Satya Prakash
ଗଳ୍ପ

ଅସ୍ତାଚଳର ସୂର୍ଯ୍ୟ

ଗୋଧୂଳିର କ୍ଷୀଣପ୍ରଭା ରବି  । ଅସ୍ତାଚଳର ସିଂହାସନ ବ୍ୟସ୍ତଥିଲା ବୁଣିବାରେ ରକ୍ତ ମୁରୁଜର ନୀଡ଼  ।ସୁନା ପତିରିଆ ଖରା ତଳେ ଛିଡ଼ା ହୋଇ ହସି ଉଠିଲେ ବୃଦ୍ଧ ସୂର୍ଯ୍ୟମଣି-ସଇତାର ଭାଇ  । ଅସ୍ତାଚଳର ଦୋଳିରେ ସୂର୍ଯ୍ୟଦେବ ମନ ଭରି ଉଡ଼ିଯାଉଛି । ସଜାଗ ରବି କରର ଜାଦୁଗରି ସୃଷ୍ଟି କରିଛି କ୍ରୀଡ଼ାଭୂମି  ।  ଭାବୁଥିଲେ ସେ —         ଏଇ ଯେ ସେହି ବିବିକ୍ତା ଧରଣୀ କ୍ଷଣ ମାତ୍ରର ପଟାନ୍ତରରେ ତମସାର ଭକ୍ଷ ହେବ  । କିନ୍ତୁ ଏଇ ଯେ ସୁନେଲି ଆକାଶ ମୁଗ୍ଧ ସୂର୍ଯ୍ୟଜାଳ– କ’ଣ ବିନିଷ୍ପ୍ରଭ ହୋଇ ରହି ପାରିବ ? ସେ ମଧ୍ୟ କାଳ ରାତ୍ରରେ କାଳରେ ଲୀନ ହେବ  । ନିଜ ଦେହକୁ ଅନାଇଲେ ସୂର୍ଯ୍ୟ ମଣି— ସେଠି ସେହି ଅସ୍ତାଚଳର ରବି  । ତାଙ୍କ ଦେହରେ ସୂର୍ଯ୍ୟର ପ୍ରଖର ଜାଳ ଧିମେଇ ଯାଇଛି  । ଦେହର ଉଷ୍ଣତା କମି ଯାଇଛି  । କିନ୍ତୁ ମୃତ ସୂର୍ଯ୍ୟର ପରେ ପୁଣି ଜନ୍ମ ନେବ ଏକ ନୂତନ ସୂର୍ଯ୍ୟ, ନୂତନ ଯୈାବନର ପ୍ରଦୀପରେ ଦୀପ୍ତ ହୋଇ ଅମା ରାତ୍ରର ବିରୁଦ୍ଧରେ କରିବ ଅଭିଯାନ  । ନେତୃତ୍ୱର ଉଦ୍ଦାମ ସଙ୍ଗୀତ ଗାନ କରି ଧରଣୀକୁ ନବ ଆଲୋକରେ ଉଦ୍ଭାଷିତ କରିବ  । ନିଜର ଭାଗ୍ୟ ନେଇ ଆଗେଇ ଚାଲିବ  । ସଇତା ଏଇ ନବ ଶକ୍ତିର ଉତ୍ସ  ।

ମନକୁ ସ୍ଥିର ରଖି ନିଜକୁ ବୁଝାଇ ଦିଅନ୍ତି — ଏ ତ ନିତି ଦିନିଆ ସଂସାରର କଥା  । ଘର କରି କେତେ କଳି ଝଗଡ଼ା ପ୍ରତ୍ୟହ ଘଟେ  । ପୁଣି ଏତେ ସତ୍ତ୍ୱେ ବି ପରସ୍ପର ଆପୋଷ ବୁଝାମଣା ଭିତରେ ପୁଣି ହସର ଜୁଆର ଛୁଟେ  । ସ୍ନେହ ମମତାର ଫଲ୍ଗୁ ପ୍ରବାହିତ ହୁଏ  । ସତେ କି କାହାରି କିଛି  ହୋଇ ନାହିଁ; ସବୁ କେମିତି ଠିକ୍ଠାକ୍ । ତେଣୁ ସେ କାହିଁକି ଏତେ ବ୍ୟସ୍ତ ହେବେ ? ତାଙ୍କର ଏତେ ଦୁଃଖ କରିବାର କ’ଣ ଅଛି ?

