Satya Prakash
  • Home
  • Book
  • ଚନ୍ଦକାରେ ଗୋଟେ ରାତି
Book

ଚନ୍ଦକାରେ ଗୋଟେ ରାତି

U ଔପନ୍ୟାସିକ ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ସରକାରୀ କର୍ମଚାରୀ, ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ,ଔପନ୍ୟାସିକା ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ, ସମୟାନୁବର୍ତ୍ତି କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ,ପିତୃମାତୃପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ। ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ 1968 ମସିହା ଜାନୁଆରୀ 31 ତାରିଖରେ ଏକ ବ୍ରାହ୍ମ୍ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ।ଏହି ଅନନ୍ୟ ପ୍ରାତିଭା ନିକଟରେ ରହିଛି ଅନେକ ଗୁଣ। ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି। ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ। ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ।”ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ “, “ଫୁସିଆ ମାଆ “, “Capsule Course of English Grammar “, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି।ମାନବବାଦର ସେ ପ୍ରବକ୍ତା।
“ଚନ୍ଦକାରେ ଗୋଟେ ରାତି ” ତାଙ୍କର ଅନନ୍ୟ କୃତି। ଏଥିରେ ଯେପରି କାମ୍ଫକମ୍ପି ଭୟାନକ ପରିସ୍ଥିତିର ଅବତାରଣା କରାଯାଇଛି ସେହିପରି ସ୍ନେହ ଶ୍ରଦ୍ଧା ଆନ୍ତରିକତାର ଉଚ୍ଛ୍ୱଳ ଜଲଧି ତରଙ୍ଗ କଳକଳ ନାଦରେ ପ୍ରବାହିତ ହୋଇପରିଛି। ଏଠି ରହିଛି ମାନବବାଦର ଗାଥା ଓ ପର ମଣିଷକୁ ନିଜର କରିବାର କଳା ପାଟବତା। ସେହିପରି ହତ୍ୟା, ରହସ୍ୟ, ଭୟ, ଉତ୍କଣ୍ଠା ଓ ଭୌତିକ କାଣ୍ଡ କାରଖାନା ସବୁ କିଛି ରହିଛି ଏହି ଉପନ୍ୟାସ ଭିତରେ। ତାହାରି ଭିତରେ ରହିଛି ପାରିବାରିକ କଳହ ଓ ଗାଉଁଲି ମଣିଷ ମୁହଁରେ ଆପଣାର କଥିତ ଭାଷା ଯାହାକି ବେଶ ଭାବୋଦ୍ଦୀପକ ଓ ଚିତ୍ତାକର୍ଷକ ହୋଇ ପାରିଛି। ବିଭିନ୍ନ୍ ବ୍ୟକ୍ତି ଚରିତ୍ରର ବିଶ୍ଳେଷଣ ଓ ଅବତାରଣରୁ ତାଙ୍କର ସାମାଜିକ ଅନୁଶୀଳନ ଓ ସୂକ୍ଷ୍ମ ଅନୁଧ୍ୟାନ କଳାର ଗଭୀର ପରିଚୟ ମିଳିଥାଏ।ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଭିନ୍ନ୍ ଢଙ୍ଗରେ ଉତ୍ଥାପନ କରି ସେ ସ୍ଵୀୟ ଜ୍ଞାନ ଓ ପାଣ୍ଡିତ୍ୟପୂର୍ଣ୍ଣ ବ୍ୟକ୍ତିତ୍ଵର ପରିଚୟ ସୃଷ୍ଟି କରି ପାରିଛନ୍ତି। ଉପନ୍ୟାସରେ ଅବତାରଣା କରାଯାଇଥିବା ପ୍ରସଙ୍ଗଗୁଡ଼ିକରେ ବାର୍ତ୍ତା ବହନ କ୍ଷମତା ଅଧିକ ରହିଛି । ଏଥିରେ ପାଠକୀୟ ଆବେଦନ ମଧ୍ଯ ରକ୍ଷା ହୋଇପରିଛି।ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ। ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ, ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରନ୍ତୁ, ଏହାହିଁ ପ୍ରଭୂ ମଂଗଳମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ପ୍ରକାଶକ

ଉତ୍ସର୍ଗ
——–

ବାପା ପୁରୁଷୋତ୍ତମ ସ୍ୱାଧୀନତା ପୂର୍ବର ଜଣେ ଭଲ ମଣିଷ। “ଆଦର୍ଶ ଗୋ ଚିକିତ୍ସା” ଓ ଆର୍. ଇ. ତଥା ଅମିନଙ୍କ ପାଇଁ ସର୍ଭେ ଟ୍ରେନିଂ ପାଠ୍ଯ ପୁସ୍ତକ ତଥା “ଆଦର୍ଶ ଗୋ ମାନବ ଚିକିତ୍ସା” ତାଙ୍କର କେତୋଟି ସାରସ୍ଵତ କୃତି। ଶେଷ ପୁସ୍ତକଟି ରାଜା ରାମ ମୋହନ ରାୟ ଟ୍ରଷ୍ଟ ଦ୍ଵାରା ସରକାରଙ୍କ ଜରିଆରେ ବିଭିନ୍ନ ଅନୁଷ୍ଠାନକୁ ଯୋଗାଇ ଦିଆଯାଇଅଛି। ପିଲାଟି ଦିନରୁ ନ୍ୟାୟ ପାଇଁ ଜମିଦାର ଓ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଲଢ଼ିବା ତାଙ୍କର ଅଭ୍ୟାସ। ମହାତ୍ମା ଗାନ୍ଧିଜୀଙ୍କ ସ୍ଵାଧୀନତା ସଂଗ୍ରାମ ଓ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ସେ ସମ୍ପୃକ୍ତ ଓ ବିଶେଷ ଭାବେ ପ୍ରାଭାବିତ। ସେ ଅନୁଭବ ଓ ଅନୁଭୂତିରେ ଏକ ପରିପୃଷ୍ଠ ବ୍ୟକ୍ତିତ୍ୱ। ଯିଏକି ଜୀବନସାରା ବେଶ୍ କ୍ରିୟାଶୀଳ ଓ କାର୍ଯ୍ୟକ୍ଷମ ରହି ଆସିଛନ୍ତି। ବିଶ୍ରାମ କ’ଣ ଜାଣନ୍ତି ନାହିଁ। ଅହରହ କାମ। କାମ କରିବାର ନିଶା ତାଙ୍କୁ ବେଶ୍ ଉଲ୍ଲସିତ କରିଥାଏ। ଅହରହ ଅବିଶ୍ରାନ୍ତ ରହି ସେ ବେଶ୍ କିଛି ସାମାଜିକ ଉନ୍ନୟନମୂଳକ ଜନ ମଙ୍ଗଳକାରୀ ଓ ଜନ ହିତକାରୀ କାର୍ଯ୍ୟକ୍ରମ ମାନଙ୍କରେ ମଜି ରହି ଭୋକ ଶୋଷ ପର୍ଯ୍ଯନ୍ତ ସବୁ ଭୁଲି ଯାଇଥାନ୍ତି। ସେହି ସେତିକିରେ ତାଙ୍କର ଆନନ୍ଦ ଓ ସୁଖ ଶାନ୍ତି। ସେ ଅଧିକତର ଅନୁଷ୍ଠାନପ୍ରେମୀ। ତେଣୁ ବହୁ ଅନୁଷ୍ଠାନ ସହ ତାଙ୍କର ସମ୍ପର୍କ। ପ୍ରାୟତଃ ଆଖାପାଖ ଅଞ୍ଚଳର ସମସ୍ତ ସାଂସ୍କୃତିକ ଓ ସାମାଜିକ କ୍ରିୟାକ୍ରମରେ ସେ ନିଜର ସମ୍ପୃକ୍ତି ଓ ଉପସ୍ଥିତି ଜାହିର କରିଥାନ୍ତି। ନିଜ ନାମରେ ଗୋଟେ ପୁରୁଷୋତ୍ତମ ସେଠୀ ଉଚ୍ଚ ବିଦ୍ୟାଳୟ ଥିବା ବେଳେ ପ୍ରାୟ ଶତାଧିକ ସ୍କୁଲ କଲେଜ ସ୍ଥାପନ କରିବାରେ ସେ ସହାୟକ ହୋଇପାରିଛନ୍ତି। ତନ୍ମଧ୍ୟରୁ ଭଣ୍ଡାରି ପୋଖରୀ ଓ ବନ୍ତ ବ୍ଲକରେ ପ୍ରାୟ 11 ଟି ଉଚ୍ଚବିଦ୍ୟାଳୟ ଓ ଆଗରପଡା ବି. ଇଡି. କଲେଜ ସମେତେ ତିନି ଗୋଟି କଲେଜ ଅନ୍ୟତମ। ଅବଶ୍ୟ ଥରୁଟିଏ ସେ ବିଧାୟକ ହେବାକୁ ସକ୍ଷମ ହୋଇଥିଲେ ହେଁ କୂଟନୀତି ଓ ଗୁଣ୍ଡାଗିରି ଗୁଣର ଅଭାବବୋଧ ଯୋଗୁଁ ତାଙ୍କୁ ଏକାଧିକ ବାର ହାରର ସାମନା କରିବାକୁ ପଡ଼ିଛି। ତାଙ୍କର ଦୃଢ଼ ସଙ୍କଳ୍ପ ଓ ଜିଦ୍ଖୋର ମନୋବୃତ୍ତି ପାଇଁ ତାଙ୍କୁ ଅନେକବାର ଅବଶ୍ୟ ସମାଲୋଚନାର ଶିକାର ହେବାକୁ ପଡିଛି, ତଥାପି ସେ ଜଣେ କର୍ମଠ, ଚଳଚଞ୍ଚଳ, ନୀତିନିଷ୍ଠ, କର୍ତ୍ତବ୍ୟ ପରାୟାଣ ଓ ଆଦର୍ଶ ମଣିଷ। କର୍ମ ହିଁ ଭଗବାନ – ଏହା ହିଁ ତାଙ୍କର ନୀତି ଓ ଆଦର୍ଶ। ସେବା ଜୀବନର ବ୍ରତ। ତେଣୁ ପୁସ୍ତକ” ଚନ୍ଦକାରେ ଗୋଟେ ରାତି ” ତାଙ୍କୁ ସମର୍ପଣ କରି ମୁଁ ଚିର କୃତଜ୍ଞ।
(ଇତି)
ତାଙ୍କରି ପୁଅ
ସାନ ପୁଅ ବାବୁଲା

ଅଳ୍ପରେ
———
ଲୋକେ କଣ୍ଡୁରୀ ଚାରଣଙ୍କ ଉପନ୍ୟାସ ପଢିବାକୁ ଖୁବ୍ ଭଲ ପାଆନ୍ତି।ତେବେ ବର୍ତ୍ତମାନ ଡିଟେକ୍ଟିଭ୍ ଓ ହରର ଉପନ୍ୟାସ ପ୍ରାୟତଃ ସେତେ ଲେଖା ଯାଉ ନଥିବାରୁ ଏ ପ୍ରକାର ଏକ ପ୍ରୟାସ କରାଯାଇଛି। ମଣିଷ ମନ ସ୍ୱତଃ ଅନୁସନ୍ଧିତ୍ସୁ ପ୍ରିୟ। ସେ ରହସ୍ୟ ଘେରରେ ରହି ସବୁ କଥାର ହେତୁ ନିର୍ଦ୍ଧାରଣ କରିବାକୁ ଶତତ ଚେଷ୍ଟା କରେ। ଯେଉଁଥିରେ କି ମୃତ୍ୟୁ ରହସ୍ୟ ତଥା ଭୂତ ଓ ପ୍ରେତର ବର୍ଣ୍ଣନ ରହିଛି। ଯାହାକୁ ପଢିଲେ ଭୟରେ ମନ ରୋମାଞ୍ଚିତ ଓ ପ୍ରାଣ ଶିହରିତ ହୋଇଉଠେ। ପୁଣି କେତେବେଳେ କେତେବେଳେ ପ୍ରେତାତ୍ମା ନିଜେ ପ୍ରକଟ ହୋଇ ବା ତା’ର ଛାୟା ଚିତ୍ର ଉତ୍ତୋଳିତ ହୋଇ ନିଜ ମୃତ୍ୟୁ ରହସ୍ୟ ନିଜେ ବଖାଣେ। ପୁଣି ଅନ୍ୟ କେତେବେଳେ ପୋଲିସ୍ ଗୋଡାଇ ଗୋଡାଇ ଅପରାଧିକୁ ଧରେ। ଏଇଠି ରହିଛି ପୋଲିସର ଥାର୍ଡ ଡିଗ୍ରୀ ଓ ଅପରାଧି ମୁହଁରୁ ସତ ବାହାର କରିବାର ପ୍ରୟାସ । ଏକ ଅପରାଧ , ଷଡଯନ୍ତ୍ରମୂଳକ ଓ ରହସ୍ୟଜନକ ହତ୍ୟା, ଅପହରଣଜନିତ ଅପମୃତ୍ୟୁକୁ ନେଇ କାହାଣୀ ଭାଗ ବେଶ୍ ଗତିଶୀଳ ହୋଇ ପାରିଛି। ସମୁଦାୟ ପନ୍ଦରଟି ଅଧ୍ୟାୟକୁ ନେଇ ଉପନ୍ୟାସ “ଚନ୍ଦକାରେ ଗୋଟେ ରାତି” ର ପରିକଳ୍ପନା ଓ ପ୍ରକରଣ କରାଯାଇଛି। ପ୍ରତ୍ୟେକ ବିଭାଗ ପରବର୍ତ୍ତୀ ବିଭାଗକୁ ଅପେକ୍ଷା ଖୁବ୍ ରଖିଥାଏ। ଥରେ କାହାଣୀଟିକୁ ଆରମ୍ଭ କଲେ ପାଠକ ଆଉ ନିଜକୁ ରୋକି ପାରେ ନାହିଁ। କେମିତି ପରକୁ ପର ସବୁ ଅଧ୍ୟାୟକୁ ଅଧ୍ୟୟନ କରି ଶେଷ ପର୍ଯ୍ୟନ୍ତ ଯିବ ଓ କାହାଣୀର ପରିଣତି ପାଖରେ ପହଁଞ୍ଚିବ ସେଥିପାଇଁ ସେ ଅଧୀର ହୋଇଉଠେ, ଉତ୍କଣ୍ଠା ଓ ବ୍ୟଗ୍ରତାରେ ତା’ର ମନ ପ୍ରାଣ ଉଦଗ୍ରୀବ ହୋଇଉଠେ। ଲେଖାଟି ଯେତେବେଳେ ପ୍ରଥମେ ସୋସିଆଲ ମିଡିଆରେ ପ୍ରକାଶ ପାଇଲା ପାଠକ କାମଧନ୍ଦା ସାରି ବସିଗଲେ ପରବର୍ତ୍ତୀ ଅଧ୍ୟାୟକୁ ପଢିବା ଓ ଘଟଣାକୁ ବୁଝିବା ପାଇଁ। ଅନେକ ଫୋନ୍ କଲ୍ ଓ କମେଣ୍ଟ ବକ୍ସର କମେଣ୍ଟରୁ ଏ କଥା ମୁଁ ସ୍ପଷ୍ଟ ବୁଝି ପାରିଥିଲି। ସେମାନେ ଏକ ପ୍ରକାର ଲେଖକକୁ ମଜବୁର୍ କରିଦେଇଥିଲେ ଲେଖାଟି ଶୀଘ୍ର ସମ୍ପୂର୍ଣ୍ଣ କରି ପ୍ରକାଶ କରିବା ପାଇଁ। ତେଣୁ ମାତ୍ର ପନ୍ଦର ଦିନରେ ପନ୍ଦରଟି ଅଧ୍ୟାୟ ଅର୍ଥାତ୍ ପ୍ରତ୍ୟେହ ଗୋଟେ ଗୋଟେ ଅଧ୍ୟାୟ ଲେଖି ପୋଷ୍ଟ କରିବାକୁ ପଡିଥିଲା-ପାଠକ ମାନଙ୍କର ଆଗ୍ରହ ଦେଖି । ଏହି ଗଳ୍ପଟିକୁ ସର୍ବାଧିକ ଭଲ ପାଇବା, ଲାଇକ୍ ଓ କମେଣ୍ଟ ମିଳିଛି – ପାଠକମାନଙ୍କ ପାଖରୁ, ଯାହା ଲେଖକଙ୍କର ବଡ଼ ସନ୍ତୋଷତା। ଆଉ ଏହାର ପୁସ୍ତକକରଣ କରିବା ପାଇଁ ମଧ୍ୟ ବହୁ ପାଠକମାନେ ଅନୁରୋଧ କରିଥିବାରୁ ତୁରନ୍ତ ଏହାର ପ୍ରକାଶନ ପାଇଁ ଚେଷ୍ଟା କରାଯାଇଛି। ଆଶା ଏହା ନିଶ୍ଚିତ ଭାବେ ପାଠକୀୟ ଆଦୃତି ଓ ସ୍ୱୀକୃତି ପାଇବ। ମୋର କିନ୍ତୁ ଆପଣମାନଙ୍କୁ ଅପେକ୍ଷା- ମତାମତ ଦେଇ ଆଉ ଥରେ ଲେଖାଟିକୁ ବଳିଷ୍ଠ କରିବାକୁ ଅନୁରୋଧ।
ଶେଷରେ ଏହି ପୁସ୍ତକ ପ୍ରକାଶନ ଅବସରରେ ପ୍ରକାଶକ ଶ୍ରୀ…… ଙ୍କୁ ଅନେକ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜଣାଇବି ଯିଏକି ପୁସ୍ତକଟିକୁ ପ୍ରକାଶ କରିବା ପାଇଁ ଯଥେଷ୍ଟ ଆନ୍ତରିକତା ପ୍ରକାଶ କରିଛନ୍ତି। ଆଉ ମଧ୍ଯ ଧନ୍ୟବାଦ ଦେବି ମୋର ବନ୍ଧୁ କଟକର ଶିଶିର କୁମାର ପଣ୍ଡାଙ୍କୁ ଯିଏକି ପ୍ରତିଟି ଅଧ୍ୟାୟକୁ ପଢି ପ୍ରଥମେ ଅଭିମତ ରଖିଛନ୍ତି।ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଓ ଶାରଦୀୟ ଅଭିନନ୍ଦନ ।
(ଇତି)
ଔପନ୍ୟାସିକ
(ସାହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ)

ସୂଚୀପତ୍ର
———–
କ୍ର. ସଂ. ବିଷୟ. ଭାଗ. ପୃଷ୍ଠା
1. ଚନ୍ଦକା ଜଙ୍ଗଲ 1
2. ଭୂତ ମୁହଁରେ 2
3.ଭୂତର ଗାଁ 3
4. ମିସନ୍ 4
ଭୁବନେଶ୍ଵର
5 ଏଫ୍. ଆଇ. ଆର୍ 5
ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ
6.ଆଶ୍ରମର ବେଉରା 6
7.ବାର୍ଦ୍ଧକ୍ଯ ଆଶ୍ରୟ ସ୍ଥଳୀ 7
8.ଉତ୍ସାହ ପ୍ରଦାନ 8
9. କଙ୍କାଳ ଉଦ୍ଧାର 9
10.ଖାନତଲାସୀ 10
11 ବୟନ ଦରଜ 11
12.ଥାର୍ଡ ଡିଗ୍ରୀ ଟର୍ଚ୍ଚର 12
13.ଫର୍ଦ୍ଦ ଲେଉଟିଲା 13
14. ଜାଳିଗଲା ଆଡ୍ଡା 14
15. କୋର୍ଟ ଚାଲାଣ 15

ଭାଗ-1

ଦିନର ଆଗତ ଗୋଟେ କାହାଣୀ।ସତ ସତିକା-ସବୁ ସତ ।ସେତେବେଳ ଭୁବନେଶ୍ବର ସହର ନୂଆ କରି ଗଢି ଉଠିଥାଏ। ଅଳ୍ପ କେଇଦିନ ତଳେ ରାଜଧାନୀର ମାନ୍ୟତା ପାଇଥାଏ। ସହଜେ ତ ମନ୍ଦିର ମାଳିନୀ, ପୁଣି ପାହାଡ଼ ଘେରା ଏଇ ସହର। କଟକରୁ ଭୁବନେଶ୍ବର ଜାତୀୟ ରାଜପଥ ଦେଇ ଯିବାକୁ ହୁଏ। ରାସ୍ତା ଗୁଡ଼ିକ ବଡ଼ ସଂକୀର୍ଣ୍ଣ।କିନ୍ତୁ ଯାନବାହାନ ଭାରି। ନାହିଁ ନଥିବା ଭିଡ଼। ଓଡ଼ିଶାର କୋଣ ଅନୁକୋଣକୁ ଏହି ରାଜଧାନୀରୁ ସଂଯୋଗୀକରଣ କରାଯାଇଛି। ତେଣୁ ଚାରିଆଡୁ ଗାଡି ଘୋଡା ଓ ବସ ମୋଟର ଚଳାଚଳ ଏଠାକୁ କରିଥାଏ। ସେଥିସକାଶେ ରାସ୍ତା ଘାଟ ଜାମ୍ ରହିବା ସ୍ୱାଭାବିକ।
କଟକରୁ ଏ ଜାତୀୟ ରାଜପଥ ଛାଡି ଦେଲେ ଆଉ ଗୋଟିଏ ଅଧା ମୋହରମ ଓ ପିଚ ରାସ୍ତା ଅଛି। ସେଇଟା ହେଉଛି ବାରଙ୍ଗ ଓ ତ୍ରିଶୁଳିଆ ଦେଇ। ବାଟରେ ଚନ୍ଦକା ଜଙ୍ଗଲ ପଡ଼େ। ବାଘ, ଭାଲୁ ଓ ହେଟାମାନଙ୍କର ସେଇଟା ରାଜୁତି। ରାତିରେ ସବୁ ବାହାରନ୍ତି। ହାତୀଗୁଡ଼ାକ ଖେଳେଇ ହୋଇ ବୁଲନ୍ତି। ରାତି 7/8 ଟା ହୋଇଗଲେ ରାସ୍ତା ନିଶୁନ୍ ହୋଇଯାଏ। ଭାରି ନିଛାଟିଆ ଜାଗା। କେହି ତ ଚାଲିକି ଯିବା କଥା ତ କେବେ ବି ଭାବି ପାରିବ ନାହିଁ। ଅବଶ୍ୟ ଗାଡି ମୋଟର ଗୋଟେ ଅଧେ ଭୁସ୍ଭାସ ହୋଇ ମାଡିଯାଏ। ହେଲେ ରାସ୍ତା ମଝିରେ କେହି ରୋକି ହୋଇଯାଆନ୍ତି ନାହିଁ। କାରଣ ମନରେ ଭାରି ଡର । ଘଞ୍ଛ ଜଙ୍ଗଲ ଭିତରେ କିଏ ରୋକିବ ଲୋ ମା! ଭୂତ ପିଶାଚଙ୍କର ତ ସବୁ ଆଡ୍ଡାସ୍ଥାଳୀ ଏଇଠି। କେତେ କେତେ ଅଘଟଣ ସବୁ ପରା ଘଟିଛି। ଦେଖି ନଥିବେ କି ପେପର୍ ଫେପରରେ କେତେ କ’ଣ ଅଘଟଣ – ସତେ ନଘଟିଛି।ପୁଣି ଚୋରି ରାହାଜନୀ ଠାରୁ ଆରମ୍ଭ କରି ଜନାକାରୀ ଯାଏଁ ସବୁ ଅଘଟଣ ଓ ଦୁର୍ଘଟଣା ଏହି ରାସ୍ତାରେ ଘଟେ। ଅଞ୍ଜନା କାହାଣୀ ବି ତ ସେଇଠି ଘଟିଥିଲା। ତେଣୁ କିଏ କାହିଁକି ରାତି ଅଧରେ ଏ ରାସ୍ତା ଦେଇ ଯିବ ଯେ?
ରାମହରି ବାବୁ ମିଲିଟାରୀଆ ଲୋକଟା। ସଦ୍ୟ ଚାକିରୀରୁ ଅବସର ନେଇଥାନ୍ତି। ମନରେ ଟିକିଏ ସାହସ ଓ ଦମ୍ଭ ଭିନ୍ନ୍ ପ୍ରକାରର। ସମସ୍ତଙ୍କର ଯୋଉଟା ନା ତାଙ୍କର ସେଇଟା ହଁ। ଭାରି ହୃଷ୍ଟପୃଷ୍ଟ ଓ ଟିକିଏ ଡେଙ୍ଗାଳିଆ ଜଣାପଡୁଥାନ୍ତି। ସେ ବେଶ୍ କୌତୁହଳପ୍ରିୟ ଓ ରହସ୍ୟବାଦୀ ମଧ୍ଯ (curious & adventurous also ) । ତାଙ୍କୁ ଏ ଜଙ୍ଗଲ ଓ ଶୂନ୍ଶାନ୍ ରାସ୍ତା କୁଆଡେ ଭାରି ଶାନ୍ତିପ୍ରଦ।ତାଙ୍କର ଧାରଣା ନିଶାର୍ଦ୍ଧ ରାତିରେ ଏଭଳି ଯାତ୍ରା ଶରୀରକୁ ଅତି ହାଲକା ଓ ମନକୁ ବେଶ୍ ଶାନ୍ତ କରି ଗଢି ତୋଳେ। ସାଙ୍ଗରେ ଥାଆନ୍ତି ଜଣେ ପୁରୁଣା ଦିନର ସାଥୀ – ବନ୍ଧୁ ନିଶାନ୍ତ ।
ଆଉ ଡର କାହାକୁ? ପୁଣି ଏହି ବାଟ ଦେଇ ଗଲେ ଭୁବନେଶ୍ୱରରୁ କଟକ ରାସ୍ତା 5/7 କିଲୋ ମିଟର କମି ଯାଏ। ଗହଳି ବି ଟିକିଏ କମ୍। ରୋଡ଼ ଆକ୍ସିଡେଣ୍ଟର ଭୟ ତ ଆଦୌ ନଥାଏ କହିଲେ ଚଳେ, ତେଣିକି ଯେତେ ବେପରୱା ହୋଇ ଗାଡି ଚଳାଅ ପଛେ । ତେଣୁ ଏହି ରାସ୍ତା ଦେଇ ଘର ପାଖରେ ଶୀଘ୍ର ପହଁଞ୍ଚି ହେବ। ନହେଲେ ଘରେ ସମସ୍ତେ ବ୍ୟସ୍ତ ହେବେ। କବାଟ କିଳି ନଥିବେ। ରାତି ଉଜାଗର ହୋଇ ବସିଥିବେ। ଖାଲି ଘରୁ ଦାଣ୍ଡ ଓ ଦାଣ୍ଡରୁ ଘର ହେଉଥିବେ। ଏମାନଙ୍କୁ ଅନିଶା କରି କରି ବଉଁଶଟାଯାକ କେହି ଶାନ୍ତିରେ ଶୋଇ ପାରୁ ନଥିବେ। ଉପବାସ ଥିବେ। ତେବେ ଯାହା ହେଉ ସେୟା ହେଲା। ଖଣ୍ଡଗିରି ଦେଇ ଗାଡି ବୁଲିଲା କଟକ ଅଭିମୁଖେ । ବାଟରେ ଅଳ୍ପ ଦୂରରେ ଛୋଟିଆ କାଉଣ୍ଟରଟିଏ। ସେଇଠୁ ଦୁଇ ବନ୍ଧୁ ଦୁଇ ପ୍ୟାକ୍ ଚଢେଇ ଦେଲେ। ଶୀତୁଆ ରାତି। ଏପଟେ ମିଲିଟାରୀଆ ଚାକିରୀ – ପୁରୁଣା ଅଭ୍ୟାସଟା ଥାଏ । ନିଶାଟା ଚଢି ଗଲାରୁ ଭାରି ଭଲ ଲାଗିଲା। ଗାଡି ଛୁଟିଲା ଏକାନ୍ତ ଜଙ୍ଗଲରେ। କେଉଁଠି କେମିତି ବିଲୁଆଟେ କି ଜନ୍ତୁଟାଏ ଦୌଡ଼ି ଦୌଡ଼ି ରାସ୍ତା ପାରି ହେଇ ଯାଉଥାଏ। ପଛରେ ନିଶାରେ ଗୁଣୁଗୁଣୁ ହୋଇ କହୁଥାଏ – “ଦେଖିକି, ଗାଡି ଚଢିଯିବ”। ରାମହରି ବାବୁ କହନ୍ତି-“ଆମ ଗାଡି ଚଳା ପୂରା ପରଫେକ୍ଟ। କେହି ବାଛି ପାରିବେ ନାହିଁ। ମିଲିଟାରୀରେ ଥିଲା ବେଳେ ଆମେ ପରା ପାହାଡ଼ ପର୍ବତ କିଛି ମାନୁନା। ଯେମିତି ପରିସ୍ଥିତି ଆସୁନା କାହିଁକି ଗାଡି ଚାଲେ ଠିକ୍ଠାକ୍, ତେଣିକି ଭୂତ୍ ଆସୁ କି ପ୍ରେତ” ।
ଏତିକି ବେଳକୁ ଗାଡିଟା ହଠାତ୍ ଅଟକି ଗଲା। ଲାଇଟ୍ ଟା ବି ଲିଭିଗଲା। ଯେତେ ଚେଷ୍ଟା କଲେ ବି ରିଷ୍ଟାର୍ଟ ହେଲା ନାହିଁ। ଗାଡିରୁ ଓହ୍ଲାଇବାକୁ ଇଚ୍ଛା ହେଉନଥାଏ। କାରଣ ସାପ ବେଙ୍ଗ ଓ ବନ୍ୟ ଜନ୍ତୁଙ୍କୁ ଟିକେ ଡର ଲାଗୁଥାଏ। ଶୀତର ପ୍ରକମ୍ପ ବି ବଢି ବଢି ଆସୁଥାଏ । ଜାଡୁଆ ରାତି। କୁହୁଡ଼ି ଗୁଡ଼ାକ ଝାପ୍ସା ଜହ୍ନ ଆଲୁଅରେ ଫିକଫିକ ହୋଇ ହସୁଥାଏ ସିନା କିନ୍ତୁ ଭାରି ଅନ୍ଧାରିଆ ଦିଶୁଥାଏ ।ସ୍ପଷ୍ଟ କିଛି ଜଣା ପଡ଼ୁ ନଥାଏ। ଠିକ୍ ଏତିକି ବେଳକୁ ଗୋଟେ ବିରାଟକାୟ ଲୋକ ବର ଓହଳ ଆଡ଼େଇ ଓ ପଥର ଖୋଲ ଠେଲି ରାସ୍ତା ଉପରକୁ ଉଠି ଆସୁଥିଲା। ବେଶ୍ ଡେଙ୍ଗା ଓ ହୃଷ୍ଟପୃଷ୍ଟ। ରୁମ ଗୁଡ଼ାକ ଭାଲୁ ରୁମ ଭଳିଆ ଲମ୍ବା। ଦାଢି ଗୁଡ଼ାକ ଖେର ହୋଇନଥାଏ କି କ’ଣ ଖୁଣ୍ଟି ଉଠିଲା ପରିକା ଖାଡା ଦିଶୁଥାଏ। କିନ୍ତୁ ଜୁଙ୍ଘା ଟୋକା ପରିକା ତ ପ୍ରତୀୟମାନ ହେଉଥାଏ। ଅତି ଉଚ୍ଚ ଅର୍ଘାସୁରର ପରିକଳ୍ପନା ତୋଳୁଥିଲା-ମନ ମଧ୍ୟରେ । ବଡ଼ ଅଜବ ତା’ର ଆକୃତି। ଭୟଙ୍କର ଚେହେରା। ତାକୁ ଦେଖିଲେ ଯେକୌଣସି ଲୋକର ପାଟି ଶୁଖି ଅଠା ଅଠା ହୋଇଯିବ। ଡରରେ ପେଟ ଭିତରେ ଛନକା ପଶି ଯାଇ କେତେବେଳୁ ଯେ ହୃଦ୍ଘାତରେ କମ୍ପନ ସ୍ରୁଷ୍ଟି ହେଉଥାଏ , ତାହା କହି ହେବ ନାହିଁ। ନିଶାନ୍ତ ବାବୁ ତ ପୂରା ଡରି କି ସିଟ୍କୁ କାମୁଡ଼ି ପକେଇଲା ପରିକା ଚିମୁଟି ଧରିଥାନ୍ତି। ରାମହରି ବାବୁ କହିଲେ – “ସାହସ ଧର ବନ୍ଧୁ! ଡର ନାହିଁ। ମୁଁ ଏମିତି ତ କେତେ ଦେଖିଛି। ସେ ଆମର ଏମିତି କ’ଣଟେ କରି ପକେଇବ” ? – ଏୟା କହି ପକେଟରୁ ରିଭଲଭରଟା ଖୋଲି ହାତରେ ଧରିଲେ। “କିଏ ସେ, କିଏ ସେ” ପାଟି କଲେ। ଲୋକଟା କିଛି ନକହି ଓଲଟା ତାଙ୍କ ଆଡ଼କୁ ଧୀରେ ବଢୁଥିଲା। ବନ୍ଧୁ- “ହେଇ.. ହେଇ.. ଆଇଲା, ଏଥର ଆମକୁ ଖାଇବ”। ଏ କଥା ଅତି ଅଧୈର୍ଯ୍ୟ ହୋଇ କହିଲାରୁ ସେ ବାଧ୍ୟ ହୋଇ -” ସେଇଠି ଛିଡା ହଅ! ନହେଲେ ଗୁଳି କରିଦେବି “କହି ଗୋଟେ ରାଉଣ୍ଡ ଗୁଳି ଚଳେଇବା ପାଇଁ ଟ୍ରିଗର୍ ରେ ଜୋହର୍ କରି ଟିପଟା ଦବେଇ ଧରିଲେ।ଲକ୍ଷ୍ୟ ଗୋଡକୁ ଥିଲେ ହେଁ ଏହି ସମୟରେ ବନ୍ଧୁ ରୋକିବାକୁ ଚେଷ୍ଟା କରି ହଲେଇ ଦେବାରୁ ଗୁଳିଟା ଲୋକଟାର ଛାତି ପଟେ ଦେଇ ଚାଲି ଗଲା ବେଳେ ପୁଚ୍କିନା ପୁଳାଏ ଖଣ୍ଡ ରକ୍ତ ଛିଟିକି ଉଠିଲା ପିଚକାରୀ ଭଳି। କିନ୍ତୁ ଲୋକଟା କାହିଁ କୁଆଡ଼େ କ୍ଷଣିକେ ଉଭାନ୍ ହୋଇ ପୁଣି ପ୍ରତୀୟମାନ ହେଲା। ଦେଖିଲା ବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଶରୀରଟା ଚାରିଆଡ଼େ ବିଛେଇ ହୋଇ ପଡ଼ିଛି ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ାକ ଯେମିତି ସବୁ ଖଣ୍ଡ ବିଖଣ୍ଡିତ ହୋଇ ରହିଛି। ଗଣ୍ଡି ଠାରୁ ଗୋଡ ହାତ ଓ କଟା ମୁଣ୍ଡ- ସବୁ ଅଲଗା। ପାଖରେ ଗୋଟେ ବଡ଼ ଅଖା ପଟ ପଡିଥାଏ। ସେଥିରେ ସବୁ ସଟାସଟ ପଶି ହୋଇଗଲା। ସବୁ କିଛି ଆଖି ପିଛୁଳାକେ ହୋଇ ଯାଉଥିଲା। ଭାବିବାକୁ ତର ନଥାଏ। ବନ୍ଧୁ ଡରରେ ଏକଦମ୍ ହାଲିଆ। ସେ ତାଙ୍କ ପଛ ପଟରୁ ସିଟ୍ ସହ ରାମହରି ବାବୁଙ୍କୁ କୁଣ୍ଢେଇ ପକେଇ ଏକରକମର ଝୁଲି ରହିଥାନ୍ତି ଯେପରି ରାଜା ବିକ୍ରମାଦିତ୍ୟ କାନ୍ଧରେ ବେତାଳର ଶବ ଝୁଲି ରହିଥିଲା। ନିଜର ତ ପାଟି ଆଫାଆଫା ତାଙ୍କୁ ଆଉ ବଳ ଦେବ କ’ଣ ନା ବୋଧ?
ଏଥର ଅଖା ପଟଟାର ମୁହଁଟା ବାନ୍ଧି ଆପେ ଆପେ ବାନ୍ଧି ହୋଇଗଲା। ସେଇଟା ପୁଣି ହଲିବାକୁ ଲାଗିଲା। ଏବେ ପଟଟା ଉଦଣ୍ଡ ନାଚ କଲା ପରି ଥେଇ ଥେଇ ନାଚିଲା ଓ ଡେଇଁ ଡେଇଁକା ଗାଡି ପାଖକୁ ଆସିଗଲା। ଶରୀରର ତ ବଳ ନଥଏ ମନରେ ବି ସାହସ। ଖାଲି ବନ୍ଧୁଙ୍କୁ ସମ୍ଭାଳିବା ପାଇଁ ମୁହଁ ଭୁରୁଡ଼ି ଟିକିଏ ଯାହା। ତେଣୁ “ରହିଯା’! ନହେଲେ ଭଲ ହେବ ନାହିଁ “କହି ପୁଣି ଗୋଟେ ରାଉଣ୍ଡ ଗୁଳି ଚଳେଇବା ପାଇଁ ମନେ ମନେ ପ୍ରସ୍ତୁତ ହେଉଥାନ୍ତି। ଏବେ ପଟଟି ଭିତରୁ ଅଚାନକ ମଧ୍ୟମ ବୟସ୍କ ଯୁବକଟିଏ ବାହାରି ଆସିଲା। ସଧୀରେ ଆସି ଗାଡି ପାଖରେ ଛିଡ଼ା ହେଲା। ତା ମୁଖ ମଣ୍ଡଳରେ କୌଣସି କ୍ଷତ ନଥିଲା ବରଂ ମଳିନତା ଛାଇ ହୋଇଯାଇଥିଲା। ବେଶ୍ କଷ୍ଟ ସେ ଅନୁଭବ କରୁଥିଲା ପରି ମନେ ହେଉଥିଲା। ତା’ର ସବୁତକ ବେଦନା ଅଭିବ୍ୟକ୍ତି ଲାଭ କରିବା ପାଇଁ ଯେମିତି ବ୍ୟଗ୍ର ହୋଇଉଠୁଥିଲେ। ଭୟ ଓ ବିସ୍ମୟର ସୀମା ରହୁ ନଥାଏ। ଏଥର ତା’ ଆଡୁ ଉତ୍ତର ଆସିଲା – “ମୋତେ ଗୁଳି କଲେ, ମୋର କିଛି ହେବ ନାହିଁ। ହେଲେ ମୋତେ ଡରନ୍ତୁ ନାହିଁ। ମୁଁ କେବଳ ମୋ କଥା ପଦକ କହି ଏଠୁ ଚାଲିଯିବି। ଏହା ପୂର୍ବରୁ ଯେ କହିବାକୁ ଚେଷ୍ଟା କରି ନାହିଁ ତାହା ନୂହେଁ, ଅନେକଙ୍କୁ କହିବାର ପ୍ରଯତ୍ନ କରିଛି। ହେଲେ ମୁଁ କିଛି କହିବା ପୂର୍ବରୁ କିଏ ବେହୋସ୍ ହୋଇଯାଇଛି ତ କିଏ ପୁଣି ଦୌଡ଼ି ଦୌଡ଼ି ପଳେଇଛି। ମୁଁ ଯେତେ ପଶ୍ଚାତ୍ ଧାବନ କରି ଡାକେ – “ଏ ଟିକେ ଶୁଣ!” କେହି ହେଲେ ଶୁଣନ୍ତିନି। ଡରରେ କାହାରି କାହାରି ବି ମୃତ୍ୟୁ ହୋଇଥାଇ ପାରେ, ମୁଁ କିନ୍ତୁ କାହାରି କିଛି କ୍ଷତି କରିବାକୁ ଚାହିଁ ନାହିଁ। ମୁଁ କେବଳ ମୋ କଥା କହିବାକୁ ଚାହିଁଛି – ମୋ ଆତ୍ମାର ସଦ୍ଗତିଃ ପାଇଁ। ତେଣୁ ମୋ କଥା କାହାକୁ କହି ନପାରି ଥିବାର ଦୁଃଖ ଏବେ ବି ମୋ ମନ ଇଲାକାରୁ ହଟି ନାହିଁ, ଯାହା ମୋତେ ଶୋକାଭିଭୂତ କରିଦେଇଛି। ଆପଣ ମାନଙ୍କର ହିମ୍ମତ ଅଛି – କଥାଟା ଶୁଣିବା ପାଇଁ। ସେଥିପାଇଁ ବଡ଼ ଭରସା କରି କହିବାକୁ ଚାହୁଁଛି। ଦୟାକରି ଟିକିଏ ଶୁଣିଲେ ମୋ ଆତ୍ମାକୁ ଶାନ୍ତି ମିଳନ୍ତା”।
ଡରରେ ବନ୍ଧୁ” ନାଇଁ.. ନାଇଁ.. ତୁ.. ଏଠୁ.. ଯା.. ଯା.. ପଳା “ଆଖି ବୁଜି କେବଳ ଶୁଣି କହି ଆସୁଥିଲେ। ରାମହରି ବାବୁ ବୁଝେଇ ଦେଲାଠୁଁ ସେ ଶାନ୍ତ ପଡିଗଲେ। ଯୁବକ ଆରମ୍ଭ କଲେ। ରାମହରି ବାବୁ କାଚଟାକୁ ତଳକୁ ଆଉ ଟିକେ ଖସାଇ ଦେଲେ।

