Satya Prakash
ଗଳ୍ପ

ବାପା

ବାପା
By ସତ୍ୟ ପ୍ରକାଶ
ହଠାତ୍ ସେଦିନ ଅଗତ୍ୟା ମନୁ ବାବୁ ଘର ଭିତରକୁ ପଶି ଆସିଲେ। ସ୍ତ୍ରୀ ବେଡ୍ ଉପରେ ବସି ରହି ମୋବଇଲ୍ ଫୋନ୍ ରେ ଖୁବ୍ ମନୋନିବେଶ କରି ରହିଥାନ୍ତି। ସତେକି ସ୍ୱାମୀଙ୍କ ଆଗମନ ତାଙ୍କ ମନୋଭାବ ଉପରେ ସେତେ କିଛି ପ୍ରଭାବ ପକାଇ ପାରି ନଥାଏ । ବେଶ୍ କିଛି ସମୟର ସମ୍ଭ୍ରମ ପରେ ସ୍ୱାମୀଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା କି କଣ ଆରମ୍ଭ କଲେ – ଗୋଟେ ଜରୁରୀ କାମ ଥିଲା ତ ସେଥିପାଇଁ ଅଫିସ ଛାଡି ଅଚାନକ ଆସିଗଲି “। ତଥାପି ଉତ୍ତର ନାହିଁ ଦେଖି ବ୍ୟସ୍ତ ହୋଇ ପଡୁଥିଲେ ବାବୁ। ପୁଣି ଆରମ୍ଭ କଲେ – ଏ ଶୁଣୁଛ! ଆଜି ବାପା ଆସୁଛନ୍ତି ।ତୁମେ ଟିକିଏ ବିରକ୍ତ ନ ହୋଇ ରନ୍ଧାବଢା କରି ରଖିଥିବ। ବୁଢାଲୋକ। କେଜାଣି କେତେବେଳେ କେଉଁଠି ଖାଇଥିବେ କି ନଥିବେ। ମୋର ତ ତେଣେ ଅଫିସରେ କେତେ କାମ , ତେଣୁ ଟିକିଏ ଆସିବା ବିଳମ୍ବ ହୋଇ ପାରେ। ହେଲେ ବାପାଙ୍କ ରହିବା ପାଇଁ ଟିକିଏ ସ୍ଵତନ୍ତ୍ର ଭାବେ ବ୍ୟବସ୍ଥା କରିଦେବ। କାରଣ ସେ ଆଉ ଗାଁକୁ ଫେରିବେ ନାହିଁ। ସବୁଦିନ ପାଇଁ ଏଇଠି ରହିବେ। ଏତେବେଳ ଯାଏ ପତ୍ନୀ ଖାଲି ମୁହଁ ଛିଞ୍ଚଡା ଓ ମୁଖ ଭୁରସୁଙ୍ଗା କରୁଥିଲେ। ହେଲେ ପତିଠାରୁ ଏଇ ଶେଷ କେଇପଦ ଶୁଣି ବାଘୁଣୀ ଭଳି ଗର୍ଜି ଉଠିଲେ।। କହିଲେ କି – “ସେ କାହିଁକି ଏଠି ସବୁଦିନେ ରହିବେ? ଅନେଇଲ ହେଇଟି କହି ଦେଉଛି, ମୁଁ କାହାକୁ ରାନ୍ଧିବାଢି ଖାଇବାକୁ ଦେଇପାରିବି ନାହିଁ। କହିଲେ କ’ଣ ନା ବାପା ଏଇଠି ସବୁଦିନ ପାଇଁ ରହିବେ। ମୁଁ ତ ଏକା ପୋଇଲି ମାଇପ ହୋଇଛି ସମସ୍ତଙ୍କୁ ରାନ୍ଧିବାଢି ଖାଇବା ପିଇବାକୁ ଦେଇ ପାଳି ପୋଷି ରଖିବି। ସିଧା ବାପାଙ୍କୁ ମନା କର ସେ ଏଠାକୁ ଆସିବେ ନାହିଁ”।
