Satya Prakash
Uncategorised

ଶେଖର

ଶେଖର
—-by Dr Satya Prakash Sethy
ଶେଖର, ଶିଖର ଛୁଇଁବା ଯାହାଙ୍କ ନିଶା। ସଙ୍ଗୀତରେ ସ୍ଵର ମୂର୍ଚ୍ଛନା ସେ ତୋଳନ୍ତି। ଅନେକ ତାଙ୍କର ପ୍ରତିଭା। କେତେବେଳେ ଗଳ୍ପକବିତା ଲେଖନ୍ତି, ଗୀତ ଲେଖିବା ତାଙ୍କର ମୁଖ୍ୟ। ଅଭିନୟ କଳା ବି ଟିକେ ଅଛି ସେଥିପାଇଁ ଯାତ୍ରା, ସିରିଏଲରେ ବି ସେ ଅଭିନୟ କରନ୍ତି ଏବେ ଏବେ ନାଟ୍ୟକାର ହେବାର ନିଶା ତାଙ୍କୁ ଘାରିଛି, ତେଣୁ ନାଟକ ଲେଖାରେ ବି ମନ ବଳୁଛି।। ବୟସ ସେମିତି ବେଶୀ ନୂହେଁ, ଜମା ଚଉତିରିଶ /ପଇଁତିରିଶ ବର୍ଷ ହେବ। ଭାରି ସୁନ୍ଦର ଟୋକା। ନାକ ତଳେ ଅଳ୍ପ ନିଶ, ମୁଚୁକୁନ୍ଦିଆ ହସ। ଭାରି ମିଶାଣିଆ, ସମସ୍ତଙ୍କ ସହ ମିଶି ଯାଆନ୍ତି।
ପାଠ ବି ସେତେ କମ୍ ନାହିଁ। ମୋଟର ଭେହିକିଲ୍ ଇଞ୍ଜିନିୟରିଂ କରିଛନ୍ତି, ତେଣୁ ମାରୁତି ମୋଟର୍ସରେ ସେ ସରଭିସ୍ ମ୍ୟାନେଜର୍ । ବେଶୀ କମାସ୍ତୁକ ନହେଲେ ମଧ୍ଯ ଘର ଚଳିଯାଏ।
ଘର ତାଙ୍କର ମାଳଦା। ଭାରି ବଢ଼ିଆ ଗାଁଟେ। ଆମ୍ବ, ପଣସ, ନଡ଼ିଆ, କଦଳୀ – ସବୁ ରକମର ଫଳ ସେଠି ମିଳେ। ଲୋକେ ବି ପନିପରିବା, ଫଳଫୈସଲି ଭଲ କରନ୍ତି। ରାସ୍ତାଘାଟ, ପଡ଼ିଆଝଡ଼ିଆ ବି ବୁଲି ଆସିଲେ ବଇଁଞ୍ଚ, ଖିରିକୋଳି, ଚାଉଳଧୂଆ କୋଳି, କାନକୋଳି, ଭୂଇଁ ବରକୋଳି ଆଦି କେତେ ରକମର ମିଳେ। ଖୁଣ୍ଟି ସାଉଁଟି କି ଖାଇଦେଲେ ଛୁଆଙ୍କର ପେଟ ଭରିଯାଏ ।

ସେଇ ଗାଁରେ ଶେଖରର ଅର୍ଦ୍ଧେକ ଜୀବନ ଗଢ଼ା ହୋଇଥିଲା। ଆଉ ଅର୍ଦ୍ଧେକ ବୁଲି ବୁଲିକା ଏଣେତେଣେ। କାହିଁକିନା ଶେଖରର ବାପା ଥିଲେ ଜଣେ ଶିକ୍ଷକ। ତେଣୁ ସେ ବାଲେଶ୍ବର, କେଉଁଝରଠାରୁ ଭଦ୍ରକ ଯାଏ ଅନେକ ଆଡ଼େ ବୁଲିବୁଲି ଚାକିରୀ କରିଛନ୍ତି। ତେଣୁ ଯୁଆଡ଼େ ଯାଆନ୍ତି ପିଲାଛୁଆଙ୍କୁ ସିଆଡ଼େ ସିଆଡ଼େ ଧରିକି ଯାଆନ୍ତି।

