Satya Prakash
Uncategorised

ଅଟଳଜୀ

ଅଟଳ ମହାମେରୁ
By ସତ୍ୟ ପ୍ରକାଶ ସେଠୀ
ଅଟଳ ବିହାରୀ ବଜାପେୟୀ ଭାରତ ବର୍ଷର ଇତିହାସରେ ଏକ ଅଦ୍ୱିତୀୟ ପରିଚାୟକ। ସେ ଏକାଧାରରେ ଜଣ ସୁସାହିତ୍ୟିକ, କବି, ପ୍ରାବନ୍ଧିକା, ପତ୍ରକାର, ରାଜନୀତି ବିଶାରଦ, ପ୍ରବିଣ ରାଜନୀତିଜ୍ଞ, ସୁସଂଗଠକ, କୁଟନୀତିଜ୍ଞ, ନୀତିବାଦୀ ଓ ହେତୁବାଦୀ ଦାର୍ଶନିକ ତଥା ମାନବବାଦର ପ୍ରବକ୍ତା। ତାଙ୍କର ବାଗ୍ମିତା ଓ କଥନ ଭଙ୍ଗୀରେ ଦୃଢତା ତାଙ୍କୁ ଜଣେ ବଳିଷ୍ଠ ନେତା ରୂପେ ଗଢି ତୋଳିଥିଲା। ଜନମାନସରେ ସେ ଅତ୍ୟନ୍ତ ପ୍ରିୟ ଓ ଆଦରଣୀୟ ବ୍ୟକ୍ତିତ୍ଵ । ଆଜୀବନ ଆକୁମାର ରହି ଜନତାର ସେବାକୁ ସେ ନିଜର ବ୍ରତ ରୂପେ ଗ୍ରହଣ କରିପାରିଥିଲେ। ଆସନ୍ତୁ ସେଇ ଅମର ପ୍ରତିଭାଙ୍କର କେତୋଟି ଅମର ଗାଥାର ବୀଣା ନିନାଦିତ ସ୍ଵର ଝଙ୍କାର ଶୁଣିବା।
ମାତା କୃଷ୍ଣା ଦେବୀ ଗର୍ଭୁ ହେଲ ଜାତ

