Satya Prakash
ଗଳ୍ପ

ପାନ ବାଲି ଝିଅ pana bali jhia

ପାନବାଲି ଝିଅ
——+by ସତ୍ୟ ପ୍ରକାଶ ସେଠୀ
ମୁଁ ବାପା ମାଆଙ୍କର ଗୋଟାଏ ବୋଲି ଝିଅ। ତଳେ ଉପରେ କି ମୋର ଦୁଇଟା ଭାଇ। ଜଣଙ୍କୁ କାନ ମୋଡ଼ି ମୁଁ ଶାସନ କରେ। ଆଉ କେବେ କେବେ ତା’ର ଅଳି ଅଝଟକୁ ସବୁ ସହେ। ଆଉ ଜଣେ ମୋ କାନ ମୋଡି ମୋଡି ମୋତେ ଶାସନ କରେ। ତା’ ନାଁ ହେଉଛି- ନନା। ତା ‘ସାଙ୍ଗରେ ମୋର ମୋଟେ ପଡ଼େ ନାହିଁ। ସବୁ କଥାରେ ମୋତେ ଖାଲି ଆକଟ କରିବ। ଉଠିଲେ ବସିଲେ ଖୁଣ୍ଟିବ। ସୁଯୋଗ ଉଣ୍ଡୁଥିବ, ସୁଯୋଗ ପାଇଲେ ଚିଡ଼େଇବ।
ନନାକୁ ମୋର ଭାରି ଡର। କଲେଜରୁ ଫେରୁ ଫେରୁ ଯଦି କୋଉଠି ଘଣ୍ଟେ ଅଧଘଣ୍ଟେ ଡେରି ହୋଇଗଲା, ତା’ହେଲେ ସେଦିନ ମଲି। ସେ ମୋ ମୁଣ୍ଡ ଚାଟି ଦେବ। କେତେ ପ୍ରଶ୍ନ ବାଣ। ଆଖି ଦେଖା, ଦାନ୍ତ ନିକୁଟା। ପଚାରି ପଚାରି ବିରକ୍ତ କରିଦେବ। ସେ ନନାଟା ଘରେ ନରହିଲେ ଭଲ। ପାଠ ଶାଠ ତ ଯାହା ପଢ଼ିବା କଥା ପଢ଼ି ସାରିଲାଣି। ଗୋଟେ ଚାକିରୀ ବାକିରି କରି କୁଆଡେ ପଳାନ୍ତା ଭଲା। ମଣିଷ ଟିକିଏ ଶାନ୍ତିରେ ନିଶ୍ଵାସ ମାରନ୍ତା। ଏ ଚାକିରୀଟା ବି ତା ‘ଭାଗ୍ୟରେ ଜୁଟୁ ନାହିଁ।
+ + +
ଯାହା ହେଉ ମୋର ପ୍ଲସ୍ ଟୁ ଟା ସରିଲା। ଏବେ ପ୍ଲସ୍ ଥ୍ରୀରେ ଏଡ୍ ମିଶନ କରିବି। ନନାର ଚାକିରୀଟେ ବି ଆସିଗଲାଣି। ସେ ଏ ସହର ବାହାରକୁ ଯିବ। ମୋ ମନ ଏବେ ଖାଲି ଉଡୁଛି। ନନା ପାଖରେ ଥିଲାବେଳେ ସିନା ସବୁବେଳେ ରାଗୁଥିଲା, ଏବେ ଚାକିରୀ କରି ବିଦେଶରେ ରହିଲାଠୁଁ କହୁଛି – “କୁନି ଆମର ସ୍କୁଟି ନେଇ କଲେଜ ଯିବ” ।ତେଣୁ ମୋ ପାଇଁ ନୂଆ ସ୍କୁଟି କିଣା ଗଲାଣି। ମୁଁ ସହର ସାରା ଗାଡି ମୋଟର ପେଁ ପାଁ କରି ଘୂରିବି। ଜୀବନଟା ସାରା ଗଲାଣି ନନାର ଆକଟ ମାନି – ଚଳିଚଳି। ଏବେ ଆଉ ମୋତେ କହିବାକୁ କେହି ନାହିଁ। ବାପା ମାଆଙ୍କର ତ ମୁଁ ଗେହ୍ଲି। ସେମାନେ ମୋତେ କିଛି କହନ୍ତି ନାହିଁ। ଓଲଟି ମୋ ପାଇଁ ନନା ସଙ୍ଗେ କଳି କରନ୍ତି। ଯାହା ହେଉ ନନାକୁ ଥ୍ଯାଙ୍କସ୍। ସେ କନ୍ଜୁସ୍ ମୋତେ ସ୍କୁଟି କିଣି ଦେଇଛି।
ଏବେ ମୁଁ ସ୍କୁଟି ନେଇ କଲେଜ ଯାଏ। ପାଠ ପଢା ସରିଲା ପରେ ସହରଟା ସାରା ଘୂରି ଆସେ। ପୁଣି ଖାଇ ଦେଇ ପାର୍କ ନହେଲେ ସାଙ୍ଗ ଘର ବୁଲେ। ମନଟା ବଡ଼ ଫୁର୍ତ୍ତି ଥାଏ। ହେଲେ ମନରେ ଟିକିଏ ଡର ଥାଏ, ସେ ମକ୍ଷିଚୂଷ ନନାଟା ଯଦି ଏ କଥାଟା ଜାଣି ପାରିବ ନା, ତେବେ କଥା ସରିଲା ।ମୋ ଅବସ୍ଥା ଖରାପ କରି ଦେବ। ଗାଳି ଦେବ ତ ଦେବ, ପୁଣି ସ୍କୁଟି ଫୁଟି ସବୁ ଭାଙ୍ଗି କି ରଖି ଦେବ।

