Satya Prakash
Book

ଆନବାସୀ

ପୁସ୍ତକ ଶୀର୍ଷକ:ଆନବାସୀ (Day’s Scholar)
ଲେଖକ :ଡ଼ ସତ୍ୟ ପ୍ରକାଶ ସେଠୀ

ସୂଚିପତ୍ର

୧.ଇଚ୍ଛାମୟୀ
୨.ସହଜ ନଥିଲା
୩.ଫୋନ୍ ଗୁଞ୍ଜାବାଲା ଧନିଆ ବାବୁ
୪.ସେଇ ଝିଅଟା
୫.ଚର୍ଚ୍ଚିଲ
୬.କେହି ଜଣେ ପ୍ରବୀଣ
୭.ଝିଞଟ
୮.ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା
୯.ଡାକୁଲା
୧୦.ଆନବାସୀ
୧୧.ଶେଖର
୧୨.ଲୋଭିଲା କୁକୁରକୁ ଗୀଧ
୧୩.ପ୍ରେମ ପାଗଳିନି
୧୪.ଆପଣ କିନ୍ତୁ ଖୁସିରେ ଅଛନ୍ତି
୧୫.

୧.ଇଚ୍ଛାମୟୀ

ଇଚ୍ଛାମୟୀ ମାନଙ୍କର ଇଚ୍ଛା ଅସୁମାରି। ଏଇ ଇଚ୍ଛାମାନେ ସତରେ ବଡ଼ ଅସହଜ, ବେଳେ ବେଳେ ବି ଭାରି ଦୁଷ୍ଟାମି କରନ୍ତି। କାହିଁକିନା ଚାହିଁକି ବି ସେମାନଙ୍କୁ ମନ ଉହାଡ଼ରୁ ଆଉ ଏକାବେଳେକେ ତ ହଟେଇ ହୁଏ ନାହିଁନା, ଯେହେତୁ ସେମାନେ ଅମର ଲଡୁ ଖାଇ ଅମରତ୍ବ ପାଇଛନ୍ତି।ତେଣୁ ଚେଇଁକି ରହନ୍ତି, ବେଳେବେଳେ ମନ ଉହାଡ଼ରୁ ସ୍ଵୟଂ ଆତ୍ମପ୍ରକାଶ ବି କରନ୍ତି। ଇଚ୍ଛାମାନେ ବୁଝନ୍ତି ନାହିଁ ବାସ୍ତବିକତାଠାରୁ ସେମାନେ କେତେ ଦୂରରେ କିନ୍ତୁ ବହୁ ଅବାସ୍ତବ ପରିକଳ୍ପନାରେ ଭିତରେ ନିଜକୁ ନିଜେ ହଜାଇ ଦିଅନ୍ତି। ତେଣିକି ତାହା ଚୂଡ଼ାନ୍ତ ରୂପରେଖ ନେଲା ବେଳକୁ ଭାବନାରେ ଭଟ୍ଟା ପଡିଯାଉ ବା ବାସ୍ତବ ରୂପରେଖ କିଛି ଗଢ଼ିତୋଳୁ ଅଥବା ନାହିଁ ।ବାସ୍ତବରେ ଇଚ୍ଛା ମାନେ ଅବ୍ୟକ୍ତ ଯନ୍ତ୍ରଣା। ମନପ୍ରାଣକୁ ଓ ଶରୀରକୁ ଭାରି ପୀଡା ଦିଅନ୍ତି। ଏମାନେ ପରା ଖିଆଲି ମଣିଷର ଗୋଟେ ଖିଆଲ। ଭାବନା ରାଜ୍ୟରେ ବୁଡ଼ିରହି ସେ ଯେ କେଉଁ ଖିଆଲ କେତେବେଳେ ମନକୁ ଆଣେ ତାହା ବୁଝିବା ଏତେ ସହଜ ହୁଏ ନାହିଁ। ଏଇଟା ନିଶ୍ଚିତପକ୍ଷେ ମନ ଗହନର ଗୋଟେ ଲିଳାଖେଳା , ତେଣୁ ତାକୁ ଅନ୍ୟଜଣେ ବା ବୁଝନ୍ତା କିପରି? ଏମାନେ ପରା ଅନେକ ଅବ୍ୟକ୍ତ, ଅପରିପ୍ରକାଶ, ଅପରିଣାମଦର୍ଶି ଆଉ ଅପରିପକ୍ଵ ବି। ତେଣୁ ପରିଣତି ଚିନ୍ତା ଆସିବା ବା କେଉଁଆଡୁ। କେବଳ ଯେତେବେଳେ ଯାହା ଭାବି ହେଲେ, ସେୟାକୁ ନେଇ ବହେ ଘାଣ୍ଟି ହେଲେ ।ଯେହେତୁ ଏହା ଅନ୍ଦର ମହଲର କଥା ଓ ମନ ମଧ୍ୟରେ ତାହା ସଂଘଟିତ ହୋଇ ଓ ପୁଣି ବିଲୟ ଭଜେ, ତେଣୁ ଅପରପକ୍ଷକୁ ତାହାର ଆଭାସ ହେଲେ ମଧ୍ୟ କୌଣସି ସ୍ପଷ୍ଟ ଅବଧାରଣା ତ କରିହୁଏ ନାହିଁ।

ଏହି ଇଚ୍ଛାମାନେ ଅବାସ୍ତବ ପରିକଳ୍ପନା ହେଲେ ବି ଭାରି ଶାନ୍ତିପ୍ରଦ। କାହିଁକିନା ମଣିଷର ସବୁ ଇଚ୍ଛାର ପୂର୍ତ୍ତି ଘଟେନା। ତେଣୁ ଅଶାନ୍ତି ଅନୁଶୋଚନା ରହିବା ସ୍ୱାଭାବିକ। କିନ୍ତୁ ଇଚ୍ଛାମାନେ ସେଇ ଅଭାବକୁ କିଛିଟା ଦୂର କରନ୍ତି। ଅସମ୍ଭବକୁ ବି ସମ୍ଭବ କରନ୍ତି, ତେଣିକି ଭାବନାରେ ତାହା ସୀମିତ ରହୁନା କାହିଁକି।

ସେଦିନ ଅଦିନିଆ ବର୍ଷା ଗୁଡ଼ାକ ବୌଦ ହୋଇ ଅକାଶରେ ଖଣ୍ଡ ଖଣ୍ଡ ଭାସି ବୁଲୁଥିଲେ। ଆସନ୍ନ ବର୍ଷାର ସମ୍ଭାବନା ତ ମନ ମଧ୍ୟରେ ଭାବନା ତୋଳୁଥିଲା, କିନ୍ତୁ ମୋଟେ ବର୍ଷୁ ନଥିଲା। ପ୍ରାକୃତିକ ପରିବେଶ ଓ ପରିସ୍ଥିତି ଏବେ ଅହରହ ବଦଳୁଛି। ତେଣୁ କିଛି ପୂର୍ବାନୁମାନ କରିବା ଆଉ ସହଜ ହେଉ ନାହିଁ। ପାଣିପାଗ ଜଳବାୟୁ ବିଶାରଦମାନଙ୍କ ପକ୍ଷରେ ବି ଏହାର କିଛି ସଠିକ୍ ଆକଳନ କରିବା କାହିଁ ସମ୍ଭବପର ହେଉ ନାହିଁ।

ହଠାତ୍ ସେଦିନ ବର୍ଷାଝଡ଼ି ରାତିରେ କେହି ଜଣେ ଆଗନ୍ତୁକଙ୍କ ଆଗମନରେ ଇଚ୍ଛାମୟୀ ଚମକି ପଡ଼ିଲେ। ମସ୍ତକର ପୁଞ୍ଜାଏ ବାଳରେ ଧରି ରହିଥିବା ବୁନ୍ଦା ବୁନ୍ଦା ଜଳରାଶି ଟପଟପ୍ ହୋଇ ତଳକୁ ଖସୁଥିଲା। ଦେହହାତ ଓଦା ସରପଟ।
ପରଦା ହଟେଇ ସମ୍ପୂର୍ଣ୍ଣ ଶରୀରଟାକୁ ତନତନ କରି ନିରିକ୍ଷଣ କଲା ଉତ୍ତାରୁ ଆବିଷ୍କାର ହେଲେ ବିକି ଭାଇ। ବିକି ଭାଇ ଉପରକୁ ମୁହଁ ଉଠାଇଲେ। ତାଙ୍କ ମୁହଁରୁ ଭାସି ଆସିଲା – “ଇଚ୍ଛାମୟୀ !”

ଇଚ୍ଛାମୟୀ ଆଗ ଚମକି ପଡ଼ିଲେ, ତା’ପରେ କି ଖୁସି – “ବିକି ଭାଇ ଏତେଦିନ ପରେ ହଠାତ୍ କେମିତି?ଆସନ୍ତୁ! ଆସନ୍ତୁ!! ଆଗ ଘର ଭିତରକୁ। “

ଭିତରକୁ ଦୌଡ଼ିଯାଇ ଟାୱେଲ୍ ଟେ ହାତରେ ଟାଣିଆଣି ମୁଣ୍ଡଟାକୁ ଆଗ ଅଧା ପୋଛି ପକାଇଲେ।

ବିକି ଭାଇ କହିଲେ – “ଆରେ ଥାଉ ଥାଉ ସେତିକି ଥାଉ, ମୁଁ ନିଜେ ପୋଛି ହେଉଛି।”

ବିକି ଭାଇ ନିଜେ ନିଜେ ପୋଛିହୋଇ ଦେହରୁ କପଡ଼ା ଖୋଲିବାକୁ ଲାଜ ଲାଜ ହେଉଥିଲେ। ଇଚ୍ଛାମୟୀ କହିଲା -” ଦିଅନ୍ତୁ ମ ବିକି ଭାଇ, ଓଦା ଲୁଗାଗୁଡ଼ାକ ଆଉ କ’ଣ ଦେହରେ ରଖିବେ, ମୁଁ ୱାଶିଂ ମେଶିନରେ ପକାଇ ଦେଉଛି।”

ଇଚ୍ଛାମୟୀ ଉତ୍ତରକୁ ଅପେକ୍ଷା ନକରି ଦେହରୁ ସାର୍ଟଟାକୁ ଏକରକମର ଟାଣି ପକାଇ ଅପେକ୍ଷା କଲା, ବିକି ଭାଇ ପ୍ୟାଣ୍ଟଟା ଖୋଲିକି ଦେଲେ ନେଇ ୱାଶିଂ ମେଶିନରେ ଘୂରାଇ ଦେବେ ।

ବିକି ଭାଇ ଭିତରେ ହାଫ୍ ପ୍ୟାଣ୍ଟ ପିନ୍ଧିଥିବାରୁ ଚଳିଗଲା, ସେ ଆଉ ଦେହରେ ନ ବେଢ଼ି କାନ୍ଧ ଉପରେ ଟାୱେଲ୍ ଟା ପକାଇ ଦେଲେ ଆଉ ପ୍ୟାଣ୍ଟଟା ମଧ୍ଯ ଖୋଲି ଦେଇଦେଲେ ।

ବର୍ଷାରେ ଭିଜି ଯାଇଥିବା କାରଣରୁ ଇଚ୍ଛାମୟୀ ହାତରେ ସୁପ୍ ପିଆଲା ଆଣି ଧରେଇ ଦେଲେ। ସେତେବେଳକୁ ରାତି ୯ଟା ବାଜିଗଲାଣି। ରାତିକୁ ଆଉ ରୋଷେଇବାସ କିଛି କରିବାର ନାହିଁ। ରୁଟିତରକାରୀ ତ ହୋଇକି ଅଛି, ଡାଇନିଂ ଟେବୁଲ୍ ଉପରେ ହଟ୍ କେସ୍ ରେ ଢଙ୍କା ହୋଇ ରହିଛି। ଚାକର ବାକର ତାଙ୍କ ନିତ୍ୟକର୍ମ ସାରି ଫେରିଗଲେଣି ସରଭେଣ୍ଟ କ୍ୱାଟରକୁ।
ଅଳ୍ପକିଛି ସମୟର କଥାବାର୍ତ୍ତା ପରେ ପୁଅ ବିଶୁ ଖାଇବାକୁ ମାଗିବାରୁ ସେଇଠି ସମସ୍ତେ ମିଶି ଖାଇବା ପର୍ବଟିକୁ ସାରି ଦେଇଥିଲେ।ଖାଉ ଖାଉ ବିଶୁ ନିଦ ଅଳସେଇ ହୋଇ ଶୋଇବାକୁ ଚାଲି ଯାଇଥିବାରୁ ଉଭୟ ସେଇ ଡ୍ରଇଂ ରୁମ୍ ରେ ବସି ଗପସପର ମାହୋଲଟାକୁ ଆଉ ଟିକିଏ ତେଜ କରି ଦେଇଥିଲେ।

ତେଣୁ ଇଚ୍ଛାମୟୀ ଗାଢ଼ ଲାଇଟ୍ ଗୁଡ଼ାକ ଆଖିକୁ ବିରକ୍ତ କରୁଥିବାରୁ ଲିଭାଇ ଦେଇ ଜିରୋ ପାୱାରର ଲାଇଲନ ଆଲୁଅ ଗୁଡ଼ାକ ଜଳାଇ ଦେଇ ପାଖରେ ଆସି ସୋଫା ଉପରେ ବସିପଡ଼ିଲେ। ଝିକିମିକି ହୋଇ ଅସ୍ପଷ୍ଟ ଆଲୁଅ ଗୁଡ଼ାକ ମୁହଁରେ ପଡ଼ି ଭାରି ଚିକ୍ଚିକ୍ କରୁଥାଏ।

ତେଣିକି ଗଳ୍ପ ଲମ୍ବିଲା ଗାଁରୁ ସହରଯାଏ, ବର୍ତ୍ତମାନଠୁଁ ଅତୀତ ବାଲ୍ଯଯୌବନ ଯାଏ। ପୁରୁଣା କଥାଗୁଡ଼ାକ ଭାରି ରୋମନ୍ଥିତ ହେଉଥାଏ। ଇଚ୍ଛାମୟୀ ଭାରି ଛୋଟ ହୋଇଥିଲା, ଏଇ ବିକି ଭାଇକୁ ସେ ଗୁରୁ କରିଥିଲା। ସେ ଇଚ୍ଛାମୟୀଠାରୁ ଦୁଇ ତିନି କ୍ଲାସ୍ ଉପରେ ପଢ଼ନ୍ତି।

ବିକି ଭାଇର ଆମ୍ବ ତୋଟା ୟାଙ୍କ ଖଳା ପଛପଟକୁ ଲାଗିଛି। ବିକି ଭାଇ ସେଇ ଆମ୍ବ ଗଛମୂଳେ ମସିଣା ପକାଇ ପାଠ ପଢ଼ନ୍ତି । ଇଚ୍ଛାମୟୀ ଯେତେବେଳେ ନାହିଁ ସେତେବେଳେ ବାଡ଼ ପାଖକୁ ଯାଇ ଆମ୍ବ ମାଗିକି ଖାଏ। ବୋଉ ଡାକ ଛାଡ଼ିଲେ – “ଆଲୋ କୁଆଡ଼େ ଗଲୁ କି?”

କୁହେ – “ମୁଁ ଏଇଠି ଅଛି ଲୋ ବୋଉ। ବିକି ଭାଇ ପାଖରୁ ଗଣିତ ପଚାରି ବୁଝୁଥିଲି।”

ବିକି ଭାଇ କହିଲେ – “ତୁ ମାଉସୀଙ୍କୁ ମିଛ କାହିଁକି କହିଲୁ?”

ସେ କହେ – “ମିଛ କ’ଣ ମ, ଆମ୍ବ ଖାଇବା କଥା କହିଲେ ବୋଉ କହିବ ମାଗିଖାଇ, ସେଇଥିପାଇଁ ଟିକିଏ ବାହାନା କରିଦେଲି।”

ବିକି ଭାଇ ତେଣୁ ଚିଡ଼ାଏ – “ତୁ ମିଛେଇରେ ତୁ ମିଛେଇ।”

ସେଇସବୁ କଥା ଏବେ ପଡିବାରୁ ଭାରି ହସ ହେଲା, କିନ୍ତୁ ପିଛିଲା କଥାଗୁଡ଼ାକ ମନକୁ ବ୍ୟଥିତ କଲା। ଏଇ ବିକି ଭାଇ ହାଇସ୍କୁଲ ଛାଡ଼ି ଯେତେବେଳେ କଲେଜ ଗଲେ, ଇଚ୍ଛାମୟୀ ତାଙ୍କରି ହାତରେ ସବୁ ଜିନିଷ ମଗାଏ, ତେଣିକି ତାହା ଟିକିଲି ନେଲ ପଲିସ୍ ହେଉ ଅଥବା ବହିପତ୍ର। କାହିଁକିନା ଇଚ୍ଛାମୟୀର ଭାଇ ନାହାନ୍ତି ତ ତା’ର ଛୋଟମୋଟ କଥା ବୁଝିବାକୁ। ଯାହା ସେଇ ବାପା କରିବେ ନହେଲେ ଏହି ବିକି ଭାଇ। ଏମିତି ଏମିତି ଭିତରେ ବୟସ ଗଡ଼ି ଚାଲିଲା । ଇଚ୍ଛାମୟୀ ବି କଲେଜ୍ ଗଲା। ବିକି ଭାଇ ଟିକିଏ ତା’ର ସବୁକଥା ଦାୟିତ୍ଵ ନିଏ। ସାହିପଡ଼ିଶା କିଛି ଦେଖେଇ ସେକେଇ କହିଲେ, ବୋଉ କୁହେ- “କ’ଣ ହେଲା ସେଠୁ, ଆଉ କ’ଣ ଭଲରେ ମନ୍ଦରେ କେହି କାହାର ସାହାଯ୍ଯ ଲୋଡ଼ନ୍ତେ ନାହିଁ ନା କ’ଣ, ଯିଏ ଯାହା କହୁଛି କହୁ, ତୁ ସେଗୁଡ଼ାକୁ ଆଦୌ ଶୁଣୁ ନା। ବଳେ ବଳେ କହି କହି ତାଙ୍କର ପାଟି ଥୋବରା ହୋଇଗଲେ ସେ ଚୁପ୍ ହୋଇଯିବେ। “

ଏଥିରେ ଇଚ୍ଛାମୟୀ ଟିକିଏ ଆହୁରି ସାହସ ପାଇଯାଏ। ଯିଏ ଯେତେ ଯାହା କହିଲେ ବି ସେ ସେଇ ବିକି ଭାଇ ସହ ସବୁବେଳେ ମିଶେ। ଧୀରେ ଧୀରେ ଯୌବନ ମୁଣ୍ଡ ଟୁଙ୍ଗାରିଲା ।ମିଳାମିଶା ଅଧିକ ହେଲା। ପରସ୍ପର ପରସ୍ପରର ସହଚର୍ଯ୍ୟ ପାଇ ବେଶ୍ ଆହ୍ଲାଦିତ ହୁଅନ୍ତି। ନିଜ ଭିତରେ ନିଜର ଉଦ୍ଦାମତା ପ୍ରକାଶ ପାଇଲା। ତା କେତେବେଳେ ଯେ ପ୍ରେମ ଭାବରେ ରୂପାନ୍ତରିତ ହୋଇଗଲା ତାହା କେହି ବି ଜାଣିପାରିଲେ ନାହିଁ। କିନ୍ତୁ ହେବ କ’ଣ? ବିକି ଭାଇ ବି . ଏ. ପାସ୍ କରି ପାଖ ଗାଁରେ ଶିକ୍ଷକତା କଲେ। ହେଲେ ଇଚ୍ଛାମୟୀ କଲେଜ୍ ରୁ ବି. ଏ. ପାସ୍ କରି ଉଚ୍ଚଶିକ୍ଷିତା ହେଲା। ତେଣୁ କେହି କାହାକୁ ମନକଥା କହିପାରିଲେ ନାହିଁ। ବାପାମାଆ ବି ସହଜରେ ଏ କଥାରେ ରାଜି ହୋଇ ନଥା’ନ୍ତେ। ତେଣୁ ମନର କଥା ମନରେ ରହିଲା। ସୈନ୍ୟବାହିନୀର ଜଣେ ଯୋଦ୍ଧା ସୈନିକର ପ୍ରସ୍ତାବ ଆସିବାରୁ ବାପାମା’ ଉତ୍ସୁକତା ପ୍ରକାଶ କରି ସେଇଠି ବାହାଘର କରିଦେଲେ ।ସେଦିନ ବିକି ଭାଇ ଅନ୍ୟ ଆଗେ ଏହି କଥା କହି ବହୁତ କାନ୍ଦିଥିଲେ। ପରେ ଇଚ୍ଛାମୟୀ ସବୁ ଶୁଣିଲା, କିନ୍ତୁ ବାହାଘର ତ ସରିଯାଇଥିଲା। ତଥାପି ଏବେବି ଉଭୟଙ୍କ ଭିତରେ ପ୍ରେମ ଅନୁରାଗ ବଳବତ୍ତର ରହିଛି, ଯାହାକୁ ମନେ ପକାଇଲେ ହୃଦୟ ଦହି ହୋଇଯାଉଛି।ଆଉ ବିକି ଭାଇ ସହ ସେତେ ଦେଖାହୁଏ ନାହିଁ, ଯାହା କେତେବେଳେ କେମିତି ଗାଁକୁ ଗଲେ।

ଏଇମିତି ସେ ଥରେ ଗାଁକୁ ଯାଇଥିଲେ, ବିକି ଭାଇକୁ କଟକ ଆଡ୍ରେସ୍ ଦେଇ କହି ଆସିଥିଲେ – ବିକି ଭାଇ! ଯେତେବେଳେ ବି କଟକ ଆସିବେ ନିଶ୍ଚୟ ଆମ ପାଖକୁ ଆସିବେ, ଏହି ରଖିଥାନ୍ତୁ ଆମର ପତ୍ତା। ହାତରେ କାଗଜ ଖଣ୍ଡେ ଧରାଇ ଦେଇଥିଲେ।

ହେଲେ ସେ କେବେ ଆସନ୍ତି ନାହିଁ। ଆଜି କିନ୍ତୁ ଅକଳିଆରେ ପଡ଼ି ଆସିଛନ୍ତି।କାହିଁକିନା ବଡ଼ ଡାକ୍ତରଖାନାରେ ଡାକ୍ତର ଦେଖାଇବା ପାଇଁ ଆସିଥିଲେ, ଡାକ୍ତର ଦେଖାଇଲା ପରେ, ତାଙ୍କ ଲେଖା ଅନୁସାରେ ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ହେଲେ ପରୀକ୍ଷା ରିପୋର୍ଟ ପାଉ ପାଉ ବିଳମ୍ବ ହୋଇଗଲା, ଆସନ୍ତା କାଲି ପୁଣି ତାଙ୍କୁ ରିପୋର୍ଟ ସହ ଡାକ୍ତର ଦେଖାଇବାକୁ ପଡ଼ିବ ରୋଗର ମଇନା କରିବା ପାଇଁ । ଏପଟେ ତ ତୁହାକୁ ତୁହା ବର୍ଷା। ମନରେ ଶଙ୍କା ଉପୁଜିଲା – ଆଉ ଘରକୁ ଫେରି ଆଉଥରେ ଆସି ହେବ ନାହିଁ। ଯାହାହେଉ ପଛେ ଆଜି ରାତିଟା ସେ ଇଚ୍ଛାମୟୀ ପାଖରେ ନହେଲେ ରହିଗଲେ ଚଳନ୍ତା ନାହିଁ? ତେଣୁ ସେ ଭିଜି ଭିଜି ଇଚ୍ଛାମୟୀ ଘର ଆଡ଼କୁ ଢଳିଲେ । ଯାହାବି ହେଉ ଇଚ୍ଛାମୟୀ ତାଙ୍କୁ ଦେଖି ଭାରି ଖୁସି।

ଇଚ୍ଛାମୟୀ ସିନା ଜଣେ ଲଢୁଆ ସୈନିକକୁ ବାହାହେଲେ, ହେଲେ ପ୍ରେମ ବେପାରରେ ସେ ନିହାତି ମଫ। ଯାଇ କୋଉ ସୀମାନ୍ତ ଯଗିଛନ୍ତି ଯେ ଯଗିଛନ୍ତି, ବର୍ଷେ ଛଅ ମାସକେ କେବେ ଥରେ ଘରକୁ ଆସନ୍ତି, ଆଠ ଦଶ ଦିନ ରହି ପୁଣି ଫେରିଯାଆନ୍ତି। ସେଇ କେଇଟା ଦିନ ଯାହା ମନରେ ଖୁସି। ହେଲେ ପୁଣି ଯେଉଁ କଥାକୁ ସେଇକଥା। ଗୋଟେ ଅବ୍ୟକ୍ତ ଯନ୍ତ୍ରଣାରେ ସେ ଛଟପଟ ହୁଅନ୍ତି । ମନ ଖାଲି ଆଉଟି ପାଉଟି ହୁଏ। ନିଜ ମନର କ୍ଷୁଧା ମନରେ ମରେ। ଶରୀରର କ୍ଷୁଧା ପ୍ରାଣକୁ କଷ୍ଟ ଦିଏ। ସେ କ’ଣ କମ୍ ସୁନ୍ଦରୀ ନା କମ୍ ରୂପବତୀ ।

ସେ ପରା ତନୁ ପାତେଳୀ ।ଆଖି, ନାକ, କାନ ସବୁ ଭାରି ଲୋଭିଲା। ଦନ୍ତପଂକ୍ତି ଅତି ସୁନ୍ଦର, ମୂଷା ଦାନ୍ତ ପରି ଟିକି ଟିକି। ହିନ୍ଦୀ ତାରକା ଜଗତରୁ ଗୋଟେ ନାୟିକା ଆଣି ଗୋଟେପଟେ ଛିଡ଼ା କରିଦେବେ, ଆଉ ଗୋଟେପଟେ ଇଚ୍ଛାମୟୀକୁ, ଦେଖିବେ! ଇଚ୍ଛାମୟୀ ସେମାନଙ୍କଠୁଁ ବି ଭାରି ପଡ଼ିବ – ସୌନ୍ଦର୍ଯ୍ୟରେ। ପୂରା ବା ଗୋଟିଏ ଚାଉଳରେ ଗଢ଼ା। ଏବେ ବି ଦେଖିଲେ ଗୋଟେ ଛୁଆର ମାଆ ବୋଲି ତାକୁ ତ କେହି କହିପାରିବେ ନାହିଁ। ଯାହା କହନ୍ତି ଦିବ୍ୟ ସୁନ୍ଦରୀ – ସେଇ ଏକା ।ପରି ରାଇଜର ପରି, କୁହୁକ ରାଇଜର କୁହୁକରାଣୀ ଆଉ ମନ ରାଇଜର ମନପବନ କଠଉ- ସିଏ।ତା ସ୍ମୃତିଚାରଣ ମାତ୍ରକେ ମନ ଯେ କେଉଁ ରାଇଜକୁ ଚାଲିଯିବ ତାହାର କିଛି ଇୟତା ରହିବ ନାହିଁ। ସେମିତିକା କୋଟିକରେ ଗୋଟେ ସିନା ସିଏ । ଏମିତିକା ଆଉ କାହିଁ, କେଉଁଠି, କେବେ ସହଜରେ ଦେଖାଯାଏ ନାହିଁ।

ହେଲେ କ’ଣ ହେବ ଏତେ ସୌନ୍ଦର୍ଯ୍ୟ ନିଜଠିଁ ମାଖି। ସେଇ ସୌନ୍ଦର୍ଯ୍ୟକୁ ଭୋଗ କରିବା ପାଇଁ ଯାହା ହାତଧରି ବାହା ହୋଇଥିଲା, ସିଏ ତ ସବୁବେଳେ ବିଦେଶରେ।

ଲକିଙ୍କ ଚାକିରୀରେ ହାତଗୋଡ଼ ନାହିଁ। ଗତବର୍ଷ ଆସିଥିଲେ ଯେ, ହଠାତ୍ ଡକରା ପଡ଼ିବାରୁ ଦି ଚାରିଦିନ ଯାଇ ନାହିଁ ପୁଣି ଦୌଡ଼ିଲେ ସୀମାନ୍ତକୁ। ଏ ସବୁକଥା ଅଭିମାନ ଭରା କଣ୍ଠରେ ବିକି ଭାଇକୁ ସେଦିନ କହି ବିଚାରୀ ଭାରି ମନଦୁଃଖ କରୁଥାଏ।

ବିକି ଭାଇ ଅବଶ୍ଯ କିଛିଟା ଆଶ୍ୱସନା ଦେଉଥାନ୍ତି -” କିଏ ଆଉ ଭାଗ୍ୟ ଲିପିକୁ ଆନ କରିପାରିବ କି? ତେବେ ଯାହା ଭାଗ୍ୟରେ ମିଳିଛି ଆଦରି ଯା’। ଆଉ ପିଛିଲା କଥାକୁ ମନେପକାଇ ନିଜକୁ ଆଦୌ କଷ୍ଟ ଦେ ନାହିଁ। “

ଇଚ୍ଛାମୟୀ କହିଲେ -” ସେ କଥା ସତ ଯେ, ହେଲେ ଆଜି ଗୋଟେ କଥା ମୋତେ ସତ କହିଲେ, ତୁମେ କ’ଣ ମୋତେ ଭଲ ପାଉ ନଥିଲ ନା ମୁଁ ତୁମ ପାଇଁ ଯୋଗ୍ୟା ନଥିଲି, ହେଲେ ଏ ପ୍ରସ୍ତାବଟା ମୋ ବାପାଙ୍କୁ ଦେଇ ପାରିଲ ନାହିଁ କାହିଁକି? ତୁମକୁ ବାହା ହୋଇଥିଲେ ଅତି କମ୍ ରେ ତ ବୈଧବ୍ୟ ଦଶା ଭୋଗିଲା ପରି ମୁଁ ଏମିତି ଏକୁଟିଆ ରହୁ ନଥା’ନ୍ତି।ହେଲେ ଏଥିରେ ତୁମେ କିନ୍ତୁ ମୋର ଦୋଷ ଦେଇପାରିବ ନାହିଁ, କାହିଁକିନା ମୁଁ ପରା ଝିଅପିଲା। ତୁମେ କହୁନ! ମୁଁ କେମିତି ମୋ ମନକଥା ଖୋଲିକି ଆଗ କହି ପାରିଥା’ନ୍ତି? “

ବିକି ଭାଇ ହତବାକ ହୋଇ କହିଲେ -” ତେବେ ତୁମକୁ ମୁଁ କ’ଣ ଏ ବିତ୍ତଶାଳୀ ଓ ସହରୀ ଜୀବନ ଦେଇ ପାରିଥା’ନ୍ତି?”

ଇଚ୍ଛାମୟୀ ଏକାଥରେ ଆହୁରି ଉଦଗ୍ରୀବତା ପ୍ରକାଶ କଲେ। କହିଲେ -” ଧିକ୍ ସେ ବୈଭବ ଓ ପ୍ରାଚୁର୍ଯ୍ୟକୁ ଯେଉଁଠି ମନ ପୋଡ଼ି ଯାଉଛି, ସେଠି ସୁନାରୂପା ଗହଣା କ’ଣ କିଛି ମାନେ ରଖେ ବିକି ଭାଇ? ତୁମେ ତ ସାହିତ୍ୟ ଶିକ୍ଷକ, ବିକି ଭାଇ! କହିପାରିବ ଜଣେ ନାରୀ ପ୍ରକୃତରେ କ’ଣ ଚାହେଁ?”

ଏତେବେଳକୁ ପରିବେଶରେ ସନଟା ଛାଇ ଯାଉଥିଲା। ଯେମିତି ଉଭୟ ଏ ପ୍ରଶ୍ନ ବାଣରେ ନିଜର ନିୟନ୍ତ୍ରଣ ହରାଉଥିଲେ। ପରିସ୍ଥିତି ବେକାବୁ ହେଉଥିଲା।

ବିକି ଭାଇକୁ ନିରୁତ୍ତରିତ ଦେଖି ଇଚ୍ଛାମୟୀ ଜଘଂଟାକୁ ହଲାଇ ଦେଇ ପଚାରିଲା -” କୁହ ବିକି ଭାଇ! ଆଜି କିନ୍ତୁ ତୁମେ ଚୁପ୍ ହୋଇ ରହିପାରିବ ନାହିଁ । ବିକି ଭାଇ ଦୁଇ ହାତରେ ଇଚ୍ଛାମୟୀ ହାତଟାକୁ ତୋଳିନେଇ କହିଲେ -” କ୍ଷମାକର ଇଚ୍ଛାମୟୀ , ମୁଁ ଏହାର ଉତ୍ତର ରଖିପାରିବି ନାହିଁ। ସେତେବେଳକୁ ସେ ଯେମିତି କେଉଁ ଅତୀତ ରାଇଜରେ ନିଜକୁ ହଜାଇ ଦେଇ କିଛି ଖୋଜି ହେଉଥିଲେ। ମନ ଓ ପ୍ରାଣ ସ୍ୱତଃ ରୋମାଞ୍ଚିତ ହୋଇଯାଉଥିଲା ଆଉ ଦେହରେ ବି ଶିହରଣ, ପୁଣି ଇଚ୍ଛାମୟୀ ସହିତ ବିତାଇଥିବା ଅତୀତର ସ୍ମୃତିଗୁଡ଼ାକ ଆଖି ସାମ୍ନାରେ ଥେଇଥେଇ ହୋଇ ନାଚିଉଠି ପରା ଭାରି ଅଥୟ କରୁଥିଲା।ତେଣୁ ସେ ଜଡ଼ ନିର୍ବେଦ ପାଲଟି ଯାଉଥିଲେ। କହିବା ପାଇଁ ମୁଖରୁ ବାଣୀ ସ୍ଫୃରୁ ନଥିଲା। ସେ ହୁଣ୍ଡା ହୋଇ ଯାଉଥିଲେ।

ଇଚ୍ଛାମୟୀ କିନ୍ତୁ ବିକି ଭାଇଙ୍କର ଏଇ ନିରବତାକୁ ବୋଧେ ଆଦୌ ବରଦାସ୍ତ କରିପାରୁ ନଥିଲେ। ତେଣୁ ସେ ବିକି ଭାଇର ହାତ ଦୁଇଟାକୁ ଛିଞ୍ଚାଡି ଦେଇ ନିଜ କାନିଟାକୁ ଟାଣିଆଣି ପାଟିରେ ପୂରାଇ ରଗଡ଼ି ରଗ ଶୁଝାଉଥିଲେ।

ଏତେବେଳେ ବିକି ଭାଇ ଇଚ୍ଛାମୟୀଙ୍କ ମନୋଭାବକୁ ତ ପଢ଼ିବା ପାଇଁ ବେଶ୍ ସକ୍ଷମ ଥିଲେ ହେଲେ ପରିବର୍ତ୍ତିତ ପରିସ୍ଥିତି ପାଖରେ କିଂକର୍ତ୍ତବ୍ଯ ବିମୂଢ଼ ହୋଇ ଯାଉଥିଲେ।
ଏତେବେଳକୁ ବିତି ଯାଇଥାଏ କେଯାଏ ସମୟ। ପରିସ୍ଥିତି ଯେମିତି ଭିନ୍ନ ମୋଡ଼ ନେଉଥିଲା, କାଳେ କିଛି ଘଟିବାର ଆଶଙ୍କାରେ ଚିତ୍ତ ବି ଆଚମ୍ବିତ ହେଉଥିଲା। ତେଣୁ ଇଚ୍ଛାମୟୀ କଥାକୁ ବାଆଁରେଇ ଯିବାକୁ ତ ଚେଷ୍ଟା କରି ବିକି ଭାଇ କେତେଟା ଶିଆଳିଆ ହାଇ ମାରି କହିଲେ – “ମୋତେ ନିଦ ଲାଗିଲାଣି, ଆଉ ଗପି ପାରିବି ନାହିଁ ଇଚ୍ଛାମୟୀ ! “ଏତକ କହି ସେ ଅତିଥି ରୁମ୍ କୁ ଚାଲିଲେ ଶୋଇବାକୁ।

ଇଚ୍ଛାମୟୀ ଭିତରେ ଯେମିତି ଯୁଗଯୁଗର ଅବସୋସ ଓ ଅବସାଦ। ସେ ବିରକ୍ତି ଓ ଅସୂୟା ପରବଶ ହୋଇ ଉଠି ଦୁମ୍ ଦୁମ୍ ହୋଇ ଚାଲିଯାଇ ଗୋଟେ କିଳିଣି ଦିଆ ଘର ଭିତରେ ପଶିଗଲେ ।
ଆଜି ଅମାବାସ୍ୟା ରାତି,ପିଶାଚର ବୁଲିବା ସମୟ। ଏଇଟା ଗୋଟେ ପୁରୁଣା କାଳିଆ କୋଠି ଯାହା ଇଚ୍ଛାମୟୀଙ୍କ ଶ୍ୱଶୁରଘରର ପୈତୃକ ସମ୍ପତ୍ତି। କିନ୍ତୁ ଲୋକବାକ ଶୂନ୍ୟରୁ ଘରଟା ପୂର୍ଣ୍ଣତଃ ବ୍ୟବହାର ହୋଇପାରେ ନାହିଁ। ଇଚ୍ଛାମୟୀର ଦୁଇଟା ଦିଅର ଓ ଯାଆ, ଜଣେ ଆମେରିକା ଓ ଆଉ ଜଣେ ଇଂଲଣ୍ଡରେ। ଶାଶୁଶ୍ଵଶୁରଙ୍କ ପରେ ଇଚ୍ଛାମୟୀ ଏକୁଟିଆ ଘର ଯଗିଛନ୍ତି।

ଏତିକି ବେଳକୁ ଘର ଭିତରୁ ଶୁଭିଲା ଛମକ ଛମକ ଚାଲି ଓ ବେସୁରା ରାଗିଣିରେ ତୋଳା ହୋଇଥିବା ଘୁଙ୍ଗୁରର ଝମଝମ ଶବ୍ଦ। ବିକି ଭାଇର ଆଖି ଲାଗି ଆସୁଥିଲା, ହଠାତ୍ ଚିଇଁକି ଉଠିଲେ। ଆଶ୍ଚର୍ଯ୍ୟ, ରାତି ଅଧରେ ଏ କେଉଁଠୁ କି ଶବ୍ଦ? ଅନୁସରଣ ଓ ଅନୁଧାବନ କଲେ। ଶେଷରେ ପହଞ୍ଚିଲେ ସେଇ ରହସ୍ୟମୟୀ କୋଠାରୀ ପାଖରେ। ସାହସ କରି ଦରଵାଜାଟାକୁ ଆସ୍ତେ କରି ଟିକିଏ ଆଡ଼େଇ ଫାଙ୍କରେ ଉଣ୍ଡି ଦେଖିଲେ – ଇଏ କି ଆଶ୍ଚର୍ଯ୍ୟ ଦୃଶ୍ୟବଳି ସବୁ ଅବଲୋକନ ହେଉଛି ।
ଇଚ୍ଛାମୟୀ ଏକରକମର ତ ଉଦଣ୍ଡ ନାଚ କରୁଥିଲେ ।ଅଣ୍ଟିରେ ଲୁଗା କାନିଟା ଖୋସା ହୋଇଥିଲା। ମୁଖ ମଣ୍ଡଳରେ କ୍ରୋଧାଅଗ୍ନି ପ୍ରଜ୍ଜ୍ଵଳିତ ହେଉଥିଲା। ପରିସ୍ଥିତି ବଡ଼ ବିଷମମୟ।

ପାଖରେ କେତେଗୁଡ଼ିଏ ପୁରୁଣା କାଳିଆ ରାଜକୀୟ ବାକ୍ସ ସବୁ ମହଜୁଦ ଥିଲା। ଗୋଟେ ଖୋଲା ବାକ୍ସରେ ଗହଣାଗାଣ୍ଠି ସବୁ ଉଚ୍ଛୁଳି ଦିଶୁଥିଲା। ଇଚ୍ଛାମୟୀ ଗୋଟେ ରାଜକୀୟ ଶାଢ଼ୀପିନ୍ଧି ପ୍ରସାଧାନ ସମାଗ୍ରୀ ସବୁ ଖୁବ୍ ବୋଳି ହୋଇଥିଲା। ସେ ଦେଖା ହେଉଥିଲା ଯେମିତି ରାଜକୁମାରୀ ଚନ୍ଦ୍ରାବତୀ ପରି। ଦରଵାଜାର ବାମ ପାର୍ଶ୍ଵକୁ ଅସିଆ ମସିହାର ପସିଆ ଆଇନଟିଏ ଥାଏ। ତାକୁ ଦେଖି ରାଜନର୍ତ୍ତକୀ ପରି ସେ ନାଚି ଚାଲିଥାଏ ଓ ନିଜ ଚେହେରାକୁ ନିଜେ ନିଖାରି ଦେଖୁଥାଏ। ଗର୍ମାକ୍ତ ଝାଳ ଗର୍ଦ୍ଦନ ଦେଇ ଗମଗମ ବୋହି ଯାଉଥାଏ। ଦେହରୁ ଉତ୍ତେଜକ ଅତର ଗନ୍ଧ ବି ଭାସି ଆସୁଥାଏ। କିନ୍ତୁ ଇଏ କି ନାଚ? ତେବେ ଇଚ୍ଛାମୟୀ ଭିତରେ କେଉଁ ଅତୃପ୍ତ ଆତ୍ମାର ଭୂତ ସବାର ହୋଇଛି ନା ସେ ନିଜେ ନିଜ ଅସନ୍ତୋଷକୁ ଝାଡୁଛି। କିଛି ବୁଝା ପଡୁ ନଥାଏ । କିନ୍ତୁ ତା ଭିତରେ ପୁଞ୍ଜିଭୂତ ବହୁ ଅପ୍ରାପ୍ତିଜନକ ହତାଶା। ସତରେ କ’ଣ ସେ ନିଜର ଜୀବନ ଓ ଯୌବନକୁ ନେଇ ଯୁଝି ହେଉଛି ନା ଉତ୍କଟ ଯୌନଲାଳସାରେ ଆଉଟି ପାଉଟି ହେଉଛି ।ତେବେ ଏମିତି ବାୟାଣୀ ପରିକା କାହିଁକି ହେଉଛି? ତା’ର ଏ ରୂପ ଦେଖି ବିକି ଭାଇ ଭୟ ପାଇଗଲେ। ତା’ର କିଳିକିଳା ରାବ ଓ ତାଣ୍ଡବ ଦେଖି ବିକି ଭାଇ ଭାବିଲେ- “ତା ସାମ୍ନାରେ ଏବେ ଯିଏ କେହି ପଡ଼ିବ ସେ ଝୁଣି ଖାଇଦେବ। “ତେଣୁ ସେ ଭୟରେ କମ୍ଫିବାକୁ ଲାଗିଲେ। ଭୟ ପାଇ ଥରଥର ପଦପାତରେ ପଛକୁ ଫେରିଲେ। ବେଡ୍ ସିଟ୍ ଟାକୁ ମୁହଁ ଉପରେ ଢଙ୍କେଇ ଦେଇ ଶୋଇ ପଡ଼ିଲେ।
କେତେବେଳେ ଯେ ନିଦ ଘୋଟିଯାଇଛି ଆଦୌ ଜାଣିହେଲା ନାହିଁ। ସକାଳୁ ଉଠିଲା ବେଳକୁ ଅନିନ୍ଦ୍ୟା ସୁନ୍ଦରୀ ଦେବୀ ମୂର୍ତ୍ତିଟିଏ ପାଖରେ ଚା ପିଆଲା ଧରି ଛିଡ଼ା ହୋଇଛି। ସେ ନିଜକୁ ଅବିଶ୍ବାସ କରୁଥା’ନ୍ତି ଇଏ ଯଦି ଇଚ୍ଛାମୟୀ ତେବେ ରାତିରେ ଦେଖିଥିବା ଭୂତୁଣୀ କିଏ। ପାଟିରେ ଅସ୍ପଷ୍ଟ ଧ୍ଵନି ଥିଲା – “କି, କିଏ? “
ଇଚ୍ଛାମୟୀ ହସିଦେଇ କହିଲେ – “ବିକି ଭାଇ ଏମିତି ଭୂତ ଦେଖିଲା ପରି କ’ଣ ହେଉଛ? ମୁଁ ପରା ଇଚ୍ଛାମୟୀ , ତୁମ ସାମ୍ନାରେ ଛିଡ଼ା ହୋଇଛି। ଘଣ୍ଟାରେ ନଅଟା ବାଜିଲାଣି ତଥାପି କ’ଣ ନିଦ ଭାଙ୍ଗି ନାହିଁ? ବିକି ଭାଇ ଚା ପିଇଦେଇ ତରବରରେ ଲୁଗାପଟା ପିନ୍ଧିଦେଇ ଧାଇଁଲେ ମେଡିକାଲ୍। ପଛରୁ ଇଚ୍ଛାମୟୀ ଡାକୁଥାଏ – ବିକି ଭାଇ! ଜଳଖିଆ ତ ଖାଇ କି ଯାଅ। “
ସେ କହୁଥା’ନ୍ତି – ନା ଆଉ ରୋକି ହେବ ନାହିଁ, ଆଉଟ ଡୋର ଖୋଲିଯିବଣି, ଡେରିକଲେ ଲମ୍ବା ଲାଇନ୍ ଲାଗିଯିବ।”