ହଠାତ୍ ଭାବନାର ଅନ୍ତ ଘଟିଲା  । କାହାର ଯେମିତି ପାଟି ଶୁଣି ସେ ଚିହିଁକି ଉଠିଲେ  । ସଇତା ହଠାତ୍  ଝିଞ୍ଜାଡ଼ି ଉଠିଲା— “କାମିନୀର ଦେହ ପା ଭଲ ରହୁ ନାହିଁ  । ସେ ଏତେ କାମ କରି ପାରିବ ନାହିଁ କି କାହା କଥା ସହି ପାରିବ ନାହିଁ  । ସିଧା କଥା — ଆମେ ଭିନେ ହେବୁ  । ଆଜି ଠାରୁ ହାଣ୍ଡି ଚାଉଳ ଅଲଗା ହେବ  । ତେଣିକି ତୁମ କଥା ତୁମର ଆମ କଥା ଆମର”  ।

ସୂର୍ଯ୍ୟ ମଣିର ମୁଣ୍ଡଟା ଝାଇଁ ଝାଇଁ ହୋଇଗଲା  । ଏ କ’ଣ ଟୋକାଟା କହିଗଲା ସେ ଭିନେ ହେବ  । ଭିନେ ହେଉ  । କିନ୍ତୁ ସଇତା ଅଲଗା ହେବ କାହା ପାଖରୁ…….? ଯାହାର ରକ୍ତ ଦୁଇଟା ରକ୍ତ ହୋଇଛି  । ଯାହାର ନାଡ଼ି ଦୁଇଖଣ୍ଡ ହୋଇଛି  । ଯାହାର ରକ୍ତ ମାଉଁସରେ ଏତେ ଟିକିଏ ପାର୍ଥକ୍ୟ ନାହିଁ — ସେଇ ଭାଇ-ଭାଉଜ ଆଉ ଭଉଣୀ ମୁନି ପାଖରୁ ? ନାଁ –ନାଁ ସେ କଥା ହେବନାହିଁ  । ସଇତା ମଣିଷ ହେଉ  ।  ଏ ଘର ତା’ର  । ସେ ମଣିଷ ହୋଇଛି  । ଏ ଘରର ଦାୟିତ୍ୱ ସେ ବୁଝିବ  । ମୋର ଆଉ କିଛି ନାହିଁ  । ମୋର ବଳ -ବୟସ ସରିଗଲାଣି  । ମୁଁ କାହିଁକି ଅଜଥାରେ କାହା ଉପରେ ବୋଝ ହେବି ? ସେ ପଛେ ଏ ଘରେ  ରହିବେ ନାହିଁ  । କିନ୍ତୁ ଏ ଘରର କାନ୍ଥ ଦିଆଯିବ ନାହିଁ କି ମଝିରେ ପାଚେରୀ ବସିବ ନାହିଁ  । ଏ ଘର ସଇତାର । ସଇତା ଏକା ରହୁ  । ସଇତାର ସୁଖ ପାଇଁ ସେ ସବୁ କିଛି ପରିତ୍ୟାଗ କରିବାକୁ ପ୍ରସ୍ତୁତ  । ଏପରିକି ଏ ଜନ୍ମ ମାଟିର ମୋହ-ମାୟା-ମମତାକୁ କାଟି ଦେଇ ସେ ଚାଲିଯିବେ କୁଆଡ଼େ — ଯୁଆଡ଼କୁ ଆଖି ପାଇବ; ଯେଉଁଠି ମନ ସ୍ଥିର ହେବ  ।

