ଗଳ୍ପ… ସେଇ ଏକା ଯିଏ ଏକା ଆତ୍ମବିଶ୍ଵାସରେ ଭରା
—-////—-
ଯେତେବେଳେ ଅତିରିକ୍ତ ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟାର ଉତ୍ପୀଡ଼ନରେ ଉତ୍ପୀଡ଼ିତ ହୋଇ ଜନତା ତ୍ରାହି ତ୍ରାହି ଡାକୁଥିଲେ ସେତେବେଳେ କିଏ ଉତ୍ପୀଡ଼କ ଶାସାକଙ୍କର ବିକଳ୍ପ ହେବ ବୋଲି ଚିନ୍ତା ଜୋର୍ ଧରିଥାଏ। ତେଣୁ ଛୋଟ ଛୋଟ ବିରୋଧୀ ଦଳ ଗୁଡିକ ଏକାଠି ହୋଇ ବଳ ସଂଗ୍ରହରେ ଲାଗି ପଡିଥାନ୍ତି ହେଲେ ବିକଳ୍ପ ନେତାଙ୍କର ନାମ ସାବ୍ୟସ୍ତ କରି ପାରୁ ନ ଥାନ୍ତି। ଏତେବେଳେ ନୂତନ ଏକ ସମ୍ଭାବନା ତୋଳି ଗୋଟିଏ ମାତ୍ର ଲୋକ ଏବଂ କେଞ୍ଚୁଆ ବୋଲି ଛୋଟ ଏକ ଦଳର ନେତା ସାମ୍ନାକୁ ଆସନ୍ତି।ଏ କଥାଟା ପାଣି ପବନରେ ମିଶି ଯେପରି ଅଦ୍ଭୁତ ସ୍ଵର ଝଙ୍କାର ସ୍ରୁଷ୍ଟି କଲା ତାହା ତ ପରିଣତିରୁ ସ୍ପଷ୍ଟ ପ୍ରମାଣ ମିଳିଲା। ସେଦିନ ପରା ଆମ ଗାଁରେ ବର୍ଷା ହେବା ପାଇଁ ଗ୍ରାମ ଦେବତୀଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିବା ପାଇଁ ଦିନ ଧାର୍ଯ୍ୟ ହେଲା ଯେଉଁଦିନ କି କେହି ଛତା ଆଣି ନଥିଲେ ହେଲେ ମଦନ ବଡପା ଏକା ଛତା ଆଣିଥିଲେ।ସେଇ ଏକା ଯିଏ ଏକା ଆତ୍ମବିଶ୍ଵାସରେ ଭରା।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ଚୁଗୁଲି
ଅଫିସରେ ଚୁଗୁଲାମି ।ମୀନ କେତନ ସାର୍ ଙ୍କର କିଛି କାମ ନାହିଁ, ୟା ତା ଟେବୁଲ ପାଖରେ ଛିଡା ହୋଇ ଖାଲି ଗପିବା ବ୍ୟତୀତ। ହେଲେ ଭଲ କଥା କିଛି ଗୋଟେ କହନ୍ତେ କି ଭଲା। ଖାଲି ଛିଦ୍ର। ପରଛିଦ୍ର ପରନିନ୍ଦା ଓ ପରଚର୍ଚ୍ଚା। ନୋହିଲେ ତାଙ୍କର ପରା ଭାତ ହଜମ ହୁଏ ନାହିଁ। ଧନ୍ୟ କହିବା ୟାଙ୍କୁ। ନିଜ ସମ୍ପର୍କରେ ପଚାରି ବସିଲେ ଭ୍ରୁକୁଞ୍ଚିତ କରନ୍ତି ମସ୍ତକ। ସମୁଜ୍ଜଳ ହୋଇ ଦିଶିଯାଏ ତାଙ୍କ ଜୀବନ ଜ୍ୟୋତି ।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ… Iwritemedia
ଗଳ୍ପ… ମାନି, ଜାମିନୀ ଓ ମଧ୍ୟସ୍ଥି
—-///——-((((…. ////….
ମାନି, ଜାମିନୀ ଓ ମଧ୍ୟସ୍ଥି। ପତି ବାବୁଙ୍କର ଗୋଟେ ଖରାପ ଅଭ୍ୟାସ-ସବୁ କଥାରେ ମୁଣ୍ଡ ପୂରାଇବା। କିଏ କଣ କଲା, କେମିତି କଲା ତୁମର କଣ ଯାଏଆସେ ଏତେ – ମୁଣ୍ଡ ଖେଳାଉଛ ଅତି । ପ୍ରଥମ ପକ୍ଷ ରାମ ବାବୁ, ଦ୍ଵିତୀୟ ପକ୍ଷ ମନା ବାବୁ। ଜଣେ ଜମି ବିକିବେ – ବାୟା, ଆଉ ଜଣେ ଜମି ନେବେ – କ୍ରେତା। ତୁମେ କାହିଁକି ପଇସା ନେଣଦେଣ ଦାୟିତ୍ଵ ମୁଣ୍ଡ ଉପରକୁ ନେଉଥିଲ? ତୁମେ କଣ ଜମି ଦଲାଲ? ତେବେ ଭଦ୍ରଲୋକୀ ଦେଖେଇ ହେଉଥିଲ, ଏ ଲାଗେ କେସ୍ ଯାଇ କୋର୍ଟରେ ପହଞ୍ଚିଲାଣି, ସମ୍ଭାଳୁଣ? ଭାଇ ପର ପାଇଁ ନଖବାଳ ଦେଇ ହୀନସ୍ଥା ହେବା ଅପେକ୍ଷା ନିଜ କଥା ନିଜେ ଟିକିଏ ଚିନ୍ତା କର। ଅନ୍ୟକୁ ସାହାଯ୍ୟ କର ମନା ନାହିଁ, ହେଲେ ଯେତିକି କରି ହେବ ସେତିକି ନା ତାଠୁଁ ଅଧିକା? ନୋହିଲେ ନିଜ ବସ୍ତ୍ର ପରକୁ ଦେଇ ଶିବ ପଳାଇଲେ ଲଙ୍ଗଳା ହୋଇ – ଏପରି ଅବସ୍ଥା ସାର ହେବ। ସାହାଯ୍ଯ କରିବାର ଅର୍ଥ ନୂହେଁ ଅନ୍ୟର ଦାୟିତ୍ଵକୁ ନିଜେ ମୁଣ୍ଡାଇବା। ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ଯ ଅଛି, ତେବେ ହିସାବ କିତାବ ବରାବରି ହେବା ଦରକାର। ସେଦିନ ବିଚ୍ ରାସ୍ତାରେ ଘୋଷରା ଟଣା କରି ଜମି ମାଲିକଟା କଣ ପତି ବାବୁଙ୍କୁ କମତି ହଇରାଣ ହରକତ କଲା, ଖାଲି ମୁଁ ସେଠି ଥିଲି ବୋଲି ପରିସ୍ଥିତିଟା କୌଣସି ପ୍ରକାର ଆୟତ୍ତ ହେଲା। ଏ ପରା କଳି କାଳ। ବେଳ ଉଚ୍ଛୁଣା ଯାହା ହେଲାଣି ନ କହିଲେ ଭଲ।
By ସତ୍ୟ ପ୍ରକାଶ ସେଠୀ
ଗଳ୍ପ ପହଞ୍ଚିଲା ଚାରି ଧାଡ଼ିରେ.. “ଛାଡ଼ପତ୍ର “
———///ଛାଡ଼ପତ୍ର ପାଇଁ ଦିନ, ସମୟ ଓ ତାରିଖ ଧାର୍ଯ୍ୟ । ବାକି ରହିଲା କୋର୍ଟ କଚେରୀରେ ଯାଇ ମାମଲାଟିକୁ ଚୂଡାନ୍ତ ରୂପ ଦେବା। ଉଭୟ କଚେରୀ ଫାଟକ ସମ୍ମୁଖ ଭାଗରେ। ଅନ୍ଵେଷା କେଉଁଠି ଥିଲା କେଜାଣି ଦୌଡ଼ି ଦୌଡ଼ି ଯାଇ ବାପା ମାଆଙ୍କ ମୁହଁକୁ ଚାହିଁ କାନ୍ଦି ଉଠିଲା ଭୋ ଭୋ। ଝିଅର କୋହ ଦେଖି ଉଭୟ ପରସ୍ପର ମୁହଁକୁ ଚାହିଁ ରହିଥାନ୍ତି ଏକ ବିରାଟ ସମ୍ଭାଷଣ ନେଇ। ହଠାତ୍ ପାଟିରୁ ଝଡ଼ି ପଡ଼ୁଥିଲା ଅନୁତାପ ଝୁଲରେ ଝଲସିତ ହୋଇ କେଇଗୋଟି ଆକସ୍ମିକ ଶବ୍ଦ। ଛାଡପତ୍ର କାଗଜ ଗୁଡ଼ାକ ହାତରୁ ଖସି ଯାଇ କୋର୍ଟ ବାରଣ୍ଡାରେ ଲହଡ଼ି ଖେଳୁଥିଲା ।
By ସତ୍ୟ ପ୍ରକାଶ ସେଠୀ
ଗଳ୍ପ… ଚୋର
ରାମ ହରି ବାବୁ ହଠାତ୍ ଦେଖା ହେଲେ। ଆଳାପ ଆଲୋଚନା ଚାଲିଲା। ସେ କହିଲେ – “ଦୁନିଆଟା ଚୋର। ସମସ୍ତେ ଚୋର” । ମୁଁ କହିଲି – “ଏହା କିପରି? ସମସ୍ତେ ବା କେମିତି ଚୋର ହୋଇପାରିବେ। ଯଦି ଦୁନିଆଟା ଚୋର, ତେବେ ଆପଣ ବି କଣ…” ।ସେ କହିଲେ – ସେଇଥିପାଇଁ ତ କହିଲି ଦୁନିଆଟା ଚୋର। ଅର୍ଥାତ୍ ଦୁନିଆରେ ସମସ୍ତେ ସିନା ଚୋର ବୋଲି ଗଣା ହେଲେ ନିଜେ ସାଧୁ ବୋଲି ପରିଚିତ ହେବ। କିନ୍ତୁ ଦୁନିଆଟା ସାଧୁ ହେଲେ ନିଜ ଚୋରି ଧରାପଡ଼ି ଯିବ ଯେ”! ମୁଁ ମୌନ ରହିଲି। ନୀରବରେ ମୁଣ୍ଡ ଟୁଙ୍ଗାରି ତାଙ୍କ କଥାରେ ହଁ ଭରିଲି। ସେ ଆହୁରି ଉତ୍ସୁକତା ଭରି କହିଲେ – ସେ କେମିତି ନିଜେ ଚୋରି କରି ଅନ୍ୟମାନଙ୍କୁ ଅତି ସହଜରେ ଫସାଇଛନ୍ତୀ।ହେଲେ ତାଙ୍କର ଏହି କୁଶଳୀ ପଣିଆ ପାଇଁ ସାଧୁ ସାଧୁ ବୋଲି ଚାରିଆଡ଼େ ଡିଣ୍ଡିମ ବାଜିଛି। ମୁଁ ବି ସାଧୁ ସାଧୁ କହି ମୁଣ୍ଡିଆ ମାରିଲି।। ସେ ସ୍ଥାନ ଛାଡ଼ି ତୁରନ୍ତ ହଟିଲି। ୟାହାପ ୟାଙ୍କ ଚାରି ଖୁରାକୁ ଜୁହାର୍।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :iwritemedia
ଗଳ୍ପ… କ୍ଷମତାର ଦୂରୁପଯୋଗ
——((((——
ଧୃତରାଷ୍ଟ୍ରଙ୍କ ଦୁର୍ଯ୍ଯୋଧନ ପୁତ୍ର। ସେଦିନ ମୁଁ ଅଫିସ କାର୍ଯ୍ୟରେ ଟିକିଏ ଅଧିକ ବ୍ୟସ୍ତ ଥିଲି। ଅଳ୍ପ ବୟସ୍କ ପିଲାଟିଏ ଆସିଲା। କହିଲା ମୁଁ ଅମୁକ ସମିତିର ସମୁକ ସଭାପତି। ସନ୍ଦେହ ହେଲା ସମ୍ପାଦକ ଙ୍କୁ ଫୋନ୍ କଲି। କହିଲେ ଇଏ ଆଜ୍ଞା ସଭାପତିଙ୍କ ପୁଅ। ତାଙ୍କ ବାପା ଅତି ଭଦ୍ର ସରଳ ଓ ଅମାୟିକ। ଇଏ କିନ୍ତୁ ବାପାଙ୍କର କ୍ଷମତା ପ୍ରୟୋଗ କରି ବଡ଼ ଜୁଲୁମ କରୁଛି। ନୀରିହ କର୍ମଚାରୀ ହନ୍ତସନ୍ତ । ପଚାରିଲେ କହୁଛି ତାଙ୍କ ବାପା ମୂର୍ଖ ଓ ଅପାରଗ। ତେଣୁ ସେ ସମ୍ପୂର୍ଣ୍ଣ ଦାୟିତ୍ଵ ନିଜେ ନେଉଛନ୍ତି।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :iwritemedia
ବାର୍ଦ୍ଧକ୍ୟର ସ୍ଵର
