ଭାଇ! ତୁ ତ ଜାଣୁ ମୁଁ ଗୋଟାଏ ଅମାନିଆ ବାରବୁଲା ବାବୁଲା, ପାଠ-ସାଠ ପ୍ରତି ନିହାତି ଉଦାସୀନ, ବିକାଶକୁ ପାଦରେ ଆଡ଼େଇ ଦେଇ ଖେଳ କୁଦରେ ଅହରହ ମାତିଥାଏ । ମାତ୍ର ତୁ ବିଦେଶରୁ ଯେତେବେଳେ ଆସୁ ଏମିତି କେଉଁ ମନ୍ତ୍ର ଫୁଙ୍କୁ କେଜାଣି ପୁଣି ମୁଁ ସବୁ ଭୁଲି ପଢ଼ା ଟେବୁଲ୍ ପାଖକୁ ଧାଇଁ ଯାଏ, ତୋ ପଦାଙ୍କ ଅନୁସରଣ କରି ପାଠ ପଢ଼ାରେ ଲାଗିଯାଏ । ତୁ ଟିକିଏ ବିଦେଶରୁ ଘରକୁ ଫେରିବା ବିଳମ୍ବ କରିଦେଲେ ମୁଁ ପୁଣି ବିଗିଡ଼ି ଯାଏ । ତୁ ତ ନିୟମିତ ବ୍ୟବଧାନରେ ଘରକୁ ଆସୁ ନଥିଲୁ, କେମିତି ଜାଣିବୁ ଯେ ମୁଁ କଅଣ କରୁଥାଏ । ସେଇଥିପାଇଁ ବୋଧହୁଏ ମ୍ୟାଟ୍ରିକ ପରୀକ୍ଷା ପରେ ମୋତେ ତୋ ପାଖରେ ରଖି ପାଠ ପଢ଼ାଇଲୁ । ସେଠି ଏମିତି ମନ୍ତ୍ର ଆଚ୍ଛା କରି ଫୁଙ୍କି ଦେଲୁ ଯେ କୃତିତ୍ୱର ପାହଚ ଗୁଡ଼ାକ ଚଢ଼ି ଚଢ଼ି ମୁଁ କୁଆଡ଼େ ଏବେ କଥା କୁହା ଗାଳ୍ପିକ । ଏ ଗଳ୍ପ ଗୁଚ୍ଛର ପ୍ରତିଟି ଗଳ୍ପ, ତୋ ଚିନ୍ତା ଚେତନାକୁ ନେଇ ସମୃଦ୍ଧ; ତେଣୁ ତୋତେ ସମର୍ପିତ । ପୁସ୍ତକ ପ୍ରକାଶନ ଅବସରରେ ସାନ ଭାଇର ଏତିକି ମାତ୍ର ଅଳି ସାତ ନଈ ତେର ଦରିଆ ପାରିରେ ରହି ମଧ୍ୟ ମୋତେ ଦେଉଥିବୁ ଟିକିଏ ଆଶୀର୍ବାଦ ।
ଇତି ,
ତୋର ସାନ ଭାଇ,
ବାବୁଲା