କ୍ରମଶଃ..part 2
ଚନ୍ଦକା ଜଙ୍ଗଲରେ ଗୋଟେ ରାତି
.. By ସତ୍ୟ ପ୍ରକାଶ ସେଠୀ
-ଆମ ଘର ଢେଙ୍କନାଳ ବଡ଼ ଖୁମ୍ବା। ଆମେ ଦୁଇ ଭାଇ ।ବୟସର ବ୍ୟବଧାନ ଖୁବ୍ କମ୍, କିନ୍ତୁ ସମ୍ପର୍କରେ ଅନ୍ତରାୟ ରଣ ଚଣ୍ଡୀ ଭାଉଜ। ସବୁ ବେଳେ କୁମନ୍ତ୍ରଣା ଦେଇ ମୁଣ୍ଡଟାକୁ ବିଗାଡି ରଖି ଥୋଇଥାଏ। ଗାଁରେ ଜମିଜମା କିଛି କମ୍ ନୁହେଁ ।ତେଣୁ ସମ୍ଭ୍ରାନ୍ତ ଘର ପରି ଚଳନୀ। ଜେଜେ ମାଆ ଚାଲିଯାଇଥିଲେ-ଆଗରୁ । ଏଥର ମାଆ ବି ଚାଲିଗଲେ। ବୁଢ଼ା ବାପାଟାକୁ ଧରି ଗାଁରେ ମୁଁ ଏକଲା ରହେ। ଭାଇ ମୋର ଭୁବନେଶ୍ବରରେ ଗୋଟେ ଚାକିରୀ କରିଛି। ଟିକିଏ ପଇସାବାଲା। ଭାଉଜ ଓ ପିଲାଙ୍କୁ ଧରି ଏହି ସହରରେ ରହୁଛି, ହେଲେ ଭାରି ପଇସା ପ୍ୟାରା। ନିଜ ପଇସାରୁ କାହାକୁ ଟଙ୍କାଟିଏ ତ କେବେ ଦିଏ ନାହିଁ, ବରଂ ପର ଧନ ହଡ଼ପ ଚିନ୍ତା ତାକୁ ଅହରହ ଘାରେ। ନିଜେ ବଞ୍ଚିଲେ ବାପାର ନାଁ, ଆଉ କିଏ ମଲେ ଅବା ଗଲେ ତା’ର କ’ଣ ଯାଉଛି – ଏହି ନ୍ୟାୟରେ ସେ ସଦା ସର୍ବଦା ଜୀଏଁ। ମୋତେ କି ବାପାଙ୍କୁ କେବେ ଟଙ୍କାଟିଏ ତ ଦେଇ ନାହିଁ,ଦେଇଥିଲେ ବି କାହିଁ ମନେ ନାହିଁ। କିନ୍ତୁ ଘରୁ ଧାନ ଚାଉଳ ଓ ବିରି ମୁଗ ସବୁ ତ ନିଏ। ଭାରି ଲୋଭୀ, ସ୍ଵାର୍ଥପର ମଣିଷଟେ। ଗାଡି ମୋଟର କାର୍ ସବୁ କରିଛି, ତଥାପି ଲୋଭ ସହରରେ କୋଠା କରିବ। ସେଥିପାଇଁ ଗାଁ ଜମିଜମା ବିକ୍ରି କରିବା କୁଆଡ଼େ ଏକାନ୍ତ ଜରୁରୀ। ତେଣୁ ମଘା କାମ ନ ସରୁଣୁ ଗରାଖ ଯୋଗାଡ଼ – ବିକ୍ରି ବଟା ପାଇଁ। ମୁଁ ଏଥିରେ ବିରକ୍ତି ହେଲାରୁ ମୋତେ ମାରି ଗୋଡାଇଲା। ପୁଣି ରାଗିରୁଗା କି ଯେ ସହର ପଳେଇ ଆସିଲା। ବନ୍ଧୁ ବାନ୍ଧବ ସମସ୍ତଙ୍କ ସହ ଅପଡ କରିଦେଲା।ବାରଦିନ ଦିନ ଘରୁ ପାର, ଆହୁରି କେତକ କର୍ମ କାଣ୍ଡ ବାକି ଥାଏ। ବଡ଼ ପୁଅ ପରା ଏହିମାନଙ୍କୁ କହିବ। ଭଲାରେ ଭଲା ଏ ଯୁଗ କ’ଣ ହେଲା?
ହେଲେ ମୋ ମନଟା ଜମାରୁ ବୁଝିଲା ନାହିଁ। ଦିନେ କାହାକୁ କିଛି ନକହି ସହର ଆସିଗଲି। ଭାଉଜକୁ କେତେ ବୁଝାଶୁଝା କଲି। ଗୋଡ ହାତ ତଳେ ପଡି ସବୁ କହିଲି – ଖାଲି ଟିକିଏ ଭାଇଙ୍କୁ ବୁଝେଇ ଦେବା ପାଇଁ। ଭାଉଜ କହିଲେ – “ତୁମ ଭାଇ ଫେରନ୍ତୁ ରାତିକୁ ମିଶିକି ସବୁ କଥା ହେବା। ଆଜି ଦିନକ ତୁମେ ରହି ଯାଅ”।
ମୁଁ ବି ଅଟକି ଗଲି।କଥା କାଟି ପାରିଲି ନାହିଁ। ସନ୍ଧ୍ୟା ହେଲା, ଭାଇ ଆସିଲା। ମୋତେ ଦେଖିକି ଚିଡ଼ୁଥିଲା। ଝଗଡ଼ା ଝାଣ୍ଟି ଢେର୍ ହେଲା। ଭାଇ କହିଲା – “ଜମିଜମା ସବୁ ବିକ୍ରୀବଟା କରିବା ପାଇଁ ଯିଏ ବି ବାଧକ ହେବ ତାକୁ ହାଣି ଟିକି ଟିକି କରିଦେବି “-ଇତ୍ୟାଦି ଧମକପୂର୍ଣ୍ଣ ଗାଳି। ମୁଁ ବି ସେତେବେଳକୁ ରାଗି ଗଲିଣି। କଥାରେ କଥା କହିଦେଲି -” ମୁଁ ବଞ୍ଚିଥିଲା ଯାଏଁ ସେଥିରୁ ଗୁଣ୍ଠେ ବିଶୁଏ ବି ବିକ୍ରି ହୋଇ ପାରିବ ନାହିଁ। ତେଣିକି ରକ୍ତ ନଦୀ ପଛେ କାହିଁକି ବୋହି ନଯାଉ”। ଏଥରକ ସେ ରକ୍ତମୁଖା ହୋଇ ଉଠୁଥିଲା। ମାରିବାକୁ ଖାଲି ହାତ ମୁଠା ମୁଠା କରି ହୁମୁହୁମୁ ହେଉଥାଏ। ଭାଉଜ ଆଡକୁ ମଝିରେ ଚାହିଁ ଦେଇ ଖାଲି ନିର୍ଦ୍ଦେଶ ଅପେକ୍ଷାରେ ଅଟକି ରହିଥାଏ। ଭାଉଜ ମୁହଁଟା ମୋଡ଼ି ଓ ମୁଣ୍ଡଟାକୁ ବାଁ ଡାଁ ଥରେ ଦୁଇ ଥରେ ଗାର କାଟିଲା ପରି ଘୂରାଇ ନାଇଁ ନାଇଁ ଇଶାରା ଦେଉଥାଏ ।ମୁଁ ସ୍ପଷ୍ଟ ଦେଖିପାରିଛି। ନ ହେଲେ ସେଇ ଲାଗେ ମାରି ପକାଇଥାନ୍ତା। ସେ ଖାଲି ଦାନ୍ତ କଡ଼ମଡ଼ କରୁଥିଲା। ରାଗରେ ଚୂଡ଼ା ଚାଉଳ ଚୋବାଉଥିଲା। ମୁହଁ ହାଣ୍ଡି କରି ସେଇମିତି ରହିଲା। ମୁଁ ତା ଢଙ୍ଗରଙ୍ଗ ଦେଖି ବଡ଼ କ୍ଷୁବ୍ଧ ହେଲିଣି। କହିଲି-” ରାତି ଅଧ ହେଉ ପଛେ ମୁଁ ଘରକୁ ଚାଲିଲି, ତୁମ ପାଖରେ କିଏ ରହିବ ଲୋ ମାଆ! “ଭାଉଜ ଭାଇକୁ ଘର ଭିତରକୁ ଟାଣି ନେଇ କ’ଣ ଫୁସୁଫୁସୁ ହେଲେ। ତା’ପରେ ବାହାରି ଆସି ମୋତେ ବୋଧ ଦେଇ ଅଟକା ଅଟକି କଲେ। ମାଉଁସ ଭାତ ଦେଇ ବିଶ୍ବାସ ଜିତିଲେ। ମୋତେ କିନ୍ତୁ ଆଦୌ ଭଲ ଲାଗୁ ନଥାଏ। ଏମାନଙ୍କ ଠାରଠୁର ଦେଖି ମୋର ଟିକିଏ ସନ୍ଦେହ ହେଉଥିଲା। କ’ଣ କରିବି ରାତିଟା ପାହୁ ତେଣିକି ଯେଉଁ କଥା। ଏଡ଼େ ବଡ଼ ରାତିଟାରେ ଏଇଲାଗେ କୁଆଡ଼େ ଯିବି? ଆଉ ଗଙ୍ଗା ଯିବି ନା ଫଳ ପାଇବି। ଏଥରକ କେମିତି ଏଠୁ ଉଧୁରିକି ଯାଏଁ। ଏମିତି ଶଙ୍କା ଆଶଙ୍କାରେ ନିଦ ହେଉନଥିଲା।କଡ଼ ଲେଉଟାଇ ଖାଲି ଏପଟ ସେପଟ ହେଉଥିଲି। ଶେଷରେ ଚାଦରଟା ମୁହଁରେ ଘୋଡାଇ ହୋଇ ଶୋଇ ପଡ଼ିଲି। ଭାଉଜଟା ଆମର ବଡ଼ କୂଟକପଟିଆଣୀ, ତାକୁ ସହଜେ ବୁଝି ହୁଏ ନାହିଁ। ତାକୁ ପୁଣି ବୁଝିବା ପାଇଁ ସାମାଜ ତତ୍ତ୍ଵ ଓ ମନସ୍ତତ୍ତ୍ୱ ପରି ବିଷୟରେ ପି. ଜି. ଦରକାର ନା, ମୋର ତ ଖାଲି ବି. ଏ।ଧେତ୍ ଏତେ କଥା ଭାବି ଲାଭ ନାହିଁ, ଶୋଇ ପଡିଲେ ଯାଇ ଏମାନଙ୍କ ଜ୍ବାଳାରୁ ମୁକ୍ତି।ହେଲେ ଏମାନେ ଭଲା ଶୁଆଇ ଦିଅନ୍ତେ? ରାତି ସାରା ଖାଲି ଫୁସୁରୁ ଫୁସୁରୁ, କେମିତି କିଏ ଶୋଇବ ଯେ? ଏମିତି କି ଗପ କି ୟାଙ୍କର, ରାତି ସାରା ସରୁ ନାହିଁ, ସତେ କି ସରଗକୁ ନିଶୁଣି ବନେଇବେ – ଏମାନେ, ତେଣୁ ରାତିଯାକ ବସି ଯୋଜନା ପରେ ଯୋଜନା ତିଆରି ଚାଲିଥାଏ। ଆମକୁ ସେଥିରୁ କଣ ମିଳିବ? ନ ଶୁଣିଲେ ଗଲା। ନିଦଟା ଏବେ ମୁଣ୍ଡ ଟୁଙ୍ଗାରିବାରୁ ଶୋଇଗଲି।
ଭାଇ ଭାଉଜ ଅର୍ଦ୍ଧ ରାତିରେ ଚୁପିଚୁପି ହୋଇ ମୋ ରୁମକୁ ଆସିଲେ। ଏଣିକି ମୋ ବେକ ଉପରେ ରଡ଼ ପକେଇ ଖଟ ତଳକୁ ଜୋହରରେ ଚାପି ଧରିଲେ।ମୁଁ ଛାଟିପିଟି ହେଉଥାଏ। ଗଁ ଗଁ ଡାକିବାରୁ ମୁହଁରେ ଘୋଡେଇଲା ଚାଦରଟା ଠୁସିକି ପୂରେଇ ବିଣ୍ଡା ଦେଇ ପାଟି ବନ୍ଦ କରିଦେଲେ। ଏଥର ଗୋଟେ ଅଖା ମୁଣିରେ ମୋତେ କାଟି ଖଣ୍ଡଖଣ୍ଡ କରି ପୂରାଇ ଦେଲେ। ମୋ ହାତ ଗୋଡ଼ ସବୁ ମାଡ଼ି ମକଚି ହୋଇ ଚାପି ହୋଇ ଯାଇଥାଏ। ଭୋର୍ ଭୋର୍ ହେବା ପୂର୍ବରୁ ମୋତେ କାରରେ ଆଣି ଏଇଠି ଗୋଟେ ବୁଦା ମୂଳେ ଗାତ ଖୋଳି ପୋତି ଦେଲେ, ମୋ ଉପରେ ପଥର ଢାଙ୍କି ଦେଇ ଚାଲିଗଲେ। କେହିବି ଟେର ପାଇଲେ ନାହିଁ। ଘରେ ବାପା ଖୋଜି ଖୋଜି ରହିଲେ। ବୁଢ଼ା ଲୋକ ନିଇତି ଆଖିରୁ ଲୁହ ଢାଳୁଛନ୍ତି। ତାଙ୍କ ଦୁଃଖ ଆଉ କିଏ ବୁଝିବ କହିଲେ? ସାହି ପଡ଼ିଶା ଓ ବନ୍ଧୁ ବାନ୍ଧବ ପତା ନେଲେ, ନ ପାଇବାରୁ ଚୁପ୍ ରହିଲେ। ଏବେ ବି ବୁଢ଼ା ବାପାଟା ଭାବୁଛି – “ପୁଅ ମୋ ନିଶ୍ଚୟ ଫେରିବ” । ମୋ ବାଟକୁ ଚାହିଁ ରହିଛି। ହେଲେ ମୁଁ କ’ଣ ଆଉ ଫେରି ପାରୁଛି?
କିଛି ଦିନ ଅପେକ୍ଷା କରି ଭାଇ ଭାଉଜ ଜମି ଜମା ଓ ଘର ଢିଅ ପର୍ଯ୍ୟନ୍ତ ସବୁ ବିକ୍ରୀ କରି ଦେଇ ସହରରେ ଏବେ ମହା ଆନନ୍ଦରେ ରହୁଛନ୍ତି। ହେଲେ ବାପା ମୋର ଗ୍ୟାରେଜ୍ ଘରେ ମଶା ଡାଉଁଶ ମାରି ହେଉଛନ୍ତି। ତାଙ୍କ ଦୁଃଖ ଆଉ ସହି ହେଉନାହିଁ। ମୁଁ କିନ୍ତୁ ଚାହୁଁଛି ନ୍ୟାୟ, ତେଣୁ ରାତିରେ ନିରୋଳାରେ ଯାହାକୁ ଦେଖେ ତାକୁ ଅଟକାଇ ଏହି କେଇପଦ କଥା କହିବାକୁ ଚାହେଁ। ହେଲେ ଶୁଣିବା ପରି ଧୈର୍ଯ୍ୟ ବା ଶକ୍ତି ଓ ସାମର୍ଥ୍ୟ କାହାରି ପାଖରେ ଥିଲେ ତ ? ମୋ କଥା ଅକୁହା ହୋଇ ସେଇମିତି ରହିଯାଏ। ମୋ କଥା ଶୁଣିବା ଆଗୁ କିଏ ବେହୋସ୍ ହୋଇଯାଏ ତ କିଏ ପୁଣି ଡିଆଁ ଧାମ୍ପଡ଼ା ମାରି ପାର। ମୁଁ କିଛି ସମୟ ପାଇଁ ପଶ୍ଚାତ୍ ଅନୁଧାବନ କରେ, ତା’ପରେ ଅପେକ୍ଷା କରି ରହେ ଆଉ କିଏ ଆସିଲେ କହିବା ପାଇଁ। ମୁଁ କିନ୍ତୁ, ସତ କହୁଛି, କାହାରି କିଛି କ୍ଷତି କରିବାକୁ କେବେ ଚାହିଁ ନାହିଁ, କାରଣ ମୁଁ ଚାହେଁ କେବଳ ନ୍ୟାୟ। ନ୍ୟାୟ ନ ପାଇଲା ଯାଏଁ ମୁଁ ସହଜେ ଛାଡୁନି । ତୁମେ କ’ଣ ମୋ ପାଇଁ ଏତିକି କରି ପାରିବ ନାହିଁ? ଦୋଷୀକୁ ସଜା ନମିଳିଲେ ମୋ ଆତ୍ମ ଶାନ୍ତି ପାଇ ପାରିବ ନାହିଁ”।
ଏ କଥାଟା କହି ଆସିଲା ବେଳକୁ ରାତି ପାହି ଆସୁଥିଲା। ଛାୟା ଚିତ୍ରଟି କୁଆଡ଼େ ଅଦୃଶ୍ୟ ହୋଇଗଲା। ବୁଲି ପଡି ପଛକୁ ଚାହିଁଲା ବେଳକୁ ବନ୍ଧୁ ଏକ ଲୟରେ ଶୁଣି ମଟକା ମାରି ନେଇଛନ୍ତି। କାଣୀ ଆଙ୍ଗୁଠିଟା ଧରି ଟାଣି ଦେଲାଠୁଁ ହଁ ନାହିଁ ବାଉଳି ହୋଇ କହିଲେ -” ହଁ ହଁ ଥାନାରେ ଏଫ୍. ଆଇ. ଆର୍. ଦେବା ।ରାମହରି ବାବୁ କହିଲେ -” ନା, ଆଗ ଘରକୁ ଯାଇ ଫ୍ରେସ୍ ହେବା, ତା’ପରେ ଢେଙ୍କାନାଳ ଯାଇ ସବୁ କଥା ବୁଝି ଆସିଲା ପରେ ତେଣିକି ଯୋଉ କଥା। ସିନ୍ଦୂରା ଫାଟି ଆସୁଥାଏ, ସକାଳ ହୋଇସାରିଥାଏ। ମଦ ନିଶାଟା ବି ପୂରା ଉତୁରି ଯାଇଥାଏ। ଆଉ ଯାହା ଥିଲା ପରିସ୍ରା ବାଟେ ତ ସବୁ ଏକା ନିଃଶ୍ୱାସକେ ବାହାରି ଗଲା। ଗାଡିରୁ ଓହ୍ଲାଇ କାରର ଢାଙ୍କୁଣୀ ଖୋଲିଲେ। କ’ଣ ଟିକିଏ ଏଣୁତେଣୁ ଏପଟ ସେପଟ କରି ଦେଖିଲାଠୁଁ ଗାଡି ଷ୍ଟାର୍ଟ ହୋଇଗଲା। ଗାଡିରେ ବସି ଦୁଇବନ୍ଧୁ ଟିକେ ହୋସ୍ ନେଲେ, ଗାଡି ଚାଲିଲା ଆଗକୁ।ହେଲେ ବାଟ ସାରା ଖାଲି ତୁହାଇ ତୁହାଇ ମନେ ପଡି ଯାଉଥାଏ ରାତି ଗୋଟାକର କାହାଣୀ। ଯେତେ ଚେଷ୍ଟା କଲେ ବି ମନ ମଧ୍ୟରୁ କାହିଁ ଦୂରୀଭୂତ ତ ହେଉ ନଥାଏ – ସେ ଭୟାନକ ଦୃଶ୍ୟ। କେତେ ଦରଦନାୟକ ଓ ବେଦନାକ୍ତ ନୂହେଁ ସତେ- ଏ କାହାଣୀ? ଉଭୟ ଉଭୟଙ୍କୁ ଟିକିଏ ଚୁହାଁଚୁହିଁ ହେଉଥାନ୍ତି ସିନା ହେଲେ କେହି କାହାକୁ କିଛି କହୁ ନଥାନ୍ତି। ସମସ୍ତେ ଚୁପି ମାରି ବସିଥାନ୍ତି। ଇଏ ଯାହା ସବୁ ଘଟୁଥିଲା କେବଳ ମନ ଇଲାକାର ନିଭୃତ କୋଣରେ । ଶେଷରେ ଗାଡି ଯାଇ ପହଞ୍ଚିଲା କଟକ ସହର। ଏବେ ବି ମାନସ ପଟରୁ ଲିଭି ନଥାଏ ସେ ଭୟଙ୍କର ପରିସ୍ଥିତି ଓ ସେଇ ଏକ ପ୍ରଶ୍ନ – “ମୁଁ ଚାହେଁ ନ୍ୟାୟ, ମୋତେ କ’ଣ ଏତିକି ମିଳି ପାରିବ ନାହିଁ” ।
କ୍ରମଶଃ…..
ଆପଣମାନେ ଚାହିଁଲେ…….ହେଲେ ନ୍ୟାୟ ଦେବା… ଏବେ ତ ଢେଙ୍କାନାଳ ଯିବା ଅପରିହାର୍ଯ୍ୟ ମନେ ହୁଏ.. ସତ୍ୟାସତ୍ୟ ଜାଣିବା ପାଇଁ

———————————///-

ଚନ୍ଦକା ଜଙ୍ଗଲରେ ରାତିଟିଏ
…. By ସତ୍ୟ ପ୍ରକାଶ ସେଠୀ
କ୍ରମଶଃ..Episode 3..ଆହୁରି ବାକି…
ଗାଡି ଆସି କଟକରେ ଲାଗିବା ଯାଏଁ ଆଉ କେହି ବାଟରେ କେଉଁଠି ଚା’ ଜଳଖିଆ ପାଇଁ ଅଟକି ନାହାଁନ୍ତି। ପରସ୍ପରେ କେହି କାହାକୁ ବିଶେଷ ଆଉ କଥା ବାର୍ତ୍ତା ମଧ୍ଯ କରି ନାହାଁନ୍ତି। ଖାଲି ଚୁହାଁଚୁହିଁ ଓ ଭଗବାନଙ୍କୁ କୃତଜ୍ଞତା ବ୍ୟତୀତ।
ଘର ଆଗରେ ଗାଡି ପହଞ୍ଚିବାରୁ ଗାଡି ଶବ୍ଦ ଶୁଣି “ହେଇ ବାପା ଆସିଲେଣି” କହି ପିଲାମାନେ ଦୌଡ଼ି ଆସିଲେ। କିନ୍ତୁ ପତ୍ନୀ ଏକଦମ୍ ଚୁପ୍।ସତେକି ନିଶ୍ଚଳ ଦେବୀ ମୂର୍ତ୍ତିଟିଏ, ଅପଲକ ଓ ନିର୍ନିମେଷ ନେତ୍ରରେ ଚାହିଁ ରହିଛନ୍ତି-ଦେଖିବା ପାଇଁ ଜଗତ ବେଭାର। ଆଖି ଛଳଛଳ କରି ଘର ଭିତରୁ ଥାଇ ଖାଲି ଅନାଇଲେ। ନୀରବରେ ଚାହିଁ ରହିଥାନ୍ତି ଗୋଡଠୁଁ ମୁଣ୍ଡ ଯାଏଁ । ମନେ ମନେ ଉପରକୁ ଦୁଇ ବାହୁ ଟେକି, କାହାକୁ କିଛି ବୋଧେ କହିଲେ – ଗୁଣୁଗୁଣୁ ହୋଇ। ଈଶ୍ବରଙ୍କୁ ଧନ୍ୟବାଦ ଦେଉ ନଥିଲେ ତ? ଯାହା ବି ହେଉ ଏମାନଙ୍କ ଚେହେରାରୁ ସେ ସ୍ପଷ୍ଟ ବୁଝି ଯାଉଥିଲେ ଯେ, ଏମାନେ ବୋଧେ ରାତି ସାରା ଶୋଇ ନାହାଁନ୍ତି, କାରଣ ବେଶ୍ କ୍ଳାନ୍ତ ଜଣାପଡୁଥାଏ – ମୁଖମଣ୍ଡଳରୁ । “ଶୀଘ୍ର ଗାଧୋଇ ପଡ଼” – କହି, ସେ ରୋଷେଇ ଘର ଭିତରକୁ ପଶି ଗଲେ। ହାତରେ ଚା ଜଳଖିଆ ଧରି ଫେରିଲା ବେଳକୁ, ଏମାନେ ସମସ୍ତେ ଡାଇନିଂ ଟେବୁଲ୍ ଚାରିପଟେ । ପିଲାମାନେ ପଚାରି ହେଉଥାନ୍ତି – “ବାପା! ତୁମେ କାହିଁକି ଫେରିଲ ନାହିଁ? ରାତିରେ କାଲି କେଉଁଠି ଥିଲ?? ମାଆ ପରା ବ୍ୟସ୍ତ ହେଉଥିଲା, ରାତିସାରା ଶୋଇ ନାହିଁ”। ରାମହରି ବାବୁ ତଥାପି ନୀରବ, କିଛି କହିଲେ ନାହିଁ। ବୋଧେ ଅପେକ୍ଷା କରିଥାନ୍ତି ସୁରେଖା ଦେବୀଙ୍କ ରାଗଟା ଥଣ୍ଡା ହେବା ଯାଏଁ। ଚା’ଟା ବି ଏପଟେ ଥଣ୍ଡା ହେଉଥିଲା। ଚଟାପଟ ଦୁଇବନ୍ଧୁ ଜଳଖିଆ ଟିକକ ଚାଟି ଦେଲେ। ଚା ପିଆଲାରେ ଓଠ ଦେଉ ଦେଉ, ହଠାତ୍ ବନ୍ଧୁ ଆରମ୍ଭ କଲେ – “ଭାଉଜ! ତୁମ ପାର୍ଥନା ଓ ମାଆ କଟକ ଚଣ୍ଡିଙ୍କ କୃପାରୁ ଆମେ ଦୁହେଁ ଅଳ୍ପକେ ବର୍ତ୍ତିଗଲୁ। ନୋହିଲେ କାଲି ଯେଉଁ ଭୂତ ହାବୁଡରେ ପଡ଼ିଥିଲୁ ନା , ବଞ୍ଚିବା ନିଶ୍ଚୟ କଷ୍ଟ ଥିଲା। ସବୁ ଶୁଣି ସାରିଲେ, ତୁମ ରାଗଟା ଏକଦମ୍ ଶାନ୍ତ ହୋଇଯିବ-ହଁ ଏକଥାଟା ମୁଁ ଜାଣିଛି ” । ସମସ୍ତଙ୍କ ମନରେ ଉତ୍ସୁକତା, ଘଟଣାଟା ଶୁଣିବା ପାଇଁ ଆଗ୍ରହ। ସୁରେଖାଙ୍କ ମନରେ କିନ୍ତୁ ଉଦବେଗ ଓ ବ୍ୟସ୍ତତା ବଢି ବଢି ଯାଉଥାଏ।ଧମନୀରେ ରକ୍ତ ପ୍ରବାହ ବଢି ବଢି ଯାଉଥାଏ। କହିଲେ – “କ’ଣ ହେଲା? ସତ କଥାଟା ଶୀଘ୍ର ଖୋଲି କହିବଟି! ମୁଁ ଆଉ ଅପେକ୍ଷା କରି ପାରିବି ନାହିଁ, କାନ୍ଦି ପକେଇବି ସତ କହୁଛି” । ଏତିକି କହି କାନିରେ ଆଖି ପୋଛୁଥାନ୍ତି। ଜଣେ ବକ୍ତା ଆଉ ଜଣେ ଶ୍ରୀପାଳିଆ ଓ ଅନ୍ୟ ସମସ୍ତେ ବିମୁଗ୍ଧ ଶ୍ରୋତା। କଥାଟା ସରି ଆସିଲା ବେଳକୁ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇ ଉଠୁଥାନ୍ତି। ସୁରେଖା କହିଲେ -” ଏଇ କଥାଟା ଯଦି ସତ ଆମେ ତେବେ ତାକୁ ନିଶ୍ଚୟ ନ୍ୟାୟ ଦେବା। ତୁମେ କ’ଣ ଭାବୁଛ”? ରାମହରି ବାବୁ କହିଲେ”-“ହଁ..ହଁ.. ମୁଁ ଠିକ୍ ସେଇ କଥା ଭାବୁଛି, ନହେଲେ ଶାନ୍ତିରେ ବସି ହେବ ନାହିଁ”। ପିଲାମାନେ କିଛି ବୁଝନ୍ତୁ ବା ନବୁଝନ୍ତୁ କିନ୍ତୁ ହୋ ହୋ ହୋଇ ଉଠିଲେ – “ହଁ ହଁ… ଠିକ୍ ଠିକ୍, ଭୂତକୁ ଆମେ ନ୍ୟାୟ ଦେବାରେ ନ୍ୟାୟ “, ଏ କଥାଟା କହି ଦୌଡ଼ାଦୌଡ଼ି ହୋଇ ଚାଲିଗଲେ ହରର ସିରିଏଲଟା ଖୋଲି ଦେଇ ଟି. ଭି ପାଖରେ ବସିପଡିଲେ ।ଏଥର ଦୁଇ ବନ୍ଧୁ ବାହାରୁ ଥିଲେ, ପତ୍ନୀ କହିଲେ – “ମୁଁ ତୁମକୁ ମନା କରୁନାହିଁ, ହେଲେ ଆଗ ଟିକେ ବିଶ୍ରାମ ନେଇଯାଅ”। ଘଣ୍ଟାଏ ଖଣ୍ଡ ଶୋଇଛନ୍ତି କି ନାହିଁ, ରାମହରି ବାବୁ ଛଟପଟ ହୋଇ ଉଠି ପଡ଼ିଲେ। କହିଲେ -” ଚାବିକାଠିଟା ଦିଅ! ଆମେ ଟିକିଏ ଢେଙ୍କାନାଳରୁ ଯାଇ ଫେରିଆସୁ” । ସାଙ୍ଗରେ ପତ୍ନୀ ବାହାରିବାରୁ ତିନିହେଁ ସାଙ୍ଗ ହୋଇ ଗଲେ।
ବାଟ ସାରା ସେହି ଏକ ଭାବନା ରାଜି ମୁଣ୍ଡ କୁ ଘାରୁ ଥାଏ।
ଗାଡ଼ିଯାଇ ବଡ଼ ଖୁମ୍ବାରେ ପହଞ୍ଚିଲା ପରେ ଖୋଳତାଡ଼ ଆରମ୍ଭ ହେଲା। ଅବଶ୍ଯ ବାଟସାରା ଚା ପାନ ଖାଇବା ବାହାନାରେ ଅନେକ ଲୋକଠୁଁ ଅନେକ କିଛି ବେଉରା ନିଆ ଯାଇଛି, ଫଳରେ ଏଠି ପହଁଞ୍ଚିବାଟା ତ ସୁଗମ ହୋଇଛି। ଲୋକଙ୍କୁ ପଚାରିଲେ – “ସୁଦାମ ବାବୁଙ୍କ ଘରଟା କୋଉଠି” ? ” ତୁମେ କିଏ” ପାଲଟା ପ୍ରଶ୍ନର ସହଜ ଉତ୍ତର ରଖିଲେ-” ଆମେ ସୁଦାମର ବନ୍ଧୁ, ଅନେକ ଦିନ ହେବ ସୁଦାମର ଖବର ଅନ୍ତର କିଛି ପାଇ ପାରିନାହୁଁ ତ ,ସେଇଥି ଲାଗି ଭାବିଲୁ ତା ‘ଘର ଆଡ଼େ ଯାଇ ଟିକେ ବୁଲି ଆସିବୁ” । ଲୋକଟାର ବିଶ୍ବାସ ଆସିଲାଠୁଁ ଆତ୍ମୀୟତା ଯୋଡ଼ିଲା । ସେଠି ଗାଁ ମୁଣ୍ଡ ଖଟି ଦୋକାନରେ ଉପସ୍ଥିତ ଆଉ ଦି ଚାରି ଜଣ ମଧ୍ୟ ଉଠି ଆସିଲେ। କହିଲେ-” ବାବୁ! ଏଇଠି ଗାଡି ରଖି ଦିଅ, ଆମେ ଚାଲି ଚାଲି ଯିବା। ଭଙ୍ଗା କୁଟୀରଟି ଖାଲି ଦେଖି ଆସିବେ, କେମିତି ଶ୍ରୀହୀନ ହୋଇ ପଡ଼ିଛି”। ବିଭିନ୍ନ୍ ଲୋକ ବିଭିନ୍ନ୍ ପ୍ରକାରର ପ୍ରସଙ୍ଗ ସବୁ, ଏକାବେଳକେ ଉତଥାପନ କରୁଥାନ୍ତି। ତେଣୁ ସବୁଗୁଡାକ ମନେ ରଖିବା ପ୍ରାୟତଃ ସମ୍ଭବପର ନଥିଲା। ହେଲେ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକ ମନ କ୍ୟାନ୍ଭାସରେ ଆଙ୍କି ହୋଇଯାଉଥିଲା। ଯାହାକି ହୃଦୟକୁ ଭାରି କଷ୍ଟ ଦେଉଥିଲା। ସେମାନେ ମୋଟାମୋଟି ଯାହା କହୁଥିଲେ, ତାହାସବୁ ସେଦିନ ରାତିରେ ଚନ୍ଦକା ଜଙ୍ଗଲରେ କହୁଥିବା, ଯୁବକଟିର କଥା ସହିତ ପ୍ରାୟତଃ ତାଳମେଳ ଖାଉଥାଏ। ସେମାନେ କହୁଥାନ୍ତି –
“ଏମାନେ ଆଜ୍ଞା! ଦୁଇ ଭାଇ। ବଡ଼ ଭାଇ ଭୁବନେଶ୍ଵର ଗୋଟେ ଚାକିରୀ କରନ୍ତି, ସେଇଟା ଏକ ନମ୍ବରୀ କି ଦୋ ନମ୍ବରୀ ଚାକିରୀ ଭଗବାନ ଜାଣନ୍ତି। କିନ୍ତୁ ଭଲ ଦୁଇ ପଇସା ତ ରୋଜଗାର କରେ। ଗୋଟେ ନାଲି କାର ମାରୁତି 800 ଧରି ବୁଲେ। ସାନ ଭାଇ କେଉଁଆଡ଼େ ଗୋଟେ ଯାଇଥିଲା ଯେ ଯାଇଛି, ଆଉ ଘରକୁ କାହିଁ ଏଯାଏଁ ଫେରି ନାହିଁ। ଏସବୁ ସେହି ବଡ଼ର ଚାଲ ବି ହୋଇପାରେ। ସମ୍ପତ୍ତି ଖାଇବ ବୋଲି ତାକୁ ମାରିମୁରା ଦେଇଥିବ କି ନାହିଁ – ସନ୍ଦେହ । ଯେତେବେଳେ ତ ଘରକୁ ଆସିବ ଖାଲି ଟିକିଏ କଥାରେ ହୁମୁ ହୁମୁ ହେଉଥିବ ଓ ତାକୁ ମାରି ଗୋଡ଼ାଉଥିବ। ସେ ଖଣ୍ଡକ କ’ଣ କମ୍ କି? ଭାରି ଚାରିଶହ ବିଶ। ପକ୍କା ଖିଲାଡୀ। ଖୁମ୍ମା କୋହୁଣିଆଟେ ।ପାଞ୍ଚ ପଦରେ ପଦେ କହୁଥିବ, ଭାରି ଗୁମାନ । ହେଲେ କଲିଏ କଥାକୁ ପାଞ୍ଚ କଲି କରି ଅନ୍ୟ ଆଗରେ ବଖାଣିବା ତା’ର ଅଭ୍ୟାସ । ସୁଦ କାଳିଆଟା। ସେ ସିନା ସହରରେ ବୋଲି ଚଳି ଯାଉଛି, ନହେଲେ ଆମ ଗାଁ ହୋଇଥିଲେନା ତାକୁ ମଜ୍ଜା ଚଖେଇଥାନ୍ତୁ। ମାରିକି ତା ହାଲୁଆ ଟାଇଟ୍ କରି ଦେଇଥାନ୍ତୁ। ଯାହା କୁହନ୍ତୁ ଆଜ୍ଞା! ଲୋକଟା ଆଦୌ ଭଲ ନୂହେଁମ, ଏକ ନମ୍ବର ପାଜିଟା”।
ଏଥର ଗାଁ ମାଝି ଦାଣ୍ଡ ଡେଇଁ ତାଙ୍କ ଘରଠିଁ ପହଞ୍ଚିଗଲେଣି । ଲୋକମାନେ ଚିହ୍ନେଇ ଦେଉଥାନ୍ତି -” ହେଇ.. ହେଇ.. ହେଇଟା ତାଙ୍କ ଘର” । ଘର ଢିଅରୁ ଖାଲି ଚେନାଏ ଖଣ୍ଡ ଯାହା ପଡ଼ିଛି- ଘରଟା ଥିବା ସକାଶେ। ସେହି ମଳାକ ଯାହା ପୂର୍ବ ପୁରୁଷର ସନ୍ତକ। ଲତାପତ୍ର ଆଦି ମାଡ଼ି ଗଲାଣି। ନିଅଂଶୀ ଢିଅଟା ଭଳି ଦିଶୁଛି। ସାନ ଲାପତା ହେଲାଦିନଠାରୁ ସବୁକିଛି ଶ୍ରୀହୀନ ହୋଇ ଯାଇଛି। ବଡ ତ ଗାଁ ଜମିଜମା ସବୁ ବିକିବା ପାଇଁ ମସୁଧା କରି, ବାପାକୁ ନେଇ ଏବେ ଭୁବନେଶ୍ବରରେ ରଖିଛି।ହେଲେ ବାପକୁ ଗଣ୍ଡେ ଶାନ୍ତିରେ ଖାଇବାକୁ ଦେଉଥିବ କି ନାହିଁ, ନନ୍ଦୀଆ (ନନ୍ଦଲାଲା) ଜାଣେ। ଏଠି ବିକ୍ରି ଟିକିରି କରି ସବୁ ଖତମ କରି ଦେଇଛି। ଆଉ କ’ଣଟେ ଅଛି ଯେ, ଚୋପାଟେ ଖାଇବ। ବୋପା ପୁଅ ଦୁଇଟା ଏଠୁ ଗଲା ଦିନଠୁଁ ଆଉ କେହି ଦିନେକାଳେ ଏଠାକୁ ଆସି ନାହାଁନ୍ତି-ଭଲମନ୍ଦ ଟିକିଏ ପଚାରି ବୁଝିବା ପାଇଁ । ତେଣୁ ତାଙ୍କ ଖବର ସେଇ ଭୁବନେଶ୍ବର ବାସିନ୍ଦା ହିଁ କହିପାରିବେ। ସାନ ପିଲାଟା କିନ୍ତୁ, ମାନେ ତୁମ ସାଙ୍ଗ ବା, ସୁଦାମ ଯାହା ନାଁଟା ନୂହେଁ କି, ସେ ତ ହୀରା ଖଣ୍ଡେ। ଭାରି ଶାନ୍ତ ସୁଧାର ପିଲା, ଯୋଗାଡିଆ ବି। ଘର କରଣଟା ସେ ସିନା ସମ୍ଭାଳିଥିଲା ।ପାଠସାଠ ବି ଦି ଅକ୍ଷର ତ ପଢିଥିଲା, ହେଲେ ଚାଷବାସ ପ୍ରତି ତା’ର ଭାରି ନିଘା। ଗଛ ବୋଲି କୋଉ ଗଛଟା ତା ବାଡିରେ ଆଉ ନାହିଁକି ? ଦୁନିଆ ଯାକର ଯେତିକି ଗଛ, ସବୁ ପରା ତା’ ବାଡ଼ିରେ । ହେଲେ କୁଚକ୍ରାନ୍ତରେ ପଡି ବଡ଼ଟା ସବୁ ଉଜାଡ଼ି ଦେଲା। ସେଟା ତ ସୁଦ ଉପର ମୁହାଁ, ତେଣୁ ତା କଥା ନକହିଲେ ବରଂ ଭଲ। କେଉଁଠୁ ଗୋଟେ ପୁଚୁକାବାଲିକୁ ଘରେ ଆଣି ରଖିଛି। କାହାକୁ କିଛି ନକହି, ଭଲ ପାଇ ବାହା ହୋଇ ପଡ଼ିଛି। ସେ ଘର କଥା କି ଗାଁ କଥା କିଛି ବୁଝେ ନାହିଁମ ବାବୁ! ବାପା ମାଆ ଦିଟା କଷ୍ଟ କରି, ପିଲାଦିନରୁ ସହରରେ ରଖି ତାକୁ ପାଠ ପଢାଇଲେଯେ, ଏଟା କିନ୍ତୁ ସବୁ ଭୁଲି ଗଲା। ଆଚାରବିଚାର ଓ କୂଳବଂଶ ମର୍ଯ୍ୟାଦା ବୋଲି ତା’ପାଖରେ କିଛି ନାହିଁ। ସବୁ ଖାଇ ପୋଡି ଅଙ୍ଗାର କରିଦେଇଛି। ଘର ଢିଅ ପର୍ଯ୍ୟନ୍ତ ସବୁ ବିକି ଯିଏ ବାପ ଗୋସିବାପର ନାମ ନିଶାନ୍ ପର୍ଯ୍ୟନ୍ତ ମିଟେଇଦେଇଛି – ତାକୁ କ’ ଣ କହିବ । ଭାରି ହିଂସି କୁଟିଆଟା ।ସେଇମିତି ମାଆ ମଘା କାମ ବେଳକୁ ଆସିଥିଲା ଯେ , ପଇସା ପତ୍ର ତ କିଛି ଦେଲା ନାହିଁ ଦେଲା ନାହିଁ, ଓଲଟା ଭାଗବଣ୍ଟରା ଆଳରେ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲା। ଶେଷରେ ବାରଦିନଟାରେ ଘରୁ ବନ୍ଧୁବାନ୍ଧବ ସବୁ ବିଦାବିଦି ନହେଉଣୁ, ସ୍ତ୍ରୀକୁ ଧରି ଭୁବନେଶ୍ବର ପଳେଇଗଲା। ଏ ଗୋଟେ କଥା କି ହେ!
କିନ୍ତୁ ଏ ସାନ ଟୋକାଟା ଭିନ୍ନ୍ ଏକ ମଣିଷ, ଭାରି ଭଲ ପିଲାଟେ। ସବୁ କଥାକୁ ଦେହକୁ ନେଇ ମୁଳିଆ ଭଳିଆ ଖଟିବ। ଆମ ଗାଁର ସେ ପରା ସମସ୍ତଙ୍କର ପୁଅ ପୁତୁରା। କେହି ତାକୁ ଅଶ୍ରାଦ୍ଧା କରନ୍ତି ନାହିଁ । ସବୁ କାମକୁ ସେ ତ ଆଗ ଡାକରା। ତା ପାଇଁ ମନଟା ଯାହା ଛଟପଟ ହେଉଛି ନା, ସେ କଥାଟା ଆପଣ ବୁଝି ପାରିବେ ନାହିଁ। ସେ ପିଲାଙ୍କର ସୁଦାମା ଓ ଆମ୍ଭ ମାନଙ୍କର ନନ୍ଦଲାଲା କହ୍ନେୟା। ତା ଭଳି ପିଲା କୋଟିକରେ ଗୋଟେ ସିନା। “ଆଃ.. ଚୁ ଚୁ” ବୃଦ୍ଧ ଲୋକଟେ କହି ପକାଉଥାନ୍ତି। ସେ ଭାରି ବ୍ୟସ୍ତ ହେଉଥାନ୍ତି, ଯେମିତି ସେ ତା’ର ଆପଣାର କେହି।
ଏବେ କଥାଟା ବୁଝିବାକୁ ଆଉ କିଛି ବାକି ନଥିଲା। ଘଟଣାଟା ସତ ବୋଲି ହୃଦବୋଧ ହେବା ପରେ ଆତ୍ମାଟି ପ୍ରତି ଏମାନଙ୍କ ମନରେ ଥିବା ସନ୍ଦେହ ଓ ଭୟଭାବ ଧୀରେ ଧୀରେ ଦୂରୀଭୂତ ହେଉଥିଲା। ମନରେ ଏବେ ଦରଦ। ଦୟା ଓ କରୁଣାରେ ହୃଦୟ ବିଗଳିତ ହୋଇ ଯାଉଥାଏ। ସତକୁ ସତ ହେଇ ସୁରେଖା ଆଖିରୁ ତ ଦୁଇ ଠୋପା ଲୁହ ନିଗିଡି ପଡ଼ିଲାଣି। ତାକୁ ନ୍ୟାୟ ଦେବା ପାଇଁ ମନଟା ଚଞ୍ଚଳ ହୋଇ ଉଠୁଥାଏ। ସଙ୍କଳ୍ପ ମଧ୍ଯ ଦୃଢ଼ ହେବାକୁ ଲାଗିଲା। ହେଲେ ଅସଲ କଥାଟା ସେମାନଙ୍କୁ କହିବାକୁ, ରାମ ହରି ବାବୁଙ୍କର ସାହସ ନଥାଏ। ସେ ଖାଲି ଏତିକି କହିଲେ – “ମୋର କାହିଁକି ମନେ ହେଉଛି ତାକୁ ହୁଏତ କେହି ମାରିମୁରା ଦେଇ ପାରିଥାନ୍ତି ? ଏତିକି ଶୁଣି, ଗାଁ ଟୋକା ଗୁଡାକ ଭିଡ଼ି ଆସିଲେ। କହିଲେ -” ଅନାନି ବାବୁ! ଆମ ସୁଦାମା କଥା ସେମିତି କହିବେନି , ହଁ.. କହି ଦେଉଛୁ”। ବୟସ୍କମାନେ ମଧ୍ଯ କହିଲେ -” ସେ କାଳ କଥା ଗୁଡାକ ମୁହଁରେ ଧରନ୍ତିନି। ଆମ ସୁଦାମା ପରି ପିଲା ମିଳିବେ ନାହିଁ। ସେ ଯେମିତି ଶାନ୍ତ ସୁଧାର ସେମିତି ସବୁ କାମକୁ ଆଗଭର। ଗାଁର ଯାନିଯାତ୍ରା, ମହୋତ୍ସବ ଠାରୁ ଆରମ୍ଭ କରି ସବୁ କାମ ପରା ତା କାନ୍ଧ ଉପରେ – ଆମେ ଦେଇଥାଉ। ସବୁ ଭଲ କାମକୁ ଦେହ ପତେଇ ଦେବ। କାହାରି ଭଲମନ୍ଦ ହେଲେ ବୋହି ନେଇ ମେଡିକାଲକୁ ଧାଇଁବ। ରାତି ଅଧରେ ପରା ଘରୁ ଉଠି ଆସିବ। ଏପରି ପରୋପକାରୀ ପିଲା ଆମେ କାହିଁ ଆଉ କାହାକୁ ଦେଖିନାହୁଁ। ରାମହରି ବାବୁ କହିଲେ _”ତାହେଲେ ଆପଣମାନେ ତା’ର ଖୋଜ୍ ଖବର ନେଲେ ନାହଁ କାହିଁକି? ନହେଲେ ତ ଏଫ୍ ଆଇ. ଆର୍. ଦେଇ ପାରିଥାନ୍ତେ “। ସେମାନେ କହିଲେ -” ତା’ ବାପ ଭାଇ ତ ମୁଣ୍ଡ କାନ ହଲାଉ ନାହାଁନ୍ତି, ଆମେ ପର ମଣିଷ ଗୁଡାକ, ଆମ କଥା ବା କିଏ ଶୁଣିବ”? ସତ କଥା ଆମ ଆଇନ୍ କାନୁନ୍, ବିଧି ବ୍ୟବସ୍ଥା ଓ ଶାସନ ରୀତି ନୀତି ପରା ଏହିପରି କିଛି। କାହାକୁ କହିବ?” ବରଂ ଚୁପ୍ ରହେନା ସବସେ ଆଚ୍ଛା”-ଏହାହିଁ ସମସ୍ତଙ୍କର ଧାରଣା ।
ଶେଷରେ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଦେଇ ସେଠୁ ଏମାନେ ବିଦାୟ ନେଲେ। ହେଲେ ସେମାନଙ୍କୁ କହି ରଖିଲେ-” ମୁଁ କିନ୍ତୁ ଚୁପ୍ ହୋଇ ବସି ପାରିବି ନାହିଁ। ଏ ରହସ୍ୟର ମୂଳ ଯାଏଁ ନ ଗଲା ପର୍ଯ୍ୟନ୍ତ ଚେଷ୍ଟା କିନ୍ତୁ ଅବିରତ ଜାରି ରହିବ। ହେଲେ ଆବଶ୍ୟକ ପଡିଲେ, ଆପଣମାନେ ଖାଲି ଟିକିଏ ସାହାଯ୍ଯ ସହଯୋଗ କରିବେ”। ସମସ୍ତେ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ। ହାତ ହଲାଇ ବିଦାୟ ଦେଲେ।
ଏଥରକୁ ଗାଡି ଆସି ଲାଗିଲା ବଡ଼ ଖୁମ୍ବା ଫାଣ୍ଡି ଦ୍ଵାର ମୁହଁରେ। ନିଜ ପରିଚୟ ରଖି, ସବିଶେଷ ଘଟଣାକ୍ରମ ବିସ୍ତୃତ ଭାବରେ ବର୍ଣ୍ଣନା କଲେ। ସାହାଯ୍ଯ ଭିକ୍ଷା ବି କଲେ। ଅବଶ୍ୟ ସୈନ୍ୟ ବାହିନୀ କଥା ଶୁଣି ବଡ ବାବୁ ତାଙ୍କୁ ଚେୟାର ଖଣ୍ଡେ ଅଫର୍ କଲେ। ମାତ୍ର୍ ଘଟଣାଟା ଶୁଣି ଠୋ ଠୋ ହୋଇ ହସି ଉଠିଲେ। କହିଲେ – “ଆପଣଙ୍କ ଭଳି ଲୋକ ଯଦି ଭୂତ ପ୍ରେତ କଥା କହିବେ, ତେବେ ସାଧାରଣ ଲୋକ ଆହୁରି କ’ଣ ନକହିବେ? ଯାଆନ୍ତୁ! ଯାଆନ୍ତୁ!! ଏଗୁଡାକ ଆଉ କାହାକୁ ଶୁଣାଇବେ। ମୁଁ ଏଗୁଡାକ ସବୁ ବିଶ୍ବାସ କରେ ନାହିଁ। କାରଣ ଏହା ହେଉଛି ସମ୍ପୂର୍ଣ୍ଣ ଅନ୍ଧ ବିଶ୍ବାସ ଓ ଦୁର୍ବଳ ମାନସିକତାର ଫଳପ୍ରସୂ। ପୁଣି ଏହା କୌଣସି ନିର୍ଦ୍ଧିଷ୍ଠ ତଥ୍ୟ ଭିତ୍ତିକ ପ୍ରମାଣ ତ ହୋଇ ପାରେନା। ତା’ ଛଡା ଆଇନ କ’ଣ ଭୂତ ପ୍ରେତର ସାକ୍ଷ୍ୟ ନେବ ନା କ’ଣ? ଏଥିପାଇଁ ବି ଗୋଟେ ମାମଲା ରୁଜୁ ହେବା ନିତ୍ୟାନ୍ତ ଜରୁରୀ।ହେଲେ ଆପଣ କାହିଁକି ବା ତା’ ପାଇଁ ଏଫ୍.ଆଇ. ଆର୍. ଦେବେ? ଓଲଟା ଆପଣ ବି ଅସୁବିଧାରେ ପଡି ପାରନ୍ତି। ଟାଣିଓଟାରି ହୋଇ ଅଯଥା କେସ୍ ଭିତରେ ପଶିବା ଉଚିତ୍ ହେବ ନାହିଁ । ତାଛଡା ବିନା ସାକ୍ଷ୍ୟ ପ୍ରମାଣରେ ଗୋଟେ ଭୂତର କାହାଣୀ ଆଧାରରେ ତ ଆଉ ଏଫ୍. ଆଇ. ଆର୍. ହୋଇ ପାରିବ ନାହିଁ।ଏଥିପାଇଁ ବି ଦରକାର ଠୋସ୍ ସବୁତ ବା ପ୍ରମାଣ।ହୋଉ ଯଦି ବାଧ୍ୟ କରୁଛନ୍ତି, ଆପଣମାନେ ପ୍ରମାଣ ଯୋଗାଡ କରନ୍ତୁ, ମୁଁ ଦେଖିବି (I shall see) ।ଏଇ କଥାର କେଇ ମିନିଟ୍ ପରେ ପୁଣି କହିଲେ – “ଘଟଣାଟା ତ ଆପଣମାନଙ୍କ କହିବା ଅନୁସାରେ ଭୁବନେଶ୍ବରରେ ଘଟିଛି, ତେଣୁ ସେଇଠି ଏଫ୍. ଆଇ ଆର୍. ଦରଜ କରନ୍ତୁ। ଆମେ ପ୍ରକୃତ ପକ୍ଷେ କେସଟିକୁ ବିଚାର କରି ପାରିବୁ ନାହିଁ, କାରଣ ଆମ area of operation ବାହାରେ” ।
ମନଟା ଆହୁରି ଖରାପ ହୋଇ ଯାଉଥିଲା। ମନ ଦୁଖରେ ସମସ୍ତେ ଫେରିଲେ କଟକ। ଦୁଇ ଦିନର ଥକାନ ଥିବାରୁ ଆଉ କିଛି ଅଧିକା ଚିନ୍ତା କରି ହେବ ନାହିଁ। ଦେଖାଯାଉ ରାତି ପାହିଲେ କ’ଣ ହେଉଛି – ଏ କଥା ଭାବି, ସମସ୍ତେ ଶାନ୍ତିରେ ଶୋଇ ପଡିଲେ।
ରାତି ଦୁଇଟା କି ତିନିଟା ହେବ। ପୁଣି ସେହି ଯୁବକଟି ଅନ୍ଧକାର ବୁକୁ ଚିରି ପହଁନ୍ତରା ମାରିଲା ।ଖାଲି ଏପଟ ଓ ସେପଟ ହେଉଥାଏ। ଶେଷରେ ଝରକା ସେପଟେ ଖଟଟାକୁ ଲାଗି ଛିଡାହେଲା। ତା ମୁହଁରେ ସେ ବିଭତ୍ସତା ଆଉ ନଥିଲା, କି ଦୃଢତା। ହୃଦୟରେ ପ୍ରତିଭାତ ହେଉଥିଲା ବେଦନାର ଭାର। ମଳିନ ତା ମୁଖମଣ୍ଡଳ, ଅସ୍ପଷ୍ଟ ତା ଚେହେରା। ଖୁବ୍ ନମ୍ର, କିନ୍ତୁ ସୂକ୍ଷ୍ମ ତା ‘କଣ୍ଠ ସ୍ଵର। ମନଟା ତ ନିଶ୍ଚୟ କଷ୍ଟ ଥିଲା। କହିଲା – “କ’ଣ ମେଜର ସାହେବ! ଆମେ ହାରିଯିବା? ହାରିଯିବ ଆମ ସଙ୍କଳ୍ପ?? ନ୍ୟାୟ କ’ଣ ଆଜି ସତରେ ପରାହତ, ଏଇ ସାମାଜିକ ଓ ନ୍ୟାୟିକ ବିଧି ବ୍ୟବସ୍ଥା ଭିତରେ??? ଏଭଳି ପ୍ରଶ୍ନବାଣ ଭିତରେ କ୍ଷତିଗ୍ରସ୍ତ ହେଉଥିଲା ତାଙ୍କର ମସ୍ତିଷ୍କ। ବିବ୍ରତତାର ସ୍ପଷ୍ଟ ଚିହ୍ନ ବାରି ହୋଇ ପଡୁଥିଲା, ଶୀତୁଆ ରାତିରେ ବି ମସ୍ତକରେ ଉଇଁ ଆସୁଥିବା ବିନ୍ଦୁ ବିନ୍ଦୁ ଝାଳ ବୁନ୍ଦାରୁ। ସେ ନିଦରେ ଶୋଇ ବିଳିବିଳି ହୋଇ ଉଠିଲେ – “ହଁ.. ହଁ.. ମୁଁ ଦେବି.. ନ୍ୟାୟ” ।ପତ୍ନୀ “କ’ଣ ହେଲା “ଉଠି ପଚାରିବାରୁ, “ନାଇଁ କିଛି ନାହିଁ ଶୋଇ ପଡ଼” – କହି, କଥାଟାକୁ ବାଆଁରେଇ ଦେଲେ। ଆଖିକୁ ଆଉ ନିଦ ଆସୁ ନଥାଏ। ରାତ୍ରିର ଅଶାନ୍ତ ମନ ଶାନ୍ତ ବି ହୋଇ ନଥାଏ। ସକାଳୁ ଉଠିପଡ଼ି “ମୁଁ ଟିକିଏ ଭୁବନେଶ୍ୱରରୁ ଆସୁଛି” – କହି, ଗାଡିଟା ଖୋଲିଲେ। ବନ୍ଧୁ ଦୌଡ଼ି ଦୌଡ଼ି ଯାଇ ଗାଡିରେ ବସି ପଡିଲେ। ପତ୍ନୀ ପଛରୁ କହୁଥାନ୍ତି -” କି ଅଜବ ମଣିଷ, ନଖାଇ ନପିଇ ବାହାରି ପଡିଲେ। ଜୀବନଟା ସାରା ୟାଙ୍କ ପାଇଁ ମୁଁ ଖାଲି ମରୁଛି ହେଲେ ସେ ଯାହା ବୁଝିଥିବେ ସେୟା। କାହାକୁ କିଛି ଶୁଣିବେ ନାହିଁ। କେବଳ ଆଖିକୁ ଦେଖା ଯାଉଥିବ ମିଶନ “।
କ୍ରମଶଃ…
Mission Bbsr – – – – –

