Satya Prakash
  • Home
  • ଗଳ୍ପ
  • ଗାଁରୁ ଫେରୁଛି, ଗାଁ ହଜିଛି ।
ଗଳ୍ପ

ଗାଁରୁ ଫେରୁଛି, ଗାଁ ହଜିଛି ।

ସେଦିନ ଭଦ୍ରକରୁ ଭୁବନେଶ୍ୱର ଯିବାର ଥାଏ । ଏକ୍ସପ୍ରେସ୍ ଟ୍ରେନ୍ଟା ଡ଼େରିଥାଏ । ଲୋକାଲ୍ ଟ୍ରେନରେ ବସି ପଡ଼ିଲି । ସେପଟେ ଟିକିଏ ଭିଡ଼ଥାଏ ।  ଦଳେ ଗାଁଉଁଲି ଲୋକ ବସିଥାନ୍ତି; ସେଇଠି ବସି ପଡ଼ିଲି । ହଠାତ୍ ଶୁଣିଲି, ଲୋକଟିଏ କହୁଥାଏ ତା’ସାଥି ଲୋକକୁ- “ଗାଁରୁ ଫେରିଛି ଗାଁ ହଜିଛି” । ମୋର କୌତୁହଳ ଜାଗିଲା । ମୁଁ ଟିକିଏ ପାଖେଇ ଗଲି । ପଚାରିଲି- “କ’ଣ ଏମିତି ହୋଇଛିକି ? ଗାଁ କେମିତି ହଜିଲା”? ଲୋକଟାକୁ ବୋଧ ହୁଏ ଅଚିହ୍ନା  ଲାଗିଲା; ସେ ଚୁପ୍ ହୋଇଗଲା । ମୁଁ ତ କିନ୍ତୁ ଛାଡ଼ିବାର ଲୋକ ନୁହେଁ; ଯେଉଁଥିରେ ଲାଗିଥିବି ତା’ ପିଛା ଧରିଥିବି । ସାଥି ଲେକାଟାକୁ କହିଲି- “କ’ଣ ଭାଇ କିଛି କହୁନ ଯେ; କଥାବାର୍ତ୍ତା ହୋଇ ଚାଲିଯିବା । ସମୟ ଜଣା ପଡ଼ିବନି ; ଟାଇମ୍ ବି ପାସ୍ ହୋଇଯିବ ।

ଏଥର ସାଥି ଲୋକଟା ଆରମ୍ଭ କଲା- “କଅଣ ଆଜ୍ଞା! କହିବି ? ଗାଁ ହାଲ ଚାଲ୍ ତ ଦେଖୁଛନ୍ତି  । ଏଠି ସବୁ ବେହାଲ୍ ହେଲାଣି  । ଆମ ଆମ ଗାଁ କେତେ କୋଳାହଳମୟ ଥିଲା  । ସମସ୍ତେ କେମିତି ପରସ୍ପରର ସ୍ନେହ ସହାନୁଭୂତିକୁ ପାଥେୟ କରି, ଚଳି ଯାଉଥିଲେ  । ଖୁସିରେ ଘର ସଂସାର କରି, ରହୁଥିଲେ, ସ୍ନେହ ମମତାର ବନ୍ଧନ ଥିଲା ଅତୁଟ । କେହି କାହା ଦୁଃଖ ଦେଖିପାରୁ ନଥିଲେ କି ସହି ପାରୁ ନଥିଲେ । ବିପଦ ଆପଦରେ ଛାତି ପତାଇ ଦେଉଥିଲେ । ଗାଁ ରେ କିଛି ବିବାଦ ହେଲେ ଦିଅଁଙ୍କ ଚକଡ଼ାରେ ବସି ସବୁ ସମାଧାନ ହୋଇଯାଉଥିଲା । ଏବେ ସେ ସବୁ ହୁଏ ନାହିଁ । କଥା କଥାକେ ବାଡ଼ି, ଠେଙ୍ଗା କୋଟ କଚେରୀରେ ଯାଇ ମାମଲା ଉଠୁଛି । କେହି କାହାରି ଶିରି ଦେଖିପାରୁ ନାହାନ୍ତି । ହିଂସା ,ପରଶ୍ରୀକାତରତା ଓ ସ୍ୱାର୍ଥପରତା ସମସ୍ତଙ୍କୁ ଗ୍ରାସ କରିଛି । ଏତେବେଳେ ମଣିଷ ହିତାହିତ୍ୟ ଜ୍ଞାନ ହରେଇ ବସୁଛି । କିଏ ବା ବୁଝୁଛି କାହାର ଦୁଃଖ । ସମସ୍ତେ ନିଜ ନିଜ ସ୍ୱାର୍ଥରେ ବ୍ୟସ୍ତ । ପରସ୍ପର ମଧ୍ୟରେ ଅନାତ୍ମୀୟତା ଓ ଶତ୍ରୁତା ଭାବ ତୀବ୍ରତର ହେଲାଣି । ଆଜି ତାଙ୍କ ବାଡ଼ି ତାଟ ଡ଼େଇଁ ତାଙ୍କ ପିଣ୍ଡାରେ ଆମେ ସୁଖ ଦୁଃଖ ହେଉନାହୁଁ । ସେମାନେ ଆମ ଘର ମାଡ଼ନ୍ତି ନାହିଁ । ତରକାରୀ ଦିଆନିଆ ତ କେବେ ଠାରୁ ବନ୍ଦ । ଆଉ ଧାର ଉଦ୍ଧାର ଓ ଜିନିଷ ଅଦଳ ବଦଳ କଥା କିଏ ବା ପଚାରୁଛି ? ଖାଲି ସମସ୍ତଙ୍କର ଅପଡ଼ ହେଉଛି, ଅପଡ଼” ।

