ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା
By Dr Satya Prakash Sethy
ବାପା। ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା। ବାପା ମାନେ ଢୋ ଢୋଇଆ ଖାରବେଳ, ନିଦାଘର ତାତି। ବାପା ମାନେ ଅସହିଣିର ଝଞ୍ଜା।ସବୁ କରି ସବୁ ସହି ବି ସମସ୍ତଙ୍କ ରୋଷର ଶିକାର। ପିଲାଛୁଆ ପତ୍ନୀଙ୍କଠାରୁ ଦୁନିଆଟା ଯାକର ସେ ହେଉଛନ୍ତି ଅଭିଯୋଗ ପ୍ରକୋଷ୍ଠ। ଯାହାର ଯେତେବେଳେ ପାନରୁ ଚୂନ ଖସିଲା। ସେ ପ୍ରତିବାଦ କଲା ଆଉ ଦୋଷ ମୁଣ୍ଡାଇଲେ ବାପା। ପତ୍ନୀର ବରାଦୀ ପୂରଣ ନହେଲେ ସେ କହେ – ବାପା। ବାପାଙ୍କ ଯୋଗୁଁ ଏତକ ଅସୁବିଧା। ସେ ଠିକଣା ସମୟରେ ସୌଦାପାତି ଆଣି ନଦେବାରୁ ଆଜି ଦିନକ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇପାରିଲା ନାହିଁ। ପୁଅ ବଢ଼ାଭାତ ପାଖରୁ ଉଠି ଚାଲିଗଲା – ହୋଟେଲ। ଝିଅ କିଛି ଖାଉ ନାହିଁ, ଦିନକ ଉପାସ। ସବୁ ସେଇ ବାପାର ଦୋଷ। “
ପୁଣି ଗୁଣବନ୍ତିଆ ପୁଅ କହୁଛି -” ସେ ଏଟା ପଢ଼ିଥାନ୍ତା ସେଟା ପଢ଼ିଥାନ୍ତା, ବାପା କରେଇ ଦେଲେ ନାହିଁ। ସାଧା ବି. ଏ ଖଣ୍ଡାକର ଚାକିରୀ ହେବ ନାହିଁ, ସବୁ ବାପାଙ୍କ ଯୋଗୁଁ।
ଝିଅ ଧକେଇ ଧକେଇ ପାଠ ପଢୁଛି, ସବୁ ଜାଗାରେ ଥରେ ଦୁଇଥର ଫେଲ୍।ଦଣ୍ଡକେ ଫୋନ୍ ଉପରୁ ନଜର ହଟାଉ ନାହିଁ। ଏଇଟା କୁଆଡ଼େ ଇଣ୍ଟରନେଟ ଓ ସାମାଜିକ ଗଣ ମାଧ୍ୟମର ଯୁଗ। ଏଟା ଆଉ ବାପାଙ୍କ ଅମଳରେ କଥା ହୋଇ ନାହିଁ, ପିଲାଏ ଫୋନ୍ ନ ଧରିଲେ ସ୍ମାର୍ଟ ହେବେ ନାହିଁ। ପାଠକଥା କହିଲେ, ମାଆ କହିବ-“ସେ ତାଙ୍କର ଠିକ୍ ରେ ପଢୁଛନ୍ତି। ହଁ ଭଲରେ କହୁଚି, ତୁମେ ସେମିତି ଆଉ ମୋ ଛୁଆକୁ ମୋ ଆଗରେ ଡାଣ୍ଟିବ ନାହିଁ।”
