Satya Prakash
  • Home
  • Book
  • ଭୂତୁଣୀ ସାହିତ୍ୟିକା
Book

ଭୂତୁଣୀ ସାହିତ୍ୟିକା

ଭାଗ – 1

ଆମେ ଛୋଟ ମୋଟ ଚାକିରୀ ଖଣ୍ଡେ ଅଧେ କରିଛୁ। ପଢ଼ା ଲେଖା ବି କିଛି କମ୍ ନାହିଁ। ତେଣୁ ସାମାଜିକ ପ୍ରତିପତ୍ତି ଓ ପ୍ରଭାବ ମଧ୍ୟ କିଛିଟା ଅଛି। ସେଥିପାଇଁ କେଉଁଠି କେମିତି ସଭା ସମିତିକୁ ବେଳେ ଅଧେ କେହି କେହି ଆମକୁ ଡାକନ୍ତି। ହେଲେ ରାଜନୈତିକ ସଭାରେ ରାଜନେତା, ସାହିତ୍ୟିକ ସଭାରେ ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ପ୍ରବକ୍ତାମାନେ ଭଲ ଭାଷଣ ଦିଅନ୍ତି। କିନ୍ତୁ ଆମେ ବା କି ଭାଷଣ ଦେବୁ? ତେଣୁ ଆମର ନିକୃଷ୍ଠିଆ ଗୁଣ ଦେଖି ବହୁତ ଯାଗାରେ କଣ ଠେସା ଦଶା ଭୋଗିବାକୁ ପଡ଼ିଛି । ଅନ୍ୟାନ୍ୟ ସଭା ସମିତି ଗୋଟେ ପ୍ରକାରର। ହେଲେ ଏହି ସାହିତ୍ୟିକମାନଙ୍କର ସମ୍ମିଳନୀ ଗୁଡାକ ଭାରି ବିପଦଜ୍ଜନକ। ଏଠି ସମସ୍ତେ ଆବୁଡ଼ା ପଡ଼ନ୍ତି, ସାହିତ୍ୟିକର ସ୍ୱୀକୃତି ପାଇବା ପାଇଁ। ଆଉ ଯଦି କେଉଁଠି ଓଳମ ବିଳମ ହୋଇଗଲା ବା କଥା ଓ ଭାବର ତାଳମେଳ ନ ରହିଲା, ତେବେ ମଲ। ଏମାନଙ୍କ ଭିତରୁ ଦଳେ ମାଡ଼ି ଆସିବେ ଆକ୍ରମଣ କରିବାକୁ। ମାତୃଭାଷା ଓ ମାତୃଭୂମିର ଦ୍ୱାହି ଦେଇ ଏମିତି ବହେ ଗପିବେ ଯେ, ମନ ଘର ଧରିଯିବ। ଏମାନେ ସମସ୍ତେ ଦୋଷ ବାଛିବାରେ ପି. ଏଚ୍. ଡି. କରିଛନ୍ତି। ଅନ୍ୟକୁ ସମାଲୋଚନା କରି ସମାଲୋଚକ ହେବାର କୃତି ଓ ଗୌରବ କିଣିବା ପାଇଁ ଏମାନେ ଯତପରୋନାସ୍ତି ତତ୍ପର। ଏମାନେ ଭଲ ସାହିତ୍ୟିକ କି ନୁହେଁ, ମୁଁ କହି ପାରିବି ନାହିଁ, କିନ୍ତୁ ସଭା ସମିତିରେ ବୁଲି ବୁଲି ଭଲ କହି ପୋଛିଲା ବାଲା ହୋଇଛନ୍ତି। ଏମାନେ ଆତ୍ମ ପ୍ରଚାର ପାଇଁ ଚାରିଆଡ଼େ ଧସେଇ ପଶିବେ, ଅନ୍ୟକୁ ଗାଳି ଦେଇ ନିଜେ ସୁସାହିତ୍ୟିକର ଗୌରବ ମୁଣ୍ଡେଇବେ।
ସେଦିନ ପ୍ର. ଅଟ୍ଟକଳଙ୍କ ଘରେ ଗୋଟେ ସାହିତ୍ୟ ଆସର ହେଉଥାଲା । ମୋତେ ସେଠିକି ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି କରିକି ଡାକିଥିଲେ, ହେଲେ କୁହାଇ ଦେଲେ ନାହିଁ । କ’ଣ ଗୋଟେ ମୋ ପାଟିରୁ ପାନରୁ ଚୂନ ଖସିଗଲା ପରି ଗୋଟେ ବାହାରି ଗଲା ଯେ, ଖାଲି ହୋ ହୋ ହୋଇ ପାଟି କରି ଉଠିଲେ-“ସାହିତ୍ୟରେ ସ ଅକ୍ଷର ଜଣା ନାହିଁ କ’ଣନା ଚାଲି ଆସିଲେ ସାହିତ୍ୟ ସଭାରେ ଅତିଥି ହୋଇ” ।ଏତିକିରେ ଲଜ୍ଜା ଓ ଅପମାନରେ ମୋ ମୁହଁ କଳାକାଠ ପଡିଗଲା। ମୁଁ ଆତ୍ମ ଗୋପନ କରି ନ ଖାଇ ପିଇ ଘରକୁ ଫେରି ଆସିଲି। ମନରେ ସରାଗ ନଥିବାରୁ “କ’ଣ ହେଲା କି” ବୋଲି ପତ୍ନୀ ମୋର ପଚାରି ବସିଲେ।, ମୁଁ କିଛି କହିଲି ନାହିଁ। ମନେ ମନେ ଭାବିଲି କିଛି ଲେଖାଲେଖି କରି ମୁଁ ବି ସାହିତ୍ୟିକ ହୁଅନ୍ତି କି? କିନ୍ତୁ କେମିତି? ମୋର ତ ସାହିତ୍ୟ ହୁଏ ନାହିଁ, ତାଛଡା କେବେ ବି ଲେଖା ଲେଖି ନାହିଁ। ମନକୁ ଆସିଲା- “ସାହିତ୍ୟ କୁଆଡେ ସରସ୍ଵତୀଙ୍କ ବାଣୀ ଓ ସାଧନା । ସେ କଣ୍ଠରେ ନ ବସିଲେ ସାହିତ୍ୟ ହେବ ନାହିଁ। ହେଲେ ଏ ଦେବାଦେବୀ କଥା ଆଜ୍ଞା କୁହନ୍ତୁ ନାହିଁ। ଏମାନଙ୍କୁ ଡାକିଲେ ଏମାନେ କୋଉ ସହଜରେ ଦେଖା ଦେବେ କି? ବର ପ୍ରଦାନ କଥା ତ ପଛରେ। ତେଣୁ ଯଦି କୋଉ ଭୂତୁଣୀ ବା ପ୍ରେତିନୀକୁ ସ୍ମରଣ କରାଯାଏ, ସେ ହୁଏତ ସହଜରେ ଦୃଶ୍ୟ ହୋଇପାରନ୍ତି ଓ ତତ୍ କ୍ଷଣାତ୍ ବର ମଧ୍ଯ। ହେଲେ ସରସ୍ଵତୀ, ହିଙ୍ଗୁଳା, ଲକ୍ଷ୍ମୀ, ତାରିଣୀ ପ୍ରଭୂତି ଦେବୀ ଓ ଗଣେଶ, କାର୍ତ୍ତିକ, ବ୍ରହ୍ମା, ବିଷ୍ଠୁ, ମହେଶ୍ୱର ଆଦି ଦେବତାଙ୍କର ଯେପରି ନାଁ ଅଛି ସେହିପରି କୌଣସି ଭୂତ ପ୍ରେତର ତ ନାଁ ନାହିଁ କି ରୂପ ।ତେବେ ମୁଁ କେଉଁ ଭୂତ ଭଉଣୀଙ୍କୁ ଡାକିବି? ମନ ଉପରେ ଟିକିଏ ଜୋହର୍ ଲଗେଇ ଭାବିଲି। ପୁଣି ଯାହାକୁ ନାହିଁ ତାକୁ ତ ଡାକିଲେ ଚଳିବ ନାହିଁ, କାରଣ ଯାହାର ଯେଉଁଥିରେ ପୁଣି ଦଖଲ ଥିବ ନା? ଏଇ ଯେମିତି ଧନ କଥା ହେଲେ ଲକ୍ଷ୍ମୀ ଓ ବିଦ୍ୟା କଥା ହେଲେ ସରସ୍ଵତୀ ବା ଗଣେଶ। ସେହିପରି ସାହିତ୍ୟରେ ଜ୍ଞାନ ଥିବା ଗୋଟେ କେହି ଭୂତ ବା ଭୂତୁଣୀ ଦରକାର। ବହୁତ ଭାବିଲା ପରେ ଆଖି ସାମ୍ନାକୁ ଆସିଲେ ଅନୁଷ୍କା ଦେବୀ, ଯିଏକି ଜଣେ ବଡ଼ ସାହିତ୍ୟିକା ଓ ସୁଲେଖିକା ଏବଂ ଯାହାଙ୍କର ନିକଟ ଅତୀତରେ ଆମ ସହରର ରହୁଥିବା ବେଳେ ଅତି ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା । ତେଣୁ ସେହି ଅନୁଷ୍କା ରୂପୀ ଭୂତୁଣୀକୁ ଧ୍ୟାନ କରିବାକୁ ମନେ ମନେ ସ୍ଥିର ନିଶ୍ଚୟ କରି ନେଲି।
ଏଥର ଅନୁଷ୍କା ଦେବୀଙ୍କ ମୁଖ ମଣ୍ଡଳଠୁଁ ଶରୀର ଯାଏଁ ସବୁ ଦୃଶ୍ୟମାନ କରି ଗଢି ତୋଳିଲି ଓ ମୋତେ ସାହିତ୍ୟ ଜଗତରେ ଲେଖାଲେଖି କରିବାରେ ସାହାଯ୍ଯ କରିବାକୁ କାକୁସ୍ଥ ହୋଇ ଜଣାଇଲି । ସେ ତଥାସ୍ତୁ କହି ବର ଦେଲେ।

ସେତେବେଳକୁ ମୁଁ ମୋ ଭାବନା ରାଜ୍ୟରେ ବୁଡ଼ି ଯାଇଥାଏ। ପତ୍ନୀ ମୋର ଶୋଇ ପଡ଼ିଥାନ୍ତି। ଅନୁଷ୍କା ଦେବୀଙ୍କର ଛାୟା କାନ୍ଥରେ ଦୃଶ୍ୟମାନ ହେବାକୁ ଲାଗିଲା। ପଢ଼ା ଘରେ ଅନ୍ଧାରଟାରେ ରାତି ଅଧରେ ମୁଁ ଏକୁଟିଆ ବସି ରହି ଛଟପଟ ହେଉଥାଏ। କିଟିମିଟିଆ ଅନ୍ଧାର। ଯୋଗକୁ ବିଦ୍ୟୁତ୍ କାଟ ହୋଇଥାଏ। ଭାରି ଅଣନିଶ୍ଵାସୀ ବୋଧ ଲାଗୁଥାଏ। ସାଇଁ ସାଇଁ ନିଶା ଗର୍ଜୁଥାଏ, ଚାରିଆଡ଼େ ଅଣଚାଶ ପବନ ବହୁଥାଏ। ହଠାତ୍ ଝରକା ଗୁଡ଼ାକ ଖଡଖାଡ ହୋଇ ଖୋଲିଗଲା। ଅମବାସ୍ୟାର ରାତି। କ୍ଷଣିକେ ଭୟରେ ହୃଦୟ ମନ୍ଥିତ ହୋଇଗଲା। କାନ୍ଥରେ ଛାୟାଟିଏ ଉତ୍ତୋଳିତ ହେବାକୁ ଲାଗିଲା।ପ୍ରଥମେ ମୁଖ ମଣ୍ଡଳର ଚିତ୍ର ଓ ପରେ ସମ୍ପୂର୍ଣ୍ଣ ଶାରୀର। ଖୁବ୍ ସୁନ୍ଦର ନାରୀ ମୂର୍ତ୍ତିଟିଏ। ଇଚ୍ଛା ହେଉଥିଲା ତା ରୂପ ଓ ଯୌବନ ଦୁଇଟାଯାକ ଦେଖିବା ପାଇଁ, କିନ୍ତୁ ପରକ୍ଷଣରେ ଏପରି ଅସ୍ୱାଭାବିକ ଘଟଣା ପାଇଁ ମନରେ ଡର ପଶୁଥାଏ। ଏହା ମନର ଧାରଣା ନା ଭ୍ରାନ୍ତି ମୁଁ କିନ୍ତୁ କିଛି ବୁଝି ପାରୁ ନଥାଏ। ଦେହ ହାତ କିନ୍ତୁ ରୋମାଞ୍ଚିତ ହୋଇ ଉଠୁଥାଏ। ମନର ବଳ କମି ଯାଉଥାଏ ଆଉ ଶରୀରର ବି ଶକ୍ତି। ମୁଁ ବଳବୀର୍ଯ୍ୟହୀନ ହୋଇ ପଡୁଥାଏ। ଧୀରେ ଧୀରେ କାନ୍ଥରୁ ଛାୟା ଉଠି ଆସି ମୋ ପାଖରେ ପଡିଥିବା ଅନ୍ୟ ଗୋଟେ ଚେୟାର ଉପରେ ବସିପଡି ଦୋହଲିବାକୁ ଲାଗିଲା। ମୁଁ ହାଉଁ ହାଉଁ ହୋଇ ପାଟି କରି ଆସୁଥିଲି, ଯେମିତି କିଏ ମୋ ମୁହଁ ଉପରେ ବଳ ପୂର୍ବକ ହାତ ରଖି ଚାପିଦେଲା। ମୋର ଗଇଁ ମାରିନେଲା। ମୁଁ ପାଟି ଖୋଲି ପାରିଲି ନାହିଁ। ଏହି ସମୟରେ ବିଜୁଳିଟା ଚକମକ ହୋଇ ଦିଶିବାରୁ ମୁଁ ସ୍ପଷ୍ଟ ଭାବେ ଦେଖି ପାରିଲି ଛାୟା ମୂର୍ତ୍ତିଟି ହେଉଛି ମୋ ପରିକ୍ଲପିିତ ଅନୁଷ୍କା  ଦେବୀଙ୍କର। ମୁଁ ଆହୁରି ଡରି ଗଲି ଓ ନିଜକୁ ମନେ ମନେ ଦାୟୀ କରୁଥିଲି ମୋର ଏହି ଅବାସ୍ତବ ପରିକଳ୍ପନା- ପ୍ରେତ ପୂଜା ପାଇଁ। ଏଥର ଛାୟା ମୂର୍ତ୍ତିଟି କିଛି ନିର୍ଦ୍ଦେଶ ଦେବା ଠାଣିରେ ହାତ ହଲାଇଲା। ବୁଝିଗଲି – କିଛି ବୋଧେ ଈଶାରା କରିବାକୁ ଚାହୁଁ ଥାଏ। ଏଥର ଆହୁରି ଡରି ଗଲି। ତଣ୍ଟି ଶୁଖି ଅଠା ଅଠା ହୋଇଯାଉଥାଏ। ଛାତି ଧଡପଡ ହେଉଥାଏ। ଭାବୁଥାଏ – ରକ୍ତ ବଳି କି ଜୀବ ବଳି ବୋଧେ ମାଗି ପାରେ। କାରଣ ଏପରି ମୁଁ ଶୁଣିଛି – ପ୍ରେତାତ୍ମାମାନେ କୁଆଡ଼େ ମାଗନ୍ତି, ନଦେଇ ପାରିଲେ କଞ୍ଚା ଚୋବାଇ ଯିବେ। ମୋର ଧ୍ୟାନ ଭଗ୍ନ ହୋଇଥିଲା ଯେତେବେଳେ ମୋର ସମସ୍ତ ଭାବନାକୁ ବିପର୍ଯ୍ୟସ୍ତ କରି ସେପଟରୁ ଉତ୍ତର ଆସିଲା – “କାଗଜ କଲମ ଧରି ଲେଖ”। “କ’ଣ ଲେଖିବି “ଖନି  ମାରି ନେଇଥିବା  ପାଟିରେ ପଚାରି ଆସୁଥିଲି, ଆଦେଶ ଦେବା ଠାଣିରେ ଧମକ ଆସିଲା – “ଯାହା କହୁଛି ଚୁପଚାପ ସେୟା କର, ନହେଲେ ଗଳା କାଟି ରକ୍ତ ପିଇ ଯିବି”। ଦେହ ଭୟରେ ଶିହରିତ ହୋଇ ଉଠୁଥାଏ। ଭୟରେ କମ୍ଫୁଥାଏ ।ଥରଥର ହୋଇ କାଗଜ ଉପରେ କଲମ ଥୋଇ ଲେଖିବା ଆରମ୍ଭ କଲି। ସେ ଯାହା କହୁଥାଏ ସେୟା ଲେଖୁଥାଏ। କାରଣ ଦେବାଦେବୀ କଥା ଟିକିଏ ଅଲଗା। ଏମାନେ ସହଜଲଭ୍ଯ ନୁହଁନ୍ତି ସତ ହେଲେ ଡରାଡରି କରନ୍ତି ନାହିଁ। ମାତ୍ର୍ ଏ ପ୍ରେତପୁରୀର ପ୍ରେତାତ୍ମାମାନେ ଭାରି ବେଆଡ଼ା ।ଏମାନେ ଥରେ ଶବାର ହେଲେ ଖାଲି ସବୁବେଳେ ନଚେଇବେ। ଯାହା ଚାହିଁବେ ସେୟା କରିବାକୁ ପଡ଼ିବ। ନଚେତ୍ ମଲ। ଭାରି ଜିଦିଆ।