ତେଣୁ ଶେଖରର ପାଠପଢା କୌଣସି ଗୋଟେ ସ୍କୁଲରେ ହୋଇନାହିଁ। ସେ ଗାଁରେ ପ୍ରାଇମେରୀ ଶିକ୍ଷା ସମାପନ କରିଥିଲେ ହେଁ ଘଟଗାଁ ତାରିଣୀ ପୀଠରେ ଏମ୍. ଇ. ସ୍କୁଲ ଏବଂ ଆନନ୍ଦପୁରରୁ ମାଟ୍ରିକ୍ ଖଣ୍ଡକ ପାସ କରିଛନ୍ତି । ତା’ପରେ ଯୁକ୍ତଦୁଇ କେଉଁଝର ଡି. ଡି. କଲେଜରୁ, ପରେପରେ ଭୁବନେଶ୍ବରରୁ ଇଞ୍ଜିନିୟରିଂ ପାସ୍ କରିଛନ୍ତି।
ତେଣୁ ଗାଁ ସହିତ ଧୀରେ ଧୀରେ ସମ୍ପର୍କ କମିଲା, ଏପଟେ ପିଲାମାନଙ୍କର ଯେହେତୁ ଟିକିଏ ବଜାରପ୍ରୀତି ବଢ଼ିଗଲାଣି ସେଥିସକାଶେ ସେମାନେ ବି ଆଉ ଗାଁରେ ରହିବାକୁ ଚାହୁଁ ନଥିଲେ।
ତେଣୁ କମଳ ବାବୁଙ୍କର ଯେବେଠୁ ଚାକିରୀ ସରିଲା ସେ ଆଉ ଗାଁକୁ ନଯାଇ ଗାଁପାଖ ବାରିକପୁର ବଜାରରେ ଗୋଟେ ଜାଗା କିଣି ଘର କଲେ। ସେଇଠି ଏବେ ପିଲାମାନଙ୍କର ଠିକଣା ହେଲା।

କିନ୍ତୁ ସବୁଦିନେ ଆଉ ତ କେହି ମହୀ ଉପରେ ରହିପାରିବେ ନାହିଁନା, ତେଣୁ ଦିନେ ଏମିତି ହେଲା ହୃଦଘାତରେ ପୀଡ଼ିତ ହୋଇ ହଠାତ୍ କମଳ ବାବୁ ଟିକଟ କାଟିଲେ ଆରପାରିକୁ। ଏଣିକି ପେନ୍ସନ ପଇସାରେ ଘର ଚଳିବ। ଯାହା ସେବାନିବୃତ୍ତିରୁ ଅର୍ଥରାଶି ମିଳିଥିଲା ସେଥିରେ ଗୃହ ନିର୍ମାଣରେ ଓ ନୂଆ ଆସବାବ ପତ୍ର କିଣାରେ ଖର୍ଚ୍ଚ ହୋଇଯାଇଥିଲା। ଅବଶିଷ୍ଟ ମଘା କାମରେ ଗଲା। ଇତିପୂର୍ବରୁ ଶେଖରର ବାହାଘର ବି ଧୂମ୍ ଧାମ୍ ରେ କମଳା ବାବୁ କରିଥିଲେ ସେଥିରେ ଯାହା ଅର୍ଥ ଶ୍ରାଦ୍ଧ ତ ନିଶ୍ଚୟ ହୋଇଥିବ। ଗୋଟିଏ ବୋଲି ଭଉଣୀ ସିନି ବାହାଘର ବେଳକୁ ମଧ୍ୟ ପୁର୍ବାର୍ଜିତ ସମ୍ପତ୍ତି ବିନିଯୋଗ ହୋଇଯାଇଥିଲା। ଆଉ ବଳକା ପଇସା ସେତେ କିଛି ନାହିଁ। ଘର ଘୋର, ସେଥିରେ ସବୁ ଘୋରି ହୋଇଯାଇଥିଲା।

ତେବେ ବି ସେତେ ଅସୁବିଧା ନାହିଁ, ଶେଖର ଅଟୋ ମୋବାଇଲ୍ କମ୍ପାନୀରେ ଚାକିରୀ କରି ଘରକୁ ଦୁଇ ପଇସା ଆଣୁଛି। ମା’ର ଊଣା ଅଧିକେ ପେନ୍ସନ ପଇସା ଗଣ୍ଡାକ ମିଳୁଛି।
କିନ୍ତୁ ଭଗବାନଙ୍କ ଦୁନିଆରେ ସବୁଦିନ କାହାରି ଅୟସ ଆରାମରେ ଯାଏ ନାହିଁ। ଧୀରେ ଧୀରେ କଠିନତା ବଢ଼ିଲା।

