ବୋଉଲୋ !
ଭାରି ଭୋକ । ମୁଁ ଏବେ କାଗଜ ଖାଉଛି । କିଛି ଉପାୟ ନ ପାଇ ତୋ ପାଖକୁ ଚିଠି ଲେଖୁଛି । ମୋ ରାଣ ! ଚିଠି ପଢ଼ି କେବେ ବି କାନ୍ଦିବୁ ନାହିଁ । ହେଲେ ମୋ କଥା ଯେତେବେଳେ ମନେ ପଡ଼ିବ, ଚିଠି ଖଣ୍ଡିକ ଖୋଲି ପଢ଼ି ନେବୁ ।
କ’ଣ କରିବି ? ଖାଇବାକୁ କିଛି ନାହିଁ । ସବୁ ସରିଗଲାଣି ।ଟିଫିନ୍ ବକ୍ସରୁ ଟିଫିନ୍ ତ ସବୁ ଚାଟିକି ସଫା କରି ଦେଇଛି । ପାଣି ବୋତଲରୁ ପାଣି ବି କେତେବେଳୁ ସରିଗଲାଣି । ଏବେ କ’ଣ ଖାଇବି, କେମିତି ବଞ୍ଚିବି କିଛି ଜାଣି ପାରୁନାହିଁ ।
ଆଉ ଭୋକ ସମ୍ଭାଳି ହେଉନାହିଁ ଲୋ ବୋଉ । ଦେହ କ’ଣ ହୋଇଯାଉଛି । ଛାତି, ମୁଣ୍ଡ ବିନ୍ଧି ଉଠୁଛି । ପେଟ କାମୁଡ଼ି ଧରୁଛି । ଚାଲିବାକୁ ଶକ୍ତି ପାଉ ନାହିଁ । ଭାରି ଦୁର୍ବଳ ଲାଗୁଛି । ଗୋଡ଼ ହାତ ଥରି ଉଠୁଛି । ହାତରୁ କଲମ ଖସି ପଡ଼ୁଛି । ଅକ୍ଷର ଗୁଡ଼ାକ ଅଙ୍କା ବଙ୍କା ହୋଇ ଯାଉଛି । ଆଦୈା ବଳ ପାଉ ନାହିଁ ;ସତରେ ମୁଁ କଣ ଆଉ ବଞ୍ଚିବି ନାହିଁ ବୋଉ?
ଏବେ ତାତିରେ ଦେହ ଖଇ ଫୁଟୁଛି । ଭୀଷଣ ଜ୍ୱର । ପାଟି ଶୁଖି ଅଠା ଅଠା ହୋଇଯାଉଛି, ଉଃ…..ଆଃ ଭାରି କଷ୍ଟ । ଭୀଷଣ ଶୋଷ । ଟୋପେ ପାଣି ଦେଲୋ ବୋଉ! ନ ହେଲେ ଜୀବନ କେତେବେଳେ ଚାଲିଯିବ, ତୁ ଖାଲି ଝୁରି ହେଉଥିବୁ ସିନା ହେଲେ ତୋ ଟୁବୁଲାକୁ ଆଉ କେବେ ବି ପାଇବୁ ନାହିଁ ।
ତୁ ଏଡ଼େ ନିର୍ଦ୍ଦୟୀ ହଅନା ବୋଉ । ମୋ ଜ୍ୱର ସମୟରେ ମୋ ମୁଣ୍ଡ ପାଖରେ ବସି ମୋ ମୁଣ୍ଡ ଚିପି ଦେବୁ ନାହିଁ ତ ଆଉ କିଏ ଚିପି ଦେବ, କହିଲୁ ? ବାପା ତ ସବୁ ବେଳେ ଅଫିସ୍ କାମରେ ବ୍ୟସ୍ତ । ରାତି ଅଧକୁ ଘରକୁ ଫେରିବେ । ଛୁଟି ଦିନରେ ସାଙ୍ଗ ସାଥି ସହ ଟୁପୁରୁ-ଟାପୁରୁ ହେଉ ହେଉ ବେଳ ଉଛର ହୋଇ ଯାଇଥିବ । ଏତେବେଳେ କିଏ ମଲେ ବା ଗଲେ ତାଙ୍କର ଯାଏ ଆସେ କେତେ ? ବଟିକାଟିଏ ଆଣି ଦେବାକୁ ତାଙ୍କୁ ତର ହେବ ନାହିଁ । ଅପାଟା ବି ସେଇମିତିକା । ତା’ପଢ଼ା ଭଲ ତ ସିଏ ଭଲ । ଅହରହ ପଢ଼ା ଟେବୁଲ୍ ପାଖରେ ବସିଥିବ ଯେ ବସିଥିବ । ସେଠୁ ଜମା ହୁଙ୍କିବ ନାହିଁ କି ହଲିବ ନାହିଁ । ମୋ କଥା ତୋ ଛଡ଼ା ଆଉ କିଏ ବୁଝିବ, କହିଲୁ!
