Satya Prakash
  • Home
  • ଗଳ୍ପ
  • ପ୍ରେମ ଓ ପ୍ରେମ ଭାବ prema o premabhaba
ଗଳ୍ପ

ପ୍ରେମ ଓ ପ୍ରେମ ଭାବ prema o premabhaba

ମଣିଷ ଭିତରେ ଅନେକ ଭାବ ଓ ଭାବନା ଥାଏ। ତହୁଁ ପ୍ରେମ ଭାବ ଓ ଭାବନାଟା ଟିକିଏ ଶକ୍ତିଶାଳୀ ମନେହୁଏ। ମୋ ଜୀବନରେ ମଧ୍ୟ ଏମିତି ଭାବ ଓ ବିଚାରଧାରା କେତେବେଳେ କେମିତି ଆସି ବେଳେବେଳେ ଆତ୍ମପ୍ରକାଶ କରିଥିବ। ଆସନ୍ତୁନା ତେବେ ଜୀବନର ଆରପାରି ସନ୍ଦର୍ଶନରେ ଟିକିଏ ବୁଲି ବାହାରିବା।
ଗାଁରେ ବା ସ୍କୁଲରେ ପଢୁଥିବା ବେଳେ ମୁଁ କାହା ପ୍ରତି ବା କେହି ମୋ ପ୍ରତି ଯେ ଆକର୍ଷିତ ହୋଇ ନଥିବେ – ଏ କଥାଟା ନୁହଁ। ତେବେ ସେଭଳି କୌଣସି ବଡ଼ ଘଟଣା ବା ମନେ ରହିଲା ପରି କାହାଣୀ କାହିଁ ମୋର ଦୃଷ୍ଟିଗୋଚର ହୁଏ ନାହିଁ ବା ସେମିତି କିଛି ନଜରରେ ନାହିଁ। ଏମିତି ବି ହୋଇପାରେ ସେତେବେଳର ବିଧି ବ୍ୟବସ୍ଥା ଓ ମାନସିକ ସ୍ଥରର ବିକାଶ ବା ବୟସର ପିଲାଳିଆମୀ ସ୍ଵଭାବ ସହିତ ଏଗୁଡାକର ପ୍ରଭାବ ବୋଧେ ବିଶେଷ କିଛି ମାନେ ରଖି ନଥିବ।
ସ୍କୁଲ୍ ଜୀବନରେ ମୋର କିଛିଟା ଦରିଦ୍ରତା ବା ଦାରିଦ୍ର୍ୟ ଥିଲେ ହେଁ କଲେଜ ଜୀବନ ବେଶ୍ ସ୍ଵଚ୍ଛଳ ଥିଲା। ବିଶେଷ ଦାରିଦ୍ର୍ଯ ବା ଦରିଦ୍ରତାର ଅଭାବବୋଧ ମୋତେ ଗ୍ରାସି ପାରିନଥିଲା। ଯଦିଓ ବେଶ ପରିପାଟି ପ୍ରତି ମୋର ସେତେ କିଛି ଧ୍ୟାନ ନଥିଲା, ତେବେ ବି ଘରର ସ୍ଵଚ୍ଛଳତା ପାଇଁ ମୋତେ ବେଶ୍ ଭଲ ଡ୍ରେସ୍ ପିନ୍ଧିବାକୁ ପଡ଼ୁଥିଲା। ନିଜର ରୁଚି ଥାଉ ବା ନଥାଉ ବଂଶର ଆଭିଜାତ୍ୟ ପାଇଁ ସୁନା ଚେନ୍ ଓ ସୁନା ମୁଦି ମଧ୍ୟ ପିନ୍ଧିବାକୁ ପଡ଼ୁଥିଲା। ଆବଶ୍ୟକ ପଡ଼ିଲେ ସାଙ୍ଗମାନଙ୍କୁ ବେଶ୍ ଅପ୍ୟାୟିତ କରି ପାରୁଥିଲି। କ୍ୟାଣ୍ଟିନ୍ ରେ ବସି ବେଶ୍ କିଛି ଖିଆ ଯାଉଥିଲା ବା ଗୁପଚୁପ ଦହିବରା ଖାଇଲା ବେଳେ ଅନାୟାସରେ ପକେଟରୁ ପର୍ସ ଖୋଲି ପେମେଣ୍ଟ ମୁଁ କରି ପାରୁଥିଲି। ଏହି ସବୁ କାରଣରୁ ହେଉ ବା ଅନ୍ୟ କିଛି କାରଣ ଥାଇପାରେ କିନ୍ତୁ ସାଥୀ ସହପାଠିନୀମାନେ ମୋ ପ୍ରତି କିଛିଟା ଆକର୍ଷିତ ହୋଇଥାନ୍ତି। ବେଳେବେଳେ ମୋତେ ଚାହୁଁ ଥିବାର ବା ବେଶ୍ କିଛି ଇଙ୍ଗିତ କରୁଥିବାର ମୁଁ ଲକ୍ଷ୍ୟ କରିଛି। ହେଲେ କାହିଁକି କେଜାଣି ସେପରି ଭାବ ବା ଭାବନା ପ୍ରତି ମୁଁ ବିଶେଷ କିଛି ଆକୃଷ୍ଟ ହୋଇପାରୁ ନଥିଲି। ଏହା ସହଜରେ ମିଥ୍ୟା ପ୍ରତୀତ ହେଉଥିଲେ ମଧ୍ୟ କିଛିଟା ସତ୍ୟ। କାରଣ ପ୍ରେମ ବେପାରରେ ମୁଁ ନିହାତି ମଫଟାଏ। ସବୁ କଥାରେ ନିରୁଦବେଗ, କିଛିଟା ନିଷ୍ପୃହ ମଧ୍ୟ।
ମୋତେ ପ୍ରେମ କରିବା ପାଇଁ ଅନେକ ହୁଏତ ଚେଷ୍ଟା କରିଥିବେ ଓ ସେଥିରେ ଅସଫଳ ହୋଇଥିବା ଯୋଗୁଁ ମନେ ମନେ ମୋ ଉପରେ ରାଗିଥିବେ ତଥା ମୋ ପୌରଷତ୍ବକୁ ଦୋଷାରୋପ କରିଥିବେ ଅଥବା ଗାଳି ବର୍ଷିଥିବେ – ଏ କଥାଟା ନିଶ୍ଚୟ ସତ ।ମୋ ଦ୍ୱାରା ପ୍ରେମ ନହେଲା ନାହିଁ କିନ୍ତୁ ସେତେବେଳେ ପ୍ରେମର ଭାଷା ଭଲା ମୁଁ ଠିକ୍ସେ ବୁଝୁଥାନ୍ତି। ପ୍ରେମର ଆହ୍ଵାନ ପ୍ରତି ପ୍ରତିଆହ୍ଵାନ ନଦେଲି ନାହିଁ ଟିକିଏ ସହମତି ପୂର୍ବକ ମିଠାସ ଭରି କଥା ପଦେ ଭଲା ହୋଇଥାନ୍ତି। ଓଲଟା ଝିଅମାନଙ୍କର ପ୍ରେମାଳାପକୁ ମୁଁ ଖତେଇ ଛିଗୁଲାଇ କଥା ହୁଏ।, ଦରକାର ପଡ଼ିଲେ ଗାଳି ଓ ଝଗଡ଼ାଟି ସ୍ରୁଷ୍ଟି କରେ। ସମସ୍ତ ବେରସିକ ଲୋକ କି ଏମିତି ହୋଇଥାଆନ୍ତି? ଏ କଥାଟା ମନେ ପଡ଼ିଲେ ଖୁବ୍ ହସଟାଏ ଲାଗେ।