ମୁଁ ଟିକିଏ ସମ୍ମତି ଜଣାଇବା ଠାଣିରେ କହିଲି – “ଇମିତି ହେଲେତ ମଣିଷ ଅଣନିଶ୍ୱାସୀ ହୋଇଯିବ । ଅପ୍ରୀତିକର ପରିବେଶ ଭିତରେ ଜୀବନ ନିର୍ବାହ କରିବା କ’ଣ ସହଜ କଥା ?”

ପୁଣି ସେ ଆରମ୍ଭ କଲା – “ମୁଁ ତ ସେଇ କଥା କହୁଛି । ଆଜି ଗାଁର ସାହୁକାର , ଜମିଦାର ନାହିଁ ସତ, ହେଲେ ଗାଁ ରାଜନୀତି , ଗାଁ ଦଳାଦଳ ସବୁ ଖାଇଲା । ଆଜ୍ଞା ଏଠି ଗାଁ ମାମଲତକାର ଓ ସରପଞ୍ଚର ଖାତିର ବେଶୀ । ସେ ଯାହା ଚାହିଁବେ ସେୟା ହୁଏ । ଯେଣୁ ସରକାର ସବୁ ସୁବିଧା ସୁଯୋଗ କରନ୍ତି ଓ ନେଣ ଦେଣ କାରବାର ଚାଲେ,  ସେ ସୁବିଧା ସୁଯୋଗ ସବୁ ତାଙ୍କ ଚାମଚା ପାଇବେ । ବାକି ଲୋକତକ ବୁଡ଼ିକି ମରେ । ନେତାଏ ତ ଜାଣିଥାନ୍ତୁ! ଆମର ଭାରି ଚତୁର  । ଭୋଟ ପାଇଁ ଗାଁଟାକୁ  ଫାଳ ଫାଳ  କଲେଣି । ଏଠି ଆଉ ଗାଁ ଅନୁଷ୍ଠାନ ବା ଦିଅଁ ଦେବତାଙ୍କ ପର୍ବ ପାଇଁ ଗାଁ ସମୂହ ଏକାଠି ହେଉନାହାଁନ୍ତି । ସବୁ କେମିତି ଭାଗ ଭାଗ ହୋଇଗଲାଣି । ନେତା ନେତାଙ୍କର କିନ୍ତୁ ଭାରି ବଢିଆ ମେଳ । ୟାଙ୍କ ଝିଅ ତାଙ୍କ ପୁଅକୁ ବିବାହ କରେ  । ଉପରକୁ ଖାଲି ଆଖିଠାର- କ୍ଷମତା ପାଇଁ ଗାଁ ଗାଁରେ ପୁରାନ୍ତି କନ୍ଦଳ ।