ହେଲେ ରାତିର ଘଟନାବଳିକୁ ନେଇ ସେ ଚକିତ ହେଉଥିଲେ, ସେ କଥା ତାଙ୍କ ମନରୁ ଆଦୌ ଲିଭୁ ନଥାଏ।

୨.ସହଜ ନଥିଲା

ବାସ୍ତବରେ ଏହା ଏତେଟା ସହଜ ନଥିଲା। ଆଜିକାଲି ଯେମିତି ପାଠ ପଢିବା ପାଇଁ ଲମ୍ବା ଲାଇନ୍ ଲାଗୁଛି, ସେତେବେଳେ କିନ୍ତୁ ଏମିତି ନଥିଲା। ତେଣୁ ଭାଗ୍ୟରେ ଥିଲେ ପାଠ କେରାକ କରମରେ ଯୁଟୁଥିଲା ନହେଲେ ନାହିଁ, ଅଧିକାଂଶ ଘରେ ପରା ପାଠଘର ଶୂନ୍। ଯାହାବି ହେଉ ଦୁଖିଆ ଆମର ପାଠ ଦି ଅକ୍ଷର ପଢ଼ିଥିଲା। ଅବଶ୍ଯ ଏଥିପାଇଁ ତାକୁ ଠେକିଏ ପାଣି ପିଇବାକୁ ପଡ଼ିଥିଲା। ଓଃ ହୋ ସେ ଯେଉଁ କଷ୍ଟ, ସେକଥା ଗୁଡ଼ାକ ଇଲାଗେ ତୁଣ୍ଡରେ ନ ଧରିଲେ ଭଲ ।
ଦୁଖିଆ ଗୋଟେ ଦରିଦ୍ର ବାପାମାଆ କୋଳରେ ଜନ୍ମଗ୍ରହଣ କରିଥିଲା। ବାପା ଶୁକ ମୂଲ ଲାଗିଲେ ପେଟ ପୋଷେ ।ସେଇ ସେତିକିରେ ଯାହା ପରିବାର ଚଳେ। ଆଉ ଯାହା ବାଡ଼ି ବଗାୟତରୁ ଶାଗ ମାରିଚ କେରାଏ ହୁଏ ।ଟେକା ପାଣିରେ ଜେଜେମା’ ବାଇଗଣ, ଭେଣ୍ଡି ଓ ଲଙ୍କା ମାରିଚ ଦିଟା ଭଲ ଉଗାଳେ ।ବାଡ଼ି ପଛପଟ ନଉତି ପାଖରେ ଜେଜେ ଝଟାଝାଟି ଓ ବାଉଁଶ ଅଗିଲାରେ ମଞ୍ଚା ପାରି ଦେଇଥାଏ।ଜେଜେମା’ ମଞ୍ଜି ପୋତି ଦିଏ ।ବୋଉ ସେଇ ମଞ୍ଚା ଉପରକୁ ଛଞ୍ଚିଣା, କାକୁଡ଼ି ଓ ଜହ୍ନି ଗଛ ଅଳ୍ପ କେଇଟା ମଡ଼ାଇ ଦେଇଥାଏ ।ଛଣ ଛପର ଓ ଝାଟିମାଟିର ଘର। ତେଣୁ ପିଢ଼ା ଉପରେ ବୋଇତାଳୁ କେଇଟା ତରା ଉଇଁଲା ଭଳିଆ ଉଇଁଥାଏ ।ମଥାନ ଉପରେ କଖାରୁ କେଇଟା ବି ଥୁଆ ହୋଇଥାଏ। ଆଉ କେଇବେଳେ ବୋଉ ଲାହୁ ଓ ପୋଇ ଗଛ କେଇଟା ଗୁହାଳ ମଥାନ ଉପରେ ମଡ଼ାଇ ଦିଏ ।ଯେଉଁଠି ଛଣ ପଚି ଯାଇଥାଏ, ତେଣୁ ଛତୁ ଦିଟା ବି ଫୁଟେ ।ରାଇ ବେସରରେ ଛତୁପୋଡ଼ା ଭାରି ସ୍ୱାଦିଷ୍ଠ ଲାଗେ ।ତେଣୁ ତିଅଣ ପାଇଁ ଚିନ୍ତା ନାହିଁ। ବିଲବାଡ଼ିରେ ଯେତିକି ଧାନ ହୁଏ ବର୍ଷକ ଖାଇ ଖୋରାକି ତ କୌଣସି ମତେ ଚଳିଯାଏ। ବାଆ ବାହା ପିଟି ପରଘରେ ମୂଲ ଲାଗି ଯେଉଁ ଦିପଇସା ଆଣେ, ସେଥିରେ ତେଲଲୁଣ ସୌଦା ଖର୍ଚ୍ଚ ହୁଏ ।ତେଣୁ ଅଭାବ ଅନାଟନ ଭିତରେ ବି ଦୁଖିଆ ଘର ଭଲ ଚଳନ୍ତି ।

ଢିଙ୍କି କୁଟିଲେ ତ ଚାଉଳ, ଆଉ ଚିନ୍ତା କ’ଣ। ବାଡ଼ି ଚୁଆ ଗାଡ଼ିଆରେ ବି ଚୁନା ମାଛ ଓ କୋଉଗଡ଼ିଶା ମିଳନ୍ତି ।ଦାୟ ଦରକାର ବେଳେ କାମରେ ଲାଗିଯାଏ। ଘରକୁ ଯେଉଁଦିନ ମାମୁ କି ପିଉସା ଆସନ୍ତି ଭାଡ଼ିରୁ ରାତି ବେଳକୁ ବାଆ ଗୋଟେ କୁକୁଡ଼ା ଭିଡ଼ିଆଣେ, ମାଉଁସ ଝୋଳ ହୁଏ ।ସେଦିନ ବଡ଼ ଆନନ୍ଦ। ପାଟିରେ ଟିକିଏ ବାସନା ଝୋଳ ବାଜେ ।ତେଣୁ ଦୁଖିଆ ଭାବେ ନିଇତି ପିଉସା ନହେଲେ ମାମୁ ଆସନ୍ତେ କି, ଖାଇବାଟା ଟିକିଏ ଜମକ ହୁଅନ୍ତା ।କିନ୍ତୁ ତାହା କି ସମ୍ଭବ?ଘରକୁ ସତରେ କୁଣିଆ ଆସିଲେ ଭଲ ।କାହିଁକିନା କୁଣିଆ ଆସିଲେ ବୋଉ ମସୁରଆଳୁ ଓ ଖଡ଼ା ପକାଇ ଡାଲମା କରେ, ପାଟିରୁ ପରା ଟିକେ ଛାଡେ ନାହିଁ ।ନହେଲେ ନିଇତି ସେଇ ଶାଗପରିବା କିଏସେ ଖାଇବ? ତା ଅପେକ୍ଷା ବରଂ ଭଲ ଆମ୍ବୁଲ ନହେଲେ ତେନ୍ତୁଳି ପକାଇ ସୁଖିଆ ଝୋଳକୁ ବାସି ପଖାଳ ।

ଅବଶ୍ଯ ଯେଉଁ ବର୍ଷ ମରୁଡ଼ି ପଡ଼ିଥିଲା, ସେ ବର୍ଷ ଓଳିଏ ବଲଗର ଖାଇ ଜୀବନ ନିର୍ବାହ କରିବାକୁ ପଡ଼ିଥିଲା। ଜେଜେମା’ ବି ପଡ଼ିଆ ଝଡ଼ିଆରେ ବୁଲି ସୁଆଁ ଚାଉଳ ସଂଗ୍ରହ କରି ଖିରି କରିଦିଏ ।କୌଣସି ପ୍ରକାରେ ଗୁଜୁରାଣ ମେଣ୍ଟିଯାଏ। ଘରକୁ ସିଏ କୋଉ ଏକା କି, ତଳକୁ ତଳ ପରା ଆହୁରି ସାନ ସାନ ଦୁଇ ଭଉଣୀ ଓ ଦୁଇ ଭାଇ ଥିଲେ। ବହୁ ପ୍ରାଣୀ କୁଟୁମ୍ବକୁ ନେଇ ଘର ଚଳେଇବା ଏତେ ସହଜ କଥା ନୂହେଁ। ବାପା କିନ୍ତୁ ସବୁଟାକୁ କେମିତି କେଜାଣି ତୁଲାଇ ନେଉଥିଲେ।

ଯାହାବି ହେଉ ଦୁଖିଆଟା ଏଣିକି ଟିକିଏ ବଡ଼ ହୋଇଗଲାଣି। ହେଲେ ପାଠପଢ଼ିବାର ମୋଟେ ନାଁ ଗନ୍ଧ ଧରୁ ନାହିଁ, ଭାରି ଖେଳୁଆଡ଼। ସେତେବେଳେ ଅଭିଭାବକମାନେ ବି ଏତେ କୋଉ ତତ୍ପରତା ପ୍ରକାଶ କରୁଥିଲେ କି? ଏବେ ସିନା ଛୁଆକୁ ତିନି ବର୍ଷ ନହେଉଣୁ ବାପାମାଆଙ୍କୁ ଥୟ ନାହିଁ ସ୍କୁଲ ନପଠାଇଲା ଯାଏ ।
ଯାହାବି ହେଉ କିନ୍ତୁ ଦିନେ ସ୍କୁଲରୁ ମାଷ୍ଟର ଆସି ଗାଁ ଗାଁ ବୁଲି ଘରୁ ଛୁଆ ସଂଗ୍ରହ କରୁଥିଲେ- ସ୍କୁଲରେ ନାଁ ଲେଖେଇବା ପାଇଁ।ଦୁଖିଆ ତ ରଙ୍କ ମାଷ୍ଟର ହାତରେ ପଡ଼ିଗଲା ।ସେ ତାକୁ ନେଇ ସ୍କୁଲରେ ନାଁ ଲେଖିଦେଲେ। ସେତେବଳକୁ ତା’ର ବୟସ ସାତ /ଆଠ ବର୍ଷ ହୋଇଗଲାଣି। ସାଙ୍ଗସାଥି ମେଳ ଦେଖିକି ସ୍କୁଲ ତାକୁ ଏଣିକି ଭଲ ଲାଗିଲା।
ସେ ପ୍ରତ୍ୟେହ ସ୍କୁଲ ଆସେ। ସାର୍ ଯାହା କୁହନ୍ତି, ମନ ଦେଇ ଶୁଣେ ।ପାଠ ବି ଭଲ ହେଲାଣି। ଗାଁ ସ୍କୁଲରୁ ପ୍ରାଇମେରୀ ଓ ଏମ୍. ଇ. ସ୍କୁଲ ସରିଲା। ଏଣିକି ପାଖ ଗାଁ ହାଇସ୍କୁଲକୁ ଯିବ।

ତା’ର ଇଚ୍ଛା ସେ ମାର୍କୋଣା ଉଚ୍ଚ ବିଦ୍ୟାଳୟରେ ପଢ଼ିବ, କାହିଁକିନା ପଢ଼ିବ ତ ଟିକିଏ ଭଲ ସ୍କୁଲରେ ପଢ଼ିବ ଯାହାର ଟିକିଏ ନାଁ ଅଛି। କିନ୍ତୁ ସେ ଜାଣିବା ଆଗରୁ ତା ସାର୍ଟିଫିକେଟ୍ ପାଖ କୁଣ୍ଡ ସ୍କୁଲର ହେଡ୍ ମାଷ୍ଟ୍ରେ ଆସି ନେଇ ସାରିଥିଲେ ।କାରଣ ପାଖଆଖ ଗ୍ରାମବାସୀଙ୍କ ଚାନ୍ଦା ଓ ଉଦ୍ୟମରେ ନୂଆ କରି ଗଢ଼ି ଉଠିଥିବା ସେଇ ସ୍କୁଲରେ ପିଲାଙ୍କ ଉପସ୍ଥାପନ ବଢ଼ାଇବା ଆବଶ୍ୟକ ଥିଲା। ଯାହାବି ହେଉ ଅନିଚ୍ଛାକୃତ ଭାବେ ଦୁଖିଆ ସେଠାକୁ ପଢ଼ିବାକୁ ଗଲା ।କିନ୍ତୁ ସ୍କୁଲ ଯିବାରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଥିଲା।ବାଟରେ କାଂସବାଂଶ ଦୁଇଟି ନଦୀ ପାରି ହେବାକୁ ହୁଏ।ପୁଣି ଆର ଗାଁରେ ପଶିଲା କ୍ଷଣି ଆଣ୍ଠୁଏ କାଦୁଅରେ ପଶି ଯିବାକୁ ହେଉଥିଲା ।

ଏହି ଅପନ୍ତରା ପାଣି କାଦୁଅରେ ସବୁବେଳେ ଚବର ଚବର ହୋଇ ଯିବାଆସିବା କରିବା ଦ୍ୱାରା ଦୁଖିଆର ଗୋଡ଼ରେ ତ ପାଣିକନ୍ଦା ବାହାରିଗଲା ପୁଣି ପିଚାରେ କାଛୁ ସବୁ ବାହାରି ପଡ଼ି ନଶିଦେଲା। ତେଣୁ ସେ କ’ଣ କରେ କି, ସ୍କୁଲରେ ସବୁବେଳେ ଆଗରେ ନବସି ପଛରେ ବସେ ।ଆଉ ତାକୁ ଉତ୍ତର ସବୁ ଜଣା ଥିଲେ ବି ସେ ଉତ୍ତର ରଖେ ନାହିଁ। କାହିଁକିନା ବାରମ୍ବାର ଉଠିଲେ ତା କାଛୁରୁ ଛାଲ ଉତୁରି ଯିବ ।ଏପରିକି ସେ ଦଶ/ପନ୍ଦର ଦିନ ଧରି ଆଦୌ ଗାଧାଏ ନାହିଁ କି ପ୍ୟାଣ୍ଟ ବଦଳାଏ ନାହିଁ ।କାହିଁକିନା ପ୍ୟାଣ୍ଟ୍ ସହ କାଛୁ ଗୁଡ଼ାକ ଏମିତି ଚିପିକି ଯାଇଥାଏ ଯେ, ସେ ଯଦି ପ୍ୟାଣ୍ଟ୍ ଖୋଲିଲା ନା, ତାହେଲେ ଫାଳ ଫାଳ ହୋଇ ବକଳ ସବୁ ଉଠିଯାଏ ।ଆହୁରି ବୁଢୀମା’ ଦିନେ ଏଇକଥା ଜାଣିପାରି କରଞ୍ଜ ତେଲରେ କନିଅର ପତ୍ର ପକାଇ ଫୁଟାଇ ଲଗାଇଦେଲା ଯେ, ସେଇ ଦିନଠାରୁ ଯାଇକି କାଛୁ ଯାଇଛି ।

ଖରାଦିନ କଥା ଅଲଗା କିନ୍ତୁ ବର୍ଷାଦିନେ ପିଲା କେମିତି ନଦୀ ପାର ହୋଇ ନିଇତି ଯିବେ ବୋଲି ଭାଳେଣି ପଡ଼ିଲା ।ପୁଣି ନଦୀରେ ପାଣି ଭରା ହେଲେ ଆଧିକାଂଶ ଦିନ କ୍ଲାସ୍ ବି ବନ୍ଦ ହୋଇ ପାଠପଢ଼ା ମାରା ପଡ଼େ ।ତେଣୁ ମ୍ଯାନେଜିଂ କମିଟି ବସି ଈଶ୍ଵରପୁରକୁ ଗୋଟେ ମାଷ୍ଟର ଦେଲେ। ସେ ଈଶ୍ଵରପୁରରେ ରହି ପାଳିକରି ପିଲାଙ୍କ ଘରେ ଖାଇଲେ ଓ ଛୁଆଙ୍କୁ ନେବାଆଣିବା ଠାରୁ ପଢ଼େଇବା ଦାୟିତ୍ଵ ବି ନେଲେ ।କାରଣ ସେତେବେଳେ ଏଇ ପ୍ରାଇଭେଟ୍ ସ୍କୁଲରେ ମାଷ୍ଟରମାନେ ବିନା ଦରମାରେ ଖଟିଣି ବେଶୀ କରୁଥିଲେ, କିନ୍ତୁ ଗୋଟେ ଭବିଷ୍ୟତ ଆଶାରେ ପଡ଼ି ରହୁଥିଲେ ।ଯାହାବି ହେଉ ସବୁ ଠିକ୍ଠାକ୍ ଚାଲିଥିଲା ଯେ, ସେଦିନ କିନ୍ତୁ ଗୋଟେ ଅଘଟଣ ଘଟିଗଲା।

ଈଶ୍ଵରପୁରରୁ ସାର୍ ଓ ପିଲାଙ୍କୁ ଲଗେଇ ମୋଟ ଚାରି ଜଣ ଯିବାଆସିବା କରନ୍ତି। ସେଠାରେ ତାଳ ଗଛରେ ନିର୍ମିତ ଗୋଟେ ଫାଳିକିଆ ଡଙ୍ଗା ପଡ଼ିଥାଏ ।ତେଣୁ ଯାତ୍ରୀମାନେ ନିଜ ହିସାବରେ ଆହୁଲା ମାରି ନିଜେ ଯାଆନ୍ତି। ପୁଣି ସେପଟେ ଡଙ୍ଗା ଥୋଇଦେଇ ନିଜ ନିଜ ଧନ୍ଦାରେ ଚାଲିଯାଆନ୍ତି।
ଦିନେ କ’ଣ ହୋଇଛି ନା ସବୁ ପିଲା ଓ ସାର୍ ଡଙ୍ଗାରେ ବସି ଦଶ କଦମ ପାଣି ଭିତରକୁ ଚାଲିଗଲେଣି। ଏଇ ସମୟରେ ମଧୁ ଆସି ପହଞ୍ଚିଲା। ତା’ ର ଆସିବା ଟିକିଏ ବିଳମ୍ବ ହୋଇ ଯାଇଥିଲା। ସେ କିନ୍ତୁ ଆଉ ଆଗପଛ କିଛି ନ ଭାବି ସିଧା ଆଡ଼ି ଉପରୁ ଥାଇ ଡଙ୍ଗା ଭିତରକୁ ଡିଆଁ ମାରିଦେଲା। ହାତରେ କାତଟା ପଡ଼ିଯିବାରୁ ଏତେ ଜୋର୍ ମାରିଦେଲା ଯେ ଡଙ୍ଗା ଯାଇ ଏକାଥରକେ ମଝି ନଈରେ ।କିନ୍ତୁ ହାତରେ ଆଉ କାତ ନାହିଁ ।ତେଣୁ ଭାରସାମ୍ୟ ହରାଇ ଡଙ୍ଗାରେ ପାଣି ପଶିଗଲା ।କଷ୍ଟେମଷ୍ଟେ ଆହୁଲା ମାରି ଆଉ ଟିକିଏ କୂଳ ଆଡ଼କୁ ଗଲେ। ତଥାପି ଡଙ୍ଗା ବୁଡ଼ିଗଲା ।ପହଁରା ଶିଖିଥିବାରୁ ସମସ୍ତେ ଜୀବନ ବଞ୍ଚାଇ ଆଡ଼ି ଉପରକୁ ଆସିଲେ। ସ୍କୁଲ ବସ୍ତାନି କିନ୍ତୁ ସେଇଠି ବୁଡ଼ି ରହିଲା ।ପୁଣି ଖବର ପାଇ ଲୋକମାନେ ଆସିଲେ, ବସ୍ତାନି ଉଦ୍ଧାର ହେଲା ।ଗାଁ ଲୋକେ ଚୁଲିକନ୍ଧାରେ ଫର୍ଦ୍ଦି ଫର୍ଦ୍ଦି ବହିଖାତା ଓଲଟାଇ ଓ ଶୁଖାଇ ପରେ ଦେଲେ। ସେଇଦିନଠାରୁ ଦୁଖିଆ ସ୍ଥିର କରିନେଲା ଯେ, ସେ ଆଉ ଏତେ କଷ୍ଟ କରି ଏ ସ୍କୁଲରେ ପଢ଼ିବ ନାହିଁ ।ଯେମିତି ହେଲେ ଆସନ୍ତା ବର୍ଷକୁ ମାର୍କୋଣା ହାଇସ୍କୁଲରେ ପଢ଼ିବ।
ହେଲେ ତିନି ଚାରି କିଲୋମିଟର ସେ ଯିବ କେମିତି। ତା ପାଇଁ ଗୋଟେ ପୁରୁଣା ସାଇକେଲ୍ କିଣାଗଲା। ସେଥିରେ ସେ ବାଙ୍ଗୁରୁ ଠୁଣୁକା ଖଣ୍ଡକ ସିଟ୍ ଉପରକୁ ତ ଉଠିପାରେ ନାହିଁ, କିନ୍ତୁ ସାଇକେଲ୍ ମଝିରେ ଗୋଡ଼ ପୂରାଇ ପେଡାଲ୍ ମାରି ସାଇକେଲ୍ ଭଲ ବାହେ। ସେଇମିତି ସେଇମିତି ଯିବାଆସିବା କରି ସେ ପଢ଼ି ଲାଗିଲା।
ସେ ସ୍କୁଲରେ ପଢ଼ାପଢ଼ି ଖୁବ୍ ଭଲ ହେଉଥିଲା। କିନ୍ତୁ ହଠାତ୍ ଅଙ୍କ ମାଷ୍ଟ୍ରେ ବଦଳି ହୋଇଯିବାରୁ ଆଉ କେହି ବଦଳିଆ ମାଷ୍ଟ୍ରେ ଆସିଲେ ନାହିଁ ।ସେତେବେଳକୁ ଏକାଦଶ ଶ୍ରେଣୀ। ତେଣୁ ପି. ଟି. ମାଷ୍ଟ୍ର ସନା ମହାକୁଡ ସାଥୀବହି ଦେଖିକି ଅଙ୍କ ପଢ଼ାଇଲେ।ସେ ଅଙ୍କ କ’ଣ ପଢ଼ାନ୍ତି କି, ଓଲଟା କହିବେ – “କାହିଁକି ବ୍ୟସ୍ତ ହେଉଛ, ମୋ ବିଷୟରେ କେହି ଫେଲ୍ ହେବ ନାହିଁ। ତୁମେ ପଢ଼ କି ନପଢ଼, ମୁଁ କପି ଦେବି ତୁମେ ଉତ୍ତାରି ଦେବ ।”

ହୋଉ ହେଲା, ମାଟ୍ରିକ୍ ପରୀକ୍ଷା ସେଣ୍ଟର ସିମୁଳିଆ ସ୍କୁଲରେ ପଡ଼ିଲା। ଗଣିତ ପରୀକ୍ଷା ଦିନ ସେ ବାଉଣ୍ଡ୍ରୀ ଡେଇଁ ଝିଅ ଛୁଆଙ୍କୁ ଥରେ ଦୁଇଥର କପି ଦେଇଛନ୍ତି ।ହେଲେ ପୁଅ ଛୁଆଙ୍କ ପାଖକୁ ଆସିବାକୁ ତାଙ୍କୁ ତର ହୋଇନାହିଁ। କୋଉଠି ତ ଥିଲେ ସ୍କ୍ବାର୍ଡବାଲା ପହଞ୍ଚିଗଲେ ।ପୋଲିସକୁ ଦେଖି ପି. ଟି. ମାଷ୍ଟ୍ର ବାଉଣ୍ଡ୍ରୀ ୱାଲ୍ ଡେଇଁ ଏକାବେଳକେ ପାର ।ତେଣୁ ପରୀକ୍ଷା ସରିଲା। ସବୁଥିରେ ଦୁଖିଆ ଭଲ ନମ୍ବର ରଖିଲେ କ’ଣ ହେବ, ଗଣିତରେ ପରା ଫେଲ୍।
ତେଣୁ ସାନମାମୁ ଥରେ ଘରକୁ ଆସିଥିଲେ ।ସେ ବୋଉକୁ କହିଲେ – “ମୋ ସହିତ ଦୁଖିଆକୁ ନେଇଯାଉଛି, ସେ ମୋ ପାଖରେ ରହି ବିଦେଇପୁରରେ ପଢ଼ିବ।”

ତେଣୁ ଦୁଖିଆ ସାନମାମୁ ସହ ଯାଇ ବିଦେଇପୁର ସ୍କୁଲରେ ପଢ଼ିଲା ।ମାମୁ ଖୋଦ୍ ସେଠାକାର ଗଣିତ ଶିକ୍ଷକ ।
ସେଠି ସେ ଦିନରେ ସାନମାମୁ ସହ ସ୍କୁଲ ଯାଏ ଓ ସାଥିରେ ଫେରେ। ରାତି ହେଲେ ସାନମାମୁ ଖୁଆଡ଼େ ପିଲାଙ୍କ ସହ ତାକୁ ବି ପଢ଼ାନ୍ତି ।ଟ୍ୟୁସନ ପିଲା ଯାଇ ସାରିଲା ପରେ ବଡ଼ମାମୁ ପୁଅ କୁନା ଭାଇ ଗାଈଗୋରୁଙ୍କୁ କୁଣ୍ଡାତୋରାଣୀ ଦିଏ ।ଇଏ ବି ଟିକିଏ ସାହାଯ୍ଯ କରେ। ତାଙ୍କର ଖୁଆଡ଼େ ଗାଈଗୋରୁ। ୟାକୁ କେବଳ ଗୋଟେ କାମ ବଡ଼ମାମୁ ଦେଇଥାନ୍ତି ଯେ, ସେ ସ୍କୁଲରୁ ଫେରି କୁଟା ବଦାଡ଼ିରୁ କୁଟା ଓଲାରି ନିଇତି ଆଣି ଗୋରୁଙ୍କ ପାଖରେ ପକାଇବ ।ସମସ୍ତେ ଯେହେତୁ କିଛି କିଛି କାମ କରୁଛନ୍ତି ଇଏ ବା କାହିଁକି ନାହିଁ କରିଥାନ୍ତା। କିନ୍ତୁ କୁଟା ବଦାଡ଼ିରୁ କୁଟା ଟାଣିବା କୌଣସି କଠିନ କାମଠାରୁ ବି କିଛି କମ୍ ନୂହେଁ, କାହିଁକିନା ବସି ଯାଇଥିବା କୁଟା ବଦାଡ଼ିରୁ କୁଟା ଟାଣି ଟାଣି ବାହା ପରା ପଡ଼ିଯାଏ। ସକାଳୁ ବି ହଳିଆଙ୍କ ପାଖକୁ ଭାର କାନ୍ଧେଇ ଭାତପାଣି ନେଇକି ଯିବାକୁ ହୁଏ ।ଏଇ କାମଟି କିନ୍ତୁ ଦିନେ କୁନା ଭାଇ କଲେ ଆଉ ଦିନେ ଦୁଖିଆର ପାଳି ପଡ଼େ।
ଯାହା ବି ହେଉ ମାଟ୍ରିକ୍ ଖଣ୍ଡକ ପାସ୍ କରିଗଲା ।ଏଥର କଲେଜ୍ ଯିବ ।

ତା’ର ଭାରି ଇଚ୍ଛା ଥିଲା, ସେ ଭଦ୍ରକ କଲେଜରେ ପଢିବ। କିନ୍ତୁ ସାନମାମୁ ତରବର ହୋଇ ତାକୁ ପାଳିଆ କଲେଜରେ ଆଡମିସନ କରେଇଦେଲେ ।ସେ କିନ୍ତୁ ରାଗରେ ପାଳିଆ କଲେଜ ଗଲା ନାହିଁ। ସାଙ୍ଗ ପାଖରେ ହଷ୍ଟେଲରେ ରହି ଭଦ୍ରକ କଲେଜରେ ପଢ଼ିବକୁ ଲାଗିଲା। କିନ୍ତୁ ପରୀକ୍ଷା ପାଇଁ ଫର୍ମ ଫିଲ୍ ଅପ୍ କଲାବେଳକୁ ପାଳିଆ କଲେଜ ଗଲା ।ଅଧ୍ୟାପକମାନେ ଦେଖି କହିଲେ – “ତୋତେ କାହିଁ ଦିନେକାଳେ ଆମେ କ୍ଲାସରେ ତ ଦେଖି ନାହୁଁ। ରହି ଥା! ପ୍ରାକ୍ଟିକାଲ୍ ଏକଜାମ୍ ହେଉ, ସେତେବେଳେ କଥାବାର୍ତ୍ତା।”
ସତକୁ ସତ ସବୁ ପେପରରେ ଦୁଖିଆ ଭଲ କରିଥିଲେ ବି ତାକୁ ପ୍ରାକ୍ଟିକାଲ୍ ରେ ଫେଲ୍ କରିଦେଲେ। ତେଣୁ ସେ ମନଦୁଃଖରେ ରହିଲା।
ଏଇ ସମୟରେ ସାନମାମୁ ପୁଣି ଘରକୁ ଆସିଥିଲେ ।ସେ ଶାନ୍ତ୍ୱନା ଦେଇ କହିଲେ -” କ’ଣ ଖାଲି ବିଏସି /ଏମ. ଏସି କରିକି ହେବ କହନି।ବରଂ ମୋତେ ଦଶ ହଜାର ଟଙ୍କା ଦିଅ। ମୁଁ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଜିଲ୍ଲା ଅନ୍ତର୍ଗତ ଗୁଣ୍ଡୁରୁଠାରେ ଥିବା ବିଶେଶ୍ବରାୟା ମାଇନିଂ ଇନଷ୍ଟିଚୁଟରେ ଆଡ଼ମିସନ୍ କରେଇଦେବି ।ସେଠି ସେ ପଢ଼ି ସଙ୍ଗେ ସଙ୍ଗେ ଚାକିରୀ ଖଣ୍ଡେ ପାଇଯିବ।”
ସାନମାମୁ ଶେଷରେ ସେୟା ବି କଲେ ।ଦୁଖିଆର ବଡ଼ପାଠ ପଢ଼ିବ ବୋଲି ଯେଉଁ ବଡ଼ସ୍ଵପ୍ନ ଥିଲା, ସେଇଠି ରହିଗଲା। ଶେଷରେ ସେ ସାନମାମୁଙ୍କ କଥାରେ ଯାଇ ସେଠାରେ ପଢ଼ିଲା।
ସେଠି ବି ଗୋଟେ ଦୁର୍ବାର ସମସ୍ୟା ସ୍ରୁଷ୍ଟି ହେଲା। ଥରେ ଆନ୍ଧ୍ର ଓ ଓଡ଼ିଶା ପିଲାଙ୍କ ଭିତରେ ଗଣ୍ଡଗୋଳ ସ୍ରୁଷ୍ଟି ହେଲା ।ଭାଷା ବିବାଦ ଦେଖାଦେଲା। ଆନ୍ଧ୍ରା ଓ ତେଲଗୁ ଭାବ ରଖି ସେମାନେ ନାନା ହଇରାଣ ହରକତ କଲେ ।ଓଡ଼ିଆ ପିଲା ବି ତାଙ୍କୁ ଖୁବ୍ ବାଡ଼େଇଲେ। ଏମିତି ହେଲା ଯେ, ଶେଷରେ କେସ୍ ହୋଇଗଲା। ପୋଲିସ୍ ଖୋଜିଲା। ତେଣୁ ରାତାରାତି ଏମାନେ ପ୍ରାୟ ଶହେ କିଲୋ ମିଟର ଚାଲି ଚାଲି ବାଟ ଅବାଟରେ ଆସି ବିଶାଖା ପାଟଣାରୁ ଟ୍ରେନ ଚଢ଼ି ଘରକୁ ଫେରି ଆସିଲେ ।ବହୁଦିନ ପରେ ସଂସ୍ଥାର କର୍ମକର୍ତ୍ତା ଓ ଅଧ୍ୟକ୍ଷ ମିଶି ଘଟଣା ରଫାଦଫା କଲେ ।ପୁଣି ସ୍ୱାଭାବିକ ଭାବେ ପଢ଼ାପଢ଼ି ହେଲା। ପଢ଼ା ପରେ ସତକୁସତ ଦୁଖିଆ କ୍ୟାମ୍ପସ୍ ପାଇ ଇମ୍ଫାରେ ଚାକିରୀ ପାଇଗଲା ।ପଢ଼ା ଜୀବନର ସଙ୍ଘର୍ଷ ସେତିକିରେ ସରିଲା।

ବାପରେ ବାପ କେତେ ସଂଘର୍ଷ କରିବାକୁ ନ ପଡ଼ିଛି ସତେ ।କମ୍ ଟିକିଏ କଠିନ ସାଧନା ତହିଁରେ କ’ଣ ନିହିତ କି ? ଆଜିର ପିଲାଙ୍କୁ ଏତିକି କଷ୍ଟ ପଡ଼ିଲେ ସେ ସବୁ ଛାଡ଼ିଛୁଡାକି ଆସି ଘରେ ବସନ୍ତେ।

ବାସ୍ତବରେ ସେତେବେଳକାର ପାଠ ଆଉ ଏତେ ବେଳକାର ପାଠ ଭିତରେ ଆକାଶ ପାତାଳ ଫରକ। ପ୍ରଭେଦ କ’ଣକି , ସେତେବେଳେ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିକି ବି ପିଲା ପାଠ ପଢୁଥିଲେ ଆଉ ଅଧାଖଣ୍ଡିଆ ହେଉ ପଛକେ ପାଠପଢ଼ି ମଣିଷ ହେଉଥିଲେ। ଏବେ ତ ପାଠପଢ଼ିବା ପାଇଁ ସମସ୍ତ ସାଧନ ଅଛି ।ଗଣ୍ଡା ଗଣ୍ଡା ସ୍କୁଲ କଲେଜ ବି ଚାରିଆଡ଼େ ଖୋଲିଗଲାଣି ।ତଥାପି ପିଲାଏ ପାଠପଢୁ ନାହାନ୍ତି। ପାଠ ବ୍ୟତୀତ ଅନ୍ୟାନ୍ୟ ସାଠ ଜ୍ଞାନ ବି କେଉଁ ଅଛିକି? ବାପାମାଆ ପରା ଛୁଆ ମଣିଷ ହେବେ ବୋଲି କହିକି ଅନ୍ୟ କୌଣସି ଦାୟିତ୍ଵ ପିଲାମାନଙ୍କୁ ଦେଉ ନାହାନ୍ତି। ତେଣୁ ଏମାନେ ସବୁବେଳେ ଫୁଲା ଫାଙ୍କିଆ ହୋଇ ବୁଲିଲେ ।ତେଣୁ କେଉଁ ପାଠ ଭଲ ପଢୁଛନ୍ତି ନା ଘରର ଅନ୍ୟ ଦାୟିତ୍ଵ ସମ୍ଭାଳିବାକୁ ସକ୍ଷମ ହେଉଛନ୍ତି। ଏପରିକି ବଜାରରୁ ଦର ଦାମ୍ ତଉଲି ସୌଦା ଟିକିଏ ଆଣିବାକୁ ବି ଅକ୍ଷମ ।କିନ୍ତୁ ମୋବାଇଲ୍ ଗେମ୍ କଥା କହୁନ, ସେଥିରେ ଚବିଶ ଘଣ୍ଟା ମଥା ପୂରାଇ ଥିବେ। ସେଥିରୁ ସିନା ତ୍ରାହି ପାଇଲେ ଅନ୍ୟ କୌଣସି କାମ କରିବେ, ନହେଲେ କେମିତି? ଇଏ ତ ଆଉ ଆଗ ଯୁଗ ନାହିଁନା, ଯେଉଁଠି ଦରଖଣ୍ଡିଆ ପାଠ ଦୁଇ ଅକ୍ଷର ପଢିଦେଲେ ବି ଚାକିରୀ ଥୁଆ ହୋଇଥିବ ।ଏବେ ତ ଗଣ୍ଡାକୁ ଗଣ୍ଡା ଫାର୍ଷ୍ଟ କ୍ଲାସ୍ ଏମ୍. ଏ. /ବି ଏ. ପିଲା ଗାଁ ଗଣ୍ଡାରେ ବୁଲୁଛନ୍ତି। ତେଣୁ ଏତେବେଳେ ମନ ଲଗାଇ ଖୁବ୍ ଭଲ ପଢ଼ିଲେ ଯାଇ ଚାକିରୀ ନହେଲେ ବେକାରୀ। ତାଛଡ଼ା ବର୍ତ୍ତମାନ ତ ପର୍ଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ସବୁ ଅଛି – ପଢ଼ିବା ପାଇଁ, ଏମାନେ କାହିଁକି ପଢ଼ିବେ ନାହିଁ ନା । ପୁଣି ଦୁଖିଆ କେତେ କଷ୍ଟକରି ପାଠପଢ଼ି ଚାକିରୀ କଲା, ସେ କଥା ଏମାନେ କାହିଁକି ଭାବୁ ନାହାନ୍ତି ଯେ । ସେତକ କଷ୍ଟ ଏମାନଙ୍କୁ କରିବାକୁ ପଡ଼ିଲେ ନା ପାଡ଼ ବାହାରି ଯାଆନ୍ତା ।
ଆଜି କାଲିକା ପିଲାମାନଙ୍କର ହାବଭାବ ଦେଖି ସେଦିନ ଏମିତି କିଛି ଅସନ୍ତୋଷ ଦୁଖିଆ ବାବୁ ଝାଡ଼ୁଥାନ୍ତି, ଯାହା ବାସ୍ତବରେ ଚିନ୍ତା ଅନୁଚିନ୍ତା ପ୍ରକଟ କରିବାର ବେଳ।

୩.ଫୋନ୍ ଗୁଞ୍ଜାବାଲା ଧନିଆ ବାବୁ

ସବୁବେଳ ଦେଖେ ସ୍କୁଟିରେ ଆସେ ।ଦୋକାନ ପାଖରେ ଓହ୍ଲାଇପଡ଼େ।କାହାକୁ କିଛି କହେ ନାହିଁ। ପାନପୁଡ଼ିଆ ବରାତି କରି ସେଇ ପାଖରେ ଟହଲ ମାରେ। ଏଇ ଟହଲ ମରାଟା ପାଞ୍ଚ ମିନିଟ କି ଦଶ ମିନିଟ୍ ନୂହେଁ , ଅତିକମ୍ ରେ ଘଣ୍ଟେ କି ଦି ଘଣ୍ଟା। କିନ୍ତୁ ଫୋନଟା କାନରେ ସେଇମିତି ଗୁଞ୍ଜା ହୋଇଥାଏ। ସେ ଏକ ହାତିଆ ହେଉ କି ଦି ହାତିଆ ବା ପାକିଟୁରୁ ଖାତାପତ୍ର ଅଣ୍ଡାଳିଲା ବେଳେ ବା ପାଟିରେ ପୁଡ଼ିଆ ପକାଇବା ବେଳେ କାନ୍ଧରେ ମୁଣ୍ଡ ଆଡୁ ଚାପ ଦେଇ ହେଉ ଫୋନ୍ କିନ୍ତୁ କାନମୂଳେ ସେଇମିତି ଗୁଞ୍ଜା ହୋଇଥାଏ ।ଫୋନ୍ ଯେମିତି ତା ଶରୀରରେ ଗୋଟେ ହିସା ବା ତା ବଡ଼ଲୋକୀର ଗୋଟେ ପ୍ରତୀକ ।ତା ଫିସ୍ ଫିସ୍ ସରୁ ସରୁ କଥା କିନ୍ତୁ କାହାକୁ ଶୁଭେ ନାହିଁ ।ଭାରି ହୁସିଆର। ତା ଆଭିଜାତ୍ୟ ପଣିଆର ଗୋଟେ ନମୁନା।

ପୋଷାକପତ୍ର ସହିତ ସେ କେବେ ସାଲିସ୍ କରେ ନାହିଁ। ନିଇତି ପରା ଗୋଟେ ନୂଆସାର୍ଟ ପୁଣି ଇସ୍ତ୍ରୀକରା ତା ଦେହରେ ଝଟକୁଥାଏ।ଅବଶ୍ୟ ବୟସ ପଞ୍ଚାବନ ଛପନ ହେବ କିନ୍ତୁ ଚହଟ ଚିକ୍କଣ ଭାରି। ଡାହାଣ ହାତରେ ଗୋଟେ ସରୁ ଫିତାବାଲା ମାର୍କା ଦିଆ ଘଣ୍ଟା ।ସରୁ ନିଶ ତଳେ ମୁଚକୁନ୍ଦିଆ ହାସ ଖଣ୍ଡେ ଅହରହ ଝଟକୁଥାଏ। ତା କଥା ଗୁଡ଼ାକ ବି ଭାରି ସରୁ, ଯାହା ଭିତରେ ତା ବ୍ୟକ୍ତିତ୍ୱ ଲୁଚିକି ଥାଏ ।

ମୁଁ ତାକୁ ନିଇତି ଦେଖେ। ଅନିସା କରେ ।ହେଲେ କିଛି ଠଉରେଇ ପାରେ ନାହିଁ ।ଚାକିରି ବାକିରି ତ କିଛି କରେ ନାହିଁ। ବ୍ୟବସାୟ ବଣିଜ ବି କିଛି ନାହିଁ। କିନ୍ତୁ ଠାଣିବାଣୀ ଖୁବ୍ ଚମତ୍କାର ।ତେଣୁ ସମ୍ଭ୍ରାନ୍ତ ବଂଶଜ କେହି ନିଶ୍ଚୟ ହୋଇଥିବେ । ଏମିତି ମୋର ଗୋଟାଏ ଅବଧାରଣା ହୁଏ ବା ମୋ ଅନୁମାନ ଶକ୍ତି ଖଟାଇ ମୁଁ ଯାହା ବୁଝେ।

ଏଇମିତି ଏଇମିତି ବେଶ୍ କିଛିଦିନ ବିତିଗଲା।ଦିନେ ଭାଇରେ କ’ଣ ହୋଇଛି ନା, ଚାରି ପାଞ୍ଚଟା ଖାପୁଡ଼ିଆ ଟୋକା ଆସି ସେଇ ଦୋକାନ ଆଗରେ ଓହ୍ଲାଇ ପଡ଼ିଲେ। ତା କଲରକୁ ଧରି ଭିଡିନେଲେ ।ତା ପରେ ଯୋଉ ଗାଳି, ତା ସାଙ୍ଗକୁ ପୁଣି ଢୋ ଢୋଇଆ ବାଣ ।କି ମାଡ଼ କିରେ। ବାଟଭିକାରୀ ବି ପରା ଦଣ୍ଡେ ଅଟକିଗଲେ ।ଲୋକ ଜମା ହୋଇଗଲେ। ସେଇପଟେ ଗୋଟେ ପି. ସି. ଆର୍. ଭ୍ଯାନ ଯାଉଥିଲା। ସେ ହୋ – ହାଲ୍ଲା ଦେଖି ଧସେଇ ପଶିଲେ। ତାକୁ ଉଠେଇ ନେଇ ସେଠୁ ଚାଲିଗଲେ ।ସେଇଠୁ ଚାଲିଲା ଖୋଳତାଡ଼।କିଛି କିଛି କଥା ଯାହା ପଦାକୁ ଆସିଲା, ସେଇଥିରୁ ଯାହା ଯେମିତି ଜଣାପଡ଼ୁଥାଏ ।

ଓଃ ହୋ! ଇଏ ତାହେଲେ ସେଇ ଟାଉଟରଙ୍କ ବୋପା ମାନେ ଆମ ଠକଙ୍କ ଚୂଡାମଣି ।
ବାବୁଙ୍କ କଳା କାରନାମା ସବୁ ପଦାକୁ
ଆସୁଥିଲା ।ବାବୁଙ୍କ ଅପରାଧର ଫର୍ଦ୍ଦ ଲମ୍ବୁଥିଲା ।ବାବୁ ଆମର ଭାରି
କାର୍ପଟଦାର, ଯାହାଙ୍କର କାରତି ମନ୍ତ୍ରୀଠାରୁ ନେତାଯାଏ ପୁଣି ଅଫିସରଙ୍କୁଠୁଁ ଚପରାସି ଯାଏ ସବୁଠିଁ ଲମ୍ବିଥାଏ ।ବାବୁ ସେଇଥିପାଇଁ ବଙ୍କା ଦେଢ଼ିଆ ଅଙ୍ଗ୍ରେଜୀ ଓ ହିନ୍ଦୀ କହି ବଡ଼ ବଡୁଆଙ୍କ ସହ ସମ୍ପର୍କ ଯୋଡ଼ୁଥିଲେ ବା ସମ୍ପର୍କରେ ଅଛନ୍ତି ବୋଲି ଅନ୍ୟମାନଙ୍କୁ ଜଣାଉଥିଲେ। ହଁ ଏମିତି ନକଲେ ଲୋକେ ଜାଣିବେ କେମିତି ଆଉ ଲୋକେ ନଜାଣିଲେ ଗରାଖ ଜୁଟିବେ କେମିତି ।ଆରେ ଗରାଖ ଜୁଟିଲେ ତ ହାତକୁ ବଣ୍ଡଲି ଆସିବ ଆଉ ଅୟସ ଆରାମରେ ଜୀବନ କଟିବ, ନହେଲେ ଏ ମାନ୍ଦା ବଜାରରେ ବେପାର କେମିତି ହେବ। ଆଚ୍ଛା ଏମିତି ତାହେଲେ କଥା ।

ତେବେ କଥାଟା ଭଲ କି ଜାଣିବାକୁ ଇଚ୍ଛା। ସେ କଥା କ’ଣ କି, ଇଏ ଆଜ୍ଞା ତୁମିଳିପଡ଼ାର କିଣା ସାହୁକୁ ଲୁଟିଛି ।ଯାହାର ପୁଅକୁ ବୟସ ହେଲାଣି ଛତିଶ। ତାକୁ ତ ଆଉ କୋଉ ସରକାରୀ ଚାକିରୀ ମିଳିବ ନାହିଁ। ପୁଅ କିନ୍ତୁ ପାଠଶାଠ ପଢ଼ି ବେକାର ।ତେଣୁ ବାପର ମୁଣ୍ଡ ବଥଉଛି ।ମା’ କହୁଚି, “ଯେଉଁଠି ହୋଉ ପୁଅ ପାଇଁ ଚାକିରୀ ଗୋଟେ ଯୋଗାଡ଼ କର ।ନହେଲେ ତାକୁ କେହି ବାହା ହେଉନାହାନ୍ତି। ମୁଁ ଆଉ ରୋଷେଇବାସ କରି ଦେଇପାରିବି ନାହିଁ।”