କ୍ରମଶଃ.. Part 4..(ଆହୁରି ବାକି)
ଚନ୍ଦକାରେ ଗୋଟିଏ ରାତି
—by ସତ୍ୟ ପ୍ରକାଶ ସେଠୀ
କଟକରୁ ଚନ୍ଦକା ଜଙ୍ଗଲ ଦେଇ ପୁଣି ଥରେ ଭୁବନେଶ୍ବର ଅଭିମୁଖେ ଯାତ୍ରା। ଇଚ୍ଛା – ଦୁଇ ଦିନ ତଳେ ଛାଡିଥିବା ରାସ୍ତାକୁ ଆଉ ଥରେ ପୁଣି ଭଲ ଭାବେ ଦେଖିବା। ଗାଡି ଚାଲିଥାଏ ଦୃତଗତିରେ । ସୁଲୁସୁଲୁ ବାଆ ପିଟୁଥାଏ ।ଶୀତୁଆ ସକାଳର ସୂର୍ଯ୍ୟ କିରଣ ଗୁଡ଼ାକ ବେଶ୍ ଚିକ୍ଚିକ୍ ହୋଇ ଦିଶୁଥାଏ। କେଉଁଠି କଦବାଏ ଗଛର ପତ୍ରଟାଏ ହଲୁଥାଏ ତ, ଆଉ କେଉଁଠି ବା କୁଆ କୋଇଲିଟିଏ ଉଡି ଯାଉଥାଏ। ବେଶ୍ ମନୋରମ ପରିବେଶ। ଗାଡି ମୋଟରର ପେଁ ପାଁ ବା ରାସ୍ତାଘାଟ ସେତେ ଗହଳିପୂର୍ଣ୍ଣ ନଥାଏ। ମନର ସେଦିନର ଉଦ୍ୱେଳନ ବା ମରିଯିବାର ଭୟ ମଧ୍ୟ କାହିଁ ମନକୁ ସେତେ କିଛି ବେଶୀ ଆଚ୍ଛାଦିତ କରି ପାରୁନଥାଏ। କିନ୍ତୁ ଯୁବକଟିର ଅନୁନୟ ଓ ବିନୟର ମହାମନ୍ତ୍ର ମନରୁ ତ ବିସ୍ମୃତ ହେଉନଥାଏ। ଠିକ୍ ଏତିକି ବେଳକୁ ଗୋଟେ ବଡ଼ ଅଜଣା ପକ୍ଷୀଟିଏ ଡେଣା ଦୁଇଟିର ପରକୁ ଉପରକୁ ଟେକି ଦେଇ ଓ ଲାଞ୍ଜଟାକୁ ଖୁବ୍ ଜୋହରରେ ହଲାଇ ଦେଇ ଫରରକିନା ଉଡ଼ି ଆକାଶକୁ ଉଠିଗଲା। ଦୃଷ୍ଟି ଆକର୍ଷଣ ହେବାରୁ ଚାହିଁଦେଲେ। ଆଜି ବନ୍ଧୁଙ୍କର ମଦ ନିଶାଟା ନଥିବାରୁ ମଧ୍ଯ ସେ ପାଖ ସିଟରେ ବସିଥିଲେ। କହିଲେ – “ଏହି ସେହି ପରିଚିତ ଜାଗା ବୋଧେ, ଯେଉଁଠି ଆମେ ସେଦିନ ଅଧାମରା ହୋଇଯାଇଥିଲେ” । ରାମହରି ବାବୁ ଗାଡିର ବ୍ରେକ୍ କଷିଲେ। କହିଲେ – “ହଁ ତ.. ଏ ହେଉଛି ସେହି ବରଗଛ ଓ ତାହାର ବର ଓହଳ” । ବିସ୍ମୟରେ ଚାହିଁଲେ।ଟିକିନିଖି ସବୁ ଅନୁଧ୍ୟାନ କଲେ। ଗଛଟି ତ ବହୁତ ଦିନର ପୁରୁଣା ମନେ ହେଉଛି। ମୋଟା ମୋଟା ଶିଙ୍କଡ, ବିରାଟକାୟ ଗଛ। କୋରଡଟିଏ ଓ ଆଉ କେତେକ ଚଢେଇର ବସା ମଧ୍ଯ ତାହାରି ଦେହରେ ଗୁନ୍ଥି ହୋଇଛି। ଗଛ ମୂଳରେ ବଡ଼ ହୁଙ୍କାଟିଏ ମଧ୍ଯ, କେତେ କେତେ ସାପଙ୍କର ବସା । ସେଇଠି ମଧ୍ଯ ଥାଏ ମେଣ୍ଢାମାରି କଣ୍ଟା ବୁଢ଼ଦାଟିଏ। ତା’ରି ପାଖକୁ ତ ପଥରରେ ହିଡ ହେଲା ପରି ଥୋଡେ ପଥର ଏକାଠି ହୋଇଛି। ଏହି ତେବେ କ’ଣ ଯୁବକଟିର ସମାଧୀ ପୀଠ ସ୍ଥାଳୀ? ସବିଶେଷ ପର୍ଯ୍ୟବେକ୍ଷଣ କଲେ। ଏଣେତେଣେ ଟିକିଏ ଘୂରି ଆସି ଗାଡିରେ ବସିଲେ। ବନ୍ଧୁ ତୁଚ୍ଛାଟାରେ ଛାନିଆ ହେଉଥାନ୍ତି, “ଚାଲ ଚାଲ” କହି ଅଯଥା ବ୍ୟସ୍ତ କରୁଥାନ୍ତି। ଡରଟା ତାଙ୍କ ମୁଣ୍ଡ ଭିତରୁ ଏଯାଏଁ ଓହ୍ଲାଇ ନଥାଏ କି କ’ଣ। ଏଣିକି ଗାଡିରେ ଗିୟର ପଡିଲା, ସିଧା ଯାଇ ପହଁଞ୍ଚିଲେ ପୋଲିସ୍ ମହା ନିର୍ଦ୍ଦେଶକଙ୍କ ପାଖରେ। ଯାହାଙ୍କୁ ତାଙ୍କର ଭେଟିବାର କାର୍ଯ୍ୟକ୍ରମ ପୂର୍ବ ସ୍ଥିରୀକୃତ ଥିଲା।ସେ ହେଉଛନ୍ତି ତାଙ୍କର ଜଣେ ପୁରୁଣା ସହକର୍ମୀ ମାନେ ବନ୍ଧୁ ଦିବେସଙ୍କ ନିକଟ ସମ୍ପର୍କୀୟ ବଡ଼ ଭାଇ। ସେତେବେଳକୁ ସେ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରି ମେଜର ସାହେବ ଭେଟିବା କଥା ଅବଗତ କରାଇ ସାରିଥାନ୍ତି। ଏଥର ମନ ମଧ୍ୟରେ କିଛିଟା ଆଶା ଓ ଭରସାର ସମ୍ଭାବନା ତୋଳୁଥିଲା ଏବଂ ଦୁର୍ଭାବନା ଧୀରେ ଘଟୁଥିଲା।
ପୋଲିସ୍ ମହା ନିର୍ଦ୍ଦେଶକ ଦରୱାନଠାରୁ ଚିରିକୁଟି ପାଇବା ମାତ୍ରେ ବଡ଼ ଆଦରପୂର୍ବକ ଭିତରକୁ ନିମନ୍ତ୍ରଣ ଦେଲେ। “ଚା କି କଫି”- ପଚାରିଲେ। ପିଆଇ ସାରି ଘଟଣାଟା ପଚାରି ବୁଝିଲେ। ସବୁ ଶୁଣି ସାରି ଟିକିଏ ଗମ୍ଭିର ହୋଇଗଲେ। କହିଲେ-” ହୁଁ.. Very interesting and mysterious also. ଆଚ୍ଛା ହୋଉ! ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ତାକୁ ନ୍ୟାୟ ନିଶ୍ଚିତ ଦେବା। ତଦନ୍ତ ଚାଲୁ। ଆମେ ନିଜ ଆଡୁ ମଧ୍ଯ ମାମଲା ରୁଜୁ କରି ପାରିଥାନ୍ତୁ, ହେଲେ ଆପଣ ଖଣ୍ଡେ ଲେଖିକି ଦେଇ ଦିଅନ୍ତୁ”। ଏହା କହି ବିଭିନ୍ନ୍ ଆଡକୁ ଡାଏଲ ଘୂରାଇଲେ। କହିଲେ- ” whatever may be, I want information by second half of the today. ତେଣିକି ତୁମେ ତା’ ଗାଁକୁ ଯାଅ ବା ଚନ୍ଦକା ଜଙ୍ଗଲ। ହେଲେ ଭୁବନେଶ୍ବରରେ ଏ ଟୋକାଟା କ’ଣ କରେ, କେଉଁଠି ରୁହେ ଆଗ ସେସବୁ ପତା କର। ଯେତେ ଅପରାଧିକ ଷଡଯନ୍ତ୍ର ମୂଳକ ମାମାଲା ବା ଫାଇଲ୍ ଅଛି ସବୁ ଘାଣ୍ଟ। ଦୋଷୀ ଯେତେ ଚାଲାକ ହେଉନା କାହିଁକି କେଉଁଠି ନା କେଉଁଠି ତ ଟିକେ ନିଶ୍ଚୟ ସୁରାକ୍ ଛାଡ଼ି ଯାଇଥିବ। କାଲି ସୁଧା action ମୁଁ ନେବାକୁ ଚାହୁଁଛି। ଗୋ ଏଣ୍ଡ୍ ପ୍ରୋସିଡ ଫାଷ୍ଟ, ଦ୍ୟାଟସ୍ ଦ ଫାଇନାଲ ଟୁ ଆଭଏଡ ଏନି ଡ୍ରାଷ୍ଟିକ୍ ଆକ୍ସନ ” ।
ଏହାପରେ ସ୍ମିତ ହସି ଏମାନଙ୍କ ଆଡକୁ ଚାହିଁ – “ଏବେ ଆପଣମାନେ ଆସିପାରନ୍ତି, but be sure, action ହେବ ।ଖାଲି ପୋଲିସ୍ ଷ୍ଟେସନରେ ଲେଖା ଖଣ୍ଡେ ଦେଇଦେବେ, ତେଣିକି ଯାହା ଲେଖନ୍ତୁ ପଛେ ଚଳିବ। କାରଣ କିଛି ଗୋଟେ ଆଧାର ହେବା ଦରକାର ତ” ।ଏତେବେଳକୁ ମନଟା ଟିକେ ଖୁସି ହୋଇ ଯାଉଥିଲା। ଦୁଇ ବନ୍ଧୁ ହସାହସି ହୋଇ ଶିଢି ତଳକୁ ଓହ୍ଲାଉ ଓହ୍ଲାଉ ବନ୍ଧୁ କହିଲେ-” ବାପରେ ବାପ! ଏ ପୋଲିସ୍ ଅଫିସର ଏତେ କଡା, ତୁମକୁ ବି ଦୋସ୍ତ ମାନିବାକୁ ହେବ – ତୁମେ ଭାରି ଯୋଗାଡିଆ “।
କଥା ହୋଇହୋଇ ଦୁଇ ବନ୍ଧୁ ଗାଡି ଭିତରକୁ ଆସିଗଲେ। ଏବେ ଲକ୍ଷ୍ୟ ପୋଲିସ୍ ଷ୍ଟେସନ୍ ଓ ଏଫ୍ ଆଇ. ଆର୍.।ଥାନାରେ ପହଁଞ୍ଚିବା ପରେ ଥାନା ଅଧିକାରୀ ବଡ଼ ଆଗ୍ରହ ଦେଖାଇଲେ। କାଗଜ କଲମ ମଧ୍ୟ ସବୁ ଦେଲେ- ଲେଖିବା ପାଇଁ। ଏଫ୍. ଆଇ. ଆର୍. ଲେଖାଗଲା।
ମାନନୀୟ!
ଶ୍ରୀଯୁକ୍ତ ____ଥାନା ଅଧିକାରୀ, ____ଥାନା, ଭୁବନେଶ୍ବର।

( ମହୋଦୟ… ସମୀପେଷୁ)
ବିଷୟ :ଅଭିଯୋଗ ଫର୍ଦ୍ଦ ଦାଖଲ ଓ ମାମଲା ରୁଜୁ ପାଇଁ ଅନୁରୋଧ
ମହାଶୟ!
ନିବେଦନର କାରଣ ଏହିକି, ମୁଁ ଶ୍ରୀ ରାମହରି ଲାଲ ଗୋସ୍ଵାମୀ, ପିତା :ଅବନୀ ବରାଳ, ସା/ପୋ :କୋଠାସାହି, କଟକ,ଓଡିଶା ବୟସ 47, ସଭାପତି – ସେବାମୁକ୍ତି ବୃଦ୍ଧାଶ୍ରମ, କଟକ। ମୁଁ ଜଣେ ଅବସରପ୍ରାପ୍ତ ଭାରତ ସୈନ୍ୟ ବାହିନୀର ଯୋଦ୍ଧା ସୈନିକ। ଉଚ୍ଚପଦସ୍ଥ ଅଧିକାରୀ କହିବାକୁ ମୋର ଇଚ୍ଛା ନାହିଁ। ଜୀବନରେ ଅନେକ ଘଟଣା ଦେଖିଛି ଓ ଖୁବ୍ ଅଭିଜ୍ଞତା ମଧ୍ୟ ଅର୍ଜ୍ଜନ କରିଛି। ଭାରତୀୟ ସମ୍ବିଧାନ ଓ ତହିଁରେ ପ୍ରଣୀତ ବିଧି ବ୍ୟବସ୍ଥା ପ୍ରତି ମୋର ପୂର୍ଣ୍ଣ ବିଶ୍ବାସ ରହିଛି । ଆଧୁନିକ ଶିକ୍ଷା ଓ ସଭ୍ୟତାକୁ ମଧ୍ୟ ଆଦରପୂର୍ବକ ସ୍ଵାଗତ କରେ। ହେଲେ ପ୍ରାଚୀନ ପରମ୍ପରା ଓ ସାମାଜିକ ଶୃଙ୍ଖଳକୁ ମୁଁ ଭୁଲି ପାରିନାହିଁ। ଭୂତପ୍ରେତ ସମ୍ପର୍କରେ ମଧ୍ଯ ମୋର କୌଣସି ଜ୍ଞାନଧାରଣା ନାହିଁ । ହେଲେ ବିଜ୍ଞାନ ଉପରେ metaphysics ବୋଲି ଗୋଟେ ଜିନିଷ ଅଛି, ଯାହାକି ବିଜ୍ଞାନର ଉର୍ଦ୍ଧ୍ବରେ ବା ତା’ ଉପରେ, ତାହାକୁ ତ ଆମେ ଅସ୍ୱୀକାର କରିପାରିବା ନାହିଁ। କାରଣ ବୈଜ୍ଞାନିକମାନେ ଏହାକୁ ପ୍ରମାଣସିଦ୍ଧ କରି ସାରି “ମେଟାଫିଜିକ୍ସ” ରୂପେ ଅଭିହିତ କରିଛନ୍ତି। ସେ ଯାହା ବି ହେଉ ଗୋଟେ ଘଟଣାକ୍ରମରେ ମୁଁ ଏପରି ଏକ ରହସ୍ୟମୟ ଅପମୃତ୍ୟୁ ଘଟଣା ସମ୍ପର୍କରେ ତଥ୍ଯ ସଂଗ୍ରହ କରିପାରିଛି। ଏହା ପ୍ରେତାତ୍ମାର ନିଜସ୍ୱ ମୁଖର ବୟାନ ହେଉ ବା ମୋର ଭ୍ରମ ଅବବୋଧ ନିୟମରେ ସତ୍ୟର ଉଜାଗର ହେଉ, କିନ୍ତୁ ଘଟଣାଟି ନିଶ୍ଚିତପକ୍ଷେ ସତ୍ୟ। କାରଣ ମୁଁ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇଛି। ଆପଣ ଘଟଣାଟିକୁ ତଦନ୍ତ ପରିସରଭୁକ୍ତ କରି ଫୁଙ୍ଖାନୁପୁଙ୍ଖ ତଦନ୍ତ କରି ସତ୍ୟାସତ୍ୟ ନିରୂପଣ କରି ପାରିଲେ, ନ୍ୟାୟ ଓ ଆଇନ୍ ବ୍ୟବସ୍ଥା ଉପରେ ତୁଟି ଯାଉଥିବା ସାଧାରଣ ଜନତାର ବିଶ୍ବାସ ଓ ଆସ୍ଥା ପୁନଃ ପ୍ରକଟ ହୋଇପାରିବ ବୋଲି ଆଶା । ଘଟଣାଟି ମୂଳତଃ କାହାଣୀ ଭଳି ପ୍ରତୀୟମାନ ହେଉଥିଲେ ହେଁ – ଏହା ହେଉଛି ଏକ ସତ୍ୟାନୁସନ୍ଧିତ୍ସୁର ସତ୍ୟାବଲୋକନ ଓ ସତ୍ୟ। ମୋର ପୂର୍ଣ୍ଣ ବିଶ୍ବାସ ଘଟଣାଟିର ତଦନ୍ତ ହେଲେ ସତ୍ୟ ନିଶ୍ଚୟ ପଦାକୁ ଆସିବ ଓ ଘଟଣାଟିର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ ହେବ। ଏଥିସହିତ ଅଧିକ ତଦନ୍ତ ହେଲେ ଭୁବନେଶ୍ବର ଉପକଣ୍ଠରେ ପ୍ରତ୍ୟହ ଘଟୁଥିବା ବହୁ ଅପରାଧିକ ମାମାଲାର ମଧ୍ଯ ସୁରାକ୍ କିଛି ମିଳି ପାରିବ ବୋଲି ମୋର ଦୃଢ ହୃଦ୍ ବିଶ୍ବାସ ହେଉଛି । ମୁଖ୍ୟ ଘଟଣାଟି ନିମ୍ନ୍ ପ୍ରକାରରେ ବର୍ଣ୍ଣିତ।
ସୁଦାମ ବେହେରା, ପିତା :ନିଧି ଘର :ବଡ଼ଖୁମ୍ବା ପାଟଣାଗଡ଼, ଜିଲ୍ଲା ଢେଙ୍କା, ରାଜ୍ଯ :ଓଡିଶା ଆଜକୁ ଦୀର୍ଘ ଦୁଇ ବର୍ଷ ହେବ କୁଆଡ଼େ ରହସ୍ୟଜନକ ଭାବେ ନିରୁର୍ଦ୍ଧିଷ୍ଟ ହୋଇଯାଇଛନ୍ତି। ତାଙ୍କୁ ସମସ୍ତେ ଭଲ ପାଆନ୍ତି, ତେଣୁ ତାଙ୍କର କେହି ନିର୍ଦ୍ଧିଷ୍ଟ ଭାବେ ଶତୃ ନାହାଁନ୍ତି। କେବଳ ତା’ର ବଡ଼ ଭାଇ ସୁକୁଟା ସହିତ ତା’ର ପାରିବାରିକ କଳହ ଓ ଜମିଜମାକୁ ନେଇ ଯାହା ଅନେକ ବାର ପାଟିତୁଣ୍ଡ ଓ ଗଣ୍ଡଗୋଳର ରୂପ ମାଡ଼ଗୋଳ ଯାଏଁ ଯାଇଛି। ତେଣୁ ଗାଁ ଲୋକ, ବନ୍ଧୁ ବାନ୍ଧବ ତଥା ଆତ୍ମୀୟସ୍ଵଜନଙ୍କ ବିଶ୍ବାସ – ଏପରି ଘଟଣା ମୂଳରେ ହୁଏତ ତା’ବଡ଼ ଭାଇର ହାତ ଥାଇପାରେ। ଏପରିକି ତାକୁ ଅପହରଣ କରି ନିଆ ଯାଇ ମାରି ଦେଇଥିବାର ସନ୍ଦେହ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେଣୁ ଏହାକୁ ଏକ ଅପମୃତ୍ୟୁ ବା ଅପହରଣ ମାମଲା ଭାବେ ଗ୍ରହଣ କରି ଘଟଣାର ତଦନ୍ତ ଓ ବିହିତ ପଦକ୍ଷେପ ନିମନ୍ତେ ସବିନୟ ଅନୁରୋଧ କରୁଅଛୁ। ପୁନଶ୍ଚ ବୃଦ୍ଧ ବାପା ନିରାଶ୍ରୟ ହୋଇ, ବଡ଼ ପୁଅ ଓ ବୋହୂଠାରୁ ନିର୍ଯ୍ୟତନାର ଦଶା ଭୋଗୁଛନ୍ତି। ତାଙ୍କୁ ସେଠୁ ଉଦ୍ଧାର କରାଯାଇ ଆମ ସଂସ୍ଥାରେ ଛଡାଯାଉ। ଏହା ଆମେ ସାମାଜିକ କର୍ମୀ ଓ ସେବା ସଂସ୍ଥାନର କର୍ମକର୍ତ୍ତା ଭାବେ ଆପଣଙ୍କ ଜରିଆରେ ସରକାରଙ୍କଠାରେ ଦାବୀ ଉପସ୍ଥାପନ କରୁଛୁ । ଆମେ ତାଙ୍କର ଭଲମନ୍ଦ ବୁଝିବା ସହିତ ତାଙ୍କର ସେବା ଶୁଶ୍ରୁଶା ଓ ହେପାଜତ ପାଇଁ ଦାୟୀଦାର ରହିବୁ।
ଏଣୁ ସବିନୟ ଅନୁରୋଧ, ଆପଣ ଦୟାପରୋବେଶ ହୋଇ ଏହାକୁ ଏକ ଏଫ୍.ଆଇ. ଆର୍. ରୂପେ ଗ୍ରହଣ କରି ବିଚାର କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବୁ।
(ଇତି)
ଆପଣଙ୍କର ବିଶ୍ୱସ୍ତ
ରାମହରି ଲାଲ ଗୋସ୍ଵାମୀ
ସଭାପତି
ମୁକ୍ତି ସେବା ବୃଦ୍ଧାଶ୍ରମ
ସ୍ଥାନ :ଭୁବନେଶ୍ବର
ତା 22/08 /1992 ରିଖ।

କ୍ରମଶଃ..part 5..read more..
ଚନ୍ଦକାରେ ଗୋଟେ ରାତି
–By ସତ୍ୟ ପ୍ରକାଶ ସେଠୀ
FIR ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ..
ଥାନାଧିକାରୀ ଅଭିଯୋଗ ପତ୍ରଟି ପାଇଲା ପରେ କାହିଁକି କେଜାଣି ସେ ବେଶ୍ ଉତ୍ସାହିତ ଥିଲା ପରି ମନେ ହେଉଥିଲେ। ସେ ଥରେ ନୂହେଁ ଦୁଇଥର ନୂହେଁ 5/7 ଥର ପଢ଼ି ସାରିଲେଣି। ଏପଟ ସେପଟ କରି ଖାଲି ଫର୍ଦ୍ଦଟାକୁ ଲେଉଟାଉ ଥାଆନ୍ତି। ଏଫ୍. ଆଇ. ଆର୍ କପିର ଏକକିତା ନକଲ ଓ ପ୍ରାପ୍ତି ସ୍ୱୀକାର ରସିଦ୍ ମଧ୍ୟ ମେଜର ସାହେବଙ୍କୁ ଧରେଇ ସାରିଥାନ୍ତି। କହିଲେ – “ଆପଣମାନଙ୍କ ପରି ସମାଜସେବୀର ଉଦ୍ୟମ କେବେ ବ୍ୟର୍ଥ ଯାଏ ନାହିଁ। ମୁଁ personal interest ନେଲି। ଏବେଠାରୁ ମୁଁ ସମସ୍ତ ଘଟଣାକ୍ରମ ଉପରେ ତିକ୍ଷ୍ଣ ନଜର ରଖୁଛି। ଆପଣ! ମୋ ଉପରେ ଭରସା ରଖନ୍ତୁ। ମୁଁ ମୋର ପ୍ରାଥମିକ ତଦନ୍ତ ଏବେ ଆରମ୍ଭ କରିଦେଲି। ହେଲେ ଆପଣଙ୍କୁ ଗୋଟେ ଅନୁରୋଧ-ତଦନ୍ତ ସରିବା ପର୍ଯ୍ୟନ୍ତ ଆପଣ ଏ ଘଟଣାକୁ ଆଉ ବିଶେଷ ପ୍ରଘଟ କରିବେ ନାହିଁ କି କାହା ଆଗରେ କହିବେ ନାହିଁ। ନହେଲେ ତଦନ୍ତ ପ୍ରକ୍ରିୟାରେ ଅଯଥା ବ୍ୟାଘାତ ସୃଷ୍ଟି ହେବାର ଢେର ସମ୍ଭାବନା ରହିଥାଏ। ତାଛଡା ସାକ୍ଷ୍ୟ ପ୍ରମାଣ ଆମ ହାତରେ ଲାଗିବା ପୂର୍ବରୁ ହୁଏତ ମୁଦାଲା ତାକୁ ସବୁ ନଷ୍ଟ କରିଦେଇପାରେ।। ଏଣିକି ପୋଲିସ୍ ଆଦବ କାଏଦାରେ ସେ ସବୁ କିଛି ହ୍ୟାଣ୍ଡେଲ କରୁଥାନ୍ତି । ଆମ ସହ ବାର୍ତ୍ତଳାପ ମାଧ୍ୟମରେ ମଧ୍ୟ କିଛି ତଥ୍ୟ ସେ ସଂଗ୍ରହ କରୁଥାନ୍ତି ଓ ଗୁରୁତ୍ଵପୂର୍ଣ୍ଣ ତଥ୍ୟଗୁଡିକୁ ଡାଇରୀରେ ଗାରେଇ ପକାଉଥାନ୍ତି। ଏକ ରକମର କ୍ରସ୍ ଜେରା।କିନ୍ତୁ ପ୍ରତିପକ୍ଷକୁ ବୁଝିବା- ଏତେଟା ସହଜ ହୁଏ ନାହିଁ। ମାନିବାକୁ ହେବ ପୋଲିସ୍ ମାନଙ୍କର ତରିକା-ତାହା ଏକ ଭିନ୍ନ ପ୍ରକାରର।
ଏଫ୍.ଆଇ. ଆର୍. କପି ତତକ୍ଷଣାତ ବଡ଼ଖୁମ୍ବା ପୋଲିସ୍ ଷ୍ଟେସନ୍ ଓ ପୋଲିସ୍ ହେଡ୍ କ୍ୱାଟରକୁ ପଠେଇଦେଲେ। କାହିଁକିନା ବଡ଼ ସାହେବଙ୍କ ନିର୍ଦ୍ଦେଶ ପରା ଥାଏ। ଠିକ୍ ଏତିକି ବେଳକୁ ବଡ଼ଖୁମ୍ବାରୁ ୱାରଲେସ୍ ଯୋଗେ ବାର୍ତ୍ତା ଆସିଲା। ସେ କଥା ହେଉଥାନ୍ତି, ସ୍ପଷ୍ଟ ସବୁ ବୁଝା ପଡ଼ୁଥାଏ। ବଡ଼ଖୁମ୍ବା ଅଧିକାରୀ କହୁଥାନ୍ତି – “ଘଟଣା ଓ ଚରିତ୍ର ଗୁଡିକ ପ୍ରାୟତଃ ଖାପ୍ ଖାଉଛ। କାରଣ ମୁଁ ନିଜେ ଯାଇ ଗାଁ ଚୌକିଆ ଓ ଲୋକମାନଙ୍କ ସହ ଆଲୋଚନା କରି ଫେରିଛି। କେବଳ ସେ ସୁକୁଟା ପ୍ରଧାନର ଭୁବନେଶ୍ବର ଠିକଣାଟା, ଆମର ଏଯାଏଁ ହସ୍ତଗତ ହୋଇ ପାରିନାହିଁ। ଆଉ ତା’ ଚାକିରୀ ସମ୍ପର୍କରେ ମଧ୍ଯ ବିଶେଷ କିଛି ତଥ୍ୟ ମିଳିପାରି ନାହିଁ। ଏ କଥାଟା ଆମେ ବଡ଼ ସାହେବଙ୍କୁ ଜଣାଇ ସାରିଛୁ। ମୋ ପାଖରେ ଯାହା ରିପୋର୍ଟ ମହଜୁଦ ଅଛି ତାହା ଆପଣଙ୍କ ଅବଗତି ନିମନ୍ତେ ପଠେଇ ଦେଉଛି। ତେଣିକି ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ you may think (ଆପଣ ଚିନ୍ତା କରିବେ)। ମୁଁ ତାଙ୍କର ବନ୍ଧୁବାନ୍ଧବ କେଇ ଜଣଙ୍କୁ ମଧ୍ଯ ଡକାଇଛି। ଖୁବ୍ ଶୀଘ୍ର ଆଡ୍ରେସଟା ପତା କରୁଛି “। ଏପଟରୁ ଉତ୍ତର ଗଲା -” ହେଲେ ଅପରାଧୀ ଯେପରି ସୁରାଗ ଟିକେ ବି ନପାଏ ସେଥିପ୍ରତି ଦୃଷ୍ଟି ଦେବେ। ସତର୍କତା ଏକାନ୍ତ ଅବଲମ୍ବନୀୟ “।
ହେଡ୍ କ୍ୱାଟାରରୁ ମଧ୍ଯ ନିର୍ଦ୍ଦେଶ ଆସିଲା – “ସେ ବାବୁ ମାନେ ଅଛନ୍ତି ନା ଗଲେଣି।ଶୀଘ୍ର ସେମାନଙ୍କୁ ବିଦା କରିଦିଅ। କ୍ରାଇମ୍ ବ୍ରାଞ୍ଚକୁ କହି ଦେଇଛି, ସେ ତୁମକୁ ସୁକୁଟା ପ୍ରଧାନର ଆତାପତା ସବୁ ସଂଗ୍ରହ କରି ପଠେଇବେ। ଆଉ ଲୋକଟାର movement ଉପରେ ମଧ୍ଯ ନଜର ରଖି, ତୁମକୁ ଖବର ଦେଉଥିବେ। ସେମାନଙ୍କ ସହିତ ଯୋଗାଯୋଗ ରକ୍ଷାକର। କହିବ ବଡ଼ ସାହେବ କହିଛନ୍ତି” ।
ଏତେବେଳକୁ ପୋଲିସ୍ ଡିପାର୍ଟମେଣ୍ଟର କାର୍ଯ୍ୟଶୈଳୀ ଓ ତତ୍ପରତା ଦେଖି, ସେମାନଙ୍କ ଉପରେ କିଛିଟା ଭରସା ଆସି ଯାଉଥିଲା। ମନରେ, ଭରି ଉଠୁଥିଲା ପ୍ରସନ୍ନତା ।ପୋଲିସ୍ ଅଧିକାରୀ ଗାଡି ବାହାର କଲେ। ସାଥିରେ ଗଣ୍ଡେ ଛଅଟା ବସେଇ କେଉଁଆଡ଼େ ଚାଲିଗଲେ। ଗଲା ବେଳେ କହିଗଲେ -” ଆପଣମାନେ ଏଥର ଆସିପାରନ୍ତି। ଆବଶ୍ୟକ ପଡ଼ିଲେ ଡକେଇବୁ। ଆପଣଙ୍କର kind cooperation ଟିକିଏ ଦରକାର, please, don’t mind, if disturbed. କାରଣ ଘଟଣାଟିକୁ ଆପଣମାନେ ତ ହିଁ ଭଲ ଭାବେ ବୁଝିଛନ୍ତି ” ।ରାମହରି ବାବୁ କହିଲେ – “don’t worry, be assured” .
ବନ୍ଧୁ ମଧ୍ଯ ମୁଣ୍ଡ ଟୁଙ୍ଗାରି ସମ୍ମତି ଦେଲେ। ପୋଲିସ୍ ଅଧିକାରୀ ଦଳେ ଅଧିକାରୀଙ୍କୁ ଧରି କେଉଁଆଡ଼େ ବାହାରି ଗଲେ। କୁହାକୁହି ହେଉଥାନ୍ତି -” ଆରେ ବସରେ! ବଡ଼ ସାହେବଙ୍କ ହୁକୁମ୍ ଅଛି, ଶୀଘ୍ରତା ପ୍ରକାଶ କରିବାକୁ ହେବ”।
ଏଥର ଏମାନେ ଫେରିଆସିଲେ କଟକ ଜାତୀୟ ରାଜପଥ ଦେଇ। ମନରେ ଅନେକଟା ଆଶ୍ୱସ୍ତି ।ଘଟଣାଟିର ଅଗ୍ରଗତି ବେଶ୍ ସନ୍ତୋଷଜନକ। ତଦନ୍ତ ପ୍ରକ୍ରିୟା କ୍ଷିପ୍ରବେଗମାନ ଅଶ୍ଵ ପରି ବେଶ୍ ଧାବମାନ । ପୋଲିସ୍ ବିଭାଗ ଆଗ୍ରହ ଦେଖାଉଥିବା ଜାଣି ଖୁସି ଲାଗୁଥାଏ।
ସନ୍ଧ୍ୟା ପୂର୍ବରୁ ଦୁଇ ବନ୍ଧୁ ଆସି ଘରେ ପହଂଚି ଗଲେ। ଆରମ୍ଭ ହେଲା ଚା ଜଳଖିଆର ପର୍ବ। ପତ୍ନୀ ସୁରେଖା ଘଟଣା ସମ୍ପର୍କରେ ସମସ୍ତ ପଚାରି ବୁଝୁଥାନ୍ତି। ସମସ୍ତଙ୍କ ମନରେ ପ୍ରସନ୍ନତା ଭରି ରହିଥାଏ। ଯାହାହେଉ ଯୁବକଟିକୁ ନ୍ୟାୟ ଦେବା ପାଇଁ ସେମାନେ ପହିଲେ ପହିଲେ କେତୋଟି କଦମ୍ ରଖି, ସଫଳତା ପାଇ ପାରିଛନ୍ତି। ଅବିଶ୍ରାନ୍ତ ଦୌଡ଼ାଦୌଡ଼ି ପରେ ଏବେ ସେମାନେ ଟିକିଏ ବିଶ୍ରାମ ନେବେ। ତେବେ ମନ ଖୋଲି ଟିକେ ହସାହସି ହେଲେ। ରାତି ହେଲାଠୁଁ ଖାଇପିଇ ଶାନ୍ତିରେ ନିଶ୍ଵାସ ନେଲେ। ନିଘୋଡ ନିଦରେ ପ୍ରଶାନ୍ତ ନିଳୟରେ ଶୋଇ ଗଲେ। ଉଠିଲା ବେଳକୁ ବିଳମ୍ବିତ ପ୍ରହର।ଭାବିଲେ – ଆଜି ଦିନଟା complete rest (ସମ୍ପୂର୍ଣ୍ଣ ବିଶ୍ରାମ)। ଯୁବକଟି ମଧ୍ଯ ଆଉ କାହିଁ କିଛି ଉତ୍ପାତ ତ କରୁନାହିଁ।ସିଏ ବି ବୋଧେ ବିଶ୍ରାମ ନେଉଛି। ବିଚରା! ଏଣେତେଣେ କେତେ ଧାଇଁଲାଣି ।
ଦିନକ ପରେ ଅଗ୍ରଗତି ସମ୍ପର୍କରେ ଖବର ନେଲାଠୁଁ କିଛି ନୂତନତ୍ବ ଲକ୍ଷ୍ୟ କରଗଲା
ଏବେ ବିଭିନ୍ନ ଆଡ଼ୁ ରିପୋର୍ଟ ଅଣାଯାଇ ମାଦଳା ପାଞ୍ଜି ହେଲାଣି। ଅନେକ ରହସ୍ୟ ଉନ୍ମୋଚନ ହେବାକୁ ଖାଲି ବାକି ରହିଥାଏ। ଅପରାଧିକ ଦୁନିଆରେ ଥରେ ପାଦ ଖସାଇଦେଲେ, କେତେବେଳ ଯେ ପାଦଟା ପଙ୍କିଳ ହୋଇଯାଇ ସେଥିରେ ଟାଣିଓଟାରି ହୋଇ ସେ ଗୋଳେଇ ପୋଳେଇ ପେଣ୍ଡୁଳା ହୋଇଯାଏ ତା’ର ନମୁନା ଓ ନଜାରା ହୁଏତ ଦେଖିବାକୁ ମିଳିପାରେ। ଏ କଥାଟା ତ ସେଦିନ ପୋଲିସ୍ ଅଧିକାରୀଙ୍କୁ ଫୋନ୍ କଲା ପରେ ଟିକିଏ ଆଭାସ ମିଳୁଥିଲା। ଏଥିରେ ପରା କ୍ରାଇମ୍ ବ୍ରାଞ୍ଚର କେତକ ଅଧିକାରୀ ମାନଙ୍କର ମଧ୍ୟ ସହାୟତା ଲୋଡ଼ା ଯାଇଛି। ଯେଉଁମାନେ କି ସବୁ ତଥ୍ଯ ଯୋଗାଇ ଦେଉଥାନ୍ତି। ତେଣୁ ବେଶ୍ ଉତ୍ସାହିତ ଥାନ୍ତି ପୋଲିସ୍ ଅଧିକାରୀ, ଯେ କିଛି ବଡ଼ ସଫଳତା ହୁଏତ ହାତକୁ ଲାଗିପାରେ।
“ଆଉ କିଛି କାମଧନ୍ଦା ଅଛି ନା ନାହିଁ, ଖାଲି ସେଇଥିରେ ଲାଗୁଥିବ? ସେପଟରେ ଆଶ୍ରମ କଣ ହେଲାଣି କିଛି ବୁଝିଛ କି ନାହିଁ??” – କହି ପତ୍ନୀ ଚିଲେଇବାରୁ ଚେତନାଟା ପଶିଲା। ତୁରନ୍ତ ବନ୍ଧୁଙ୍କୁ ଫୋନ୍ କଲେ। କହିଲେ – “ଆଶ୍ରମ ବୁଡି ଯିବନା କ’ଣ? ଆମେ ତ ଏପଟେ ବ୍ୟସ୍ତ ରହିଗଲେ। ସେପଟେ କ’ଣ ଯେ ହେବଣି କିଏ ଜାଣେ। ଶୀଘ୍ର ଚାଲ! ଯାଇ ସବୁକଥା ବୁଝି ଆସିବା” । ବନ୍ଧୁ ପହଂଚି ଯିବାରୁ ଆଶ୍ରମ ଯିବା ଆଗରୁ ଚର୍ଚ୍ଚାଟା ଜୋହର୍ ଧରିଲା ।ଆଗ ପ୍ଲାନ୍ ପ୍ରୋଗ୍ରାମଟା ଜରୁରୀ ନା….
କ୍ରମଶଃ… Episode 6- – – – – – – – – – – – – – – – – – – – – –

[23/08, 12:40] Satya Prakash Sethy: କ୍ରମଶଃ.. Episode 6.. ଅହୁରି ବାକି
ଚନ୍ଦକାରେ ଗୋଟେ ରାତି
—by ସତ୍ୟ ପ୍ରକାଶ ସେଠୀ
ଆଜି ତ ହାତରେ ବିଶେଷ କାମ ନଥାଏ, ତେଣୁ ସମସ୍ତେ ଡେରିରେ ଉଠିଥାନ୍ତି। ତଥାପି ଅଳସେଇ ଭିଡ଼ି ହେଉଥିଲା – ଦେହ। ତେଣୁ ଡାକରା ପଡିଲା – “ଟିକେ ଚା”। ଏଇ ସୁଯୋଗରେ ଦୁଇ ବନ୍ଧୁ ମଧ୍ୟରେ ଟିକିଏ ମଧୁର ଆଳାପ ବା ବାକ୍ ବିନିମୟ – ତେଣିକି ଯାହା କୁହନ୍ତୁ ଆପଣମାନେ । ଏଇଟା ତ ସେମାନଙ୍କର ପୁରୁଣା ଅଭ୍ୟାସ। ଆଜି ତ ତାଙ୍କର ଆଉ ଅନ୍ୟ କିଛି କାମ ନାହିଁ – ଖାଲି ଆଶ୍ରମ ବ୍ୟତୀତ। ଦୁଇ ତିନି ଦିନ ହେବ ସେମାନେ ଆଶ୍ରମ ଯାଇନାହାଁନ୍ତି। ଆଶ୍ରମରେ ନିଶିକାନ୍ତ ବାବୁ ଭାରି ବ୍ୟସ୍ତ ହେଉଥିବେ। ଏମାନଙ୍କୁ ତ ଦିନେ ନଦେଖିଲେ ତାଙ୍କ ମୁଣ୍ଡ ବାୟା।ସେ ଭାରି ଅପ୍ ସେଟ୍ ହୋଇଯାଇଥିବେ। କ’ଣ କରିବେ ବୁଢ଼ା ଲୋକ ତ ନିଜ ଦାୟିତ୍ଵ ନିଜେ ନେଇ ପାରୁନାହାଁନ୍ତି। ସେଇଥିରେ ପୁଣି ସବୁ ଦାୟିତ୍ଵ ତାଙ୍କରି ଉପରେ । ଆଶ୍ରମ ଚଳେଇବାଠୁଁ ଅନ୍ତେବାସୀଙ୍କର ଦାୟିତ୍ଵ ମାନେ internal administration.
ରାସନ ବଗେରା ସରି ଆସିବନି। ଆଜି ଆଗ ଆଶ୍ରମ ବୁଲି ଦେଖିବେ ତା’ ପରେ ଯାଇ ଯେଉଁ କଥା। ଅନ୍ତେବାସୀ ମାନଙ୍କର ସୁବିଧା ଅସୁବିଧା ପୁଣି ପଚାରି ବୁଝିବାକୁ ହେବ। ସୌଦାପାତି କିଛି ନଥିବ। ସବୁ କିଣି ଦେଇ ଆସିବାକୁ ହେବ। କ’ଣ ଜଣେ ଅଧେ ହୋଇଛନ୍ତି କି? ବୁଢ଼ାବୁଢ଼ୀ ମିଶିକିରି ପରା 75 ଜଣ କୁଟୁମ୍ବ ହେବେ । ପୁଣି ଦୁଇଟି section। ଗୋଟେ ବୃଦ୍ଧାମାନଙ୍କ ପାଇଁ ଓ ଅନ୍ୟଟି ବୃଦ୍ଧମାନଙ୍କର। ଏତେ ପ୍ରାଣୀ କୁଟୁମ୍ବକୁ ସମୟ ନଦେଲେ କିଏ ଦେବ କହୁ ନାହାଁନ୍ତି? ଘରୁ ପିଲାମାନଙ୍କଠାରୁ ତଡା ଖାଇ ତ ଏମାନେ ଶରଣାଗତ ହୋଇଛନ୍ତି, ସେମାନଙ୍କ ପ୍ରତି ଯତ୍ନବାନ ନହେଲେ ଅକାଳରେ ପ୍ରାଣବାୟୁ ସିନା ଉଡ଼ିଯିବ କିଛି ଲାଭ ହେବ ନାହିଁ। ତେଣୁ ଶୀଘ୍ର ଯାଇ ସେଠାରେ ପହଞ୍ଚିବାକୁ ହେବ। ଆହୁରି କେତେ ଜଣ ନୂଆ ଅତିଥି ମଧ୍ଯ ଆସିବାକୁ ଅଛି। ଖବର ଦେଇଛନ୍ତି। ସେମାନଙ୍କ ସମ୍ପର୍କରେ ତଥ୍ଯ ସଂଗ୍ରହ କରି କାଗଜାତ ସବୁ ପ୍ରସ୍ତୁତ କରିବାକୁ ହେବ। ଆଜିକାଲି ତ ଯେଉଁ critical ଯୁଗ, ଖାଲି କ’ଣ ବୃଦ୍ଧାଶ୍ରମ ଖୋଲିଦେଲେ ହେବ କି ? ସରକାରଙ୍କର ସବୁ କଟକଣା ମାନିବାକୁ ହେବ। ପୂରା ବାୟୋ ରଖିବାକୁ ପଡ଼ିବ । ତେଣୁ ଲେଖାପଢ଼ାଟା ଠିକସେ ନହେଲେ ସମସ୍ୟା ଅନେକ। ଆଇନଗତ ବ୍ୟବସ୍ଥାଟା ପରା ଭାରି ଅଡ଼ୁଆ।ସେଗୁଡାକ ସବୁ ମୁଣ୍ଡ ଲଗେଇ ପାରିଲେ ଭଲ। ଏ ଦୁଇଟିଯାକ ପ୍ରାଣୀ ଅହରହ ପରା ସେଇଥିରେ ଘାଣ୍ଟି ହେଉଛନ୍ତି। ଦଣ୍ଡେ ବିଶ୍ରାମ ନେବାକୁ ବି ତର ମିଳୁନାହିଁ। ପ୍ରତିଦିନ କୌଣସି ନା କୌଣସି ଗୋଟେ କାମରେ ବ୍ୟସ୍ତ। ଟିକିଏ ଫୁରୁସତ୍ ପାଇଲେ ପୁଣି ସେଇ ଜରାଶ୍ରମ। ସେଇ ସେମାନଙ୍କର ବସା ଘର ଓ ସ୍ଵପ୍ନର ଅମରାବତୀ । ଭୋକ ଶୋଷ ଭୁଲି ସେଇଠି ସେମାନେ ସମୟ ଦିଅନ୍ତି।
… ହେଲେ କାହିଁକି ମଣିଷ ଆଜି ଏତେ ନିରାଶ୍ରୟ ହୋଇ ପଡୁଛି? ତା’ର ସୁଖ ସମୃଦ୍ଧି କେଣେ ଲୁଟି ହୋଇଯାଉଛି?? ଏହା ହିଁ ଏକ ବିରାଟ ଅସମାଧିତ ପ୍ରଶ୍ନ। ଏହି ଅସମାହିତ ପ୍ରଶ୍ନର ହେତୁ ନିରୂପଣ ସକାଶେ ସମସ୍ତେ ସିନା ଚିନ୍ତିତ, ହେଲେ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ କାହିଁ କେହି ସେତେ ଆଗ୍ରହ ଦେଖାଉ ନାହାଁନ୍ତି। ଆଜି କାଲି ଯୁଗରେ ମଣିଷ କାହିଁକି ଏତେ ସ୍ୱାର୍ଥପର ହୋଇଯାଉଛି କେଜାଣି। ଯେଉଁଠି ଦେଖିବ ଘର ଘରକା କଳି। ଘରେଲୁ ହିଂସା ବା ପାରିବାରିକ ସମସ୍ୟା। ଯାହା ଆଜି ଉତ୍କଟ ରୂପ ଧାରଣ କରି ପାରିବାରିକ ସମ୍ପର୍କକୁ ପୋଡି ଖାଇଲାଣି। ମଣିଷକୁ ଏଠି ମଣିଷ ଚିହ୍ନିବା ସତରେ କଷ୍ଟକର ନୂହେଁ ଭାରି କାଠିକର ପାଠ ହେଲାଣି। ସେ କାଚ ନୂହେଁ କାଠର ଚଷମା ପିନ୍ଧି ଦୁନିଆଟାକୁ ଦେଖୁଛି। ତେଣୁ ତାକୁ ଭଲ ଜିନିଷ ଭେଲ ଦେଖାଯିବା ସ୍ୱାଭାବିକ। ସ୍ୱାର୍ଥାନ୍ଧ ମଣିଷ ଆଜି ସ୍ୱାର୍ଥସର୍ବସ୍ଵ ହୋଇଉଠିଛି। ମାୟାମମତା, ସ୍ନେହଶ୍ରଦ୍ଧା, ଆନ୍ତରିକତା ଓ ପରୋପକାରୀ ସେବାଗୁଣ ପରି ସୁଗୁଣାବଳୀ ଆଜି ଦୁଷ୍ପ୍ରାପ୍ଯପ୍ରାୟ ହୋଇ ଗଲାଣି। ଏବେକାର ସମସ୍ୟା ଗୋଟେ ହୋଇ ଆଉ ରହିନାହିଁ, ଅନେକ ଓ ବହୁବିଧ ତା’ର ରୂପ। ତେଣୁ ତା’ ର ହେତୁ ନିରୂପଣ କରିବାଟା କାହା ପକ୍ଷେ ଏତେଟା ସହଜ ହେଉନାହିଁ। ପରନ୍ତୁ ନିତ୍ୟ ନୂତନ ସମସ୍ୟା ସୃଷ୍ଟି ହୋଇଚାଲିଛି। ଆଜି ଭାଇ ଭାଇ ଭିତରେ କଳି, ଗାଁ ଗାଁ ଭିତରେ କଳହ ଓ ସମାଜ ସମାଜ ଭିତରେ ସଂଘର୍ଷ – ଏହିଭଳି ସମସ୍ୟା ବିବିଧ ଓ ବିଚିତ୍ର ବର୍ଣ୍ଣାଳୀରେ ବର୍ଣ୍ଣାଢ୍ୟ। ଗୋଟିଏ ସମସ୍ୟାର ସୀମା ସରହଦ ଶେଷ ହେବା ପୂର୍ବରୁ ଅନ୍ୟ ଏକ ସମସ୍ୟାର ପ୍ରାରବ୍ଧ ପରା ଟାଣି ହେଇଯାଉଛି ବା ଗୋଟିଏ ସମସ୍ୟାରୁ ନିସ୍କୃତି ମିଳିବା କ୍ଷଣି ଅନ୍ୟ ଗୋଟେ ସମସ୍ୟା ମୁଣ୍ଡ ଟେକୁଛି। ଫଳରେ ସେ ଏକଦମ୍ ନିରୁତ୍ସାହିତ ଓ ହତୋତ୍ସାହିତ ହୋଇ ପଡିବା ବ୍ୟତିରେକେ ତା’ ପାଖରେ ଅନ୍ୟ କିଛି ଉପାୟ ବା ବାଟ ରହୁନାହିଁ। ଲୋକ ଲୋକକୁ ଏଠି ପୋକ ମାଛି ପରି ମନେ କରୁଛନ୍ତି। ଘୃଣା, ବିଦ୍ୱେଷ, ପରଶ୍ରୀକାତରତା, ଓ ଅସହିଷ୍ଣୁ ପଣିଆ ତା’ର ଭେକ ପାଲଟିଛି। ଯାହା ତା’ର ଜୀବନ ପରିବୃତ୍ତ ଭିତରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇ ରହୁଛି। ସେଥିରୁ ସେ ମୁକୁଳି ପାରୁନାହିଁ ବା ମୁକୁଳିବାକୁ ମଧ୍ୟ ଚେଷ୍ଟା କରୁନାହିଁ।ଶେଷକୁ ସେସବୁ ମଣିଷ ସମାଜଟାକୁ ଗୋଟା ପୁଣି ଚଳୁ କରି ରଖି ଦେଲାଣି । ସ୍ୱାର୍ଥ ଲୋଲୁପତାର ଅଶରୀରି ଆତ୍ମା ତାକୁ ଗ୍ରାସ କରୁଛି। ଏତେବେଳେ ସେ ହିତାହିତ ଜ୍ଞାନ ହରାଇ, ସବୁ ଅସାମାଜିକ କାର୍ଯ୍ୟ କଳାପରେ ଲିପ୍ତ ରହୁଛି।” ମୁଁ ବଡ଼”ର ଆତ୍ମ ପ୍ରଚାର ଜୋହର୍ ଧରୁଛି ଓ ବଡ଼ ଲୋକ ଦେଖେଇ ହେବାର ସ୍ଵପ୍ନ ତାକୁ ଅବାସ୍ତବ ପରିକଳ୍ପନା ଭିତରକୁ ଠେଲି ଦେଉଛି। ସେ ଭୁଲି ଯାଇଛି ଯେ ବାସ୍ତବତା ହେଉଛି, ମଣିଷ ପଣିଆ। ମଣିଷକୁ ମଣିଷ ଭଲ ନପାଇ ପାରିଲେ, ଏତେ ବଡ଼ ଦୁନିଆରେ ତା’ର ପରିଚୟ କ’ଣ ଯେ ? ଏଇ ପ୍ରଶ୍ନ ବାରବର ସେ ନିଜକୁ ପଚାରୁ ନାହିଁ। ସେ ବୁଝୁ ନାହିଁ ମଣିଷ କୂଳରେ ତା’ର ଏଇଥିପାଇଁ ଜନ୍ମ ନୂହେଁ ଯେ, ସେ କେବଳ ପତି /ପତ୍ନୀ ଓ ପିଲା ଛୁଆଙ୍କୁ ନିଜର କରି ବଞ୍ଚିବ, ପରନ୍ତୁ ଏଇଥି ପାଇଁ ସେ ମଣିଷ କି, ସମଗ୍ର ଦୁନିଆକୁ ଆପଣାର କରି ଗଢି ତୋଳିବ। ନହେଲେ ବହୁ ଜନ୍ମ୍ ପରେ ମଣିଷ ଜନ୍ମ ପାଇ ତା’ର ସାର୍ଥକତା କ’ଣ?
ଦୁଇ ବନ୍ଧୁ ଏମିତି ନିରୋଳାରେ ଟିକେ ଏକାଠି ହେଲେ, ଏଭଳି କିଛି ସାମାଜିକ ତତ୍ତ୍ଵ ଉପରେ ବେଶ୍ କିଛି ଆଲୋଚନା କରିଥାନ୍ତି। ଯାହା ସେମାନଙ୍କୁ ଆଗାମୀ ଦିନରେ ପ୍ରକୃଷ୍ଠ କର୍ମ ପ୍ରେରଣା ଯୋଗାଇଥାଏ। ଫଳରେ ସାମାଜିକ ନ୍ୟାୟ ପାଇଁ ଲଢ଼ିବା, ଗରିବକୁ ଥଇଥାନ କରିବା, ନିରାଶ୍ରୟକୁ ଆଶ୍ରୟ ଦେବା, ବୃଦ୍ଧ /ବୃଦ୍ଧା ମାନଙ୍କୁ ନିରାପତ୍ତା ଆଶ୍ରୟ ସ୍ଥଳୀ ଯୋଗାଇଦେବା – ସେମାନଙ୍କର ପ୍ରାଥମିକତା ହୋଇଥାଏ।ସେଇ ତାଙ୍କର ସୁଖ, ସେଇଥିରେ ତାଙ୍କର ଶାନ୍ତି। ଏଡ଼େ ବଡ଼ ବୃହତ ଦୁନିଆରେ, ଯେଉଁଠି ସମସ୍ତେ ଆପଣା ହିତେ ବ୍ୟାପୃତ ସେଠି କେହି ତ ଜଣେ ପୁଣି ସାମାଜିକ କର୍ମ ଓ ଧର୍ମକୁ ଧ୍ୟାନରେ ରଖି ସମାଜର ହିତ ସକାଶେ ଭାବିବା ଉଚିତ୍ କି ନୁହେଁ? ତେଣୁ ଜନ ମଙ୍ଗଳ ଓ ଜନହିତୈଷି କାର୍ଯ୍ୟକ୍ରମରେ ନିଜକୁ ନିୟୋଯିତ କରି, ସେମାନେ ଆନନ୍ଦ ପାଆନ୍ତି। ଏଥିସହିତ ସେବା ଯୋଗାଇଦେବା ସକାଶେ ବିଭିନ୍ନ ପ୍ରକାର ଶିବିର ଓ ସଚେତନାତ୍ମକ କାର୍ଯୟକ୍ରମ ହାତକୁ ନେଇଥାନ୍ତି ପରା- ଏମାନେ । ରାତିରେ ବସି ଖସଡା ଓ ଚିଠା ପ୍ରସ୍ତୁତ ହୁଏ, ଦିନରେ ତାହାର ସଫଳ ରୂପାୟନ ପାଇଁ ବିଧିବଦ୍ଧ କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ।
ମିଲିଟାରୀ ଚାକିରୀରୁ ଇଚ୍ଛାଧୀନ ଅବସର ଘୋଷଣା କରି, ମେଜର ସାହେବ ଯେଉଁଦିନ ଘରେ ପହଞ୍ଚି ଥିଲେ, ସେଦିନ ପ୍ରଥମ କରି ତାଙ୍କୁ ଏହି ମନ୍ତ୍ର ଦେଇଥିଲେ ବନ୍ଧୁ ନିଶାନ୍ତ । ତେଣୁ ସେ ex serviceman କୋଟାରେ ପୁନଃ ନିଯୁକ୍ତିନେଇ ଆଉ ଚିନ୍ତା ନକରି ଏପରି ଏକ ସମାଜହିତକର କାର୍ଯ୍ୟରେ ମନ ବଳାଇଛନ୍ତି। ଲକ୍ଷ୍ୟ ସମାଜରୁ କଳୁଷି ରୂପକ ଅନ୍ଧକାର ଦୂରୀଭୂତ କରି ଏକ ନୂତନ ଆଲୋକରେ ସମସ୍ତଙ୍କୁ ଉଦ୍ଭାସିତ କରିବା।ଯହିଁ ନଥିବ “ତୁ – ମୁଁ “ର ଭେଦ ଭାବ, ଥିବ ଖାଲି “ଆମେ”ର ଭାବ ସର୍ବସ୍ଵ ।ସେଠି ସ୍ୱାର୍ଥର କଳୁଷ ନାଶ ଯାଉଥିବ ଖାଲି ଆତ୍ମିୟତାର ଆଲୋକେ। ସ୍ନେହ, ପ୍ରୀତି ଓ ମୈତ୍ରୀର ବାର୍ତ୍ତାବହି ଧରା ଅବତରୁ ଥିବ, ନୂତନ ମାନବ ସମାଜ।ତହୁଁ ସିନା ପ୍ରଗତିର ଡାକ ଶୁଭି ଯାଆନ୍ତା ସକଳ ଅନ୍ତରେ। ତେଣୁ ଲକ୍ଷ୍ୟ – ପାରସ୍ପାରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରି ଆସନ୍ତା କି? ଯେଉଁଠି ସମାଜ ଛିଡା ହୋଇଥିବ କେବଳ ତ୍ୟାଗପୂତ ମହିମା ମଣ୍ଡିତ ମହାନୀୟତା ଉପରେ । ମଣିଷକୁ ମଣିଷ ଭଲ ପାଇବାର ମହାମନ୍ତ୍ରେ ଅଭିମନ୍ତ୍ରିତ ହୋଇଥିବେ- ସକଳ ଜନତା। ଏହି ବିରାଟ ମାନବ ସମାଜ ସେଇ ମୁନିରୁଷିମାନଙ୍କର ଗୌରବାବହ ପରମ୍ପରାକୁ ଆପଣେଇ ନେଇ ସମଗ୍ର ବିଶ୍ୱକୁ ଅପଣାର କୁଟୁମ୍ବର ପରିକଳ୍ପନା ଭିତରେ ବାନ୍ଧି ରଖନ୍ତା କି? ଦେଖନ୍ତେ ସମସ୍ତେ କିପରି ମାନବ ସମାଜଟା କେତେ ସରସ ସୁନ୍ଦର ହୋଇ ଗଢି ନ ଉଠୁଛି ସତେ।
ଏହିଭଳି ଗପର ଖିଅ ଏମାନଙ୍କର ଥରେ ଆରମ୍ଭ ହେଲେ ସହଜରେ ଛିଡ଼େ ନାହିଁ। ଯେମିତି ଦୁନିଆଟା ସଚିତ୍ର ହୋଇ ଏମାନଙ୍କ ଆଖି ସାମ୍ନାରେ ନାଚି ଉଠେ। ପତ୍ନୀ ସୁରେଖା ରୋଷେଇ ଘରୁ ଉଠିଆସି ବିରକ୍ତ ହେଲେ – “ତୁମ ଭଳି ଗପୁଡା ଲୋକ ମୁଁ କାହିଁ ଦେଖିନାହିଁ? କିଏ କମ୍ କି? ଦୁହିଁଙ୍କୁ ଦୁହେଁ ଜୁଟିଲେ ପରା ସବୁ କାମ ଅଧାପନ୍ତରିଆ ହୋଇ ରହିବ। ଯାଅ! ଯାଅ!! ଶୀଘ୍ର ଯାଅ। ସେପଟେ ବୁଢ଼ା ମଣିଷ ଗୁଡାକ ଉପବାସ ଭୋକରେ ଥିବେ। ତୁମେ ସେମାନଙ୍କ କଥା ନ ବୁଝିଲେ, ଆଉ କିଏ ବୁଝିବ କହିଲ!
ଏତେବେଳେକୁ ସେମାନଙ୍କର ଧ୍ୟାନ ଭଗ୍ନ ହେଲେ। ବସିଲା ଜାଗାଠୁଁ ତତ୍କ୍ଷଣାତ୍ ଉଠି ସିଧାହେଲେ। ଚାଲିଲେ ଆଶ୍ରମକୁ। ବାଟରୁ ଯାହା ପାଇଲେ ଫଳମୂଳ ଓ ସୌଦାପାତି ସବୁ କିଣିଲେ। ସାମନାଷପତ୍ର ଓ ବାକି ଆସବାବପତ୍ର ମଧ୍ଯ କିଛି ଖରିଦ କଲେ। ଦୁଇ ତିନି ଦିନର, ନିଜ ଅନୁପସ୍ଥିତି ପାଇଁ ନିଜକୁ ବହୁତ ଦାୟୀ କରୁଥିଲେ-ମନେମନେ । ଆଶ୍ରମରେ ପହଞ୍ଚି ଦେଖିଲା ବେଳକୁ କାହାରି ମନରେ ସେତେ କିଛି ସରସତା ନାହିଁ। ସମସ୍ତଙ୍କ ମୁହଁ ହାଣ୍ଡି। ନିଶିକାନ୍ତ ବାବୁ ତ ମୁହଁ ଓହଳାଇ ବସିଥାନ୍ତି। ପଦୁଟିଏ ହେଲେତ କାହିଁ ଆଗ କଥା କହେଲେନି? ପାଖରେ ଯାଇ ଘସିନେସି ହେଲାଠୁଁ ପରେ କହିଲେ – “ତୁମେ ଦୁହିଁଙ୍କୁ ଦୁହେଁ କେହି ଆସିଲନି, ଜାଣିଛ ତ କେତେ ସମସ୍ୟା? ମୁଁ ଏକଲା ଏଡ଼େ ବଡ଼ ଅନୁଷ୍ଠାନର ଦାୟିତ୍ଵ କେମିତି ସମ୍ଭାଳିଥାନ୍ତି? ଯାଅ ଦେଖିବ! କାଲି ରାତିଠାରୁ କେହି ଖାଇ ନାହାଁନ୍ତି। ସମସ୍ତେ ହରତାଳ କରିଛନ୍ତି। ମୋ କଥା କେହି ଶୁଣିଲେ ନାହିଁ। ଓଲଟା କହିଲେ -” ରାମହରି ବାବୁଙ୍କୁ ନ ଦେଖିଲା ଯାଏଁ ଆମେ କେହି ଖାଇବୁ ନାହିଁ” ।ସମସ୍ତଙ୍କର ଭାଳେଣି – “ସେ କାହିଁକି ଆସିଲେ ନାହିଁ, ତାଙ୍କର କ’ଣ କିଛି ଅସୁବିଧା ହୋଇଛି କି “? ମୁଁ ତ ସହଜେ ନିଜେ ବୁଢ଼ା ଲୋକ, ନିଜକୁ ସମ୍ଭାଳିବା କଷ୍ଟ। ପୁଣି କ’ଣ କହି ସେମାନଙ୍କୁ ଶାନ୍ତ୍ୱନା ଦେଇଥାନ୍ତି ଯେ? ରାମହରି ବାବୁ ପରିସ୍ଥିତିଟାକୁ ଆୟତ୍ତ କରି ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ନିଜସ୍ଵ ଢଙ୍ଗରେ ଭାବାବେଗରୁ ପଦେ ଗାଇଉଠିଲେ –
ଯାଇଥିଲି ଆଜି ବୃଦ୍ଧାଶ୍ରମକୁ ତ
ଦେଖିଲି ଅନାଥ କେତେ
ନୟନୁ ଗଡିଲା ଲୋତକର ଧାର
ଭାରି କଷ୍ଟ ହେଲା ମୋତେ।।
କାହିଁକି ଈଶ୍ଵର ଏମିତିକା କରେ
ସୁଖ ନେଇ ଦୁଃଖ ଦେଲେ
କ’ଣଟେ ଯେ ମିଳେ ସେଇ ଏକା ଜାଣେ
ହୃଦ ବିଦାରିତ କଲେ।।
ବଧାଇ ଦେବି ମୁଁ ପରିଚାଳକଙ୍କୁ
ସ୍ନେହ ଶ୍ରଦ୍ଧା ପାରାବାରେ
ପାଳିଛନ୍ତି ଯିଏ ଅନାଥ ଜନଙ୍କୁ
ଅତି ଯତ୍ନ ସହକାରେ।।
ସମସ୍ତ ଅନ୍ତେବାସୀ ଧାଇଁ ଆସି ଏକା ସ୍ଵରରେ ତାଙ୍କ ସ୍ଵର ସହିତ ସ୍ଵର ମିଳାଇ ଗାଇଉଠିଲେ। ସମସ୍ତଙ୍କ ଆଖିରୁ ବହୁଥିଲା ଲୋତକରଧାର ଝରଝର ଲୁହ । ପରସ୍ପରେ ପରସ୍ପର କୋଳାକୋଳି ହୋଇ, ଦଣ୍ଡେ ବାଣ୍ଟିଥିଲେ ସୁଖ ଦୁଃଖ – ମିଶି। ପରିବେଶରେ ଭରି ଉଠୁଥିଲା ଭାବୁକତା। ଆତ୍ମିକତା ରଜ୍ଜୁରେ ସମସ୍ତେ ବାନ୍ଧି ହୋଇଗଲେ – କ୍ଷଣକେ ।
କୁଆଡ଼େ ଯାଇଥିଲ କାହିଁକି ଆସି ନଥିଲ ପ୍ରଶ୍ନର ଉତ୍ତରରେ ଆଗତ ହେଲା ଯୁବକଟିର କାହାଣୀ। ସମସ୍ତେ ସମ୍ବେଦନଶୀଳ ହୋଇ ଉଠୁଥିଲେ। କହିଲେ – “ହଁ ଆମେ ସମସ୍ତେ ମିଶି ନ୍ୟାୟ ଦେବା। ଶୀଘ୍ର ଯାଇ ନେଇ ଆସ ଆମର ନବାଗତ ଅତିଥି – ଯୁବକଟିର ବାପା।
କ୍ରମଶଃ ପଢ଼ନ୍ତୁ… Coming part 7 with a beautiful sorrowful narration but don’t forget to keep your opinion please…
[23/08, 12:40] Satya Prakash Sethy: କ୍ରମଶଃ… Episode 7(ଅହୁରି ବାକି)
ଚନ୍ଦକାରେ ଗୋଟେ ରାତି
–by ସତ୍ୟ ପ୍ରକାଶ ସେଠୀ ସେବାମୁକ୍ତି ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳୀ । ପରିବେଶ ଏକାନ୍ତ ମନୋରମ । ସର୍ବତ୍ର ଶାନ୍ତି ବିରାଜମାନ । ଏଠି କଠୋର ଅନୁଶାସନର ଅଙ୍କୁଶ ନାହିଁ କି ନିର୍ଦ୍ଦିଷ୍ଟ ଧରବନ୍ଧା କାମ । ଯାହା ବି ଯେତିକି କାମ ଥାଏ, ପରସ୍ପରେ ହାତ ବାଣ୍ଟି ନିଅନ୍ତି, ନିଜ ଇଚ୍ଛାରେ ସମସ୍ତେ ସବୁ କାମ କରନ୍ତି । ନିଜ ପାଇଁ ନିଜେ କାମ ବାଣ୍ଟନ୍ତି । କେହି କାହାକୁ କିଛି କହନ୍ତି ନାହିଁ କି ବାଧ୍ୟ କରନ୍ତି ନାହିଁ । ନିଜ ଜୀବନ ନିଜ ଉପରେ ବୋଝ ହୁଏ ନାହିଁ; କି କେହି କାହା ଉପରେ ବୋଝ ହୁଅନ୍ତି ନାହିଁ । କାହାରି କିଛି ଆପତ୍ତି ଅଭିଯୋଗ ନଥାଏ, ପ୍ରତ୍ୟେକ ପରସ୍ପରକୁ ଅକୁଣ୍ଠ ଚିତ୍ତରେ ସେବା ଯତ୍ନ ଯୋଗାଇ ଦିଅନ୍ତି । ବାକି ସମୟଟା ବେଶ୍ ଉପଭୋଗ କରନ୍ତି । ସାଙ୍ଗାସାଥୀ ଗହଣରେ ସୁଖ ଦୁଃଖ ହୁଅନ୍ତି । ସମୟଟା କେଉଁବାଟେ ବିତିଯାଏ, ଜଣାପଡ଼େ ନାହିଁ । ଲାଇବ୍ରେରୀ, ଖେଳ ଓ ମନୋରଂଜନ ସାମଗ୍ରୀ ସବୁ କିଛି ଉପଲବ୍ଧ । ମ୍ୟାଗାଜିନ୍ ସମ୍ବାଦପତ୍ର ପୁଣି ଟେଲିଭିଜନ ଇଣ୍ଟାନେଟର ବ୍ୟବସ୍ଥା, କାହାରି କିଛି ଅସୁବିଧା ରହେ ନାହିଁ ।ରାମହରି ବାବୁ ଓ ନିଶାନ୍ତ କେତେବେଳୁ ଚାଲିଗଲେଣି। ଆଶ୍ରମର କୁଳପତି ବା ତତ୍ତ୍ୱାବଧାରକ ସେଇ ଏକା ନିଶିକାନ୍ତ ବାବୁ, ଏକାଏକା ଏଡ଼େ ବଡ଼ ଆଶ୍ରମଟାର ବୋଝଟାକୁ ମୁଣ୍ଡେଇ ଏକଲା ବସିଥାନ୍ତି।

