Satya Prakash
  • Home
  • Book
  • ବିଚିତ୍ର ବର୍ଣ୍ଣାଳୀ ପୁସ୍ତକ
Book

ବିଚିତ୍ର ବର୍ଣ୍ଣାଳୀ ପୁସ୍ତକ

ଅଳ୍ପ କଥା
————
କବିତା ହେଉଛି କବିର ଭାବନା। ଭାବନାର ଉଚ୍ଛ୍ୱଳ ଜଳଧି ତରଙ୍ଗରେ ତରଙ୍ଗାୟିତ ହୋଇ ସେ କବିତା ଲେଖେ। ଭାବୁକତା ତା’ର ଧର୍ମ। ଭାବନା ରାଜ୍ୟରେ ସେ ଘୂରି ବୁଲୁବୁଲୁ ହୀରା, ମୋତି, ମାଣିକାଦି କେତେ କ’ଣ ସାଉଁଟି ଆଣେ, ଯାହାକୁ ସେ ପାଠକମାନଙ୍କୁ ପରସି ଦେବାକୁ ବ୍ୟଗ୍ର ହୋଇଉଠେ। ଯେତେବେଳେ କବି ଭାବନାର ଖିଅ ଧରି ଗୁନ୍ଥି ବସେ, ସେତେବେଳେ କବିତାର ସୁନ୍ଦର ଓ ସୁଭାଷିତ ମାଳା ସ୍ୱତଃ ପ୍ରସ୍ତୁତ ହୋଇଯାଏ, କେବଳ କବିର ଅପେକ୍ଷା – ତାହା ପୁସ୍ତକ ଆକାରରେ ପ୍ରକାଶିତ ହୋଇ କେତେବେଳେ ପାଠକ ଗଳାରେ ସୁଶୋଭିତ ହେବ।
କବିର ଦୃଷ୍ଟିଭଙ୍ଗୀ ନିଶ୍ଚିତ ଭାବେ ନିଆରା-ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସେଇ ଏକ ବସ୍ତୁ, ଭିନ୍ନ୍ କିନ୍ତୁ ତା’ ଦୃଷ୍ଟି। ତା’ ଦେଖିବାର କଳା ଆଉ ନିଖାରିବାପଣ – ସବୁ ଅଲଗା। ସାଧାରଣ ଘଟଣାକୁ ସେ ଅସାଧାରଣ କରି ଗଢି ତୋଳେ ଓ ସାମାନ୍ୟକୁ ଅସାମାନ୍ୟ । ଇଏ ହୁଏତ ତା ‘କୁଶଳୀ ପଣିଆରେ ପରିଚାୟକ। କାରଣ କବିର ଚକ୍ଷୁରେ କ୍ଷୁଦ୍ରାଦି କ୍ଷୁଦ୍ର ଓ ସୂକ୍ଷ୍ମାତି ସୂକ୍ଷ୍ମ ଘଟଣା ବୃହତ୍ତ’ ର ରୂପରେଖ ନିଏ। ସେ ନିରେଖି ପ୍ରତି କଥାକୁ ଅନୁଧ୍ୟାନ କରେ। ସେଥିରୁ ଖେଳେଇ ବିଦାରି ମଣି ବାହାର କରେ। କବି ତା ‘ଚତୁପାର୍ଶ୍ଵରେ ଘଟିଯାଇଥିବା କୌଣସି ଘଟଣା ପ୍ରତି ଉଦାସୀନ ହୋଇ ରହିପାରେ ନାହିଁ। ପ୍ରତିଟି କଥାରେ ସେ ଦାର୍ଶନିକତା ଫୁଟାଏ ଓ ଦାର୍ଶନିକ ଭାବପୂର୍ଣ୍ଣ ଦୃଷ୍ଟିକୋଣ ନେଇ ସବୁ କଥାକୁ ବିଚାରି ବସେ। କବିତା କବି ପ୍ରାଣର ଉଚ୍ଛ୍ଵାସ ଓ ଭାବର ବିଶ୍ବାସ। କବିକଳ୍ପନା କଳ୍ପନାର ପରଲୋକର ବିଚରଣ କରୁକରୁ ନିଜ ଚେତନାରେ ବାସ୍ତବତାର ଦେବାଲୋକରେ ପହଞ୍ଚିଯାଏ। ତେଣୁ ତାକୁ ସବୁ ଦିବ୍ୟମୟ ପ୍ରତିଭାତ ହୁଏ।
ସତ କହିବାକୁ ଗଲେ ମୁଁ ମୁଖ୍ୟତଃ ଜଣେ ଗାଳ୍ପିକ ଓ ଗଦ୍ୟ ସମ୍ଭାରକୁ ନେଇ ମୋର ସୃଷ୍ଟି ସର୍ଜ୍ଜନା। ତଥାପି କବିତା ପ୍ରତି ମୋର ରୁଚି ଓ ଆକର୍ଷଣରେ କିଛି କମି ନାହିଁ। ତେଣୁ ମୁଁ କବିତା ଲେଖେ। କାରଣ ସାମାଜିକ ପରିବର୍ତ୍ତନ ମୋର ଲକ୍ଷ୍ୟ। ବାସ୍ତବରେ କବିତା ଅଳ୍ପକେ ଅନେକ କିଛି କହିବାର କ୍ଷମତା ରଖିଥାଏ। କବିତା ହେଉଛି ସମାଜର ବାର୍ତ୍ତାବହ, ଯାହା ଜରିଆରେ କବି ସାମାଜିକ ତତ୍ତ୍ଵ ବଖାଣିଥାଏ, ତେଣୁ ଅନାୟାସରେ ସମାଜରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ସମର୍ଥ ହୋଇପାରେ ।
ଉକ୍ତ “ବିଚିତ୍ର ବର୍ଣ୍ଣାଳୀ “କବିତା ଗୁଚ୍ଛ ବିଭିନ୍ନ୍ ପ୍ରକାରର କବିତାକୁ ନେଇ ଏକ ବିଚିତ୍ର ବର୍ଣ୍ଣରେ ବର୍ଣ୍ଣିଳ ହୋଇଛି। ଅନେକ କ୍ଷୁଦ୍ର ଓ ଦୀର୍ଘ କିନ୍ତୁ ଗୀତି କବିତାକୁ ନେଇ ଉକ୍ତ ପୁସ୍ତକର ପରିକଳ୍ପନା କରାଯାଇଛି। ପ୍ରତ୍ୟେକ କବିତାରେ କେଉଁଠି ନା କେଉଁଠି ସାମାଜିକ ବାର୍ତ୍ତାଟିଏ ରହିଛି। ସମାଜରେ ପରିଦୃଷ୍ଟ ବିଭିନ୍ନ୍ ତୃଟି ବିଚ୍ୟୁତିକୁ ଦର୍ଶାଇ ସଠିକ୍ ରାସ୍ତା ଦେଖେଇବା କବିର କର୍ତ୍ତବ୍ୟ। ତେଣୁ ଏ ଦିଗରେ କିଛିଟା ପ୍ରଯତ୍ନ କରାଯାଇଛି। ପ୍ରେମ, ପ୍ରଣୟ ଓ ପ୍ରକୃତି ବର୍ଣନାକୁ ବିଶେଷ ଧ୍ୟାନ ନ ଦେଇ ବସ୍ତାବାଭିମୁଖୀ ହୋଇପଡିବା ଏହାର ବୈଲକ୍ଷଣ। ଜୀବନାଦର୍ଶ ଓ ଜୀବନ ଯନ୍ତ୍ରଣାକୁ ନେଇ କବିତା ଗୁଡ଼ିକର ଆଭିମୁଖ୍ୟ ବେଶ୍ ସ୍ପଷ୍ଟ। ଆଶା ପାଠକ ଏଥିରେ ନିଶ୍ଚିତ ରୁଚି ରଖିବେ ଓ ନିଜର ସୁଚିନ୍ତିତ ମତାମତ ଦେଇ କବିତାଗୁଡ଼ିକୁ ପରିପୃଷ୍ଟ କରିବେ।
ଏହି କବିତା ଗୁଡ଼ିକ ଅତୀତରେ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ପତ୍ର ପତ୍ରିକା, ସମ୍ବାଦ ପତ୍ର ଓ ସାମାଜିକ ମାଧ୍ୟମରେ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ବଣମଲ୍ଲୀ, ଆହ୍ଵାନ, ଷ୍ଟୋରି ମିରର ଆଦି ଇ – ପତ୍ରିକା ଓ ୱେବ୍ ପୋର୍ଟାଲେ ପ୍ରକାଶ ପାଇ ପାଠକ ମାନଙ୍କର ଆଦୃତି ଓ ସ୍ୱୀକୃତି ପାଇବା ପରେ ଏବେ ପୁସ୍ତକ ଆକାରରେ ପ୍ରକାଶ ପାଉଛି। ଏହି ପୁସ୍ତକ ପ୍ରକାଶନ କ୍ଷେତ୍ରରେ ପ୍ରକାଶକ – – – – – ଆଗ୍ରହ ପ୍ରକାଶ କରିଥିବାରୁ ତାଙ୍କୁ ମୋର ଅନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରୁଛି।
ଜୟ ଓଡ଼ିଆ ଭାଷା ସାହିତ୍ୟ ଓ ଓଡ଼ିଆ ଭାଷା।
(ଇତି)
ଲେଖକ

