Satya Prakash
  • Home
  • Book
  • କଲେରା ମୁଣ୍ଡା
Book

କଲେରା ମୁଣ୍ଡା

ମୁଖବନ୍ଧ – କଲେରା ମୁଣ୍ଡା ଉପନ୍ୟାସ

ସୃଜନର ପହିଲି ପୁଲକ
—–by Dr satya prakash sethy
ସ୍ରଷ୍ଟା – ସୃଷ୍ଟି କରିବା ତା’ର ଧର୍ମ। କେତେବେଳେ କେଉଁ ସୃଷ୍ଟି ତା ସୃଜନଶୀଳ ଓ ମନନଶୀଳ ଉନ୍ନତ ମସ୍ତିଷ୍କରୁ ନିର୍ଗମନ ହୋଇ ଲେଖକର କରସ୍ପର୍ଶରେ ଲେଖନୀ ମୁନର ସ୍ୟାହିର ପ୍ରଲେପରେ ଅଙ୍କାବଙ୍କା ହୋଇ କାଗଜ ଦେହରେ ନେଶି ହୋଇଯାଏ – ତାହା ସିଏ ବୁଝିପାରେ ନାହିଁ। ବୁଝିଲା ବେଳକୁ ତାହା ସୃଷ୍ଟି ହୋଇସାରିଥାଏ ।ତେଣିକି କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ, ନାଟକ ସ୍ୱତଃ ସ୍ରୁଷ୍ଟିହୋଇ ସ୍ରଷ୍ଟାର ପ୍ରାଣକୁ ଭାରି ଆନନ୍ଦ ଦିଏ। ମୁହୂର୍ତ୍ତକେ ସେ ବିଭୋର ହୋଇ ସବୁକିଛି ଭୁଲିଯାଏ, ଏପରିକି ଆତ୍ମମଗ୍ନ ହୋଇ ନିଜକୁ ନିଜେ ବି ହଜାଇ ବସେ। ଥରେ ଆତ୍ମବିସ୍ମୃତି ଘଟିଲେ ଆଉଥରେ ଚାହିଁକି ବି ସେ ସେଇ ଖୁସିର ମୁହୂର୍ତ୍ତଗୁଡ଼ାକୁ ପାଖରେ ଜଡ଼ାଇ ଧରି ରଖିପାରେନା ।ସବୁ କାଳର ଗର୍ଭରେ କୁଆଡ଼େ ଲୀନ ହୋଇଯାଏ। ତଥାପି ପ୍ରଥମ ସୃଜନର ପହିଲି ପୁଲକକୁ କେହି କ’ଣ କେବେ ସହଜେ ଭୁଲିପାରେ ନା ମୁଁ ଭୁଲିପାରିଛି , ଯାହା ସୁମଧୁର ଅଭୁଲା ସ୍ମୃତି।
ଏମିତି ଅନେକ ଘଟଣା ବା ବସ୍ତୁ ସହିତ ଆମର ପହିଲି ଅନୁଭୂତି ଓ ଅନୁଭବ ଅଛି, ଯାହା ନିରାଢାଳେ ଭିନ୍ନ ଓ ନିରନ୍ତର ଆନନ୍ଦ ବିଧାୟକ ବସ୍ତୁ।ଯେମିତିକି ପ୍ରଥମ ଚାକିରି କାଳ, ବିବାହ ବେଳ, ପ୍ରଥମ ଦରମାର ଖୁସି, ସନ୍ତାନ ଉତ୍ପନ୍ନ ହେବାର ଘଡ଼ି-ଏମିତି ଅନେକ ଅଭୁଲା ସ୍ମୃତି ଅଭୁଲା ହୋଇ ରହିଯାଏ, ଯାହା ଚିରକାଳ ଶାନ୍ତିପ୍ରଦାୟିନୀ ।ସୃଷ୍ଟିର ପହିଲୁ ସୂର୍ଯ୍ୟ କିରଣ ତନମନ ଓ ପ୍ରାଣରେ ଯେପରି ପୁଲକ ସଂଚାର କରେ ଠିକ୍ ସେହିପରି ସୃଷ୍ଟିର ପ୍ରତ୍ୟେକ ବସ୍ତୁର ପହିଲୁ ସ୍ପର୍ଶ ଭାରି ଶାନ୍ତିପ୍ରଦ, ଯାହା ହିଆରେ ହିଲ୍ଲୋଳ ଭରିଦିଏ ।

ମୁଁ ବି ଯେହେତୁ ଜଣେ ସ୍ରଷ୍ଟା, ସାହିତ୍ୟ ରଚନା କରିବା ମୋ କାମ, ତେଣୁ ପ୍ରଥମେ ଯେତେବେଳେ ମୁଁ ଲେଖାଲେଖିରେ ମନୋନିବେଶ କଲି, ଭାବିଲି – ଗୋଟେ କିଛି ସ୍ରୁଷ୍ଟି କରିବି, କିନ୍ତୁ କ’ଣ ଲେଖିବି? ସତରେ ମୋ ଦ୍ୱାରା ସାହିତ୍ୟ କ’ଣ ହେବ ନା? ଯଦିବି ଲେଖିବି ତେବେ କ’ଣ ଲେଖିବି ଓ କେମିତି ଲେଖିବି? ଏଥିପାଇଁ ଅବଶ୍ଯ ବହୁ ବିଚାରକମାନଙ୍କ ପାଖରୁ ପରାମର୍ଶ ଲୋଡ଼ାପଡ଼ିଲା। କିନ୍ତୁ ହେଲା ନାହିଁ। ଯାହା ଏଣୁତେଣୁ ଲେଖିଥିଲି, ଗାରେଇ ପକାଇ ପୁଣି ଛିଣ୍ଡାଇ ଫିଙ୍ଗିଦେଲି ।ଭାବିଲି ମୋ ଦ୍ୱାରା ହେବ ନାହିଁ, କାହିଁକିନା ମୋ ସ୍ରୁଷ୍ଟି ମୋତେ ଆନନ୍ଦ ଦେଇପାରିଲା ନାହିଁ ।ତେଣୁ ନା ଗପ ହେଲା ନା କବିତା, ସବୁ ଅଧାପନ୍ତରିଆ ହୋଇ ସେଇମିତି ରହିଗଲା।

ଏତିକି ବେଳକୁ ଅବଶ୍ଯ ଜଣେ ସାହିତ୍ୟିକଙ୍କୁ ମୁଁ ଭେଟିଲି ଯିଏକି କବିତା ଲେଖନ୍ତି, ଗୀତ, ନାଟକ ଓ ଗପ ବି ଲେଖନ୍ତି। ଭଲ ସହୃଦୟ ବ୍ୟକ୍ତି ଜଣକ ନିଶ୍ଚୟ ।ସିଏ ହେଉଛନ୍ତି ପଦ୍ମଲୋଚନ ଦାସ, ଜଣେ ସାହିତ୍ୟ ଶିକ୍ଷକ ପରେ ଅବଶ୍ଯ ଜିଲ୍ଲା ଶିକ୍ଷା ଅଧିକାରୀ ହୋଇଥିଲେ। ତାଙ୍କ ଘର ଆମଗାଁ ପାଖର, ସେଦିନ ସେ ଆମଘରକୁ ଆସିଥିଲେ। ଏମିତିରେ ବି ଅଧିକାଂଶ ବେଳେ ସେ ଆସନ୍ତି ଓ ଭଲମନ୍ଦରେ କିଛି ପରାମର୍ଶ ଦିଅନ୍ତି, ଯେହେତୁ ସିଏ ମୋର ଘରୋଇ ଶିକ୍ଷକ ଥିଲେ।

ମୁଁ ଯଦିଓ ରାଜଧାନୀ କଲେଜରେ ଭୁବନେଶ୍ବରରେ ରହି ପଢ଼ୁଥିଲି, ସେଦିନ ପ୍ଲସ୍ ଟୁ ପରୀକ୍ଷା ସାରି ଗାଁରେ ଆସି ରହୁଥାଏ। ପରୀକ୍ଷା ସରି ଯାଇଥିବାରୁ ଚିନ୍ତାମୁକ୍ତ ହୋଇ ବେଶ୍ ଖୁସିରେ ଥାଏ, ଯେହେତୁ ପାଠପଢ଼ାର ଝିଞ୍ଝଟରୁ ଟିକିଏ ଫୁରୁସତ୍ ମିଳିଥାଏ ।ତେଣୁ ଏତେବେଳେ କିଛି ନୂଆ କାମରେ ହାତ ଦେବାକୁ ଚେଷ୍ଟା କରୁଥାଏ, ଯେମିତି ସବୁ ଛୁଆ ଛୁଟିରେ ନୂଆନୂଆ ପରୀକ୍ଷା ନିରୀକ୍ଷା କିଛି କରିଥା’ନ୍ତି ବା ଛୁଟିକୁ ମନଭରି ଉପଭୋଗ କରିବା କଥା ଚିନ୍ତା ବି କରିଥାଇପାରନ୍ତି। ସେମିତିକା ମୁଁ ବି ଗୋଟେ ନୂଆ କଥା ଭାବୁଥିଲି ।ତହୁଁ ପଦୁ ମାଷ୍ଟ୍ରେ ଦେଖା ହୋଇଯିବାରୁ ଗୋଟେ ଆଲୋଚନା ଜୋର୍ ଧରିଲା ଆଉ ସେଇ ଆଲୋଚନାଟି ନିଶ୍ଚୟ ସାହିତ୍ୟକୁ ନେଇ ଥିଲା ।