ପିତା କୃଷ୍ଣ ଔରସଜ

ମଧ୍ଯ ପ୍ରଦେଶର ମୋରେନା ଗ୍ରାମରେ

ଜନ୍ମ ଲାଭ ପରା କଲ! ।। 1

ସ୍ନାତକ ଯେ କଲ ତ୍ରି ସାହିତ୍ୟ ରଖି

ହିନ୍ଦୀ ଅଙ୍ଗ୍ରେଜୀ ସଂସ୍କୃତ

ସାହିତ୍ୟରେ ଜ୍ଞାନ ସେ ଲାଗି ଅଧିକ

ସୁସାହିତ୍ୟିକ କଥିତ।। 2

ତୁମେ କାର୍ଯ୍ୟକ୍ରମେ ଯୋଗଦେଲ ପରା

ସେ ଆର୍ଯ୍ଯ କୁମାର ସଭା

ସେଇଠୁ ଆରମ୍ଭି ଜୀବନ ଯାତ୍ରାଟି

ସଂଗଠନ କର୍ମକର୍ତ୍ତା।। 2

ପତ୍ରକାର ହେଲ ପତ୍ରିକା ଦୁଇଟି

ରାଷ୍ଟ୍ରଧର୍ମ ପଞ୍ଚଜନ

ତା ‘ପରକୁ ଲେଖ କବିତା ନୀଚୟ

କେତେ ସୁଲଳିତ ଗାନ।। 3

ବୌଦ୍ଧିକ ପିପାସା ମେଣ୍ଟିଲାନି ବୋଲି

କେତେ ଯେ ଭଳିକି ଭଳି

ଲେଖି ବସିଲଟି ଗଦ୍ୟର ସମ୍ଭାର

ଅତି ମୂଲ୍ୟବାନ୍ କରି।। 4

ଏହି ପରି କେତେ ବିରଚିଲ ସତେ

ଜୀବନ ଗୌରବ ଗୀତି

ତୁମର କର୍ମଠ ଜୀବନଦର୍ଶନ

ହୋଇବ ଅଭୂଲା ପ୍ରୀତି।। 0
ବାସ୍ତବରେ ଅଟଳଜୀ ଏକ ଅନନ୍ୟ ପ୍ରତିଭା। ଯାହାଙ୍କର କୃତି ଓ କୃତୀରାଜିର ଆକଳନ ସହଜବୋଧ୍ୟ ନୂହେଁ ବରଂ ବହୁ କଷ୍ଟସାଧ୍ୟ। କାରଣ ତାଙ୍କର ଜୀବନ ଅନେକ ସଂଘାତ ଓ ସଂଘର୍ଷପୂର୍ଣ୍ଣ, ଯେଉଁଥିରେ ନାନା ବୈଚିତ୍ର୍ୟ ରହିବା ସ୍ୱାଭାବିକ। ଏପରି ଏକ ଚରିତ୍ରକୁ ନିଖୁଣ ଭାବରେ ଚିତ୍ରଣ କରିବା ମୋ ପକ୍ଷରେ ସହଜ ନୂହେଁ, ତଥାପି ପ୍ରୟାସ ତ ନିଶ୍ଚୟ କରିବି।କାରଣ ମୁଁ ଜଣେ ଚିତ୍ରକର। ଚିତ୍ର ଆଙ୍କିବା ମୋର ଧର୍ମ। ଆଙ୍କୁ ଆଙ୍କୁ ଯଦି ଆଙ୍କି ପାରିଲି ତେବେ ନିଜକୁ ଧନ୍ୟ ମନେ କରିବି। ଏହି ଅଟଳଜୀ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରି ନିଜର ସ୍ଵୀୟ ଜ୍ଞାନ ଓ ପ୍ରଚେଷ୍ଟା ବଳରେ ଦୁଇ ଦୁଇ ଥର ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ହେବାକୁ ସକ୍ଷମ ହୋଇଥିଲେ। ଯାହାଙ୍କର ସୁଶାସନ ଓ ଶାସନ ପ୍ରଣାଳୀ ଭାରତକୁ ନୂତନ ଦିଶା ଓ ଦିଗ ଦେଖାଇବାରେ ଯଥେଷ୍ଟ ସହାୟକ ହୋଇପାରିଥିଲା। ସେ ଯେ ଜଣେ ପ୍ରବୀଣ ରାଜନିତୀଜ୍ଞ ଏ କଥା ନୂହେଁ, ବରଂ ସେ ଜଣେ ବାଗ୍ମୀ। ତାଙ୍କର ଦାର୍ଶିନିକା ସୁଲଭ ଦୃଷ୍ଟିଭଙ୍ଗୀ ପ୍ରଚଣ୍ଡ ବିଜ୍ଞତାର ପରିଚାୟକ। ଯାହାଙ୍କ କଥାର ମାଧୁର୍ଯ୍ୟ ଓ ଭାଷଣରେ ଦୃଢତା ଥିଲା। ତାଙ୍କର ଅଗ୍ନି ସ୍ଫୁଲିଙ୍ଗ ବାଣୀରେ କୋଟି ଜନତାଙ୍କ ହୃଦୟରେ ଉଦ୍ୱେଳନ ସ୍ରୁଷ୍ଟି ହେଉଥିଲା।
ତୁମେ କି ବେଦାଗ ବାଦ୍ଶାହା ଏକା

