Satya Prakash
ପ୍ରବନ୍ଧ

ଲକ୍ଷ୍ଯ

ଜୀବନର  ନିର୍ଦ୍ଧିଷ୍ଟ ଲକ୍ଷ୍ଯ ଖୋଜି ପାଉନଥିବା, ଅପ୍ରାପ୍ତି ଜନକ ହତାଶାରେ ସଢ଼ୁଥିବା, ବନ୍ଧନରେ ବାନ୍ଧି ହୋଇ ଛଟପଟ ହେଉଥିବା, ମୁଁ ଏକ ଭିନ୍ନ ଅଥଚ ସେଇ ଏକ ବ୍ୟକ୍ତି ।ମୋତେ ଏଠି ଖୋଜିଲେ ମୁଁ ନିରୁଦ୍ଦିଷ୍ଟ ।ମୁଁ ଏକ ଅଭିନ୍ନ ମାନବ ସତ୍ତା ଅଥଚ ଭିନ୍ନ ଏକ ବ୍ୟକ୍ତିତ୍ଵ । ମୁଁ ଏଠି ମୁଁ ନୂହେଁ, ମୋର ବୋଲି କେହି ନାହିଁ ।ସମସ୍ତେ ଅଜଣା ଅଶୁଣା, ସବୁକିଛି ମୋ ପାଇଁ ଅପହଁଞ୍ଚ, ଅଗମ୍ଯ, ଦୁର୍ଗମ ।ତଥାପି ପିପାସା ମଣ୍ଟେନା, କାମନାର ପରିସମାପ୍ତି ଘଟେନ, ମୋ ଖୋଜିବାରେ ଅନ୍ତ ହୁଏନା। କ’ଣ ଯେ କେଉଁଠାରେ ଖୋଜୁଛି, କିନ୍ତୁ ଖୋଜିବାଟା ଖୋଜିବାରେ ଯାଉଛି। ହରେଇବାଟା  ସାର ହେଉଛି। ହେଲେ ଖୋଜିବାରେ କାହିଁ ସେ ଆତ୍ମତୃପ୍ତି କାହିଁ ବା ପରିସମାପ୍ତି_ଆସେନା। ଯନ୍ତ୍ରଣାରେ ଜର୍ଜରିତ ଅନ୍ତରାତ୍ମା, ବିଳପିତ ନେତ୍ର ଯୁଗଳ, ଶାନ୍ତିର ସ୍ତୁପ ଭିତରେ ଅଶାନ୍ତିର ଝଡ଼।ସାମୁଦ୍ରିକ ତୋଫାନ, ଶାନ୍ତିର ନିଦ୍ରା ଭାଜିଲେ ଘୋଟିଯାଏ ସର୍ବରୀରେ ଅଶାନ୍ତିର ଝଡ଼। ଚତୁର୍ଦ୍ଦିଗେ ଅନ୍ଧକାର, ହା ହୁତାଶନ।ପଛକୁ  ଫେରିବାର ବାଟ ନାହିଁ, କି ଆଗକୁ ଆଗେଇବାର ଶକ୍ତି ନାହିଁ। ସେଦିନର ଗିରି ଲଂଘିବାର ଦୁଃସାହସ, ଏକା ଲମ୍ଫକେ ସମୁଦ୍ର ଅତିକ୍ରମ କରି ଯିବାର  ହନୁମାନୀ ଶକ୍ତି, ଆଉ ଯେତକ ପାରିବାର ପଣ-ମୋଠୁଁ ଏବେ କେବେଠୁଁ ଉଭାନ। ତଥାପି ଏତେମତେ ଦାରୁଣ୍ଯ, କାରୁଣ୍ୟ ମୋ ମନୁ ପାରିନି ସେ ଲିଭାଇ, ମୋ ଜୀବନର ଘଟଣ ଅଘଟଣ, ସଞ୍ଚିତ ଯହିଁ ମୋ ଜୀବନର ସକଳ ଅନୁଭବ ଓ ଅନୁଭୁତିର ଲମ୍ବା ଲମ୍ବା ପୃଷ୍ଠା ନିଚୟ, ଯାହାକି ରୁଦ୍ଧିମନ୍ତ ଓ ରୁଚିବନ୍ତ କରି ଗଢି ତୋଳିପାରେ   ଜୀବନ ପୁସ୍ତିକାର କଳେବର।

