ଆମ କଲୋନୀର ହାଲଚାଲ
—–by ସତ୍ୟ ପ୍ରକାଶ ସେଠୀ
ପାଶ୍ଚାତ୍ୟ ସଭ୍ୟତା ଓ ଶିକ୍ଷାର ପ୍ରଭାବ ଓ ପ୍ରସାର ଫଳରେ ଏବର ଗ୍ରାମ୍ୟ ସଭ୍ୟତା ପ୍ରୟତଃ ଭାଙ୍ଗି ଯାଉଛି ବା ନୂଆ କରି ସହରୀ ସଭ୍ୟତାଟିଏ ଗଢି ଉଠୁଛି। ସମସ୍ତଙ୍କର ନିଶା ସହରରେ ମଳେ ଜାଗା କିଣି ଘର କରିବେ।ନୋହିଲେ କୁଆଡେ ପିଲା ଛୁଆ ମଣିଷ ହୋଇ ପାରିବେ ନାହିଁ। ଏବର ପ୍ରତିଯୋଗୀତା ମୂଳକ ପରିକ୍ଷା ଓ ଶିକ୍ଷା ପଦ୍ଧତି ସହ ଖାପ ଖୁଆଇ ଚଳିବାକୁ ହେଲେ ପିଲାମାନଙ୍କୁ ସହରରେ ଆଣି ପାଠ ପଢେଇବାକୁ ହେବ। ପୁଣି ସରକାରଙ୍କର ତୃଟିପୂର୍ଣ୍ଣ ଶିକ୍ଷାନୀତି ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ପଦବୀ ପୂରଣରେ ଆମ ସରକାର ବ୍ୟର୍ଥ ହେବା ଯୋଗୁଁ ଗ୍ରାମ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠ ପଢା ପ୍ରାୟତଃ ଠପ୍। ଖାଲି ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠ ପଢେଇବା ଓ ପଢ଼ାଇବାର ଔଚିତ୍ୟକୁ ନେଇ ଭାଷଣବାଜି ଯାହା… ।ତେଣୁ ଯାହା ପଇସା ଲାଗୁ ପଛେ ସହରରେ ଭଲ ବିଦ୍ୟାଳୟଟେ ଦେଖି ପିଲାଙ୍କୁ ପାଠ ପଢ଼ାଇବାକୁ ହେବ ବୋଲି କେତକ ଧରି ନେଲେଣି। ଏଣୁ ସ୍ତ୍ରୀ ଛୁଆ ପିଲାଙ୍କୁ ଧରି ଆମ ଭଳି କିଛିି ଚାକିରୀଆ ଓ ବ୍ୟବସାୟୀ ଗୋଷ୍ଠୀ ସହରରେ ରହୁଛନ୍ତି। ଖାସ୍ କରି ଛୁଆଙ୍କୁ ମଣିଷ କରି ଗଢି ତୋଳିବାର ଯେଉଁ ନିଶା-ସେଇଥି ପାଇଁ । ପ୍ରଥମେ ଭଡା ଘର ଖଣ୍ଡେ, ପରେ ରୁଣ ଆଣି ଘର ଖଣ୍ଡେ ତୋଳିବାର ମସୁଧା।
ଜାଗାର ମୂଲ୍ୟ ଯାହା ହେଲାଣି, ଭଲ ଜାଗାଟିଏ ପାଇବା କାଠିକର ପାଠ। ନିଅଣ୍ଟିଆ ବଜେଟ ହେବାରୁ ସହରର ଉପକଣ୍ଠରେ ଶସ୍ତା ଚାଷ ଜମିଟେ କିଣି ଘର ବାଡ଼ି କରି ଲୋକେ ରହିଲେଣି।