ସେଦିନ ସେ ମୋତେ କହିଲେ – “ତୁ ଓଡ଼ିଆ ସାହିତ୍ୟର ଛାତ୍ର ହେଇଛୁ ଟିକିଏ ଲେଖାଲେଖି କରୁନୁ ।”
ମୁଁ କହିଲି – “କେମିତି ମୁଁ ଲେଖିବି, ମୋ ଦ୍ଵାର କ’ଣ ସାହିତ୍ୟ ହେବ।”
କହିଲେ – “କାହିଁକି ନୁହେଁ, ଯେକୌଣସି କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁକୁ ବି ଦେଖି, ଏପରିକି ଝରକା ସେପଟରେ ଥିବା ଫୁଲ ଗଛଟିକୁ ଦେଖି ଅବା ଲଣ୍ଠନର କ୍ଷଣପ୍ରଭ ନିଷ୍ପ୍ରଭ ମିଞ୍ଜି ମିଞ୍ଜି ଆଲୁଅକୁ ଦେଖି ବି କବିତାଟିଏ ଲେଖିହେବ। ତହିଁରେ ଆହୁରି ଟିକିଏ ଦାର୍ଶନିକତା ଫୁଟାଇ ପାରିଲେ ମହାନୁଭୂତିର ପରିଚାୟକ ପାଲଟିବ ।”
ତେଣୁ ସେଦିନ ମୋ ମନରେ ଉଚ୍ଚାଟନ ଭରିଲା । ଦିନ ସାରା ଖାଲି ସେଇ କଥାକୁ ଜୋର୍ ଦେଇ ଭାବିବାକୁ ଲାଗିଲି। ରାତିସାରା ଆଉ ନିଦ ହେଲା ନାହିଁ ।ସକାଳୁ ଉଠି ଝରକା ଆଡ଼େଇ ଦେଖିଲି, ଗୋଲାପ ଗଛଟା ଉପରେ ମୋ ନଜର ପଡ଼ିଲା। ମୋତେ କାହିଁକି ଭାରି ପ୍ରଲୁବ୍ଧ କଲା, ମୁଁ ନିରୀକ୍ଷଣ କରି ଦେଖିଲି। ଯାହା ଦେଖିଲି ଆଉ ଭାବିଲି ମୋ ଭାବନାରାଜ୍ୟରେ ସେ କଥାଗୁଡ଼ାକ ଖେଳିହେଲା ।ମୁଁ ତେଣୁ ରୂପ ଦେଲି, କବିତାଟିଏ ତୋଳି ହୋଇଗଲା ।

ଅଥଚ ପଦୁ ମାଷ୍ଟ୍ରେଙ୍କ ମାର୍ଗ ଦର୍ଶିକାରେ ମୋର ପ୍ରଥମ କବିତା ‘ଚାରା ଗଛଟିଏ’ ଉତ୍ତୁରି ଗଲା ।ଯହିଁରେ ମାନବ ଜୀବନର ଜନ୍ମ, ଯୌବନ, ମୃତ୍ୟୁ ଆଦି ବିଭିନ୍ନ ଅବସ୍ଥାକୁ ତର୍କଣା କରିବା ସଙ୍ଗେସଙ୍ଗେ ଏକ ତୁଳନାତ୍ମକ ବିଚାର ମଧ୍ଯ ରଖାଯାଇ ପାରିଛି ଓ ଦାର୍ଶନିକ ସୁଲଭ ଚିନ୍ତାଚେତନାର ବି ଦ୍ୟୋତନା ଘଟିଛି ।

ସିଏ ବି ଥିଲେ ମୋର ସେ ପ୍ରଥମ କବିତାର ପ୍ରଥମ ପାଠକ ଆଉ ପଢି଼ ବି ଖୁବ୍ ପ୍ରଶଂସା କରିଥିଲେ। ସେଦିନ ମୁଁ ଜାଣିଲି, ମୁଁ ବି ସ୍ରୁଷ୍ଟି ସଂରଚନା କରିପାରେ ଆଉ ମୋ ସ୍ରୁଷ୍ଟି ଗୋଟେ ସୁନ୍ଦର ସାହିତ୍ୟ। ଏହା ଯେ ମୋତେ କେତେ ଆନନ୍ଦ ଦେଇଥିଲା, ମୁଁ ତାହାକୁ ବ୍ୟକ୍ତ କରିପାରିବି ନାହିଁ। କିନ୍ତୁ ସେଦିନ ରାତିରେ ବି ମୋତେ ଆଉ ନିଦ ହୋଇନାହିଁ। ମୁଁ ଯେ କେତେଥର ତାକୁ ପଢ଼ିଛି ଓ ଆଉ ଟିକିଏ କେମିତି ସୁନ୍ଦର ହୋଇପାରିବ ବୋଲି ଚେଷ୍ଟା କରିଛି ତା’ର କିଛି ଠିକଣା ନାହିଁ। ତା’ପରେ ସେଇ ସୃଷ୍ଟିକୁ ଯେ କେତେଜଣଙ୍କୁ ତାହା ପଢ଼େଇ ମୁଁ ତା’ର ତଉଲ ବିଚାର କରିଥିବି ତାହା ବି କହିପାରିବି ନାହିଁ। କିନ୍ତୁ ଗୋଟେ ଆତ୍ମପ୍ରତ୍ଯୟବୋଧ ଜନ୍ମିଲା ଯେ, ମୁଁ ସାହିତ୍ୟ ସଂରଚନା କରିପାରିବି। ଏମିତି ସାହିତ୍ୟର କିଛି ଆଦ୍ୟ କଥନ, ଯାହା ଅଭୁଲା ସ୍ମୃତି ।

ଏହାପରେ ଗୋଟେ ଗୋଟେ କରି ଗୁଡ଼ାଏ ଲେଖା ଅବଶ୍ଯ ମୋ ପାଖରେ ମହଜୁଦ ହୋଇଗଲା । କିନ୍ତୁ ପୁସ୍ତକ ଖଣ୍ଡେ କରିବା ପାଇଁ କେହି ପ୍ରେରଣା ଦେଲେ ନାହିଁ କି ମାର୍ଗଦର୍ଶକ ସାଜିଲେ ନାହିଁ । ତେଣୁ ପୁସ୍ତକ ପ୍ରକାଶନ ପାଇଁ ବହୁ ବିଳମ୍ବ ହୋଇଯାଇଥିଲା। ତେବେ ଭଦ୍ରକରେ ମୋ ଅବସ୍ଥାନ ସମୟରେ ସ୍ୱର୍ଗତଃ ଅପୂର୍ବ ରାୟଙ୍କ ସଂସ୍ପର୍ଷରେ ମୁଁ ଆସିଲି, ସେ ମୋତେ ଉତ୍ସାହିତ କଲେ ଓ ପୁସ୍ତକ ଖଣ୍ଡେ ପ୍ରସ୍ତୁତ କରିବା ପାଇଁ ସାହାଯ୍ଯ କଲେ। ତେବେ ମୁଁ ଜାଣିଲି ପୁସ୍ତକ ଖଣ୍ଡେ କରିବା ପାଇଁ କ’ଣ କ’ଣ ଉପାଦାନ ସବୁ ଦରକାର। ଏଇ ଯେମିତି ଉତ୍ସର୍ଗ, ଅଭିମତ, ମୁଖବନ୍ଧ, ସୂଚିପତ୍ର, ପ୍ରଚ୍ଛଦପଟ୍ଟ ଇତ୍ୟାଦି ଇତ୍ୟାଦି ଅନେକ ।ତହୁଁ ଗୋଟେ ପ୍ରସ୍ତୁତି ଚାଲିଲା। କବିତା ସଂକଳନ ‘ଆତ୍ମା ଯେଉଁଠି କଥା କହେ’ ଓ ‘ଗଳ୍ପ ସଂକଳନ ଗାଁରୁ ଫେରିଛି ଗାଁ ହଜିଛି’-ଏକାବେଳକେ ଦୁଇଟି ପୁସ୍ତକ ।ସେଇ ଶୁଭଘଡ଼ି ବି ଆସିଲା, ଭଦ୍ରକ ପୂଜ୍ୟପୂଜା ସାହିତ୍ୟ ସଂସଦ ଆନୁକୁଲ୍ୟରେ ୨୦୦୭ ମସିହା ବିଜୟାଦଶମୀ ଦିନ ବହୁ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ପୁସ୍ତକ ଦୁଇଟିର ଶୁଭ ଉନ୍ମୋଚନ ହେଲା ।ଲୋକସମ୍ପର୍କ ଓ ସୂଚନା ବିଭାଗର କମିସନର ଶ୍ରୀ ଆଦୈତ୍ୟ ପ୍ରସାଦ ମହାନ୍ତିଙ୍କ କରକମଳରେ ତାହା ଲୋକାର୍ପଣ ହେଲା। ଉଭୟ ପୁସ୍ତକର ହଜାରେ ହଜାରେ କପି ଉପଲବ୍ଧ ଥିବାରୁ ଧୂମ୍ ବି ବଣ୍ଟା ହେଲା ।ଓଃ ସେଦିନ କି ଖୁସୀ! ବାସ୍ତବରେ ସୃଜନର ପହିଲି ସ୍ଫୁରଣ ଏକ ନିଆରା ଆନନ୍ଦାନୁଭୂତି ଓ ଭାବାଭିବ୍ୟକ୍ତ କରିଥାଏ , ଯାହା ଭାରି ଶାନ୍ତିପ୍ରଦ ଓ ସୁଖଦ ମୁହୂର୍ତ୍ତ ।

