Satya Prakash
Uncategorised

ନାନୀ

ନାନୀ
–by ସତ୍ୟ ପ୍ରକାଶ ସେଠୀ
ନାନୀ ।ଆମ ଚାକରାଣୀ। ଠକ୍କରା ବୁଢୀ। ବୟସ କିନ୍ତୁ ଜମା 58। ହେଲେ ରୂପକାନ୍ତି ବୟସକୁ ଗିଳି ଦେଇଛି। ଲାଗୁଛି ସେ ଯେମିତି ଅଶୀ ପାର ହୋଇଗଲାଣି। କାହିଁକି ଏମିତି ଦିଶୁଛି? ମୋତେ ତ ପଚାଶ ବର୍ଷ। ମୁଁ ଲାଗୁଛି ଯେମିତି ତିରିଶ ପଇଁତିରିଶ ବର୍ଷର ଯବାନ ଟୋକା। ତେବେ କଣ ଅନ୍ନକଷ୍ଟିଆ ମଣିଷଗୁଡାକ ଏମିତିକା କି? କେଜାଣି ହୋଇଥିବ। ଯାହା ବି ହେଉ ଏ ନାନୀଟା ଭାରି ଠକେଇ। ଠକିବାର ଗୋଟେ ସୀମା ଅଛି। ସେ କିନ୍ତୁ ସବୁ ସୀମା ପାର ହୋଇଯାଇଛି। ବରଂ ଚାକରାଣୀ ନ ରଖିବ ହେଲେ ଏଭଳି ଚାକରାଣୀ ରଖି କିଛି ଲାଭ ନାହିଁ। ସବୁବେଳେ ତାକୁ ବାହାନା ଦରକାର। କେତେବେଳେ ମୁଣ୍ଡ ବିନ୍ଧୁଛି ତ ପୁଣି ସର୍ଦ୍ଦି। ତା ସାଙ୍ଗକୁ କେତେବେଳେ ପୁଣି ଗୋଡ଼ ହାତ ଛିଡ଼େଇ ଖଣ୍ଡିଆ ଖାବରା ହୋଇ ଆସିଥିବ। ସେଥିପାଇଁ ତାକୁ ପୁଣି ମେଡିକାଲ୍ ନେବାକୁ ପଡ଼େ। ଇଏ ମୋର ଚାକରାଣୀ ନୂହେଁ ତ ସତେ ଯେମିତି ମୁଁ ତା ଚାକର। ତା ଭଲମନ୍ଦକୁ ମୁଁ ଖାଲି ଏକଲା ଅଛି ବୁଝିବାକୁ। ମାସର ଅଠର ଥର ବାହାନା କରି ତା ଘରେ ରହିବ। କୌଣସି ମାସ ତ ପୂରା ମାସ ସେ କାମ କରି ନାହିଁ। ଅତି ବେଶୀରେ କୋଡ଼ିଏ ବାଇଶି ଦିନ ମାସକୁ କାମ କରେ। ଏଇଥିରେ କିଏ ନ ବିଗିଡିବ କହୁ ନାହାନ୍ତି। ମୋ ସ୍ତ୍ରୀ ତ ଚିଡି କି ବାଇଶି କୁଟା। କେତେଥର ସୁଲୋଚନା କହିଲେଣି ୟାକୁ ତୁମେ ବାହାର କରି ନୂଆ ଚାକରାଣୀ ରଖ। ହେଲେ ଠିକ୍ ବେଳକୁ ବା ବୁଢୀ ଗୋଡହାତ ଧରିନେବ। କହିବ – “ବାବୁ ଏଇ ଥରକ ମୋତେ କ୍ଷମା କରିଦିଅ। ଏଣିକି ମୁଁ ସବୁଦିନ ଆସିବି। ହେଲେ ଯେଉଁ କଥାକୁ ପୁଣି ସେଇ କଥା। ମୁଁ ପରା ଦରପୋଡ଼ା କାଠେ, ମୋତେ ଯେତେ ମାଠିବୁ ମାଠେ।
ସତ କହୁଛି ଆଜ୍ଞା! ମୋ ସ୍ତ୍ରୀଟା ଟିକିଏ ରୁଗ୍ଣା ବୋଲି ୟାକୁ ମୁଁ ରଖିଛି ନ ହେଲେ କେଉଁ ଖାଉନ୍ଦ ୟାକୁ କାମଧନ୍ଦା ଦେବ କହୁ ନାହାନ୍ତି?