ପତିଦେବର ମନ ଏକଦମ୍ ଅକଲ ଗୁଡୁମ। କହିଲେ ହେ ସୁଲୋଚନା! ତୁମେ କାହିଁକି ଏମିତି ହେଉଛ ବା? ବୁଢ଼ା ମଣିଷ ।ବୁଢ଼ା କାଳେ ଆମ ଉପରେ ଯଦି ଆଦୃଜା ହେଲେ, ଆମେ ତାଙ୍କର ରକ୍ଷଣ ବେକ୍ଷଣ ନ କଲେ ଆଉ କିଏ କରିବ କୁହନା ? ତେଣୁ ମୋ କଥା ଟିକିଏ ମାନ, ମୋ କଥା ଟିକିଏ ରଖ, ବରଂ ତୁମକୁ ନେହୁରା ହେଉଛି ନୋହିଲେ ବାପା କ’ଣ ଭାବିବେ କହିଲ। ଏତକ ଶୁଣି ସୁଲୋଚନା ପୂରା ଖପ୍ପା। କହିଲେ – “ରଖ ହୋ ତୁମର ସେ ବାପା ଫାପା। କହିଲେ କଣ ନା ବାପା ଏଠି ରହିବେ। ସେମିତି ହେଲେ ତୁମେ ତୁମ ବାପାଙ୍କୁ ଧରି ଏକା ରୁହ। ମୁଁ ଚାଲିଲି ମୋ ବାପଘରକୁ।
ମନୁ ବାବୁ ଯେତେ ବୁଝାଶୁଝା କଲେ କିଛି ଫଳ ଫଳିଲା ନାହିଁ। କାରଣ ସୁଲୋଚନା ଖାଲି ରାଗରେ ଗରଗର ହେଉଥାନ୍ତି। ମନୁ ବାବୁ ସେଇ କଥାକୁ ନେଇ ବେଶୀ ଜିଦ୍ କଲାରୁ ସୁଲୋଚନା ରିଘା ହୋଇ ଘର ଛାଡିବାକୁ ପ୍ରସ୍ତାବ ଦେଲେ। ଏଥର ନିଜ ଆସବାବ ପତ୍ର ନିଜେ ସାଉଁଟି ଝୁଲିରେ ପୂରାଇଲେ। ହାତରେ ସୁଟକେଶ ଧରି ଆଗକୁ ବଢ଼ିଲେ। ସ୍ଵାମୀ ଅଟକା ଅଟକି କରି ଥକିଲେ ହେଲେ, ସେ କାହା କଥା ନ ଶୁଣି ଘରର ମୁଖ୍ୟ ଫାଟକ ଖୋଲିଲେ।
ହେଲେ ହଠାତ୍ ମୁଖ୍ୟ ଦରୱାଜ ସେପଟରେ ନିଜ ବାପାଙ୍କୁ ଦେଖି ଚମକି ପଡ଼ିଲେ। ବାପାଙ୍କ ପାଦ ଉପରେ ଦୁଇ ହାତ ରଖି ମୁଣ୍ଡିଆ ମାରିଲେ। ବାପାଙ୍କ ଅଶ୍ରୁଳ ମୁହଁକୁ ଦେଖି ନିଜେ ମଧ୍ୟ କାନ୍ଦକାନ୍ଦ ହୋଇଗଲେ। ପଚାରି ବସିଲେ – “ବାପା ତୁମେ କେମିତି, ଏମିତି ହଠାତ୍? କିଛି ଖବର ଅନ୍ତର ନାହିଁ। ତୁମ ଆସିବା କଥା ତ ମୁଁ ଆଗରୁ ଜାଣି ନ ଥିଲି। ବାପା କହିଲେ -” ମୁଁ ସବୁ କହିବିରେ ମାଆ। ପୁଅ ବୋହୂ ଖାଇବାକୁ ଗଣ୍ଡେ ଭଲରେ ଦେଲେ ନାହିଁ। ସବୁବେଳେ ଗାଳିମନ୍ଦ ଛି ଛାକର। ସହିବି ବୋଲି ଆଉ କେତେ ସହିଥାନ୍ତି ଯେ। ଭାବିଥିଲି ଅନାଥ ଆଶ୍ରମ ଯାଇ ଆଶ୍ରୟ ନେବି। କିନ୍ତୁ ସେ ପାପିଷ୍ଠି ମାନଙ୍କ ପାଖରେ ଆଉ ରହି ପାରିବି ନାହିଁ। ହେଲେ ଜ୍ୱାଇଁ ପୁଅ କେଉଁଠୁ ସାଙ୍ଗସାଥି ପାଖରୁ ଖବର ପାଇଲେ କେଜାଣି? ହଠାତ୍ ଗାଡ଼ି ପଠାଇ ମୋତେ ନେଇ ଆସିଲେ। ଖବର ଦେଲେ – “ବାପା ତୁମେ ଆମରି ପାଖରେ ରହିବ। ତୁମ ଝିଅ ତୁମର ସବୁ ସେବାଯତ୍ନ କରିବ। କେଉଁଥିରେ କିଛି ଅସୁବିଧା ହେବ ନାହିଁ। ହେଲେ କିନ୍ତୁ ତୁ ମାଆ କଣ ମୋ ଆସିବାରେ ଖୁସି ନାହୁଁରେ କି ମାଆ? ଏ କଥାରେ ବାପଝିଅ ମିଶି ବହେ କାନ୍ଦିଲେ। ପରସ୍ପରକୁ କୋଳାଗ୍ରତ କରି ଘଡିଏ ଖଣ୍ଡ ମୋହାଛନ୍ନ ହୋଇଗଲେ।