ମଣିଷ ଏକ ଅଜବ ପ୍ରାଣୀ। ସେହି ଏକ ପଶୁ ଅଥଚ ଭିନ୍ନ ଏକ ଜୀବନ ।ବଞ୍ଚିବାର ଓ ଜୀବନଧାରଣ କରିବାର ଶୈଳୀ ଟିକେ ଅଲଗା। ସିଏ ବି ପ୍ରକୃତର ନିୟମରେ ଜୀବନର ବିଭିନ୍ନ୍ ସୋପାନ ଦେଇ ଗତି କରେ। ଶୈଶବ, ବାଲ୍ଯ, କୈଶୋର, ପୌଗଣ୍ଡ, ଯୌବନ, ପ୍ରୌଢ, ବାର୍ଦ୍ଧକ୍ୟ ଓ ଜରା ଅତିକ୍ରମ କରି ଶେଷରେ ମୃତ୍ୟୁର ନିକଟବର୍ତ୍ତୀ ହୁଏ।ଅନ୍ୟ ପ୍ରାଣୀ ପରି ତା’ର ବି ଅଛି ପାଞ୍ଚ ମନ ପଚିଶି ପ୍ରକୃତି, ସିଏ ବି ଅନ୍ୟ ଭଳି ହିଂସା, ଦ୍ଵେଷ ଆନନ୍ଦ, ଦୁଃଖ  ପ୍ରକାଶ କରେ। କେବଳ  ସେ ପ୍ରକାଶ କରିବାର ଭିନ୍ନ୍ ଶୈଳୀଟା  ଯା’ ଅବଲମ୍ବନ କରେ। ଭାବ ବହନ କ୍ଷମ ଶବ୍ଦରାଜିକୁ ସଜାଇ କେତେବେଳେ  ସେ ଜୀବନ ସୌଧର ଏକ ନୂତନ କୋଣାର୍କ ବା ତାଜ ନିର୍ମାଣ କରେ, ଯାହିଁର କଳାତ୍ମକ ପରିପ୍ରକାଶ ହୁଏତ ଭାବୋଦ୍ଦୀପକ,ଦର୍ଶନଶାସ୍ତ୍ର ସମ୍ଭୂତ, ମନନଶୀଳ ଓ ଚିନ୍ତା ଚେତନା ପ୍ରସୂନ ହୋଇପାରେ । ମଣିଷ କୌଣସି ଗୁଣରେ ନ୍ୟୁନ ବା ଗୌଣ ହୋଇପାରେନା। ନ୍ୟୁନ ଯା ମଣିଷ ପଣିଆ। ମୁଁ କି ସେହୁ ସେଇ ଭାତ ହାଣ୍ଡିର ଗୋଟେ ଚାଉଳ ବା ମଣିଷସମାଜଟା ମୋ ପରି ମଣିଷ ମାନଙ୍କର ଗୋଟେ ବିଶାଳ ସମୁଦାୟ ? ମଣିଷ କୂଳରେ ମୋର ଜନ୍ମ। ମଣିଷକୁ ବୁଝି ନହେଲେ କୁଆଡ଼େ ଜୀବନକୁ ବୁଝି ହୁଏନା। ମୁଁ ତ ଗୋଟେ ଉଦଭ୍ରାନ୍ତ ମଣିଷ।ପଥହରା ଅଶାନ୍ତ ଗ୍ରହ। ମନ ମୋ ବିଷାଦିତ। କ୍ଲାନ୍ତ, ଅବସନ୍ନ ଶରୀର। ବିଷର୍ଣ୍ଣ ମୁଖମଣ୍ଡଳ। ନିଷ୍ପ୍ରଭ ଭାବଭଙ୍ଗୀ। କେମିତି ବୁଝାଇବି ଜୀବନର ଏଡ଼େ ବଡ଼ ବେଦ, ନିଜକୁ ତ  ପାରୁନି ମୁଁ ବୁଝି। ମୁଁ କିନ୍ତୁ ମୋ ଜୀବନର ସମସ୍ତ ପୃଷ୍ଠା ତୁମ ଆଗେ ଉନ୍ମୋଚନ କରିବାକୁ ଚାହେଁ।

