Satya Prakash
ଗୀତି କବିତା

ପ୍ରେମ ବାରି ଧାରା

୧/ଯାହାକୁ ଜୀବନେ ପାଇଥିଲି ଭଲ
—- Dr Satya Prakash Sethy
ଯାହାକୁ ଜୀବନେ ପାଇଥିଲି ଭଲ
ସେ ତ ଦେଲା ନାହିଁ ମୂଲ,
ନିଜର ବୋଲି ମୁଁ କରିଥିଲି ତାକୁ
ମାନିଲାନି ମୋର ବୋଲ। ୦।
ପିଛିଳ ପଥର ଥମିଲା ପାଦରେ
କେଉଁଠି ଗୁଞ୍ଜିବି ମଥା,
କହିପାରୁ ନାହିଁ ସହିପାରୁ ନାହିଁ
ମରମ ତଳର ବ୍ୟଥା।
ଯାତନାର ଯୂଇ ଜଳୁନି ଜାଳୁଛି
ହେଉଅଛି କଲବଲ। ୧।
ଛାତି କୋହକଥା ଲୁହ ମାନୁନାହିଁ
ଅବୁଝା ହେଉଛି ଅତି,
ମହୁଆ ପ୍ରୀତିର ମହୁଲିକୁ ପିଇ
ପୂହାଉଛି ନିତି ରାତି।
ଯାଚି କେ ଦେଉନି ମାଗିଲେ ମିଳୁନି
ସ୍ନେହ ମମତାର ମୂଲ। ୨।

୨/ମରମ ବେଦନା
ମରମର କଥା ମରମେ ମାରୁଛି
କାହାକୁ ହେଉନି କହି,
କହିଲେ ବି କେହି ବୁଝୁନାହିଁ ଏଠି
ଜୀବନ ଗଣିତ ବହି।୦।
ଜୀବନ ଯାତନା ସହି ହେଉ ନାହିଁ
ଦିବାନିଶି ପରାହତ,
ଅବସାଦେ ଖାଲି ଲୋତକ ଝରୁଛି
ମଥା ହୁଏ ଅବନତ।
ପରିଶ୍ରମ ସବୁ ବ୍ରୁଥାରେ ଯାଉଛି
ଶ୍ରମଝାଳ ଯାଏ ବୋହି।୧।
ଦୁନିଆଟା ପରା ଅଜବ ହେଲାଣି
କାହାକୁ କହିବ ଦୁଃଖ,
ଯୁଆଡ଼େ ଚାହିଁଲେ ସିଆଡ଼େ ଶିଝୁଛି
ସମସ୍ତେ ହୁଅନ୍ତି ରୁକ୍ଷ।
ଚାରିଆଡ଼େ ଖାଲି ବ୍ୟାଘ୍ର ସିଂହ ରଡି
ଶୁଭିଯାଏ ରହିରହି। ୨।
୩/ଦୁର୍ବାଦଳ
କଲେଜ ବେଳାର ବାନ୍ଧବୀ ମୋହର
ଦେଖିବାକୁ ଭାରି ଭଲ,
ସେଦିନ ବେଣୀକୁ ଦୋହଲାଇ ପରା
କରୁଥିଲା କଲବଲ। ୦।
ମଲମଲ ପିନ୍ଧି ଚଟକି ରାଣୀ ମୋ
ଚାତର କରଇ ଭାରି,
ଚହଟ ଚିକ୍କଣ ଚମ୍ପା ଗୋରୀ ମୋର
ସ୍ନୋହ ପାଉଡର ମାରି।
କୋଟିକରେ ଗୋଟେ ଲାବଣ୍ୟମୟୀ ସେ
ଯୁବାକାଳେ ଦୂର୍ବାଦଳ,
କଲେଜ ବେଳାର ବାନ୍ଧବୀ ମୋହର