ବାରବାର କି କେତେବାର ତାକୁ ସେଇକଥା ବୁଝାଗଲାଣି। ତଥାପି ଦେଖିଲାବେଳକୁ ପୁଣି ସେୟା। ଦିନ ଇଲା କେତେ ହେବ ସେ ଆଉ କାମକୁ ଆସି ନାହିଁ। ସ୍ଵାମୀ ସ୍ତ୍ରୀ କଥା ହେଲୁ – ବରଂ କଷ୍ଟ ହେଉ ନିଜେ ରାନ୍ଧି ବାଢି ଖାଇବା, ବୁଢୀ କିନ୍ତୁ ଏଥର ଆସିଲେ ତାକୁ ରୋକଠୋକ୍ ମନା କରିଦେବା। ସେୟା ହେଲା ଦୁଇ ତିନି ଦିନ ପରେ ବୁଢୀ ହଲି ହଲିକା ଆସିଲା। କେତେ ପେଖନା କାଢିଲା। କହିଲା – ମୋତେ ଆଉ ସେତେ ଦିରସ ପାଉ ନାହିଁ ତ ତେଣୁ ହାବୁଡି ହୁବୁଡିକି ପଡ଼ି ଆଣ୍ଠୁ ଗଣ୍ଠି ସବୁ ଛିଡି ଯାଇଛି, ଭାରି ଦରଜ। ତେଣୁ ଆସି ପାରିଲି ନାହିଁ। ବାସୀ କାମତକ ସବୁ ଆଜି କରିଦେବି, ରାଗନ୍ତୁ ନାହିଁ। ମୋ ସ୍ତ୍ରୀର କିନ୍ତୁ ସେଇ ଏକା ଜିଦ୍ – “ତୁ ଆଉ କାଲିଠାରୁ କାମକୁ ଆସିବୁ ନାହିଁ। ତୋର କେତେ ପଇସା ହେଉଛି ହିସାବ କରି କହ! ଦେଇ ଦେଉଛି ।ମୁଁ ଅଲଗା ଚାକରାଣୀ ରଖିବି”।
ଏ କଥା ଶୁଣି ବୁଢୀ କାନ୍ଦି ପକାଇଲା। ବଡ଼ ବ୍ୟସ୍ତଆସ୍ତ ହେଲା। କହିଲା – “ଯେତେ ସୁବିଧା ଅସୁବିଧା ଥାଉ ମୁଁ ଏଣିକି ନିଇତି ଆସିବି। ହେଲେ ମୋ ଚାକିରି ଗଲେ ମୁଁ ଖାଇବି କଣ, ଚଳିବି କେମିତି”?
ମୁଁ ଭୂରୁଡି କାଢି କହିଲି -” ତୁ ଆଉ ସେ ବାହାନାବାଜି କଥାଗୁଡାକ କହନି। ତୁ ସିନା ଲୋଭରେ ପଡ଼ି କାମ କରୁଛୁ। ହେଲେ ଘରେ ପରା ତୋର ଭେଣ୍ଡିଆ ପୁଅ ଦୁଇଟା ଅଛନ୍ତି। ସେମାନେ ତୋତେ କଣ କରି ଧରି ଦୁଇଟା ଖାଇବାକୁ ଦେବେ ନାହିଁ”?
ଏ କଥା ଶୁଣି ବୁଢୀ କୋହ ଧରି କାନ୍ଦି ଉଠିଲା । ଯେତେ ସାନ୍ତ୍ଵନା ଦେଲି ଥମିଲାନି। ପାଣି ଗିଲାସଟେ ଦେଲାରୁ ହୋସ୍ ନେଇ କହିଲା – ମୋ ଦୁଃଖ କିଏସେ ଜାଣିଛି। ମୁଁ କିଛି କହେ ନାହିଁ ବୋଲି ମୋ କଥା କେହି ଜାଣି ପାରନ୍ତି ନାହିଁ। ତେବେ ଯେତେବେଳ ପଚାରିଲେଣି ମୋ ଦୁଃଖ କହୁଛି ଶୁଣନ୍ତୁ।
ମୋ ଘର ଆଜ୍ଞା ଚକେଇଶୁଣୀ। ସେଠି ମୋର ସମସ୍ତେ ଅଛନ୍ତି। ହେଲେ ଭାଇ ଭଗାରୀ କଥା। ଇଏ ଗଲା ପରେ ସେମାନେ ମୋତେ ସେଠି ରଖେଇ ଦେଲେ ନାହିଁ। ସମ୍ପତ୍ତି ଲୋଭରେ ନାନା ଚକ୍ରାନ୍ତ କଲେ। ଯେତକ ଅପଯଶ ଓ ଅପନିନ୍ଦା ବି ଦେଲେ। ଆମ ଗାଁ ପାଖର ଜଣେ ବାବୁ ମୋତେ କାମଧନ୍ଦା କରିବା