ତେଣୁ ଆମ ଗାଁରେ ଆଜ୍ଞା ! ଭାରି ଦଳାଦଳି  । ଏ ଦଳିଆ ସେ ଦଳିଆ ସଂଗେ ଭାଇ ବାନ୍ଧେ ନାହିଁ । କଥାବାର୍ତ୍ତା ଯିବାଆସିବା ସବୁ ବନ୍ଦ । ୟା’କୁ ଦେଖି ତା’ ମୁହଁ ବଙ୍କା, ତାକୁ ଦେଖି ୟା ମୁହଁ ତେଡା। କାହା ସଙ୍ଗେ କାହାର ଭାବ ପୀରତି ନାହିଁ। ଜଣଙ୍କ ସଙ୍ଗେ କଥା ହେଲେ  ଆଉ ଜଣେ ମୁହଁ ମୋଡ଼େ। ପୁଣି ଗାଁଟା ସାରା ବେକାରୀ। ଟୋକାଏ ଦଳଦଳ ହୋଇ ଖାଲି ଏଠି ସେଠି ଫୁସୁରୁ ଫାସର ହୁଅନ୍ତି ।  ତାସ , ପସା ଖେଳି ସମୟ ବିତାନ୍ତି । ୟା’ତା’ ବାଡ଼ିରୁ ଚୋରୀ ଦରବ ଆଣି ଫିଷ୍ଟରେ ମାତନ୍ତି । ଟାଙ୍କିଏ ପିଇ ଭାଗବତ ଟୁଙ୍ଗୀ – କ୍ଲବ ପିଣ୍ଡାରେ ଆଡ୍ଡା ଜମାନ୍ତି । ଗାଁ ଏ ମୁଣ୍ଡରୁ ସେମୁଣ୍ଡ ଲଣ୍ଡଭଣ୍ଡ ହୋଇ ଟହଲ କାଟନ୍ତି । ଚୁଗୁଲି କରନ୍ତି ।   ଶୋଦ୍ଧା ଶୋଦ୍ଧି କରି ଗାଁଟାକୁ ଉଚ୍ଛନ୍ନ କରନ୍ତି । କେହି ପ୍ରତିବାଦ କଲେ ଦମେ ଛେଚନ୍ତି ।  କୋର୍ଟ କଚେରୀ ଗଲେ, ଜୀବନରୁ ମାରି ଦେବାକୁ ଧମକ ଦିଅନ୍ତି । ଆଉ ଆଜ୍ଞା! ଗାନ୍ଧୀ ବୁଢାର ଗାଁକୁ ଫେରିଚାଲ ମନ୍ତ୍ର କରୁନି ମ! କାମ  । ଏବେ ଗାଁକୁ ସତରେ ଡର ମାଡ଼ୁଛି   ।

ମୁଁ ଏକଥା ସବୁ ଶୁଣିଶୁଣି ବୋର ହୋଇଯାଉଥାଏ । କହିଲି – “ ତା ବୋଲି ସବୁ ଗାଁ କ’ଣ ଏଇଆ ? ପୁଣି ଗାଁ ଅଛିନା, ଯେଉଁଠି ସ୍ନେହ ମମତା ଡ଼ୋରରେ ସମସ୍ତେ ବନ୍ଧା । ଲୋକଟା ମଝିରେ ମଝିରେ ପଦେ କହୁଥାଏ  । ବେଳେବେଳେ ସାଥୀଲୋକଟା କଥାରେ ପାଳି ଧରୁଥାଏ । ଏଥର କହିଲା – “ଗାଁ ଅଛି ଯେ, ହେଲେ ଆମ ଗାଁଟା କିନ୍ତୁ ନିଆରା । ମୁଁ ପୁଣି ପଚାରିଲି- “ କ’ଣ ନିଆରା କି ହୋ? ଆଇନ୍ କାନୁନ୍ ଫେରେ କିଛି ଅଛି ନା ନାହିଁ?” ଏଥର ଲୋକଟା ଟିକେ ଚିଡ଼ିଗଲା  । କହିଲା ତୁମ ଘର କେଉଁଠି କି ହୋ ବାବୁ! ତୁମର କ’ଣ ଗାଁ ଗଣ୍ଡା କିଛି ନାହିଁ ନା ସିଆଣିଆ ସାଜୁଛ ? ଫେଣେଇ କରି ଏମିତି କଥା ପଚାରୁଛ ? ମୁଁ କହିଲି ନା ଭାଇ! କଥାଟା ସେୟା ନୁହେଁ ଯେ, ଆମର ବି ଗାଁ ଅଛି । ହେଲେ ଆମେ ଏବେ ସହରରେ ରହୁଛୁ । କୁଣିଆ ଭଳି ଦିନେ ଅଧେ ଯାଉଛୁଁ । ଆମ ଗାଁ କିନ୍ତୁ ଭାରି ବଢିଆ । ଇଛା ହୁଏ ସବୁଦିନ ସେଇଠି ରହି ଯାଆନ୍ତି କି?” ଏଥର ସେ ତାଚ୍ଛଲ୍ୟ କରି ବେଶ୍ ଟାଣ ଗଳାରେ କହିଲା – “ ହୁଁ ……..କୁଣିଆ କି ଜାଣିବେ ଘରର ଗୁମର କଥା  । ଅସଲ କଥାଟା ହେଲା ତୁମେ ଗାଁରେ ରହୁନାହଁ ତ ବାବୁ! ସେଇଥି ପାଇଁ ଗାଁ କଥା କିଛି ଜାଣି ପାରୁନାହଁ । ଶୁଣନ୍ତୁ! ଆଇନ୍ କାନୁନ ଆଉ ପଂଚୁଆତି ରୀତିନୀତି କଥା ପଚାରୁଥିଲେ ପରା । ଆମ ଗାଁ ଲୋକ ଅଛି । ସେ ସବୁ କହିବେ । ଭାରି ଜାଣିବାର ଲୋକ । ଭଲ ଲୋକ ଆଜ୍ଞା । ଗରିବଙ୍କ ମାଆ ବାପ, ଖାଲି ସେଇ ମାନଙ୍କ ମୁହଁକୁ ଚାହିଁନା ନୋହିଲେ କେବେ ଠାରୁ ………”