ଦେଖିବାକୁ ଭାରି ଭଲ। ୧।
ଆଜି କିନ୍ତୁ ଦେଖେ ବିବର୍ଣ୍ଣ ଚେହେରା
ଉତ୍ତେଜନା ନାହିଁ ବାରେ,
ଅସ୍ତବ୍ୟସ୍ତ ତା’ର କେଶ ଦେଶମାନ
ବିଷର୍ଣ୍ଣତା ସର୍ବରୀରେ ।
ବୟସ ଆଧିକ୍ୟ ମେରୁ ଦଣ୍ଡ ବଙ୍କା
ପାଉନାହିଁ ଆଉ ବଳ,
କଲେଜ ବେଳାର ବାନ୍ଧବୀ ମୋହର
ଦେଖିବାକୁ ଭାରି ଭଲ। ୦।
୪/ଅପରୂପା ଅପସରା
ମନେପଡେ ଆଜି ରଙ୍ଗବତୀ କଥା
କାହାଣୀଟି ସ୍ଵପ୍ନ ଭରା,
ଆମ ଗାଁ କନିଆ କନକ ଗୋରୀ ସେ
ଭାରି ରୂପବତୀ ପରା ।୦।
ବେଣୀକି ହଲେଇ କାନିକୁ ଉଡ଼େଇ
ଚାଲୁଥିଲା ଯେବେ ବାଟେ,
ରୂପ ରାଇଜର ରାଜହଂସୀ ସାଜି
ସଭିଙ୍କ ମନକୁ ଲୁଟେ।
କହି ତ ପାରୁନି ସହିବି ପାରୁନି
ଅପରୂପା ଅପସରା
ମନେପଡେ ଆଜି ରଙ୍ଗବତୀ କଥା
କାହାଣୀଟି ସ୍ଵପ୍ନ ଭରା। ୧।
କଞ୍ଚା ହଳଦିଆ ତନୁ ପାତଳୀର
କମନୀୟ ତା’ର କାନ୍ତି
ହସିଦେଲେ ସିଏ ଶ୍ରାବଣ ଆଣଇ
ପ୍ରୀତି ଫଗୁଣର ରାତି ।
ଆଖିରେ ଆଖିଏ ମାଦକତା ଭରି
କରେ ମୋତେ ଦିଗହରା
ମନେପଡେ ଆଜି ରଙ୍ଗବତୀ କଥା
କାହାଣୀଟି ସ୍ଵପ୍ନ ଭରା । ୨।
୫/ବିଶ୍ବାସଟି ତୁମେ କର କି ନକର…
ବିଶ୍ବାସଟି ତୁମେ କର କି ନକର
ଏହା ହିଁ ତ ଧ୍ରୁବ ସତ୍ୟ,
ମରିବି ନିଶ୍ଚେ ମୁଁ ଆସନ୍ତା କାଲିକି
ହେବିନି ଯେ ଆଉ ସ୍ପୃଶ୍ଯ। 0।
ତୁମେ କି କାନ୍ଦିବ ନା ଯିବ ସାଥେ ମୋ
ପାରିବନି ତାହା କରି,
ସାଥି ଦେଇପାର ମଶାଣି ଭୂଇଁକୁ
ଶୋକ ପାଳି କିଛି ଘଡି଼।
ଶ୍ରଦ୍ଧାଞ୍ଜଳୀ ତୁମ ଫୁଲମାଳ ହାତେ
ହୋଇପାରେ ମୋର ପ୍ରାପ୍ୟ ।୧।
ତା’ପରେ ଭୁଲିବ ଭୁଲିଯିବ ମୋତେ
ତ୍ୟାଗ ବଳିଦାନ ଯେତେ,
ଭୁଲିବ ମୋ ପ୍ରେମ ଭଲ ପାଇବାଟି
ଫେରାଇ ନଦେଇ ଏତେ।
ଧନ୍ୟବାଦ କିନ୍ତୁ ଦେବାକୁ ନଥିବି
ତୁମେ ଶାନ୍ତି ମୋର କାମ୍ୟ । ୨।