ମୁଁ ଏତେ ବଡ଼ ପାଟିରେ ତିନି ଦିନ ହେଲା ଚିଲଉଛି । ସାରଙ୍କୁ ବାପାଙ୍କୁ, ତୋତେ, ଅପାକୁ– ସମସ୍ତଙ୍କୁ ଡ଼ାକୁଛି । କେହି ହେଲେ ଶୁଣନ୍ତ? ଆରେ ସତ କଥା ତ! ତୁମେ କେମିତି ବା ଶୁଣିବ ? ସ୍କୁଲ୍ ଘରଟାର ତ କବାଟ ଝରକା ସବୁ ବନ୍ଦ । ବଡ଼ ବାଉଣ୍ଡରୀ ସାଙ୍ଗକୁ ଉଚ୍ଚା ଦିୱାଲ । ଗେଟଟା ବି ବନ୍ଦ ଥିବ । ମୋ ଡ଼ାକ କ’ଣ ତୁମ ନିକଟରେ ପହଞ୍ଚୁଥିବ ? ଦଶାଦିଆ ସ୍କୁଲ୍ଟାକୁ ନିଛାଟିଆ ଜାଗାରେ କିଏ ସେ ଗୋଟାଏ ବସେଇଛି କେଜାଣି ? ସ୍କୁଲ୍ ଛୁଟି ପରେ ଅଣ୍ଡିଆ କୁଆ ବି ଏଠାକୁ ଆସିବ ନାହିଁ । ତା’ର କ’ଣ ବୁଦ୍ଧି ଅକଲ କିଛି ନାହିଁ ? ଛୁଆ ପିଲା ବେଳେ କାଳେ ଏମିତି ହଇରାଣ ହରକତ ହୋଇ ପାରନ୍ତି –ସିଏ କେମିତି ଏକଥା ଚିନ୍ତି ପାରିଲା ନାହିଁ; କେଜାଣି ? ହୋଉ, ଯାହା ହେବା କଥା ତ ହେଲାଣି । ଭାଗ୍ୟରେ ଯାହା ଅଛି ସେୟା ହେବ । ହେଲେ ମୁଁ ଏଥର କ’ଣ କରିବି, କହନି !
