ଅଶ୍ଳୀଳତା। ଚାରିଆଡ଼େ ଖାଲି ଅଶ୍ଳୀଳ ମାନଚିତ୍ର, ଅଶ୍ଳୀଳ ଭାବଭଙ୍ଗୀର ବ୍ୟାପକ ପ୍ରଚାର ଓ ପ୍ରସାର। ଅଶ୍ଳୀଳତା ଯେପରି ଭୀଷଣ ଭାବେ ବ୍ୟାପୁଛି କିଏ କହିବ- ପୃଥିବୀଟା ଦିନେ ତା ଭାରା ସହ୍ୟ ନକରି ପାରି ଧ୍ଵଂସ ହୋଇନଯିବ ବୋଲି। ଅଶ୍ଳୀଳତାର ଧୂମ କୁଣ୍ଡଳୀରେ ସମଗ୍ର ବିଶ୍ଵ ଆଜି ଆଚ୍ଛାଦିତ। ସବୁଠିଁ ସେହି ଅଶ୍ଳୀଳ ରାକ୍ଷସର ବିକଟାଳ ରୂପ। ତା ସାଙ୍ଗକୁ ତା’ର କିଳିକିଳା ରବ। ଯହିଁରେ ପୃଥିବୀ – ସତେ ଯେମିତି ଟଳମଳ। ମାନବ ସମାଜର ସ୍ଥିତି ସଂସ୍ଥିତି – ସତେ ଅସମ୍ଭବ ।ଏ ପରା ରାକ୍ଷସ କ’ ଣ ଆଉ କିଛି ହୋଇଛି? ତା’ର ଦାନ୍ତୁଡ଼ା ପାଟିରେ – ସମାଜକୁ ଗିଳି ଦେବ। ଦାଢୁଆ ନଖରେ – ମାନବ ଜାତିଟାକୁ ଆମ୍ଫୁଡ଼ି କାମ୍ଫୁଡ଼ି ରକ୍ତାକ୍ତ କରି ପକାଇବ। ତା’ ର ଆଖିର ସ୍ଫୁଲିଙ୍ଗରେ ଶତ ଦୁର୍ଦ୍ଦକ୍ଷ ବିନଷ୍ଟ ଯିବେ। ତା’ର କୁମ୍ଭକର୍ଣ୍ଣି ପାଦର ଦଳାଚକଟାରେ ସାମାଜ ନିଷ୍ପେଷିତ, ସମସ୍ତେ ନାକେଦମ୍ – ତଥାପି ନିରୁପାୟ। ସମସ୍ତଙ୍କର ଗୋଟିଏ ସ୍ଲୋଗାନ୍ – “ସବ୍ ସେ ଭଲା ଚୁପ୍ ରହେନା “। କିଏ ବା ଚିନ୍ତା କରୁଛି? ଏମାନେ ଓଟ ଭଲି ସମସ୍ତ ଦୁଃଖ ଲାଞ୍ଛନା ସହ୍ୟ କରିବେ ପଛେ, ପ୍ରତିବାଦ କରିବାକୁ ସାମର୍ଥ୍ୟ ଜୁଟାଇ ପାରିବେ ନାହିଁ। ଯେଉମାନଙ୍କର ଏ ଶକ୍ତି ଅଛି, ଯେଉଁମାନେ ବା ଚିନ୍ତା କଲେ କିଛି ହୁଅନ୍ତା, ସେମାନେ ହେଲେ ସାମାଜ ପତି ଜନନାୟକ, ଭୋଗୀ ଭୋଗାସୀନ ରାଜନୈତିକ ନେତା, ଭାଣ୍ଡ ପ୍ରତାରକ ଧର୍ମ ଯାଜକ, ନୀତିବାଦୀ ଓ ହେତୁବାଦୀ ଦାର୍ଶନିକ, ବକ୍ତା ଏବଂ ସର୍ବୋପରି ସମାଜର ନିୟନ୍ତ୍ରକ ସାହିତ୍ୟିକ ଗୋଷ୍ଠୀ। ଏମାନେ ଯେ ଶାଳିନତା ଠାରୁ ବହୁ ଦୂରେ, ଶୀଳ ଅସ୍ତ୍ର ଅଛି କାହିଁ ଯେ ରାକ୍ଷସକୁ ନିଧନ କରିବେ? ସେଦିନ ସିନା ସ୍ଵଂୟ ନାରାୟଣଙ୍କୁ ଧରଣୀ ଭାରା ଉଶ୍ୱାସ କରିବା ପାଇଁ ବାର ବାର ଧରା ଅବତରଣ କରି ଦୁଃଖ କଷ୍ଟ ସହିବାକୁ ପଡ଼ୁଥିଲା, ମାତ୍ର