ସେଦିନ ହଠାତ୍ ଜାତୀୟ ରାଜପଥ ପ୍ରଶସ୍ତିକରଣ ହେବାରୁ ବାରିକପୁର ଘର ଖଣ୍ଡାକ ଚାଲିଗଲା। ଅବଶ୍ଯ ଅଠଚାଳିଶ ଲକ୍ଷ୍ୟ କ୍ଷତିପୂରଣ ମିଳିଲା।
ସେଇ ପଇସାରୁ ଅର୍ଦ୍ଧେକ ଧରି ସାନ ଟୋକା ଭୁବନେଶ୍ବର ଚାଲିଗଲା। ପଇସା ପାଇଲା ପରେ ସେ ଆଉ ପଦଗଦ ମାନିଲା ନାହିଁ। ମାଆଭାଇ କଥା ବି ଶୁଣିଲା ନାହିଁ। ଝୁଙ୍କ ଲାଗିଲା, ରସୁଲଗଡ଼ରେ ଗୋଟେ ଦୋକାନ କିଣିପକାଇ ଭୁସାମାଲ ଦୋକାନ କଲା। ତାହା ପୁଣି ତା ସାଙ୍ଗ ମାଧିଆ ସହିତ ପାର୍ଟନରସିପ୍ ରେ। ଆଜିକାଲି ତ ଅପଣାର ଲୋକ ନିଜର ହେଉନାହାଁନ୍ତି , ସେ ପୁଣି ସାଙ୍ଗସାଥି କୁଆଡ଼େ ନିଜର ହେବେ। ବେପାର ପ୍ରଥମେ ପ୍ରଥମେ ଭଲ ଚାଲିଥିଲା, କିନ୍ତୁ ଯେଉଁ ସାଙ୍ଗଘରେ ରହି ବେପାର କଲା, ତା ଭଉଣୀ ରୂପା ସାଙ୍ଗରେ ଏହାର ନଫଡା ଚାଲିଲା। ଶେଷରେ ମରାପିଟା କଲେ, ଏକାବେଳକେ ନିଶା ଛାଡ଼ିଗଲା। ଦୋକାନପତ୍ର କବଜା କରିନେଇ ଘଉଡ଼େଇ ଦେଲେ। ପୁଅ ନାମ ନେଇଛି, ଯେଉଁ ବାଟେ ବାଟେ ଆସିଥିଲା, ସେଇ ବାଟେ ବାଟେ ଫେରିଗଲା।ଏଥର ପୁଅ ପୁଣି ସେଇ ଭାଇ ପାଖରେ ଶରଣ ନେଲା, କିନ୍ତୁ ଅର୍ଥତକ ସବୁ ତୋଷାରପାତ ହୋଇଗଲା।ଏମାନେ ପରା ପିଲା ପିଚିକା ନ ଠିକିଲେ କ’ଣ ସହଜରେ ଶିଖିବେ କି।

ଶେଖର ବରଂ ଟିକିଏ ବୁଦ୍ଧିମାନର କାମ କରିଛି। ସରକାର ଯେତେବେଳେ ଜାଗା ଅକ୍ତିଆର କରିନେଲେ ଓ ସେମାନେ ବେଘର ହେଲେ, ସେ ତୁରନ୍ତ କେଉଁଠି ଗୋଟେ ଘରତୋଳି ଘରକରଣା ଜିନିଷପତ୍ର ସବୁ ସମ୍ଭାଳିବାକୁ ଚିନ୍ତାକଲା। ଯୋଗକୁ ଶ୍ୱଶୁରଘର କହିଲେ -” ତୁମର ତ ଏତେ ପଇସା ନାହିଁ ଜମି କିଣି ଘର କରିବାକୁ, ଗୋଟେ କାମକର, ଆମର ଭଦ୍ରକରେ ଗୋଟେ ଠାକୁର ଜମି ଅଛି, ସେଇଟା ଯଦିଓ ତୁମ ନାଁରେ ପଟା ହୋଇପାରିବ ନାହିଁ, ତଥାପି ତୁମେ ଦେହକସାରା ଭୋଗଦଖଲ କରି ପାରିବ। ଏଠୁ ତୁମକୁ କେହି ବେଦଖଲ କରିପାରିବେ ନାହିଁ, କାହିଁକିନା ପୁରୁଷ ପୁରୁଷ ଧରି ଆମ ବଂଶଧର ମନ୍ଦିର ପୂଜକ ଥିବାରୁ ଏଇଟା ଆମକୁ ଉପହାର ସ୍ଵରୂପ ମିଳିଛି।”
ଏଥିରେ ତ ମାନି ବେଶ୍ ଉତ଼୍ଙଫୁଲ୍ଲିତ ହୋଇଗଲା, ତା ଗୋଡ଼ ଆଉ ତଳେ ଲାଗିଲା ନାହିଁ। ସ୍ୱାମୀଙ୍କୁ ଖାଲି ଥେଇଥେଇ କରି ଅଥୟ କଲା। ଶେଖରଙ୍କ ପାଖରେ ବି କିଛି ଉପାୟ ନଥିଲା, ଅଳ୍ପ ଧନ ବିକଳ ମନ ସେ ସେଥିରେ ହଁ ଭରିଲେ।