ଉତ୍ସର୍ଗ
———
ପତ୍ନୀ ପ୍ରିୟମ୍ବଦା ମୋର ଭାରି ପ୍ରିୟ, ଯାହଙ୍କ ପ୍ରେରଣା ମୋ କବିତା ଲେଖାରେ ସହାୟ। ନା ମୋ ପାଠରେ ନା ମୋ ଲେଖାରେ ନଥାଉ ପଛକେ ତାଙ୍କର ଆଗ୍ରହ, ତଥାପି ହୁଅନ୍ତିନି କେବେ ସେ ମୋ ଲେଖାଲେଖିରେ ବାଧକ। ସତ କହିବାକୁ ଗଲେ ତାଙ୍କ ସରଳ ଓ ଭୋଳାପଣ ମୋ ପାଇଁ ଆଶୀର୍ବାଦ। ଓଡ଼ିଆ ଭାଷା ସାହିତ୍ୟରେ ବାଣୀ ବିହାରରୁ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବାରୁ ମଧ୍ୟ କେତେବେଳେ କେମିତି ମୋ ତୃଟି ସୁଧାରିବାରେ ହୋଇଥାନ୍ତି ସହାୟକ। ତେଣୁ କବିତା ସଙ୍କଳନ” ବିଚିତ୍ର ବର୍ଣ୍ଣାଳୀ ” ତାଙ୍କୁ ଉତ୍ସର୍ଗ କରି ମୁଁ ଯଥାର୍ଥରେ ମୋ ଖୁସି ଜାହିର୍ କରୁଛି।
-ଇତି)
ତୁମ ହାତ ଧରି ଚାଲିବାକୁ ବାଟ
ଥିଲା ଦିନେ ପରା ସଂକଳ୍ପ ଯାହାର
(ସତ୍ୟ ପ୍ରକାଶ ସେଠୀ)