ଏବେ ସାଥୀ ଲୋକଟା ପୁଣି କହିଲା – “ ଗାଁରେ ଆଇନ୍ କାନୁନ୍ କିଛି ନାହିଁ । ଗାଁ ସରପଞ୍ଚକୁ ଆଦୃଜା ହେବା ଯାହା ମହରଗରୁ ଯାଇ କାନ୍ତାରରେ ପଡ଼ିବା ସେୟା । ପଞ୍ଚୁଆତି ଡ଼ାକି ଏକାଠି କରିବା ସହଜ କଥାନୁହେଁ  । ଯେତେ ସୁଆଦିଆ ମାଉଁସ ତରକାରୀ ଅବା ପୁରୀ ମିଠା ଛାଣି ଡ଼ାକ, ଅଇଁଠା ଖିଆ ପତର ଚଟାଙ୍କ ସେଥକୁ ତିଳେ ହେଁ ଖାତର ନଥାଏ । ଖାଲି ଅର୍ଥଟି ଶଳାଙ୍କ ନଜର । ଦି ଚାରି ହଜାର ଠୁଙ୍କିଲେ ଯାଇ କାମ । ଏତେ ପଇସା ପତର କେଉଁଠୁ ଆସିବ ଆଜ୍ଞା! ତାଙ୍କୁ ମଧ୍ୟସ୍ଥ କରି ଡ଼ାକିବ । ପଇସା ନ ପାଇଲା ପର୍ଯ୍ୟନ୍ତ ଖାଲି ଆଗପଛ ହେଉଥିବେ । ପୁଣି ଗାଁ ମାମଲତକାର ତାଙ୍କର ଆଗଡ଼ାକରା । ଯେଣୁ ତାଙ୍କ ଭିତିରିଆ ଦେବାନେବା କାରବାର ଥାଏ । ସରକାର ଅଫିସରେ ସବୁ କାମ ତାଙ୍କୁ ପଚାରି ହୁଏ । ଫାଣ୍ଡି ଜମାଦାର ସରପଞ୍ଚ ଆଗେ ନିତି ଓଳିକି ହୁଏ । ବିଡ଼ିଓ , କଲେକ୍ଟର ତ ତା ହାତ ମୁଠାରେ ।”

ଏକଥା ଶୁଣି – “ଆମ ଗାଁ ଓ ଆମ ପରିବେଶ” ଉପରେ ସ୍କୁଲରେ ଲେଖିଥିବା ରଚନା କଥା ମୁଁ କ୍ରମଶଃ ଭୁଲିବାକୁ ଲାଗୁଥାଏ । ପୁଣି କଥାରେ ବିରାମ ଟାଣି କହିଲି – “ଆଚ୍ଛା ଗାଁ ନ୍ୟାୟ ନିଶାପ କଥା ତ କିଛି କହିଲେ ନାହିଁ?” ଏଥର ଟିକିଏ ହୋସ ନେଇ ସାଥୀ ଲୋକଟା ପୁଣି କହି ଚାଲିଲା-

