Satya Prakash
Uncategorised

ଆନବାସୀ

ଆନବାସୀ
—-by Dr Satya Prakash Sethy
ଏଇଟା ଗୋଟେ ପ୍ରେମ କାହାଣୀ ତ ନୂହେଁ , କିନ୍ତୁ ପ୍ରେମ ସମ୍ପର୍କିତ କିଛି କଥାବସ୍ତୁ ନିଶ୍ଚିତ। ଆପଣ ମାନେ ବିଶ୍ବାସ ନକଲେ ବି ଘଟନାଟି ସତ।
ମୁଁ ବାଣୀବିହାରରେ ପଢୁଥିଲି। ଅନେକ ଝିଅପୁଅ ମିଶିକି ସେଠି ଥିଲେ। ସେଠିକାର ପରିବେଶ ଟିକିଏ ଭିନ୍ନ। ତେଣୁ କେହି କେମିତି ମନପ୍ରାଣ ଢାଳନ୍ତି, ଖୋଲିକି ଟିକିଏ କଥା ହୁଅନ୍ତି।

ସେଠି ଦୁଇ ପ୍ରକାର ଛାତ୍ରଛାତ୍ରୀ ଥାଆନ୍ତି। ଅଧିକାଂଶ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥାନ୍ତି, ତେଣୁ ଧୀରେ ଧୀରେ ଆତ୍ମିକ ହୋଇଯାଆନ୍ତି, ଆତ୍ମୀୟତା ବାଣ୍ଟି ହୋଇଯାଏ। ଏମାନେ ସବୁ ଛାତ୍ରାବାସର ଅନ୍ତେବାସୀ ପାଲଟି ଯାଆନ୍ତି, ଯେହେତୁ ଦୂର ଦୁରାନ୍ତରୁ ଆସିଥାନ୍ତି।
ମୁଁ ବି ଗୋପବନ୍ଧୁ ଛାତ୍ରାବାସରେ ରହେ। ପାଠ ବ୍ୟତିରେକେ ବଳକା ସମୟ ଯାହା ଟିକିଏ ମିଳେ , ପିଲାଏ ଏଣୁତେଣୁ ଟିକିଏ ଗୁଲିଖଟି ନକଲେ ସମୟଟା ଗୋଟାପୁଣି ମାଡ଼ିବସେ, ଭାରି ବିରକ୍ତିବୋଧ ଲାଗେ । ମୁଁ କିନ୍ତୁ ଉପର ଓଳିକୁ ପ୍ରାୟତଃ ଲାଇବ୍ରେରୀକୁ ଚାଲିଯାଏ, କାହିଁକିନା ମୁଁ ହେଉଛି ପୁସ୍ତକକୀଟ, ଯାହା ସାଙ୍ଗମାନେ ମୋତେ କହନ୍ତି।

ଆଉ ଦଳେ ଛାତ୍ରଛାତ୍ରୀ ଥାଆନ୍ତି, ସେମାନେ ଭୁବନେଶ୍ବରର ବାସିନ୍ଦା ବା କେଉଁ ବଡ଼ ଅଧିକାରୀଙ୍କ ସନ୍ତାନ ସନ୍ତତି, ତେଣୁ ସେମାନେ ଦିନରେ ଯିବାଆସିବା କରି ପାଠପଢନ୍ତି, ରାତିରେ ଏଠି ନରହି ଘରେ ଶୁଅନ୍ତି । ତେଣୁ ତାଙ୍କୁ ଆନବାସୀ ଛାତ୍ରଛାତ୍ରୀ କହିଲେ ଚଳିବ। ଯେହେତୁ ଏମାନେ ନିଇତି ପାଠପଢି ସାରି ଘରକୁ ଫେରିଯାଆନ୍ତି, ତେଣୁ ଅନ୍ୟ କାହା ସହ ଏତେ ଘସିନେସି ସମ୍ପର୍କ ବଢ଼ିପାରେ ନାହିଁ। ଧରାବନ୍ଧା ଗୁଳାରେ ଚାଲୁ ଚାଲୁ ତାଙ୍କ ପାଖରେ ଏତେ ସୁଯୋଗ ବା ଫୁଲା ଫାଙ୍କିଆ ସମୟ କାହିଁ ଯେ ଯେତେଟା ଅନ୍ତେବାସୀଙ୍କ କ୍ଷେତ୍ରରେ ସମ୍ଭବପର ହୋଇଥାଏ। ଅନ୍ତେବାସୀଙ୍କୁ ତ ଆଉ କେହି ଆକଟ କରିବାକୁ ବି ଏତେ ନଥାଆନ୍ତି ନା, ତେଣୁ ସେ ତାଙ୍କର ଯାହା କଲେ। କିନ୍ତୁ ଏମାନେ ଘରକୁ ନିଇତି ଫେରିବେ ନା ତେଣୁ ସମୟ ନିର୍ଘଣ୍ଟ ଭିତରେ ନ ଫେରିଲେ ଘରଲୋକ ମାଆ କି ବାପା ନିଶ୍ଚୟ ବ୍ୟସ୍ତ ହେବେ ବା ନଜର ରଖିଥିବେ।