ଜୀବନରେ କାହିଁ କଳଙ୍କ

କେମିତି ଏମିତି ମହିମା ମଣ୍ଡିତ

ଛୁଇଁଲା ନାହିଁ ସେ ପଙ୍କ।। 1

ଆତ୍ମ ବିଶ୍ଵାସରେ ଭରା କି ହୃଦୟ

କଥନ ଏମନ୍ତ ରୋଟା

ଦୃଢ ନିଶ୍ଚୟତା ନଥିଲେ ବା ମନେ

ସ୍ଫୁରେ ନାହିଁ ମୁଖେ ଭାଷା।।2

ତୁମର କବିତ୍ଵ କବ୍ୟିକ ଜୀବନ

କେଡ଼େ ମନୋଲୋଭା ଆଭା

ବାସ୍ତବ ଜୀବନ ଦୃଶ୍ୟ ପଟ୍ଟ ଚିତ୍ର

ନିଖାରି ବଖାଣ ଅବା।। 3

ବିଭିନ୍ନ କ୍ଷେତ୍ରରେ ଅବଦାନ ଯୋଗୁଁ

ତୁମେ ପରା ପୂଜନୀୟ

ନାଗରୀକ ହୃଦେ ରହିବଟି ସଦା

ଏ କଥାଟି ସ୍ଥିର ନିଶ୍ଚୟ।। 4

ତୁମ କୃତିତ୍ଵ କି ଦଶ ଦଶ ଥର

ଲୋକସଭାରେ ସଦସ୍ୟ

କେବେ ପୁଣି ହୁଅ ତୁମେ ଦୁଇ ଥର

ରାଜ୍ୟସଭାରେ ସଦସ୍ୟ।।5

ଦେଶର ପ୍ରଗତି ପାଇଁ କଲ ସତେ

ସର୍ବ ଶିକ୍ଷା ଅଭିଯାନ

ଅପାଠୁଆ ଆଉ ରହିବେନି ବୋଲି

ସର୍ବେ ଚଳେ ବିଦ୍ୟାଳୟ।। 6

ଦୂର ଭାଷାରେ ଯେ ବିକାଶର ପର୍ବ

ପ୍ରସ୍ତୁତି କରିଣ ଦେଲ

ଘରୋଇ କରଣ ହେବା ଫଳରେଟି

ମୋବାଇଲି ହାତେ ଦେଲ।। 7

ଦିଲ୍ଲୀରେ ତୁମେ କି ଶୁଭାରମ୍ଭ କଲ

ମେଟ୍ରୋ ସେବା ଚଳାଚଳ

ସେହୁ ଆଜି ବିଶ୍ୱେ ପ୍ରସିଦ୍ଧି ଲଭଇ

ସିଦ୍ଧି ସାଧନାର ଫଳ।। 8
ଜ୍ଞାନ ଓ ବିଜ୍ଞାନରେ ତାଙ୍କର ପାରଦର୍ଶିତା ଥିଲା। ସାହିତ୍ୟ ଓ ସଂସ୍କୃତିରେ ମଧ୍ଯ ତାଙ୍କର ରୁଚି ଥିଲା। ଅନେକ ଗବେଷଣାତ୍ମକ ନିବନ୍ଧ ସେ ରଚନା କରିଛନ୍ତି। ଗଦ୍ୟ ସାହିତ୍ୟରେ ସେ ଜଣେ ଧୂରୀଣ ବ୍ୟକ୍ତିତ୍ଵ। କାବ୍ଯ କବିତା କ୍ଷେତ୍ରରେ ମଧ୍ଯ ତାଙ୍କ ଦକ୍ଷତା ଖୁବ୍ ଉଲ୍ଲେଖନୀୟ। ଅନେକ କାବ୍ଯ କବିତା ସେ ରଚନା କରିଛନ୍ତି। ବକ୍ତବ୍ୟ ରଖିଲା ବେଳେ ତାଙ୍କ ପାଟିରୁ କାବ୍ଯ ପଂକ୍ତି ଝରି ପଡ଼େ। ଯାହାର ଶ୍ରବଣ ମାତ୍ରକେ ଦର୍ଶକ ବେଶ ଉତ଼୍ଙଫୁଲ୍ଲିତ ହୋଇ ଉଠନ୍ତି। ପାଞ୍ଚଜନ୍ୟ ଓ ରାଷ୍ଟ୍ର ଧର୍ମ ତାଙ୍କ ଦ୍ଵାରା ସଂପାଦିତ ଦୁଇଟି ସାହିତ୍ୟ ପତ୍ରିକା। ତେଣୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୀବ ଗୁରୁତ୍ଵପୂର୍ଣ୍ଣ। ମହାନାୟକଙ୍କ ମହାନ କୀର୍ତ୍ତି ରାଜି ବଖାଣିବା ଏତେଟା ସହଜ ନୂହେଁ। କାରଣ ବହୁ ମୁଖୀ ତାଙ୍କର ପ୍ରତିଭା।