ଏହିପରି ଅନେକ ଭାବନାରାଜି ଭାବ ସମୁଦ୍ରର ଲହଡ଼ି ଦୋଳାରେ ଆସି ଦୋଦୁଲ୍ୟମାନ ଅବସ୍ତାରେ ଖେଳି ବୁଲିବାକୁ ଲାଗିଲେ  । ଯାହାର କୂଳ-କିନାରା କିଛି ମିଳିବାକୁ ନାହିଁ  । ହଠାତ୍ ମୁଣ୍ଡଟା ଚକ୍କର କାଟି ଦେଲାକି କ’ଣ; ସେ କାହାକୁ କିଛି ନ କହି ସେଇଠି ବସି ପଡ଼ିଲେ  । ରାତି ଯେ କେତେ ହୋଇଗଲାଣି ଆଉ ମାଲୁମ ନାହିଁ । ଘରେ ଚୂଲି-ଚାଉଳ କିଛି ଜଳି ନାହିଁ  । ରୋଷେଇ ପତର ସବୁ ବନ୍ଦ  । ଭିନେ ହେବାର ସିଦ୍ଧାନ୍ତଟା ଅମୂଳକ ହେଲେ ହେଁ ଚୂଡାନ୍ତ  ନିଷ୍ପତ୍ତିଟା ନ ହେବା ଯାଏଁ କିଛି ହେବ ନାହିଁ । ସାନ ବୋହୂ ଗମ୍ଭିରୀ ଘରେ ଗୁମାନ ମାରି ଶୋଇଛନ୍ତି । ଚୁଡ଼ା-ମୁଢ଼ି ମୁଠେ ଖାଇବାକୁ ପତ୍ନୀ ବାଧ୍ୟ କଲା ରୁ ଖାଇବି ନାହିଁ କହି କଥା ଟାଳି ଦେଲେ । ସଅଳ ଶୟନ କକ୍ଷକୁ ଯାଇ ବିଶ୍ରାମ ନେଲେ  । କେତେ ଚିତ୍ର ଆଖି ସାମ୍ନାରେ ଝଟକି ଉଠିଲା ।

ସେଦିନ ବୋଉ ମରିଗଲା ବେଳେ କହି ଯାଇଥିଲା– ସୁରୁଯାରେ ! ତୋତେ ସଇତା ଲାଗିଲା  । ଟିକି  ଛୁଆଟା କିଛି ଜାଣି ନାହିଁ  । ତାକୁ ବୁଦ୍ଧି -ଅକଲ ଶିଖାଇବୁ । ସମାଜରେ ଅନ୍ୟମାନଙ୍କ ପରି ତାକୁ ଜଣେ କରି ଗଢ଼ିବୁ  । ତା’କୁ ଦୁଃଖ କ’ଣ ଜାଣିବାକୁ ଦେବୁ ନାହିଁ  ।

ବୋଉଲୋ ! ଆଜି ବି ତୋର ପ୍ରତିଟି କଥା ମୋର ମନେ ଅଛି  । ଯାହା ସ୍ମୃତି ହୋଇ ଅହରହ ମୋ ଚାରିପଟେ ଘୂରି ବୁଲୁଛି  । ତାହାକୁ ମୁଁ ଅକ୍ଷରେ ଅକ୍ଷରେ ପାଳିଛି  । ସଇତାକୁ ଏଡ଼ୁଟେରୁ ଏଡ଼ୁଟେ କରିଛି  । ଆଜି ସେ ବେଶ୍ କ୍ଷମ  । ନିଜ ଗୋଡ଼ରେ ନିଜେ ଚାଲିବାକୁ ସକ୍ଷମ  । ମୁଣ୍ଡକୁ ହାତ ପାଇ ଗଲାଣି  ।  ଏ ବୃଦ୍ଧ ସ୍ତବିର ଅର୍ଥର୍ବ ଭାଇଟା ଠେଇଁ ତା’ର ଆଉ କି ଲାଭ ? ମୋର ପ୍ରୟୋଜନୀୟତା ସବୁ ଶେଷ ହୋଇଛି  । ତୋ କଥା ମୁଁ ସବୁ ରଖିଛି  ଲୋ ବୋଉ । ସେଦିନ ପର ଝିଅ କେହି ଆସିଲେ ସଇତାକୁ ଅବହେଳା କରିବ ବୋଲି ମୋର ବିବାହ ଘର ପ୍ରସ୍ଥାବଟାକୁ ଅନେକ ଦିନ ଟାଳି ଦେଇ ଆସିଥିଲି  । ଖାଲି ମାମୁ ବାଧ୍ୟ କଲେ ବୋଲି ନା; ବାସନ୍ତୀକୁ ବୋହୂ ବେଶରେ ସଜାଇ ଘରକୁ ଆଣିଲି  । ହେଲେ ତାକୁ ଚତୁର୍ଥୀ ରାତିରେ ରୋକ୍ଠୋକ୍ କହି ଦେଇଥିଲି– “ସଇତା ମୋର ଭାଇ ନୁହେଁ ପୁଅ  । ତାକୁ ମା-ବାପାର ଅଭାବ କେବେ ମୁଁ ଜାଣିବାକୁ ଦେଇନାହିଁ  । ତା’ ମନ ନେଇ ଚଳିବ  । କେବେ ହେଁ ତା’ ମନରେ କେବେ କୈାଣସି ଆଘାତ ଦେବୁ ନାହିଁ  ।”