ସନ୍ଧ୍ୟା ହେଲେ ଆମେ ନିଶୁଆ ନଇକ୍ଷଣ ବୁଢ଼ା ପାଖରେ ବସିପଡ଼ୁ ଆଉ ସେ ଗଳ୍ପ ପେଡ଼ିରୁ ଗୋଟେ ପରେ ଗୋଟେ ଗଳ୍ପ ଖୋଲେ। ଗଳ୍ପର ଡୋର ଲମ୍ବି ଯାଏ କୁହୁକ ରାଇଜର କୁହୁକ କାହାଣୀଠାରୁ ଆରମ୍ଭ କରି ଅଗନା ଅଗିନି ବନସ୍ତର ଅସୁରୁଣୀ ବୁଢୀଯାଏ। ବୋଉ ଡାକେ – “ଖାଇବୁ ଆସେ”। କେତେବେଳେ ଯେ ନିଦ ଘୋଟି ଆସି ଆଖିର ପରଳ ପଡ଼ିଯାଏ ଜାଣିହୁଏ ନାହିଁ। ନିଦରେ ତା କଥା ଗୁଡ଼ାକ କିନ୍ତୁ ସ୍ପଷ୍ଟ ମନେ ପଡିଯାଏ, ଭୟରେ ଦେହ ହାତ ଘାରିଯାଏ। ସକାଳୁ ବିଛଣା ଛାଡିଲେ ନିତ୍ୟ ନୈମିତ୍ତିକ କାମ । ସନ୍ଧ୍ୟା ହେଲେ ପୁଣି ସେଇ ପୁରୁଣା ଅଭ୍ୟାସ, ଗଳ୍ପର ସମ୍ଭାର ।
ଗଳ୍ପ କହୁ କହୁ ବୁଢ଼ା ହୁଡ଼ି ପକାଏ – “ପାକିଲି ବୋଉ ନାଶ କରାଟଟା ଟିକିଏ ପାଖକୁ ଆଣେନି”। ପାକିଲି ବୋଉ ଚିଡି କି ହୁତାଶନ ହୁଏ। ବୁଢ଼ାର ପାଟି ଆମ୍ବିଳା ହୋଇ ରହେ। ତା ପରଠାରୁ ଆମେ ଛୁଆ ସବୁ ପାଳି କରି ବୁଢା ପାଇଁ ଦୋକ୍ତା ଆଣିଦେଉ। ବୁଢ଼ା ଦଳି ନାଶ କରି ଖାଏ। ପିଲାଏ ପହଂଚି ଗଲେ ବୃଦ୍ଧଙ୍କର ବଡ଼ ଖୁସି, ନିଜର ଏକଲାପଣ ଦୂରହୁଏ। ନୋହିଲେ କୁଆଡେ ଯାଇ ଆସି ପାରୁନଥିବା ବୁଢ଼ା ଲୋକଟି ସେଇଠି ସେମିତି କେତେ ବସିବ ଯେ! ପାଣି ମୁନ୍ଦେ ପାଇଁ ଡାକିଲେ ତ କେହି ଦିନେ କାଳେ ଶୁଣନ୍ତି ନି। ଏଇ ପିଲାମାନେ ବରଂ ତା ସାହା ଭରସା। ଦିନେ ଶୁଣିଲୁ ହେପାଜତ ଅଭାବରୁ ବୁଢ଼ାଟା ଆର ପାରିକୁ ଚାଲିଗଲା, ସେଇ ପିଣ୍ଡଟାରେ ସେମିତି ପଡ଼ି ପଡ଼ି କି।।
by ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ଚା ଖଟି
ଭାରି ଭୋକ। ଅଣ୍ଡାଳି ଅଣ୍ଡାଳି ପହଞ୍ଚିଲି ଚା ଭାଟିରେ। ସେଠି ଅନେକ ଲୋକ। ମୋ ପାଳି ପଡୁ ପଡୁ ଟିକିଏ ବିଳମ୍ବିତ। ଚାରେ ବିସ୍କୁଟ ବୁଡାଇ ଖାଉ ଖାଉ ଦୁଇ ଢୋକ ମାରି ଦେଲି। ଚା ଚାଟଶାଳୀରେ ପଢା ହେଉଥିଲା ରାଜନୀତି ବିଷୟକ ଏକ ପାଠ । ଜଣେ କହିଲେ “ଏଥର ମୋଦୀ”, ଆଉ ଜଣ କହିଲେ – “ରାହୁଲ “। ତୃତୀୟ ଜଣକ ଆମ୍ ଆଦମୀର ପ୍ରଶଂସକ। କଥା କଟାକଟି ଓ ଯୁକ୍ତିତର୍କର ନାଦ ନିନାଦିତ । ମଝିରେ ମଝିରେ ହୁଙ୍କାର ଓ ହୁଁ ହାଁର ଫୁତ୍କାର। ତେଣିକି ହାତାହାତି, ମୁଥ ମରାମରି। ନୀରବରେ ବସି ଚା ପିଉଥିବା ଭଦ୍ର ଲୋକଟି କେବଳ ଏତିକି କହିଲେ – ଆଉ କେତେଦିନ…
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ସହକର୍ମୀ
ମହିଳା ସହକର୍ମୀ ପ୍ରତି ସୋମେଶ ବେଶ୍ ସମ୍ବେଦନଶୀଳ। ତାଙ୍କର ହାନିଲାଭଠାରୁ କେମିତି ଦିନଚର୍ଯ୍ୟା ଚାଲିଛି ସବୁ କିଛି ପଚାରି ବୁଝନ୍ତି । ଆଉ ରୀତା ମଧ୍ୟ ନିଜ ଭଲମନ୍ଦକୁ ନେଇ ସୋମେଶଙ୍କ ସହ ଆଲୋଚନା କରିବାକୁ କେବେ ବି ସଙ୍କୋଚ କରନ୍ତିନି। କାରଣ ଯାହା ହେଲେ ବି ସୋମେଶ ବୟସ୍କ, ପିଲାଛୁଆଙ୍କୁ ନେଇ ତାଙ୍କର ସଂସାର । ହେଲେ ରୀତା ତାପସଙ୍କ ସହ ନିଜକୁ ଅଧିକ ସହଜ ମଣନ୍ତି। ନିଜ ମନ କଥା ଖୋଲି କହନ୍ତି। କାରଣ ଟିକିଏ ସମ ବୟସ୍କ ନା, ଖାସ୍ କରି ସେଇଥିପାଇଁ। ବେଳେବେଳେ ଖୁବ୍ ହସାହସି ହୁଅନ୍ତି ।ଉଭୟ ଉଭୟଙ୍କୁ ଦଣ୍ଡେ ଖଣ୍ଡ ଏକାଠି ପାଇଲେ ଯେମିତି ଯୁଗଯୁଗର କଥା ବଖାଣି ବସନ୍ତି। ଏଗୁଡାକ କିନ୍ତୁ ସୋମେଶଙ୍କୁ ଆଦୌ ଭଲ ଲାଗେ ନାହିଁ। ସେ ଆକଟ କରିବା ବାହାନାରେ ରଡି ଛାଡନ୍ତି। ନିଜ ସିଟ୍ ରେ ନିଜେ ବସି ରହି ନଚାକୁଦା କରନ୍ତି। ନିଜକୁ ନିଜେ ହଜାଇ ନିଜର ଠିକଣା ଖୋଜନ୍ତି।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ଅପାହିଜ
ହଟାକଟା ସଳଖ ସୁନ୍ଦର ଚଉଡା ଲୋକଟିଏ। ବସରେ ବସିଥିଲେ। ଏଇ ସମୟରେ ସ୍ତ୍ରୀ ଲୋକଟିଏ ଆସିଲେ, କହିଲେ – ମୋତେ ଟିକିଏ ସିଟ୍ ଟି ଛାଡିବେ, କାରଣ ମୁଁ ମହିଳା, ଏତିକି ଅନ୍ତତଃ ଆପଣ ତ କରି ପାରିବେ ନା! ଲୋକଟି ମନା କରିବାରୁ ସ୍ତ୍ରୀ ଲୋକଟି ଓଲଟା ଷୋଲଟା କି ଭଲ କି ଦି ପଦ ଶୁଣାଇଦେଲେ। କିଛି ସମୟ ଉପରାନ୍ତେ ଆଉ ଜଣେ ଗର୍ଭବତୀ ଆସିଲେ। ସେ ମଧ୍ଯ ସିଟ୍ ଟା ତାଙ୍କୁ ଦେବାକୁ କହିଲେ। ଯୁକ୍ତି କଲେ – “କଣ ମାନବତା ନଷ୍ଟ ହୋଇଗଲାଣି ନା କଣ, ଜଣେ ଗର୍ଭବତୀ ମହିଳାକୁ ଏ ଜଣକ ସିଟ୍ ଛାଡିବାକୁ ନାରାଜ”। ପୁଣି କିଛି ସମୟର ନୀରବତା ଆଉ ବ୍ୟବଧାନରେ ପରେ ଆଉ ଜଣେ ବୟସ୍କ ବୃଦ୍ଧ ଆସିଲେ। ସେ ମଧ୍ଯ ଯୁକ୍ତିର ଉପହାରକୁ ନେଇ ଘଟଣାକ୍ରମକୁ ଦୋହରାଇଲେ। ଲୋକଟି କିନ୍ତୁ ବୁଝିପାରୁ ନଥାଏ ତାକୁ ନେଇ କାହିଁକି ଏତେ ଷଣ୍ଢୁଆସୀ ଆକ୍ରମଣ। କଥାରେ ନଥାଏ ନା ଯିଏ ଲଙ୍କା ଆଦୌ ଖାଏ ନାହିଁ ଭୋଜି ଭାତରେ ତାହାରି ଭାଗରେ ବେଶୀ ଲଙ୍କା ପଡ଼େ। ସେହିପରି ଯିଏ ସାହାଯ୍ଯ କରିବାକୁ ଅକ୍ଷମ ତାହାରି ପାଖରୁ ସାହାଯ୍ୟ ପାଇଁ ବେଶି ଅପେକ୍ଷା ରଖାଯାଏ। ଶେଷରେ ଆସିଲେ ଦୁଇଟି ଗୋଡ ନଥିବା ଜଣେ ଅକ୍ଷମ ବ୍ୟକ୍ତି ଯାହାଙ୍କୁ ନିଜ ସିଟ୍ ଦେବା ପାଇଁ କେହି ଆଗଭର ନ ଥିଲେ। ହେଲେ ସେଇ ଲୋକଟି ଏଥର ନିଜ ସିଟ୍ ରୁ ଉଠି ଛିଡ଼ା ହେଲେ ଆଉ ଅକ୍ଳେଶରେ ସେଇ ସିଟ୍ ରେ ବସିବାକୁ ଅକ୍ଷମ ବ୍ୟକ୍ତି ଜଣଙ୍କୁ ଇଙ୍ଗିତ କଲେ। ଏତେବେଳେ ସମସ୍ତେ ଦେଖିଥିଲେ ଯେ ସେଇ ସିଟ୍ ଦେଇଥିବା ଲୋକଟି ଅପାହିଜ, ତା’ର ଗୋଟେ ଗୋଡ଼ ନାହିଁ ସଳଖି ଛିଡା ହେବା ପାଇଁ। ଏତେବେଳେ ତାଙ୍କୁ ପୂର୍ବରୁ ଆକ୍ଷେପ କରୁଥିବା ସେଇ ସହହୃଦୟ ବ୍ୟକ୍ତିବୃନ୍ଦ ମଧ୍ୟରୁ କେହି ତ ତାଙ୍କୁ ନିଜ ତରଫରୁ ସିଟ୍ ଟେ ଯାଚିଲେ ନାହିଁ। ହେଲେ ପରିସ୍ଥିତିକୁ ନ ବୁଝି ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଆମ ସଭ୍ୟତାର ମାପକାଠି।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ଟୁଆଁ ଟୁଇଁ
ଗୋଟେ ଟୁଆଁ ଥିଲା, ଆଉ ଗୋଟେ ଟୁଇଁ । ଜଣେ ଯାହା କହେ ଆଉ ଜଣେ ତା’କଥାରେ ହଁ ମାରେ। ଜଣେ ପାଳିଆ ଆଉ ଜଣେ ଶ୍ରୀପାଳିଆ। ଏହି କ୍ରମରେ ଜଣକର ଅନ୍ୟ ଜଣଙ୍କ ପ୍ରତି ଖୁବ୍ ଆନୁଗତ୍ୟ। ରୋଷେଇ ପତ୍ର ହେଉ ବା ଅନ୍ୟ କେଉଁ କାମରେ ପ୍ରତ୍ୟେକ ପରସ୍ପରର ବେଶ୍ ସହଯୋଗୀ।ମରଣ ଯନ୍ତାକୁ ଜଣେ ଅନ୍ୟ ଜଣଙ୍କ ପାଇଁ ଡେଇଁପଡ଼ିବ ସିନା ହେଲେ ବାଘ ମୁହଁକୁ ତାକୁ ଠେଲି ଦେଇ ନିଜ ରକ୍ଷଣ କଥା ସେ କେବେ ବି ଭାବି ପାରେ ନାହିଁ। ବୁଦ୍ଧି ତ ଅନୁକୋଟି। ତେଣୁ ମିଳିମିଶି ଉପାୟ ଚିନ୍ତନ୍ତି,ତହୁଁ ନିସ୍କୃତିର ମାର୍ଗ ଆପଣାଛାଏଁ ବାହାରି ଆସେ। ବନ୍ଧୁତା ଏକା ସିନା ଜାଣେ ବନ୍ଧୁତ୍ୱର ମହତ୍ତ୍ଵ, ଆଉ କିଏ କାହୁଁ ବୁଝିବ, ବୁଝିବା ବା କ’ଣ ଦରକାର । ସେଇ ଏକା ବନ୍ଧୁ ସବୁଠାରୁ ପ୍ରିୟ ବନ୍ଧୁ ।
ଏ କଥା ମୋ ପାଟିରୁ ଝରି ପଡୁଥିଲା ଯେତେବେଳେ ମୃତ୍ୟୁଞ୍ଜୟ ଓ ଅଭିଳାଷ ପରସ୍ପର ଲଢୁଥିଲେ ନିଜ ହକ୍ ଓ ଅଧିକାରକୁ ନେଇ ଯହିଁରୁ ଉତ୍ପନ୍ନ ବିରାଟ ବାକ୍ ବିତଣ୍ଡା । ଏତେବେଳକୁ ଦୁଇ ଜଣଙ୍କ ମୁହଁ ତଳକୁ ହୋଇଗଲା। ପରଷ୍ପରକୁ କୋଳାଗ୍ରତ କରି କେଯାଏଁ କାନ୍ଦି ଉଠିଲେ କଇଁ କଇଁ ହୋଇ।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ଝରକା ସେପାରିର ଝିଅଟା