ଏଇମିତି ପ୍ରତିଦିନ ନିଶାର୍ଦ୍ଧ ରାତିରେ ମୁଁ ଲେଖିଚାଲେ ଓ ସେ କହିଚାଲେ। ବହୁ କୃତି ରାଜି ସୃଷ୍ଟି ହେଲା ପରେ ମୁଁ ଗୋଟେ ଟି . ଭି. ଚ୍ୟାନେଲ ସହ ଅନୁବନ୍ଧିତ ହୋଇଗଲି। ସେ ମୋ ପାଖରୁ ଷ୍ଟୋରୀ ନେଇ ସିରିଏଲ ଓ ଚଳଚ୍ଚିତ୍ର ତିଆରି କରିବା ଆରମ୍ଭ କରିଦେଲେ।ଲୋକମାନଙ୍କର ମୋ ଷ୍ଟୋରୀ ଭାରି ପସନ୍ଦ ଆସିଲା। ଲୋକ ପ୍ରିୟତା ସୁଉଚ୍ଚକୁ ଉଠିଲା। ସେ ବାବଦକୁ ଯାହା ଅର୍ଥ ମିଳେ ମୋ ପିଲାମାନଙ୍କର ଉଚ୍ଚ ଶିକ୍ଷା ପାଇଁ ଲାଗେ। ହେଲେ ଚୁକ୍ତି ଅନୁସାରେ ତାଙ୍କ ଜରୁରତକୁ ପୂରଣ କରିବାକୁ ବାଧ୍ୟ। ନହେଲେ ଦାୟ ଜୋରିମାନା ଦେବାକୁ ପଡିବ। ତେଣୁ ତଦନୁସାରେ ମୋତେ ଲେଖା ଦେବାକୁ ହେଉଥାଏ। ସେଦିନ କହିଲେ ଗୋଟେ ହରର ସିରିଏଲ୍ ପାଇଁ ଗୋଟେ ଭୂତ ବା ଭୂତୁଣୀ ଗପ ଦେବାକୁ। ଚିନ୍ତାରେ ପଡିଗଲି –
ପତ୍ନୀ ଘରେ ନଥାନ୍ତି। ସାଙ୍ଗ ଘରକୁ ଟି. ଟି. ପାର୍ଟି ଆଟେଣ୍ଡ କରିବାକୁ ଯାଇଥାନ୍ତି। ଏହି  ଟି.ଟି. ପାର୍ଟିଟା ଭାରି ଭଲ ଯେ, ଖରାପ କିଛି ନାହିଁ। ଖାଲି ଯାହା ପତିମାନଙ୍କର ଧ୍ଵଜିଆ ଟିକିଏ ଉଡେ ।ପୁରୁଷମାନେ ତ ରାତି ପାହିଲା କ୍ଷଣି ମାର୍କେଟଠାରୁ ଆରମ୍ଭ କରି ଅଫିସ ଯାଏଁ ଚାରିଆଡ଼େ ବୁଲି ଆସୁଛନ୍ତି। ହେଲେ ନାରୀ? ନାରୀ ଘର କୋଣରେ ପଶି ଭାରି ବୋର୍ ହେଉଛନ୍ତି। ସେମାନଙ୍କର ପୁଣି ମନ ଅଛି ନା ନାହିଁ, ଆଉ ବାହାର ଦୁନିଆ ଦେଖିବା ପାଇଁ ଅଭିଳାଷା ବି। ପୁଣି ସାଙ୍ଗ ସାଥି ଗହଣରେ ଦୁଇ ପଦ କଥା ନ ହେଲେ ହେବ କି ହେ! ତେଣୁ ସେଇଠି ଥାଏ ନାରୀର ସ୍ୱାଛନ୍ଦ ବିହାର, ନାରୀ ସ୍ଵାଧୀନତା, ନାରୀ ମାନଙ୍କ ଗହଣରେ ପୁରୁଷ ମନସ୍ତତ୍ତ୍ୱର ଆଲୋଚନା, ମନ ଖୋଲା ହସ ଗପର ସୁଅ, ଦୁଇ ପାଲି ତାସ୍ ଖେଳ – ସବୁ। ହେଲେ ପତିମାନଙ୍କର ବଡ଼ ଧୁଲାଇ ହୁଏ। ପତିମାନେଙ୍କୁ କେମିତି ନିଜ କବଜାରେ ରଖିବାକୁ ହେବ, ଅଲଗା ନାରୀ ଚକ୍କରରେ ପଡ଼ିଲେ କେମିତି ସେମାନଙ୍କୁ ସାଇଜ କରାଯିବ ଓ କାବୁକୁ ଅଣା ଯିବ – ସବୁ ସେଇ ମହିଳା ପ୍ରତିନିଧିମାନେ ବୁଝାଇ କହିଥାନ୍ତି, ଆଉ ଗୁରୁ ମନ୍ତ୍ର  ବି ଦେଇଥାନ୍ତିି।
ସନ୍ଧ୍ୟା ସମୟ। ଏକୁଟିଆ ବସିଥାଏ। ଟି. ଭି. ଚ୍ୟାନେଲକୁ କମିଟମେଣ୍ଟ ଅନୁସାରେ ଗପଟିଏ ଦେବା ପାଇଁ କାହିଁକି ବି. ପି. ବଢି ଯାଉଥାଏ। ଚିନ୍ତାରେ ଆଲୁଅ ଜାଳିବାକୁ ମଧ୍ୟ ଭୁଲି ଯାଇଥାଏ। ଭାବୁଥାଏ – ଯାହା ତ ଭୂତୁଣୀ କହୁଛି ତାହା ମୁଁ ଲେଖୁଛି। ପୁଣି ଭୂତୁଣୀକୁ କହିବି ଭୂତଭୂତୁଣୀ କାହାଣୀ କହିବାକୁ, ଇଏ କେମିତିକା କଥା? ଯଦି ଭୂତୁଣୀ ରାଗିଗଲା? ଏମିତି ଭାବୁ ଭାବୁ ମୋ ପଢ଼ା ଟେବୁଲ୍ ଉପରେ ଛାୟାଟିଏ ପ୍ରତୀତ ହେଲା। ଆସ୍ଥେ ଆସ୍ଥେ ସେ ମଣିଷ ରୂପ ପରିଗ୍ରହ କରିବାରୁ ଚେହେରାଟି ଅନୁଷ୍କା ଦେବୀଙ୍କର ବୋଲି ଜଣା ପଡୁଥିଲା। ହେଲେ ବେକରେ ହାଡ ମାଳ ଓ ଆଖିରେ ହାଡ଼ର ଚଷମା ଦେଖି ମୁଁ ଡରି ଗଲି। ମୋ ଶରୀରରେ ପ୍ରାଣ ନଥାଏ। ସେ କଥା ହେବାକୁ ଲାଗିଲେ – “ମୁଁ ଜଣେ ବିଶିଷ୍ଟ ସାହିତ୍ୟିକ ଥିଲି। ମୋତେ ପ୍ରତିଷ୍ଠିତ ସାହିତ୍ୟିକ ଓ ଜଣାଶୁଣା ସମାଜପତିମାନେ ସହ୍ୟ କରି ପାରୁ ନଥିଲେ। ଶେଷରେ ଗୋଟେ ସାହିତ୍ୟ ସଭାରୁ ଫେରୁଥିଲା ବେଳେ ମୋତେ ରେପ୍ ଏଣ୍ଡ ମର୍ଡର କରି ଦିଆଗଲା।