ଏହିଭଳି ଏକ ପ୍ରୟାସରୁ ଆମର ଗୋଟିଏ ନୂଆ କଲୋନୀ ଗଢି ଉଠିଲାଣି। କଲୋନୀ ନାଁ ଶିରିପୁର, ମୌଜା ରାମପୁର, ପୋଷ୍ଟାଲ୍ ଠିକଣଟା ଚୂଡାାନ୍ତ ହୋଇ ନାହିଁ,ଟିକିଏ ଗୋଳମାଳ ରହିଛି, ନୂଆ ବସତିି ତ-ସେଥିପାାଇଁ। ପ୍ରଥମେ ଆମେ ଅଳ୍ପ କେତକ ଆଗ ସାହସ କରି ଘର ତୋଳିଲୁ, ସୁଦ ବିଲ ମଝିରେ। ଚୌର୍ଯ୍ଯ ଭୟ ପ୍ରଚଣ୍ଡ। ସେଥିରେ ଜଗା ରଖା କରି, ପୁଣି କେତେ ଡରି ଡରି ଘର କଲୁ। ଇଲେକ୍ଟ୍ରି ଓ ପାଣି ସହିତ ମଧ୍ୟ ରାସ୍ତା ଘାଟର ଯେତେକ ସମସ୍ୟା। ସମସ୍ତ ପ୍ରତିକୂଳ ପରିସ୍ଥିତି ସତେ ଗୃହ ନିର୍ମାଣ କାର୍ଯ୍ଯର ଶୁଭାରମ୍ଭ। ଆମ ମଧ୍ୟବିତ୍ତ ଲୋକଙ୍କ ଅବସ୍ଥା ତ ଏହିଭଳି ସବୁବେଳେ ସ୍ୱାଭାବିକ ରୀତିରେ ଚାଲେ। ଗଣ୍ଡେ ଖାଇ ଦଣ୍ଡେ ଜୀଇବାକୁ ପଡେ।ଇଏ ଆଉ କୋଉ ନୂଆ କଥା ବା?
ପ୍ରତିହାରୀ ବାବୁ ଓ ମୁଁ ଏକା ଅଫିସ୍ ର ଲୋକ। ଚାକିରୀଟା ସରକାରୀ ଘରର କିରାଣୀ। ସେଦିନ ଜମି ଦଲାଲ ରସିକ ଲାଲ ଗୋଟେ ଦୁଇଟା ଚେଲା ଚାମୁଣ୍ଡା ସାଙ୍ଗରେ ଧରି ଆମ ଅଫିସକୁ ପଶି ଆସିଲେ। ହାତରେ ସବୁ କାଗଜପତ୍ର ଧରିଥାନ୍ତି, ଅମିନ ବି ଗୋଟେ ଆଣିଥାନ୍ତି, ସେ ନକ୍ସା ଧରିଥାନ୍ତି। ଗୋଟେ କୋଉଠି ନୂଆ plotting ହେଉଥାଏ ।ସବୁ ନକ୍ସା ଟାଣି, ଘର କାଟି ବୁଝେଇଦେଲେ – ଏମିତିକି ସେମିତି ଜାଗା, ଏତେ କଡିର ଚୌଡା ରାସ୍ତା, ଶସ୍ତା ବୋଇଲେ ଏକଦମ୍ କମ୍ ପଇସା, ଭାଗ୍ୟରେ ଥିଲେ ଘର ଓ ଜମି ହାତକୁ ଆସେ, ଥରେ ହାତ ଛଡା କଲେ ସାତ ଜନ୍ମ ଭାବି ହେଉଥିବେ ଇତ୍ୟାଦି, ଇତ୍ୟାଦି ଅନେକ କଥା। ଆମ ଅଫିସ ବାଲା ଓ ଚିହ୍ନା ଜଣା କିଛି ଲୋକ ଆଗ୍ରହୀ ହେବାରୁ ମୁଁ ଓ ପ୍ରତିହାରୀ ବାବୁ ବି ଟିକିଏ ଉତ୍ସାହିତ ହେଲୁ। ସମସ୍ତେ କିଣୁଛନ୍ତି ଦେଖି ଆମେ ବି ଧାର ଉଧାର କରି ଓ ଜି. ପି. ଏଫ୍ ଉଠାଇ ଛ’ଡେସିମିଲ ଲେଖାଏଁ କିଣିବାକୁ ସମ୍ମତି ଦେଇଥିଲୁ, ଯେଉଁଠି ଘର କରି ଏବେ ରହୁଛୁ।
ଯାହା ହେଉ ଆମ ଦେଖା ଦେଖି ଏବେ ବହୁ ଘର ତୋଳା ଗଲାଣି। ସେତେବେଳେ ଆହୁରି କେମିତି କୁହ! ଜାଗା ଖଣ୍ଡେ କିଣିବାକୁ ଆମେ ସକ୍ଷମ ହୋଇଥିଲୁ, ଏବେ ତ ଡିମାଣ୍ଡ ବଢି ଗଲାଣି। ସେତେବେଳେ ଆମେ ଯାହାକୁ ନାକ ଟେକୁଥିଲୁ ଏବେ ସେହି ଜାଗାର ଦାମ୍ ଆକାଶ ଛୁଆଁ, ଅଦର ଦର। ଆଉ ଟିକିଏ ଡେରି କରିଥିଲେ ଏବେକା ରେଟ ଦେଇ ଆମେ ଆଉ କିଣି ପାରି ନଥାନ୍ତୁ। ସବୁ ସେହି ଉପର ବାଲା ହାତରେ। ତାହାରି ନିର୍ଦ୍ଦେଶରେ ସିନା ଆମେ ଏତେବାଟ…।
କୌଣସି ପ୍ରକାରରେ ଘର ଖଣ୍ଡେ ସିନା ହୋଇଗଲା, ହେଲେ ଅନ୍ୟାନ୍ୟ ସୁବିଧା ସୁଯୋଗ କିଛି ନାହିଁ। ମହରଗରୁ ଯାଇ କାନ୍ତାରରେ ପଡିବା କଥା। ଗାଁ ଗଣ୍ଡା ଠାରୁ ଏଠି ହଇରାଣର ଯୋଗଟା ଅଧିକା। ପାଣି କାଦୁଅରେ ଘରୁ ବାହାରି ହେଉ ନାହିଁ। ବର୍ଷା ଦିନେ ନାହିଁ ନଥିବା ଦୁର୍ଦ୍ଦଶା। ଘର ତିଆରି କରିବାକୁ ଯେମିତି ସମସ୍ତେ ତୟାର, ରାସ୍ତା ଘାଟ ତିଆରି କରିବା ପାଇଁ ସେମିତି କେହି ବି ନୁହଁ। ଇଲେକ୍ଟ୍ରି ସମସ୍ୟା ମଧ୍ଯ ତଦ୍ରୁପ। ଘରୋଇ କରଣ ହୋଇଯିବାରୁ ତାର, ଖୁଣ୍ଟ ଓ ଟ୍ରାନ୍ସଫରମର ସବୁ କିଣିବାକୁ ପଡୁଛି। ପୁଣି ସମସ୍ତ ଆକଳନ ମୂଲ୍ୟ (estimated cost) ଉପରେ କମ୍ପାନୀକୁ ଓଲଟା 6% ଅଗ୍ରୀମ ଡିପୋଜିଟ ଦେବାକୁ ହେଉଛି। ଜଣକା 30000 କରି ଚାନ୍ଦା ଦିଆ ଗଲାଣି, ତଥାପି ବିଦ୍ୟୁତ୍ ସମସ୍ୟାଟା ପୂରାପୂରି ଠିକ୍ ହୋଇ ନାହିଁ। ରାସ୍ତା ପାଇଁ ମଧ୍ଯ ସରକାର ଶୁଣୁ ନାହାଁନ୍ତି। କହୁଛନ୍ତି ଏଇଟା କୁଆଡ଼େ ପ୍ରାଇଭେଟ ରୋଡ। ଏଠାକୁ ସରକାରୀ ପଇସା ଦେଇ ହେବ ନାହିଁ। ଯଦିଓ ଏହା ଟାଉନ ପ୍ଲାନିଂ ଅଞ୍ଚଳଭୁକ୍ତ, ତଥାପି ମ୍ଯୁନିସପାଲଟି ଅଣ୍ଡରରେ ଆସୁ ନାହିଁ ।ତେଣୁ ରାସ୍ତା ଆଲୁଅ, ପିଇବା ପାଣି, ନର୍ଦ୍ଦମା ଡ୍ରେନେଜ ପ୍ରଭୂତି ସୁବିଧା ସୁଯୋଗ ମ୍ଯୁନିସପାଲଟି ଯୋଗାଇ ପାରିବ ନାହିଁ। ସେହିପରି ପଞ୍ଚାୟତ କହୁଛି ଏହା ଟି. ପି. ଏରିଆରେ ଯାଉଥିବାରୁ ସେ ପଇସା ଦେଇ ପାରିବ ନାହିଁ। ପୁଣି ଆଗକୁ ପ୍ରସ୍ଥାବ ରହିଛି, ଏହା ମ୍ଯୁନିସପାଲଟି ଅଣ୍ଡରକୁ ଚାଲିଯିବ। ତେଣୁ ତାଙ୍କୁ ଏଠୁ ଭୋଟ ମିଳିବ ନାହିଁ କି ଏଠି କାମ କରି ତାଙ୍କୁ କିଛି ଫାଇଦା ମିଳିବ ନାହିଁ। ମଣିଷ ତ ଦୋ’ ଘାଇରେ ପଡ଼ିଛି। ହରଡ଼ ଘଣାରେ ପଡ଼ି ଖାଲି ଘଣି ହେବ। ହନ୍ତସନ୍ତ ହେବାଟା ସାର ହେବ। ଏହିପରି ନୂଆ କରି ଗଢି ଉଠିଥିବା ଆମ ସହରୀ ଜୀବନ ବଡ଼ ଦୁର୍ବିସହ ହେଲାଣି।
ଏବେ ସମସ୍ତେ ମିଳିମିଶି ଦରଖାସ୍ତ ଲେଖେଇ ଯାଇ M. L. A. ଓ M. P. ଙ୍କୁ ଦେଖା କରି ତାଙ୍କ ପାଣ୍ଠିରୁ କିଛି ପଇସା କଉଡି ଆଣି ରାସ୍ତା ବନେଇବାକୁ ଚେଷ୍ଟା କଲୁଣି, ହେଲେ ଯେଉଁ ଜମି ଦଲାଲଙ୍କ ଠାରୁ ଆମେ ଜାଗା କିଣିଛୁ, ତା ନାଁରେ ରାସ୍ତାଟା ରେଜିଷ୍ଟ୍ରିଭୁକ୍ତ ହୋଇ ରହିଛି, ଆମକୁ ଯାହା ଯାତାୟାତ ପାଇଁ ଏକ ରାଜିନାମା ମିଳି ଥିବାରୁ ଏହା କୁଆଡେ ପ୍ରାଇଭେଟ ରୋଡ଼। ଏହି ସକାଶେ ସେହି ଦଲାଲ no objection certificate ଦେବାର ଆବଶ୍ୟକତା ରହିଛି। ହେଲେ ଆଜ୍ଞା! ଯେତେ ଫୁସୁଲା ଫୁସୁଲି କଲୁଣି ଦଲାଲ ରସିକ ଲାଲ ଏଥିରେ ଅମଙ୍ଗ। କାରଣ ଥରେ କୁଆଡ଼େ no objection ଦେଇଦେଲେ ଓ ଏଥିରେ ସରକାରୀ ପଇସା ପଶିଗଲେ ସେ ଆଉ ରାସ୍ତା agreement ବିକି ପଇସା କମେଇ ପାରିବ ନାହିଁ। ତେଣୁ ସେ ଏଥିରେ ଅମତ। ଆମେ କେବଳ ନିରୂପାୟ ହୋଇ ଆକାଶକୁ ଅନେଇ ଅକାଶର ତାରା ଗଣିବା ବ୍ୟତୀତ କ’ଣ ବା ଉପାୟ ଅଛି କରି ପାରିବୁ ଆମେ?