ମୁଁ ଥରେ ରାସ୍ତା କଡ଼ ଚା ଦୋକାନରେ ଚା ପିଉଥାଏ। ହଠାତ୍ ଦେଖିଲି ଝରକା ସେପାରିରେ ଝିଅଟିଏ ବାରମ୍ବାର ରାସ୍ତାକୁ ଚାହୁଁଥାଏ। ରାସ୍ତାର ଗାଡି ମୋଟର ଶବ୍ଦକୁ କାନଉ ଥାଏ। ଭେଁ ଭାଁ ରଡିରେ ବେଳେବେଳେ ଶିହରୀ ଉଠୁଥାଏ। ବେଳେ ବି ଉନ୍ମାଦିତ ହୋଇଯାଉଥାଏ। ପୁଣି ମୁଚୁମୁଚୁ ହସୁଥାଏ।ସେଇଦିନୁ ତା ପ୍ରତି କଣ ଏମିତି ଆକର୍ଷଣ ହେଲା କେଜାଣି ମୁଁ ପ୍ରତ୍ୟହ ସେଇ ଏକା ସମୟରେ ସେଇଠି ସେମିତି ଚା ପିଏ ଆଉ ସେ ମୋତେ ଦେଖେ। ମୋତେ ଲାଗେ ତାହାର ବି ମୋ ପ୍ରତି ଆକର୍ଷଣ ଆସି ଯାଇଥିବ ଆଉ ସେ ମୋତେ ଦେଖି ଖୁସି ହୁଏ। ମୁଁ ତାକୁ ଆଖିରେ ଆଖିରେ କେତେ ଇସାରା କରେ ଆଉ ସେ ଫିସିଫିସି ହସିଦିଏ। ମୁଁ ଖୁବ୍ ଉଲ୍ଲସିତ ହୁଏ। ଭାବେ କେବେ ସୁବିଧା ସୁଯୋଗ ପାଇଲେ ମୋ ପ୍ରେମ ତାକୁ ଖୋଲି କି କହନ୍ତି। ହେଲେ ମୋ ପ୍ରତୀକ୍ଷାର ଅନ୍ତ ଘଟୁ ନଥାଏ କି ସେ କେବେ ତଳକୁ ଓହ୍ଲେଇ ଆସୁ ନଥାଏ। ମୁଁ କିନ୍ତୁ ପ୍ରଣ କରିଥାଏ ମୋ ମନ କଥା ଯେମିତି ହେଲେ ତାକୁ ଦିନେ ନିଶ୍ଚେ କହିବି। ତେଣୁ ତ ସବୁଦିନେ ଏଇଠିକୁ ଆସେ। ଦିନେ ମୋ ଭାଗ୍ୟରେ ସୁଯୋଗ ଜୁଟିଲା। ସେ ତା ମାଆର ହାତ ଧରି ତଳକୁ ଓହ୍ଲେଇଲା ଓ ନିମିଷକେ ଗାଡିରେ ବସି କେଉଁଆଡ଼େ ଉଭାନ ହୋଇଗଲା। ହେଲେ ସେ ଖୁବ୍ ରୂପବତୀ ଓ ପୂର୍ଣ୍ଣ ଯୌବନା। ପୋଷାକ ପରିଚ୍ଛେଦ ଭିତରେ ବି ତାର ଅଙ୍ଗ ସୌଷ୍ଠବ ବେଶ୍ ପରିସ୍ଫୁଟ ହୋଇ ଉଦ୍ଭାସିତ ହେଉଥାଏ। ମୁଁ ବିମୋହିତ ହୋଇ ଭାବନାରେ ବହରି ଯାଉଥିଲି। ମୋତେ ତ ଲାଗିଲା ସେ ଚାଲିଗଲା ବେଳେ ମୋରି ଆଡକୁ ଚାହିଁ ରହି ଯେମିତି କିଛି ଇଙ୍ଗିତ କରି ଚାଲିଗଲା। ମୋ ବ୍ୟସ୍ତତା ଓ ଆନମନା ଦେଖି ଚା ଦୋକାନୀ କହିଲା – ବାବୁ! ତୁମେ କାହାକୁ ଦେଖି ଏମିତି ବାୟା ହେଉଛ? ସେ ଝିଅ କେବେ ବି ତୁମକୁ ଦେଖି ନାହିଁ କି ଆଖିରେ କିଛି ଇସାରା କରି ନାହିଁ। ଏ ସବୁ ତୁମ ମନର ଭ୍ରମ। ସେ ତ ରାସ୍ତାକୁ ନିଇତି ଦେଖେ ଓ ଏ କୋଳାହଳ ପୂର୍ଣ୍ଣ ମଣିଷକୁ କେବଳ ଶୁଣେ। କାରଣ ଦୃଷ୍ଟି ଶକ୍ତି ହରେଇ ଥିବା ସେ ଜଣେ ଅନ୍ଧୁଣୀ।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ଇଏ ବି ଗୋଟେ ସଭାପତି
ସେଦିନ ମୁଁ ଅଫିସ କାର୍ଯ୍ୟରେ ଟିକିଏ ଅଧିକ ବ୍ୟସ୍ତ ଥିଲି। ଅଳ୍ପ ବୟସ୍କ ପିଲାଟିଏ ଆସିଲା। କହିଲା ମୁଁ ଅମୁକ ସମିତିର ସମୁକ ସଭାପତି। ସନ୍ଦେହ ହେଲା ସମ୍ପାଦକ ଙ୍କୁ ଫୋନ୍ କଲି। କହିଲେ ଇଏ ଆଜ୍ଞା ସଭାପତିଙ୍କ ପୁଅ। ତାଙ୍କ ବାପା ଅତି ଭଦ୍ର ସରଳ ଓ ଅମାୟିକ। ଇଏ କିନ୍ତୁ ବାପାଙ୍କର କ୍ଷମତା ପ୍ରୟୋଗ କରି ବଡ଼ ଜୁଲୁମ କରୁଛି। ନୀରିହ କର୍ମଚାରୀ ହନ୍ତସନ୍ତ । ପଚାରିଲେ କହୁଛି ତାଙ୍କ ବାପା ମୂର୍ଖ ଓ ଅପାରଗ। ତେଣୁ ସେ ସମ୍ପୂର୍ଣ୍ଣ ଦାୟିତ୍ଵ ନିଜେ ନେଉଛନ୍ତି।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ଏକା ଠିକଣାର ଦୁଇଟା ଅଲଗା ମଣିଷ
ଟ୍ରେନରେ ଦୂର ଜାଗାକୁ ଯାତ୍ରା କରୁଥାନ୍ତି ମନ ମୋହନ ସିଂହ। ସେଇ ଟ୍ରେନରେ ଆହୁରି ଅନେକ ସହଯାତ୍ରୀ ମଧ୍ୟ ଯାତ୍ରା କରୁଥାନ୍ତି, ହେଲେ ସମସ୍ତେ ନୀରବ। ନୀରବ ରହିବେ ବୋଲି ଆଉ କେତେ ଯେ ନୀରବ ରହିବେ। ଏଥର ମନ ମୋହନ ପାଟି ଖୋଲିଲେ। ସେ ସାମ୍ନା ସିଟ୍ ରେ ବସିଥିବା ସହଯାତ୍ରୀଙ୍କୁ ପ୍ରଶ୍ନ ବାଢିଲେ -” ଆପଣଙ୍କ ନାଁ କଣ? ଆପଣଙ୍କ ଘର କେଉଁଠି “? ସହ ଯାତ୍ରୀଜଣଙ୍କ କହିଲେ – “ମୋ ନାଁ ମଦନ ମୋହନ ସିଂହ। ମୋ ଘର ଓଡ଼ିଶାର ଭୁବନେଶ୍ଵର ସହରରେ” । “ଭୁବନେଶ୍ବର ସହରରେ” କଥା ଶୁଣି ମନ ମୋହନ ଯେମିତି ଅଧିକ ଉତ୍ସାହିତ ହୋଇ ପଡିଲେ। କହିଲେ-“ମୋ ଘର ବି ଭୁବନେଶ୍ବର ସହରରେ। ହେଲେ ଭୁବନେଶ୍ବର ସହରର ଆପଣଙ୍କ ଘର କେଉଁଠି କହୁ ନାହାନ୍ତି? ମଦନ ମୋହନ କହିଲେ – ଭୁବନେଶ୍ବରର ଡୁମୁଡୁମା ଅଞ୍ଚଳରେ ଲେନ ନ-୫।ମନ ମୋହନ କହିଲେ-” ଆରେ! ମୁଁ ବି ତ ସେଇ ଲେନ ନ-୫ରେ ରହୁଛି। ହେଲେ ପ୍ଲଟ ନ – କେତେ କହିଲେ” ? ମଦନମୋହନ କହିଲେ – ମୁଁ ତ ପ୍ଲଟ ନ – 154 ରେ ରହୁଛି, ହେଲେ ଆପଣ ଆଉ ଆପଣଙ୍କ ପୁଅ ନାଁ କଣ ” ?ମନ ମୋହନ କହିଲେ ମୁଁ ବି ଆଜ୍ଞା ସେଇ 154 no ପ୍ଲଟ ଉପରେ ଗଢା ହୋଇଥିବା ଫ୍ଲାଟ୍ ରେ ରହୁଛି, ମୋ ପୁଅ ନାଁ ମାନିକ। ପାଖ ସିଟ୍ ରେ ବସିଥିବା ତୃତୀୟ ସହ ଯାତ୍ରୀଟି ଏ ସବୁ କଥୋପକଥନ ଶୁଣି ଯେପରି ଉତ୍କ୍ଷିପ୍ତ ହୋଇ ଉଠୁଥାନ୍ତି ଆଉ ତାଚ୍ଛଲ୍ୟ ଭରା କଣ୍ଠରେ ଏଣୁତେଣୁ ଗପି ଯାଉଥାନ୍ତି। କାରଣ ସେ ଜଣେ ସମାଜ ତତ୍ତ୍ଵବିତ ପ୍ରୋଫେସର ଚୌଧୁରୀ ନା ଖାସ୍ ସେଇଥିପାଇଁ। ତାଙ୍କର କହିବା କଥା ହେଉଛି – “ଏମାନେ ଦୁଇ ଜଣଯାକ ଏକା କଲୋନୀରେ ଓ ଏକା ଲେନରେ ରହୁଛନ୍ତି ହେଲେ କେହି କାହାକୁ ଚିହ୍ନୁ ନାହାନ୍ତି କିପରି? ତେଣୁ ତାଙ୍କର ଲମ୍ବା ଭାଷଣ – ଏମାନବ ସମାଜ ସତେ କଣ ନହେଲା, ପଡ଼ିଶା ପଣିଆ ବୁଡ଼ାଇ ଖାଇଲା। ମନମୋହନ ଦଣ୍ଡେ ସହଯାତ୍ରୀଙ୍କୁ ଚାହିଁଲେ ଆଉ ହସ ଚାପି ନ ପାରି କୁରୁଳି ଉଠିଲେ। ଏଥର ଉଭୟ ଠୋ ଠୋ ହୋଇ ହସି ଉଠିଲେ ଆଉ ପାଳି ଧରିଲେ ଅନ୍ୟ ସମସ୍ତେ ଉପସ୍ଥିତ ଜନତା। ଏକ ସୁନ୍ଦର ହାସ୍ୟରୋଳ ସ୍ରୁଷ୍ଟି ହୋଇ ପରିବେଶକୁ ସୁନ୍ଦର ସୁଠାମ କରି ଗଢି ତୋଳିଲା।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ତଣ୍ଟି କଟା ଚୋର
ଧନୀ ହେବା ପାଇଁ ଗୋଟେ ପ୍ରତିଯୋଗୀତା। କିଏ ବା ନ ଚାହେଁ ଧନୀ ହେବାକୁ। କାରଣ ଧନୀ ହେଲେ ପରା ସବୁ ଜିନିଷ ଅନାୟାସରେ ମିଳିପାରେ। କିନ୍ତୁ ଏଥିପାଇ ଆୟସସାଧ୍ଯ କଷ୍ଟ ଉଠେଇବା ଦରକାର। ନିଷ୍ଠାପର ଉଦ୍ୟମ ଓ ପ୍ରୟାସଶୀଳ ପ୍ରଯତ୍ନ ଆବଶ୍ୟକ। ହେଲେ ଧନୀ ହେବା ଚକ୍କରରେ ଅନ୍ୟର ଛାତି ଉପରେ ଗୋଡ଼ ଥୋଇ ଉପରକୁ ଉଠିବା ତ ଉପରକୁ ଉଠିବା ନୂହେଁ ନା!
ହେଲେ ତଣ୍ଟି କଟା ଚୋର କଣ ଏ କଥା କେବେ ଭାବେ? ସେ ତ ଧନୀ ହେବା ପାଇଁ ଲୋକଙ୍କର ଗଳା ବି ଅକ୍ଳେଶରେ କାଟି ଦେଇପାରେ।ସେଦିନ ରାବଣା, ମଣ୍ଟୁ ଓ ଚେମା ସାଙ୍ଗରେ ମିଶି କେତନ ବାବୁଙ୍କ ଘରେ କଳାକନା ବୁଲାଇଦେଲେ। ଅନେକ ଧନ ସମ୍ପତ୍ତି ସହିତ ପୁଳା ପୁଳା ଟଙ୍କା ଓ କେଜି କେଜି ସୁନାରୂପା – ସବୁ ଲୁଟିଲେ। ମାତ୍ର ସେୟାକୁ ନେଇ ଭାଗ ବଣ୍ଟାରୁ କଳି ଉତ୍ପନ୍ନ ହେଲା। ଫଳରେ ରାବଣା ମଣ୍ଟୁର ତଣ୍ଟି କାଟିଦେଲା। ଏଥିରେ ଡରି ଯାଇ ଚେମା ଦୌଡ଼ି ପଳାଇଲା। ଶେଷରେ ପୋଲିସ୍ ରେ ଯାଇ ସବୁ ସତ କଥା କହିଦେଲା। ରାବଣା ପାନେ ପାଇଲା, ଜେଲରେ ଯାଇ ଚକ୍କି ପେଶିଲା। ଭଲମନ୍ଦର ବିଚାର ନ ରହିଲେ ଏମିତି ପରିଣତି କି ହୁଏ?