ଯେଉଁ ଘର ଜ୍ୱାଇଁଆ ହେବେ ନାହିଁ ବୋଲି ଦିନେ ନିଷ୍ପତ୍ତି ନେଇ ନିଜ ଘର ପାଖରେ ଭଲ ପାଉଥିବା ସୀମା ବୋଲି ଝିଅର ପ୍ରସ୍ତାବକୁ ସେ ନାକଚ କରିଥିଲେ, ଆଜି ଶେଷରେ ସତକୁ ସତ ସେ ଘରଜ୍ୱାଇଁଆ ହୋଇଗଲେ। କିଂକର୍ତ୍ତବ୍ଯ ବିମୂଢ଼ ଅବସ୍ଥା, ସମୟ – ସମୟ ସବୁକିଛି ଓଲଟପାଲଟ କରି ଥୋଇଦେଲା ।

ଛାଡ଼, ଘରତୋଳା କାମ ଚାଲିଲା। ଯେଉଁ ଅର୍ଥ ଗଣ୍ଡାକ ପାଖରେ ଥିଲା ସବୁ ସେଥିରେ ଲାଗିଗଲା, ପୁଣି ଧାରକରଜ ବି ବହେ ହେଲା। ସୁନା ଗହଣା ବି ବ୍ୟାଙ୍କରେ ବନ୍ଧା ପଡିଲା। ଯେଉଁ କୁତୁକୁତୁ ହୋଇ ଚାରି ଚକିଆ ଯାନ ଖଣ୍ଡେ କରି ଅଫିସ୍ ଯିବା ଆସିବା କରୁଥିଲା ତା କିସ୍ତି ବି ଆଉ ଦେଇ ହେଉ ନାହିଁ। ଯୋଗକୁ ଆଉ ଚାକିରୀ ନାହିଁ। ଏଇ ଘରକାମ କରିବ ବୋଲି ସେ ଏତେ ବ୍ୟସ୍ତ ରହିଲା ଯେ ଆଉ ଠିକ୍ ରେ ଅଫିସ୍ କରିପାରିଲା ନାହିଁ।ଶେଷରେ ତଡ଼ାଖାଇ ଘରେ ବସିଛି। ତଥାପି ମନରେ ଗୋଟେ ଶାନ୍ତ୍ୱନା – ସେ ଯେଉଁ ଘର ଘର ବୋଲି ଇଆ ତା ଓଳି କିଛିଦିନ ହେଲା ହେଉଥିଲେ, ଏବେ ତ ଶାନ୍ତିରେ ନିଜ ଘରେ ଟିକିଏ ନିଶ୍ୱାଷ ମାରି ପାରିବ। ତେଣିକି ଦେଖାଯିବା, ପୁଣି ବରଂ ଚେଷ୍ଟା କରି ଗୋଟେ ନୂଆ କମ୍ପାନୀରେ ଯୋଗଦେବ।
ସାନ ଭାଇଟା ବି ଡେରିରେ ବୁଝିଲେ କ’ଣ ହେବ, ସେ ଭୁବନେଶ୍ବର +ରୁ ଫେରି ଘର କାମରେ ଢେର୍ ସାହାଯ୍ଯ କରିଛି। ଏବେ ମାଆ, ସ୍ତ୍ରୀ, ସାନ ଭାଇ, ସ୍ତ୍ରୀ ଓ ଝିଅ ସବୁ ପୂର୍ବପରି ପୁଣି ଏକାଠି, ଗୋଟେ ଜାଗାରେ, ତେଣିକି ଦେଖାଯିବ ଭବିଷ୍ୟତ ପୁଣି କେଉଁ ମୋଡ଼ରେ ଆଣି ଛିଡ଼ା କରୁଛି।