ଯାହା ଏବେ ମଧ୍ୟ ରହସ୍ୟ ଘେରରେ ଅଛି, ତା’ ଉପରୁ ପରଦା ଏଯାଏଁ ହଟି ନାହିଁ। କାରଣ ମୋ ଲେଖା ଗୁଡ଼ିକ କୁଆଡ଼େ ସେମାନଙ୍କର ଗତାନୁଗତିକ ସମାଜର ଓ ସଂସ୍କୃତିର ବିରୁଦ୍ଧାଚରଣ କରୁଥାଏ। ଧର୍ମ ଯାଜକମାନଙ୍କୁ ମଧ୍ଯ ଗାତ୍ରଦାହ ହେଉଥାଏ। ରାଜ ନେତାମାନଙ୍କୁର ତ ଗଳା କୁଣ୍ଡେଇ ହେଉଥାଏ ମୋତେ ଗାଳି କରିବାକୁ। ମୁଁ କିନ୍ତୁ ଭୂତ ଲୋକରେ ଗୋଟେ ସଙ୍ଗଠନ ଗଢିଛି। ଆମର ଉଦ୍ଦେଶ୍ୟ – ନୂଆ ସାହିତ୍ୟିକମାନଙ୍କୁ ସାହାଯ୍ଯ କରିବା। ସେମାନଙ୍କୁ ପ୍ରେରଣା ଓ ପ୍ରୋସାହନ ଦେଇ ଭାଷା ସାହିତ୍ୟର ବିକାଶ କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିରେ ସଂସ୍କାର ଆଣି ବୈପ୍ଲବିକ ପରିବର୍ତ୍ତନ ଆଣିବା। ତେଣୁ ତୁମକୁ ମୁଁ ସାହାଯ୍ଯ କରୁଛି। ଠିକ୍ ଏତିକି ବେଳେ ମୋ ପତ୍ନୀ ଘରକୁ ଫେରି ଆସୁଥିଲେ।ଆହୁରି  କେତେ କ’ଣ କହିଥାନ୍ତେ କି କ’ ଣ  କିିନ୍ତୁ ପତ୍ନୀ ଆସି ସବୁ ବିଗାଡି ଦେଲେ। ଏବେ ମନରେ ଶଙ୍କା ଉପୁଜିଲା – ଅନୁଷ୍କା ଦେବୀ ବର୍ତ୍ତମାନ ପ୍ରକୃତ ମଣିଷର ରୂପ ପରିଗ୍ରହ କରିଛନ୍ତି। ଯଦି ପତ୍ନୀ ମୋର ଦେଖି ଦିଅନ୍ତି, ତେବେ ନାରୀ ମନରେ ସନ୍ଦେହ ଉପୁଜିବା ସ୍ୱାଭାବିକ। ଆମ ପତି ପତ୍ନୀ ମନରେ ହଟ ଚମଟ ସୃଷ୍ଟି ହେବ। ଘଟଣାକୁ ସ୍ପଷ୍ଟ କରିବା ପୂର୍ବରୁ ଅଣାୟତ୍ତ ହୋଇଯିବ।
ମୋର ଅନ୍ୟମନସ୍କତା ଓ ଅସ୍ପଷ୍ଟ ଆଳାପରୁ ପତ୍ନୀର ସନ୍ଦେହ ହେଲା। କହିଲେ – “କିଏ? କିଏ ଘର ଭିତରେ? କାହା ସହ ଅନ୍ଧାରରେ କଥା ହେଉଥିଲ ? ଗୋଟେ ଝିଅ ସହ ଗପୁଥିବାର ମୁଁ ସ୍ପଷ୍ଟ ଜାଣି ପାରିଛି” । ଲାଇଟଟା ଜଳାଇ ଦେଇ ଚାରିଆଡ଼େ ଦରାଣ୍ଡି ଆସିଲେ ଓ ଜେରା ମଧ୍ଯ ଚାଲିଲା। ମୁଁ ସଫେଇ ଦେଲି -” କାହିଁ କେହି ନାହିଁ। ମୁଁ ଏମିତି ମୋ ଭାବନା ରାଇଜରେ ବୁଲୁବୁଲୁ ମୋ ଗଳ୍ପ ନାୟିକା ସହିତ କଥା ହେଉଥିଲି। ଏଗୁଡ଼ିକ ସବୁ ପରିକଳ୍ପନା ବାସ୍ତବତା ନାହିଁ। ତୁମେ ସନ୍ଦେହ କର ନାହିଁ।”
ପତ୍ନୀ କିନ୍ତୁ ମୋର ବୁଝିଲେ ନାହିଁ। ମହାଭାରତ ସୃଷ୍ଟି କରିଦେଲେ। କହିଲେ ମୋ ସାଙ୍ଗମାନେ ଠିକ୍ କଥା କହୁଥିଲେ- ତୁମେ ସାହିତ୍ୟିକମାନେ ବଡ଼ ରସିକ। ତୁମ୍ଭ ମାନଙ୍କୁ ବିଶ୍ବାସ କରି ହେବ ନାହିଁ। ତୁମମାନଙ୍କୁ ପ୍ରତ୍ୟେହ ନୂଆ ନୂଆ ପ୍ରେମିକ ଦରକାର ।ତାଙ୍କର ରୂପ ଯୌବନକୁ ନେଇ ବର୍ଣ୍ଣନା କରିବା ପାଇଁ ଓ ନୂଆ ନୂଆ ସିଦ୍ଧାନ୍ତ ଦେବା ପାଇଁ । ସତ କୁହ! ମୋ ଅନୁପସ୍ଥିତିର ସୁଯୋଗ ନେଇ କାହା ସହ କି ଗପ ଜମାଇଥିଲ? ତୁମ ପ୍ରେମିକାକୁ ଡାକି ରୋମାନ୍ସ କରୁଥିଲ ନା? କାରଣ ତୁମ ପାଟିରୁ ମୁଁ ସ୍ପଷ୍ଟ ଶୁଣିଛି ତୁମେ କହୁଥିବାର – ‘ହେଇ ମୋ ପତ୍ନୀ ଆସିଲେଣି, ତୁମେ ପଳା। ପଳା।ଜଲଦି ଯାଅ, ପ୍ଲିଜ୍’ । ତା ନାଁଟା ମୋତେ କୁହ, ନହେଲେ ସତ କହୁଛି! ରାତି ପାହିଲା ବେଳକୁ ବାପ ଘରକୁ ଚାଲିଯିବି।
ପତ୍ନୀର କିଳିକିଳା ରାବ ଦେଖି ଅକସ୍ମାତ୍ ମୋ ପାଟିରୁ ବାହାରି ପଡିଲା – “ଅନୁଷ୍କା” ।
ଏଥର ପତ୍ନୀର ରଣଚଣ୍ଡି ରୂପ- “ଆଛା! ତୁମ ପ୍ରେମିକାର ନାମ ତାହେଲେ ଅନୁଷ୍କା, ସେ ମୋର ସଉତୁଣୀ ହେବ। ଏଣିକି ତା ବୋଲବୋଲାରେ ମୁଁ ଚଳିବି। ଏଡ଼େ ବଡ଼ ଧୋକା। ଗୋଟିଏ ଘର ଭିତରେ ରହି ଏକାଠି ଏତେ ଦିନ ରହିଲା ପରେ ଶେଷରେ ତୁମେ ତା ସହ ପ୍ରଣୟ ଲୀଳା ରଚୁଥିଲ । ଏତେ ଦିନ ହେଲା ତୁମେ ତାହେଲେ ମୋତେ ଠକି ଚାଲିଥିଲ। ଏଥର ବୁଝିଗଲି ତୁମ ସାହିତ୍ୟରେ ଯେଉଁ ସବୁ ନାରୀ ଓ ତା’ର ପ୍ରେମ କାହାଣୀ ବର୍ଣ୍ଣିତ ହୋଇଛି ସେ ସବୁ ସେହି ଅନୁଷ୍କାର। ମୁଁ ଭାବୁଥିଲି ତୁମେ ମୋ ରୂପ ଗୁଣ ଓ ଯୌବନର ତାରିଫ୍ କରୁଥିଲ। ହେଲେ ତୁମେ ତ ମିଛୁଆ ରାଧୁଆ, ଠକ, ଚରିତ୍ରହୀନ ସାବ୍ୟସ୍ତ ହେଲ। ହାଇରେ ମୋ କପାଳ! “ଏହିପରି ଅନର୍ଗଳ ଗପି ଚାଲିଲେ। ମୋ କଥା ସିନା କିଛି ଶୁଣିବା ଅବସ୍ଥାରେ ଥିଲେ ମୁଁ କିଛି ବୁଝାଇ ପାରିଥାନ୍ତି। ଇଏ ତ ସବୁ ସେହି ଟି ଟି ପାର୍ଟିର ପ୍ରଭାବ। ପୁଣି କଚଡା ନଚଡା, ଫୋପଡ଼ା ଫୋପାଡ଼ି, ଦୁମ୍ ଦୁମ୍ ଚାଲି, ଗଣ୍ଡ ଭୈରବୀ ରଡି – ସବୁ। ରାତିରେ ଗଣ୍ଡେ ଖାଇବାକୁ ଦେଲେ ନାହିଁ ଯେ, ଭୋକରେ ଆଉଟି ପାଉଟି ହୋଇ ଶୋଇଲି। ରାତିରେ କେତେ ବୁଝେଇଲି – “ସେଇଟା କୋଉ ଅନୁଷ୍କା ରୂପୀ ମାନବୀ ନୂହେଁ ଭୂତୁଣୀଟାଏ। that is secret truth behind the creation of all my literary activities. ମୁଁ ସତ କହୁଛି ତୁମେ ମୋତେ ବିଶ୍ବାସ କର।”