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ସୁର ଭାଇଙ୍କ ତେଜରାତି ଦୋକାନ
—–///—–
ସୁର ଭାଇଙ୍କ ତେଜରାତି ଦୋକାନ ଆଗେ ସନ୍ଧ୍ୟା ହେଲେ ଖଟି। ପାଞ୍ଚ ସାତୋଟି ଯୁବକ ଅଛନ୍ତି ସେମାନେ ଯେମିତି ହେଲେ ସେ ଖଟିକୁ ଆସନ୍ତି। ତା ଭିତରେ ଆମ କଲୋନୀ ପିଲା ମଙ୍ଗୁ, ଟୁଙ୍ଗୁରୁ ମଧ୍ୟ ଦେଖାଯାଆନ୍ତି। ଦୋକାନଟି ଅହରହ ଭିଡ଼ ରହେ। ବହୁ ଲୋକ ସେଠୁ ସୌଦା ଖାଆନ୍ତି।ସମସ୍ତଙ୍କର ଗୋଟେ ଭରସା ସୁର ଭାଇ ଉଚିତ୍ ଦାମ୍ ନିଅନ୍ତି। ତେଣୁ ଲୋକ ସମାଗମ ବଢ଼େ। ହେଲେ ମୁଁ ବୁଝିପାରେ ନାହିଁ ଏଇ ଦଳକ ଟୋକା ସେଠି ସବୁବେଳେ କ’ଣ କରନ୍ତି। ମୁଁ ବେଳେବେଳେ ସେମାନଙ୍କୁ ଅନୁଧ୍ୟାନ କରେ। ସେମାନେ ଦୋକାନଠାରୁ ସାମାନ୍ୟ ବ୍ୟବଧାନ ଗଢି ଟିକିଏ ଆଢୁଆଳରେ ଖଟି ଜମାନ୍ତି ଯେମିତି ଗରାଖ ପାଇଁ କିଛି ଅସୁବିଧା ନ ହୁଏ, ନୋହିଲେ ସୁର ଭାଇ ରାଗିଯିବେ ବୋଲି ତାଙ୍କର ମଧ୍ୟ ଭୟ ରହୁଥାଏ। ସେଠି ସେମାନେ ମୋଟର ସାଇକେଲ ଗୋଟେ ଦୁଇଟାକୁ ପାଖାପାଖି ରଖି ଏକ ରକମର ଗୋଟେ ଅସ୍ଥାୟୀ ଟେବୁଲ ବନେଇ ଥାଆନ୍ତି। ତା ଉପରେ ବଡ଼ ମୋବାଇଲ୍ ଫୋନ୍ ବା ଟ୍ୟାବ ରଖି ସେମାନେ ଅନଲାଇନ୍ ରେ ଲୁଡୋ ଖେଳନ୍ତି। ମଝିରେ ମଝିରେ ଦୌଡ଼ି ଆସି ଦୋକାନରୁ ସିଗାରେଟ୍ ଗୁଟଖା ଖାଆନ୍ତି। ପୁଣି କେତେବେଳେ ପାଣି ବୋତଲ କିଣି ନେଇ ପିଅନ୍ତି ନ ହେଲେ କିଛି ନୁଡୁଲସ ବା ସ୍ନାକ୍ସ । ଫୋନ୍ ପେ ରେ ଖୁଚୁରୁ ଖୁଚୁରୁ କରି ଦଶ ଥରକି ଗୋଟେ ଷ୍ଟାଇଲରେ ପାଉଣା ଭରନ୍ତି, ସତେ ଯେମିତି ଭାରି ରୋଜଗାରିଆ ବୋଲି ଅନ୍ୟ ମାନଙ୍କୁ ପ୍ରତୀତ ହୁଏ । ହେଲେ ବୁଝୁ ବୁଝୁ ଏଗୁଡ଼ାକ ସବୁ ବେକାରୀ। କର୍ମସଂସ୍ଥାନ ଅଭାବରୁ ଏମାନେ ବାପ ପଇସାକୁ ଏମିତି ତୁଷାରପାତ କରୁଛନ୍ତି। ଏମାନଙ୍କର ଆରଟା ମଧ୍ୟ ଚଳେ। ମାନେ ଧଳା ଜହର ମ! ବେରୋଜଗାରୀ ମଣିଷକୁ ଖାଇଲା। ବେକାରୀ ସମସ୍ୟାର ଉତ୍ପୀଡ଼ନରେ ଅତିଷ୍ଠ ଆଜି ପଥହରା ବେପଥରେ ଯୁବ ସମାଜ।ହେଲେ ଏ ମାନବ ସମାଜ ସୁରକ୍ଷିତ ହୋଇ ରହିବ ତ?ବିଗିଡ଼ି ଯାଇଥିବା ଆମ କଲୋନୀର ମଣ୍ଟୁ ଆଉ ଟୁଙ୍ଗୁରୁ ପୁଣି ମୁଖ୍ୟ ସ୍ରୋତକୁ ଫେରିବେ ତ? ସାମାଜିକ କୁପ୍ରଭାବରେ ବଶବର୍ତ୍ତୀ ହୋଇ ଜୀବନରେ ଏମାନେ ଆଉ କିଛି ବଡ଼ ଭୁଲ କରିବେ ନାହିଁ ତ? ଯଦି ଚୋରି, ରାହାଜନୀ ଗୁଣ୍ଡାମି ପରି ଆଉ କିଛି ଆଦତ (ଅଭ୍ୟାସ)ଏମାନଙ୍କର ବଢି ଗଲା ତେବେ କ’ଣ ହେବ ସଂହତିପୂର୍ଣ୍ଣ ଆମ ଭାଇଚାରା ସମାଜର? ଏମିତି କିଛି ଭାବାନ୍ତର ନେଇ ସେଦିନ ଘରକୁ ଫେରିଲି । ଭାରି ମନସ୍ତାପରେ ହେଲା ।
By ସତ୍ୟ ପ୍ରକାଶ ସେଠୀ
ଛକ ଜାଗା
ଆମ କଲୋନୀରେ ଗୋଟେ ଛକ ଜାଗା ଅଛି ଯେଉଁଠି ଏକମାତ୍ର ଦୋକାନଟିଏ ଥାଏ । ଯାହା ଥ୍ରୀ ଇନ୍ ୱାନ୍ ଅର୍ଥାତ୍ ତେଜରାତି ଜିନିଷଠାରୁ ଆରମ୍ଭ କରି ଚା ଓ ପାନ ଗୁଟଖା ବି ମିଳେ।ଯେହେତୁ ଦୋକାନଟି କଲୋନୀ ଭିତରେ ସ୍ତ୍ରୀ ଛୁଆପିଲା ଯାଇ ସୌଦା ଧରି ଆସନ୍ତି। ସନ୍ଧ୍ୟା ହେଲେ ଏଠି କିନ୍ତୁ ଖଟି ଜମେ। ଖଟିର ସଦସ୍ୟ କିଏ କି, ସଦସ୍ୟ ହେଲେ କର୍ମଜିବୀ ଯେଉଁମାନେ କି ଅଫିସ ଜଞ୍ଜାଳ ସାରି ଘରକୁ ଫେରିଥାନ୍ତି ଓ ଆଉ କିଛି ଚାକିରିରୁ ଅବସର ନେଇଥିବା ଅବସରପ୍ରାପ୍ତ କର୍ମଚାରୀ। ଏମାନଙ୍କ ଭିତରେ ଜେ. ଇ. ବେହେରା ବାବୁ, ଅବସରପ୍ରାପ୍ତ ସୈନିକ ଜେନା ବାବୁ ଫାର୍ମାସିଷ୍ଟ ନାଥ ବାବୁ ଇଲେକ୍ଟ୍ରିସିଆନ ଦାସ ବାବୁ, ଭୋଇ ମଉସା, ଗ୍ରାମ ସେବକ ଶ୍ରୀକାନ୍ତ ବାବୁ, ଶିକ୍ଷକ ବିଦ୍ୟାଧର ବାବୁ ତଥା ପଣ୍ଡା ବାବୁ ଏମିତି ଅନେକ ଥାଆନ୍ତି। ଏଠି ଟିକିଏ ଗପସପ ମାହୋଲ ଅଲଗା। ଯେହେତୁ ଅଧିକାଂଶ ବୟସ୍କ ଓ ଶିକ୍ଷିତ ତେଣୁ ଭାରି ବୌଦ୍ଧିକ ବିଚାର ହୁଏ। ରାଜନୀତିଠାରୁ ଆରମ୍ଭ କରି ସମାଜ ନୀତି, ଅର୍ଥନୀତି ଯାଏ ପୁଣି ସଂସାରର ନୀତିଗତି ଓ ନୈତିକ ମୂଲ୍ୟବୋଧ- ସବୁ ଆଲୋଚନା ଏଠି ହୁଏ। ଜଣେ ଦୁଇ ଜଣ ପ୍ରବଚନ ଦିଅନ୍ତି ଓ ଅନ୍ୟମାନେ ପାଳି ଧରନ୍ତି। ଅନେକ ଯୁକ୍ତିତର୍କ ଓ କଥା କଟାକଟି ପରେ ଶେଷରେ ଗୋଟେ ନିଷ୍କର୍ଷ ବାହାରେ। ତେଣିକି ସମସ୍ତେ ଘରକୁ ଫେରନ୍ତି ପୁଣି ପରଦିନ ସେଇ ସମାନ ଘଟଣାକ୍ରମ।
ଏଥିରେ କାହାରି କିଛି କ୍ଷତି ହୁଏ ନାହିଁ। ନିରୋଳା ଓ ବଳକା ସମୟତକ ଅତିବାହିତ କରିବା ପାଇଁ ବୟସ୍କମାନଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ମାଧ୍ୟମ। ହେଲେ ସରକାର ଯଦି ପ୍ରତି କଲୋନୀରେ recreational club ଟିଏ ଗଢନ୍ତେ ଅତି କମରେ ଗୋଡ଼ଥାପି ଓ ଗାଣ୍ଡି ମାଡ଼ି ବସିବା ପାଇଁ ଏମାନେ ତ ଜାଗା ଖଣ୍ଡେ ପାଇଯାଆନ୍ତେ। ବୟସ୍କ ମାନଙ୍କର ଅବସର ବିନୋଦନ ପାଇଁ କ’ଣ ଆମର କିଛି ବୋଲି କିଛି କର୍ତ୍ତବ୍ଯ ନାହିଁ?