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆଉ ଝିଅ ସାଙ୍ଗ ଏତେ ଭଲ ଲାଗୁ ନାହାଁନ୍ତି, ଯେତେ ପୁଅ ସାଙ୍ଗ… । ପୁଅମାନଙ୍କ ସହ ମିଶିବା ଓ ବସିବା ଏଣିକି ଟିକିଏ ନିଆରା ଲାଗୁଛି। ମୁଁ ଶାରୀରିକ ସ୍ତରରେ ସ୍ଖଳିତ ନହେଲେ ବି ମାନସିକ ସ୍ତରରେ ଟିକିଏ ଚହଲି ଯାଇଛି। କିନ୍ତୁ ଏମିତି କାହିଁକି ହୁଏ କେଜାଣି? ବୟସର ପ୍ରଭାବ ନା opposite sex ପ୍ରତି ଆକର୍ଷଣ ? ଭାଗୀରଥୀ ଦାସଙ୍କ ଉପନ୍ୟାସ ଓ ଡିଟେକ୍ଟିଭ୍ ଗୁଡ଼ାକ ପଢି ପଢି ସେଇ ହିରୋମାନଙ୍କ ସହିତ ବାର୍ତ୍ତଳାପ କରିବାକୁ ମନଟା  ବେଶ୍ ଉଚ୍ଛନିଆ ହଏ। ଟୋକାମାନେ ବି ମୋତେ ଲାଇନ୍ ମାରୁଛନ୍ତି। ଯିବା ଆସିବା ବାଟରେ ଆମ କଲେଜର ମକରା ଯିଏ ଆମ କଲୋନୀର ଟିକିଏ ଆଗକୁ ରହେ, ମୋତେ ଟୋକାଟା ଅନିସା କରି ରହିଥାଏ। ମୋ ପଛେ ପଛେ ମୋଟର ସାଇକେଲ ଧରି ଛୁଟାଏ। ମନେ ମନେ ରସିକ ନାଗର। ହେଲେ ସେ ବାନ୍ଦରଟାକୁ କିଏ ଫସିବ, ଦେଖିବାକୁ ତ ଯୋଉ କନ୍ଦର୍ପ। ମୁଁ ଯଦି ଫସିବି, ତେବେ ଗୋଟେ ରାଜ କୁମାରକୁ ଫସିବି।
ହେଲେ ଆମ କ୍ଲାସର ରାଜା ଭାରି ସୁନ୍ଦର, ମନ କହେ ତାକୁ ଭଲ ପାଇବାକୁ। ହେଲେ ଟୋକାଟାର ଭାରି ଗର୍ବ, ଅତି ଫୁଲେଇ ହେଉଛି। ମୋତେ ଅନାଉ ନାହିଁ କି ଫସୁ ନାହିଁ। ଯେମିତି ମୋ ଠାରୁ ଆହୁରି ସୁନ୍ଦରୀ ତାକୁ ମିଳି ଯିବ?
