲ୍ ଶିକ୍ଷା ସମାପ୍ତି କରି ତୁରନ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଅଭିମୁଖେ ଅଗ୍ରସର ହେବ।

ଏହି କଲେଜଜୀବନ ଅଧିକତମ ଯୁକ୍ତ ଦୁଇ ଶିକ୍ଷା ବର୍ଷ ଜୀବନର ଏକ ସନ୍ଧିକ୍ଷଣ। ଏହି ମୁହୂର୍ତ୍ତରେ ମଣିଷ ବିଗିଡ଼ି ଯିବାର ଟିକିଏ ଅଧିକ୍ ସମ୍ଭାବନା ଥାଏ। ଏକେ ତ ଘର ପାଖ ଛାଡ଼ି ଶିକ୍ଷା ଆହରଣ ପାଇଁ ଦୂର ଦୂରାନ୍ତ ସ୍ଥାନରେ ରହିବାକୁ ପଡିଥାଏ, ଯେଉଁଠି ଘର ଲୋକଙ୍କର ଦେଖଭାଲ ଟିକିଏ କମ୍ ଥାଏ ।ପୁଣି ଗୁରୁଜୀଙ୍କର ବିଶେଷ କର୍ତ୍ତୃତ୍ୱ ନଥାଏ। ନୂଆ ସାଙ୍ଗ ସାଥୀ ଗହଣରେ ପଡ଼ି ବିଗିଡ଼ି ଯିବାର ଅବସର ସୃଷ୍ଟି ହୋଇଥାଏ। ସ୍କୁଲ୍ ଜୀବନର ଶିକ୍ଷା ଓ କଲେଜ ଜୀବନର ଶିକ୍ଷା ମଧ୍ୟରେ ମଧ୍ୟ ଅନେକ ଫରକ ଓ ତାରତମ୍ୟ ପରିଲକ୍ଷିତ ହୁଏ। କିଛିଟା ଆୟସସାଧ୍ୟ ଓ କଷ୍ଟକର ମଧ୍ୟ ହୋଇଥାଏ। ଏଠି ଗୁରୁଜୀ ଓ ପରିବାରବାଲାଙ୍କର ଅଙ୍କୁଶର ଲଗାମ୍ ପ୍ରାୟତଃ ନଥାଏ କହିଲେ ଚଳେ। ସ୍ୱଚ୍ଛନ୍ଦ ବିହାର ଓ ନୂଆ କରି ବ୍ୟକ୍ତି ଜୀବନର ସ୍ୱାଧୀନତାର ସ୍ଵାଦ ପ୍ରଥମ କରି ମଣିଷ ପିଲା ଚାଖିଥାଏ। ତେଣୁ ବେଳେ ବେଳେ ଟିକିଏ ଉଶୃଙ୍ଖଳ ହୋଇ ଉଠେ। ନିଜକୁ ନିଜେ ଆୟତ୍ତରେ ରଖି ପାରେ ନାହିଁ। ହାତ ଟେକା ପଇସାରେ ଚଳୁଥିବା ପିଲାଟି ପକେଟରେ ମୋଟା ଅଙ୍କର ପଇସାର ପର୍ସ ଧରି ବୁଲିବା ଆରମ୍ଭ କରେ , ଯଦି ଧନୀକ ଘର ପିଲା ହୋଇଥାଏ। କୁସଙ୍ଗ ଓ କୁଅଭ୍ୟାସରେ ପଡ଼ି ବିଶୃଙ୍ଖଳ ଆଚରଣ କରି ବସେ। ଶିକ୍ଷା ପ୍ରତି ନଜର ହଟାଇ ଅନ୍ୟାନ୍ୟ  ଦିଗ ପ୍ରତି ଅଧିକ ଆଗ୍ରହୀ ହୋଇ ପଡ଼େ। ଶାରୀରିକ କ୍ରିୟାକ୍ଷମ ମଧ୍ଯ ତା ମାନସିକ ସ୍ଥିତି ଉପରେ ଯଥେଷ୍ଟ ପ୍ରଭାବ ପକାଇ ଥାଏ। ନୂଆ ନୂଆ କରି ସେ ଯୁବକତ୍ୱ ପ୍ରାପ୍ତି କରୁଥିବାରୁ ଶରୀରରେ ନାନା