ସୂଚୀପତ୍ର 

1.ଷୋହଳ ବୟସୀ
2.ହିମପ୍ରବାହ ଓ ଅଗ୍ନିବର୍ଷା
3.ଗୋଡ଼ି ଓ ସିମେଣ୍ଟ
4.ଅନ୍ଧାର ଓ ଆଲୁଅ
5. ଗୁଡ଼ି ଓ ବିହଙ୍ଗ
6.ଆମ୍ବ ଓ ଆମ୍ବଡା
7.ଗାଡ଼ିଆ ଓ ନଦୀ
8.ତାର ଓ ଲୌହ ଦଣ୍ଡ
9.ଶୃଗାଳ ଓ ଛାଗ
10.ଠେକୁଆ ଓ କଇଁଛ
11.ପଶୁ ଓ ମଣିଷ
12.ସାପ ଓ ନେଉଳ
13.ଠେକୁଆ ଓ କଇଁଛ
14. ପଦ୍ମ ଓ ପଙ୍କ

15ସୁର ଓ ଅସୁର
16.ମାଙ୍କଡ଼ ଓ କୋଇଲି
17. କାଉ ଓ କୋଇଲି
18.କାଉ ଓ ହଳଦୀ ବସନ୍ତ
1 9.କଜଳ ପାତି ଓ ଭଦ୍ରଲୋକ
20.ବିଲେଇର ଛିଙ୍କ
21.ଘର ଓ ଚାଳ
22.କୁମ୍ଭୀର ଓ ଗଜ
23ପେଟ ଓ ଭୋକ
24. କୂଅ ଓ ବେଙ୍ଗ
25.ବେଙ୍ଗ ଫୁଲା
26. ଘର ଢିଙ୍କି ଓ କୁମ୍ଭୀର
27. ଶାଗ ଖିଆ ଓ ପେଜ ଖିଆ
28.ଝିଣ୍ଟିକା ଓ ବଣି
29 . କୁମ୍ଭୀର ଓ ମାଙ୍କଡ଼
30 .ହଳଦୀ ବସନ୍ତ ଓ ମାଙ୍କଡ଼

1.ଷୋହଳ ବୟସୀ

ନିଜ କବିତାଟି ନିଜକୁ ଦୁର୍ବୋଧ

କେତେବେଳ ସୁଖ ପାଠ୍ଯ

ଆଉ ବେଳକୁ ତ ନୁହେଁ କେହ୍ନେ ଠିକ

ମନସ୍ବିନୀ କାହୁଁ ଥୟ ।।

ଯେପର୍ଯ୍ୟନ୍ତ ନୂହେଁ କବି ପ୍ରାଣ ମୋର

କେବେ ହେଁ ମନ୍ତ୍ର ମୁଗ୍ଧ

ସେ ଯାଏଁ କବିତା ରହେ ଅସମ୍ପୂର୍ଣ

ଚେଷ୍ଟା କିନ୍ତୁ ଅବିରତ।।

କବିତା ରାଣୀ ବି ଭାରି ଇଚ୍ଛାମତୀ

ଯେତେ ଶାଢୀ ପାଟ ମଠା

ସୁସଜ୍ଜ ସଜାଏ ମାନେ ନା ତା’ ମନ

ପୁଣି ଥରେ ସାଜେ ସଜ୍ଜା।।

ଅନୂଢ଼ା ତରୁଣୀ ଷୋହଳ ବୟସୀ

କବିତା ମୋ ରୂପବତୀ

ସ୍ପର୍ଶ ଆକାଙ୍କ୍ଷୀ ବିଦଗ୍ଧ ପାଠକେ

ବାଟ ଝୁରି ରହେ ନିତି। ।

2.ହିମପ୍ରବାହ ଓ ଅଗ୍ନିବର୍ଷା

କିଏ କହେ ଅବା ହିମ ପ୍ରବାହରେ
କେ କହେ ଅଗ୍ନିବର୍ଷାରେ
ବିନଷ୍ଟ ହୋଇବ ସ୍ରୁଷ୍ଟି ସଂରଚନା
ଏ କଥା ସତସିଦ୍ଧରେ।।0
ଅହମିକା କ୍ରୋଧ ଲୋଭର ପ୍ରାବଲ୍ୟେ
ଧ୍ବଂସ ହୋଇଯିବ ଧରା
ଅସହିଷ୍ଣୁପଣ ଘୃଣାର ଆଧିକ୍ୟେ
ନାଶ ଯିବ ବିଶ୍ଵବାରା।1