“ଗାଁ ମାମଲତକାରଟା ବଡ଼ ଟାଉଟର । ସେଟା ରାଣ୍ଡୁଆ, ଭାଣ୍ଡୁଆ, ଧପାବାଜିଆ, ଧୋବ ଧୋବଳିଆ, ପଇସାଚୋର, ବାଡ଼ି କଖାରୁକୁ ତା’ର ଭାରି ଅନିସା । ଆଗପଛ ହୋଇ ଖାଲି ନ୍ୟାୟ କରେ । ପକ୍ଷପାତିତା – ବିଚାର ତାହାର । ନ୍ୟାୟ , ଅନ୍ୟାୟ କିମ୍ବା ଧର୍ମ ଅଧର୍ମ କିଛି ଦେଖେ ନାହିଁ । ହାତଗୁଞ୍ଜା ଦେଇ ନପାରିଲେ ନ୍ୟାୟଟା ଓଲଟି ଯାଏ । ଖଚୁଆ ମିଛୁଆ ରାଧୁଆ କଥା ଦୋହରାଇ ହଁ ମାରିବାକୁ ରଖିଛି, ଦଳେ ବୋକଚାବୁହା ଚାମଚା । ଆଇନର ମଙ୍ଗ ଧରି ଯୁଆଡ଼େ ମୋଡ଼େ ଆଇନ ସେ ଆଡ଼କୁ ଢଳେ । ନିରୀହ ଲୋକ ଖାଲି ବେଦନା ସହେ । ଆଖି ମଳି ମଳି କାନ୍ଦେ । ହନ୍ତସନ୍ତ ହୋଇ ଘର କୋଣେ ପଶେ । ଜୀବନ ଭୟରେ ଗାଁକୁ ଭୁଲେ । ତାଙ୍କ ଦାଉରୁ ନିଜକୁ ଲୁଚାଏ । ଜାଳା ସହି ନପାରି ସହରରେ ଯାଇ ଆତ୍ମଗୋପନ କରେ ।

ମୁଁ ଏସବୁ ଶୁଣି ଭାରାକ୍ରାନ୍ତ ହୋଇ ପଡ଼ୁଥାଏ । ଏତିକି ବେଳକୁ ଲମ୍ବେଇ ଲମ୍ବେଇ ସ୍ୱରରେ ଡ଼ାକି ଡ଼ାକି ଆସିଲା ପିଲାଟିଏ । କହୁଥାଏ – “ବାଦମ ନେବ ଭାଇ ବାଦାମ……..ଚିନା ବାଦାମ……….ଖାଇଲେ ହେବ ଟାଇମ୍ ପାସ୍…….” । ମୁଁ ତରବରରେ ପୁଳାଏ କିଣି ପକାଇ ସମସ୍ତଙ୍କୁ ଧରାଇ ଦେଲି । ପ୍ରଥମେ ଲୋକଟା ନାଇଁ କରୁଥିଲା । ବଳେଇ ଦେବାରୁ ଟିକିଏ ରଖିଲା । ଏଣିକି ଆମ ଭିତରେ ଆତ୍ମିୟତା ଟିକିଏ ବଢିଆସିଥିଲା । ମୁଁ ଲୋକଟା ମୁହଁରୁ ମଧ୍ୟ କିଛି ଶୁଣିବାକୁ ଚାହୁଁଥିଲି । ତା’ ପାଖକୁ ଆହୁରି ଲାଗିଗଲି। ଟିକିଏ ଉତ୍ସାହିତ କରି କହିଲି – ଏ ତ ସବୁ ଠିକ୍  । ଆଜି କାଲିକା ଯୁଗର କଥା । ହେଲେ ଗାଁଟା କେମିତି ହଜିଲା? ମୁଁ କିଛି ବୁଝିପାରୁ ନାହିଁ ।”ଏଥର ଲୋକଟା ଅର୍ନଗଳ ବକି ଚାଲିଲା । ମୁଁ ନିସ୍ତବ୍ଧ ହୋଇ ସବୁ ଶୁଣି ଚାଲୁଥାଏ । ଦରକାର ପଡ଼ିଲେ ମଝିରେ ମଝିରେ ହୁଁ ହାଁ ମାରି ଟିକିଏ ଚିଆଁଇ ଦେଉଥାଏ । କଥାର ଗତି ବଢି ଚାଲୁଥାଏ ।