କ୍ରମଶଃ ଦିନ ପରେ ଦିନ  ବିତି ଚାଲେ। ଜୀବନର ଲକ୍ଷ୍ୟ ମୁଁ ଖୋଜି ବୁଲିଲି । ମନରେ ସ୍ୱତଃ ପ୍ରଶ୍ନ ଉଠିଲା _ଜୀବନ ମରଣ ଯଦି ସତ୍ୟ ତେବେ ମଣିଷ ବୃଥା ପରିଶ୍ରମ କରି କାହିଁକି ଅର୍ଥୋପାର୍ଜନ କରିବ, ପାଠ ପଢିବ, ଏତେ ସବୁ କଷ୍ଟ ସହିବ, ଜୀବନ ଯନ୍ତ୍ରଣା ନେଇ ବଞ୍ଚିରହିବ, କାହିଁକି ଭଲା ଏତେ ନାଟ, ଏତେ ଆୟୋଜନ,  ତା ଭିତରେ ପୁଣି ନିଜକୁ ଅହରହ ହଜାଇ ଏମିତି  ଖୋଜିବା,  ପୁଣି କେତେବେଳେ ଖାଲି ନିଖୋଜ ହେଉଥିବା। ସେହି କାହିଁକିଟା ଏମିତି ଗୁଡେଇ ତୁଡ଼େଇ ମୋ ଜୀବନ ପରିବୃତ ଭିତରେ ଘୂରି ବୁଲିବାକୁ ଲାଗିଲା ଯେ, ମୁଁ ଏକଦମ୍ ଅଣନିଶ୍ଵାସୀ ହୋଇପଡ଼ିଲି, ଲକ୍ଷ୍ଯ ମୋର ହଜିବାକୁ ଲାଗିଲା। ମନ ସଦା ସର୍ବଦା ଅଶାନ୍ତ। ମୁଖ ମଣ୍ଡଳ ଗମ୍ଭୀର । ଏହି ଅସମାହିତ ପ୍ରଶ୍ନର ହେତୁ ନିର୍ଦ୍ଧାରଣ ମୋ ପକ୍ଷେ ଅସମ୍ଭବ। କ୍ରମଶଃ ଆଧ୍ୟାତ୍ମିକ ଚିନ୍ତା ଚେତନାର ଦ୍ୟୋତନା ପରିଲକ୍ଷିତ ହେଲା। ଇଶ୍ୱରଙ୍କ ଠାରେ ସମର୍ପଣ ଭାବ ଆସିଲା ମନେ ମନେ ପ୍ରାର୍ଥନା କଲି, ହେ ଅଦୃଷ୍ଟ ଶକ୍ତି, ପ୍ରେରଣାର ଉତ୍ସ, ଏ ଘନ ଘୋର ଅନ୍ଧକାରେ ମୋତେ ଆଲୋକ ଦେଖାଅ, ହେ ଆଲୋକ ବର୍ତ୍ତିକା! ମୁଁ ଆଉ ଆଗକୁ ପାରୁନି ଚାଲି, କଷ୍ଟ ହେଲାଣି ଅସୁମାରି। ମୋର ଲକ୍ଷ୍ୟ ଏଣିକି ନିର୍ଦ୍ଧିଷ୍ଟ ହେଉ। ହଠାତ୍  ଏକ ଦିବ୍ୟ ଆନନ୍ଦ ଅନୁଭବ ହେଲା କି କ’ଣ , କ୍ରମଶଃ ମନ ହାଲୁକା ଲାଗିଲା। ସତେ ଯେମିତି କେହି ନିର୍ଦ୍ଦେଶ ଦେବା ଠାଣିରେ କହୁଛି _”ଅଧ୍ୟୟନ ଓ ଅଧିତବ୍ଯ  ବିଷୟକ ଅଭିଜ୍ଞତା ଓ ଅନୁଭୂତି ଅର୍ଜ୍ଜନ ତୁମ ଜୀବନର ଶ୍ରେୟ ଆଉ ଧେୟ ହେଉ। ଏଥୁ ଅନ୍ତେ ତୁମକୁ ମିଳିଯାଇପାରେ, ତୁମ କାହିଁକିର ସବୁତକ ଉତ୍ତର। “ତହିଁ  ଉତ୍ତାରେ  ମୋତେ ବା ମିଳିଗଲା ମୋର ଲକ୍ଷ୍ଯ?  ମୁଁ ପାଠ ପଢିଲି। ସମାଜର ଅନ୍ୟ ମଣିଷ ପରି ମୋ ଜୀବନର ଲକ୍ଷ୍ଯ ମଧ୍ଯ ସାମାଜିକ ବିଧି ବ୍ୟବସ୍ଥା ଦେଇ ଆଗକୁ ଆଗକୁ ବଢି ଚାଲିଲା। ପାଠ ପଢିଲା ପରେ ଓ ଜୀବନର ବେଶ୍ କିଛି ବାଟ ଆଗେଇ ସାରିବା ପରେ ପୁଣି ମୋର ପାଗଳାମି ଆରମ୍ଭ ହୋଇଗଲା। ମୁଁ ମୋର ଲକ୍ଷ୍ୟ ଖୋଜିବା ବ୍ୟାପାର ପୁନଶ୍ଚ ଆରମ୍ଭ କରିଦେଲି। ମୋ ଜୀବନର ଅନେକ ଆଶା, ଅନେକ ଆକାଙ୍କ୍ଷା, କିଛି ବ୍ୟଗ୍ରତା ଆଉ ଯେତକ ଉତ୍କଣ୍ଠା। ଏତେବେଳେ ମୁଁ ମୋ ଜୀବନର ଲକ୍ଷ୍ୟ ଖୋଜି ବା ପାଅନ୍ତି କିପରି? ପୁଣି ସବୁ ଭୁଲ, ସବୁ ମିଛ, ମିଥ୍ୟା ପ୍ରତିଶୃତି ଆଉ ପ୍ରତାରଣା। ମୋର ସମସ୍ତ ପରିକଳ୍ପନା ଉଦ୍ଭଟ, ପରବର୍ତ୍ତୀ ଲକ୍ଷ୍ଯ କ’ଣ ହେବା ଦରକାର ମୁଁ ଠିକ୍ କରିପାରୁ ନଥାଏ। ଠିକ୍ସ କରି ଚିହ୍ନଟ(spot out) କରିପାରୁ ନଥାଏ। ସତେ କି ମୋ ମସ୍ତିଷ୍କ (mind) ପୂରାପୂରି ଫାଙ୍କା (vaccum)। ମୁଁ କିଛି ଜାଣି ପାରୁ ନଥାଏ, କି ବୁଝି ପାରୁ ନଥାଏ, ସ୍ଥିର ବି କରି ପାରୁ ନଥାଏ, ମୋ ଭିତରେ ସେଇ ପୁରୁଣା ଆର୍ତ୍ତ ହେ ଭଗବାନ ମୋତେ ତୁମେ ପଥ ଦେଖାଅ! ମୋର ଲକ୍ଷ୍ଯ ମୋତେ କହି ଦିଅ!! ଆଗକୁ ଯିବାକୁ ଇଙ୍ଗିତ କର!!! କାହିଁ କିଛି ଇଙ୍ଗିତ ତ ମିଳୁନାହିଁ। ତେବେ କି ସେ  ସବୁ ନିଷ୍ଫଳ ପ୍ରୟାସ, ବୃଥା ଅପଚେଷ୍ଟା? କ’ଣ ଏ ସଂସାରରେ. ଖାଲି ଦୁଃଖଦ ଅନୁଭବ ମୋର ପୁଞ୍ଜି? ଏତେ ବର୍ଷର ତପସ୍ୟା ପରେ ବି ଆଉ କିଛି ସାଉଁଟି ପାରିଲିନି ଯେ ଏହି ମୋର ତପସ୍ୟାରେ ସିଦ୍ଧି, ନିଷ୍ଫଳ କର୍ମଯୋଗ? ହେ ତୁମେ(ପାଠକେ) ! ତୁମକୁ ମୁଁ କିଛି ପରାମର୍ଶ ଅବା ପରାଭବ ଦେବାକୁ ଚାହୁଁ ନାହିଁ। ତେବେ ମୋ ଜୀବନର ଲକ୍ଷ୍ୟ ଖୋଜି ମୁଁ ପାଉ ନଥିବା ବେଳେ, ମୁଁ ବୁଝିଛି, ମଣିଷ କାହିଁକି ଜୀବନରେ ଏମିତି କ୍ଷଣ କ୍ଷଣକେ ଅଟକେ ଆଉ ଭଟକେ ।ତେଣୁ ସେହି ତାଙ୍କୁ (Him) ପ୍ରାର୍ଥନା କରୁଛି ସେ ତୁମ ଜୀବନର ଲକ୍ଷ୍ଯ ନିର୍ଦ୍ଧିଷ୍ଟ କରନ୍ତୁ। ତୁମେ ଆହୁରି ଚଟୂଳ ଅନୁଭୂତି ଆଉ ଅନୁଭବରେ ପରିପୁଷ୍ଟ ହୁଅ।ଜୀବନ ତୁମର ନିରର୍ଥକ ନହୋଇ ସାର୍ଥକତାରେ ଭରି ଉଠୁ। ଏ ବିଶାଳ ମାନବ ଜୀବନକୁ ସକୁଶଳେ ଜୀଇବାର କଳା ତୁମକୁ ତୁମଠିଁ ମିଳୁ । ମାନବରେ ବୃହତ୍ତର ଉଦ୍ଦେଶ୍ୟଟି  ହେଉ ଚାରିତ୍ରାର୍ଥ। ତହିଁରେ ତୁମେ ସାଜ ଅଗ୍ରଦୂତ, ଅଗ୍ର ସାରଥୀ ।

 

Related posts

ସାଇ – ଜୀବନ ଗଣିତ

satya

ଜୀବନ ଏକ ସଂଘାତ ଓ ସଂଘର୍ଷ

satya

ଅଧ୍ୟୟନ ଓ ଅଧ୍ୟବସାୟ

satya

Leave a Comment

Login

X

Register