ସେହିଦିନୁ ବାସନ୍ତୀଟା ଏମିତି କ’ଣ ବୁଝିଲା କେଜାଣି ସଇତାକୁ ଭାରି ଆଦର କଲା  । ସଇତା ବି ତାକୁ କେମିତି ଗୋଟାଏ ଆଦରି ନେଲା  । ଆପଣାର ପଣିଆଟାକୁ ଗୋଟା ପୁଣି ଅଜାଡ଼ି ଦେଲା  । ତା’ର ସମସ୍ତ ଅଳି ଅର୍ଦ୍ଦଳିକୁ ସେ ଅକ୍ଳେଶରେ ସହିଯାଏ  । କେବେ କିଛି ପ୍ରତିବାଦ କରିନାହିଁ  କି ମୋତେ ଅଭିଯୋଗ କରିବାର ସୁଯୋଗଟିଏ ଦେଇ ନାହିଁ  । ଗୋଟିଏ କନ୍ୟା ସନ୍ତତିର ସେ ଜନନୀ  । ହେଲେ ହେଁ ପୁତ୍ର ସନ୍ତାନଟିଏ ପାଇଁ ସାହି ପଡ଼ିଶା କଣ କମତି ବାଧ୍ୟ କରିଛନ୍ତି  । କିନ୍ତୁ ବାସନ୍ତୀ କହେ —

“ସଇତା ମୋର ବଡ଼ ପୁଅ   । ଝିଅଟିକୁ ବାହା ଦେଇଦେଲା ପରେ ସେହି ମୋର ସାହା ଭରସା ହେବ  । ଆଉ ପୁତ୍ର ସନ୍ତାନ  ମୋର ଲୋଡ଼ା ନାହିଁ  ।

ସେଇ ସଇତା ଆଜି ବଡ଼ ହୋଇଛି  । ସମସ୍ତ ଅଭାବ ଅସୁବିଧା ସତ୍ତ୍ୱେ ତାକୁ ପାଠ ଦି ଅକ୍ଷର ପଢ଼େଇଛି । ସେ ଏବେ ଗାଁ ସ୍କୁଲ୍ରେ ଶିକ୍ଷକ  । ଭଲ ପାତ୍ରୀଟିଏ ଦେଖି ମଧ୍ୟ ତା’କୁ ବାହା କରେଇ ଦେଇଛି  । ମନରେ କେତେ ସ୍ୱପ୍ନ ଥିଲା ନୂଆ ବୋହୂଟିଏ ଆସିବ  । ନଣନ୍ଦ, ଯା’- ଦେଢ଼ଶୁରଙ୍କୁ ନିଜର କରିନେବ  । ଆମର ସବୁ ଦୁଃଖ ଚାଲିଯିବ  । ଘରଟା ହସି ଉଠିବ  ।

କିନ୍ତୁ ହେଲା କ’ଣ ? ସାନବୋହୂ କହୁଛି ଭିନେ ହେବ, ଟୋକାଟା ବି ତା’ କଥାରେ ପାଳି ଧରୁଛି  । ଆମେ କୁଆଡ଼େ ତା ପାଇଁ ଆଜି ବୋଝ ହୋଇ ଉଠିଛୁ  ।