ଛାଡ଼ ସେ ଭଲ ପାଇବାରୁ କ’ଣ ମିଳିବ। ନନାର ତାଗିଦ୍ ତା’ର ରେଜଲ୍ଟ ଦରକାର, ତେଣୁ ମୋତେ ଭଲ ପାଠ ପଢିବାକୁ ପଡ଼ିବ। ଅବଶ୍ୟ ସେ ଗୁଣଟା ମୋ ପାଖରେ ଅଛି।ପାଠରେ ମୋତେ କେହି ଟକ୍କର ଦେବାକୁ ନାହିଁ। ହେଲେ ଏତେ ପାଠ ପଢି କ’ଣ କରିବି ଯେ? ବୋଉ କହୁଥିଲା – “ଯେତେ ପାଠ ପଢିଲେ ତ ସେଇ ଚୁଲି ମୁଣ୍ଡକୁ”। ହେଲେ ବୋଉ କ’ଣ ଜାଣିଛି ଯେ? ନନା କହୁଥିଲା, ମୁଁ ଭଲ ପାଠ ପଢିଲେ ସେ ମୋତେ ସବୁ ଦେବ, ଏପରିକି ଗୋଟେ ରାଜ କୁମାର ଦେଖି ମୋତେ ବାହା ଦେବ। ହେଲେ ତା’ର ତ ବୟସ ହୋଇ ଗଲାଣି, ସେ ଆଗ ବାହା ହେଉ ନାହିଁ? ମୁଁ କହିଲେ ମୋତେ ମାରି ଗୋଡାଇବ। ବୋଉକୁ ଏ କଥାଟା କହିବି।
-“ବୋଉଲୋ! ତୁ ନନାକୁ କହୁନୁ ସେ ବାହା ହେବ। ଘରକୁ ଗୋଟେ ସୁନା ନାକୀ ଭାଉଜ ଆଣିବ। ଆମେ ସାଙ୍ଗ ହୋଇ ମିତ ବସିବୁ। ଭଲ ମନ୍ଦ ଗପସପ ସବୁ ହେବୁ। ହସାହସି ହୋଇ ଥଟ୍ଟା ମଜ୍ଜା କରନ୍ତୁ, ଭାରି ଭଲ ଲାଗନ୍ତା” ।
ବୋଉ କହିଲା – “ଆଲୋ ଓଲି! ପର ଝିଅ ଆସିଲେ ନଣନ୍ଦ ଭାଉଜ କଳି ଲାଗିବ। ତା’ ଛଡା ଯାଇ ଦୁଇ ପଇସା ତୋ ବାପାଙ୍କ ହାତରେ ଅଛି, ତୋ ବାହାଘରଟା ସରିଗଲେ, କଥା ଶେଷ, ନୋହିଲେ କେତେବେଳ କୋଉ କଥା, କିଏ ଜାଣେଲୋ ମାଆ! ଆଗକୁ ବୋଝଟା ଆହୁରି ମାଡ଼ି ବସିବ। ନନା ସିନା ଦି ପଇସା ପାଉଛି ବୋଲି ତୁ ଏତେ ଫୁଲେଇ ହେଉଛୁ, ନହେଲେ ଆମେ ଗରୀବ ଲୋକ, ପଇସା କୁଆଡୁ ଆସିବ? ତେଣୁ ତୋ ବାହାଘର ଆଗ ହେବ”।
-” ନାଇଁ ନାଇଁ ବୋଉ! ମୋଟେ ନୁହଁ ।ନନା ଆଗ ବାହା ହେବ। ମୁଁ ଭାଉଜ ସାଙ୍ଗରେ କେତେ ଖୁସି ଗପ କରିବି। ତୁ ଆଗ ନନାର ବାହାଘର କର”।