ପାଇଁ ଭଦ୍ରକ ନେଇ ଆସିଲେ। କ୍ରୋଡ଼ରେ ବଢୁଥିବା ବାଳୁତ ପିଲା ଦୁଇଟାକୁ ଧରି ଭଦ୍ରକ ଆସିଗଲି। ଏଇଠି ତାଙ୍କରି ଘର ପାଇଟି କରି ଛୁଆ ଦୁଇଟାକୁ ବଡ କଲି। ହେଲେ ସେ ବାବୁ ବେଶୀ ଦିନ ବଞ୍ଚି ରହିଲେ ନାହିଁ। ସେ ଚାଲିଗଲା ପରେ ବାର ହିନସ୍ଥା ହେଲି। ହେଲେ ପର ଘରେ ବାସନ ମାଜି ଛୁଆ ଦୁଇଟାକୁ ମଣିଷ କଲି। ସରକାରୀ ଜାଗା ଖଣ୍ଡେ ମାଡ଼ି ବସି ଘର ଖଣ୍ଡେ ବି କଲି। ଯେଉଁଠି ଏବେ ମୁଣ୍ଡ ଗୁଞ୍ଜୁଛି। ଭାବିଥିଲି ଛୁଆ ଦୁଇଟା ବଡ଼ ହେଲେ ମୋର ଦୁଃଖ ଯିବ। ହେଲେ ମୁଣ୍ଡକୁ ହାତ ପାଇଲା ପରେ ନିଜ ନିଜ ଭାରିଯାକୁ ଧରି ସେ ଦୁଇ ଜଣ ଏବେ ଅଲଗା। ଯାହା ରୋଜଗାର କରୁଛନ୍ତି ନିଜ ଛୁଆ ପିଲାଙ୍କ ପାଇଁ ନିଅଣ୍ଟ। ଏତେବେଳେ ମୋ କଥା କିଏ ବୁଝୁଛି। ଯାଇ ପିଲା ଦୁଇଟାର ମୋ ପ୍ରତି ଟିକିଏ ଦରଜ ଅଛି, ହେଲା ତାଙ୍କ ସ୍ତ୍ରୀ ମାନେ ପରା ରାଣୀ। ସେ ଯାହା କହିବେ ସ୍ଵାମୀମାନଙ୍କର ସେୟା। ମୋତେ ଦୂରଦୂର ଖିନଖିନ କରିବାରୁ ମୁଁ ବି ଏକଲା ରାନ୍ଧି କି ହାତେ ଖାଉଛି। କାମଧନ୍ଦା କରି ଯାହା ଦୁଇ ପଇସା ପାଏ ସେଇଥିରେ ଚଳେ। ଭାବିଥିଲି ଛୁଆ ଦୁଇଟା ମଣିଷ ହେବା ପରେ ଦୁଃଖ ଯିବ। ହେଲେ କାହିଁ କିଛି ଲାଘବ ହେଲା ନାହିଁ। ଓଲଟା ବାବୁ! ତୁମ ପାଖରୁ ଯେଉଁଦିନ ପଇସା ଗଣ୍ଡାକ ଧରିବି, ସେଦିନ ଯେମିତି ହେଲେ ସେ ବୋହୂ ଦୁଇଟା ମୋ ସହ ନଟ କରିବେ। କେବଳ ପଇସା ଦୁଇଟା ହାତେଇବା ପାଇଁ। ନୋହିଲେ ଠେଲାପେଲା ଓ ଛଡାଛଡ଼ି କରି ହାପୁଲା ମାରି ନେଇଯିବେ। ସେଦିନ ଏହିି ପଇସା ମୁଁ ନ ଦେବାରୁ ମୋତେ ପରା ଗଡେଇ ପଡ଼େଇ ମାଇଲେ। ମୋ ଆଣ୍ଠୁ ଗଣ୍ଠି ସବୁ ଛିଡି ଯାଇଛି।କେବଳ ଘରର ଗୁମର ପଦାରେ ପକାଇବି ନାହିଁ ବୋଲି ତୁମକୁ ମିଛରେ କହେ ରାସ୍ତାରେ ଝୁଣ୍ଟି ଖଣ୍ଡିଆ ହୋଇଛି ବୋଲି। ନିଜ ବିଆଣ ତ ନିଜକୁ କଷ୍ଟ ଦେଉଛନ୍ତି ଆଉ କାହାକୁ ଏ ଦୁଃଖ କହିବି?