ତେଣୁ କିଣା ସାହୁ ମୁଣ୍ଡରେ ଭୂତ ପଶିଛି। ତେଣିକି ବରଂ ଲକ୍ଷ ଲକ୍ଷ ଟଙ୍କା କିଏ ନେଉ କିନ୍ତୁ ପୁଅ ପାଇଁ ଗୋଟେ ଚାକିରୀ ଦେଉ। ନହେଲେ ଏ ସଂସାର ଝାମେଲା ଆଉ ସମ୍ଭାଳି ହେବ ନାହିଁ। ସେଥିପାଇଁ ସେ ଜମି ମାଣେ ବିକି କି ଝୁଲା ମୁଣିରେ ପଇସା ଧରିକି ବଇଛି ।
ଏତକ ଏସବୁ ଏଇ ଝାଡ଼ାମୂତିଆ ଫୋନ୍ ଗୁଞ୍ଜାବାଲା ବୁଦ୍ଧି ଦେଇଚି ।ଏଇ ଫୋନ୍ ଗୁଞ୍ଜାବାଲା କୁଆଡ଼େ ତାଙ୍କ ଗାଁ କତିର ।
ସେ ଆଗରୁ ଫୁଲା ଫାଙ୍କିଆ ହୋଇ ଗାଁ ମୂଲକର ବୁଲୁଥିଲା ।ବାପଭାଇ ସବୁବେଳେ ଗେରେ ଗେରେ ଡାକିଲାଠୁଁ ପାଖପଡ଼ିଶା ଘରର ଗୋଟେ ଶିକ୍ଷିତା ଝିଅକୁ ପଟେଇ ଆଣି ଇଆଡ଼େ ବାହାହୋଇ ରହୁଛୁ ।କହୁଚି କଅଣନା ସେ ସହରରେ ରହି ଭଲମନ୍ଦ ମାମଲତି ସବୁ ବୁଝୁଚି ।ସବୁ କାମରେ ତା’ର ଓସ୍ତାଦି ଅଛି ।ନହେଲା କାମକୁ ସେ ଦଣ୍ଡକେ କରି ଥୋଇଦେବ ।ଏମିତି କୌଣସି କାମ ନାହିଁ, ଯୋଉଟା ତା ଦ୍ଵାରା ହୋଇପାରିବ ନାହିଁ।ଏ ଚାକିରି ବାକିରି ତ ତା ବାଁହାତର ଖେଳ। ଯେତେବେଳେ ଚାହିଁବ ସେତେବେଳେ ସେ ଧଡ଼କିନା ନଖେଇ ଦେବ। କାହିଁକିନା ନେତା ମନ୍ତ୍ରୀ ତା’ର ସବୁ ଚିହ୍ନା। ସେ ତେଣିକି ସରକାରୀ ଚାକିରୀ ହେଉ ବା କୁମ୍ଫାନୀ ଚାକିରୀ ହେଉ ।ତା ପାଖରେ ବୟସ ଗୋଟେ କ’ଣ ଦେଖଉଛ ମ ।ସବୁଠି କ’ଣ ବୟସ ଦରକାର? ଆଜିକାଲି ପଇସା ଦେଲେ କେତେ କେତେ କାମ ହୋଇଯାଉଚି ଆଉ ଇଏ ତ ଗୋଟେ ସାମାନ୍ୟ କାମ।

ତା’ର ଏଇ ଯେଉଁ ଡହରା ଗୁଣ ଆଉ ବହକା କଥା, ସେଥିରେ କିଏ ନଭଳିବ କହୁନ ।କିଣା ସାହୁ ବି ସେଇଥିଲାଗି ଫସିଛି ।ସିଏ ପରା ଏମିତି ରୋଇକି ଥୋଇଦେବ ଯେ ଜଣେ ପରତେ ନ ଯାଉଥିଲେ ବି ଯିବ ।ଏ ଫନ୍ଦି ଫିକର ବାଲାଙ୍କ କଥା କୁହନା। ୟାଙ୍କ ଫାନ୍ଦରୁ ମୁକୁଳିବା ସତରେ ଭାରି କଷ୍ଟ ।ସେମାନେ ପରା କିମିଆ ମନ୍ତ୍ର ଜାଣିଛନ୍ତି ।କଥାବାଣରେ ମଣିଷଙ୍କୁ ବୋକା ବନେଇ ଦେବେ ।

ସେ ଏଇମିତି ହଜାରେ ଲୋକଙ୍କ ପାଖରୁ ଧାରିଛି ।କାହାକୁ କେତେ ରକମର ଭଣ୍ଡିଛି ତା’ର କିଛି ଇୟତା ନାହିଁ। ସମସ୍ତଙ୍କୁ ସେ ତ ସେଇ ଏକା ରକମର କୁହେ – “କହିଚି, ହେବ, ଆଉ ଟିକିଏ ଅପେକ୍ଷା କର, ହବାଟା କିନ୍ତୁ ନିଶ୍ଚିତ, ଧୈର୍ଯ୍ୟ ନଧରିଲେ କେମିତି ହେବ। ପଇସା ତ ଠିକଣା ଜାଗାରେ ପହଂଚି ଯାଇଚି, ସେ କ’ଣ ଆଉ ପଇସା ଫେରେଇବ ନା, ଡେରି ହୋଇପାରେ କାମ କିନ୍ତୁ ହେବ। “ଏଇମିତି ନାନାଦି ଫିସାଦିଆ କଥା ।କିନ୍ତୁ ଗୋଟେ କାମ ଭଲା ତା ଜୀବନ କାଳ ଭିତରେ ସେ କରିଥାନ୍ତା। କ’ ଣ କରିବା, ଆମ ଲୋକ ତ ବାୟା।କିଛି ବୁଝିବେ ନାହିଁ, ଖାଲି ହଙ୍କର ହଙ୍କର ହୋଇ ଏଇ ଅଛତରା ଲୋକଙ୍କ କଥାରେ ହୁଇମାରିଲା ପରିକା ମାତିଯିବେ ।ଠିକଣା ବାଟରେ ଯିବେ ନାହିଁ, ଖାଲି ଶସ୍ତା ଆଉ ସଟକଟିଆ ବାଟ ଖୋଜିବେ ।ଆଉ ତୁମେ ହଇରାଣ ହେବ ନାହିଁ ତ କିଏ ହେବ।

ଏଇ ରଙ୍ଗ ରସିଆର ଏତେ ଗୁଣପଣ କ’ଣ ପାଇଁକି ।ଏହାର ଦି ଦିଟା ସ୍ତ୍ରୀ। ଗୋଟେ ଏଠି ରଖିଛି ଆଉ ଗୋଟେ ଆଉ ଯାଗେ। ଏଠି ଖୋଜିଲେ ସେ ସେଠି ଥାଏ, ସେଠି ଖୋଜିଲେ ଇଏ ଏଠି ଥାଏ। ଆଉ ଯୋଉ କଥା ସବୁ କୁହେ – ଆଜି ଭୁବନେଶ୍ବର ଯାଇଥିଲି, କାଲି କଟକ ଯାଇଥିଲି ସେଗୁଡାକ ସବୁ ଡାହା ମିଛ, ଭଣ୍ଡାମୀ ଛଡ଼ା ଆଉ କିଛି ନୂହେଁ। ଲୋକେ ବୁଝନ୍ତି ବାବୁ ଆମର ରାଜଧାନୀ ଯାଇଛନ୍ତି ଆମରି କାମରେ ।କାମ ନା ଚୋପା। ତୁମରି ପଇସାକୁ ଚଳୁ କରି ବାବୁ ଅଙ୍ଗ୍ରେଜୀ କହୁଛନ୍ତି, କ’ଣନା ବାବୁ ଆମର ଭାରି ପାରିବାର।

ଏଇ କଥାଟା ଧୀରେ ଧୀରେ ସହର ସାରା ପ୍ରଘଟ ହୋଇଗଲା। ଚାରିଆଡୁ ବହୁ ଲୋକ ଆସ୍ତେଆସ୍ତେ ଜାଣିଗଲେ। ପଇସା ଆଦାୟ କରିବାକୁ ସମସ୍ତେ ଭିଡ଼ି ଆସିଲେ। ଶେଷ ବେଳକୁ ଏମିତି ହେଲା ଯେ, ତା ଘର ଲୋକ ବି ଜାଣିଗଲେ।
ଆଜିଯାଏ ଯେଉଁ ଦିଟା ସ୍ତ୍ରୀ ପାଖରେ ଦିଟା ରୋଲ୍ କରୁଥିଲା, ତାହାର ବି ପର୍ଦ୍ଦାଫାସ ହେଲା ।ଦମୟନ୍ତୀକୁ ସାବିତ୍ରୀ ଦି ଜଣଯାକ ଆଗ ନିଜ ପତି ଉପରେ ହକ ଜତାଇବା ପାଇଁ ତୁମୁଳ କାଣ୍ଡ ଭିଆଇଲେ। ଆଗରୁ କ’ଣ ସେମାନେ ଜାଣିଥିଲେ କି, ଇଏ ଦିଟା ବାହା ହୋଇ ଏମିତି ଲୁଚେଇ ରଖିଥିଲା ବୋଲି ।ହେଲେ ଯେତେବେଳେ ବାସ୍ତବିକତା କ’ଣ ଜାଣିଲେ, ଉଭୟ ତ କାଠ ଫାଳିଆ ଧରି ଝାଙ୍କେ ବାଡ଼େଇଲେ ।

ଏକାଥରକେ ରସିକ ନାଗର ଫୋନ୍ ଗେଞ୍ଜାବାଲା ଧନୀକ ବାବୁଙ୍କ ଚେତା ହଜିଛି। ତାକୁ ଆଉ କାହିଁକି କିଏ ମାଡ଼ଧର କରିବେ, ସେ ତ ନିଜ ତିର୍ଲାଙ୍କ ପାଖରୁ ମାଡ଼ଗାଳି ଖାଇ ଏକାଥରକେ ଜାରି ହୋଇଗଲାଣି ।ବାବୁ ବହକା ହେଉଥିଲା, ଚେଙ୍କେ ପାଇଚି ।

୪.ସେଇ ଝିଅଟା

“ସେଇ ଝିଅଟା ଆମ ନିରୁକୁ ଭଲ ପାଉଥିଲା “-ଏହି ସଂଳାପଟି ସବୁ ଖେଳ ବିଗାଡ଼ି ଦେଲା। ନିରୁର ବୈବାହିକ ଜୀବନରେ ବିଷ ଭରି ଦେଇଥିଲା, ଯେଉଁ ବିସର୍ପ ଜ୍ଵାଳାରୁ ମୁକ୍ତି ପାଇବା ପାଇଁ ବେଶ୍ କିଛିଦିନ ସମୟ ଲାଗି ଯାଇଥିଲା। ଯେତେ ବୁଝାସୁଝା କଲେ ବି କେହି ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ନା ବୋହୂ ବୁଝିଲା ନା ବୋହୂର ମାଆ। ବୋହୂ ଘରଲୋକ ତ ଆହୁରି ନିଆଁରେ ଘିଅ ଢାଳିଲେ। ନିଆଁ ଲିଭାଇବ କିଏ? କଥାର ସିନା ମୂଳମଞ୍ଜି ପାଖକୁ ଗଲେ ହେବ । ତେଣୁ ଘଟଣାଟା ବଡ଼ ହୋଇ ଭିତରେ ଭିତରେ କୁହୁଳିବାକୁ ଲାଗିଲା।
କଥା ହେଉଛି କ’ଣକି ନିରୁ ଟ୍ୟୁବେଲ ପାଖରେ ଚତୁର୍ଥୀ ଦିନ ଗାଧୋଉଥିଲା। ବନିତା ଆସି ଗପିଲା। ନିରୁ ଯେତେ ବିରକ୍ତ ହେଲା-” ତୁ କାହିଁକି ଏମିତି ହେଉଛୁ କହନି, ଝଅଟ ଏଠୁ ଯାଆନି। ପୁଣି କିଏ ଦେଖିନେବ, କେତେ କଥା ହେବ। ତୋର ତ ଲାଜ ସରମ କିଛି ନାହିଁ। ଆରେ ବାହା ହୋଇଥିଲେ ହୋଇଥା’ନ୍ତେ, ସେ ତ ହୋଇ ପାରିଲା ନାହିଁ, ପୁଣି ତୁଚ୍ଛାଟାରେ କାହିଁକି ପଛରେ ପଡ଼ିଛୁ କହନି! ଏବେ ସେ କ’ଣ ଆଉ ସମ୍ଭବ ନା? “
ସେ କାହିଁକି ଶୁଣିବ। ସେ ତ ଝଟ ଲଗେଇଛି-“ତୁମେ ଠକ।ମୋତେ ଠକିଦେଲ।ମୋ ଭାବନା ସାଙ୍ଗରେ ଖେଳିଲ। ଗୋଟେ କୁଆଁରୀ ଝିଅର ମନ କଥା ବୁଝିଲ ନାହିଁ। ତା ଉପରେ କ’ଣ ବିତୁଥିବ ତୁମେ କେମିତି ଜାଣିବ। ତୁମେ ସ୍ୱାର୍ଥପର। ତୁମ ପୁରୁଷ ଜାତିଟା ଏଇଆ। ଗୋଟେ ଝିଅ ଆଖିରେ ଲୁହ ଦେଇ ତୁମେ କ’ଣ ଶାନ୍ତି ପାଇବନା। ଦେଖିବି ଯେ, ତୁମ ସ୍ତ୍ରୀ କେମିତିକା ମୋଠାରୁ ଅଧିକା ସୁନ୍ଦରୀ। ତୁମେ ଗୋଟେ ଦଗାବାଜ୍। ତୁମେ ଗୋଟେ ଧୋକାବାଜ। ମୁଁ ଅଭିଶାପ ଦେଉଛି ତୁମ ସାଂସାରିକ ଜୀବନ କେବେ ବି ସୁଖମୟ ହେବ ନାହିଁ। ଜୀବନ ସାରା ମୋତେ ଖାଲି ଝୁରି ମରୁଥିବ। ଏଇଟା ନିଶ୍ଚୟ। “

ଏଇମିତି ତ ଅନର୍ଗଳ ଖାଲି ଇଆଡୁ ସିଆଡୁ କେତେ କଥା ସବୁ ଗପିଲା। ଯେତେ କହିଲେ ବି ସେଠୁ ଗଲା ନାହିଁ କି ଗାଧୋଇବାକୁ ଛାଡ଼ିଲା ନାହିଁ। ନିରୁ ବିରକ୍ତ ହୋଇ ନଈକୁ ଗାଧୋଇ ପଳେଇଲା। ତା’ପରେ ଖୁଣ୍ଟଟା ଭଳି ସେଠି କିଛି ସମୟ ଛିଡ଼ାହୋଇ ଏବେ ଯାଇଛି ନିରୁ ସ୍ତ୍ରୀ ଲତିକାକୁ ଦେଖିବାକୁ। ତା ସହ ସେ ଭଲରେ କଥାହେଲା। ଭଲମନ୍ଦ ସବୁ ପଚାରି ବୁଝିଲା ।କିଛି ସମୟ ଗପସପରେ ସମୟ ଅତିବାହିତ କରି ନିରୁ ଫେରିଲା ବେଳକୁ ସେ ଫେରିଯିବାକୁ ବସିଥିଲା। ନିରୁକୁ ଦେଖି କାନ୍ଥବାଡ଼କୁ ଅନେଇ କିନ୍ତୁ ଦେଖେଇ ଦେଖେଇ କହିଗଲା – “ହଁ ମୋଠୁଁ ସୁନ୍ଦର। ତୁମେ ଜିତିଗଲ। ମୁଁ ସର୍ତ୍ତ ହାରିଗଲି।” ବାସ୍ ସେ ଝପଟେଇକି ଚାଲିଗଲା।
ଏପଟେ କିନ୍ତୁ ହଙ୍ଗାମା ଖାଡ଼ା ହୋଇଗଲା। ନିରୁ ଯେତେବେଳେ ଟ୍ୟୁବେଲ କତିରେ କଥା ହେଉଥିଲା ଲତିକା କୁଆଡ଼େ ସବୁକଥା କାନେଇକି ଶୁଣୁଥିଲେ ଏବଂ ଝରକା ଆଡ଼େଇ ଦେଖୁଥିଲେ। ସବୁ ଶୁଣି ନ ପାରିଥିଲେ, କି ଦେଖି ପାରି ନଥିଲେ ବି ତାଙ୍କ ମନରେ କିଛି ସନ୍ଦେହ ନିଶ୍ଚିତପକ୍ଷେ ସ୍ରୁଷ୍ଟି ହୋଇ ସାରିଥିଲା। ସେ ଘଟଣା ଉପରେ ନିଘା ରଖିଥିଲେ। ବିନିତା ଚାଲିଗଲା ପରେ ସେ ପଚାରିଥିଲେ – “ଏହି ଝିଅଟି କିଏ କି? ତାକୁ ଆମ ବଡ଼ ମା’ ହର ଘର ଭାଉଜ ଯିଏକି ସେଠି ବସିଥିଲେ କହିଲେ -” ଇଏ ପରା ଆମ ପଡ଼ିଶାଘର କୁଣିଆ। ତାକୁ ଆମ ନିରୁ ଭଲ ପାଉଥିଲା। “
କଥାରେ କୁହନ୍ତି ନାହିଁନା କାହାରି ସୁଖ ଦେଖି ସାହିପଡ଼ିଶା ସହିପାରନ୍ତି ନାହିଁ। ସେ ଯେମିତି ହେଲେ ବିଷମଞ୍ଜି ବୁଣି ହାଣ୍ଡିକଯାକ କାଞ୍ଜିକୁ ଢଙ୍କ ପାଣିତୋରାଣି କରି ଛାଡ଼ିବେ। ସେ ଭାଉଜଟି ଆମର ଏ ମଞ୍ଜି ଛାଡ଼ି ଚାଲିଯାଇଛି ତ ଆଉ। ସେ ନିରୁ ଭାଉଜ କାହିଁକି ହେବମ, ଖାଲି ଲେଖାଯୋଖାରେ ନା। ତା ବୋଲି ଗାଁଟାଯାକ କ’ଣ ତାଙ୍କ ଭାଇଭାଉଜ ନା କ’ଣ। ଏଗୁଡ଼ାକ ଅସହିଷ୍ଣୁ ଲୋକ। କାହାରି ଭଲଟାକୁ ସହ୍ୟ କରିପାରିବେ ନାହିଁ। ଦେଖିଲେ ତ ନିରୁଟା ଗୋଟେ ଭଲ ଜାଗାରେ ବାହା ହୋଇଛି, ତେଣୁ କିଛି ଗୋଟେ କ୍ଷୁଣ ବାହାର କରିବେ ନା।
ଛାଡ଼ ସେମାନେ ଯାହା ହେଉଛନ୍ତି ହୁଅନ୍ତୁ କିନ୍ତୁ ଆମର ଏ ନୂଆବୋହୂଟା ସବୁ କଥାକୁ ବୁଝିଗଲେ ହେଲା। ହେଲେ ସେତକ କ’ଣ ଆଉ ଏତେ ସହଜ କି?

ନିଆଁ ତ ଲାଗିଛି, ସେଇ ନିଆଁରେ ସମସ୍ତେ ଜଳୁଛନ୍ତି। ବୋହୂଟା ଆଉ କାଠିପାଞ୍ଚଣ ଛୁଁ ନାହିଁ।ଯେତେ ବୁଝେଇଲେ ସେମାନେ ହେଉଛନ୍ତି ପର ଲୋକ, ତାଙ୍କ କଥାରୁ କ’ଣ ପାଇବୁ। ତା ବୋଲି ସେମାନଙ୍କ କଥାରେ ଆମର ସୁଖର ସଂସାରଟାକୁ ପୋଡ଼ିଜାଳି ଛାରଖାର କରି ଦେବୁନା କ’ଣ?
ଶେଷରେ ଡାକି ଡାକି କୌଣସି ପ୍ରକାରେ ବେଦୀରେ ଆସି ବସିବାକୁ ରାଜିହେଲା। ଚତୁର୍ଥୀ ବିଧିଟା ସରିଲା। ଧୀରେ ଧୀରେ ବନ୍ଧୁବାନ୍ଧବ ଗୋଟେ ପରେ ଗୋଟେ ଆସିବାକୁ ଲାଗିଲେ। ବୋହୂର ମାଆ ଓ ବାପଘର ଲୋକ ମଧ୍ଯ ଚଉଠି ଭାର ଧରି ଆସି ପହଞ୍ଚିଲେ। ଦୂରବାଟ ତ ତେଣୁ ପହଂଚୁ ପହଞ୍ଚୁ ଟିକିଏ ଡେରି ହୋଇଗଲା।
ବିନିତା ସମ୍ବନ୍ଧିତ ଘଟଣାବଳୀକୁ ଲତିକା ସୁବିସ୍ତୃତ ଭାବେ ନିଜ ମାଆ ପାଖରେ କହିଲେ। ମାଆ ମୁଣ୍ଡଉପରେ ଚଡ଼କ ପଡ଼ିଲା। ସେ ଖାଲି ଭିଣିଭିଣି ଓ ଶିଙ୍ଗିଶିଙ୍ଗି ହେଲେ। ସେମାନେ କେହି ଖିଆପିଆ ସେମିତି କଲେ ନାହିଁ।କହିଲେ-” ଆମକୁ ଆପଣମାନେ ଠକିଦେଲେ। ପିଲାର ଯଦି ଏତେ କଥାଥିଲା, ଆମକୁ ଆଗରୁ ଖୋଲିକି ସବୁ ସତକଥା କହିଲେ ନାହିଁ କାହିଁକି।”

ଏମାନେ- “ଏଗୁଡ଼ାକ ସବୁ ମିଛ କଥା, ବାସ୍ତବରେ ସେମାନଙ୍କର ସମ୍ପର୍କରେ ସେମିତି କିଛି ନ ଥିଲା” ବୋଲି ଯେତେ ସଫେଇ ଦେଲେ ମଧ୍ଯ କୌଣସି ଫରକ ପଡ଼ିଲା ନାହିଁ। ଯେଉଁଠି ଝିଅ କାନ୍ଦୁଛି, ସେଠି ମାଆ ଓ ଅନ୍ୟମାନେ ବୁଝନ୍ତେ ବା କେମିତି? ଖାଲି ନୂଆବୋହୂ ଘରଟାରେ ତାଙ୍କ ଘରଲୋକ ବସିକି ରହିଲେ। କେତେବେଳେ ଟୁପୁରୁଟାପୁର ହେଉଥିଲେ ତ ପୁଣି ବେଳେ ଧ୍ୟାନସ୍ଥ ମୁଦ୍ରାରେ ବିଚାର ବିମର୍ଷ କରୁଥା’ନ୍ତି। ଘଟଣାଟା ଧୀରେ ଧୀରେ ବଡ଼ ସଙ୍ଗିନୀ ହେବାକୁ ଲାଗିଲା। ଲତିକା କହୁଥିଲେ – “ସେ ଆଉ ଦଣ୍ଡେ ମୁହୂର୍ତ୍ତେ ଏଠାରେ ରହିବେ ନାହିଁ।”

ସମସ୍ତେ ବୁଝେଇଲେ- ବନ୍ଧୁବାନ୍ଧବଠାରୁ ବାହାର ଲୋକ ପୂରିଛନ୍ତି, ତେଣୁ ଅଯଥା ହୋ – ହାଲ୍ଲା କରି ମାନମହତ ତଳେ ପକାଇବ ଉଚିତ୍ ହେବ ନାହିଁ, ତା ଛଡ଼ା କୌଣସି କଥାରେ ଏମିତି ତରବରିଆ ନିଷ୍ପତ୍ତି ନିଆଯାଏ ନାହିଁ। ସମୟକୁ ଅପେକ୍ଷା କର, ସବୁ କଥା ସ୍ପଷ୍ଟ ହୋଇଯିବ।

ଗାଁ ବାହାଘର, ତେଣେ ବର୍ଷାପାଣି କଥା, ତେଣୁ ଦିନରେ ଭୋଜିଭାତ ହୋଇଥିଲା। ସନ୍ଧ୍ୟା ବେଳକୁ ସମସ୍ତେ ପାର। ବୋହୂଘର ଲୋକମାନେ ମଧ୍ଯ “କିଛିଦିନ ରହି ଦେଖିବା ପାଇଁ” ଝିଅକୁ ପରମର୍ଶ ଦେଇ ଚାଲିଗଲେଣି।
ସମସ୍ତେ ଚାଲିଗଲା ପରେ ଲତିକା ନିଜ ରୁମ୍ ରେ ଏକୁଟିଆ ବୋକାଙ୍କ ପରି ବସିରହିଲେ, ପୁଣି କେତେବେଳେ ନିଜ ଭାଗ୍ୟର ଅନିଶ୍ଚିତତାକୁ ନେଇ ମୁହଁ ଲୁଚାଇ କାନ୍ଦୁଥିଲେ। ନିରୁ ନିଜ ନିର୍ଦୋଷତାର ପ୍ରମାଣ ଯେତେଦେଲେ ବି ତାହା ଲତିକା ଉପରେ ସମ୍ପୂର୍ଣ୍ଣ ପ୍ରଭାବହୀନ ଥିଲା। କୁଆଁରୀ ଜୀବନରେ ଚତୁର୍ଥୀ ରାତି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ସେଇ ରାତିରେ ବି ଲତିକା ସ୍ୱାମୀଙ୍କୁ ପାଖ ପୂରାଇଦେଲେ ନାହିଁ। ତାଙ୍କୁ ଟିପ ଛୁଆଁଇ ଦେଲେ ନାହିଁ ତ ନାହିଁ, ଓଲଟା ବହୁ ହିନିମାନିଆ କଥାଗୁଡ଼ାକ କହି ଧିକ୍କାରିଲେ।
ସମସ୍ତ ଚେଷ୍ଟାକରି ବିଫଳ ହେଲାପରେ ନିରୁ ଆଉ ଘଟଣାକୁ ଆଗକୁ ବଢ଼ିବାକୁ ନ ଦେଇ ରାତି ଅଧରୁ ଉଠିଆସି ଧିରକିନା ଦାଣ୍ଡପିଣ୍ଡାରେ ସପ ଓ ବେଡ଼ସିଟ ଗୋଟେ ପାରି ଶୋଇପଡ଼ିଲେ। ରାତି ପାହିବା ଆଗରୁ ପୁଣି ଉଠିପଡ଼ି ସବୁ ଭାଙ୍ଗିଭୁଙ୍ଗି ସଜାଡ଼ି ରଖିଦେଲେ। ଯେମିତି କୌଣସି କଥା କେହି ଜାଣି ପାରିବେ ନାହିଁ। କାହିଁକିନା ସେ ଆଉ ଲୋକହସା ହେବାକୁ ଚାହୁଁ ନ ଥିଲେ।
ବାସ୍ତବରେ ନିରୁ ଘରକୁ ଲାଗି ତାଙ୍କ ଖଳାବାଡ଼ି। ସେହି ଖଳାବାଡ଼ିକୁ ଲାଗିଛି ତାଙ୍କ ଟ୍ୟୁବୱେଲ। ତା ଆରପଟରୁ ବାଡ଼ଟା ଡେଇଁଲେ ସାଗର ଦଦେଇଙ୍କ ଘର, ଯିଏ କି ବିନିତାଙ୍କ ନିଜ ପିଉସା । ତେଣୁ ବିନିତା ଅତି ଛୋଟବେଳୁ ଅଧିକାଂଶ ବେଳେ ଆସି ପିଉସା ଘରେ ରହନ୍ତି। ନିରୁ ସେଇ ଖଳାରେ ଶୀତଦିନେ ଖରାପୁହେଁ, କୁଟାବଦାଡ଼ି ମୂଳରେ ସପ ପକାଇ ବସି ପାଠପଢ଼େ। ବିନିତା ଆସି ନିପଟେଇକି ବସେ। ନିରୁକୁ ଜଗିକି ରହେ। ତା ସହିତ କେଟେରେ ମେଟେରେ ହୋଇ ଲାଗିବ। ପାଠ ବୁଝିବ ତାକୁ ଚିଡ଼େଇବ। ନିରୁ
ସେଇ ଟ୍ୟୁବୱେଲ ପାଖରେ ନିଇତି ଗାଧାଏ। ବିନିତା କେଉଁଠି ଥିବ ଦୌଡ଼ିକି ଆସି ଟ୍ୟୁବୱେଲ ମାରିବ, ଖାଲି ଦାନ୍ତ ନେଫେଡ଼େଇ ହସୁଥିବ।

ନିରୁ ସକାଳେ କଂସାଏ ପଖାଳ ଆଉ ପୋଡ଼ାପୋଡ଼ି ତିଅଣ ଧରି ସେଇ ଖଳାରେ ଖାଏ। ବିନିତା କେମିତି ଖବର ପାଏ ଶାଗ ଖରଡ଼ା ଧରି ଆସି ହାଜର ହୁଏ। ଜହ୍ନି ବାଇଗଣ ଓ ପୋଡ଼ାପୋଡ଼ି ତିଅଣକୁ ସବୁ ଭଲଭାବେ ଚକଟିକି ଥୁଏ।

ସିଏ ନିରୁର ଖେଳ ସାଙ୍ଗ, ସବୁକଥାରେ ସାଥଦିଏ, ସାଙ୍ଗହୁଏ। ତା ପିଉସା ବାଡ଼ିରୁ ଆମ୍ବ, କମଳା, ପିଜୁଳି, କଇଁନ୍ଥ ଆଣି ସବୁଦିଏ। ଗାଁ ମୁଣ୍ଡ ନିଧିଆ ବାଡ଼ିରୁ ରାସ୍ତାକୁ ଓହଳି ପଡ଼ିଥିବା ଖଜୁରୀ ଗଛରୁ ଖଜୁରୀକୋଳି ଓ ଗାଁପଦର ଆଡ଼େ ଥିବା ବଣବୁଦାରୁ ବଇଁଞ୍ଚ ଓ ଖିରିକୋଳି ପଦାଆଡ଼େ ଝାଡ଼ା ଫେରିଗଲା ବେଳେ ଅଣ୍ଟିରେ ପୂରାଇ ଆଣି ଆଗ ନିରୁକୁ ଦିଏ। କୁହେ – “ଖାଇଲୁ ଦେଖି କେତେ ବଢ଼ିଆ ଫଳ।”
ନିରୁ କୁହେ – “ତୁ ମଇଳା ପଦରରୁ ଆଣିଛୁ ମୁଁ ଖାଇବି ନାହିଁ, ମୋତେ ଘୁଅ ଘୁଅ ବାସିବ, ତୁ ଘୁଅମୁହିଁ ଘୁଅ ଖା’।”
ବିନିତା ମୁହଁ ଫଟାଏ, ଏଁ ଏଁ ହୁଏ, ତା’ ପରେ ଯାଇ ନିରୁ ଖାଏ।
ପାଠସାଠ ପଢ଼ିସାରିଲା ପରେ ନିରୁ ଏବେ ଗୋଟେ ପାଖ ଗାଁ ସ୍କୁଲରେ ମାଷ୍ଟର ହୋଇଛି। ଚାକିରୀ କରିଛି ବୋଲି କେତେ ଆଡୁ କେତେ ବିବାହ ପ୍ରସ୍ତାବ ଆସୁଛି। ବାପା ମାଧାପୁର ଯାଇଥିଲେ ସେଠି ଦେଖିବାକୁ ବହୁତ ସୁନ୍ଦରୀ ବୋଲି ଲତିକାକୁ ବୋହୂ କରିବେ ବୋଲି ଏକରକମର ସିଦ୍ଧାନ୍ତ ନେଇ ଫେରିଛନ୍ତି। ନିରୁକୁ ଡାକି କହିଲେ – “ମୁଁ କଥା ଦେଇ ଆସିଛି, ତୁ କାଲିରେ ଯାଇ ଦେଖିକି ଆସ, ପସନ୍ଦ ହେଲେ ଆସନ୍ତା ଲଗ୍ନରେ ତୋର ବାହାଘର ହେବ, ମୁଁ ନାହାକ ଡାକି କୋଷ୍ଠି ଦେଖେଇ ସାରିଛି।”
ନିରୁ ବାପାଙ୍କ ମୁହଁରେ ତ କେବେ ଜବାବ ଦିଏ ନାହିଁ। ତେଣୁ ତା’ପର ଦିନ ଟ୍ୟୁବୱେଲ ପାଖରେ ଗାଧୋଇ ଯିବା ପାଇଁ ପ୍ରସ୍ତୁତି ହେଲା। ଘର ଆଗରେ ଟ୍ୟାକ୍ସିଆସି ଲାଗିସାରିଥିଲା। ଯୋଗାଡ଼ିଆ ଭଦ୍ରଲୋକ ସହ ମାମୁ, ପିଉସା ଓ ମାମୁପୁଅ ଦିନାଭାଇ ଆସି ପହଞ୍ଚି ଯାଇଥିଲେ।
ଗାଧୋଉଥିଲା ବେଳେ ବିନିତା ଆସି ହାଜର ହୋଇଗଲା। ସେ ଶକଶକ ହୋଇ ଟ୍ୟୁବୱେଲ ମୋଡ଼ିଲା। ନିରୁ ଗାଧୋଇଲା। ପଚାରିଲା – “କାହିଁକି କାନ୍ଦୁଛୁକି ଲୋ! “
ସେ କହିଲା – “ନା କିଛି ନୂହେଁ, କାହାର କ’ଣ ଗଲେ, ତୋର କ’ଣ ହେଲା। “

ନିରୁ କହିଲା – “ମୋର କିଛି ଯିବ ନାହିଁ ତ, ତୁ ମୋ ପାଖରେ ଆସି ଶକଶକ କାହିଁକି ହେଉଛୁ?”
କହିଲା -” ତୁ ଏ ବାହାଘର ପ୍ରସ୍ତାବ ଭାଙ୍ଗି ଦେ। “
ନିରୁ କହିଲା -” କାହିଁକି ତୁ କୋଉଠି କ’ଣ କନିଆ ପାତ୍ରୀ ଠିକ୍ କରି ରଖିଛୁ ନା କ’ଣ?”
କହିଲା – “ତୁମେ କ’ଣ କିଛି ଜାଣିପାରୁ ନାହଁ କି?
ନିରୁ କହିଲା – “ତୁ’ ରୁ ଆଜି ‘ତୁମେ’ କହିଲୁଣି, ଜାଣିବି ଫେର୍ କ’ଣ। ତୁ ମୋତେ ଆଗରୁ ସେ କଥା କହିଲୁନି। କଥା ଏତେ ବାଟ ଆଗେଇ ଗଲା ପରେ କହୁଛି, ମୁଁ ପୁଣି କରିବି କ’ଣ, କୁଣିଆ ମୈତ୍ର ଘରେ, ଦାଣ୍ଡ ଦ୍ଵାରମୁହଁରେ ଗାଡ଼ି, ମୁଁ ହଠାତ୍ କାହାକୁ କ’ଣ କହିବି,ମାମୁ ପିଉସା, ବାପାଙ୍କ ଆଗରେ ମୁହଁ ଦେଖାଇ ପାରିବି ତ।”
କହିଲା – “ଯେମିତି ହେଉ ତୁମେ ମନା କର, ନହେଲେ ମୁଁ କିଛି ବି କରିଦେବି। “
ନିରୁ କହିଲା -” ସେ ଚଲାଖି ମୋତେ ଦେଖାନି। ଏବେ ନେଡ଼ିଗୁଡ଼ କହୁଣିକୁ ବୋହି ସାରିଛି। ମୁଁ କିଛି କରିପାରିବି ନାହିଁ। ତୁ ଲଟେରି ଲଗା। ଯଦି ସେ ଝିଅ ଦେଖିବାକୁ ତୋଠାରୁ ଅସୁନ୍ଦରୀ ହୋଇଥିବ, ତେବେ ମୁଁ ସେହି ବାହାନାରେ ଏ ପ୍ରସ୍ତାବ ଭାଙ୍ଗିଦେଇ, ତୋ ପ୍ରସ୍ତାବ ସମସ୍ତଙ୍କୁ କହିଦେବି। ତେଣିକି ଯାହା ହେବ ମୁଁ ରିସ୍କ ନେବି। ନହେଲେ ମୁଁ କିଛି କରିପାରିବି ନାହିଁ, ତୁ ଯଦି ପାରିବୁ ତେବେ ନିଜେ ବାଟଖୋଲ, ମୋର କିଛି ଆପତ୍ତି ନାହିଁ। କିନ୍ତୁ ଏଇ କଥାଟି ଟିକେ ଆଗରୁ ଯଦି ଇସାରା ଦେଉଥା’ନ୍ତୁ, ଆଜି ଏ ଦିନ ଦେଖିବାକୁ ପଡ଼ି ନଥାନ୍ତା। “
ତା’ର ତା ସୌନ୍ଦର୍ଯ୍ୟ ଉପରେ ଘମଣ୍ଡ କି ଆତ୍ମବିଶ୍ଵାସ କେଜାଣି , ନିରୁ କଥା ଉପରେ ବ୍ୟାଟ୍ ଲଗେଇଦେଲା। କଥା ସେଇଠି ରହିଲା, ନିରୁ ଝିଅ ଦେଖାରେ ଗଲା। ଲତିକା ବହୁତ ସୁନ୍ଦରୀ। ତା ରୂପର ବର୍ଣ୍ଣନା କରିବା ଧୃଷ୍ଟତା ହେବ। ତା ଦନ୍ତପଂକ୍ତି, ନଖଶ୍ରୀ, ମୁଖମଣ୍ଡଳର ଲାବଣ୍ୟ, ଶରୀରର ଗଠନ, କେଶଗୁଚ୍ଛର ସାନ୍ଦ୍ରତା, ନାସିକାର ତିକ୍ଷ୍ଣତା, ଦେହରେ ହଳଦୀମଠା ଗୌରବର୍ଣ୍ଣ,ତା ଗୋଲାପିବୋଳା ଓଷ୍ଠ, ଚିବୁକର ମସୃଣତା, କଟିର ରୁଗ୍ଣତା, ତା ଝାଳେଇ ହାତପାପୁଲି, କପାଳରେ ପରିସ୍ଫୁଟ ହେଉଥିବା ବିନ୍ଦୁବିନ୍ଦୁ ଝାଳରାଶି, ଚିକ୍କଣ ଓ ମୁଲାମ ଚର୍ମ, ଅଙ୍ଗୁଷ୍ଠିକାର ସୂକ୍ଷ୍ମତା, ନାସିକାଗ୍ର ଓ କଣ୍ଠଦେଶରେ ସୂକ୍ଷ୍ମ ଯାଇ ଚିହ୍ନ,ଶରୀରରେ କୋମଳତା, କଣ୍ଠରେ ସୁଲଳିତ କାକଳି, ଚାହାଣୀରେ ଠାଣି ଓ ବାଣୀରେ ମାଦକତା , ଉଭୟ ଉଚ୍ଚତା ଓ ମୋଟାପାରେ ନ୍ୟାୟିକ ସଂହତି
-ସବୁକିଛି ଅବ୍ୟକ୍ତ,ନିୟନ୍ତାଙ୍କ ଅପୂର୍ବ ସଂରଚନା । ସେଠୁ ଫେରିଆସି ଗୁରୁଜନଙ୍କ ଆଗରେ ତା’ର କ୍ଷୁଣ ବାହାର କରିବାର ନିରୁ ପାଖରେ କିଛି ଉପାୟ ନ ଥିଲା କି ସାହସ ।ନିରୁ କିଂକର୍ତ୍ତବ୍ୟ ହୋଇ ବିନିତା ନିକଟରେ ଏକରକମର ଶରଣାଗତ ହେଲା। କହିଲି – “ମୁଁ ନିରୁପାୟ। “
ଏତିକିରେ ସେ ଗୋଡ଼ କଚାଡ଼ି ଚାଲିଗଲା। ଚାଲିଯାଉ ଯାଉ ଶୁଣେଇ ଦେଇଗଲା – “ମୁଁ ଦାବା କରି କହୁଛି, ସେ ସୁନ୍ଦର ହୋଇପାରେ କିନ୍ତୁ ମୋଠାରୁ କେବେବି ନୂହେଁ, ଏସବୁ ତୁମର ଭାଣ୍ଡାମୀ। ମୋର ହାର୍ ଦେଖିବା ପାଇଁ ତୁମେ ବ୍ୟାକୁଳ, ହେଲେ ମୁଁ ହାର୍ ମାନିବାର ଝିଅ ନୂହେଁ, ଯଦି ସେ ସତରେ ସେୟା (ସୁନ୍ଦରୀ) ନ ହୋଇଥବ ତେବେ ଚତୁର୍ଥୀ ରାତି ପୂର୍ବରୁ ତାକୁ ମୁଁ ଭଗେଇଦେବି। ଏଇଟା ମୋର ପଣ।”
ଏଇଟା ପାଗିଳୀ, ଭାରି ଯିଦଖୋର। ତାକୁ କ’ଣ କହିବ? ସେ କ’ଣ କାହା କଥା ଶୁଣିବ। ସେ ପରା ତା ନିଜ ଇଲାକାରେ ସେ ଏକା ସାମ୍ରାଜ୍ଞୀ।
ତା’ପର ଦିନ ନଣନ୍ଦ ତିଳୋତ୍ତମା କହିଲା – “ଭାଉଜ ଜାଣିଛନା! ନିରୁଭାଇ ଆଉ ସୁଧୀରଭାଇ ଖଳାରେ କଥା ହେଉଥିଲେ, ମୁଁ ସବୁ ଶୁଣିଛି। ଏହିଭଳି ସେ ବନିତା ସବୁ କାଣ୍ଡକାରଖାନା କରିଛି। ଭାଇ ସେ ଘୋଡ଼ିମୁହିଁକୁ ଆଦୌ ଭଲପାଏ ନାହିଁ। ତା’ର ଏକାନ୍ତ ଜିଦ୍ ଭାଇକୁ ସେ ବାହାହେବ। ଏବେ ବ୍ଯାଟ ହାରିଗଲା ପରେ ମୁହଁ ଲୁଚାଇ କାନ୍ଦୁଛି। ଏମିତିକା ଏକପାଖିଆ ପ୍ରେମ ମୁଁ କେଉଁଠି ଦେଖି ନାହିଁ। ମୋ ଭାଉଜ ପରି କିଏ ହେବ ଲୋ! ଭାଇ ତୁମକୁ ଦେଖିବା ଦିନଠୁଁ ପରା ତୁମ ରୂପଗୁଣରେ ମୋହିତ ହୋଇଛି। ସମସ୍ତଙ୍କ ପାଖରେ ତ ଭୂରିଭୂରି ପ୍ରଶଂସା କରୁଛି। ଯାହାହେଉ ଭଲ ସ୍ଵାମୀଟିଏ ପାଇଛ, ଯିଏ କେବଳ ତୁମର ଗୁଣଗାନ କରୁଛି ଆଉ ସେ ଫୁଲେଇକୁ ଭଲ କି ମିଠାକଢ଼ା ଶୁଣାଉଛି। “
ଲତିକା ଆଗ ଏ କଥା ତା ମାଆକୁ ଫୋନ୍ କରି କହିଲେ। ମାଆ କହିଲେ -” ମାଆରେ! ଆଦୌ ବ୍ୟସ୍ତ ହେବୁନି। ଜ୍ୱାଇଁପିଲାଟାର ହାବଭାବରୁ ଜଣାପଡୁଛି, ସେ ଭାରି ସୁଧାର ପିଲା। ତୁ ତାକୁ ସ୍ନେହ ଆଶ୍ଳେଷ ଭିତରେ ବାନ୍ଧି ରଖିଲେ ସେ ତୋତେ ବହୁତ ଖୁସିରେ ରଖିବ। “

ଲତିକା ତିଳୋତ୍ତମାକୁ ପାଖକୁ ଡାକି କହିଲେ -” ମୋ ଗେହ୍ଲି ଭଉଣୀ ତିଳ! ଟିକେ ତୁମ ଭାଇଙ୍କୁ ଡାକିଦେବ। “
ତିଳ ନାଚିନାଚିକା ଓ ଗାଇଗାଇକା ଆସିଲା – “ମୋ ଭାଇଭାଉଜ ପରିକା କିଏ ହେବ ଲୋ! ସେ ତ ସରଗର ଚାନ୍ଦ ଲୋ!! “

“ଭାଇ! ଭାଉଜ ଡାକୁଛନ୍ତି “ବୋଲି ତିଳ ଚିଲ୍ଲେଇଲା।
“ହେ! ବଡ଼ ପାଟିଆଣି” କହି ଭାଇ ଆଖି ତରାସି ଚାହିଁବାରୁ ତିଳ ଜିଭ କାମୁଡ଼ି ଦଣ୍ଡେ ଛିଡ଼ାହେଲା । ପୁଣି ଡରଛାଡ଼ି ଭାଇର ହାତକୁ ଭିଡ଼ି ଭିଡ଼ି ଆଣି ଭାଉଜ ପାଖରେ ଛାଡ଼ିଲ। ଲତିକା ଦାନ୍ତ ଚାପିଚାପି ହସୁଥାଏ। ତିଳ ଆଢୁଆଳକୁ ଚାଲିଯିବା ପରେ କବାଟ ଆଉଜେଇ ଦେଇ ଖଟ ଉପରକୁ ଭିଡ଼ିନେଲେ। ପାଦ ଆଙ୍ଗୁଠିକି ଭିଡ଼ିଧରି ଭୁଲ ହୋଇଯାଇଛି ବୋଲି କେତେ କ୍ଷମାଯାଚନା କଲେ । ନିରୁ ଆଉ କିଛି କହି ନପାରି ସ୍ନେହରଜୁରେ ଭିଡ଼ି ଧରିଲେ। ପରସ୍ପରକୁ ଖୁବ୍ ଆଲିଙ୍ଗନ କରି କୋଳାକୋଳି ହେଲେ। ନିରୁ ଲତିକା ଚିବୁକରେ କେଇଗୋଟି ବୋକ ଦେଇଦେଲେ। ଲତିକାର ଦେହ ଶିଥିଳ ହୋଇଯାଉଥାଏ। ସିଏ ବି ଖୁବ୍ ଜୋର୍ ରେ ନିରୁକୁ ଭିଡ଼ିଧରି ଯାବ ପକାଇ ଦେଇଥା’ନ୍ତି, ଧୀରେ ଧୀରେ ଯେମିତି ସେମାନେ ତକିଆର ଆଶ୍ରୟରେ ଆଉଜି ଯାଉଥିଲେ ବିଛଣା ଉପରକୁ। କିଛି ସମୟ ପାଇଁ କାଚର ଝଣଝଣ ଓ ଖଟର ଖଟଖଟ କେଁ। ଫିସ୍ ଫିସ୍ କ୍ଷୀଣ ସ୍ଵରରେ ବି ହିସ୍… ହାସ୍… ହେ।ଖର ନିଶ୍ବାସଗୁଡ଼ାକ ପ୍ରଖର ହେଉଥାଏ। ତା’ପରେ ତ ଆଦମ ଏବଂ ଇଭ ମୁଦ୍ରାରେ ଉଭୟ ଦମ୍ପତି। କିଛି ସମୟ ପରେ ନୀରବ ନିଶ୍ଚଳ ଶରୀର। ଏକ ପରମ ଆଶ୍ୱସ୍ତିରେ ବିଶ୍ରାମର ଚିହ୍ନ।