ଯାହା ହେଉ ମୋ ଜିଦ୍ ସମସ୍ତେ ମାନି ନେଲେ। ଏବେ ମୋ ନନାର ବାହାଘର। ବାହାଘରର ଯେମିତି ଯେତକ ଜିମେଦାରୀ – ସବୁ ମୋର ।ବନ୍ଧୁ ବାନ୍ଧବଙ୍କୁ ସଙ୍ଖୋଳିବା ଠାରୁ ଯାବତୀୟ କାମ। ସମସ୍ତେ ଖୁସିରେ ଉପଭୋଗ କଲେ ମୁଁ କିନ୍ତୁ ଖଟି ଖଟି ବେଦମ। ତଥାପି ଭାଉଜଙ୍କ ମୁହଁରୁ ମିଠା ପଦେ ଓ ହସ ଟିକେ ଦେଖି ଦେଲେ ମୋ ମନ ଭରିଯାଏ। କେହି ଯଦି ସବୁଠାରୁ ଖୁସି ଥାଏ, ତାହେଲେ ମୁଁ…. ।
ଝିଅ ଲେଉଟାଣି ପର୍ବ ସରିଲାଣି। ନନାର ବି ଛୁଟି ପୂରି ପୂରି ଆସିଲାଣି। ବାପ ଘରୁ ଫେରିବା ପରେ ଭାଉଜଙ୍କ ଶ୍ରଦ୍ଧା ଭାବଟା ଟିକିଏ ଗୋଳମାଳିଆ ଲାଗୁଥାଏ। ନନା ଚାକିରୀକୁ ଯିବାକୁ ବାହାରିଲାଠୁଁ ତା’ର ଏକା ଜିଦ୍ ସେ ସାଙ୍ଗରେ ଯିବ। ବାପା ଓ ବୋଉ ବି ପ୍ରତିବାଦ କରି ପାରିଲେ ନାହିଁ। ହେଲେ ମୋ ମନ ଖଟକା ଧରୁଥାଏ। ଆଗ ଭଳି ନନା ଆଉ ମୋ କଥାକୁ ସେତେ ଗୁରୁତ୍ଵ ଦେଉ ନଥାଏ।
+ + +
ଏହା ଭିତରେ ବିତି ଗଲାଣି କେତୋଟି ବରଷ। ମାଆଙ୍କର ପାନ ଦୋକାନ କୁଆଡ଼େ ନନାଙ୍କ ଶ୍ୱଶୁର ଘରକୁ ବାଇ। ତେଣୁ ମାଆଙ୍କ ପାନ ଦୋକାନ ବାହାଘର ଠାରୁ ବନ୍ଦ। ନନାର ଆଉ ଦେଖା ନାହିଁ। କୃଷ୍ଣ ଯେ କା ବୋଲେ ମଥୁରାକୁ ଗଲେ ଆଉ ବାହୁଡି ନଅଇଲେ। ନା ମୋ ପାଠ ପଢା ନା ବାହାଘର, ନା ସାନ ଭାଇର ହେପାଜତ ନା ଘରର ଭଲ ମନ୍ଦ – ଆଉ ନନାର କିଛି ମନେ ପଡୁ ନାହିଁ। ମୁଁ ମନେ ମନେ ଭାବୁଥାଏ ମୁଁ ବାହା ନହୋଇଛି ବରଂ ଭଲ ହୋଇଛି। ନହେଲେ ସାନ ଭାଇର ପଢ଼ା କଥା, ରୋଗୀଣା ବାପାର ସେବା ଯତ୍ନ ଓ ମାଆଙ୍କର ଭଲ ମନ୍ଦ କିଏ ବୁଝିଥାନ୍ତା?
ତେବେ ବାହାଘର ପରେ ମଣିଷ କ’ଣ ସତରେ ଏତେଟା ବଦଳିପାରେ? ଯେଉଁ ନନା ସାରା ପରିବାରକୁ ନେଇ ଦିନେ ସ୍ଵପ୍ନ ଦେଖୁଥିଲା, ସାନ ଭାଇ ଓ ଭଉଣୀର ଅଳି ଅର୍ଦ୍ଦଳି ପାଇଁ ସର୍ବସ୍ଵ ଲୁଟେଇ ଦେଉଥିଲା, ବାପା ବୋଉର କଥାକୁ ଶିରୋଧାର୍ଯ୍ଯ ମଣୁଥିଲା – ଆଜି ତା’ର କ’ଣ ହୋଇଛି? ଆମେ କ’ ଣ କେହି ଆଜି ମନେ ପଡ଼ୁନାହୁଁ? ତେବେ ମୁଁ କ’ଣ କରିବି? ଚାକିରୀ କରି ପରିବାରର ଭରଣା ପୋଷଣ ସହିତ ସାନ ଭାଇକୁ ମଣିଷ କରିବି ନା ବାହା ହୋଇଯାଇ ଶ୍ୱଶୁର ଘରେ ଶାନ୍ତିରେ ରହିବି? ମୋ ପାଇଁ କୋଉଟା ବଡ଼? ମୁଁ କ’ଣ କରିବା ଉଚିତ୍?