ଦିପହର ଉଦୁଉଦିଆ ଖରାବେଳ । ଅଗଣାରେ ଚୌକିଟାଏ ପକାଇ, ନିଶିକାନ୍ତ ବାବୁ ଏକୁଟିଆ ବସି ପଡ଼ିଥାନ୍ତି । ହଠାତ୍ କଳରବ କରି, ଦଳେ ପକ୍ଷୀ ଆକାଶରେ ଉଡ଼ିଗଲେ । ଆକାଶଟାକୁ ଚାହିଁ ଦେଇ, ନିଶିକାନ୍ତ ବାବୁ କ’ଣ ଭାବିଲେ କେଜାଣି;ହଠାତ୍ ଗମ୍ଭୀର ହୋଇ ଉଠିଲେ । ମନଟା ଯେମିତି ଅଶାନ୍ତ ହୋଇଗଲା ।ମଣିଷର ଶୈଶବ ଠାରୁ ବୃଦ୍ଧା ଯାଏଁ ବିଭିନ୍ନ ଅବସ୍ଥା ସହିତ ଦିବସର ସକାଳଠାରୁ ରାତି ଯାଏଁ ବିଭିନ୍ନ୍ ଘଡିକୁ ସେ ତର୍କଣା କରି ଦେଖୁଥିଲେ। ପୁଣି କେତେବେଳେ ପକ୍ଷୀ ସହ ମଣିଷକୁ ତୁଳାନାତ୍ମକ ବିଚାର କରି ବିଭିନ୍ନ୍ ଚିନ୍ତାଧାରା ଓ ଭାବାଭିବ୍ଯକ୍ତି ଘଟୁଥିଲା।

କ୍ରମଶଃ ! ଦିବସ ପରେ ରଜନୀ ଆସିଲା । ଦିବସର ପ୍ରଚଣ୍ଡ ରୌଦ୍ର କ୍ଳିଷ୍ଟ କ୍ଲାନ୍ତି ପରେ , ତନ୍ଦ୍ରାର ଆଳସ୍ୟ; ମେଘମୁକ୍ତ ଆକାଶ; ଚନ୍ଦ୍ରସ୍ନାତା ରଜନୀ; ପୁଷ୍ପର ସୁବାସିତ ସୁଶୀତଳ ସମୀରଣ; ଆଖିରେ ପରଳ ପରଳ ନିଦର ଛାଇ । ସାଥୀ ସହଯୋଗୀମାନେ ଯିଏ ଯୁଆଡ଼େ ଶୋଇପଡ଼ିଲେଣି । ଏଥର ନିଶିକାନ୍ତ ବାବୁ ନିଜ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କଲେ । ଝରକା ଖୋଲି ଦେଇ, ପଙ୍ଖାର ଗତିଟା ଟିକିଏ ବଢାଇ ଦେଲେ । ଲାଇଟଟା ଲିଭାଇ ଦେଇ ବିଛଣାରେ ଲେପଟିକି ପଡ଼ିଗଲେ ।

ଦିବସର ଅଶାନ୍ତ ମନ ଏଯାଏଁ ପ୍ରଶମିତ ହୋଇନଥାଏ । ବିଛଣାରେ ପଡ଼ିରହି ସେ ଖାଲି ଛଟପଟ ହେବାକୁ ଲାଗୁଥିଲେ । ସ୍ଥିର ନିଶ୍ଚେତ ଆଦୌ ହୋଇପାରୁନଥାନ୍ତି। ତେଣୁ କେତେ ଭାବନା ଆସି ମୁଣ୍ଡ ଟେକୁଥାଏ । ଜୀବନ ଦୁର୍ବିସହ ହୋଇଉଠୁଥାଏ – “ମଣିଷ କାହିଁକି ବନ୍ଧନରେ ବାନ୍ଧିହୋଇ ଏମିତି ଛଟପଟ ହୁଏ । ସବୁଠି କାରାଗାରର ନିବୁଜ କୋଠାରୀ; ଯେଉଁଠି ଜୀବନର ସମସ୍ତ ସ୍ୱାଧୀନତା ବିଲୁପ୍ତ ପ୍ରାୟ । ଜୀବନର ସ୍ୱାଭାବିକ ବିକାଶରେ ବ୍ୟାହାତ ଘଟେ, ତା’ଠାରୁ ବରଂ ଭଲ ଆକାଶରେ ବିହଙ୍ଗଟିଏ । କି ସୁନ୍ଦର ତା’ର ଡ଼େଣା ଦୁଇଟି । ଯେଉଁଠିକି ଇଛା କରେ ସେଇଠିକି ସେ ଉଡ଼ିଯାଏ । ଖୁମ୍ପେ ଖାଇ, ପୁଣି ସେଠାରୁ ଚାଲିଯାଏ । କିଏ ବା ତା’କୁ ଅଟକାଇ ରଖିପାରେ ? କିନ୍ତୁ ମଣିଷ ? ମଣିଷ କାହିଁକି ଏମିତି ବନ୍ଧନରେ ବାନ୍ଧି ହୋଇ ଛଟପଟ ହୁଏ । ପରାଧୀନତାର ବେଡ଼ି ମାଡ଼ିମାଡ଼ି ଯାଏ । ଜୀବନଟା ସ୍ୱର୍ଣ୍ଣ ପଞୁରୀରେ କଏଦୀ ସାଜେ । ପରାଧୀନ ରହି ସେ ଜୀବନ ଜୀଏଁ ।

ଏଥର ନିଶିକାନ୍ତ ବାବୁ ସବୁ ଭୁଲି, ଶୋଇବାକୁ ପୁଣି ପ୍ରଯନ୍ନ କଲେ । କିନ୍ତୁ ଆଖି ସାମ୍ନାରେ ଭାସି ଉଠୁଥାଏ – କେତେ ଯେ ବର୍ଣ୍ଣିଳ ଛବି । ସ୍ୱପ୍ନରେ ସେ ଖାଲି ବିଳବିଳି ହେଉଥାନ୍ତି……..

ହଠାତ୍ ସକାଳର ଶିଶୁଟିଏ ଧାଇଁ ଆସିଲା । ଆଇନାଟା ଟାଣିଆଣି ତଳେ ପକାଇ ଭାଙ୍ଗିଦେଲା । ମା’ ନେଇ ଖଟରେ ଖଟେଇ ଦେଲା । ସେ ବିକଳରେ ରାହା ଛାଡ଼ି କାନ୍ଦି ଉଠିଲା । ନିଶିକାନ୍ତ ବାବୁ ପିଲାଟାକୁ ଡ଼ାକିଲେ- ‘ଏ ପିଲା ମୋ କୋଳକୁ ଆ’ । ସେ ଆସିଲା ନାହିଁ, ସେଇଠି ଶୋଇ ପଡ଼ିଲା । ଉଠିଲା ବେଳକୁ ଦିପହର ।

ନିଶିକାନ୍ତ ବାବୁଙ୍କର ମନେ ପଡ଼ିଗଲା – ସେଦିନ ମା’ କହୁଥିଲା- “ସେ ମା’ ପେଟରୁ ଭୂମିଷ୍ଠ ହୋଇ, ଯେତେବେଳେ ସୃଷ୍ଟିର ପହିଲୁ ସୂର୍ଯ୍ୟ କିରଣ ଦେଖିଲା; କେମିତି ସେ ଚିରାଡ଼ି ଛାଡ଼ି କାନ୍ଦି ଉଠୁଥିଲା; ଆଉ ମନେ ମନେ ସତେକି କହୁଥିଲା- “ମୋତେ କାହିଁକି ଜନମ ଦେଲ, ଭଗବାନ ?” ସତେକି ଭଗବାନ ଠାରେ ସେ ପ୍ରତିବାଦର ସ୍ୱର ହାଣି ତୁହାଇ ତୁହାଇ କାନ୍ଦୁଥିଲା, ଆଉ ପଚାରୁଥିଲା- ମୋତେ କାହିଁକି ବନ୍ଧନରେ ନିଗୂଢ ଫାଶରେ ଅହରହ ଏମିତି ବାନ୍ଧୁଛ? ଦୁଃଖ-ସୁଖର ସଂସାର ପ୍ରତି ମୋର ଆସକ୍ତି ନାହିଁ । ମୁଁ ଗୋଟାଏ ସୁନ୍ଦର ଆତ୍ମା । ମୁକ୍ତ ରହିବାକୁ ଚାହେଁ, ଶରୀରର ଗମ୍ବୁଜ ଭିତରେ ମୁଁ ଅଣନିଶ୍ୱାସୀ ହୋଇଯିବି ପରା?

କ୍ରମଶଃ ସେ ବଢିବାକୁ ଲାଗିଲା । ଯେତେ ଯେତେ ତା’ର ବୟଃ ବୃଦ୍ଧି ହେଉଥାଏ, ସମସ୍ତେ ଅଙ୍କୁଶର ଲଗାମଟାକୁ ଆଉ ଟିକିଏ ଜୋହର କରି ଭିଡ଼ି ଦେଉଥାନ୍ତି । ତା’ର ଶିଶୁମନ ଚାହୁଥାଁଏ – “ସେ ସବୁ ଟାଣି ଆଣନ୍ତା କି ? ଘରସାରା ଜିନିଷ ଗଦେଇ ଖେଳନ୍ତା ।” ମା’ ପାଟି କରି ଉଠେ-” ଧର’ନା, ଭାଙ୍ଗିଯିବ ।” କାନ୍ଦିଲେ- “ଚୁପ୍ ପାଟି କରନା”- ଧମକାଏ । ବେଶି ନଟଖଟ କଲେ ହାତଗୋଡ଼ ବାନ୍ଧି ଝୁଲିରେ ପକେଇ ଦିଏ । ଏଥର ସେ ଆଉ ଟିକିଏ ବଡ଼ ହୋଇଗଲା । ଚାଲି ଶିଖିଲା । ସବୁ ପାରିଲା । ମନ ଜିଜ୍ଞାସୁ ହୋଇ ଉଠିଲା । ସବୁ ଜାଣିବାକୁ ଇଚ୍ଛା କଲା । ବାପା ମିଛ କହି ଠକି ଦେଲେ । ଆକାଶର ଚନ୍ଦ୍ରକୁ – “ଜହ୍ନ ମାମୁଁ”, ତାରାକୁ – ‘ତାରାରାଣୀ’ କହିଲେ । ମନ ଜମାରୁ ବୁଝିଲା ନାହିଁ’ ।

ଏଥର ମୁକ୍ତ ଭାବେ ଦରାଣ୍ଡି ଘରସାରା ଖେଳିବାକୁ ଇଚ୍ଛା ହେଲା । ପୁଣି କେତେବେଳେ ଦାଣ୍ଡରେ ଖେଳିବାକୁ ମନ ଚାହେଁ । ପରିବାରର ଲୋକ ସତର୍କ ହୋଇ ଯାଆନ୍ତି । ଜଗି ଯାଆନ୍ତି, ଆରମ୍ଭ ହୋଇଯାଏ “ଏଟା କରନା, ସେଟା କରନା, ଆମକୁ ନପଚାରି କୁଆଡ଼େ ଯାଅନା”ର – ନାଟକ । ସଦର ଫାଟକ ତା’ପାଇଁ ବନ୍ଦ ରହେ । ପୁଣି ଦାଣ୍ଡ ଦରଜା କେତେବେଳେ ପଡ଼ିଯାଏ । ଇଚ୍ଛା ହେଉଥାଏ- ଉଚ୍ଚତା ପାଇ ଯାଆନ୍ତା କି; ଖିଡ଼ିକୀଟା ଖୋଲି ଚାଲି ଯାଆନ୍ତା, ଦୁନିଆଟାକୁ ଭଲ ଭାବେ ଦେଖନ୍ତା । କିନ୍ତୁ, ଏମିତି ହୁଏ ନାହିଁ । ତା’ର ପିଲାମନ ବିଦ୍ରୋହ କରି ଉଠେ । ହେଲେ ପ୍ରତିବାଦ କରିପାରେ ନାହିଁ । ତେଣୁ ଶୈଶବେ, ପିତା-ମାତା- ଗୁରୁଜନଙ୍କର କଠୋର ଅନୁଶାସନ ଭିତରେ ଜୀବନ ତା’ର ଅସହ୍ୟ ଯନ୍ତ୍ରଣାରେ ଭରିଯାଏ ।

ଏଥର ସେ ପରିବାରର କାରାଗାର ଛାଡ଼ି ଗୁରୁକୁଳ ଆଶ୍ରମର କାରାଗାରକୁ ଗଲା । ସେଠି ମଧ୍ୟ ଗୁରୁଜୀ ଅଙ୍କୁଶର ଲଗାମ ଲଗାନ୍ତି । ଧରାବନ୍ଧା ଗୁଳାରେ ଚାଲିବାକୁ କହନ୍ତି । ବେତ ଦେଖାଇ ଶାସନ କରନ୍ତି । ଟିକିଏ ବିଗିଡ଼ି ଗଲେ ପଟାସ୍ କିନା ଗାଲରେ ଗୋଟେ କଷି ଦିଅନ୍ତି । “ସେମିତି ନୁହେଁ, ଏମିତି ନୁହେଁ”ର କାହାଣୀ ଶୁଣାନ୍ତି । ସେ ମନେମନେ ଭାବେ – “ଏ ବୁଢା ମାଷ୍ଟ୍ରଟାକୁ କ’ଣ ସବୁ ନିୟମ କାନୁନ ଜଣା କି? ତା’ହେଲେ ଇଏ କ’ଣ ବୃହସ୍ପତି ?” ସେଦିନ ସେ ସ୍ଲେଟଟା ଭାଙ୍ଗିଦେଲା । ଗୁରୁଜୀ ଏକ ଗୋଡ଼ିଆ କରି ଛିଡ଼ା କରେଇ ଦେଲେ । ଘରକୁ ଫେରି ବହିପତର ଫିଙ୍ଗି ଦେଇ, ତରତରରେ କ’ଣ ଦି’ଟା ଖାଇ ଦେଇ; ସିଧା ଚାଲିଲା ବ୍ୟାଟ୍ ଧରି । ବାପା ଅଫିସରୁ ଫେରି ଗାଳି କଲେ, କହିଲେ – “ସିଧା ଯାଇ ପଢା ଟେବୁଲ ପାଖେ ବସ୍” । ହୋମୱାର୍କ ସାରି, କାର୍ଟୁନ ଚ୍ୟାନେଲ୍ ଦେଖିବାକୁ ଟି.ଭି. ଖୋଲିଲା । ମା କହିଲା – “ଖାଇ ପିଇ ଧିରିକି ଶୋ”, ସକାଳୁ ସ୍କୁଲ ଯିବୁ” । ଭୋର୍ ଭୋର୍ ସମୟର ନିଦଟା ଭାରି ମିଠା କି କ’ଣ, ନିଦଟା ଖାଲି ଘୋଟି ଆସୁଥାଏ । ଅପା ବିଛଣାରୁ ଘୋସାରି ପକାଇଲା । କହିଲା – “ଝଅଟ ଉଠ୍, ସ୍କୁଲ ଟାଇମ୍ ହୋଇଗଲାଣି” । ଏମିତି ଧରାବନ୍ଧା ଗୁଳା ଭିତରେ ଜୀବନ ବେଶ୍ କିଛି ଦିନ ଧାଇଁଲା । ନୀତି ନିୟମର ଶୃଙ୍ଖଳ ଭିତରେ ଜୀବନ କେମିତି ଦୁର୍ବିସହ ହୋଇ ଉଠୁଥାଏ ।

ଏଥର କଡ଼ ଲେଉଟାଇ ନିଶିକାନ୍ତ ବାବୁ ବୁଲି ପଡ଼ିଲେ । ଦେଖିଲା ବେଳକୁ ଆଖି ସାମ୍ନାରେ ଦିପହରର ଯୁବକଟିଏ; ପଥରମୁଣ୍ଡିଆଟେ ପରି ବସିପଡ଼ିଛି । ଯେମିତି ତା’ଭିତରେ ଯୁଗ ଯୁଗର ବ୍ୟଥା- କିଏ ଭରି ଦେଇଛି । ନିଶିକାନ୍ତ ବାବୁ କହିଲେ – “ଏ ଯୁବକ! ଏଠି କାହିଁକି ବସିଛ? ତୁମର କ’ଣ ହୋଇଛି?? ଏଥର ଯୁବକ କହିଲେ- “ମୁଁ ଆଉ ପାରୁ ନାହିଁ ଆଜ୍ଞା । ଥକ୍କା ହୋଇ ବିଶ୍ରାମ ନେଉଛି । ଯନ୍ତ୍ରଣା ଢେର ହେଲା, ଜୀବନ ଅସହ୍ୟ ହୋଇ ଉଠିଲାଣି । ମୋ ଭିତରେ ଅନେକ ଦୁଃଖ । କାହାକୁ ମୁଁ କହିପାରୁ ନାହିଁ । ନିଶିକାକ୍ତ କହିଲେ- “ମୋତେ କୁହ ମୁଁ କାହାକୁ କହିବି ନାହିଁ” । ଏଥର ଯୁବକ କହିଲେ – “ହେଉ ତା ହେଲେ ଶୁଣ…. ।

“କ୍ରମେ ମୋର ବୟସ ବୃଦ୍ଧି ହେଲା ଉତ୍ତାରୁ, ଯୌବନ ମୁଣ୍ଡ ଟୁଙ୍ଗାରିଲା । ବନ୍ଧୁ ବାନ୍ଧବ ଭିଡ଼ି ଆସିଲେ । ସାଥୀଟିଏ ଖୋଜି ବେକରେ ରଶି ପକାଇ ଦେଲେ । ଏଥର ଜୀବନର ଅସଲି ମଜା ଆସିଗଲା । ସ୍ତ୍ରୀ’ର ତାଗିଦ୍ ଶୁଣି ଶୁଣି ମୁଁ ଏକଦମ୍ ତାଜୁବ୍ ହୋଇଗଲି । ଦିନକର କଥା – “ମୁଁ ଟିକିଏ କ’ଣ ରାଗି କରି କହିଦେଲି; ପତ୍ନୀର ତୋଡ଼ ଆଉ କିଏ ସମ୍ଭାଳେ? ସମସ୍ତେ ଖାଇପିଇ ଭାତ ପଖାଳି ଦେଲେ । ଡ଼ାକିଲେ ନାହିଁ; ଶୋଇ ପଡ଼ିଲେ । ମୁଁ ଭୋକରେ ଛଟପଟ ହୋଇ ରହିଲି” । ଯୌବନରେ ସଂସାର ଜଂଜାଳର ନିର୍ମମ ପ୍ରହାର ସହେ । କର୍ମଭୟ ଜୀବନ ଭିତରେ ଜୀବନ ହଜେ, ପରାଧୀନତାର ବେଢି ମାଡ଼ିମାଡ଼ି ଆସେ । କର୍ମ କ୍ଷେତ୍ରରେ କର୍ମାଧିପତି ଓ ପରିବାରରେ ପିଲା ଛୁଆଙ୍କର ଦାବି ବଢିବଢି ଯାଏ । ଅନ୍ୟର ଇସାରାରେ ମୁଁ ଧାଇଁବାକୁ ବାଧ୍ୟ ହୁଏ । ସେଦିନ ଅଫିସରର କଥା ଶୁଣିଲି ନାହିଁ; ସଙ୍ଗେ ସଙ୍ଗେ ପ୍ରୋସିଡ଼ିଙ୍ଗ ଓ ତା’ପରେ ସସ୍ପେଣ୍ଡ , ଚାକିରିରୀରୁ ହାତ ଧୋଇ ଘରେ ବସିଲି” ।

“ଏବେ ଆଉ ଧରାବନ୍ଧା କାମ ହାତରେ ନଥାଏ । ତେଣୁ ମୁଁ ସମାଜରେ ମିଶିଲି, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରେ ଯୋଗଦେଲି । ସେଠି ମଧ୍ୟ କର୍ତ୍ତବ୍ୟର ଦ୍ୱାହିଦେଇ, ବଳଦିଆ ରଥ ଦଉଡ଼ିରେ, ଗୁଡ଼ାଇ ତୁଡ଼ାଇ ବାନ୍ଧି ଦେଲେ । ସେଥିରୁ ବିଚ୍ୟୁତ ହେଲେ ରକ୍ଷା ନାହିଁ। ସେଦିନ ସମାଜର ନୀତି ନିୟମ ଭାଙ୍ଗିବା ଅପରାଧରେ ୩ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଲେ। ଏଠି ଯେଣୁ ନିଜ ଇଚ୍ଛାରେ ମରିହୁଏ ନାହିଁ; ବଂଚିବା ବି ବଡ଼ କଷ୍ଟଦାୟକ । ହସିବା, କାନ୍ଦିବା ସବୁ ବନ୍ଦ । କୌଣସି କଥା ନ ପଚାରି କିଛି ହୁଏ ନାହିଁ; ଅନୁମତିଟା ଅତି ପ୍ରୟୋଜନ ।

ନିଶିକାନ୍ତ ବାବୁ ଏତେବେଳକୁ ନିଜ ଭାବନା ଭିତରେ ବୁଡ଼ି ଯାଇଥାନ୍ତି । ଦେଖିଲା ବେଳକୁ ଯୁବକ ସେଠୁ ଉଠି କୁଆଡ଼େ ଚାଲି ଯାଇଥାଏ । ନିଶିକାନ୍ତ ବାବୁ ଆଖିବୁଜି ଦରାଣ୍ଡି ହେଉଥାନ୍ତି । ହଠାତ୍ ଆଖି ଯାଇ ସଂନ୍ଧ୍ୟାର ଗୋଟାଏ ବୃଦ୍ଧଠିଁ ଲାଖିଗଲା । ନିଶିକାନ୍ତବାବୁ ମନେ ପକାଉଥାନ୍ତି- “ୟା’ଙ୍କୁ ବୋଧେ କେଉଁଠି ଦେଖିଛି” । ବୃଦ୍ଧଙ୍କୁ ପଚାରିଲେ – “ମୁଁ ତୁମକୁ ଆଗରୁ ବୋଧେ କେଉଁଠି ଦେଖିଛି”? “ଦେଖିଥିବେ ମୁଁ ଆଉ ଏବେ ସେଠି ରହୁନାହିଁ, ଛୁଆପିଲା ତଡ଼ି ଦେଲେ ଯେ ନିର୍ବାସନ ଦଣ୍ଡ ଭୋଗୁଛି । ସେମାନେ ଏ ବୁଢାଟାର ଭାରବହନ କରିବାକୁ ଅସମର୍ଥ ହେବାରୁ ମନ୍ଦିରରେ ରହୁଛି । ଫୁଲ ତୋଳି ହାର ଗୁନ୍ଥେ । ପୂଜା ସାମଗ୍ରୀ ସଜାଡ଼ି ଡ଼ାଲାରେ ରଖେ । ଚନ୍ଦନ ଘୋରିକି ମୂର୍ତ୍ତିରେ ଲଗାଏ, ମନ୍ଦିରକୁ ଯିଏ ଆସେ ପାଦୁକା ଚଖାଏ । ଭୋଗ ବାଣ୍ଟେ । ମନ୍ଦିରରୁ ଖାଇ ପିଇ ପେଟେ କୁଟୀରକୁ ଫେରେ, ରାତିଟା ଉପରକୁ ଚାହିଁ ଚାହିଁ କଟିଯାଏ । ପୁଣି ସକାଳ ହେଲେ ସେଇଠିକି ଚାଲିଯାଏ । ଲୋକ କହନ୍ତି “ଠାକୁବାପା”, ତାହାରି ଭିତରେ ମୁଁ ହଜି ଯାଏ । ଏଥର ଚମ ଧୁଡ଼ୁ ଧୁଡ଼ୁ ହେଲାଣି, ମୁଖ ମଣ୍ଡଳରୁ କାନ୍ତି ତ କେବେ ଠାରୁ ଉଭାନ୍। ଥର ଥର ହୋଇ ବାଡ଼ି ଧରି ବାଟ ଚାଲେ । ଆଉ କୌଣସି କାମକୁ ପାରୁନାହିଁ । ହଠାତ୍ ମନ୍ଦିର ମହନ୍ତ ଡ଼ାକି କହିଲେ- “କିଛି କାମକୁ ତୁମେ ପାରୁ ନାହଁ। ଆଗରେ ବସି ଭିକ୍ଷା ମାଗି , ଆମକୁ ଦିଅ; ଖାଇବାକୁ ଗଣ୍ଡେ ମିଳିବ । ନୋହିଲେ ଏଠୁ ଚାଳିଯାଅ ।” ସଂଧ୍ୟା ହେଲାଣି ଏଇଠି ବସି ପଡ଼ିଛି । ‘କଣ କରିବି’ – ଭାବୁଛି । ନିଶିକାନ୍ତ ବାକୁ ପଚାରିଲେ – ‘କଣ ଭାବିଲେ?

– “ହଁ”

– “କଣ ?”

– “ମୋର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିକୁ ନେଇ ବାର୍ଦ୍ଧକ୍ୟ ଆଶ୍ରୟସ୍ଥଳୀ ଗଢିବି । ଟ୍ରଷ୍ଟ ଗଢିବି, କେତେ ବୃଦ୍ଧ ବୃଦ୍ଧା ଆଶ୍ରୟ ନେଇ, ଶାନ୍ତିରେ ନିଶ୍ୱାସ ନେବେ ।”

ହଠାତ୍ ସାଙ୍ଗ ସାଥିମାନେ ମର୍ଣ୍ଣିଂଙ୍ଗ ୱାର୍କର ଯିବା ପାଇଁ କବାଟ ବାଡ଼େଇଲେ । ଧଡ଼ ପଡ଼ ହୋଇ ନିଶିକାନ୍ତ ବାବୁ ବିଛଣାରୁ ଉଠି ପଡ଼ିଲେ । ଆଖି ମଳି ମଳି ନିଦରୁ ଉଠିଲେ । କିନ୍ତୁ ଏତେବେଳକୁ ସେମାନେ ସମସ୍ତେ ଚାଲିଯାଇଥା’ନ୍ତି ।

ଜୀବନଟା ଏଇମିତି ଧାଏଁ। ଆମେ ବି ସମସ୍ତେ ଧାଆଁନ୍ତି ସୀମାହୀନ ଅସୀମ ଯାତ୍ରା ପଥେ। ଅସୀମ ଅନନ୍ତ ସେ ଯାତ୍ରା।

Episode 8…
ଚନ୍ଦକାରେ ଗୋଟେ ରାତି
—-By ସତ୍ୟ ପ୍ରକାଶ ସେଠୀ
ଏବେ ସମସ୍ତ ଅନ୍ତେବାସୀ ପୁଣି ଆଶ୍ରମ ଫେରି ଆସିଲେଣି। ନିଜନିଜ ନିତ୍ୟକର୍ମ ସାରି ସମସ୍ତେ ଖିଆପିଆ କଲେଣି। ହେଲେ ନିଶିକାନ୍ତ ବାବୁ? ନିଶିକାନ୍ତ ବାବୁ ଏଯାଏଁ ବିଛଣାରୁ ଉଠି ନାହାଁନ୍ତି।ତାଙ୍କର କ’ଣ ହୋଇଛି କି? ସମସ୍ତେ ଫେରିଆସିଲା ପରେ ସେ ତ ଥରେ ଉଠି ବାହାରକୁ ଆସିଥିଲେ। ସମସ୍ତଙ୍କୁ ଥରୁଟିଏ ଖାଲି ଚାହିଁଦେଇ, ପୁଣି କ’ଣ ଦରୱାଜା ଆଉଜେଇ ଦେଇ, ରୁମ୍ ଟା ଭିତରେ ଏକଦମ୍ ପଶି ରହିଛନ୍ତି ? ତାଙ୍କର କ’ଣ ଦେହ ଭଲ ନାହିଁ କି? ସକାଳେ ମର୍ଣ୍ଣିଂ ୱାକରେ ବି ତ ଗଲେ ନାହିଁ।
ତେଣୁ ଜଣଙ୍କ ପରେ ଜଣେ ରୁମ୍ ଭିତରକୁ ପଶି ଆସି ପଚାରିବାକୁ ଲାଗିଲେଣି। ଏଥର ସମସ୍ତ ଅନ୍ତେବାସୀ ତାଙ୍କ ପାଖକୁ ଆସିଗଲେ। ତଥାପି ନିଶିକାନ୍ତ ବାବୁ ନିରୁତ୍ତର ।ବେଶୀ ପଚାରିଲାଠୁଁ ପାଟି ଖୋଲିଲେ। ହେଲେ ମୁଖ ମଣ୍ଡଳ ପୂରା ଶୁଖି ଯାଇଥାଏ। ସେ ବେଶ୍ ଭାବଗମ୍ଭିର ଜଣାପଡୁଥାନ୍ତି। ସତେକି ଜଣାପଡୁଥାନ୍ତି, ସେ କେଉଁ ଏକ ବିଶାଳ ସମସ୍ୟାରେ ବୁଡ଼ି ରହି ତା’ର ସମାଧାନର ରାହା ଖୋଜୁଥାନ୍ତି। କହିଲେ – “କାହିଁକି ଆପଣମାନେ ମୋତେ ଏତେ ବିରକ୍ତ କରୁଛନ୍ତି?କହିଲି ପରା କିଛି ହୋଇନି, ମୁଁ ଟିକିଏ ନିରୋଳାରେ ରହିବାକୁ ଚାହେଁ। ମୋତେ ଆପଣମାନେ ଏକଲା ଛାଡନ୍ତୁ। କହିଲେ – ମୁଁ ଶାନ୍ତିକୁ ଖୋଜୁଛି।ଖୋଜି ଖୋଜି ହତାଶ ହେଲିଣି, କାହିଁ କେଉଁଠି ତ ପାଉନାହିଁ ।ଅଛିକି ତୁମ ପାଖେ ସେ ଶାନ୍ତିର ଠିକଣା? ଦେଇକି ପାରିବ କେହି ମୋତେ ତା ଠିକଣା “?
ତଥାପି ସମସ୍ତେ ଚୁପ୍ ।ହୁଏତ କାହା ପାଖେ ଥାଏ କି ନଥାଏ ତା ଉତ୍ତର। ଏଥର ସେ ଆହୁରି କହୁଥିଲେ ମୁଁ ଗତ କାଲି ରାତିରେ ଶୋଇ ଶୋଇ ଏକଲା ଭାବୁ ଥିଲି ଆଉ ଜୀବନର ବାସ୍ତବତା ବୁଝିଛି।ଯେମିତି ବୁଝିଥିଲେ ସେମିତି ବୁଝେଇବାକୁ ଚେଷ୍ଟା କରୁଥାନ୍ତି। ଶୈଶବରୁ ବାର୍ଦ୍ଧକ୍ଯ ଜରା ଯାଏଁ ମଣିଷର ଅଷ୍ଟ ଅବସ୍ଥା ସହ ସକାଳୁ ରାତି ପାହିଲା ଯାଏଁ ସମୟର ଅଷ୍ଟ ପ୍ରହର ସହ ତର୍କଣା କରି ଜୀବନର ଅଙ୍କ କଷୁଥିଲେ। ତେଣୁ ଜୀବନର ଏଡ଼େ ବଡ଼ ସତ୍ୟ ଉଦଘାଟନ ହେଲା ପରେ “ଜୀବନର ବାସ୍ତବତା କ’ଣ” ସେ ଠିକ୍ ବୁଝିଛନ୍ତି। ସେ ଗୋଟେ ସୁନ୍ଦର ଆତ୍ମା। ତେଣୁ ମୁକ୍ତ ବିହଙ୍ଗ ପରି ରହି ଘୂରି ବୁଲିବାକୁ ଚାହାଁନ୍ତି। ଏ ବନ୍ଧନ ଢେର୍ ହେଲା ।ଏ ବନ୍ଧନରେ ବାନ୍ଧି ହୋଇ ସେ ଆଉ ଛଟପଟ ହେବାକୁ ଚାହାଁନ୍ତି ନାହିଁ। ତେଣୁ ସେ ଇଚ୍ଛା ମୃତ୍ୟୁକୁ ବରୀ ନେବେ। ତାଙ୍କୁ ବଞ୍ଚିବାକୁ କେହି ବାଧ୍ୟ କରି ପାରିବେ ନାହିଁ। ଏହି ପରି କିଛି ଭାବନା ସେଦିନ ତାଙ୍କ ମନ ଭିତରେ ଉଦ୍ରେକ ହୋଇଥିଲା, ଯାହା ଏକ ନୂହେଁ ଅନେକ ଭିତରେ ମଧ୍ୟ ବେଳେବେଳେ ଉଙ୍କେ। ତେଣୁ ସେହି ଭାବନା ଭିତରେ ବୁଡ଼ି ରହି ସେ ତହିଁରୁ ନିସ୍କୃତିର ମାର୍ଗ ଖୋଜୁଥାନ୍ତି। ମାତ୍ର୍ ତାଙ୍କର ଏ ପ୍ରକାର ଦାର୍ଶନିକ ସୁଲଭ ବିଚାର ଧାରାରେ ଉଦବୁଦ୍ଧ ହୋଇ ସେ ଏକା କାହିଁକି ଆହୁରି ଅନେକ ସେଇ ଭାବ ଭିତରେ ଅବଗାହନ କରୁଥାନ୍ତି।
ଏଣିକି ଦେଖାଗଲା ଆଶ୍ରମ ଭିତରେ ବିଶୃଙ୍ଖଳା, ଠିକ୍ ଯେମିତି ସେଦିନ ବୌଦ୍ଧ ଶିବିରରେ ଦେଖାଦେଇଥିଲା ବିଦ୍ରୋହ। ବାରମ୍ବାର ଆଶ୍ରମ ନିୟମରେ ପରିବର୍ତ୍ତନ ହେଉଥିବାରୁ। ସାରିପୁତ୍ତ ଓ ନିରଞ୍ଜନା ପ୍ରମୂଖ କହିଥିଲେ ଗୌତ୍ତମ ବୁଦ୍ଧଙ୍କୁ – ତୁମର ଆଉ ବାଣୀ ଦେବା ଦରକାର ନାହିଁ, ତୁମର ବାଣୀ ଢେର୍ ହେଲା ।ଏବେ ତୁମେ ବୃଦ୍ଧ ଓ ସ୍ଥବିର। ତେଣୁ ତୁମକୁ ବିଶ୍ରାମ ଦରକାର। ତୁମେ ଶାନ୍ତିରେ ଶୋଇଯାଅ, ଏଣିକି ଆଶ୍ରମ ଚଳେଇବା ଦାୟିତ୍ଵ ଆମର, ଆମେ ଚଳେଇବୁ ଆଶ୍ରମ ।ଠିକ୍ ଏଇକଥା ସେଦିନ ରାମହରି ଲାଲ ଓ ନିଶାନ୍ତ ଶୁଣେଇ ଥିଲେ କିଛି ନିଶିକାନ୍ତ ବାବୁଙ୍କୁ।
ଯେତେବେଳେ ତାଙ୍କୁ କେହି ଖବର ଦେଲା ଓ ସେ ଏ କଥା ଶୁଣିଲେ ଯେ, ଏବେ ଆଶ୍ରମବାସୀ ସମସ୍ତଙ୍କର ସାଂସାରିକ ମୋହ ମାୟା ଓ ଜୀବନ ପ୍ରତି ମମତ୍ଵବୋଧ ତୁଟିଗଲାଣି, ଏକ ହତାଶାର କାଳିମା ସମଗ୍ର ଆଶ୍ରମର ଆକାଶକୁ ଛାଇଗଲାଣି, କେହି ଆଉ ବଞ୍ଚିବା କଥା ଚାହୁଁ ନାହିଁନ୍ତି, ସମସ୍ତେ ଇଚ୍ଛା ମୃତ୍ୟୁକୁ ବରୀ ନେବା କଥା ଚିନ୍ତା କରୁଛନ୍ତି, ସେତେବେଳେ ସେ ବଡ଼ ବ୍ୟସ୍ତ ହୋଇ ଉଠିଲେ ଓ ନିଶିକାନ୍ତ ବାବୁଙ୍କ ମତିଭ୍ରମ ହେବା କଥା ଜାଣି ତାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେବା କଥା ଚିନ୍ତା କଲେ। ତେବେ ଏ ଗୁରୁ ଦାୟିତ୍ଵ କିଏ ସୂଚାରୁ ରୂପେ ନେଇ ଲିଭାଇ ପାରିବ ସେଇ କଥା କେବଳ ଭାବୁଥିଲେ। ହେଲେ ଆଶ୍ରମବାସୀଙ୍କୁ ଆଗ ନୂତନ ବାଣୀ ଶୁଣେଇବାକୁ ପଡ଼ିବ। ତାଙ୍କ ମନରେ ପୁଣି ଥରେ ଆଶା ଭରସା ଓ ଜୀଁ ରହିବାର ଅଭିଳାଷା ଭରି ଦେବାକୁ ହେବ, ନହେଲେ ସବୁ ଗୋଳମାଳ ହୋଇଯିବ। ଏତେ ବଡ଼ ଆଶ୍ରମଟା ଭାଙ୍ଗି ଟିକି ଟିକି ହୋଇଯିବ।ତେଣୁ ଜୀବନରେ ଅନେକ ଅନୁଭବ ଓ ଅନୁଭୂତିକୁ ଠୁଳ କରିପାରିଥିବା ବିବେକୀ ରାମହରି ଲାଲ ଭାବିଲେ – ଏମାନଙ୍କୁ ଗୋଟେ motivational class ବା ମାନସିକତାର ପରିବର୍ତ୍ତନ ପାଇଁ ଶିକ୍ଷାଟିଏ ନିହାତି ଦରକାର। ସବୁ ହରେଇବା ଭିତରେ ପାଇବାର ଆଶାକୁ ଉଜ୍ଜୀବିତ କରି ରଖିବାକୁ ହେବ। ବଞ୍ଚିବାର ମୋହ ମାୟା ଏମାନଙ୍କ ମନ ଭିତରେ ପୁଣି ଥରେ ଭରି ଦେବାକୁ ହେବ, ନହେଲେ ଏମାନଙ୍କୁ ବଞ୍ଚେଇ ରଖିବା କଷ୍ଟ ହେବ । ତେଣୁ ସେ ସମସ୍ତଙ୍କୁ ବୁଝାସୁଝା କରି ନିଜ ଅଭିମତ ରଖିବାକୁ ଚେଷ୍ଟା କଲେ। କହିଲେ -ଆପଣମାନେ ଏତେଟା ହତୋତ୍ସାହିତ କାହିଁକି ହୋଇ ପଡୁଛନ୍ତି। ଯେଉଁ ମାନଙ୍କର ପିଲା ଛୁଆ, ଘର ଦ୍ଵାର ଓ ସଂସାର ନାହିଁ ସେମାନେ ତ ପୁଣି ବଞ୍ଚିଛନ୍ତି। ଆପଣମାନଙ୍କର ତ ସବୁଥିଲା ହୁଏତ ଏବେ କିଛି ନଥାଇ ପାରେ, ହେଲେ ମୁଁ ତ ଅଛି- ଆପଣମାନଙ୍କ ପାଇଁ। ଆପଣମାନଙ୍କର କ’ଣ ମୋ ଉପରେ ଭରସା ପାଉନାହିଁ? ସମସ୍ତେ ହଁ ନାହିଁ ହୋଇ କହିଲେ – “ନାହିଁ ଯେ, ସେ କଥା ନୂହେଁ, ହେଲେ ଜୀବନଟା କାହିଁକି ବଡ଼ ଦୁର୍ବିଶହ ହୋଇଉଠେ, ଆପଣା ଉପରେ ଆପଣା ଜୀବନଟା ମାଡ଼ି ମାଡ଼ି ବସେ”?
-ମଣିଷ ଯେତେବେଳେ ଯାଏଁ ନିଜ ପାଇଁ ବଞ୍ଚିବାକୁ ଚାହୁଁଥିବ, ସେତେବେଳ ଯାଏଁ ଏହିପରି ଦୁଃଖଭାଗ ଭୋଗ କରୁଥିବ। ବଞ୍ଚିବାର ମୋହ ଓ ମରିବାର ଅଭିଳାଷା ତା ଭିତରେ ନ ଜାଗିଲା ଯାଏଁ ନା ସେ ବଞ୍ଚି ପାରେ ନା ପୁଣି ମରି ପାରେ। ଅବଶ୍ଯ ଏକ୍ଷେତ୍ରରେ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ଯ ଭିନ୍ନ୍ କଥା ବା ଏକ ବ୍ୟତିକ୍ରମ ହୋଇପାରେ। ତେବେ ସେ ଇଚ୍ଛାଧୀନ ମୃତ୍ୟୁ ହେଉ ବା ସ୍ୱାଭାବିକ, ଯେତେବେଳେ ସେ ଉପଲବ୍ଧି କରେ ଯେ ତା’ର ଆଉ ବଞ୍ଚିବାର ଆବଶ୍ୟକତା ନାହିଁ ସେତେବେଳେ ସେ ଦୁଇ ବାହୁ ଉପରକୁ ଟେକି କାହାକୁ ଗୋଟେ ସ୍ମରଣ କରେ, ସେ ଆସି ତାକୁ ନେଇଯାଏ। ଏ କଥା ସତ୍ୟ ।ନହେଲେ ସେ କେବେ ମରି ପାରେନା – ଏହା ହିଁ ସବୁଠାରୁ ବଡ଼ ସତ୍ୟ ଓ ଉପଲବ୍ଧିଆ। ତେବେ ଯେଯାଏଁ ଏ ଦେହରେ ପ୍ରାଣ ଅଛି, ଆମେ ଜୀବନଟାକୁ ସ୍ମରଣୀୟ କରି ଗଢି ତୋଳିବାର ଆବଶ୍ୟକତା ତ ଅଛି। ନୋହିଲେ ଏ ଜୀବନଠିଁ କି ଲାଭ ଯେ! ମଣିଷ ଜୀବନରେ କ’ଣ ଲାଭ ଅଛି ମୁଁ ସେ କଥା ତର୍ଜ୍ଜମା କରିବାକୁ ଚାହୁଁ ନାହିଁ। ତଥାପି let us have an experiment. ଜୀବନ ଅଛି ମାନେ ଆମେ ତାକୁ ପରୀକ୍ଷା ନିରୀକ୍ଷା କରି ଦେଖିବା ଉଚିତ୍। ଏଇ ତ ଜୀବନ ଯହିଁ ଜୀବନକୁ ବୁଝିବା ସବୁଠାରୁ ବଡ଼ ପ୍ରଯତ୍ନ। ଯେତେବେଳ ଯାଏଁ ମଣିଷ ଜୀବନ କ’ଣ ଜାଣେ ନାହିଁ କି ବୁଝେ ନାହିଁ ତା ବଞ୍ଚିବାର ଉଦ୍ଦେଶ୍ଯ ସେ ଯାଏଁ ଜୀବନ ଜିଇଁବା ହୁଏତ ନିହାତି ନିରର୍ଥକ ହୋଇଯାଏ। ତେଣିକି ଯେତେ ଜ୍ଞାନ ଗାରିମାର ଅଧିକାରୀ ଥାଉନା କାହିଁକି, ତା ଜୀବନରେ ପୂର୍ଣ୍ଣତା ଆସି ପାରିନାହିଁ ବୋଲି ବୁଝିବାକୁ ହେବ। ତେଣୁ ଆମକୁ ବଞ୍ଚିବାକୁ ହେବ – ଖାଲି ଜୀବନକୁ ବୁଝିବା ଓ ତା’ର ବାସ୍ତବ ଉଦ୍ଦେଶ୍ଯ ବୁଝି ତାକୁ ଚରିତାର୍ଥ କରିବା ପାଇଁ, ଆଉ ସବୁ ଏଠି ଗୌଣ ଓ ନଗଣ୍ୟ ଚିନ୍ତାଧାରା। ମୁଁ ମଧ୍ୟ ମୋ ଜୀବନର ଲକ୍ଷ୍ୟ ଦିନେ ଖୋଜୁଥିଲି ଆଉ ଖୋଜି ଖୋଜି ଆସି ଏଇଠି ପହଁଞ୍ଚିଛି। ଆପଣମାନଙ୍କୁ ସେଇ ଅନୁଭୂତି ବାଣ୍ଟୁଛି, ଖାଲି ଟିକେ ଶ୍ରଦ୍ଧାପୂର୍ବକ ଶୁଣିଲେ ହେଲା। ତେଣିକି ଆପଣମାନଙ୍କର ଯାହା ଇଚ୍ଛା ସେୟା କରି ପାରିବେ, ମୁଁ ତ ଆଉ କାହାକୁ କିଛି ବାଧ୍ୟ କରି ପାରିବି ନାହିଁ। କାରଣ ମୁଁ ନିଜେ ନିଜେ ହିଁ ବୁଝି ନାହିଁ ଜୀବନର ପ୍ରକୃତ ଅର୍ଥ କ’ଣ। ହେଲେ ବଞ୍ଚିବା ନିଜ ପାଇଁ ନୂହେଁ, ଦୁନିଆ ପାଇଁ। ଯେଉଁଠି ଆହାଃ ପଦୁଟିଏ ରେ, କୃତଜ୍ଞାତରେ ପୂରି ଉଠୁଥିବ ଅନ୍ତରାତ୍ମା ଆଉ ଆର୍ଶୀବଚନରେ ଜୀବନଟା ବଡ଼ ଶାନ୍ତିପ୍ରଦ ମନେ ହେଉଥିବ। ସେଦିନ ଆପଣମାନଙ୍କ ଭଳି, ମୁଁ ମଧ୍ଯ ମୋ ଜୀବନର ଲକ୍ଷ୍ୟ ଖୋଜୁଥିଲି – ହଁ ଲକ୍ଷ୍ୟ। କ’ଣ ସେ ଲକ୍ଷ୍ୟ କାହିଁ କିଛି ତ ମନେ ପଡୁନାହିଁ। ହେଲେ ଏବେ ମୋତେ ଖାଲି ଦେଖା ଦେଉଛି ଆଶ୍ରମ – ହଁ ଆପଣମାନେ ଯେଉଁଠି ଅଛନ୍ତି ସେଇ ଆଶ୍ରମ। ଏତିକି କହି ଥକି ବସିପଡ଼ିଲେ ରାମହରି ଲାଲ, ହୃଦୟରେ କୋହଭାର ଧରି। ସମସ୍ତଙ୍କର ଦେଖାଦେଉଥିଲା ପରିବର୍ତ୍ତନର ଝଲକ।