ଏତିକିବେଳେ ତିଳ ଡାକିଲା – “ଭାଇ! ବୋଉ ଡାକୁଛି ଖାଇବୁ ଆ’।” ବିଛଣା ଛାଡ଼ି ଧଡ଼ଧଡ୍ ଉଭୟ ଉଠିଲେ। ନିରୁ ଲତିକା ମସ୍ତକରେ କେଇ ଗୋଟି ମୃଦୁ ଚୁମ୍ବନ ଆଙ୍କି ଦେଇ ଚାଲି ଯାଉଥିଲା ବେଳେ ଲତିକା ଖେଳେଇ ପଡ଼ିଥିବା ନିଜ ବସ୍ତ୍ରକୁ ସାଉଁଟି ଆଣି ବେଢ଼ି ହେଉଥିଲେ।

୫.ଚର୍ଚ୍ଚିଲ

ଚର୍ଚ୍ଚିଲ ସବୁବେଳେ ଚର୍ଚ୍ଚାରେ। ଘରର ବଡ଼ ପୁଅ ହିସାବରେ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି। ତେଣୁ ଭାରି ଗେହ୍ଲବସରରେ ବଢ଼ିଥିଲା ।ଏମିତି ସୁଆଙ୍ଗିଆ ହୋଇଥିଲା ଯେ କେହି ତାକୁ ନଅ ବର୍ଷଯାଏ ସ୍କୁଲ ଯିବା କଥା ପରା କହି ନାହାନ୍ତି। ଖାଲି ଇଆ କୋଳରୁ ତା କୋଳ ହୋଇ ଖେଳିବୁଲେ ।ବାପାମାଆଙ୍କଠାରୁ ଜେଜେଜେଜେମା’ ବେଶୀ ଫୁଲେଇ ହୁଅନ୍ତି ।ତେଣୁ ପିଲାଟା ପାଠସାଠ ନପଢ଼ି ମୂର୍ଖ ହେବାକୁ ବସିଲାଣି।

ଦିନେ ସନା ମାମୁ ଘରକୁ ଆସିଥିଲେ ।କହିଲେ – “ମାତନା! ଦେଖାଗଲାଣି ତୁ ଛୁଆଟାକୁ ବେକାର କରିଦେବୁ ।ଆରେ ପାଠସାଠ ଦି ଅକ୍ଷର ପଢ଼ିଲେ ସିନା ପିଲାଟା ବୁଦ୍ଧିଅକଲ ଶିଖିବ କି ବଡ଼ହୋଇ ମାଲି ମାମଲତି କରିବ ନହେଲେ ତା ଭବିଷ୍ୟତ କ’ଣ ହେବ କହିଲୁ?”
ସେଇଠୁ ସମସ୍ତଙ୍କର ଚେତା ପଶିଲା ।ଏଥର ନିଷ୍ପତ୍ତି ହେଲା ଚର୍ଚ୍ଚିଲ ଆମର ସ୍କୁଲ ଯିବ। ସେ ପାଖ ସ୍କୁଲରୁ ପ୍ରାଇମେରୀ ପାଠ ଦି ଅକ୍ଷର ପଢ଼ିଲାଣି। ଏଣିକି ମାଇନର ଖଣ୍ଡକ ପଢ଼ିବ ।ସେଠି ଦିନା ମାଷ୍ଟର ଅଛି। ତାକୁ ତା’ର ଭାରି ଡର। ସେ ଦିନା ମାଷ୍ଟରର କିଛି ନାହିଁ ।ସେ ଖାଲି ଛୁଆଙ୍କୁ ଗୋରୁଗାଈ ଭଳିଆ ବାଡ଼େଇ ପକାଇବ ।ମୁଣ୍ଡଠୁଁ ଗୋଡଯାଏ କୋଉଟା ବି ଛାଡ଼ିବ ନାହିଁ। ବାଡ଼େଇ ବାଡ଼େଇ ସବୁଆଡ଼େ ନୋଳା ବସେଇ ଦେବ।ପାଠ ଭଲ ପଢ଼ାନ୍ତି କିନ୍ତୁ ଟିକିଏ ଗଣ୍ଡ ଦୋଷ ଅଛି ।

ସେଇ ସ୍କୁଲରେ ଦିନା ସାର୍ ଗୋଟେ ବିଚିତ୍ର ବ୍ୟବସ୍ଥା କରିଥିଲେ। ସେ ନିୟମ କରିଥିଲେ ଯେ ସ୍କୁଲ ଖୋଲିବାର ଯଥେଷ୍ଠ ପୂର୍ବରୁ ପ୍ରତିଦିନ ଆସି ସ୍କୁଲରେ ପହଞ୍ଚିବାକୁ ହେବ। ଯିଏ ପ୍ରଥମେ ସ୍କୁଲରେ ପହଞ୍ଚିବ ସେ ଆସି କବାଟ ଜଞ୍ଜିରକୁ ଧରି ଛିଡ଼ା ହେବ ।ତା’ପରେ ଯିଏ ଆସିବ ସେ ତା’ପରକୁ ପର ଆସି ଛିଡ଼ାହେବେ। ତଦନୁସାରେ ପିଠିରେ କଳମ ବାଡ଼ିରେ ପାହାର ବସିବ ।ଯିଏ ଜଞ୍ଜିର ଧରିଥିବ ସେ କେବଳ ମାଡ଼ରୁ ପାରିହେବ ।ନଚେତ୍ ଆଉ ଅନ୍ୟ ସମସ୍ତେ କ୍ରମାନୁସାରେ ମାଡ଼ ଖାଇବେ ।ଅର୍ଥାତ୍ ଯିଏ ଦ୍ୱିତୀୟରେ ଥିବ ସେ ଗୋଟେ ପାହାର, ଯିଏ ତୃତୀୟରେ ଥିବ ସେ ଦିପାହାର – ଏହି ପ୍ରକାର ମାଡ଼ ପଡ଼ିବ। ଯିଏ ଶେଷରେ ଥିବ ତା ଉପରେ ସବୁଠାରୁ ଅଧିକ ମାଡ଼ ମାନେ ନିସ୍ତୁକ ମାଡ଼ ସେ ଖାଇବ। ଏଇଟା ଗୋଟେ ସବୁଦିନିଆ ଦଣ୍ଡ ବିଧାନ ଥିଲା। ଏହାବ୍ୟତୀତ ପାଠ ନ କରିଥିଲେ ବା ଭୁଲ କହିଲେ ବି ଉତ୍ତମ ମଧ୍ୟମ କି ଦିଟା ବସୁଥିଲା। ସବୁଠାରୁ ବେଶି ମାଡ଼ ହେଉଥିଲା କିଏ ଅଧିକ ପାଟି କରୁଥିଲେ ବା ଦୁଷ୍ଟାମି କରୁଥିଲେ ।ଏଗୁଡ଼ାକ ଦିନା ମାଷ୍ଟରର ମୋଟେ ହଜମ ହୁଏ ନାହିଁ ।ତା’ର ଗୋଟେ ଅଭ୍ୟାସ ସେ ଯେମିତି ପ୍ରତ୍ୟେହ ଛୁଆଙ୍କୁ ବହେ ଛେଚିବ ।ଡାଙ୍ଗ ବୋଲି କ’ଣ ଗୋଟେ ନା ଅଧେ, ନିଇତି ଗୋଛାଏ ଛଡ଼ି ମନିଟର କଳମ ବଣରେ ପଶି ଭାଙ୍ଗିକି ଆଣିବ ।

ସେ ସ୍କୁଲରେ ଏଇ ଦିନା ମାଷ୍ଟର ଗୋଟେ ବୋଲି ଶିକ୍ଷକ। ଆଉ ଜଣେ ମଦନ ମାଷ୍ଟର ଥିଲେ ଯେ ସେ ଗଣିତ ପଢ଼ାନ୍ତି। ତାଙ୍କର ଏଠୁ ବଦଳି ହୋଇଗଲା ପରେ ସାଥି ବହି ଦେଖି ଏଇ ଦିନା ମାଷ୍ଟର ଗଣିତ ବି ପଢ଼ାନ୍ତି। ସେ ଅଙ୍କ କରିବାକୁ ଦେଇଥିଲେ। ସମସ୍ତେ ସେଇ ସାଥି ବହି କିଣି ଓ ସେଇଥିରୁ ଟିପି ଆଣି ଦେଖାଇ ଦେଲେ ।କିନ୍ତୁ ଚର୍ଚ୍ଚିଲ ତ ତେଜ ଦିମାକବାଲା। ତେଣୁ ସେ ଅନ୍ୟ ସୂତ୍ର ପକାଇ ଅଙ୍କଟିକୁ କରିଦେଲା ।ସାର୍ ଦେଖିଲେ ଉତ୍ତର ତ ମେଳୁଛି କିନ୍ତୁ ଧାରା ଅନ୍ୟ ପ୍ରକାର ଅଛି। ସେ ତ ଅଙ୍କ ମାଷ୍ଟର ନୂହେଁ କେମିତି ବା ଏ କଥା ବୁଝି ପାରିଥାନ୍ତେ। ତେଣୁ ସେ ଚର୍ଚ୍ଚିଲକୁ ଏକ ଗୋଡ଼ିଆ କରି ବେଂଚ ଉପରେ ଛିଡ଼ା କରେଇ ଦେଲେ। ତା’ପରେ କଳମ ଛଡ଼ି ଧରି ବହେ ପିଟିଲେ। ଚର୍ଚ୍ଚିଲ ଯେତେ କହିଲା ମୁଁ ଠିକ୍ କରିଛି, ମୋତେ କାହିଁକି ବାଡ଼ାଉଛନ୍ତି, ସେ ବା କାହିଁକି ଶୁଣିବେ। ଓଲଟା ଆହୁରି ରାଗରେ ପିଟୁଥା’ନ୍ତି।
ପିଲା ମନ, ବିଦ୍ରୋହ କଲା। ସେ ଛଡ଼େଇ ନେଇ ଛଡ଼ି ହାତରେ ଧରି ଚିଲ୍ଲା ମାରିଲା। ଇଏ ତ ଦିନା ମାଷ୍ଟର ସେ କୋଉ ଛାଡ଼ିବା ଲୋକ କି । ତା ପଛରେ ଧାଇଁଲେ। ଚର୍ଚ୍ଚିଲ ଧାଇଁ ଧାଇଁ ଉପାୟ ନ ପାଇ ନଈକୁ ଡେଇଁ ପଡ଼ିଲା ।ଦିନା ମାଷ୍ଟର ବି ଛାଡ଼ିଲା ନାହିଁ, ସେ ଆଡ଼ି ଉପରେ ଧୋତି ପଞ୍ଜାବୀ ଥୋଇ ଦେଇ ଅଣ୍ଡରୱାର୍ଡ ପିନ୍ଧି ପାଣିକୁ ପଶିଗଲେ। ଚର୍ଚ୍ଚିଲ ବାଙ୍କ ଶିଆଳି ଦେଇ ଉପରକୁ ଉଠି ସେ ଧୋତି ଓ ପଞ୍ଜାବୀ ହାତରେ ଧରି ଦୌଡ଼ିକି ଆସି ସ୍କୁଲରେ। ସ୍କୁଲରେ ତା ମାଷ୍ଟରର ଲୁଗା ଥୋଇଦେଇ ନିଜ ସ୍କୁଲ ବସ୍ତାନି ଧରି ନଈ ପାର ହୋଇ ଗାଁକୁ ପଳାଇଲା।

ସାଙ୍ଗମାନେ ପଚାରିଲେ-” ସାର୍ କୁଆଡ଼େ ଗଲେ? “ସେ କହିଲା – “ସାର୍ ଅଣ୍ଡରୱାର୍ଡ ପିନ୍ଧି ପାଣିରେ ପଶିଛନ୍ତି। ଲାଜରେ ଉପରକୁ ଉଠିପାରୁ ନାହାନ୍ତି ।”

ସତକୁ ସତ ପିଲାମାନେ ଯାଇ ଦେଖେ ତ ସେୟା। ତେଣୁ ସେମାନେ ଲୁଗା ଦେବାରୁ ଦିନା ମାଷ୍ଟର ପାଣିରୁ ଉଠି କପଡ଼ା ପିନ୍ଧି ସ୍କୁଲକୁ ଫେରିଲେ ।କିନ୍ତୁ ତା’ର ରାଗ ପ୍ରଶମିତ ହୋଇ ନଥିଲା। ତା’ପର ଦିନ ସକାଳୁ ସେ ଯାଇ ସିଧା ଚର୍ଚ୍ଚିଲ ଘରେ ପହଞ୍ଚି ତାକୁ ଖୋଜିଲେ। ସେ ଗୋଟେ ଅଖାଡୁଆ ମାଷ୍ଟର ।ଅଭିଭାବକକୁ ବି ସେ ମାନେ ନାହିଁ। ମାଡ଼ଟା ଯେମିତି ତାଙ୍କ ଭଗବାନଙ୍କ ଆଦେଶ ।ଯାହାବି ହେଉ ଚର୍ଚ୍ଚିଲ ତାଙ୍କୁ ପାନେ ଦେଇଛି ।

ସେଇଦିନଠାରୁ ଚର୍ଚ୍ଚିଲ ଯାଇ ମାମୁ ଘରେ ରହିଲା ଯେ କିନ୍ତୁ ପାଠ ପଢା ଛାଡ଼ିଦେଲା। ସତ କହିବାକୁ ଗଲେ ସେ ହିଁ ସବୁଠାରୁ ମେଧାବୀ ଛାତ୍ର ଥିଲା। ଅବଶ୍ୟ ଗରୀବି ଟିକିଏ ବାଧକ ସାଜିଥିଲା କିନ୍ତୁ ଦିନା ମାଷ୍ଟ୍ରର ମାଡ଼ ତା ଭବିଷ୍ୟତ ବିଗାଡ଼ି ଦେଇଥିଲା ।ଟିକିଏ ଯଦି ପ୍ରୋତ୍ସାହନ ପାଇଥା’ନ୍ତା ଆଜି ସେ ବଡ଼ ଅଫିସର ହୋଇ ବସିଥା’ନ୍ତା।

ଯାହାହେଉ ଏବେ ଗୋଟେ ପ୍ରକାର , ସରକାର ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି, ଖୁବ୍ ଭଲ କରିଛନ୍ତି । ନହେଲେ ଚର୍ଚ୍ଚିଲ ଭଳି ଅନେକ ଆଜି ମୂର୍ଖ ପାଲଟିଥା’ନ୍ତେ ।ସ୍କୁଲରେ ଆଉ ଏବେ ମାଡ଼ଗାଳି ନାହିଁ ।ଯାହା ଟିକିଏ ଟିକିଏ ଧମକା ଚମକା ହେଉଛି ନହେଲେ ନାହିଁ ।ଏହାଦ୍ୱାରା କିଛି ଲାଭ ହେଉ କି ନହେଉ ଛୁଆ ତ ଆଉ ଅଧାରୁ ପାଠ ଛାଡୁ ନାହାନ୍ତି। ନହେଲେ ଆଗରୁ ପରା ମାଡ଼ ଭୟରେ ଅଧା ଛୁଆ ଅଧାରୁ ସ୍କୁଲ ଛାଡ଼ି ଚାଲି ଯାଉଥିଲେ। ତେଣୁ ତ ପାଠପଢ଼ା ହାର ବହୁତ କମ୍ ଥିଲା ଓ ନିରକ୍ଷରଙ୍କ ସଂଖ୍ୟା ଅଧିକ ଥିଲା। ତେବେ ଏବେ ସ୍ଵାକ୍ଷର ସଂଖ୍ୟା ନିଶ୍ଚିତ ଭାବେ ବଢ଼ିଛି ଓ ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା ବି କମିଛି। ଅତି କମରେ ସମସ୍ତେ ତ ସ୍କୁଲ ଶିକ୍ଷା ସମାପନ ପାଇଁ ମନ ବଳାଇଲେଣି। ଏହା ଶିକ୍ଷାର ଅଗ୍ରଗତି ଓ ଦେଶର ପ୍ରଗତି କ୍ଷେତ୍ରରେ ନିଶ୍ଚୟ ମହତ୍ତ୍ଵପୂର୍ଣ୍ଣ ।
ଆମ ଚର୍ଚ୍ଚିଲ ପୁଅ ପରା ଏବେ ମାଷ୍ଟର ହୋଇଛି। ଚର୍ଚ୍ଚିଲ କୁଆଡ଼େ ନିଜେ ତାକୁ ପଢ଼ାଏ। ଚର୍ଚ୍ଚିଲ ସିନା ଅଧାରୁ ପାଠ ଛାଡ଼ିଦେଲା, ସେ କିନ୍ତୁ ଭଲ ଟ୍ୟୁସନ କରେ ।ତା ପାଖରୁ ପାଠପଢ଼ି କେତେ ଛୁଆ ପରା ଆଜି ମଣିଷ ହୋଇଛନ୍ତି। ସେ କିନ୍ତୁ ଛୁଆଙ୍କୁ ଆଦୌ ବାଡ଼ାଏ ନାହିଁ ।ସେଇ ବୁଝେଇ ଶୁଖେଇ ଯାହା ।ସେ କିନ୍ତୁ ଖୁବ୍ ଭଲ ପାଠ ପଢ଼ାଏ। ପିଲାଏ ତାକୁ ଖୁବ୍ ଭଲ ପାଆନ୍ତି।ତେଣୁ ଅଧା ଖଣ୍ଡିଆ ପାଠପଢ଼ି ବି ସେ ଆଜି ଆଦର୍ଶ ଶିକ୍ଷକ, ସେ ଅଞ୍ଚଳର ନାମକରା ଘରୋଇ ଶିକ୍ଷକ।

୬.କେହି ଜଣେ ପ୍ରବୀଣ

ସେଦିନ ହଠାତ୍ ଫୋନ୍ ର ରିଙ୍ଗ କ୍ରିଂ କ୍ରିଂ ହୋଇ ବାଜିଉଠିଲା। ରାତି ପ୍ରାୟ ଏଗାରଟା ବାଜିଲାଣି। ଫୋନ୍ ଉଠାଇଲା ବେଳକୁ ପଦୁ ସାର୍ ।ଅତି ପରିଚିତ । ସେ ମୋର ଗୁରୁଜୀ ଥିଲେ। ଯେତେବେଳେ ନାହିଁ ସେତେବେଳେ ସେ ଫୋନ୍ କରନ୍ତି। ଘଣ୍ଟା ଘଣ୍ଟା ଧରି ଏମିତି ଗପନ୍ତି। ନିଜର ଏକଲାପଣ ଦୂର ହୋଇଗଲା ପରେ ଫୋନ୍ ରଖି ଦିଅନ୍ତି। ଭଲରେ ମନ୍ଦରେ ଟିକିଏ ପରାମର୍ଶ ଦେଇଥାନ୍ତି। ତେଣୁ ମୋର ହିତାକାଂକ୍ଷୀ।

ଜୀବନର ଅପରାହ୍ଣରେ ସେ ପହଞ୍ଚିଲେଣି, କିନ୍ତୁ ଆଜିବି ସେ ଭାରି କ୍ରିୟାଶୀଳ । ସଶକ୍ତ ହୋଇ ବାଟ ଚାଲନ୍ତି। ଅନେକ କର୍ମରେ ସେ ଲିପ୍ତ ଅଛନ୍ତି ।ଭାରି କର୍ମ ତତ୍ପର। ୟାଙ୍କୁ ତେଣୁ ବାସ୍ତବରେ କହିବା କର୍ମବୀର। କର୍ମ ଯାହାଙ୍କ ଜୀବନର ମହାର୍ଘ ଅସ୍ତ୍ର ।

ବୟସ ନିଶ୍ଚୟ ସତୁରୀ /ବାସ୍ତରୀ ହେବ ।ଆଗ କାଳିକା ଡେଙ୍ଗା ଆଡିଆ ଲୋକ ।ଉଚ୍ଚତା ପାଞ୍ଚ ଫୁଟ୍ ଆଠ ଇଞ୍ଚ୍ ।ପତଳା ଆଡିଆ ମଣିଷ ।ତେଣୁ ଚେହେରା ଟିକିଏ ଭାଙ୍ଗି ଯାଇଥିଲେ ମଧ୍ଯ ସେତେ କିଛି ପରିବର୍ତ୍ତନ ହୋଇ ନାହିଁ। ଆଗ ଭଳିଆ ଏବେବି ଫିତା ଲଗା ଘଣ୍ଟାଟିଏ ବାଁ ହାତରେ ସେ ବାନ୍ଧନ୍ତି ।ଇସ୍ତ୍ରୀ କରା ଲୁଗା ସବୁବେଳେ ସେ ପିନ୍ଧନ୍ତି। ତାଙ୍କ ଡ୍ରେସ୍ ରେ କେବେବି ଭାଙ୍ଗ ପଡ଼ି ନଥାଏ ।ଭାରି ସଫା ସୁତୁରିଆ ଲୋକ ।କଳା ପ୍ୟାଣ୍ଟ ଓ ଧଳା ସାର୍ଟ ତାଙ୍କୁ ବେଶ୍ ମାନେ । ବଜାରକୁ ଆସିଲେ ସାଙ୍ଗ ମେଳରେ ସେ ଚା କପେ କପେ କେତେବେଳେ କେମିତି ଖାଆନ୍ତି। ନହେଲେ ନାହିଁ ପାନ ସିଗାରେଟ୍ ବୋଲି ଖରାପ ଅମଳ କିଛି ନାହିଁ। କଥାବାର୍ତ୍ତା ଭାରି ଧୀର ଆଉ କୋମଳ। କାହା ସହିତ ଉଚ୍ଚବାଚ ସେ କେତେବେଳେ କରନ୍ତି ନାହିଁ। ତେଣୁ ସମସ୍ତଙ୍କର ସେ ପ୍ରିୟଭାଜନ । ତାଙ୍କର ପରିଚିତ ନାଁଟିଏ – ପଦୁ ମାଷ୍ଟ୍ରେ ।

ସେ ପେଶାରେ ଶିକ୍ଷକ ଥିଲେ। ଶେଷ ଆଡକୁ ଜିଲ୍ଳା ଶିକ୍ଷା ଅଧିକାରୀ ହୋଇ ଚାକିରୀରୁ ଅବସର ନେଲେ ।ତେଣୁ ଭଲ ପଢ଼ାଲେଖା ଲୋକ ।ବିଚାରବୁଦ୍ଧି ପାକଳ ।କିନ୍ତୁ କେମିତି କେଜାଣି ଚୁଟିଗୁଡ଼ାକ ଏଯାଏ ପାଚି ନାହିଁ ।ଭାରି ଧୀର ମସ୍ତିଷ୍କର ଲୋକ ତ, ବୋଧହୁଏ ସେଇଥିଲାଗି ।

ଏହି ପଦୁ ମାଷ୍ଟ୍ରେଙ୍କୁ ମୁଁ ଅନେକ ଦିନରୁ ଦେଖିଚି। ସେ କାହିଁ ମୋଟେ ଥକନ୍ତି ନାହିଁ କି ରୋକନ୍ତି ନାହିଁ ।ସବୁ କଥାରେ ତ ଆଗୁସାର। ଏବେବି ଯୁବସୁଲଭ ଉଦ୍ଦାମତା ଓ ଚିତ୍ତଚାଞ୍ଚଲ୍ଯ ବୋଧହୁଏ କମି ନାହିଁ ।ତେଣୁ ତ ସେ ଏତେ କାମ କରି ପାରୁଛନ୍ତି।

ସେ ଜଣେ ସାମାଜିକ କର୍ମୀ। ସମାଜ ସେବା ତାଙ୍କ ଜୀବନର ବ୍ରତ। ବୟସ କେବେବି ବାଧକ ସାଜି ନାହିଁ। ସବୁ କାମ ଯେମିତି ସେ କରନ୍ତି, ଆଜି ବି ସେମିତି ସ୍ୱାଭାବିକ ଭାବେ କରି ଆସୁଛନ୍ତି। ଦ୍ୱିଧାବୋଧ ମନରେ ନାହିଁ ।ବିକାର ତାଙ୍କ ଲକ୍ଷଣରେ ନାହିଁ ।ସେ ଉନ୍ମାଦଗ୍ରସ୍ତ କେବେ ହୁଅନ୍ତି ନାହିଁ। ସବୁ କାର୍ଯ୍ୟ ଧୀରସୁସ୍ଥେ କରନ୍ତି। ଭାରି ଶାନ୍ତଶିଳା ସ୍ଵଭାବର ।

ମୋତେ କହିଲେ – “ଆସନ୍ତା ରବିବାରେ ଟିକିଏ ମଞ୍ଜୁରୀରୋଡ଼ରେ ଆସି ପହଞ୍ଚିବୁ।ଗୋଟେ ସାହିତ୍ୟ ସଭା ଅଛି । ଆମ ଅନୁଷ୍ଠାନର ବାର୍ଷିକୋତ୍ସବ ଅଛି ତ । ପୁଣି ପୁରସ୍କାର ବିତରଣ ସମାରୋହ ଓ ଅନୁଷ୍ଠାନର ମୁଖପତ୍ର ମଞ୍ଜରିର ଶୁଭୋନ୍ମୋଚନ ହେବ ।”

ଏହି ମଞ୍ଜୁରୀରୋଡ଼ ହେଉଛି ଗୋଟେ ଅର୍ଦ୍ଧ ସହରୀ କ୍ଷେତ୍ର ।ଏହା କେନ୍ଦୁଝର ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟେ ସୀମାନ୍ତବର୍ତ୍ତୀ ଅଞ୍ଚଳ, ଯାହାର ପାରିପାର୍ଶ୍ବିକ ଅବସ୍ଥିତି ନିପଟ ମଫସଲ। ତେଣୁ ସେହି ବଜାର ଖଣ୍ଡକ ପାଖ ଇଲାକାକୁ ଜ୍ଞାନାଲୋକ ବିକୀରଣ କରିଥାଏ ।ସେ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ। ତେବେ ପଦୁ ମାଷ୍ଟ୍ରେଙ୍କ ଲୀଳା କ୍ଷେତ୍ର ହେଉଛି ଏଇ ମଞ୍ଜୁରୀରୋଡ଼ ।

ଯାହାବି ହେଉ ତାଙ୍କ ନିମନ୍ତ୍ରଣର ପ୍ରତ୍ୟୁତ୍ତରରେ ମୁଁ କହିଲି – “କାହିଁକି ଆପଣ ଏସବୁ କାମରେ ମାତିଛନ୍ତି। ଖାଇପିଇ ଶାନ୍ତିରେ ଘରେ ଶୋଇଲେ କ’ଣ ହୁଅନ୍ତା ନାହିଁ ।ଖାଲି ସମୟ ବରବାଦ କରିବା କଥା। ବୟସ ବି ଆପଣଙ୍କର କୋଉ କମ୍ କି , ଟିକିଏ ବିଶ୍ରାମ ନେଉ ନାହାନ୍ତି। “

ସେ ସେଇଠୁ କହିଲେ -” ସେଇଠି ତ ରହିଲା କଥା। ଆଜିକାଲି ଲୋକେ ବିଶ୍ରାମ ମାନେ କ’ଣ ବୁଝନ୍ତି ମୁଁ ଜାଣି ନାହିଁ। ମୁଁ ତ ବିଶ୍ରାମ ହିଁ ବିଶ୍ରାମ ନେଉଛି। କିନ୍ତୁ ବିଶ୍ରାମ ମାନେ ନୂହେଁ ହାତଗୋଡ଼ ବାନ୍ଧି ଘରେ ବସିରହିବା। ଭଗବାନ ମଣିଷକୁ ସ୍ରୁଷ୍ଟି କରିଛନ୍ତି ଆଉ ହାତଗୋଡ଼ ବି ଦେଇଛନ୍ତି କାମ କରିବା ପାଇଁ, ଯେଉଁ କର୍ମରେ ସେ ଲିପ୍ତ ରହିଲେ ହିଁ ଆତ୍ମତୃପ୍ତି ପାଇବ। କିନ୍ତୁ ଆମ ଭିତରେ ଅଧିକାଂଶ ଭାବନ୍ତି ଯେ, ଚାକିରୀରୁ ଅବସର ନେବା ମାନେ ଘରେ ବସି ରହିବା। ସତେ ଯେମିତି ଏତେ ବଡ଼ ଜୀବନଟାର ସେଇଠି ଅନ୍ତ ଘଟିଗଲା। କିନ୍ତୁ ଏ କଥା ଆମେ ବୁଝୁନା ଯେ ଆହୁରି ତ ଦଶ କୋଡ଼ିଏ ବର୍ଷ ଆମକୁ ବଞ୍ଚି ରହିବାକୁ ହେବ, ଯେଯାଏ ଏ ଶରୀରରେ ପ୍ରାଣ ଅଛି। ତେବେ କ’ଣ ସେତେଦିନ ଯାଏ ମଣିଷ କର୍ମରହିତ ହୋଇ କେବେ ଶାନ୍ତିରେ ବଞ୍ଚିପାରିବ? କେବେ ନୁହେଁ। ବରଂ ଅଧିକ ରୋଗ ମାଡ଼ି ବସିବ ଓ କାମ ନକଲେ ଶରୀରର ଅଙ୍ଗପ୍ରତ୍ୟଙ୍ଗ କ୍ରିୟା ବିକ୍ରିୟା ଅଭାବରୁ ଅଚଳ ହୋଇ ମଣିଷକୁ ପଙ୍ଗୁ କରିପକାଇବ ।ତେଣୁ ଘୋଷରା ଟଣା ଖାଇ ଶେଷ ଜୀବନ ହତାଶା ଓ ନିରାଶାରେ ଜୀବନ ଯିବ।ତା ଅପେକ୍ଷା ନିଜକୁ ନିଜେ ନିଯୁକ୍ତି ଦେଇ ଆମେ ଯଦି ସାମାଜିକ କାମରେ ନିୟୋଜିତ ରହନ୍ତି, ତେବେ ସମାଜର ମଙ୍ଗଳ ହେବ ତ ହେବ ନିଜକୁ ମଧ୍ୟ ତହିଁରେ ସଂଶ୍ଲିଷ୍ଟ ଓ ଯୋଗଦାନ କାରଣରୁ ଗୋଟେ ଭିନ୍ନ ଆନନ୍ଦବୋଧ ହୁଏତ ମିଳିବ। ନିଜ ଭାବ ଓ ଭାବନାକୁ ବ୍ୟକ୍ତ କରିବା ପାଇଁ ମଧ୍ଯ ଏଥିରେ ଗୋଟେ ବ୍ୟାପକ ସୁଯୋଗ ଥାଏ ଓ ନିଜ ସୁଖ ଦୁଃଖ ବାଣ୍ଟିବା ପାଇଁ ଥୋକେ ସମଧର୍ମୀ ଛାଏଁକୁ ମିଳନ୍ତି ।ଏହାଠାରୁ ଆଉ ଅପୂର୍ବ ସୁଯୋଗ କ’ଣ ଅଛି। “

ବାସ୍ତବରେ ଏ କଥାକୁ ମୁଁ ସେଦିନ ହୃଦୟଙ୍ଗମ କରି ଅନେକ ରାତିଯାଏଁ ଭାବିବାକୁ ମଜବୁର୍ ହୋଇଗଲି । ଯେଉଁମାନେ ଶ୍ରମଜୀବୀ ସେମାନଙ୍କ କଥା ଅବଶ୍ଯ ଅଲଗା। ସେମାନେ ତ ବାର୍ଦ୍ଧକ୍ୟ କ’ଣ ଜାଣନ୍ତି ନାହିଁ ।କାହିଁକିନା ଜୀବନ ତମାମ କାମ ଭିତରେ ସେମାନେ ତ ଅହର୍ନିଶ ଜିଅଁନ୍ତି ଆଉ ଜୀବନର ତାତ୍ପର୍ଯ୍ୟ ସ୍ୱତଃ ବୁଝାପଡେ।କିନ୍ତୁ ଯେଉଁମାନେ ସରକାରୀ ବା ବେସରକାରୀ ଚାକିରୀ କରି ଅବସର ନେଉଛନ୍ତି ସେମାନଙ୍କ ଉପରେ ଜୀବନଟା କାହିଁକି ଏମିତି ବୋଝ ପରି ମାଡ଼ିବସୁଛି । କାହିଁକିନା ଚାକିରି ଚାକିରି ବୋଲି ସେମାନେ ଆଉ ମଣିଷ ସମାଜଟାକୁ ଦେଖିଲେ ନାହିଁ କି କାହା ସହ ମିଶିଲେ ନାହିଁ।
ପଦୁ ମାଷ୍ଟ୍ରେ ବରଂ ଭଲ କରିଛନ୍ତି। ନିଜେ ସାହିତ୍ୟ ସାଧନା କରୁଛନ୍ତି ଆଉ ସାହିତ୍ୟ ସଭା ବି ଅୟୋଜନ କରୁଛନ୍ତି। ସେ ଗୋଟେ ସଂଗଠନ ଗଢ଼ିଛନ୍ତି ଯେଉଁଥିରେ ଅନେକ ଅବସରପ୍ରାପ୍ତ କର୍ମଚାରୀ ଅଛନ୍ତି। ସେଇ ଏକମାତ୍ର ହେଉଛି ସେ ଅଞ୍ଚଳର ସ୍ମୃତି କମିଟି, ନାଗରିକ ବିଚାରକ ମଞ୍ଚ, ଶାନ୍ତି କମିଟି ଓ ଆଉ ଯାହା ଯାହା ଆପଣ କହି ପାରନ୍ତି । କାରଣ ପ୍ରତିଭା ପୂଜନ ଓ ପ୍ରତିଭା ପ୍ରୋତ୍ସାହନ ଆଦି କେତେ କ’ଣ କାମ ତ ତାଙ୍କ ଅନୁଷ୍ଠାନ କରୁଛି।ସେ ଅଞ୍ଚଳର କିଛି ସମସ୍ୟା ପଡ଼ିଲେ ତା’ ର ସମାଧାନ ପାଇଁ ବି ଲୋକେ ଆଗ ତାଙ୍କ ପାଖକୁ ଧାଇଁ ଆସନ୍ତି। ଏତେ ସବୁ କାମ କରି ବି ସେ ଆଦୌ ଥକନ୍ତି ନାହିଁ ।ବରଂ ଏଥିରେ ସେ ନିଜକୁ ବ୍ୟସ୍ତ ରଖି ବେଶ୍ ଆଶ୍ୱସ୍ତ ହୁଅନ୍ତି ଓ ନିଜକୁ ସହଜ ମଣନ୍ତି । ଅବସର କାଳୀନ ଜୀବନର ସୁନ୍ଦର ସଦୁପଯୋଗ ତାଙ୍କ ଜୀବନର ମହତ୍ ଲକ୍ଷ୍ୟ। କରନ୍ତୁ, ତାଙ୍କର ଯେଉଁଥିରେ ଖୁସି। ଆମେ କାହିଁକି ଅଯଥାରେ ବାଧା ଦେବା, ବରଂ ଦରକାର ପଡ଼ିଲେ ସହଯୋଗ କରିବା। ଆମ ଅଞ୍ଚଳର ଉନ୍ନତି ଓ ପ୍ରଗତି ହେଉ।
କିନ୍ତୁ ଯେଉଁମାନେ ଘର ଭାଲୁ ସେମାନେ ଘରେ ବସିଥାନ୍ତୁ, କିଛି ଯାଏ ଆସେ ନାହିଁ । କିନ୍ତୁ କେଇବେଳେ ଜୀବନଟା ନର୍କ ହୋଇଯିବ ଯେ କେହି ଜାଣିବେ ନାହିଁ।

୭.ଝିଞଟ

ବଡ଼ ଝିଞଟିଆ ଏ ଜୀବନ ।କ’ଣ ଏଠି ବଞ୍ଚି ରହିବାର ମାନେ? ଜଞ୍ଜାଳ ପରା ସବୁ ବେଳେ ଲାଗି ରହେ। ଗୋଟିଏ ସମସ୍ୟାରୁ ମୁକ୍ତି ମିଳିଲା କ୍ଷଣି ଆଉ ଗୋଟିଏ ସମସ୍ୟା ଦୁଆର ମୁହଁରେ ଆସି ମଥା ବାଡ଼ାଏ ।ତେଣୁ ଟିକିଏ ଶାନ୍ତିରେ ବଞ୍ଚିହେବ ନାହିଁ କି ଏ ଜୀବନ ତରୀକୁ ବିନା ହଟଚମଟରେ ବାହି ନେଇ ହେବ ନାହିଁ।

ଏମିତି କିଛି ସେଦିନ ପ୍ରଗଲ୍ଭ ଭଳି ଗପି ଚାଲିଥାନ୍ତି ଦିନନାଥ। ଦିନନାଥଙ୍କୁ ବୟସ ତିନି କୋଡ଼ି ପାଞ୍ଚ ହେବ ।ଏବେ ବି ସେ ବେଶ୍ ହୃଷ୍ଟପୁଷ୍ଟ ଓ ପରିଷ୍କାର ପରିଚ୍ଛନ୍ନ ଦିଶୁଥାନ୍ତି । ତାଙ୍କ ଚେହେରାରେ ମଳିନତା ନାହିଁ କି ମୁଖ ମଣ୍ଡଳରେ ଉଦାସୀନତା, କାହିଁକିନା ସେ ବେଶ୍ ପ୍ରସନ୍ନ ଦେଖା ଯାଉଥାନ୍ତି। ଗୋଟେ ଧଳା ଟ୍ରାଉଜର ସାଙ୍ଗକୁ ଗୋଟେ ହାତକଟା ହାଫ୍ ସାର୍ଟଟେ ପିନ୍ଧିଥାନ୍ତି ।ଜଣା ପଡ଼ୁଥାଏ ସତେ କି ତାଙ୍କର ଅତି ସରଳ ଓ ସ୍ଵାଭାବିକ ଜୀବନ ସହଚର୍ଯ୍ୟ।
ପାନବିଡ଼ି ସିଗାରେଟ୍ ବୋଲି କିଛି ଗୋଟେ ଅମଳ ନାହିଁ।ଯାହା ଟିକିଏ କପେ ଚା ପିଅନ୍ତି, ସେ ପୁଣି କିଏ ବାଧ୍ୟ କରି ଯାଚିଲେ ନହେଲେ ନାହିଁ। ତେଣୁ ତ ଦାନ୍ତ ପଂକ୍ତି ଗୁଡ଼ିକ ବେଶ୍ ସଫା ଓ ପରିଷ୍କାର ଦିଶୁଥାଏ। ସେଇଥିରେ ସେ ଫିସି ଫିସି ହସି ଦେଇ କେମିତି ଗୋଟେ ବେଶ୍ ସହଜ ସରଳ ଭାବେ କଥା ହେଉଥାନ୍ତି ଯହିଁରୁ ଗୋଟେ ଅଲଗା ବ୍ୟକ୍ତିତ୍ଵର ପରିଚୟ ମିଳୁଥାଏ।

ସେଦିନ ହଠାତ୍ ତାଙ୍କ ସହ ମୋର ଦେଖା ହୋଇଗଲା ତୃପ୍ତି ପ୍ଲାଜା ଚା ଦୋକାନ ପାଖରେ ଯେତେବେଳେ କି ସେ ଗପର ଲହର ମେଲାଇ ଥାଆନ୍ତି ।ଏଇ ପଣ୍ଡା ଚା ଦୋକାନରେ ଭଲ ଗପସପର ଆସର ସବୁବେଳେ ଜମେ। ସେଠି ଦି ଚାରି ଖଣ୍ଡ ଚୌକି ଓ କେତେଟା ଲଙ୍ଗ୍ ବ୍ୟାଞ୍ଚ୍ ପଡ଼ିଚି ।ଲୋକେ ଚା ପିଅନ୍ତି ଓ ଯାହାର ଯାହା ସହିତ ଭଲ ପଟିଲା ବେଶ୍ ବସି ଦୁଃଖ ସୁଖ ହୁଅନ୍ତି। ମୁଁ ବି ବେଳେବେଳେ ସେଥିରେ ସାମିଲ ହୁଏ। ତେଣୁ ତ ଏତେ ଜାଣିଲି।

ଦିନନାଥ ବାବୁ ନିଜ ସମ୍ପର୍କରେ ଢେର୍ କଥା କହୁଥାନ୍ତି।ସେ ସିନା ମାଷ୍ଟର ଚାକିରିରୁ ଅବସର ନେଇ ଅବଶିଷ୍ଠ ଜୀବନ କାଟୁଛନ୍ତି ହେଲେ ସଂସାର ଝାମେଲା ଏଯାଏ ତାଙ୍କର ଛିଡି ନାହିଁ ।ଚାରିଆଡ଼େ ନେଟମା ଲାଗି ରହିଛି।

ତାଙ୍କର ଗୋଟେ ବୋଲି ପୁଅ, ଆଉ ଗୋଟିଏ ଝିଅ। ଉଭୟ ଚାକିରୀ କରି ଏଇ ସହରରେ ରହୁଛନ୍ତି ।ସେମାନଙ୍କର ପୁଣି ବାହାଘର ସାହାଘର ସରି ଯାଇଛି ।ହେଲେ ତାଙ୍କ ପାଇଁ ଧନ୍ଦା ଏପର୍ଯ୍ୟନ୍ତ ମେଣ୍ଟି ନାହିଁ ।କାହାର ପିଲା ହେଲାଣି ତ, କାହା ଛୁଆଙ୍କର ଦେହ ଖରାପ। ତେଣୁ ସେମାନଙ୍କ ଯଗାରକ୍ଷା ଓ ଭଲମନ୍ଦକୁ ବୁଢ଼ାବୁଢୀଙ୍କର ଲୋଡ଼ା ।ସେଥିସକାଶେ ଦିନନାଥ ବାବୁ ପତ୍ନୀ ମାଳତୀ ସାଙ୍ଗରେ ଗାଁରେ ରହିଲେ ମଧ୍ଯ ଢେରେ ବେଳେ ସହରକୁ ଆସି ପୁଅବୋହୂ, ଝିଅଜ୍ୱାଇଁ ଓ ନାତିନାତୁଣୀଙ୍କ ସମସ୍ୟା ସବୁ ସୁଲଝେଇକି ଯାଆନ୍ତି ।ଏଥର ବି ବାଲେଶ୍ଵର ସେ ସେଇ ସକାଶେ ଆସିଛନ୍ତି। ପୁଣି ଆଠ ପନ୍ଦର ଦିନକେ ଗାଁକୁ ଫେରିଯିବେ ।ଭାବିଥିଲେ ଅବସର ଗ୍ରହଣ କଲା ପରେ ସେ ସବୁ ଗୁରୁ ଦାୟିତ୍ୱରୁ ମୁକ୍ତ ହୋଇଯିବେ ।ତେଣୁ ଆଉ କାଠି କୁଟାକୁ ଦୁଇ ଖଣ୍ଡ କରିବେ ନାହିଁ, ଖାଲି ବସି ଶୋଇକି ଆରାମରେ ବାକି ସମୟତକ କାଟିବେ ।ତେବେ ସେ କଥା ହେଲା ନାହିଁ। ଏବେ ବି ଚାରିଆଡ଼େ ନାନାଦି ଅଡ଼ୁଆ, ତେଣୁ ଛୋଟବଡ଼ ଅନେକ ଦାୟିତ୍ଵ ମୁଣ୍ଡାଇବାକୁ ପଡୁଛି ।

ତାଙ୍କ ଗାଁ ହେଉଛି ଗୋପଲପୁର ପାଖ ଶ୍ରୀଜଙ୍ଗ।ଶ୍ରୀଜଙ୍ଗ ଗାଁଟି ବହୁତ ବଡ଼। ପ୍ରାୟତଃ ଦି ଚାରି ଶହ ପରିବାର ସେଠାରେ ଚଳପ୍ରଚଳ କରନ୍ତି। ତେଣୁ ଲୋକ ଗତାଗତ ଭାରି ।ଗାଁଟିରେ ସବୁ ରକମର ଜିନିଷ ମିଳେ ।ସେଇ ଗାଁରେ ବଜାରଘାଟ ଓ ସୌଦାପାତି କରି ନିଜକୁ ନିଜେ ଜଣେ ଚଳିଯିବ। ଯେଉଁଥି ପାଇଁକି ଆଉ କାହା ଉପରେ ଏତେଟା ତାଙ୍କୁ ନିର୍ଭର କରିବାକୁ ପଡ଼େ ନାହିଁ। ଯାହା ସେ ପନିପରିବା ଓ ଭଲମନ୍ଦ ଜିନିଷ ଧରିକି ଆସନ୍ତି, ବୁଢୀ ଟିକିଏ ଫୁଟେଇ ଦେଲେ ଦୁଇ ଜଣ ଶାନ୍ତିରେ ଖାଆନ୍ତି। ଗାଁ ଗଣ୍ଡାରେ ବୁଲିବସି ଶାନ୍ତିରେ ସମୟ କାଟନ୍ତି।