By ସତ୍ୟ ପ୍ରକାଶ ସେଠୀ
ସୁବୁଦ୍ଧି ଦିଅନ୍ତେ ନି
ନିରୁଟା ଭାରି ଅଡୁଆ ପିଲା। ସମସ୍ତଙ୍କର କ୍ଷୁଣ ବାହାର କରିବା ତା କାମ। ମଣିଷର ଭଲମନ୍ଦ ଉଭୟ ଗୁଣ ରହିବ ହିଁ ରହିବ, କାରଣ ସେ ତ ଆଉ ଭଗବାନ ନୁହଁ ନା! ତେବେ ତା’ର ଖରାପଟା ନ ଦେଖି ଭଲଟା ଦେଖିଲେ କ୍ଷତି କ’ଣ? ହେଲେ ନିରୁ ବାବୁ ଦ୍ଵାରା ସେ କଥା ହେବ ନାହିଁ। ସେ ପରା ଦ୍ଵେଷଦର୍ଶୀ ଏକା ଆଖିଆ ଅସୁର ଗୁରୁ କଣା ଶୁକ୍ରାଚାର୍ଯ୍ୟ। ସେ ତ ଆଉ ଦେବଗୁରୁ ବୃହସ୍ପତି ନୁହଁନ୍ତି ନା ଯିଏକି ପ୍ରାଣୀର ଭଲମନ୍ଦ ଉଭୟ ବିଚାରି ସଠିକ୍ ନିର୍ଣ୍ଣୟ ନେବେ। ଇଏ ବା ବୌଦ୍ଧିକ ବିଚାର ଓ ଜ୍ଞାନରେ ଗରୀୟସି ମହାମହିମ ଆମ ନିରୁ ବାବୁ ଯିଏ କି ଅନ୍ୟର ଖାମିଆ ଦେଖି ଭଲ ଭାଷଣ ଝାଡ଼ନ୍ତି।
ସତରେ ଇର୍ଷା ପରାୟଣ ମଣିଷ କାଠର ଚଷମା ପିନ୍ଧି ଦୁନିଆକୁ ଦେଖେ। ଏତେବେଳେ ଭଲ ଜିନିଷ ତାକୁ ଭେଲ ଦେଖାଯିବା ସ୍ୱାଭାବିକ। ଦୁନିଆରେ ଅନେକ ଲୋକ ଅଛନ୍ତି, ଯିଏ କି ପ୍ରତିଷ୍ଠିତ ଓ ନିଜକୁ ସ୍ଥାପନ କରି ପାରିଛନ୍ତି। ହେଲେ ଇର୍ଷା ପରାୟଣ ମଣିଷ ସେମାନଙ୍କୁ ଦେଖେ ନାହିଁ, କାହିଁକି ନା ତା ଦୁନିଆ ବହୁତ ଛୋଟ। ସଂକୀର୍ଣ୍ଣତା ଭିତରେ ସେ ଫସିଥାଏ। ବାହାର ଦୁନିଆକୁ ଦେଖିବାର ସୌଭାଗ୍ୟ ତା ଜୀବନରେ ଜୁଟୁଥିଲେ ମଧ୍ୟ ସେ ତାହାକୁ ଅଣଦେଖା କରେ ବା ପ୍ରସାରିତ ଦୃଷ୍ଟିଭଙ୍ଗୀ ନେଇ ସେ ସବୁକୁ ଦେଖିବାର କଳା ପାଟବତା ସେ ହରେଇ ବସିଥାଏ। ସେ କେବଳ ଦେଖେ ତା ଚାରିପଟେ ଅହରହ ଘୂରି ବୁଲୁଥିବା ଚରିତ୍ରମାନଙ୍କୁ ଯେଉଁମାନଙ୍କ ସହ ସେ ସଦା ସର୍ବଦା ମିଶୁଥାଏ ଓ ଘନିଷ୍ଠତା ବଢାଇଥାଏ। ନିଜର ପଡ଼ିଶା, ସହକର୍ମୀ ତଥା ବନ୍ଧୁ ବାନ୍ଧବ। ଏମାନଙ୍କ ସହ ସେ ଅହରହ ନିଜକୁ ନେଇ ତଉଲି ଥାଏ। କାହାରି ଭଲ ବା ବଡ଼ପଣକୁ ସେ ସହଜରେ ସହ୍ୟ କରିପାରେ ନାହିଁ। କାରଣ ଠେକୁଆ ଦୌଡ଼ିଦୌଡ଼ି କୋଉଠିକି, ସେଇ ସିଝୁମୁଣ୍ଡାକୁ। ଅସୂୟା ପରୋପବେଶ ହୋଇ ସେ ଅନ୍ୟକୁ କଟାକ୍ଷ କରେ।
ନିରୁ ବାବୁଟା ବଡ଼ ଘମଣ୍ଡ ଲୋକଟା। ନା ତା’ର ପଡ଼ିଶାଙ୍କ ସଙ୍ଗେ କାହା ସହ ଭଲ ଅଛି ନା ଅଫିସରେ। କେହି ତା ଦୃଷ୍ଟିରେ ଭଲ ନୁହଁନ୍ତି, ତା ଈଶ୍ୱରଙ୍କ ଦୃଷ୍ଟିରେ କେବଳ ସେଇ ଏକା ଉତ୍କୃଷ୍ଟ ଜନ।
ସେଦିନ ତାଙ୍କ ଅଫିସର ଜଣେ ସହକର୍ମୀ ଦେଖା ହୋଇଗଲେ। ସେ ଏମିତି ତାଙ୍କ ଗୁଣଗ୍ରାମ ଗାନ କଲେ ଯେ ସେଗୁଡିକ ନ କହିଲେ ଭଲ। ସହଜେ ତ ମୁଁ ତାଙ୍କ ପଡ଼ିଶା, ନିଇତି ତାଙ୍କ କଷଣ ସହେ। ଲୋକଟାକୁ ଭଗବାନ ଟିକିଏ ସୁବୁଦ୍ଧି ଦିଅନ୍ତେ ନି, ଯେମନ୍ତ ସେ କେବଳ ନିଜ କଥା ଚିନ୍ତା କରନ୍ତେ
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ଠିକା ନିଯୁକ୍ତି ଆଉ କେତେଦିନ
ବାବୁ ରାଣାଙ୍କ ପାଠପଢା ସରିଗଲା। ଏବେ ଚାକିରି ଖୋଜା ଓ ଜୀବନ ସଙ୍ଗିନୀ ଚୟନ । ଚାକିରି ପାଇଁ ବି ଖୁବ୍ ପଢ଼ିବାକୁ ହେଲା। ଦିନରାତି ଏକାକାର ହୋଇଗଲା। ଅନ୍ୟ ସାଙ୍ଗମାନେ ଯେତେବେଳେ ଆଗକୁ ବଢ଼ିଗଲେଣି। ନିଜକୁ ସେମାନଙ୍କ ପିଛା କରିବାକୁ ପଡିବ ନା! ନୋହିଲେ ବହୁ ପଛରେ ରହିଯିବାକୁ ହେବ ଯେ! ସେଇ ବନ୍ଧୁମାନଙ୍କ ସହ ଆଉ ମୁହଁ ମେଳେଇ କଥା ହୋଇ ହେବ ନାହିଁ। ଏମିତି ଭାବ ଓ ଭାବାନ୍ତର ଭିତରେ ବାବୁ ରାଣାଙ୍କୁ ଖୁବ୍ ପରିଶ୍ରମ କରିବାକୁ ହେଲା। ଫଳ ଆଶାନୁରୂପ ନହେଲେ ବି ଟେକ୍ସଟାଇଲ ଇନସପେକ୍ଟର ଚାକିରି ଖଣ୍ଡେ ମିଳିଲା। ଏଣିକି ମନରେ ଟିକିଏ ଶୁକୁନ – “ଯାହାହେଉ ସାଙ୍ଗସାଥି ଆଉ କେହି କହିପାରିବେ ନାହିଁ ଯେ ମୁଁ ଜଣେ ବେକାରୀ “। ବାପା ମାଆଙ୍କ ମନରେ ଗୋଟେ ଖୁସି ଯେ – “ପୁଅ ଆମର ଚାକିରି ଖୋଜୁଖୋଜୁ ତିରିଶ ବର୍ଷ ଧରିଲା” । ଏଣିକି ତା ପାଇଁ କନ୍ୟାଘର ଖୋଜିବେ। ହେଲେ ପୁଅର ଦରମା ମିଳିଲା ବେଳକୁ ମାତ୍ର ଷୋହଳ ହଜାର, ଯେଉଁଠି କି ତାହାରି ବୟସ୍କ ସହକର୍ମୀ (colleagues) ମାନେ ପାଉଛନ୍ତି ୮୦୦୦୦। ବାବୁ ରାଣାଙ୍କ ଅନ୍ୟ ସାଙ୍ଗମାନେ ଯେଉଁମାନେ ସଫ୍ଟୱେୟାର୍ କ୍ଷେତ୍ରରେ ଚାକିରି କରିଛନ୍ତି ସେମାନଙ୍କ ମଧ୍ଯ ଦରମା ଆକାଶ ଛୁଆଁ।ପଚାରିଲେ କହନ୍ତି – “ମୋର ଦରମା ୧୨.୫,୨୦ଏଲ୍” ଏମିତି କିଛି। ତେଣୁ ସେମାନଙ୍କ ପାଇଁ କିଛି ଅଡ଼ୁଆ ନାହିଁ। ହେଲେ ଏ ଦଳିଆଙ୍କ ବିବାହ ପ୍ରସ୍ତାବ ପକାଇବାକୁ ଟିକିଏ ଅଡ଼ୁଆ ଲାଗୁଥିଲା। ଇଆ ମାନେ ନୂହେଁ ଯେ ରାଣାଙ୍କ ପାଇଁ ଆଦୌ ପ୍ରସ୍ତାବ ଆସି ନାହିଁ, ତେବେ ଦରମା କେତେ ବୋଲି କନ୍ୟାପକ୍ଷ ପଚାରି ଦେଲା କ୍ଷଣି ବାବୁ ରାଣାଙ୍କ ତଣ୍ଟି ଶୁଖିଯାଏ। ସେ କିଛି କହିପାରନ୍ତି ନାହିଁ। ଏହାକୁ ସେ ନିଜ ଆତ୍ମସମ୍ମାନର କ୍ଷୁର୍ଣ୍ଣ ବୋଲି ମନେକରନ୍ତି। ଗୋଟେଆଡୁ ବିଚାର କଲେ ସରକାରୀ ଚାକିରି ପୁଣି ପଦବୀ ଇନସପେକ୍ଟର। ହେଲେ ଦରମା ଯେ ଏତେ କମ୍, ଅଧିକାଂଶ କନ୍ୟା କର୍ତ୍ତୃପକ୍ଷ ଏ କଥା ବୁଝିପାରନ୍ତି ନାହିଁ ବା ବୁଝିବାକୁ ପ୍ରସ୍ତୁତ ନୁହନ୍ତି ।ଏଥିରେ ବାବୁ ରାଣାଙ୍କ ମନ ଭାଙ୍ଗିଯାଏ। ସେ ମନେମନେ ନିଷ୍ପତ୍ତି ନିଅନ୍ତି – “ବରଂ ଛଅ ବର୍ଷ ପୂରିଯାଉ, ମାତ୍ର ଠିକା ନିଯୁକ୍ତି (contractual) ଅବଧି କାଳ ପୂରି ଚାକିରିରେ ସ୍ଥାୟୀ କର୍ମଚାରୀ ହେଲା ପରେ ସେ ଯାଇ ବାହା ହେବେ”। ତାଙ୍କ ନିଷ୍ପତ୍ତି ଗୋଟେ ଦୃଷ୍ଟିରୁ ଠିକ୍ ଯେ, ହେଲେ ଚାହୁଁଚାହୁଁ ତାଙ୍କୁ ଛତିଶ ବର୍ଷ ଧରିଲାଣି, ତଥାପି କଣ୍ଟ୍ରାଚୁଆଲ ଅବଧି ବା କଣ୍ଟ ମିଆଦି ସରୁନାହିଁ କି ଚାକିରିକୁ ସ୍ଥାୟୀ କରିବା ପାଇଁ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି । ବାପାମାଆ ମଧ୍ଯ ବଡ଼ ବ୍ୟସ୍ତ ହୋଇ ମନ ଖରାପ କରି ବସିଛନ୍ତି। ବୟସ ଏତେ ବଢ଼ିଗଲାଣି ଯେ ଆଉ ଭଲ ପ୍ରସ୍ତାବ ମିଳିବା ସମ୍ଭବପର ହେଉ ନାହିଁ। ଏତେବେଳେ ବାବୁ ରାଣା କଣ୍ଟ୍ରାଚୁଆଲ୍ ଚାକିରିର କୁପରିଣାମ ଓ କୁବ୍ୟବସ୍ଥାକୁ ଦାୟୀ କରି ନିଜ ଭାଗ୍ୟକୁ ନିନ୍ଦିବା ବ୍ୟତୀତ ଆଉ କ’ଣ ଅଛି ଯେ ସେ କରିପାରିବେ।ଭଲ ଏ କଣ୍ଟ ମିଆଦି ଓ କଣ୍ଟ ଚାକିରିର କଣ୍ଟକିତ ଜୀବନ। ହେଲେ ବାବୁ ରାଣା ଆଦୌ ମନ ଦୁଃଖ କର ନାହିଁମ! ଗର୍ବର ସହିତ ଏତିକି ତ କହି ପାରୁଛ – “ମୁଁ ଟେକ୍ସଟାଇଲ ଇନସପେକ୍ଟର, ମୋର ସରକାରୀ ଚାକିରି, ଘର ସରକାରୀ ଦପ୍ତର” ।
By ସତ୍ୟ ପ୍ରକାଶ ସେଠୀ
ସୌଜନ୍ୟ :Iwritemedia
ନୀତିନିଷ୍ଠ ସାହିତ୍ୟ ସଂସଦ