ଆଜି? ଯେଉଁମାନେ ବ୍ରହ୍ମା – ବିଷ୍ଣୁ – ମହେଶ୍ୱରଙ୍କ ସାକ୍ଷାତ୍ ଅବତାର ବଳାଉଛନ୍ତି, ସେମାନଙ୍କୁ ତ ତୁଳୀତଳ୍ପ ଶେଯ ଛାଡ଼ି ତଳକୁ ଆସିବାକୁ ମନା, ଏତେବେଳେ ସମାଜ ରହିଲେ କେତେ ବା ଗଲେ କେତେ? ନିଜର ପଦପଦବୀ ଓ ସାମାଜିକ ପ୍ରତିଷ୍ଠା ଅଛି ତ ଦୁନିଆ ଅଛି।ପୁଣି ସେମାନଙ୍କ ସ୍ୱାର୍ଥକୁ ଜଗି ରହିଛନ୍ତି – ଅସାମାଜିକ ଗୁଣ୍ଡା ଶ୍ରେଣୀୟ ମୁଷ୍ଟିମେୟ କେତେକ ଯୁବକ। ସେପଟେ ଦି ପଇସା ପାଇଲେ ଶାସକଙ୍କ ପାଟି ଚୁପ। ବିଚ୍ ରାସ୍ତାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଲୀଳା ରଚୁନା କିଏ ମନା କରୁଛି। ବେଶୀ ପାଟି କଲେ ତାଙ୍କ କାଳିଆ କୁକୁର ଅଛି, ଏମିତି ପାନେ ଚଢେଇ ଦେବ ଯେ ସମସ୍ତେ ତୁନି । ଓଲଟି କହିବେ – “କେଉଁ ମାଗଣାରେ ଯେ, ମିଛଟାରେ ପେଁ ପେଁ ହେଉଛୁ? ହକ୍ ପଇସା ଦେଇଛୁ ?”ସମାଜରେ ଅସଦ୍ ଆଚରଣ ଓ ବିଚାରଧାରାର ବିକାଶ ଦିନକୁ ଦିନ ବଢୁଛି ସିନା, ହେଲେ କମିବାର ନାଁ ଗନ୍ଧ ନେଉ ନାହିଁ। ଆଜି ମନ୍ତ୍ରୀଙ୍କ ଘରେ, ପୁଲିସ ହାଜତରେ, ପବିତ୍ର ମନ୍ଦିର ବେଢାରେ – ନିତି କେତେ ନାରକୀୟ ଘଟଣା ଘଟେ। ପୁଲିସ ଓ ଶାସକ – ଏମାନେ ଆଇନର ରକ୍ଷକ ହୋଇ ଭକ୍ଷକ ସାଜିଲେ – ଯାହା ହେବା କଥା ତାହା ହିଁ ହେଉଛି। ଏମାନେ ଭୀରୁ, କାପୁରୁଷ। ଅଶ୍ଳୀଳ ରାକ୍ଷସ ସହ ସାଲିସ୍ କରିବାକୁ ଉଚିତ୍ ମଣନ୍ତି। ଧର୍ମ ନୀତିର ଧାରକ, ଦିଅଁଙ୍କ ସେବକ ମଧ୍ଯ ବ୍ୟଭିଚାରରେ ଲିପ୍ତ । ଏମାନେ ସୁବିଧା ପାଇଲେ ମନ୍ଦିର ଭିତରେ ମଧ୍ୟ ଝିଅ ବୋହୂଙ୍କ ଇଜ୍ଜତ୍ ନେବାକୁ ପଛାନ୍ତି ନାହିଁ। ଏମାନଙ୍କ ମୁଖେ ବେଦ ମନ୍ତ୍ରର ଧ୍ୱନି ପରିବର୍ତ୍ତେ ଉଚ୍ଚାରିତ ହୁଏ ଶଳା ଶାଲା ଆଦି କେତେ ମନ୍ତ୍ର। ଆଜି ହୋଟେଲ, ବିଶ୍ରାମାଗାର, ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷାୟତନ ପର୍ଯ୍ୟନ୍ତ – ସବୁଠି ସେହି ଅଶ୍ଳୀଳ ଲିପି ମାନଚିତ୍ରର ବ୍ୟାପକ ପ୍ରଚାର