3.ଗୋଡ଼ି ଓ ସିମେଣ୍ଟ

ଗୋଡ଼ି ଓ ସିମେଣ୍ଟ ଉଭୟ ଜରୁରୀ
ଘରଠିଁ ଥିଲେ ତ ମତି
ଗୋଟେ ପରା ଟାଣ ଅନ୍ୟଟି ନରମ
ମିଶିଲେ ସୁଦୃଢ ସ୍ଥିତି। ।0
ନାରୀ ଓ ପୁରୁଷ ଉଭୟ ମିଶିଲେ

ମଜବୁତ୍ ହୁଏ ଘର
ଏକ ବିନା ଆନ ସବୁ ସେ ଅସାର
ଘର ପରିଣତ ଘୋର।। 1

4.ଅନ୍ଧାର ଓ ଆଲୁଅ

ଅନ୍ଧାର ଆଲୁଅ ଉଭୟ ଥାଆନ୍ତି
ଖାଲି ହୋଇଗଲେ ଗୋଟେ
ଶୂନ୍ୟ ସ୍ଥାନଟି ଯେ ପୂରଣ ସକାଶେ
ଅନ୍ୟଟି ଧସେଇ ପଶେ।। 0
ଉତ୍ତପ୍ତ ଗ୍ୟାସୀୟ ଉଠେ ଉପରକୁ
ଶୀତଳ ବାଆ ସେ ବହେ
ଗୋଟେ ଗୁରୁ ହେଲେ ଅନ୍ୟ ଲଘୁ ହୁଏ
ଚାପ ପ୍ରୟୋଗଟି ସହେ।। 1

ଦୁଃଖ ସୁଖ ଯେଣୁ ଜମଜ ଭ୍ରାତା ସେ
ଏକ ପରେ ଆନ ସ୍ଥିତ
ଜଣଙ୍କୁ ନ ଦେଖି ଆରକ ଯେ ବଣା

ଭାଗ ପାଇଁ ସହମତ।। 2
ସୁଖ ପାରାବାର ଭାଗ୍ୟେ ଯେବେ ଜୁଟେ
ସୁଖର ଫୁଆରା ଛୁଟେ
ଦୁଃଖ ଅନ୍ଧକାର ନିମିଷକେ ହଟେ
ଦୁଃଖ ଭାଗ ତହୁଁ ଘଟେ ।।3

5. ଗୁଡ଼ି ଓ ବିହଙ୍ଗ

ଗୁଡି ଉଡ଼ିଲେ ବି ସୁଉଚ୍ଚ ଆକାଶେ
ଡୋର ଥାଏ କାହା ହାତେ
ପକ୍ଷୀ କିନ୍ତୁ ଉଡେ ଡେଣା ଟେକି ତା’ର
ଘୂରେ ନିଜ ଇଚ୍ଛାମତେ।। 0
ବେକାରୀ ଜୀବନ ବଡ଼ ଦୁର୍ବିସହ
ଜୀବନ ନଈ କି ଶୁଖେ
ସ୍ୱ ନିର୍ଭରଶୀଳ ମଣିଷଟି କିନ୍ତୁ
ରହିଥାଏ ସଦା ସୁଖେ।। 1

6.ଆମ୍ବ ଓ ଆମ୍ବଡା

ଆମ୍ବ ହେଉ ଅବା ଆମ୍ବଡା ଫଳ ସେ
ପକ୍ଵ ଫଳ ପରା ମିଠା
କଞ୍ଚା ଫଳ ଗୁଣ କେମିତି କହିବା
ନ ଚାଖି ମିଠା କି ସିଠା।। 0
ପାଠୁଆ ହେଉ କି ଅପାଠୁଆ କିନ୍ତୁ
ବୁଦ୍ଧିମାାନ ବୃଦ୍ଧଜନ
ଯହିଁ ଅନୁଭବ ଅନୁଭୂତି ଠୁଳ
ପରିଣତ ତା’ର  ଜ୍ଞାନ ।।  1

7.ଗାଡ଼ିଆ ଓ ନଦୀ

ପୁଷ୍କରଣୀ ଜଳ ଆବର୍ଜନେ ପୂର୍ଣ୍ଣ
ଆଗମନ କ୍ରିୟା ହୀନ
ଚିର ସ୍ରୋତସ୍ୱିନୀ ସ୍ରୋତ ପ୍ରବାହରେ
କାଚ କେନ୍ଦୁ ଜଳଧାର।।0
ରକ୍ତ ପ୍ରବାହରେ ପ୍ରବହମାନ ଯେ
ଚଳ ଚଞ୍ଚଳତା ଆସେ
ନୋହିଲେ ସ୍ଥାଣୁତା ଘୋଟେ ଶର୍ବରୀରେ
ଶିଥିଳତା ମାଡି ବସେ।।1
ନୂଆ ନୂଆ କଥା ଆହରଣେ ସିନା
ବୁଦ୍ଧିଦୀପ୍ତ ହୋଇଥାଏ
ଆହୃତ କ୍ରିୟାଟି ସକ୍ରିୟ ନୋହିଲେ
ପୂତିଗନ୍ଧମୟ ହୁଏ।। 2