ରାଜନୀତି କ୍ଷେତ୍ରରେ ସେ ପ୍ରଥମେ ଯୋଗଦାନ କଲେ ଆର୍ଯ୍ୟ କୁମାର ସଭା। ତା ପରେ ସଂଗଠନ କର୍ମକର୍ତ୍ତା। ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଗୋଟାଏ ପରେ ଗୋଟେ ପାହୁଚ ଅତିକ୍ରମ କରି ସେ କ୍ଷମତା ବଳୟର ଉର୍ଦ୍ଧ୍ୱକୁ ଉଠିଥିଲେ। ଅନେକ ବାର ବିରୋଧୀ ଦଳ ନେତା ଭାବେ ସେ ନିଜ ବିଚକ୍ଷଣତାର ପରିଚୟ ଦେଇଛନ୍ତି। ଅତି ସଶକ୍ତ ଭାବେ ସେ ସରକାରଙ୍କର ଜନ ବିରୋଧୀ ନୀତି ଗୁଡିକୁ ବିରୋଧ କରି ନାନା ସମୟରେ ସରକାରଙ୍କୁ ଅଡୁଆରେ ପକାଇ ପାରୁଥିଲେ। ଶେଷରେ ବି ଜେ ପି ଭଳି ଏକ ବିରାଟ ରାଜନୈତିକ ଦଳର ମଙ୍ଗୁଆଳ ହୋଇ ନିର୍ବାଚନୀ ବୈତରଣୀକୁ ସଫଳତାର ସହିତ ପାର ହୋଇ ସେ ପ୍ରଧାନ ମନ୍ତ୍ରୀ ହୋଇ ପାରିଥିଲେ। ପ୍ରଧାନ ମନ୍ତ୍ରୀ ଥିଲେ ବେଳେ ଅନେକ ଜନହିତକର ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ମାନ ସେ ହାତକୁ ନେଇଥିଲେ। ଯାହା ତାଙ୍କୁ ଅଧିକ ଲୋକପ୍ରିୟ କରିବାର ମୂଳ ଉତ୍ସ। ତନ୍ମଧ୍ୟରୁ ସ୍ଵର୍ଣ୍ଣ ଚତୁର୍ଭୁଜ ଓ ନଦୀ ଜୋଡ଼ କାର୍ଯ୍ୟକ୍ରମ ମାନ ଅନ୍ୟତମ। ଦିଲ୍ଲୀରେ ମେଟ୍ରୋ ସେବା, ସର୍ବ ଶିକ୍ଷା ଅଭିଯାନ, ମୋବଇଲ୍ ସେବା ଯୋଗାଇଦେବା ପରି ଅଭିନବ ପ୍ରୟାସ ସବୁ ସେଇ ବଜାପେୟୀଙ୍କ ଉନ୍ନତ ଚିନ୍ତା ଓ ଚେତନା ପ୍ରସୂନ କଲା କର୍ମ।
ପୁଣି ପାକିସ୍ଥାନ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ପାଇଁ ସେ ମଧ୍ଯ ଦିନେ ଚିନ୍ତା କରିଥିଲେ। ତେଣୁ ତ ବନ୍ଧୁତ୍ୱର ହାତ ବଢ଼ାଇ ଦିଲ୍ଲୀ ଓ ଲାହୋର ମଧ୍ୟରେ ବସ ଚଳାଚଳ ବ୍ୟବସ୍ଥା ସେ କରାଇ ଥିଲେ।
ତୁମେ କି ବନ୍ଧୁଟି ବନ୍ଧୁ ପ୍ରିୟ ସଖା