୬/ଖରାବେଳ
ଜୀବନଟା ଏଠି ଖାଲି ଖରାବେଳ
ଝାଇଁ ମାରିଯାଏ କାନ,
ନିଦାଘର ଝାଞ୍ଜି ଆହାଃ କି କରୁଣ
ଶୁଖାହୁଏ ଓଦାମନ। ୦।
କାହିଁକି ଈଶ୍ୱର ଜନମ ଦେଇଣ
କଷଣ ଦେଉଛ ପଣି,
ସହି ହେଉ ନାହିଁ କହି ହେଉ ନାହିଁ
ମରମ ଦେଉଛି ହାଣି ।
ଚାରିଆଡ଼େ ଏଠି ସଂସାର ଝାମେଲା
ବ୍ୟର୍ଥତାର ହୁତାଶନ।୧।
ଜୀବନଟା କେତେ ସତେ ମଧୁମୟ
ସୁନ୍ଦର ତା’ର ଅତୀତ,
ବର୍ତ୍ତମାନ କିନ୍ତୁ ତତଲା ଢେଉ ସେ
ଦେହ ହାତ ରତରତ।
ଦୁଖଃର କରୁଣ ଲେଲିହାନ ଶିଖା
ନିଦାଘଠୁଁ ବଳବାନ।୨।
୭/ସାଳନ୍ଦୀ ସଂସ୍କାର
ସାଳନ୍ଦୀ ସଂସ୍କାର ଫସର ଫାଟିଲା
ବିକାଶ ଅଟକିଗଲା,
ସାତ ଶହ କୋଟି ଚଳୁ କରିଦେଲେ
କାହାର କି ଲାଭ ହେଲା । ୦।
ସାଳନ୍ଦୀ ନଦୀ ତ ପ୍ରେମମୟୀ ତଟ
ସାକ୍ଷ୍ୟ ଦିଏ କେଇବାରି,
ଏବେ ରତ୍ନଗର୍ଭା ଶ୍ରୀହୀନା ଦିଶୁଛି
ବେରୂପା ସାଜିଛି ଭାରି।
ଏହି ନଦୀ ଦିନେ ପାଣି ଦେଉଥିଲା
ସ୍ଵଚ୍ଛ ପାଣି ମିଳୁଥିଲା।୧।
ନାଳ ନରଦମା ପଚା ପାଣି ମିଶି
କଳା କିଟିକିଟି ହେଲା,
ପୀଡା ଦେଉଅଛି ପ୍ରାଣକୁ ବାଧୁଛି
ଅତଡା ଯେ ଖସିଗଲା।
ପୂତିଗନ୍ଧମୟ ପାଲଟିଛି ଆଜି
ପରିବେଶ ନଷ୍ଟ ହେଲା। ୨।
୮/ବାଲିଯାତ୍ରା
—by Dr Satya Prakash Sethy
ବାଲିଯାତରାରେ ଲାଗିଥାଏ ଭିଡ଼
ମେଳା ଦେଖିବାକୁ ଠୁଳ,
ଟୋକାଟୋକୀ ଦଳ ଭେଳାଭେଳି ହୋଇ
କରୁଥାନ୍ତି ବଡ଼ ଗୋଳ।0।
ଜନତା ଜମନ୍ତି କୁତୂହଳ ହୋଇ
ଏଣେତେଣେ ବୁଲୁଥା’ନ୍ତି,
ଠୁଙ୍କାପୁରୀ ଖାଇ ଫେରନ୍ତି କେତକ
ଖୁସି ଧରି ରଖିଥା’ନ୍ତି।
ଅନ୍ଧାରୀ ଉହାଡେ ମଦୁଆ ମାତାଲି
କରୁଥାନ୍ତି କେତେ ଖେଳ। ୧।
ଏହି ପ୍ରକାରରେ ମେଳା ମହୋତ୍ସବ
ଭାରି କିନ୍ତୁ ଜମିଯାଏ,