ସେତେବେଳକୁ କିନ୍ତୁ କେତେବେଳୁ ମନୁ ବାବୁ ସେ ସ୍ଥାନ ଛାଡ଼ି ଅଫିସ ଚାଲିଯାଇଥାନ୍ତି। ଫେରିଲା ବେଳକୁ ସନ୍ଧ୍ୟା ଉପଗତ ପ୍ରାୟ।
ନାକ ସୁଁ ସୁଁ ନାକେଇ ଝିଅର ଶକଶକ କାନ୍ଦ ଭିତରେ ନିଜ ଓର୍ନିରେ ଲୁହପାଣି ପୋଛି ଧାଇଁଲେ ପାଣି ଗ୍ଲାସ୍ ଟେ ପାଇଁ। ବାପାଙ୍କୁ ହାତରେ ଧରାଇ ଦେଇ ବାପା ପିଉ ପିଉ ମୁଣ୍ଡ ହାତ ଦେହ ଆଉଁଷି ପକାଇଲେ। ହାତରେ ପୁଣି ଫଳମୂଳ ଧରି ବାପାଙ୍କ ପାଖରେ ନୁଥକିନା ବସିପଡିଲେ। ପାଟିରେ ଦେଉଥାନ୍ତି ଫଳମୂଳ କେତେ। କଥାର ଖିଅ ଲମ୍ବି ଯାଉଥାଏ କେଉଁ ଅପାଶୋରା ରାଇଜକୁ। ବାପା କହୁଥାନ୍ତି ନିଜ ଅଭୁଲା କାହାଣୀ ସବୁ। କେମିତି ଝିଅ ସୁଲୋଚନା ବାହାଘର ପରେ ପରେ ପୁଅ ବୋହୂ ଦୁଇଟା ତାଙ୍କ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର। ସୁଖଦୁଃଖ ବୁଝିବା କଥା ତ ପରର କଥା, ହେଲେ ଭଲରେ ବେଳେ ଅଧେ ଖାଇବାକୁ ଦେବା ମଧ୍ୟ ନାସ୍ତି। ନିଜର ସୁଖ ସମ୍ଭୋଗ ପାଇଁ ତାଙ୍କୁ ତାଙ୍କ ସମୟ ନିଅଣ୍ଟ, ସେ ବା କାହୁଁ ବୁଝନ୍ତେ ବୁଢ଼ା ମଣିଷର ଭଲମନ୍ଦ?
ସୁଲୋଚନା ସବୁ ଶୁଣି ସବୁ ବୁଝି ଖାଲି କାନ୍ଦି କାଟି ଗଡ଼ି ଯାଉଥାଏ। ବାପାଙ୍କୁ ବୋଧ ଦେଇ କହୁଥାଏ – “ବାପା! ତୁମେ ଆଉ ମନ ଦୁଃଖ କର ନାହିଁ। ତୁମ ପୁଅ ବୋହୂ ସିନା ତୁମର ହେଲେ ନାହିଁ, ହେଲେ ମୁଁ? ମୁଁ ପରା ତୁମରି ଜନ୍ମିତ ଝିଅ। ମୁଁ କଣ ତୁମର ସେବା ଯତ୍ନ କରିବି ନାହିଁ, ନିଶ୍ଚୟ କରିବି। ତୁମେ ତ ଜାଣିଛ! ତୁମ ଜ୍ୱାଇଁ ପରି ଭଲ ମଣିଷ ଏ ଦୁନିଆରେ ନାହାନ୍ତି। ସେ ନିଶ୍ଚୟ ତୁମେ ରହିଲେ ଖୁସି ହେବେ। ଭଲମନ୍ଦ ଜିନିଷ ସବୁ ଆଣିଦେବେ। ତୁମେ ଏଇଠି ରହିବ। ସବୁଦିନେ ଆମ ପାଖରେ ରହିବ ଆମେ ତୁମର ସେବା ଶୁଶ୍ରୁଶା ମିଳିମିଶି କରିବୁ। ଆହୁରି ଇଏ ଆଜି