କିନ୍ତୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ପେଟପୂରା ଦି-ଓଳି ଦି-ମୁଠା ନିଜେ ନ ଖାଇ ତାକୁ ଯେଉଁ ବଞ୍ଚାଇ ରଖିଥିଲି, ସେ ସମସ୍ତ ତ୍ୟାଗ ଓ ଅସୁମାରୀ ଉଦ୍ୟମ– କ’ଣ ସବୁ ଗୋଟିଏ ଝାଞ୍ଜରେ ବୁଦ୍ ବୁଦ୍ ପରାଏ ବିଲୀନ ଭଜିବ? ଜୀବନର ରଣ କ୍ଷେତ୍ରେ ଜୁଝି-ଜୁଝି, ଅଶାନ୍ତି ଅସନ୍ତୋଷର ଦାବାନଳେ ଝଳି ଝଳି ତାକୁ ଯେଉଁ କୃତିତ୍ୱର ମହାମନ୍ତ୍ର ଶିଖାଇଲି ସେ ସମସ୍ତ କ’ଣ ବେକାର ଯିବ ? ତ୍ୟାଗ ଓ ମହନୀୟତାର ଏ ଯେଉଁ ସୁଦୀର୍ଘ ପ୍ରାଚୀର ଗଢ଼ିଲି– ତାହା କ’ଣ ଏମିତି ଦମକାଏ ପବନରେ ଦୋହଲି ଯିବ ? ନାଁ–ନାଁ ଏପରି ହେବାକୁ  ସେ ଦେବେ ନାହିଁ  । ବାସନ୍ତୀଟା ବି ଏ ସବୁକୁ ସହି ପାରିବ ନାହିଁ  । ତା’ର ମାତୃତ୍ୱ କାନ୍ଦି ଉଠିବ । ତା’ର ପାଣ୍ଡୁର ମଳିନ ଶରୀର ତଳେ ଲୁକ୍କାୟିତ ପ୍ରାୟ କୋମଳ ହୃଦୟଟି ବିଳାପ କରି ଉଠିବ । ସଇତା ଯେ ତା’ର ବଡ଼ପୁଅ  । ତେବେ ଏବେ ମୁଁ କ’ଣ କରିବି ? କ’ଣ କରିବା ଉଚିତ୍ ? କାହିଁ କିଛି ବୁଦ୍ଧିବାଟ ତ ଦିଶୁ ନାର୍ହିଁ । ନାଁ କିଛି ସିନ୍ଧାନ୍ତ ବି କରି ହେଉ ନାହିଁ  ।

 

ଏଥର ସୂର୍ଯ୍ୟମଣି ଆସ୍ତେ କରି ବିଛଣାରୁ ଉଠିଲେ  । ଚାରି ଆଡ଼କୁ ଥରୁଟିଏ ଆଖି ପୂରାଇ ଆଣିଲେ । ବାସନ୍ତୀ, ମୁନି ସମସ୍ତେ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି । ଭାବିଥିଲେ — ସମସ୍ତଙ୍କୁ ଶେଷଥର ପାଇଁ ଥରୁଟିଏ ଗେହ୍ଲ କରି ଦେଇ ଯିବେ  । ନାଁ– ଏପରି କଲେ ସମସ୍ତେ ଉଠି ପଡ଼ିବେ  । କଥା ସରିଯିବ  । ସେ ଛାଡ଼ି ଯାଇ ପାରିବେ ନାହିଁ, ଏଥର ଉଠି ଛିଡ଼ା ହେଲେ  । କାଗଜଟିଏ ବାହାର କରି ଚିଠିଟିଏ ଲେଖିଲେ– ସଇତାରେ ! ତୋରି ଭାଇ ତୋରି ସୁଖ ପାଇଁ  ଏ ଘର ଛାଡ଼ି ଚାଲି ଯାଉଛି  । ସାଥିରେ କିଛି ନେଉ ନାହିଁ  । ସବୁ ଛାଡ଼ି ଯାଉଛି ସବୁ ତୋର ଏ ଘର -ଦ୍ୱାର, ଜମି-ବାଡ଼ି, ଟଙ୍କା-ପଇସା ସବୁ କିଛି, ଆଉ ତୋ ଭାଉଜ ମା ଏବଂ ମୁନି  । ଗଲା ବେଳେ କେବଳ ଏତିକି ତୋତେ କହି ଦେଇ ଯାଉଛି — ତୋ ଭାଉଜ ମା’ଟା କାନ୍ଦି କାନ୍ଦି ଶୋଇ ପଡ଼ିଛି  । ତୋତେ ଛାଡ଼ି ସେ ବଞ୍ଚି ପାରିବ ନାହିଁ  । ତାକୁ ଟିକେ ବଞ୍ଚେଇ ରଖିବୁ । ତୋର ଆଉ ଅଲଗା ହେବା ଦରକାର ନାହିଁ  । ମା’କୁ ଦେଇଥିବା କଥା ମୁଁ ରଖିଛି  । ତେଣିକି ଯାହା ଭାଗ୍ୟରେ ଥିବ ତାହା ହିଁ ହେବ  । ଇଶ୍ୱର ତୋତେ ସୁବୁଦ୍ଧି ଦିଅନ୍ତୁ  । ମୋର ଆଶୀର୍ବାଦ ସଦା ସର୍ବଦା ତୋ ଉପରେ ରହିଛି ଆଉ ରହିଥିବ ମଧ୍ୟ                                                                                                                 ଇତି