ସେଦିନ ମୁଁ ପରିଜା ଲାଇବ୍ରେରୀରୁ ବସି ପୁସ୍ତକ ଅଣ୍ଡାଳୁ ଥାଏ। ଯେତିକି ପାରୁଥାଏ ନୋଟ୍ କରୁଥାଏ, ପୁଣି ସେ ବହି ସେଲ୍ଫରେ ଥୋଇ ଦେଇ ଆଉ ଗୋଟେ ବହି ଧରୁଥାଏ। ଦୂରରୁ ସୁନ୍ଦରୀ ତରୁଣୀଟିଏ ବାରମ୍ବାର ମୋତେ ନିଘା କରୁଥାଏ। ମୁଁ ଏ କଥା ହଠାତ୍ ଯେ ଦେଖିଲି ସେ କଥା ନୂହେଁ, ଯେତେବେଳକର ଏ କଥା ମୋ ଦୃଷ୍ଟିଗୋଚର ହେଲା। ସେ ଯେ ଆଗରୁ ଲାଇବ୍ରେରୀ ଆସେ ନାହିଁ ସେ କଥା ବି ନୂହେଁ କିନ୍ତୁ କେବେ ମୋତେ ଏତେ ଆଙ୍କୁପାଙ୍କୁ ହୋଇ ଦେଖେ ନାହିଁ, ଆଜି ଯେମିତି ବାରମ୍ବାର ଅନିଷା କରୁଛି।
କଥା କ’ଣ କି ନିକଟରେ ସ୍ନାତୋକୋତ୍ତର ପରୀକ୍ଷାର ପଞ୍ଚମ ବାର୍ଷିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ଓ ସେଥିରେ ମୁଁ ପ୍ରଥମ ହୋଇଛି। ଏଥିସକାଶେ ହୁଏତ ଅନେକଙ୍କର ମୋ ପ୍ରତି ଧ୍ୟାନ ଆକର୍ଷିତ ହୋଇଥାଇପାରେ ।

ସେ ତ ଆସିଲା, ମୋ ପାଖରେ ଆଗ ଛିଡ଼ା ହେଲା। କହିଲା ଜିତନ! ତୁମ ପାଖରେ ମୋର ଟିକିଏ କାମ ଥିଲା, ତୁମ ପାଖରେ ମୁଁ ଟିକିଏ ବସିପାରିବି କି? ମୁଁ କହିଲି – “ଆରେ କି କଥା, ଏଥିରେ ସଙ୍କୋଚ କରିବାର କ’ଣ ଅଛି।ତା ଛଡ଼ା ମୋ ସହ ଏତେ ନ ମିଶିଲେ ବି ଆମେ ତ ଏକା ଶ୍ରେଣୀରେ ତ ପାଠ ପଢନ୍ତି, ମୁଁ ତେଣୁ ନାହିଁ କରିବି କେମିତି? “

