Satya Prakash
ଗଳ୍ପ

ଫୁସିଆ ମାଆ

ଫୁସିଆ ମାଆ
——by ସତ୍ୟ ପ୍ରକାଶ ସେଠୀ
ଆଜି ମୁଁ ଭାରି ଏକା। ସ୍ତ୍ରୀ ବାପ ଘରକୁ , ଛୁଆ ମାମୁଁ ଘରକୁ – ଯାଇଛନ୍ତି। ଅବଶ୍ୟ ସାଙ୍ଗରେ ଯିବା ପାଇଁ ସେମାନେ ମୋତେ ବାଧ୍ୟ କରୁଥିଲେ। ହେଲେ ମୁଁ ଯାଇ ପାରିଲି ନାହିଁ – ବ୍ୟକ୍ତିଗତ କାରଣରୁ! ।ଗୋଟିଏ ଶୁଦ୍ଧି କର୍ମକୁ ଯିବାକୁ ଥିଲା। ଦୂର୍ଗା ପୂଜା ଘଡି। ସବୁଆଡ଼େ ଉତ୍ସବ ମୁଖର। ଫ୍ରାଏଡ୍ ରାଇସ ଓ କ୍ଷୀରିର ବାସ୍ନା ମୋ ନାକରେ ବାଜୁ ଥିଲେ ହେଁ, ମୁଁ ଏଠି ଏକଲା ।ମୋ ଘରଟାରେ ମୁଁ ଏକଲା – ବସିଛି। ତିନି ଦିନର ବାସି ପଖାଳ ସାଙ୍ଗକୁ ଆଳୁ ପୋଡ଼ା ଓ ବାଇଗଣ ଭରତାରେ କାମ ଚଳି ଯାଉଛି ।ଫୁସିଆ ମାଆ ଥିଲେ ହୁଏତ ଗୋବର ବୋଳି ଅଣ୍ଡାଟେ ପୋଡ଼ି ଖାଇବାକୁ ଦେଇଥାନ୍ତା, ଭାରି ସ୍ଵାଦିଷ୍ଟ ତିଅଣ।
ଏଇମିତି ଏକଲା ବେଳେବେଳେ ଭଲ ଲାଗେ। ପିଛିଲା କଥା ଗୁଡ଼ାକ ମନେ ପକେଇବା ପାଇଁ ଫୁରୁସତ୍ ଟିକିଏ ମିଳି ଯାଏ। ସେଇ କଥା ମନେ ପକେଇବାରେ ନିଆରା ଗୋଟେ ଆନନ୍ଦ ଥାଏ କି କ’ଣ । ଅତୀତ ଭାରି ଖୁସି ଦିଏ। ମନର ମଣିଷ ଗୁଡାକ ଆଖି ଆଗକୁ ଆସି ଥେଇ ଥେଇ ହୋଇ ନାଚନ୍ତି। ଅତୀତ ସ୍ମୃତି ଗୁଡ଼ାକ ସବୁ ମନେ ପଡ଼ିଯାଏ। ସବୁ ଘଟଣା କେମିତି ଜୀବନ୍ତ ହୋଇ ଉଠେ। ସେହି ହିଁ ଆନନ୍ଦ। ମନରେ ଆବେଗ, ଭାବର ଉଚ୍ଛ୍ୱାସ ଓ ପ୍ରାଣର ଶିକ୍ତ ଅନୁଭୂତି।
ଫୁସିଆ ମାଆ ବୋଲି ଜଣେ ବିଧାବା ସ୍ତ୍ରୀ ଲୋକ ଆମ ଗାଁରେ ରହୁଥାଏ। ତା’ର ଗୋଟିଏ ବୋଲି ଝିଅ, ସେ ମୋ ବଡ଼ ଭଉଣୀ ସାଙ୍ଗରେ ପଢ଼େ। କିନ୍ତୁ ତା’ର ପୁଅ ପାତି ନାହାଁନ୍ତି। ମୁଁ ଛୋଟ ପିଲା ହୋଇଥାଏ, ତେଣୁ ସେ ମୋତେ ଭାରି ଆଦର ଓ ଗେହ୍ଲା କରୁଥାଏ। ମୁଁ ସ୍କୁଲ୍ ରୁ ଘରକୁ ଫେରିଲା ବେଳେ ବାଟ ଓଗାଳି ଜଗି ବସିଥାଏ। ଗୋବର ଭିତରେ କଞ୍ଚା ଅଣ୍ଡା ପୂରାଇ ପୋଡ଼ି ରଖିଥାଏ। ମୋତେ ଦେଖିବା କ୍ଷଣି ହାତରେ ଧରାଇ ଦିଏ। କହେ – “ଘରକୁ ଯାଇ ମାଆକୁ କହିବୁ ଭାତ ବାଢି ଦେବ। ଏହି ଅଣ୍ଡାଟି ଚକଟି ବେଶ୍ ପେଟେ ଭାତ ଖାଇ ନେବୁ। “ପୁଣି ସ୍କୁଲ୍ ଗଲା ବାଟରେ ଜଗି ବସି ଥାଏ। ହାତ ଧରି ଟାଣି ନିଏ। କ୍ଷୀର ଗ୍ଲାସ୍ ଟେ ଧରାଇ ଦେଇ ପିଇବାକୁ – କହେ। ନାଇଁ ନାଇଁ କଲେ ବାଧ୍ୟ କରେ। ଦେହ ହାତ ମୁଣ୍ଡରେ ହାତ ବୁଲାଇ ଆଣି ଆଉଁଷି ଦିଏ।