କ୍ରମଶଃ.. Episode 9 କଙ୍କାଳ ଉଦ୍ଧାର
ଚନ୍ଦକାରେ ଗୋଟେ ରାତି
By ସତ୍ୟ ପ୍ରକାଶ ସେଠୀ

ଆଜି ମନଟା କାହିଁକି ଭାରି ଗୋଟେ ଗୋଳେଇ ଘାଣ୍ଟି ହେଉଥାଏ। ସେପଟେ ଆଶ୍ରମବାସୀ ସବୁ କଥାରେ ଖାଲି ବ୍ୟସ୍ତ , ଏପଟେ ଯୁବକଟିର ଚିନ୍ତା ମଧ୍ଯ ମନକୁ ଘାରୁଥାଏ । କାଲି ରାତିରେ ଯୁବକଟି ବୋଧେ ଆସିଥିଲା। ଝରକା ସେପଟରେ ରହି କ’ଣ ତ ଗୋଟେ ଅସ୍ପଷ୍ଟ କହୁଥିଲା। ରାମହରି ବାବୁଙ୍କୁ ବି ଭାରି ନିଦଟା ଘୋଟି ଆସିଥାଏ। ତେଣୁ ସେ ତା’ କଥାଟାକୁ ସେତେଟା ଧ୍ୟାନପୂର୍ବକ ଶୁଣି ପାରୁନଥିଲେ। ଖାଲି ନିଦଟାରେ ବୃଥା ସିନା ହୁଁ ହାଁ ମାରୁଥାନ୍ତି, ହେଲେ କିଛି କାହିଁ ଠିକ୍ସେ ତ ଶୁଭୁନଥିଲା । ନଶୁଣି ପାରିଛନ୍ତି, ବରଂ ଭଲ ହୋଇଛି। ମଣିଷର ଆଉ କିଛି ବ୍ୟକ୍ତିଗତ କାମଧନ୍ଦା ଅଛିନା ନାହିଁ, ନା ଖାଲି ୟାଙ୍କରି କଥା ଶୁଣୁଥିବ? ତେବେ ସେ କିଛି ଗୁରୁତ୍ଵପୂର୍ଣ କଥା କହୁ ନଥିଲା ତ? ହଁ ତ, ତା’ ବାପା କଥା କ’ଣ ଗୋଟେ କହୁଥିଲା। ଦୁଇ ତିନି ଥର’ ବାପା’ ଶବ୍ଦଟା ତ ଉଚ୍ଚାରଣ କରୁଥିଲା । ତାହେଲେ ତା ବାପାଙ୍କର ଜୀବନ ପ୍ରତି କ’ଣ କିଛି ବିପଦ ଅଛି କି ? “ବାପା ରକ୍ଷା” , “ବାପା ରକ୍ଷା” – ଏମିତି କିଛି ସେ କାହିଁକି ବାରବାର ଉଚ୍ଚାରଣ କରୁଥିଲା? ହୋଉ ଦେଖିବା! ଆଜି ଆଶ୍ରମ ସଂକ୍ରାନ୍ତୀୟ କିଛି ନଥିପତ୍ର ଖେଳେଇବାକୁ ଅଛି। ନିଶାନ୍ତ ଆସିଲେ ସେସବୁ ଘଣ୍ଟା ହେବ। ଲେଖାଲେଖି କାମ ବି କିଛି କମ୍ ବାକି ନାହିଁ । କାଗଜପତ୍ର କାମ ସବୁ ନକଲେ ମୋଟା ହୋଇ ରହିଯିବ । ଆଗ ଏ କାମ ସରୁ, ତା’ପରେ ଆସନ୍ତା କାଲି ସେ ସମ୍ପର୍କରେ ଭାବିବା।
ଦିନଟା ସାରା ଆଜି ନିଶାନ୍ତ ସାଙ୍ଗରେ ପଢ଼ାଲେଖାରେ ଗଲାଣି। ମୁଣ୍ଡଟା କାହିଁ ଭାରି ଦିକଦିକ୍ ହୋଇ ବିନ୍ଧୁଛି। ଶାରୀରିକ ବଳ ପ୍ରୟୋଗଟା ସେତେ କିଛି କଷ୍ଟ ନୂହେଁମ! କିନ୍ତୁ ମାନସିକ ବଳ ପ୍ରୟୋଗ କରି ଭାବିଚିନ୍ତି ଲେଖିବାଟା ଭାରି କଷ୍ଟପ୍ରଦ। ତେଣୁ ଥକାନ ଆସିବାଟା ସ୍ୱାଭାବିକ। କହିଲେ – “ସୁରେଖା କ’ଣ ଦିଟା ଦେଲ! ମୁଁ ଟିକେ ଖାଇକି ଜଲଦି ଶୋଇପଡେ ” । ସୁରେଖା କହିଲେ – “ବେଶୀ ଛୋପରା ହୁଅ ନାହିଁମ! ଏହି ପରା ଚା ଜଳଖିଆ ଦେଇଥିଲି?ଛୁଆ ପିଲା କେହି ଖାଇ ନାହାଁନ୍ତି, କ’ଣନା ମୋତେ ଆଗ ଦିଅ, ମୁଁ ଖାଇକି ଶୋଇ ପଡିବି। ତୁମେ ତ ଏକା ଖଟୁଛ, ଆମେ ଆଉ କଣ ଖଟୁଛୁ କି ” ।
ଠିକ୍ ଏତିକି ବେଳକୁ ବାହାରୁ କବାଟଟା ଠକ୍ଠକ୍ ହେଲା। ଗାଡିଟିଏ ବି ବ୍ରେକ୍ ଦେଲା ପରି ଲାଗିଲା। କବାଟ ଖୋଲି ଦେଖିଲା ବେଳକୁ, ପୋଲିସ୍ ଅଧିକାରୀ ସାଧା ଡ୍ରେସ୍ ରେ। କହିଲେ -” sorry, ଆପଣଙ୍କୁ ଅସମୟରେ disturb କଲୁ। କାରଣ ଯୋଜନାଟା ଅନ୍ୟ ପ୍ରକାର ଥିଲେହେଁ ହଠାତ୍ ବଦଳିବାଯିବାରୁ ବାଧ୍ୟ ହୋଇ ରାତିରେ ଆସିଲୁ। ନିହାତି ଜରୁରୀ ନଥିଲେ ଆସିନଥାନ୍ତୁ। ହୋଉ, ସେସବୁ କଥା ପରେ କହିବି। ହେଲେ ଭାଉଜଙ୍କ ହାତରୁ ଚା ଟିକିଏ ହେଉ ? ରାମହରି ବାବୁ କହିଲେ -” ୟା ଗୋଟେ କଥା ନା । ଆଗ ଘର ଭିତରକୁ ଆସନ୍ତୁ”। ଏକଥା ନ ସରୁଣୁ ସୁରେଖା ଚା ଧରି ଆସି ହାଜର।
ପୋଲିସ୍ ଅଧିକାରୀ କହିଲେ – “ପ୍ଲିଜ୍ ଭାଉଜ! ରାଗିବେ ନାହିଁ। ଗୋଟେ କଥା କହିବି? ଅନୁମତିଟା ନିହାତି ଲୋଡ଼ା। ଆମେ ଟିକିଏ ରାମହରି ବାବୁଙ୍କୁ ସାଙ୍ଗରେ ନେଇଯାଇଥାନ୍ତୁ। ରାତି ପାହିଲେ ପୁଣି ଆଣି ଛାଡ଼ି ଦେଇଯିବୁ।କ’ଣ କହୁଛନ୍ତି? ହେଲେ କିଛି ଡରିବାର ନାହିଁମ! ସେ ଖାଲି ଟିକିଏ ସେଇ ଜାଗାଟିକୁ ଚିହ୍ନଟ କରି ଦେଇ ଆସିବେ। ଆଉ ତାଙ୍କର ବିଶେଷ କିଛି କାମ ନାହିଁ। ହଠାତ୍ ଯୋଜନାଟା ପ୍ରସ୍ତୁତ ହେବାରୁ ରାତିରେ ଆସିବାକୁ ପଡ଼ିଲା। ପୁଣି ଦିନରେ କାଳେ କଥାଟା ପ୍ରଘଟ ହୋଇଯିବ ସେଇଥିପାଇଁ..। ପ୍ଲିଜ୍ ଭାଉଜ! ମନା କରନ୍ତୁ ନାହିଁ। ନହେଲେ ଏଡ଼େ ବଡ଼ ଯୋଜନାଟା ସବୁ ପଣ୍ଡ ହୋଇଯିବ। ସୁରେଖା “ହଁ ନାହିଁ” ହେଉଥିଲେ, ପୋଲିସ୍ ଆତ୍ମିକତା ଯୋଡି ବେଶୀ ଜିଦ୍ କଲାରୁ ମନା କରି ପାରିଲେ ନାହିଁ। କହିଲେ – “ହୋଉ ଯେ, କିନ୍ତୁ ନିଶାନ୍ତ ସାଙ୍ଗରେ ଯାଆନ୍ତୁ, ନହେଲେ ମୋତେ ଡର ଲାଗିବ ।ଇଏ ଯେଉଁ ହାଉଳା ଲୋକ, ଏକୁଟିଆ ଗଲେ ମୋ ମନ ଦକଦକ ହେବ। ଖାଇବା କଥା ପଡିବାରୁ ପୋଲିସ୍ ଅଧିକାରୀ କହିଲେ -” ଆମେ ବି ତ ଭାଉଜ କେହି ଖାଇ ନାହୁଁ, ତେଣୁ ଆମ ସମସ୍ତଙ୍କୁ ଦିଅନ୍ତୁ, ନହେଲେ ଆମେ ଆଜି ଦିନକ ସମସ୍ତେ ସାଙ୍ଗ ହୋଇ ବାହାରେ ଖାଇ ନେବୁ। ବ୍ୟସ୍ତ ହୁଅନ୍ତୁ ନାହିଁ” । ଯାହା ହେଉ ସେୟା ହେଲା। ସମସ୍ତେ ସୁରେଖାଠାରୁ ଅନୁମତି ନେଇ ଜିପରେ ବସିଲେ – ଚନ୍ଦକା ଅଭିମୁଖେ ଯାତ୍ରା। ବାଟରେ ଗୋଟେ ଢାବା ପଡିଲା। ସେଇଟି ସେମାନେ ସମସ୍ତେ ଖାଇ ଆଗକୁ ବଢ଼ିଲେ । ପୋଲିସ୍ ଅଧିକାରୀ ଜାଣିଜାଣି ସମୟଟା ଟିକିଏ ଗଡାଉଥାନ୍ତି। ରାମହରି ବାବୁ କହିଲେ – “ଦିନରେ ଆସିଥିଲେ କ’ଣ ଚଳିନଥାନ୍ତା? ଘରେ ସୁରେଖା ଥିଲା ବୋଲି ମୁଁ ବେଶୀ କିଛି ପଚାରି ପାରିଲି ନାହିଁ ।ହେଲେ ଯୋଜନାଟା କ’ଣ ମୋତେ ଟିକିଏ ଖୋଲିକି କହୁ ନାହାଁନ୍ତି ? ପୋଲିସ୍ ଅଧିକାରୀ କହିଲେ -” ନାହିଁମ! ସେତେ କିଛି ବଡ଼ ରକମର ଯୋଜନା ନାହିଁ। ଘଟଣାସ୍ଥଳରେ ପହଞ୍ଚିଗଲେ, ବଳେ ସବୁ କିଛି ବୁଝିଯିବେ ନାହିଁକି?
ଏତେବେଳକୁ ସାମନ୍ୟ ଟିକିଏ ଢୁଳ ପଳେଇ ଆସୁଥିଲା। ଆଖି ଲାଗି ଯାଉଥିଲା। ଗାଡି ଅଭିଲିପ୍ସିତ ରାସ୍ତା ପାରି କରିଯାଉଥିଲା। ହଠାତ୍ ଶୀତଦିନେ ବି ବର୍ଷାଦିଟାରେ ମୁହଁ ଢାଙ୍କି ହୋଇ ଓ ଶରୀରଟିକୁ ପୂର୍ଣ୍ଣମାତ୍ରାରେ ଆଚ୍ଛାଦିତ କରି କେହି ଗୋଟେ ରାସ୍ତା ଉପରକୁ ଧସେଇ ପଶି ଆସିଲା। ହଠାତ୍ ବ୍ରେକ୍ ଦେଉ ଦେଉ ଗାଡିଟା ଯାଇ କୁଟି ହୋଇଗଲା ତାଠେଇଁ। ଲୋକଟା ଛିଟିକି ଯାଇ ଉଡ଼ି ଉଡ଼ିକା ଅନତି ଦୂରରେ ଗୋଟେ ପଥର ହୁଡ଼ା ଉପରେ ପଡିଗଲା – ଏକଥା ସମସ୍ତେ ଦେଖିଛନ୍ତି। ଡ୍ରାଇଭର ର ଏପ୍ରକାର ବ୍ରେକ୍ ରେ ଗାଡିଟା ଅଟକିଯାଇ, ଷ୍ଟାର୍ଟ ଓ ଲାଇଟ୍ ସବୁ ବନ୍ଦ ହୋଇଗଲା।ସେତେବେଳକୁ ରାତି ବାର ବାଜିଲାଣି।

ଯେଉଁ ସମୟରେ କି ଭୂତପ୍ରେତ ଚିରିଗୁଣୀ ଆଦି ଖେଳେଇ ହୋଇ ରାସ୍ତାରେ ଖେଳି ବୁଲନ୍ତି। ଏମାନେ ପରା ରାତ୍ରିଚର ।ଏମାନଙ୍କୁ ରାତିଟା ଭାରି ପ୍ରିୟ। ରାତି ଆସିଲେ ଏମାନେ ଖାଲି କିଳିକିଳା ରାବ ଦିଅନ୍ତି ନହେଲେ ହିଁ ହିଁ ହୋଇ ବା ପୁଣି କେତେବେଳେ ଠୋ ଠୋ ହସିଉଠି ରାତିଟାକୁ ଭାରି ଭୟଙ୍କର କରି ଗଢି ତୋଳନ୍ତି। ରାତ୍ରିର ନିଶାଗର୍ଜନ ସହିତ ଏମାନଙ୍କର ଗୋଟେ ଅନ୍ତରୀଣ ଭାବସତ୍ତା ବୋଧହୁଏ ଯୋଡି ହୋଇଯାଇଥାଏ। ତେଣୁ ତା’ର ସେହି ସ୍ଵର ସହିତ ସ୍ଵର ମିଳାଇ ବେଶ୍ ଗର୍ଜି ଉଠନ୍ତି। ଝିଙ୍କାରୀର ଝିଁ ଝିଁ ଶବ୍ଦଟା ମଧ୍ଯ ହୃଦୟରେ ଭିତ୍ତି ସଞ୍ଚାର କରିଥାଏ ଓ ରାତ୍ରିର ଅନ୍ଧକାରଟାକୁ ଆହୁରି ଗାଢରୁ ଗାଢତର କରିଦିଏ। ସେଇଥିପାଇଁ ତ ମଣିଷପିଲା ରାତିରେ ଘରୁ ବାହାରେ ନାହିଁ କି ଘରଠାରୁ ଦୂରରେ ବୁଲାବୁଲି କରେ ନାହିଁ । ସଞ୍ଜବତୀ ନଇଁଲା କ୍ଷଣି ସେ ଯୁଆଡେ ଯାଇଥାଉ ନା କାହିଁକି ଘରକୁ ଫେରିବାକୁ ତରବର ହୁଏ।ସତେକି  , ଏଇ ଘରଟା ତା ପାଇଁ କେବଳ ଏକମାତ୍ର   ନିରାପତ୍ତା ଆଶ୍ରୟସ୍ଥଳୀ ଓ  ନିରାପଦ ସ୍ଥାନ। ଚଢେଇ ଛୁଆ ବି ତ ତା ନୀଡକୁ ଫେରି ଆସି ରାତିରେ ବିଶ୍ରାମ ନିଏ। କିନ୍ତୁ ପୁଣି ତ କେତକ ଜୀବ ଜନ୍ତୁ ଅଛନ୍ତି ଯେଉଁମାନେ କି ରାତି ହେଲେ ଘୂରି ବୁଲି ଖାଦ୍ୟ ଅନ୍ୱେଷଣ କରିଥାନ୍ତି ଓ କାମଧନ୍ଦା ସବୁ କିଛି। ଏମାନଙ୍କର ତାହେଲେ ରାତି ଓ ଅଶରୀରୀ ମାନଙ୍କ ସହିତ କ’ଣ ନିବିଡ଼ ସମ୍ପର୍କ , ଯେଉଁଥି ପାଇଁକି ଏମାନେ କାହାକୁ ନଡରି ନିଝୁମ୍ ରାତିରେ ବି ବଡ଼ ନିର୍ଭୟରେ ହୋଇ ବୁଲନ୍ତି। ଛୋଟ ଶିଶୁ କିନ୍ତୁ ଝରକା ଖୋଲି ରାତିରେ ବାହାରକୁ ଝାଙ୍କି ଦେଖେ ନାହିଁ। ତାକୁ ଭାରି ଡର ଲାଗେ। ସେ ମାଆ କୋଳକୁ ଘୁଞ୍ଚି ଆସି ନିଘୋଡ଼ ନିଦରେ ଶୋଇପଡେ। ଏଇ ରାତ୍ରି କାଳଟା ତେଣୁ ବିଶ୍ରାମର ସମୟ। ତେଣୁ ଏତେବେଳେ କେଉଁ ମାନବ ଶିଶୁ ରାସ୍ତାରେ ଖେଳଣା ଗଦେଇ କଣ୍ଢେଇ ବାହାଘର କଥା ଭାବି ଖେଳେ ନାହିଁ କି ଲୋକ ମାନେ ବିଶେଷ କିଛି କାମ ଧନ୍ଦା ରଖନ୍ତି ନାହିଁ, କେବଳ ବିଶେଷ କିଛି ଜରୁରୀ କାଳୀନ ଜରୁରତକୁ ଛାଡିଦେଲେ।

ଏଠି ବି ଲୋକବାକ ନାହିଁ। ସବୁ ନିରୋଳା। ଭାରି ଶୂନ୍ଶାନ୍ ଥିଲା ରାସ୍ତାଘାଟ।ଗୋଟେ ‘ସିକ୍ରେଟ ମିଶନ ‘ଯୋଜନା କାର୍ଯ୍ୟକରୀ କରିବା ପାଇଁ ପୋଲିସ୍ ବୋଧେ ଚାହୁଁଥାନ୍ତି। ତେଣୁ ଆଗରୁ ବେଶୀ କିଛି ଖୋଲିକି ତଥ୍ଯ ଦେଉ ନଥାନ୍ତି। ଗାଡିଟା ସେଇଠି ଅଟକି ଯିବାରୁ ରାମହରି ବାବୁ କହିଲେ – “ଏହି ସେଇ ଜାଗା। ତେଣୁ ସମସ୍ତେ ଓହ୍ଲାଇ ପଡିଲେ। ଗାଡ଼ିରେ ଡ୍ରାଇଭର଼୍, ଏ ବନ୍ଧୁ ଦୁଇଜଣ ଓ ଥାନା ଅଧିକାରୀ ସମେତେ ମୋଟ ଆମେ ଆଠ ଜଣ। ଉଦ୍ଦେଶ୍ଯ ସ୍ଥାନଟିକୁ ପରଖି ନିରେଖି ଦେଖିବେ ଓ
ଶବଟାକୁ ଖୋଳିକି ବାହାର କରିବେ। ଯଦି କେଉଁଠି କିଛି ମିଳିଗଲା, ତେବେ ଡି. ଏନ୍. ଟେଷ୍ଟ ପାଇଁ ହେଉ ବା ଆଉ କିଛି ପାଇଁ ପଠେଇବେ, ସେକଥା ସେ ପୋଲିସ୍ ବିଭାଗକୁ ଜଣା। ସେ ଯାହା ବି ହେଉ, ଟର୍ଚ୍ଚ ପକାଇ ଦେଖିବାରୁ ରାସ୍ତା ଉପରେ ଓ ସେ ପଥର ହୁଡ଼ାଟା ଉପରେ କଞ୍ଚା ରକ୍ତ ପରିବର୍ତ୍ତେ ଶୁଖିଲା ରକ୍ତଛିଟା ଦାଗ ଖାଲି ଲାଗିଥାଏ, ହେଲେ ସେ ଲୋକଟା ତ କାହିଁ ସେଠି ନଥାଏ କି ତାହାର ଚିହ୍ନବର୍ଣ୍ଣ କିଛି । ଟର୍ଚ୍ଚଟା ବି ଥିଲା ଥିଲା, ଏତିକି ବେଳକୁ ହାତରୁ ଖସି ପଡ଼ି ଆଉ ଜଳିବାକୁ ନାଁ ନେଉ ନଥାଏ। ପେଟ୍ରୋଲମାକ୍ସ ଲାଇଟ୍ ଟା ମଧ୍ଯ ଆସିଥାଏ। କିନ୍ତୁ ଏକ ବିଶେଷ କାମରେ। ସେଟା ବି ଜଳୁ ନଥାଏ। କାରଣ ଦିଆସିଲ୍ ଗୁଡ଼ାକ ଫୁସଫାସ୍ ହୋଇ ପବନରେ ଲିଭି ଯାଉଥାଏ। ଏଇମିତି ସମସ୍ତଙ୍କୁ ବିରକ୍ତି ଓ କେତେକଙ୍କୁ ଭୟ। କାରଣ ଚାରିପଟେ ଖାଲି ପକ୍ଷୀ ଉଡ଼ିଲା ପରି ଫଡଫାଡ, ପତ୍ର ଝରିଲା ପରି ଖଡଖାଡ, ଡାଳପତ୍ର ଭାଙ୍ଗିଲାପରି ରସରସ ଭାଙ୍ଗିବା ଶବ୍ଦ ଓ ଚେମିଣିଆ ବୋବେଇଲା ପରି ଚିଁଚିଁ କିଏ ଗୋଟେ ହେଉଥିଲା। ମନ – ଭ୍ରାନ୍ତି ବା ପରିବେଶ ଦୃଷ୍ଟିରୁ ଭୟ ପାଉଥିଲା।ଗୋଟିଏ ଛାୟାଚିତ୍ର ମଧ୍ଯ ଖାଲି ଏପଟ ସେପଟ ହୋଇ ପଇଁତରା ମାରୁଥିଲା। ମଧ୍ଯ କାହାକୁ କେମିତି ମଧ୍ୟ ଝାପ୍ସା ନଜର ଆସୁଥାଏ। ତେଣୁ କିଏ କେମିତି ହାଉଳି ଖାଇଲେଣି। ବନ୍ଧୁ ବି ଡରୁଥାନ୍ତି, କହିଲେ – “ଆସିଲା ବେଳେ ମୁଁ ନାହିଁ କରୁଥିଲି ନା! ଆମେ ଆଉ ସେଇ ସଜାଗାକୁ ଯିବା ନାହିଁ ବୋଲି? ହେଲେ ତୁମେ ଶୁଣିଲାନି, ଏଇ ପୋଲିସିଆ ମାନଙ୍କ ବୁଦ୍ଧିରେ ପଡି ଏତେ ରାତିରେ ଆସିଲ।ଭାରି ତ ସାହସୀ ଦେଖେଇ ହେଉଥିଲ, ଏଥର ସମ୍ଭାଳ।କିଏ ମନା କରୁଛି। ହେଲେ କହି ଦେଉଛି, ଶୁଣି ରଖିଥାଅ, ଏ ଭୂତପ୍ରେତମାନଙ୍କୁ ଆଦୌ ବିଶ୍ବାସ ନାହିଁ। କେତେବେଳେ ଏମାନେ କଞ୍ଚା ଖାଇଯିବେ। ପୋଲିସ୍ ଅଧିକାରୀ ମଧ୍ଯ ଏ ଅସ୍ୱାଭାବିକ ଘଟଣା ପାଇଁ ବ୍ୟସ୍ତ ହେଉଥାନ୍ତି ଓ କିଛି ଗୋଟେ ଭୀତତ୍ରସ୍ତ ନିଶ୍ଚିତ ହେଉଥିଲେ। ତେଣୁ ଅନ୍ୟ କେହି କାଳେ ଡରିଯିବେ ଭାବି ମିଥ୍ୟା ମୁହଁ ଭୂରି ମାରୁଥାନ୍ତି। ସମସ୍ତଙ୍କୁ ବଳ ଦେଉଥିଲେ। ଘଟଣାଟିକୁ ଅନ୍ୟ କେହି ବୁଝୁ ବା ନବୁଝି କିନ୍ତୁ ରାମହରି ବାବୁ ଠିକ୍ ସବୁକଥା ବୁଝି ପାରୁଥାନ୍ତି। ପୋଲିସ୍ ଅଧିକାରୀ ପିସ୍ତଲଟା ଧରି ଏପଟ ସେପଟ ନଜରଟା ଘୂରାଉଥାନ୍ତି। ରାମହରି ବାବୁଙ୍କ କାନ ପାଖକୁ ଭିଡ଼ି ଆସି, କହିଲେ – “ସତକଥା, ଗୋଟେ ଛାୟା ଚାରିପଟେ ଘୂରି ବୁଲିଲା ପରି ମନେ ହେଉଛି। ଆପଣଙ୍କର କ’ଣ ମତ? ।ରାମହରି ବାବୁ କହିଲେ ହଁ ସେଇ କଥାଟା ମୁଁ ବି ଟିକେ ଜାଣି ପାରିଛି। ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ସେ ଆମର କିଛି ବି କ୍ଷତି କରିବ ନାହିଁ। ମୁଁ ପରା ତାକୁ ନିଇତି ଦେଖୁଛି। ହୁଏତ ସେ ନିଜର ନିଜେ ପ୍ରମାଣ ଦେଉଥାଇ ପାରେ, ଯେ ଘଟଣାଟି ସତ ଆଦୌ ମିଛ ନୂହେଁ । ସେଥିସକାଶେ ସେ କେବଳ ନିଜର ଉପସ୍ଥିତି ଜାହିର କରୁଥାଇ ପାରେ। ଏ କଥାଟି ଯେମିତି ଯୁବକଟି କାନ ଦେଇ ଶୁଣି ପାରିଥିଲା। ଯୁବକଟି କାହାକୁ ଛାୟାଚିତ୍ର ପରି ପ୍ରତୀତ ହେଲେ ହେଁ, ରାମହରି ବାବୁଙ୍କୁ ଠିକ୍ସେ ଦୃଷ୍ଟି ଗୋଚର ହେଉଥାଏ , ସେ ଆହୁରି ଚୁପିଚୁପି ହୋଇ କହିଲେ – “ଦୁଷ୍ଟାମି ଛାଡ଼! ଆମେ ତୋତେ ସାହାଯ୍ଯ କରିବା ପାଇଁ ଲାଗିଛୁ। ତୋରି ପାଇଁ ଲଢୁଛୁ, ହେଲେ ତୁ ତୋର ନଟଖଟି ଏ ଯାଏଁ ଛାଡୁ ନାହୁଁ” । ଏଥର ସମସ୍ତେ ଦେଖୁଥାନ୍ତି, ଗାଡିଟାର ଆଗ ଢାଙ୍କୁଣିଟା କେମିତି ଆପେ ଆପେ ଉପରକୁ ଉଠିଗଲା, ଯେମିତି ହାତମାରି କିଏ ସଜାଡ଼ୁ ଥିଲା ଓ ଗାଡି ପାଖକୁ ଆସି ଚାବିଟା ମୋଡିଦେଲା, ଗାଡିଟା ଷ୍ଟାର୍ଟ ହୋଇଗଲା। ଲାଇଟ୍ ଟା ବି ଜଳି ଉଠିଲା। ହେଲେ ଡ୍ରାଇଭର୍ ତ ବାହାରେ ଥିଲା। ଏ କଥାଟା କେହି ଲକ୍ଷ୍ୟ କରିଥାଇ ପାରନ୍ତି ବା ନାଇଁ, କିନ୍ତୁ ରାମହରି ବାବୁ ସବୁ ଘଟଣା ଉପରେ ତିକ୍ଷ୍ଣ ନଜର ରଖିଥିଲେ। । ଠିକ୍ ଏହି ସମୟରେ କିଏସେ ଗୋଟେ ସାଏଁକିନା ଚାଲିଗଲା ପରି ଶବ୍ଦ ହେଲା। ସମସ୍ତେ ଚମକି ପଡ଼ିଲେ। ହେଲେ ଲାଇଟ୍ ଟା ଜଳି ଉଠିବାରୁ , ସମସ୍ତେ କାମରେ ଲାଗି ପଡ଼ିବାକୁ ପୋଲିସ୍ ଅଧିକାରୀ ନିର୍ଦ୍ଦେଶ ଦେଲେ। ଟର୍ଚ୍ଚଟା ବି ଆପେ ଆପେ ସଜାଡି ହୋଇଗଲା ଓ ପେଟ୍ରୋମାକ୍ସ ଲାଇଟ୍ ଟା ବି। ପଥର ଗୁଡାକ ହଟେଇ, ମାଟି ଖୋଳା କାମ ଚାଲିଲା। ପଥୁରିଆ ମୋହରମ ମାଟିଟା ଭାରି ଭିଡ଼ି ଯାଇଥିଲା।ଚୋଟାଏ ମାଟିରେ କୋଦାଳ ପକାଇଲା ବେଳକୁ ଗୋଟାଏ ଉ-ଆଃ ଚିତ୍କାର ହେଉଥାଏ। ସତେକି କାହା ଶରୀରରେ ଚୋଟା ବାଜି ଯିବାର କଷ୍ଟ ତାକୁ ଭାରି ବ୍ୟଥିତ କରୁଥାଏ। ଏ କଥା ସମସ୍ତେ ଜାଣି ପାରି ମନେମନେ ଡରିଥାନ୍ତି। ହେଲେ କେହି କାହାକୁ କିଛି ବ୍ୟକ୍ତ କରୁନଥାନ୍ତି। କରଣ ସେପଟେ ପୋଲିସ୍ ଅଧିକାରୀଙ୍କ ନାଲି ଆଖିର ଡର ମଧ୍ଯ ମନରେ ରହୁଥାଏ। ସେ କର୍ତ୍ତବ୍ୟର ଦ୍ୱାହି ଦେଇ ସମସ୍ତଙ୍କୁ ଆକଟ କରୁଥାନ୍ତି, ରାତି ପାହିବା ପୂର୍ବରୁ ଯେମିତି ହେଲେ ସବୁ କାମ ସାର। ଅନେକ ସମୟର ଅକ୍ଳାନ୍ତ ପରିଶ୍ରମ ଫଳରେ ଶେଷରେ ସେଇ ଗାତ ଭିତରୁ ଗୋଟେ ଯାଗାରେ କୁଢ ହୋଇ ରହିଥିବା ପଟେ ଅସ୍ତି କଙ୍କାଳ ବାହାରିପଡିଲା। ସେଗୁଡିକୁ ଯୋଡି ଦେଖିଲାଠୁଁ ଜଣାଗଲା, ସବୁଗୁଡିକ ଗୋଟିଏ ପୂର୍ଣ୍ଣାଙ୍ଗ ମଣିଷର ଅବୟବ ।ସେ ଦୃଶ୍ୟ ଆହୁରି ଭୟାନକ ହେଉଥିଲା। କିଏ କେତେ ପ୍ରକାର ଉପଲକ୍ଷ ଦେଉଥାନ୍ତି। କେବଳ ଦଳେ ଲୋକ ଥିଲେ ବୋଲି ସମସ୍ତେ ମନରେ ଟିକେ ଦମ୍ଭ ଧରୁଥାନ୍ତି। ମନେମନେ ନିଜ ଇଷ୍ଟ ନିଜେ ସୁମରଣା କରୁଥାନ୍ତି। ଏହିପରି ଶଙ୍କା ଓ ଆଶଙ୍କାରେ ଘଟଣାର ଯବନିକା ଟାଣି ହେଇ ଯାଉଥିଲା। ଝାଳ ନାଳରେ ଆଣ୍ଠୁଏ ହୋଇ ପଡିଥିବା ପୋଲିସ୍ ଅଧିକାରୀ ଜଣଙ୍କ ମୁହଁରୁ ଶେଷରେ ପ୍ରାପ୍ତିର ସ୍ୱୀକରୋକ୍ତି ହସ ଟିକକ ଓଠରୁ ଛିଟିକି ପଡ଼ୁଥିଲା।ମନରେ ଆଶ୍ୱସ୍ତି ଯାହା ବି ହେଲେ ଅସଫଳ ହୋଇ ନାହିଁ – ମିଶନ କଙ୍କାଳ। ନିର୍ଦ୍ଦେଶ ପାଇବା କ୍ଷଣି ଏକା ନିଶ୍ଵାସକେ ଏକ ମୁହାଁ ହୋଇ ସମସ୍ତେ ଧାଇଁଲେ।ସେଇ ସେତକ ଅସ୍ତି ସହ ଆସି ସିଧା ଗାଡ଼ିରେ ବସିଲେ। ଫେରି ଆସିଲା ବେଳକୁ ପଛପଟରୁ କେହି ଯେମିତି କୃତଜ୍ଞାତରେ ଅଶ୍ରୁ ନିଗାଡ଼ୁଥାଏ ଉଁ ଉଁ ସ୍ଵରରେ ବା ତା ବସା ଭାଙ୍ଗି ଯାଇଥିବାରୁ ସେ କାନ୍ଦୁ ଥାଇପାରେ – ବିକଳ ହୋଇ।ପୁଣି ବିରାଟ ଭୟାନକ କୁହାଟଟିଏ ଛାଡ଼ିଲା-ନ୍ଯା…. ୟ.. ୟ.. ୟ.. । ଏମାନେ କିନ୍ତୁ ଯେତେ ନିକଟବର୍ତ୍ତୀ ହେଉଥାନ୍ତି ଗାଡି ପାଖକୁ, ସେତେ ଜୋହରରେ କାନକୁ ଶୁଭ ଥାଏ ଶବ୍ଦଟା ବେଶୀ। ପବନର ସ୍ଵର ସହିତ ଗୁଞ୍ଜରିତ ହେଉଥିଲା ଖାଲି ସେଇ ଏକ ଶବ୍ଦ – ନ୍ୟାୟ । ରାତି ପାହି ଆସୁଥିଲା। ସମସ୍ତେ ବ୍ୟସ୍ତ ଫେରିବାକୁ – ଥାନା ଦପ୍ତର ।