ମୋ କଥା ତ କେହି ଶୁଣି ପାରୁ ନାହଁ । ଡ଼ାକି ଡ଼ାକି ଗଳା ଫାଟି ଗଲାଣି । ପାଣି ଟୋପାଏ ନାହିଁ । ତଣ୍ଟି ଶୁଖି ଗଲାଣି, ଏଣିକି ଆଉ ଜୀଇ ରହିବା ସମ୍ଭବପର ନୁହେଁ । ବୋଉ! ତୁ ତ ଜାଣିଥିଲୁ ମୋତେ ଜ୍ୱର ହେଇଥିଲା ବୋଲି; ହେଲେ ବାପାଙ୍କୁ ଡ଼ରି ମୋତେ କେମିତି ସ୍କୁଲ୍ ପଠାଇ ଦେଲୁ କହତ ? ଖାଲି ତୋ କଥା ଅମାନ୍ୟ କରିବି ନାହିଁ ବୋଲି ସ୍କୁଲକୁ ଆସିଲି । ନଚେତ୍ ସ୍କୁଲକୁ ଆସିବାକୁ ଆଦୈା ଇଚ୍ଛା ନ ଥିଲା ଲୋ ବୋଉ! ଆସିଲା ବେଳେ ତୁ ସିନା ବାଧ୍ୟ କରି ଖୁଆଉ ଥିଲୁ, ହେଲେ ମୋତେ ତ ଜ୍ୱର, ସେଥିପାଇଁ ଅରୁଚି ଲାଗୁଥାଏ । ଖାଲି ଅଇ ଉଠୁଥାଏ । କେମିତି ଖାଇଥାନ୍ତି କହିଲୁ ?
ଖାଲି ପେଟରେ ସ୍କୁଲ୍କୁ ପଳାଇ ଆସିଲି ସିନା, ହେଲେ ଏଠି ପାଠ ପଢ଼ାରେ ଆଦୈା ମନ ଲାଗୁ ନଥାଏ । ମୁଣ୍ଡଟା ଘୂରାଇ ଦେଲା ଯେ ଡ଼େକ୍ସ ଉପରେ ମୁଣ୍ଡ ରଖି ଢୁଳାଇ ପଡ଼ିଲି । କେତେବେଳେ ନିଦଟା ଯେ ଘୋଟି ଆସିଛି, ମୁଁ ମୋଟେ ଜାଣି ପାରି ନାହିଁ । ଉଠିଲା ବେଳକୁ ଚାରିଆଡ଼େ ଶୂନ୍-ଶାନ୍, ଖାଲି ଅନ୍ଧକାର । କବାଟ, ଝରକା ବାଡ଼େଇଲି । କେହି ଶୁଣିଲେ ନାହିଁ । ଅନ୍ଧାର ଭିତରେ ସବୁ ଭୂତ ପ୍ରେତ କଥା ମନେ ପଡ଼ି ଯାଉଥାଏ । ରୁମ ମୂଳୀ ଟାଙ୍କୁରୀ ଉଠୁଥାଏ । କିଛି ଗୋଟାଏ ଶବ୍ଦ ହେଲେ ହାଉଳି ଖାଇ ଉଠି ତୋ କଥା ମନେ ପକାଉଥାଏ । ହେଲେ ଏଠି କିଏ ଅଛି ଯେ ମୋତେ ଆହା ପଦେ କହିବ; କୋଳକୁ ଟାଣି ନେଇ ବୋକ ଦେବ, ପଣତ କାନି ଘୋଡ଼ାଇ ଢାଙ୍କି ରଖିବ?