ସେ ହୋଉ କହି ପାଖ ଚୌକିରେ ବସି ପଡ଼ିଲା, କହିଲା – “ଆମେ ତ ହେଲେ ଆନବାସୀ, ତେଣୁ ଯିବା ଆସିବାରେ ଅନେକ ସମୟ ନଷ୍ଟ ହେଉଛି। ପଢ଼ାପଢ଼ି ଠିକ୍ ରେ କରିହେଉ ନାହିଁ। ତୁମେ ତ ଅନ୍ତେବାସୀ, ଏଇଠି ରହିଲ, ଯେତେବେଳେ ନାହିଁ ସେତେବେଳେ ଲାଇବ୍ରେରୀ ଆସି ପଢିପାରୁଛ। ତା ଛଡା ଉପର ଶ୍ରେଣୀର ବଡ଼ ଭାଇ ଭଉଣୀମାନେ ଏଠି ରହୁଥିବାରୁ ସେମାନଙ୍କ ପାଖରୁ ନୋଟ୍ ଓ ଟିପସ୍ ଦିଟା ଯାକ ପାଉଥିବ। ଆମକୁ କିଏ ସାହାଯ୍ଯ କରିବ କହିଲ। ତାଛଡା ଝିଅସାଙ୍ଗ ମୋର ଅନେକ ଛାତ୍ରାବାସରେ ରହୁଛନ୍ତି ଯେ, ହେଲେ ସେମାନେ ଯେଉଁ ହିଁସୁକୁଟି, ତାଙ୍କୁ ନୋଟ୍ ଟେ କି ବହିଟେ ମାଗିଲେ ଆଦୌ ଦେବେ ନାହିଁ । ଓଲଟା କେତେ ବାହାନା କରିବେ। ତେଣୁ ତୁମେ ଟିକିଏ ମୋତେ ସାହାଯ୍ଯ କଲେ ହୁଅନ୍ତା ନାହିଁ। “
ସେ କଅଁଳ କହି କଥାରେ ମୁଁ ତ ଏକଦମ୍ ତରଳି ଗଲି। କହିଲି -” ଆରେ ଇଏ ଗୋଟେ କଥା ନା, ମୋତେ କହିବ, ମୁଁ ଯେତେବେଳେ ଯାହା ପାରିବି ନିଶ୍ଚୟ ସାହାଯ୍ଯ କରିବି। “
ସେଇଦିନୁ ସଦାବେଳେ ସେ ମୋତେ ଅନୁସରଣ କରେ ଓ ହସିକି କଥାହୁଏ। ବହିପତ୍ର ହେଉ ବା ଖାତାପତ୍ର ସବୁବେଳେ ସେ ମୋଠାରୁ ମାଗିକି ନେଇ ଯାଏ ପୁଣି କେବେ ସୁବିଧା ପାଇଲେ ଟିପିଟୁପା କି ଆଣି ଫେରାଇ ଦିଏ। ଏହି ଘଟନାକ୍ରମ ଏଣିକି ସବୁଦିନେ ହୁଏ। ଧୀରେ ଧୀରେ ଏମିତି ହେଲା ଯେ ମୁଁ ତାକୁ ଦିନେ ନ ଦେଖିଲେ ଆଦୌ ରହିପାରିଲି ନାହିଁ। ଯେମିତି ଏ ମନ ଖାଲି ତାକୁ ହିଁ ଖୋଜିହୁଏ। ସିଏ ତ ପାଖକୁ ଆସେ, ଦାନ୍ତ ନେଫେଡେଇ ହସିକି କଥା ହୋଇ ଫାଇଦା ନେଇ ଚାଲିଯାଏ। ମୁଁ କିନ୍ତୁ କାହିଁକି ଭାରି ଅଶାନ୍ତି ଭିତରକୁ ଠେଲି ହୋଇଯାଏ। ରାତିରେ ମୋଟେ ନିଦ ହୁଏ ନାହିଁ। ଶୋଇବାକୁ ଗଲେ ତା କଥା ଭାରି ମନେପଡେ, ପଢ଼ିଲା ବେଳେ ବି ତାହାରି କଥା। କେହି କେମିତି ଅତି ଅନ୍ତରଙ୍ଗ ସାଙ୍ଗସାଥି ଏଇ ଲାଇବ୍ରେରୀ ଉପାଖ୍ୟାନ ସଂଗ୍ରହ କରି କୁହନ୍ତି – “ଏ ସାଙ୍ଗ ଆମେ ସେ କଥା ଜାଣି, ଝିଅ ହସିଲା ମାନେ ପୁଅ ଫସିଲା ଆଉ ଖସିଲା। ସେଥିପାଇଁ ତୋତେ ରାତିରେ ଆଉ ନିଦ ହେଉ ନାହିଁ। କିନ୍ତୁ ଦେଖ! ପାଠରେ ତୁ ବେଷ୍ଟାଣ୍ଡ ପାଇବୁ କି ପ୍ରେମରେ, ନିଜ ଭିତରେ ଆଗ କର ପ୍ରତିଯୋଗିତା କର। ଏ କଥା କିନ୍ତୁ ସତ ଟୋକୀ ଖଣ୍ଡେ ହୋଇଛି ଏକା। “