କାନିରେ ମୁହଁ ପୋଛି ଦିଏ। ବାପା ଲୋ ଧନରେ କହି ବୁଝାଇଦିଏ। କହେ – ବାବୁରେ! ମନ ଦେଇ ପାଠ ପଢିବୁ, ବାପା ମାଙ୍କର ନାଁ ରଖିବୁ। ପର୍ବ ପର୍ବାଣୀ ପଡ଼ିଲେ ମୋ ପାଇଁ ପିଠା ପଣା, କ୍ଷୀରି ଆରିସା ସଜାଡି ରଖି ମୋତେ ଡାକି ନିଏ, ପେଟ ପୂରାଇ ଖୁଆଏ। ସହରକୁ ପାଠ ପଢି ଗଲାଠୁଁ ସେ ମୋତେ ମନେ ମନେ ଖୋଜି ହୁଏ। ସହରରୁ ଯେବେ ଫେରେ ବାଟ ଜଗି ବସିଥାଏ। କେବେ କେବେ ଡାକି ନେଇ ଘରେ ଭାତ ତରକାରୀ ବାଢି ଦେଇ ବଡ଼ ଶରଧାରେ ଖୁଆଏ। ପ୍ରଥମାଷ୍ଟମୀ ହେଲେ ମୋ ପାଇଁ ନୂଆ ଲୁଗା କରେ। ମୁଁ ତା ଧରମ ପୁଅ। ଧରମ ପୁଅ କୁଆଡେ କରମ ପୁଅ ଠାରୁ ଅଧିକ- କୁହେ। ସବୁ କଥାରେ ମୋତେ ଲୋଡେ ।ଦେଈ ବିବାହ ହେଲା ବେଳକୁ ମୋତେ ଡାକି ନେଲା। କହିଲା- ଏ ମୋର ପୁଅ। ସମସ୍ତଙ୍କୁ ଚିହ୍ନେଇ ଦେଲା। ପୁଣି କହିଲା ଝିଅ ବାହା ହେଇ ଗଲେ ଯାଉ, ମୋ ପୁଅ ମୋ ମଲା ବେଳକୁ ମୋ ମୁହଁରେ ପାଣି ଦେବ, ବୁଢୀ ବେଳେ ମୋର ସାହାରା ପାଲଟିବ ନାହିଁକି, ମୋର ଚିନ୍ତା କ’ଣ ।ସତରେ କେତେ ବଡ଼ ଭରସାଟେ… ସମୟର ସ୍ରୋତରେ କୁଆଡେ ମିଳେଇ ଗଲା। ମୁଁ କାହିଁ ସେ କଥା ଉପରେ ସେତେ ଗୁରୁତ୍ଵ କେବେ ଦେଇ ନାହିଁ। ଭାବି ନାହିଁ ଶେଷ ସମୟରେ ମୁଁ ତା ଆବଶ୍ୟକତା ବୋଲି। ଦିନ ସରିଗଲେ କଥା ସରି ଯାଏ, ପିଛିଲା କଥା ଗୁଡା ତା ଗୁରୁତ୍ଵ ହରାଇ ବସିଥାଏ।
ମୁଁ ଏବେ ଗାଁରେ ରହୁ ନାହିଁ। ପାଠ ପଢି ହାକିମ ହୋଇଛି। ସରକାରୀ ଦପ୍ତର ଓ ସରକାରୀ କାମକୁ ବେଳ ନିଅଣ୍ଟ। କେବେ କେବେ ବେଳେ ଅଧେ ସେଇ ଗାଁକୁ ଯାଏ। ମାଆ ସମସ୍ତଙ୍କୁ ପଚାରି ହେଉଥାଏ ମୁଁ କେବେ ଗାଁକୁ ଫେରିବି। ମୋ ସନ୍ଧାନ ପାଇବା କ୍ଷଣି ଦେଖିବାକୁ ତରତର ହୁଏ। ସବୁ କାମ ପଛରେ ପକାଇ ମୋତେ ଆଗ ଦେଖିବାକୁ ଆସେ। ସେଇଥିରେ ତା ପେଟ ପୂରି ଯାଏ କି କ’ଣ। ମୁଁ ମୁଣ୍ଡିଆଟେ ମାରେ, ସେ ମୋତେ ଆଶୀର୍ବାଦ ଦିଏ। ହାକିମ ବାବୁଙ୍କୁ ଭରସି ସିଏ ମୋତେ ଡାକି ପାରେ ନାହିଁ, ଡାକିଲେ ବି ତା ତିଅଣରେ ମୋର ଆଉ ଆଗ ଭଳି ଏତେ ଆଦର ନଥାଇ ପାରେ । ଗରୀବ ଲୋକ କୋଉଠୁ ଆଣି ଭଲ ତିଅଣ କରିବ, ଅଣ୍ଡାଳି ଉଣ୍ଡୁଳା କି କେଉଁଠୁ କିଛି ଯୋଗାଡ଼ କରି ଆଣିଲେ ବି ସେଥିରେ ହାକିମ ବାବୁଙ୍କୁ ଭଲ ଲାଗିବ କି ନାହିଁ ଭାବି ବୁଢୀ ଶଙ୍କି ଯାଏ। ହାକିମ ବାବୁ ବି ତା ପ୍ରତି ସେତେ ଆଗ୍ରହୀ ଥିଲା ପରି କାହି ମନେ ହେଉ ନାହିଁ। ତେଣୁ ମନ ମଧ୍ୟରେ ସବୁ ସ୍ନେହ ମମତାକୁ ସେ ଦବେଇ ରଖେ।
କ୍ରମେ ବୟଃ ବୃଦ୍ଧି ହେବାରୁ ମୋ ଫୁସିଆ ମାଆଟା ଆର ପାରିକୁ ଚାଲି ଗଲା। ଯମର ଡାକରା ଆସିଲା।