କିନ୍ତୁ ଗାଁରେ ଯୋଡ଼ିଏ ଜିନିଷ ଏବେ ସମସ୍ତଙ୍କୁ ଭାବିବାକୁ ମଜବୁର୍ କରିଦେଇଛି ।ତାହା ହେଲା ରାଜନୀତି ଆଉ ଭାଇବାଦ। ରାଜନୀତି ପାଣିପାଗ ଏମିତି ଏଇଲାଗେ ଗାଁରେ ଗୋଳିଆ ପାଣି ହେଲାଣି ଯେ ସେଥିରେ ମୁଣ୍ଡ ଗୋଳମାଳିଆ ଧରି ଦି କଡ଼ା ଦିଗଣ୍ଡା ହେଉଛି ।ଏଇ ରାଜନୀତି ପାଇଁ କାହାକୁ ନିଆଁପାଣି ବନ୍ଦ ତ ପୁଣି କାହାକୁ ଅଟକ। ଏ ଦଳିଆଙ୍କ ସେ ଦଳିଆଙ୍କ ସହ ଉଠାବସା ନାହିଁ ।ବାହାଘର ଭୋଜି ଭାତରେ ନିମନ୍ତ୍ରଣ ଆମନ୍ତ୍ରଣ ବି ନାହିଁ। କିଏ କାହାକୁ ଦେଖି ମୁହଁ ଫେରାଇ ନେଉଛି ତ ଆଉ କିଏ କଥା ହେଉ ନାହିଁ, ସାହାଯ୍ଯ ଓ ଭଲମନ୍ଦ କଥାରେ ସାହାରା ହେବା କଥା ତ ଦୂରରେ ଅଛି ।
ଏଗୁଡାକ ସବୁ ଦେଖି ଦେଖି ଆଉ ଦିନନାଥ ବାବୁଙ୍କୁ ଭଲ ଲାଗୁ ନାହିଁ। ଖାଲି ଗୋଟେ ଗାଁ ପ୍ରୀତି ଓ ଜନ୍ମ ମାଟିର ମୋହ ପାଇଁ ସେ ସେଠି ରହିଛନ୍ତି ନା, କିନ୍ତୁ ପରିସ୍ଥିତି ଭୀଷଣ ଖରାପ। ଏବେଠୁଁ ତ ସ୍ଥିତି ଅସମ୍ଭାଳ, ଆଉ ଭବିଷ୍ୟତରେ ସେଠି ରହିହେବ କି ନାହିଁ ତାହା ଏବେଠୁ କହିବା ଅସମ୍ଭବ ।ଯାହାହେଉ ଦିନନାଥ ଓ ପତ୍ନୀ ଲତିକା ହାତେ ମାପି ଚାଖଣ୍ଡେ ଚାଲିଛନ୍ତି। ତେଣିକି କେତେବେଳେ କେଉଁ ପରିସ୍ଥିତି ହେବ ତାହା କେଜାଣି। ବୁଢ଼ା ବୁଢୀ ଦୁଇଟା ମରିଗଲା ପରେ ପିଲାଛୁଆ ଆଉ ଗାଁକୁ ଆସିବେ କି ନାହିଁ ଠିକ୍ ନାହିଁ, କିନ୍ତୁ ଜିଇଁ ଥିବା ଯାଏଁ କେମିତି ଲୋଭ ଛାଡ଼ିଦେବେ? ଯାହା ହେଲେ ବି ନିଜ ବାପ ଗୋସାପ ଅମଳର ଭିଟାମାଟି ଖଣ୍ଡକ ନା ।ଏଇଠି ପରା ସେମାନେ ପାଳିପୋଷି ହୋଇ ବଡ଼ ହୋଇଛନ୍ତି। ପୁଣି ଚିହ୍ନା ମୁହାଁ ଚିହ୍ନା ମାଟି ସବୁକିଛି ପରା ଆପଣାର।

କଥା ପ୍ରସଙ୍ଗରେ ଏମିତି ଭାବ ଆସିଯିବାରୁ ଦିନନାଥ ବାବୁ ମଝିରେ ମଝିରେ ଭାବବିହ୍ଵଳ ହେଉଥାନ୍ତି ।ବସିଥିବା ଲୋକ କିଛି ତାଙ୍କୁ ଶାନ୍ତ୍ୱନା ଦେଉଥାନ୍ତି ଓ ମଝିରେ ମଝିରେ କଲିଏ କଲିଏ ଯୋଡ଼ି କଥା ପ୍ରସଙ୍ଗକୁ ଆଗକୁ ନେଉଥାନ୍ତି।

ଦିନନାଥ ବାବୁ ଏଥର କହିଲେ – “ଛାଡନ୍ତୁ ସେସବୁ କଥା, ଭାଇ ଭଗାରୀ କଥା ବି କ’ଣ କମ୍ ବଳି ଗଲାଣି କି। ସେ କଥା କହିଲେ ଇଲାଗେ ମହାଭାରତ ହେବ ।ଖାଲି ଇର୍ଷା ଓ ବାଦ। ଏମାନେ କାହାରି ଭଲଟା ଦେଖି ପାରିବେ ନାହିଁ, ଖାଲି ହିଂସାରେ ଜଳିବେ ।ବାଦଚ୍ଛେଦ କରି କେତେ ଅଡୁଆରେ ପକାଇବେ ।ଘୁମାଫେରା କଥା କହି ନାନାଦି ଭେଳିକି ଦେଖାଇବେ ।ଖାଲି ତ ସ୍ୱାର୍ଥ। ସ୍ୱାର୍ଥ ପାଇଁ ସମସ୍ତେ ମଲେ। ବିନା ସ୍ୱାର୍ଥରେ କେହି ମୁହଁକୁ ଚାହିଁବେ ନାହିଁ, ସେତେବେଳେ କେଉଁଠି ବନ୍ଧା ପଡିଥାଏ କେଜାଣି ଏମାନଙ୍କ ମଣିଷପଣିଆ ଓ ବିଚାରବୁଦ୍ଧି? ଆପଣା ସ୍ଵାର୍ଥ ନଥିଲେ ଆପଣାର ଜ୍ଞାନ୍ତିକୁଟୁମ୍ବ ଓ ଭାଇଭଗାରୀ ବି ଦାରୁଣ ଦୁଃଖ ବେଳେ ସାହାରା ଦେବେ ନାହିଁ କି ମଲା ବେଳେ ମୁହଁକୁ ଚାହିଁବେ ନାହିଁ। ଧିକ୍ ସେ ମଣିଷ ପଣିଆ, ଆଜି ଏ ସ୍ୱାର୍ଥନୈଷି ମାନବ ପାଖରେ ସବୁ କୁଆଡ଼େ ଉଭାନ ହେଲାଣି ।

ଏମିତି ଅସନ୍ତୋଷ ଝାଡ଼ି ଦିନନାଥ ବାବୁ ଶେଷରେ ଫେରୁଥିଲେ ନିଜ ଅତୀତକୁ ।ସେ ବାସ୍ତବରେ ଜୀବନ ତମାମ କାହା ପାଇଁ କ’ଣ ନକରିଛନ୍ତି ।କିନ୍ତୁ ପାଇଲେ କ’ଣ? ତା’ର ଆଜି ସେ ହିସାବ କିତାବ କରିବା ଜରୁରୀ ଅନୁଭବ କରୁଛନ୍ତି।
ଦିନେ ସମୟ ଥିଲା ସେ ଏଇ ଗାଁରେ ଖେଳି ବୁଲି ବଡ଼ ହୋଇଥିଲେ। ଗାଁ ଚାଟଶାଳୀ ସ୍କୁଲରେ ଦି ଅକ୍ଷର ପାଠପଢି ସେ ମଣିଷ ହୋଇଛନ୍ତି। ଡିବିରି ଆଲୁଅ ତଳେ ଜୀବନ ଧାଇଁଛି।ଦାରିଦ୍ର୍ୟତାର କଷାଘାତ କେତେ ସେ ସହିଛନ୍ତି।

ଛୁଆଟିଏ ହୋଇଥିଲେ ବାପା ଚାଲିଗଲେ, ଇଆ ତା ଘରେ ମାଗି ଯାଚି ସେ ଖାଇଛନ୍ତି ।ଦରକାର ପଡ଼ିଲେ ପର ଘରର ମୂଲ ଲାଗି ସେ ଘର ଚଳାଇଛନ୍ତି। ସେଇଥିରେ ସେ କିନ୍ତୁ ପାଠପଢ଼ା ଛାଡ଼ି ନଥିଲେ କି ଭାଇ ଭଉଣୀଙ୍କୁ ମଣିଷ କରିବା ।ବୋଉ କଥାକୁ ଅକାଟ୍ଯ ବଚନ କରି ସେ ଆଗକୁ ବାଟ ଚାଲୁଥିଲେ କି -” ଘର ଦାୟିତ୍ଵ ଆଜିଠାରୁ ତୋର”।ସେଥିରେ ସେ କେତେବେଳେ ଅବହେଳା କରି ନାହାନ୍ତି କି ଅବମାନନା।
ହେମନ୍ତ ତାଙ୍କ ଦାଦା। କିଛି ଦିନ ମାତ୍ର ସେ ସାଙ୍ଗରେ ରହିଛନ୍ତି। ମାତ୍ର ନିଜର ପରିବାର ବଢ଼ିବାରୁ ୟାଙ୍କ ପରିବାର ବୋଝ ମୁଣ୍ଡାଇବାକୁ ଅମତ ହେଲେ। କହିଲେ – “ତୁମ ଭାଇଭଉଣୀଙ୍କୁ ମୁଁ ପୋଷି ପାରିବି ନାହିଁ କି ପଢ଼େଇ।ତୁମେ ତୁମର ତୁମ ହିସାବରେ ଚଳ। “
ନିଜ ପାଠପଢ଼ା ସାଙ୍ଗକୁ ପୁଣି ଭଉଣୀର ବାହାଘର ଚିନ୍ତା। ବଡ଼ ବିବ୍ରତ ହୋଇ ପଡୁଥିଲେ ଦିନନାଥ ବାବୁ ।ଯାହା ବି ହେଉ ପରିବାର ଭରଣ ପୋଷଣ ସହିତ ସେ କଷ୍ଟେମଷ୍ଟେ ପାଠପଢି ପାଖ ସୋରୋ କଲେଜରୁ ଲିଭ୍ ଭେକେନସିରେ ମାଷ୍ଟର ଚାକିରି ଖଣ୍ଡେ କଲେ।ସେତେବେଳେ ୧୦୨ ପୋଷ୍ଟ ବାହାରିଥିଲା।
ମାତ୍ର ଏଗାର ମାସ ଯାଇଛି ସରକାର ଚାକିରିରୁ ଛଟେଇ କରିଦେଲେ। କହିଲେ – “ଟ୍ରେନିଂ ସାରି ପୂର୍ବ ମାଷ୍ଟର ଫେରି ଆସିବାରୁ ତୁମର ଆଉ ଚାକିରି ନାହିଁ। “
ଭାଇରେ ଏତେ ଦିନ ଚାକିରି କରି ସାରିବା ପରେ ଏମାନେ ପୁଣି ଆଉ ଯିବେ କୁଆଡ଼େ। ପୁଣି ପରିବାର ଭୋକ ଉପବାସରେ ରହିଲେ। ସେତେବେଳେ ଦାଦା ବି ଟିକିଏ ଦୟା କଲେ ନାହିଁ। ଯାହା ହେଉ ହାଇକୋର୍ଟ ରେ କେସ୍ ଚାଲିଲା ।ଶେଷରେ ଡିଗ୍ରୀ ହେଲା ।ହେଲେ ସେତେବେଳକୁ ଚାରି ପାଞ୍ଚ ବର୍ଷ ବିତି ଗଲାଣି। ପୁଣି ପୁନର୍ବାର ଚାକିରି ମିଳିବାରୁ ଟିକିଏ ଆଶ୍ୱସ୍ତି ମିଳିଲା ।ସେଇ ପଇସାରେ ଭଉଣୀ ବାହାଘର ବି ହେଲା ।ଚାକିରି କାଳରେ ଦୂର ଜାଗାକୁ ସବୁ ବଦଳି ହେବାରୁ ସେ ଘର ଛାଡ଼ି ଦୂରରେ ରହିଲେ। ପିଲାଛୁଆ ବି ସିଆଡ଼େ ସିଆଡ଼େ ପାଠପଢ଼ି ଚାକିରି କଲେଣି। ମାଆ ବି ବଞ୍ଚିଥିଲା ବେଳେ ପାଖରେ ରହି କିଛି ଦିନ ସୁଖ ଶାନ୍ତି କରିଛି।
ଚାକିରି ସରିଲା ପରେ ଦିନନାଥ ଭାବିଲେ ପିଲାମାନେ ତ ମଣିଷ ହୋଇ ଗଲେଣି, ସେ କିନ୍ତୁ ଗାଁକୁ ଯାଇ ପତ୍ନୀ ସହ ରହିବେ। ଦାଦା ସିନା ଏହା ଭିତରେ ଆରପାରିକୁ ଚାଲିଗଲେଣି ହେଲେ ପୁତୁରା ଝିଆରୀ ତ ଅଛନ୍ତି, ଟିକିଏ ସାହାଯ୍ଯ କରିବେ। କିନ୍ତୁ ଭାଇ ନାଇଁରେ! ସେମାନେ ସାହାଯ୍ଯ କରିବା କଥା ଦୂରେ ଥାଉ ଅଖା ଛ ପଟରେ ପଚାରୁ ନାହାନ୍ତି ।ସେମାନେ ଭାବିଥିଲେ – “ଏମାନେ ତ ଆଉ ଗାଁକୁ ଫେରିବେ ନାହିଁ, ତେଣୁ ଗାଁରେ ଥିବା ତାଙ୍କ ସମ୍ପତ୍ତିକୁ ମାରିପିଟି ଖାଇବୁ ।” ସେ କଥା ଆଉ ବାଗ ନହେବାରୁ ଖାଲି ତ ଘାଇଲା ବାଘ ଭଳିଆ ହୁଙ୍କାପିଟା ନୀତି ଧରିଛନ୍ତି ।ସବୁ କଥାରେ ଖାଲି ହୁମୁହୁମୁ ହେଉଛନ୍ତି ଗଣ୍ଡଗୋଳ – କରିବା ପାଇଁ। କିରେ ତୁମେ ତ ଦିନକାଳେ ତାଙ୍କ ପରିବାରକୁ ଦେଖିଲ ନାହିଁ, ଏବେ ସେ ତାଙ୍କ ଘରେ ତାଙ୍କ ଜମିବାଡ଼ି ନେଇ ରହୁଛନ୍ତି, ତୁମର କାହିଁକି ଏମିତି ଗାତ୍ରଦାହ ହେଉଛି?
ନା ଲୋଭ ଆଉ ହିଂସା ପରା ।କାହିଁ ଭିନେ ହେଲାଠୁଁ ଦିନେ ତ ତୁମେ ତାଙ୍କୁ ସାହାଯ୍ଯ କରି ନାହଁ। ଏବେ ବାହାରି ପଡ଼ିଲ କଣନା ପୁତୁରା ଝିଆରୀ, କ’ଣ ସମ୍ପତ୍ତି ବାଡ଼ି ସବୁ ମାଡ଼ି ବସି ଖାଇବ ବୋଲି? ଏ ଲୋକ ଚରିତ୍ର ବାସ୍ତବରେ ବୁଝିବା ଭାରି ବିଚିତ୍ର।

ଦାଦା ଥିଲା ବେଳେ ସବୁ ଜମିବାଡ଼ି ଭାଗ କରି ଦେଇଥିଲେ। ନିଜେ ସରସା ଜମି ସବୁ ନେଇ ଦିନନାଥଙ୍କୁ ନିରସା ଜମି ଦେଇଥିଲେ। ସେଥିରେ ବି ଦିନନାଥ କେବେ ଆପତ୍ତି ଅଭିଯୋଗ କରି ନାହାନ୍ତି । ହେଲେ ସେଥିରୁ ଖଣ୍ଡେ ସେ ବହିର୍ଭୂତ ହେବାକୁ ଦେଇ ନାହାନ୍ତି ।ଦାଦା କିନ୍ତୁ ରଖ ରହିଚ୍ଛା କଲେ ନାହିଁ। ସବୁ ବିକିଭାଙ୍ଗି ଖାଇ ଦେଲେ। ଏପରିକି ଜମି ବିକିଲା ବେଳେ ଦିନନାଥ କି ତାଙ୍କ ମାଆଭଉଣୀ ଠାରୁ କବଲାରେ ସହି କି ଦସ୍ତଖତ ନେଲେ ନାହିଁ ।ଓଲଟା ଲେଖିଦେଲେ, “ପଞ୍ଚୁଆତି ବଣ୍ଟନ ପତ୍ର ଅନୁସାରେ ମୋ ଆଠଣା ଭାଗରୁ ମୁଁ ବିକ୍ରି କରୁଛି। “ଯେତେବେଳେ ସବୁ ସମ୍ପତ୍ତି ବାଡ଼ି ଉଡେଇ ଦେଲେଣି, ଏବେ ୟାଙ୍କ ସମ୍ପତ୍ତି ଉପରେ ତାଙ୍କ ପିଲାଏ ନଜର ପକାଉଛନ୍ତି ।କହୁଛନ୍ତି- ଜଏଣ୍ଟ ସମ୍ପତ୍ତି ଉଭୟ ଅଂଶୀଦାରଙ୍କ ନାଁ କବଲାରେ ଥିବାରୁ ସେମାନେ ହକଲାଗେ ଭାଗ ନେବେ। “
ଏଗୁଡ଼ାକ କି କଥା କୁହନ୍ତୁ ନି? ଜଣା ପଡ଼ିଲାଣି ପୁଣି କୋର୍ଟ କଚେରୀ ଯାଏଁ କଥା ଯିବ ନହେଲେ ସହଜରେ ଏଗୁଡ଼ାକ ଛିଡ଼ିବ ନାହିଁ ।ଏଇ ଘଟଣା ଘଟିବା ପୂର୍ବ ପର୍ଯ୍ୟନ୍ତ ପୁତୁରାଝିଆରୀ ବୋଲି ଦିନନାଥ ସେମାନଙ୍କୁ କ’ଣ କମ୍ ସାହାଯ୍ଯ କରିଛନ୍ତି, ସେମାନେ ହାତେକୁ ଦିହାତ ହେବାଠାରୁ ଜାନିଯାତ୍ରା ଓ ଡାକ୍ତରୀ ମଇନା ଯାଏ ପରିବାର ଗୋଟାକର ଖର୍ଚ୍ଚ ପରା ଏଇ ଦିନନାଥ ଉଠାନ୍ତି। ସେଗୁଡ଼ାକ କିନ୍ତୁ ସେମାନେ ଦିନେ ଭାବିଲେ ନାହିଁ, ହେଲେ ସମ୍ପତ୍ତି ପାଇଁ ବାଡ଼ି ଧରି ବାରମ୍ବାର କୁଦି ଆସିବାକୁ ଆଗ ତୟାର।କାରଣ ମଣିଷ ବଳ ପରା ଅଛି, ସେମାନେ ତିନି/ଚାରି ଭାଇ। ଏ କଳିକାଳ ଘୋର ବିପତ୍ତି ବେଳ ।
ଏଇମିତି ନାନାଦି ସମସ୍ୟାରେ ପଡ଼ି ଦିନନାଥ ଏବେ ହନ୍ତସନ୍ତ ହେଉଛନ୍ତି।

ସେ ଭାବିଥିଲେ ଅବସର ପରେ ସବୁ କାମ ତୁଟାଇ ଦେଇ ସେ ଶାନ୍ତିରେ ବସିବେ। ହେଲେ ଏ ଝିଞଟରୁ ସେ ମୁକ୍ତି ପାଇଲେ ତ। ମଣିଷକୁ ସମସ୍ୟା କେତେବେଳେ ହିଁ ଛାଡେ ନାହିଁ ।ସେଇଥିରେ ଯୁଝି ହୋଇ ହୋଇ ତାକୁ ଜୀବନ ଅତିବାହିତ କରିବାକୁ ହୁଏ।

୮.ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା

ବାପା। ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା। ବାପା ମାନେ ଢୋ ଢୋଇଆ ଖାରବେଳ, ନିଦାଘର ତାତି। ବାପା ମାନେ ଅସହିଣିର ଝଞ୍ଜା।ସବୁ କରି ସବୁ ସହି ବି ସମସ୍ତଙ୍କ ରୋଷର ଶିକାର। ପିଲାଛୁଆ ପତ୍ନୀଙ୍କଠାରୁ ଦୁନିଆଟା ଯାକର ସେ ହେଉଛନ୍ତି ଅଭିଯୋଗ ପ୍ରକୋଷ୍ଠ। ଯାହାର ଯେତେବେଳେ ପାନରୁ ଚୂନ ଖସିଲା। ସେ ପ୍ରତିବାଦ କଲା ଆଉ ଦୋଷ ମୁଣ୍ଡାଇଲେ ବାପା।

ପତ୍ନୀର ବରାଦୀ ପୂରଣ ନହେଲେ ସେ କହେ – ବାପା। ବାପାଙ୍କ ଯୋଗୁ ଏତକ ଅସୁବିଧା। ସେ ଠିକଣା ସମୟରେ ସୌଦାପାତି ଆଣି ନଦେବାରୁ ଆଜି ଦିନକ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରିଲା ନାହିଁ। ପୁଅ ବଢ଼ାଭାତ ପାଖରୁ ଉଠି ଚାଲିଗଲା – ହୋଟେଲ। ଝିଅ କିଛି ଖାଉ ନାହିଁ, ଦିନକ ଉପାସ। ସବୁ ସେଇ ବାପାର ଦୋଷ। “
ପୁଣି ଗୁଣବନ୍ତିଆ ପୁଅ କହୁଛି -” ସେ ଏଟା ପଢ଼ିଥାନ୍ତା ସେଟା ପଢ଼ିଥାନ୍ତା, ବାପା କରେଇ ଦେଲେ ନାହିଁ। ସାଧା ବି. ଏ ଖଣ୍ଡାକର ଚାକିରୀ ହେବ ନାହିଁ, ସବୁ ବାପାଙ୍କ ଯୋଗୁ।
ଝିଅ ଧକେଇ ଧକେଇ ପାଠପଢୁଛି, ସବୁ ଜାଗାରେ ଥରେ ଦୁଇଥର ଫେଲ୍।ଦଣ୍ଡକେ ଫୋନ୍ ଉପରୁ ନଜର ହଟାଉ ନାହିଁ। ଏଇଟା କୁଆଡ଼େ ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମର ଯୁଗ। ଏଟା ଆଉ ବାପାଙ୍କ ଅମଳରେ କଥା ହୋଇ ନାହିଁ, ପିଲାଏ ଫୋନ୍ ନ ଧରିଲେ ସ୍ମାର୍ଟ ହେବେ ନାହିଁ। ପାଠକଥା କହିଲେ, ମାଆ କହିବ-“ସେ ତାଙ୍କର ଠିକ୍ ରେ ପଢୁଛନ୍ତି। ହଁ ଭଲରେ କହୁଚି, ତୁମେ ସେମିତି ଆଉ ମୋ ଛୁଆକୁ ମୋ ଆଗରେ ଡାଣ୍ଟିବ ନାହିଁ।”
ବାପାଙ୍କର ତ ଗରଜ ପଡ଼ିଛି, ନିଇତି ଏମାନଙ୍କ ସହ ଗେଜେଗେଜେ ହୋଇ ସମୟ ବରବାଦ କରିବାକୁ , ହେଲେ କି କେହି ଭଲା ସୁଧରନ୍ତେ। ସମସ୍ତେ ନିଜ ଇଚ୍ଛା ମୁତାବକ ଜୀବନ ତମାମ କାମ କରି ଆସିଛନ୍ତି, କେବଳ ବାପାଙ୍କ ବକିବାଟା ଯାହା ସାର ହୁଏ। କିନ୍ତୁ ତା’ର ପ୍ରଭାବ କାହାରି ଉପରେ ସେତେ ପଡ଼େ କି ନାହିଁ, ଫଳଘର ତ ଶୂନ୍। ଜୀବନଟା ସାରା ସେ ବୋଝ ମୁଣ୍ଡାଇ ବାଟ ଚାଲିଛନ୍ତି , ଏବେ ଦୋଷ ମୁଣ୍ଡାଇ ବାଟ ଚାଲି ଶିଖୁଛନ୍ତି ।

ବାପା ଥିଲେ ମୁଣ୍ଡ ଉପରେ ଛାତ ଥିଲା। ଭଲରେ ମନ୍ଦରେ ସେ ଦାୟିତ୍ଵ ସମ୍ଭାଳୁ ଥିଲେ। ଯେଉଁଟା କେହି ପାରୁ ନଥିଲୁ ସେଇଠି ବାପା ଲୋଡ଼ା ପଡୁଥିଲେ। ସେ ସବୁଥିରେ ଗୋଟେ ସରଳ ଓ ସହଜ ସମାଧାନ ପନ୍ଥା ବାହାର କରୁଥିଲେ। ମୁଁ ବିବ୍ରତ ହୋଇ ପଡୁଥିଲା ବେଳେ ସେ ଆଶ୍ୱାସନାର ବାଣୀ ଶୁଣାଉଥିଲେ ନତୁବା ନିଜେ ହସ୍ତକ୍ଷେପ କରି ଗୋଟେ ପଦକ୍ଷେପ ନେଉଥିଲେ। ଆଉ କାହାକୁ ଚିନ୍ତାଟା ଏତେ ଘାରୁ ନଥିଲା। ସବୁ ଡେଙ୍ଗା ମୁଣ୍ଡରେ ଠେଙ୍ଗା ଭଳି ସିଏ ପିଠେଇ ନେଉଥିଲେ। ତଥାପି ମାଆ ଦୋଷ ଦିଏ – ତୁମେ ଅମୁକଟା ବୁଝିଲ ନାହିଁ ବୋଲି ପୁଅଟା ମୋର ଅସୁବିଧାରେ ପଡ଼ିଲା। ତୁମେ ସେତେବେଳେ ବାପା ହୋଇ କ’ଣ କରୁଥିଲ ଯେ। “
ବାସ୍ତବରେ ବାପା ସମସ୍ତଙ୍କର ସାହସ ଥିଲେ। ଆଜି ସେ ନାହାନ୍ତି , ବୋଉ ବି କେବେଠୁଁ ଚାଲିଗଲାଣି। ହେଲେ ଏବେ ମୁଁ ବୁଝୁଛି , ବାପା ହେବା ଯେ କେତେ କଷ୍ଟକର।ମୋତେ ଜଣାଥିଲା ବାପା ମାନେ ଘରର ମୁରବି, ମୁରବିପଣିଆ ଢେର୍ ଜାହିର୍ କରନ୍ତି। ସମସ୍ତେ ତାଙ୍କ କଥା ମାନନ୍ତି। ତେଣୁ ତାଙ୍କ ଜୀବନଟା ବୋଧେ ଗୋଟେ ଜୀବନ, କାହିଁକିନା ତାଙ୍କ ଖାତିର୍ ଟା ସବୁଠି ରହେ ।

ଏବେ କିନ୍ତୁ ସେ ମୋହ ମୋର ଭାଙ୍ଗି ଯାଇଛି। ମୁଁ ବୁଝିଛି ମୁରବି ହେବା ସବୁଠାରୁ ବଡ଼ କଷଣ । ଏଠି କର୍ତ୍ତବ୍ୟ ଓ ଦାୟିତ୍ଵରେ କଷଟି ପଥରରେ କଷି ହେବାଥାଏ। ତା ବୋଲି ମୁଁ ତ ଆଉ ପଳାୟନପନ୍ଥି ନୂହେଁ ଯେ ସବୁଥିରୁ ଖସଡ଼ା ମାରି ଦାୟିତ୍ୱରୁ ମୁକ୍ତି ନେବି। ତେବେ ମୋ କହିବାର କଥା ମୁଁ ମୋ ଦାୟିତ୍ଵରେ ଅବହେଳା ନକରି ବି ମିଛୁଟାରେ ଦୋଷ କାହିଁକି ମୁଣ୍ଡାଇବି? ତୁମେ ମାନେ ନିଜ ଦାୟିତ୍ଵ ନିଜେ ଟିକେ ନେଲେ ହୁଅନ୍ତା ନାହିଁ? ନିଜ ଦୋଷ ପର ଉପରେ ଲଦି ଏମିତି କି ଯଶବାନା ଉଡାଇବ ଯେ। ହେଲା, ନିଜେ ଟିକିଏ ନିଜ ସଫଳତା ହାସଲ କର, ମୁଁ ଜାଣିବି ଯେ ତୁମେ ସବୁ ଯୋଗା, ଆଉ ମୁଁ କେବଳ ଅଯୋଗା। ନାହିଁ, ସେମିତି ତ କାହିଁ ହେଉ ନାହିଁ ।
ଏଇ ସୁମିତ୍ରା ଭାରି ଗରିବ ଘର ଝିଅ। କେବଳ ଟିକିଏ ସୁନ୍ଦରୀ ବୋଲି ମୋ ବାପା ତାଙ୍କୁ ଏ ଘରକୁ ବୋହୂ କରି ଆଣିଥିଲେ ଶିକ୍ଷାଦୀକ୍ଷା ସେତେ କିଛି ନଥିଲେ ବି ।
ତାଙ୍କର ଆଉ କୋଉ ଗୁଣ ଭଲ ଥାଉ କି ନଥାଉ ସେ କିନ୍ତୁ ଭାରି ସ୍ନେହଶୀଳା ମହିଳା। ପିଲାମାନଙ୍କୁ ବଡ଼ ଗେହ୍ଲବସରରେ ବଢାଇଛନ୍ତି। ଛୁଆ ମାନଙ୍କର କିଛି ବି କମି ହେଲେ ସେ ପାଟିକରି ଉଠନ୍ତି – “ଏଟା ଆଣିଦିଅ, ସେଟା ଆଣି ଦିଅ। ମୋ ଛୁଆ ମାନଙ୍କର ଯେମିତି କିଛି ଅଭାବ ନରହେ।” ତେଣୁ ମୋତେ ଯେତେ ଅଭାବ ବା କଷ୍ଟ ପଡ଼ୁନା କାହିଁକି ସବୁଟା ମୁଁ ପୂରଣ କରି ଆସିଛି।
ସବୁ ଠିକ୍ ଯେ, କିନ୍ତୁ ସେ ଛୁଆଙ୍କୁ ଟିକିଏ ବେଶୀ ଫୁଲା ଫାଙ୍କିଆ କରିଦେଲେ। ପିଲାମାନେ ନା ଅଭାବ କ’ଣ ଜାଣିଲେ ନା କଷ୍ଟ କ’ଣ ବୁଝିପାରିଲେ। ତେଣୁ ଭଲମନ୍ଦର ବିଚାର ରହୁ ନାହିଁ, ଠିକ୍ ଭୂଲର ବିଚାର କରି ପାରୁ ନାହାନ୍ତି । ମୂଳଠୁ ମାଆ ସିନା ଦୁନିଆଦାରି କ’ଣ ଶିଖାଇ ଥିଲେ ହୋଇଥାନ୍ତା, କଥାରେ ଅଛି ପରା “ଯାହା ନୋହିବ ପିଲାକାଳେ ତାହା କି ହେବ ବୁଢ଼ାବେଳେ” । ତେଣୁ ଶିଖିବା ଓ ମାଠିବା ବେଳ ଅତିକ୍ରାନ୍ତ ହୋଇଯାଇ ଥିବାରୁ ମାଆ ଆଉ ଛୁଆଙ୍କୁ ଆକଟ କରିପାରୁ ନାହିଁ, କଲେ ବି ଛୁଆ ଆଉ ଶୁଣୁ ନାହାନ୍ତି । ତେଣୁ ଛୁଆଙ୍କୁ ତ ଆଉ କିଛି କହିପାରୁ ନାହାନ୍ତି ଓଲଟା ଅଯଥା ଦୋଷ ମୋ ଉପରେ ଲଦା ହେଉଛି, ତେଣିକି ମୁଁ ବୋଝ ବୋହି ବୋହି ବରଂ କୁବଜ ପାଲଟିଯାଏ ।
ପୁଅ ଦିବ୍ୟାଂଶୁ ପାଠଶାଠ ଛାଡିଦେଲାଣି, ଚାକିରିବାକିରି ବି ଆଉ ଖୋଜୁ ନାହିଁ। ଖାଲି ସାଙ୍ଗ ଗହଣରେ ଏଣେତେଣେ ବୁଲି ଲାଗୁଛି, ବାପ ପଇସା ତୋଷରପାତ କରୁଛି। କିଛି କହିଲେ ଓଲଟା ଫଁ ବାହାର କରୁଛି। କହୁଛି – “ତୁମ ଯୋଗୁଁ ମୋ ଲାଇଫ୍ ବରବାଦ ହେଲା, ମୋତେ ପଇସା ଦିଅ ମୁଁ ବେପାର କରିବି।” ହେଲା କିଛି କର ନା ବାପା ତୁମେ କରେଇ ଦିଅ। ବାପା ତା କରମରେ ଯେତିକି କରିବା କଥା କଲା, ଏବେ ତୁମ ଶିଙ୍ଗରେ ତୁମେ ମାଟି ତାଢ଼। ନା ଏଥିପାଇଁ ବି ବାପାର ଦୋଷ ଦେଇଦେଲେ ମାମଲା ତୁଟିଲା, ବାପାଙ୍କର ତେଣୁ ପାଟି ଚୁପ୍, ଆଉ କିଛି କହିବେ ନାହିଁ। ଭଲ ଝାମେଲାରେ ମଣିଷ ପଡ଼ିଲା।

ଝିଅଟା କଥା ଦେଖୁନ, କିଛି ବୋଲି କିଛି କରୁ ନାହିଁ। ନିଜ ଅଇଁଠା ବାସନ ବି ଉଠାଇ ନେଇ ସିଙ୍କ୍ ରେ ପକାଉ ନାହିଁ। ମାଆ ତ ଏଯାଏ ଲୁଗାପଟା ସଫା କରିବାଠୁ ଯାବତୀୟ କାମ କରିବ ଆଉ ଏମାନେ ଶିଖିବେ କେଉଁଦିନ? ଦିନେ ଅଧେ କହିଲେ ମୁହଁ ଫେଣ୍ଡ୍ରା କରି ବସିଲେ।

ଏବେ ବୟସ ଦ୍ରୁତଗତିରେ ବଢୁଛି। ପୁଅ ଝିଅ ଉଭୟ ବିବାହଯୋଗ୍ୟ। ମାଆ କହୁଛି-“ସେ କିଛି ନକଲେ ନାହିଁ ଘରକୁ ବୋହୂ ଆଣ ଆଉ ଝିଅକୁ ବି ତୁରନ୍ତ ହାତକୁ ଦୁଇହାତ କର, ବାଢ଼ୁଅ ଝିଅଟା ଘରେ କେତେଦିନ ବସିବ।”
ମୁଁ ଜବାବ ଦେଲି – “ମୋର କ’ଣ ଇଚ୍ଛା ନାହିଁ, କିନ୍ତୁ କେମିତି କିଏ ବିବାହ ପାଇଁ ସମ୍ମତି ଦେବ, କେଉଁ ଯୋଗ୍ୟତା ଦେଖି? ବାସ୍ତବରେ ଏ ସବୁ କଥା ଦେଖିଲା ବେଳକୁ ମୁଣ୍ଡ ପିଣି ପିଣି ହୋଇ ଯାଉଛି ।ସେତେବେଳ ଆମେ ଆମ ନିଜ ଯୋଗ୍ୟତା ଅନୁସାରେ କ୍ଲର୍କ ଚାକିରୀ ଖଣ୍ଡେ କରି ଘର ବାହାର ସବୁ ସମ୍ଭାଳି ଆସିଛୁ। ଭାଇଭଉଣୀଙ୍କ ବାହାଘରଠାରୁ ବନ୍ଧୁବାନ୍ଧବ ବାପାବୋଉଙ୍କୁ ଦେଖିଆସିଛୁ। ଏମାନେ ତ ସେ ଦୃଷ୍ଟିରୁ ଚିନ୍ତାମୁକ୍ତ, ତାଙ୍କର ଆଉ କାହାରି ବୋଝ ମୁଣ୍ଡାଇବା ଦରକାର ନାହିଁ, ହେଲେ ନିଜ ବୋଝ ତ ନିଜେ ଉଠାଇବା କଥା। ତଥାପି କହୁଛ ଯଦି ପ୍ରସ୍ତାବ ଦେଖିବି। “
ଶେଷରେ ବହୁ ଭଦ୍ରଲୋକଙ୍କୁ ନେହୁରା ହେଲା ପରେ ସେଦିନ ପୁଅକୁ ଦେଖିବାକୁ ସଇଁତଳାରୁ ଗୋଟେ ପ୍ରସ୍ତାବ ଆସିଥିଲା। ପୁଅକୁ ଦେଖି ସାରିଲା ପରେ କନ୍ଯାପକ୍ଷ ମୁହେଁ ମୁହେଁ କହିଗଲେ -” ଟୋକାର କେଉଁ ଘନପଣ ଅଛି, ବେକାରୀକୁ ବେକାରୀ ପୁଣି ଉପର ମୁହାଁ। ତାକୁ କିଏ ଝିଅ ଦେବ ଲୋ ମାଆ। “
ଝିଅର ପଢ଼ା କମ୍ ପାଇଁ ବି ଭଲ ପ୍ରସ୍ତାବ ଆସୁନାହିଁ। ସେଇଥିରେ ପୁଅ ଝିଅ ମାଆ କେହି କିଛି ବୁଝୁ ନାହାନ୍ତି । ମୋ ମୁଣ୍ଡଟାକୁ କୋରକି ଖାଇ ସାରିଲେଣି।

ଆଜିକାଲିକା ପିଲାମାନଙ୍କ ମୁହଁରେ ଗୋଟିଏ ଜଣାଶୁଣା ଘୋଷା – “ବାପା ତୁମେ କିଛି ଜାଣିନ। ତୁମେ ହେଲ ପୂରୁଣା କାଳିଆ ମାର୍କାଦିଆ ଏଚ୍ ଏମ୍ ଟି ଘଣ୍ଟା, ଧରାବନ୍ଧା ଗୁଳାରେ ଚାଲିବା ତୁମ କାମ। ତୁମ ଜମାନା ଗଲାଣି, ଏବେ ଆମକୁ ଆମ ହିସାବରେ ବଞ୍ଚିବାକୁ ଦିଅ।” ହେଲେ ସେଇ ବଞ୍ଚିବାର ରାହା କ’ଣ, ମାଧ୍ୟମ କ’ଣ, ଉପାୟ କ’ଣ ଟିକିଏ କହନ୍ତ କି ଶୁଣି ଆତ୍ମା ତୃପ୍ତ ହୋଇଯାଆନ୍ତା। ନା ପଚାରିଲେ ପାଟି ଆଫାଆଫା ମାରିନେଉଛି ନହେଲେ ସେଇ ପୁରୁଣା ଅଭ୍ୟାସ – ଏଇଟା ବି ବାପାର ଦୋଷ।
ହେଲେ ବାପରେ! ବାପର ଦୋଷ ନଦିଅନ୍ତ ଭଲା । ତେବେ ବେଳକାଳା ଆହୁରି ଅଛିରେ! ଏବେଠୁ ସୁଧୁରି ଯାଅ, ନହେଲେ ଜୀବନ ସାରା ଖାଲି ପସ୍ତେଇବ।ନିଜ ଜନ୍ମର ଦୋଷ ନଦେଇ ନିଜ କର୍ମର ଦୋଷ ଦିଅ। ସେତେବେଳେ ମୁଣ୍ଡ ଉପରେ ନା ଛାତ ଥିବ ନା ବାପ ଥିବ। ନିଜ ବୋଝ ନିଜେ ମୁଣ୍ଡାଇ ବୁଲୁଥିବ।
୯.ଡାକୁଲା

ବହୁଦିନର ପୁରୁଣା କଥା ।ଏକଦା ଡାକୁଲା ନାମକ ଜଣେ ଚୋର ଥିଲା। ସେ ଗୋଟେ ବିରାଟ କାଣ୍ଡ ଭିଆଇ ବସିଲା ।ଯେଉଁଥିରେ ବି ବହେ ଛେଚା ଖାଇଥିଲା ।

ସେ କଥା କ’ଣକି, ନା ଇଶ୍ଵରପୁର ବୋଲି ବାଲେଶ୍ୱର ଉପାନ୍ତରେ ଗୋଟେ ଗାଁ ଥିଲା। ସେଠାକାର ଜମିଦାର ଥିଲେ ମଦନ ମୋହନ ମହାନ୍ତି। ତାଙ୍କ ଅନ୍ତେ ତାଙ୍କର ପାଞ୍ଚ ପୁଅଙ୍କ ଭିତରେ କଳି ତକରାଳ ଓ ନାନାଦି ଅଡୁଆ ଲାଗି ରହିଲା। ଜମିବାଡ଼ି ଓ ଜମିଦାରୀକୁ ନେଇ ସବୁ ଅଡ଼ୁଆ ଦେଖାଦେଲା। ତାଙ୍କ ବଡ଼ପୁଅ ଶ୍ୟାମାପ୍ରସାଦ ଜମିଦାରୀ ଦାୟିତ୍ଵ ବୁଝୁଥିଲେ ।ସେ କିନ୍ତୁ ବଡ଼ ଅତ୍ୟାଚାରୀ ଥିଲେ ।ଏପରିକି ନିଜ ଅନ୍ୟ ଭାଇମାନଙ୍କୁ ସେ ଜମିଦାରୀରୁ କିଛି ବୋଲି କିଛି ଭାଗ ଦେଉ ନଥିଲେ। ତେଣୁ ସେମାନଙ୍କ ଭିତରେ ନାନା ଅସନ୍ତୋଷ ସ୍ରୁଷ୍ଟି ହୋଇ କୋର୍ଟ କଚେରୀ ଯାଏ ମାମଲା ଗଲା। ତଳ କୋର୍ଟରୁ ଉପର କୋର୍ଟ ଯାଏ ଦୀର୍ଘ ଦିନ ଧରି କେସ୍ ଚାଲିଲା। ସେତେବେଳେ ତ ଆଉ ଓଡ଼ିଶାରେ ହାଇକୋର୍ଟ ନଥିଲା। ତେଣୁ ଯାଇ ଯାଇକି ସେଇ ବିହାର ପାଟନା ଯିବାକୁ ପଡ଼େ । ଭାରି ତକଲିଫ ହୁଏ ।

ବହୁବର୍ଷ ଧରି କେସ୍ ଚାଲିଲା। ଶେଷରେ କୋର୍ଟ ଆଦେଶ ଦେଲେ, ଯେତେବେଳେ କିଛି ନତିଜାରେ ପହଂଚି ହୋଇନାହିଁ, ସେତେବେଳ ଯାଏ ଅନ୍ୟ ଭାଇମାନଙ୍କୁ ଖୋରାକି ବାବଦକୁ ମାସକୁ ସାତ ପୁଡ଼ି ଧାନ (ଏକୋଇଶି କେଜି) ଓ ସାତ ସୁଉକି ଖାଇ ଖୋରାକି ଦେବେ ।ମାତ୍ର ସେତକ ସେ ସଠିକ୍ ଭାବେ ପାଳନ ନକରିବାରୁ ସେ ସାନଭାଇ କୃଷ୍ଣ ପ୍ରସାଦକୁ ଏଣିକି ଜମିଦାରର ରିସିଭର ଭାବେ ନିଯୁକ୍ତି ଦେଇ ସେଇ ଏକା ଆଦେଶ ପ୍ରଦାନ କଲେ। କାହିଁକିନା ସାନ ଭାଇ ଟିକିଏ ଶିକ୍ଷିତ ଥିଲେ ଓ ମାଆ ବସୁମତୀକୁ ସେ ହିଁ ଏକା ଦେଖାଶୁଣା କରୁଥିଲେ ।

ଏତେବେଳକୁ ଦେଶ ସ୍ୱାଧୀନ ହୋଇ ସାରିଥାଏ। ତେଣୁ ଜମିଦାରୀ ଉଚ୍ଛେଦ ହୋଇଗଲା ।ଜମି ବି କିଛି ସିଲିଂରେ ଚାଲିଗଲା ।ବାକି ରହିଗଲା ବାଡ଼ି ବଗାୟତ ଓ ଜମି ଶହେ ଏକର। କିନ୍ତୁ ‘ଜୋର୍ ଯାହାର ମୂଳକ ତା’ର’ ନ୍ୟାୟରେ ଯିଏ ଯାହା ପାରିଲା ସେ ଜମିଜୁମା ସବୁ ମାଡ଼ିବସିଲା।

କୃଷ୍ଣ ପ୍ରସାଦ ପାଖରେ କେବଳ କନା ପଡ଼ି ରହିଗଲା ସିନା କିନ୍ତୁ କର୍ପୁର ନଥିଲା। ତେଣୁ ବଡ଼ ବଡ଼ ସିନ୍ଦୁକ ଓ ଟ୍ରେଜେରୀ ସବୁ ତାଙ୍କ ପାଖରେ ସେଇମିତି ପଡ଼ି ରହିଲେ ମଧ୍ଯ ସୁନାରୂପା ଦରବ କି ପଇସା କୋଉଡ଼ି ସେମିତି କିଛି ନଥିଲା। କାରଣ ଜମିଦାରୀ ତାଙ୍କ ପାଖକୁ ଆସିଲା ବେଳକୁ ବଡ଼ଭାଇ ସବୁ ଚଳୁ କରି ହଜମ କରିଦେଇଥିଲେ।ଯାହା କିଛି ବା ବାକି ଥିଲା କୋର୍ଟ କଚେରୀ ପାଇଁ ସୁଉକିଏ ସୁଉକିଏ କରି ସବୁ ଓକିଲ ଖଣ୍ଟ ଖାଇ ସାରିଥିଲେ ।କେବଳ ରହି ଯାଇଥିଲା ସେଥିରେ ଝୁଲୁଥିବା ବଡ଼ ବଡ଼ ଚାବି କେଇଟା ଯାହା ଦେଖିବାକୁ ଭାରି ଲୋଭିଲା। ଗୋଟେ ଗୋଟେ ଚାବି ପାଞ୍ଚ କିଲୋ ଓ ସାତ କିଲୋ ହେବ। ଯିଏ ଦେଖିବ ସିଏ ତାଜୁବ୍ ହେବ ।ଭାବିବ ଏଥିରେ ଟଙ୍କା ପଇସା ଖୁନ୍ଦି ହୋଇଥିବ। ମାତ୍ର ତାହା ଅବ୍ୟବହୃତ ଭାବେ ବହୁଦିନ ଧରି ପଡ଼ିରହି ଚାବି ସବୁ କଳଙ୍କି ଲଗା ହୋଇ ସାରିଥିଲା ।ଆଉ ଖୋଲି ହେବକି ନାହିଁ ସନ୍ଦେହ ଥିଲା।

କୋର୍ଟ କଚେରୀ କିନ୍ତୁ ବନ୍ଦ ହେଲା ନାହିଁ। ସେତେବେଳେ ଜମିଦାରୀକୁ ନେଇ ମାମଲା ଚାଲିଥିବାବେଳେ ଏବେ ଜମି ଭାଗବଣ୍ଟାକୁ ନେଇ ସମସ୍ୟା ଛିଡ଼ାହେଲା। କମିସନ୍ ବସିଲା ।କମିସନ୍ ଆସିଲେ, ମାସ ମାସ ଧରି ଘରେ ଡେରା ପକାଇ ରହିଲେ। ଜଳଖିଆରେ ଛେନା ଖାଇଲେ?
ଆଉ ଭାତରେ ଗୁଆଘିଅ ସାଙ୍ଗକୁ ହରଡ଼ ଡାଲି ।ଟଙ୍କା ଉଡ଼ିଲା କିନ୍ତୁ ସମାଧାନର ବାଟ ଫିଟିଲା ବେଳକୁ କିଏ ଜଣେ ଅଭିଯୋଗ କରିବେ – “କମିସନ୍ ଲାଂଚ ଖାଇ ପାତର ଅନ୍ତର କରି ଜମିକୁ ସରସା ନିରସା ଭାଗ କରିଛନ୍ତି।” ତେଣୁ ବିଚାରପତି ତାକୁ ରଦ୍ଦ କରି ପୁଣି କମିସନ୍ ବସାନ୍ତି ।ଏହି ପ୍ରକାରେ ଘଟଣା ଚିରକାଳ ପାଇଁ ଅମୀମାଂସିତ ହୋଇ ରହିଗଲା। ଦୁଃଖଭାଗ କିନ୍ତୁ ବଢ଼ି ଚାଲିଲା। ଏତେବଡ଼ ଜମିଦାର ପରିବାର ଦୁଃଖ ଓ ଦାୟିନୀରେ କାଳାତିପାତ କରିବାକୁ ଲାଗିଲେ।

ସେତିକିରେ କଥା ସୀମିତ ରହିଲା ନାହିଁ।
ଆଉ ଦିନକର ଘଟଣା। ଯାହା ବଡ଼ ବିପର୍ଯ୍ୟୟ ତୋଳିଲା।ଘରକୁ ଥରେ ବାବୁଲା ଆସିଥିଲା। ତାଙ୍କ ଘର ବାସୁଦେବପୁର ଅଞ୍ଚଳର। ସେ କୃଷ୍ଣପ୍ରସାଦଙ୍କ ଦେଢ଼ଶାଶୁର ପୁଅ ।ଭାରି ବଦ଼୍ମାସ। ପିଲାଟି ବେଳୁ କୁସଙ୍ଗରେ ପଡ଼ି ପୂରା ବିଗିଡ଼ି ଯାଇଛି ।ଏ ସିନ୍ଦୁକରେ ପାଞ୍ଚ ସାତ କେଜିଆ ତାଲା ସବୁ ଦେଖି ତା ମନକୁ ପାପ ଛୁଇଁଲା। ଭାବିଲା କେମିତି ଏସବୁ ହରିଲୁଟ କରିବ। ତେଣୁ ପାଞ୍ଚ /ସାତ ଦିନ ରହି ସବୁ ଠିକ୍‌ ଠିକଣା ନେଲା ।ତା’ପରେ ଘରକୁ ଫେରି ତା ଗ୍ୟାଙ୍ଗକୁ କହିଲା। ସାଥିରେ ସମସ୍ତଙ୍କୁ ଧରିଆସି ଈଶ୍ଵରପୁରରେ ହାଜର ।ଆଉ ମାଉସୀ ଘରକୁ ନ ଆସି, ତା ସାଙ୍ଗମାନଙ୍କୁ ଧରି ବାଡିପଟେ ଢିଙ୍କିଶାଳରେ ଲୁଚିକି ରହିଲା ।ସେଇପଟ ଗଢ଼ିଆରେ ଘରର ମାଇବମାନେ ତାଙ୍କର ଚାଉଳ ଧୋଇବା, ପରିବା ଧୋଇବା ଆଦି କେତେ କ’ଣ କାମ ସନ୍ଧ୍ୟାବେଳେଠାରୁ କରୁଛନ୍ତି । ଏମାନେ କିନ୍ତୁ ଛାପିକି ସେଇମିତି ଥାଆନ୍ତି ।ଧାନ କୁଟି ଚାଉଳ ବାହାର କରି ସାରିଲା ପରେ ସନ୍ଧ୍ୟାପରେ ଆଉ କିଏ କାହିଁକି ବା ଢିଙ୍କିଶାଳକୁ ଯିବ?