ବାସ୍ତବରେ ଏକଥା ସତ, ତା ନାଁ ତନୁଶ୍ରୀ, ତା ତନୁକାନ୍ତି ଅପୂର୍ବ ଲାବଣ୍ୟରେ ଭରା। ସୁନ୍ଦର ଗଢ଼ଣ , ମୁଖମଣ୍ଡଳ ଔଜଲ୍ୟରେ ଝଲସିତ। ଏତେ ଟିକି ମୁହଁ ମୁଁ କେବେ ଦେଖିନାହିଁ, କିନ୍ତୁ ପାଚିଲା ଟମାଟୋ ପରିକା ପୂରା ଲାଲ। ଚନ୍ଦ୍ରମୁଖୀ, ଭାରି ଲାବଣ୍ୟବତୀ। ହଳଦୀ ଗୋରୀ, ତନୁପାତଳୀ ନିମିଷକେ ମନ ମୋହି ନିଏ। ତା ମଧୁବୋଳା କଥା ପ୍ରାଣକୁ ମୂର୍ଚ୍ଛିତ କରିଦିଏ। ମୁଁ ତାକୁ ଆଦୌ ଭୁଲିପାରେ ନାହିଁ। ମୋ ଆଖି ଆଗରେ ସେ ତ ଖାଲି ଥେଇ ଥେଇ ନାଚେ, ତାରି ଦୃଶ୍ୟପଟଟି ଭାସିଉଠେ। ଶ୍ରେଣୀ ଭିତରେ ବି ମୁଁ ଏଣିକି ଟିକିଏ ତାକୁ ଚାହିଁଦେଲେ ସେ ହସିଦିଏ, କେତେବେଳେ କେମିତି ଆଖିକୁ ଆଖି ମିଶିଯାଏ ମୋ ମନ ମୋହିନିଏ।
ସେ କ’ଣ କରେ କି ଶ୍ରେଣୀରୁ ସିଧା ଗ୍ଲାସ୍ କ୍ୟାଣ୍ଟିନ୍ ଯାଏ, ସେଠୁ କ’ଣ ଖାଇଦେଇ ଲାଇବ୍ରେରୀ ଧାରିଯାଏ। ଲାଇବ୍ରେରୀରୁ ଉଠେ, ଚାଲିଚାଲି ଆର୍. ଡି. ମହିଳା ବିଦ୍ୟାଳୟ ଯାଏ ଚାଲେ, ସେଇଠୁ ପୁଣି ଟାଉନ୍ ବସ୍ ଧରି ପୁରୁଣା ବସ୍ ଷ୍ଟାଣ୍ଡ ମାନେ କଳାମନ୍ଦିର ପାଖ। ତା’ପରେ ଚାଲିକି ଯାଏ କି କିଏ ଆସି ନେଇଯାଏ କେଜାଣି ସେ ସେଇ ଛଅ ନମ୍ଵର କ୍ୱାଟର ଆଡକୁ ମୁହାଁଏ ।