ମୋର ତ ଗରଜ ପଡ଼ିଛି, ନିଇତି ଏମାନଙ୍କ ସହ ଗେଜେଗେଜେ ହୋଇ ସମୟ ବରବାଦ ହେଉଛି , ହେଲେ କି କେହି ଭଲା ସୁଧରନ୍ତେ। ସମସ୍ତେ ନିଜ ଇଚ୍ଛା ମୁତାବକ ଜୀବନ ତମାମ କାମ କରି ଆସିଛନ୍ତି, କେବଳ ମୋ ବକିବାଟା ଯାହା ସାର ହୁଏ। କିନ୍ତୁ ତା’ର ପ୍ରଭାବ କାହାରି ଉପରେ ସେତେ ପଡ଼େ କି ନାହିଁ, ଫଳଘର ତ ଶୂନ୍। ଜୀବନଟା ସାରା ମୁଁ ବୋଝ ମୁଣ୍ଡାଇ ବାଟ ଚାଲିଛି, ଏବେ ଦୋଷ ମୁଣ୍ଡାଇ ବାଟ ଚାଲି ଶିଖୁଛି।
ବାପା ଥିଲେ ମୁଣ୍ଡ ଉପରେ ଛାତ ଥିଲା। ଭଲରେ ମନ୍ଦରେ ସେ ଦାୟିତ୍ଵ ସମ୍ଭାଳୁ ଥିଲେ। ଯେଉଁଟା ଆମେ ପାରୁ ନଥିଲୁ ବାପା ଲୋଡ଼ା ପଡୁଥିଲେ। ସେ ସବୁଥିରେ ଗୋଟେ ସରଳ ଓ ସହଜ ସମାଧାନ ପନ୍ଥା ବାହାର କରୁଥିଲେ। ମୁଁ ବିବ୍ରତ ହୋଇ ପଡୁଥିଲା ବେଳେ ସେ ଆଶ୍ୱାସନାର ବାଣୀ ଶୁଣାଉଥିଲେ ନତୁବା ନିଜେ ହସ୍ତକ୍ଷେପ କରି ଗୋଟେ ପଦକ୍ଷେପ ନେଉଥିଲେ। ମୋତେ ଆଉ ଚିନ୍ତାଟା ଏତେ ଘାରୁ ନଥିଲା। ସବୁ ଡେଙ୍ଗା ମୁଣ୍ଡରେ ଠେଙ୍ଗା ଭଳି ସିଏ ପିଠେଇ ନେଉଥିଲେ। ତଥାପି ମାଆ ଦୋଷ ଦିଏ – ତୁମେ ଅମୁକଟା ବୁଝିଲ ନାହିଁ ବୋଲି ପୁଅଟା ମୋର ଅସୁବିଧାରେ ପଡ଼ିଲା। ତୁମେ ସେତେବେଳେ ବାପା ହୋଇ କ’ଣ କରୁଥିଲ ଯେ। “
ବାସ୍ତବରେ ମୋ ବାପା ମୋର ସାହସ ଥିଲେ। ଆଜି ସେ ନାହାଁନ୍ତି, ବୋଉ ବି କେବେଠୁଁ ଚାଲିଗଲାଣି। ହେଲେ ଏବେ ମୁଁ ବୁଝୁଛି, ବାପା ହେବା ଯେ କେତେ କଷ୍ଟକର। ଜାଣିଥିଲି ବାପା ମାନେ ଘରର ମୁରବି, ମୁରବି ପଣିଆ ଢେର୍ ଜାହିର୍ କରନ୍ତି। ସମସ୍ତେ ତାଙ୍କ କଥା ମାନନ୍ତି। ତେଣୁ ତାଙ୍କ ଜୀବନଟା ବୋଧେ ଗୋଟେ ଜୀବନ, କାହିଁକିନା ତାଙ୍କ ଖାତିର୍ ଟା ସବୁଠି ରହେ ।