ନୀତିନିଷ୍ଠ ସାହିତ୍ୟ ସଂସଦ ବୋଲି ଗୋଟେ ସାହିତ୍ୟାନୁଷ୍ଠାନ ଥାଏ, ଯେଉଁଠି କି ସାହିତ୍ୟ ଆଲୋଚନା କମ୍ କିନ୍ତୁ ସାହିତ୍ୟ ସଭା ଅଧିକ ହୁଏ। କାରଣ ଏହାର ପ୍ରତିଷ୍ଠାତା ଆମ ନିତେଇ ଭାଇ ଚାହାଁନ୍ତି – ପ୍ରତିଦିନ କିପରି ତାଙ୍କ ନାଁ ଖବର କାଗଜର ପୃଷ୍ଠା ମଣ୍ଡନ କରୁ। ସେଇଥିରେ ତାଙ୍କର ଗୋଟେ ନାଁ। ଯେତେବେଳେ ଖବର କାଗଜରେ ବାହାରେ ଅମକେଇ ଦିନ ସମୁକ ଜାଗାରେ ଅମୁକଙ୍କ ପରିଚାଳନାରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇ ଅମୁକ ସମୁକ ଆଦି କେତେ କଥା ହେଲା, ସେତେବେଳେ ନିତେଇ ଭାଇଙ୍କ ଛାତି କୁଣ୍ଢେମୋଟ ହୋଇଯାଏ। ସେ ଆଗ ପେପର cutting କରି (କାଟି) ପେପର କ୍ଲିପଗୁଡିକୁ ସଜାଇ ରଖନ୍ତି। ତା’ପରେ ବିଭିନ୍ନ ଗଣ ମାଧ୍ୟମ ଗୁଡିକରେ ପୋଷ୍ଟ କରି ‘ like’ ଓ ‘comment’ ଗୁଡିକୁ ଗଣତି କରନ୍ତି ।ସେଇଟା ତାଙ୍କର ଗୋଟେ ଭିନ୍ନ ଖୁସି। ବଡ଼ ବଡ଼ ସାହିତ୍ୟିକ ମାନଙ୍କର ସାହିତ୍ୟ ତାଙ୍କ ନିକଟରେ ତୁଚ୍ଛ। କାରଣ ସେ କହନ୍ତି ଏମିତିକା କେତେ କେତେ ସାହିତ୍ୟ ତାଙ୍କ ମଞ୍ଚରେ ଆଲୋଚନା ହୁଏ ଆଉ ଏମିତିକା କେତେ ବଡ଼ ବଡ଼ ସାହିତ୍ୟିକଙ୍କୁ ସେ ଦୟାରେ ଡାକି ମଞ୍ଚରେ ବସାନ୍ତି। ଇଏ ଆଉ କି ସାହିତ୍ୟ ବା? ତେଣୁ ତାଙ୍କୁ କିଛି ବଡ଼ ଲାଗେ ନାହିଁ କି କାହା ସାହିତ୍ୟ ଏତେ ଭଲ। ତାଙ୍କ କହିବା ଅନୁସାରେ ଏ ସହରରେ ସବୁ ସାହିତ୍ୟ ଅନୁଷ୍ଠାନ ବୁଡ଼ି ଯାଉଥିବା ବେଳେ ଏବଂ ସାହିତ୍ୟିକଙ୍କର ମରୁଡ଼ି ପଡ଼ିଥିବା ବେଳେ ତାଙ୍କର ଏ ଅନୁଷ୍ଠାନ ସାହିତ୍ୟକୁ ଦିଗଦିଶା ଦେଇଛି ଓ ତାଙ୍କର ସାହିତ୍ୟ ସାଧନା ବଳବତ୍ତର ରହିଛି। ତେଣୁ ଅନ୍ୟ କାହାକୁ ସେ ଏତେଟା ସହ୍ୟ କରି ପାରନ୍ତି ନାହିଁ ବା ମୋଟେ ଖାତିର କରନ୍ତି ନାହିଁ।
ହେଲା ବାବା ସବୁ ଠିକ୍, ତୁମେ ଠିକ୍ ଆଉ ତୁମର ସବୁ ଠିକ୍। ହେଲେ ଅନ୍ୟମାନେ ଯେଉଁ ଜୀବନବ୍ୟାପୀ ଏତେ ସାଧନା କରି ଆସୁଛନ୍ତି ଆଉ ନିତି ପ୍ରତିଦିନ ଯେଉଁ ନୂଆ ନୂଆ ଭେଟି ଦେଇ ଉତ୍କଳୀୟ ବାଣୀ ଭଣ୍ଡାରକୁ ସମୃଦ୍ଧ କରି ଆସୁଛନ୍ତି ସେଗୁଡ଼ିକ ସବୁ କ’ଣ ମୂଲ୍ୟହୀନ ଏବଂ ଅପାଂକ୍ତେୟ ? ଏ କଥା ଶୁଣି ନିତେଇ ଭାଇଙ୍କୁ ବିଷପିତା ଲାଗେ। ସେ ଖାଲି ରାଗରେ ଗରଗର ହୁଅନ୍ତି। କହନ୍ତି – “ମୋତେ କହ ନାହିଁମ କାହା କଥା, ମୁଁ ଜାଣିଛି କିଏ କେତେ ମତେ”। ଇଏ ଅସହିଷ୍ଣୁ ପଣିଆ ନୂହେଁ ତ ଆଉ କ’ଣ? ତଥାପି ସାହିତ୍ୟ ବଞ୍ଚିଛି।
By ସତ୍ୟ ପ୍ରକାଶ ସେଠୀ
ଟୁନି ମୁହଁରେ ବ୍ରଣ
—-by ସତ୍ୟ ପ୍ରକାଶ ସେଠୀ
ଆଜି ଟୁନୁ ମୁହଁ ସାରା ବ୍ରଣର ପାହାଡା।ଚାରିଆଡ଼େ ବ୍ୟସ୍ତ ବିବ୍ରତତାର ଛାପ। ସନ୍ଦିହାନ ମନ, ଶଙ୍କାକୁଳ ସ୍ଥିତି।
ଆଜି ତାରି ସାଙ୍ଗସାଥି କୁନି, ମୁନି, ଶୂନି ବାହାସାହା ହୋଇ ଖୁସିରେ ଘରସଂସାର କରୁଛନ୍ତି। ଛୁଆପିଲା ପତିପତ୍ନୀର ସମ୍ପର୍କକୁ ନେଇ ବେଶ୍ ଉଲ୍ଲସିତ । ସେଦିନ ପରା କୁନି ଦେଖା ହୋଇଥିଲା, କହୁଥିଲା – “ଦେଖ! ଦେଖ!! କୁନାଟା କେଡ଼େ ଅଝଟିଆ ହୋଇଛି”।
ଟୁନି ଦିନେ ବହୁତ ଉଚ୍ଚାଭିଳାଷୀ ଥିଲା। ପାଠ ପଢିବ ପଢିବ ବୋଲି ସବୁତକ ପାଠ ପଢିଗଲା। ତା’ପରେ ଚାକିରି ।ଖଣ୍ଡେ କିରାଣୀ ଚାକିରି ମଧ୍ଯ ଭାଗ୍ୟରେ ଜୁଟିଲା। କିନ୍ତୁ ଅଳ୍ପରେ ସନ୍ତୁଷ୍ଟ ହେବା ଝିଅ ସେ ନ ଥିଲା। ଆହୁରି ଆହୁରି ବୋଲି କେତେ ପରୀକ୍ଷା ଦେଲା। ଇଚ୍ଛା ଆଇ. ଏସ୍. କି ଓ. ଏ. ଏସ୍. ଚାକିରି ଖଣ୍ଡେ ମିଳିଗଲେ ସ୍ଵପ୍ନ ପୂରାହେବ। ତେଣୁ ଉଦ୍ୟମ ଅବ୍ୟାହତ। ପରିଶ୍ରମର ଫଳକୁ ଅପେକ୍ଷା କରୁକରୁ ବୟସ ଉଜାଡ଼ି ଦେଲା ଯୌବନ। ସ୍ଵପ୍ନ ତ ପୂରା ହୋଇପାରିଲା ନାହିଁ, ହେଲେ ବୟସ ଗଡିଗଡ଼ି ଅଡତିରିସ । ତଥାପି ମନରେ ଅବସୋସ ନ ଥିଲା, କାହିଁକି ସେ ଜୀବନ ଯୌବନକୁ କେବେ ତ ଖୋଜି ନ ଥିଲା। ହେଲେ ସମସ୍ତ ସ୍ଵପ୍ନ ଭାଙ୍ଗି ଚୂରମାର ହୋଇଗଲା ପରେ ଭାବନା ରାଜ୍ୟରେ ହଜି ଯାଉଥିଲା। ମନରେ ଦମ୍ଭ ଧରି ଦର୍ପଣ ଆଗେ ଛିଡାହେଲା। ଇସ୍ ଇଏ କ’ଣ ସେ ଦେଖୁଛି, ମୁହଁ ସାରା ବ୍ରଣର ଦାଗ। ବାଧ୍ୟ ହେଲା ଅତୀତକୁ ଝାଙ୍କି ଦେଖିବାକୁ। ଦିନେ କେତେ କେତେ ସୁଦୂର ରାଇଜରୁ ରସ ଗୋଲିଆ ବର ସବୁ ଆସୁଥିଲେ। ଯିଏ ଦେଖୁଥିଲା ହଁ ଭରି ଯାଉଥିଲା। କିନ୍ତୁ ଟୁନି ସେଥିରେ ସହମତି ପ୍ରକାଶ କରିପାରୁ ନ ଥାଏ। କାହିଁକିନା ତା’ ମନରେ ଗୋଟିଏ ସ୍ଵପ୍ନ, ଉଚ୍ଚକିତ ଭାବ-କେମିତି ସେ ବଡ଼ ହେବ, ଭଲ ଚାକିରିଟେ କରି ସମାଜର ଅନ୍ୟମାନଙ୍କ ପରି ମୁଣ୍ଡ ଟେକି ବାଟଚାଲିବ। ହେଲେ ଏବେ ସେ ସବୁ ତ କିଛି ହୋଇପାରିଲାନି, ବାହାଘର ପାଇଁ ମଧ୍ଯ ପ୍ରସ୍ତାବଟିଏ ଆସୁ ନାହିଁ। ଆଉ କିଏ ବାହାହେବ କହୁନାହାନ୍ତି? ଏବେ ତ ବୁଢୀ ଅସୁରୁଣୀ ପରି ତା’ର ଚେହେରା, ବୟସ ଅତିକ୍ରାନ୍ତେ ସବୁକିଛି ଭିନ୍ନ, ଅତିଭିନ୍ନ ।ସମୟ ଅତିକ୍ରାନ୍ତେ ସବୁ ଶେଷ, ହୋଇଲା କି ଶେଷ? ଅଶ୍ରୁ ନୈବେଦ୍ୟ। ବେଦନା କେବଳ ପୁଞ୍ଜି। ହିତେଶ ସାର୍ ଅଫିସ ରୁମ୍ ଭିତରକୁ ପଶି ଆସିଲାରୁ କୁନମୁନ୍ ଟେବୁଲ ଉପରୁ ମୁଣ୍ଡ ଉଠାଇ ଆସ୍ତେ କରି ନିଜକୁ ସାଉଁଟି ନେଲା। ତାପସ ସାର୍ ଇସାରାରେ କହୁଥିଲେ – ୟାଙ୍କର ପତ୍ନୀ ଅକାଳରେ ବିୟୋଗ ହେଲା ପରେ ମାଆ ଛେଉଣ୍ଡ ଛୁଆଟା ଏକଲା ହୋଇଗଲା। ଟୁନି ତଥାପି ନିରୁତ୍ତରିତ, ହେଲେ ବାଳୁତ ଛୁଆଟା ଦୌଡ଼ି ଯାଇ ଟୁନିକୁ କୁଣ୍ଢାଇ ଧରି କାନ୍ଦି ଉଠିଲା କଇଁ କଇଁ।
By Satya Prakash Sethy
କନ୍ୟା ସନ୍ତାନ
ଗର୍ଭ ବେଦନା ଅସହ୍ୟ ହେଲାରୁ ଜୟନ୍ତ ବ୍ୟସ୍ତ ହୋଇ ଏଣେତେଣେ ଧାଇଁଲା। ଆମ୍ବୁଲାନ୍ସ ଡାକି ସ୍ତ୍ରୀକୁ ଡାକ୍ତରଖାନାରେ ଭର୍ତ୍ତି କଲା। ଡାକ୍ତରଙ୍କ ହାତ ଗୋଡ଼ ଧରି କେତେ ନେହୁରା ହେଲା। ଡାକ୍ତରଙ୍କ ବହୁ ପ୍ରଚେଷ୍ଟା ଶେଷରେ ଗର୍ଭପାତ ହେଲା। କନ୍ୟା ସନ୍ତାନଟିଏ ସୂର୍ଯ୍ୟର ପହିଲୁ କିରଣ ଦେଖି ଚିରାଡିଛାଡ଼ି କାନ୍ଦି ଉଠିଲା। ଉଭୟ ଜୟନ୍ତ ଓ ଜୟନ୍ତୀ ଖୁସିରେ ଶିହରିତ ହୋଇ ଉଠିଲେ। ବାପାମାଆ ଓ ପରିବାର ବର୍ଗରେ ଖୁସିର ଲହଡ଼ି ଖେଳିଗଲା । ଏପରିକି ଜୟନ୍ତ ଓ ଜୟନ୍ତୀଙ୍କ ପ୍ରେମ ବିବାହକୁ ଦିନେ ନାପସନ୍ଦ କରି ମୁହଁ ଫେରାଇ ନେଇଥିବା ଜୟନ୍ତୀଙ୍କ ମାଆ ଆସି ନାତୁଣୀକୁ ମେଡିକାଲରେ ରାତିଏ ଦି ରାତି ଉଜାଗର ରହି ଜଗି ରହିଲେ । ପୁଣି ଜୟନ୍ତଙ୍କ ଶ୍ୱଶୁର ମଧ୍ଯ ଜୟନ୍ତଙ୍କ ଅନୁପସ୍ଥିତିରେ ଲୁଚିକି ଆସି ନାତୁଣୀକୁ ଟିକିଏ ଦେଖି ଯାଇଛନ୍ତି।ଝିଅ ଜନ୍ମ ସତେ ଖୁସିର ଗନ୍ତାଘର।
ଡାକ୍ତରଖାନାରେ ଅନ୍ୟ ଏକ ପାଖ ବେଡରେ ନୀତା ବୋଲି ବୋହୂଟିଏ। ପାଖରେ ସଦ୍ୟ ପ୍ରସବ ଝିଅଟିଏ। ମୁହଁ ଶୁଖେଇ କେଯାଏଁ କେତେଦିନ ହେଲା ସେ ସେଇମିତି ପଡିଚି। କେହି ପାଖ ଲାଗୁନାହାନ୍ତି। ସାଙ୍ଗରେ ଆସିଥିବା ସ୍ଵାମୀ ମଧ୍ଯ ଝିଅ ଜନ୍ମ ପରେ କେଣେ ଯାଇଛନ୍ତି ଯେ ଯାଇଛନ୍ତି। ତାଙ୍କ ଶାଶୁ ସାଙ୍ଗରେ ଆସିଥିଲେ ଯେ, ହେଲେ ଝିଅ ଜନ୍ମ ପରେ ମୁହଁ ହାଣ୍ଡି କରି ଫେରିଗଲେ। ଏତିକି ବେଳେ ଡାକ୍ତର ଦୌରା କଲା ବେଳେ ତୁରନ୍ତ କିଛି ମେଡିସିନ ଆଣିବାକୁ ବରାତି କଲେ, କାରଣ ପିଲାଟାର ନିଶ୍ୱାଷ ପ୍ରଶ୍ୱାସର ଅସୁବିଧା ହେଉଥାଏ। ନୀତା କଣ କରିବେ କରିବେ ହୋଇ ଭାବି ହେଉଥିଲେ। ତାଙ୍କର ବ୍ୟସ୍ତତା ଓ ବିବ୍ରତତା ଦେଖି ଜୟନ୍ତ ତୁରନ୍ତ ମେଡିସିନଟା ଆଣି ଦେଲେ। ଡାକ୍ତର discharge କରିଦେବାରୁ ସେଦିନ ଜୟନ୍ତ ଓ ଜୟନ୍ତୀ ନିଜ ନବଜାତକୁ ଧରି ଫେରି ଆସିଥିଲେ ନିଜ ଘରକୁ। ତେଣିକି କ’ଣ ହୋଇଥିବ କେଜାଣି ନୀତା ଓ ତା’ର ନବଜାତ କନ୍ୟାର?