ମୁଁ କେମିତି ଜାଣିଲି କି, ମୁଁ ଦିନେଦିନେ କୁହେ – ରହୁନ! ସାଙ୍ଗହୋଇ ଯିବା, ମୋର ଟିକିଏ କଳାମନ୍ଦିର ପାଖରୁ କିଛି ଜିନିଷ କିଣିବାର ଅଛି ତ। “
ସେ କୁହେ -” ହଉ, ତାହେଲେ ଆସ, ସାଙ୍ଗ ହୋଇଯିବା।”
ଲାଇବ୍ରେରୀରୁ ରମାଦେବୀ ମହାବିଦ୍ୟାଳୟ ଯାଏ ସାଥିରେ ଚାଲିଚାଲି ଯାଉ, ମନରେ ଭାରି ପ୍ରସନ୍ନତା ଭରିଯାଏ – ଯାହାହେଉ ଗୋଟେ ଲଳନାର ସହଚର୍ଯ୍ୟ ଟିକିଏ ମିଳିଲା। ସେ କେତେ ଖୁସିହୁଏ ତାହା ତ ମୁଁ କହିପାରିବି ନାହିଁ, ମୋ ମନ କିନ୍ତୁ ପୂରା କୁତୁକୁତୁ ହୋଇଯାଏ। ଟାଉନ୍ ବସ୍ ରେ ବି ଦେହକୁ ଦେହ ଲାଗି ପାଖାପାଖି ବସୁ, ବସ୍ ରୁ ଓହ୍ଲାଇ କଳାମନ୍ଦିର ଆଗରୁ ଗୁପଚୁପ ଦହିବରା ଧୂମ୍ ଖିଆହୁଏ। ସିଏ ଚାଲିଗଲା ପରେ ମୁଁ ଛାତ୍ରାବାସ ଫେରିଆସେ। ମୋର ସତରେ ସେମିତି କିଛି ଖରିଦ କରିବାର ନଥାଏ, ଗୋଟେ ବାହାନାବାଜି ଯାହା।