ଠିକ୍ସେ ମନେ ନପଡ଼ିଲେ ମଧ୍ଯ ଅସ୍ପଷ୍ଟ ହୋଇ କେଇ ଗୋଟି କଥା ମନେପଡ଼େ। ସେଦିନ ପଞ୍ଚଲିଙ୍ଗେଶ୍ୱରଠାରେ କଲେଜ ପିକନିକ୍ ବେଳେ ଜଣେ ପ୍ରେମର ପରିଭାଷା ଦେବାକୁ ଯାଇ ଚୁପିଚୁପି ମୋ ପିଠିରେ ଚକ୍ ଖଡିରେ ଛକି ପକାଇଦେଲା। ଏ କଥା ମୋ ଦୃଷ୍ଟିକୁ ଆସିବା କ୍ଷଣି ମୁଁ ଯେସାକୁ ତେସା ନିୟମରେ ତା ବ୍ଲାଉଜ୍ ପଛପଟେ ସମସ୍ତଙ୍କ ଉପସ୍ଥିତିରେ ଛକି ଦେଇଥିଲି, ବିଚାରୀ କେତେ ଲଜ୍ଜିତ ହୋଇ ନଥିବ- ସତେ। ପୁଣି ଆଉ ଜଣେ ସାଥୀ ବସରେ ମୋ ସାମ୍ନା ସିଟ୍ ରେ ବସି ଜାଣି ଜାଣି ମୋ ଉପରକୁ ବେଣୀ ବାରବାର ଛାଟୁଥାଏ। ସିଟ୍ ର ଉପରି ଭାଗରେ ଥିବା ସେତେବେଳର ରେଲିଂରେ ମୁଁ ତା ଚୁଟି ବାନ୍ଧି ଦେଇଥିଲି।
ଏହିପରି ଝିଅମାନଙ୍କର ପ୍ରେମ ଓ ପ୍ରେମର ପ୍ରତ୍ୟୁତ୍ତର ମୁଁ ଠିକ୍ସେ ଦେଇ ପାରୁ ନଥିଲି ବା ପ୍ରେମ ବ୍ୟାପାରରେ ବାରମ୍ବାର ଅକୃତକାର୍ଯ୍ୟ ହେଉଥିଲି। ଝିଅମାନଙ୍କ ସହିତ ଆଚାର ବ୍ୟବହାର କରିବା ମୋ ପକ୍ଷରେ ଏତେଟା ସହଜ ହେଉ ନଥିଲା। ତା’ମାନେ ନୁହଁ ମୁଁ ସେମାନଙ୍କ ସହ ମିଶେ ନାହିଁ।ତା’ନୁହଁ ମୁଁ ବେଶ୍ ଫ୍ରେଣ୍ଡଲି। ସମସ୍ତଙ୍କ ସହ ଭଲ ଭାବେ ମିଶେ।, ଭଦ୍ର ଭାବେ କଥା ହୁଏ। ହେଲେ ଟିକିଏ ବୋଧେ ତେଢା ।ପାନରୁ ଚୂନ ଖସିଲେ ବେଶ୍ ଦୁଇ ପଦ ଝାଡ଼ି ଦେଇଥାଏ। କାରଣ କଲେଜ କ୍ୟାରିୟରରେ ମୁଁ ପ୍ରାୟତଃ ଶ୍ରେଣୀ ପ୍ରତିନିଧି ବା
ଡିପାର୍ଟମେଣ୍ଟାଲ୍ ସେକ୍ରେଟାରୀ। ଏହି ତେଢାପଣ ପାଇଁ କେହି କେହି ବିରକ୍ତ ହୁଅନ୍ତି ସିନା କିନ୍ତୁ ମନେ ମନେ ଭାରି ଭଲ ପାଆନ୍ତି। କାରଣ ସୁବିଧା ଅସୁବିଧାକୁ ମୁଁ ଥିଲି ଆଗଭର। କାହାରି କିଛି ଭଲମନ୍ଦ ହୋଇଗଲେ ଆଗ ମୁଁ ବାହାରି ପଡୁଥିଲି। ନେତୃତ୍ୱ ନେଇ ଅଥରିଟି ବିରୋଧରେ ଲଢ଼ି ଯାଉଥିଲି। କେତେବେଳ ବି ବଦମାସିଆଙ୍କୁ ବେଶ୍ ପାନେ ଚଖାଇ ପାରୁଥିଲି ।