ଏବେ କିନ୍ତୁ ସେ ମୋହ ମୋର ଭାଙ୍ଗି ଯାଇଛି। ମୁଁ ବୁଝିଛି ମୁରବି ହେବା ସବୁଠାରୁ ବଡ଼ କଷଣ । ଏଠି କର୍ତ୍ତବ୍ୟ ଓ ଦାୟିତ୍ଵରେ କଷଟି ପଥରରେ କଷି ହେବାଥାଏ। ତା ବୋଲି ମୁଁ ତ ଆଉ ପଳାୟନପନ୍ଥି ନୂହେଁ ଯେ ସବୁଥିରୁ ଖସଡା ମାରି ଦାୟିତ୍ୱରୁ ମୁକ୍ତି ନେବି। ତେବେ ମୋ କହିବାର କଥା ମୁଁ ମୋ ଦାୟିତ୍ଵରେ ଅବହେଳା ନକରି ବି ମିଛୁଟାରେ ଦୋଷ କାହିଁକି ମୁଣ୍ଡାଇବି? ତୁମେ ମାନେ ନିଜ ଦାୟିତ୍ଵ ନିଜେ ଟିକେ ନେଲେ ହୁଅନ୍ତା ନାହିଁ? ନିଜ ଦୋଷ ପର ଉପରେ ଲଦି ଏମିତି କି ଯଶବାନା ଉଡାଇବ ଯେ। ହେଲା, ନିଜେ ଟିକିଏ ନିଜ ସଫଳତା ହାସଲ କର, ମୁଁ ଜାଣିବି ଯେ ତୁମେ ସବୁ ଯୋଗା, ଆଉ ମୁଁ କେବଳ ଅଯୋଗା। ନାହିଁ, ସେମିତି ତ କାହିଁ ହେଉ ନାହିଁ ।
ଏଇ ସୁମିତ୍ରା ଭାରି ଗରିବ ଘର ଝିଅ। କେବଳ ଟିକିଏ ସୁନ୍ଦରୀ ବୋଲି ମୋ ବାପା ତାଙ୍କୁ ଏ ଘରକୁ ବୋହୂ କରି ଆଣିଥିଲେ ଶିକ୍ଷାଦୀକ୍ଷା ସେତେ କିଛି ନଥିଲେ ବି ।
ତାଙ୍କର ଆଉ କୋଉ ଗୁଣ ଭଲ ଥାଉ କି ନଥାଉ ସେ କିନ୍ତୁ ଭାରି ସ୍ନେହଶୀଳା ମହିଳା। ପିଲାମାନଙ୍କୁ ବଡ଼ ଗେହ୍ଲବସରରେ ବଢାଇଛନ୍ତି। ଛୁଆ ମାନଙ୍କର କିଛି ବି କମି ହେଲେ ସେ ପାଟିକରି ଉଠନ୍ତି – “ଏଟା ଆଣିଦିଅ, ସେଟା ଆଣି ଦିଅ। ମୋ ଛୁଆ ମାନଙ୍କର ଯେମିତି କିଛି ଅଭାବ ନରହେ।” ତେଣୁ ମୋତେ ଯେତେ ଅଭାବ ବା କଷ୍ଟ ପଡ଼ୁନା କାହିଁକି ସବୁଟା ମୁଁ ପୂରଣ କରି ଆସିଛି।
ସବୁ ଠିକ୍ ଯେ, କିନ୍ତୁ ସେ ଛୁଆଙ୍କୁ ଟିକିଏ ବେଶୀ ଫୁଲା ଫାଙ୍କିଆ କରିଦେଲେ। ପିଲାମାନେ ନା ଅଭାବ କ’ଣ ଜାଣିଲେ ନା କଷ୍ଟ କ’ଣ ବୁଝିପାରିଲେ। ତେଣୁ ଭଲମନ୍ଦର ବିଚାର ରହୁ ନାହିଁ, ଠିକ୍ ଭୂଲର ବିଚାର କରି ପାରୁ ନାହାଁନ୍ତି। ମୂଳଠୁ ମାଆ ସିନା ଦୁନିଆଦାରି କଣ ଶିଖାଇ ଥିଲେ ହୋଇଥାନ୍ତା, କଥାରେ ଅଛି ପରା “ଯାହା ନୋହିବ ପିଲାକାଳେ ତାହା କି ହେବ ବୁଢ଼ାବେଳେ” । ତେଣୁ ଶିଖିବା ଓ ମାଠିବା ବେଳ ଅତିକ୍ରାନ୍ତ ହୋଇଯାଇ ଥିବାରୁ ମାଆ ଆଉ ଛୁଆଙ୍କୁ ଆକଟ କରିପାରୁ ନାହିଁ, କଲେ ବି ଛୁଆ ଆଉ ଶୁଣୁ ନାହାଁନ୍ତି। ତେଣୁ ଛୁଆଙ୍କୁ ତ ଆଉ କିଛି କହିପାରୁ ନାହାଁନ୍ତି ଓଲଟା ଅଯଥା ଦୋଷ ମୋ ଉପରେ ଲଦା ହେଉଛି, ତେଣିକି ମୁଁ ବୋଝ ବୋହି ବୋହି ବରଂ କୁବଜ ପାଲଟିଯାଏ ।