ବର୍ତ୍ତମାନ ସଦ୍ୟତମ ପ୍ରକାଶିତ ହେବାକୁ ଯାଉଥିବା ମୋର ପୁସ୍ତକ ‘କଲରା ମୁଣ୍ଡା ‘ ଯାହା ଏକ ଉପନ୍ୟାସ ।ଏଥିରେ ମୋଟ – – ଅଧ୍ୟାୟ ରହିଛି । ଏଥିରେ ମୁଖ୍ୟ ଚରିତ୍ର ଜିତୁ ମୁଣ୍ଡା ।ଜିତୁ ମୁଣ୍ଡା ଆଉ ମୁଁ ମାନେ ନିଜେ ଲେଖକ ଯେମିତି ଏଥିରେ ଏକାତ୍ମ ହୋଇଉଠିଛନ୍ତି । ଖୁବ୍ ମନପ୍ରାଣ ଦେଇ ଜିତୁ ମୁଣ୍ଡାଙ୍କୁ ମୁଁ ଭଲ ପାଇଛି ଆଉ ସିଏ ବି ବୋଧେ ମୋତେ। ତେଣୁ ତ ଏତେ ଆତ୍ମିକତା ଫୁଟିଉଠିଛି । ଥରେ ନୁହେଁ କି ଅଧେ ଦୁଇ ତିନି ତିନିଥର ଆମେ ଭେଟିଛୁ ଓ ପରସ୍ପର ଭିତରେ ଆତ୍ମୀୟତା ବାଣ୍ଟିଛୁ। ମୁଁ ଯେମିତି ତାଙ୍କୁ ଉପହାର କି ଉପଢୌକନଟିଏ ଦେଇ ଆପ୍ୟାୟିତ କରିଛି ସିଏ ବି ମୋତେ ଅତିଥି ଅଭ୍ୟାଗତ ଦେଇ ଖୁବ୍ ସନ୍ତୁଷ୍ଟ କରିଛନ୍ତି ।କେଇବାର ଡାକି ପିଣ୍ଡାରେ ବସେଇଛନ୍ତି ପୁଣି ଗାଁ ଗୋଟାକ ବୁଲେଇ ଟିକିନିଖି ଦେଖେଇଛନ୍ତି ।ସେଇ ଅଳ୍ପ କେଇଦିନିରେ ମୁଁ ପାଲଟି ଯାଇଥିଲି ରାଇସୁଆଁର ଅଧିବାସୀ ଆଉ ଜିତୁ ମୁଣ୍ଡାର ବିରାଦର ଅବା ଆତ୍ମୀୟସ୍ଵଜନ।ଖୁବ୍ ନିଆରା ମଣିଷଟିଏ, କପଟ କ’ଣ ଜାଣି ନାହିଁ। ହୁଏତ ଏଇଥିପାଇଁ କୁହନ୍ତି, ଆଦିବାସୀ ମାନେ ଅତି ସରଳ ଓ ନିଷ୍କପଟ। ଖଟିବା କ’ଣ ଜାଣିଛନ୍ତି, କିନ୍ତୁ ଜୋର୍ ଜବରଦସ୍ତ କରି କାହା ତେଲଲୁଣ ସଂସାରରେ କେବେ ଭାଗ ଜମାନ୍ତି ନାହିଁ। ଖାଇବାକୁ ନଥିଲେ ପେଟରେ ଓଦାକନା ଦେଇ ଉପବାସ ଭୋକେ ଶୋଇଯିବେ ପଛକେ କିନ୍ତୁ ମାଗି ଖାଇବେ ନାହିଁକି ଭିକ୍ଷାବୃତ୍ତି ଅବଲମ୍ବନ କରିବେ ନାହିଁ। ଏହା ତାଙ୍କ ସ୍ୱାଭିମାନ ଓ ଅଭିମାନୀ ମଣିଷର ସ୍ୱାବଲମ୍ବନଶିଳତା। ମୁଁ ଶତଚେଷ୍ଟା କରିକି ବି ବୁଝିପାରିଲି ନାହିଁ ସେମାନଙ୍କ ସାମଗ୍ରିକ ଜୀବନଶୈଳୀକୁ ଓ ବଞ୍ଚିରହିବାର ଅଭିଳାଷାକୁ ।କେବଳ ଗୋଟେ କଥା ବୁଝିଲି, କଳକଳ ନାଦରେ ବୋହି ଯାଉଥିବା ଝରଣାର ଜଳ ପରି ତାଙ୍କ ଜୀବନ ବେଶ୍ ସ୍ଵଚ୍ଛ ଓ ସ୍ଵାଭାବିକ ।ସେମାନେ ବୋଧେ ଗୋଟେ କଥା ଧରି ନେଇଛନ୍ତି, ଜୀବନଟା ତା ବାଟରେ ଯେମିତି ଚାଲିବା କଥା ଚାଲୁ, ତାକୁ ଅପ୍ରାକୃତ ଭାବେ କୃତ୍ରିମ ରୂପ ଦେବାର ନାହିଁ।
ଅନେକ ଦିଗରୁ ସେମାନଙ୍କ ଜୀବନଚର୍ଯ୍ୟା ଓ ଜୀବନର ଦୃଷ୍ଟିକୋଣ ଏଥିରେ ନିହିତ। ଥୋକେ ଚେଷ୍ଟା ନିଶ୍ଚିତ ରହିଛି ସେମାନଙ୍କୁ ବୁଝି ବୁଝେଇ ଦେବା ପାଇଁ। କିନ୍ତୁ ମୋ ଜିତୁ ଭାଇ ଭଳି ମଣିଷ ଦୁଷ୍ପ୍ରାପ୍ୟ ଓ ଦୁର୍ଲ୍ଲଭ।