ମୁଁ ଯେହେତୁ ବନ୍ଧୁ ପ୍ରିୟ ଆଚ୍ଛା ଖାସା କିଛି ବନ୍ଧୁ ମୋ ଚାରିପଟେ ସୁରକ୍ଷା ବଳୟ ହୋଇ ସବୁବେଳେ ଥାଆନ୍ତି। ସେହି ହେତୁ ଶାରୀରିକ ଦୃଷ୍ଟିକୋଣରୁ ମୁଁ କିଛିଟା ଦୁଗଲା ପତଳା ହେଲେ ମଧ୍ଯ ବେଶ୍ ଶକ୍ତିଶାଳୀ। ତେଣୁ କୌଣସି କାରଣରୁ ଝିଅମାନଙ୍କର ସୁରକ୍ଷା ପ୍ରଶ୍ନ ଆସିଲେ ମୁଁ ଆଗ ଆଗଭର ହୋଇ ଯାଉଥାଏ। ତେଣୁ ମୋର ଲୋକ ପ୍ରିୟତା ଓ ମୋତେ ଭଲ ପାଇବାଟା କିଛି କମ୍ ନଥିଲା। ତେବେ ଏହିପରି କିଛିଟା ସଫଳତା ଓ ବିଫଳତା ନେଇ ମୋର କଲେଜ ଜୀବନ ସରିଗଲା।
ଯାଇ କଲେଜ ଜୀବନରେ ଟିକିଏ ପ୍ରେମ ହୋଇଥାନ୍ତା, ସେପଟେ କଲେଜ ଯିବା ଆଗରୁ ବୋଉ କହିଥିଲା-“ଧନରେ! କଲେଜ ଯାଉଛୁ ସବୁ କରିବୁ ହେଲେ ଝିଅଙ୍କ ପଛରେ ପଡ଼ିବୁ ନାହିଁ, କାହାକୁ ଖରାପ ନଜରରେ ଦେଖିବୁ ନାହିଁ, ଭଗବାନ ଅସନ୍ତୋଷ ହେବେ, କାରଣ ତୋର ବି ମାଆ ଭଉଣୀ ଅଛନ୍ତି, ଚରିତ୍ରଟା ଥରେ ଗଲେ ଆଉ ଫେରେ ନାହିଁ, ସମସ୍ତଙ୍କର ଘୃଣାର ପାତ୍ର ହେବାକୁ ପଡ଼େ, ତୋତେ ମୋର ରାଣ ରହିଲା। “ଏଥିଯୋଗୁଁ ମୁଁ କିଛିଟା ସଚେତନ ଥିଲି ଓ ଟିକିଏ ହୁସିଆର ବି।
ତେବେ ଯାହା ହେଉ ଏମିତି ଗୋଟେ ନିଆରା ଜୀବନ ଓ ପରମ୍ପରା, ତା’ରି ଭିତରେ ସରି ଯାଇଥିଲା କଲେଜ ଜୀବନ, ଯେଉଁଦିନ ମୁଁ କଲେଜ ଛାଡିଥିଲି। ତା’ ପରେ ଆରମ୍ଭ ହେଲା ବାସ୍ତବ ଜୀବନ, ଜୀବିକା ଓ ଜୀବନ। ଚାକିରୀ ଖୋଜା ଓ ଚାକିରୀ ପରେ ଜୀବନ ସଙ୍ଗିନୀ ଚୟନ।
ବୈବାହିକ ଜୀବନ-:
ମୁଁ ଜୀବନରେ ଦୁଇଟି ଝିଅ ଦେଖିଛି। ଯାହାକୁ ଦେଖିଛି ତାକୁ ହଁ ମାରିଛି। ପ୍ରଥମଟି ଦେଖି ହଁ କରିଥିଲେ ମଧ୍ୟ ଗୋଟାଏ ବିରାଟ ପ୍ରଚ୍ଛଦପଟ କାହାଣୀ ଓ ଚକ୍ରାନ୍ତର ଶୀକାର ହୋଇ ସିଏ ମୋତେ ବିବାହ କରି ପାରିଲେ ନାହିଁ। ପ୍ରସ୍ତାବଟି ଭାଙ୍ଗି ଗଲା। ଦ୍ୱିତୀୟରେ ଯାହାକୁ ଦେଖିଲି ତାକୁ ଏବେ ପତ୍ନୀ ରୂପେ ମୁଁ ପାଇ ବେଶ୍ ଖୁସି ଅଛି।