ଜାକି ଜୁକି ହୋଇ ଗୋଟିଏ କଣରେ ମୁଁ ଆଖି ନିବୁଜ କରି ବସି ପଡ଼େ । ଆଖି ଖୋଲିଲେ ଖାଲି ଡ଼ର । ସାଇଁ ସାଇଁ ନିଶା ଗର୍ଜନ । ଭୟଙ୍କର ଅନ୍ଧାର । ଅବଶ୍ୟ ଏ ଅନ୍ଧକାରଟା ଏବେ ମୋର ଦେହସୁହା ହୋଇ ଗଲାଣି । ତଥାପି ଭୟ ମୋ ପିଛା ଛାଡ଼ୁନାହିଁ । ବଡ଼ ଦୁର୍ଦ୍ଦାନ୍ତ, ଦୁର୍ଦ୍ଦଷ–ଏ । ଆଜକୁ ତିନି ଦିନ ବିତିଗଲାଣି । ପ୍ରତିଦିନ ସେହିପରି ଅପେକ୍ଷା କରି ରହେ, କାଲି କେହି ଆସିଲେ ସ୍କୁଲ୍ ଖୋଲିବ । ମୋତେ ତାଲା ଫିଟାଇ ସ୍କୁଲ୍ ରୁମରୁ ଉଦ୍ଧାର କରିବ । ସେତେବେଳେ ମୁଁ ଦମେ କାନ୍ଦିବି । ବାପା, ବୋଉ-ସାରଙ୍କ ଉପରେ ଅଭିମାନ କରି ନାକ ଫଟାଇବି । ଯା’ ପାରି ତା’ ପାଇବି, ଆଗ ଖାଇଯିବି ।
ହେଲେ ଏବେ ମନେ ପଡ଼ିଗଲା ସାର୍ ସମର ଭେକେସନ୍ ହେବ ବୋଲି କହୁଥିଲେ । ସ୍କୁଲ୍ କୁଆଡେ ଏବେ ଦେଢ଼ ମାସ ଛୁଟି ରହିବ । ଆମ ସ୍କୁଲ୍ ପିଅନ ରବି ଭାଇ ସେଥିପାଇଁ ବୋଧହୁଏ, ଆଚ୍ଛା କରି କବାଟ ଝରକା ସବୁ ବନ୍ଦ କରି, ତାଲା ପକାଇ ଦେଇଥିବ । ଆଉ ସ୍କୁଲକୁ କିଏ ଆସିବ ଯେ, ମୋତେ ଦେଖିବ ? ମୁଁ ଯେ ସେଦିନ କ୍ଲାସ୍ ରୁମରେ ସମସ୍ତଙ୍କ ଅଲକ୍ଷ୍ୟରେ ଶୋଇ ପଡ଼ିଥିଲି, ବୋଧହୁଏ ମୋତେ କେହି ଦେଖି ନାହିଁ । ମୋ ସାଙ୍ଗ ଟୁନା ବି ମୋତେ କେମିତି ଡ଼ାକିଲା ନାହିଁ କେଜାଣି? ସ୍କୁଲ୍ ଦୀର୍ଘ ଦିନ ଛୁଟି ହେବା କଥା ଜାଣି, ସିଏ ବି ଡ଼େଇଁ ଡ଼େଇଁ ନିଶ୍ଚୟ ରୁମରୁ ବାହାରି ଚାଲି ଯାଇଥିବ ।
ଛୁଟିରେ ସମସ୍ତେ ଭାରି ମଜା କରୁଥିବେ ନା ? ମାମୁ ଘର ଦାଦା ଘରକୁ ବୁଲି ବାହାରିଥିବେ । କେହି କେହି ନା ନିଜ ଗାଁ ଅବା ଦର୍ଶନୀୟ ସ୍ଥାନ ନିଶ୍ଚୟ ବୁଲି ଯାଇଥିବେ । ଛୁଟି ପରେ ସ୍କୁଲରେ ଯେତେବେଳେ ସମସ୍ତେ ଏକାଠି ହେବେ କେତେ ଖୁସି ଗପ କରିବେ । ନିଜ ନିଜ ଅନୁଭୂତି ସବୁ ବଖାଣି ବସିବେ । ହସା-ହସି ହୋଇ ଖାଲି କମ୍ପାଇବେ । ସ୍କୁଲ୍ ଖୋଲିଲେ ସତରେ ଭାରି ମଜା ହେବ ।