  • ଔପନ୍ୟାସିକ
    ଡ଼ ସତ୍ୟ ପ୍ରକାଶ ସେଠୀ

ଉପନ୍ୟାସ
-କଲେରା ମୁଣ୍ଡା -ଉପକ୍ରମଣିକା
By Dr satya prakash sethy
କୁରୁପା ବିଶୋୟୀଙ୍କ ଘର। ଭଦ୍ରକ ଜିଲ୍ଲାର ରାଣୀପଡ଼ା । ଗାଁଟି ଭାରି ଛୋଟ ।ଦଶ ପଚାଶ ଘରରୁ ଅଧିକା ହେବ ନାହିଁ ।ସେଇଥିରେ ଆହୁରି କେମିତି ଭଳିକି ଭଳି ନାନା ଜାତିର ଲୋକ ଆହୁରି ଅଛନ୍ତି। କିଏ ତନ୍ତ୍ରବାୟ କାମ କରନ୍ତି ତ ଆଉ କେହି ମହାଜନୀ। ସମସ୍ତେ କର୍ମତତ୍ପର ନିଜ ନିଜ କର୍ମ ଅନୁସାରେ ନିଜ କୌଳିକ ବୃତ୍ତି ଆପଣାନ୍ତି। ସମସ୍ତେ କିନ୍ତୁ ଖଟଣିଦାର ଆଉ କାର୍ଯ୍ୟବ୍ୟସ୍ତ । ବଢ଼େଇ ଯେମିତି କାଠ ହାଣି ହରେକ ରକମର ଘର ଉପକରଣ ବେଲଣା ବାଡ଼ି, ବେଲଣା ପଟା, ଧୂପଦାନୀ, ଆଲଣା, ଖଟ ପହ୍ଲଙ୍କ ଆଦି ତିଆରି କରେ କମ୍ଭାର ଗୟା ମହାରଣା ସେଇମିତି ଜାତି ଜାତିକା ଲୁହାନତା କାମ କରି ଦା’, ହାତୁଡ଼ି, କୋଡ଼ି କୋଦାଳ, ଲଙ୍ଗଳ ଫାଳ, ଦାଉଲି, ଗୋଟିଆ କୁରାଢ଼ି, ପନିକି, ଛୁରୀ, କତା, କଟୁରୀ ଗଇଁନ୍ତି, ତାଉଆ, ଲୁହା ଖଡ଼ିକା, ଚଟୁ ଆଦି କେତେ କଥା କରେ। ଘର ତିଆରି କଥା ହେଲେ ଭାଗୀ ମହାରଣା ଲୋଡ଼ା ପଡ଼େ ।ସେ ବଡ଼ କାମିକା ମରଦ ।ସବୁକାମ ଏକଲା ବାହାପିଟି କରିନିଏ, ଖାଲି ତାକୁ ହେଲପର୍ ଟେ ଯୋଗାଡ଼ କରିଦେଲେ ଆହୁରି ଭଲ । ଦି ଚାରିଦିନରେ ସେ ଖୁଣ୍ଟ ସଳଖି ଶେଣା ବାନ୍ଧି ମଥାନ ଚଢ଼େଇ ଦେଇଥିବ ।ଆଉ ଦିନେ ଆସିଲେ ଖାଲି ରୁଅ ଟାଣିବା କଥା । ବାସ୍ ତେଣିକି ସହର ସାହିରୁ ଛିଆଣି ଡାକିଦେଲେ ଛଣ ଛପର ହେଲା । ଭାଗୀ ମହାରଣାର ଆଉ ଦୁଇ ତିନି ଦିନର ବି କାମ ଥାଏ, ସେ ଆସି ଯେଉଁଠି ଦୁଆର ବନ୍ଧ, ଝରକା ଓ ଜଳ କବାଟି ଲଗିବା କଥା ତାକୁ ଆସି ଥୋଇ ଦେଇ ବରାତି କରିଦେଇ ଯାଏ । ତା’ପରେ ବସି ଶୋଇକି ଧୀରେ ଧୀରେ ଗୋଟେ ଗୋଟେ ବଖରା ବାଉଁଶ ପୋତି କଣି ଖଞ୍ଜି ବତା ବାନ୍ଧିଦେଲେ ଘର ଚାରିପଟ ବୁଲିଗଲା । ତେଣିକି ନଈପଠାରୁ ଚିକିଟା କାଦୁଅ ଉଠାଇ ଛାଟିଦେଲେ ଘର ହୋଇଗଲା ।ଆଉ କେହି ପଇସାବାଲା ଅବଶ୍ୟ ଖାଲି କାଦୁଅ ଦେଇ ନଦୁକାନ୍ଥ ଉଠାନ୍ତି, କିନ୍ତୁ ସେଥିରେ ଟିକିଏ ମଜୁରୀ ଅଧିକା ଖର୍ଚ୍ଚ ହୁଏ।
ବାଲୁରୀ ଧୋବଣୀ ପୂର୍ବ ଦିନରୁ ମଇଳା ଲୁଗା ସବୁ ଗୋଟେଇ ଗଣ୍ଡରା କରି ନେଇ ଯାଇଥାଏ। ତାକୁ ଖାର ପାଣିରେ ଶିଝେଇ ଥୋଇଦିଏ ।ତା ମରଦ ଜୟା ସେସବୁକୁ ନେଇ ନଈପଠାକୁ ଚାଲିଯାଏ, ଯେଉଁଠି ଧୋବା ଗଣ୍ଡିକାଠ ପଡ଼ିଥାଏ ।ତାରି ଉପରେ ତ ହିସସ୍ ଠୋ ଦିଚାରି ପାହାର କଷିଦେଲେ ଲୁଗାରୁ ଚିକିଟା ମଇଳା ବି ରାମ ରାମ ଡାକି ଛାଡ଼ିଯିବ।ସେଇ ଲୁଗାକୁ ସେ ସେଇ ନଦୀ ପଠାରେ ଶୁଖାଇ ଏକାବେଳେକେ ଦ୍ବିପ୍ରହର ବେଳକୁ ଘରକୁ ଫେରିବ। ବାଲୁରୀ ରାନ୍ଧିରୁନ୍ଧାକି ରଖିଥାଏ ।ବେଳ ଲେଉଟିଲେ ସେଇ କଚା ଲୁଗାକୁ ସେ ଗଣ୍ଡରା କରି ଆଣି ଘର ଘରକା ବୁଲି ଦେଇଯାଏ।

ମାଳି ସାହିର ରଣାଘର ପୁଅ ପର୍ବପର୍ବାଣୀ ପଡ଼ିଲେ ବା ଦିଅଁଦେବତା ଠାକୁର ବାକୁର ହେଲେ ତୁଳସୀ ମାଳି, ସୋଲ ଫୁଲ, ବେଲପତ୍ର ଓ ତୁଳସୀ ପତ୍ର ସହିତ ହରେକ ଜାତିର ଫୁଲ ଗୁନ୍ଥି ହାର ସବୁ ଆଣି ଦେଇଯାଏ, କିଛି ଅସୁବିଧା ହୁଏ ନାହିଁ, ସବୁ ଯାକଯମକରେ ହୁଏ ।
ବାଉଁଶ ପାଛିଆ, ସିଇଡ଼ା, ଟୋକେଇ, କୁହ୍ଲା ନାଳିଆ ଆଦିର ଅଭାବ ନାହିଁ, ଆମ ଗାଁ ପାଣ ସାହିଆ ସବୁ ବୁଣନ୍ତି ।ଖଣ୍ଡେ ବାଟକୁ ପରା ତାଙ୍କ ନାଁ ଡାକ। ପାଖରେ କେଉଁଠି ମେଳା କି ଜାନିଯାତ୍ରା ହେଲେ ଲୋକେ ଆଗ ରାଣୀପଡିଆଙ୍କ ବାଉଁଶ କାରୁକାର୍ଯ୍ୟ ଜିନିଷ ଖୋଜନ୍ତି ।