ବିବାହର ଆରମ୍ଭରୁ ଯେ ମୁଁ ଖୁବ୍ ଖୁସି ଥିଲି ବା ଆମ ଭିତରେ ବିବାଦ ହୋଇ ନାହିଁ – ଏ କଥା ନୁହଁ। ଏହି କଥାଟା କହିଲେ ମିଛ ହେବ। କାରଣ, ପ୍ରତିଟି ସ୍ଵାମୀ ଓ ସ୍ତ୍ରୀ ଜୀବନରେ କେତୋଟି ମୁହୂର୍ତ୍ତ ଲଢ଼ିଥାନ୍ତି। ପୁଣି ନିଜ ଭିତରେ ବନ୍ଧୁତା ସ୍ରୁଷ୍ଟି ହୋଇଗଲା ପରେ ବା ଆତ୍ମୀୟତା ବୃଦ୍ଧି ପାଇଲା ପରେ, ଏକ ବିଶ୍ୱସନୀୟତା ବା ଆତ୍ମପ୍ରତ୍ୟୟ ସୃଷ୍ଟି ହଏ, ଯାହା ପରସ୍ପରକୁ ବାନ୍ଧି ରଖେ। ଆମ କ୍ଷେତ୍ରରେ ମଧ୍ଯ ଠିକ୍ ସେୟା। ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ବେଶ୍ କିଛି ଲଢିବାକୁ ପଡ଼ିଛି ବା ଲଢିବାର ଅବସର ସୃଷ୍ଟି ହୋଇଛି। ଉଭୟ ଉଚ୍ଚ ଶିକ୍ଷିତ ଓ ଶିକ୍ଷିତା ହୋଇଥିବା କାରଣରୁ ମଧ୍ୟ ego ବେଳେବେଳେ crash ହୋଇଛି ।
ନାରୀଟିଏ ତା’ର ଇଚ୍ଛାର ପରିପୂର୍ତ୍ତି ପାଇଁ ଲଢିଥାଏ।। ତା’ର ସବୁ ଗୁଡ଼ାକ ଇଚ୍ଛା ଯେ ପୁରୁଷ ପୂରଣ କରିବ ବା ପୂରଣ କରି ପାରିବ – ତାହା ସମ୍ଭବ ନୁହଁ। ତେଣୁ ସ୍ୱାଭାବିକ ବିବାଦ ଉପୁଜିଥାଏ। ଯାହା ଆମ ଭିତରେ ମଧ୍ଯ ଦେଖା ଦେଇଥାଏ। ଆମ ଜୀବନଟା ଯେ କିଛି ନୂଆ ତାହା ନୁହଁ, ସମସ୍ତଙ୍କ ଜୀବନ ପରି ମଧ୍ଯ ଆମ ଜୀବନ ସେହି ସମାନ ଅଥଚ ଏକା ଘଟଣାକ୍ରମ ଦେଇ ଆଗକୁ ଆଗେଇଥାଏ-ଆମ ବୈବାହିକ ଜୀବନର କାହାଣୀ।