Episode 10(ଖାନତଲାସି )
ଚନ୍ଦକାରେ ଗୋଟେ ରାତି
—-By ସତ୍ୟ ପ୍ରକାଶ ସେଠୀ
ରାତିସାରା ଅନିଦ୍ରା ଓ ଶ୍ରମ ଯୋଗୁଁ ସମସ୍ତେ ପ୍ରାୟ କ୍ଳାନ୍ତ ହୋଇଯାଇଥାନ୍ତି। ସେଇ ଚେୟାର ଉପରେ ବସି ବସି ସମସ୍ତେ ଢୁଳାଇ ପଡିଥାନ୍ତି। ସେତେବେଳକୁ ଦିନ ନଅଟା ବାଜିଲାଣି। ସମସ୍ତେ ଡକାଡକି ହୋଇ ଉଠାଉଠି ହେଲେ। ଚା ବାଲା ପିଲାଟିଏ ଚା ଆଣି ଦେଲା, ହାତରେ ଗୋଟେ ବିସ୍କୁଟ ମଧ୍ଯ ଧରାଇ ଦେଇ । ଚା ପିଉ ପିଉ ରାମହରି ବାବୁ କହିଲେ – “ଆମକୁ ଟିକିଏ ଛାଡ଼ି ଦିଅନ୍ତୁ, ଆମେ ଘରେ ପହଞ୍ଚି ଫ୍ରେସ୍ ହେବୁ। ଆଉ ଅଟକାନ୍ତୁ ନାହିଁ, ପ୍ଲିଜ୍। ଦେହରୁ ଝାଳ ବୋହି ବଡ଼ ଅଣଧୁତୁରୀ ଲାଗିଲାଣି”। ପୋଲିସ୍ ବାବୁ ଡ୍ରାଇଭର଼କୁ ଡାକି କହିଲେ – “ବାବୁ ମାନଙ୍କୁ ନେଇ ଶୀଘ୍ର କଟକରେ ଛାଡ଼ି ଦେଇ ଆସ, ଆସିଲେ ପୁଣି ଆଜି ଗୋଟେ ଗୁରୁତ୍ୱପୂର୍ଣ୍ଣ ଚଢାଉରେ ଯିବା। ମୁଁ ଫୋର୍ସ ମଗାଇଛି। ଆଦୌ ଡେରି କରିବ ନାହିଁ”।ରାମହରି ବାବୁ ବିଦାୟ ନେବା ପାଇଁ ଚେୟାରରୁ ଉଠିଲେ, ପୋଲିସ୍ ଅଧିକାରୀ କହିଲେ -” ବାପରେ ବାପ! କାଲି କି ଭୟଙ୍କର ସ୍ଥିତି। ଏକଦମ୍ ଡରାନକ ପରିସ୍ଥିତି। ଖାଲି ଆପଣ ସାଙ୍ଗରେ ଥିଲେ ବୋଲି, ନହେଲେ ଭୂତ ଆମକୁ ଗୋଡାଇ ଖାଇଥାନ୍ତା। ରାମହରି ବାବୁ କହିଲେ – “ନା ସେମିତି କାହିଁକି ଭାବୁଛନ୍ତି। ଭୂତ କାହାରି ଖାଲିଟାରେ କିଛି ବି କ୍ଷତି କରେ ନାହିଁ। ବରଂ ମଣିଷ ମନର ଭୟ ହିଁ ତାକୁ ଅଧିକ ଗୋଡାଇ ଖାଏ। ସାହସ ଓ ଧୈର୍ଯ୍ୟ, ସବୁ କଥାର ସହଜ ଓ ସରଳ ସମାଧାନ ପରା, ଯାହା ଆପଣ ଦେଖେଇଛନ୍ତି ।ତେଣୁ ଶ୍ରେୟ ଆପଣଙ୍କୁ ତ ନିଶ୍ଚୟ ଯିବ। ତେବେ ସତକଥା, ଧୈର୍ଯ୍ୟ ନ ଧରିଲେ କୌଣସି କାମ ହେବ ନାହିଁ। ପରନ୍ତୁ ସବୁ କଥାରେ ଅସଫଳ ହେବା ସୁନିଶ୍ଚିତ। ଆପଣଙ୍କ ପାଖରେ ଦୁଇଟା ଯାକ ତ ଅଛି, ତେଣୁ ଅସଫଳ କାହିଁକି ହେବେ। ତେବେ ଯାହା ହେଉ କାଲିର ମିଶନ ବହୁତ ସଫଳ ରହିଲା”। ଏହିଭଳି ଉଭୟ ଉଭୟଙ୍କୁ complements ଦେଉ ଦେଉ ବଡ଼ ସହାସ୍ୟ ବଦନରେ ବିଦାୟ ନେଲେ। ପୋଲିସ୍ ଅଧିକାରୀ ଧନ୍ୟବାଦ ଦେଲେ। କହିଲେ – “ଏଥର ଆପଣ ମାନେ ଆସନ୍ତୁ। ହେଲେ ପୁଣି ଆବଶ୍ୟକ ପଡିଲେ ଡାକିବୁ। ଓକେ.. ନମସ୍କାର” ।ଏଥର ଯାଇ ଦୁଇ ବନ୍ଧୁ ଗାଡିରେ ବସିଲେ। ବାଟରେ ରାମହରି ବାବୁ କହିଲେ-ଦେଖ ନିଶାନ୍ତ! ଏ ଡରାନକ ସ୍ଥିତି ସମ୍ପର୍କରେ ସୁରେଖାକୁ କିଛି କହିବ ନାହିଁ,ସେ ଅଯଥାରେ ବ୍ୟସ୍ତ ହେବେ”। ନିଶାନ୍ତ କହିଲେ -” ଭାଇ! ମୋଟେ କହିବି ନାହିଁ, promise” ।ରାମହରି babu କହିଲେ -” ରଖ ହେ! ତୁମ promise. ତୁମେ ପରା ସୀତା ମୟା କି ଭକ୍ତ। ତୁମ ପେଟରେ ଯାହା ଥିବ ସବୁ ଗାଳୁଗାଳୁ କରି ଗାଳିଦେବ, ତୁମ ପେଟରେ କି କିଛି କଥା ରହେ “? ହୋ ହୋ ହୋଇ ସମସ୍ତେ ହସି ଉଠିଲେ। ଗାଡି ଯାଇ ପହଞ୍ଚିଲା କଟକ। ଫାଟକ ଖୋଲି ସଦର ଦରଜା ଦେଇ ଘର ଭିତରକୁ ପଶିଗଲେ।ସୁରେଖା ଘର ଭିତରୁ ଚାହିଁ ରହିଥାନ୍ତି।
ସେପଟେ….
ଏଣିକି ଖାନତଲାସି ଚାଲିଲା ।ଧୀରେ ଧୀରେ ପ୍ରମାଣ ଗୁଡିକ ସବୁ ହାତରେ ଲାଗୁଥାଏ। ତଦନ୍ତ ପ୍ରକ୍ରିୟା ଆହୁରି କ୍ରିୟାଶିଳ ହେଲା। ଘଟଣାଟି ଟିକିଏ ଜଟିଳ ଥିବାରୁ ବଡ଼ ସତର୍କତା ଅବଲମ୍ବନ କରାଯାଉଥିଲା।ପୋଲିସ୍ ଅଧିକାରୀ ଗତ ରାତିରେ ଉଦ୍ଧାର କରାଯାଇଥିବା ଅସ୍ଥି ଓ ଶରୀରର ଧ୍ୱଂସାବଶେଷ ଗୁଡିକ ଆଗ ଠିକଣା ଜାଗାକୁ ପଠାଇଦେଲେ। ଏଥର ଆରମ୍ଭ ହେବ ଅପରେସନ ବ୍ଲାକ୍ ବଣ୍ଡ (କଳା ଦସ୍ତାବିଜ୍)। ପୁରା ଗୋଟେ ପ୍ଲାଟୁନ୍ ଫୋର୍ସ ମଗା ଗଲା। ସମସ୍ତେ ପ୍ରସ୍ତୁତ। ପୋଲିସ୍ ଅଧିକାରୀ ଯାଇ ପହଁଞ୍ଚିଲେ, ପୂର୍ବ ସୂଚନା ମୁତାବକ ଠିକଣା ଘରଠିଁ। ସେଦିନ ରବିବାର ହୋଇଥିବାରୁ ସମସ୍ତେ ନିଶ୍ଚୟ ଘରେ ଥିବେ ବୋଲି ଭାବି ଯୋଜନା ହୋଇଥିଲା। ଆଗ ଫୋର୍ସ ପୂରା ଘରଟାକୁ ଘେରିଗଲେ। ଯେପରି କେହି ଖସି ଯାଇ ନପାରନ୍ତି। ଆଉ କେଇ ଜଣ ଘର ଭିତରକୁ ପ୍ରବେଶ କଲେ। ହାତରେ ଗିରଫ ପରୱାନା ଥାଏ। ପୋଲିସକୁ ଦେଖି ସ୍ତ୍ରୀ ଲୋକଟିଏ ମୁଣ୍ଡରେ ଓଢ଼ଣା ପକାଇ ଖସି ଯିବାକୁ ଚେଷ୍ଟା କରୁଥିଲା। ତାକୁ ଜଣେ ଲେଡିଜ କନେଷ୍ଟବଲ ଧରି ପକାଇଲା। ଏବେ ବାକି ରହିଲା ସୁକୁଟା ପ୍ରଧାନ। ସେ ବି ଏ ଗୋହଳ ଚହଳ ଭିତରେ ଝରକା ଡେଇଁ ପଳେଇ ଯିବାକୁ ବସିଥିଲା। ତାକୁ ଜଣେ ଖାପ୍ କିନା ମାଡ଼ି ବସିବାରୁ ଆଉ ଦି ତିନି ଜଣ ତା ଉପରେ କୁଢେଇ ପଡ଼ିଲେ। ସିଏ ବିଚରା ଆଉ ଅଳିଚଳି ପାରିଲାନି। ଏକାଥରକେ କବଜାରେ ରହିଲା। ଏମାନେ କୌଣସି ସୂତ୍ରରୁ ପୂର୍ବରୁ ବୋଧେ ଟିକିଏ ସୂଚନା ପାଇଯାଇଥିଲେ, ନହେଲେ ଏତେ ସତର୍କ କାହିଁକି ରହିଥାନ୍ତେ। ଯାହାବି ହେଉ ଦୋଷୀ ଧରା ଦେଲାଠୁ ପ୍ରମାଣ ପତ୍ର ଖୋଜାଗଲା।ଘର ଭିତରେ ପଶି ପୋଲିସ୍ ପୁରା ଛାନଭିନ୍ କଲା। ଖିନଭିନ୍ କରି ସବୁ ଅଣ୍ଡାଳିଲା। ଗୋଟେ ଅଳିଆ ଗଦାର ପେଟି ଭିତରୁ ଗୋଟେ ନୂଆ ଫାଇଲ ମିଳିଲା, ଯେଉଁଥିରୁ ଅନେକ ତଥ୍ଯ ମିଳିବାର ସ୍ପଷ୍ଟ ସୂଚନା ମିଳୁଥାଏ ।ସେ ସମ୍ପର୍କରେ ଅଧିକ ତଦନ୍ତ ହେଲେ ନୂତନ ତଥ୍ଯମାନ ପଦାକୁ ଆସିପାରେ। ସେଇଟିକୁ ନିଜେ ଥାନା ଅଧିକାରୀ ସମ୍ଭାଳି କି ରଖିଲେ। ଆଉ ସବୁ ଅପରାଧି ବୋଧେ କେଉଁଠି ଲୁଚାଇ ରଖିଥାଏ।ସନ୍ଦେହ ହେଉଥିଲା କେଉଁଠୁ ଟିକେ ହୁଏତ ସୁରାକ ତାକୁ ମିଳିଯାଇଥାଇପାରେ।ପୋଲିସ୍ ବିଭାଗରେ ବି ପରା କିଛି ଗର୍ଦାର ଅଛନ୍ତି, ସେମାନେ ପଇସା ପାଇଁ ସବୁ କରି ପାରିବେ। ଦରକାର ହେଲେ ଆପଣା ସ୍ୱାର୍ଥ ପାଇଁ ଦେଶଟାକୁ ବି ବିକି ଦେଇ ପାରନ୍ତି।ଛାଡନ୍ତୁ ସେସବୁ କଥା, ଅଧିକ ଆଲୋଚନା କରି ଲାଭ ନାହିଁ। ତଦନ୍ତ ବେଳେ ତ ଘରୁ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜାତ ସବୁ ମିଳିଛି ।ଗୋଟିଏ କୋଣରେ ତାଜା ଉପରକୁ ଟେକା ହୋଇ ରହିଥିଲା କିଛି ଗଞ୍ଜା ଓ ଚରସ। ଏଇଟା ତାହେଲେ ନିଶା ବେପାରୀଟା। ଦେଖା ଯାଉ ଆଗକୁ ଆଗକୁ ଆହୁରି କଣ ଘଟୁଛି।
ବର୍ତ୍ତମାନ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ସାକ୍ଷୀ ଯୋଗାଡ଼ କରିବା। କାରଣ କୋର୍ଟ ଏ ସବୁ କଥା କିଛି ବୁଝିବ ନାହିଁ। ତାକୁ ଦରକାର ଉପଯୁକ୍ତ ପ୍ରମାଣ ଓ କିଛି ସାକ୍ଷ୍ୟ। ନହେଲେ ଯେଡେ ବଡ଼ ଅପରାଧିକ ମାମଲା ନହେଉନା କାହିଁକି, ଦୋଷୀ ପରା ଖସି ଯିବା କିଛି ବିଚିତ୍ର କଥା ନୂହେଁ। ପ୍ରମାଣ ଅବଶ୍ଯ ଗୋଟେ ଅଧେ ହାତରେ ଲାଗିଲାଣି। ହେଲେ ସାକ୍ଷୀ? ସାକ୍ଷୀ କାହିଁ? ପୋଲିସ୍ ମୁଣ୍ଡକୁ ବିଛା କାମୁଡୁ ଥାଏ। ବାହାରେ ଅବଶ୍ଯ ପୋର୍ଟିକୋରେ ସେଇ ବ୍ୟବହୃତ ସନ୍ଦେହର ଅନୁରୂପ ନାଲି କାରଟା ଛିଡା ହୋଇଥାଏ। ରଡ଼ ଖଣ୍ଡକ ବି ବାଡ଼ି ପଛପଟେ ନର୍ଦ୍ଦମା ପାଖରେ ଅଧା ଉପରକୁ ଓ ଆଉ ଅଧା ମାଟି ତଳକୁ ହୋଇ ମିଳିଗଲା। ପରୀକ୍ଷା କଲେ ଜଣା ପଡିବ, ଏଇଟା ସେଇ ରଡ଼ ଖଣ୍ଡକ କି ନୂହେଁ । କାରଣ ଟିକିଏ ଲମ୍ବା ଓ ଅଧିକ ମୋଟା ତଥା ଶକ୍ତିଶାଳୀ ଠିକ୍ ଯେପରି ରାମହରି ବାବୁ ସେଦିନ ବୟାନ ରଖୁଥିଲେ ଯୁବକଠୁ ଶୁଣି ।
କିଛି ସମୟ ପୋଲିସ୍ ଅଧିକାରୀ ଛିଡା ହୋଇ ନୀରବରେ କ’ଣ ଭାବୁଥାନ୍ତି। ଠିକ୍ ଏତିକି ବେଳକୁ ଗୋଟେ ବେଦନାକ୍ତ ଜନ୍ତ୍ରଣା ଜର୍ଜରିତ ଖୁଁଖୁଁ କାଶ ଶବ୍ଦ ସହ ମଣିଷର କ୍ଷୀଣ ଆର୍ତ୍ତ ସ୍ଵର ଭାସି ଆସିଲା – “ଆରେ କିଏ ଅଛରେ! ପାଣି ମୁନ୍ଦେ…” ।ପୋଲିସ୍ ଅଧିକାରୀ ଆହୁରି ଧ୍ୟାନ ପୂର୍ବକ ଶୁଣିବାକୁ ଚେଷ୍ଟା କରି କଥାଟାକୁ ତର୍ଜ୍ଜମା କରୁଥାନ୍ତି। ସ୍ଵରଟା ଗେରେଜ ଘର ଭିତରୁ ଆଡ଼ୁ ନଥିଲା ତ ? ହେଲେ ସେଠି କିଏ କାହିଁକି ବା ରହିବ? ପୁଣି ଗେରେଜରେ ବାହାରୁ ତ ତାଲା ପଡ଼ିଛି। କିନ୍ତୁ ଦ୍ଵିତୀୟ ଥର ସେଇ ଏକା ପ୍ରକାର ଶୁଣିଲା ପରେ ତାଙ୍କର ମନ ଦୃଢ଼ମୂଳ ହେଲା। ସେ ତତ୍କ୍ଷଣାତ୍ ଆଦେଶ ଦେଲେ-” ଏ ଗେରେଜ ତାଲା ଭାଙ୍ଗି ଖାନତଲାସି କର”।
କର୍ମଚାରୀମାନେ ଆଦେଶ ପାଳନ କଲେ। ତାଲା ଭାଙ୍ଗି ଦେଖିଲା ବେଳକୁ, ଜଣେ ରୁଢଦାଢିଯୁକ୍ତ ଜଟାଜୁଟ ନୁଖୁରା ମୁଣ୍ଡିଆ ବଣ ମଣିଷର ଭ୍ରମ ସୃଷ୍ଟି କରୁଥିବା ଠୋକର ବୁଢ଼ାଟିଏ। ବୟସାଧିକ୍ୟ ହେତୁ ଚମଗୁଡ଼ାକ ଧୁଡୁଧୁଡୁ ହୋଇଯାଇଥାଏ, କିନ୍ତୁ ଅନ୍ନ କଷ୍ଟିଆ ମଣିଷଟା ଖାଦ୍ୟାଭାବରୁ ବଡ଼ ଶ୍ରୀହୀନ ଦିଶୁଥାଏ । ଯେକୌଣସି ଲୋକ ଦେଖିଲେ ତା’ ହୃଦୟ ବିଗଳିତ ହୋଇଯିବ, ନୟନରୁ ଅଶ୍ରୁ ଗଡ଼ିବା କଥା ତ ନିଶ୍ଚୟ ଗଡିବ। ବୁଢ଼ାଟି ବଡ଼ କରୁଣ ଦୃଷ୍ଟିରେ ଚାହିଁରହିଥିଲା। ସମସ୍ତେ ଭାବୁଥାନ୍ତି ବୋଧେ ପାଗଳା ହୋଇଯାଇଛନ୍ତି ନା କ’ଣ, ତେଣୁ ତାଙ୍କୁ ସେଠି ଶିକୁଳିରେ ବନ୍ଧା ଯାଇଥିଲା। ମାତ୍ର ଯେତେବେଳେ ସେ ପାଣି ଢୋକେ ପିଇ ଦେଲେ, କହିଲେ ପୋଲିସ୍ ବାବୁ! ଏମାନଙ୍କୁ ନେଇ ଯାଆନ୍ତୁ, ଜେଲର ଅନ୍ଧାରୀ କୋଠରୀକୁ। ସେଇଠି ଏମାନେ ସଢ଼ନ୍ତୁ, ସେଇ ତାଙ୍କ ପାଇଁ ବଡ଼ ସଜା। କାରଣ ମୁଁ ଜାଣିଛି ଏମାନେ ମୋ ସାନ ପୁଅକୁ ତଣ୍ଟିରେ ରଡ଼ ପକାଇ ମାରି ଦେଇଛନ୍ତି”। ଏତିକି ଥରଥର ଓଠରେ କହିଲା ବେଳକୁ ବୃଦ୍ଧ ମୂର୍ଚ୍ଛା ଚାଲିଯାଇଥିଲେ। ତାଙ୍କୁ ଆଉ ଅଧିକ କେହି କିଛି ପଚାରି ନାହିଁ। ଥାନା ଅଧିକାରୀ କହିଲେ -” ବୃଦ୍ଧଙ୍କୁ ଶ୍ରାଷ୍ଟମ କରିକି ନେଇ ଯତ୍ନ ସହକାରେ ଗାଡ଼ିରେ ବସାଅ। ଏଥର ଅଧିକାରୀ ଜଣଙ୍କ ବେଶ୍ ଖୁସି ଜଣାପଡୁଥିଲେ। କାହିଁକିନା ପ୍ରମାଣ ସହିତ ବୃଦ୍ଧଙ୍କର ସାକ୍ଷ୍ୟ ନିଶ୍ଚିତ ଭାବେ କେସଟିକୁ ସୁଦୃଢ ସ୍ଥିତିରେ ଆଣି ଥୋଇ ପାରିବ। ତେଣିକି ବିଚାର ବିଭାଗୀୟ ତଦନ୍ତ ଯାହା ହେଉନା କାହିଁକି। ସମସ୍ତେ ଫେରି ଆସିଥିଲେ ଥାନାକୁ। ଦୋଷୀ ଦୁଇ ଜଣଙ୍କୁ ଲକ୍ ଅପ୍ ରେ ବନ୍ଦ ରଖି, ବୃଦ୍ଧ ଜଣଙ୍କର ଖାଦ୍ୟପେୟ ଓ ବିଶ୍ରାମ ନେବା ପ୍ରତି ଖୁବ୍ ଧ୍ୟାନ ଦେବାକୁ ଆଦେଶ ଦେଇ ଅଧିକାରୀ ଚାଲିଯାଇଥିଲେ ଲଞ୍ଚ ପାଇଁ ନିଜ କ୍ୱାଟରକୁ।
କ୍ରମଶଃ.. Episide11.. ବୃଦ୍ଧଙ୍କଠୁଁ ନେବା ସାକ୍ଷ୍ୟ….

Episode 11… ବୃଦ୍ଧଙ୍କ ବୟାନ
ଚନ୍ଦକାରେ ଗୋଟେ ରାତି
—-by ସତ୍ୟ ପ୍ରକାଶ ସେଠୀ
କୌଣସି ଗୋଟେ ଜରୁରୀ କାମ ପଡିବାରୁ ପୋଲିସ୍ ଅଧିକାରୀ କୁଆଡ଼େ ଚାଲି ଯାଇଥିଲେ।
ସନ୍ଧ୍ୟା ପାଞ୍ଚଟା ବେଳକୁ ପୁଣି ଫେରି ଆସିଥିଲେ- ଥାନାକୁ। ସେତେବେଳକୁ ବୃଦ୍ଧ ଖାଇପିଇ ଟିକେ ସୁସ୍ଥ ହୋଇ ସାରିଥିଲେ। କିଛିଟା ବିଶ୍ରାମ ମଧ୍ଯ ନେଇ ଯାଇଥାନ୍ତି । ପୋଲିସ୍ ଅଧିକାରୀ କହିଲେ – “ଦୁଇ କପ୍ ଚା “। ବୃଦ୍ଧଙ୍କୁ ପାଖରେ ବସାଇ ଖୁବ୍ ଆପ୍ୟାୟିତ କଲେ। ସାଙ୍ଗ ହୋଇ ଚା ପିଇଲେ। ସେ ବେଶ୍ ସହଜ ଓ ସରଳ ହୋଇ ବୃଦ୍ଧଙ୍କ ସହିତ କଥା ହେଉଥିଲେ। ଆଶ୍ୱସନା ମଧ୍ୟ ଦେଉଥାନ୍ତି। ଆପଣାର ମଣିଷଟି ପରି ବ୍ୟବହାର କରୁଥାନ୍ତି। ବୃଦ୍ଧ ସିନା ଖୁବ୍ ଦୁର୍ବଳ ଦିଶୁଥାନ୍ତି, ହେଲେ କିଛିଟା ପ୍ରସନ୍ନତା ପ୍ରକଟ କରୁଥାନ୍ତି। ପୁଣି କେତେବେଳେ ଶଙ୍କା ଓ ଆଶଙ୍କାରେ ଚିତ୍ତ ଚାଞ୍ଚଲ୍ୟତା ସୃଷ୍ଟି ହେଉଥାଏ ସେ ଏଣୁତେଣୁ ଗପୁଥାନ୍ତି। କଥୋପକଥନ ଜରିଆରେ କିନ୍ତୁ ପୋଲିସ୍ ଅଧିକାରୀ ବେଶ୍ ଚତୁରତା ସହକାରେ ସବୁକଥା ପଚାରୁଥାନ୍ତି ଆଉ ବୃଦ୍ଧ ଧୀରେ ଅଥଚ ଗୋଟିଗୋଟି ମନେ ପକାଇ ସବୁ କଥା କହୁଥାନ୍ତି। ସାନ ଟୋକାଟାକୁ ନ୍ୟାୟ ମିଳିବା ଦରକାର ବୋଲି ସେ ଖାଲି ଜୋହର୍ ଦେଉଥାନ୍ତି ଆଉ ଅଧିକାରୀ ଜଣଙ୍କ ଭରସା ଦେଇ ପ୍ରେରଣା ଯୋଗାଇ ଦେଉଥାନ୍ତି। ଏଥର ବୃଦ୍ଧ କହି ଚାଲିଲେ, ମଝିରେ ମଝିରେ ତଣ୍ଟି ଲାଖି ଯାଉଥିବାରୁ ବା କୋହ ଆସୁଥିବାରୁ ସେ ଯାହା ଟିକିଏ ଅଟକି ଯାଉଥାନ୍ତି।
-ସାନ ପିଲାଟା ମୋର ସୁନା ମୁଣ୍ଡାଟେ। ସମସ୍ତେ ତାକୁ ଭଲ ପାଅନ୍ତି। କାହାରି ସେ କିଛି କ୍ଷତି କରେ ନାହିଁ। ଗାଁଠାରୁ ବନ୍ଧୁବାନ୍ଧବ ଯାଏଁ ସମସ୍ତଙ୍କର ସେ ଆପଣାର। ଏ ବଡ଼ ଟୋକାଟା ବି ଖରାପ ନଥିଲା ଆଜ୍ଞା! ଆଗ କେତେ ଶାନ୍ତ ସୁଧାର ଥିଲା। ପାଞ୍ଚ ପଦରେ ପଦେ କହେ ନାହିଁ, ଭାରି ଚୁପ୍ଚାପ୍। ହେଲେ ସହର ଆସିଲାଠୁଁ ସେ ପୂରା ବଦଳି ଗଲା। ଏପରିକି ତା’ର ଅତୀତ, ବାପା ମା, ଭାଇ ଭଉଣୀ ଓ ଘର ଦ୍ଵାର – ସବୁ କିଛି । ସେ ଭୁଲି ଗଲା। ପାଠ ପଢି ସାରି ବି ସହରରେ ରହିଲା। କହିଲା – “ଚାକିରୀ ଖୋଜୁଛି, ଚାକିରୀ ପାଇଗଲେ ଆମର ସବୁ ସ୍ଵପ୍ନ ସାକାର ହୋଇଯିବ। ୟାରି ପାଇଁ ବାବୁ! ସେ ସାନ ଟୋକାଟାର ଇଚ୍ଛା ଥିଲେ ବି ସେ ଆଉ ଅଧିକ ପଢି ପାରିଲା ନାହିଁ। ବାଧ୍ୟ ହୋଇ ଗାଁ ଜମିଜମାକୁ ନେଇ ଚାଷବାସରେ ଲାଗିଗଲା। ଆଗ ଆମ ପରିସ୍ଥିତି ସେତେ ସ୍ଵଚ୍ଛଳ ନଥିଲା। ମାତ୍ର୍ ସାନ ଦାୟିତ୍ଵ ନେଲା ପରଠୁଁ ସେଇ ଚାଷ ଜମି କେଇ ଖଣ୍ଡକୁ ବେଶ୍ କର୍ଷଣ କରି ଭଲ ଦି ପଇସା ରୋଜଗାର କଲା । କିନ୍ତୁ ଏ ବଡ଼ଟା ଘରୁ ବୋହି ନେଇ ସବୁ ଉଜାଡି ଦିଏ। ଶେଷରେ ଗୋଟେ ଚାକିରୀ କରିଛି ବୋଲି କହିଲା ଯେ, ଆମେ ଭାବିଲୁ ଯାହା ହେଉ, ଜୀବନ ସାର୍ଥକ ହେଲା। ହେଲେ ଏବେ ତା’ ପାଖରେ ରହିଲାଠୁଁ ସବୁ କଥା ଜଣାପଡ଼ିଲା। ଏଟା କୋଉ ଚାକିରୀ ଫାକିରୀ କରି ନାହିଁ ବା। ଚୋରା ଗଞ୍ଜେଇ ଓ ଚରସ ବେପାରୀଙ୍କ ସହିତ ମିଶି ଧନ୍ଦା କରୁଛି। ଦିନ ରାତି ଖାଲି ବୁଲୁଥିବ। କେତେବେଳେ କେମିତି ଘରକୁ ଆସେ। ତା ସାଥୀ ବେପାରୀ ଗୁଡାକ ମଧ୍ଯ ଘରକୁ ଆସନ୍ତି ମୁଁ ଦେଖିଛି। ସେମାନେ ଭାବନ୍ତି ବୋଧେ – “ଏ ତ ବୁଢ଼ା ଲୋକଟା, କ’ଣଟେ ଜାଣି ପାରିବ ଯେ, ତେଣୁ ସେମାନେ ନିର୍ବିଘ୍ନରେ ସବୁ କଥା ହୁଅନ୍ତି। ମୁଁ କାନେଇ ଶୁଣେ, ଘୁମେଇ ପଡି ରହେ। ହେଲେ ପ୍ରତିବାଦ କରିବାକୁ ଇଛା ଥିଲେ ବି ବୋହୂଟା ଡରେ କିଛି କହେ ନାହିଁ। ପୁଣି ମୋର ତ ଯେଉଁ ଗୋଟାକ ଆଶ୍ରା ବୋଲି ଥିଲା, ସେ ତ ତୁଟି ଯାଇଛି, ଆଉ କାହା ଭରସାରେ ଜୀବନ ବଞ୍ଚେଇବି। ପରିସ୍ଥିତି ଦୃଷ୍ଟିରୁ ସବୁ ଶୁଣେ, ସବୁ ସହେ, ହେଲେ ଚୁପ୍ ରହେ। ପୁଅକୁ କହିଲେ ବା ଶୁଣନ୍ତା? ସେ ତ କିଛି ଶୁଣିବ ନାହିଁ। ଓଲାଟା ହେଟ୍ ହାଟ୍ କହି ତୋଡ଼ ଦେଖାଇବ। ସେଟା ନିଶା ପାଣି ଖାଇ ଅମଣିଷ ହୋଇଯାଇଛି ବାବୁ। ତେଣୁ ଭାବିଲି ତାକୁ କହି କିଛି ଲାଭ ନାହିଁ। କାରଣ ସେଟା ଯୋଉ ଅପରାଧିକ ଦୁନିଆରେ ପାଦ ଥାପିଛି, ସେଠୁ ଯେ ସହଜେ ମୁକ୍ତି ପାଇବ, ମୋର କାହିଁକି ଆଶା ଭରସା ପାଉନଥାଏ। ଏ ବୋହୂଟା କଥା ନକହିଲେ ଭଲ। ସେଟା ତ ସାକ୍ଷାତ୍ ରଣ ଚଣ୍ଡି। କେତେବାର ହୁମୁହୁମୁ ହୋଇ ମୋତେ ମାରିବାକୁ ଆସିଲାଣି। ତା’ର କୌଣସି ଗୁଣ ଭଲ ନୂହେଁ। ସବୁ ପ୍ରକାର ଦୋଷ ସେହି ସ୍ତ୍ରୀ ଲୋକଟା ପାଖରେ ଅଛି।
ଯାଇ ଯେମିତି ଭଲମନ୍ଦ କି ଗୋଟେ ପ୍ରକାର ଚାଲିଥିଲା। ସେଦିନ ପୁଅ ଅନୁପସ୍ଥିତିରେ ତା’ ଧରମ ଭାଇ ଆସିଥିଲା। ଲୋକଟାର ଚାଲି ଚଳନୀ ମୋତେ ଆଦୌ ଭଲ ଲାଗୁ ନଥିଲା। ଘରଟା ଭିତରେ ପଶି ଯାହା ହେଁ ହାଁ ହେଉଥିଲା, ଭାରି କଷ୍ଟ ହେଉଥିଲା। ପୁଣି ତାଙ୍କର ନିଇତି ରାସଲୀଳା ଚାଲେ। ଏଗୁଡାକ ଦେଖି ଦେଖି ଦେହ କାଠ ହୋଇଗଲାଣି। ଜିଭରେ ହାଡ଼ ବା ଶରୀରରେ ଜୁ’ ନଥାଏ। ଯାଇ ଗଣ୍ଡେ ଖାଇବାକୁ ମିଲୁଛି, ସେତକ ବି କେତେବେଳେ ବନ୍ଦ କରିଦେଇ ପାରନ୍ତି ଭାବି, କହି ପାରୁ ନଥାଏ।
ତଥାପି ଏଥିରେ ମୁଁ ଟିକିଏ ମୋର ଅସନ୍ତୋଷ ପ୍ରକାଶ କରିବା ଆଳରେ ଖାଲି ବାରମ୍ବାର ଖଣ୍ଡି କାଶ ମାରି ଓ କଡ଼ ଲେଉଟାଇ ମୋ ଉପସ୍ଥିତି ଜାହିର୍ କରୁଥାଏ। ପୁଣି “ବୋହୂମା! ପାଣି ଟିକିଏ ଦିଅନି” , “ଚା ଟିକିଏ ଦିଅନି” – କହି, ସେମାନଙ୍କ କାର୍ଯ୍ୟରେ ବାଧା ଉପୁଜାଉ ଥାଏ। ସେମାନେ ବା କାହିଁକି ଶୁଣିବେ? ଓଲଟା କହୁଥାନ୍ତି – “ୟା ସାନ ପୁଅଟାକୁ ଯେମିତି ମାରିକି ଅଖାରେ ପୂରାଇ, କାରରେ ନେଇ ଚନ୍ଦକା ଜଙ୍ଗଲରେ ପୋତି ଦେଲେ, ସେହି ପ୍ରକାର ବୁଢ଼ା ତଣ୍ଟିରେ ରଡ଼ ପକାଇ ଖଟ ତଳକୁ ମାଡ଼ି ଦେଲେ, ଏକାଥରକେ ଶେଷ ହୋଇ ଯାଆନ୍ତା। ସବୁବେଳେ ଗୋଟେ ରାଉରାଉ ହେଉଛି। କେଉଁଦିନ ଏହି ବୁଢ଼ାଟା ମରନ୍ତା କି? ଯାଆନ୍ତା ଏକ ଥରକେ କଳଙ୍କ ହଟି”। ଏକଥାଟା ଶୁଣି ମୋ ପାଦ ତଳୁ ମାଟି ଖସି ଯାଉଥିଲା। ଦେହରୁ ପ୍ରାଣବାୟୁ ଅଧା ଉଡି ଯାଇଥିଲା। ମନେମନେ ସନ୍ତାପ କରୁଥିଲି -” ହେ ଭଗବାନ! ତୁମର ମୁଁ କି ଦୋଷ କରିଥିଲି ଯେ, ଶେଷରେ ମୋତେ ଆଣି ମୋ ପୁତ୍ରହନ୍ତା ପାଖରେ ପକାଇଲ”? ଏକଥା କହିଲା ବେଳକୁ ବୃଦ୍ଧଙ୍କର ନୟନରୁ ଦୁଇ ଧାର ହୋଇ ବୋହି ଆସୁଥିଲା ଲୋତକର ଗାର। ସେ ଆଉ କୋହ ସମ୍ବରଣ କରି ପାରିଲେ ନାହିଁ। ଛାତିକୁ ବାଡ଼େଇ ଓ କପାଳ ଉପରେ ହାତ ବୁଲାଇ ନିଜ କପାଳକୁ ଖାଲି ନିନ୍ଦୁଥାନ୍ତି – “ହାଇରେ କପାଳ “। ପୋଲିସ୍ ଅଧିକାରୀ ଇସାରାରେ, କେହି ପାଣି ପିଇବାକୁ ଦେଲେ। ପୋଲିସ୍ ଅଧିକାରୀ ମଧ୍ୟ ବେଶ୍ ସମ୍ବେଦନଶୀଳ ହୋଇପଡ଼ି ବୃଦ୍ଧଙ୍କୁ ଶାନ୍ତ୍ୱନା ଦେଉଥାନ୍ତି। ଉପସ୍ଥିତ ଅନ୍ୟ ସମସ୍ତ କର୍ମଚାରୀ ତଟସ୍ଥ ହୋଇ ସମଗ୍ର ଘଟଣାଟିକୁ ଶୁଣୁ ଥିଲେ, ଯେପରି କାହାରି ଧୈର୍ଯ୍ୟ ନାହିଁ ଆଉ ଆଗକୁ ଏ କରୁଣ କାହାଣୀ ଶୁଣିବା ପାଇଁ। କିନ୍ତୁ ପୋଲିସ୍ ଅଧିକାରୀ ନିର୍ଦ୍ଧିଷ୍ଟ ବିରାମ ଟାଣି, ପୁଣି ଉତ୍ସାହିତ କରି କହିଲେ – “ମଉସା! ହଁ ଏଥର କୁହନ୍ତୁ, ତା’ପରେ କ’ଣ ହେଲା? ସେମାନଙ୍କୁ ତ ମୁଁ ସଜା ଦେବା କଥା ନିଶ୍ଚିତ ଦିଆ କରିବି, ଆଉ ଆପଣଙ୍କର ମଧ୍ୟ ରହିବାର ସୁବନ୍ଦୋବସ୍ତ ନିଶ୍ଚିତ କରିବି। ତେଣୁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ କି କାହାକୁ ଡରିବାର ନାହିଁ । ହେଲେ ମୋତେ ଖାଲି କୁହନ୍ତୁ! ଏମାନେ ଆପଣଙ୍କୁ ଗ୍ଯାରେଜ ଘରେ ନେଇ ଶିକୁଳି ପକେଇ ବାନ୍ଧି ପକେଇଲେ କାହିଁକି” ?
ବୃଦ୍ଧ ହୋସ୍ ନେଇ ପୁଣି ଆରମ୍ଭ କଲେ-ଏଇ ଘଟଣାରେ ମୁଁ ଏମିତି ହୋଇଯାଇଥିଲି ଯେ, ମୋ ଆଖିକୁ ଆଉ ନିଦ ଆସୁନଥିଲା କି ପେଟକୁ ଭୋକ। ନା ଶକ୍ତି ପାଉଥାଏ ବିଛଣାରୁ ଉଠିବାକୁ ନା ବଳ ପାଉଥାଏ କିଛି କଥା କହିବାକୁ। ପୁଅ ରାତିକୁ ଫେରିଲା ପରେ ସୁଯୋଗ ଦେଖି ପାଖକୁ ଡାକି କହିଲି – “ଆରେ! ଆମ ସାନ ଟୋକାକୁ କ’ଣ ତୋ ସ୍ତ୍ରୀ, ସେ ଚଗଲା ଦାସ ସହ ମିଶି ସତରେ ମାରି ଦେଇଛି? ତୁ ଏକଥା ଜାଣିଛୁ ନା ନାହିଁ ” ? ଏଥିରେ ସେ ହତ ଚକିତ ହୋଇଗଲା। କହିଲ – “ଆପଣଙ୍କୁ କିଏ କହିଲା ଆମେ ମାରିଛୁ ବୋଲି” ? ଚୋର ମନ ତ ଚୋର ଗାଣ୍ଠିଲିରେ, ତେଣୁ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ, ସେହିପରି ତା ପାଟିରୁ ବାହାରି ପଡିଲା ” ଆମେ “ଶବ୍ଦ। ଏକଥା ଶୁଣି, ସେଦିନ ମୁଁ ସ୍ତବ୍ଧ ହୋଇ ଯାଇଥିଲି। ଆଉ ଆଗକୁ କିଛି କହି ପାରି ନଥିଲି।ଖାଲି ହଁ ନାହିଁ ହୋଇ କଥାଟାକୁ ବାଆଁରେଇବାକୁ ଚେଷ୍ଟା କଲି। ହେଲେ ନିଜ ଭାଇର ମୃତ୍ୟୁରେ ନିଜ ଭାଇର ସମ୍ପୃକ୍ତି କଥା ଜାଣି, ମୋ ପାଦ ତଳୁ ଅତଡା ଖସିଯାଇଥିଲା। କିନ୍ତୁ ସେମାନେ ଛାଡିଲେନି। ବୋହୂକୁ ପୁଅ ଡାକ ପକେଇଲା। ଆରମ୍ଭ ହେଲା ଜୁଲମ୍,ମାଡଗାଳି ସବୁ। ବୋହୂ ଚାହୁଁଥିଲା- ମୋତେ ମାରି ଦେବାକୁ। ହେଲା ଟୋକାଟା କହିଲା – “ନା ଅଧିକ ସମସ୍ୟା ବଢିଯିବ। ଶବଟା ବି ଲୁଚାଇ ପାରିବା ନାହିଁ। ଗାଁ ଲୋକ ଓ ବନ୍ଧୁବାନ୍ଧବ ସନ୍ଦେହ କରିବେ। ଆମେ ସନ୍ଦେହ ଘେରକୁ ଆସିଯିବା ଓ ସବୁ ଘଟଣାର ପର୍ଦ୍ଦାଫାସ ହୋଇଯିବ । ତେଣୁ ଗୋଟେ କାମ କର! ୟାକୁ ଆକଟରେ ରଖ ଏବଂ ଜଗିକି ରୁହ। ତେଣିକି ଦେଖାଯିବ ପରିସ୍ଥିତି କ’ଣ ହେଉଛି। ଦିନେ ପୁଣି ଖସି ପଳାଇ ଯିବାକୁ ଚେଷ୍ଟା କରୁଥିଲି। ପୁଅବୋହୂଙ୍କ ହାବୁଡ଼ରେ ପଡିଗଲି। ସିଧା ଆଣି ଗ୍ୟାରେଜ ଘରେ ରସି ପକାଇ ବାନ୍ଧି ପକାଇଲେ। ଅଜାତଶତୃ ହାତରେ ବିନ୍ଦୁସାର ବନ୍ଦୀ ହୋଇ ରହିଗଲା ସବୁଦିନ ପାଇଁ। ଅନେକ ଦିନ ହେବ ମୁଁ କାହା ସହ କଥା ହୋଇ ନାହିଁ। ନିଜକୁ ନିଜେ ବରବର ହୋଇ ଖାଲି କିଛି କହିବା ବ୍ୟତୀତ। ରାତିଟା ଘୋଟି ଆସିଲେ ମୁହଁକୁ ମୁହଁ ଦିଶେ ନାହିଁ। ଆଖିଟା କିନ୍ତୁ ମୋର ଅହରହ ଜଳି ରହିଥାଏ। ଆଖିକୁ ମୋଟେ ନିଦ ଆସେ ନାହିଁ। ସେହି ବହଳ ଅନ୍ଧକାରର ଘନ ପଟଳ ଚିରି କିନ୍ତୁ କେହି ଜଣେ ଆସେ। ମୋ ପାଖରେ ବସେ। ମୁଁ ଯେତେ ଯାହା ପଚାରେ, କିଛି କହେ ନାହିଁ। କିନ୍ତୁ ଭାରି ମନକଷ୍ଟ କରେ । କେତେବେଳେ କେମିତି ମୁଁ କାନ୍ଦିଲେ ସିଏ ବି କାନ୍ଦେ। ଖାଲି ଉଁ ଉଁ ହୋଇ ଦୁଃଖୀ ହୋଇ ଦୁଃଖ ପ୍ରକାଶ କରେ। ମୁଁ ପଚାରେ – “ତୁ କାହିଁକି କାନ୍ଦୁଛୁ, ତୋର କ’ଣ ହୋଇଛି କି? ତଥାପି ସେ ନିରୁତ୍ତର ରହେ। କିଛି କହେ ନାହିଁ। ସେ କିନ୍ତୁ ଥିଲେ ମୋତେ ଭାରି ଭଲ ଲାଗେ। ମୋତେ ଲାଗେ ଯେମିତି ମୋ ସାନ ପୁଅ ମୋ ପାଖରେ ଅଛି । ମୋ ଭଲ ମନ୍ଦ ପଚାରି ବୁଝିବା ପାଇଁ ମୋ ଚାରିପଟେ ଯେମିତି ଲଣ୍ଡଭଣ୍ଡ ହେଉଛି । କିନ୍ତୁ ଭାଇଭାଉଜ ଡରେ କିଛି କହୁ ନାହିଁ। ବେଳେବେଳେ ମଧ୍ୟ ସେ ଅନୁପସ୍ଥିତ ରହେ। ସେଦିନ ମନେମନେ ମୁଁ ତାକୁ ବହୁତ ଖୋଜେ। କିନ୍ତୁ ରାତି ପାହିବା ଆଗୁ ସେ କକେଉଁଆଡ଼େ ଉଠି ଚାଲିଯାଏ। ମୁଁ ଖୋଜି ଆଦୌ ପାଏ ନାହିଁ। ମନ ଭାରି ଦରାଣ୍ଡି ହୁଏ। ଯେଉଁ ଦିନ ମୁଁ ନିଘୋଡ଼ ନିଦରେ ଶୋଇ ଯାଏ, ସେଦିନ ସେ ସ୍ଵପ୍ନରେ କିଛି କହୁଥାଏ-ବାପା ଆମକୁ କ’ଣ ନ୍ୟାୟ ମିଳିବ ନାହିଁ “? ମୁଁ କିଛି ବୁଝି ପାରେ ନାହିଁ। ହେଲେ ଅଫିସର! ମୋ ପୁଅ କ’ଣ ସତରେ ଆଉ ନାହିଁ? ଯଦି ନାହିଁ, ମୁଁ ତେବେ ତା’ର ଉପସ୍ଥିତି ସବୁବେଳେ କେମିତି ଉପଲବ୍ଧି କରୁଛି? ପୋଲିସ୍ ଅଧିକାରୀ କିଛି ଉତ୍ତର ରଖିବାକୁ ଅକ୍ଷମତା ପ୍ରକାଶ କରୁଥାନ୍ତି । ବୃଦ୍ଧଟି କିନ୍ତୁ ଆହୁରି ଜୋହରରେ ବୁକୁ ଫଟାଇ କାନ୍ଦୁଥାଏ -” ମୋ ସୁଦାମରେ! ତୁ କେଉଁଠି ଅଛୁ” ? ଏ କ୍ରନ୍ଦନର ସ୍ଵର ଗଛ ଡାଳରେ ବସିଥିବା ଗୋଟେ ବଡ଼ ପକ୍ଷୀର ସ୍ଵର ସହିତ ମିଶି ଯେମିତି ପ୍ରତିଧ୍ଵନି ତୋଳୁଥିଲା। ସମଗ୍ର ଥାନା ପରିବେଶ ଶୋକାଭିଭୂତ ହୋଇଯାଉଥିଲା। ଥାନା ଅଧିକାରୀ ଆଉ ବୟାନ ରେକର୍ଡ କରିପାରିଲେ ନାହିଁ। ତାଙ୍କ ହାତରୁ କଲମ ଖସି ପଡୁଥିଲା। ସେ ଥକି ପଡୁଥିଲେ। ହଠାତ୍ ଉଠି ସେ ବାହାରକୁ ଚାଲିଗଲେ। ଗଲା ବେଳେ କହିଗଲେ – “ମଉସାଙ୍କୁ ନେଇ ଆତିଥ୍ୟ ଦେଇ ମୋ ଅତିଥି ଶାଳାରେ ଛାଡ଼ି ଦେଇ ଆସ”।
କ୍ରମଶଃ… Episode 12 ପୋଲିସିର 3rd ଡିଗ୍ରୀ…

Episode12 – ଜେରା… ଚନ୍ଦକାରେ ଗୋଟେ ରାତି
ରାତି ନଅଟା ବାଜିଲାଣି। ତେଣୁ ଥାନା ପରିସରରେ ଆଉ ବେଶୀ ଗହଳି ନଥାଏ କି କେହି ଲୋକବାକ। ଗହଳ ଚହଳ ବି ଧୀରେ କମି ଆସିଲାଣି। କିଏ କେତେ ରକମର ଅଭିଯୋଗ ନେଇ ଦିନରୁ ଆସିଥିଲେ। ସବୁ ଯେଝା ଯେଝା କାମ ନିପଟେଇ ଫେରି ଗଲେଣି। ଥାନା ବାବୁ ଚେୟାରଟାରେ ବସିବସି ଏକା ଏକା ଝୁଲୁଥାନ୍ତି। ଆଉ କେହି ବା ରୁମ୍ କୁ ଆସିଲେ ବଡ଼ ବିରକ୍ତ ହେଉଥାନ୍ତି। ଆସିଲେ ମଧ୍ଯ ଥାନା ବାବୁ ଦେଖା ଦେଉ ନଥାନ୍ତି ।ସେକଣ୍ଡ ଅଫିସରକୁ ଡାକି କହିଲେଣି – “କହି ଦିଅ ଆଉ କାହା ସହିତ ଆଜି ଦେଖା ହୋଇ ପାରିବ ନାହିଁ।କୁହ, ଆଉ ଯାହାର ଯାହା କାମ ଅଛି ଆସନ୍ତା କାଲିକୁ ଆସିବେ” । ଏହି ସମୟରେ ବସାରୁ ବୋଧେ ଗୋଟେ ଫୋନ୍ ଆସିଲା। କହିଲେ – “ପେଟ୍ରୋଲିଂରେ ଯିବାକୁ ହେବ, ତେଣୁ ଘରକୁ ଆଉ ଯାଇ ହେବ ନାହିଁ, ବରଂ ଚୌକିଆ ହାତରେ ଟିଫିନ୍ କ୍ୟାରିଅରରେ ଦୁଇ ଖଣ୍ଡ ରୁଟି ଓ ଟିକିଏ ସନ୍ତୁଳା ପଠେଇ ଦେଇ, ଶୋଇ ପଡ଼। ମଉସାଙ୍କର ଟିକିଏ ଯତ୍ନ ନେଉଥିବ, ଯେମିତି ତାଙ୍କର କିଛି ଅସୁବିଧା ନହୁଏ”। ଅନ୍ୟ ଷ୍ଟାଫ୍ ମାନଙ୍କୁ ମଧ୍ୟ କହିଲେ -” ଖାନାପିନା ଜଲଦି ସାରି ଫେରି ଆସ। – କାମ ଅଛି”। ଲେଡିଜ ଷ୍ଟାଫ୍ ମାନଙ୍କୁ ମଧ୍ୟ ସେଇ ଏକା ନିର୍ଦ୍ଦେଶ। ଆଉ କେତୋଟି ଫୋନ୍ ଯୋଗେ-ଟିକେ ଯୋଗାଯୋଗ । କିଛି ଗୋଟାଏ ବଡ଼ ମିଶନ ଥିଲା ପରି ମନେ ହେଉଥିଲା।
ଏଥର ଚେୟାରରୁ ଉଠିଲେ। କହିଲେ କଏଦୀ ଦୁଇ ଜଣଙ୍କୁ ହାଜର କର।ସୁକୁଟା ପ୍ରଧାନ ଓ ତା ସ୍ତ୍ରୀକୁ ପ୍ରଥମେ ଏକା ଏକା ପୁଣି ଦୁଇ ଜଣଙ୍କୁ ସାଙ୍ଗରେ ଏକାଠି ସାମ୍ନାସାମ୍ନି ବସେଇ ଜେରା କଲେ। ପୋଲିସବାଲା ତ ପ୍ରଥମେ ନରମ, ପୁଣି ଦରକାର ପଡିଲେ ତେଡା ହୁଅନ୍ତି। ଆରାମସେ ଓ ବେଶ୍ ଶାନ୍ତ ହୋଇ କହିଲେ _”ଦେଖ! ଘଟଣାଟା ଲୁଚେଇ ଆଉ ଲାଭ ନାହିଁ। କାରଣ ସବୁ କଥା ଜଣା ପଡ଼ିଗଲାଣି। ତୁମ ବାପା ବି ନିଜେ ସାକ୍ଷ୍ୟ ଦେଇ ସାରିଛନ୍ତି । ଶବର ଠିକଣାଟା ମଧ୍ୟ ମିଳିସାରିଛି। ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠା ଯାଇଛି, ରିପୋର୍ଟ ଆସିଲେ ଆହୁରି ସବୁ କଥା ସ୍ପଷ୍ଟ ହୋଇଯିବ। ତେଣୁ ତୁମେ କିଛି ନକହିଲେ ବି ବିଶେଷ କିଛି ଫରକ୍ ପଡ଼ିବ ନାହିଁ। ତେବେ ମୁଁ ଚାହୁଁଛି, ସତ କଥାଟା ତୁମ ମାନଙ୍କ ମୁହଁରୁ ବାହାରୁ, କାରଣ ହୁଏତ ମୁଁ ତୁମକୁ କିଛିଟା ସାହାଯ୍ୟ କରିପାରେ। ନହେଲେ ତୁମକୁ ଫାଶି ହୋଇଯିବ। ଫାଶି”।