ଗଉଡ଼ ସାହିର ନୀଳିକିଆଣୀ ଆଉ ରଙ୍ଗବୁଢ଼ୀ ଥିଲେ ଆମ ଗାଁର ଦହି କ୍ଷୀର, ବସାଦହି, ଘିଅ ଲହୁଣୀ ଆଉ ଛେନାର ଅଭାବ ନାହିଁ ।ଯେତେବେଳେ ଗଲେ ବି ସେତେବେଳେ ମିଳିବ ଜୁଅ ଦେଲା ଭଳିଆ ସବୁ ଜିନିଷ ଯକେଇକି ରଖିଥିବେ। ସେର ମାପ ରଖିଛନ୍ତି ପଇସା କୋଉଡ଼ି ବଢ଼େଇ ଦେଲେ, ପାଏ ଅଧପାଏ କରି ବଢ଼େଇ ଦେବେ।
ଆର୍ ଗାଁ ଗୁଡ଼ିଆଣୀ ଇନ୍ଦ୍ରା ଭାର୍ଯ୍ୟା ତ ମୁଢି଼ଚୂଡା଼, ଉଖୁଡ଼ା, ଖଇ , ଖୁଡୁମା ସବୁ ଖଞେଇ ରଖିଥାଏ। ତେଣୁ ଅଭାବ କ’ଣ? ଯାହା ଅଭାବ ପଡ଼ିଲା ସାହୁଘର ଦୋକାନ ଅଛି। ପଇସେ ଦୁଇ ପଇସେ ଦେଲେ ସୌଦାପାତି ହେଇଗଲା ।ବାକି ପରିବାପତ୍ର ପାଇଁ ଚିନ୍ତା ନାହିଁ। ବାଡ଼ି ଘରେ ତ ଶାଗ ମାରିଚ ଦୁଇଟା ହୋଉଛି । ଧାନ କି ଚାଉଳ ଦିଟା ଅଦଳାବଦଳି କରିଦେଲେ, ଜେନାପୁର, କୁଆଖିଆ ଆଡ଼ୁ ଆସୁଥିବା ବେପାରୀଙ୍କଠାରୁ ବର୍ଷକୁ ବିରିମୁଗ ଦିଟା ସଂଗ୍ରହ ହୋଇଯାଏ । ସେଇ ଯାଜପୁର ତଳି ଅଞ୍ଚଳରେ ଭାରି ଦୋ ଫଇସିଲି।ସେମାନେ ପରା ସଅଳ ସଅଳ ଧାନ କେରାକ ବିଲବାଡ଼ିରୁ ଉଠେଇ ଦେଇ ରବି ଫସଲରେ ମାତି ଯାଆନ୍ତି ।ପୁଣି ରବି ଫସଲ ସରିଲା ତ ପରିବା ଚାଷରେ ମାତନ୍ତି । ସତରେ ଭାରି ପରିଶ୍ରମୀ ଲୋକ ନିଶ୍ଚୟ ହୋଇଥିବେ। ତାଙ୍କ ଆଡ଼େ ଯାହାର ଜମିଜମା ସେତେ ନାହିଁ, ସେ ତାଙ୍କର ବେପାର ବଣିଜର ଲାଗିଲେ। ବୁଟ, ଚଣା, ବାଦାମ, ବିରି, ମୂଗ, କୋଳଥ ସବୁ ସେଇଆଡ଼େ ମିଳେ। ଗୋଟେ ସାଇକେଲ୍ ଧରିଥିବେ, ସେଥିରେ ମୁଠେ ମୁଠେ ଗଣ୍ଡରା କରି ବାନ୍ଧିବୁନ୍ଧାକି ସବୁ ଧରିକି ଆସି ଚାଉଳ ବଦଳେଇକି ନେଇକି ଯିବେ ।ସେପଟେ ବୋଧେ ଚାଉଳ ଟିକିଏ ଅଭାବ। ହଁ ହୋଇଥିବ ନହେଲେ ଏପଟୁ ବୋଝ ମୁଣ୍ଡେଇଲା ଭଳିଆ ଏତେ କାହିଁକି ଲଦି କି ନିଅନ୍ତି। ଏଇଟା ଅଯଥା ଦୁଇଗୁଣା ପରିଶ୍ରମ ନୁହେଁ କି? ଆଇଲା ବେଳେ ମେଞ୍ଚାଏ ଧରିକି ଆସିବେ, ପୁଣି ଗଲା ବେଳେ ମେଞ୍ଚାଏ ଧରିକି ଯିବେ। ସେ ଲୋକ ଗୁଡ଼ାଙ୍କର ଖଟଣିକୁ ମାନିତେ ହେବ । ବୋଉ ପରା କୁହେ, ସେ ଲୋକ ଗୁଡ଼ାକ ଡାଲିପାଣି ପିଇପିଇ ଜୁଙ୍ଘାଜୁଙ୍ଘା ହୋଇଛନ୍ତି ।ତାଙ୍କର କଳା ମଚମଚ ଚେହେରା ଦେଖି ମୋତେ କିନ୍ତୁ ଭାରି ଡର ଲାଗେ। ସେ ଯେତେବେଳେ ଦାଣ୍ଡ ଦୁଆରେ ଆସି କୁହାଟ ମାରନ୍ତି – “ଡାଲି ରଖିବ ହୋ ଡାଲି! ଖେସାରି ଡାଲି, କୋଳଥ ଡାଲି ସବୁ ଅଛି। ଶୋରିଷ, ହଳଦୀ, ଲଙ୍କା ମାରିଚ ବି ଆଣିଛି”, ମୁଁ ସେତେବେଳେ କବାଟ କଣରେ ଡରରେ ଲୁଚିଯାଏ ।ବୋଉ ବାହାରିକି ପଦାକୁ ଆସିଲେ, ମୁଁ ତା ପଛେ ପଛେ ଯାଏ। କ’ଣ କିଣାବିକା ହେଉଛି ଦେଖେ, ତେଣୁ ଟିକିଏ ନଜର ଅଛି।
ଆମ ଗାଁରେ ବି କେଳା କେଇ ଘର ଅଛନ୍ତି ଯେ । ସେମାନେ ବେଳେବେଳେ କାଳେ ଜଙ୍ଗଲ ଭିତରକୁ ଯାଆନ୍ତି କୁମ୍ଭାଟୁଆ ଓ ଆହୁରି କେତେ ସବୁ ଚିତ୍ରାମିତ୍ରା ଚଢ଼େଇ ଧରିକି ଆସି ଗାଁରେ ବିକନ୍ତି। ବୋଉ ତାଙ୍କଠୁଁ କିଣି ମୋତେ ଦୁଇ ଥର କୁମ୍ଭାଟୁଆ ମାଂସ ଖାଲି ଘିଅରେ ଭାଜିକି ଖୁଆଅଛି ।ସେଇଟା କୁଆଡ଼େ ଭାରି ଗରମ। ଛୋଟ ବେଳେ ମୋତେ ଶ୍ୱାସ ବାହାରିଥିଲା ତ, ସେଇଟା କୁଆଡ଼େ ସେଇ ମାଂସ ଖାଇଲା ଦିନଠାରୁ ମୋର ଛାଡ଼ି ଯାଇଥିଲା। ହଁ ଆଉ ଗୋଟେ କଥା ମୋର ମନେ ପଡ଼ିଲା ।ବୋଉ ମୋତେ ଥରେ ବ୍ରାହ୍ମୁଣି ବେଙ୍ଗ ରାନ୍ଧିକି ଦେଇଥିଲା ।ସେଇଟା ବି ଶ୍ୱାସ ପାଇଁ ଉପକାରୀ ବୋଲି ମୋ ଚମ୍ପେଇ ବୁଢୀମା’ କହୁଥିଲା ।
ଆମ ପାଖ ଗାଁ ଚାରିଘରିଆ ହେଉଛି ନାହାକ ସାହି ।ସେଇ ସାହିରେ କାଠିଆ ନାହାକ ଥାଆନ୍ତି ।କେଉଁଦିନ ସଂକ୍ରାନ୍ତି, ପୂର୍ଣ୍ଣମୀ ଠାରୁ କେଉଁଦିନ ଠେକିବସା, ମାଣବସା, ପୟା ଅମାବାସ୍ୟା ଓ ପାକ ନିଷେଧା ଆଦି ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟପରାଗ ଇତ୍ୟାଦି ପଡ଼ିବ, ସବୁ ସିଏ ଆସି କହି ଯାଆନ୍ତି। ସେରେ ଅଧସେରେ ଧାନ ଚାଉଳ ଦେଲେ, ଧରିକି ଯାଆନ୍ତି ।ମାସକୁ ଥରେ ସେ ଯେମିତି ହେଲେ ଗାଁକୁ ଆସନ୍ତି। ବୁଢ଼ା ବା କୁହେ ସେ ଭାରି ଗୁଣିକର, ପରୀକ୍ଷା ଫେଲ୍ ପାସ୍ ହେବା କଥା ତାଙ୍କୁ ପଚାରିଲେ ସେ ଯେମିତି ହେଲେ ସିଲଟରେ ଘର କାଟି ଗୋଟେ କ’ଣ କହିଦେବେ। ତେଣିକି ଠିକ୍ ହେଲେ ବୋଉ ତାଙ୍କୁ ମୋଟା ରକମର ଚାଉଳ ପରିବା ଆଦି ଡାଲେ ସିଦ୍ଧା ଦିଅନ୍ତି ନହେଲେ କହିବେ ଅଙ୍କ ପାଠ ତ କୋଉଠି ଭୁଲ ରହିଯାଇଥିବ, ତେଣୁ ପ୍ରଶ୍ନ ଉତ୍ତର ବୋଧେ ଠିକ୍ ଆସିଲା ନାହିଁ।