ଆସନ୍ତୁ, ମୁଁ ୟାଙ୍କୁ କହିବି ସେ ମୋ ଶ୍ୱଶୁରଙ୍କୁ ମଧ୍ୟ ଏଠାକୁ ନେଇ ଆସିବେ। ତୁମେ ଦୁଇ ସମୁଦି ସାଙ୍ଗ ହୋଇ ଏକାଠି ଗପିବ। କେତେ କୌତୁକ ହେବ। ଖୁସିରେ ସମୟ ଅତିବାହିତ ହେବ। ତୁମେ ମନ ଦୁଃଖ କର ନାହିଁ। ତୁମେ କାନ୍ଦିଲେ ମୁଁ କାନ୍ଦିବି। ମୋତେ ବଡ଼ ଅସ୍ଥିର ଲାଗୁଛି “।
ଅନେକ ସମୟର ଗପସପ ପରେ ବାପା ଝିଅ ରନ୍ଧାବଢା କରି ଗଣ୍ଡେ ଖାଇ ଶାନ୍ତିରେ ବିଶ୍ରାମ ନେଲେ। ସୁଲୋଚନାର ମନ କିନ୍ତୁ ଥୟ ଧରୁ ନଥାଏ। ସେ ଏପଟ ସେପଟ ହୋଇ ଖାଲି ଅସ୍ଥିରଚିତ୍ତ ହେଉଥାନ୍ତି। ସ୍ୱାମୀଙ୍କ ଆସିବା ବାଟକୁ ଚାତକିନୀ ପରି ଚାହିଁ ରହିଥାନ୍ତି। ମନ ବିଷାଦିତ, ଚିତ୍ତ ଆଂଶାଙ୍କିତ। ମନରେ ଉଦ୍ୱେଳନ, ଚିତ୍ତରେ ଶିହରଣ। ଦାଣ୍ଡ ଦ୍ଵାର କବାଟ ଖୋଲି ବାରମ୍ବାର ସ୍ୱାମୀଙ୍କ ଅନିସା। ଆଗମନକୁ ଅପେକ୍ଷା। ମନ ବେଲଗାମ। ମନୁ ବାବୁ ଅଫିସରୁ ଥକ୍କା ହୋଇ ଫେରିଲେ। ସୁଲୋଚନା ଅପେକ୍ଷା କରି ରହିଥିଲେ। ପାଦ ତଳେ ଲୋଟିଗଲେ। କେତେ କ୍ଷମା ପ୍ରାର୍ଥନା। ନିଜ କଲା କର୍ମର ପ୍ରାୟଶ୍ଚିତ। କହିଲେ – “ମୋର ଭୁଲ ହୋଇଯାଇଛି। ତୁମେ ତୁରନ୍ତ ଯାଇ କାଲି ଗାଁରୁ ବାପା( ଶ୍ୱଶୁର)ଙ୍କୁ ନେଇ ଆସ। ମୁଁ ମୋ ପାଖରେ ରଖି ତାଙ୍କର ସେବା ଯତ୍ନ କରିବି। ପାଦ ତଳେ ପଡି କ୍ଷମା ଭିକ୍ଷା କରିବି ମୋ ପାପର ପ୍ରାୟଶ୍ଚିତ କରିବି” ।
ଶେଷରେ ମନୁ ବାବୁ କେବଳ ଏତିକି କହିଲେ – “ବାପା ମାନେ ଅବ୍ୟକ୍ତ ଚିତ୍କାର, ଜନ୍ତ୍ରଣାର ଧ୍ଵନି। ବୋହୂମାନଙ୍କ ଗଞ୍ଜଣାର ଶିକାର। ଅହରହ ଦହଗଞ୍ଜ” ।ଏ ସବୁ ଅନ୍ତହୀନ ଅନନ୍ତ ହାହାକାର।
୮/୬/୨୨
ସମୟ :ରାତ୍ରି 2.16

Related posts

ନିଶା ଓ ନିଶା

satya

କାଳିସୀ

satya

ଭୋଦେଇ ଖରା

satya

Leave a Comment

Login

X

Register