– “ଶୁଣିବ ! ଥରେ ମୋ ବଳଦଟା ଗାଁ ମାମଲତକାର ବାଡ଼ିରେ ପସିଗଲା । ମୁଁ ତାକୁ ସଙ୍ଗେ ସଙ୍ଗେ ଅଡ଼େଇକି ନେଇ ଆସିଲି । ତା’ପରେ ଆରମ୍ଭ ହୋଇଗଲା ଗାଳି – “ଆବେ କି ବେହିଆ କି ବେ? ଯଦି ତୁ ସମ୍ଭାଳି ପାରିବୁ ନାହିଁ ତା ହେଲେ ଉଲିଆ ବଳଦ କାହିଁକି ରଖିଛୁ? ତୋର ତ ସାହସ କମ୍ ନୁହେଁ ? ଗାଁ ମାମଲତକାର ବାଡ଼ିରେ ଗୋରୁ ପୂରାଇଲୁ ? ତୋ ବଳଦ ଲଙ୍କା ବାଡ଼ିଟାକୁ ନାରଖାର କରିଦେଇଛି, ଅମୃତଭଣ୍ଡା ଗଛଟାକୁ ଭାଙ୍ଗି ଦେଛି । ମୁଁ ତୋ ହାତଗୋଡ଼ ଭାଙ୍ଗି ଚୁନା କରିଦେବି” ।

” ଏକଥା ଶୁଣି ମୋ ସାନଭାଇଟା ସହି ପାରିଲାନି ଆଜ୍ଞା! ଘରୁ ବାହାରି ଆସିଲା, ପ୍ରତିବାଦ କଲା । ଗାଁ ମାମଲତକାରର ଲୋକ କେଉଁଠି ଥିଲେ କେଜାଣି । ଠେଙ୍ଗା ଧରି ବାହରି ଆସିଲେ । ପିଟିପିଟି ଲହୁ ଲୁହାଣ କରିପକାଇଲେ । ମୁଁ କ’ଣ କମତି  ଜୁହାର ନେହୁରା ହୋଇଛି ? ମୁଁ ଧରା ଓଗଳା କଲି । ମୋତେ ବି ସେମାନେ ମାରି ବେହୋସ କରି ତଳେ ପକାଇଦେଲେ ।ଏ ଟୋକାଟା କଥା ମାନିଲା ନାହିଁ । ତାକୁ ଭାରି ବାଧିଲା । ପୋଲିସରେ ଯାଇ ନାଲିସ୍ କଲା । ଗାଁ ସରପଞ୍ଚ ଫାଣ୍ଡିରେ ପହଞ୍ଚି କହିଲା – “ସବୁ ଦୋଷ ଆଜ୍ଞା ଏ ଟୋକାଟାର । ଲଫଙ୍ଗା ଟୋକା । ସହରରେ ରହି ପାଠ ପଢୁଛି । ଗୁଣ୍ଡାଗିରି କାଢୁଛି । ଗୋରୁଟା ପସିଲା ବନା ବାବୁ କହିବାରୁ, ଠେଙ୍ଗା ଦେଖାଇ ଗୋଡ଼ାଇ ଗୋଡ଼ାଇ ମାରୁଛି ।  ଯୋଗକୁ ଗାଁ ଲୋକ ଯାଇ ତାକୁ କାବୁ କରି ନେଲେ ନା…. ନୋହିଲେ ଜୀବନରୁ ମାରିଦେଇ ଥାଆନ୍ତା  ।

‘ତା ପରେ ପୋଲିସବାବୁ କେଶ୍ ଠୁଙ୍କି ଦେଲେ । କେସ୍  ଚାଲିଲା ଇୟା ତା’ର ଦ୍ୱାରସ୍ଥ ହେଲି , କୋର୍ଟ କଚେରୀ ଧାଇଁଲି । ଯାହା ଭଲ ମନ୍ଦ ଦିପଇସା ଥିଲା ସବୁ ବାଟେ ବାଟେ ଗଲା । ଓକିଲ ବାବୁ କହିଲେ-” କେସ୍ଟାର ଦଫା ଜୋହର ଲାଗିଛି, ଜିତିବାଟା ସହଜ ନୁହେଁ । ଟଙ୍କା କୋଡ଼ିଏ ହଜାର ଦରକାର”