ବିକାର ପରିଲକ୍ଷିତ ହୁଏ। ଚିତ୍ତ ଚାଞ୍ଚଲ୍ୟତା ସୃଷ୍ଟି ହୁଏ। ନୂଆ କରି ମନରେ ପ୍ରେମ ଭାବ ମଧ୍ୟ ଜାଗ୍ରତ ହେଉ ଥାଇ ପାରେ। ସବୁ ଜିନିଷକୁ ନିରେଖି ଦେଖିବାର କଳା ପାଟବତା ବଢେ। ସବୁ କିଛି ଜାଣିବାର ପ୍ରବୃତ୍ତି ପ୍ରବଳ ହୁଏ। କୌତୂହଳୀ ଅନୁସନ୍ଧିତ୍ସୁ ମନ ଅନେକ କିଛି ନୂତନ ସମ୍ଭାବନା ଓ ଉଦ୍ଭାବନା ପଛରେ ପଡି ଯାଏ। ହରମୋନର କ୍ଷରଣ ଓ ତଜ୍ଜନିତ ପରିବର୍ତ୍ତନ ମଧ୍ୟ ଲକ୍ଷଣୀୟ।ଆଜି କାଲି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର ପରିସରରେ ମଧ୍ୟ ହେରୋଇନ, ଚରସ, ଗଞ୍ଜା ପ୍ରଭୃତି ମାରାତ୍ମକ ନିଶା ଦ୍ରବ୍ୟର ଅବାଧ କାରବାର ଚାଲିଛି। ପୁନଶ୍ଚ ଇଣ୍ଟରନେଟ୍ ଓ ମୋବାଇଲର ମଧ୍ୟ ଆନେକଟା କୁପରିଣତି ବେଶ୍ ସୁସ୍ପଷ୍ଟ। ଏତେ ସତେ ଠିକଣା ରାସ୍ତାରୁ ମନ ନହଟିବା ଆବଶ୍ୟକ। ନୋହିଲେ ଚରିତ୍ର ଗଠନ ସମ୍ଭବ ନୁହେଁ। ଶିକ୍ଷାରେ ଅଯଥା ବାଧା ଉପୁଜି ଥାଏ। ଏତେବେଳେ ଉଚିତ୍ ପ୍ରଶିକ୍ଷକ ଓ ତତ୍ତ୍ୱାବଧାରକଙ୍କ ନିର୍ବିବାଦୀୟ ଭୂମିକାଟି ରହିଥାଏ। ନହେଲେ ବିପଥଗାମୀ ହେବା ସ୍ୱାଭାବିକ। ତେଣୁ କ୍ୟାରିଅର ବିଗିଡ଼ି ଯିବା କିଛି ବଡ଼ କଥା ନୂହେଁ। ପଛକୁ ଭାବିଲା ବେଳକୁ କିଛି ନଥାଏ। ଏଇ ଟିକକ ଅସତର୍କତା କାରଣରୁ କ୍ୟାରିଅର ସଙ୍କଟରେ ପଡ଼ି ସାରିଥାଏ। ଏଥିରୁ ମୁକ୍ତ ହେଲା ବେଳକୁ ଆଉ ଆଗକୁ ଏତେ ସହଜ ହୋଇ ନଥାଏ। ଏଥିପାଇଁ ସଚେତନତା ବୃଦ୍ଧି ଓ ସଠିକ୍ ଜ୍ଞାନ ମାର୍ଗ ପ୍ରଦର୍ଶନର ବହୁ ଆବଶ୍ୟକତା ଅଛି। ମନ ଭିତରେ ଉଚ୍ଚକିତ ସ୍ୱପ୍ନର ସମ୍ଭାର ଓ ଶିକ୍ଷାର ଗୁରୁତ୍ଵ ପିଲା ମୁଣ୍ଡରେ ଖୁନ୍ଦିଖାନ୍ଦି ପୂରାଇବା ନିହାତି ଜରୁରୀ। ଯାହା ଫଳରେ ତା’ର ବିଚ୍ୟୁତି ନଘଟି ସଳଖ ରାସ୍ତାରେ ସରଳ ମାର୍ଗରେ ସେ ଧାବମାନ ହେବ।