ପୁଅ ଦିବ୍ୟାଂଶୁ ପାଠଶାଠ ଛାଡିଦେଲାଣି, ଚାକିରିବାକିରି ବି ଆଉ ଖୋଜୁ ନାହିଁ। ଖାଲି ସାଙ୍ଗ ଗହଣରେ ଏଣେତେଣେ ବୁଲି ଲାଗୁଛି, ବାପ ପଇସା ତୋଷରପାତ କରୁଛି। କିଛି କହିଲେ ଓଲଟା ଫଁ ବାହାର କରୁଛି। କହୁଛି – “ତୁମ ଯୋଗୁଁ ମୋ ଲାଇଫ୍ ବରବାଦ ହେଲା, ମୋତେ ପଇସା ଦିଅ ମୁଁ ବେପାର କରିବି।” ହେଲା କିଛି କର ନା ବାପା ତୁମେ କରେଇ ଦିଅ। ବାପା ତା କରମରେ ଯେତିକି କରିବା କଥା କଲା, ଏବେ ତୁମ ଶିଙ୍ଗରେ ତୁମେ ମାଟି ତାଢ଼। ନା ଏଥିପାଇଁ ବି ବାପାର ଦୋଷ ଦେଇଦେଲେ ମାମଲା ତୁଟିଲା, ବାପାଙ୍କର ତେଣୁ ପାଟି ଚୁପ୍, ଆଉ କିଛି କହିବେ ନାହିଁ। ଭଲ ଝାମେଲାରେ ମଣିଷ ପଡ଼ିଲା।
ଝିଅଟା କଥା ଦେଖୁନ, କିଛି ବୋଲି କିଛି କରୁ ନାହିଁ। ନିଜ ଅଇଁଠା ବାସନ ବି ଉଠାଇ ନେଇ ସିଙ୍କ୍ ରେ ପକାଉ ନାହିଁ। ମାଆ ତ ଏଯାଏଁ ଲୁଗା ପଟା ସଫା କରିବାଠୁ ଯାବତୀୟ କାମ କରିବ ଆଉ ଏମାନେ ଶିଖିବେ କେଉଁଦିନ? ଦିନେ ଅଧେ କହିଲେ ମୁହଁ ଫେଣ୍ଡ୍ରା କରି ବସିଲେ।
ଏବେ ବୟସ ଦ୍ରୁତଗତିରେ ବଢୁଛି। ପୁଅ ଝିଅ ଉଭୟ ବିବାହଯୋଗ୍ୟ। ମାଆ kahuchii-“ସେ କିଛି ନକଲେ ନାହିଁ ଘରକୁ ବୋହୂ ଆଣ ଆଉ ଝିଅକୁ ବି ତୁରନ୍ତ ହାତକୁ ଦୁଇହାତ କର, ବାଢ଼ୁଅ ଝିଅଟା ଘରେ କେତେଦିନ ବସିବ।”
ମୁଁ ଜବାବ ଦେଲି – “ମୋର କଣ ଇଚ୍ଛା ନାହିଁ, କିନ୍ତୁ କେମିତି କିଏ ବିବାହ ପାଇଁ ସମ୍ମତି ଦେବ, କେଉଁ ଯୋଗ୍ୟତା ଦେଖି? ବାସ୍ତବରେ ଏ ସବୁ କଥା ଦେଖିଲା ବେଳକୁ ମୁଣ୍ଡ ପିଣି ପିଣି ହୋଇ ଯାଉଛି ।