ଭିଟାମାଟି ଖଣ୍ଡିକ ଛାଡ଼ି, ଯାହା ଜମିଥିଲା ସବୁ ବିକି କି ନେଇ ଓଡ଼ିଲଙ୍କୁ ଧରାଇ ଦେଲି । ସେତକ ବି ନିଅଣ୍ଟ ହେଲା । ସେଠି ବି ଗାଁ ମାମଲତକାରର ହୁକୁମ ଚାଲେ- ଜାଣି  ନଥିଲି । ନେତାଙ୍କୁ ଧରି ଓକିଲ ବାବୁଙ୍କୁ ବି , ସେ ଆଜ୍ଞା ! କିଣିନେଲା । ଓକିଲବାବୁ ଜେରା ବେଳେ ଓଲଟା ସିଧା କହିଲେ । ଟୋକାଟାକୁ ମୋର ସଜ୍ଜା ହୋଇଗଲା ।

ଏଣିକି ଗାଁରେ ମୋତେ ଏକଘରକିଆ କରିଦେଲେ । ନିଆଁ ପାଣି ସବୁ ବନ୍ଦ । ସେହିଦିନଠାରୁ ମୋ ଘରକୁ କେହି ଆସନ୍ତି ନାହିଁ । ମୁଁ ମଧ୍ୟ କାହା ଘରକୁ ଯାଏ ନାହିଁ । କେମିତି ବଞ୍ଚିବି ଆଜ୍ଞା! ଜମିବାଡ଼ି ତ ସବୁ ଯାଇଛି । ସେହିଦିନୁ ସହର ପଳାଇ ଆସିଲି ଯେ, ପିଲାଛୁଆ ଧରି ସେଇଠି ରହୁଛି । ଖାଲି ଜନ୍ମମାଟିର ମୋହଟା ଯାହା ଲାଗୁଛି । ଟିକିଏ ଯାଇ ଘରଟାକୁ ଦୂରରୁ ଦେଖି ଆସୁଛି । ହେଲେ ଘରଟା ଏବେ ଭାଙ୍ଗି ଗଲାଣି । ଡ଼ିହରେ ସିଆଳ ଡ଼େଉଁଛି ।                         ଏତେବେଳକୁ ମୋର ଆଗ୍ରହ ଆହୁରି ଦିଗୁଣା ବଢିଯାଇଥାଏ । ପଚାରିଲି – “ ପିଲାଟାକୁ ଯାଇ ଜେଲରେ ଦେଖାକଲ କି ନାହିଁ ? କେମିତି ଅଛି, କ’ଣ ଖାଉଥିବ ଯାଇ ବୁଝିବା କଥା ନା… ।