ଆମ ଗାଁରେ ବି କିଛି ଆଦିବାସୀ ଅଛନ୍ତି ଯେ। ସେମାନେ କିନ୍ତୁ ଅଲଗା ହୋଇକି ଗାଁଠାରୁ ଟିକେ ଦୂରରେ ରହନ୍ତି। ସେଇଟା କିନ୍ତୁ ଭାରି ଅପନ୍ତରିଆ ଯାଗା ।ସେମାନେ ବି ଭାରି ଅପରିଷ୍କାର ରହନ୍ତି। ସେଇମିତି ଦେହରେ ମାଟି କାଦୁଅ ଲାଗିଥବ ଚାରିଆଡ଼େ ବୁଲୁଥିବେ ।କିନ୍ତୁ ମାଟି ଖୋଳା କାମ ପଡ଼ିଲେ ନା ଆଗ ତାଙ୍କୁ ଡକାଯାଏ। ହଁ ଛୁଆ ପିଲା ଧରିକି ବହେ ମାଟି ହାଣିବେ । କି ଖଟଣିଦାର ଲୋକ କି ହୋ ସେମାନେ ? ଦଣ୍ଡେ କି ଘଡିଏ ତ କାହିଁ କେତେବେଳେ ଥକନ୍ତି ନାହିଁ କି ବସନ୍ତି ନାହିଁ।
ମୋତେ କିନ୍ତୁ ଗୋଟେ କଥା ଆଦୌ ଭଲ ଲାଗେ ନାହିଁ। ତାଙ୍କୁ ଆମ ଗାଁ ଲୋକ କେହି ଛୁଅନ୍ତି ନାହିଁ ।ଖାଇବାକୁ ଦେଲେ କି ପାଣି ଦେଲେ ଅଲଗା ହାତ ଟେକିକି ଦୂରରୁ ଦେବେ, ଫିଙ୍ଗି ଦେଲା ଭଳିଆ।ମଣିଷ ପ୍ରତି ଏଭଳିଆ ବ୍ୟବହାର ସେଦିନ ମୋ ପିଲା ମନକୁ ବଡ଼ ସଟାଉଥିଲା।
ହେଲେ ସେମାନେ ଯେତେବେଳେ ନଈକୁ ଯାଇ ବିଳରେ ହାତ ପୂରାଇ କଙ୍କଡ଼ା, ଚେଙ୍ଗ, ମାଗୁର ସବୁ ଧରିକି ଆଣନ୍ତି ବୋଉ ତାଙ୍କ ପାଖରୁ କେମିତି କିଣିକି ରଖି ଆମକୁ ଖୁଆଏ ଯେ? ସେଇଟା ମୁଁ ଆଦୌ ବୁଝିପାରେ ନାହିଁ, ଏହା ଦ୍ଵାରା ଆଉ ଛଅନ୍ତା ଲାଗିଯାଏ ନାହିଁ ନା?
ବାସ୍ତବରେ ଏହି ଆଦିବାସୀ ଭାଇଙ୍କ କଥା ମନେ ପଡ଼ିବାରୁ ମନଟା କାହିଁକି ଭାରି ବିଷାଦିତ ହୋଇଉଠିଛି। କହିବାକୁ ଗଲେ ଏଥିରେ ଅପ୍ରାକୃତିକ ଭାବେ ଆଦୌ ସେମିତି କିଛି କୃତ୍ରିମତା ନାହିଁ ବରଂ ପ୍ରାକୃତିକ ଭାବେ ଯଥାର୍ଥରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖୀ ଅଛି, ସେଦିନର ସେ ଦୃଶ୍ୟରାଜିକୁ ଆଜି ମନ ଭିତରେ ତୋଳି ।ଆଜି ବି ତ ସେମାନଙ୍କର ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇ ନାହିଁ, ବରଂ ପୂର୍ବରୁ ଯେମିତି ଥିଲେ ଆଜି ବି ସେମିତି ।କାହିଁକି, ଏମାନେ କ’ଣ ବାହ୍ୟପ୍ରଭାବ ମୁକ୍ତ ନା ପରିବର୍ତ୍ତନକୁ ଅସ୍ୱୀକାର କରୁଥିବା ଅଦ୍ଭୁତ ମଣିଷ? ବିବର୍ତ୍ତନବାଦର ଧାରା ମଣିଷ, ପ୍ରକୃତି, ଗଛଲତା, ପାହାଡ଼ପର୍ବତ, ନଦନଦୀ ସବୁଟା ଉପରେ ପଡ଼ିଛି , ହେଲେ ଏମାନେ ଏତେଟା ପ୍ରଭାବହୀନ କେମିତି?ସତରେ ଏମାନେ ବଦଳିବାକୁ ଚାହୁଁନାହାନ୍ତି ନା ଏମାନଙ୍କୁ ବଦଳା ଯାଉ ନାହିଁ? ତେବେ ଯାହାବି ହେଉ ଘଟଣାଟା ଭୀଷଣ ବାଧୁଛି ।ଏହା ଏକ ମର୍ମସ୍ପର୍ଶୀ ଓ ସମ୍ବେଦନଶୀଳ ଘଟଣା ନିଶ୍ଚୟ ।
ଆଜିବି ୟାଙ୍କ ବସ୍ତିକୁ ବିଜୁଳି ଯାଇ ନାହିଁ, ପାନୀୟ ଜଳର ସୁବିଧା ନାହିଁ। ନଳକୂଅ ଅଭାବରୁ ଏବେବି ସେମାନେ ଆସି ସ୍କୁଲ ଟ୍ୟୁବୱେଲରୁ ପାଣି ମାରି ଖଣ୍ଡେ ବାଟରୁ ବୋହି ବୋହିକା ନେଇ ଚଳୁଛନ୍ତି ।ହେଲେ ଏ ସବୁ ଅବ୍ୟବସ୍ଥା କାହିଁକି? ଇନ୍ଦିରା ଆବାସ ପକ୍କା ଘର, ସ୍ଵଚ୍ଛ ଭାରତ ଅଭିଯାନରେ ପାଇଖାନାଠୁଁ ଆହୁରି କେତେ କ’ଣ ସବୁ ଆସୁଚି ।କିନ୍ତୁ ସବୁ ବାଟମାରଣା ହୋଇଯାଉଛି ନା ଅଧାବାଟରୁ ଅଟକି ଯାଉଛି। ଓଃ! ସବୁ ବ୍ୟବସ୍ଥା ଓ ଯୋଜନାରେ ଅଛି, କିନ୍ତୁ ତାଙ୍କ ଭାଗ ବେଳକୁ ପରା ନାହିଁ । ଆଚ୍ଛା ଘଟଣା ତାହେଲେ ଏମନ୍ତ, ଯେଉଁଦିନ ବଳକା ହୋଇ ବଳି ପଡ଼ିବ ସେଦିନ ତାହେଲେ ତାଙ୍କ ଭାଗରେ ପଡ଼ିବ। ହୋଉ, ଅପେକ୍ଷା କରିବା ସେଇ ସମୟଟା କେଉଁଦିନ ଆସୁଚି ଦେଖିବା ।ହୋଉ ହେଲା, ହେଲେ ସେମାନଙ୍କୁ ମଳେ ଅଧେ ଜମିର ଜମିପଟା ଯୋଗାଇ ଦେଲେ ହୁଅନ୍ତା ନାହିଁ? ଜିମାରେ ଘର ଢିଅ ଖଣ୍ଡେ ଜଣଙ୍କର ନ ରହିଲେ, ସେ ନିଜର ପରିଚୟ କେମିତି ପାଇବ? ଅନ୍ୟାନ୍ୟ ସୁବିଧା ସୁଯୋଗ ପୁଣି ଅଛି ନା ? ଏକଥା ଆମେ କେହି ସଠିକ୍ ରେ ହୁଏତ ଚିନ୍ତା କରୁ ନାହାନ୍ତି, ତେଣୁ ଫଳଘର ଶୂନ୍ ।ଅବଶ୍ଯ ଆମେ କାହାରି ଦୋଷ ଦେଉନାହୁଁ, କିନ୍ତୁ ଜାଣିଲେ! କଥାଟା ହୃଦୟକୁ କାହିଁକି ବ୍ୟଥିତ କରୁଛି। ଆମେ ତ ଜାଣିଛୁ, ଆମର କିଛି ଘନପଣ କି କରାମତି ନାହିଁ, ତେଣୁ ତୁଚ୍ଛାଟାରେ ଖାଲି ଏଣୁତେଣୁ ବକବକ ହେବ କଥା । ତେବେ ଆପଣମାନେ କିଛି ଉପାୟ ବାହାର କରିପାରିବେ ବୋଲି ନେହୁରା ହେବା କଥା ।ଛାଡ଼ ସେ ଅଡ଼ୁଆ ତଡ଼ୁଆ କଥା ଆଡ଼କୁ ଆଉ ଏତେ ଭିତରେ ପଶିବା ନାହିଁ। କିନ୍ତୁ ସେମାନଙ୍କ ସ୍ଥିତି ଓ ଅବସ୍ଥିତି ସମ୍ପର୍କରେ ନିଶ୍ଚୟ ଦୃକପାତ କରିବା।