ସିଏ ବା କାହିଁକି ବିଶ୍ବାସ କରନ୍ତେ? ଓଲଟା ମୁହଁ ଛିଞ୍ଚଡା ଓ ତୀର୍ଯ୍ୟକ୍ ଚାହାଣୀ। ରାତିଟା ସାରା ତ ଅନିଦ୍ରା। ସକାଳ ହେଲାଠୁଁ ବ୍ୟାଗରେ ଜିନିଷ ପତ୍ର ସବୁ ପ୍ୟାକ୍ କରି ପତ୍ନୀ ଚାଲିଲେ ବାପ ଘରକୁ। ଯେତେ ବୁଝା ଶୁଝା ସବୁ ବେକାର ଗଲା। ପଛରେ ମୁଁ ରହିଗଲି। ଏକଲା ଏଡ଼େ ବଡ଼ ଘରଟାରେ।
ଥକା ହୋଇ ପଢ଼ା ଟେବୁଲ୍ ପାଖରେ ବସି ପଡ଼ିଲି। ମୋ ମନକୁ ଯାହା ଆସିଲା ଲେଖିଦେଲି। ଟି ଭି. ଚ୍ଯାନେଲ୍ ବାଲା ଆସିବାରୁ କାହାଣୀଟା ଉପରକୁ ତୋଳି ଧରି ହାତକୁ ବଢ଼ାଇ ଦେଲି।

ଭାଗ 2

ଏତେବଡ଼ ଘରଟାରେ ମୁଁ ଏକଲା। ଖାଲି ଏକଲା ।ଏକଲାଟା ବସିଛି ମୋ ପଢ଼ା ଟେବୁଲ୍ ପାଖରେ ।ପିଲାମାନେ ଘରେ ନାହାଁନ୍ତି ବା ରୁହନ୍ତି ନାହିଁ। ସେମନେ ସେମାନଙ୍କ ପାଠ ପଢାକୁ ନେଇ ବ୍ୟସ୍ତ। କଲେଜ ଜୀବନ କମ୍ ବ୍ୟସ୍ତବହୁଳ ନୂହେଁ। ସେମାନେ ସେମାନଙ୍କ ପାଠ ଚିନ୍ତାରେ ଗୁମୁରି ହେଉଥିବେ। ଗୋଟିଏ ବୋଲି ପତ୍ନୀ। ସେ ଏକା ପାଖରେ ରହନ୍ତି। ସେ ପୁଣି ଆଜି ସକାଳଟାରୁ ଉଠି ରାଗ ତମତମ ହୋଇ ବାପ ଘରକୁ ଚାଲି ଯାଇଛନ୍ତି। ଗଲାବେଳେ କହି ଯାଇଛନ୍ତି ଆଉ ମୋଟରୁ ଆସିବେ ନାହିଁ। ସତେ କି ତା ବୋପାଟା ରାଇଜ ସରକାର କୋଟିଏ ଖଣ୍ଡ ଟଙ୍କା ରଖିଛନ୍ତି, ଜୀବନ ସାରା ଝିଅକୁ ପରବରିସି କରିବା ପାଇଁ। ଏମିତି ବାହି ନ ଦିଅନ୍ତୁମ! ୟାକୁ ଏକା ବାହି ଦେଲେ ଭାଉଜ ଚନ୍ଦ୍ରମାମାନେ କୋଉ ଛାଡି ଦେବେ କି? ମୋ ଶଳାମାନଙ୍କୁ କହି ଏମିତି କାଣ୍ଡ ଭିଆଇବେ ଯେ, ଏକା ଥରକେ ଝିଅର ମନ ଘର ଧରି ଯିବ। ଏଗୁଡାକ ୟାହାପ ଭାରି ଫୁଟାଣିଆ ଦଳ। ଫୁଟାଣି ମାରିବେ ଯେମିତି ବାପ ଗୋସାପ ଚଉଦ ପୁରୁଷରୁ ୟାଙ୍କ ଖାନଦାନିଟା ଆଦୌ ଖଣ୍ଡିଆ କି ପୋକରା ହୋଇ ନାହିଁ, ସେଇମିତି ଗଡ଼ିଗଡି ଆସୁଛି ଏବର ଏକାଳ ବାପଭାଇ କାଳ ଯାଏଁ। ୟାଙ୍କର ଆହୁରି ଯଦି ବସ୍ କି ମୋଟର ଦି ଖଣ୍ଡ ଥାନ୍ତା, ଆହୁରି କେତେ ଫୁଟାଣି ମାରନ୍ତେ। ଏଗୁଡାକ ଭଲା ଅନ୍ୟ ଆଗରେ କହନ୍ତେ କି , ମାରି କି ୟାଙ୍କ ଚୋପା ଛଡ଼େଇ ଦିଅନ୍ତେ। ଅନ୍ୟ ଆଗେ କେମିତି କହିବେ, କହିଲେ ୟାଙ୍କ ଦୁର୍ବଳତା ଧରା ପଡିଯିବ ନାହିଁକି? ଖାଲି ମୋତେ ନିଟାଣୁଆ ଓ ବୋକା ଭାବିଛନ୍ତି ତ, ତେଣୁ ଯେତକ ବଡ଼ କଥା କହିବେ। ମୁଁ ଯେମିତି ୟାଙ୍କ ମିଟର ଆଉ ମାପି ନାହିଁ। ଦିଟା ଦିନ ପରା ଶାନ୍ତିରେ ଯିବ ନାହିଁ, ନଣନ୍ଦ ଭାଉଜ ଏମିତି ଝଗଡ଼ା ଲାଗିବେ ଯେ, ବଳେ ଆସି ମୋ ଶରଣ ପଶିବେ।
ଛାଡ଼ ମୋର ତ ପୋଡ଼ା କପାଳ, ଆଉ କାହାକୁ ଦୋଷ ଦେଇ ଲାଭ କ’ଣ? ଏଇମିତି ଗୋଟେ ମୁଖରା ମାଇପ ଯାହାର ଥିବ ନା , ତା ମୁଣ୍ଡଟା ପରା ଖାଲି ଟାଇଁଟାଇଁ ହେବ। ଜୀବନଟା ସାରା ଭଗବାନଙ୍କ ଦୋଷ ଦେବା ଛଡା ଆଉ କ’ ଣ କରି ପାରିବ ଯେ ସେ, ଉପାୟ ଥିବ ତା’ର ? ତେଣୁ ଫଟା କାପାଳିଆଙ୍କର ଏଇଁନ୍ତିଆ ଦଶା, ତାକୁ ବା ଆଉ କିଏ କରିବ ବାମ ।
ଛାଡ଼ ଏତେକଥା ଭାବି ଯିବାକୁ ଆଉ ବେଳ ନାହିଁ, ବରଂ ଟେବୁଲ୍ ଉପରେ ଘଡିଏ ଖଣ୍ଡ ମୁଣ୍ଡ ରଖି ଶୋଇ ଗଲେ ଯାଏ। ନ ହେଲେ ଅଫିସରେ ପରା ଢୁଳ ଲାଗିବ, ତହୁଁ କିଏ କେତେ ରକମର ପଚାରିବେ। ସହକର୍ମୀମାନେ ଚଟୁଳ କରି କହିବେ-” କ’ ଣ ଆଜ୍ଞା! ଗତ କାଲି ରାତିରେ ସମୁଦ୍ରକୁ ନିଆଁ ଲିଭାଇବାକୁ ଯାଇଥିଲେ କି” ? ଆଉ କିଏ ଅନ୍ୟ ରକମର କିଛି ଭାବି ମୁହଁରେ ହାତ ଦେଇ ଓଠ ଚାପି ନହେଲେ ମୁହଁ ପଛକୁ କରି ହସିବେ। ତା ଛଡ଼ା ମୁଁ ଆଉ କେତେବେଳେ ଶୋଇଲି କି? ଲେଖୁ ଲେଖୁ ପରା ରାତି ପାହି ଗଲା। ତେଣୁ ନିଦଟା ବଡ଼ ଜୋହରରେ ଆସୁଛି ଯେ! ହେଲେ ଶୋଇ ହେଉ ନାହିଁ ।ମନ ଅଶାନ୍ତ ହେଲେ ପରା କୌଣସି କାମ ଠିକ୍ ସେ ହୁଏ ନାହିଁ, ଖାଲି ଦୁଶ୍ଚିନ୍ତା ଘାରିବ।