ଏଣିକି ଟିକିଏ ମନକୁ ଲାଗିଲାଣି – ଯାହାହେଉ ମୁଁ ଯେତିକି ତାକୁ ଭଲ ପାଉଛି ସିଏ ବି ବୋଧେ ମୋତେ ସେତିକି ଭଲ ପାଉଛି।
ମନରେ କାହିଁରେ କ’ଣ ଆନନ୍ଦ – ଗୋଟେ ଭଲ ଲଳନା ସହିତ ମୁଁ ବିବାହ ବନ୍ଧନରେ ବାନ୍ଧିହେବି। ତେବେ କେମିତି ତାକୁ ଯେ ପ୍ରୋପୋଜ୍ କରିବି? ଯଦି ସେ ବିଗିଡ଼ି ଗଲା କି ବାଉଁ ଡାଉଁ କିଛି କହିଲା? ନା କାହିଁକି କହିବ ଯେ, ମୁଁ କେଉଁ ଅସୁନ୍ଦର ନା ଅଯୋଗ୍ୟ। ଶ୍ରେଣୀରେ ପ୍ରଥମ ପୁଣି ଦେଖିବାକୁ ରାଜକୁମାର ପରିକା। ତା ସୌନ୍ଦର୍ଯ୍ୟ ତୁଳନାରେ ମୁଁ କ’ଣ ଆଉ ଫିକା ପଡିଯିବି କି, ଅବଶ୍ଯ ମୁଁ ଗୋଟେ ଗରିବ ବାପୁଡ଼ାର ସନ୍ତାନ। ଗାଁରେ ଆମ ଘର, ଜମିବାଡ଼ି ଦୁଇଖଣ୍ଡ ଚାଷକଲେ କି ବାଡ଼ିରେ ଫଳ ଫୈସଲ ମୁଠେ କଲେ ଆମଘର ଚଳେ ଆଉ ମୋ ପଢାଖର୍ଚ୍ଚ ବି। ଏକଥା ଯେଉଁଦିନ ତନୁଶ୍ରୀ ମୋତେ ପଚାରିଥିଲା ମୁଁ ତ ଠିକେ ଠିକେ ସବୁକଥା କହିସାରିଛି। ତଥାପି ସେ ମୋ ସହ ପୂର୍ବଭଳି ମିଶେ ମୁଁ ବି ପାଠରେ ତାକୁ କିଛି ସାହାଯ୍ୟ କରିବା ପାଇଁ କେବେ ପଛଘୁଞ୍ଚା ଦେଇ ନାହିଁ। ତାଛଡା ଆଉ ସବୁଦିନ ଆମର ଏ ଦରିଦ୍ର ଅବସ୍ଥା କ’ଣ ରହିବ କି , ମୋର କ୍ୟାରିଅର ଯାହା କହୁଛି ପରୀକ୍ଷା ପରେ ମୁଁ ଯେମିତି ହେଲେ ବର୍ଷେ ଛଅ ମାସକେ ଭଲ ଚାକିରୀ ଖଣ୍ଡେ ନିଶ୍ଚୟ କରିବି ନା । ଏକଥା ନିଶ୍ଚୟେ ତନୁଶ୍ରୀ ବୁଝିଥିବ ଓ ତେଣୁ ଭରସା ବି କରୁଥିବ।
ତେବେ ଏବେ ପରୀକ୍ଷା ଚିନ୍ତା, ଆଗ ପରୀକ୍ଷା ସରୁ, ତା’ପରେ ଯାଇ ଶେଷ ବେଳକୁ ତାକୁ ପ୍ରୋପୋଜ୍ କରିବି ଯେ-” ମୁଁ ତୁମକୁ ଭଲ ପାଏ, ଚାକିରୀ ପାଇଲା କ୍ଷଣି ବା ବେଦୀରେ ବିବାହ କରି ଆମ ଘରକୁ ନେଇଯିବି।” ସେ ଏଥିରେ କାହିଁକି ଅମତ ହେବ, ମୁଁ ଜାଣେ ସେ ଯେମିତି ଭାବଭଙ୍ଗି ମୋ ସହ ପ୍ରକାଶ କରୁଛି , ସେ ନିଶ୍ଚେ ମୋତେ ଭଲପାଉଛି। ତେବେ ତା ପୂର୍ବରୁ ସେ ଯଦି ମୋତେ ପ୍ରୋପୋଜ୍ କଲା ଆହୁରି ବଢିଆ ହୁଅନ୍ତା, ଭାଗ୍ୟରେ ଥିଲେ ତନୁଶ୍ରୀ ଭଳି ଜୀବନ ସାଥିଟିଏ ମିଳନ୍ତା। ସାତଜନ୍ମ ପାଇଁ ଜୀବନଟା ସତରେ ଧନ୍ୟ ହୋଇଯାନ୍ତା।

ଏମିତି ତ ନିଇତି ଭାବେ, ସେଦିନ କିନ୍ତୁ ତନୁଶ୍ରୀ ହଠାତ୍ କହିଲା – “ଏ ଗଣେଶ୍ୱର! କାଲି ନିଶ୍ଚୟ ଆମ ଘରକୁ ଯିବ। ମାଆ କହିଛନ୍ତି। ମୋର ଜନ୍ମଦିନ ଅଛି ତ ସେଥିଲାଗି।ଅନ୍ୟ ସାଙ୍ଗସାଥି ମାନଙ୍କୁ ମଧ୍ଯ କହିଛି, ସେମାନେ ବି ଆସୁଛନ୍ତି। ତେବେ ତୁମକୁ ସ୍ଵତନ୍ତ୍ର ଭାବେ କହିଲି, କାହିଁକି ନା ତୁମେ ହେଉଛ ଆମର ସ୍ପେଶାଲ ଗେଷ୍ଟ। ତା ଛଡ଼ା ମୋ ଜନ୍ମ ଦିନରେ ମୋ ଭବିଷ୍ୟତକୁ ନେଇ ଗୋଟେ ସ୍ପେଶାଲ୍ ଘୋଷଣା ହେବ। ସେଇଟା ତୁମେ ସେଠାକୁ ଗଲେ ବଳେ ଜାଣିପାରିବ।ଏଇଟା ତୁମ ପାଇଁ ସରପ୍ରାଇଜ। “