By Satya Prakash Sethy
ସମ୍ମାନନୀୟେଷୁ….
ଆପଣଙ୍କର ସାହିତ୍ୟାନୁରାଗ ଓ ମାତୃଭାଷା ପ୍ରୀତି ସମସ୍ତଙ୍କୁ ଉଦବୁଦ୍ଧ କରିବ। ଓଡ଼ିଆ ଭାଷା ସାହିତ୍ୟରେ ପାରଦର୍ଶିତା ଲାଭ କରି ଆପଣ ପ୍ରାୟତଃ ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରି ଭୂୟସୀ ପ୍ରଶଂସାର ପାତ୍ର ହୋଇଛନ୍ତି। ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ ଆଦି କ୍ଷେତ୍ରରେ ଆପଣ ସିଦ୍ଧହସ୍ତତା ଲାଭ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଦାନ ଅତୁଳନୀୟ। ଜଣେ ମେଧାବୀ ଛାତ୍ର ଓ ସାରସ୍ଵତ ସାଧକ ଭାବେ ଆପଣଙ୍କ ଖ୍ୟାତି ସୁଦୂରପ୍ରସାରୀ। ଜଣେ ପ୍ରବଚକ ଭାବେ ଆପଣଙ୍କର ପ୍ରବଚନ ଓ କଥନ ଶୈଳୀ ଏକ ନିଆରା ଭାବାଭିବ୍ୟକ୍ତି କରିଥାଏ।
ଏ ସମସ୍ତ ଦିଗଭାଗକୁ ଦୃଷ୍ଟିରେ ରଖି ଆପଣଙ୍କୁ ଶ୍ରୀ ଶ୍ରୀ ସହେ ଆଠ ଶ୍ରୀ ସମ୍ମାନରେ ସମ୍ମାନିତ କରି ଆମେ ନିଜକୁ ଧନ୍ୟ ଓ ଗୌରବାନ୍ୱିତ ମନେ କରିବା ସଙ୍ଗେ ସଙ୍ଗେ ଆପଣଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛୁ।
ଏମିତି ଗୋଟେ ପ୍ରସଂଶା ପତ୍ର ପାଇ ସାହିତ୍ୟିକ ଢୁଢୁ ବାବୁ ଗର୍ବରେ ଛାତି ଫୁଲାଉ ଥିଲେ ଯେତେବେଳେ ସଭା ସ୍ଥଳରେ ଉପସ୍ଥିତ ଥିବା ତାଙ୍କ ଗାଁ ଚକରା କହିଲା – “କିବେ ତୋତେ ତ ଆମ ଗାଁ ଚାଟଶାଳୀରେ ଆମ୍ବ କହିଲେ ଆମ୍ବଡା ଲେଖିଥିଲୁ, ତୁ ସହରକୁ ଆସିଲାଠୁଁ ଏମିତିକି କି କିମିଆ କଲୁ କି ସାହିତ୍ୟିକ ହେଇଗଲୁ? ତୋତେ ସତରେ ସାହିତ୍ୟର ସ ଅକ୍ଷର ଜଣା ନା? ମୋତେ ତ କେମିତିକା କେମିତିକା ଲାଗୁଛି। ତୁ ଆଉ ଗୁଣି ଟୁଣି କିଛି କରି ନାହୁଁ ତ” ? ଏ କଥା ଶୁଣି ଢୁଢୁ ବାବୁ କହିଲେ – “ରହ ଚକରା ଭାଇ ତୁ ଆଉ ମୋ ଗୋଇ ପୂରାଣ ଖୋଲ ନା। ଏ ସବୁ ଗହନ ବିଦ୍ୟା ତୋତେ ପରେ କହିବି। ହେଲେ ତୋତେ ନେହୁରା ହେଉଛି ମୋ ମାନ ମହତ୍ ଏଠି ପକା ନା। ସହରରେ ମୋର ଭାରି ନାଁ”। ଚକରା ଆଉ ହସ ସମ୍ଭାଳି ପାରିଲା ନାହିଁ। ଫେଁକିନା ହସି ଦେଲା। କହିଲା -” ତୁ ଆମ ସେ ଅବଧାନ ମାଷ୍ଟ୍ରର ପେଡ଼ି ପୁଟୁଳା ସବୁ ଧରି ଆସିଥିଲୁ ନା? ମୁଁ ଜାଣି ନାହିଁକି, ତୁ ସେଇ ପେଡ଼ିରୁ ଗୋଟେ ଗୋଟେ ଯଡି ବୁଟି ସବୁ ଖୋଲୁଥିବୁ । ୟାହାପ ତୋତେ କ’ଣ କହିବି। ତୁ ଟା ସାଢେ ଗୋଟେ ଅଛୁ। ଏଇ ଲାଗେ ହୁଡ଼ି ପକାଇବି ଯେ ଲୋକେ ଗଦା ହୋଇଯିବେ। ଢୁଢୁ ବାବୁ ଅନନ୍ୟୋପାୟ ହୋଇ ଚକରା ଭାଇର ପାଟିରେ ହାତ ଦେଇଦେଲେ ।
By ସତ୍ୟ ପ୍ରକାଶ ସେଠୀ
ସହଯାତ୍ରୀ
ଭୁବନେଶ୍ବର ସହର। ମାଷ୍ଟର କ୍ୟାଣ୍ଟିନ୍ ଛକ, ଯେଉଁଠି ଅଛି ଭୁବନେଶ୍ବର ରେଲୱେ ଷ୍ଟେସନ। ଆଗପରି ଏହା ଆଉ ଏତେ ଅପରିଷ୍କାର ନାହିଁ। ସବୁଠିଁ ସଫା ସୁତର, ଭାରି ପରିଷ୍କାର ପରିମଳ। ଯାତ୍ରୀଙ୍କ ପାଇଁ ମଧ୍ୟ ବସିବା ପାଇଁ ସ୍ଥାନେ ସ୍ଥାନେ ବେଞ୍ଚର ବ୍ୟବସ୍ଥା, ତେଣୁ ଅନେକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ। ତେବେ ଆଜି ନାହିଁ ନ ଥିବା ଯାତ୍ରୀଙ୍କ ଭିଡ଼ ଯୋଗୁ ବସିବା ପାଇଁ ସ୍ଥାନର ଟିକେ ଘୋର ଅଭାବବୋଧ ପରିଲକ୍ଷିତ ହେଉଥାଏ।
ଦିନେଶ ସୁନ୍ଦର ସୁଠାମ ଚେହେରାର ଯୁବକଟିଏ। ପରିଷ୍କାର ପରିଚ୍ଛନ୍ନ ପୋଷାକ ପରିଚ୍ଛେଦ ସହିତ ଆଖିରେ କଳା ଚଷମା ପରିଧାନ ଚେହେରାକୁ ବଳିଷ୍ଠ କରିଥାଏ। ପ୍ଲାଟଫର୍ମରେ ଶୋରିଷ ପକାଇବାକୁ ଜାଗା ନ ଥାଏ, ଯୁଆଡେ ଦେଖିବ କେବଳ ଲୋକଙ୍କର ସମାଗମ। ତେବେ ଦିନେଶଙ୍କ ପାଖରେ ଅଳ୍ପ ସ୍ଥାନ ଖାଲିଥାଏ। ଏହି ସମୟରେ ସୁନ୍ଦର ତନୁକାନ୍ତି ରୂପଶ୍ରୀ ଝିଅଟିଏ ଆସିଲା। କହିଲା – “ଏକ୍ସକ୍ଯୁଜ୍ ମି! ଦୟାକରି ଟିକିଏ ଘୁଞ୍ଚି ଯିବେ କି” ? ଦିନେଶ ଟିକିଏ ସରେଇ ଗଲେ ଆଉ ରୂପଶ୍ରୀ ଝିଅଟି ଜାକିଜୁକି ହୋଇ ତାଙ୍କ ପାଖରେ ବସି ପଡ଼ିଲେ। ଦିନେଶ ସ୍ପଷ୍ଟ ଅନୁଭବ କରି ପାରୁଥାନ୍ତି ରୂପଶ୍ରୀ ଝିଅଟିର ସୌନ୍ଦର୍ଯ୍ୟ ଓ କେଶ ଗୁଚ୍ଛର ସାନ୍ଦ୍ରତାକୁ ଯହିଁରୁ ମଲ୍ଲୀ ଫୁଲିଆ ବାସ୍ନା ଆସି ତାଙ୍କ ନାସିକାଗ୍ରକୁ ଚୁମ୍ବୁଥାଏ। ତାଙ୍କ ଶରୀରର ବାସନାକୁ ମଧ୍ଯ ସେ ଆଗ୍ରହାଣ କରୁଥାନ୍ତି ଓ ମନେମନେ ତାରିଫ ମଧ୍ୟ। ଝିଅଟିର କୋମଳାଙ୍ଗଦେଶମାନ ଯେତେବେଳେ ଦିନେଶଙ୍କ ଶରୀରକୁ କିଛିଟା ସ୍ପର୍ଶ କରୁଥିଲା ସେତେବେଳେ ଏକ ଭିନ୍ନ ଅନୁଭବ ତାଙ୍କ ଦେହରେ ବିଦ୍ୟୁତ୍ ଖେଳାଇ ଦେଉଥିଲା। ଏ ସବୁ ତାଙ୍କ ସ୍ଵପ୍ନର ନାୟିକା ପରି ତାଙ୍କୁ ପ୍ରତୀତ ହେଉଥାଏ। ଇତି ମଧ୍ୟରେ ଉଭୟ ଉଭୟଙ୍କର ନିକଟତର ହେଉଥିଲେ ଓ କିଛିଟା ବାର୍ତ୍ତାଳାପ ଉପରାନ୍ତେ ପରସ୍ପର ନିକଟତର ହେଉଥିଲେ। ଦିଲ୍ଲୀ ପାଇଁ ଦୂରନ୍ତ ଟ୍ରେନ ଆସିବାରୁ ଝିଅଟି ବିଦାୟ ନେଇ ଚାଲି ଯାଇଥିଲେ। ହେଲେ ଆହୁରି ଅଧ ଘଣ୍ଟା ଦିନେଶଙ୍କୁ ଅପେକ୍ଷା କରିବାକୁ ପଡ଼ିବ ହାଇଦ୍ରାବାଦ ପାଇଁ ମୀନାର ଏକ୍ସପ୍ରେସ ଟ୍ରେନକୁ ଅପେକ୍ଷା କରିବା ପାଇଁ। ତେଣୁ ସେ ଅପେକ୍ଷାରତ। ହେଲେ ଦୂରରୁ ଏ ସବୁକୁ କେତେବେଳଠାରୁ ନିରିକ୍ଷଣ କରୁଥିବା ସୁର ବାବୁ ଝିଅଟି ଛାଡ଼ି ଯାଇଥିବା ଖାଲି ସ୍ଥାନରେ ଆସି ତୁରନ୍ତ ଜାଗା ପୂରଣ କଲେ। ଦିନେଶଙ୍କୁ କହିଲେ – “ଯାହା ହେଉ ଆପଣ ଅତ୍ୟନ୍ତ ଭାଗ୍ୟବାନ ଯେ ଆଜି ଏ ଯୁବା ଅବସ୍ଥାରେ ଆପଣ ଜଣେ ସୁନ୍ଦରୀ ରୂପଶ୍ରୀର ସାହଚର୍ଯ୍ୟ ପାଇଲେ ଯାହାଙ୍କର ଅତୁଳନୀୟା ରୂପ ଯୌବନର ବର୍ଣ୍ଣନା ନାହିଁ। ସବୁ କିଛି ସତରେ ଅବର୍ଣ୍ଣନୀୟ, ବର୍ଣ୍ଣନାତୀତ। ଦିନେଶ ଏ କଥା ଶୁଣି ଅଧିକ ଉତ୍ସାହିତ ହୋଇ ପଡୁଥିଲେ। ଉତ୍ସୁକତା ଭରି ପଚାରିଲେ-” ଆଛା ବାସ୍ତବରେ ସେ କ’ଣ ଖୁବ୍ ସୁନ୍ଦରୀ, ତେବେ ତାଙ୍କ ଦେହର ରଙ୍ଗ ହଳଦିଆ ନା ଧବଳ ଗୋରା ଆଉ ତାଙ୍କ କେଶଗୁଚ୍ଛ କ’ଣ ସତରେ ସାନ୍ଦ୍ର ଓ ଲମ୍ବ “? ସୁର ବାବୁ ଟିକିଏ ବିରକ୍ତ ହୋଇ କହି ଉଠିଲେ – “ଆଛା ଏତେ ସମୟ ଧରି ତୁମେ ଦୁଇଜଣ ପାଖାପାଖି ଜାକିଜୁକି ହୋଇ ବାସିଲ, ତଥାପି ତୁମେ ତାଙ୍କ ଦେହର ରଙ୍ଗ ଓ କେଶକୁ ଠଉରେଇ ପାରିଲ ନାହିଁ ନା ଜାଣି ସିଆଣିଆ ହେଉଛ ବା “? ଦିନେଶ କହିଲେ -” ନା ସେ କଥା ନୂହେଁ ଯେ ତଥାପି ମୁଁ ଆପଣଙ୍କ ମୁହଁରୁ ତାଙ୍କ ସମ୍ପର୍କରେ ସବିଶେଷ ତଥ୍ଯ ନେବାକୁ ଚାହୁଁଛି ଯେ ମୁଁ ଯାହା ଯେପରି ଅନୁଭବ କରିଛି ଆପଣ ତାହା ଠିକ୍ ସେପରି ଦେଖିଛନ୍ତି କି ନାହିଁ”। ସୁର ବାବୁ ଟିକିଏ ଗୁମ୍ ହୋଇ ଗଲେ। ଦିନେଶ କହିଲେ-” ରାଗି ଗଲେ କି ଭାଇ!ସତ କଥା ହେଲା ମୁଁ ଟିକିଏ ଲାଜକୁଳା, ଆଉ ଝିଅ ମାନଙ୍କ ମୁହଁକୁ ସିଧା ସଳଖ ଦେଖି ପାରେ ନାହିଁ। ସୁର ଭାଇ ଏଥର ଆହୁରି ବିରକ୍ତ ହୋଇ କହିଲେ – “ହୋଉ ରସିକଲାଲ ଏଥର ବିଷଦ ଧାରାବିବରଣୀ ଶୁଣାଉଛି, ଶୁଣନ୍ତୁ! ଝିଅଟା ତନୁ ପାତେଳୀ, ଡେଙ୍ଗୀ, କଟି ସରୁ, ସୁନା ନାକୀ, ଧବଳ ଗୌରୀ, ମୃଗ ନୟନା, ଲମ୍ବ କେଶୀ ।ଏବେ ଖୁସୀ ତ” ?