ତୋର ଭାଇ,

 

ସଇତାର ଘର କବାଟ କଣରେ ଥରେ ସଇତାକୁ ଅନାଇଲେ  । ନିଶ୍ଚିତ ନିଦରେ ଶୋଇଛି ସଇତା  । ପାଖରେ ତାଙ୍କରି ବୋହୂ  । ଚିଠିଟି ଭିତରକୁ ପକାଇ ଫେରି ଆସିଲେ  । ମୁନିର ଗାଲରେ ଛୋଟ ବୁକଟିଏ ଦେଲେ  । ଆଉ ସେ ଭାବୁଥିଲେ —  ଆରେ ! ଘରେ ତାଙ୍କର ଯେ ବୃଦ୍ଧା ପତ୍ନୀ  । ତା’କୁ ସେ କ’ଣ ସାଙ୍ଗରେ ନେବେ ନାହିଁ ? କ’ଣ ତାଙ୍କ ଦେହରେ ଉଷ୍ଣତା କମି ଯାଇଛି ବୋଲି ? ଚମଡ଼ା ରୁକ୍ଷ ହୋଇଯାଇଛି ବୋଲି ? କାମିନୀ ତ ପୁଣି ପାଖରେ ସଇତାକୁ ପାଇବା ପାଇଁ ଏବଂ ଏକା ଏକା ତାହା ଉପରେ ନିଜର ଅଧିକାର ଜାହିର କରିବା ପାଇଁ ଅନବରତ ସଂଗ୍ରାମ ଜାହିର କରିଛି । ନାଁ-ସେ ତାଙ୍କର ବୃଦ୍ଧା ପତ୍ନୀଙ୍କୁ ହଇରାଣରେ ପକାଇବେ ନାହିଁ  । ଯାହାର ଗୋଟାଏ ନିର୍ଦ୍ଦିଷ୍ଟ ଗତି ନାହିଁ; ସେ ଅନ୍ୟକୁ ସାଙ୍ଗ କରିବ କାହିଁକି ?

 

ଆଜି ବର୍ଷା ରାତି  । ସେଦିନ ବି ଥିଲା ବର୍ଷା ରାତି; ଯେଉଁଦିନ ବାସନ୍ତୀ ନବବଧୂ ସାଜି ଆସିଥିଲା, ଏ ଘରକୁ ନୂଆ କରି । ସେଦିନ ସେ ପାଖରେ ଥିଲା ଆଜି ବି ପାଖରେ ଅଛି  । କିନ୍ତୁ ଆଜି ବାହାରେ ବର୍ଷା; ଭିତରେ ବି ବର୍ଷା  । ଅନ୍ତରରେ ଗଭୀର କ୍ଷତ ତୀବ୍ର ମାନସିକ ଯନ୍ତ୍ରଣା  । ଓଃ………… ଭାରି ଅସହ୍ୟ …….. ଭୀଷଣ କଷ୍ଟ ନା ଆଉ ନୁହେଁ  ।

 

ଏଥର ସୂର୍ଯ୍ୟମଣି ଗୋଡ଼ ଚାପି ଚାପି ବାହାରିଗଲେ ଘରୁ  । ଗାଁ ମୁଣ୍ଡରେ ଜନ୍ମ ଭୂଇଁକୁ ଶେଷ ପ୍ରଣତି ଜଣାଇବା ଉଦ୍ଦେଶ୍ଯରେ ମାଟି ମୁଣ୍ଡାଏ ମୁଣ୍ଡରେ ଲଗାଇଲେ । ଆଉ ସେ ପଛକୁ ଫେରି ଚାହିଁଲେ ନାହିଁ  ।  ଏଥର ଚାଲିଲେ ଦୂରକୁ ଦୂରକୁ  । ବହଳ ଅନ୍ଧକାରର ପେଟ ଭିତରେ ସେ ମିଳେଇ ଗଲେ  ।

Related posts

ଆମ ସ୍ୱୟଂ ସହାୟିକା ଗୋଷ୍ଠୀ

satya

କୁନା ବାପା ତୁମେ କିଛି ଜାଣିନ

satya

ଜୁଳୁକା juluka

satya

Leave a Comment

Login

X

Register