ଏହି ପରିପ୍ରେକ୍ଷୀରେ ପରିସ୍ଥିତି ଓ ପରିବେଶର ମଧ୍ୟ ଗୋଟାଏ ବଡ଼ ଭୂମିକା ଥାଏ, ଯାହାକୁ ଆଦୌ ଅଣଦେଖା କରାଯାଇ ନପାରେ। ପ୍ରତିକୂଳ ପରିସ୍ଥିତି ଓ ପରିବେଶ ମଣିଷର ବିକାଶ ଦିଗରେ ଅନ୍ତରାୟ ହୋଇ ଛିଡ଼ା ହୁଏ। ଅନୁକୂଳ ଅବହାୱାରେ ସେ ଯେତିକି ଲମ୍ବ ଲମ୍ବ ପଦ ପାତରେ ଆଗେଇ ଥାଏ, ପ୍ରତିକୂଳ ପରିସ୍ଥିତିରେ ତା’ର ଦିଗୁଣା ବ୍ୟବଚ୍ଛେଦ ଟାଣି ସେ ପଛକୁ ହଟି ଆସେ। ଏକ ଅଜଣା ଆତଙ୍କର କରାଳ ଛାୟା ତା ଚାରିପଟେ ଘୂରି ବୁଲିବାକୁ ଲାଗେ। ବିଷର୍ଣ୍ଣ ମନା ହୋଇ ସେ ନିଷ୍ପୃହ ହୋଇ ପଡ଼େ।
ଅନେକ ସମୟରେ ଆମେ ଦେଖିଥାଉ, ମଣିଷ ସମାଜରେ ପରିବାର ଗଢି ରହିଥାଏ। ସେଇ ପରିବାର ଭିତରେ ନାନା ସମ୍ବାଦ ଓ ବିସମ୍ବାଦ ଦେଖାଦିଏ।  କଳି ତକରାଳ ସୃଷ୍ଟି ହୋଇ ଜଟିଳ ପରିସ୍ଥିତି ଉପୁଜି ଥାଏ। ବାପା ମାଆ ଓ ପରିବାରର ମନୋମାଳିନ୍ୟ ଓ ମାନସିକ ଉତ୍ପୀଡ଼ନ ପିଲା ମନ ଉପରେ ଯଥେଷ୍ଟ କୁପ୍ରଭାବ ପକାଇଥାଏ। ଯେତେ ଦୂରେଇ ରଖିଲେ ମଧ୍ୟ ପିଲା ମନ ଏଥିରୁ ସହଜରେ ହଟେ ନାହିଁ। ସେ ହୁଏତ ତହିଁରେ ପ୍ରତ୍ୟେକ୍ଷ ସମ୍ପୃକ୍ତି ଯୋଡ଼ି ନପାରେ, ମାତ୍ର ତା’ର ମାନସିକ ସ୍ଥିତି ଦୋହଲି ଯାଏ। ପାଠ ପ୍ରତି ଅନାଗ୍ରହ ଦେଖାଦିଏ। ପାଠରେ ତା ମନ କେନ୍ଦ୍ରିତ ନହୋଇ ଚାରିଆଡ଼େ ବିକେନ୍ଦ୍ରିତ ହୋଇ ବିଛୁରି ହୋଇପଡ଼େ। ପଢ଼ାରେ ବିଘ୍ନ ସୃଷ୍ଟି ହୁଏ।
ଏଭଳି ଘଟଣାକ୍ରମ ଠାରୁ ପିଲାଟିକୁ ଯଥେଷ୍ଟ ଦୂରରେ ରଖିବା ପ୍ରୟୋଜନ। ତା ଉପରେ କୌଣସି ନକାରାତ୍ମକ ଚିନ୍ତାଧାରାର ଛାୟା ପଡ଼ିବାକୁ ନଦେବା ପାଇଁ ପ୍ରଯତ୍ନ ବିଧେୟ।
