Satya Prakash
Uncategorised

ଉଠା ଦୋକାନ ଫଟା କପାଳ

ଉଠା ଦୋକାନ ଫଟା କପାଳ
——-କାଳିଆ ନନା । ବୟସ ପଞ୍ଚାବନ। ଘର ଘଣ୍ଟେଶ୍ୱର।ପିଲାଟି ଦିନରୁ ସେ ଭଦ୍ରକ ସହରରେ। ଦିନେ ସେ ଅତି ଛୋଟ ପିଲା ହୋଇଥିଲା ଯେବେ ସେ ପ୍ରଥମ କରି ଭଦ୍ରକ ସହରରେ ଗୋଡ ଥାପିଥିଲା। ପିଲାଟି ଦିନୁ ବାପା ମାଆଙ୍କୁ ତ ହରାଇ ଏକ ରକମର ସେ ଅନାଥ ହୋଇଯାଇ ଥିଲା। ବାପା ମାଆ ଦି ଜଣଯାକ ମହାମାରୀରେ ଚାଲିଗଲେ। ଶେଷରେ ସେ ସାନ ଭାଇଟାର ହାତ ଧରି ଏଠାକୁ ଚାଲି ଚାଲି ଆସିଥିଲା। ପ୍ରଥମେ ସେ ଭିକ୍ଷା ମାଗି ପେଟ ଭରୁଥିଲା। ତା’ପରେ ସେ ଟ୍ରେନ ଓ ବସ ଷ୍ଟାଣ୍ଡରେ ବୁଲି ବୁଲି ବାଦାମ ଓ ଶୋଲା ବିକିଲା।ଠିକଣା ଥିଲା ରେଲୱେ ପ୍ଲାଟଫର୍ମ। କ୍ରମଶଃ ଦୁଇ ପଇସା ହେଲାରୁ ସେ ଗୋଟେ ଉଠା ଦୋକାନ ପକାଇ ଦହିବରା ଓ ଆଳୁଦମ ବିକେ।ନିଜ ପାଇଁ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଜାଗାରେ ଝୁମ୍ପୁଡି ଘର ଖଣ୍ଡେ ମଧ୍ଯ କରିଥିଲା। ପରେ ଏଥିରୁ ଦୁଇ ପଇସା ଲାଭ ବାହାରିବାରୁ ମଳେ ଜାଗା କିଣି ଘର ଖଣ୍ଡେ କଲାଣି।
ସହର ସାରା ତା ଆଳୁଦମ ଆଉ ଦହିବରାର ଭାରି ଚର୍ଚ୍ଚା । ଘରକୁ କେହି ନୂଆ କୁଣିଆ ଆସିଲେ ଲୋକେ ଯାଇ ତା ପାଖରୁ ପାର୍ସଲ ଧରି ଆସନ୍ତି। କହନ୍ତି – “ଏ ହେଉଛି ଆମ ସହରର ପ୍ରସିଦ୍ଧ ଦହିବରା, ଥରେ ଖାଇଲେ ପରା ଆଉ ଥରେ ଖାଇବାକୁ ମନ ବଳିବ” । ତେଣୁ ପାଟିରୁ ଲାଳ ଗଡେ। ପିଲାଠୁଁ ଭେଣ୍ଡିଆଯାଏ ସମସ୍ତଙ୍କର ସେଠି ଭିଡ଼ ଜମେ। ସନ୍ଧ୍ୟା ହେଲେ ଯେମିତି ଯାତରା। ବେପାର ଏଣିକି ତା’ର ପୂରା ଫୁଲ୍ swing ରେ ମାନେ ପୂରା ଦମରେ ଚାଲିଥାଏ।
ହେଲେ ଦୈବ ବଡ଼ ନିଷ୍ଠୁର। ତେଣୁ ତ ସବୁକାଳ କାହାରି ଭଲରେ ଯାଏ ନାହିଁ।” ପ୍ରାଣୀଙ୍କ ସୁଖ ଅପ୍ରମିତ ଦେଖି ଦେବକୁଳ ଇର୍ଷାନ୍ବିତ”। ସହର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କର ଆନେକ ଯୋଜନା। ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବ୍ୟୟ ବରାଦ। ରାସ୍ତାର ପ୍ରଶସ୍ତିକରଣ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନା । ଏଥି ସକାଶେ ଉଠା ଦୋକାନ ଓ ଝୁମ୍ପୁଡି ଘର ଉପରେ ଚଡକ ପଡ଼ିଛି । ମୁନିସପାଲିଟି ମାଜିଷ୍ଟ୍ରେଟ ଓ ପୋଲିସ୍ ଉପସ୍ଥିତିରେ ଜୋର୍ ଜବରଦସ୍ତ ସବୁ ଗୁଡିକୁ ଭାଙ୍ଗି ଦେଇଛି। ଭଲ କଥା। ଏହା ଦ୍ଵାରା ସହର ଆଧୁନିକୀକରଣ ହେବ ଓ ଗାଡି ମୋଟର ଚଳାଚଳ ପାଇଁ ପଥ ସୁଗମ ହେବ। ଫଳରେ ଲୋକେ ସହଜରେ ଯାତାୟତ କରିପାରିବେ ଓ ଶାନ୍ତିରେ ମଧ୍ଯ ନିଶ୍ଵାସ ନେଇ ପାରିବେ। ହେଲେ ଏହି ଉଠା ଦୋକାନୀ ଓ ଠେଲା ଦୋକାନୀ ମାନେ କରିବେ କଣ? ସେମାନଙ୍କର ତ ରୋଜଗାର ସଂସ୍ଥାନ ଭାଙ୍ଗି ମାଟିରେ ମିଶିଗଲା। ସେମାନଙ୍କ ପାଇଁ ବି ସରକାର ଆଗୁଆ କିଛି ଯୋଜନା କରିବା କଥା କି ନୂହେଁ ? କିନ୍ତୁ ନାଇଁ। ସେମିତି କିଛି ପଦକ୍ଷେପ ନେଇଥିଲା ପରି କାହିଁ ମନେ ହେଉନାହିଁ।ଖାଲି ଯାହା ପ୍ରତିଶ୍ରୁତି – ” ନୂଆ ମାର୍କେଟ କମପ୍ଲେକ୍ସ ତିଆରି ହେଲେ ତୁମକୁ ସେଠି ସ୍ଥାନ ମିଳିବ”।
ବିକଳରେ ନିଜ ଭଙ୍ଗା ଅଧୁରା ଆସବାବପତ୍ର ସେମାନେ ସଜାଡ଼ୁଥାନ୍ତି। କାନ୍ଦ ବୋବାଳି ବି ଶୁଣିବାକୁ ମିଳୁଥିଲା। ନିଜ ଭବିଷ୍ୟତ ଅନିଶ୍ଚିତ କଥା ଜାଣି କିଏ ବା ଚିନ୍ତିତ ନ ହେବ କହୁ ନାହାନ୍ତି? ଏଠି ବାସ୍ତବରେ ଦେଖିବା କଥା ଜୀବନର ମୋଡ ମଣିଷକୁ ଆଣି କେଉଁ ପରିସ୍ଥିତିରେ ପକାଏ।
କାଳିଆ ନନାର ଏବେ ସାନ ଭାଇର ଛୁଆ ପିଲା ସମେତ ଏଗାର ପ୍ରାଣୀ କୁଟୁମ୍ବ। ସମସ୍ତଙ୍କ ପାଇଁ ପରିବାରର ଭରଣ ପୋଷଣର ମାଧ୍ୟମ କେବଳ ଏହି ଦୋକାନ ଖଣ୍ଡକ।
ଏତେବେଳେ ନିଜର ଜୀବିକା ଭୁଶୁଡ଼ି ପଡ଼ିଥିବାରୁ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ନିନ୍ଦଥାନ୍ତି କାଳିଆ ନନା। କହନ୍ତି ଜୀବନ ସାରା ସଂଗ୍ରାମ କରି କରି ଦୁଃଖର ଅନ୍ତ ଘଟିଲାନି ଯେ ସୁଖ ପ୍ରାପ୍ତିର ଯେତେବେଳେ କ୍ଷଣପ୍ରଭ ଆଲୋକ ରେଖା ଉଦ୍ଭାସିତ ହେବାକୁ ଲାଗୁଥିଲା ସେତେବେଳେ ପୁଣି ଏ ଦୁର୍ଦ୍ଦଶା।
ନିତିଦିନ ପରି ତାଙ୍କର ଆଜି କିଛି କାମ ନାହିଁ। ପରିବାରଟା ସାରା ନିକମା ହୋଇ ବସିଛନ୍ତି।ରାତି ପାହିଲେ ସମସ୍ତେ କାମରେ ଲାଗି ଯାଉଥିଲେ। କିଏ ମସଲା ବାଟୁଥିଲା ବେଳେ ଆଉ ଜଣେ ଆଳୁ ସିଝାଉ ଥିଲା। ପୁଣି କିଏ ବିରି ଫେଣାଉ ଥିଲା ବେଳେ ଆଉ ଜଣେ ଦହିରେ ଛୁଙ୍କ ଦେଉଥିଲା। ଏଇ ପ୍ରକାର ସମସ୍ତଙ୍କୁ କିଛି ନା କିଛି କାମରେ ନିୟୋଜିତ ହୋଇ ରହିବାକୁ ପଡ଼ୁଥିଲା। ଏଇ ପ୍ରକାରର ଗଲାଣି ଦିନ ଇଲା କେତେ ହେବ। କାଳିଆ ନନା ଏବେ ମଟକା ମାରି ରହିଯାଇଛନ୍ତି କ’ଣ ହେବ ପିଲାମାନଙ୍କର ଭବିଷ୍ୟତ।
By ସତ୍ୟ ପ୍ରକାଶ ସେଠୀ

Related posts

ଫଟୋଗ୍ରାଫି ଦିବସ

satya

A special moment in my Tarago High school on 31/10/2018

satya

ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର

satya

Leave a Comment

Login

X

Register