ବୋଉ ! ଆମେ ପରା ଏଥର ଦାର୍ଜିଲିଂ ଯିବା ? ସେଦିନ ତୁ ବାପାଙ୍କୁ କହୁ ନ ଥିଲୁ ନା, ଆମେ ଏଥର ଦାର୍ଜିଲିଂ ଯିବା, ବଡ଼ ମାମୁ କୁଆଡ଼େ ଫୋନ କରିଥିଲେ ବୋଲି । ହେଲେ ମୁଁ କେମିତି ଯିବି ? ମୁଁ ତ ସ୍କୁଲ୍ ଘର ଭିତରେ ବନ୍ଦୀ ହୋଇ ରହିଛି, ନା ତୁମେ କେହି ମୋତେ ଦେଖି ପାରୁଛ; ନା କେହି ଶୁଣି ପାରୁଛ । ମୁଁ ବି କାହାକୁ ତ ଦେଖି ପାରୁ ନାହିଁ କି ଶୁଣିପାରୁ ନାହିଁ । ତା’ ହେଲେ ଏବେ କ’ଣ କରିବି ? ଏଠୁ କେମିତି ମୁକୁଳିବି? ହେ ଭଗବାନ ! ସେ ଉପାୟଟା ମୋତେ କହି ଦିଅନ୍ତ ନି ? ଧେତ୍ ଏ ଭଗବାନଟା ବି ସେୟା । ସିଏ ବି ମୋ କଥା ଶୁଣୁ ନାହିଁ । ଭାରି କାଲ । ତୁଚ୍ଛାଟାରେ ତୁ କାହିଁକି ନିତି ଦୁଧ କଦଳୀ ପଣା ଢାଳୁ କେଜାଣି ?
ହେଲେ ବୋଉ ! ତୁ କ’ଣ ମୋତେ ମନେ ପକାଉ ନାହୁଁ ? ବାପା କ’ଣ ମୋତେ ଖୋଜୁ ନାହାଁନ୍ତି ? ନ ଖୋଜନ୍ତୁ କେହି । ମୁଁ ତୁମକୁ ବହୁତ ହଇରାଣ କରୁଥିଲି ନା ? ଖାଇବା ପାଇଁ ଅଝଟ; ଶୋଇବା ପାଇଁ ଅଝଟ; ପଢ଼ିବା ପାଇଁ ଅଝଟ । ଦିନଟା ସାରା ଖାଲି ତୋରି ପଛରେ ଲାଗିଥାଏ । ତୁ ଚିଡ଼ିକି ନାଚି ଉଠୁଥାଉ । ନା ଲୋ ବୋଉ! ତୁ ଆଉ ଚିଡ଼୍ ନା । ମୁଁ ତ ଆଉ ଏଠୁୁ ଉଦ୍ଧୁରି ପାରିବି ନାହିଁ । ତୁ କାହିଁକି ମୋ ଉପରେ ଚିଡ଼ିବୁ ? ଅପାକୁ କହିବୁ ! ମୁଁ ଆଉ ତାକୁ ଥଟ୍ଟା କରିବି ନାହିଁ କି ଖାଇବା ପାଇଁ କଳି କରିବି ନାହିଁ । ଏକା ଏକା ସେ ତା’ର ସବୁ ଖାଉ । ତୁ ତା’ ଉପରେ ଆଉ ଜମାରୁ ରାଗିବୁ ନାହିଁ, ସ୍କୁଲ୍ ଖୋଲିଲା ବେଳକୁ, ମୁଁ ତ ମରିକି ପଡ଼ିଥିବି । ମୋର ମାଂସ ଜନ୍ଦା, ପିମ୍ପୁଡ଼ି ସବୁ ଖାଇ ଯାଇଥିବେ । ଖାଲି ହାଡ଼ ଗଦାଏ ଯାହା ପଡ଼ିଥିବ । ଯେମିତି ଆମ ଲାବ୍ରୋଟେରୀରେ କଙ୍କାଳ ସବୁ ଗଦା ହୋଇଛି । ବଡ଼ ଭାଇମାନେ କ’ଣ ସେଠି ସବୁ ପରୀକ୍ଷା ନିରୀକ୍ଷା କରନ୍ତି ।