ପୁଣି କଥାରେ ଟିକିଏ ବିରାମ ଟାଣି କହିଲେ – “ହେଲା ନା ଆହୁରି କିଛି ପଚାରିବେ”। ଦିନେଶ କହିଲେ – “ସବୁ କହିଲେ ଯେ! ତେବେ ସେ କେଉଁ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ ସେ କଥା କହିଲେ ନାହିଁ ଯେ” ! ସୁର ବାବୁ ଏଥର ରାଗି ନିଆଁ ବାଣ ହୋଇଗଲେ। କହିଲେ -” ସେ କେଉଁ ରଙ୍ଗର ଲୁଗା ପିନ୍ଧିଥିଲେ ତାହା ବି ତୁମକୁ ଦେଖାଗଲା ନାହିଁ ଯେ, ମୁଁ ବର୍ଣ୍ଣନା କରିବି। ତୁମେ ଅନ୍ଧ ନା ରସିକ ନାଗର” ? ଏ କଥା ସରିଲା ବେଳକୁ ମିନାର ଏକ୍ସପ୍ରେସ ଟ୍ରେନ ଆସିଯାଇଥିଲା। ଘୋଷଣା (announcement) ଶୁଣି ଯାତ୍ରୀମାନେ ଦୌଡ଼ାଦୌଡ଼ି ହେଲେ ଟ୍ରେନ ଚଢିବା ପାଇଁ। ଦିନେଶ ବି ଉଠିଲେ, ଅଣ୍ଡାଳା ଉଣ୍ଡୁଳି ହୋଇ ଟ୍ରେନ ମୁହାଁ ଚଳିଲେ। ବାଟରେ ହାବୁଡିପଡିଲେ ଯେ ପଡ଼ିଗଲେ, ତାଙ୍କ କଳା ଚଷମାଟା ତଳେ ପଡ଼ି ଯାଇଥିଲା। ସାଉଁଟି ଆଣି ସୁର ବାବୁ ତାଙ୍କୁ ପିନ୍ଧାଇ ଦେଉ ଦେଉ ଦେଖିଲେ ଯେ ଦିନେଶଙ୍କ ଦୁଇଟିଯାକ ଆଖି କଣା। କାରୁଣ୍ୟରେ ତାଙ୍କ ଅନ୍ତରାତ୍ମା ଶିକ୍ତ ହୋଇ ଉଠିଲା। ନୀରବରେ ଦିନେଶଙ୍କୁ ଟ୍ରେନ ପର୍ଯ୍ୟନ୍ତ ସହାୟତା ଦେଇ ସେ ଫେରି ଆସିଥିଲେ ନିଜ ବସିଥିବା ସ୍ଥାନକୁ। ସେଇଠି ସେ କେଯାଏ ସମୟ ସ୍ତବ୍ଧ ହୋଇ ରହି ଯାଇଥାନ୍ତି। ଦିନେଶଙ୍କୁ କରିଥିବା ତାଚ୍ଛଲ୍ୟ ପାଇଁ ମନେମନେ ଭଗବାନଙ୍କଠାରେ କ୍ଷମା ଯାଚନା କରୁଥାନ୍ତି। କହୁଥାନ୍ତି – “ଭଗବାନ ସମସ୍ତଙ୍କୁ ମନ ଦେଇଛନ୍ତି ହେଲେ ଆଖି ଦେଇ ନାହାନ୍ତି ସବୁକିଛି ଦେଖିବା ପାଇଁ”।
ଉଠା ଦୋକାନ ଫଟା କପାଳ
——-କାଳିଆ ନନା । ବୟସ ପଞ୍ଚାବନ। ଘର ଘଣ୍ଟେଶ୍ୱର।ପିଲାଟି ଦିନରୁ ସେ ଭଦ୍ରକ ସହରରେ। ଦିନେ ସେ ଅତି ଛୋଟ ପିଲା ହୋଇଥିଲା ଯେବେ ସେ ପ୍ରଥମ କରି ଭଦ୍ରକ ସହରରେ ଗୋଡ ଥାପିଥିଲା। ପିଲାଟି ଦିନୁ ବାପା ମାଆଙ୍କୁ ତ ହରାଇ ଏକ ରକମର ସେ ଅନାଥ ହୋଇଯାଇ ଥିଲା। ବାପା ମାଆ ଦି ଜଣଯାକ ମହାମାରୀରେ ଚାଲିଗଲେ। ଶେଷରେ ସେ ସାନ ଭାଇଟାର ହାତ ଧରି ଏଠାକୁ ଚାଲି ଚାଲି ଆସିଥିଲା। ପ୍ରଥମେ ସେ ଭିକ୍ଷା ମାଗି ପେଟ ଭରୁଥିଲା। ତା’ପରେ ସେ ଟ୍ରେନ ଓ ବସ ଷ୍ଟାଣ୍ଡରେ ବୁଲି ବୁଲି ବାଦାମ ଓ ଶୋଲା ବିକିଲା।ଠିକଣା ଥିଲା ରେଲୱେ ପ୍ଲାଟଫର୍ମ। କ୍ରମଶଃ ଦୁଇ ପଇସା ହେଲାରୁ ସେ ଗୋଟେ ଉଠା ଦୋକାନ ପକାଇ ଦହିବରା ଓ ଆଳୁଦମ ବିକେ।ନିଜ ପାଇଁ ମୁଣ୍ଡ ଗୁଞ୍ଜିବା ପାଇଁ ସରକାରୀ ଜାଗାରେ ଝୁମ୍ପୁଡି ଘର ଖଣ୍ଡେ ମଧ୍ଯ କରିଥିଲା। ପରେ ଏଥିରୁ ଦୁଇ ପଇସା ଲାଭ ବାହାରିବାରୁ ମଳେ ଜାଗା କିଣି ଘର ଖଣ୍ଡେ କଲାଣି।
ସହର ସାରା ତା ଆଳୁଦମ ଆଉ ଦହିବରାର ଭାରି ଚର୍ଚ୍ଚା । ଘରକୁ କେହି ନୂଆ କୁଣିଆ ଆସିଲେ ଲୋକେ ଯାଇ ତା ପାଖରୁ ପାର୍ସଲ ଧରି ଆସନ୍ତି। କହନ୍ତି – “ଏ ହେଉଛି ଆମ ସହରର ପ୍ରସିଦ୍ଧ ଦହିବରା, ଥରେ ଖାଇଲେ ପରା ଆଉ ଥରେ ଖାଇବାକୁ ମନ ବଳିବ” । ତେଣୁ ପାଟିରୁ ଲାଳ ଗଡେ। ପିଲାଠୁଁ ଭେଣ୍ଡିଆଯାଏ ସମସ୍ତଙ୍କର ସେଠି ଭିଡ଼ ଜମେ। ସନ୍ଧ୍ୟା ହେଲେ ଯେମିତି ଯାତରା। ବେପାର ଏଣିକି ତା’ର ପୂରା ଫୁଲ୍ swing ରେ ମାନେ ପୂରା ଦମରେ ଚାଲିଥାଏ।
ହେଲେ ଦୈବ ବଡ଼ ନିଷ୍ଠୁର। ତେଣୁ ତ ସବୁକାଳ କାହାରି ଭଲରେ ଯାଏ ନାହିଁ।” ପ୍ରାଣୀଙ୍କ ସୁଖ ଅପ୍ରମିତ ଦେଖି ଦେବକୁଳ ଇର୍ଷାନ୍ବିତ”। ସହର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କର ଆନେକ ଯୋଜନା। ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବ୍ୟୟ ବରାଦ। ରାସ୍ତାର ପ୍ରଶସ୍ତିକରଣ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନା । ଏଥି ସକାଶେ ଉଠା ଦୋକାନ ଓ ଝୁମ୍ପୁଡି ଘର ଉପରେ ଚଡକ ପଡ଼ିଛି । ମୁନିସପାଲିଟି ମାଜିଷ୍ଟ୍ରେଟ ଓ ପୋଲିସ୍ ଉପସ୍ଥିତିରେ ଜୋର୍ ଜବରଦସ୍ତ ସବୁ ଗୁଡିକୁ ଭାଙ୍ଗି ଦେଇଛି। ଭଲ କଥା। ଏହା ଦ୍ଵାରା ସହର ଆଧୁନିକୀକରଣ ହେବ ଓ ଗାଡି ମୋଟର ଚଳାଚଳ ପାଇଁ ପଥ ସୁଗମ ହେବ। ଫଳରେ ଲୋକେ ସହଜରେ ଯାତାୟତ କରିପାରିବେ ଓ ଶାନ୍ତିରେ ମଧ୍ଯ ନିଶ୍ଵାସ ନେଇ ପାରିବେ। ହେଲେ ଏହି ଉଠା ଦୋକାନୀ ଓ ଠେଲା ଦୋକାନୀ ମାନେ କରିବେ କଣ? ସେମାନଙ୍କର ତ ରୋଜଗାର ସଂସ୍ଥାନ ଭାଙ୍ଗି ମାଟିରେ ମିଶିଗଲା। ସେମାନଙ୍କ ପାଇଁ ବି ସରକାର ଆଗୁଆ କିଛି ଯୋଜନା କରିବା କଥା କି ନୂହେଁ ? କିନ୍ତୁ ନାଇଁ। ସେମିତି କିଛି ପଦକ୍ଷେପ ନେଇଥିଲା ପରି କାହିଁ ମନେ ହେଉନାହିଁ।ଖାଲି ଯାହା ପ୍ରତିଶ୍ରୁତି – ” ନୂଆ ମାର୍କେଟ କମପ୍ଲେକ୍ସ ତିଆରି ହେଲେ ତୁମକୁ ସେଠି ସ୍ଥାନ ମିଳିବ”।
ବିକଳରେ ନିଜ ଭଙ୍ଗା ଅଧୁରା ଆସବାବପତ୍ର ସେମାନେ ସଜାଡ଼ୁଥାନ୍ତି। କାନ୍ଦ ବୋବାଳି ବି ଶୁଣିବାକୁ ମିଳୁଥିଲା। ନିଜ ଭବିଷ୍ୟତ ଅନିଶ୍ଚିତ କଥା ଜାଣି କିଏ ବା ଚିନ୍ତିତ ନ ହେବ କହୁ ନାହାନ୍ତି? ଏଠି ବାସ୍ତବରେ ଦେଖିବା କଥା ଜୀବନର ମୋଡ ମଣିଷକୁ ଆଣି କେଉଁ ପରିସ୍ଥିତିରେ ପକାଏ।
କାଳିଆ ନନାର ଏବେ ସାନ ଭାଇର ଛୁଆ ପିଲା ସମେତ ଏଗାର ପ୍ରାଣୀ କୁଟୁମ୍ବ। ସମସ୍ତଙ୍କ ପାଇଁ ପରିବାରର ଭରଣ ପୋଷଣର ମାଧ୍ୟମ କେବଳ ଏହି ଦୋକାନ ଖଣ୍ଡକ।
ଏତେବେଳେ ନିଜର ଜୀବିକା ଭୁଶୁଡ଼ି ପଡ଼ିଥିବାରୁ ମୁଣ୍ଡରେ ହାତ ଦେଇ ଭାଗ୍ୟକୁ ନିନ୍ଦଥାନ୍ତି କାଳିଆ ନନା। କହନ୍ତି ଜୀବନ ସାରା ସଂଗ୍ରାମ କରି କରି ଦୁଃଖର ଅନ୍ତ ଘଟିଲାନି ଯେ ସୁଖ ପ୍ରାପ୍ତିର ଯେତେବେଳେ କ୍ଷଣପ୍ରଭ ଆଲୋକ ରେଖା ଉଦ୍ଭାସିତ ହେବାକୁ ଲାଗୁଥିଲା ସେତେବେଳେ ପୁଣି ଏ ଦୁର୍ଦ୍ଦଶା।
ନିତିଦିନ ପରି ତାଙ୍କର ଆଜି କିଛି କାମ ନାହିଁ। ପରିବାରଟା ସାରା ନିକମା ହୋଇ ବସିଛନ୍ତି।ରାତି ପାହିଲେ ସମସ୍ତେ କାମରେ ଲାଗି ଯାଉଥିଲେ। କିଏ ମସଲା ବାଟୁଥିଲା ବେଳେ ଆଉ ଜଣେ ଆଳୁ ସିଝାଉ ଥିଲା। ପୁଣି କିଏ ବିରି ଫେଣାଉ ଥିଲା ବେଳେ ଆଉ ଜଣେ ଦହିରେ ଛୁଙ୍କ ଦେଉଥିଲା। ଏଇ ପ୍ରକାର ସମସ୍ତଙ୍କୁ କିଛି ନା କିଛି କାମରେ ନିୟୋଜିତ ହୋଇ ରହିବାକୁ ପଡ଼ୁଥିଲା। ଏଇ ପ୍ରକାରର ଗଲାଣି ଦିନ ଇଲା କେତେ ହେବ। କାଳିଆ ନନା ଏବେ ମଟକା ମାରି ରହିଯାଇଛନ୍ତି କ’ଣ ହେବ ପିଲାମାନଙ୍କର ଭବିଷ୍ୟତ।