ବାସ୍ ତେଣିକି ରାତି ହେଲା। ଖିଆପିଆ ସାରି କିଏ କେମିତି ଶୋଇବାକୁ ଗଲେଣି। କିନ୍ତୁ କୃଷ୍ଣପ୍ରସାଦ ଓ ତାଙ୍କ ସାନ ମଝିଆ ଭାଇ ଚଗଲା ଦାଣ୍ଡପିଣ୍ଡାରେ ବସି କ’ଣ ସବୁ ଫୁସୁର ଫାସୁରୁ ହେଉଥା’ନ୍ତି ।ଘର କଥା, ଚାଷବାସ କଥା – ଏମିତି କିଛି
ଆଳାପ ଆଲୋଚନା ତ ଚାଲିଥାଏ । ଏତିକିବେଳେକୁ ରାତି ଯଦିଓ ବା ବେଶୀ କିଛି ହୋଇନାହିଁ, ତଥାପି ତ ଏଗାରଟା ବାଜିଲାଣି ।ସେତିକି ବି ଗାଁ ଗହଳି ପାଇଁ ବହୁତ। କାରଣ ଗାଁଲୋକ ଶ୍ରମ ଥକା ଯୋଗୁ ପ୍ରାୟତଃ ଶୀଘ୍ର ଶୀଘ୍ର ଶୋଇପଡ଼ନ୍ତି ।ଯାହାବି ହେଉ ବାବୁଲା ଭାବିଲା, ସମସ୍ତେ ଶୋଇ ପଡ଼ିବେନି ।ଅନ୍ଧାର ରାତିରେ ତାକୁ ଆଉ କ’ଣ ସମୟ ଜଣାପଡୁଛି କି? ସେତେବେଳେ ବି କୋଉ ସମସ୍ତଙ୍କ ପାଖରେ ଘଣ୍ଟା ବି ଥିଲା କି। ସେ ତେଣୁ ଦାଣ୍ଡଦୁଆର ମୁହଁକୁ ଝପଟି ଆସିଗଲା କ୍ଷଣି ଚଗୁଲି ଠଉରେଇ ନେଲା ଯେ, କିଏ ଗୋଟେ ଦୂରରେ ଛାପିଗଲା ।ତେଣୁ ସିଏ କିଏସେ, କିଏ ସେଠି ଛିଡା ହୋଇଛି ବୋଲି ପାଟିକରି ଧାଇଁଗଲା। ତାକୁ ଦେଖି ବାବୁଲା ଅଗତ୍ୟା କିଛି ଭାବି ପାରିଲା ନାହିଁ। ସେ ଉପାୟ ନ ପାଇ ପଛକୁ ନଫେରି ଆଗକୁ ଧାଇଁଲା। ଏମାନେ ଚୋର ଚୋର ବୋଲି ଚିଲ୍ଲେଇ ଚାଲିଥାନ୍ତି ଓ ପଛେ ପଛେ ଧାଉଁଥାନ୍ତି।

ଏଇ ଗାଁଟିର ଅବସ୍ଥିତି ଏକ ବିଚିତ୍ର ବର୍ଣ୍ଣାଳୀରେ ସୁଶୋଭିତ ।ଯେମିତିକି ଗାଁର ଆରମ୍ଭରୁ ଏଇ ଜମିଦାରଙ୍କ ଘର ପଡ଼େ ।ତା’ପରେ ପ୍ରାୟତଃ ପାଞ୍ଚ ଶହ ମିଟର ରାସ୍ତା ନାହିଁ।ରାସ୍ତା ଉପରେ ଜଙ୍ଘେ ପାଣି। ପୁଣି ଦୁଇ କଡ଼େ ଜୋର୍ ପଡ଼େ, ଯାହା ଉପରେ କଳମ ବଣ। ଜୋର୍ ର ପାଣିକୁ ଢଙ୍କେଇ ରଖିଥାଏ ।ତା’ ପରେ ଯାଇ ଗାଁର ଘଞ୍ଚ ବସତି। ତେଣୁ ବାବୁଲା ଦୌଡ଼ି ଦୌଡ଼ି ଗଲା ବେଳକୁ ଆଗ ପଟରୁ ଗାଁ ଲୋକ ବାଡ଼ି ଠେଙ୍ଗା ଧରି ରୁଣ୍ଡ ହୋଇଗଲେଣି। ପଛପଟେ ଜମିଦାରଙ୍କ ପରିବାର। ଉପାୟ ନ ପାଇ ସେ କଳମ ବଣ ଆଡକୁ ପଶିଗଲା। କିନ୍ତୁ ସେଠି ଅଥଳ ଥଳ ପାଣି ବୋଲି ସେ କ’ ଣ ଆଉ ଜାଣେ। ତେଣୁ କଳମ ଉପରେ ଦୁଇ ହାତରେ ଢିରା ଦେଇ ସେ ସେଇ ପାଣିରେ ଲଟକି ରହିଲା ।ମୁହଁଟା କିନ୍ତୁ ଉପରକୁ ଜୁକୁଜୁକୁ ହୋଇ ସେଇମିତି ଦିଶୁଥାଏ। ଲୋକମାନେ ଖୋଜି ଖୋଜି ଥକିଲେ, କିନ୍ତୁ ପାଇଲେ ନାହିଁ ।ଏଇ ସମୟରେ କିଏସେ ଗୋଟେ ପାଞ୍ଚଶାଲିଆ ଟର୍ଚ୍ଚ ପକାଇ ଦେଲା ଯେ ତା ମୁହଁ ତ ଜିକିଜିକି ହୋଇଊଦିଶିଲା ଆଉ ।ତେଣୁ ଏଇଠି ଲୁଚିଛି ବୋଲି ଚହଳ ପଡ଼ିଗଲା। ଟୋକାମାନେ ତାକୁ ବାଉଁଶ ଅଗି କେଞ୍ଚି ଉପରକୁ ଆଣିଲେ ।ତା’ପରେ ଦେଖିବ କି ମାଡ଼।ଧୂମ୍ ତ ଛେଚିଲେ ।

ସେତେବେଳେକୁ ଜମିଦାରଙ୍କ ମୂଲିଆ ଡେ ଲାଇଟ୍ ଧରି ଆସି ପହଂଚି ସାରିଥିଲା ।ସେତେବେଳେ ଯାଇ ଚିହ୍ନିଲେ ଯେ ସେ ହେଉଛି କୃଷ୍ଣପ୍ରସାଦଙ୍କର ଦେଢ଼ଶାଶୁ ପୁଅ ବାବୁଲା ।ତେଣୁ ତାଙ୍କ ସ୍ତ୍ରୀ କହିଲେ ଯାହା ହୋଇଛି ହୋଇଛି ତାକୁ ଏବେ ଛାଡ଼ି ଦିଅ। ଗାଁ ଲୋକ କିନ୍ତୁ କିଛି ଶୁଣିଲେ ନାହିଁ। ଓଲଟି କହିଲେ ଚୋର ଚୋର ବୋଲି କେଇବାର ତୁମ ଘରକୁ ଆଖେଇଲେଣି।ହେଲେ ସବୁଥର ଖସି ଯାଆନ୍ତି ।ଆଜି କିନ୍ତୁ ଧରା ପଡିଛି ମାନେ ଆଉ ତାକୁ ଛାଡ଼ିବୁ ନାହିଁ ।ମାରିକି ତାକୁ ଏକାବେଳକେ କାଇଲି କରିଦେବୁ ।ନହେଲେ ଆଉ ବେଳେ ଡାକିଲେ ଆମେ ଗାଁଲୋକ କେହି ବାହାରିବୁ ନାହିଁ ।

ସେୟା ହେଲା, ତାକୁ ସେମାନେ ନେଇ ଦିଅଁଙ୍କ ଚକଡାରେ ଗୋଟେ ସାହାଡ଼ା ଗଛ ଦେହରେ ବାନ୍ଧିଦେଇ ନିସ୍ତୁକ ମାଡ଼ଦେଲେ ।ଆଉ କବଲେଇକି ପଚାରିଲେ ଆଉ କେଉଁଠି କି ଚୋରି କରିଛୁ ସତ କହ ।ମାଡ଼କୁ ପରା ଜମରାଜାଙ୍କର ବି ଭୟ।ତେଣୁ ମାଡ଼ ଭୟରେ ସବୁ ମାନିଗଲା। ଯେଉଁ ଡାକୁଲା ଚୋର ବୋଲି ଚାରିଆଡ଼େ ହାଟବସେ ସେ ହେଉଛି ସେଇ ଡାକୁଲା ଚୋର ।ତା’ର ଗୋଟେ ଗ୍ୟାଙ୍ଗ ଅଛି । ଏହିଭଳି କେତେ ବଡ଼ ବଡ଼ ଡକାୟତି ସବୁ ସେ କରିଛି।
ଏପରିକି ତା ନିଜ ମାମୁକୁ ସେ ମାରିଦେଇଛି – ଏଇ ପଇସା ପାଇଁ। ତା ମାମୁ କଲିକତାରୁ ବଳଦ ଗାଡ଼ି ଯୋଗେ ସୌଦା ଆଣି ସେତେବେଳେ ତେଜରାତି ଜିନିଷ ବିକନ୍ତି ।ଏ ଚଣ୍ଡାଳ ବାଟରେ ଛକି ରହି ଅର୍ଥ ଲୋଭରେ ନିଜ ମାମୁକୁ ଛାଡ଼ିଲା ନାହିଁ ।ଆହୁରି ଖୁଲାସା କଲା ଯେ ଆଜି ମାଉସୀ ଯଦି ତାକୁ ସିନ୍ଦୁକ ଚାବି ଦେଇ ନଥାନ୍ତା, ତାକୁ ବି ସେ ମାରିଦେବାକୁ ମସୁଧା କରିଥିଲା ।କି ପାପିଷ୍ଠଟା ଦେଖିଲନା ।ତା’ର ଦୟାମାୟା ବୋଲି କିଛି ନାହିଁ। ଅର୍ଥ ଆଗରେ ସମସ୍ତ ସମ୍ପର୍କ ତା ନିକଟରେ ତୁଚ୍ଛ। ସତରେ ଚୋର ତସ୍କର ମାନଙ୍କ ହୃଦୟ କ’ଣ ଏତେ ନିଷ୍ଠୁର? ଯାହାବି ହେଉ ଘଟଣା ଜଣାପଡ଼ିଲା ଯେ, ଏ ଆଖାପାଖ ଅଞ୍ଚଳରେ ଯେତେ ଯେତେ ଚୋରି ହୋଇଛି ସେ ସବୁଥିରେ ଏଇ ଡାକୁଲା ଗ୍ୟାଙ୍ଗର ହାତ ଅଛି ।ତେଣୁ ଆଉ କେହି ଦୟା ଦେଖାଇଲେ ନାହିଁ ।ଖବର ଦେଲେ, ପୋଲିସ୍ ଆସି ବାନ୍ଧିଲା। ଆଜୀବନ ସଜା କାଟିଲା ।କିନ୍ତୁ ଈଶ୍ୱରପୁର ଟୋକାଙ୍କ ମାଡ଼ ତାକୁ ଏକଦମ୍ ସିଧା କରିଦେଲା ।ଆଉ ଜୀବନରେ ସେ ପାପ କରିନାହିଁ, ଜେଲ୍ ରୁ ଫେରିକି ଏଣିକି ଧର୍ମ କରୁଛି। କିନ୍ତୁ କି ମାଡ଼ ହୋ! ତା ଜଖମ ଜାଗାକୁ ମାରି ପରା ତା ଠେଙ୍ଗିଣି ହାଡ଼ ଖସାଇ ଦେଇଛନ୍ତି ।

୧୦.ଆନବାସୀ

ଏଇଟା ଗୋଟେ ପ୍ରେମ କାହାଣୀ ତ ନୂହେଁ , କିନ୍ତୁ ପ୍ରେମ ସମ୍ପର୍କିତ କିଛି କଥାବସ୍ତୁ ନିଶ୍ଚିତ। ଆପଣମାନେ ବିଶ୍ବାସ ନକଲେ ବି ଘଟନାଟି ସତ।
ମୁଁ ବାଣୀବିହାରରେ ପଢୁଥିଲି। ଅନେକ ଝିଅପୁଅ ମିଶିକି ସେଠି ଥିଲେ। ସେଠିକାର ପରିବେଶ ଟିକିଏ ଭିନ୍ନ। ତେଣୁ କେହି କେମିତି ମନପ୍ରାଣ ଢାଳନ୍ତି, ଖୋଲିକି ଟିକିଏ କଥା ହୁଅନ୍ତି।

ସେଠି ଦୁଇ ପ୍ରକାର ଛାତ୍ରଛାତ୍ରୀ ଥାଆନ୍ତି। ଅଧିକାଂଶ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥାନ୍ତି, ତେଣୁ ଧୀରେ ଧୀରେ ଆତ୍ମିକ ହୋଇଯାଆନ୍ତି, ଆତ୍ମୀୟତା ବାଣ୍ଟି ହୋଇଯାଏ। ଏମାନେ ସବୁ ଛାତ୍ରାବାସର ଅନ୍ତେବାସୀ ପାଲଟି ଯାଆନ୍ତି, ଯେହେତୁ ଦୂର ଦୂରାନ୍ତରୁ ଆସିଥାନ୍ତି।
ମୁଁ ବି ଗୋପବନ୍ଧୁ ଛାତ୍ରାବାସରେ ରହେ। ପାଠ ବ୍ୟତିରେକେ ବଳକା ସମୟ ଯାହା ଟିକିଏ ମିଳେ , ପିଲାଏ ଏଣୁତେଣୁ ଟିକିଏ ଗୁଲିଖଟି ନକଲେ ସମୟଟା ଗୋଟାପୁଣି ମାଡ଼ିବସେ, ଭାରି ବିରକ୍ତିବୋଧ ଲାଗେ । ମୁଁ କିନ୍ତୁ ଉପର ଓଳିକୁ ପ୍ରାୟତଃ ଲାଇବ୍ରେରୀକୁ ଚାଲିଯାଏ, କାହିଁକିନା ମୁଁ ହେଉଛି ପୁସ୍ତକକୀଟ, ଯାହା ସାଙ୍ଗମାନେ ମୋତେ କହନ୍ତି।

ଆଉ ଦଳେ ଛାତ୍ରଛାତ୍ରୀ ଥାଆନ୍ତି, ସେମାନେ ଭୁବନେଶ୍ବରର ବାସିନ୍ଦା ବା କେଉଁ ବଡ଼ ଅଧିକାରୀଙ୍କ ସନ୍ତାନ ସନ୍ତତି, ତେଣୁ ସେମାନେ ଦିନରେ ଯିବାଆସିବା କରି ପାଠପଢ଼ନ୍ତି, ରାତିରେ ଏଠି ନରହି ଘରେ ଶୁଅନ୍ତି । ତେଣୁ ତାଙ୍କୁ ଆନବାସୀ ଛାତ୍ରଛାତ୍ରୀ କହିଲେ ଚଳିବ। ଯେହେତୁ ଏମାନେ ନିଇତି ପାଠପଢ଼ି ସାରି ଘରକୁ ଫେରିଯାଆନ୍ତି, ତେଣୁ ଅନ୍ୟ କାହା ସହ ଏତେ ଘସିନେସି ସମ୍ପର୍କ ବଢ଼ିପାରେ ନାହିଁ। ଧରାବନ୍ଧା ଗୁଳାରେ ଚାଲୁ ଚାଲୁ ତାଙ୍କ ପାଖରେ ଏତେ ସୁଯୋଗ ବା ଫୁଲା ଫାଙ୍କିଆ ସମୟ କାହିଁ ଯେ ଯେତେଟା ଅନ୍ତେବାସୀଙ୍କ କ୍ଷେତ୍ରରେ ସମ୍ଭବପର ହୋଇଥାଏ। ଅନ୍ତେବାସୀଙ୍କୁ ତ ଆଉ କେହି ଆକଟ କରିବାକୁ ବି ଏତେ ନଥାଆନ୍ତି ନା, ତେଣୁ ସେ ତାଙ୍କର ଯାହା କଲେ ଚଳେ । କିନ୍ତୁ ଏମାନେ ଘରକୁ ନିଇତି ଫେରିବେ ନା ତେଣୁ ସମୟ ନିର୍ଘଣ୍ଟ ଭିତରେ ନ ଫେରିଲେ ଘରଲୋକ ମାଆ କି ବାପା ନିଶ୍ଚୟ ବ୍ୟସ୍ତ ହେବେ ବା ନଜର ରଖିଥିବେ।

ସେଦିନ ମୁଁ ପରିଜା ଲାଇବ୍ରେରୀରେ ବସି ପୁସ୍ତକ ଅଣ୍ଡାଳୁଥାଏ। ଯେତିକି ପାରୁଥାଏ ନୋଟ୍ କରୁଥାଏ, ପୁଣି ସେ ବହି ସେଲ୍ଫରେ ଥୋଇଦେଇ ଆଉ ଗୋଟେ ବହି ଧରୁଥାଏ। ଦୂରରୁ ସୁନ୍ଦରୀ ତରୁଣୀଟିଏ ବାରମ୍ବାର ମୋତେ ନିଘା କରୁଥାଏ। ମୁଁ ଏ କଥା ହଠାତ୍ ଯେ ଦେଖିଲି ସେ କଥା ନୂହେଁ, ଯେତେବେଳକର ଏ କଥା ମୋ ଦୃଷ୍ଟିଗୋଚର ହେଲା। ସେ ଯେ ଆଗରୁ ଲାଇବ୍ରେରୀ ଆସେ ନାହିଁ ସେ କଥା ବି ନୂହେଁ କିନ୍ତୁ କେବେ ମୋତେ ଏତେ ଆଙ୍କୁପାଙ୍କୁ ହୋଇ ଦେଖେ ନାହିଁ, ଆଜି ଯେମିତି ବାରମ୍ବାର ଅନିଷା କରୁଛି।

କଥା କ’ଣ କି ନିକଟରେ ସ୍ନାତୋକୋତ୍ତର ପରୀକ୍ଷାର ପଞ୍ଚମ ବାର୍ଷିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ଓ ସେଥିରେ ମୁଁ ପ୍ରଥମ ହୋଇଛି। ଏଥିସକାଶେ ହୁଏତ ଅନେକଙ୍କର ମୋ ପ୍ରତି ଧ୍ୟାନ ଆକର୍ଷିତ ହୋଇଥାଇପାରେ ।

ସେ ତ ଆସିଲା, ମୋ ପାଖରେ ଆଗ ଛିଡ଼ା ହେଲା। କହିଲା ଜିତନ! ତୁମ ପାଖରେ ମୋର ଟିକିଏ କାମ ଥିଲା, ତୁମ ପାଖରେ ମୁଁ ଟିକିଏ ବସିପାରିବି କି? ମୁଁ କହିଲି – “ଆରେ କି କଥା, ଏଥିରେ ସଙ୍କୋଚ କରିବାର କ’ଣ ଅଛି।ତା ଛଡ଼ା ମୋ ସହ ଏତେ ନ ମିଶିଲେ ବି ଆମେ ତ ଏକା ଶ୍ରେଣୀରେ ପାଠପଢ଼ନ୍ତି ନା , ମୁଁ ତେଣୁ ନାହିଁ କରିବି କେମିତି? “

ସେ ହୋଉ କହି ପାଖ ଚୌକିରେ ବସି ପଡ଼ିଲା, କହିଲା – “ଆମେ ତ ହେଲେ ଆନବାସୀ, ତେଣୁ ଯିବା ଆସିବାରେ ଅନେକ ସମୟ ନଷ୍ଟ ହେଉଛି। ପଢ଼ାପଢ଼ି ଠିକ୍ ରେ କରିହେଉ ନାହିଁ। ତୁମେ ତ ଅନ୍ତେବାସୀ, ଏଇଠି ରହିଲ, ଯେତେବେଳେ ନାହିଁ ସେତେବେଳେ ଲାଇବ୍ରେରୀ ଆସି ପଢ଼ିପାରୁଛ । ତା ଛଡା ଉପର ଶ୍ରେଣୀର ବଡ଼ ଭାଇ ଭଉଣୀମାନେ ଏଠି ରହୁଥିବାରୁ ସେମାନଙ୍କ ପାଖରୁ ନୋଟ୍ ଓ ଟିପସ୍ ଦିଟା ଯାକ ପାଉଥିବ। ଆମକୁ କିଏ ସାହାଯ୍ଯ କରିବ କହିଲ! ତାଛଡ଼ା ଝିଅସାଙ୍ଗ ମୋର ଅନେକ ଛାତ୍ରାବାସରେ ରହୁଛନ୍ତି ଯେ, ହେଲେ ସେମାନେ ଯେଉଁ ହିଁସୁକୁଟି, ତାଙ୍କୁ ନୋଟ୍ ଟେ କି ବହିଟେ ମାଗିଲେ ଆଦୌ ଦେବେ ନାହିଁ । ଓଲଟା କେତେ ବାହାନା କରିବେ। ତେଣୁ ତୁମେ ଟିକିଏ ମୋତେ ସାହାଯ୍ଯ କଲେ ହୁଅନ୍ତା ନାହିଁ। “

ସେ କଅଁଳ କହି କଥାରେ ମୁଁ ତ ଏକଦମ୍ ତରଳି ଗଲି। କହିଲି -” ଆରେ ଇଏ ଗୋଟେ କଥା ନା, ମୋତେ କହିବ, ମୁଁ ଯେତେବେଳେ ଯାହା ପାରିବି ନିଶ୍ଚୟ ସାହାଯ୍ଯ କରିବି। “

ସେଇଦିନୁ ସଦାବେଳେ ସେ ମୋତେ ଅନୁସରଣ କରେ ଓ ହସିକି କଥାହୁଏ। ବହିପତ୍ର ହେଉ ବା ଖାତାପତ୍ର ସବୁବେଳେ ସେ ମୋଠାରୁ ମାଗିକି ନେଇଯାଏ। ପୁଣି କେବେ ସୁବିଧା ପାଇଲେ ଟିପିଟୁପା କି ଆଣି ଫେରାଇ ଦିଏ। ଏହି ଘଟନାକ୍ରମ ଏଣିକି ସବୁଦିନେ ହୁଏ। ଧୀରେ ଧୀରେ ଏମିତି ହେଲା ଯେ, ମୁଁ ତାକୁ ଦିନେ ନ ଦେଖିଲେ ଆଦୌ ରହିପାରିଲି ନାହିଁ। ଯେମିତି ଏ ମନ ଖାଲି ତାକୁ ହିଁ ଖୋଜିହୁଏ। ସିଏ ତ ପାଖକୁ ଆସେ, ଦାନ୍ତ ନେଫେଡ଼େଇ ହସିକି କଥା ହୋଇ ଫାଇଦା ନେଇ ଚାଲିଯାଏ। ମୁଁ କିନ୍ତୁ କାହିଁକି ଭାରି ଅଶାନ୍ତି ଭିତରକୁ ଠେଲି ହୋଇଯାଏ। ରାତିରେ ମୋଟେ ନିଦ ହୁଏ ନାହିଁ। ଶୋଇବାକୁ ଗଲେ ତା କଥା ଭାରି ମନେପଡ଼େ , ପଢ଼ିଲା ବେଳେ ବି ତାହାରି କଥା। କେହି କେମିତି ଅତି ଅନ୍ତରଙ୍ଗ ସାଙ୍ଗସାଥି ଏଇ ଲାଇବ୍ରେରୀ ଉପାଖ୍ୟାନ ସଂଗ୍ରହ କରି କୁହନ୍ତି – “ଏ ସାଙ୍ଗ ଆମେ ସେ କଥା ଜାଣି, ଝିଅ ହସିଲା ମାନେ ପୁଅ ଫସିଲା ଆଉ ଖସିଲା। ସେଥିପାଇଁ ତୋତେ ରାତିରେ ଆଉ ନିଦ ହେଉ ନାହିଁ। କିନ୍ତୁ ଦେଖ! ପାଠରେ ତୁ ବେଷ୍ଟାଣ୍ଡ ପାଇବୁ କି ପ୍ରେମରେ, ନିଜ ଭିତରେ ଆଗ ପ୍ରତିଯୋଗିତା କର। ଏ କଥା କିନ୍ତୁ ସତ ଟୋକୀ ଖଣ୍ଡେ ହୋଇଛି ଏକା। “

ବାସ୍ତବରେ ଏକଥା ସତ, ତା ନାଁ ତନୁଶ୍ରୀ, ତା ତନୁକାନ୍ତି ଅପୂର୍ବ ଲାବଣ୍ୟରେ ଭରା। ସୁନ୍ଦର ଗଢ଼ଣ , ମୁଖମଣ୍ଡଳ ଔଜଲ୍ୟରେ ଝଲସିତ। ଏତେ ଟିକି ମୁହଁ ମୁଁ କେବେ ଦେଖିନାହିଁ, କିନ୍ତୁ ପାଚିଲା ଟମାଟୋ ପରିକା ପୂରା ଲାଲ। ଚନ୍ଦ୍ରମୁଖୀ, ଭାରି ଲାବଣ୍ୟବତୀ। ହଳଦୀ ଗୋରୀ, ତନୁପାତଳୀ ନିମିଷକେ ମନ ମୋହି ନିଏ। ତା ମଧୁବୋଳା କଥା ପ୍ରାଣକୁ ମୂର୍ଚ୍ଛିତ କରିଦିଏ। ମୁଁ ତାକୁ ଆଦୌ ଭୁଲିପାରେ ନାହିଁ। ମୋ ଆଖି ଆଗରେ ସେ ତ ଖାଲି ଥେଇ ଥେଇ ନାଚେ, ତାରି ଦୃଶ୍ୟପଟଟି ଭାସିଉଠେ। ଶ୍ରେଣୀ ଭିତରେ ବି ମୁଁ ଏଣିକି ଟିକିଏ ତାକୁ ଚାହିଁଦେଲେ ସେ ହସିଦିଏ, କେତେବେଳେ କେମିତି ଆଖିକୁ ଆଖି ମିଶିଯାଏ ମୋ ମନ ମୋହିନିଏ।

ସେ କ’ଣ କରେ କି ଶ୍ରେଣୀରୁ ସିଧା ଗ୍ଲାସ୍ କ୍ୟାଣ୍ଟିନ୍ ଯାଏ, ସେଠୁ କ’ଣ ଖାଇଦେଇ ଲାଇବ୍ରେରୀ ଧରିଯାଏ। ଲାଇବ୍ରେରୀରୁ ଉଠେ, ଚାଲିଚାଲି ଆର୍. ଡି. ମହିଳା ବିଦ୍ୟାଳୟ ଯାଏ ଚାଲେ, ସେଇଠୁ ପୁଣି ଟାଉନ୍ ବସ୍ ଧରି ପୁରୁଣା ବସ୍ ଷ୍ଟାଣ୍ଡ ମାନେ କଳାମନ୍ଦିର ପାଖ। ତା’ପରେ ଚାଲିକି ଯାଏ କି କିଏ ଆସି ନେଇଯାଏ କେଜାଣି ସେ ସେଇ ଛଅ ନମ୍ଵର କ୍ୱାଟର ଆଡକୁ ମୁହାଁଏ ।

ମୁଁ କେମିତି ଜାଣିଲି କି, ମୁଁ ଦିନେଦିନେ କୁହେ – ରହୁନ! ସାଙ୍ଗହୋଇ ଯିବା, ମୋର ଟିକିଏ କଳାମନ୍ଦିର ପାଖରୁ କିଛି ଜିନିଷ କିଣିବାର ଅଛି ତ। “
ସେ କୁହେ -” ହଉ, ତାହେଲେ ଆସ, ସାଙ୍ଗ ହୋଇଯିବା।”
ଲାଇବ୍ରେରୀରୁ ରମାଦେବୀ ମହାବିଦ୍ୟାଳୟ ଯାଏ ସାଥିରେ ଚାଲିଚାଲି ଯାଉ, ମନରେ ଭାରି ପ୍ରସନ୍ନତା ଭରିଯାଏ – ଯାହାହେଉ ଗୋଟେ ଲଳନାର ସହଚର୍ଯ୍ୟ ଟିକିଏ ମିଳିଲା। ସେ କେତେ ଖୁସିହୁଏ ତାହା ତ ମୁଁ କହିପାରିବି ନାହିଁ, ମୋ ମନ କିନ୍ତୁ ପୂରା କୁତୁକୁତୁ ହୋଇଯାଏ। ଟାଉନ୍ ବସ୍ ରେ ବି ଦେହକୁ ଦେହ ଲାଗି ପାଖାପାଖି ବସୁ, ବସ୍ ରୁ ଓହ୍ଲାଇ କଳାମନ୍ଦିର ଆଗରୁ ଗୁପଚୁପ ଦହିବରା ଧୂମ୍ ଖିଆହୁଏ। ସିଏ ଚାଲିଗଲା ପରେ ମୁଁ ଛାତ୍ରାବାସ ଫେରିଆସେ। ମୋର ସତରେ ସେମିତି କିଛି ଖରିଦ କରିବାର ନଥାଏ, ଗୋଟେ ବାହାନାବାଜି ଯାହା।

ଏଣିକି ଟିକିଏ ମନକୁ ଲାଗିଲାଣି – ଯାହାହେଉ ମୁଁ ଯେତିକି ତାକୁ ଭଲ ପାଉଛି ସିଏ ବି ବୋଧେ ମୋତେ ସେତିକି ଭଲ ପାଉଛି।
ମନରେ କାହିଁରେ କ’ଣ ଆନନ୍ଦ – ଗୋଟେ ଭଲ ଲଳନା ସହିତ ମୁଁ ବିବାହ ବନ୍ଧନରେ ବାନ୍ଧିହେବି। ତେବେ କେମିତି ତାକୁ ଯେ ପ୍ରୋପୋଜ୍ କରିବି? ଯଦି ସେ ବିଗିଡ଼ି ଗଲା କି ବାଉଁ ଡାଉଁ କିଛି କହିଲା? ନା କାହିଁକି କହିବ ଯେ, ମୁଁ କେଉଁ ଅସୁନ୍ଦର ନା ଅଯୋଗ୍ୟ। ଶ୍ରେଣୀରେ ପ୍ରଥମ ପୁଣି ଦେଖିବାକୁ ରାଜକୁମାର ପରିକା। ତା ସୌନ୍ଦର୍ଯ୍ୟ ତୁଳନାରେ ମୁଁ କ’ଣ ଆଉ ଫିକା ପଡ଼ିଯିବି କି, ଅବଶ୍ଯ ମୁଁ ଗୋଟେ ଗରିବ ବାପୁଡ଼ାର ସନ୍ତାନ। ଗାଁରେ ଆମ ଘର, ଜମିବାଡ଼ି ଦୁଇଖଣ୍ଡ ଚାଷକଲେ କି ବାଡ଼ିରେ ଫଳ ଫୈସଲ ମୁଠେ କଲେ ଆମଘର ଚଳେ ଆଉ ମୋ ପଢାଖର୍ଚ୍ଚ ବି। ଏକଥା ଯେଉଁଦିନ ତନୁଶ୍ରୀ ମୋତେ ପଚାରିଥିଲା ମୁଁ ତ ଠିକେ ଠିକେ ସବୁକଥା କହିସାରିଛି। ତଥାପି ସେ ମୋ ସହ ପୂର୍ବଭଳି ମିଶେ, ମୁଁ ବି ପାଠରେ ତାକୁ କିଛି ସାହାଯ୍ୟ କରିବା ପାଇଁ କେବେ ପଛଘୁଞ୍ଚା ଦେଇ ନାହିଁ। ତାଛଡା ଆଉ ସବୁଦିନ ଆମର ଏ ଦରିଦ୍ର ଅବସ୍ଥା କ’ଣ ରହିବ କି , ମୋର କ୍ୟାରିଅର ଯାହା କହୁଛି ପରୀକ୍ଷା ପରେ ମୁଁ ଯେମିତି ହେଲେ ବର୍ଷେ ଛଅ ମାସକେ ଭଲ ଚାକିରୀ ଖଣ୍ଡେ ନିଶ୍ଚୟ କରିବି ନା । ଏକଥା ନିଶ୍ଚୟେ ତନୁଶ୍ରୀ ବୁଝିଥିବ ଓ ତେଣୁ ଭରସା ବି କରୁଥିବ।
ତେବେ ଏବେ ପରୀକ୍ଷା ଚିନ୍ତା, ଆଗ ପରୀକ୍ଷା ସରୁ, ତା’ପରେ ଯାଇ ଶେଷ ବେଳକୁ ତାକୁ ପ୍ରୋପୋଜ୍ କରିବି ଯେ-” ମୁଁ ତୁମକୁ ଭଲ ପାଏ, ଚାକିରୀ ପାଇଲା କ୍ଷଣି ବା ବେଦୀରେ ବିବାହ କରି ଆମ ଘରକୁ ନେଇଯିବି।” ସେ ଏଥିରେ କାହିଁକି ଅମତ ହେବ, ମୁଁ ଜାଣେ ସେ ଯେମିତି ଭାବଭଙ୍ଗି ମୋ ସହ ପ୍ରକାଶ କରୁଛି , ସେ ନିଶ୍ଚେ ମୋତେ ଭଲପାଉଛି। ତେବେ ତା ପୂର୍ବରୁ ସେ ଯଦି ମୋତେ ପ୍ରୋପୋଜ୍ କଲା ଆହୁରି ବଢିଆ ହୁଅନ୍ତା, ଭାଗ୍ୟରେ ଥିଲେ ତନୁଶ୍ରୀ ଭଳି ଜୀବନ ସାଥିଟିଏ ମିଳନ୍ତା। ସାତଜନ୍ମ ପାଇଁ ଜୀବନଟା ସତରେ ଧନ୍ୟ ହୋଇଯାନ୍ତା।

ଏମିତି ତ ନିଇତି ଭାବେ, ସେଦିନ କିନ୍ତୁ ତନୁଶ୍ରୀ ହଠାତ୍ କହିଲା – “ଏ ଗଣେଶ୍ୱର! କାଲି ନିଶ୍ଚୟ ଆମ ଘରକୁ ଯିବ। ମାଆ କହିଛନ୍ତି। ମୋର ଜନ୍ମଦିନ ଅଛି ତ ସେଥିଲାଗି।ଅନ୍ୟ ସାଙ୍ଗସାଥି ମାନଙ୍କୁ ମଧ୍ଯ କହିଛି, ସେମାନେ ବି ଆସୁଛନ୍ତି। ତେବେ ତୁମକୁ ସ୍ଵତନ୍ତ୍ର ଭାବେ କହିଲି, କାହିଁକି ନା ତୁମେ ହେଉଛ ଆମର ସ୍ପେଶାଲ ଗେଷ୍ଟ। ତା ଛଡ଼ା ମୋ ଜନ୍ମ ଦିନରେ ମୋ ଭବିଷ୍ୟତକୁ ନେଇ ଗୋଟେ ସ୍ପେଶାଲ୍ ଘୋଷଣା ହେବ। ସେଇଟା ତୁମେ ସେଠାକୁ ଗଲେ ବଳେ ଜାଣିପାରିବ।ଏଇଟା ତୁମ ପାଇଁ ସରପ୍ରାଇଜ। “

ଗଣେଶ୍ୱର କୁତୂହଳୀ ହୋଇ ଛାତ୍ରାବାସକୁ ଫେରିଲା। ହେଲେ ଏଇ ଏତିକିରେ ସେ କେତେ କ’ଣ ଭାବିଗଲା ଯେ ତା’ର କିଛି ଇୟତ୍ତା ରହିଲା ନାହିଁ।
ମନେମନେ ଆନନ୍ଦିତ- ସହରୀ ଟୋକୀକୁ ବାହାହେବି। ସମସ୍ତେ ଦେଖି ଆଖି ତରାସି ଚାହିଁବେ। ପ୍ରଶଂସାରେ ପୋତି ପକାଇବେ – ଯାହା ହେଉ ଗଣେଶ୍ୱର ବାଛିବାଛି କନ୍ୟା ରତ୍ନଟିଏ ଆଣିଛି। ତନୁଶ୍ରୀକୁ ପାଇ ମୋ ଜୀବନ ଧନ୍ୟ ହୋଇଯିବ। ଖାଲି ତ ସ୍ଵପ୍ନ ରାଇଜରେ ହଜିହଜି ଏଣୁତେଣୁ ମେଞ୍ଚେ ଭାବିଗଲି।
ତା’ପରଦିନ ଦିନସାରା ମୋତେ ଆଉ ତର ନାହିଁ। ପ୍ୟାଣ୍ଟସାର୍ଟ ଭଲ ରକମର ଆଉଥରେ ସଫାକରି ଆଇରନ୍ ଚଢ଼ାଇଲି। ଖିଅରଭଦ୍ର ହୋଇ ପିନ୍ ପିନ୍ ସଫାଲୁଗା ପିନ୍ଧି ଓ ଜୋତାମୌଜା ଲଗାଇ ବାହାରି ପଡ଼ିଲି, ଯେମିତିକି ଆଜି ଗୋଟେ ବଡ଼ ଚାକିରୀ ପାଇଁ ପ୍ରଥମ ଥର ମୁଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛି। ଇସ୍ କି ଖୁସି, ମନ ଭିତରେ ତ ଖାଲି ଶିହରଣ ଖେଳେଇ ଯାଉଥିଲା । ଚାହିଁକି ବି ନିଜ ମନୋଭାବକୁ ଆଦୌ ଲୁଚାଇ ପାରୁ ନଥିଲି, ଯାହା କୁତୁକୁତୁ ହୋଇ ବାହାରକୁ ଉଭାରି ଆସୁଥିଲା।

ସଂଧ୍ୟାବେଳକୁ ବାହାରି ପଡ଼ିଲି। ସାଥିରେ ଅନ୍ୟ ଶ୍ରେଣୀ ସାଥି ଦିଚାରିଜଣ ଥିଲେ। ସୁବାଷ, କୈଳାଶ ବି ଥିଲେ। ସେମାନେ ମୋ ଢଙ୍ଗଢାଙ୍ଗ ଦେଖି ଟିକିଏ ମୁରୁକି ହସା ଦେଉଥିଲେ ଆଉ ଟାଉଳ କରି ବି କିଛି ମନ୍ତବ୍ୟ ରଖୁଥିଲେ। ତଥାପି ସେଗୁଡାକ ମୋ ଉପରେ ସେତେ କିଛି ପ୍ରଭାବ ପକାଉ ନଥିଲା, ଯେହେତୁ ମୋ ମନ ଉଚ୍ଚାଟିତ ଥିଲା।
ତାଙ୍କ ଘର ପାଖରେ ପହଞ୍ଚିଲା ବେଳକୁ ତନୁଶ୍ରୀ ବାହାରକୁ ଆସି ଆମ ସବୁ ସାଙ୍ଗ ମାନଙ୍କୁ ପାଛୋଟି ନେଲା। ମୋ ହାତକୁ ଧରି ଟାଣି ଟାଣି ଘର ଭିତରକୁ ନେଇଗଲା। ତା ମାଆବାପାଙ୍କୁ ବି ଚିହ୍ନେଇ ଦେଲା – “ଇଏ ମାଆ! ଗଣେଶ୍ୱର, ଯାହା କଥା ମୁଁ କହୁଥିଲି। “

ମୁଁ ଆହୁରି ଉତ଼୍ଙଫୁଲ୍ଲିତ ହୋଇ ଉଠୁଥିଲି – “ତେବେ ତନୁଶ୍ରୀ ମୋଠାରୁ ଢେର୍ କ’ଣ କଦମ୍ ଆଗରେ? ତା ମାନେ ସେ ଆମ କଥା ତା ବାପାମାଆଙ୍କୁ ବି ଆଗରୁ କହି ସାରିଛି? “ଏମିତି ଭାବିସାରିଲା ବେଳକୁ ଅନ୍ୟାନ୍ୟ ଅତିଥିମାନେ ବି ପହଂଚି ଯାଇଥିଲେ। ଏବେ କେକ୍ କଟାର ପାଳି। ତେଣୁ ତାଙ୍କ ବାପା ହଠାତ୍ ଘୋଷଣା କଲେ – ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ୍ କରୁଛି। ଆପଣମାନେ ତ ଜାଣିଛନ୍ତି ଆମେ ସ୍ଵାମୀସ୍ତ୍ରୀ ଉଭୟ ଡାକ୍ତର। ତେବେ ଆମର ଏକମାତ୍ର ଅଲିଅଳି ରାଜଜେମାର ଆଜି ଜନ୍ମଦିନ। ଏହି ଜନ୍ମଦିନ ଏଇଥିପାଇଁ ଖାସ୍ କି ଆଜି ତା ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଏଇଠି ଆମେ ଘୋଷାଣ କରିବୁ। ତେବେ ସମସ୍ତେ ଆସନ୍ତୁ, ଆମେ କେକ୍ କଟାର ମଜାନେବା।
କେକ୍ ପ୍ରସ୍ତୁତ, ତନୁଶ୍ରୀ ବି ହାତରେ ତିକ୍ଷ୍ଣ ଛୁରୀଧରି କେକ୍ କାଟିବାକୁ ପ୍ରସ୍ତୁତ। କେକ୍ ର ପ୍ରଥମ ଖଣ୍ଡ ଧରି ମୋ ଆଡ଼କୁ ଆଗ ବୁଲି ପଡ଼ିଲା । ମୁଁ ଖୁସି ହୋଇଗଲି। ମୋ ପାଟି ବି ଲାଳେଇ ସାରିଥିଲା। ମୁଁ ଆଁ କଲା ବେଳକୁ କେକ୍ ଟି ତାପାଖରେ ଛିଡ଼ା ହୋଇଥିବା ଜଣେ ସୁନ୍ଦର ଯୁବକ ପାଟିରେ ଲାଖି ଯାଇଥିଲା। ସେଇ ଯୁବକ ଜଣକ ଅଇଁଠା ପାଟିରୁ ଅଧା ବାହାର କରି ତନୁଶ୍ରୀ ପାଟିରେ ତୋଳି ଧରିଥିଲେ ଓ ଆଉକିଛି କେକ୍ କ୍ରିମ ଆଣି ତା ମୁହଁରେ ଗୋଟାପୁଣି ବୋଳି ଚାଲିଥିଲେ। ତନୁଶ୍ରୀ କିରିକିରି ହୋଇ ହସି ଉଠୁଥିଲା। ଏତେବେଳକୁ ଖାସ୍ ଘୋଷଣାଷଟି ହେବାକୁ ଆଉ ଅଳ୍ପ ସମୟ ବାକି ଥିଲା।