ଅତି ସରଳ ନିଷ୍କପଟ ମଣିଷଟେ-ସେ। ଜମି ମଳେ ଅଛି। ସେଇଥିରେ ମୂଲିଆ ପାନିଆ ପକେଇ ଚଳିଯାଏ। ସ୍କଲରେ ରୋଷେଇ ପାତି କରେ ସେଠୁ ମଧ୍ୟ ଦି ପଇସା ପାଏ। ଜୀବନର ଶେଷ ଆଡକୁ ବିଧବା ଭତ୍ତା ପାଉଥିଲା। ସେ କୁକୁଡ଼ା ରଖିଥାଏ, ଅଣ୍ଡା ଓ କୁକୁଡା ବିକେ। ବାଡ଼ିରେ କଦଳୀ, ଅମୃତ ଭଣ୍ଡା, ସଜନା ଗଛ ଓ ଶାଗ ମନ୍ଦେ ଦି ମନ୍ଦା ସବୁବେଳେ ଥାଏ। ଭାରି ପରିଶ୍ରମୀ ଲୋକ ଅହରହ କିଛି ନା କିଛି କାମ କରୁଥାଏ। ଗାଈ ଯୋଡ଼ିଏ ରଖିଥିଲା, କ୍ଷୀର, ଦହି, ଘିଅ ବିକି ଚଳିଯାଏ। ସେଇଥିରେ ପୁଣି ଦୁଃଖୀ ରଙ୍କିକୁ ଦେଖିଲେ ତା’ର ଭାରି ଶରଧା। ଆଦରରେ ଡାକି ନ ଖୁଆଇଲେ ସେ ଛାଡେ ନାହିଁ। କାହାକୁ କିଛି କହେ ନାହିଁ। ସମସ୍ତଙ୍କର ସେ ଫୁସିଆ ମାଆ। ଛୁଆ ପିଲାଙ୍କୁ ଦେଖିଲେ ତା’ର କୋଟି ଆଦର। ସତରେ ଭିନ୍ନ୍ ମଣିଷଟେ, ନିଆରା ତା’ର ଭାବ।
ତା ସଂଗ୍ରାମୀ ଜୀବନର ଶେଷ କୃତ୍ୟ, ମୃତ୍ୟୁର ମଧୁର ଆଲିଙ୍ଗନ। ଚୁମୁ ଥିଲା ମାଟିର ସ୍ପର୍ଶ।
ମୋର କିନ୍ତୁ ମନରେ ଆଜି ଅନେକ ଭାବାନ୍ତର। ମନ ରାଇଜରେ ଭାବନାର ସୀମାହୀନ ଅସୀମ ଅନନ୍ତ ସେ ସାଗର। ମନରେ ଦୁଃଖ, ଅବସାଦ ଓ ଅବଶୋଷ।କାହିଁକି ଓ କଣ ପାଇଁ – ଏ ଭାବନା,କାରଣ ସେ ମୋ  ପାଇଁ ଯେତିକି କରିଥିଲା, ମୁଁ ତା ପାଇଁ ସେତିକି କରି ନପାରିବାର ଅନୁଶୋଚନା । ତା ସ୍ନେହ ମମତାରୁ କାଣିଚାଏ ଭଲା ମୁଁ ଫେରାଇ ପାରିଥାନ୍ତି? ଖାଲି ଗାଁକୁ ଗଲେ କେତେବେଳେ କେମିତି ହର୍ଲିକ୍ସଟାଏ ବା ଫଳ ମୂଳ ଟିକିଏ ଯାହା ନେଇ ଦେଇଥାଏ। ସେଇ ସେତିକିରେ ତା ରୁଣ ଶୁଝିବାକୁ ଅପଚେଷ୍ଟା। ହେଲେ ତା ପାଇଁ ମୋର କ’ଣ କିଛି କର୍ତ୍ତବ୍ୟ ନଥିଲା? କ’ ଣ ଅବଦାନ ରହିଲା ମୋର ତା ପାଇଁ?
ପରେ ଶୁଣିଲି ବହୁତ ହଇରାଣ ହୋଇ ମରିଗଲା-ମୋ ଫୁସିଆ ମାଆ। ଔଷଧ ଟିକିଏ କିଣିବା ପାଇଁ ତା ପାଖରେ ସମ୍ବଳ ନଥିଲା। ଏକେ ତ ଗରିବ ଲୋକ, ପୁଣି ସାହାରା ବୋଲି ତା ପାଖରେ କେହି ନଥିଲେ-ପାଖରେ। ବଡ଼ କରୁଣ ଥିଲା ସେ ମୃତ୍ୟୁର କାହାଣୀ, ନିରାଶ୍ରୟ ଜନର ଅନ୍ତିମ ଯାତ୍ରା। ମାଆ ମଲା ପରେ ଦେଈ ଆଗ ଫୋନ୍ କରି ଜଣାଇ ଥିଲା, କହିଲା – ବାବୁ ବେ! ମୁଁ ସିନା ପର ଘରୀ, ଶାଶୁ ଶ୍ଵଶୁରଙ୍କ ଆକଟ ମାନି ଚଳୁଛି, ମଲା ବେଳେ ବୁଢୀଟାକୁ ଯାଇ ଦେଖି ପାରିଲି ନାହିଁ। ହେଲେ ତୁ ଥରେ ଯାଇ ଦେଖି ଆସିଲୁନି? ମଲା ପୂର୍ବରୁ ବାୟା ବାତୁଳା ହୋଇ ତୋତେ ବଡ଼ ଖୋଜୁଥିଲା ରେ! ମୋ ପୁଅ ମୋ ପୁଅ ବୋଲି ଖାଲି ବାଉଳି ହେଉଥିଲା। “ମୁଁ କିଛି କହି ପାରିଲି ନାହିଁ, ଲୋତକ ମୋ ଗଣ୍ଡ ଦେଶକୁ ଭିଜାଇ ସାରିଥାଏ, ଖାଲି କଅଁଳା ଶିଶୁ ପରି କାନ୍ଦି ପକାଇଲି।
ଆମେ ମାନେ ଏଇମିତି ଅନ୍ୟର ସ୍ନେହ ଆଦରକୁ ଅକ୍ଳେଶରେ ବେଖାତିର କରିଥାଉ। ଦାନର ପ୍ରତିଦାନ କଥା ଅହରହ ଭୂଲିଥାଉ। ଜୀଇଥିଲା ବେଳେ କୌଣସି କର୍ତ୍ତବ୍ୟ ଓ ସହାନୁଭୂତି ଦେଖାଇ ପାରିନଥାଉ, ହେଲେ ମରିଗଲା ପରେ ନିଜର ବଡ଼ପଣ ଜାହିର୍ କରି ଅଣ୍ଟିରୁ ଦି ଚାରି ହଜାର ଟଙ୍କା ଖୋଲି ଦେଇ ସମସ୍ତଙ୍କ ଆଗରେ ବାଃ ବାଃ ନେଇଥାଉ-ସେତିକିରେ ଆମ କର୍ତ୍ତବ୍ୟ ଶେଷ।