ଓ ପ୍ରସାର। ପୁଣି କାନ୍ଥ ବାଡ଼ରେ ସିନେମା ପୋଷ୍ଟର ଓ ବିଭିନ୍ନ ଆଡଭର୍ଟାଇଜିଂର ଲୀଳା। ଚାରିଆଡ଼େ ମଦୁଆ ଅସାମାଜିକ ଲୋକଙ୍କର ଭିଡ଼। କଥା କଥାକେ – କେତେ କ’ଣ ଅକଥା ସେଇଗୁଡ଼ାକ ସବୁ ମୋର ପାଟିରେ ପଶେନା। ପୁଣି ସେ ବାଟ ଦେଇ କେଉଁ ଏକ ରୂପଶ୍ରୀ ତରୁଣୀ ଚାଲିଗଲା ତ – ସବୁ ସରିଗଲା। ଟୋକାଙ୍କର ଆରମ୍ଭ ହୋଇଯାଏ – ତା ଉପରେ କେତେ କ’ଣ ମତ ଓ ମନ୍ତବ୍ୟ। ନାନା କମେଣ୍ଟ ଓ ଅଶ୍ଳୀଳ ଇଙ୍ଗିତରେ ବିଚାରୀ ନିରୀହା ଝିଅଟି, ନିଜକୁ ଏକାନ୍ତ ଅସହାୟ ମନେକରି ଦୀର୍ଘ ନିଶ୍ଵାସ ଛାଡ଼ିବା ବ୍ୟତୀତ ତା’ ର ବା ଆଉ କ’ଣ ଉପାୟ ଅଛି କରି ପାରିବ – ସେ ? ଏହି ତ ସଭ୍ଯ ଶିକ୍ଷିତ ନବ୍ଯ ସାମାଜ, ଆଉ ତା’ର ଆଧୁନିକତମ ସୃଷ୍ଟି – ଏ ମଣିଷ। ଯେଉଁଠି ମଣିଷ ମନେ କରେ ନିଜକୁ ନିହାତି ଅପରିଚିତ, ଅସହାୟ, ନିରୁପାୟ, ଚିନ୍ତା ଓ ଚେତନାଶୂନ୍ୟ ବଳବୀର୍ଯ୍ୟହୀନ, ଅଥର୍ବ, ପଙ୍ଗୁ, ମୂର୍ଖ, ମୂକ, ବଧିର, ଅନ୍ଧ ମଣିଷଟିଏ। ତାର ସ୍ୱାଭାବିକ ଜୀବନ ଯାପନରେ ବ୍ୟାହତ ଘଟେ। ତା’ର ମାଆ ଭଉଣୀମାନେ ବାହାରକୁ ବାହାରି ପାରନ୍ତି ନାହିଁ।
ଅଶ୍ଳୀଳତା ଏକ ନୂଆ କଥା ନୂହେଁ କି ଆଧୁନିକତମ ସୃଷ୍ଟି ମଧ୍ୟ ନୂହେଁ। ଆପଣମାନେ ଭାବୁଥିବେ ମୁଁ ବନେଇ ଚୂନେଇ କହୁଥିବି। ମୋଟେ ନୂହେଁ – ବାସ୍ତବରେ ଅଶ୍ଳୀଳତା ପୂର୍ବର ସାହିତ୍ୟ କୁହନ୍ତୁ ବା ସାମାଜ – ସବୁଠି ଥିଲା, ତେବେ ସେତେବେଳେ ଏହା ଏତେଟା ବ୍ୟାପକ ନଥିଲା। ସେତେବେଳେ ଅବଶ୍ଯ ଏହା ସମାଜର କ୍ଷତି ସାଧନ କରୁଥିଲା – ତେବେ ଏତେଟା ନୂହେଁ। ରାଜ ପ୍ରାସାଦ ମନ୍ଦିର ଗାତ୍ରରେ କେତେ ଯେ ନଗ୍ନ ମୂର୍ତ୍ତି ଶିଳ୍ପିର ନିହାଣ ମୂନରେ ରାଜାର ଆଦେଶରେ ଫୁଟି ଉଠିଥିଲା, କିନ୍ତୁ ତାହାର ଉଦ୍ଦେଶ୍ୟ ଥିଲା – କଳାର ଉତ୍କର୍ଷ ସାଧନ। ତେବେ ମୋର ବେଶି କ୍ଷୋଭ ହେଉଛି – ଯୁବ ସମ୍ପ୍ରଦାୟ ଓ ସାହିତ୍ୟିକ ଗୋଷ୍ଟୀ ପ୍ରତି। ଯେଉଁ ମାନଙ୍କ ଉଦ୍ୟମରେ ପୃଥିବୀ ସୁନା ପାଲଟି ଯା’ନ୍ତା ସେମାନେ ଆଜି ନୀରବ ନିଷ୍ପନ୍ଦ କେମିତି? ବରଂ ପ୍ରତିକାର ପରିବର୍ତ୍ତେ ଅଶ୍ଳୀଳତା ପ୍ରତି ଅଧିକ୍ ଖୋରାକ୍ ଯୋଗାଉଛନ୍ତି – ଏଇମାନେ।