ଚାରିଆଡୁ ଲୋକେ ବୋହି ଆସନ୍ତି ଯେ
ଜନ ସମୁଦ୍ରଟି ହୁଏ।
ଏ ମେଳାଠୁଁ ଭିଡ଼ କେଉଁଠି ଦିଶେନି
ନାହିଁ ଏଠି ଖରାବେଳ । ୨।
୯/ଭୋକିଲାର ଭୋକ
ବାହାଘର ଆଜି କଲ୍ୟାଣ ମଣ୍ଡପେ
ଯାକ ଯମକରେ ହେବ,
କ୍ଷୀରି ଆରିସାରେ ଭାସିବେ ସକଳେ
ଭୋକିଲା ଭୋକରେ ଥିବ ।୦।
କେହି ବୁଝିବେନି ମଳି ମୁଣ୍ଡିଆକୁ
ଦେବେନି ତ ଲୁଚି ପୁରୀ,
ଦୂର ଦୂର କରି ଖେଦି ଗୋଡାଇବେ
କୁକୁର ମାଙ୍କଡ଼ କରି।
କି ଲାଭ ଏଥିରେ କେଉଁ ଅବା ତୁମେ
ଯଶବାନା ଉଡାଇବ ।୧।
ଉତ୍ସବ ମୁଖର ମତୁଆଲା ହୋଇ
ଭୁଲେ ମାନବୀୟ କର୍ମ,
ପୁଣ୍ଯ ପାଇଁ ନର ପୁଣ୍ଯ ନ କରିଣ
କି ଅବା ଅର୍ଜିବ ଧର୍ମ।
ଭୋକିଲା ବୋବାଳି ଶୁଭିବନି ଦଣ୍ଡେ
ବାଜା ବାଣ ଶୁଭୁଥିବ । ୨।

୧୦/ଯମଜ ଭ୍ରାତା
ଦୁଃଖ ଯେଣୁ ମୋର ଯମଜ ଭ୍ରାତା ସେ
ପାରୁନି ଯେ ପର କରି,
ମୋର ଏ ଜୀବନ ପରିଧି ଭିତରେ
ଅହରହ ବୁଲେ ଘୂରି ।0।
ତେଣୁ ମୁଁ ରଖିନି ସୁଖଟି ଆଦର
ଭାତୃ ଧର୍ମ ପରା ପାଳି,
ହେଲେ ଭାଇ ବାଦ ହେଲାଣି ଅସହ୍ୟ
ତା’ଜାଳା ଗଲାଣି ବଳି ।
ତହୁଁ ବିଭୂ ପ୍ରେମେ ରଖେ ସଦା ଲୟ
ରଖିଲେ ରଖିବ ହରି। ୧।
ସୁଖେ ସିନା ନାହିଁ ପ୍ରୟୋଜନ ଏତେ
ଦୁଃଖେ ନାହିଁ ମୋ ଆସକ୍ତି।
ସହି ହେଉ ନାହିଁ ଅସହ୍ଯ କଷଣ
କେମିତି ପାଇବି ମୁକ୍ତି।
ତାରିଲେ ତାରିବୁ ଫେଡ଼ି ଯମ କଷ୍ଟ
ଲଘୁ କରି ଅଶ୍ରୁ ବାରି । ୨।
୧୧/ଉଦ୍ୟାନ
By Satya Prakash Sethy
ଏକାମ୍ର କ୍ଷେତ୍ରରେ ଏକାମ୍ର ପାର୍କଟି
ଗୋଲାପ ଫୁଲରେ ସଜା,
ଦର୍ଶକ ଯେତକ ଘୂରିସାରି ହୋଇ
ନେଉଥିଲେ ତହିଁ ମଜା। 0।
ଉଦ୍ଯାନେ ଦେଖିଲି କେତେ ଯେ ସୁନ୍ଦରୀ
ପ୍ରେମ କରୁଥିଲେ ବସି,
କେବେ ଭିଡ଼ାଭିଡ଼ି କେବେ ଛଡାଛଡି