ବୋଉ! ତୁ କ’ଣ ଭାବୁଛୁ ମୋତେ କିଏ କିଡ଼ାନପ୍ କରି ନେଇ ଯାଇଛି ନା ମୁଁ କୁଆଡ଼େ ରାଗି କି ପଳାଇଛି ? ମୁଁ କାହିଁକି କୁଆଡ଼େ ରାଗିକି ଯିବି ? ତୋ ସ୍ନେହବୋଳା କଥାରେ ତ ମୋ ମନ ବହଲି ଯାଏ, ତୁ ତ ଏକଥା ଭଲକି ଜାଣିଛୁ । ତା ହେଲେ ମୋତେ କିଏ କିଡ଼ନାପ୍ କରି ନେଇଥିବା କଥା ନିଶ୍ଚୟ ତୁ ଭାବୁଥିବୁ । ସେଥିପାଇଁ ବାପାଙ୍କୁ ପଠାଇ ଚାରିଆଡ଼େ ଖୋଜା ଖୋଜି କରୁଥିବୁ । ପୋଲିସ୍ ଷ୍ଟେସନ୍ ଯାଇ ଏତଲା କରିଥିବୁ । ରେଡ଼ିଓ, ଟି.ଭି ରେ ନିରୁଦ୍ଦିଷ୍ଟ ଲୋକଙ୍କ ତାଲିକାରେ ମୋ ନାମ ପ୍ରକାଶ ପାଇଥିବ । ସମସ୍ତେ ତତ୍ପର ହୋଇ ଉଠିଥିବେ । ହେଲେ ତୁ ବାପାଙ୍କୁ ସ୍କୁଲ ପଠାଇ ମୋତେ ଖୋଜିଲୁ ନାହିଁ ? କିନ୍ତୁ ସ୍କୁଲ୍ ଭିତରେ ମୁଁ ଯେ ରହି ଯାଇଥିବି ଏକଥା ତୁ ବା କେମିତି ଜାଣିବୁ ? ଏ କଥାଟା ତୋ ମୁଣ୍ଡକୁ ନିଶ୍ଚୟ ଢୋକି ନଥିବ । ମୋ କଥା ମନେ ପକାଇ ତୁ କାନ୍ଦୁଛୁ କି ଲୋ ବୋଉ ? ନାଲୋ ବୋଉ ! ତୁ କାନ୍ଦିବୁ ନାର୍ହି । ମୁଁ ସହି ପାରିବି ନାହିଁ । ମୋର କୋହ ଉଠେଇବ । ମୋ ନିଃଶ୍ୱାସ ରୁଦ୍ଧ ହୋଇଯିବ । ତୁ କାହିଁକି ଏତେ ଚିନ୍ତା କରୁଛୁ ? ଅପା ତ ତୋ ପାଖରେ ଅଛି । ସେ ଗେହ୍ଲେଇଟା ଭାରି ଭଲ ।
ଆଉ ବୋଉ ଲେଖି ପାରିବି ନାହିଁଲୋ ! ହାତ ଗୋଡ଼ ଚଳୁ ନାହିଁ । କେମିତି ସବୁ ଅବଶ ହୋଇ ଗଲାଣି । ପୁଣି ଭାରି ଭୋକ । ସହି ହେଉ ନାହିଁ । ଇଚ୍ଛା ହେଉଛି ମାଟି ପଥର ଗୋଡ଼ି ଯାହା ପାଇବି ସବୁ ଖାଇଯିବି । ଏଥର ଏଇ କାଗଜ ଗୁଡ଼ାକ ଖାଉଛି । ଆଉ କିଛି ନାହିଁ, କ’ଣ ଖାଇବି ତୁ କହୁନୁ ? ହେଲେ ପାଣି ?? ପାଣି କାହିଁ ? ତଣ୍ଟି କ’ଣ ହୋଇ ଯାଉଛି । ଓଃ…. ପେଟ ……. ମୋ ମୁଣ୍ଡ…… ମୋ ଛାତି ……….. ଏଥର ମଲି । ବୋଉ……. ଉ ……. ଉ……….. ।