ବିବାହର ପ୍ରଥମ କେତୋଟି ବର୍ଷ ମୁଁ ମୋ ପରିବାର ଓ ସେ ତାଙ୍କ ପରିବାର ଚିନ୍ତା ନେଇ ଖୁବ୍ ବ୍ୟସ୍ତ। ବାପା ଘରକୁ ଯିବା ପାଇଁ ବ୍ୟଗ୍ର। ତହୁଁ କିଛିଟା ଅଶାନ୍ତି, ଅସନ୍ତୋଷ ଓ ମନୋମାଳିନ୍ୟ ମଧ୍ୟ। ସହଜେ ତ ସେ ବାଣୀ ବିହାରର ଛାତ୍ରୀ। ବେଶ୍ କିଛି କରିବାର ସ୍ଵପ୍ନ ତାଙ୍କ ଭିତରେ ଯୁଝି ହେଉଥିଲା। ଚାକିରୀ କରିବାର ବା ଅଧିକ କିଛି ପଢିବାର ନିଶାଟା ତାଙ୍କ ଭିତରେ ଜୋହର୍ ଧରିଥିଲା। ହେଲେ ପରିବାରର ଅନିଚ୍ଛା, ପରିସ୍ଥିତି ଓ ପରିବେଶର ପ୍ରତିକୂଳ ପ୍ରଭାବ ତଥା ଶୀଘ୍ର ସନ୍ତାନ ପ୍ରାପ୍ତି ହୋଇଯିବାର ସମସ୍ୟା ମଣିଷକୁ ନାଚାର କରି ଗଢି ତୋଳି ଥାଏ। ଫଳରେ ମଣିଷର ସ୍ଵପ୍ନ ଭଙ୍ଗ ହୁଏ। ମାତ୍ର୍ ନିଜର ଉଚ୍ଚ ଅଭିଳାଷ ତଥା ଅଭିଲିପ୍ଷିତ କର୍ମଯୋଗରେ ବିଫଳ ହେବାରୁ ଦୁଃଖରେ ମଣିଷର ମନ ଘାରି ଯାଏ। ତୀବ୍ର ମାନସିକ ଦ୍ଵନ୍ଦ, ଅଶାନ୍ତି, ଅସନ୍ତୋଷ ଭିତରେ ପରିସ୍ଥିତି ଓ ପରିବେଶ ସହିତ ମଣିଷ ଖାପ୍ ଖୁଆଇ ଚାଲି ପାରେ ନାହିଁ। ଯାହା ମଧ୍ଯ ଆମ ଜୀବନରେ ଘଟିଥିଲା।
କ୍ରମଶଃ ପିଲା ବଡ଼ ହେବାରୁ ପାଠପଢ଼ା ଚିନ୍ତା ଘାରିଲା। ପରିବାରର ଲୋକଙ୍କର ଇଚ୍ଛା ଗାଁରେ ରହି ପଢିବେ।ଅନ୍ୟ ଶିକ୍ଷିତା ନାରୀ ପରି ପତ୍ନୀର ଇଚ୍ଛା ସହରରେ ରହି ଭଲ ସ୍କୁଲ୍ ରେ ପାଠ ପଢ଼ାଇବେ। ମଝିରେ ମୁଁ ହଁ ନାହିଁ ସ୍ଥିତିରେ। ଶେଷରେ ପିଲାଙ୍କ ଭବିଷ୍ୟତ ପାଇଁ ସହର ଆସିଲି।
ଏଣିକି ସଂସାର ବିବାଦ କ୍ରମେ କ୍ରମେ ପତଳେଇ ଆସିଲା। ପିଲାଙ୍କୁ ପାଠ ପଢ଼ାଇବାର ଓ ମଣିଷ ପରି ମଣିଷ କରି ଗଢି ତୋଳିବାର ଝୁଙ୍କଟା ଅଧିକ ହେଲା। ଏହା ମାନେ ନୁହଁ ଯେ ପତି ପତ୍ନୀ ମଧ୍ୟରେ ଆମର ଆଉ କଲି ହୋଇନାହିଁ ବା ହୁଏ ନାହିଁ। ମଝିରେ ମଝିରେ ଝଗଡ଼ା