ଏତକ କହି ବୁଢୀ ଆହୁରି ଜୋହରେ ଖାଲି ଧକେଇ କାନ୍ଦିଲା। ସୁଲୋଚନା ବୋଧ ଦେବାକୁ ଯାଇ କହିଲେ – “ତୁମକୁ ସେମାନେ ଏତେ ହଇରାଣ କରୁଛନ୍ତି ଯଦି ତୁମେ ଆମ ପାଖରେ ରହିଯାଅ। ଆମର ଏକ୍ସଟ୍ରା ଘର ଅଛି ସେଇଠି ଶୋଇ ଯିବ”। ବୁଢୀ କିନ୍ତୁ ଏ ପ୍ରସ୍ତାବରେ ରାଜି ହେଲା ନାହିଁ। କହିଲା ଯାହା କଲେ ବି ସେମାନେ ମୋହରି ପିଲା। କାମଧନ୍ଦାରୁ ଫେରି ସେମାନଙ୍କ ମୁହଁକୁ ଟିକିଏ ଦେଖି ଦେଲେ ପେଟ ପୂରିଯାଏ। ତେଣିକି କିଛି ଦିଅନ୍ତୁ ବା ନ ଦିଅନ୍ତି। ଆହୁରି ଗୋଟେ କଥା, ମୁଁ ସିନା ଏବେ କାମକୁ ପାରୁଛି ହେଲେ ଯେତେବେଳେ ଖଟି ନ ପାରିବି ସେତେବେଳେ ସେଇ ପିଲାମାନେ ତ ମୋ ମୁହଁରେ ଆହାର ବା ଫଳମୂଳ ଟିକିଏ ଦେବେ। ଉଠା ପକା ବି କରିବେ। ପର ଲୋକ କାହିଁକି ଏତକ ସବୁ କରିବେ କହୁ ନାହାନ୍ତି”?
ବୁଢୀ କଥା ଶୁଣି ମୋତେ ଭାରି ହସ ଲାଗିଲା। ମୁଁ ଫେଁକିନା ହସି ଆସୁଥିଲି ସୁଲୋଚନା ଠାରରେ ମନା କଲେ। ଚୁପ୍ କିନା କାନ ପାଖରେ କହିଲେ -” ତୁମର ଯୋଉ କଥା ନା! ଖାଲି କଟାଘାଆରେ ଚୂନ୍ ଦେବା କଥା ଜାଣିଛ”।
ମୁଁ ତେଣୁ କଥାର ମୋଡ଼ ବଦଳାଇ ଦେଇ କହିଲି -” ଆଚ୍ଛା କହିଲ ଦେଖି! ଯେଉଁ ପିଲାମାନଙ୍କୁ ତୁମେ ଜୀବନ ସାରା ଖଟିକି ମଣିଷ କରିଛ, ସେମାନେ ଆଜି ପର୍ଯ୍ୟନ୍ତ ତୁମକୁ କିଛି ଦେଲେଣି? (ବୁଢୀ ମୁଣ୍ଡ ହଲାଇ ନାଇଁ କଲା) ଯଦି ଦେଇ ନାହାନ୍ତି ଶେଷ ବେଳକୁ ତୁମର ସେବା ଶୁଶ୍ରୁଶା କରିବେ ବୋଲି କଣ ଗ୍ୟାରେଣ୍ଟି ଅଛି ଯେ ତୁମେ ତଥାପି ତାଙ୍କୁ ଭରସା ରଖିଛ” ?
ବୁଢୀ ଟିକିଏ ଗୁମ୍ ହୋଇ କହିଲା-“ନା ଭରସା ପାଉ ନାହିଁ ଯେ, ତଥାପି ମଲା ବେଳକୁ ମୁହଁରେ ନିଆଁ ଟିକିଏ ଦେବେ ତ “।
ଦେଖନ୍ତୁ ମଣିଷର ପରିବାର ପ୍ରତି ମୋହ କେତେ। ଜୀବନ ତମାମ ଯେଉଁ ପରିବାର ସାମାନ୍ୟ କର୍ତ୍ତବ୍ଯ ଟିକିଏ କଲେ ନାହିଁ ଓଲଟି ଶୋଷି ଶୋଷି ନିଶେଷି ଖାଇଲେ ବୁଢୀ ମଣିଷଟି ତଥାପି ତାଙ୍କ ଉପରେ ଅନିସା କରି ରହିଛି ଯେ, ସେମାନେ ମଲା ପରେ ମୁହଁରେ ନିଆଁ ଟିକିଏ ଦେବେ। କିନ୍ତୁ ଏମାନେ ସେତକ କରିବେ ତ? ହାୟରେ ବିଧାତା! ଯୁଗ ଆଜି କଣ ନ କଲା।

Related posts

ଭି. ଜେ. ଡେ

satya

ମୁଖବନ୍ଧ… ଅବଧୂତ

satya

ଅଟଳଜୀ

satya

Leave a Comment

Login

X

Register