ସାହିତ୍ୟର ସୃଷ୍ଟି ମଣିଷ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବା ଓ ମଣିଷକୁ ଆନନ୍ଦ ଦେବା। କିନ୍ତୁ ଆନନ୍ଦ ଦାନର ଅର୍ଥ ନୂହେଁ ଶସ୍ତା ସାହିତ୍ୟ ପରିବେଷଣ କରିବା। ଶସ୍ତା ବ୍ୟକ୍ତିତ୍ୱ, ଯଥା :ଜୋକର୍ ମଧ୍ଯ ଆନନ୍ଦ ପ୍ରଦାନ କରି ପାରେ। କିନ୍ତୁ ଏ ଆନନ୍ଦରେ ସାମାଜିକ ଆବେଦନ ଓ ଉପଯୋଗୀତା ନଥାଏ। ଏହା ଏକ ସୌଖ୍ୟ ବିଳାସ ମାତ୍ର୍। ତେବେ ସାମାଜିକ ଜୀବନରେ ପ୍ରଗତିର ଅନ୍ତରାୟ। ଶସ୍ତା ଆନନ୍ଦ ମଣିଷକୁ ବିପଥଗାମୀ କରିଥାଏ। ମନରେ କାମ ଓ କାମନା ଉଦ୍ରେକ କରି ଥାଏ। ମଣିଷ ଚରିତ୍ରର ଅବକ୍ଷୟ ଘଟାଏ। ତା’ର ଚରିତ୍ର ସଂହାର କରେ। ତେଣୁ ସାହିତ୍ୟ ପରି ସାର୍ବଜନୀନ ଆନନ୍ଦ ବିଧାୟକ ବସ୍ତୁରେ ଅଶ୍ଳୀଳତା ଷ୍ପୃହଣୀୟ ନୂହେଁ। ଅଶ୍ଳୀଳତା ବ୍ୟତିରେକେ ସାହିତ୍ୟ ମଧ୍ଯ ଆନନ୍ଦ ପ୍ରଦାନ କରିପାରେ। ଏଥି ପ୍ରତି ସାହିତ୍ୟିକ ପ୍ରଯତ୍ନଶୀଳ ହେବା ବାଞ୍ଛନୀୟ।
ଅଶ୍ଳୀଳତା ଆଧୁନିକ ସାହିତ୍ୟର ଫଳପ୍ରସୂ ନୂହେଁ କି ପାଶ୍ଚତ୍ୟ ପ୍ରଭାବର ଏହା ଗୁଣ ମଧ୍ଯ ନୂହେଁ।ଅତଏବ ଏହା ନୂଆ କଥା ମଧ୍ଯ ନୂହେଁ। ଉଦାହରଣତଃ ଓଡ଼ିଆ ସାହିତ୍ୟର ଆଦି ପର୍ବରେ ସାରଳା ମହାଭାରତରେ ବର୍ଣ୍ଣିତ :
“ଦ୍ରୌପଦୀ ବଚନ ଶୁଣି ରାୟ ଖଙ୍ଗ
ଫେଡ଼ି ପକାଅ ବସନ ଦେଖିବା ସ୍ତନ ଜଂଘ ”
ପୁନଶ୍ଚ ଲାବଣ୍ୟ ବତୀରେ –
“ଲଜ୍ଜା ପାଟ ମହିଷକୁ ଘେନ ଯଉବନ
ରାଜା ଆସି ଆକର୍ଷିଲା ଅଙ୍ଗ ଦେଶମାନ ଯେ
କୁଚ ଅଙ୍କୁରିବାରୁ ବସନ ଉଠି ଦିଶେ।
ହୃଦ ବେଦୀରେ ଅଭିଷେକ କୁମ୍ଭ କି ସେ ଯେ ”
ପୁଣି ଆଧୁନିକ କବି ଦୀପକ ମିଶ୍ରଙ୍କ –
” ଅକାଳେ ସକାଳେ ମନେ ପଡ଼େ ମଲ୍ଲିକା
ତୁମ ତୁଳନା ହୀନ ସ୍ତନର
ନୈରିତ କୋଣରେ ଥିବା ସୂକ୍ଷ୍ମ ଯାଇଚିହ୍ନ