ବନ୍ଧୁର ମହିମା ମଣି

ପାକିସ୍ଥାନେ ଦେଲ ବନ୍ଧୁତ୍ୱର ହାତ

ଶତୃ ବୋଲି ପୁଣି ଜାଣି।।1

ତରକ ଶାସ୍ତ୍ରରେ ନିପୁଣ ଥିଲ କି

ପାର୍ଲାମେଣ୍ଟ ପରା ରଡ଼ି

ବିରୋଧୀ ବାଲାଏ ହୁଅନ୍ତି ଛାନିଆ

ଦେଖି ତୁମ କରାମତି।।2

ଭାଷଣେ ସ୍ପଷ୍ଟତା କଥନେ ଦୃଢତା

ମୁଖେ ଥିଲା ଶ୍ରୀଚନ୍ଦନ

କେଡ଼େ ମହାନତା ଥିଲା ତୁମ ଗୁଣ

ଭାବିଲେ ବିସ୍ମିତ ମନ।। 3

ସଂଗ୍ରାମୀ ପୁରୁଷ ତୁମେ କି ଅଟଳ

ଦଳକୁ ନଥିଲା ନାମ

ଦେଲ ଦିନେ ପରା କେଡ଼େ ଗୋଟେ ନାମ

ବିଜୟର ଧ୍ଵଜା ଟାଣ।। 4

ଭାରତ ସୁରକ୍ଷା ଚିନ୍ତା ଯେବେ ଘାରେ

ପରମାଣୁ ପରୀକ୍ଷଣ

କର ପୋଖରାନେ କେବେ ପୁଣି ଗୁପ୍ତେ

କି ବୁଦ୍ଧି ସେ ବିଚକ୍ଷଣ।। 5

କାରଗିଲ ଯୁଦ୍ଧେ ଭାରତ ସେନାର

ମନୋବଳ ଦୃଢ଼ କର

ଦେଶର ବିଜୟ ସୁନିଶ୍ଚିତ ହେଲା

ବାନା ଉଡ଼େ ଫରଫର।। 6

ଭାରତ ଦେଶର ରାଷ୍ଟ୍ର ଭାଷା ପ୍ରୀତି

ଗଭୀର କି ସେ ତୁମଠିଁ

ହିନ୍ଦୀର ଭାଷାରେ ଭାଷଣ ଲାଳିତ୍ୟେ

ରଖ ପରା ଜେନିଭାଠିଁ।। 7

ତୁମରି ଧୀଶକ୍ତି ବାଗ୍ମିତା ପଣିଆ

ନିଖୁଣ ପୁଣ କବିତ୍ଵ

ଏ ଦେଶ ଜନତା ରଖିଥିବ ସଦା

ମନେ ହେଜି ସେ କୃତିତ୍ଵ।। 8

ଏଡ଼େ ଗୁଣଗ୍ରାହୀ ଥିଲ ପରା ତୁମେ

କି କାରଣେ ଆଜି ଲୁଚ

କେଉଁ ସେ ରାଇଜେ ମିଳିବ ତୁମକୁ

ଆଉ ସେ ଆସନ ଉଚ୍ଚ।। 9

ତୁମ ଗୁଣ ଗାନ ନୁହଁଇ ମୋ କର୍ମ

ତଥାପି ପାରୁନି ରଖି

ତୁମରି ନାମଟି ମୁଖରେ ନନେଲେ

ହେଉନି କବିତା ଲେଖି।। 10

ନୟନରୁ ଢାଳି ଅଶ୍ରୁ କେଇ ବୁନ୍ଦା

ତୁମେ ଦିଏ ଶ୍ରଦ୍ଧାଞ୍ଜଳି

ଏ ଦେଶ ପ୍ରତିଟି ନହୋଇ ବିମୁଖ

ଶ୍ରଦ୍ଧା ରଖିଥାଅ ଭରି।। 0
ଅବଶ୍ୟ ବାଜପେୟୀଙ୍କ ପାକିସ୍ଥାନ ପ୍ରତି ଏହି ବନ୍ଧୁତ୍ୱର ହାତ ପରେ ଘାତକ ସାବ୍ୟସ୍ତ ହୋଇଥିଲା। କାରଣ ବିଶ୍ୱାସଘାତକ ପାକିସ୍ଥାନ ସକାଶେ karagil ପରି ଯୁଦ୍ଧର ସାମ୍ନା ଭାରତକୁ କରିବାକୁ ପଡିଥିଲା। ହେଲେ କଣ ହେବ ତାଙ୍କ ଦୃଢ଼ ନେତୃତ୍ୱ ଆଗରେ ଶେଷରେ ପାକିସ୍ତାନୀ ସୈନ୍ୟକୁ ହାର ର ସାମ୍ନା କରିବାକୁ ପଡ଼ିଥିଲା। କାରଣ ଏତେବେଳକୁ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ଏକ ଶକ୍ତ ରାଷ୍ଟ୍ରରେ ପରିଣତ ହୋଇ ସାରିଥିଲା। ପୋଖରାନ ଠାରେ ପରମାଣୁ ପରିକ୍ଷଣ ଭାରତ ପାଇଁ ବାଜପେୟୀଙ୍କ ଅତୁଳନୀୟ ଦାନ।ବଜାପେୟୀଙ୍କ ବିଦେଶ ନୀତି ମଧ୍ୟ ଖୁବ ଉତ୍ତମ ଥିଲା, ଯାହାଙ୍କ କଥାର ଅମୃତ ବାଣୀରେ ବହୁ ଶକ୍ତିଶାଳୀ ରାଷ୍ଟ୍ରର ରାଜନେତା ନିମିଷକେ ଭାରତ ଆଡକୁ ଢଳି ଆସୁଥିଲେ। କୂଟନୀତି କ୍ଷେତ୍ରରେ ତାଙ୍କର ଦକ୍ଷତା ତାଙ୍କ ଅନବଦ୍ୟ। ସର୍ବପରି ସେ ଏକ ଜନ ମଙ୍ଗଳକାରୀ ରାଷ୍ଟ୍ରର ଜନ ହିତୈଷୀ ନେତା, ଯାହାଙ୍କ ଦୃଢ଼ ନେତୃତ୍ୱ ଓ ସଂକଳ୍ପ ଆଗରେ ଭାରତ ମାତାର ଟେକ ସଦା ଥିଲା ଉପରେ।
ତେଣୁ ତ ମୁଁ ଗାଇବି…
ବାଜପେୟୀ ତୁମେ କୋଟି ଜନତାର