-“ ଜେଲକୁ ଥରେ ଯାଇଥିଲି , ଜେଲବାବୁଙ୍କୁ ନେହୁରା ହୋଇ ପଚାଶ ଟଙ୍କା ହାତଗୁଞ୍ଜା ଦେଇ ତାକୁ ଦେଖାକଲି । ଟୋକାଟା ଭାରି କାନ୍ଦିଲା । ମୋତେ ଦେଖି ଭୋ ଭୋ ହୋଇ ରଡ଼ି ଛାଡ଼ିଲା , କହିଲା ଭାଇ ମୋତେ ତୁମେ ପାଠ ପଢାଉଥିଲ ଚାକିରୀ କିର ଆମ ଗରିବୀ ହଟାଇବାକୁ  । ହେଲେ ମୁଁ କୁଳାଙ୍ଗାରଟା କିଛି କରି ପାରିଲି ନାହିଁ । ଭାଇ ! ତୁମକୁ ମୋ ରାଣ ତୁମେ ଏଠିକି ଆଉ ଆସିବ ନାହିଁ । ତୁମ ମୁହଁକୁ ମୁଁ ଚାହିଁ ପାରୁ ନାହିଁ । ଆହୁରି କାନ୍ଦିବି, ପାରୁଛ ଯଦି ଗାଁ ଛାଡ଼ି ପଳାଅ । ସେମାନେ ତୁମକୁ ରଖାଇ ଦେବେ ନାହିଁ । ତା’ କରୁଣ ମୁହଁକୁ ମୁଁ ଆଉ ଚାହିଁ ପାରିଲି ନାହିଁ । ସେହିଦିନୁ ସାହସ କରିନାହିଁ ଆଉ କେବେ ତା’ ପାଖକୁ ଯିବାକୁ । ମାଆ ମରିଗଲା । କେହି ଆସିଲେ ନାହିଁ । ନିଜ କାନ୍ଧରେ ଶବ ବୋହି ମଶାଣିରେ ସତ୍କାର  କଲି । ଭାବିଥିଲି ଟୋକାଟାକୁ ଖବର ଦେବି । କିନ୍ତୁ ଯାଇପାରିଲି ନାହିଁ । କାରଣ ସ୍ନେହ କାଙ୍ଗାଳ ଛୁଆଟା । ମାଆ ମଲା ଖବର ସହି ପାରିବ ନାହିଁ । କାନ୍ଦି-କାନ୍ଦି ଗଡ଼ିଯିବ । ମୁଁ ତା’ କାନ୍ଦ ଦେଖିପାରିବି ନାହିଁ, ମୋ ଛାତି ଫାଟି ଯିବ…. । କହୁ କହୁ ଲୋକଟା ସତ ସତିକା କାନ୍ଦି ପକାଇଲା। ସକ-ସକ ହୋଇ ନିଜେ ନିଜ ଗାମୁଛାରେ ମୁହଁ ପୋଛିଲା । ମୁଁ ପାଣି ବୋତଲଟା ତା’ ଆଡ଼କୁ ବଢାଇଦେଲି। ଲୋକଟା ଢକଢକ କରି ବୋତଲଟା ଯାକ ପାଣି ପିଇଦେଲା । ଏଥର ଲୋକଟା ଉଠିଲା;ଷ୍ଟେସନ ବି ହୋଇଯାଇଥାଏ । କହିଲା “ବାବୁ ! ଏଥର ଚାଲିଲି, ଏ ଯେଉଁ ଫେକ୍ଟେରୀଟା ଦେଖା ଯାଉଛି; ତା’ର ଧୂଆଁ ଉଠୁଛି, ସେଇଠି ଆଜ୍ଞା! ମୋର ଗୋଟିଏ ଚା ଦୋକାନ ଅଛି  । ଯେନେତେନେ ପ୍ରକାରେ ଚଳି ଯାଉଛି । ମୁଣ୍ଡ ଗୁଞ୍ଜିବାକୁ  ଝୁମ୍ପୁଡ଼ିଟାଏ ଅଛି । କେବେ ଯେବେ ଆସିବେ; ନିଶ୍ଚୟ ଆସିବେ ବାବୁ! ଚା ପିଇକି ଯିବେ । ଓଳିକି ହେଉଛୁ ।”

ମୁଁ କହିଲି- “ନିଶ୍ଚୟ ଆସିବି । ହେଲେ ତୁମ ଗାଁ କଥାଟା, ଅଧା ରହିଗଲା ଯେ…..” ଏଥର ଲୋକଟା ଆହୁରି କାନ୍ଦ କାନ୍ଦ ହୋଇଗଲା । ଆଉ କିଛି କହି ପାରିଲା ନାହିଁ । ଗାଡ଼ି ହର୍ଣ୍ଣ ଦେଲା । ଲୋକଟା ଓହ୍ଲାଇ ଗଲା । ସାଥି ଲୋକଟା ତ କେବେ ଠାରୁ ସେଠୁ ଚାଲି ଯାଇଥାଏ । ମୁଁ ଖାଲି ତାହାରି ଆଡ଼କୁ ଚାହିଁ ରହିଥାଏ, ଆଉ ଭାବୁଥାଏ- ପ୍ରଥମେ ଲୋକଟା ଏମିତି ଟାଣ ଗଳାରେ କର୍କଷିଆ କଥା କହୁଥିଲା, କିନ୍ତୁ କାହିଁକି ଛଳ ଛଳ ନେତ୍ରରେ, ଢଳ ଢଳ ଚାହାଣିରେ, ଏମିତି ଚାଲିଗଲା ? ସତେ ଯେମିତି, ତା ‘ଭିତରେ ଆହୁରି ଅନେକ ବେଦନା ଭରା କାହାଣୀ ଛପି ରହିଛି । ଟ୍ରେନ୍ ଛାଡ଼ି ଦେଲା । ଲୋକଟା ହଜିଗଲା । ମୋର କିନ୍ତୁ ତୁହାଇ ତୁହାଇ ମନେ ପଡ଼ି ଯାଉଥାଏ – “ଗାଁରୁ ଫେରିଛି ଗାଁ ହଜିଛି” ।

Related posts

ଏକମାତ୍ର ସନ୍ତାନ

satya

ଦୀର୍ଘ ନିଶ୍ଵାସର ଅନ୍ତରାଳେ

satya

ଶତ ପତ୍ନୀକ

satya

Leave a Comment

Login

X

Register