8.ତାର ଓ ଲୌହ ଦଣ୍ଡ

ତାର କମନୀୟ ନମନୀୟ ଗୁଣ
ନୁଆଁଇ ଦିଏ ସେ ମୁଣ୍ଡ
ଲୌହ ଦଣ୍ଡ କିନ୍ତୁ ଯେତେ ଶକ୍ତ ଥାଉ
ବେଳ ପଡ଼ିଲେ ଦି ଖଣ୍ଡ।। 0
ବିପଦ ବେଳାରେ ମଥା ନତ କଲେ
ବିପଦ ଯାଏ ସେ ହଟି
ଅତି ଗର୍ବେ ପରା ହତ ଲଙ୍କା ହୁଏ
ସର୍ବସ୍ଵ ଯାଏ ସେ ଲୁଟି।। 1

9.ଶୃଗାଳ ଓ ଛାଗ

ଶୃଗାଳ ଗର୍ତ୍ତରେ ପଡି ଛଟପଟ
ଉପାୟ ପାଞ୍ଚିଲା ବସି
ଛଳରେ ଶିକାର ନଭାବି ନଚିନ୍ତି
ଛାଗ ଗଲା ଗର୍ତ୍ତେ ପଶି। ।0
ଛଳ କପଟକୁ ସରଳ ମାନବ ନପାରେ ସହଜେ କଳି
କପଟ ପାଶାରେ ଛନ୍ଦି ହୋଇପଡ଼ି
ଅନୁତାପେ ହୁଏ ଝଳି।। 1
କୁଜିନେତା ଆମ ଭାରି ସେ ଚତୁର
ଆସନ୍ତି ପାଖକୁ ଭିଡ଼ି
ନିର୍ବାଚନ ଶେଷେ ମାଡିବେନି ପାଖ
ଧରିବେ ଚୁଟିକୁ ଭିଡ଼ି।।2

10.ଠେକୁଆ ଓ କଇଁଛ

କଇଁଛ ଲକ୍ଷଣ ନିରବଚ୍ଛିନ୍ନ ତ
ଧୈର୍ଯ୍ୟ ସହକାରେ ଗତି
ଠେକୁଆଟା ପରା ଭାରି ଅଳସୁଆ
ଘଡିକେ ବିରାମ ମତି।। 0
ପରିଶ୍ରମ ଫଳ ବେକାର ଯାଏନି
ଶ୍ରମେ ଲଭେ ସିଂହାସନ
ଅଳସୁଆଙ୍କର ବାରବାଟୀ ଚାଷ
ଫଳିଲା ବେଳକୁ ଶୂନ୍।।

11.ପଶୁ ଓ ମଣିଷ

କୁକୁର ଆମର ଭାରି ପ୍ରିୟ ଜନ
ଘର ଭିତର ଠାକୁର
ଚାକର ଗୁଡ଼ାକ ପଶୁ ତୁଲ୍ୟ ପରା
ତାଙ୍କ କଥା କାଁ ପଚାର।। 0
କୁକୁର ଖଟରେ ବିଛଣାର ସାଥୀ
ମନକୁ ମୋହିତ କରେ
ଚାକର ପହ୍ଲାରେ କେରପାଲେ ଶୁଏ
ଯେଣୁ ସେବା କର୍ମ ବରେ।। 1

12.ସାପ ଓ ନେଉଳ

ସାପ ନେଉଳର କଳି କେଉଁ କାଳୁ
ଶତୃତା ଜୀବନ ଭରି
ଜଣେ ଆରକକୁ ଦେଖି ଝାମ୍ପି ପଡ଼େ
ଦେବକି ଏ କ୍ଷଣି ମାରି ।। 0
କୁକୁର ଅହନ୍ତା ମଣିଷ ଗୁଡ଼ାକ
ରକ୍ତରେ ଶତୃତାପଣ
ମରିବେ ପଛକେ ଛାଡିବେ ନାହିଁଟି
ନିଜ କଲା ବଡଦଗୁଣ।। 1

13.ଠେକୁଆ ଓ କଇଁଛ

କଇଁଛ ଲକ୍ଷଣ ନିରବଚ୍ଛିନ୍ନ ତ
ଧୈର୍ଯ୍ୟ ସହକାରେ ଗତି
ଠେକୁଆଟା ପରା ଭାରି ଅଳସୁଆ
ଘଡିକେ ବିରାମ ମତି।। 0
ପରିଶ୍ରମ ଫଳ ବେକାର ଯାଏନି
ଶ୍ରମେ ଲଭେ ସିଂହାସନ
ଅଳସୁଆଙ୍କର ବାରବାଟୀ ଚାଷ
ଫଳିଲା ବେଳକୁ ଶୂନ୍।।