ଗଣେଶ୍ୱର କୁତୂହଳୀ ହୋଇ ଛାତ୍ରାବାସକୁ ଫେରିଲା। ହେଲେ ଏଇ ଏତିକିରେ ସେ କେତେ କ’ଣ ଭାବିଗଲା ଯେ ତା’ର କିଛି ଇୟତ୍ତା ରହିଲା ନାହିଁ।
ମନେମନେ ଆନନ୍ଦିତ- ସହରୀ ଟୋକୀକୁ ବାହାହେବି। ସମସ୍ତେ ଦେଖି ଆଖି ତରାସି ଚାହିଁବେ। ପ୍ରଶଂସାରେ ପୋତି ପକାଇବେ – ଯାହା ହେଉ ଗଣେଶ୍ୱର ବାଛିବାଛି କନ୍ୟା ରତ୍ନଟିଏ ଆଣିଛି। ତନୁଶ୍ରୀକୁ ପାଇ ମୋ ଜୀବନ ଧନ୍ୟ ହୋଇଯିବ। ଖାଲି ତ ସ୍ଵପ୍ନ ରାଇଜରେ ହଜିହଜି ଏଣୁତେଣୁ ମେଞ୍ଚେ ଭାବିଗଲି।
ତା’ପରଦିନ ଦିନସାରା ମୋତେ ଆଉ ତର ନାହିଁ। ପ୍ୟାଣ୍ଟସାର୍ଟ ଭଲ ରକମର ଆଉଥରେ ସଫାକରି ଆଇରନ୍ ଚଢାଇଲି। ଖିଅରଭଦ୍ର ହୋଇ ପିନ୍ ପିନ୍ ସଫାଲୁଗା ପିନ୍ଧି ଓ ଜୋତାମୌଜା ଲଗାଇ ବାହାରି ପଡ଼ିଲି, ଯେମିତିକି ଆଜି ଗୋଟେ ବଡ଼ ଚାକିରୀ ପାଇଁ ପ୍ରଥମ ଥର ମୁଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛି। ଇସ୍ କି ଖୁସି, ମନ ଭିତରେ ତ ଖାଲି ଶିହରଣ ଖେଳେଇ ଯାଉଥିଲା । ଚାହିଁକି ବି ନିଜ ମନୋଭାବକୁ ଆଦୌ ଲୁଚାଇ ପାରୁ ନଥିଲି, ଯାହା କୁତୁକୁତୁ ହୋଇ ବାହାରକୁ ଉଭାରି ଆସୁଥିଲା।

ସଂଧ୍ୟାବେଳକୁ ବାହାରି ପଡ଼ିଲି। ସାଥିରେ ଅନ୍ୟ ଶ୍ରେଣୀ ସାଥି ଦିଚାରିଜଣ ଥିଲେ। ସୁବାଷ, କୈଳାଶ ବି ଥିଲେ। ସେମାନେ ମୋ ଢଙ୍ଗଢାଙ୍ଗ ଦେଖି ଟିକିଏ ମୁରୁକି ହସା ଦେଉଥିଲେ ଆଉ ଟାଉଳ କରି ବି କିଛି ମନ୍ତବ୍ୟ ରଖୁଥିଲେ ତଥାପି ସେଗୁଡାକ ମୋ ଉପରେ ସେତେ କିଛି ପ୍ରଭାବ ପକାଉ ନଥିଲା, ଯେହେତୁ ମୋ ମନ ଉଚ୍ଚାଟିତ ଥିଲା।
ତାଙ୍କ ଘର ପାଖରେ ପହଞ୍ଚିଲା ବେଳକୁ ତନୁ ଷଶ୍ରୀ ବାହାରକୁ ଆସି ଆମ ସବୁ ସାଙ୍ଗ ମାନଙ୍କୁ ପାଛୋଟି ନେଲା। ମୋ ହାତକୁ ଧରି ଟାଣି ଟାଣି ଘର ଭିତରକୁ ନେଇଗଲା। ତା ମାଆ ବାପାଙ୍କୁ ବି ଚିହ୍ନେଇ ଦେଲା – “ଇଏ ମାଆ! ଗଣେଶ୍ୱର, ଯାହା କଥା ମୁଁ କହୁଥିଲି। “