ଟେବୁଲଟା ଉପରେ ଏପଟ ସେପଟ ମୁଣ୍ଡଟାକୁ ଗଡେଇ ଗଡେଇ ଓଳିଏ ଗଲାଣି, ହେଲେ ଆଖିକୁ ନିଦ ପଡୁ ନାହିଁ। ଘଣ୍ଟାଟା ଉପରେ ନଜର ପଡି ଗଲାଠୁଁ ଦିନ 9 ଟା। ତରବର ହୋଇ ହୋଇ ଗାଧୁଆ ପାଧୁଆ ଓ ନିତ୍ୟ କର୍ମ ସାରିଲି। ଡ୍ରେସଟା ବିନା ଆଇରନ୍ ରେ ପିନ୍ଧି ପକାଇଲି।
ଏ କଥା ତ ଜଣା ଘରୁ ଆଜି ଚା’ ଟିକକ ବା ଜଳଖିଆ ଗଣ୍ଡାକ ମିଳିବ ନାହିଁ। ତେଣୁ ସିଧା ଗାଡି ବାହାର କଲି। ଅଫିସ ପାଖରେ ପହଞ୍ଚି ଗଲା ପରେ ଚପରାସିକୁ କହିଲି – “କପେ ଚା ଓ ଗୋଟେ ଛୋଟ ବିସ୍କୁଟ୍”। ସେଇ ସେତିକିରେ ସକାଳ ଓଳିର ଖାଦ୍ୟ ଶେଷ। ଟେବୁଲ୍ ଉପରେ ତ ଫାଇଲ ଗଦା ହୋଇଥିଲା, ସେତକ ଚାଷ କରୁକରୁ ବାଜିଲା ଦୁଇଟା। ଆଉ ଡେରି କରି ଲାଭ ନାହିଁ। ଓହ୍ଲାଇଲି ତଳକୁ। ପାଖାପାଖି ହୋଟେଲଟାଏ ଥାଏ। ମାଛ ଭାତ ପେଟେ ଖାଇ ଅଫିସକୁ ଫେରିଲି। ପୁଣି କାମ ଓ କାମର ବୋଝ ସେତକ ନିପଟେଇ ଘରକୁ ଫେରିଲି। ଆଜି ଅଫିସରେ ଅନେକ କାଣ୍ଡ ଘଟି ଯାଇଥିଲା। ସନ୍ତୋଷ ବାବୁଟା ଭାରି ନୀରିହ ଲୋକଟା କ’ଣ ଗୋଟେ ଆଲୋଚନା କରୁକରୁ ବିଗିଡି ଗଲି। ରବି ସେଇପରି ଛୁଟି ମାଗୁଥିଲା, ଯା’ ପାରି ତାହା ବକି ଗଲି – “ଏଇଟା କ’ଣ ତୋ ଘର କଥା ନା, ଯେତେବେଳେ ପାରି ସେତେବେଳେ ରହିଯିବ” । ବିଚରା ଭାରି ମନ କଷ୍ଟ କରିଥିବ, ମୋର ଏ ଅସହିଷ୍ଣୁ ପଣିଆକୁ ନିଶ୍ଚୟ ଦାୟୀ କରୁଥିବ। ଆଉ ଯେତକ ଅଫିସରେ ଥିଲେ ମୋ ସାମ୍ନାକୁ ବିଶେଷ ଆସି ନାହାଁନ୍ତି। ସେମାନେ ବୋଧେ ମୋ ଚା’ ସହ ବିସ୍କୁଟ ଖାଇବାକୁ ନେଇ ଜାଣି ଯାଇଥାନ୍ତି ଯେ,” ସାର୍ ଆଜି ଘରୁ ଖାଇ କି ଆସି ନାହାଁନ୍ତି ମାନେ ନିଶ୍ଚୟ ମ୍ୟାଡମ୍ ସହିତ ଝଗଡ଼ା କରି ଆସିଛନ୍ତି, ନହେଲେ ସାର୍ ତ ଏମିତି ବ୍ୟବହାର କରନ୍ତି ନାହିଁ “। ଯାହା ବି ହେଉ ମୋ ମନଟା ଆଦୌ ଭଲ ଲାଗୁ ନଥାଏ, ମୋର ଏ too much officious temperament (ବ୍ୟବହାର) କୁ ନେଇ। ସତରେ ପାରିପାର୍ଶିକ ଅବସ୍ଥିତି ଓ ମାନସିକ ସ୍ଥିତି ମଣିଷର କାର୍ଯ୍ୟଶୈଳୀ ଉପରେ ଗଭୀର ରେଖାପାତ କରେ, ଏ କଥାଟା ମୁଁ ଆଜି ଅଧିକ୍ ଭାବେ ଉପଲବ୍ଧି କରୁଥାଏ।
ନିଜ ମନ ଭିତରେ ସିନା ଏମିତିକା କ୍ରିୟା ବିକ୍ରିୟା ସ୍ୱତଃ ଘଟି ଯାଉଥିଲା, ହେଲେ ଅଫିସ କାମ ଭିତରେ ମୁଁ ଆଦୌ ପ୍ରକୃତିସ୍ଥ ହୋଇ ପାରୁ ନଥିଲି କି ଘର କଥା ମନେ ରଖି ପାରି ନ ଥିଲି। କିନ୍ତୁ ଘରକୁ ଫେରି ଆସି ଯେତେବେଳେ ଦେଖିଲି, ଘର ଦୁଆର ମୁହଁରେ ଭୁଣ୍ଡା ତାଲା ଝୁଲୁଛି, ସେତେବେଳେ ଜାଣିଲି ଯେ ଘରେ କେହି ନାହାଁନ୍ତି। ଆଜି ପତ୍ନୀ ମୋ ଗାଡି ଶବ୍ଦଟା ଶୁଣି ବିନା କଲିଙ୍ଗ୍ ବେଲ୍ ରେ ବାହାରକୁ ଦୌଡ଼ି ଆସି କବାଟଟା ଖୋଲି ଦେବେ ନାହିଁ, ମୋତେ ଘଡିଏ ଖଣ୍ଡ ଚାହିଁବା ପାଇଁ। କେହି କହିବାକୁ ନାହିଁ ହାତ ଗୋଡ଼ ଧୋଇ ଜଲଦି ଫ୍ରେସ୍ ହୁଅ ମୁଁ ଚା’ ଜଳଖିଆ ଧରି ଆସୁଛି।
ଧୀରେ ଘରର ଚାବିଟା ଖୋଲିଲି। ଦାଣ୍ଡ ଘରଟାରେ କେଯାଏଁ ବସି ରହି ଥକ୍କା ମେଣ୍ଟାଇଲି। ମୁଣ୍ଡଟା ବିନ୍ଧିବାରୁ ରୋଷେଇ ଘରଟା ଭିତରେ ପଶି ଚାରିଆଡ଼େ ଦରାଣ୍ଡି ହେଲି।
କାହିଁ କେଉଁଠି ଚା, ଆମୂଲ ଓ ଚିନି ବା ଅଛି? ଗୋଟାଏ ପରେ ଗୋଟାଏ ସବୁ ଡବାର ଠିପିଟା ତ ଖୋଲି ସାରିଲିଣି ।ଓଃ ହୋ.. ଏଇ ଗ୍ୟାସ୍ କଡରେ ପରା ଲୁଚି ରହିଛି। ସସପେନଟା ବି ମିଳିବାକୁ ନାହିଁ, ବେଲାରେ ବସେଇ ଦେଲି। ହେଲେ ଚା ପତିଟା ଟିକେ ଅଧିକ ପଡିଗଲା ନା କ’ଣ, ପିତା ତ ଲାଗୁ ଥିଲା। ତେଣୁ ପିଇ ହେଲା ନାହିଁ। ଅଧା ପିଇ ଥୁ ଥୁ ଫିଙ୍ଗି ଦେଲି। ଏଗୁଡାକ ଆଉ ମୋ ଦ୍ୱାରା ହେବ ନାହିଁ। ଏକୁଟିଆ ଭାରି ବୋର୍ ଲାଗୁଥିଲା, ତେଣୁ ଟି. ଭି. ଟା ଖୋଲି ନ୍ୟୁଜଟା ଦେଖିଲି। କିନ୍ତୁ ଆଜି କାହିଁ ଟି. ଭି. ଟା ଦେଖିବାରେ ସେତେ କିଛି ମଜା ଆସିଲା ନାହିଁ। ସୁଲୋଚନା ଥିଲେ, ଏଇଲାଗେ କେତେ ଛଡାଛଡି କରିଥାନ୍ତା। କହିଥାନ୍ତା – “ରିମୋଟଟା ମୋତେ ଦେଲ! ମୁଁ ସିରିଏଲଟା ଦେଖିବି” ।