ଉପନ୍ୟାସ
କଲେରା ମୁଣ୍ଡା-୩
—dr satya prakash
ଜିତୁ ମୁଣ୍ଡା କିଏ ଓ କାହିଁକି? ପୁଣି କଲରା ମୁଣ୍ଡା ତା’ର କିଏ ହେବ? ହଁ ତାକୁ ନେଇକି କ’ଣ ଭାରି ଚର୍ଚ୍ଚା। ଆଞ୍ଚଳିକ ସମ୍ବାଦପତ୍ରଠାରୁ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ବି ସେଇ ଗୋଟିଏ କଥା। ଶୁଣା ହେଉଛି, ଚାରିଆଡ଼ୁ କାଳେ ସାହାଯ୍ୟର ହାତ ବଢ଼ି ଆସୁଛି।ତେବେ ଉଦ୍ଦେଶ୍ୟ କ’ଣ, ଜିତୁ ମୁଣ୍ଡାର ଗରୀବି ଦୂର କରିବେ? କେଜାଣି ହୋଇଥିବ। ଜୀବନସାରା କୁଆଡ଼େ ସେ ଅସହିଣିର ଝଞ୍ଜା ସହିଛି । ସଂଗ୍ରାମୀ ମଣିଷଟେ, ଜୀବନ ସଂଗ୍ରାମ ସହ ସେ ଯୁଝିଯୁଝି ଜିଇଁ ରହିଛି । ତଥାପି ହାର୍ କୁ ସେ ବରଦାସ୍ତ କରିପାରେନା କି ସହଜରେ ଗ୍ରହଣ କରିପାରେନା। ନିଜ ହକ୍ ର କିଶା ସେ ଯେମିତି ହେଲେ ଛିଡ଼େଇକି ନେବ ।ତା ବୋଲି ତା ନ୍ୟାର୍ଯ୍ୟଦାବି ପ୍ରତି ଏମିତି ଅନ୍ଯାୟ ହେଉଥିବ, ଆଉ ସେ କେବଳ ସହୁଥିବ? ସେ କଥା ହୋଇପାରିବନି । ସେ ତେଣୁ ଆଜି ଠାଣ୍ ନେଇଛି, କିଏ ତାକୁ ପ୍ରତିବାଦ ଓ ପ୍ରତିରୋଧ କରୁଛି, ଦେଖିବା?