୧୧.ଶେଖର

ଶେଖର, ଶିଖର ଛୁଇଁବା ଯାହାଙ୍କ ନିଶା। ସଙ୍ଗୀତରେ ସ୍ଵର ମୂର୍ଚ୍ଛନା ସେ ତୋଳନ୍ତି। ଅନେକ ତାଙ୍କର ପ୍ରତିଭା। କେତେବେଳେ ଗଳ୍ପକବିତା ଲେଖନ୍ତି, ଗୀତ ଲେଖିବା ତାଙ୍କର ମୁଖ୍ୟ। ଅଭିନୟ କଳା ବି ଟିକେ ଅଛି ସେଥିପାଇଁ ଯାତ୍ରା, ସିରିଏଲରେ ବି ସେ ଅଭିନୟ କରନ୍ତି ଏବେ ଏବେ ନାଟ୍ୟକାର ହେବାର ନିଶା ତାଙ୍କୁ ଘାରିଛି, ତେଣୁ ନାଟକ ଲେଖାରେ ବି ମନ ବଳୁଛି।

ବୟସ ସେମିତି ବେଶୀ ନୂହେଁ, ଜମା ଚଉତିରିଶ /ପଇଁତିରିଶ ବର୍ଷ ହେବ। ଭାରି ସୁନ୍ଦର ଟୋକା। ନାକ ତଳେ ଅଳ୍ପ ନିଶ, ମୁଚୁକୁନ୍ଦିଆ ହସ। ଭାରି ମିଶାଣିଆ, ସମସ୍ତଙ୍କ ସହ ମିଶି ଯାଆନ୍ତି।

ପାଠ ବି ସେତେ କମ୍ ନାହିଁ। ମୋଟର ଭେହିକିଲ୍ ଇଞ୍ଜିନିୟରିଂ କରିଛନ୍ତି, ତେଣୁ ମାରୁତି ମୋଟର୍ସରେ ସେ ସରଭିସ୍ ମ୍ୟାନେଜର୍ । ବେଶୀ କମାସ୍ତୁକ ନହେଲେ ମଧ୍ଯ ଘର ଚଳିଯାଏ।

ଘର ତାଙ୍କର ମାଳଦା। ଭାରି ବଢ଼ିଆ ଗାଁଟେ। ଆମ୍ବ, ପଣସ, ନଡ଼ିଆ, କଦଳୀ – ସବୁ ରକମର ଫଳ ସେଠି ମିଳେ। ଲୋକେ ବି ପନିପରିବା, ଫଳଫୈସଲି ଭଲ କରନ୍ତି। ରାସ୍ତାଘାଟ, ପଡ଼ିଆଝଡ଼ିଆ ବି ବୁଲି ଆସିଲେ ବଇଁଞ୍ଚ, ଖିରିକୋଳି, ଚାଉଳଧୂଆ କୋଳି, କାନକୋଳି, ଭୂଇଁ ବରକୋଳି ଆଦି କେତେ ରକମର ମିଳେ। ଖୁଣ୍ଟି ସାଉଁଟି କି ଖାଇଦେଲେ ଛୁଆଙ୍କର ପେଟ ଭରିଯାଏ ।

ସେଇ ଗାଁରେ ଶେଖରର ଅର୍ଦ୍ଧେକ ଜୀବନ ଗଢ଼ା ହୋଇଥିଲା। ଆଉ ଅର୍ଦ୍ଧେକ ବୁଲି ବୁଲିକା ଏଣେତେଣେ। କାହିଁକିନା ଶେଖରର ବାପା ଥିଲେ ଜଣେ ଶିକ୍ଷକ। ତେଣୁ ସେ ବାଲେଶ୍ବର, କେଉଁଝରଠାରୁ ଭଦ୍ରକ ଯାଏ ଅନେକ ଆଡ଼େ ବୁଲିବୁଲି ଚାକିରୀ କରିଛନ୍ତି। ତେଣୁ ଯୁଆଡ଼େ ଯାଆନ୍ତି ପିଲାଛୁଆଙ୍କୁ ସିଆଡ଼େ ସିଆଡ଼େ ଧରିକି ଯାଆନ୍ତି।

ତେଣୁ ଶେଖରର ପାଠପଢ଼ା କୌଣସି ଗୋଟେ ସ୍କୁଲରେ ହୋଇନାହିଁ। ସେ ଗାଁରେ ପ୍ରାଇମେରୀ ଶିକ୍ଷା ସମାପନ କରିଥିଲେ ହେଁ ଘଟଗାଁ ତାରିଣୀ ପୀଠରେ ଏମ୍. ଇ. ସ୍କୁଲ ଏବଂ ଆନନ୍ଦପୁରରୁ ମାଟ୍ରିକ୍ ଖଣ୍ଡକ ପାସ କରିଛନ୍ତି । ତା’ପରେ ଯୁକ୍ତଦୁଇ କେଉଁଝର ଡି. ଡି. କଲେଜରୁ, ପରେପରେ ଭୁବନେଶ୍ବରରୁ ଇଞ୍ଜିନିୟରିଂ ପାସ୍ କରିଛନ୍ତି।
ତେଣୁ ଗାଁ ସହିତ ଧୀରେ ଧୀରେ ସମ୍ପର୍କ କମିଲା, ଏପଟେ ପିଲାମାନଙ୍କର ଯେହେତୁ ଟିକିଏ ବଜାରପ୍ରୀତି ବଢ଼ିଗଲାଣି ସେଥିସକାଶେ ସେମାନେ ବି ଆଉ ଗାଁରେ ରହିବାକୁ ଚାହୁଁ ନଥିଲେ।

ତେଣୁ କମଳ ବାବୁଙ୍କର ଯେବେଠୁ ଚାକିରୀ ସରିଲା ସେ ଆଉ ଗାଁକୁ ନଯାଇ ଗାଁପାଖ ବାରିକପୁର ବଜାରରେ ଗୋଟେ ଜାଗା କିଣି ଘର କଲେ। ସେଇଠି ଏବେ ପିଲାମାନଙ୍କର ଠିକଣା ହେଲା।

କିନ୍ତୁ ସବୁଦିନେ ଆଉ ତ କେହି ମହୀ ଉପରେ ରହିପାରିବେ ନାହିଁନା, ତେଣୁ ଦିନେ ଏମିତି ହେଲା ହୃଦଘାତରେ ପୀଡ଼ିତ ହୋଇ ହଠାତ୍ କମଳ ବାବୁ ଟିକଟ କାଟିଲେ ଆରପାରିକୁ। ଏଣିକି ପେନ୍ସନ ପଇସାରେ ଘର ଚଳିବ। ଯାହା ସେବାନିବୃତ୍ତିରୁ ଅର୍ଥରାଶି ମିଳିଥିଲା ସେଥିରେ ଗୃହ ନିର୍ମାଣରେ ଓ ନୂଆ ଆସବାବ ପତ୍ର କିଣାରେ ଖର୍ଚ୍ଚ ହୋଇଯାଇଥିଲା। ଅବଶିଷ୍ଟ ମଘା କାମରେ ଗଲା। ଇତିପୂର୍ବରୁ ଶେଖରର ବାହାଘର ବି ଧୂମ୍ ଧାମ୍ ରେ କମଳ ବାବୁ କରିଥିଲେ। ସେଥିରେ ଯାହା ଅର୍ଥ ଶ୍ରାଦ୍ଧ ତ ନିଶ୍ଚୟ ହୋଇଥିବ। ଗୋଟିଏ ବୋଲି ଭଉଣୀ ସିନି ବାହାଘର ବେଳକୁ ମଧ୍ୟ ପୁର୍ବାର୍ଜିତ ସମ୍ପତ୍ତି ବିନିଯୋଗ ହୋଇଯାଇଥିଲା। ଆଉ ବଳକା ପଇସା ସେତେ କିଛି ନାହିଁ। ଘର ଘୋର, ସେଥିରେ ସବୁ ଘୋରି ହୋଇଯାଇଥିଲା।

ତେବେ ବି ସେତେ ଅସୁବିଧା ନାହିଁ, ଶେଖର ଅଟୋ ମୋବାଇଲ୍ କମ୍ପାନୀରେ ଚାକିରୀ କରି ଘରକୁ ଦୁଇ ପଇସା ଆଣୁଛି। ମା’ର ଊଣା ଅଧିକେ ପେନ୍ସନ ପଇସା ଗଣ୍ଡାକ ମିଳୁଛି।
କିନ୍ତୁ ଭଗବାନଙ୍କ ଦୁନିଆରେ ସବୁଦିନ କାହାରି ଅୟସ ଆରାମରେ ଯାଏ ନାହିଁ। ଧୀରେ ଧୀରେ କଠିନତା ବଢ଼ିଲା।

ସେଦିନ ହଠାତ୍ ଜାତୀୟ ରାଜପଥ ପ୍ରଶସ୍ତିକରଣ ହେବାରୁ ବାରିକପୁର ଘର ଖଣ୍ଡାକ ଚାଲିଗଲା। ଅବଶ୍ଯ ଅଠଚାଳିଶ ଲକ୍ଷ୍ୟ କ୍ଷତିପୂରଣ ମିଳିଲା।
ସେଇ ପଇସାରୁ ଅର୍ଦ୍ଧେକ ଧରି ସାନ ଟୋକା ଭୁବନେଶ୍ବର ଚାଲିଗଲା। ପଇସା ପାଇଲା ପରେ ସେ ଆଉ ପଦଗଦ ମାନିଲା ନାହିଁ। ମାଆଭାଇ କଥା ବି ଶୁଣିଲା ନାହିଁ। ଝୁଙ୍କ ଲାଗିଲା, ରସୁଲଗଡ଼ରେ ଗୋଟେ ଦୋକାନ କିଣିପକାଇ ଭୁସାମାଲ ଦୋକାନ କଲା। ତାହା ପୁଣି ତା ସାଙ୍ଗ ମାଧିଆ ସହିତ ପାର୍ଟନରସିପ୍ ରେ। ଆଜିକାଲି ତ ଅପଣାର ଲୋକ ନିଜର ହେଉନାହାନ୍ତି , ସେ ପୁଣି ସାଙ୍ଗସାଥି କୁଆଡ଼େ ନିଜର ହେବେ। ବେପାର ପ୍ରଥମେ ପ୍ରଥମେ ଭଲ ଚାଲିଥିଲା, କିନ୍ତୁ ଯେଉଁ ସାଙ୍ଗଘରେ ରହି ବେପାର କଲା, ତା ଭଉଣୀ ରୂପା ସାଙ୍ଗରେ ଏହାର ନଫଡା ଚାଲିଲା। ଶେଷରେ ମରାପିଟା କଲେ, ଏକାବେଳକେ ନିଶା ଛାଡ଼ିଗଲା। ଦୋକାନପତ୍ର କବଜା କରିନେଇ ଘଉଡ଼େଇ ଦେଲେ। ପୁଅ ନାମ ନେଇଛି, ଯେଉଁ ବାଟେ ବାଟେ ଆସିଥିଲା, ସେଇ ବାଟେ ବାଟେ ଫେରିଗଲା।ଏଥର ପୁଅ ପୁଣି ସେଇ ଭାଇ ପାଖରେ ଶରଣ ନେଲା, କିନ୍ତୁ ଅର୍ଥତକ ସବୁ ତୋଷରପାତ ହୋଇଗଲା।ଏମାନେ ପରା ପିଲା ପିଚିକା ନ ଠିକିଲେ କ’ଣ ସହଜରେ ଶିଖିବେ କି?

ଶେଖର ବରଂ ଟିକିଏ ବୁଦ୍ଧିମାନର କାମ କରିଛି। ସରକାର ଯେତେବେଳେ ଜାଗା ଅକ୍ତିଆର କରିନେଲେ ଓ ସେମାନେ ବେଘର ହେଲେ, ସେ ତୁରନ୍ତ କେଉଁଠି ଗୋଟେ ଘରତୋଳି ଘରକରଣା ଜିନିଷପତ୍ର ସବୁ ସମ୍ଭାଳିବାକୁ ଚିନ୍ତାକଲା। ଯୋଗକୁ ଶ୍ୱଶୁରଘର କହିଲେ -” ତୁମର ତ ଏତେ ପଇସା ନାହିଁ ଜମି କିଣି ଘର କରିବାକୁ, ଗୋଟେ କାମକର, ଆମର ଭଦ୍ରକରେ ଗୋଟେ ଠାକୁର ଜମି ଅଛି, ସେଇଟା ଯଦିଓ ତୁମ ନାଁରେ ପଟା ହୋଇପାରିବ ନାହିଁ, ତଥାପି ତୁମେ ଦେହକସାରା ଭୋଗଦଖଲ କରି ପାରିବ। ଏଠୁ ତୁମକୁ କେହି ବେଦଖଲ କରିପାରିବେ ନାହିଁ, କାହିଁକିନା ପୁରୁଷ ପୁରୁଷ ଧରି ଆମ ବଂଶଧର ମନ୍ଦିର ପୂଜକ ଥିବାରୁ ଏଇଟା ଆମକୁ ଉପହାର ସ୍ଵରୂପ ମିଳିଛି।”
ଏଥିରେ ତ ମାନି ବେଶ୍ ଉତ଼୍ଙଫୁଲ୍ଲିତ ହୋଇଗଲା, ତା ଗୋଡ଼ ଆଉ ତଳେ ଲାଗିଲା ନାହିଁ। ସ୍ୱାମୀଙ୍କୁ ଖାଲି ଥେଇଥେଇ କରି ଅଥୟ କଲା। ଶେଖରଙ୍କ ପାଖରେ ବି କିଛି ଉପାୟ ନଥିଲା, ଅଳ୍ପ ଧନ ବିକଳ ମନ ସେ ସେଥିରେ ହଁ ଭରିଲେ।

ଯେଉଁ ଘର ଜ୍ୱାଇଁଆ ହେବେ ନାହିଁ ବୋଲି ଦିନେ ନିଷ୍ପତ୍ତି ନେଇ ନିଜ ଘର ପାଖରେ ଭଲ ପାଉଥିବା ସୀମା ବୋଲି ଝିଅର ପ୍ରସ୍ତାବକୁ ସେ ନାକଚ କରିଥିଲେ, ଆଜି ଶେଷରେ ସତକୁ ସତ ସେ ଘରଜ୍ୱାଇଁଆ ହୋଇଗଲେ। କିଂକର୍ତ୍ତବ୍ଯ ବିମୂଢ଼ ଅବସ୍ଥା, ସମୟ – ସମୟ ସବୁକିଛି ଓଲଟପାଲଟ କରି ଥୋଇଦେଲା ।

ଛାଡ଼, ଘରତୋଳା କାମ ଚାଲିଲା। ଯେଉଁ ଅର୍ଥ ଗଣ୍ଡାକ ପାଖରେ ଥିଲା ସବୁ ସେଥିରେ ଲାଗିଗଲା, ପୁଣି ଧାରକରଜ ବି ବହେ ହେଲା। ସୁନା ଗହଣା ବି ବ୍ୟାଙ୍କରେ ବନ୍ଧା ପଡ଼ିଲା । ଯେଉଁ କୁତୁକୁତୁ ହୋଇ ଚାରି ଚକିଆ ଯାନ ଖଣ୍ଡେ କରି ଅଫିସ୍ ଯିବା ଆସିବା କରୁଥିଲା ତା କିସ୍ତି ବି ଆଉ ଦେଇ ହେଉ ନାହିଁ। ଯୋଗକୁ ଆଉ ଚାକିରୀ ନାହିଁ। ଏଇ ଘରକାମ କରିବ ବୋଲି ସେ ଏତେ ବ୍ୟସ୍ତ ରହିଲା ଯେ ଆଉ ଠିକ୍ ରେ ଅଫିସ୍ କରିପାରିଲା ନାହିଁ।ଶେଷରେ ତଡ଼ାଖାଇ ଘରେ ବସିଛି। ତଥାପି ମନରେ ଗୋଟେ ଶାନ୍ତ୍ୱନା – ସେ ଯେଉଁ ଘର ଘର ବୋଲି ଇଆ ତା ଓଳି କିଛିଦିନ ହେଲା ହେଉଥିଲା, ଏବେ ତ ଶାନ୍ତିରେ ନିଜ ଘରେ ଟିକିଏ ନିଶ୍ୱାଷ ମାରି ପାରିବ। ତେଣିକି ଦେଖାଯିବ, ପୁଣି ବରଂ ଚେଷ୍ଟାକରି ଗୋଟେ ନୂଆ କମ୍ପାନୀରେ ଯୋଗଦେବ।
ସାନ ଭାଇଟା ବି ଡେରିରେ ବୁଝିଲେ କ’ଣ ହେବ, ସେ ଭୁବନେଶ୍ବରରୁ ଫେରି ଘର କାମରେ ଢେର୍ ସାହାଯ୍ଯ କରିଛି। ଏବେ ମାଆ, ସ୍ତ୍ରୀ, ସାନଭାଇ, ସ୍ତ୍ରୀ ଓ ଝିଅ ସବୁ ପୂର୍ବପରି ପୁଣି ଏକାଠି, ଗୋଟେ ଜାଗାରେ। ତେଣିକି ଦେଖାଯିବ ଭବିଷ୍ୟତ ପୁଣି କେଉଁ ମୋଡ଼ରେ ଆଣି ଛିଡ଼ା କରୁଛି।

ଘର ତିଆରି ସରିଲା। ମାନିର ଗର୍ବଔଦ୍ଧତ୍ଯ କିନ୍ତୁ ବଢ଼ିଲା । ତା ମନରେ ଗୋଟେ ଗର୍ବ – ଯାହା ହେଉ ତା’ର ଗୋଟେ ନିଜସ୍ଵ ଘର ଅଛି ଯେଉଁ ଘରର ଘରପତି ହେଉଛି ସେ ନିଜେ।
ଗୃହପ୍ରବେଶ ଓ ଘର ପ୍ରତିଷ୍ଠା କାମ ଧୂମଧାମରେ ହେଲା। ଅନେକଆଡୁ ଅନେକ ନିମନ୍ତ୍ରିତ ଅତିଥି ଆସିଥିଲେ। କାହିଁକିନା ସମସ୍ତଙ୍କୁ ଜଣାଇ ଦେବାକୁ ସେ ଚାହୁଁଥିଲା – ସେ ହେଉଛି ଏ ଘରର ଅସଲି ମାଲିକାଣି , ତା ବାପଭାଇଙ୍କ ଦୟାରୁ ଏ ଘରତୋଳା ସମ୍ଭବ ହୋଇଛି।

ଯାହାବି ହେଉ ବନ୍ଧୁବାନ୍ଧବ ଝିଅଝିଆଣି ବି ଦିନେ ଓଉତେ ରହି ଚାଲିଗଲେଣି। ଆଉ କେହି ନାହାନ୍ତି । ବାକି ରହିଗଲେ – କେବଳ ମାନିର ମାଆ ସୁକାନ୍ତି ଦେବୀ। ଆଉ ଘରଲୋକ ବୋଲି ମାଆ ଦେବକୀ , ସାନ ଭାଇ ଦୀପୁ, ମାନି, ଝିଅ ଲିପ୍ସା ଓ ସେ ଶେଖର ନିଜେ।

ଏତେବେଳକୁ ମାସେ ପନ୍ଦର ଦିନ ଗଲାଣି
। ଦିନକୁ ଦିନ କିନ୍ତୁ ମାନିର କଥାବାର୍ତ୍ତା ଗୁଡ଼ାକ ଦେହେରେ ଗୁଳି ଚାଲିଗଲା ଭଳି ଗଳି ଯାଉଥାଏ। ତା ଛାଣ୍ଟକାଣ୍ଟରେ ପୂରା ପରିବର୍ତ୍ତନ ହୋଇଗଲାଣି। ଏଣିକି ସେ ଘରର ବୋହୂ ନୂହେଁ, ଘରର ମାଲିକାଣି। ତେଣୁ ଶାଶୁ ଦେବକୀଙ୍କ ବୋଲବାଲା ଆଉ ଚଳିବନି, ଚଳିବ ତ କେବଳ ତା’ର ମେରିରାୟ ଶାସନ ଚାଲିବ। ତେଣୁ ଧୀରେ ଧୀରେ ସେ ନିଜ ଆଦବ କାଏଦାଟା ପ୍ରୟୋଗ କରୁଥାଏ। ଏ ଦିଗରେ ଶିକ୍ଷାଦେବା ପାଇଁ ମା’ ପାଖେ ପାଖେ ରହୁଥାଏ, କାନେ କାନେ ଭରୁଥାଏ।
ଏଥିପୂର୍ବରୁ ତ ଦେବକୀ ଦେବୀ ଘରର ମୁରବି ଥିଲେ, ତାଙ୍କ ବିନା ଇଙ୍ଗିତରେ କିଛି ବି ହୋଇପାରେ ନାହିଁ। ଏପରିକି ତାଙ୍କ ଅନୁମତି ନନେଇ ଘରର ପିଲାମାନେ କେହି ବାହାରକୁ ଗୋଡ଼ କାଢ଼ନ୍ତି ନାହିଁ। ଭାରି ସ୍ନେହଶୀଳା। ଆଜିଯାଏ ଘରଟାକୁ ସେଇ ହିଁ ସମ୍ଭାଳି ରଖି ଆସିଥିଲେ। ଏଣିକି କାଣୀ ବିରାଡ଼ି ଦୀପୁରୁଖା ଉପରକୁ ଉଠିଲାଣି, ତେଣୁ ତା’ର ସିକିମ୍ କହିଲେ ନସରେ। ସ୍ଵାମୀ ବି ତା ହାତରେ ସଖୀ କଣ୍ଢେଇ ସାଜିଛି। ତା’ର ବା ଉପାୟ କ’ଣ ଅଛି ଯେ ସେ କରି ପାରିବ, ହାତରୁ ପାଞ୍ଚ ତ ସେ ଦେଇ ସାରିଛି। ତେଣୁ ମାନିର ହୁକୁମ ସର୍ବମାନ୍ୟ ।

ଏ କଥା ସତ ଦେବକୀ ଦେବୀଙ୍କ ହୃଦୟଟା ଟିକିଏ ନାରିକେଳ ପରି, ଉପରଟା ଭାରି ଟାଣ ଜଣାପଡୁଥିଲେ ହେଁ ଭିତରଟା କିନ୍ତୁ ଭାରି ନରମ। ସେ ଜଣେ ବୁଝକର ଲୋକ କିନ୍ତୁ ଉପରେ ଟିକିଏ କଠୋର ହୋଇ ଶାସନ କରନ୍ତି। ଟାଣ ନହୋଇଥିଲେ ବିଧବା ସ୍ତ୍ରୀ ଲୋକଟା ଘରଟାକୁ କ’ଣ ସମ୍ଭାଳି ପାରିଥାନ୍ତା କି? ପିଲାମାନଙ୍କର ତାଙ୍କ କଥାରେ କେଇ ବେଳେ ଆପତ୍ତି ନଥାଏ କିନ୍ତୁ ମାନିର ଭାରି ଅଭିଯୋଗ। ସେ କାହାରି ଟାଣ କଥା ସହିବ ନାହିଁ। ଭୁଆସୁଣୀ ବେଳେ ତ ସେ ଶାଶୁ ମୁହଁରେ ଜବାବ ଦେଇଦିଏ, ଏଣିକି ସହଜେ ସେ ଘରପତି। ଏଣିକି ପ୍ରତିଟି ଛୋଟବଡ଼ କଥାରେ ସେ ଓଲଟା ଶାଶୁଙ୍କୁ ଶୁଣାଇବା ଆରମ୍ଭ କଲାଣି। ନିଜ ସ୍ୱାମୀ ତ ଆଉ ରହମଣ ପଡ଼ୁ ନାହିଁ, ଆଉ କାହା କଥା କିଏ ପଚାରେ। ସାନ ଦିଅର ଟୋକାକୁ ସେ ଆଦୌ ସହି ପାରୁ ନାହିଁ। ତାଙ୍କ କହିବା କଥା ହେଉଛି – “ଜମିବିକା ପଇସା ତ ଅଧା ଧରି ବଡ଼ ଲୋକ ହେବା ନିଶାରେ ରାଜଧାନୀରେ ଉଡ଼େଇକି ଆସିଲ। ସେତେବେଳେ ଭାଇଭାଉଜ ସବୁ ପର ଥିଲେ, ଏବେ ପୁଣି କେଉଁ ମୁହଁରେ ସେଇ ଭାଇ ପାଖରେ ପଶୁଛ।”

ତାଙ୍କ କହିବା କଥା ଅମୂଳକ ନୂହେଁ, କିନ୍ତୁ ଶେଖରର କହିବା କଥା – “ତା’ର ପିଲା ମୁଣ୍ଡ। ମୁଁ ଜାଣୁଛି ତା’ର ମସ୍ତବଡ଼ ଭୁଲ ହୋଇଛି। ତେବେବି ସେ ସାନଭାଇ, ପୁଅ ସମାନ। ନିଜ ପୁଅ କିଛି ତ୍ରୁଟି କରିଥିଲେ ଆଉ କ’ଣ ତାକୁ କେହି ଘଉଡ଼େଇ ଦେଇଥା’ନ୍ତେ। ସେ ତ ନିଜ ଭୁଲ ମାନୁଛୁ। ଯାହା କହିଲେ ମୁହଁ ତଳକୁ ପୋତି ନତମସ୍ତକ ହେଉଛି। ଆଉ ତୁମେ ତାକୁ ସବୁବେଳେ ତାନାମରା କଥା କୁହ ନାହିଁ। ପିଲା ଲୋକ ବିଚରା ସହିପାରିବ ନାହିଁ। କେତେବେଳେ କ’ଣ କରିଦେବ। ଅଭିଆଡ଼ି ଭାଇଟା, ବାପା ବି ନାହାନ୍ତି , ତାକୁ ହାତେକୁ ଦିହାତ କରିଦେଲେ ଆମ କର୍ତ୍ତବ୍ୟ ସରିଲା। ତେଣିକି ତା ହାନିଲାଭ ନ ବୁଝିଲେ ଚଳିବ। ନହେଲେ ଲୋକେ କ’ଣ କହିବେ । “
ମା ଦେବକୀର ମଧ୍ଯ ସେଇ ଏକା ଯୁକ୍ତି, କିନ୍ତୁ ସେ କାହିଁକି ଶୁଣିବ।
ତା’ର ଏକାନ୍ତ ଜିଦ୍ ଦୀପୁ ଏ ଘରେ ରହିପାରିବ ନାହିଁ, କାହିଁକିନା ତା’ର ଟଙ୍କାକର ଅର୍ଥ ସହଯୋଗ ଏଥିରେ ନାହିଁ। ଏ ଘର କେବଳ ତା’ର ଆଉ ତା ସ୍ଵାମୀର। ତେଣୁ ଏଠି ଆଉ କାହାର ହକ୍ ନାହିଁ, ଯିଏ ରହିବେ ତାଙ୍କ ଦୟାରେ ରହିବେ ଓ ତାଙ୍କ ସିଦ୍ଧାନ୍ତ ମାନିବେ। ଯଦି ଶାଶୁ ମା’ ଏତେ ପୁଅ ସୁଆଙ୍ଗ ଦେଖାଉଛନ୍ତି ତାହେଲେ ସେ ଦୀପୁ ସାଙ୍ଗରେ ରହୁ ନାହାନ୍ତି । “

ଏଇମିତି ଛୋଟ କଥାକୁ ନେଇ ବଡ଼ ହେଲା। ଦେବକୀ ଦେବୀ କହିଲେ – “କଣ ହେଲା ଏ ଘର ମୋ ପଇସାରେ ତିଆରି ହୋଇଛି, ମୋ ପୁଅ ଘର କରିଛି, ଏହା ମୋର ନୂହେଁ ତୋ ଘର?”
ଏଥିରେ ମାନି ଆହୁରି କ୍ଷୁବ୍ଧ ହେଲା, କହିଲା – “ଆହା ହା! ମୋ ବାପାଭାଇ ଜାଗା ଦେଇ ନଥିଲେ ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଇ ନଥାଆନ୍ତ, ସେଇଥିରେ ଏତେ ବଡ଼ ବଡ଼ କଥା କହୁଛ। ସେମିତି ହେଲେ ମୋ ଘରୁ ଏବେ ବାହାର। ମୁଁ ଦେଖିବି ତୁମେ କେଉଁଠି ରହୁଛ। “
ଏତେ ବହପ ଦେଖାଇ ଛୋଟବଡ଼ କରି ଗାଳିଗୁଲଜ କଲା ଯେ ଆଉ ନ ସହିବା କଥା। ସେ ବୋହୂ ପିଲାଟା ହୋଇ ଦୌଡ଼ି ଆସିଲା ଶାଶୁ ପାଖକୁ ଅଣ୍ଟିରେ ଲୁଗା ଗୁଡ଼ାଇ ଓ ହାତ ମୁଠା ମୁଠା କରି। ପଛ ପଟରୁ ସୁକାନ୍ତି ଦେବୀ ବଳ ଦେଉଥା’ନ୍ତି। ମଝିରେ ଦିଅର ଟୋକା ପଶି ଭାଉଜ ହାତଟାକୁ ଛିଞ୍ଚାଡ଼ି ଦେଲା। ବାସ୍ ତା’ପରେ ତ ନାଟ ଦେଖିବ। ସୁକାନ୍ତି ଦେବୀଙ୍କୁ ଆଉ କିଏ ଅଟକାଇବ। ସେ ତ ଖାଲି ନାହାଳିଲେ।କହିଲେ – “ଆମେ ଆମ ଝିଅ ରହିବ ବୋଲି ଜାଗା ଦେଇଚୁ। ତୁମେ ଏଇ ଲାଗେ ଏଠୁ ବାହାର, ନହେଲେ କଥା ଖରାପ ହେବ, ମୁଁ ତା ବାପାଭାଇକୁ ଡକାଉଛି ।” କଥା ଅତିଶୟ ହେଲାରୁ ନିଜ ମା’ ଓ ଭାଇକୁ ସୁରକ୍ଷା ଦେବାକୁ ଯାଇ ଶେଖର ବି ମୁଣ୍ଡ ପୂରାଇଲା। କିନ୍ତୁ ସେ ବି ରହମାନ ପଡ଼ିଲା ନାହିଁ। ଶେଖର ପାଖରୁ ତାଗିଦ ଶୁଣି ମାଆଝିଅ ଧାଇଁଲେ ଥାନାକୁ। ତାଙ୍କର ଏକାନ୍ତ ଜିଦ୍ ସାନ ଟୋକାକୁ ଆଜି ବନ୍ଧେଇବେ ଯେ, ସେ କାହିଁକି ଭାଉଜ ଉପରେ ହାତ ଉଠାଇଲେ।
ପୋଲିସ୍ ଡାକିଲା, ଥାନାରେ କଥା ପଡ଼ିଲା। କଥା ମୋଟା ହେଲା। ସେ ମା’ଝିଅ କୌଣସି ପ୍ରକାର ବୁଝିଲେ ନାହିଁ, ଏକାନ୍ତ ଜିଦ୍ – “ସେମାନେ ସମସ୍ତେ ଜେଲ୍ ଯାଆନ୍ତୁ ନହେଲେ ସାନ ଟୋକା ତା ମାଆକୁ ଧରି ଆଜିରେ ବାହାରି ଆଉ କେଉଁଠି ରହୁ। “
ଶେଖର ଉପରେ ବି ଇଲଜାମ, ମୁଣ୍ଡ ତଳକୁ ହେଲା। ଶେଖର ଦେଖିଲା ବର୍ତ୍ତମାନ ପାଇଁ ଅନ୍ତତଃ ପରିସ୍ଥିତି ଶାନ୍ତ ପଡୁ, ତେଣିକି ପରେ ଯାହା ହେବ, ନହେଲେ ଏ ଅମାନିଆ ଲୋକ ଆଦୌ ମାନିବେ ନାହିଁ।
ସେୟା ହେଲା, ଦୀପୁ ମାଆଙ୍କୁ ଧରି ତୁରନ୍ତ ଗୋଟେ ଭଡ଼ାଘର ଠିକ୍ କରି ଅଲଗା ରହିଲା। ମାଆଭାଇର କାନ୍ଦ କାନ୍ଦ ମୁହଁକୁ ଶେଖର ଆଉ ଦେଖିପାରୁ ନଥାଏ, ଏପଟେ ଏ ରଣଚଣ୍ଡୀ ପ୍ରତି ଘୃଣାରେ ହୃଦୟ ବିଦାରିତ ହୋଇଯାଉଥିଲେ ହେଁ, ଉପାୟ ନାହିଁ। କାହିଁକିନା ସ୍ତ୍ରୀ କଥା ଯାହା ହେଉ ନିଜ କୁନି ଝିଅକୁ ତ ଛାଡ଼ି ଆଉ ସେ ରହିପାରିବେ ନାହିଁ ନା। ମାଆ କାନ୍ଦି କାନ୍ଦି ଗଲା ବେଳେ ବୁଝାଇ କହିଲେ – “ଯାହା ହେଲେ ବି ହାତ ଧରି ବାହା ହୋଇଛି ଆଉ କୋଳରେ କୁନି ଛୁଆଟି, ସେଇ ଛୁଆଟି ମୁହଁକୁ ଚାହିଁ ତୁ ଏଠି ପଡ଼ିରହ ।ତେଣିକି ତୋ ଭାଗ୍ୟରେ ଯାହା ଅଛି ସେୟା ହେବ। ମୁଁ ତ ଆଉ ଜନମ ଦେଇଚି ବୋଲି କାହା କରମ ଦେଇ ନାହିଁ। ତେଣିକି ତୋ କରମରେ ଯାହା ଅଛି ତୁ ସେୟା ଭୋଗ କରିବୁ।”
ମାଆପୁଅ କୁଣ୍ଢାକୁଣ୍ଢି ହୋଇ ଘଡ଼ିଏ କାନ୍ଦିଲେ, କିନ୍ତୁ ‘ହୋନି’କୁ କିଏ ବା ଟାଳି ପାରିବ, ଯାହା ହେବାର ଥିବ ଅବଶ୍ଯ ହୋଇକି ରହିବ। ଯିବା ବେଳେ କୁନି ଝିଅ ଲିପ୍ସା କ’ଣ ବୁଝିଲା କେଜାଣି କାନ୍ଦିକାଟି ଜେଜେ ମାଆକୁ ପଛରୁ ଭିଡ଼ି ଓଟାରି ଟାଣି ଧରୁଥାଏ। ତା ମା’ କିନ୍ତୁ ତାକୁ ଭୁରୁଡ଼ି ମାରି ସେଠୁ ଭିଡ଼ି ନେଇ ଚାଲି ଯାଇଥାଏ। ପରିବେଶରେ କରୁଣ ରସ ଅଜାଡ଼ି ହୋଇ ପଡ଼ୁଥାଏ। ଶେଖର ନିସ୍ତବ୍ଧ ହୋଇ ଖୁଣ୍ଟଟା ପରି ସେଇମିତି ଗୋଟେ ଜାଗାରେ ଛିଡ଼ା ହୋଇଥାଏ, ସତେ କି ସେ ଜଡ଼ାହୁଣ୍ଡା ପାଲଟି ଯାଇଥାଏ।

୧୨.ଲୋଭିଲା କୁକୁରକୁ ଗୀଧ

ଥରେ ନୀର, ବନା, ଶାନ୍ତିଆ, ନଖିଆ, ସନା ଏମିତି ଚାରିପାଞ୍ଚଜଣ ବିଲରେ ବାଟିଆ ପକାଉଥା’ନ୍ତି। ଏସନ ଇନ୍ଦ୍ରଦେବତା ଟିକିଏ ପ୍ରସନ୍ନ ହୋଇଛନ୍ତି ।ସେଇଥିପାଇଁ ବିଲରେ ଜଲଦି ପାଣିଲାଗି ହୋଇଥାଏ। ତେଣୁ ଟିକିଏ ସଅଳ ସଅଳ ବାଟିଆ, ହିଡ଼କତି, ମହୀ ଓ ପାଣିହଳ ଆଦି କେତେ କାମ ଲାଗିଯାଇଥାଏ। ଏଇ ସମୟରେ ମୂଲିଆପାନିଆ ପକାଇ ଟିକିଏ ଝଅଟ ବିଲବାଡ଼ି କାମ ସାରିଦେବା କଥା ।ନହେଲେ ପରା ଅନ୍ୟ ଚାଷୀଙ୍କଠୁଁ ପଛରେ ପଡ଼ିଯିବ। ତେଣୁ ବିଲବାଡ଼ିରେ ଚାରିଆଡ଼େ କୁରୁବଳ ସୈନ୍ୟ ପରି ଲୋକ ପୂରିଥା’ନ୍ତି ।ଯାହାର ବଳ ପାଇଲା ବା ଅଣ୍ଟିରେ ଦି’ ପଇସା ଅଛି ସେ ଆଗୁଆ କାମ ଉଠାଇନେଲା। ନହେଲେ ନାହିଁ ପରା ସମସ୍ତଙ୍କ ପଛକୁ ରହିଯିବ ଆଉ ଅନ୍ୟ ଲୋକମାନେ ହୁଇମାଇଲା ଭଳିଆ ହୁମ୍ଫାମାରି ଆଗକୁ ଚାଲିଯିବେ। ତେଣୁ ଚାଷକାମରେ ମଅଠ କଲେ ଆଉ ଚଳିବନି। ତେଣୁ ଧାନ ବେଉଷଣ, ରୁଆପୋତା ସବୁ ଠିକଣା ସମୟରେ କରିଦେଲେ, ବାସ୍ ଛୁଟି। ତେଣିକି ତାସ୍ ପଶା ସବୁ ବସିଶୋଇକି ଖେଳୁନ କିଛି ଚିନ୍ତା ନାହିଁ। ଘରଲୋକ ବି ଆଉ ବିମୁଖସିମୁଖ ପାଇବେ ନାହିଁ କି କେହି କିଛି କହିବେ ନାହିଁ । ମହୀପଟା ଉପରକୁ ଉଠି ପଡ଼ୁଥିବା କ୍ଷେତିଆଳି କଙ୍କଡ଼ା ଦିଟା ତ ନିଶ୍ଚୟ ମିଳିବ ପୁଣି ଉଠାଣି କୋଉମାଗୁର ଦିଟା ଯେମିତି ହେଲେ ଗାଡ଼ିଆ ପୋଖରୀ ହୁଡ଼ାରୁ ରାତିକୁ ମିଳିବ ।ତେଣିକି ଖାଇ ପିଇକି ନାଈରେ ତେଲଦେଇ ନିଘୋଡ଼ ନିଦରେ ଶୋଇଗଲେ ଯାଏ।

ତା’ପରେ କଥାରେ ଅଛି ପରା’ ଚାଷୀ ତରତର ବଣିଜ ମଠ’-ଦନେଇ ଦାସଙ୍କ ଖନାବଚନ ।ଖାଉନ୍ଦ ଚାହାଁନ୍ତି, ସେଇ ମୂଲିଆ ଉପରେ ନିର୍ଭର କରି ତ ଚାଷ କରିବାକୁ ପଡ଼ିବ। ତେଣୁ ଆଉ ବିଳମ୍ବକରି, କ’ଣ ଟଙ୍କାକ ଖରଚ ଚାରଣ ହେବ କି? ତାହା ତ ନୁହଁନା ।ତା ଅପେକ୍ଷା ଫୋଡ଼ଣ ବା କାଟ ଦେଇଦେଲେ ବରଂ ଭଲ ।ମୂଲିଆଙ୍କର ଦି ପଇସା ଲାଭ ଆଉ ଜମି ମାଲିକର ବି ଶୀଘ୍ର ଶୀଘ୍ର କାମ ଉଠିଯିବ। ମୂଲିଆ ବି ଆଜିକାଲି ଭାରି ଚଲାଖ ହୋଇଗଲେଣି ।ସିଏ ଯାହା ପାଖରୁ ଦି ପଇସା ଅଧିକ ପାଇବେ ତାହାରି କାମକୁ ଆଗ ପଳେଇବେ ।ତେଣିକି ତୁମେ ଯାଇ ଘର ଘରକା ଅଣ୍ଡାଳୁନ, ତୁମକୁ ପରା କେହି ଦେଖାଦେବେ ନାହିଁ କି ମୁହଁ ମୂଲିଜାକୁ ଚାହିଁବେ ନାହିଁ ।ପଚାରିଲେ ଓଲଟା କହିବେ, ଆମେ ପରା ଅଲଗା ଲୋକ ପାଖରୁ ମୂଲିଜା (ଆଗୁଇ ବଇନା) ନେଇଛୁ। ତେଣୁ ତୁମ କାମକୁ କେମିତି ଯିବୁ ।ନହେଲେ କହିବେ, ଆମେ କୋତକୁ କଣ୍ଟ ନେଇଯାଇଛୁ, ସେ କାମ ନ ସରିଲେ ଆଉ କାହା କାମକୁ ଯିବୁ ନାହିଁ ।ତେଣୁ ଏତେ ବେପାରକୁ କାହିଁକି ଯିବ, ବରଂ ତାଙ୍କୁ ଠିକା ଦେଇଦେଲେ ଆହୁରି ଭଲ। ସିଏ ବି ସେଥିରେ ଖୁସିପାଇ ଆଗ ଯିବେ ଆଉ ଠିକଣା ସମୟରେ କାମଟା ବି ସରିଗଲେ ଯାଏ ।

ତେଣୁ ସେଦିନ ସେମିତି ଏ ପାଞ୍ଚ ପା’ ଗୋହିରୀ ଜମିକୁ ଇଏ ନୀର ହରିକା କୋତରେ ନେଇ କାମ କରୁଥିଲେ। ଖାଉନ୍ଦ, ମାନେ ଜମିମାଲିକ ବା। ସେ କହିଥିଲା ଏତିକି ଜମି ତୁମର ଯେତେବେଳେ ସରିବ ସେତେବେଳେ ପଳାଇବ, ତା’ର କିନ୍ତୁ ଯେମିତି ହେଲେ କାମ ସରିଗଲେ ଯାଏ। ଏଥିପାଇଁ ବି ଦୋହରା ମଜୁରୀ, ମାନେ ଜଣକା ଦି ଦିଟା ମଜୁରୀ ଦେବାକୁ ସେ ରାଜି । କାହିଁକିନା ଇଏ ପରା ଗୋହିରୀ ବିଲ। ଏଠି ବେଙ୍ଗ ମୂତିଲେ ପାଣି ।ସେଇଥିରେ ଆକାଶଟା ନିଇତି ଘଡ଼ଘଡ଼ ହୋଇ ଆଲୁଅ ଦେଖାଇ ଯେମିତି ଡେଙ୍ଗୁରା ପିଟୁଛି , ଏଇଲାଗେ ପୁଣି ଦୁମୁଦୁମୁ ହୋଇ ବରଷିଯିବ କି କ’ଣ ।ତେଣୁ ଏଇ ଦୈବୀଦୁର୍ବିପାକକୁ ଭାରି ଡର।

ତେବେ ଏମାନଙ୍କୁ କୋତ ଦେଇଦେଲା ପରେ ଏ ମୂଲିଆମାନେ ଯେମିତି ହୋସଲାରେ କାମ କରୁଛନ୍ତି ନା ନିଶ୍ଚୟ କାମସାରିକି ଯିବେ। ତେଣୁ ଖାଉନ୍ଦ ଯୋଉ ମୂଲିଆକୁ ଯଗିବ ବୋଲି ହିଡ଼ମୁଣ୍ଡରେ ଛତା ମୁଣ୍ଡେଇ ବସିଥିଲା, ସିଏ ବି କେତେବେଳଠାରୁ ଘରକୁ ପଳାଇଗଲାଣି ।ତା’ର ବି ଏଠି ଆଉ ବସିରହି ଲାଭ କ’ଣ। ଏମାନଙ୍କ ସହ ତ କଥା ହୋଇଗଲା, ଗିରିମିଟି ଅନୁସାରେ ପଇସା ନେବେ।