ଘର ତିଆରି ସରିଲା। ମାନିର ଗର୍ବଔଦ୍ଧତ୍ଯ କିନ୍ତୁ ବଢ଼ିଲା । ତା ମନରେ ଗୋଟେ ଗର୍ବ – ଯାହା ହେଉ ତା’ର ଗୋଟେ ନିଜସ୍ଵ ଘର ଅଛି ଯେଉଁ ଘରର ଘରପତି ହେଉଛି ସେ ନିଜେ।
ଗୃହପ୍ରବେଶ ଓ ଘର ପ୍ରତିଷ୍ଠା କାମ ଧୂମଧାମରେ ହେଲା। ଅନେକଆଡୁ ଅନେକ ନିମନ୍ତ୍ରିତ ଅତିଥି ଆସିଥିଲେ। କାହିଁକିନା ସମସ୍ତଙ୍କୁ ଜଣାଇ ଦେବାକୁ ସେ ଚାହୁଁଥିଲା – ସେ ହେଉଛି ଏ ଘରର ଅସଲି ମାଲିକ, ତା ବାପଭାଇଙ୍କ ଦୟାରୁ ଏ ଘରତୋଳା ସମ୍ଭବ ହୋଇଛି।

ଯାହାବି ହେଉ ବନ୍ଧୁବାନ୍ଧବ ଝିଅଝିଆଣି ବି ଦିନେ ଓଉତେ ରହି ଚାଲିଗଲେଣି। ଆଉ କେହି ନାହାଁନ୍ତି। ବାକି ରହିଗଲେ – କେବଳ ମାନିର ମାଆ, ସୁକାନ୍ତି ଦେବୀ। ଆଉ ଘରଲୋକ ବୋଲି ମାଆ ଦେବକୀ , ସାନ ଭାଇ ଦୀପୁ, ମାନି, ଝିଅ ଲିପ୍ସା ଓ ସେ ଶେଖର ନିଜେ।

ଏତେବେଳକୁ ମାସେ ପନ୍ଦର ଦିନ ଗଲାଣି
। ଦିନକୁ ଦିନ କିନ୍ତୁ ମାନିର କଥାବାର୍ତ୍ତା ଗୁଡ଼ାକ ଦେହେରେ ଗୁଳି ଚାଲିଗଲା ଭଳି ଗଳି ଯାଉଥାଏ। ତା ଛାଣ୍ଟକାଣ୍ଟରେ ପୂରା ପରିବର୍ତ୍ତନ ହୋଇଗଲାଣି। ଏଣିକି ସେ ଘରର ବୋହୂ ନୂହେଁ, ଘରର ମାଲିକାଣୀ। ତେଣୁ ଶାଶୁ ଦେବକୀଙ୍କ ବୋଲବାଲା ଆଉ ଚଳିବନି, ଚଳିବ ତ କେବଳ ତା’ର ମେରିରାୟ ଶାସନ ଚାଲିବ। ତେଣୁ ଧୀରେ ଧୀରେ ସେ ନିଜ ଆଦବ କାଏଦାଟା ପ୍ରୟୋଗ କରୁଥାଏ। ଏ ଦିଗରେ ଶିକ୍ଷାଦେବା ପାଇଁ ମା ପାଖେ ପାଖେ ରହୁଥାଏ, କାନେ କାନେ ଭରୁଥାଏ।
ଏଥିପୂର୍ବରୁ ତ ଦେବକୀ ଦେବୀ ଘରର ମୁରବି ଥିଲେ, ତାଙ୍କ ବିନା ଇଙ୍ଗିତରେ କିଛି ବି ହୋଇପାରେ ନାହିଁ। ଏପରିକି ତାଙ୍କ ଅନୁମତି ନନେଇ ଘରର ପିଲାମାନେ କେହି ବାହାରକୁ ଗୋଡ଼ କାଢ଼ନ୍ତି ନାହିଁ। ଭାରି ସ୍ନେହଶୀଳା। ଆଜିଯାଏ ଘରଟାକୁ ସେଇ ହିଁ ସମ୍ଭାଳି ରଖି ଆସିଥିଲେ। ଏଣିକି କାଣୀ ବିରାଡ଼ି ଦୀପୁରୁଖା ଉପରକୁ ଉଠିଲାଣି, ତେଣୁ ତା’ର ସିକିମ୍ କହିଲେ ନସରେ। ସ୍ଵାମୀ ବି ତା ହାତରେ ସଖୀ କଣ୍ଢେଇ ସାଜିଛି। ତା’ର ବା ଉପାୟ କ’ଣ ଅଛି ଯେ ସେ କରି ପାରିବ, ହାତରୁ ପାଞ୍ଚ ତ ସେ ଦେଇ ସାରିଛି। ତେଣୁ ମାନିର ହୁକୁମ ସର୍ବମାନ୍ୟ ।