14. ପଦ୍ମ ଓ ପଙ୍କ

ପଦ୍ମ ଫୁଟେ ପରା ଗାଡ଼ିଆ ଭିତରେ
ପଙ୍କିଳ ପଙ୍କ ତା ଘର
ଅତି ରୂପମୟୀ ଲାବଣ୍ୟ ନିଧିଟି
ସବୁଠି ଆଦର ତା’ର।। 0
ଅନାଥ ଶିଶୁଟେ ବାଟେ ପଡ଼ିଥିଲା
ଉଠାଇ ଆଣିଲେ କେହି
ପ୍ରଚଣ୍ଡ ଧୀଶକ୍ତି ଜ୍ଞାନର ଔଜ୍ଜଲ୍ୟେ
ପ୍ରକାଶ ହୋଇଲା ସେହି।। 1

15ସୁର ଓ ଅସୁର

ଅସୁର ଦେବତା ଲଢେଇର ଶେଷେ

ଜିତଇ ଦେବତା ବଳ
ମିଥ୍ୟା ପଥେ ଥାଏ କଣ୍ଟକ ଯନ୍ତ୍ରଣା
ହାରିବେ ଅସୁର ଦଳ।। 0
ଅନ୍ୟାୟ ଯୁଦ୍ଧରେ ହାରିବାଟା ତୟ
ପରାଭବ ଗ୍ଲାନି ଭଜ
ଅନୀତି ଦୁର୍ନୀତି ସାଥୀ ସହଯୋଗୀ
ପଶିବ ପାଦରେ ଗୋଜ।। 1

16.ମାଙ୍କଡ଼ ଓ କୋଇଲି

ଭଲ୍ଲୁକ ରାଜା ତ ଲାଞ୍ଚୁଆରେ ଭାଇ
ପଣସ ଦେଖି କି ବର
କୋଇଲି ବିଚରା ବାଜି ହାରିଯାଏ
ଜିତା ପଟ ମାଙ୍କଡ଼ର।। 0
ଜୋହର ଯାହାର ମୂଲକ ତାହାର
ଲାଞ୍ଚ ଦେଲେ ଜିତା ପଟ
ଗରୀବ ବାପୁଡ଼ା ବୁଡ଼ି କି ମରେ ତ
ଅର୍ଥ ପାଇଁ ଭାଗ୍ୟ ଛୋଟ।।

17. କାଉ ଓ କୋଇଲି

କୋଇଲି ବସାରେ କାଉ ଅଣ୍ଡା ଦେଲା
ଅଣ୍ଡା ଫୁଟି ଛୁଆ ହେଲା
କୋଇଲି ପାଳିଲା କାଉର ଛୁଆକୁ
ବାତ୍ସଲ୍ୟ ପ୍ରେମେ ପଡ଼ିଲା।।
ଲାଳନେ ପାଳନେ ମହତ୍ତ୍ୱ ରହୁନି
ମୁଣ୍ଡକୁ ପାଇଲେ ହାତ
ଛୁଆ ଉଡ଼ିଗଲେ ଫର୍ କିନା ପରା
ଭାଗ୍ୟ ହେଲା ବାମ ମିତ।।

18.କାଉ ଓ ହଳଦୀ ବସନ୍ତ

ଚତୁର କି କାଉ କଥା କହି ଜାଣେ
ସିଦ୍ଧି ହୁଏ ତା’ର ଭାଇ
ହଳଦୀ ବସନ୍ତ ନରମା ବିଚରା
ଶରଣ ପଶଇ ଯାଇ।।
କ୍ଷମତା ଅଥବା ପଇସା ଯେବେଟି
ନ ଥିବ ପାଖରେ ରହି
ହାରି ଗୁହାରୀରେ ଲାଭ ନାହିଁ ପରା

ଘେନା କରିବେ ନି କେହି।।

1 9.କଜଳ ପାତି ଓ ଭଦ୍ରଲୋକ

କଜଳ ପାତିଆ ଭଦ୍ରଲୋକ ପରା

ତେର ଘର ଦେବେ ଭାଙ୍ଗି
ଏ ଘର ମାଉସୀ ସେ ଘର ପିଉସୀ
କାନେ ଦେବେ ମନ୍ତ୍ର ଫୁଙ୍କି।। 0
ଯେଉଁଠି ଚାଲଇ ପକ୍ଷପାତି ନ୍ୟାୟ
ବିଚାର ବ୍ୟବସ୍ଥା ନାହିଁ
କୂଟକପଟିଆ ମତଲବିବାଜ
ସ୍ରୁଷ୍ଟି ସାର ହେବ କାହିଁ।। 1

20.ବିଲେଇର ଛିଙ୍କ

ସକାଳୁ ସକାଳୁ ଘରୁ ବାହାରୁଣୁ
ଛିଙ୍କି ଦେଲା ଗୋଟେ ବିଲି
ବଦଳି ଗଲା ମୋ ଗନ୍ତବ୍ୟ ପଥଟି
ଦଣ୍ଡେ ମୁଁ ଅଟକି ଗଲି।।
ପରିବର୍ତ୍ତନ ମୋ ଆସିଗଲା ଗୋଟେ
ଭାବନା ବଦଳି ଗଲା
ଘଟିବାର ଯାହା ଭବିଷ୍ୟେ ବା ଥିଲା
ସବୁ କି ଓଲଟି ଗଲା।।