କଥାବାର୍ତ୍ତା ସାରି ମାଲିକ ଚାଲିଗଲା ପରେ ଏମାନେ ଭାରି ହାତ ଫୁର୍ତ୍ତିକରି କାମ କରୂଥା’ନ୍ତି ।ନିଜ ଭିତରେ ବି ପ୍ରତିଯୋଗିତା କରୁଥା’ନ୍ତି, “ଦେଖିବା! କିଏ କେଉଁ ମଳାକ ଆଗ ସାରିବ” ।ମଝିରେ ମଝିରେ ହାସ୍ୟରସ ଆଉ କୌତିକିଆ ଓ ବିନୋଦିଆ କଥାର ଲହର ବି ଲମ୍ବୁଥାଏ ।କିଏ କେତେ ରକମର କେତେ କଥାସବୁ ପକାଉଥା’ନ୍ତି ।ସେଇ ଏକା କଥାକୁ ବଡ଼ ବାଗରେ ଉପସ୍ଥାପନ କରିବାର କୌଶଳଟା କିନ୍ତୁ ବେଶୀ ଆନନ୍ଦ ଉଲ୍ଲାସ ଭରୁଥିଏ । ଏଇ ବିଦ୍ୟାରେ କିନ୍ତୁ ବେଶୀ ପାରଙ୍ଗମ ଥିଲା ନୀର ।ସେ ଏମିତି ଛୋଟ ଛୋଟ ସହଜସରଳ କଥାକୁ ମୋଡି ମୁଡାକି ଭାଙ୍ଗପକାଇ ପୁଣି ଥାକଦେଇ କଥାକୁ ମେଲେଇ ଦେବ ଯେ, ନ ହସୁଥିଲା ଲୋକ ପରା ହସିହସି ମୂତି ପକାଇବ ।

ଏହି ନୀରଟା ବାସ୍ତବରେ ଭାରି କିରିଆଟେ ।ସେ ପରା ସବୁକଥାର ଖୋଟ ବାହାର କରିବ ।ନହେଲେ ତା ଭାତ ହଜମ ହେବ ନାହିଁ। ତା’ପରେ ଏକଥା କ’ଣ ସତ ନୂହେଁ କି, ଯେଉଁମାନେ ମୂଲିଆ କାମ କରୁଛନ୍ତି, ସେମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ତେଣୁ ସେମାନେ ଶ୍ରମଝାଳ ବୁହାଉଥିବା ବେଳେ ଯଦି ଲଘୁ ଭାବରେ କିଛି ହାଲୁକା କଥା କହି ନହସିବେ, ତେବେ ସେମାନଙ୍କର ଶ୍ରମଲାଘବ ହେବ ନାହିଁ । ଅବଶ୍ୟ ଆଜି ଯେଉଁମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ ଆରାମ ଚୌକିରେ ବସିରହି ଲେକଚର (ଭାଷଣବାଜି) ଝାଡୁଛନ୍ତି, ସେମାନେ ଏହାର ତାତ୍ପର୍ଯ୍ୟ ଏତେଟା ସହଜରେ ବୁଝିପାରିବେ ନାହିଁ। ନବୁଝନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ, କିନ୍ତୁ ଏମାନଙ୍କ କଥାବାର୍ତ୍ତା ଓ କାର୍ଯ୍ୟକଳାପ କାହିଁକି ଭାରି ରୋଚକ ହେଉଥିଲା ।

ଏତିକି ବେଳେକୁ ସେଇ ବାଟଦେଇ ଜଣେ ଭାରୁଆ ଯାଉଥିଲା I ଏମାନଙ୍କୁ ଦେଖି ସେ ପଚାରିବାକୁ ଲାଗିଲା, “ଓଃ ଚାଷୀ ଭାଇ! ମୋତେ ଟିକିଏ କହିବକି ରଘୁବାବୁ ଘର କୋଉଠି।”

ନୀର ତ ଭଡ଼ ଭଡ଼ିଆଟା।କହିଲା, କୋଉ ରଘୁବାବୁ ବା, ରଘୁ ମଳିକ ନା ରଘୁ ସାଆନ୍ତ ନା ରଘୁମାଷ୍ଟ୍ର ନା ରଘୁ ମାହାନା। ପୁଣି ଏ ଗାଁ ନା ସେ ଗାଁ ନା ଆର ଗାଁ, କୋଉ ଗାଁ କଥା ପଚାରୁଛ ବା ।

ଭାରୁଆଟି କହିଲା, “ନାଇଁ ହୋ ଭାଇ! ଏଇ ଗାଁ ।ଏଇ ଗାଁଟା ବାହାବଳପୁର ନୂହେଁ କି? “
ତାଙ୍କ ଭିତରୁ କିଏ ଜଣେ ଉତ୍ତର ଦେଲା ‘ହଁ ‘।
ସେଇଠୁ ପୁଣି ଭାରୁଆଟି କହିଲା,” ହଁ ହଁ ଭାଇ ଏଇ ଗାଁ ।ଏଇ ଗାଁର ସେ ମାହାନା ପରିବାରକୁ ଆମ ଗାଁ ପାକି ଦେଈ ବୋହୂ ହୋଇ ଆସିଛି ତ, ମୁଁ ତାଙ୍କରି ଘରକୁ ପ୍ରଥମ ଦ୍ଵିତୀବାହନ ବୋଝଧରି ଆସିଛି। ଆମ ଦେଈ ଭାରି ଭଲ ।ବିବେକୀ ଆଉ ଶିକ୍ଷିତା ବି ।ସେ ପରା ମାଇନର ଯାଏ ପଢ଼ିଛି। କାନ୍ଦଣା ଗୀତ, ବୋଉଳବେଣୀ ଗୀତଠାରୁ ଆରମ୍ଭ କରି ଖୁଦୁରୁକୁଣି ଗୀତ ଯାଏ ସବୁ ପରା ରାହାଧରି ଭଲଗାଏ। ପୁଣି ବିଞ୍ଚଣା ବୁଣା, ଚଟେଇ ସିଆଁଠାରୁ ରୁମାଲରେ ଫୁଲପକା ଯାଏ ସବୁ ତାକୁ ଜଣା। ପୁଣି ସାଠଣା ମାଠଣା ଓ ରନ୍ଧାବଢ଼ାରେ ତ କେହି ବୋଲି କେହି ଏତେ ଟିକିଏ କ୍ଷୂଣି ପାରିବେ ନାହିଁ। ସେଇଥିପାଇଁ ପରା ମାହାନା ଘର ତାକୁ ବୋହୂକରି ଆଣିଛନ୍ତି। ନହେଲେ ତା ବାପାମାଆ ଯୋଉ ଗରୀବ ସେ କ’ଣ ଏଇ ଖାଉନ୍ଦ ଘରେ ବନ୍ଧୁ କରିପାରିଥା’ନ୍ତେ କି ।”

ନଖିଆ କହିଲା,” ହୋଉ ଭାଇ! କେତେବାଟରୁ ଆସିଲଣି, ଥକିପଡ଼ିବନି।ଝଅଟ ଭାର ପହଞ୍ଚେଇ ଦେଇ, ଯାଅ ଟିକିଏ ଆସକତିଆ ମେଣ୍ଟେଇବ ।”
ଲୋକଟି ‘ହୋଉ’ କହି ଭାର ପୁଣି ସଜାଡିଲା, ଉଠ ଉଠ ହେଲା ଯିବା ପାଇଁ। ଯାହାହେଲେ ବି ଦଶକୋଡ଼ିଏ ମାଇଲ ବାଟ ଚାଲି ଚାଲି ଆଇଲାଣି, ତେଣୁ ଭାର ଉଠାଇଲା ବେଳକୁ ଟିକିଏ କୁନ୍ଥେଇହେଲା । ନୀର ତ ଭାରି ଫିସାଦିଆ।ଟାଉଳ ହୋଇ କହିଲା,” ହଁ ହଁ ପାଡ଼ ବାହାରିଯିବଣି, ଆଉ କୁନ୍ଥେଇବ ନାହିଁ, ଇଏ କ’ଣ କମ୍ ଶକ୍ତ ଭାର ନା କ’ଣ ।”
ଲୋକଟି ଆଉକିଛି କହିଲା ନାହିଁ, ସେ ତା ଭାର କାନ୍ଧେଇଲା, ଆଗକୁ ସଳଖିଲା। ନୀର ପୁଣି ପଛରୁ ହାଣ୍ଡିଆ ପାଟିକରି ଚିଲ୍ଲେଇଲା, “ହଁ ହଁ ଯାଅ ଯାଅ! ମାହାନା ମାଇବ ତ ଭାତ ତରକାରୀ କି ବେଲେ ବାଢ଼ିଦେବ ଖାଲି ହାଉଁ ହାଉଁ କରି ଗାଣ୍ଡି କଚାଡ଼ି କି ଗେଫେଇ ଯିବ ।”

ସେ କହିଲା,” ଏ ଭାଇ ତୁମେ ଏତେ କିରିଆ ନା କ’ଣ କୁହନି, ମୋତେ ଏତେ କିରେଇକି କିଲିବିଲିଆ କଥା କାହିଁକି କହୁଛ।”

ନଖିଆ କହିଲା, “ତା କଥାରୁ କ’ଣ ପାଇବ ଭାଇ କହିଲ! ସିଏ ଟିକିଏ ଆମର କୁହାଳିଆ ।ତେଣୁ ତା କଥା ଆଦୌ ଶୁଣ ନାହିଁ, ତୁମେ ତୁମର ତୁମ ବାଟରେ ଗଲ ।”

ଲୋକଟି ପୁଣି ଭାର ସଜାଡି ଆଗକୁ ଗଲା, ପଛପଟରୁ ନୀର ରହି ରହିକା ପୁନଃ ପୁନଃ ତାକୁ ଶୁଣେଇ ଶୁଣେଇ କହୁଥାଏ,” ଯାଆ! ଯାଆ!! ମାହାନା ମାଇବ ତ ଭାତତରକାରୀ କି ବେଲେ ବାଢ଼ିଦେବ, ଖାଲି ଗାଣ୍ଡି କଚାଡ଼ିକି ଗାଉଁ ଗାଉଁକରି ଖାଇଯିବ ।”

ଶେଷରେ ଭାରୁଆ ତା ଗନ୍ତବ୍ୟସ୍ଥଳରେ ଯାଇ ପହଁଞ୍ଚିଲା।ଦାଣ୍ଡଦୁଆର ମୁହଁରୁ କୁହାଟ ଛାଡ଼ିଲା, “ମଦନପୁରରୁ ବୋହୂଘରୁ ଭାର ଆସିଛି ଗୋ ଭାର ।”

ଘରୁ ତତ୍କ୍ଷଣାତ୍ ପାକି ଦେଈ ସରୁ ଓଢ଼ଣା ଟାଣି ବାହାରି ଆସିଲେ। ପାଣି ନୋଟିଆ ଆଣି ପିଣ୍ଡାରେ ଥୋଇଲେ ।ପଦେ ଦୁଇପଦ ଘରକଥା ପଚାରିଛନ୍ତି କି ନାହିଁ ଶାଶୁମା’ ତୁଠନଦୀକୁ ପାଣି କରିବାକୁ ଯାଇଥିଲେ, ଘରେ ଆସି ପହଁଞ୍ଚିଲେ। ବାପରେ! ତା’ପରେ ତାଙ୍କ ଗର୍ଜନ ଆଉ କିଏ ଦେଖେ ।କହିଲେ-” ଶୁକୁଟା ବୋଇତାଳୁକୁ ଗୋଟେ କଖାରୁ, ଗୋଟେ ପଚା ଓଉକୁ ଗୋଟେ ଦରବୁଢା କାକୁଡ଼ି, ଗୋଟା ନଡ଼ିଆକୁ ପରିବା ଶୂନ୍, ଗଜା ମୁଗ, କାବୁଲି ସୋଲା ବୋଲି ଛତୁଫୁଟା ବାସିଦରବ- ସେଗୁଡ଼ାକ ସବୁ ଆମର କିଏ ଖାଏ। ପୁଣି ଗଣ୍ଡେ ଲାଗୁ ଖଇ ସାଙ୍ଗକୁ କିଲେ ଦି କିଲୋ ମିଠା ହେବ ନାହିଁ, ସେୟାକୁ ଧରି ଆସିଛ କଅଣନା ଭାର ଆଣିଛ ।ଗଲ ନା ମୋ ଦୁଆରୁ ଝଅଟ, ଆଉ ଦିନେ ଯଦି ଆସିଛ।”

ଏକଥା ଶୁଣି ପାକି ଦେଈଟା ଶକଶକ ହୋଇ ଖାଲି କାନ୍ଦିଲା । ଚୁପକିନା କହିଲା, ଚକରା ଭାଇ ତୁମେ ଏମାନଙ୍କ କଥା ସହିପାରିବ ନାହିଁ, ଚାଲିଯାଅ। ବାପାବୋଉଙ୍କୁ କିଛି କହିବ ନାହିଁ। ମୁଁ ଯେମିତି ହେଲେ ଶ୍ୱଶୁରଘରେ ଦେହକଟା କାଟିଦେବି ।

ସେଇଠୁ ଚକରା ଛିନଛାଟ ହୋଇ ଆସିଛି ଯେ ଆସିଛି, ଆଉ ପଛକୁ ଫେରି ଚାହିଁ ନାହିଁ । ପୁଣି ବିଲ ପାଖରେ ପହଞ୍ଚିଲା ବେଳକୁ ନୀର ତ ସେଠି ଥିଲା।ତା ହାବଭାବରୁ କ’ଣ ଠଉରେଇ ନେଲା କେଜାଣି, କହିଲା, “ହଁ ମାହାନା ମାଇବ ତ ତିନି ତିଅଣ ଛଅ ତରକାରୀ ନଅ ଭଜା କରି ଖାଇବାକୁ ଦେଇଥିବ, ତୁମେ ତ ଖାଲି ସଟାସଟ ନାଦି ଦେଇଥିବ ।” ଏକଥା ଶୁଣି ଚକରା ଝାମମରା ହୋଇ ସେଇଠି ବସିପଡ଼ିଲା। ତା ଦୁଃଖ ଶୁଣି ସେଇ ନୀର ପୁଣି ଏକ ଓଉତିଆ କାମ ପାଇଁ ବିଲକୁ ନେଇଥିବା ଭାତପାଣି ଗଣ୍ଡେ ନିଜ ଭାଗରୁ ତାକୁ ଖାଇବାକୁ ଦେଲା। ବିଚରା ମନଦୁଖରେ ଘରକୁ ଯାଇଛି।

ସେତେବେଳେ ଗାଁଗଣ୍ଡାରେ କୋଉ ଦୋକାନପାତ୍ର ଗୋଟେଅଧେ ଥିଲା ଯେ, ସେ କୋଉଠୁ ଗଣ୍ଡେ ଖାଇକି ଯାଇଥା’ନ୍ତା ।ଗଲାବେଳେ ସେ ବରବର ହୋଇ ନିଜକୁ ନିଜେ କହୁଥାଏ, “ଶାଶୁଟା ଲୋଭୀଲା କୁକୁରକୁ ଶ୍ୱଶୁରଟା ଆହୁରି ଗୀଧ ।ନହେଲେ ମିଣିପଟା ତୁ! ସେଇଠି ଦାଣ୍ଡପିଣ୍ଡାରେ ଖୁଣ୍ଟଟା ପରିକା ବସି ଝୋଟରୁ ଟାକୁଆରେ ଦଉଡି ବଳୁଛି, ମାଇବଟାକୁ ପଦ ଅଧେ ଆକଟ କରି ନଥାଆନ୍ତୁ ନା!”

ଏ ମାହାନା ମାଇବଟା ସତରେ ସେରନ୍ତା ହୋଇକି ବି ଭାରି ଲୋଭୀ।

୧୩.କର୍ଣ୍ଣ ହାର ମାନି ନାହାନ୍ତି

ପୁରାଣ ଯୁଗର କଥା। ମହାଭାରତ ଯୁଗରେ ଅନେକ କାହାଣୀ ଆମେ ତ ଶୁଣିଛନ୍ତି। ସେଇ ସମୟରେ କର୍ଣ୍ଣ ବୋଲି ଜଣେ ଯୋଦ୍ଧା ଥିଲେ। ସେ ଜୀବନରେ କେବେ ହାର୍ ମାନି ନାହାନ୍ତି । କାରଣ ସଂଘର୍ଷ କ’ଣ ସେ ପିଲାଟି ଦିନରୁ ଶିଖିଛନ୍ତି ଆଉ ଜୀବନ ଯୁଦ୍ଧ କ’ଣ ସେ ଜାଣିଛନ୍ତି।

ଆଜିକାଲି ଆମେ ତ ଟିକିଏ କଥାରେ ହାର୍ ମାନି ନେଉଛନ୍ତି ଆଉ ବିନା ସଂଗ୍ରାମରେ ନିଜ ହାର୍ କୁ ନିଜେ ସ୍ଵୀକାର ବି କରି ନେଉଛନ୍ତି। କର୍ଣ୍ଣ କିନ୍ତୁ ସେପରି ନଥିଲେ। ସେ ନିଜ ଜୀବନ ସହିତ ନିଜେ ଲଢୁଥିଲେ ।ସତରେ କର୍ଣ୍ଣଙ୍କ ଜୀବନ ଅତୀବ ସଙ୍ଘର୍ଷପୂର୍ଣ୍ଣ ।ତଥାପି ତାଙ୍କ ଜୀବନର ସଂକଳ୍ପ ଅତି ଦୃଢ଼ ।ତେଣୁ ସେ ହାର୍ ମାନୁ ନଥିଲେ।

କର୍ଣ୍ଣଙ୍କ ଜନ୍ମ ବୃତ୍ତାନ୍ତ ବେଶ୍ ରହସ୍ୟମୟ।ଜନ୍ମରୁ ସେ କେତେ ପ୍ରତିକୂଳ ପରିସ୍ଥିତି ଦେଇ ଯେ ଗତି କରିଛନ୍ତି ତା’ର କିଛି ଇୟତା ନାହିଁ। ଏପରିକି ସେ ଜନ୍ମ ହେବା କ୍ଷଣି ମାଆ କୁନ୍ତୀ ତାଙ୍କୁ ଗୋଟେ ଟୋକେଇରେ ପୂରାଇ ନଦୀରେ ଭଷାଇ ଦେଇଥିଲେ ।ତଥାପି ସେ ହାର୍ ମାନି ନାହାନ୍ତି । ଥରେ ଭାବି ଦେଖ ତ ଏ ବିପଦ ସଙ୍କୁଳ ପରିସ୍ଥିତିରୁ ସେ କେମିତି ବାହାରିକି ଆସିଥିବେ ।

ଶେଷରେ ନଦୀରୁ ତାଙ୍କୁ ପାଇ ଆଣି ସଂଜୟ ପୁତ୍ରୀ ରାଧା ତାଙ୍କୁ ଘରେ ରଖିଥିଲେ। ପୁଣି ରାଧା ଅଧୀରଥକୁ ବିବାହ କଲା ପରେ ସେ ତାଙ୍କ ସାଙ୍ଗରେ ରହି ଆସିଲେ। ଜଣେ କ୍ଷତ୍ରିୟ ପିଲା ହୋଇ ବି ସେ ସାରଥି ଘରେ ଦାରିଦ୍ର୍ୟ ଓ ଅଭାବବୋଧ ଭିତରେ କେଡ଼େ କଷ୍ଟରେ ଜୀବନ ଅତିବାହିତ ନ କରିଥିବେ ସତେ। ତଥାପି ସେ ହାର୍ ମାନି ନାହାନ୍ତି ।

ଧୀରେ ଧୀରେ ବଡ଼ ହୋଇ ଯେତେବେଳେ ପାଠ ପଢ଼ିବାକୁ ଚାହିଁଲେ। ସେତେବେଳେ ସେ ଗୁରୁ ଦ୍ରୋଣାଚାର୍ଯ୍ୟ ଆଶ୍ରମରେ ଦିନେ ପହଞ୍ଚିଲେ। ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ଦେଖି କହିଲେ – “ତୁ କିଏ, ତୋ ଜାତି କ’ଣ, ତୁ ତ ଏଠି ପଢ଼ି ପାରିବୁ ନାହିଁ। କାହିଁକିନା ଏଠି କେବଳ ରାଜକୁମାରମାନେ ହିଁ ପଢ଼ି ପାରିବେ।” ସେଦିନ କର୍ଣ୍ଣ ଯେ କେତେ ଆଘାତ ପାଇ ନଥିବେ ସେ କଥା ସହଜେ ବିଶ୍ବାସ କରିହେବ ନାହିଁ। ତଥାପି କର୍ଣ୍ଣ ହାର୍ ମାନି ନାହାନ୍ତି ।

ତାଙ୍କର ତ ପାଠ ପଢ଼ିବା ନିଶା ପ୍ରବଳ। ସେଥିରୁ ସେ ବା କେମିତି ନିଜକୁ କ୍ଷାନ୍ତ କରି ପାରିଥା’ନ୍ତେ? ତେଣୁ ଶେଷରେ ସେ ଗୁରୁ ପର୍ଶୁରାମଙ୍କ ନିକଟରେ ପହଞ୍ଚିଲେ। ପର୍ଶୁରାମଙ୍କଠୁଁ ସେ ସମସ୍ତ ଧନୁର୍ବିଦ୍ୟା ଓ ଯୁଦ୍ଧ କୌଶଳମାନ ଶିକ୍ଷା ଆହରଣ କରି ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ହେଲେ ।

ହେଲେ ସେଠି ବି ସେ ଅପମାନ ଓ କ୍ରୋଧର ଶିକାର ହେଲେ ।ନିଜ ଗୁରୁଙ୍କ ପାଖରେ ନିଜ ପରିଚୟ ଲୁଚାଇ ସେ ଶିକ୍ଷା ଲାଭ କରିଥିବାରୁ ପର୍ଶୁରାମ ରାଗିକି ତାଙ୍କୁ ଅଭିଶାପ ଦେଲେ – “ଜୀବନରେ ସବୁଠାରୁ ବଡ଼ ଯୁଦ୍ଧ ଯେତେବେଳେ ତୁ ଲଢ଼ିବୁ ସେତେବେଳେ ଏ ଶିକ୍ଷା ତୋ କାମରେ ଆସିବ ନାହିଁ। ତୁ ସବୁ ଭୁଲିଯିବୁ ଆଉ ଯୁଦ୍ଧ ହାରିବୁ ।ତଥାପି କର୍ଣ୍ଣ ଜୀବନରେ ହାର୍ ମାନି ନାହାନ୍ତି । ସେ ସମସ୍ତ ଦୁଃଖ ଓ ଅଶ୍ରୁକୁ ନିଜ ଛାତି ଭିତରେ ଚାପି ରଖିଲେ।

ଆଉଥରେ ଗୁରୁ ପର୍ଶୁରାମ ଆଶ୍ରମ ସାମ୍ନାରେ ଢୋଳାଉ ଥିବାର ଦେଖି କର୍ଣ୍ଣ କହିଲେ – “ଗୁରୁଦେବ ମୁଁ ଗୋଡ଼ ଲମ୍ବାଇ ଦେଉଛି ମୋ କୋଳରେ ଶାନ୍ତିରେ ବିଶ୍ରାମ ଯାଆନ୍ତୁ। ଗୁରୁ ଶୋଇଛନ୍ତି। କର୍କଟ ବିଛାଟିଏ ଆସି ତାଙ୍କ ଗୋଡ଼କୁ କାମୁଡ଼ି ରକ୍ତାକ୍ତ କରି ପକାଇଲା। ସେ ତାଙ୍କ ଧୈର୍ଯ୍ୟର ପରୀକ୍ଷା କରୁଥିଲା ।ତଥାପି କର୍ଣ୍ଣ ନୀରବ ନିଶ୍ଚଳ। କାହିଁକିନା ତାଙ୍କର ଡର ଥିଲା। ସେ ଯେବେ ଟିକିଏ ହଲିଯିବେ, କାଳେ ତାଙ୍କ ଗୁରୁଙ୍କର ନିଦରେ ବ୍ୟାଘାତ ସ୍ରୁଷ୍ଟି ହେବ ।ତେଣୁ ସେ ଧୈର୍ଯ୍ୟ ଓ ସଞ୍ଜମ ଆଗରେ ହାର୍ ମାନି ନାହାନ୍ତି । କଙ୍କଡ଼ା ବିଛାର କାମୁଡ଼ାରେ ତାଙ୍କ ଦେହରୁ ଯେତେବେଳେ ରକ୍ତ ନିର୍ଗତ ହୋଇ ଗୁରୁଙ୍କଠିଁ ଲାଗିଲା, ଗୁରୁଙ୍କ ନିଦ ଭାଙ୍ଗିଗଲା। ସେ କର୍ଣ୍ଣଙ୍କର ଏତାଦୃଶ୍ୟ ଧୈର୍ଯ୍ୟ ଦେଖି ସନ୍ଦେହ କଲେ ଓ କହିଲେ – “ସତ କହ ତୁ କିଏ ।କାରଣ ତୁ କ୍ଷତ୍ରୀୟ ନହୋଇଥିଲେ ତୋ ଭିତରେ ଏତେ ଧୈର୍ଯ୍ୟ ଓ ସହିବାର କ୍ଷମତା ଆସି ନଥା’ନ୍ତା। ତେଣୁ ତୁ ନିଶ୍ଚୟ କ୍ଷତ୍ରୀୟ। ତେଣୁ ଜଣେ କ୍ଷତ୍ରୀୟ ହୋଇ ମୋ ନିକଟରେ ତୋ ପରିଚୟ ଗୋପନ ରଖି ଶିକ୍ଷା ଲାଭ କରିଥିବାରୁ ତୁ ଅଭିଶାପର ପାତ୍ର। ତେଣୁ ଉଚିତ୍ ବେଳେ ଓ ଜୀବନର ସବୁଠାରୁ ବଡ଼ ଯୁଦ୍ଧ ତୁ ଯେତେବେଳେ ଲଢ଼ିବୁ ଏ ଶିକ୍ଷା ତୋ କାମରେ ଲାଗିବ ନାହିଁ। ତଥାପି କର୍ଣ୍ଣ ହାର ମାନି ନାହାନ୍ତି, ସେ ନିଜ ଜୀବନରେ ଖୁବ୍ ଆଗକୁ ବଢ଼ିଛନ୍ତି ଓ ରାଜା ବି ହୋଇଛନ୍ତି। ସଙ୍ଘର୍ଷ କରି ଜୀବନ ଜିଇଁଛନ୍ତି, କିନ୍ତୁ ହାର ମାନି ନାହାନ୍ତି।

ଯୁଦ୍ଧବିଦ୍ୟା ସମାପ୍ତ ହେଲା।ସେ ଘରକୁ ଫେରିଆସିଲେ। ସେପଟେ କୌରବ ଶହେ ଭାଇ ଓ ପଞ୍ଚୁ ପାଣ୍ଡବମାନଙ୍କର ଶିକ୍ଷା ବି ସମାପ୍ତ ହେଲା। ସେମାନେ ଫେରି ଆସିଲେ ରାଜ ନଅରକୁ ।ସେଠାରେ ସେମାନେ କ’ଣ ସବୁ ଶିକ୍ଷାପ୍ରାପ୍ତ କରିଛନ୍ତି ବୋଲି ଗୋଟେ ଶକ୍ତି ପ୍ରଦର୍ଶନ ଉତ୍ସବ ଅନୁଷ୍ଠିତ ହେଲା ।ସେଠାରେ ସମସ୍ତ ରାଜ ପାରିଷଦ ଓ ପ୍ରଜାମାନେ ମଧ୍ଯ ଉପସ୍ଥିତ ରହିଲେ ।ଭୀଷ୍ମ, ଦ୍ରୋଣାଚାର୍ଯ୍ୟଙ୍କଠାରୁ ସମସ୍ତ ରଥୀ ମହାରଥୀ ମଧ୍ଯ ଉପସ୍ଥିତ ରହିଲେ। ସେଠି ଅର୍ଜୁନ ଏମିତି ତାଙ୍କର ଧନୁର୍ବିଦ୍ୟା କୌଶଳ ଦେଖାଇଲେ ଯେ ସମସ୍ତେ ଅଭିଭୂତ ହୋଇଗଲେ ଆଉ ସେଇଠି ଅର୍ଜୁନଙ୍କୁ ଦୁନିଆର ସର୍ବଶ୍ରେଷ୍ଠ ଯୋଦ୍ଧା ବୋଲି ଘୋଷଣା କରିଦେଲେ ।
ସମସ୍ତେ ଜୟ ଜୟକାର କଲେ ।କେହି କିଛି ସ୍ଵର ଉଠାଇଲେ ନାହିଁ ।

କର୍ଣ୍ଣ କିନ୍ତୁ ପ୍ରତିବାଦ କଲେ ।କହିଲେ – “ମୋତେ କଳା ପାଟବତା ପ୍ରଦର୍ଶନ କରିବାର ସୁଯୋଗ ନଦେଇ କେମିତି ଆପଣ ଅର୍ଜୁନକୁ ସର୍ବଶ୍ରେଷ୍ଠ ବୋଲି ଘୋଷଣା କରିଦେଇ ପାରିବେ? ସେ କଥା ହୋଇ ପାରିବ ନାହିଁ। ମୁଁ ମଧ୍ଯ ମୋ ଶକ୍ତି ପ୍ରଦର୍ଶନ କରିବି। ମୋତେ ସୁଯୋଗ ଦିଆଯାଉ। “

ଦ୍ରୋଣାଚାର୍ଯ୍ୟ ସେତେବେଳେ ପ୍ରଶ୍ନ କଲେ – “ତୁ କିଏ? କେଉଁଠୁ ଆସିଛୁ? ତୋ ପରିଚୟ କ’ଣ? ତୋ ଜାତି କ’ଣ? “
ସେତେବେଳେ କର୍ଣ୍ଣ ପାଖରେ କିଛି ବି ଉତ୍ତର ନଥିଲା। ସେ ନିରୁତ୍ତର ହୋଇଯାଇଥିଲା ।ସବୁଠାରୁ ବଡ଼ ଦୁଃଖର କଥା ହେଲା ସେତେବେଳେ ତାଙ୍କ ମାଆ କୁନ୍ତୀ ମଧ୍ଯ ପାଖରେ ଉପସ୍ଥିତ ଥିଲେ ଆଉ ସେ ମଧ୍ଯ କର୍ଣ୍ଣ କୁଣ୍ଡଳ ଓ କବଚ ଦେଖି ଚିହ୍ନି ଯାଇଥିଲେ ଯେ କର୍ଣ୍ଣ ତାଙ୍କ ପୁଅ ବୋଲି। ତଥାପି ସେ ନୀରବ ରହିଲେ। କି ଦୁଃଖର କଥା କହିଲେ? କର୍ଣ୍ଣ ପୁଣି ଥରେ ଅପମାନିତ ଓ ଲଜ୍ଜିତ ହେଲେ। ତଥାପି ସେ ହାର୍ ମାନି ନାହାନ୍ତି ।

ତା’ପରେ କ’ଣ ହେଲା, ନା କର୍ଣ୍ଣ ଥରେ ଗୋଟେ ଜଙ୍ଗଲକୁ ଯାଇଥିଲେ ଶୀକାର କରିବାକୁ ।ସେଠି କ’ଣ ହେଲା ନା, ଭୁଲବଶତଃ ସେ ଗୋଟେ ଗାଈକୁ ମାରିଦେଲେ ।ଗାଈର ଯିଏ ମାଲିକ ଥିଲେ ସେଇଠି ସେ ତାଙ୍କୁ ଅଭିଷାପ ଦେଲେ, କହିଲେ -“ତୁ ମୋ ଗାଈକୁ ଜୀବନଦାନ ଦେଇପାରିବୁ?
କର୍ଣ୍ଣ କହିଲେ -” ନା ମୁଁ ପାରିବି ନାହିଁ। “

-” ତାହେଲେ ତୁ ଯେତେବେଳେ ତୋ ଜୀବନର ସବୁଠାରୁ ବଡ଼ ଯୁଦ୍ଧ ଲଢ଼ିବୁ, ସେତେବେଳେ ତୋ ରଥଚକ କାଦୁଅରେ ପଶିଯିବ।”

ଆଉ ସେ କଥା ବି ଦିନେ ହେଲା ଯେତେବେଳେ ମହାଭାରତ ଯୁଦ୍ଧରେ କର୍ଣ୍ଣ ଆଉ ଅର୍ଜୁନ ମହାସମରରେ ପରସ୍ପରର ମୁହାଁମୁହିଁ ହେଲେ। ତଥାପି କର୍ଣ୍ଣ ହାର୍ ମାନି ନଥିଲେ।
ଶୋଷକ ସର୍ପ କୃଷ୍ଣ ଓ ଅର୍ଜୁନଙ୍କୁ ଗୋଟାପୁଣି ଗିଳି ତା ପୂର୍ବ ପ୍ରତିଶୋଧ ନେବା ପାଇଁ ବହୁବାର କର୍ଣ୍ଣଙ୍କୁ ଅନୁନୟ କରିଥିଲେ ହେଁ କର୍ଣ୍ଣ ଥରେ ସୁଯୋଗ ଦେଇଥିଲେ। କିନ୍ତୁ ସେଥିରେ ସେ ଆକୃତକାର୍ଯ୍ୟ ହେବାରୁ ଆଉ ଅନୁମତି ଦେଲେ ନାହିଁ। ସେ କର୍ଣ୍ଣଙ୍କ ରଥ ଧ୍ଵଜରେ ରହି ତାଙ୍କୁ ରକ୍ଷା କରୁଥିଲା ।ସେ କିନ୍ତୁ କ୍ଷୁବ୍ଧ ହୋଇ ରଥ ପରିତ୍ୟାଗ କରି ଚାଲି ଯାଇଥିଲେ ଆଉ ଗଲାବେଳେ ଅଭିଶାପ ଦେଇଥିଲା କି କର୍ଣ୍ଣଙ୍କ ରଥ ଦୁଇ ଦଣ୍ଡ ପର୍ଯ୍ୟନ୍ତ ଭୂମିରେ ଗଳିଯିବ।ତାହା ସତରେ ପରିଣତ ହୋଇଥିଲେ ମଧ୍ଯ ତଥାପି କର୍ଣ୍ଣ ଦବି ଯାଇ ନଥିଲେ, ସେ ଶେଷ ପର୍ଯ୍ୟନ୍ତ ବୀରତ୍ୱର ସହ ଲଢ଼ିଥିଲେ ।

ସେ କହିଲେ – ଦେଖ ଅର୍ଜୁନ! ମୁଁ ଏବେ ମୋ ରଥଚକକୁ ସଳଖୁଛି ଓ ନିରସ୍ତ୍ର ଅଛି ।ମୋତେ ତମେ ମାରି ପାରିବ ନାହିଁ। କାହିଁକିନା ଏହା ଯୁଦ୍ଧର ନିୟମ ବିରୁଦ୍ଧ। “

ସେତେବେଳେ ଅର୍ଜୁନ କହିଲେ -” ଯେତେବେଳେ ମୋ ପୁଅ ଅଭିମନ୍ୟୁକୁ ଚକ୍ରବ୍ୟୁହ ରଚନା କରି ନିର୍ମମ ଭାବେ ହତ୍ୟା କରାଗଲା ଆଉ ସେତେବେଳେ ତୁମେ ସେଠି ଉପସ୍ଥିତ ଥିଲ, କେଉଁଠି ଥିଲା ଯୁଦ୍ଧର ନିୟମ?”

ଏଥି ପୂର୍ବରୁ ଯେତେବେଳେ ଅନିନ୍ଦ୍ୟା ସୁନ୍ଦରୀ ଦ୍ରୌପଦୀଙ୍କର ସ୍ଵୟମ୍ବର ସଭା ହୋଇଥିଲା ।ସେଇ ସଭାକୁ ଭାରତର ବିଭିନ୍ନ ରାଜ୍ୟରୁ ରାଜା, ମହାରାଜା ଓ ରାଜକୁମାର ମାନେ ଆସିଥିଲେ। ସେମାନଙ୍କୁ କୁହାଗଲା ଯେ -” ଉପରେ ମାଛ ଗୋଟେ ବୁଲୁଛି, ଆଉ ଏପଟରେ ତା’ର ପ୍ରତିଛବି ଦେଖି ଯିଏ ତାକୁ ମାରିଦେବ ସେ ଦ୍ରୌପଦୀକୁ ବିବାହ କରିବ।”

କର୍ଣ୍ଣ କହିଲେ – “ଠିକ୍ ଅଛି ମୁଁ କରିଦେଖାଇବି।” ଆଉ ସେ କରି ଦେଇଥାନ୍ତେ ମଧ୍ଯ । କିନ୍ତୁ ସୂତପୁତ୍ରକୁ ମୁଁ ବାହାହେବି ନାହିଁ କହି ଦ୍ରୌପଦୀ ତାଙ୍କୁ ସେ ସୁଯୋଗ ଦେଇ ନଥିଲେ। ତଥାପି ସେ ହାର୍ ମାନି ନାହାନ୍ତି, କେବଳ ସୁଯୋଗ ଅପେକ୍ଷାରେ ଥିଲେ ନିଜ ପରାକାଷ୍ଠା ପ୍ରତିପାଦନ କରିବା ପାଇଁ।

ଦେଖନ୍ତୁ କେଡ଼େ ବଡ଼ ଦୁଃଖର କଥା ।କ’ଣନା ତାଙ୍କର ବାହାହେବାର ଥିଲା କିନ୍ତୁ ସେ ବାହା ହୋଇପାରିଲେ ନାହିଁ, କାହିଁକିନା ସେ କ୍ଷତ୍ରିୟ ନୁହଁନ୍ତି ।ତାଙ୍କ ଭିତରେ ପ୍ରତିଶୋଧର ସ୍ପର୍ଦ୍ଧା ଆସୁଥିଲା । ପ୍ରତିରୋଧ ଓ ପ୍ରତିବାଦର ଇଚ୍ଛା ବି ବଳବତ୍ତର ହେଉଥିଲା ।ତଥାପି ଏ ସମସ୍ତ ଦୁଃଖକୁ ବୁଝି ଛାତି ଭିତରେ ଚାପି ରଖିଥିଲେ। ତେବେବି ସେ ଜୀବନ ଯୁଦ୍ଧରେ ହାର୍ ମାନି ନାହାନ୍ତି ।

ଏହାପରେ ମହାଭାରତର ମହାସମର ଆରମ୍ଭ ହେଲା ।କିନ୍ତୁ କର୍ଣ୍ଣଙ୍କୁ ଯୁଦ୍ଧ ଭୂଇଁକୁ ଯିବାକୁ ଅନୁମତି ମିଳିଲା ନାହିଁ ।ଦୁର୍ଯ୍ଯୋଧନ କହିଲେ, “ମୋ ବନ୍ଧୁଙ୍କୁ ଏବେ ଯୁଦ୍ଧ ଭୂମିକୁ ଯିବାକୁ ଅନୁମତି ଦିଅନ୍ତୁ। କାହିଁକିନା ତାଙ୍କ ଭଳି ଯୋଦ୍ଧା ବିରଳ।”

ସେତେବେଳେ ସୈନ୍ୟବାହିନୀରେ ମୁଖ୍ୟ ଥିଲେ ଭୀଷ୍ମ। ସେ କହିଲେ – ନାଇଁ, ମୁଁ କର୍ଣ୍ଣଙ୍କୁ କେବେବି ଯୁଦ୍ଧ ଭୁଇଁକୁ ପ୍ରବେଶ କରିବାକୁ ଅନୁମତି ଦେବି ନାହିଁ। ସେ ଗୋଟେ ଅଭଦ୍ର। ଏତେବଡ଼ ରାଜସଭା ବସିଥିଲା ।ସେ ମୋ ପୁତ୍ର ବଧୂ ଦ୍ରୌପଦୀ ପ୍ରତି ଖରାପ ଶବ୍ଦ ବ୍ୟବହାର କରିଛି ।ତେଣୁ ମୁଁ ଯେପର୍ଯ୍ୟନ୍ତ ସୈନ୍ୟ ମୁଖ୍ୟ ଥିବି ଆଉ ଯୁଦ୍ଧ ଚାଲିଥିବ, ତାକୁ ସେପର୍ଯ୍ୟନ୍ତ ଯୁଦ୍ଧ ଲଢ଼ିବା ପାଇଁ ଅନୁମତି ଦେବି ନାହିଁ।”

ଦେଖନ୍ତୁ ଜଣେ ସର୍ବଗୁଣ ସମ୍ପନ୍ନ ଏଡ଼େ ବଡ଼ ଯୋଦ୍ଧା, ହେଲେ ସେ ତାକୁ ଯୁଦ୍ଧ କରିବାକୁ ଦିଆ ଯାଉ ନାହିଁ। ତାକୁ ଅଥର୍ବ ଓ ପଙ୍ଗୁ କରି ବସାଇ ଦିଆଗଲା। ଏହାଠାରୁ ବଳି ଅପମାନ ଜଣେ ଦକ୍ଷ ଯୋଦ୍ଧା ପାଇଁ ଆଉ କ’ଣ ଥାଏ?

ତେବେବି ସେ ହାର୍ ମାନି ନାହାନ୍ତି । ସୈନ୍ୟ ଆଡ୍ଡାସ୍ଥଳୀରେ ସେଇମିତି ଅପେକ୍ଷା କରି ରହିଲେ କେତେବେଳେ ସୁଯୋଗ ଆସିବ। ଶେଷରେ ଭୀଷ୍ମଙ୍କ ଶରଶଯ୍ୟା ପରେ ସେ ସୁଯୋଗ ଦିନେ ଆସିଲା।

ଏବେ ସମୟ ନିଜ ପରାକାଷ୍ଠାର ପରିଚୟ ଦେବା ପାଇଁ ।ଆଉ ସେ ଲଢ଼ିଲେ ବି ଏବଂ ସମସ୍ତଙ୍କୁ ଦେଖାଇଦେଲେ ସେ କେମିତିକା ଉତ୍କୃଷ୍ଟ ଯୋଦ୍ଧା ।

କିନ୍ତୁ ଷଡ଼ଯନ୍ତ୍ର ଓ ପ୍ରତାରଣାର ଶେଷ ହେଲା ନାହିଁ। ଇନ୍ଦ୍ରଦେବ ହେଉଛନ୍ତି ଅର୍ଜୁନଙ୍କ ପିତା ।ଯେତେବେଳେ ଦେଖିଲେ କର୍ଣ୍ଣ ରଣ କ୍ଷେତ୍ରରେ କଡ଼ା ଟକ୍କର ଦେଉଛନ୍ତି, ଇନ୍ଦ୍ରଦେବ ସ୍ଵୟଂ ଉପସ୍ଥିତ ହେଲେ । ସେ ଛଦ୍ମବେଶ ଧାରଣକରି ପହଞ୍ଚିଲେ ।

କର୍ଣ୍ଣ ଭୋରରୁ ଉଠି ନଦୀ ତୁଠରୁ ଗାଧୋଇ ଫେରୁଛନ୍ତି ।ଇନ୍ଦ୍ରଦେବ ଯାଇ ଦାନ ଭିକ୍ଷା କଲେ। କର୍ଣ୍ଣ ଜାଣିଗଲେ, କହିଲେ ମୁଁ ଜାଣିଛି ଆପଣ ସାଧାରଣ ଭିକାରୀ ନୁହଁନ୍ତି। ଆପଣ ହେଉଛନ୍ତି ଇନ୍ଦ୍ରଦେବ। ତଥାପି ମୁଁ ବଚନ ହାରି ପାରିବି ନାହିଁ ।”

କାରଣ କର୍ଣ୍ଣ ଥିଲେ ମହାଦାନୀ। ବହୁକଷ୍ଟ ହେଲା ତାଙ୍କୁ ।ତଥାପି ସେ ନିଜ ଶରୀରରୁ କବଚ, ସ୍ଵର୍ଣ୍ଣ ଛାଉରୀ ଓ କର୍ଣ୍ଣକୁଣ୍ଡଳ ଆଦି ଖୋଲି ତାଙ୍କ ହାତକୁ ବଢ଼ାଇ ଦେଲେ। ଚକ୍ରାନ୍ତର ଶୀକାର ହେଲେ ।ଶରୀର ରକ୍ତାକ୍ତ ହୋଇଗଲା ।ତଥାପି ସେ ହାର୍ ମାନି ନାହାନ୍ତି । ତୀବ୍ର ସଂଗ୍ରାମରେ ସମ୍ମୁଖୀନ ହୋଇ ନିଜ ବୀରତ୍ୱ ଓ ପରାକାଷ୍ଠାର ପରିଚୟ ଦେଲେ। ଯାହା ତାଙ୍କୁ ଆଜିଯାଏ ଆମର କରି ରଖିଛି, ଆଉ ରଖିଥିବ ଯେପର୍ଯ୍ୟନ୍ତ ଚନ୍ଦ୍ରସୂର୍ଯ୍ୟ ଆତଯାତ ହେଉଥିବେ।

ଏତେ କଥା କହିବାର ଉଦ୍ଦେଶ୍ୟ ହେଉଛି, ଆମେ ଯେତେ ଯେତେ ସବୁ ଉଦାହରଣ ଦେଲେ ଓ ଯେଉଁ ଯେଉଁ କଠିନ ପରିସ୍ଥିତି ସବୁ ଦେଇ କର୍ଣ୍ଣ ଆଗକୁ ବଢୁଥିଲେ, ସେଥିରୁ ଆପତତଃ ଗୋଟେ କଥା ତ ଶିଖିବାକୁ ନିଶ୍ଚୟ ମିଳିଲା ଯେ ଆମ ଜୀବନ ଯାତ୍ରା ପଥରେ ଯେତେ ବାଧାବିଘ୍ନ ଓ କଷ୍ଟ ଆସୁନା କାହିଁକି ଆମେ ପଳାୟନପନ୍ଥି ହେବା ନାହିଁ ।ସବୁଟାକୁ ସାମ୍ନା କରିବା କିନ୍ତୁ ଯୁଦ୍ଧ ମଇଦାନ ଛାଡ଼ିବା ନାହିଁ କି ହାର୍ କେବେ ମାନିବା ନାହିଁ , ଯାହା କର୍ଣ୍ଣ କରି ଦେଖାଇ ଥିଲେ।
ଧନ୍ଯ କହିବା ସେ କର୍ଣ୍ଣଙ୍କୁ ।

Related posts

ଶତ ପତ୍ନୀକ ଗଳ୍ପଗୁଚ୍ଛ

satya

ଶୂନ୍ଶାନ୍ ରାତି ଗଳ୍ପ ସମ୍ଭାର

satya

କଥାଣି ୨

satya

Leave a Comment

Login

X

Register