ରାହସ ହୁଅନ୍ତି ହସି।
ହିନ୍ଦୀ ସଙ୍ଗୀତର ମୂର୍ଚ୍ଛନା ତୋଳିଣ
ବାଜୁଥିଲା ସେଠି ବାଜା। ୧।
ଦେଖିଲି ମୋହର ପ୍ରେମିକା ପ୍ରବୀଣା
ସାଥେ ଧରି ଏକ ଯୁବା,
କୋଳରେ ଶୋଇଚି ଗେହ୍ଲ ହେଉଅଛି
ପାଲଟିଗଲି ମୁଁ କାବା ।
ଭାରି ମନୋହର ସୁନ୍ଦର ଦିଶୁଛି
ଦେଉଥିଲା ମୋତେ ସଜା। ୨।
୧୨/ସାଇଙ୍କୁ ପାଇଲି ନାହିଁ …
ସାଇ ସାଇ ବୋଲି ପଡ଼ିଛି ଚହଳ
ସାଇଙ୍କୁ ପାଇଲି ନାହିଁ,
ଦୁଃଖରେ ପଡ଼ିଛି ସୁଖରେ ଖୋଜୁନି
ଦୁଃଖ ଟିକେ ଯାଉ ନାହିଁ।।
କେମିତି ଯାପିବି ଜୀବନ ତମାମ
ଦୁଃଖ ଯେ ଯାଉଛି ଭରି,
ସୁଖେ ସିନା ମୋର ନାହିଁ ପ୍ରୟୋଜନ
ଦୁଃଖେ କିନ୍ତୁ ହୁଏ ଘାରି।
କେମିତି ଲଭିବି ନିସ୍କୃତି ତହିଁରୁ
ଉପାୟ ତ ପାଉ ନାହିଁ। ୧।
ତୁମରି ଦର୍ଶନ ଅଭିଳାଷ କରି
ବସିଛି ମୁଁ ଏଠି ଏକା,
ଦେଉନୁ ତୁ ମୋତେ ବାରେ ଖାଲିି ଦେଖା
ଖୋଲି ଯାା’ ନ୍ତା ଜ୍ଞାନ ବେକା।।
ତୁ ପରା ଈଶ୍ଵର ସର୍ବ ଶକ୍ତିମାନ
ଦୁଃଖ କିଆଁ ହରୁ ନାହିଁ।୨।
୧୩/ତୁମେ ବଳେ ଦେଖା ଦିଅ
—by Dr Satya Prakash Sethy
ସାଇ ତୁମେ କାଳେ ଭାରି ଭଲ ଲୋକ
ତୁମେ ବଳେ ଦେଖା ଦିଅ
ଗର୍ବ ମୋହ ସବୁ ପରିତ୍ୟାଗ କଲେ
ତୁମେ ପରା ଦେଖା ଦିଅ। ୦।
ଦାନ ଧ୍ୟାନ ଆମେ ଦୁଃଖୀ ଜନେ କଲେ
ତୁମେ ପରା ଦେଖା ଦିଅ,
ଅନ୍ୟକୁ କେହି ତ ଆହାଃ ପଦେ କଲେ
ତୁମେ ପରା ଦେଖା ଦିଅ।
ଅହଙ୍କାରୀ ଜନ ଅହଂ ଶୂନ୍ୟ ହେଲେ
ତୁମେ ପରା ଦେଖା ଦିଅ।୧।
ଭକ୍ତିରେ ପୂଜିଲେ ଭକତ ପ୍ରବର
ତୁମେ ପରା ଦେଖା ଦିଅ,
ରୋଗ ବ୍ୟାଧି ଜରା ଭୋଗାଭୋଗ ହେଲେ
ତୁମେ ପରା ଦେଖା ଦିଅ।
ନିରନ୍ନ ଜନତା କ୍ଷୁଧାରେ ରହିଲେ
ତୁମେ ପରା ଦେଖା ଦିଅ।୨।

Login

X

Register