21.ଘର ଓ ଚାଳ

ଲୋକାଚାରର ତ ସୁଦୂର ପ୍ରସାରୀ
ପ୍ରଭାବ ଯେ ରହିଥାଏ
ଜନ ମାନସକୁ ଆନ୍ଦୋଳିତ ଯାହା
ଅହରହ କରିଥାଏ।। 0
ଘରୁ ବାହାରୁଣୁ ବାଜି ଗଲା  ଚାଳ
ନୂଆଁଣିଆ ଚାଳ ରୋକେ
ତୁଣ୍ଡ   ବାଇଦ ତ ସହସ୍ର  କୋଶ ଯେ

ବ୍ୟାପି ଗଲା ଅଚାନକେ।। 1

ବିପର୍ଯ୍ୟୟ ପାଇଁ କିଏ କେତେ ମତେ
ଦାୟୀ କରି ବସିଗଲେ
ସେଇ ଦିନୁ କାଳ ଛୁଇଁ ଥିଲା ସତେ
ମାପି ଜୁପି ବାଟ ଚାଲେ।। 2

22.କୁମ୍ଭୀର ଓ ଗଜ

ଗଜ ସିନା ସିଏ ବନସ୍ତର ରାଜା
ଜଳ ମଧ୍ୟେ ଶକ୍ତିହୀନ
କୁମ୍ଭୀରର ବଳ ହୋଇପାରେ ନ୍ୟୁନ
ଜଳେ କିନ୍ତୁ ଶକ୍ତିମାନ।।
ଖାଅ କି ନ ଖାଅ ନିଜ ଘରେ ନିଜେ
ସେ ତ ସତେ ତେଜୀୟାନ୍
ପର ଓଳି ତଳେ ଖର୍ବ କିନ୍ତୁ ଗର୍ବ
ଯେତେ ହେଉ ବଳବାନ।।

23ପେଟ ଓ ଭୋକ

ପେଟରେ ଭୋକ ତ ମୁହଁରେ ଲାଜ
ଉଦର ଭରିବ କେମିତି ଭଜ।।
ମନର ଭାବ ତ ମନରେ ମରେ
କାହାକୁ ନକହି ଭିତରେ ଜଳେ।।
କହି ପକେଇଲେ ପେଟର କଥା
ମନେ ରୁନ୍ଧିଭୂତ ଲାଘବ ବ୍ୟଥା।।
ଛୁଆ ନକାନ୍ଦିଲେ ଦିଏ ନି ମା ‘ କ୍ଷୀର
ନିଜେ ତେଣୁ ମାଗ  ସ୍ଵ ଅଧିକାର।।

24. କୂଅ ଓ ବେଙ୍ଗ

କୂଅ ପରି ଗୋଟେ ନିବୁଜ କୋଠରୀ
ବାହ୍ୟ ପ୍ରଭାବରୁ ମୁକ୍ତ
ନିଜକୁ ମଣଇ ଜଗତ ଠାକୁର
କୂଅ ଭିତରର ବେଙ୍ଗ।।
ବାହ୍ୟ ଜଗତରୁ ଦୂରେ ରହିଲେ କି

ସାଂସାରିକ ଜ୍ଞାନ ହେବ
କାନ ଆଖି ଯଦି ଖୋଲା ନ ରଖିବା

କେମିତି ବୁଝିବା ଭବ।।

25.ବେଙ୍ଗ ଫୁଲା

ବେଙ୍ଗୁଲୀ ନାନୀର ଔଦ୍ଧତ୍ୟ ଦେଖୁନ
ଗର୍ବେ ଫୁଲାଉଛି ଛାତି
ଟେକା କଥାରେ ତ ମନ ଉଲ୍ଲସିତ
ଭ୍ରମିତ ହେଲାଣି ମତି।।
ନିଜ ପ୍ରଶଂସାରେ ଝଲ୍ଲସିତ ପରା
ସତେ କି ସରଗ ରାଜା
ବାସ୍ତବତା ଦଣ୍ଡେ ବୁଝିଗଲା ପରେ
ଓଲଟା ପାଇବ ମଜା।।

26. ଘର ଢିଙ୍କି ଓ କୁମ୍ଭୀର

ଘର ଢିଙ୍କି ଯେବେ କୁମ୍ଭୀର ହୋଇବ
କାହାକୁ କହିବ ଦୁଃଖ
ଗୋଡାଇ ଖାଇବ ଉଦର ଭରିବ
ପେଟରେ ରଖିଣ ଭୋକ।।
ଆପଣା ଲୋକ ସେ ଶତୃ ପୁଣି ହେଲେ
କେଉଁଠି ଆଉ ଶରଣ
ସୁରକ୍ଷିତ ଜାଗା ଯାହାକୁ ମଣଇ
ଘରେ ଲାଗି ଯାଏ ଘୁଣ।।