ଏ କଥା ସତ ଦେବକୀ ଦେବୀଙ୍କ ହୃଦୟଟା ଟିକିଏ ନାରିକେଳ ପରି, ଉପରଟା ଭାରି ଟାଣ ଜଣାପଡୁଥିଲେ ହେଁ ଭିତରଟା କିନ୍ତୁ ଭାରି ନରମ। ସେ ଜଣେ ବୁଝକର ଲୋକ କିନ୍ତୁ ଉପରେ ଟିକିଏ କଠୋର ହୋଇ ଶାସନ କରନ୍ତି। ଟାଣ ନହୋଇଥିଲେ ବିଧବା ସ୍ତ୍ରୀ ଲୋକଟା ଘରଟାକୁ କ’ଣ ସମ୍ଭାଳି ପାରିଥାନ୍ତା କି? ପିଲାମାନଙ୍କର ତାଙ୍କ କଥାରେ କେଇ ବେଳେ ଆପତ୍ତି ନଥାଏ କିନ୍ତୁ ମାନି ର ଭାରି ଅଭିଯୋଗ। ସେ କାହାରି ଟାଣ କଥା ସହିବ ନାହିଁ। ଭୁଆସୁଣୀ ବେଳେ ତ ସେ ଶାଶୁ ମୁହଁରେ ଜବାବ ଦେଇଦିଏ, ଏଣିକି ସହଜେ ସେ ଘରପତି। ଏଣିକି ପ୍ରତିଟି ଛୋଟବଡ଼ କଥାରେ ସେ ଓଲଟା ଶାଶୁଙ୍କୁ ଶୁଣାଇବା ଆରମ୍ଭ କଲାଣି। ନିଜ ସ୍ୱାମୀ ତ ଆଉ ରହମଣ ପଡ଼ୁ ନାହିଁ, ଆଉ କାହା କଥା କିଏ ପଚାରେ। ସାନ ଦିଅର ଟୋକାକୁ ସେ ଆଦୌ ସହି ପାରୁ ନାହିଁ। ତାଙ୍କ କହିବା କଥା ହେଉଛି – “ଜମିବିକା ପଇସା ତ ଅଧା ଧରି ବଡ଼ ଲୋକ ହେବା ନିଶାରେ ରାଜଧାନୀରେ ଉଡେଇ କି ଆସିଲ। ସେତେବେଳେ ଭାଇ ଭାଉଜ ସବୁ ପର ଥିଲେ, ଏବେ ପୁଣି କେଉଁ ମୁହଁରେ ସେଇ ଭାଇ ପାଖରେ ପଶୁଛ।”
ତାଙ୍କ କହିବା କଥା ଅମୂଳକ ନୂହେଁ, କିନ୍ତୁ ଶେଖରର କହିବା କଥା – “ତା’ର ପିଲା ମୁଣ୍ଡ। ମୁଁ ଜାଣୁଛି ତା’ର ମସ୍ତବଡ଼ ଭୁଲ ହୋଇଛି। ତେବେ ବି ସେ ସାନଭାଇ, ପୁଅ ସମାନ। ନିଜ ପୁଅ କିଛି ତ୍ରୁଟି କରିଥିଲେ ଆଉ କ’ଣ ତାକୁ କେହି ଘଉଡେଇ ଦେଇଥାନ୍ତେ। ସେ ତ ନିଜ ଭୁଲ ମାନୁଛୁ। ଯାହା କହିଲେ ମୁହଁ ତଳକୁ ପୋତି ନତମସ୍ତକ ହେଉଛି। ଆଉ ତୁମେ ତାକୁ ସବୁବେଳେ ତାନାମରା କଥା କୁହ ନାହିଁ। ପିଲା ଲୋକ ବିଚାର ସହି ପାରିବ ନାହିଁ। କେତେବେଳେ କ’ଣ କରିଦେବ। ଅଭିଆଡ଼ି ଭାଇଟା, ବାପା ବି ନାହାଁନ୍ତି, ତାକୁ ହାତେକୁ ଦିହାତ କରିଦେଲେ ଆମ କର୍ତ୍ତବ୍ୟ ସରିଲା। ତେଣିକି ତା ହାନିଲାଭ ନ ବୁଝିଲେ ଚଳିବ। ନହେଲେ ଲୋକେ ହରେଇବେ ନାହିଁ। “
ମା ଦେବକୀ ର ମଧ୍ଯ ସେଇ ଏକା ଯୁକ୍ତି, କିନ୍ତୁ ସେ କାହିଁକି ଶୁଣିବ।