ଆଖିରେ ଆଖିରେ ବୋହିଲା ଲୋତକ

ଲୋତକର ବାରିଧାରା

ବେଦନା ବେଦନା ବେଦନାରେ ହେଲା

ମନ ପ୍ରାଣ ଶିକ୍ତ ପରା।।

Related posts

ନୀଳ ଗଗନର ପଥିକ

satya

ନୂତନ ପିଢିର ଉତ୍ତର ଦାୟିତ୍ୱ

satya

ମୁଁ କାହାକୁ କୃତଜ୍ଞ

satya

4 comments

Sumati roul 12th November 2018 at 5:12 pm

ବହୁତ ବହୁତସୁନ୍ଦର

Reply
satya 13th November 2018 at 3:05 am

ଅଶେଷ ଅଶେଷ ଧନ୍ୟବାଦ

Reply
Giridhari Das 18th November 2018 at 1:04 pm

ଲେଖା ରେ ଅଛି ଶିକ୍ଷା।ଆମ ଗାଁ ର ମୁଁ ବଡ଼ ଟାଉଟର।ୟାକୁନେଇ ଗୋଟିଏ ଲେଖା ହେଉ। ଆଉ ଟିକେ ଅଧିକ ଖୁସି ହେବି।

Reply
satya 18th November 2018 at 7:55 pm

Please see in vedeo archive ତଥାପି ଏତେମତେ ଦାରୁଣ୍ଯ କାରୁଣ୍ୟ ମୋ ମନୁ ପାରିନି ଲିଭାଇ ଜନ୍ମ ମାଟିର ମୋହ and in poem archive ଗାଁ ସରପଞ୍ଚ and also ଗାଁ ମାମଲତକାର… Thanks

Reply

Leave a Comment

Login

X

Register