27. ଶାଗ ଖିଆ ଓ ପେଜ ଖିଆ

ଶାଗ ଖିଆକୁ ତ ପେଜ ଖିଆ ପରା
ପାରେନି ମୋଟରୁ ଦେଖି
ଏଡ଼େ ଅସହିଷ୍ଣୁ ଯେଉଁଠି ସମାଜ
ଚଳିବା କି ଜଗି ରଖି।। 0
ଦୁଃଖେ ଭାଗୀଦାର ହେଉ ନାହିଁ କେହି
ସୁଖେ ଯେତେ ହାଇଁପାଇଁ
ଭରସି କହିଲେ କଥା ରହୁନାହିଁ
ସୁଖ ଭାଗ ଯାଏ ଧୋଇ।।
ଏଡିକି ସ୍ୱାର୍ଥାନ୍ଧ ସ୍ୱାର୍ଥ ଗ୍ରାସୁଅଛି
ଦିଶୁ ନାହିଁ କିଏ ଭ୍ରାତ
ସ୍ୱାର୍ଥ ସିନ୍ଧୁ ପରା ବିଶାଳ ସାଗର
ପାଉ ନାହିଁ ମୋର କାତ।।

28.ଝିଣ୍ଟିକା ଓ ବଣି

ଝିଣ୍ଟିକା ପରାଏ କ୍ଷୁଦ୍ର ଜୀବ ମାରି
ବଣି ପୋଷିଲେ କି ହେବ
ଗୋଟେ ପ୍ରାଣୀ ପାଇଁ କୋଟିଏ ମାରିଲେ
ପାପ ଭାର କି କମିବ।। 0
କୋଟି କୋଟି ଲୋକ ତଣ୍ଟି କାଟି କରି
ଗୋଟିଏ ଉଦର ଭର
ପାପର ସୀମାଟି ଅତିକ୍ରାନ୍ତ ପରେ
ମିଳିବ ଓଲାଟା ବର ।। 1
ବେଳ ଥାଉ ଥାଉ ହୁସିଆର ଟିକେ
ଯମ ନେବ ପାଶେ ଭିଡ଼ି
ରକ୍ଷା କର ବୋଲି ଚିତ୍କାର ଛାଡିଲେ
ଶୁଣିବେନି କେହି ରଡି।। 2
ଧୀରର ଝଟକା ଜୋହର ଲାଗିବ
ପାରିବନି କାହେ କହି
ଅଣ୍ଟା ପିଠି ସବୁ ଦୁହିଁ ହୋଇଯିବ
ଚକ୍କର କାଟିବ ରହି।। 3

29 . କୁମ୍ଭୀର ଓ ମାଙ୍କଡ଼

ମାଙ୍କଡ଼ କୁମ୍ଭୀର ବନ୍ଧୁତା ଅଡ଼ୁଆ
କୁମ୍ଭୀରକୁ ଜାମୁ କୋଳି
ମର୍କଟ ବନ୍ଧୁର ବନ୍ଧୁତା ରଖିଣ
ନିତି ଦେଉଥାଏ ତୋଳି।। 0
ପାଖଣ୍ଡର କିନ୍ତୁ ଉଦ୍ଦେଶ୍ୟଟି ଭିନ୍ନ୍
କଲିଜାଠିଁ ଖାଲି ମନ
ପ୍ରତାରଣେ ନେଲା ମାଙ୍କଡ଼କୁ ଝିଙ୍କି
ମନ ଖାଲି  ଛନଛନ।।1
କୁମ୍ଭୀର କଲାଠୁଁ ମଝି ଦରିଆରେ
ଚେତନା ପାଇଲା ଖୋଜି
ଛଳକୁ ଛଳରେ ହରେଇବା ହୁଏ
ଏ କଥା ପାଇଲା ଭଜି।। 2
କହିଲା ମର୍କଟ କଲିଜାଟି ମୋର
ଅଛି ଗଛ କୋରଟରେ
ନିର୍ବୋଧ କୁମ୍ଭୀର ଭାବି ପାରିଲାନି
ଫେରିଲା ପଛକୁ ଖରେ।। 3
ସୁବିଧା ପାଇଣ ମର୍କତ ଖସିଲା
କୁମ୍ଭୀର ଖାଇଲା ଖଜା
ଅସାଧୁ ସଙ୍ଗରେ ସଙ୍ଗାତ ବସିଲେ
ମିଳିଇ ଏମିତି ସଜା। 4

30.ହଳଦୀ ବସନ୍ତ ଓ ମାଙ୍କଡ଼

ଚତୁର ମାଙ୍କଡ଼ କଥା କହି ଜାଣେ
କଥାରେ ପକାଏ ସର
ହଳଦୀ ବସନ୍ତ ନରମା ବିଚରା
ମୁଣ୍ଡ ଆଉଁଷିବା ସାର ।।0
କହି ଜାଣିଲେଟି କଥାଟି ସୁନ୍ଦର
ପଚା ମାଛ ବିକ୍ରି ହୁଏ
ନିରୀହ ଲୋକ ତ ବେଦନା ଯେ ସହେ
ତା କଥା ଶୁଣୁଛି କିଏ।। 1

 

 

Related posts

ଗାଁରୁ ସିନେଟ୍ ଯାଏଁ ପୁସ୍ତକ

satya

ଫୁସିଆ ଗଳ୍ପ ଗୁଚ୍ଛ

satya

ପରିତ୍ୟକ୍ତ କୋଠି

satya

Leave a Comment

Login

X

Register