ଶ୍ରଦ୍ଧା ସୁମନର ପାତ୍ର

ତୁମ ବିୟୋଗରେ ଭାରତ ମାତା କି

ହରାଇଲା କୃତୀ ପୁତ୍ର।।1

ସୁଦୂର ପ୍ରସାରୀ ଦୃଷ୍ଟିଭଙ୍ଗୀ ରଖି

ପାଲଟ ଭବିଷ୍ୟକାର

ତୁମର ସରଳ ସାଧୁତା ପଣିଆ

ଆମ ଉତ୍ସ ପ୍ରେରଣାର।।2

ତୁମ ପରି ନେତା ଅଟଇ ବିରଳ

ଜନ୍ମିବା ସେହୁ ସନ୍ଦେହ

ତହୁଁ ଭରି ମନେ ଉତ୍ସୁକତା କହେ

ତୁମ କଥା ଅହରହ।।3

କେମିତି କବିରୁ ରାଜନୀତି କ୍ଷେତ୍ରେ

ସାମ୍ବାଦିକ ପୁଣି ଥିଲ

ଏତେ ବଡ଼ ଗୋଟେ ବ୍ୟସ୍ତତା ଜୀବନ

କଷ୍ଟରେ ନିର୍ବାହ କଲ।। 4

ତିନି ତିନି ଥର ଦେଶର ନେତୃତ୍ୱ

ହାତେ ପରା ରଖିଥିଲ

ଏଡ଼େ ବଡ଼ ପଦ ତୁଛ କରିଣ ସେ

କିମ୍ପାଇଁ ସନ୍ନ୍ୟାସ ନେଲ?5( 2005)

ଜୀବନ ତମାମ ଆକୁମାର ରହି

ଭାରତର ସେବା କଲ

ତପସ୍ବୀ ଜୀବନ ଆହା ଦୁର୍ବିସହ

ହସି ଯେ ବରଣ କଲ।।

ଦିଲ୍ଲୀଠୁଁ ଲାହୋର ବସ୍ ସେବା ଦେଇ

ସୀମାନ୍ତର ଡାକ ରୂପ

Sad-e-sarahad (call of frontier)

ସୀମା ବିବାଦର ଲାଗି କେଡ଼େ ବଡ଼

ଥିଲା ସତେ ପଦକ୍ଷେପ।। 6

ଯେଣୁ ରଖି ଗଲ ଏ ଦେଶର ଟେକ

ଏ ମାଟି ପବନ ପାଣି

ତା ‘ଫଳ ପୁଷ୍ପଟି ଜନତା ରତନ

ଦେଉଛି ସମ୍ମାନ ପଣି।।
ଉପ ନିବନ୍ଧକ
ସମବାୟ ସମିତି ସମୂହ
ଭଦ୍ରକ

Related posts

ପଦେ

satya

A great get together and farewell ceremony of Pandit in my Tarago High school conducted under my anchoring and stage management of

satya

ଶବ୍ଦ ଯୁଗଳ

satya

Leave a Comment

Login

X

Register