ମୁଁ ରିମୋଟଟା ଦେଇ ନଥାନ୍ତି। ସେ ଭିଡ଼ି ଆସି ଛଡେଇ ନେଇଥାଆନ୍ତେ। ପୁଣି କିଛି ସମୟ ବ୍ୟବଧାନ ପରେ ସେ ଅନ୍ଯମନସ୍କ ହେଲା ବେଳେ ମୁଁ ରିମୋଟ୍ ଟା ଟାଣି ଆଣିଥାନ୍ତି। ତେଣୁ ଖଣ୍ଡେ ପ୍ରଳୟ ଯୁଦ୍ଧ ହୋଇଥାନ୍ତା। ସେ ମନ ଭାରି କରିଥାନ୍ତେ, ମୁଁ ବୁଝାଇଥାନ୍ତି। ସେ କିନ୍ତୁ ମୋ ଠାରୁ ପାଦେ ଆଗୁଆ, ତେଣୁ ଆଗୁଆ ବୁଝି ଯାଇ କହିଥାନ୍ତେ – “ହଉ ତୁମେ ତୁମର ଦେଖ! ମୋର ତେଣେ କେତେ କାମ, ରୋଷେଇ ବାସ ପୁଣି କରିବାକୁ ହେବ। ଉଠି ଚାଲିଯାଇଥାଆନ୍ତେ ରୋଷେଇ ଘରକୁ। ପରିବାପତ୍ର କାଟି ଯୋଗାଡ ଜନ୍ତ୍ର କରୁକରୁ ମୁଁ ବି ପଛେ ପଛେ ଉଠି ଚାଲିଯାଇଥାନ୍ତି-ରୋଷେଇରେ ଟିକେ ହାତ ବାଣ୍ଟିବା ପାଇଁ । କଥା ହେଲା – ରୋଷେଇବାସ କଥା ଯାହା ହେଉ, ସ୍ତ୍ରୀ ସହିତ ଟିକେ ଘସିନେସି ହୋଇ ସବୁବେଳେ ରହିବାକୁ ମୋତେ ଭାରି ଭଲ ଲାଗେ। କିନ୍ତୁ ସୁଲୋଚନା କହେ – “ତୁମେ କିଭଳିଆ ମଣିଷଟା କି ହୋ ! ଖାଲି ରୋଷେଇ ଘରଟାରେ ପଶି ଖଡଖାଡ ଓ ଧଡଧାଡ କରୁଛ। ଏଗୁଡାକ କି ଧାଡ଼ିଶେଡିର କଥା ବା! ସହଜେ ତ ରୋଷେଇ ଘରେ ଫେର୍ ବଦଳ କରିବା ପାଇଁ ଜାଗା ନାହିଁ, ସେଥିରେ ତୁମେ ଆସି ଗହଳି କରୁଛ। ତୁମେ ପୁରୁଷ ଲୋକ ଗୁଡାକ କାହିଁକି ରୋଷେଇ ଘରେ ପଶି ଆମ ସ୍ତ୍ରୀ ଲୋକ ଗୁଡ଼ାକୁ ହଇରାଣ କର କେଜାଣି । କୌଣସି କାମ ତ ସିଧା ହେବ ନାହିଁ ଓଲଟି ସବୁ ପୋଡିପୁଡା ଯିବ। ଧିରିକିନା ଯାଇ ଦାଣ୍ଡ ଘରେ ବସ, ମୁଁ ରାନ୍ଧି ସାରିଲେ ଡାକିବି, ସାଙ୍ଗ ହୋଇ ଖାଇବା। ନହେଲେ ତୁମେ ତୁମର ସବୁ ରାନ୍ଧ! ମୁଁ ଚାଲିଲି “।ଏଥର ଧମକଟା ମିଳିବାରୁ, କୁକୁର ଭଳି ଲାଞ୍ଜ ଯାକି ଦାଣ୍ଡ ଘରେ ବସି କୁଁ କାଁ ହୁଏ -” ଉଁ. ଚୁଁ.. ଆଦୌ ମନ ନଥିବ ତ, ଯେମିତି ମୋର ଏକଲା ମନ ହେଉଛି। ଫୁଟାଣିଆ ଏତେ, ଫୁଟାଣି ଆଉ ମାର ନାହିଁ ମ! “ସେ ମୋ କଥାଟା ଶୁଣି ମୁଚୁକୁନ୍ଦିଆ ହସ ହସୁଥାନ୍ତୁ।
ଆଉ ମୁଁ ନଜାଣି ପାରିଲା ଭଳି ରୋଷେଇ ଘରୁ ଥାଇ ଚିଲଉଥାନ୍ତି – “ହଇ ଗୋ! ମୋତେ କ’ଣ କିଛି କହିଲ କି? ସେମିତି କହିଲେ ସିଧା ଯାଇ ଶୋଇ ପଡ଼ିବି, ତୁମେ ତୁମର କରି ଧରି ଖାଉଥା!” ଏ ମାନଙ୍କ ଦିମାକ ଭାରି ତେଜ୍, ଏମାନଙ୍କୁ ସହଜେ ପାରି ହେବ ନାହିଁ, ବରଂ ଆଉ ଅଧିକ ନ କହି ଘଡିଏ ଟି. ଭି. ଦେଖିଲେ ଗଲା। କେତେ ଆଡ଼େ କେତେ କଥା ଘଟି ଯାଉଛି ନ୍ୟୁଜ୍ ଟିକିଏ ନଦେଖିଲେ ପରା କିଛି ଜାଣି ହେବ ନାହିଁ, ନିଜକୁ ବୋକା ବୋକା ଲାଗିବ। ସୁଲୋଚନା ରୋଷେଇ ସାରି ପରସି ଦିଏ। ଉଭୟ ସାଙ୍ଗ ହୋଇ ଖାଇ ଶୋଇ ଯାଉ। ପୁଣି ବିଛଣାରେ ବି ଘଡିଏ ମହାଭାରତ ହୁଏ। ଇଏ ମୁର୍ଖଙ୍କ ସହ କିଏ କେଉଁ ଯୁକ୍ତି କରିବ ଲୋ ମା! ବରଂ ସବୁ କଥାରେ ହଁ ଢଁ ମାରିଦେଲେ ଗଲା। ଏ ମାନଙ୍କର ପରା ସଂସାର ଜ୍ଞାନ ଅଧିକ। ତେଣୁ ପତିମାନେ କିଛି ଜାଣି ନଥାନ୍ତି। କେବଳ ୟାଙ୍କରି ପରାମର୍ଶ ଓ ଉପଦେଶ କୁଆଡ଼େ ଜୀବନ ତରୀକୁ ଆଗକୁ ଆଗକୁ ବାହି ନିଏ।
ଇଏତ ଆମର ନିତିଦିନିଆ ହସ ଖୁସି ସଂସାରର ଖେଳ । ପୁଣି ଦିନେଦିନେ ମୁଁ ସନ୍ଧ୍ୟା ବେଳକୁ ଫେରି ଆସି ଆଫିସ କାମ ବା ସାହିତ୍ୟ ସାଧନାରେ ବସିଯାଏ ବା ଯେଉଁଦିନ ମୋତେ କିଛି ଲେଖିବାକୁ ଥାଏ, ସେ ମଝିରେ ମଝିରେ “ଏଟା ଖାଅ, ସେଟା ଖାଅ “-ସବୁ ବଳେଇ ବଳେଇ ଖୁଆଇବାରେ ବ୍ୟସ୍ତ । ମୋର ନା’ ନା’ କୁ ତାଙ୍କର ପରା ହଁ ହଁ।ସେ ପାଖରେ ବସି ଗୁଲୁରୁ ଗୁଲୁରୁ କଥା କହନ୍ତି।ମୋର ଚିଡ଼େଇବାର ଅଭ୍ୟାସ ଯାହା ହେଲେ ବି ଗୋଟେ କିଛି ଚିଡ଼େଇବି, ନହେଲେ କେଇଟା ଚୂଟକଲି ଶୁଣାଇବି ।