ଏତକ କହି ଦେଇ ସେ ତାଙ୍କ ଭାବାବେଗ ସବୁ ନୀରବରେ ନିରୀକ୍ଷଣ କରୁଥାନ୍ତି। କିନ୍ତୁ ଏ କଥାର ବିଶେଷ କିଛି ପ୍ରଭାବ ସେମାନଙ୍କ ଉପରେ ନ ପଡିବାରୁ ସେ ଆଉ ଗୋଟିଏ methord apply କଲେ। କହିଲେ -” ତୁମେ ଭାରି ନୀରିହ ଲୋକ ଗୁଡ଼ା। ତେଣୁ ମୁଁ ଚାହୁଁ ନାହିଁ ତୁମେମାନେ ଅଧିକ ଦଣ୍ଡ ଭୋଗ କର। ଅବଶ୍ୟ ଏଟା ସତ କଥା, ଏ କେସ୍ ରୁ ତୁମେମାନେ ସହଜରେ ମୁକୁଳି ପାରିବ ନାହିଁ। ହେଲେ ସଜା ତ କୋହଳ ହୋଇ ପାରିବ। ମୁଁ ଚାର୍ଜ ଫ୍ରେମ୍ କଲା ବେଳେ ଟିକିଏ ଚାର୍ଜ କମ୍ କରିଦେବି। ଦଫା କମି ଗଲେ ଦଣ୍ଡ ବି କମି ଯିବ। ହେଲେ ତୁମମାନଙ୍କୁ ସହଯୋଗ ମନୋବୃତ୍ତି ଦେଖେଇବାକୁ ପଡ଼ିବ। ସବୁ କଥାଗୁଡ଼ାକ ସତସତ କହିବାକୁ ହେବ। ମୁଁ ଚାହୁଁଛି ସତ୍ୟ ପଦାକୁ ଆସୁ”।ପୁଣି ଟିକିଏ ରହି –
” ଦେଖ! ଯେଉଁମାନେ ଏ ଚକ୍ରବ୍ୟୁହ ରଚନା କରିଛନ୍ତି ସେମାନେ ସମସ୍ତେ ଧରା ପଡନ୍ତୁ। ତୁମେ ତ ଗାଉଁଲି ମଣିଷ, ତୁମେ କାହିଁକି ବା ନିଶା କାରବାର କରିବ। ତା ଛଡ଼ା ମୁଁ ତୁମର ପୂର୍ବ (past) ରେକର୍ଡ ସବୁ ଦେଖିଛି । ସେମିତି ତ କିଛି ଅପରାଧିକ ପୃଷ୍ଠଭୂମି ନାହିଁ। ତେଣୁ ହତ୍ୟା ପରି ଏତେବଡ଼ ଜଘନ୍ୟ ଅପରାଧ ତୁମେ ଏକାଏକା କରି ପାରିବ ନାହିଁ। ସତ କଥାଟା କହିଦିଅ! ତୁମ ସହିତ ଆଉ କିଏ କିଏ ସବୁ ଥିଲେ”?
ତଥାପି ସେମାନେ ନୀରବ। ଖାଲି ତଳକୁ ମୁହଁ ହାଣି ଯାହା ନୀରିହ ଅଭିନୟ କରୁଥାନ୍ତି ନହେଲେ ଗୋଡ କାଟି ଗାର କାଟୁଥାନ୍ତି। formula no 1-ଡରେଇବା, formula no- 2 ବୁଝେଇବା ଓ ପରେ formula no 3-ତେଲେଇବା ବା ଗେହ୍ଲେଇବା apply କଲେ। ମୁଖ ମଣ୍ଡଳକୁ ବେଶ୍ ପ୍ରସନ୍ନ ରଖି, ଧୀର ଅଥଚ ନମ୍ର ଗଳାରେ କହୁଥାନ୍ତି -” ଏହି ନିଶାଗ୍ରସ୍ତ ହେଲ ବୋଲି ସିନା, ତୁମେ ନିଶା ସେବନ କରି ଭୁଲ ବାଟକୁ ଚାଲିଗଲ ଓ ନିଶା କାରବାର ତଥା ହତ୍ୟା ପରି ଜଘନ୍ୟ ଅପରାଧରେ ସାମିଲ ହୋଇଗଲ, ନହେଲେ ତୁମ ଭଳିଆ ପିଲା କି ଏ ଭୁଲ କରିପାରେ? ମୁଁ ତୁମ ମୁହଁରୁ ଭଲକି ସବୁ କଥା ବୁଝି ପାରୁଛି ଯେ, ତୁମେମାନେ ଖୁବ୍ ଭଲ ପିଲା। ହେଲେ ସତ କଥାଟା କହି ଦିଅନ୍ତ ନାହିଁ – ଏହାର ମାଷ୍ଟର ମାଇଣ୍ଡ କିଏ? କିଏସେ, ଏ ସହରରେ ନିଶା ସାମ୍ରାଜ୍ୟ ବିସ୍ତାର କରି ବାଦଶାହା ହୋଇ ବସିଛି ଆଉ ତୁମକୁ ସବୁ ତୁମ ଦରିଦ୍ରତା ଓ ଦୁର୍ବଳତାର ସୁଯୋଗ ନେଇ ତା’ ବୁଢିଆଣୀ ଜାଲରେ ଫସାଉଛି? ଦେଖ! ସତ କଥାଟା କହିଲେ, ମୁଁ ତୁମକୁ ରାଜ ସାକ୍ଷୀ କରିଦେବି। ତୁମେମାନେ ଖସିଯାଇ ପାରିବ ବା ତୁମମାନଙ୍କର ସଜା ବି କୋହଳ ହୋଇପାରେ। କିନ୍ତୁ ସତ କଥାଟା ନକହିଲେ, ମୁଁ ନାଚାର। ମୋ ପାଖରେ ଆଉ କିଛି ଉପାୟ ରହିବ ନାହିଁ ଯେ, ମୁଁ ତୁମକୁ ସାହାଯ୍ଯ କରିପାରିବି। ତେଣୁ ତୁମକୁ ଆଜୀବନ କାରାଦଣ୍ଡ ବି ହୋଇଯାଇପାରେ।ହେଲେ ସବୁ ମାନିଗଲେ ମୁଁ ତୁମକୁ ବ୍ୟକ୍ତିଗତ ମୁଖଚାଲିକାରେ ଛାଡି ଦେଇ ପାରେ। ନହେଲେ କୋର୍ଟ ଚାଲାଣ କରିବାକୁ ବାଧ୍ୟ ହେବି। ତା ଛଡା ତୁମେ କାହାକୁ ଡରୁଛ କି? କାହାକୁ ଡରିବା ଦରକାର ନାହିଁ।କଥା ଦେଉଛି, ପୋଲିସ୍ ତୁମକୁ protection ଦେବ। ସେମାନେ ତୁମର କିଛି ବି କରି ପାରିବେ ନାହିଁ। ତୁମେ ଖାଲି ସେମାନଙ୍କର ନାଁଟା କହିଦିଅ। ମୁଁ ଗୋଟା ଗୋଟା ସେମାନଙ୍କୁ ବାନ୍ଧି ଆଣି ଜେଲରେ ଠୂଙ୍କି ଦେବି। ଏକାଥରକେ ଜେଲରେ ପଶି ଚକି ପେଷୁଥିବେ ଯେ, ପେଶୁଥିବେ। ଆଉ ମୁକୁଳି ପାରିବେ ନା କାହାର କିଛି କ୍ଷତି କରି ପାରିବେ “। ପୁଣି କେତେବେଳେ ପିଠିକୁ ଥାପୁଡେଇ ଦେଇ, ତା’ ଜଙ୍ଘକୁ ଟିକେ ହାଲକା ଭାବେ ପିଟିଦେଇ – “ବାବୁ କହ! ତୁ ଆମର ଭଲ ପିଲାଟା, କିନ୍ତୁ ବୋକାଟା। ତୋତେ ସେମାନେ ଢ଼ାଲ କରି ଏତେ କିଛି କରିଗଲେ, ତୁ କିନ୍ତୁ କିଛି ବୁଝି ପାରିଲୁ ନାହିଁ। ଭୋଲାଟା ବୋଲି ସିନା , ସେମାନେ ତୋତେ ଠକି ଦେଇ ତୋ ପଛପଟେ ଏତେ ବଡ଼ ଖେଳଟା ଖେଳି ଦେଲେ, ତୁ କିଛି ବୁଝି ପାରିଲୁ ନାହିଁ। ହେଲେ ତା ନାଁଟା ଖାଲି କହିକି ଦେଖ ତ ମୁଁ କେମିତି ତା ମଜା ଚଖଉଛି। କହ! କହ!! ବାବୁ କହ!!! ତୋ ମୁହଁ କହୁଛି ପରା ତୁ ନିର୍ଦ୍ଦୋଷ , ନିହାତି ଓଲୁଟା।
ଏହିପରି ଏକ ଦୀର୍ଘ କସରତ ପରେ ବି ପୋଲିସ୍ ଅଧିକାରୀଙ୍କ ମୁହଁରେ ନଥିଲା ଅଧୈର୍ଯ୍ୟର ସ୍ମାରକୀ, ତିଳେ ମାତ୍ର୍ ବିରକ୍ତିର ଛାପ। କାରଣ ସେ ଚାହୁଁଥାନ୍ତି କଳେବଳେ ବା ଛଳେ ହେଉପଛେ ତା ପାଖରୁ ସବୁ ସତ କଥାଟା ହାସଲ କରି, ଓଡ଼ିଶାର ରାଜଧାନୀ ଭୁବନେଶ୍ବର ପରି ଏକ ସମ୍ବେଦନାଶୀଳ ସହରରୁ ଯେଉଁଠି କି ସମସ୍ତ VIP ମାନେ ରହୁଛନ୍ତି, ସେଠୁ ଏ ଅପରାଧୀ ମାନଙ୍କୁ ଚିହ୍ନଟ କରି ତାହାର ମୂଳ ଉତ୍ପାଟନ କରିବା।ତେଣୁ ସେ କେତେବେଳେ ସ୍ନେହବୋଳା କଥା ତ କେତେବେଳେ ଧମକପୂର୍ଣ୍ଣ ଉକ୍ତି ବାଢୁଥାନ୍ତି। ପୁଣି କେତେବେଳେ ହୃଦେ ରଖି କଠୋର ଭାବ ମୁହଁରେ ବଡ଼ ଅନୁକମ୍ପା ଓ ଗଳାରେ ନରମ ବାଣୀ କଥା କହିଥାନ୍ତି। ଆଉ କେତେବେଳେ ବି ଲୋଭ ଦେଖାଉଥାନ୍ତି, ସଜା କୋହଳ ବା ରାଜ ସାକ୍ଷୀ କରିବାର ମିଥ୍ୟା ଅଭିପ୍ରାୟ ରଖି।
ହେଲେ ଏଗୁଡାକର ବିଶେଷ କିଛି ପ୍ରଭାବ କାହିଁ ପଡୁନଥିଲା – ସେମାନଙ୍କ ଉପରେ। କାରଣ ଏମାନେ ବଡ଼ ପେଶାଦାର ଅପରାଧୀ ଭଳି ପୂରା TRAINED ହୋଇଥିବା କାହିଁକି ପ୍ରତୀତ ହେଲେଣି। ସେମାନେ ବାରମ୍ବାର ଚେଷ୍ଟା କରୁଥାନ୍ତି, ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇ ଯାଇ କିପରି ଭିନ୍ନ୍ ପ୍ରସଙ୍ଗ ଓ ବିଷୟବସ୍ତୁ ପ୍ରତି ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବେ। ଭାରି ନୀରିହ ଆଉ ନିରିମାଖିର ଅଭିନୟ -‘ ଧେତ୍ ଅପେରା’ ପାର୍ଟିର କଳାକାର ପରି ।
ମାତ୍ର ଏତେ ପରିଶ୍ରମ କଲା ପରେ ବି ଯେତେବେଳେ କିଛି ଫଳ ମିଳିନି, ସେତେବେଳେ ତାଙ୍କ ମୂଖ ମଣ୍ଡଳରେ ଅସ୍ୱାଭାବିକ ପରିବର୍ତ୍ତନର ଝଲକ ନିଜର ଆସିଲା। ବଜର ବଜର ହୋଇହୋଇ, ଏଥର ଧୈର୍ଯ୍ଯର ନଦୀବନ୍ଧ ଭାଙ୍ଗି ଅଧୈର୍ଯ୍ୟର ଲହଡ଼ି ଖେଳୁଥାଏ। ଏଣିକି ଅଧିକାରୀଙ୍କ ଆଖି ରକ୍ତ ବର୍ଣ୍ଣ ଧାରଣ କଲାଣି। ମୁଖ ମଣ୍ଡଳ କୁଞ୍ଚିତ ହୋଇ ବିବର୍ଣ୍ଣ ହେବାକୁ ବି ଲାଗିଲାଣି।
ସେ ରାଗରେ ଦାନ୍ତ କଡ଼ମଡ଼ କରି ଚୂଡ଼ା ଚାଉଳ ଚୋବାଉ ଥାନ୍ତି। ଗୋଟିଏ ଯୋଡ଼ିଏ ଅଶ୍ଲୀଳ ଶବ୍ଦ ମଧ୍ୟ ପାଟିରୁ ଝଡ଼ିପଡିଲାଣି। ଏଥର ଅପଶବ୍ଦ ପ୍ରୟୋଗ କରି ଗର୍ଜି ଉଠିଲେ।ଚେୟାରରୁ ଏତେ ଜୋହର ସେ ଉଠି ପଡ଼ିଲେ ଯେ, ଚେୟାରଟା ଖାଲି ଘିରିଘିରି ହୋଇ ଘୂରିବାକୁ ଲାଗିଲା। ପୁଣି କିଛି ସମୟ ପରେ ଚେୟାରଟା ସେଇଠି ସେଇମିତି ରହି ଖାଲି ଦୋହଲିବାକୁ ଲାଗିଲା ଓ ପରେ ସ୍ତବ୍ଧ ହୋଇଗଲା ସେଇଠି । ଏବେ ସେ ଟେବୁଲ୍ ଉପରେ ଗୋଟେ ଗୋଡ ଅଧା ଟେକି ଦେଇ ଆଉ ଗୋଟେ ଗୋଡ ତଳେ ଲଗାଇ ରଖି କଚାଡ଼ି ହୋଇ ବସି ପଡ଼ିଲେ।ମଝିରେ ମଝିରେ ନିଜ ଜଙ୍ଘଟାକୁ ନିଜେ ବାଡ଼େଇ – “ଆବେ କହବେ!” ପୁଣି ବାଡ଼ିଟାକୁ ହାତରେ ଘୂରେଇ ଘୂରେଇ ବା ଏ ହାତରୁ ସେ ହାତ କରି, ନତୁବା ଉପରକୁ ଉଞ୍ଚେଇ ଧରି – “ଆବେ” ଏଇଲାଗେ ଦେଖିବୁ!” ଆଖି ଦୁଇଟା ତାଙ୍କର ଜଳିବାକୁ ଲାଗୁଥାଏ , ଯେମିତି ଭୂତ ଶବାର ହୋଇ ଯାଇଥାଏ କି କ’ଣ।ଏଥରକ କବଲେଇକି ଆଉ ମାତ୍ର୍ କେଇପଦ ପଚାରିଲେ। ମାତ୍ର୍ ସେତିକିରେ କାମ ନ ମେଣ୍ଟିବାରୁ – ଦେହରୁ ସାର୍ଟଟା ଖୋଲି ଫିଙ୍ଗି ଦେଲେ। ବେଲ୍ଟଟା ମଧ୍ୟ ଟିକେ ଢ଼ିଲା କରିଦେଲେ। ଆରମ୍ଭ ହେଲା ଥାର୍ଡ ଡିଗ୍ରୀ ଟର୍ଚ୍ଚର।
ଆଃ.. କି ନିର୍ମମ ପ୍ରହାର? ଚୋର ଚଣ୍ଡାଳ ବି ତ ସହିବ ନାହିଁ – ସେ ପ୍ରହାରର ଭୀଷଣତାକୁ। ବଡ଼ କଠୋର ଅନୁଶାସନର ନମୁନା – ଇଏ। ସେଇଥିପାଇଁ ବୋଧେ କୁହଯାଏ – “ମାମୁଘରକୁ ଯିଏ ଥରେ ଯାଇଥିବ ଆଉଥରକୁ ନ କରିବ ମନ” । ଗୋଡଠୁଁ ପାଦ ଯାଏଁ ଆଉ କୋଉ ଜାଗା ଛାଡିଲେ କି? ଚାରିଆଡ଼େ ପାହାର ପରେ ପାହାର, ପାହାରର ଭୁଣ୍ଡାଭୁଣ୍ଡା ଦାଗ। ଥୁଲୁକା ଥୁଲୁକା ଫଟା ମାଂସ ଗୁଡାକ ଖାଲି ଦୁଲୁକୁ ଥାଏ । ମଝିରେ ମଝିରେ “ବୋଉଲୋ! ମାଆଲୋ! ମରିଗଲି”ର ବୁକୁ ଫଟା ଆର୍ତ୍ତନାଦ। ପିଟି ପିଟି ବାଡ଼ି ଥକି ଯାଉଥାଏ । ଶେଷରେ ଭାଙ୍ଗି ଦୁଇ ଖଣ୍ଡ ହୋଇ ଯିବାରୁ, ପୁଣି ବେଲ୍ଟରେ ଚାଉଁ ଚାଉଁ ଶବ୍ଦ କର୍ଣ୍ଣ ଗହ୍ଵର ଭେଦି ଭିତର ପରଦାକୁ କ୍ଷତ କରୁଥାଏ।
ସେପଟେ ବି ଆହୁରି” ଆହୁରି ମାର, ସତ କଥାଟା ନ ବାହାରିଲା ଯାଏଁ ଛାଡ଼ ନାହିଁ” ବୋଲି ଲେଡିଜ କନଷ୍ଟେବଲକୁ ନିର୍ଦ୍ଦେଶ ଦିଆ ଯାଉଥାଏ। ସିଏ ବି ଅନୁରୂପ ପ୍ରହାର କରୁଥାଏ – ସ୍ତ୍ରୀ ଲୋକଟା ଉପରେ। ଆଉ ଯେମିତି ହେଲେ ସତ କଥାଟା ସେମାନଙ୍କଠାରୁ ଉଗାଳିବାକୁ ଚେଷ୍ଟା କରୁଥାନ୍ତି। ଏଥର ହୁଏତ ପ୍ରେତାତ୍ମା ଟିକେ ଖୁସି ହେଉଥିବ ବୋଲି ମନେ ମନେ ଭାବୁଥାନ୍ତି। ଆଉ ସେମାନେ ବୋଧେ ଭାବୁଥିବେ – “ବାପରେ ବାପ୍ ପୋଲିସ୍ ମାଡ ଏତେ ଟାଣ? ମଣିଷ ତ ମୂତି ପକେଇବ” । ସତକୁ ସତ ସ୍ତ୍ରୀ ଲୋକଟା ତ ଚର୍ ଚର୍ କରି ମୂତି ପକେଇଲା ନା କ’ଣ? ହଁ, ପୋଲିସ୍ ଅଧିକାରୀ ମୁହଁଟାକୁ ବୁଲେଇ ନେଲେ ତ।
ଏବେ ସମସ୍ତେ ଟିକେ ହୋସ୍ ନେଲେ। ଏମାନେ ଏତେ ମାଡ ଖାଇଲେଣି, ତଥାପି ସତ କଥା ଗୁଡ଼ାକ ପାଟିରୁ ବାହାରୁ ନଥାଏ।ସୁଦ ଅଜରା। ଅକାଲୁଆଗୁଡା। ପୋଲିସ୍ ବାଲାଙ୍କର ମାଡ ଦେଇ ଦେଇ ହାୱା ଢ଼ିଲା ହୋଇ ଗଲାଣି, ଝାଳନାଳରେ ପୂରା ଗୋଟା ପୁଣି ସଢସଢ, ହେଲେ ଏମାନେ ମାଡ ଖାଇ ମଧ୍ୟ ଚେତୁ ନଥାନ୍ତି।ତେଣୁ ଯିଏ ନାହିଁ ସେ ତ ରାଗିବ, ଆଉ ପୋଲିସ୍ ବାଲା କ’ଣ ସରଗରୁ ଛିଡିଲେ କି, ୟାଙ୍କୁ ଖାଲି ଦୟା ଦେଖେଇବେ। ତେଣୁ ଏଥର ତ final round ନିଶ୍ଚୟ ଆରମ୍ଭ ହେବ… ଆଃ.. ଉଃ.. ଠାଏ.. ଠାଏ..
ଏବେ ସେମାନଙ୍କୁ ଢୋକେ ଢୋକେ ପାଣି ଦିଆଗଲା ଓ ସାମନ୍ୟ ବିଶ୍ରାମ ମଧ୍ଯ। ଦ ପୁଣି ଅକଥନୀୟ ଅତ୍ୟାଚାରର ପୁନରାବୃତ୍ତି ହେଲା। ମଣିଷ ସହିବ ସହିବ ବୋଲି ଆଉ କେତେ ଯେ ସହିବ? ପୁଣି ଗୋଟେ ସହିବାର ସୀମା ଅଛି ନା? ତେଣୁ ସେ ଯେମିତି ହେଲେ ସତ କଥାଟା କହିବ। ପୋଲିସ୍ କନେଷ୍ଟବଲ ଦିଟା ଦ୍ଵାର ପାଳ ଭଳିଆ ଥାନା ଦ୍ଵାର ମୁହଁରେ ଜଗିରହି ଅହରହ ନିଜ ନିଜ ଭିତରେ ମଝିରେ ମଝିରେ ଏଭଳି ରହସ୍ୟ (ହାସ୍ୟ) କରୁଥାନ୍ତି ।
ଏଥରକ ପୋଲିସ୍ ଅଧିକାରୀ ଏମିତି ଭୟଙ୍କର ରାଗିଗଲେ ଯେ – ତା ଦି କଳପାଟି ମଝିରେ ରୋଲ୍ ବାଡ଼ିଟାକୁ ଥୋଇଦେଇ ଦୁଇ ପଟକୁ ଏଡ଼େ ଜୋହରରେ ଚାପି ଧରିଲେ ଯେ,ତା ପାଟିଟା ଯେମିତି ବକା ପାଟି ପରିକା ଦୁଇ ଫାଳ ହୋଇ ଚିରିଯିବ। ଏପଟେ ଗୋଡ ଉଠାଇ ମଧ୍ଯ ନାତ ପରେ ନାତ ତା ବିଶ୍ବାସ ଘରକୁ ଦେଖି ନାଦୁଥାନ୍ତି। ଆଉ ପାଟିରୁ ବାହାରୁ ଥାଏ – “କହ! କହ!! ସତ କଥାଟା କହ, ନହେଲେ ମାରୁମାରୁ ମାରିଦେବି”। ଏତେବେଳକୁ ଯାଇ ସତ କଥାଟା ପାଟିରୁ ବାହାରି ପଡିଲା। କହିଲା – “ଆଜ୍ଞା! ମରି ଯିବୁ… ଆଉ ମାରନ୍ତୁ ନାହିଁ.. ଆମକୁ ଛାଡ଼ି ଦିଅନ୍ତୁ.. ଆମେ ସତ କଥାଟା କହୁଛୁ..” ।କହିଲା ବେଳେ ଧଇଁସଇଁ ଓ ଅଣନିଶ୍ଵାସୀ ତ ହେଉଥାନ୍ତି। ଅଫିସର କହୁଥାନ୍ତି ତେଣେ, ଖତେଇ ବିଗୁଲେଇ ହୋଇ _” ହଁ.. କହ! କହ..!! ନହେଲେ କୋଉ ଛାଡ଼ୁଛି କି, ଆହୁରି ମାରିବି।
ସତ ବାହାରିଲା, ସତ ବିକି ଦେଲା – ଅନୁଗତ । କହିଲା –

Episoddy13.. 3rd ଡିଗ୍ରୀର ପ୍ରଭାବ.. ଫର୍ଦ୍ଦ ଲେଉଟିଲା…
—ସତ୍ୟ ପ୍ରକାଶ ସେଠୀ
—ଚନ୍ଦକାରେ ଗୋଟେ ରାତି–
ସତ ବାହାରିଲା।ସୁକୁଟା ପ୍ରଧାନ କହିଲା – “ସତ କହୁଛୁ ଆଜ୍ଞା ଆମେ ଜାଣୁନା, କିଏସେ ସେଇ ମାଷ୍ଟର ମାଇଣ୍ଡ । ଆମକୁ ତ ଏ ମାଲ୍ ସବୁ ସେଇ ଚଗଲା ଦିଏ। ସେଇ ଏହି ଧନ୍ଦା ଆମକୁ ଶିଖେଇ ଥିଲା। ତାହାରି ପ୍ରବର୍ତ୍ତନା ଓ ପ୍ରରୋଚନାରେ ପଡି ଆମେ ଏ ଧନ୍ଦାରେ ପଶି ପଙ୍କରେ ଗୋଡ଼ ଖସାଇଲୁ । ସେ ସେସବୁ ମାଲ ବାଦଶାହା ପାଖରୁ ଆଣେ ବୋଲି କହେ। ହେଲେ କିଏ ବାଦଶାହା ବା ସେଇ ଚଗଲା ନିଜେ – ସବୁ କିଛି, ଆମେ ଜାଣୁନା। ମୁଁ କେତେବାର ତାକୁ ବାଧ୍ୟ କରିଛି, ବାଦଶାହା ପାଖକୁ ନେଇ ଯିବାକୁ, ହେଲେ ସେ ଥରୁଟିଏ ନିଏ ନାହିଁ। କହେ ବାଦଶାହା ଭାରି କ୍ରୋଧୀ। ସେ ସାଧାରଣ ଲୋକକୁ କେବେ କଥା କହେ ନାହିଁ, କଥା କହେ କେବଳ ତା’ ବନ୍ଧୁକ। ସେ ଖାଲି ଗଣିଗଣି ଅଳ୍ପ କେତେଜଣଙ୍କ ସହ କଥା ହୁଏ।ପୁଣି ଏଠି ଅଳ୍ପ ସମୟ ରହେ, ବେଶୀ ସମୟ ତା’ର ବିଦେଶରେ କଟେ। ତା’ର କୁଆଡ଼େ ବହୁ ବଡ଼ ବଡ଼ କମ୍ପାନୀ ଅଛି। ତା’ର ସେସବୁ କାରବାର ଦେଶ କ’ ଣ, ବିଦେଶରେ ବି ଚାଲେ। ତେଣୁ ଏଠାକା କାରବାର ସେ ନୂହେଁ ବରଂ ତା’ ଅନୁଗତ ଲୋକ କେଇ ଜଣ ବୁଝନ୍ତି। ତାକୁ ଭେଟିବା ପାଇଁ ବହୁତ ପଇସା ଦରକାର। ଅଧିକ ପଇସାରେ ମାଲ୍ ଖରିଦ କଲେ ସେ ଦେଖା ଦେବ ଓ ସିଧା ସଳଖ କାରବାର ପାଇଁ ଅନୁମତି ଦେବ। ଅବଶ୍ଯ ସେଥିରେ ଅଧିକ ମୁନାଫା ଥାଏ । ତେଣୁ ତୁମେ ଯଦି ଏକାବେଳେକେ ଧନୀ ହେବା ପାଇଁ ଚାହୁଁଥାଅ, ତେବେ ଗାଁ ଜମିଜମା ସବୁ ବିକ୍ରୀ କରି ଆଗ ପଇସା ଠୂଳ କର, ତା’ ପରେ ଯାଇ ଯୋଉ କଥା। ଏହି ପ୍ରକାର ତା ବୁଦ୍ଧିରେ ପଡି ମୁଁ ମୋ ଭାଇକୁ ଶେଷରେ… କହୁ କହୁ ଭୋ ଭୋ ହୋଇ କାନ୍ଦି ପକେଇଲା। ପାଣି ଟୋପେ ଦେଇ ପୁଣି ଉତ୍ସାହିତ କରି କହିଲାଠୁଁ – “, ହଁ ସେଇଠୁ.. ଆଗକୁ ବଢ..କୋଉଠି ବେପାର ହୁଏ, କେମିତି ବେପାର ହୂଏ “, ହୋସ୍ ନେଇ ପୁଣି କହିଲା-
ହେଲେ ଆମକୁ ଏଇ ଗଞ୍ଜା ଓ ଚରସ, ସେଇଠୁ ଆଣି ସେ ସବୁ ଦିଏ। କହେ – “ଏତିକି ବିକି ସାରିଲେ ଆହୁରି ଆଣି ଦେବି। ବହୁତ ପଇସା ରୋଜଗାର ହେବ।, ତୁମେ ରାତାରାତି ବଡ଼ ଲୋକ ହୋଇଯିବ” । ଭଲ ଦୁଇ ପଇସା ବି ହୁଏ। ଖାଇ ପିଇ ଯାହା ରହେ ଅୟସ ଆରାମ୍ କରୁ। ମୋ ସ୍ତ୍ରୀ ଏଇ ପୁଚୁକାବାଲି ପାଖକୁ, ସେଇ ଚଗଲା ପ୍ରଥମେ ମୋତେ ନେଇଯାଇ ଚିହ୍ନେଇ ଦେଇଥିଲା। ଯେଉଁଠିକି ପ୍ରଥମେ ମୁଁ ନଶା ସେବନ କରିଥିଲି। ପୁଣି ତା ପ୍ରେମ ଜାଲରେ ମୋତେ ଏମିତି ଫଶେଇ ଦେଲା ଯେ, ସେଥିରୁ ମୁଁ ଆଉ ମୁକୁଳି ପାରିଲି ନାହିଁ। ଶେଷରେ ଜବରଦସ୍ତି ତା’ ସହ ମୋର ବାହାଘର କରିଦେଲା – ଏଇ ଚଗଲା। ବେଶ୍ କିଛି ଦିନ ସେଇ ପୁଚୁକାବାଲି ଠେଲା ଦୋକାନ ତଳେ ଆମ ବେପାର ଚାଲିଥିଲା।ସେଇ ଠେଲାରେ ନିଶାଦ୍ରବ୍ୟ ରଖି ଗୁପ୍ତରେ କାରବାର ଚାଲେ। ଗରାଖ ସବୁ ଚିହ୍ନା। କିଛି ଅସୁବିଧା ହୁଏ ନାହିଁ ଚିହ୍ନିବାରେ। କାରଣ ଆମର ଗୋଟେ ନିୟମ ଥାଏ ଯେ, ଯେକୌଣସି ନୂଆ ଗରାଖ ଆସିଲେ, ସେ ପ୍ରଥମେ ଜଣେ ପୁରୁଣା ଗରାଖଙ୍କୁ ସାଙ୍ଗରେ ଧରି ଆସିବ, ନୋହିଲେ ଯେତେ ପଇସା ଦେଉନା କାହିଁକି ମାଲ୍ ତାକୁ ମିଳିବ ନାହିଁ। ସେଥିପାଇଁ ଆମେ ପୋଲିସ୍ ହାତରେ ସହଜରେ ଲାଗୁନା। ଗରାଖ ସବୁ ଧରାବନ୍ଧା, ସେମାନେ ଆପେ ଆପେ ଆସି ନେଇଯାଆନ୍ତି। ବଡ଼ ସତର୍କତାର ସହ ଏଇ ବେପାର ସହରରେ ସବୁ ଜାଗାରେ ଚାଲେ। ଏଥିରୁ କିଛି ରୋଜଗାର ହେବା ପରେ ଏବେ ଏବେ ଆମ ବ୍ୟବସାୟ ବଢିଥିଲା ଓ ଆଉ ଟିକିଏ ଭିନ୍ନ୍ ଢଙ୍ଗରେ ଚାଲିଥିଲା ।
ହେଲେ ଦଇବ ସହିଲା ନାହିଁ।ପାପର ଭାଣ୍ଡ ଫୋଡ଼ି ହୋଇଗଲା। ପାପର ପୁଣି ପ୍ରାୟଶ୍ଚିତ ଅଛି। ସବୁ କଥାର ପୂର୍ଣ୍ଣଚ୍ଛେଦ ପଡ଼ିଲା। ଏଇ ମାଙ୍କିଡି ସ୍ତ୍ରୀ ଲୋକଟା ପାଇଁ ଆଜି ମୋର ଏ ଦଶା। ମୁଁ ତାହାରି ବୁଦ୍ଧିରେ ପଡି ଆଜି ସବୁ ହରେଇଛି। ଭାଇକୁ ତ ହରେଇଲି ହରେଇଲି, ତା ସହିତ ବାପ, ଗାଁ ଓ ବନ୍ଧୁ ବାନ୍ଧବ। ସମସ୍ତଙ୍କ ସହ ସମ୍ପର୍କ ଛିନ୍ନ କରି ଦୁରେଇ ଆସିଲି। ହେଲେ ସବୁର ମୂଳରେ ସେଇ ଚଗଲା। ସେ ନଥିଲେ ମୁଁ କାହିଁକି ଏ ପୁଚୁକାବାଲିକୁ ଚିହ୍ନିଥାନ୍ତି ନା ଏତେ କଥା ହୋଇଥାନ୍ତା। ଭାରି ବଦମାସ୍ ଲୋକଟା। ଏ ବେପାର ମୋ ଦେଇ ହୋଇପାରିବ ନାହିଁ, ମୁଁ ବେପାର ଛାଡି ଦେଇ ବରଂ କାମ ଧନ୍ଦା କରି ଚଳିବି ବୋଲି କେତେବାର ତାକୁ କହି ସାରିଥିଲି। ହେଲେ ସେ କ’ଣ ମୋତେ ଛାଡ଼ିଲା? ଜୀବନରୁ ମାରି ଦେବାକୁ ଖାଲି ଧମକ ଦେଲା। କହିଲା – “ଯିଏ ଥରେ ଏ ଅପରାଧିକ ଦୁନିଆରେ ପାଦ ଥାପିବ ସେ ହୂଏତ ଅୟଶ ଆରାମରେ ଜୀବନ ବିତେଇବ ନହେଲେ ମରିବ। ଏଠୁ ଜୀବନ ନେଇ ଯିବା କଷ୍ଟ। ଯିଏବି ଭାଗିଛି ସିଏ ତା ଜୀବନ ବଞ୍ଚେଇ ପାରି ନାହିଁ। ତାକୁ ବାଦଶାହାର ଲୋକମାନେ ଦିନ ଦ୍ଵିପ୍ରହରରେ ବିଚ୍ ରାସ୍ତା ଉପରେ ଗୋଡାଇ ଗୋଡାଇ ହାଣିବେ।ତେଣୁ ଏଠି କେବଳ ବାଦଶାହର ହୁକୁମ୍ ଚାଲେ, ସେଥିରୁ ତିଳେ ମାତ୍ର ବିଚ୍ୟୁତ ହେଲେ ମରିବାଟା ସାର। ଏଇମିତି ସେ ଖାଲି ଡରେଇବ। ସତକୁ ସତ ସେଦିନ ପରା ମୋରି ଆଖି ସାମ୍ନାରେ ମୋ ସାଙ୍ଗ ଖଜୁଟିକୁ ମାରିଦେଲା, ସେ ବେପାର ଛାଡି ଦେବା କଥା କହିବାରୁ।ପୂରା ଛଅ ରାଉଣ୍ଡ ଗୁଳି ତା’ ଦେହରେ ଛତର ଛାଉଣୀ କରି ଦେଇଥିଲା। ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଶରୀରଟା ସେଇଠି ଖାଲି ପଡି ରହିଥାଏ, ହେଲେ ଜୀବନ ନଥାଏ ।ତା’ରି ଡରରେ ବା ମୁଁ ବି କିଛି ସତ କଥାଟା ଆପଣଙ୍କୁ କହୁ ନଥିଲି। କାରଣ ମୁଁ ଜାଣିଥିଲି ତା ନାଁଟା ନେଲେ ସେ ହୁଏତ ମୋତେ ମାରି ଦେଇ ପାରେ। କିନ୍ତୁ ଆପଣ ଯେଉଁ ଚୋର ଚଣ୍ଡାଳ ପରିକା ନିସ୍ତୁକ ମାଡ ମାଇଲେଣି ମୋର ବି ତ ଆଉ କିଛି ଉପାୟ ନଥିଲା ସତ କହିବା ବ୍ୟତୀତ। ତେଣିକି ମଲେ ମରିବି ପଛେ, ହେଲେ ସେ ଗ୍ୟାଙ୍ଗଟାସାରା ଧରା ପଡନ୍ତେ କି? ନହେଲେ ଏ ରାଜଧାନୀଟା ରଙ୍ଗଶାଳା ହୋଇଯିବ ନହେଲେ ବାଇ କୋଠିରେ ପରିଣତ ହୋଇଯିବ। ମୁଁ ଆଜ୍ଞା ତା’ର ସବୁ ଗୁପ୍ତ ଠିକଣା ଜାଣିଛି। ତା’ର ଅପରାଧ ଦୁନିଆ ବହୁତ ବିଶାଳ ଓ ଅପରାଧିକ ଫର୍ଦ୍ଦ ବହୁତ ଲମ୍ବା। ଗୋଟି ଗୋଟି ହୁଏତ ଖୋଲିଲେ ଅନେକ କିଛିଟା ଦରଜା ଖୋଲିବ। ସେଟା ଗୋଟେ ନୂହେଁ ଅନେକ ଲୋକଙ୍କୁ ମାରି ଗାଏବ୍ କରି ଦେଇଛି। ସେ ସବୁବେଳେ ଆଗୁଆ ଗୋଟେ ଗାତ ଖୋଳି ରଖିଥାଏ, ଗୋଟାକୁ ମାରିଲେ ସେଇ ଗାତରେ ଆଣି ପୋତିବ, ପୁଣି ଆଉ ଗୋଟେ ଗାତ ଖୋଳି ପ୍ରସ୍ତୁତ ରଖୁଥିବ। ସେହି ଚନ୍ଦକା ଜଙ୍ଗଲକୁ ସେ କବରସ୍ଥାନ କରିଦେଇଛି। କେତେ ଯେ ଶବର ସ୍ତୁପିକୃତ ପାହାଡ଼ ଓ କଙ୍କାଳର ଭଣ୍ଡାର ସେଇଠି ଅଛି ତାହାର କିଛି ହିସାବ ନାହିଁ। ପୁଣି ସେଇଠି ଗୁପ୍ତରେ ଅଛି ତା’ର ବାଇ କୋଠି, ଯେଉଁଠି ସେ ସବୁ ବେଳେ ନିଶା ଖାଇ ମତୁଆଲା ଥାଏ ଓ ନୂଆ ନୂଆ ଝିଅବୋହୁମାନଙ୍କୁ ନେଇ ସେଇଠି ସେ ଉପଭୋଗ କରେ। ନିଜେ ଆଗ ଉପଭୋଗ କରି ସାରିବା ପରେ ସେମାନଙ୍କୁ ବେଶ୍ୟା ସଜେଇ ଦିଏ – ବେଶ୍ୟା। ସହରରେ ଯେତେ ଚୋରି ଡକାୟତି ଓ ରାହାଜାନୀ ସବୁ ତାହାରି କାଣ୍ଡ। କେତେ ମଦଭାଟି ସହର ସାରା ଖୋଲି, ସେ ମଦ ମାଫିଆ ସାଜିଛି। ରାତିରେ ଜୁଆ ଆଡ୍ଡା ଖୋଲି ମଦ ପିଇ ସେଇଠି ସେ ଝୁମେ। ବାଦଶାହାର ସେ କୁଆଡ଼େ ଡାହାଣ ହାତ – ସେ ତ ନିଜେ ଏ କଥାଟା କହେ। ଲୋକଟା ଭାରି ଭୟଙ୍କର, କଳା ମଚମଚ ତାହାର ଚେହେରା। ଖାଲି ହୂଙ୍କାରି ଆସୁଥିବ, ଭାରି ଗର୍ଜନ ତା’ର।
ସତ କହୁଛି ଆଜ୍ଞା! ମୁଁ ସିନା ବଡ଼ ଭାଇ ପଣିଆ ଦେଖେଇକି ସେ ସାନ ଟୋକାଟା ଉପରେ ସଦାବେଳେ ହୁମୁ ହୁମୁ ହୁଏ- ମାରିବାକୁ, ହେଲେ ମୋ ହାତ ଯାଏ ନାହିଁ ମାରିବାକୁ। କେତେବେଳେ କେମିତି ଅବଶ୍ୟ ମାରି ଗୋଡାଇବାର କେହି ଦେଖିଥିବେ, ହେଲେ କେବେ ମାରି ନାହିଁ। ସେଦିନ ଖାଇପିଇ ଶୋଇଲା ପରେ ଚଗଲା ଆସିଲା। ତାକୁ ମୋ ସ୍ତ୍ରୀ ସବୁକଥା ଦିନରୁ ଜଣାଇ ଯୋଜନା କରି ଡାକିଥିଲା। ସେ ଆଗୁଆ ଗାତ ଖୋଳି ଆସିଥିଲା। ମୁଁ ଶୋଇଥିଲି ମୋ ସ୍ତ୍ରୀ ମୋତେ ନଜଣାଇ ତା ତଣ୍ଟିରେ ରଡ଼ ପକାଇ ତାକୁ ମାରିଦେଲେ। ମୁଁ ଜାଣି ପ୍ରତିବାଦ କରିବାରୁ ମୋତେ ବିଭିନ୍ନ୍ ପ୍ରକାର ଧମକେଇ ସେଇଥିରେ ସାମିଲ କରିଦେଲେ ମୁଁ କିଛି କରିପାରିଲି ନାହିଁ। ଶେଷରେ ମୋ ଭାଇଟା ମରିଗଲା। ଏତିକି କହି ସେ କୋଡ଼ି ଛେଚି ହୋଇ ଖାଲି ଭୋ ଭୋ ହୋଇ କାନ୍ଦିଉଠିଲା। ପୋଲିସବାଲା ତାକୁ ବୋଧ ଦେଇ ଶାନ୍ତ କଲେ।
ଏଥର ପୂରା ଘଟଣାଟିକୁ ବୁଝିବାକୁ ପୋଲିସ୍ ଅଧିକାରୀଙ୍କର ଆଉ ବିଶେଷ କିଛି ଅସୁବିଧା ନଥିଲା। ତଥାପି ସେ ୟାକୁ ଛାଡି ତା’ସ୍ତ୍ରୀକୁ ଧରିଲେ। ଲେଡିଜ କନଷ୍ଟେବଲ କଷିକି ତାକୁ ଆଉ ଦିପାହର ଚଢ଼େଇଲା। କହିଲା-“ୟାଠାରୁ ଆଉ ଅଧିକା ତୁ କ’ଣ ଜାଣିଛୁ- କହ। ନହେଲେ ଆହୁରି ମାଡ ଖାଇବୁ” । ମାଡ ଭୟରେ ନିଜ ହାତରେ ନିଜ ଶରୀରଟାକୁ ହାତ ଦେଖେଇ ରକ୍ଷା କରୁ କରୁ, କହୁଛି! କହୁଛି!! – କହି, ସେ ସବୁ ସତ କହି ପକେଇଲା।
-କହିଲା – ଚଗଲା ଘର ଏଇ ଚନ୍ଦକା ଜଙ୍ଗଲରେ। ସେଇଠି ଅଛି ତା’ର ଆଡ୍ଡାସ୍ଥଳୀ। ସେଇଠୁ ରହି ସେ ତା’ର ଧନ୍ଦା ସବୁ ନିର୍ବିଘ୍ନରେ ଚଳାଏ ଓ ଚାରିଆଡକୁ ନିର୍ଦ୍ଦେଶ ଯାଏ। ତାହାକୁସବୁ କାର୍ଯ୍ୟକାରୀ କରିବା ପାଇଁ ତା’ପାଖରେ ଦଳେ ଗୁଣ୍ଡା ରହିଛନ୍ତି। ସେଇମାନେ ତାକୁ ସବୁ କଥାରେ ସାହାଯ୍ଯ କରୁଛନ୍ତି ବୋଲି ସେ ଆଜି ଏଡ଼େ ବଡ଼ ସମ୍ରାଜ୍ୟର ଅଧୀଶ୍ଵର ହୋଇ ବସିଛି। କେତେ ଝିଅବୋହୂଙ୍କର ଇଜ୍ଜତକୁ ନେଇ ସେ ଖେଳ ଖେଳିଛି। ମୋ ଇଜ୍ଜତ୍ ମଧ୍ଯ ସେ ପ୍ରଥମେ ଲୁଟି, ତା’ ପରେ ତା ଅନୁଚରମାନେ ଭୋଗ କରିଥିଲେ। ସେଦିନର ମୁଁ ଗରୀବ ନିଃସହାୟ ଝିଅଟି କେତେ କାକୁତି ମୀନତି ବିଚାରୀ ନହୋଇଛି। କିନ୍ତୁ ସେମାନଙ୍କର ଠୋ ଠୋ ହସ ଭିତରେ ଲୁଚି ଯାଇଥିଲା ମୋର ବହୁ ଦିନର ସଞ୍ଚିତ କୁଆଁରୀତ୍ୱ।ସେଦିନ ମୁଁ ମନେ ମନେ ଶପଥ ନେଇଥିଲି ବଦଲା ନେବା ପାଇଁ। ତା’ ପରେ କିନ୍ତୁ ସେ ମୋତେ ତା ଧନ୍ଦାରେ ଲଗାଇ ଦେଲା। ମୋର କିଛି ଉପାୟ ନଥିଲା। ମୁଁ କେବଳ ତା’ରି ଇଶାରାରେ ନାଚେ। ସୁକୁଟା ପରି କେତେକଙ୍କୁ ବୋକା ବନେଇବାକୁ ସେ ମୋତେ କହେ। ତା ପାଖରେ ଏମିତି ଅନେକ ଅଛନ୍ତି ମୁଁ କେବଳ ତା ଭିତରୁ ଗୋଟେ। ଖାଲି ଏତିକି ନୂହେଁ ସେ ବେଶ୍ୟାଳୟ ଚଲାଏ ଓ ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ମଧ୍ଯ ବିକେ।ଜୁଆ ଆଡ୍ଡା ଖୋଲେ, ଡକାୟତି କରେ। ସବୁକିଛିର ମାଷ୍ଟର ମାଇଣ୍ଡ ହେଉଛି, ଏଇ ଚଗଲା। ମୁଁ ସୁଯୋଗ ଉଣ୍ଡୁଥିଲି, ସାହସ ପାଉ ନଥିଲି – ବଦଲା ନେବା ପାଇଁ – କହି, ନୁଥ୍ କରି ବସି ପଡି କାନ୍ଦିବାକୁ ଲାଗିଲା।
ଏ ଜଟିଳ ଘଟଣା ପାଇଁ ମୁଣ୍ଡ ବିନ୍ଧୁ ଥିଲା, ପୋଲିସ୍ ଅଧିକାରୀଙ୍କର। ସେ ଯେମିତି ଘଞ୍ଛ ଜଙ୍ଗଲ ଭିତରେ ବାଟବଣା ହୋଇ ଯାଉଥାନ୍ତି।କାହାଣୀର ଗତି କେଉଁଠୁ ଆରମ୍ଭ ହୋଇ କେଣକି ମାଡ଼ି ଯାଉଥାଏ ସେ ଠଉରେଇ ପାରୁ ନଥାନ୍ତି। କେସ୍ ର କୋଉ ଦିଗଭାଗ ନେଇ ବିଚାର କରିବେ ଭାବି ପାରୁ ନଥାନ୍ତି। ଅଧୈର୍ଯ୍ୟ ହୋଇ ମୁଣ୍ଡଟାକୁ ଚିପି ଧରିବସି ପଡିଲେ।
ଦୁଆର ମୁହଁରେ ଦ୍ଵାର ପାଳ ହୋଇ ଜଗି ରହିଥିବା ମାଇ ଅଣ୍ଡିରା କି କନେଷ୍ଟବଲ ହଳକ କଥା ହେଉଥିଲେ -” ଅପରାଧିକ ଦୁନିଆଟା ପରା ଏୟା ।ଅପରାଧିକ ମାମଲାରେ ଇଏ ତାକୁ, ସେ ୟାକୁ ଦୋଷୀ କରି ସମସ୍ତେ ଖସିବେ। ପ୍ରକୃତ ଦୋଷୀ କିଏ ଜାଣିବା ପାଇଁ, ସେଇଥି ସକାଶେ କୋର୍ଟ କଚେରୀରେ ଯାଇ ମାମଲା ଫିଟ୍ ହୁଏ । ସେ କୋର୍ଟ କଚେରୀରେ ପୁଣି କେତେ ନୂଆ ନୂଆ ମୋଡ ଆସିଯାଇ ପାରେ। ଘଟଣାଟା କ’ଣ ଏଇଠି ସରିଲା କି ଲୋ! ଲୋ ଚାମେଲୀ! ଆହୁରି ବହୁତ ବାକି “।ଚାମେଲି ଉତ୍ତର ରଖୁଥାଏ -” ହଉ ହଉରେ ରାଇକିଆ, ତୁ ଆଉ ଏତେ ଛଟକ ଦେଖାନା,ଆମ ସାରଙ୍କଠାରୁ ତ ତୋ ବୁଦ୍ଧି ଅଧିକା”।ଏ କଥା ଶୁଣି କନେଷ୍ଟବଲଟି ନିଜ କଲରଟାକୁ ଟିକିଏ ଷ୍ଟାଇଲ୍ ରେ ଝାଡ଼ି ଦେଉ ଦେଉ ଆଉ ଟିକିଏ ବେଶୀ ରଙ୍ଗିଲା ଦେଖାଉଥାଏ।
କ୍ରମଶଃ…
Episode 14.. Operation raid.. ଜଳିଗଲା ଆଡ୍ଡା ..