ଆଉ ନାଭି ନିମ୍ନ ସୁମସୃଣ ଗାଲିଚା
ଯେଉଁଠି ଅଟକି ଯାଏ
ମୋ ଲାଳସାର ଅପାର ସାଂଭ୍ରମ୍ଯ”
ଏଥିରୁ ଅଶ୍ଳୀଳତାର କ୍ରମବର୍ଦ୍ଧିଷ୍ଣୁ କଳେବର ସମ୍ପର୍କରେ ଆପତତଃ ଏକ ସ୍ଥୂଳ ପରିଚୟ ସାଧାରଣତଃ ଉପଲବ୍ଧ ହୁଏ। ଖାଲି ଏତିକି ନୂହେଁ – ଆଜି ଅଶ୍ଳୀଳ ସଚିତ୍ର ପତ୍ର ପତ୍ରିକା ଅଭାବ ନାହିଁ। ଶସ୍ତା ଉପନ୍ୟାସ ଠାରୁ ଆରମ୍ଭ କରି କେତେ କ’ଣ ଯୁବ ମାନସକୁ ଉଦ୍ଭ୍ରାନ୍ତ କରିବାରେ ଲାଗିଛି।
ସାହିତ୍ୟରେ ଅଶ୍ଳୀଳତା ସୃଷ୍ଟି ହେବାର ମୂଳ ହେତୁ ହେଉଛି – ସାହିତ୍ୟିକର ଦୁର୍ବଳ ଚେତନା ଓ ଭାବପ୍ରବଣତା। ଯେତେବେଳେ ସେ ଅତି ଭାବପ୍ରବଣ ଓ ନାମ ଧର୍ମୀ ହୋଇପଡେ – ଅଶ୍ଳୀଳ ସାହିତ୍ୟ ସୃଷ୍ଟି ହୁଏ। ସମାଜରେ ଯୁବକ ଓ ଯୁବତୀ ବୟସର ଚପଳତାରେ ସେହି ସବୁ ସାହିତ୍ୟ ପଢ଼ି ଉଶୃଙ୍ଖଳ ହୋଇପଡନ୍ତି।,ବ୍ଯଭିଚାରରେ ଲିପ୍ତ ରହନ୍ତି। ସମାଜରେ ଅପାର ଯୌନ ଲାଳସାର ପ୍ରଭାବ ଅନୁଭୂତ ହୁଏ। ଫଳରେ ସାମାଜ ଓ ରାଷ୍ଟ୍ର ଧ୍ଵଂସ ମୁଖକୁ ଟାଣି ହୋଇଯାଏ। ଅତଏବ ଏହା ବ୍ୟକ୍ତି ଓ ରାଷ୍ଟ୍ରର ପ୍ରଗତିର ଅନ୍ତରାୟ।
ଅଶ୍ଳୀଳତା ନିଶ୍ଚିତ ଭାବେ ଏକ ସାମାଜିକ ବ୍ୟାଧି। ଦିନେନା ଦିନେ ଏହା ସମାଜକୁ ପଙ୍ଗୁ କରି ପକାଇବ। ଯେଉଁ ସମାଜରେ ଏହା ସୃଷ୍ଟି ସେହି ସାମାଜ ହିଁ ଏହାର ହେତୁ ନିର୍ଣ୍ଣୟ କରିପାରେ।
ତେଣୁ ହେ ସାହିତ୍ୟିକ ଗୋଷ୍ଠୀ! ହେ ଯୁବ ସାମାଜ!! ହେ ଶାସକଗଣ!!! ତୁମେ ଜାଗ୍ରତ ହୁଅ। ଦେଶ ଓ ଜାତିକୁ ଏ ଦୁର୍ଗତିର କୁମ୍ଭି କୁପରୁ ରକ୍ଷା କର। ସମାଜରୁ ଅଶ୍ଳୀଳତା ଓ ତଜ୍ଜନିତ ସମସ୍ୟାର ନିରାକରଣ କର। ଆଜି ଠିକ୍ ସମୟ ଆସି ପହଁଞ୍ଚିଛି ଯେତେବେଳେ କି ପରିବେଶକୁ ନିର୍ମଳ ରଖିବା ପାଇଁ ସବୁ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଆସ ସମାଜରୁ ଅଶ୍ଳୀଳ ରାକ୍ଷସକୁ ସମୂଳେ ବିନାଶ କରି ସତ୍ୟ – ଶିବ- ସୁନ୍ଦରର ପ୍ରତିଷ୍ଠା କରିବା
ପ୍ରାବନ୍ଧିକ :ସତ୍ୟ ପ୍ରକାଶ ସେଠୀ 9