ଆଜି କାହିଁକି କେଜାଣି ମନରେ ଭାରି ମନସ୍ତାପ। ନିଜକୁ ଦୋଷୀ ଦୋଷୀ ଲାଗୁଥାଏ। ବସି ଭାବୁଥାଏ – ଆଉ ଥରେ ଫୁସିଆ ମାଆଟା ଫେରି ଆସନ୍ତା କି? କିଛି ଦିନ ମୋ ପାଖରେ ରଖି ତା’ ସେବା ଶୁଶ୍ରୁଶା କରନ୍ତି। ତାା’ର ଭଲ ମନ୍ଦ କଥା ସବୁ ବୁଝନ୍ତି, ତା’ ମନ ଜାଣି ଭଲ ମନ୍ଦ ଟିକିଏ ଖୁଆନ୍ତି। ମନକୁ ଟିକିଏ ଶୁକୁନ ମିଳନ୍ତା। ଆଶ୍ୱସ୍ତି ବି ଲାଗନ୍ତା। ତା’ ରୁଣ ସୁଝି କର୍ତ୍ତବ୍ୟ ପୂରା କରନ୍ତି। ହେଲେ ତାହା କି ଆଉ ସମ୍ଭବ?
ଆମେ ସୁବିଧାବାଦୀ। ଏଇମିତି ଆମ ଅତୀତକୁ ଆମେ ଭୂଲିଥାଉ। ଅନ୍ୟର ସ୍ନେହ ଶ୍ରଦ୍ଧାକୁ ଅଚିରେ ଦଳି ଦେଉ। ହେଲେ ସୁଯୋଗ ପାଇଲେ ଲମ୍ବା ଲମ୍ବା ଭାଷଣ ଦେଉ। ନୀତି, ହେତୁ ଉପଦେଶ ଓ ମାନବବାଦର ଗାଥା ଗାଉ। ମାନବବାଦ ଯେଉଁଠି ଆଜି ଦୁଷ୍ପାପ୍ୟ ପ୍ରାୟ ସେଠି ସଭ୍ଯ ଶିକ୍ଷିତ ମଣିଷ ବୋଲି ଆମେ ଗର୍ବ କରିବା ନାହିଁ ତ ଆଉ କ’ଣ?।
ଆମେ ଅନ୍ୟର ଦୁର୍ଦ୍ଦଶା ପ୍ରତି ସମ୍ବେଦନଶୀଳ ଯଥେଷ୍ଟ ହୋଇ ପାରୁନା। ନିଜର କାର୍ଯ୍ୟ ବ୍ୟସ୍ତତାର ଦ୍ୱାହି ଦେଇ ଏଇମିତି ସାମାଜିକ କର୍ତ୍ତବ୍ୟବୋଧକୁ ବାରମ୍ବାର ଏଡ଼ାଇ ଯାଉ। ଧନ୍ଯ କହିବା ଆମକୁ। ହେଲେ ଫୁସିଆ ମାଆଲୋ! ମୋତେ ତୁ କ୍ଷମା କରି ଦେବୁନି..  ?ମୁଁ ପରା ତୋ ବାବୁ?? ମୁଁ ଆଜି ବି ଚାହୁଁଛି – ତୋ ହାତରୁ ଖାଇବା ପାଇଁ ସେଇ ଗୋବର ଭିତରେ ପୂରାଇ ପୋଡ଼ି ରଖିଥିବା ତୋର ଅଣ୍ଡା ପୋଡା…. ଫେରି ଆଲୋ! ମୋ ଫୁସିଆ ମାଆ.. ମୋ ମାଆ…

ମାଆର ମମତା ବନ୍ଧୁର ବନ୍ଧୁତା ମିଳେନି ସବୁରି ଭାଗ୍ୟେ

ମିଳିଥିଲା ଦିନେ କଲି ହାତ ଛଡ଼ା ଆଉ କି ଅଛି ଏ ଭାଗ୍ୟେ

Related posts

ପାନ ବାଲି ଝିଅ pana bali jhia

satya

ଲାବୋରଟୋରୀର ରାତ୍ରି ଉଜାଗର

satya

ଏପଟେ ଜ୍ୱାଇଁ ସେପଟେ ବୋହୂ ବୁଢ଼ାଟି ବିଚରା କରିବ କ’ଣ

satya

Leave a Comment

Login

X

Register