ମୁଁ ଆହୁରି ଉତ଼୍ଙଫୁଲ୍ଲିତ ହୋଇ ଉଠୁଥିଲି – “ତେବେ ତନୁ ଷଶ୍ରୀ ମୋଠାରୁ ଢେର୍ କ’ଣ କଦମ୍ ଆଗରେ। ସେ ଆମ କଥା ତା ବାପାମାଆଙ୍କୁ ବି କହି ସାରିଛି। “ଏମିତି ଭାବିସାରିଲା ବେଳକୁ ଅନ୍ୟାନ୍ୟ ଅତିଥିମାନେ ବି ପହଂଚି ଯାଇଥିଲେ। ଏବେ କେକ୍ କଟାର ପାଳି। ତେଣୁ ତାଙ୍କ ବାପା ହଠାତ୍ ଘୋଷଣା କଲେ – ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ୍ କରୁଛି। ଆପଣମାନେ ତ ଜାଣିଛନ୍ତି ଆମେ ସ୍ଵାମୀସ୍ତ୍ରୀ ଉଭୟ ଡାକ୍ତର। ତେବେ ଆମର ଏକମାତ୍ର ଅଲିଅଳି ରାଜଜେମାର ଆଜି ଜନ୍ମଦିନ। ଏହି ଜନ୍ମଦିନ ଏଇଥିପାଇଁ ଖାସ୍ କି ଆଜି ତା ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଏଇଠି ଆମେ ଘୋଷାଣ କରିବୁ। ତେବେ ସମସ୍ତେ ଆସନ୍ତୁ, ଆମେ କେକ୍ କଟାର ମଜା ନେବା।
କେକ୍ ପ୍ରସ୍ତୁତ, ତନୁଶ୍ରୀ ବି ହାତରେ ତିକ୍ଷ୍ଣ ଛୁରୀଧରି କେକ୍ କାଟିବାକୁ ପ୍ରସ୍ତୁତ। କେକ୍ ର ପ୍ରଥମ ଖଣ୍ଡ ଧରି ମୋ ଆଡ଼କୁ ଆଗ ବୁଲି ପଡିଲା। ମୁଁ ଖୁସି ହୋଇଗଲି। ମୋ ପାଟି ବି ଲାଳେଇ ସାରିଥିଲା। ମୁଁ ଆଁ କଲା ବେଳକୁ କେକ୍ ଟି ତାପାଖରେ ଛିଡା ହୋଇଥିବା ଜଣେ ସୁନ୍ଦର ଯୁବକ ପାଟିରେ ଲାଖି ଯାଇଥିଲା। ସେଇ ଯୁବକ ଜଣକ ଅଇଁଠା ପାଟିରୁ ଅଧା ବାହାର କରି ତନୁଶ୍ରୀ ପାଟିରେ ତୋଳି ଧରିଥିଲେ ଓ ଆଉକିଛି କେକ୍ କ୍ରିମ ଆଣି ତା ମୁହଁରେ ଗୋଟାପୁଣି ବୋଳି ଚାଲିଥିଲେ। ତନୁଶ୍ରୀ କିରିକିରି ହୋଇ ହସି ଉଠୁଥିଲା। ଏତେବେଳକୁ ଖାସ୍ ଘୋଷଣାଷଟି ହେବାକୁ ଆଉ ଅଳ୍ପ ସମୟ ବାକି ଥିଲା।

Related posts

ଅନନ୍ତ ଚରଣ

satya

ରାଜନୀତି

satya

ଶାନ୍ତି

satya

Login

X

Register