ଅନ୍ୟ ଗୋଟିଏ ଘଟଣା ସାଙ୍ଘାତିକ ବ୍ୟତିକ୍ରମ ଆଣି ଦେଇଥାଏ,ଯହିଁରେ ମୃତ୍ୟୁ କାରଣ ହୋଇ ଛିଡ଼ା ହୋଇଥାଏ। କେତେବେଳେ କେମିତି ପରିବାର ଭିତରେ ଗୋଟିଏ ଅପମୃତ୍ୟୁ ଘଟିଯାଏ ବା ପିଲାଟି ସବୁଠାରୁ ଭଲ ପାଉଥିବା ଜେଜେ /ଜେଜେମା ବା ଅଜା/ ଆଇଙ୍କର ସ୍ୱାଭାବିକ କାରଣ ବଶତଃ ମୃତ୍ୟୁ ହୋଇଯାଏ, ଯାହାକୁ ପିଲା ମୁଣ୍ଡ ସହଜରେ ଗ୍ରହଣ କରିପାରେ ନାହିଁ କିମ୍ବା ସେ ପରିସ୍ଥିତିରୁ ମୁକୁଳି ଶୀଘ୍ର ସ୍ୱାଭାବିକ ହୋଇ ପାରେ ନାହିଁ। ଫଳରେ ଅଭୂଲା ସ୍ମୃତିକୁ ମନେ ପକାଇ ସେ ମ୍ରିୟମାଣ ହୋଇ ପଡ଼େ ଓ ଅସାର ଜୀବନକୁ ବେକାର ମଣିଥାଏ । ଏତେବେଳେ ଜୀବନର କଠୋର ଓ ବାସ୍ତବ ସତ୍ୟ ସମ୍ପର୍କରେ ତାକୁ ସମ୍ୟକ୍ ଧାରଣା ଦେବା ଆବଶ୍ୟକ। ନହେଲେ ଅଜଣା ଆତଙ୍କରେ ମନ ଭାରକ୍ରାନ୍ତ ହୋଇ ଉଠିବ ଓ ଅଧ୍ୟୟନରେ ସମସ୍ୟା ଦେଖା ଦେବ।
ଏହି ସବୁ ଦିଗ ଭାଗ ପ୍ରତି ନଜର ଦେଇ ଏକ ସରଳ ଶିଶୁର ବିରଳ ବ୍ୟକ୍ତିତ୍ଵ ପାଇଁ ଆମ୍ଭେମାନେ ଶତତଃ ପ୍ରଯତ୍ନଶୀଳ ହେବା ବାଞ୍ଛନୀୟ। ପିଲାଟିକୁ right consultation in right time ବା ଠିକଣା ସମୟରେ ଉପଯୁକ୍ତ ପରାମର୍ଶ ଦେବା ଅପରିହାର୍ଯ୍ୟ । ଯେଉଁଥିରେ କି ଉଭୟ ବ୍ୟକ୍ତି ପରିବାର ଓ ସମାଜର ଗୁରୁ ଦାୟିତ୍ଵ ରହିଛି। ବ୍ୟକ୍ତି ଚରିତ୍ର ଗଠନରେ ମଧ୍ୟ ଗୁରୁଜୀଙ୍କର ଦାୟିତ୍ଵବୋଧ ଓ କର୍ତ୍ତବ୍ୟର କମ୍ ଭୂମିକା ନଥାଏ। ଅତଏବ ମାନବ ଜୀବନର ବିକାଶରେ ବହୁ ବିଧ ଉପକ୍ରମଣିକ ପ୍ରସାଧନ ସାମଗ୍ରୀର ଆବଶ୍ୟକତା ରହିଛି, ଯାହାକି ଏକ ଉନ୍ନତ ରାଷ୍ଟ୍ର ଓ ବିଶ୍ଵ ଗଠନରେ ସହାୟକ ହୋଇ ପାରେ।

Related posts

ସାଇ – ଜୀବନ ଗଣିତ

satya

ଗାଳି – ଗାଳି କ’ଣ କି ହୋ! Gali

satya

ପ୍ରେମ

satya

Leave a Comment

Login

X

Register