ତାହାରି ଭିତରେ 9 ଟା ବାଜି ଯାଏ। ସେ ଉଠି ରୋଷେଇ ଘରକୁ ଚାଲି ଯାଆନ୍ତି। ପ୍ରେସର୍ କୁଲର୍ ରୁ ସିଟି ଆସେ, ନାକରେ ବାସ୍ନା ବାଜେ। ରୁଟି ତରକାରୀ ସବୁ ପ୍ରସ୍ତୁତ। ତେଣିକି ଖିଆପିଆର ପର୍ବ। ରାତି 11 ଟା 12 ଟା ହୋଇଯାଇଥାଏ। ମଝିରେ ମଝିରେ କେତେ ଗପର ସୁଅ ଓ କେତେ ମାନ ଅଭିମାନ – ସବୁଥାଏ। କିନ୍ତୁ ଜୀବନଟା ବେଶ୍ ଧାଏଁ । ସବୁକିଛି ଭାରି ଶାନ୍ତିପ୍ରଦ ଲାଗୁଥାଏ। ରାତି ବେଶୀ ହେଲାଠୁଁ କବାଟ କଣ୍ଟା କିଳି ବିଛଣାକୁ ଯାଉ। ସେଇ ବିଛଣାଟା ଉପରେ ପୁଣି ଗପର ଗପର, ତାରି ଭିତରେ ନିଦାଟା ଘୋଟି ଆସେ। ସମୟଟା ଆଦୌ ଜଣାପଡ଼େ ନାହିଁ, କେଉଁ ବାଟେ ଚାଲିଯାଏ। ଦିନ ତମାମର ଥକାନ ଓ କ୍ଳାନ୍ତି ରାତି ପାହିଲା ବେଳକୁ ଆଉ ନଥଏ। ଶରୀରଟା ଏକଦମ୍ ହାଲୁକା ହୋଇଯାଇ ଥାଏ। ରାତି ପାହିଲା ବେଳକୁ ତ ସୁଲୋଚନା ବିଛଣା ଛାଡି ଦେଇଥାନ୍ତି। ବାସୀ କାମ ସବୁ ସାରି ଗାଧୋଇ ପାଧୋଇ ପୂରା ରେଡି। ହାତରେ ଚା ପିଆଲାଟା ଧରି ମୋତେ ଡାକ ପକାଇଲା ବେଳକୁ ମୁଁ ଆହୁରି ଗଭୀର ନିଦ୍ରାରେ ଶୋଇଥାଏ। ଏଥର ତାଙ୍କ ଡାକ ଆହୁରି ଜୋହର୍ ହୁଏ – “ଏ ଶୁଣୁଛ ନା! ଚା ବା ଥଣ୍ଡା ହେଲା। ତୁମ ଭଳିଆ ଅଳସୁଆ ଲୋକ ମୁଁ କାହିଁ କେଉଁଠି ଦେଖି ନାହିଁ” ।ତାଙ୍କ ଚହଳଟା ଯେତେ ଜୋହର ହୁଏ, ମୁଁ ଜାଣିଜାଣି ଆଉ ଟିକେ ଘୁମେଇ ପଡ଼େ। ସେ ମୋ ବିଛଣା ପାଖକୁ ଭିଡ଼ି ଆସି ଏକ ପ୍ରକାର ମୋତେ ଘୋଷାରି ପକାନ୍ତି। ମୁଁ ଉଠି ବାଥ୍ ରୁମ୍ ଧାଏଁ। ସେଠୁ ଫେରିଲା ପରେ ସାଙ୍ଗ ହୋଇ ଚା ପିଉ। ଟିକିଏ ସ୍ନାକସ ନେଇ ସେ ଚା ପିଇବାର ମଜାଟା ନିଆରା।ପୁଣି ମୁଁ ଅଫିସ୍ ବାହାରିବା ପୂର୍ବରୁ ହାତରେ ଜଳଖିଆ ଧରି ସେ କେତେ ନେହୁରା ହୋଇ ଖୁଆନ୍ତି – “ମୋ ରାଣ, ଉପବାସେ ଘରୁ କେହି ଯାଆନ୍ତି ନାହିଁ। ଅଳ୍ପ ହେଉ ପଛେ ରୁଟି ଦୁଇ ଖଣ୍ଡ ନହେଲେ ଉପମା ଟିକକ ଖାଇ ଦେଇ ଯାଅ”। ମୁଁ ଖାଉ ଖାଉ ସେ ଜୋତା ପଲିସ୍ କରି ଦେଇ ଥୋଇ ଦେଇ ଥାନ୍ତି। ମୁଁ ଜୋତା ପିନ୍ଧୁପିନ୍ଧୁ ସେ ଥରେ ବେଉରା ନିଅନ୍ତି , ମୁଁ ପର୍ସ ଓ ରୁମାଲ ଇତ୍ୟାଦି ନେଇଛି କି ନାହିଁ, ନହେଲେ ସେ ସବୁ ଆଣି ଦିଅନ୍ତି। ବିଦାୟ ନେଲା ବେଳେ ଦୁଆର ମୁହଁରେ କେଯାଏଁ ଚାହିଁ ରହିଥାନ୍ତି, ଏଇଟା ତାଙ୍କର ଅଭ୍ୟାସ।କ’ଣ ଭାବୁଥାନ୍ତି ସେ ଏକା ଜାଣନ୍ତି।

ଭାଗ 3

ହଠାତ୍ ଭାବନାକୁ ଧକ୍କା ଦେଇ ଘଣ୍ଟାରେ 11 ଟା ବାଜିବାର ଟଙ୍ଗ ଟଙ୍ଗ ଶବ୍ଦ ଶୁଭା ଗଲା। ମୋର ସମସ୍ତ ଭାବନା ଖଣ୍ଡ ବିଖଣ୍ଡିତ ହେବାକୁ ଲାଗିଲା । କ୍ଷଣିକେ ଲାଗିଲା, ମୁଁ ଅତୀତ ପରିଦର୍ଶନ କରି ଏବେ ଏବେ ଫେରୁଛି। ଅତୀତ ଯେତେ ମଧୁମୟ ହେଉନା କାହିଁକି ତାହାର ବର୍ତ୍ତମାନ ସହ କୌଣସି ସମ୍ପର୍କ ନଥାଏ । ବର୍ତ୍ତମାନର ସତ୍ୟ ହେଲା, ଆଜି ସୁଲୋଚନା ବାପ ଘରକୁ ଚାଲି ଯାଇଥିବାରୁ ମୁଁ ଏଇଠି ଏମିତି ଏକଲାଟା ବସି ଅତୀତକୁ ଯୋଡ଼ି ପକାଇଥିଲି। ତେଣୁ ମୁହଁ କାନକୁ ପାଣି ଛାଟି ପ୍ରକୃତିସ୍ଥ ହେବାକୁ ଚେଷ୍ଟା କଲି। ନିମିଷକେ ସବୁ ସ୍ୱାଭାବିକ ହୋଇଗଲା।ପେଟରେ ଚୁହା ଦୌଡିବାରୁ ମୁଁ ବଡ଼ ବ୍ୟସ୍ତ ହୋଇ ରୋଷ ଘରକୁ ଦୌଡ଼ିଲି। କ’ଣ ଖାଇବି କ’ ଣ ରାନ୍ଧିବି କିଛି ସଠିକ୍ ମୁଁ ସ୍ଥିର କରି ପାରୁ ନଥଏ।କାରଣ ପୂର୍ବରୁ ଏଇ ସିଦ୍ଧାନ୍ତଟା କେବଳ ସୁଲୋଚନାର ଥିଲା, ମୁଁ ସେଥିରେ ବିଶେଷ କିଛି ହସ୍ତକ୍ଷେପ କରେ ନାହିଁ। ଆଜି କିନ୍ତୁ ସିଦ୍ଧାନ୍ତଟା ନିରାଢାଳେ ମୋର। ଦେଖିଲି ପଖାଳ ଦିଟା ହାଣ୍ଡିରେ ପଡ଼ିଛି। ସେଇ ଦିଓଟି ଗୋଟିଏ ବେଲାରେ ବାଢି ଆଣିଲି। ଗ୍ୟାସରେ ବାଇଗଣଟେ ପୋଡି ଥାଳି କଡରେ ଦଳିଦେଲି। କାକୁଡି ଫାଳେ ଓ କଞ୍ଚା ଲଙ୍କା କେଇଟାରେ ରାତିକ ଭୋଜନ ଶେଷ। ଗତ କାଲିର ଅନିଦ୍ରା ପାଇଁ ବଡ଼’ ହାଇ’ ଆସୁଥାଏ। ଆଖି ବି ମାଡ଼ି ମାଡ଼ି ଆସିଲାଣି। ସିଧା ଯାଇ ବିଛଣାରେ ପଡିଗଲି। ସକାଳୁ ତ କେହି ଆଜି ଉଠାଇବାକୁ ନାହିଁ କି କାହାରି ଚିଲାଚିଲିରେ ମୋ ନିଦ ଭାଙ୍ଗିବାର ନାହିଁ। ତେଣୁ ଉଠିଲା ବେଳକୁ ଦିନ 9।ପୁଣି ସେଇ ନିତ୍ୟ କର୍ମ ଓ ଅଫିସ ଯିବାକୁ ତରବର। କେତେ ଦିନ ହେବ ସୁଲୋଚନା ଯାଇ ବାପ ଘରେ। କାହିଁ ଫୋନ୍ ଫାନ୍ ବି ନାହିଁ। ସେ ଯଦି ସ୍ତ୍ରୀ ଲୋକ ହୋଇ ଏଡ଼େ ଅଭିମାନୀ ହେବେ, ତେବେ ଆମର କ’ଣ ହୋଇଛି କି?ଆମେ ବି ତ ପୁରୁଷ ପୁଅ ନା! ଆମର ବି କ’ଣ ରାଗ ନାହିