ସେଦିନ ମାର୍ଗଶିର ମାସ ଗୁରୁବାର । ଆଗ ରାତିରୁ ଛୁଆବୋହୂଟାକୁ ନିଦ ନାହିଁ । ସଅଳ ବିଛଣାରୁୂ ଉଠି ପଡ଼ି ବାସି ପାଇଟିରେ ଲାଗି ଯାଇଥାଏ । ଘରଦ୍ୱାର ଲିପା ପୋଛା ସାରିଲେ ତେଣିକି କେତେ କାମ ସବୁ ଲଟେଇ ପଟେଇ ଲାଗିଯିବ । ଝୋଟି ଦେଇ ଘରଟାକୁ ଧୋବ ଫର୍ଫର୍ କରିବାକୁ ହେବ । ତା’ ପରେ ଲକ୍ଷ୍ମୀ ଦେବୀଙ୍କ ଉଦେ୍ଦଶ୍ୟରେ କେତେ ପୂଜା ପାର୍ବଣ । ମନରେ ଅଫୁରନ୍ତ ଉତ୍ସବର ପାରାବାର । ଲକ୍ଷ୍ମୀଦେବୀ ପ୍ରସନ୍ନ ହେଲେ କାଳେ ତାଙ୍କର ଦରିଦ୍ରତା ଟଳି ଯିବ । ଅଭାବୀ ସଂସାରଟା କୈାଣସି ପ୍ରକାରରେ ଚଳି ଯିବ । ନୋହିଲେ ସବୁ ଅନର୍ଥ ହେବ ଯେ? ସେଥିପାଇଁ ନାନା ପୂଜାବିଧି ଉପଚାର ସଜାଡି ଘର ସଜେଇବାରେ ବ୍ୟସ୍ତ ଥାଏ । ଠିକ୍ ଏତିକିବେଳେ କାହୁଁ ଥିଲା କେଜାଣି କୁଆଟିଏ ନଉତିମୂଳ ନେଉଆ ଗଛ ଉପରୁ କୁହାଟ ମାରିଲା — ‘କା-କା’ । କାଳେ ଏଇଲାଗେ କେଉଁ ଅତିଥି ଆସି ପହଁଞ୍ଚିବେ ସେଇଥିପାଇଁ ମନଟା ଖାଲି ଗୋଳେଇ ଘାଣ୍ଟି ହେଉଥାଏ । ତହୁଁ କୁଆଡ଼ୁ ଆସି ଗୋଟାଏ ମୋଟର ଗାଡ଼ି ଘର ଆଗେ ଭଁ-ଅଁ ଡ଼ାକି ବ୍ରେକ୍ ଦେଲା । ସେଥିରୁ ଡ଼େଙ୍ଗା, ତାଗଡ଼ା, ନିଶୁଆ ମଣିଷ ଗଣ୍ଡେ ଛଅଟା ଓହ୍ଲେଇ ପଡ଼ିଲେ । ଛୁଆବୋଉ ଛାତିରେ ଛନକା ପଶିଲା । ପୋଲିସ୍ କଏଦୀକୁ ହୁଙ୍କାରିଲା ପରି କୁହାଟ ଛାଡ଼ିଲେ – “ଆବେ ଚଇତା ଘରେ ଅଛୁନା ……ଜଲ୍ଲଦି ବାହାରକୁ ଆ” । ଘର ଭିତରୁ କ୍ଷୀଣ ସ୍ୱରରେ ଉତ୍ତର ଆସିଲା – “ନା’ ସେ ଘରେ ନାହାଁନ୍ତି ; କ’ଣ କହୁନାହାଁନ୍ତି, ଆସିଲେ କହିଦେବି । ତା’ କଥା କିଏ ବା ଶୁଣୁଛି ? ଡ଼େଙ୍ଗୁରା ବାଲାଟା ଘର ଆଗେ ଦୁଇ ଆଣ୍ଠୁ ମାଡ଼ି ନଥ୍ କରି ବସି ପଡ଼ିଲା । ମନରେ ଶଙ୍କା ଉପୁଜିଲା ।
ଘରେ ଚଇତାର ସ୍ତ୍ରୀ ଏକା ରହେ, ସ୍ୱାମୀ ତା’ର ବିଦେଶାଗତ । ବର୍ଷେ ଛଅ ମାସକେ କେବେ ଥରେ ଆସେ । ଭାରି ଗରିବ ମଣିଷ । ବନ୍ୟା ବାତ୍ୟାରେ ଚାଷ ଜମି ସବୁ ଧୋଇ ମରୁଡ଼ିରେ ଗଲା । ପିଲା ଛୁଆଙ୍କର ଡ଼ହଳ ବିକଳ ସହି ପାରିଲା ନାହିଁ ଯେ, ସୁରାଟ ପଳାଇଲା । ସେଠି ଗୋଟାଏ ସୂତା ମିଲରେ କାମ କରେ, ଖାଇ ପିଇ ଯାହା ଦୁଇ ପଇସା ବଞ୍ଚେ, ଘରକୁ ପଠାଏ । ଘରେ ବୁଢ଼ା ବାପା ମା ଦିଟା କୁ ମିଶାଇ ପାଞ୍ଚ ପ୍ରାଣୀ କୁଟୁମ୍ବ । କୈାଣସି ପ୍ରକାରରେ ଦୁଃଖେ-ସୁଖେ ଅଭାବୀ ସଂସାରଟା ଚଳିଯାଏ ।
ସେଦିନ ସୋସାଇଟି ବାଲା ଘର ଆଗେ ଡ଼େଙ୍ଗୁରା ପିଟି ଦେଲେ, ଆଗରୁ କିଛି ଖବର ଅନ୍ତର ନାହିଁ । ହଠାତ୍ ଡ଼େଙ୍ଗୁରା ଶବ୍ଦଟା ଶୁଣି ଛୁଆ ବୋହୂଟା ଚମକି ପଡ଼ିଲା । ତାଙ୍କର କୁଆଡ଼େ ବଡ଼ ଅଫିସର ସବୁ ଆସିଥାନ୍ତି । ଖାଲି ଫଁ-ଫଁ ଡ଼ାକୁଥା’ନ୍ତି । ଦଳେ ତାଙ୍କୁ ଜଗିକି ବସିଥାନ୍ତି । ହଁ ସାର୍, ଆଜ୍ଞା ସାର୍ ବୋବାଉଥାନ୍ତି । ଆଉ ଦଳେ ଘର ଆଗରେ ଖାଲି ପଇଁତରା ମାରୁଥାନ୍ତି । ଗୀଧ ଶବକୁ ଜଗି ବସିଲା ପରି ଘରଟା ଉପରେ ଅନିଷା ରଖିଥାନ୍ତି । କ’ଣ ମେଞ୍ଚାଏ ଗାରେଇ ପକାଉଥାନ୍ତି । କହିଲେ –ଘରେ କିଏ ଅଛ ନୋଟସ୍ ଧର । ନାଲି ନୋଟିସ୍ ଗୋଟାଏ ଧରାଇ ଦେଲେ । କହିଲେ — ଦାବୀ ମୁତାବକ ପଇସା ପଇଠ କର ନୋହିଲେ ଘରେ ଥିବା ସମସ୍ତ ଜିନିଷ ଜବତି କରେଇ ଦିଅ । ଛୁଆ ବୋହୂଟା କିଛି ଉପାୟ ନ ପାଇ ୟାଡ଼େ ସିୟାଡ଼େ ଧାଇଁଲା । ବାର ଲୋକଙ୍କ ଦ୍ୱାରସ୍ଥ ହେଲା । କେତେ ଲୋକଙ୍କୁ ନେହୁରା ହେଲା । ଉପାୟଟା ବତାଅ ବା ପଇସା କଉଡ଼ି ସାହାଯ୍ୟ ହୁଅ — କହିଲା । ହେଲେ କେହି କିଛି କରି ପାରିଲେ ନାହିଁ । ଏତେ ଗୁଡ଼ାଏ ପଇସା କିଏ ବା ହଠାତ୍ କେଉଁଠୁଁ ଆଣିବ ? ଶେଷରେ ଘରଟା କୋରକ ହୋଇଗଲା । ଘରର ଯାବତୀୟ ଜିନିଷ ଧରି ସୋସାଇଟି ଅଫିସ୍ ନେଇଗଲେ । ମାନ ସମ୍ନାନ ସବୁ ଗଲା । ଖାନ୍ଦାନ ଘରର ଇଜ୍ଜତ୍ଟା ସବୁଠାରୁ ବଡ଼ । ଗରୀବ ହେଲେ ହେଁ ଅପଦସ୍ତ ହେବାକୁ କିଏ ବା ଚାହେଁ? ବାର ଲୋକ ବାର କଥା କହିଲେ । ଶ୍ୱଶୁର ବୁଢ଼ାଟା ଏସବୁକୁ ସହି ପାରିଲା ନାହିଁ । ପିଣ୍ଡାଟାରେ ବସି ବସି ତା’କୁ ମଟକା ମାରି ନେଲା । ସେଇଠି ସିଏ ଟଳି ପଡ଼ିଲା । ହୃଦ୍ଘାତ କାରଣରୁ ମୃତ୍ୟୁ ବରଣ କଲା । ଛୁଆ ବୋହୂଟା ଗେରସ୍ତ ପାଖକୁ ତାର ପଠାଇଲା । ଦଶ-ପନ୍ଦର ଦିନକେ ଚଇତା ଆସିଲା । ଅନ୍ତେଷ୍ଟି କ୍ରିୟା ଭଲରେ ସଂପାଦିତ ହୋଇଗଲା । ବନ୍ଧୁ ବାନ୍ଧବ ଯେଝା ବାଟରେ ଯେଝା ସଳଖିଲେ । କ୍ରିୟା କର୍ମ ସାରି ଚଇତା ଘଟଣାଟିକୁ ତନ୍ଖିବା ଆରମ୍ଭ କଲା । ଧିର ମସ୍ତିଷ୍କରେ ସବୁ କଥା ପଚାରି ବୁଝିଲା । ସ୍ତ୍ରୀକୁ ପଚାରିଲା — ସୋସାଇଟି ସେକ୍ରେଟାରୀ ତୁମକୁ ପଇସା କଉଡ଼ି ବା ସାର ଭଲ ମନ୍ଦ କିଛି ଦେଇଥିଲା କି ? ସ୍ତ୍ରୀ ମନାକଲା ।
ସୋସାଇଟି ଅଫିସରେ ସେକ୍ରେଟାରୀ ଅକାନୁ ଓ ଆସିଷ୍ଟାଣ୍ଡ ସେକ୍ରେଟାରୀ ଅକାଲୁକୁ ଦେଖା କରି ସବୁକଥା ବୁଝିଲା । ସେମାନେ କହିଲେ –ଆମେ କିଛି ଜାଣି ନାହୁଁ । ପୂର୍ବତନ ସେକ୍ରେଟାରୀ ଅଧିକାରୀ ବାବୁଙ୍କ ସମୟରେ ୠଣ ଲଗାଣ ହୋଇଥିଲା । ଯାହା ଗୋଳମାଳ ତାଙ୍କ ସମୟରେ ହୋଇଥିବ ।
ବିଭିନ୍ନ ସରକାରୀ ଅଫିସ୍ ଓ ବ୍ୟାଙ୍କ୍ ଯାଇ ଶେଷରେ ନିରାଶ ହୋଇ ଫେରିଲା । ମୁଣ୍ଡର ହାତ ଦେଇ ବସି ପଡ଼ିଲା । ସମସ୍ତେ କହିଲେ– ତୁମେ ତ ବୁଦ୍ଧି ହଜାଇ ସମସ୍ତ କାଗଜ ପତ୍ରରେ ଆଗୁଆ ଦସ୍ତଖତ କରି ସାରିଛ । ଆଉ ତୁମକୁ କିଏ ସାହାଯ୍ୟ କରିବ । ବରଂ ସୁଧ ଗଣ୍ଡାକ ଦେଇଦିଅ । ପି.ଟି. କରି ତୁମକୁ ପୁନଃ ୠଣ ଲଗାଣ କରି ଦେବା, ୠଣ ରାଶିଟା ସିନା ବଢ଼ି ଯିବ, ହେଲେ ଲୋନ୍ଟା କରେଣ୍ଟ ହୋଇଯିବ ।
ଚଇତା ସ୍ତ୍ରୀ ଆମ ଗାଁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା । ସେ ସମସ୍ତ ସଦସ୍ୟାଙ୍କୁ ଏକାଠି କଲା । ସବୁ ଘଟଣା ଗୋଟି ଗୋଟି ଖୋଲି କହିଲା– ଯେ ତା’ ସ୍ୱାମୀ ବିଦେଶ ଯିବା ପୂର୍ବରୁ ଜମିରେ ସାର ମୁଠାଏ ପକାଇବାକୁ ସୋସାଇଟି ଅଫିସ ଯାଇଥିଲା । ୠଣ କରିବାକୁ ଚାହିଁଲାରୁ ସେକ୍ରେଟାରୀ ଦରଖାସ୍ତ କରିବାକୁ କହି ଚେକ୍ ପ୍ରଭୃତି ବିଭିନ୍ନ କାଗଜ ପତ୍ରରେ ଆଗୁଆ ଦସ୍ତଖତ ସବୁ କରି ରଖିଲା । ଜମି ଜମା କାଗଜ ପତ୍ର ମଧ୍ୟ ସବୁ ରଖିଲା । କହିଲା– ତୁମେ ତ ଘରେ ରହି ପାରିବ ନାହିଁ । କାଗଜ ପତ୍ର ଲେଖା-ଲେଖି କାମ ସବୁ ସାରି ଦେବା, ପରେ ଆସିଷ୍ଟାଣ୍ଟ ସେକ୍ରେଟାରୀ ସାର ପଇସା କଉଡ଼ି ଭଲ ମନ୍ଦ ସବୁ ନେଇ ଘରେ ଦେଇ ଆସିବ ।
ସାର ତ ମିଳିଲା ନାହିଁ । ହେଲେ କାଗଜ ପତ୍ର ମଧ୍ୟ ଫେରାଇଲେ ନାହିଁ । ଆଜି ଦେବେ କାଳି ଦେବେ କହି ତିନି-ଚାରି ବର୍ଷ ବିତିଗଲା । ୠଣ ହୋଇ ପାରିଲା ନାହିଁ — ଭାବି, ଆମେ ସେ କଥା ଭୁଲି ଯାଇଥିଲୁ । ସହଜେ ତ ମୁଁ ମାଇପି ଲୋକ । ବାହାର କଥା କିଛି ବୁଝେ ନାହିଁ । ସିଏ ବର୍ଷେ ଛଅ ମାସକେ କେବେ ଆସିଲେ ପଚାରନ୍ତି । ତାଙ୍କୁ ଏପଟ ସେପଟ କହି ବହଲେଇ ଦିଅନ୍ତି । ଏବେ ଆମେ କ’ଣ କରିବୁ । ଆମ ଉପରେ ତ ଟ. ୧୯୦ ୪୨/ଙ୍କାର ୠଣର ବୋଝ । ୠଣ ଯନ୍ତାରେ ପଡ଼ି ଛଟପଟ ହୋଇ ମରିବା ବ୍ୟତୀତ ଆମର ବା ଉପାୟ କ’ଣ ଅଛି କରି ପାରିବୁ । ଆମ ସଂସାରଟା ଭାସି ଯିବ କହି କାନ୍ଦି ପକାଇଲା ।
ସ୍ୱୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟା ଘଟଣାଟା ଭଳଭାବେ ହୃଦୟଙ୍ଗମ କଲେ ସମସ୍ତେ କହିଲେ– ସମସ୍ତେ ଗୋଟାଏ ଗୋଟାଏ ଛାଞ୍ଚୁଣୀ ଧରି ସୋସାଇଟି ଅଫିସ ଚାଲ । ସବୁ ସମାଧାନ ସେଇଠି ହେବ ।
ପୂର୍ବ ପ୍ରସ୍ତୁତି ମୁତାବକ ତା’ ପରଦିନ ସମସ୍ତେ ସୋସାଇଟି ଅଫିସରେ ପହଁଞ୍ଚିଗଲେ । ଏକା ସାଙ୍ଗରେ ଛାଞ୍ଚୁଣି ଉପରକୁ ଉଠାଇ ପଚାରିଲେ ସତ ଘଟଣାଟା ଠିକ ଠିକ୍ କୁହ; ନୋହିଲେ ଛାଞ୍ଚୁଣୀ ପାହାର ସମ୍ଭାଳ। ଭୟରେ ଥରି ଥରି ଅକାନୁ ଓ ଅକାଲୁ ଗୋଡତଳେ ପଡ଼ିଗଲେ । ସବୁ ଘଟଣା ଫିଟାଇ କହିଲେ । ପୂର୍ବତନ ସେକ୍ରେଟାରୀ ଓ ଆସିଷ୍ଟାଣ୍ଟ ସେକ୍ରେଟାରୀ ଚଇତାର ଅନୁପସ୍ଥିତିରେ ଫାଇଦା ଉଠାଇ ତା’ ନାଁରେ ୠଣ ଉଠାଇ ହଜମ କରିଦେଇଛନ୍ତି । ନୂଆ ସେକ୍ରେଟାରୀ ଆସି ନୋଟିସ୍ ଲଗାଇ କୋରକ କେସ୍ ପଠାଇଲା ।
ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ପ୍ରଥମ ସଫଳତାରେ ଉତ୍ଫୁଲ୍ଲିତ ହୋଇ ଉଠିଲେ । ଅଫିସରେ ତାଲା ପକାଇ ଜଗିକି ବସିଲେ । ଚାରି ଆଡ଼କୁ ପତ୍ର ପ୍ରେରଣ କରି କଥାଟାର ସମାଧାନ ପାଇଁ ଜିଦ୍ ଧରି ବସିଲେ । ପୋଲିସ୍ ବାଲା ପୁଞ୍ଜାଏ ଖଣ୍ଡ ପହଞ୍ଚି ଗଲେ । ଘଉଡ଼ାଇବାର ଅପଚେଷ୍ଟା ଚଳାଇଲେ । ହେଲେ ସିଏ କି ହଟନ୍ତି । ସେମାନେ ତ ନଛୋଡ଼ ବନ୍ଧାର ଦଳ । କଥାଟା ଚାରିଆଡ଼େ ପ୍ରଘଟ ହୋଇଗଲା । ବଡ଼ ବଡ଼ ପତ୍ର ପତ୍ରିକା ଓ ସମ୍ବାଦ ପତ୍ରରେ ସମ୍ବାଦ ଛାପି ହୋଇଗଲା । ଗାଁ ଠାରୁ ବିଧାନ ସଭା ଯାଏଁ ହୁଲ୍୍ସ୍ତୁଲ୍ ହେଲା । ବଡ଼ ଅଫିସର ମାନଙ୍କ ପଦବୀ ବି ଅସମ୍ଭାଳ ହୋଇ ଉଠିଲା । ସମସ୍ତେ ଆସି ଘଟଣା ସ୍ଥଳରେ ଭିଡ଼ ଜମାଇଲେ । କେତେ ପ୍ରକାର ପ୍ରଲୋଭନରେ ପ୍ରଲୋଭିତ ବା ପ୍ରତାରଣାରେ ପ୍ରତାରିତ କରି ଧର୍ମଘଟ ଓ ଅନଶନକୁ ଭଙ୍ଗୁର କରିବାର ବୃଥା ଚେଷ୍ଟା କଲେ । ଶେଷରେ ସ୍ୱୟଂ ସହାୟିକା ଗୋଷ୍ଠୀର ଦୃଢ଼ତା ନିକଟରେ ସମସ୍ତେ ହାର ମାନିଲେ । ଅକାଲୁ ଓ ଅଧିକାରୀ ଦ୍ୱୟଙ୍କୁ ଯୁଗ୍ମ ଦେୟ ଦେବାକୁ ଦାୟୀ କରାଗଲା । ସମବାୟ ଆଇନର ୬୫ ଧାରାରେ ତଦନ୍ତ ଚାଲୁ ରହିଲା । ଏହିପରି ଅନେକ ବେନାମୀ ଓ ଅନିୟମିତ ୠଣ କାରବାର ସବୁ ପଦାକୁ ଆସିଲା । ଲକ୍ଷ ଲକ୍ଷ ଟଙ୍କା ତୁସରପାତ କରାଯାଇଥିବା ଜଣାଗଲା । ଫଳରେ ଅକାଲୁ ଓ ଅଧିକାରୀ ଦ୍ୱୟଙ୍କୁ ସସ୍ପେନ୍ସନ ଅର୍ଡ଼ର ଧରାଇ ଦିଆଗଲା । ଉଭୟ କାନ୍ଦୁଣୁ-ମାନ୍ଦଣୁ ହୋଇ ଚାକିରୀରୁ ହାତ ଧୋଇ ସିନା ଘରେ ବସିଲେ । ସମସ୍ତେ କିନ୍ତୁ ସଭାପତିଙ୍କୁ ଉପରକୁ ତୋଳି ଧରି କିନାରା ଲଗାଇଲେ — “ଆମ ସ୍ୱୟଂ ସହାୟିକା ଗୋଷ୍ଠୀ ସବୁଠୁ ନିଆରା । ଗୋଟି ଗୋଟି କରିବ ସବୁକୁ ସିଧା” ।
ସଭାପତି ସମସ୍ତଙ୍କୁ ଶାନ୍ତ ରହିବାକୁ ଇଙ୍ଗିତ ଦେଇ ଖାଲି ପଦୁଟିଏ କହିଲେ ଚଇତା ଆଉ ତା ସ୍ତ୍ରୀ ଭାଗ୍ୟରେ ଯେଉଁ ହିନସ୍ତା ଘଟିଲା ତାହା ଆଉ କାହା ଭାଗ୍ୟରେ ଯେ ନଯୁଟିବ ତାହା କିଏ ବା କହିବ ? କଣ କରିବ ଆମ ଆଇନ୍ଟା ତ ସେଇଆ । ପରକୁ ଦୋଷ ଦେଇ ଲାଭ କଣ ? ଚୋରକୁ ସିଆଣିଆ କରିବାଟା ତ ଆମେ ତାଙ୍କୁ ସିଖାଇଛେ । ତେବେ ସମସ୍ତେ ସଚେତନ ନ ହେଲେ ହିନସ୍ଥା ହେବାଟା ହିଁ ସାର । ଚୋରକୁ ମାନ ମାରି ଖପରାରେ ଖାଇଲେ କିଏ ଆଉ ଚଳିବ ? ଆପଣା ହୁସିଆରରେ ଆପେ ଚଳ । ତେଣିକି ଆଇନର ପରିବର୍ତ୍ତନ ହେଉ କି ନ ହେଉ। ହେଲେ ଆମେ ଏକାଠି ହେବା, ଏକାଠି ଲଢିବା, ଦେଶରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂର କରି ଦେଶକୁ ପ୍ରଗତି ପଥରେ ଆଗେଇ ନେବା।