ସରଳ ଆଦିବାସୀଟିଏ, ତା’ର କ’ଣ ଆବଶ୍ୟକତା ଅଛି, ସେ କାହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବ? ତା ବୋଲି ହକ୍ ସେ ମେହନତି କରି ପଇସା ଗଣ୍ଡାକ ବ୍ୟାଙ୍କ୍ ରେ ରଖିଛି, ତା ପଇସା ତାକୁ ମିଳିବନି? ଏ କଥା ବରଦାସ୍ତ ବାହାରେ। ମୁଣ୍ଡକୁ ଝୁଙ୍କ ଉଠିଲା। ସେ ଦେଖେଇ ଦେବ ସମସ୍ତଙ୍କୁ, ଜିତୁ ମୁଣ୍ଡା କ’ଣ କରିପାରେ।
ତେଣୁ ସେଦିନ ହଠାତ୍ ଜିତୁ ମୁଣ୍ଡା ଆସି ବ୍ୟାଙ୍କ ତହବିଲ୍ ରେ ପହଂଚି ଦରଵାଜା ଖଟଖଟ କଲା ଯେଉଁଥିପାଇଁକି ସମସ୍ତଙ୍କର ଧ୍ୟାନ ଆକର୍ଷିତ ହୋଇଗଲା ଆଉ ସେ ପାଲଟିଗଲା ଆକର୍ଷଣର କେନ୍ଦ୍ରବିନ୍ଦୁ।
ଜିତୁ ମୁଣ୍ଡା ସାଧାରଣ ଲୋକଟିଏ ।ଆହୁରି ସାଧାରଣ ଓ ନଗଣ୍ୟ ତା’ର ବେଶଭୂଷା ।ନା ଥିଲା କିଛି ଆଧୁନିକ ବେଶପରିପାଟୀ ନା ଥିଲା ଆଭିଜାତ୍ୟର କିଛି ସ୍ମାରକୀ। ନାଲି ଗାମୁଛା ଖଣ୍ଡେ ଲେଙ୍ଗୁଟା କରି କଛା ମାରି ଦେଇଥାଏ ।କାନ୍ଧ ଗାମୁଛା ଖଣ୍ଡେ ବି ନାହିଁ କି ଦେହରେ ବୈଭବ ବା କିଛି ଅନ୍ୟ ଆବରଣ। ସୁଦ ଫୁଙ୍ଗୁଳା ସେଁକା ଛାତି, ଝାଳୁଆ ଗନ୍ଧରେ ଦେହଟା ସଲବଲ ହୋଇଥାଏ ।ଅଧା ଲଙ୍ଗଳା ମଣିଷ କହିଲେ ଚଳିବ। କଳା ମଚମଚ ମୁଗୁନି ପଥର ଭଳିଆ ନିଦା ଚେହେରା ।ହୁଁ, ଡେଙ୍ଗା ରଗଡ଼ିଆ ମଣିଷ ଖଣ୍ଡେ ଏକା ।ମାଣ୍ଡିଆ ଚାଉଳ ଖାଇକି ମୁଦୁଗୁରିଆ ହୋଇଛି ।ନଗଦାକୁ ଖିଅର ନହୋଇଥିଲେ ମଧ୍ଯ ମୁହଁରେ ଦାଢ଼ି ନିଶ ସେମିତି ନାହିଁ ।ଯାହା ଅଛି ଖୁଣ୍ଟି ହୋଇ ଅଳ୍ପ କେତକ ଉପରକୁ ମୁହାଁଇଛି, ସେ ପୁଣି ଧଳା । ମୁଖମଣ୍ଡଳରେ କିନ୍ତୁ ସେମିତି ଆଭା ନାହିଁ କି ତେଜ। ତେଣୁ ଟିକେ ମଳିନ ଦିଶୁଥାଏ, ଭାରି ସାଧାସିଧା ହାବଭାବ ।
ସେଦିନ ସକାଳୁ ସକାଳୁ ଘରୁ ବାହାରି ସେ ଢଳି ଢଳି ରାସ୍ତାରେ ଚାଲିଥାଏ। ଉଦ୍ଦେଶ୍ୟ ବ୍ୟାଙ୍କ ଯିବ।ଘର ପାଖରୁ ପାଞ୍ଚ ମାଇଲ ବାଟ ହେବ ବ୍ୟାଙ୍କ । ରାସ୍ତାରେ ଆଉ କୌଣସି ଜିନିଷ ପ୍ରତି ତା’ର ନିଘା ନାହିଁକି ଧ୍ୟାନ ।ସିଧା ଯାଇ ପହଞ୍ଚିଲା ବ୍ୟାଙ୍କ ପାଖରେ। ବ୍ୟାଙ୍କ ଆଗରେ। ଗେଟ୍ ପାଖରେ ନିଶୁଆ ତାକତବର ଦରୱାନଟିଏ ୟୁନିଫର୍ମରେ ଛିଡ଼ା ହୋଇଥିଲା ।ସେ ବାଟ ଓଗାଳିଲା। ହଠାତ୍ ପଚାରିଲା – “କୁଆଡ଼େ ଯିବ? ଏମିତି ମାଡ଼ି ଆସୁଛ? ରୁହ! ସେଇଠି ଛିଡ଼ାହୁଅ ।”
ଜିତୁ ମୁଣ୍ଡା ଟିକେ ଦକସି ଯାଇ ଅଟକିଗଲା ଓ ତାକୁ ଘୂରି ଘୂରି ଦେଖିଲା। ପୁଣି ତା କଥାକୁ ହେଟା ନଜର କରି ଭିତରକୁ ଚାଲିଗଲା ।କିଛି କହିଲା ନାହିଁ। କାଚ ଦରଵାଜାକୁ ଖୋଲିଦେଇ ଭିତରକୁ ପଶିଗଲା। ସେଠାକାର ସମସ୍ତ ଲୋକ ତାକୁ ଅନାଇବାକୁ ଲାଗିଲେ – ଗୋଟେ ଭୁଲ ଲୋକ ପଶି ଆସିଛି କି ଭାବି। ଜିତୁ ମୁଣ୍ଡା ବ୍ୟାଙ୍କ ଭିତରେ ପଶି ଚାରିଆଡ଼କୁ ଦୃଷ୍ଟି ସମ୍ପ୍ରାତ ପୂର୍ବକ ଦେଖିଲା ଯେ କାଉଣ୍ଟର କେଉଁଠି ଅଛି ଆଉ କାଉଣ୍ଟରରେ ସେଇ ଅଧିକାରିଣୀ ଜଣଙ୍କ ଆସିଛନ୍ତି କି ନାହିଁ।
ଜିତୁ ମୁଣ୍ଡା ଦେଖିଲା, ହଁ ଆସିଛନ୍ତି ମେନକା କାଉଣ୍ଟରରେ ବସିଛନ୍ତି ।ତାଙ୍କ ଆଗରେ ଅଳ୍ପ କେଇ ଜଣ ଗ୍ରାହକ। ସେମାନଙ୍କୁ ଜଣଙ୍କ ପରେ ଜଣକୁ ମେନକା କାଗଜ ତନଖି ବିଦା କରୁଛନ୍ତି ।କାଉଣ୍ଟର ଟିକେ ଫାଙ୍କା ହୋଇଗଲା ପରେ ଜିତୁ ମୁଣ୍ଡା ତାଙ୍କ ଆଗରେ ଯାଇ ଛିଡ଼ାହେଲେ। ସେ ଟିକେ ମୁଣ୍ଡ ଟେକି ଚାହିଁଦେଲେ, କୁଟିଳ ଚାହାଣୀ ସହିତ ତାଚ୍ଛଲ୍ୟ ହସଟିଏ ଉଦଗାରି ଆସୁଥିଲା ।ମୁଣ୍ଡଟାକୁ ଜଟୀଳ ଭାବେ ହଲାଇ ଦେଇ ସେ ପୁଣି ମୋବାଇଲ୍ ଫୋନ୍ ରେ ଲାଗିଗଲେ।
ସତେ କି ମୋବାଇଲ୍ ଫୋନ୍ ଭିତରେ କିଏ ପଅଇଛି ଆଉ ସିଏ ତା ସହିତ କଥା ହେଉଛି। ହଁ ଭାରି ତ କାହିଁ କୁରୁଳି ଉଠୁଛି, ପୁଣି ମଝିରେ ମଝିରେ ମୋବାଇଲ୍ ସୁଇଚ୍ ଗୁଡ଼ାକ ଟିପି ପକାଉଛି ।ଜିତୁ ମୁଣ୍ଡା ବ୍ୟାଙ୍କ ବହିଟା ବଢ଼ାଇ ଦେଇ ସେଇମିତି ଅନାଇ ରହିଛି। କେତେବେଳକର ମେନକା ମୁଣ୍ଡ ଉଠାଇ ଚାହିଁଲା, ଭିଣିଭିଣି ହୋଇ କ’ଣ ଏଣୁତେଣୁ କହିଲା । ଜିତୁ ମୁଣ୍ଡା କହିଲା – “ତା ବୋଲି ମୋ ପଇସା ଗଣ୍ଡାକ ପାଇବି ନାହିଁନା, ଯେମିତି ହେଉ ନେଇକି ଯିବି। “
ମେନକା ତାକୁ ଘୂରି ଘୂରି ଦେଖିଲା, ତା’ପରେ ଏମିତି କ’ଣ ଭାବିଲା କେଜାଣି ତା ହାତରୁ ବହିଟା ଟାଣି ନେଇ ଖେଳେଇ ବିନ୍ଦାରି ଛାଟିକି ଫିଙ୍ଗିଦେଲା ।ତା ଛତର ଛାଉଣି ହୋଇ ତଳେ ପଡ଼ିଗଲା । ମେନକା କହିଲା – “ସୁଦ ଦେବିନି, ଯା’! ” ଏଇଁନ୍ତିଆ କହି ଠୋ ଠୋ ହସିଲା ।ଜିତୁ ମୁଣ୍ଡା ନଇଁପଡ଼ି ଅଣ୍ଡାଳି ସେସବୁ ସାଉଁଟି ଲାଗିଲା ।ଉପସ୍ଥିତ ଅନ୍ୟ ଲୋକ ମାନେ ମଧ୍ଯ ମଜା ନେଲେ, ସେମାନେ ବି ହସି ଉଠିଲେ – ହି.. ହା… ହୋ ।
ଏ ପାଟିତୁଣ୍ଡ କଳରବ ଶୁଣି ଆସିଷ୍ଟାଣ୍ଟ ମ୍ୟାନେଜର୍ ଭାର୍ଗବ ମହାନ୍ତି ଧାଇଁ ଆସିଲେ, କହିଲେ – ଏ ବୁଢା ଏଠୁ ଯିବୁନା! ଏଠି ସବୁ କ’ଣ ଚାଲିଛି? ଏଟା କଣ ଧର୍ମଶାଳା ଭାବିଲ ନା କ’ଣ?ଯିଏ ଯେତେବେଳେ ପାରିବ ମୁହଁ ଉଠାଇ ଚାଲିଆସିବ।? ଏଇଟା ବ୍ୟାଙ୍କ୍… ବ୍ୟାଙ୍କ୍… ଏଠି ଭିକାରୀ ମାନଙ୍କର ସ୍ଥାନ ନାହିଁ। ଯାଅ ଯାଅ! ହଟ ଯଲଦି । ସମସ୍ତେ ନିଜ ନିଜ କାମରେ ଲାଗିଯାଅ! “
ଏକଥା ଶୁଣି ମେନକା ସମେତ ଯେଉଁ କର୍ମଚାରୀ ମାନେ ସିଟ ରୁ ଛିଡ଼ାହୋଇ ପଡ଼ିଥିଲେ, ସେମାନେ ପୁଣି ନିଜ କାମରେ ଲାଗିଗଲେ ଆଉ ଲୋକମାନେ ବି ତାଙ୍କ କାମରେ। ଆଉ ଯାହା କାମ ସରି ଯାଇଥିଲା ସେମାନେ ବାହାରକୁ ଚାଲିଗଲେ। ଜିତୁ ମୁଣ୍ଡା କିନ୍ତୁ ବ୍ୟାଙ୍କ ବାହାରକୁ ଗଲା ନାହିଁ।
ସେ ସିଦ୍ଧା ମ୍ୟାନେଜର ଙ୍କ ରୁମ୍ ଆଡ଼କୁ ମୁହଁଇଲା।ଦରୱାନ ଦୌଡ଼ି ଆସି ଅଟକେଇ ଦେଲା, କହିଲା, “ମ୍ୟାନେଜର୍ କଣ ଏମିତି ସେମିତି ଲୋକ ନା ତାଙ୍କୁ ଯିଏ ପାରି ସିଏ ଯେତେବେଳେ ନାହିଁ ସେତେବେଳେ ଦେଖା କରିବ। ଏଥିପାଇଁ ଅନୁମତି ନେବାକୁ ହେବ, ଲେଖିକି ପାର୍ଚ୍ଚା ଦିଅ! ସେ ଚାହିଁଲେ ଡାକିବେ ନହେଲେ ନାହିଁ। ଜିତୁ ମୁଣ୍ଡା ତ ପଢ଼ି ଲେଖି ଜାଣି ନାହିଁ, ତେଣୁ ପାର୍ଚ୍ଚା ଫାର୍ଚ୍ଚା ତା ଦ୍ଵାରା ହେବ ନାହିଁ। ତେଣୁ ଭାବିଲେ ଦରୱାନ କଥାରୁ କଣ ଅଛି, ଯାଉଛି ଯାଇ ଅପେକ୍ଷା କରିବି, ହେଲେ ଫାଙ୍କା ହୋଇଗଲେ ନିଶ୍ଚୟ ମ୍ୟାନେଜର୍ ଙ୍କୁ ଦେଖା କରି ସବୁକଥା ଗୁହାରି କରି ଯିବି। ତେଣୁ ସେ ଯାଇ ଭିଜିଟର ମାନଙ୍କ ପାଇଁ ପଡ଼ିଥିବା ଗୋଟେ ଚୌକିରେ ବସିଲା ।ତାକୁ କର୍ମଚାରୀଠାରୁ ଦେଖଣାହାରୀ ମାନେ ସବୁ ଚାହୁଁଥାନ୍ତି ଯେମିତି ଗୋଟେ ବଣ ମଣିଷ ଦେଖୁଛନ୍ତି ।ମେନକା ବି ତାକୁ କେମିତି ଗୋଟେ ଦୃଶ୍ଟିଭଙ୍ଗୀରେ ବେଳେ ବେଳେ ନିଜ ସିଟ୍ ରୁ ମୁଣ୍ଡ ଟେକି ଦେଖୁଥାଏ ବା ମୁହଁଟାକୁ କିମ୍ଭୁତକିମାକର କରି ଚାହିଁଥାଏ ପୁଣି ଫେଁକିନା ହସି ଦେଉଥାଏ ।ଏତେ ସତ୍ତ୍ୱେ ବି ଜିତୁ ମୁଣ୍ଡା ସେଗୁଡାକୁ ସବୁ ଏତେ ଖାତିର୍ କରୁ ନଥାଏ ।କାହିଁକିନା ତାକୁ କରିବାର ଅଛି ଯାହା ସେ ସିଦ୍ଧାନ୍ତ ନେଇଚି। ଏ ଦୃଷ୍ଟିରୁ ଦେଖିଲେ ଜିତୁ ମୁଣ୍ଡା ଟିକେ ଦୃଢ଼ ସଂକଳ୍ପବାଦୀ ମଣିଷଟେ ନିଶ୍ଚୟ ।

Related posts

ଶୂନ୍ଶାନ୍ ରାତି book

satya

ଆତ୍ମ ଜୀବନୀ Auto biography

satya

My bio

satya

Login

X

Register