ହୁଏ। ମନ ଅମନ ହୁଏ। ବିଭିନ୍ନ୍ ଘଟଣା ନେଇ ବାକ୍ ବିତଣ୍ଡା, କଳି ତକରାଳ ଓ ମାନ ଅଭିମାନ। ମାତ୍ର୍ ଝଗଡାଟା ବେଶୀ ସମୟ ତିଷ୍ଟି ରହି ପାରେ ନାହିଁ। ତାଙ୍କର ମଧ୍ୟ ବାପ ଘର ପ୍ରତି ନଜରଟା କ୍ରମଶଃ ହଟି ଗଲାଣି। ଏବେ ଛୁଆଙ୍କ ଉପରେ ବେଶି ନଜର। ସେମାନଙ୍କର ଭବିଷ୍ୟତ ନେଇ ବେଶ୍ କିଛିଟା ଚିନ୍ତା ଓ ବ୍ୟାକୁଳିତଭାବ।
ଏବେ ଉଚ୍ଚ ଶିକ୍ଷା ପାଇଁ ପିଲାମାନେ ପାଖଛଡା ଧରିଲେଣି। ଆହୁରି ବଡ଼ ସହରରେ ଦୂର ଦୂରାନ୍ତରେ ରହି ପାଠ ପଢୁଛନ୍ତି। କେବେ କେବେ ଥରେ ଅଧେ ଘରକୁ ଆସୁଛନ୍ତି। ତେଣୁ ଘରେ ସ୍ଵାମୀ ସ୍ତ୍ରୀ ଆମେ ଦୁଇଜଣ। ଟୁଆଁ ଟୁଇଁ ପରିକା ଜଣେ ଆଉ ଜଣଙ୍କ ମୁହଁକୁ ଚାହିଁ ସମୟ ବିତାଇବାକୁ ହୋଇଥାଏ। କାର୍ଯ୍ୟ କାରଣଗତ ସମସ୍ୟା ହେତୁ ବାହାରକୁ ମୁଁ ଚାଲି ଗଲା ପରେ, ଘରେ ଏକୁଟିଆ ସିଏ ରହନ୍ତି। ତେଣୁ ଟିକିଏ ବ୍ୟସ୍ତ ହୋଇ ଉଠନ୍ତି। ଏକୁଟିଆ ବୋର ବା ନିଃସଙ୍ଗତାର କରାଳ ଛାୟାରେ ପୀଡିତା ହେବା ସ୍ୱାଭାବିକ। ଘରକୁ ଫେରିଲା ପରେ ଉଭୟ ଉଭୟଙ୍କୁ ସମୟ ଦେଇଥାଉ । ଜଣେ ଅନ୍ୟ ଜଣଙ୍କ ଭରସାରେ ଜୀଇବାର ସଂକଳ୍ପ। ଜୀବନଟା ଏଇମିତି ଗୋଟାଏ ଘଡିସନ୍ଧି ମୁହୂର୍ତ୍ତରେ ଆଣି ପହଁଞ୍ଚାଇ ଦେଇଛି। ତେଣିକି ଭବିଷ୍ୟତ କହିବ ଭବିଷ୍ୟତ ଜୀବନର କାହାଣୀ।

Related posts

ତୁମୁଳ କାଣ୍ଡ

satya

ପାଠୁଆ ନନା

satya

ଆକଟ

satya

1 comment

Sumati roul 5th October 2018 at 11:21 pm

ବହୁତସୁନ୍ଦର,

Reply

Leave a Comment