Episode 14.. Operation Raid
ଚନ୍ଦକାରେ ଗୋଟେ ରାତି
By ସତ୍ୟ ପ୍ରକାଶ ସେଠୀ
ଏଥର ଗୋଡ ହାତରେ ଟିକିଏ ପାଣି ପକେଇ ମୁହଁଟାକୁ ଭଲ ଭାବେ ପାଣି ଛାଟି ଧୋଇ ନେଲେ। ଗାମୁଛାଟାରେ ଝାଳ ନାଳ ପୋଛିନେଇ ଫେରି ଆସିଥିଲେ ନିଜ ଟେବୁଲ୍ ପାଖକୁ। ରୁଟି ଗୁଡ଼ାକ ଏକ ରକମର ଗିଳି ପକାଇ ଫୋନ୍ ଲଗାଇଲେ। କାହାର ନିର୍ଦ୍ଦେଶ ମୁତାବକ ସେକଣ୍ଡ ଅଫିସରକୁ କହିଲେ – “ଗାଡି ବାହାର କର, ଫୋର୍ସ ମଗାଅ। ଇମିଡିଏଟ ସମସ୍ତେ ତୟାର୍ ହୋଇଯାଅ।ଆଉ ଅଧିକ ଡେରି କଲେ ଅପରାଧୀ ଖସି ଯାଇପାରେ। ସେଇଟା ଗୋଟେ ବିରାଟ ରାକେଟ ଚଳାଇଛି, ତେଣୁ ଭାରି ଚତୁର ନିଶ୍ଚୟ ହୋଇଥିବ ଓ ଗୁଳି ବି ମଧ୍ଯ ଚଳାଇପାରେ। ଦରକାର ପଡିଲେ ବୁଲେଟ ପ୍ରୁଫ ପିନ୍ଧି ନିଅ। କମିଶନ ଅଫିସରୁ ଖବର ତ ପାଇ ସାରିବେଣି ସମସ୍ତେ , ତଥାପି କହିଦିଅ ଚାରିଆଡକୁ ଫୋନ୍ କରି ଯେ କମିଶନଙ୍କ ନିର୍ଦ୍ଦେଶ ଅଛି, ଚାରିଆଡ଼େ ପୋଲିସ୍ ମୁତୟନ କରି ରଖନ୍ତୁ ଯେପରି କି ଅପରାଧୀ ଆମ ହାତରୁ ଖସି ଗଲେ ବି ସେ ସ୍ଥାନମାନଙ୍କରେ ଧରା ପଡିଯିବେ। ଭୁବନେଶ୍ବରର ଯେତେ ଥାନା ଅଛି ସେ ସମସ୍ତଙ୍କୁ ଓ ଟ୍ରାଫିକ ହେଡ୍ କ୍ୱାଟରକୁ ମଧ୍ଯ କହିଦିଅ, ଟ୍ରାଫିକ ପୋଷ୍ଟ ଗୁଡିକରେ control ବ୍ୟବସ୍ଥାକୁ ଟିକେ କଡ଼ାକଡ଼ି କରିବେ ଓ ସମସ୍ତଙ୍କ ଗତିବିଧି ଲକ୍ଷ୍ୟ କରି ଖବର ଦେଉଥିବେ। ସବୁ ଛକରେ ପୋଲିସ୍ ମୁତୟନ କରି ଜଗି ରହିବାକୁ ମଧ୍ଯ wireless କରିଦିଅ। ଆମ ଖବରଟା formally ସରବରାହ କରିଦିଅ, କାରଣ ସେଠୁ (Police head quarterରୁ) ତ ମେସେଜ ସେମାନେ already ପାଇସାରିବେଣି।
ଏଥର ଅପେକ୍ଷା କେବଳ ଫୋର୍ସକୁ ଓ ଆଉ କିଛି deployed ହୋଇଥିବା ଅଫିସରଙ୍କୁ। ଫୋର୍ସ ଆସିଲା ପରେ ଅଭିଯାନ ଆରମ୍ଭ ହେଲା ।
ଖବର ମୁତାବକ ଜୁଆ ଆଡ୍ଡା, ମଦ ଭାଟି ଓ ବେଶ୍ୟାଳୟ ଉପରେ ଏକା ବେଲକେ ଚଢାଉ ହେଲା।
ଏତେବେଳକୁ ରାତି ବାଜିଲାଣି ବାର ଘଡି। ପୋଲିସ୍ ଫୋର୍ସ ଓ ଅନ୍ୟାନ୍ୟ ସାଥୀସହଯୋଗୀମାନେ ପହଞ୍ଚି ଯାଇଥିବାରୁ ତାଙ୍କ ମନରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଜାଗି ଉଠୁଥିଲା।ଏଭଳି ଏକ ସୁଯୋଗ ଓ ବଡ଼ ସଫଳତାକୁ ସେ ଆଦୌ ହାତଛଡ଼ା କରିବାକୁ ଚାହୁଁନଥିଲେ। କାରଣ ପିଲାଟି ଦିନରୁ detective ଓ horror serial ଦେଖିଦେଖି ସେ ଭାରି adventurous ଥାଆନ୍ତି। ସେଇଥି ପାଇଁ ତ ସେ ଅନ୍ୟ ସମସ୍ତ ଚାକିରୀର ମୋହ ପରିତ୍ୟାଗ କରି ପୋଲିସ୍ ଚାକିରୀକୁ ବରୀ ନେଇଥିଲେ, ନିଜ ଜୀବନର ସର୍ବଶ୍ରେଷ୍ଠ ବ୍ରତ ରୂପେ ଗ୍ରହଣ କରି। କାରଣ ଏଠି ମଲେ ସହିଦ୍, ବଞ୍ଚିଲେ ହିରୋ ଓ ଦେଶର ଲାଡଲା। ପୁଣି ବୀରତା ପାଇଁ ପୁରସ୍କାର ଦେଶର ସର୍ବୋଚ୍ଚ ସମ୍ମାନ …। ଯାହାଙ୍କର ପ୍ରସଂଶାରେ ଶତମୁଖ ହୋଇ ଉଠନ୍ତି ପରା ସମଗ୍ର ଜନତା। ସେଇଥିପାଇଁ ସେ ଅନ୍ୟ ଚାକିରୀ ଛାଡ଼ି ଏ ପୋଲିସ ଚାକିରୀକୁ ଆପଣେଇ ନେଇଥିଲେ। କାରଣ ଶୌର୍ଯ୍ୟ, ବୀର୍ଯ୍ୟ ଓ ବୀରତାର ଗାଥା ଗାହେ ଏଇ ଜୀବନ। ତେଣୁ ଆଗରୁ କେତେବାର ସେ ଇଛା କରିଛନ୍ତି- ଏଇମିତି ଗୋଟେ ସୁଯୋଗ ତାଙ୍କୁ ତାଙ୍କ ଚାକିରୀ ଜୀବନ କାଳରେ ଥରେ ମିଳନ୍ତା କି? ସେ ଅପରାଧିଙ୍କୁ ପୂରା ସଫା କରି ଦିଅନ୍ତେ, ନ ହେଲେ ଏନକାଉଣ୍ଟର କରି ଉଡେଇ ଦିଅନ୍ତେ। ଦୁନିଆଟା ଆଜି ଭାରି ଅପରାଧିକ। ଅପରାଧୀ ପ୍ରବଣତା ହ୍ରାସ ହେବା ପରିବର୍ତ୍ତେ ଦିନକୁ ଦିନ ବଢିବାକୁ ଲାଗୁଛି । ଏତେବେଳେ ପୋଲିସ୍ ଆଉ ବସି ରହିଲେ କ’ଣ ଚଳିବ ? ତାକୁ ତେଣୁ କିଛି ଠୋସ୍ କଦମ୍ ଉଠେଇବାକୁ ପଡିବ।ଏମିତି ଭାବିଭାବି ସେ ମନରୁ’ ଚଗଲା’ ରୂପକ ଭୟଟାକୁ ସେଦିନ ଦୂର କରୁଥିଲେ। ଆହୁରି ଶକ୍ତି ଓ ସାମର୍ଥ୍ୟର ସହ ଆଗାମୀ ସମୟତକ ଲଢିବା ପାଇଁ ମଧ୍ଯ ନିଜକୁ ପ୍ରସ୍ତୁତ କରି ରଖୁଥାନ୍ତି।ସୂଚନା ମୁତାବକ ଗାଡି ଯାଇ ପହଞ୍ଚିଗଲା ଠିକଣା ସ୍ଥାନରେ। ଚନ୍ଦକା ଜଙ୍ଗଲ ଏରିଆ। ଭାରି ବିପଦଜନକ ଜାଗା।ଆଗ ୟା ନାଁଟା ଶୁଣିଲେ ମନରେ ଛନକା ପଶିଯାଏ ।
ସେ ନିଜେ ଗୋଟାଏ ବଡ ଟିମର ନେତୃତ୍ୱ ନେଇ ଅନ୍ୟ ସମସ୍ତଙ୍କୁ ଅନ୍ୟ ଚାରିଆଡକୁ ଖେଳେଇ ପକେଇଲେ।ଜଙ୍ଗଲ ଭିତରେ ଖୁଲମ୍ଖୋଲା ଜୁଆ ଖେଳ ଚାଲିଥାଏ। ଠେକିରି ଗୁଡାକୁ ଗୋଟେ ବଡ଼ ପାଛିଆରେ ପୂରେଇ ହଲେଇ ହଲେଇ ପାଲି ଉପରେ ଜୋହର୍ ଢାଳି ଦେଉଥିବାରୁ ଠକ୍ଠକ୍ ବାଜି ‘ଖାଡୁର ଖାଡୁ ଢୋ’ଶବ୍ଦ ଭାରି କାନକୁ ଶୁଭୁ ଥାଏ। ପୋଲିସ୍ ଅଧିକାରୀ ଅନ୍ୟମାନଙ୍କୁ ଟିକେ ପଛେଇ ରହିବାକୁ କହି, ଏକୁଟିଆ ଦୌଡ଼ି ଯାଇ ସମସ୍ତଙ୍କ ମଝିରେ ପଶିଯାଇ, ପାଛିଆଟା ଉପରେ ଗୋଡ ପକାଇ ଚଢି ଗଲେ । ବାଁ ହାତରେ ପିସ୍ତଲଟା ଧରି ଡାହାଣ ହାତଟାରେ ଗୋଟାକୁ କୋଲାର ସହ ଧରି ଆକାଶକୁ ଉଠେଇ ନେଲେ। ପୁଣି ତଳକୁ କଚି ଦେଇ ଦୂରକୁ ଫିଙ୍ଗି ଦେଲେ। ସେ ଦୌଡ଼ିବାକୁ ଲାଗିଲା। ଜାଣି ଜାଣି ସେ ତାକୁ ଛାଡିଦେଲେ। ସେ ପଡି ଉଠି ପୁଣି ଦୌଡୁଥାଏ। ହେଲେ ଜଖମି ପାଇଥିବାରୁ ଟିକେ ପେଙ୍ଗେଇ ପେଙ୍ଗେଇ ଚାଲୁଥାଏ। ଉପସ୍ଥିତି ବୁଦ୍ଧି ଥିବାରୁ ଏହି ଯୋଜନାଟା ସେ ସ୍ପଟ୍ ଉପରେ ହିଁ ଭାବି ଖଞ୍ଜିଦେଲେ। ତେଣୁ ପ୍ଲାନ୍ ମୁତାବକ ସେ ତା’ ପଛେପଛେ ଅନୁଧାବନ କରୁଥାନ୍ତି। ଏହାଦ୍ୱାରା ତା’ର ଅନ୍ୟ ସାଥୀମାନେ ଅବଶ୍ୟ ଖସି ଯିବାରେ ସକ୍ଷମ ହୋଇଥିଲେ, ତଥାପି “ମିଶନ ଚଗଲା” ଗୁରୁତ୍ଵପୂର୍ଣ ଥିଲା। ଏଥର ସେ ଯେଉଁଠି ଯାଇ ପହଞ୍ଚିଲା, ସେଇଟା ଚଗଲାର ଗୁପ୍ତ ଆଡ୍ଡା ଥିଲା ବୋଲି ବୁଝିବାକୁ ଆଉ ବାକି ଲହିଲା ନାହିଁ । ଲୋକଟା ହୁଏତ ସେଠିକି ଯାଇ ଚଗଲାକୁ ଖବର ଦେଇସାରିଥିବ, ସେ ସତର୍କ ହୋଇଯାଇଥିବ। ଏଥର ଗୋଟେ ବୁଦା ମୂଳେ ଛପି ରହି ସେ ଅନ୍ୟ ସହକର୍ମୀଙ୍କୁ ସେଠାରେ ତୁରନ୍ତ ପହଞ୍ଚିବାକୁ ସୂଚନା ଦେଲେ। ଚାହୁଁଚାହୁଁ ସବୁ ପୋଲିସ କର୍ମଚାରୀ ପହଞ୍ଚି ପୂରା ଆଡ୍ଡାଟାକୁ ଘେରାଉ କରିନେଲେ। ଚାରିଆଡ଼େ ଛାପା ମାରି ଛାନଭିନ୍ କଲେ।ଟିକେ ଦୂରରେ ଜଗି ରହି ଡେନ୍ ଭିତରର ସମସ୍ତ ଗତିବିଧି ଉପରେ ନଜର ରଖୁଥାନ୍ତି। ଏଣିକି କେବଳ ସୁଯୋଗ ଅପେକ୍ଷାରେ- କେତେବେଳେ ଖାଲି ନିର୍ଦ୍ଦେଶ ପାଇଲେ, ଡେନ୍ ଭିତରକୁ ପ୍ରବେଶ କରିବେ। ସେପଟେ ଚଗଲା ପ୍ରଥମେ ଭରା ଗୁଳି ପିସ୍ତଲରେ ସାଇଲେନସର ଖଞି ଜୁଆବାଲାଟାକୁ ଆଗ ସେଇଠି ଟଳାଇ ପକାଇଲା । କହିଲା-” ନମରି ଏଇଲାଗେ ଏଠିକି କାହିଁକି ଆସିଲୁ? ଜାଣି ନଥିଲୁ କି, ପୋଲିସ୍ ନିଶ୍ଚୟ ତୋ ପିଛା କରି ଏଠି ପହଞ୍ଚଯିବ। ତୁଟା ମୁର୍ଖଟା, ତେଣୁ ମର”।ବଡ଼ ସହଜରେ ମାରିଦେଲା।ନିମିଷକେ ପରା ଏମାନେ ମର୍ଡର ଲୀଳା ରଚି ଦେବେ। ହାତରେ ମାରଣାସ୍ତ୍ର ଓ ପିସ୍ତଲ ଧରି ପାଲଟା ଆକ୍ରମଣ ପାଇଁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ରହିଲା। ତା ଲୋକମାନେ ମଧ୍ଯ ସୁରକ୍ଷା ବଳୟ ହୋଇ ତା ଚାରିପଟେ ଓ ଡେନ୍କୁ ଜଗି ରହିଥାନ୍ତି। ତେଣୁ ତାକୁ ଧରିବାଟା ଏତେଟା ସହଜ ହେଉନଥାଏ। କାରଣ ମୁହାଁମୁହିଁ ଫାଇଟ ହେଲେ ଅଯଥା casualty ବଢିଯିବ ।ତେଣୁ ଧୈର୍ଯ୍ଯ ଧରି ପ୍ରକୃଷ୍ଟ ସମୟକୁ ଅପେକ୍ଷା। ଉଦ୍ଦେଶ୍ଯ – ଶୀଘ୍ର ରାତି ପାହି ଯାଇ ସକାଳ ହୋଇଯାନ୍ତା କି, ଦେଖନ୍ତେ କ’ଣ ହେଉଛି ।ଆହୁରି ଅଧିକ ଫୋର୍ସ ମଧ୍ଯ ମଗା ସରିଲାଣି।ହେଲେ ସେ ଇତିହାସର ଛାତ୍ର ହେଉଥିବାରୁ କାଥାରେଜର ସମ୍ରାଟ ହାନିବଲଙ୍କ “delay policy to avoid the battle field for longer period and to wait patiently for a suitable occasion to be happened” କୁ ଅନୁସରଣ କରି ଅପେକ୍ଷାରତ ହୋଇ ରହିଲେ।
ଅନ୍ୟପକ୍ଷରେ ପୋଲିସର କାଳକ୍ଷେପଣ ନୀତିଟା ଦେଖି ଚଗଲା ‘ପୋଲିସ ଚାଲଟାକୁ ‘ବେଶ୍ ବୁଝିନେଇଥିଲା। ତେଣୁ ସେ ଭାବିଲା – ଦିନ ହେଲେ ଜୀବନ ବଞ୍ଚେଇବା କଷ୍ଟ ହେବ। ତେଣୁ ସେ ତା ଗୁପ୍ତ ଦରଜା ଦେଇ ବାହାରକୁ ଖସି ଚାଲିଯିବାକୁ ଯୋଜନା କରୁଥିଲା। ପୋଲିସକୁ ଜଣା ଥିଲା କି, ସେ ଏହିପରି କିଛି ଦୁସାହସିକ କରିପାରେ। କାରଣ ଏତେ ସମୟ ସେ ନୀରବରେ ବସି ରହିପାରିବ ନାହିଁ। ନିଶ୍ଚୟ ତା’ର ଧୈର୍ଯ୍ଯଚ୍ୟୁତି ଘଟିବ ଓ ସେ ନୂଆ କିଛି ଉପାୟ ଭାବିବ। ତା ଛଡା ସମୁଖ ଭାଗ ବ୍ୟତୀତ ପଛ ଭାଗରେ ମଧ୍ଯ କେଉଁଠି ଗୁପ୍ତ ସୁଡଙ୍ଗ ଥାଇପାରେ ବୋଲି ଅନୁମାନଟା ଜୋହର୍ ଧରୁଥିଲା। ତେଣୁ ପୋଲିସ ଅଧିକାରୀ ଆଉ ଜଣେ ମାତ୍ର ସହଯୋଗୀ ଧରି ଏଇ ଜାଗା ପରିବର୍ତ୍ତନ କରି ସେ ଜାଗାରେ ନିଜେ ଯାଇ ଛୁପି ଯାଇଥିଲେ।
ଏଥର ଚଗଲାର ଲୋକମାନେ ବମ୍ବ ଫିଙ୍ଗାଫିଙ୍ଗି କରି ସମୁଖ ଭାଗରେ ଅଯଥା ଗୋଳମାଳ ଆରମ୍ଭ କରିଦେଲେ। ଯେପରି ପୋଲିସମାନଙ୍କର ଧ୍ୟାନ ସେହି ଗୋଟିଏ ଜାଗାରେ କେନ୍ଦ୍ରୀଭୂତ ହୋଇଯିବ। କିନ୍ତୁ କ୍ରିମିନାଲ ମାନଙ୍କ ସହ ଡିଲ କରିକରି ପୋଲିସମାନେ ବି ତ ପ୍ରବୀଣ ହୋଇ ସାରିଥାନ୍ତି । ତେଣୁ ଚଗଲାର ଏ ପ୍ରକାର ଛଳ ସହଜରେ ଫଳବତୀ ହୋଇ ନପାରେ। ଅବଶ୍ଯ କେତେଜଣ ଅଧିକାରୀ କାଉଣ୍ଟର ଆଟାକ୍ କରି ଘଟଣାଟା ଉପରେ କାବୁ ପାଇବାକୁ ଚେଷ୍ଟା କରୁଥାନ୍ତି।କେତେଟା ଅପରାଧୀ ସେଥିରେ ପ୍ରାଣ ହରାଇଥିଲେ ଓ ଆଉ କେତେକ ଜଖମି ମଧ୍ଯ ହେଲେଣି । ତଥାପି ଗୁଳି ବିନିମୟ ମଝିରେ ମଝିରେ ଚାଲିଥାଏ। ଏଥର ଚଗଲା ଗୋଡ ଚିପି ଚିପି, ଛପିଛପି ଓ ନଇଁନଇଁ ଗୋଟେ ଖଣା ଗାଢ଼ ଭିତରୁ ବାହାରିଲା। ଚାରି ଆଡକୁ ଟିକେ ଚାହିଁଲା। ପୁଣି ଗାତରୁ ଉଠି ଚାଲିଲା।ହଠାତ୍ ସେଦିନର ସେଇ ବର୍ଷାଦି ପିନ୍ଧା ଛାୟାଚିତ୍ରଟି ଅଦୃଶ୍ୟ ଭାବେ ରହି ତା ସାମ୍ନାରେ ବାଁ ଗୋଡ଼ଟା ଉଠାଇ ଦେଖାଇ ଦେବାରୁ ସେ ମୁହଁ ମାଡି ତଳେ ପଡିଗଲା। ପୁଣି ଉଠିପଡି ଚାଲିଯିବାକୁ ବସିଥିଲା। ପୋଲିସି ଅଧିକାରୀ ଯୋଗକୁ ଠିକ୍ ସେଇ ଗାଢ଼ ପଛପାଖ ବୁଦା ମୂଳକୁ ଲୁଚି ବସିଥିଲେ। ଯେମିତି ସେ ତାଙ୍କ ପାଖ ଦେଇ ଚାଲି ଯାଇଛି, ପଛପଟୁ ଅନ୍ଧାରରେ ହାତକୋହ୍ଲା ଦେଇ ହାତ ପୁରାଇ ଦେଲେ ଓ ତା ବାହୁ ଦୁଇଟାକୁ ଟେକି ଧରି କାନ୍ଧ ପଟେ ମୁଣ୍ଡ ତଳେ ହାତ ବୁଲାଇ ଆଣି ଛନ୍ଦି ଦେଲେ। ତା’ର ଡେଣା ଦୁଇଟା ଦୁଇପଟକୁ ପକ୍ଷୀ ଉଡ଼ିଲା ପରି ଉଡ଼ି ରହିଥିଲା। ସେ ନାତ ମାରି ପୋଲିସି ଅଧିକାରୀଙ୍କ ପଂଝାଟାକୁ ଢ଼ିଲା କରିବାରେ ଲାଗିଥାଏ। ଏହି ସମୟରେ ପାଖ ସହକର୍ମୀଙ୍କ ସହଯୋଗ କାମରେ ଆସିଲା। ସେ ତା ହାତରୁ ପିସ୍ତଲଟା ଛଡାଇ ନେଇ ପାଖରେ ରଖିଲେ। ଅନ୍ୟ କେତେଜଣ ସୂଚନା ପାଇ ଆସି ତାକୁ କାବୁ କରି ଗାଡିରେ ବସେଇଲେ। ତା ପୂର୍ବରୁ ଅନ୍ଯ ସହଯୋଗୀମାନେ ତାକୁ ମାରି ତା ମୁହଁରେ ବିଣ୍ଡା ଦେଇ ତା ପାଟି ଚୁପ୍ କରାଇ ଦେଇଥିଲେ। ଯାଇ ଛାଟିପିଟି ହେଉଥିଲା, ଏବେ ଆଉ ଅଳିଚଳି ପାରୁନଥାଏ। ଶରୀର ଗୋଟାକ ଶିକୁଳିରେ ବେଢି ପଡିଯାଇଥିଲା, ଯେମିତି ମହାବଳ ବାଘକୁ ଶିକାରୀ ଧରେ । କାହାକୁ କିଛି ସୂଚନା ନଦେଇ ପୋଲିସ ଅଧିକାରୀ ତାକୁ ଆଣି ଆଗ ଭ୍ୟାନରେ ଲକ୍ ଅପ୍ ରେ ରଖି ତାଲା ଦେଲେ ଓ ପାଟିରୁ ବିଣ୍ଡା ଖୋଲିଲେ। ଏତିକି ବେଳକୁ ଏକ ଦୁର୍ଘଟଣା ଘଟିଲା। ଡେନ୍ଟା ଖାଲି ହୁତହୁତ୍ ହୋଇ ଜଳିଲା। ଏ କି ବିପର୍ଯ୍ୟରେ! ବାବା? ବଡ଼ ଭୟଙ୍କର ଥିଲା ସେ ଗର୍ଜନ। ଏକ ଶକ୍ତିଶାଳୀ ବିସ୍ଫୋରଣ ନିଶ୍ଚୟ ଥିଲା।ଯାହାହେଉ ପୋଲିସ୍ କର୍ମଚାରୀ କେହି ହତାହାତ ହୋଇ ନାହାଁନ୍ତି। ଭଗବାନ ରକ୍ଷା କରିଛନ୍ତି। କିନ୍ତୁ ଏ କଣ? ଚଗଲା ଯେ ବିରାଟ ଅଟ୍ଟହାସ୍ୟ ହସୁଛି? ସାକ୍ଷ୍ୟ ଓ ପ୍ରମାଣ ସବୁ ପୋଡି ଅଙ୍ଗାର ହୋଇଯାଇଥିବାରୁ ପୋଲିସ ଅଧିକାରୀଙ୍କ ମନ ଯାହା ହେଉଥିଲା ନା, ଏତେବେଳେ ତା’ର ହସଗୁଡାକ ବଡ଼ କର୍ଣ୍ଣକଟୁ କରୁଥିଲା। ରାଗ ପଞ୍ଚମ ପଦ୍ମ ତୋଳା ତୋଳୁଥିଲା। ସେ ତେଣୁ ବଡ଼ ଉତ୍କ୍ଷିପ୍ତ ହୋଇ ଉଠିଲେ। ଚଗଲା ପାଖକୁ ରେଲଗାଡି ଭଳି କ୍ଷିପ୍ର ବେଗରେ ଧାଇଁ ଆସିଲେ। ଓଃ, କି ମାଡ? ଗୋଇଠା, ବିଧା, ଚାପୁଡ଼ା ଓ ରୋଲ୍ ବାଡ଼ି କୁଟା – ଖାଲି ତ ବାଡ଼େଇ ଦେଇ ଗଲେ। ହେଲେ ସେ କି ବେହିଆ ଲୋକଟା କେଜାଣି, ତଥାପି ହସୁଥାଏ। କହିଲା – “ଅଫିସର! ମୋତେ ବାଡ଼େଇ ଆଉ ଲାଭ ନାହିଁ। କାରଣ ମୁଁ ଡେନ୍ ଛାଡ଼ିଲା ବେଳେ ଟାଇମ ବମ୍ ଖଞି ଦେଇ ଆସିଥିଲି। ଫଳରେ ପ୍ରମାଣ ସହିତ ସାକ୍ଷ୍ୟ ଗୁଡ଼ାକ ବି ସବୁ ପୋଡ଼ି ଅଙ୍ଗାର ହୋଇଗଲା, ଅଙ୍ଗାର। ନା ରହିବ ବାଂଶୁରୀବାଲା ନା ବାଜିବ ବାଂଶୁରୀ” । ପୁଣି ତହିଁରେ ତାଚ୍ଛଲ୍ୟର ସ୍ଵର ମିଶେଇ କହିଲା – “ଏ ଚଗଲା ଏତେ କଞ୍ଚା ଖେଳାଳୀ ନୂହେଁ ଯେ,ତା ପାଖରୁ ସବୁ ତଥ୍ୟ ଏତେ ସହଜରେ ସଂଗ୍ରହ କରିନେବ”। ପୋଲିସ୍ ଅଧିକାରୀ ଖାଲି ରାଗରେ ଦାନ୍ତ କଡ଼ମଡ଼ କରୁଥାନ୍ତି। ଏଥର ପ୍ରସ୍ଥାନ ପର୍ବ ପାଳିଲେ। ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ ଫେରିବାକୁ।
ପରେ ଥାନା ହାଜତରେ ଆଣି ତାକୁ ରଖିଲେ। ସମସ୍ତେ ଫେରି ଆସିଲେ। ଜଗି ରହିବାକୁ କେତେଜଣଙ୍କୁ ମଧ୍ୟ ମୁତୟନ କଲେ।ଏଥର ମନରେ ଟିକିଏ ଆଶ୍ୱସ୍ତି ଓ ପ୍ରଶସ୍ତିରେ ନିଶ୍ଵାସ ନେଲେ। ଥାନା ଭିତରେ କଡା ସୁରକ୍ଷାର ପ୍ରାବନ୍ଧନ କରି, ସେ ଚାଲିଗଲେ ଲମ୍ବା ବିଶ୍ରାମରେ। କାରଣ ନିଦକୁ ଆଉ ଆୟତ୍ତ କରିବା ତାଙ୍କ ଇଚ୍ଛାଧୀନ ନଥିଲା।ଫେରିଲା ବେଳକୁ ଦ୍ୱିପ୍ରହର।
କ୍ରମଶଃ…. Episode 15 …

କ୍ରମଶଃ episoddy15. . କୋର୍ଟ ଚାଲାଣ..
ଚନ୍ଦକାରେ ଗୋଟେ ରାତି
–by ସତ୍ୟ ପ୍ରକାଶ ସେଠୀ
ଫେରିଲା ବେଳକୁ ଦ୍ବିପ୍ରହର। ଭାବିଲେ- ଆସାମୀମାନଙ୍କୁ ତ ଆଉ ଅଠଚାଳିଶ ଘଣ୍ଟାରୁ ଅଧିକ ଥାନା ହାଜତରେ ଅଟକେଇ ରଖି ହେବନାହିଁ। ତେଣୁ ଆଗ ଏମାନଙ୍କୁ କୋର୍ଟ ଚାଲାଣ କରିବାକୁ ହେବ। ତେଣିକି ଯାହା। ପୁଣି ଚଗଲାକୁ ମଧ୍ୟ ଏକାବେଲକେ ପଠେଇ ଦେଲେ ଯାଏ, ନହେଲେ ଏଭଳି criminalକୁ ଏଠି ଅଟକେଇ ରଖିଲେ ଅଧିକ ବିପଦ। କାରଣ କେତେବେଳ ହାଜତ ଭାଙ୍ଗି ଖସି ପଳେଇଯିବ-ତାହା କହି ହେବ ନାହିଁ । ବରଂ ପରେ ରିମାଣ୍ଡରେ ଆଣିବେ। ତେଣୁ forwarding letter ଲେଖାଗଲା-
ମାନନୀୟ!
ଏସ୍. ଡି. ଜି. ଏମ୍…. କୋର୍ଟ,…..
ବିଷୟ :ଭାରତୀୟ ପିଙ୍ଗଳ କୋଡର ଧାରା, ଉପଧାରା ଓ ଦଫା:_ହତ୍ୟା – 302, ଅପହରଣ – 366,ଅପରାଧିକ ଷଡଯନ୍ତ୍ର – 120, ଅବକାରୀ – 4 ଏନ୍. ଡି. ପି. ସି ଆକ୍ଟ, 3 ଅଫ୍ ଇମମୋରାଲ ଟ୍ରାଫିକେରିଙ୍ଗ ଆକ୍ଟ ଓ ପବ୍ଲିକ୍ ଗାମଲିଙ୍ଗ ଆକ୍ଟ ଅନୁଯାୟୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଗଲା।
1-ଚଗଲା ଦାସ, ବୟସ -55,ପି :.. ସା /ପୋ -…., ଥାନା…, ଜି….
2-ସବିତା ରାଣୀ ଦାସ, ବୟସ 40,ସ୍ୱା :ସୁକୁଟା, ସା /ପୋ…. ଥାନା…, ଜି…
3 – ସୁକୁଟା ବେହେରା, ବୟସ :50, ପି :.. ସା /ପୋ.. ଥା :.. ଜି :..
ମହାଶୟ!
ନିବେଦନର କାରଣ ଏହିକି, ମୁଁ ଏଥି ସହିତ ଶ୍ରୀ ରାମହରି ଲାଲ ଗୋସ୍ଵାମୀ, ବୟସ 50, ପି :ମନୋହରି ଲାଲ, ସା /ପୋ :କୋଠାସାହି,ଥାନା :.. ଜି :କଟକଙ୍କ ଅଭିଯୋଗକୁ ଆଧାର କରି ଉପର ଲିଖିତ ଅଭିଯୁକ୍ତମାନଙ୍କୁ ଆପଣଙ୍କ କୋର୍ଟକୁ ଚାଲାଣ କରୁଛି।ଅଭିଯୋଗ ପତ୍ର ଓ ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି କି, ଏହା ଏକ ଜଘନ୍ୟ ଷଡଯନ୍ତ୍ରମୂଳକ ଅପରାଧିକ ମାମଲା।ଚୋରି, ରାହାଜାନୀ, ନିଶା, ଜୁଆ ଓ ବେଶ୍ୟାବୃତ୍ତି ଧନ୍ଦା ଆଦି ମଧ୍ଯ ସମ୍ପୃକ୍ତ, ଯାହା ଅଧିକ ତଦନ୍ତ ହେଲେ ଜଣାପଡ଼ିବ। ଷଡଯନ୍ତ୍ର, ଅପହରଣ, ହତ୍ୟା, ନିଶା ଓ ଜୁଆ ଓ ବେଆଇନ୍ ଭାବେ ବେଶ୍ୟାଳୟ ଚଳେଇବା ପରି ବହୁ ଅଭିଯୋଗ ଓ ଅଭିଯୋଗକୁ ଭିତ୍ତି କରି କିଛି ତଥ୍ୟ ପଦାକୁ ଆସିଛି। ଏବେ ଏହି ତିନି ଜଣ ଅପରାଧୀ ଧରା ପଡିଥିଲେ ମଧ୍ଯ ଆହୁରି ଅନେକ ଧରା ପଡ଼ିବାକୁ ବାକି ଅଛନ୍ତି। ସାକ୍ଷ୍ୟ ଓ ପ୍ରମାଣ କିଛିଟା ହାତକୁ ଲାଗିଥିଲେ ହେଁ ଆହୁରି ଅନେକ କିଛି ମିଳିପାରି ନାହିଁ ।
ଏଣୁ ପ୍ରାର୍ଥନା କରୁ ଅଛୁକି, ଅଭିଯୁକ୍ତମାନଙ୍କୁ ଏବେ ବେଲରେ ନ ଛାଡ଼ି ସେମାନଙ୍କୁ ଜେଲ କଷ୍ଟୋଡିକୁ ପଠାଯାଉ। ଆହୁରି ମଧ୍ୟ ନିମ୍ନ୍ କେତୋଟି ଭିତ୍ତି ଭୂମିକୁ ଆଧାର କରି ଆପତ୍ତି କରୁଛିକି, ଅଭିଯୁକ୍ତ ମାନଙ୍କର ବେଲ ପିଟିସନ୍କୁ ଖାରଜ କରାଯାଉ-
1-ଅଭିଯୁକ୍ତମାନେ ଅତି ପ୍ରଭାବଶାଳୀ ଓ ଧନୀକ ଗୋଷ୍ଠୀର ହୋଇଥିବାରୁ ତଦନ୍ତ ପ୍ରକ୍ରିୟାକୁ ପ୍ରାଭାବିତ କରି ପାରନ୍ତି।
2-ଅଭିଯୁକ୍ତ ମାନେ ଜେଲ୍ ବାହାରେ ରହିଲେ ପ୍ରମାଣ ମଧ୍ୟ ନଷ୍ଟ କରି ଦେଇପାରନ୍ତି।
3 – ଅପରାଧୀ ମାନଙ୍କୁ ଖୁଲମ୍ ଖୋଲା ଛାଡିଦେଲେ ସେମାନେ ପୁନଃ ସେମାନଙ୍କର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରି ପାରନ୍ତି ବା ସକ୍ରିୟ ରହି ପାରନ୍ତି ।
4-ଅଭିଯୁକ୍ତମାନେ ସାକ୍ଷୀମାନଙ୍କୁ ଜୀବନରୁ ମାରି ଦେବା ଓ ଧମକାଇବାଦିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କ୍ଷତି ମଧ୍ଯ ପହଞ୍ଚାଇ ପାରନ୍ତି।
5-ଅପରାଧୀମାନେ ଫେରାର୍ ମଧ୍ଯ ହୋଇଯାଇ ପାରନ୍ତି।
6-ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜାଇ ପାରନ୍ତି।
ଅନ୍ୟାନ୍ୟ ସବିଶେଷ ତଥ୍ଯ ପାଇଁ ଅଧିକ ତଦନ୍ତ ଜାରି ରହିଛି, ହୁଏତ ତାହା ସମୟ ସାପେକ୍ଷ ହୋଇପାରେ । ଏଥିପାଇଁ ଅଧିକ ସମୟ ଲୋଡ଼ୁଛୁ।
ତେଣୁ ନିମ୍ନୋକ୍ତ ଅଭିଯୋଗରେ ଅଭିଯୁକ୍ତ କରାଯାଇ ସେମାନଙ୍କୁ ଆପଣଙ୍କ ବିଚାର ଓ ବିହିତ ପଦକ୍ଷେପ ନିମନ୍ତେ ପଠାଗଲା।
ଭାରତୀୟ ପିଙ୍ଗଳ କୋଡର ଧାରା, ଉପଧାରା ଓ ଦଫା, ହତ୍ୟା – 302, ଅପହରଣ – 366,ଅପରାଧିକ ଷଡଯନ୍ତ୍ର – 120, ଅବକାରୀ – 4 ଏନ୍. ଡି. ପି. ସି ଆକ୍ଟ, 3 ଅଫ୍ ଇମମୋରାଲ ଟ୍ରାଫିକେରିଙ୍ଗ ଆକ୍ଟ ଓ ପବ୍ଲିକ୍ ଗାମଲିଙ୍ଗ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଗଲା।
ସଂଳଗ୍ନ ଆପଣଙ୍କର ବିଶ୍ୱସ୍ତ
———-
1.ଏକ କିତା ଏଫ୍. ଆଇ. ଆର୍
2.ସାକ୍ଷୀଙ୍କ ବୟାନ
3. ଅଭିଯୁକ୍ତଙ୍କ ବୟାନ
4.ପ୍ରାଥମିକ ତଦନ୍ତ ରିପୋର୍ଟ
————-
ଏଣିକି ଖାଲି ଅପେକ୍ଷା ରାମହରି ବାବୁଙ୍କୁ। ସେ ଆସିଲେ ବୃଦ୍ଧଙ୍କୁ ତାଙ୍କ ଜିମା ଦେଇଦେଲେ ଗୋଟେ ଦାୟିତ୍ୱରୁ ମୁକ୍ତି। ତା’ପରେ ଏମାନଙ୍କୁ ନେଇ ଯିବି କୋର୍ଟ ଓ ସେଠୁ ଆଦେଶ ହେଲେ ଜେଲରେ ନେଇ କଏଦୀଙ୍କୁ ହସ୍ତାନ୍ତର କରିବାକୁ ହେବ। ଏହି ଚିନ୍ତାରେ ବସିଥାନ୍ତି ପୋଲିସ୍
କ୍ରମଶଃ… Episode 16
ଅନ୍ୟପଟେ…..
ଗତ ପରଦିନର ରାତିଅନିଦ୍ରା ଓ କ୍ଳାନ୍ତି ଯୋଗୁଁ, ସମସ୍ତେ କ୍ଲାନ୍ତ ହୋଇଯାଇଥାନ୍ତି। ଆଜିଯାଏଁ ବି ଦେହ ଦୁର୍ବଳ ଲାଗୁଛି ଓ ମନରେ ଥକାନ ଭରି ରହିଛି। ଭାରି steadious journey ଓ frightening night ଥିଲା ।ଏଯାଏଁ ଦେହ ବି ଅଳସେଇ ଭିଡ଼ି ହେଉଛି। ସେବେଠୁଁ ତ ନିଶାନ୍ତ ଯାଇଛି ଯେ ଯାଇଛି। କାହିଁ ରାତିକୁ ବି ଆସିଲା ନାହିଁ ତ? ଏହି ନିଶାନ୍ତଟା ଘଡିଏ ନ ଆସିଲେ ମନ ଭଲରହେ ନାହିଁ, ଆଉ କୌଣସି କଥାକୁ ବି ଆଗ୍ରହ । ସତେ କି ତାଙ୍କ ଜୀବନଟା ନିଶାନ୍ତ ନିର୍ଭରଶୀଳ ହୋଇଯାଇଛି। ରାତିକୁ ତ ରାମହରି ବାବୁ ଫୋନ୍ କରିଥିଲେ, କିନ୍ତୁ ସେ କାହିଁ ସେତେ ସରାଗରେ କଥା ହେଲା ନାହିଁ। ଭାରି ଚିଡିମିଡି ହେଉଥିଲା। ରାତିରେ କିନ୍ତୁ ପୋଲିସ୍ ଅଧିକାରୀ ଫୋନ୍ କରିଥିଲେ। କହୁଥିଲେ-” ଅପରାଧି ଧରା ପଡିଛନ୍ତି ଓ ଯୁବକଟିର ବାପାଙ୍କୁ ମଧ୍ଯ ଉଦ୍ଧାର କରାଯାଇଛି। ସେ ଏବେ ଥାନାରେ ଅଟକି ରହିଛନ୍ତି। ତୁରନ୍ତ କାଲି ଭିତରେ ଆସି ତାଙ୍କୁ ନେଇ ଯାଆନ୍ତୁ। ଆପାତତଃ ବିଚାର ସରିବା ଯାଏଁ ସେ ଆପଣମାନଙ୍କ ହେପାଜତରେ ଆପଣଙ୍କ ଆଶ୍ରମରେ ରହିବେ”।
ହେଲେ ନିଶାନ୍ତର ତ କାହିଁ ଦେଖା ନାହିଁ।ସେଦିନ ତ କଙ୍କାଳ ଉଦ୍ଧାର କାର୍ଯ୍ଯକ୍ରମରେ ଦୁଇବନ୍ଧୁଯାକ ଯୋଗଦେଇ ସେମାନଙ୍କର ମଜା ବାହାରି ଯାଇଛି। ରାତିସାରା ଅନିଦ୍ରାକୁ ଅନିଦ୍ରା, ପୁଣି ଡରରେ ଅବସ୍ଥା ବେହାଲ୍। ସାଙ୍ଘାତିକ ପରିସ୍ଥିତି। ନିଶାନ୍ତ ତ ମୁହଁ ହାଣ୍ଡି କରି ରହିଛି। ଡାକିଲେ ଆଉ ଶୁଣୁ ନାହଁ। କହିଲା -” ଭାଇ! ମୋତେ ତୁମର ଏ ଫାଲତୁ କାମରେ ଆଉ ସଂଶ୍ଲିଷ୍ଟ କରିବ ନାହିଁ। କଲେ ବି ମୁଁ ଆଉ ଯିବି ନାହିଁ, ମୋର ଆଶ୍ରମ ଭଲ ତ ମୁଁ ଭଲ” । ସୁରେଖା ଫୋନ୍ କରି କହିଲାଠୁଁ – “ଏ ନିଶାନ୍ତ! ତୁମେ ରାଗ ନାହିଁ। ମୁଁ ଜାଣିଛି ପରା, ଏଇ ଲୋକଟାର ଏଇଆ କାମ। ନିଜେ ତ ଶାନ୍ତିରେ ରହିବେ ନାହିଁ, କି ଆଉ କାହାକୁ ଶାନ୍ତିରେ ବି ରଖେଇ ଦେବେ ନାହିଁ।ହେଲେ ତୁମେ ସାଙ୍ଗରେ ନଥିଲେ ସେ କ’ଣ କୁଆଡ଼େ ଯିବେ? ପୂରା କାମ ଠପ୍ କରି ବସି ପଡିବେ। ତା ଛଡ଼ା ଇଏ ତ ସେଇ ଆଶ୍ରମ କାମ ନା! ପୋଲିସ୍ ବାବୁ ଖବର ଦେଇଛନ୍ତି, ବୃଦ୍ଧ ଜଣକ ଆଶ୍ରମ ଆସିବେ। ତୁମେ ପ୍ଲିଜ୍! ଆସ ନିଶାନ୍ତ “।ନିଶାନ୍ତ କହିଲେ – “ମୋର ଟିକେ କାମ ଅଛି ଭାଉଜ! ତେବେ ବନ୍ଧୁଙ୍କୁ କୁହନ୍ତୁ!ବ୍ୟସ୍ତ ହେବେ ନାହିଁ, ଆମେ ସେକେଣ୍ଡ୍ ହାଫ୍ ରେ ବାହାରିବୁ। ମୁଁ ଠିକ୍ ସମୟରେ ଯାଇ ପହଞ୍ଚିବି। ଆଉ ଫୋନ୍ କରିବା ବି ଦରକାର ନାହିଁ । ସେ ପ୍ରସ୍ତୁତ ଥାଆନ୍ତୁ”।
ସେୟା ହେଲା ସେମାନେ ଖାଇପିଇ ବାହାରିଲେ। ଭୁବନେଶ୍ବରରେ ଯାଇ ଗାଡି ପହଞ୍ଚିଲା। ଥାନା ବାରଣ୍ଡାରେ ପହଞ୍ଚୁ ପହଞ୍ଚୁ ପୋଲିସ୍ ଅଧିକାରୀ କହିଲେ – “ଆସନ୍ତୁ! ମୁଁ ତ ଆପଣମାନଙ୍କୁ ଅପେକ୍ଷା କରିଥିଲି, ପ୍ଲିଜ୍ ଟେକ୍ ସିଟ୍ “। ବୃଦ୍ଧଙ୍କ ଆଡ଼କୁ ଇଶାରା କରି – “ପ୍ଲିଜ ଭେଟନ୍ତୁ! ଇଏ ହେଉଛନ୍ତି ଯୁବକଙ୍କର ବାପା। ଆପଣଙ୍କର ନୂଆ ଅତିଥି, ଯାହାଙ୍କ ପାଇଁ ଭବ୍ଯ ସମ୍ବର୍ଦ୍ଧନା ଅପେକ୍ଷାରେ ଆଶ୍ରମବାସୀ”। ପରିଚୟ କରେଇଦେଲେ। ଦୁଇ ବନ୍ଧୁ ହାତ ଯୋଡ଼ି ପ୍ରଣାମ କଲେ – “ମଉସା! ନମସ୍କାର”। ସେ କିନ୍ତୁ ନିରୁତ୍ତର, ବିଷର୍ଣ୍ଣ ତାଙ୍କର ମନ।
ଆଖିରୁ ମେଣ୍ଡିଆ ଏଯାଏଁ ଭଲକି ଲିଭି ନଥାଏ, ଆଉ ଦେହରୁ ମଳିନତା ମଧ୍ଯ। ବଡ଼ ଉଦାସ ଥିଲା ତାଙ୍କର ଚେହେରା। ତାଙ୍କର ଜୀବନ ବୋଧେ ତୋଳି ପାରୁ ନଥିଲା ବିଶେଷ କିଛି ନୂତନତାର ସମ୍ଭାବନା, ଖାଲି ପରିସ୍ଥିତି ଦୃଷ୍ଟିରୁ ପରିଣତିକୁ ଅପେକ୍ଷା କରିବା ବ୍ୟତୀତ। ଏକ ହତାଶାବୋଧର କାଳିମା ଛାଇ ଯାଇଥିବାର ସ୍ପଷ୍ଟ ନଜର ଆସୁଥିଲା – ଚେହେରାରୁ। ଶରୀର ତ ଜରାଜୀର୍ଣ୍ଣ, ହୃଦୟରେ ବେଦନାର ମହା ଭାର ।ମନ ନିସ୍ତରଙ୍ଗେ କାହିଁ ତରଙ୍ଗାୟିତ ହେଉନଥିଲା କିଛି। କେଉଁ ଘଟଣା ପ୍ରତି ନଥିଲା ସେତେ ଆଗ୍ରହ । ଗୋଟିଏ କୋଣରେ ଚୁପ୍ଚାପ୍ ବସି ପଡିଥାନ୍ତି। ହେଲେ କାହାକୁ କିଛି କହୁ ନଥାନ୍ତି। କେବଳ ଚିଡ଼ିଆଖାନାର ଜୀବ ଭଳିଆ ଆଖି ମିଟିମିଟି କରି ଚାହିଁ ରହିଥାନ୍ତି, ନହେଲେ କାହାକୁ କେମିତି ଟିକେ କଣେଁଇ ଦେଖୁଥାନ୍ତି। ଅନ୍ୟପକ୍ଷେ ହାଜତ ଭିତରେ ଗୋଟିଏ ସେଲରେ ପୁରୁଷ ସ୍ତ୍ରୀ କି ହଳେ ଥିଲେ। ସେଇମାନେ ବୋଧେ, ହୋଇପାରନ୍ତି ଯୁବକଟିର ଭାଇ ଓ ଭାଉଜ। ଦୁଇ ଜଣଯାଙ୍କୁ ପୋଲିସ୍ ହୁଏତ ରାତି ତମାମ ଜେରା କରିଥିବ। ମୁହଁ କାନ ତ ଶୁଖି କଳାକାଠ ପଡ଼ିଯାଇଛି। ହଁ – ପୋଲିସ୍ ଅଧିକାରୀ ତ କହୁଥିଲେ, ସେମାନେ ଧରା ପଡି ସବୁ ହାଜତରେ ଅଛନ୍ତି ବୋଲି ।ଆଉ ଏ କଥା ମଧ୍ଯ କହୁଥିଲେ – “କାଗଜ ପତ୍ର କାମ ପ୍ରସ୍ତୁତ ଚାଲିଛି। ସରିଲେ ନେଇ କୋର୍ଟରେ ହାଜର କରିବେ”। ହେଲେ ତାଙ୍କ ପାଖ ସେଲରେ ଏ କାଳିଆ ଲୋକଟା କିଏ ? ଭାରି ମୋଟାସୋଟା। ବଳିଲା ବଳିଲା ଚେହେରା। ବ୍ରହ୍ମ ରାକ୍ଷସ ପରି ଭାରି ମୁଚ୍ଛବାଲା। ନିଶଟା ଗୋଟେ ହୋଇଛି। ବଳଦ ଦୌଡ଼ି ଭଳିଆ ମୋଟା ନିଶୁଆ।ବାନ୍ଧିଲେ ହଳେ ବଳଦ ପରା ସେଇଥିରେ ବାନ୍ଧି ହୋଇଯିବେ ।
କାଳିଆ ବିଲିବଢ଼ିଲା ଚେହେରା। ଗାରେଡେଇକି ଖାଲି ଚାହୁଁଥାଏ। ଥାନା ବାବୁ କହୁଥାନ୍ତି – “ଏଇଟା ତାଙ୍କର ସହଯୋଗୀ,ଯିଏ ଏ ଘଟଣାର ମୁଖ୍ୟ ଖଳନାୟକ।କୁଆଡେ ସୁକୁଟା ପ୍ରଧାନ ସ୍ତ୍ରୀର ପୁରୁଣା ପ୍ରେମିକା, ଯାହା ସହ ସେ ପ୍ରତ୍ୟେହ ସୁକୁଟା ଅନୁପସ୍ଥିତିର ସୁଯୋଗ ନେଇ ପ୍ରେମଲୀଳା ରଚନା କରିଥାଏ । ରାତିରେ ଏମାନଙ୍କ ଉପରେ ଉତ୍ତମ ମାଧ୍ୟମ ଦିଟା ବସିଲା ପରେ ଭଳଭଳ ହୋଇ ସବୁ ସତ କଥାଗୁଡ଼ାକ ପରା ବାନ୍ତି କରି ଦେଇଥିଲେ। ତେଣୁ ଆପଣ ଆସିବାର କିଛି ସମୟ ଆଗରୁ ଆମେ ଜନ୍ତୁଟାକୁ ଧରି ଆଣି ହାଜତରେ ରଖିଛୁ। ଆପଣ ଆଗ ମଉସାଙ୍କୁ ନେଇ ଆଶ୍ରମ ଯାଆନ୍ତୁ, ତା ‘ପରେ ଆସନ୍ତା କାଲିର ସମସ୍ତ ଘଟଣା ମୁଁ ଆପଣଙ୍କୁ ଅବଗତ କରିବି। ଅପରାଧିକ ଦୁନିଆରେ ଏଇ ବାଦଶାହାମାନଙ୍କର ମଧ୍ଯ ସବୁ କଳା କାରନାମା ଜଣାପଡ଼ି ଆସିଲାଣି । ଆପଣ ନିଶ୍ଚିତ ରହନ୍ତୁ ଦୋଷୀକୁ ଦଣ୍ଡ ଓ ପ୍ରେତାତ୍ମାକୁ ନ୍ୟାୟ – ଏହା ଏଘଟଣାରୁ ଆପତତଃ ସ୍ପଷ୍ଟ ହୋଇଛି। ୟାଙ୍କ ପାଖରୁ ଆଉ ଅବଶିଷ୍ଟ ସତ କଥା ବାହାର କଲା ପରେ ଆଜି କୋର୍ଟ ଚାଲାଣ କରିବି। ଦରକାର ପଡିଲେ ପୁଣି ରିମାଣ୍ଡରେ ନେବି ପଛେ ହେଲେ ଦୋଷୀ କେମିତି କଠୋରରୁ କଠୋର ଦଣ୍ଡ ପାଇବ ତା’ର ବ୍ୟବସ୍ଥା ମୁଁ ନିଶ୍ଚୟ କରିବି। ଏମିତି ଆଛାଖାସା କରି ଚାର୍ଜ ସିଟ୍ ଲେଖିବି ଯେ, ଯେମିତି ମଝିରେ ଆଉ ଜେଲରୁ ମୁକୁଳି ପାରିବେ ନାହିଁ କି ଆଉ କିଛି ଦୁର୍ଘଟଣା ଘଟାଇ ପାରିବେ ନାହିଁ। ଏକାଥରକେ ସଜା ଶୁଣିବେ,ଖାଲି ସଜା। ସେ ପର୍ଯ୍ୟନ୍ତ ଜେଲ ହାଜତରେ ରହି ଚକି ପେଷୁଥାନ୍ତୁ।
ଠିକ୍ ଅଛି, ଏଥର ମଉସାଙ୍କୁ ଆପଣମାନେ ନେଇଯାଇ ପାରନ୍ତି। ଆସନ୍ତୁ! ପରେ ଆମେ ସବୁ କଥା ହୋଇ ପାରିବା”। ରାମହରି ବାବୁ ଧନ୍ୟବାଦ ଦେଇ ବୃଦ୍ଧଙ୍କୁ ସାଙ୍ଗରେ ଧରି ଫେରି ଆସୁଥାନ୍ତି।
ବୃଦ୍ଧ କହୁଥାନ୍ତି – “ମୋତେ କୁଆଡ଼େ ନେଇ ଯାଉଛ! ଏ ପୁଅ ବୋହୂ ଦିଟା ହାଜତରେ ରହିଲେ। ସେ ଦିଟା ଆଉ ଘରକୁ ନ ଫେରେନ୍ତେ କି? ସାନ ଟୋକାଟା ତ ଗଲା। ଏ ପାପୀ ପାପିନୀ ଦିଟା ଜେଲରେ ସଢ଼ନ୍ତୁ। ହେଲେ ମୁଁ କେଉଁଠି ରହିବି, କ’ଣ ଖାଇବି” ?
ରାମ ହରି ବାବୁ କହିଲେ – “ଏ ବୟସରେ ଆପଣ ଆଉ ଏତେ କିଛି ଚିନ୍ତା କରନ୍ତୁ ନାହିଁ। ଖାଲି କେମିତି ଶାନ୍ତିରେ ଗଣ୍ଡେ ଖାଇ ବଞ୍ଚିବେ ସେତିକି..। ଭଗବାନଙ୍କ ରାଇଜରେ କେହି ଏକଲା ନୂହେଁ। ସମସ୍ତଙ୍କ ପାଇଁ ସେ କିଛି ନା କିଛି ବ୍ୟବସ୍ଥା କରିଛନ୍ତି।ଆମେ ଆପଣଙ୍କୁ ସେବାମୁକ୍ତି ଜରାଶ୍ରମକୁ ନେଇ ଯାଉଛୁ। ସେଇଠି ଅନେକ ସାଙ୍ଗ ସାଥୀ ଅଛନ୍ତି। ଶାନ୍ତିରେ ରହିବେ। ପରସ୍ପର ସହ ସୁଖଦୁଃଖ ବାଣ୍ଟୁବାଣ୍ଟୁ ସମୟ ସରି ଯାଇଥିବ, ବେଳ ବି ଉଚ୍ଛର ହୋଇଯାଇଥିବ । ସମସ୍ତେ ଶାନ୍ତିରେ ଶୋଇଯିବେ “।ତାଙ୍କୁ ବୋଧେ କଥାଟା ଭାରି ମନକୁ ପାଇଲା, ସେ ଦାନ୍ତଟାକୁ ନିକୁଟେଇ ଦେଇ ପ୍ରସନ୍ନତା ପ୍ରକଟ କଲେ।
ଗାଡ଼ି ଯାଇ ପହଞ୍ଚିଲା ଆଶ୍ରମରେ, ସମସ୍ତ ଅନ୍ତେବାସୀ ଦୌଡ଼ି ଆସିଲେ। ନୂଆ ଅତିଥିଙ୍କୁ ପାଛୋଟି ନେଲେ। ଆରମ୍ଭ ହେଲା ଅଭ୍ୟର୍ଥନା, ଅତିଥି ସତ୍କାର ଓ ସ୍ଵାଗତ ସମ୍ବର୍ଦ୍ଧନା। ଆଶ୍ରମର ନିୟମାନୁଯାୟୀ ଆଗ ବୃଦ୍ଧଙ୍କୁ ପରିଷ୍କାର ପରିଚ୍ଛନ୍ନ କରି ସଫା ସୁତର କରି ଦିଆଗଲା। ଖାଇବାକୁ ଦିଆଯାଇ ଆଶ୍ରମର ନିୟମ କାନୁନ୍ ସବୁ ବୁଝେଇ ଦିଆଗଲା। ସେଠି ସେ ସମଦଶାସମ୍ପନ୍ନ ଅନେକ ସାଥୀ ସହଯୋଗୀଙ୍କୁ ଦେଖି ଜୀବନର ସମସ୍ତ ଦୁଃଖକୁ ଧୀରେ ଧୀରେ ଭୁଲିବାକୁ ଲାଗୁଥାନ୍ତି । ବିଶ୍ରାମର ସମୟ ହେଲାରୁ ପୂର୍ବ ପ୍ରସ୍ତୁତ ତାଙ୍କ ପ୍ରକୋଷ୍ଠ ତାଙ୍କୁ ଦେଖାଇ ଦିଆଗଲା, ଯାହା ନିଶିକାନ୍ତ ବାବୁଙ୍କ ପାଖରେ ପଡିଥିଲା। ନିଶିକାନ୍ତ ବାବୁ କହୁଥାନ୍ତି – “ଆଜି ଠାରୁ ମୋ ସହିତ ମିଶି ଆପଣ ଏଇ ଆଶ୍ରମର ଦାୟିତ୍ଵ ସମ୍ଭାଳନ୍ତୁ। ଦେଖିବେ! ଜୀବନ ବହୁତ ହାଲକା ହୋଇଯିବ ଆଉ ବୋଝ ହୋଇ ଆପଣା ଉପରେ ମାଡ଼ି ପଡ଼ିବ ନାହିଁ। ବୃଦ୍ଧ ସମ୍ମତି ଜଣାଇ ସ୍ମିତ ହସିଲେ। ଶାନ୍ତିରେ ଶୋଇଗଲେ ।ମନେମନେ କହୁଥିଲେ ସେଇ ଏକା କଥା -” ଇଶ୍ଵର ସମସ୍ତଙ୍କ ପାଇଁ କିଛିନା କିଛି ବ୍ୟବସ୍ଥା କରିଛନ୍ତି”। ଏଠାକାର ସବୁ କଥା ଜାଣି ସାରିଲା ପରେ, କୃତଜ୍ଞତା ଓ ଆଶ୍ରୀବଚନରେ ପୂରି ଉଠୁଥିଲା ବୃଦ୍ଧଙ୍କର ହୃଦୟ – ରାମହରି ଲାଲ ବାବୁଙ୍କ ପ୍ରତି ।
ଘରକୁ ଫେରି ଆସି ରାମହରି ବାବୁ ଶାନ୍ତିରେ ଶୋଇ ପଡ଼ିଲେ- ନିଘୋଡ଼ ନିଦରେ ।ମନକୁ ବଡ଼ ଆଶ୍ୱସ୍ତି, – ଯାହା ହେଉ ଯୁବକ ଓ ଯୁବକଙ୍କ ବାପା ପ୍ରତି ସେ କରି ପାରିଛନ୍ତି କାଣିଚାଏ ହେଲେ ବି କର୍ତ୍ତବ୍ୟ। ଆଉ ଯୁବକଙ୍କୁ ଦେଇଥିବା ପ୍ରତିଶ୍ରୁତି ନ୍ୟାୟ ପ୍ରଦାନର ହୋଇ ହୋଇପାରିଛି କିଞ୍ଚିତ୍ ହେଲେ ହେଁ ଫଳବତୀ, ଯଦିଓ ଏଯାଏଁ ହୋଇ ପାରି ନାହିଁ ତା’ର ଅନ୍ତିମ ଫଳଶୃତି।ସେଇ ନିଦ ଅନ୍ଧାର ଭିତରେ ସେ ଦେଖୁଥାନ୍ତି – ସାଏଁକିନା ପବନର ବେଗରେ ଖୋଲିଗଲା ଝରକାର କବାଟ ଦୁଇଟି ଦୁଇ ପଟକୁ ମେଲା ହୋଇ ।କିଏ ଗୋଟେ ଅନ୍ଧାରରେ ଛିଡା ହୋଇ ମୁରୁକି ହସୁଥିଲା। ରାମହରି ବାବୁଙ୍କର ଦୃଷ୍ଟିଟା ତା’ ଉପରେ ପଡିବା କ୍ଷଣି ଅଚାନକ ତା ମୁହଁରୁ ହସ ଟିଳକ ଉଡି ଯାଇ ଅଶ୍ରୁ କେଇ ବୁନ୍ଦା ପୁଣି ନିଗିଡି ପଡ଼ିଲା। ହସକାନ୍ଦର ଲୁଚକାଳି ଭିତରେ ସେ କହିଥିଲା ମାତ୍ର୍ କେଇପଦ – “ନହେଉ ପଛେ ଘଟଣାର ଅନ୍ତିମ ଫଳଶ୍ରୁତି ତଥାପି କୃତଜ୍ଞତା ପ୍ରକଟ କରିବାକୁ ମୁଁ ବାଧ୍ୟ। ଖାଲି ଶେଷ ଅନୁରୋଧ – ଦଶ କର୍ମ ହୋମାଦି କରି, ଦେବେ ଟିକେ ମୋ ଆତ୍ମାକୁ ଶାନ୍ତି।
କ୍ରମଶଃ
ବାସ୍ତବରେ ଏ ତ ଗଲା tailor, ଏଯାଏଁ ଆସିନାହିଁ କାହାଣୀର ମୁଖ୍ୟ ଭାଗ। ତେବେ ବିଚାର କ’ଣ ସହଜେ ଆସେ। ଯାହା ହେଲେ ବି ସମୟ ସାପେକ୍ଷ ନା। ସେଯାଏଁ ଅପେକ୍ଷା କରିବା, ହେଲେ ତା ପୂର୍ବରୁ ଦେଖିନେବା କେତୋଟି horror କାହାଣୀ ଯାହା ମୋ ମାନସ ପଟରେ ରହିଛି ଲିପିବଦ୍ଧ ହୋଇ। ଯେମିତିକି ଭୂତୁଣୀ ସାହିତ୍ୟିକା, ଲାବୋରେଟୋରୀରେ ଗୋଟେ ରାତି, ଆମ ଗାଁ ମଶାଣି ପଦର, ଶୂନ୍ଶାନ୍ ରାତି ଓ ଆନେକ.. ଆପଣମାନଙ୍କୁ ଅନେକ କୃତଜ୍ଞତା ଯେଉଁମାନେ କି କହି କହି ମୋତେ ଏ କାହାଣୀ ଲେଖେଇ ଦେଲେ। ନମସ୍କାର। ପୁଣି ଦେଖା ହେବା…
ଆସନ୍ତା କାଲି ଆସୁଛି ଭିନ୍ନ୍ ସ୍ଵାଦର

 

Related posts

ଭୂତୁଣୀ ସାହିତ୍ୟିକା

satya

ପରିତ୍ୟକ୍ତ କୋଠି

satya

ଶତ ପତ୍ନୀକ ଗଳ୍ପଗୁଚ୍ଛ

satya

Leave a Comment

Login

X

Register