ବାଧ୍ୟ ହୋଇ ଏଣିକି ନିଜେ ନିଜେ ଚାନ୍ଦା ଚପଟ ବହନ କରି କିଛି କିଛି ରାସ୍ତା ଘାଟ ବନେଇଲୁଣି। ହେଲେ ସେତକ ବା କୁଆଡ଼କୁ ପାଏ, ମୁଗୁରା ମୁହଁ ତ ଚାରିଆଡ଼େ ମେଲା ।ଚାରିଆଡ଼େ ସନ୍ତସନ୍ତିଆ ଓ କାଦୁଅ ପାଣି ଚବର ଚବର। ଛୁଆ ପିଲା ସ୍କୁଲ୍ ଯିବା ଆସିବା ପାଇଁ ବାର ହୀନସ୍ଥା। ତେଣିକି ଆମ ଅଫିସ ଆଉ ମାର୍କେଟ ଯିବା ଆସିବା କଥା ଆଉ କାହିଁକି ବା କିଏ ପଚାରେ।
ଆମ ମଧ୍ୟବିତ୍ତଙ୍କ ଆବସ୍ଥାଟା ବଡ଼ ନାଜୁକ ଆଜ୍ଞା! ଆଜି କାଲି ବଜାର ଭାଉ ଯାହା ହେଲାଣି ଆମେ ଖଣ୍ଡେ ଚାକିରୀ କରି ମଧ୍ଯ ପେଟ ପୂରାଇ ଦୁଇ ଓଳି ଗଣ୍ଡେ ଖାଇବା କଷ୍ଟ। ସେପଟେ ରୁଣର ବୋଝଟା ମୁଣ୍ଡ ଉପରେ, ଏପଟେ ପ୍ରାଇଭେଟ ସ୍କୁଲରେ ଫିସ୍ ବୃଦ୍ଧି ଓ ପିଲାଙ୍କ ପଢ଼ା ଖର୍ଚ୍ଚର ଭାରି।, ପୁଣି ଗାଁରେ ଥିବା ବୃଦ୍ଧ ଓ ବୃଦ୍ଧା ପିତାମାତାଙ୍କ ପାଖକୁ ତଥା ସାନ ଭାଇ ଭଉଣୀ ପାଖକୁ ପଇସା ପଠାଇବାର ତାତି। କେତେବେଳେ ବି କୌଣସି କାମଟା ଠିକ୍ ହୁଏ ନାହିଁ। ସବୁ ଦର କେନ୍ତରା ଧରିଲାଣି। ପୁଣି ଏଇଟା ଘର ନୁହଁ ତ ଘୂର।ଯେତେ ଯୁଆଡୁ ରୁଣ୍ଡେଇ ଆଣି ପୂରାଇଲେ ମଧ୍ଯ ସବୁ ସେ ଘର ଭିତରେ ପଶି ଯାଉଛି।, ତଥାପି ନିଅଣ୍ଟ ପଡୁଛି। ତେଣୁ ଘର କାମଟା ଅଧା ହୋଇ ରହିଛି।
ଅନ୍ୟ ପକ୍ଷରେ ପ୍ରତିହାରୀ ବାବୁ ଓ ମୁଁ ଏକା ଅଫିସ୍ ର ଲୋକ ହୋଇଥିଲେ ହେଁ, ଏହି ଘର କରି ଆମେ ପଡୋଶୀ ହୋଇ ରହିଲା ଦିନ ଠାରୁ ଆଉ ଆମ ଭିତରେ ସେତେ ସୁସମ୍ପର୍କ ନାହିଁ। ପ୍ରତ୍ୟେହ ଛୋଟ ଛୋଟ କଥାକୁ ଓ ସୀମା (boundary) କୁ ନେଇ ଟଣାଓଟରା ଚାଲିଛି, ବିବାଦଟା ଘନେଇଲାଣି। ଯାହା ହେଲେ ବି ଅଚିହ୍ନା ଲୋକ ବରଂ ଭଲ, ଏହି ଚିହ୍ନା ଲୋକଙ୍କର କେବେ ପଡୋଶୀ ହେବେ ନାହିଁ, ନୋହିଲେ କପାଳ ଫାଟିବ ଜାଣ! କଳିଗୋଳ ସୁନିଶ୍ଚିତ। ଯେମିତି ଶାସ୍ତ୍ରକାରଙ୍କ କଥା ସତ।
ପ୍ରତିହାରୀ ବାବୁଙ୍କ ପୁଅକୁ ମୋର ଭାରି ଡର। ଟୋକାଟା ପୂରାପୂରି ବିଗିଡ଼ି ଯାଇଛି। ଟୋକିଙ୍କ ପଛରେ ଲାଇନ୍ ମାରୁଛି। କଲୋନୀରେ ଝିଅ ବୋହୂଙ୍କୁ ଶାନ୍ତିରେ ରଖେଇ ଦେଉ ନାହିଁ। ଏକୁଟିଆ ଦେଖି ସଞ୍ଜ ସଂଜୁଆ ଅନ୍ଧାରୁଆ ରାସ୍ତାରେ କାନ ଫୁଲ ଓ ସୁନା ଚେନ୍ ଛିଣ୍ଡେଇ ଧାଉଁଛି। ଧରା ପଡ଼ିଲେ ପୂରା ଗ୍ଯାଙ୍ଗ୍ ଲଗେଇ ଦେଉଛି। ବାପାଟା ତ ତା’ର ଘର କାମ ଓ ଅଫିସରୁ ଉପୁରି ଉଠେଇବା ଚକରରେ ପୁଅଟାକୁ ଧ୍ୟାନ ଦେଲେ ନାହିଁ, ପିଲାଟା ବାଳୁଙ୍ଗା ପାଲଟିଛି। ପାଠସାଠ ପଢ଼ିଲା ନାହିଁ, ଏବେ ଶୁଣୁଛି ଡ୍ରଗ୍ସ ଖାଉଛି। ଏଇଟା ଆଜ୍ଞା! ଆମ ସହର ତଳି ଅଞ୍ଚଳରେ ଭାରି ଭଲ ମିଳେ। ଯେଉଁ ଗୋଟେ ଅଧେ ଲୋକଙ୍କର ଭାଗ୍ୟ ଖରାପ, ପଇସା ଅଭାବରୁ ଘର ଅଧା ତୋଳା କରି ଖଣ୍ଡିଆ ରଖିଛନ୍ତି – ସେହି କୋଠା ଭିତରୁ ବେଳେ ବେଳେ ଟର୍ଚ୍ଚ ଆଲୁଅ ଆକାଶକୁ ଉଠେ। ଆଉ ରାତିରେ କାଗଜ ଭଳିଆ କ’ଣ ପୋଡ଼ା ହେଉଥିବାର ନିଆଁ ହୁଳା ଦେଖାଯାଏ। କିଛି ସିଗାରେଟ୍ ଗୁଳା ଓ ତା ବେଣ୍ଟ ମଧ୍ୟ ସବୁ ସେଠି ପଡିଥାଏ। ସେଇ ଆଡକୁ ଏଇ ଟୋକାଟା ମାନେ ପ୍ରତିହାରୀ ବାବୁ ପୁଅଟା ସନ୍ଧ୍ୟା ହେଲେ ମୁହାଁଏ। ସେଦିନ ନିଶାଟା ଜୋହର୍ ଥାଏ କି କ’ଣ ମୋ ଉପରେ ଗାଡି ଚଢ଼େଇ ଦେଇଥାନ୍ତା, ଅଳ୍ପକେ ବର୍ତ୍ତିଗଲି। ବୋପା ରାଗରୁ ଛୁଆଟା ଖାଲି ମୋ ଉପରେ ଫଁ ଫଁ ହେଉଛି ହେ ଭଗବାନ! ଏମାନଙ୍କୁ ଟିକିଏ ତ୍ରାହି କର।
ପୁଣି ଦିଅଁ ମଙ୍ଗୁଳା ଓ ଭଲ ମନ୍ଦ ପାଇଁ ଚିନ୍ତା। ଆଧ୍ୟତ୍ମିକ ଚିତ୍ତ ବୃତ୍ତିର ଉତ୍ତରଣ ପାଇଁ କଲୋନୀ ଭିତରେ ମନ୍ଦିର ଗୋଟେ ତିଆରି ପାଇଁ କେତକଙ୍କର ଭାଳେଣି। କଷ୍ଟେ ମଷ୍ଟେ ମନ୍ଦିର ଗୋଟେ ତୋଳା ହେଲାଣି, ଯେଉଁଠି କଥା ମାଡ଼ଗୋଳ ଓ କଳି ତକରାଳ ପର୍ଯ୍ୟନ୍ତ ଗଲାଣି। ମନ୍ଦିର ତିଆରି ବେଳେ ସମସ୍ତଙ୍କ ଗୋଡ ହାତ ଧରି, ସାହାଯ୍ଯ ଭିକ୍ଷା କରି ମନ୍ଦିର କଲୁ। ଏବେ ମନ୍ଦିର ପତି (ମାନେ ମନ୍ଦିରର ମାଲିକାନା, ଆହୁରି ସରଳ ଭାବେ ବୁଝାଇ କହିଲେ ମନ୍ଦିରର ତତ୍ତ୍ୱାବଧାରକ) ହେବା ପାଇଁ କିଛି ଲୋକଙ୍କ ଭିତରେ ପ୍ରତିଯୋଗୀତା, ଯାହାକି ଗାଉଁଲି