ସେତେବେଳ ଆମେ ଆମ ନିଜ ଯୋଗ୍ୟତା ଅନୁସାରେ କ୍ଲର୍କ ଚାକିରୀ ଖଣ୍ଡେ କରି ଘର ବାହାର ସବୁ ସମ୍ଭାଳି ଆସିଛୁ। ଭାଇଭଉଣୀଙ୍କ ବାହାଘରଠାରୁ ବନ୍ଧୁବାନ୍ଧବ ବାପାବୋଉଙ୍କୁ ଦେଖିଆସିଛୁ। ଏମାନେ ତ ସେ ଦୃଷ୍ଟିରୁ ଚିନ୍ତାମୁକ୍ତ, ତାଙ୍କର ଆଉ କାହାରି ବୋଝ ମୁଣ୍ଡାଇବା ଦରକାର ନାହିଁ, ହେଲେ ନିଜ ବୋଝ ତ ନିଜେ ଉଠାଇବା କଥା। ତଥାପି କହୁଛ ଯଦି ପ୍ରସ୍ତାବ ଦେଖିବି। “
ଶେଷରେ ବହୁ ଭଦ୍ରଲୋକଙ୍କୁ ନେହୁରା ହେଲା ପରେ ସେଦିନ ପୁଅକୁ ଦେଖିବାକୁ ସଇଁତଳାରୁ ଗୋଟେ ପ୍ରସ୍ତାବ ଆସିଥିଲା। ପୁଅକୁ ଦେଖି ସରିଲା ପରେ କନ୍ଯାପକ୍ଷ ମୁହେଁ ମୁହେଁ କହିଗଲେ -” ଟୋକାର କେଉଁ ଘନପଣ ଅଛି, ବେକାରୀକୁ ବେକାରୀ ପୁଣି ଉପର ମୁହାଁ। ତାକୁ କିଏ ଝିଅ ଦେବ ଲୋ ମାଆ। “
ଝିଅର ପଢ଼ା କମ୍ ପାଇଁ ବି ଭଲ ପ୍ରସ୍ତାବ ଆସୁନାହିଁ। ସେଇଥିରେ ପୁଅ ଝିଅ ମାଆ କେହି କିଛି ବୁଝୁ ନାହାଁନ୍ତି। ମୋ ମୁଣ୍ଡଟାକୁ କୋରକି ଖାଇ ସାରିଲେଣି।
ଆଜିକାଲିକା ପିଲାମାନଙ୍କ ମୁହଁରେ ଗୋଟିଏ ଜଣାଶୁଣା ଘୋଷା – “ବାପା ତୁମେ କିଛି ଜାଣିନ। ତୁମେ ହେଲ ପୂରୁଣା କାଳିଆ ମାର୍କାଦିଆ ଏଚ୍ ଏମ୍ ଟି ଘଣ୍ଟା, ଧରାବନ୍ଧା ଗୁଳାରେ ଚାଲିବା ତୁମ କାମ। ତୁମ ଜମାନା ଗଲାଣି, ଏବେ ଆମକୁ ଆମ ହିସାବରେ ବଞ୍ଚିବାକୁ ଦିଅ।” ହେଲେ ସେଇ ବଞ୍ଚିବାର ରାହା କଣ, ମାଧ୍ୟମ କଣ, ଉପାୟ କଣ ଟିକିଏ କହନ୍ତ କି ଶୁଣି ଆତ୍ମା ତୃପ୍ତ ହୋଇଯାନ୍ତା। ନା ପଚାରିଲେ ପାଟି ଆଫାଆଫା ମାରିନେଉଛି ନହେଲେ ସେଇ ପୁରୁଣା ଅଭ୍ୟାସ – ଏଇଟା ବି ବାପାର ଦୋଷ।
ହେଲେ ବାପରେ! ବାପର ଦୋଷ ନଦିଅନ୍ତ ଭଲା । ତେବେ ବେଳକାଳା ଆହୁରି ଅଛିରେ! ଏବେଠୁ ସୁଧୁରି ଯାଅ ନହେଲେ ଜୀବନ ସାରା ପସ୍ତେଇବ।ନିଜ ଜନ୍ମର ଦୋଷ ନଦେଇ ନିଜ କର୍ମର ଦୋଷ ଦିଅ। ସେତେବେଳେ ମୁଣ୍ଡ ଉପରେ ନା ଛାତ ଥିବ ନା ବାପ ଥିବ। ନିଜ ବୋଝ ନିଜେ ମୁଣ୍ଡାଇ ବୁଲୁଥିବ।