ତା’ର ଏକାନ୍ତ ଜିଦ୍ ଦୀପୁ ଏ ଘରେ ରହିପାରିବ ନାହିଁ, କାହିଁକିନା ତାର ଟଙ୍କାକର ଅର୍ଥ ସହଯୋଗ ଏଥିରେ ନାହିଁ। ଏ ଘର କେବଳ ତାର ଆଉ ତା ସ୍ଵାମୀର। ତେଣୁ ଏଠି ଆଉ କାହାର ହକ୍ ନାହିଁ, ଯିଏ ରହିବେ ତାଙ୍କ ଦୟାରେ ରହିବେ ଓ ତାଙ୍କ ସିଦ୍ଧାନ୍ତ ମାନିବେ। ଯଦି ଶାଶୁ ମା ଏତେ ପୁଅ ସୁଆଙ୍ଗ ଦେଖାଉଛନ୍ତି ତାହେଲେ ସେ ଦୀପୁ ସାଙ୍ଗରେ ରହୁ ନାହାଁନ୍ତି। ଏଇମିତି ଛୋଟ କଥାକୁ ନେଇ ବଡ଼ ହେଲା। ଦେବକୀ ଦେବୀ କହିଲେ – “କଣ ହେଲା ଏ ଘର ମୋ ପଇସାରେ ତିଆରି ହୋଇଛି, ମୋ ପୁଅ ଘର କରିଛି, ଏହା ମୋର ନୂହେଁ ତୋ ଘର?”
ଏଥିରେ ମାନି ଆହୁରି କ୍ଷୁବ୍ଧ ହେଲା, କହିଲା – “ଆହା ହା! ମୋ ବାପା ଭାଇ ଜାଗା ଦେଇ ନଥିଲେ ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଇ ନଥାଆନ୍ତା, ସେଇଥିରେ ଏତେ ବଡ଼ ବଡ଼ କଥା କହୁଛ। ସେମିତି ହେଲେ ମୋ ଘରୁ ଏବେ ବାହାର। ମୁଁ ଦେଖିବି ତୁମେ କେଉଁଠି ରହୁଛ। “
ଏତେ ବହପ ଦେଖାଇ ଛୋଟ ବଡ଼ କରି ଗାଳିଗୁଲଜ କଲା ଯେ ଆଉ ନ ସହିବା କଥା। ସେ ବୋହୂ ପିଲାଟା ହୋଇ ଦୌଡ଼ି ଆସିଲା ଶାଶୁ ପାଖକୁ ଅଣ୍ଟିରେ ଲୁଗା ଗୁଡ଼ାଇ ଓ ହାତ ମୁଠା ମୁଠା କରି। ପଛ ପଟରୁ ସୁକାନ୍ତି ଦେବୀ ବଳ ଦେଉଥାନ୍ତି। ମଝିରେ ଦିଅର ଟୋକା ପଶି ଭାଉଜ ହାତଟାକୁ ଛିଞ୍ଚାଡି ଦେଲା। ବାସ୍ ତାପରେ ତ ନାଟ ଦେଖିବ। ସୁକାନ୍ତି ଦେବୀଙ୍କୁ ଆଉ କିଏ ଅଟକାଇବ। ସେ ତ ଖାଲି ନାହାଳିଲେ।କହିଲେ – “ଆମେ ଆମ ଝିଅ ରହିବ ବୋଲି ଜାଗା ଦେଇଚୁ ତୁମେ ଏଇ ଲାଗେ ଏଠୁ ବାହାର, ନହେଲେ କଥା ଖରାପ ହେବ, ମୁଁ ତା ବାପା ଭାଇକୁ ଡକାଉଛି ।” କଥା ଅତିଶୟ ହେଲାରୁ ନିଜ ମା ଓ ଭାଇକୁ ସୁରକ୍ଷା ଦେବାକୁ ଯାଇ ଶେଖର ବି ମୁଣ୍ଡ ପୂରାଇଲେ। କିନ୍ତୁ ସେ ବି ରହମାନ ପଡ଼ିଲେ ନାହିଁ। ଶେଖର ପାଖରୁ ତାଗିଦ ଶୁଣି ମାଆ ଝିଅ ଧାଇଁଲେ ଥାନାକୁ। ତାଙ୍କର ଏକାନ୍ତ ଜିଦ୍ ସାନ ଟୋକାକୁ ଆଜି ବନ୍ଧେଇବେ ଯେ ସେ କାହିଁକି ଭାଉଜ ଉପରେ ହାତ ଉଠାଇଲେ।