ବାଦ ବିବାଦକୁ ବଳେଇ ଗଲାଣି। ମନ୍ଦିର ଦାୟିତ୍ଵ ଓ କମିଟିକୁ ନେଇ ନାନା ଫନ୍ଦି। କିଛି ନିମ୍ନ୍ ମାନସିକତାର ଲୋକଙ୍କର କୂଟ ଚକ୍ରାନ୍ତ। ଗାଁର ରାଜନୈତିକ କନ୍ଦଳ ଠାରୁ ଇଏ ଆଉ କୋଉ ଅଲଗା କି? ଏଣିକି ଚାନ୍ଦା ଚପଟ ପଡିଲାଣି। ସ୍ଥଳ ବିଶେଷରେ ବଳ ପ୍ରୟୋଗ ଓ ଜୋହର୍ ଯବରଦସ୍ତି ହେଲାଣି। ମଣିଷ ଶାନ୍ତିରେ ରହିବ ବୋଲି ସହର ଆସିଲା ଯେ, ଏଠି ମଧ୍ଯ ସମାନ ଦୁର୍ଦ୍ଦଶା, କଳି କାଳ ଉପସ୍ଥିତ, ଘୋର ବିପର୍ଯ୍ୟୟ।
ଏମିତି ଦୁର୍ଦ୍ଦଶା ଭୋଗିବା ଅପେକ୍ଷା ହେ ଭାଇମାନେ! ସେହି ଗାଁର ଥାଅ, ଆମ ସହରକୁ ନଆସିବା ବରଂ ଭଲ। ନହେଲେ ଏମିତି ଦୁର୍ଦ୍ଦଶା ଆଜ୍ଞା ଭୋଗିବେ ଯେ ଅଖା ଧୋଉଥିବେ ଗୁଣ ଗାଉଥିବେ।
5 comments
I know this if off topic but I’m looking into starting my own weblog and was curious what all is required to get set up? I’m assuming having a blog like yours would cost a pretty penny? I’m not very internet smart so I’m not 100 sure. Any tips or advice would be greatly appreciated. Kudos
I like this post, enjoyed this one thank you for posting. “The reward for conformity was that everyone liked you except yourself.” by Rita Mae Brown.
I like this web site very much so much superb info .
Great web site. Lots of helpful information here. I am sending it to a few friends ans also sharing in delicious. And of course, thanks for your sweat!
I¦ve recently started a blog, the info you provide on this site has helped me tremendously. Thanks for all of your time & work.