ପୋଲିସ୍ ଡାକିଲା, ଥାନାରେ କଥା ପଡ଼ିଲା। କଥା ମୋଟା ହେଲା। ସେ ମା ଝିଅ କୌଣସି ପ୍ରକାର ବୁଝିଲେ ନାହିଁ, ଏକାନ୍ତ ଜିଦ୍ ସେମାନେ ସମସ୍ତେ ଜେଲ୍ ଯାଆନ୍ତୁ ନହେଲେ ସାନ ଟୋକା ତା ମାଆ କୁ ଧରି ଆଜିରେ ବାହାରି ଆଉ କେଉଁଠି ରହୁ। ଶେଖର ଉପରେ ବି ଇଲଜାମ, ମୁଣ୍ଡ ତଳକୁ ହେଲା। ଶେଖର ଦେଖିଲା ବର୍ତ୍ତମାନ ପାଇଁ ଅନ୍ତତଃ ପରିସ୍ଥିତି ଶାନ୍ତ ପଡୁ, ତେଣିକି ପରେ ଯାହା ହେବ, ନହେଲେ ଏ ଅମାନିଆ ଲୋକ ଆଦୌ ମାନିବେ ନାହିଁ।
ସେୟା ହେଲା, ଦୀପୁ ମାଆଙ୍କୁ ଧରି ତୁରନ୍ତ ଗୋଟେ ଭଡ଼ା ଘର ଠିକ୍ କରି ଅଲଗା ରହିଲା। ମାଆ ଭାଇର କାନ୍ଦ କାନ୍ଦ ମୁହଁକୁ ଶେଖର ଆଉ ଦେଖି ପାରୁ ନଥାଏ, ଏପଟେ ଏ ରଣଚଣ୍ଡୀ ପ୍ରତି ଘୃଣାରେ ହୃଦୟ ବିଦାରିତ ହୋଇଯାଉଥିଲେ ହେଁ, ଉପାୟ ନାହିଁ। କାହିଁକିନା ସ୍ତ୍ରୀ କଥା ଯାହା ହେଉ ନିଜ କୁନି ଝିଅକୁ ତ ଛାଡ଼ି ଆଉ ସେ ରହିପାରିବେ ନାହିଁ ନା। ମାଆ କାନ୍ଦି କାନ୍ଦି ଗଲା ବେଳେ ବୁଝାଇ କହିଲେ – “ଯାହା ହେଲେ ବି ହାତ ଧରି ବାହା ହୋଇଛି ଆଉ କୋଳରେ କୁନି ଛୁଆଟି, ସେଇ ଛୁଆଟି ମୁହଁକୁ ଚାହିଁ ତୁ ଏଠି ପଡିରହ ତେଣିକି ତୋ ଭାଗ୍ୟରେ ଯାହା ଅଛି ସେୟା ହେବ। ମୁଁ ତ ଆଉ ଜନମ ଦେଇଚି ବୋଲି କାହା କରମ ଦେଇ ନାହିଁ। ତେଣିକି ତୋ କରମ ରେ ଯାହା ଅଛି ତୁ ସେୟା ଭୋଗ କରିବୁ।” ମାଆ ପୁଅ କୁଣ୍ଢାକୁଣ୍ଢି ହୋଇ ଘଡିଏ କାନ୍ଦିଲେ, କିନ୍ତୁ ‘ହୋନି’କୁ କିଏ ବା ଟାଳି ପାରିବ, ଯାହା ହେବାର ଥିବ ଅବଶ୍ଯ ହୋଇକି ରହିବ। ଯିବା ବେଳେ କୁନି ଝିଅ ଲିପ୍ସା କ’ଣ ବୁଝିଲା କେଜାଣି କାନ୍ଦିକାଟି ଜେଜେ ମାଆକୁ ପଛରୁ ଭିଡ଼ି ଓଲାରି ଟାଣି ଧରୁଥାଏ। ତା ମା କିନ୍ତୁ ତାକୁ ଭୁରୁଡ଼ି ମାରି ସେଠୁ ଭିଡ଼ି ନେଇ ଚାଲି ଯାଇଥାଏ। ପରିବେଶରେ କରୁଣ ରସ ଅଜାଡ଼ି ହୋଇ ପଡ଼ୁଥାଏ। ଶେଖର ନିସ୍ତବ୍ଧ ହୋଇ ଖୁଣ୍ଟଟା ପରି ସେଇମିତି ଗୋଟେ ଜାଗାରେ ଛିଡା ହୋଇଥାଏ, ସତେ କି ସେ ଜଡାହୁଣ୍ଡା ପାଲଟି ଯାଇଥାଏ।

Related posts

ନୀରନା

satya

ମୁଁ ଆଉ ତୁମେ

satya

ପବିତ୍ର ସମ୍ପର୍କ

satya

Login

X

Register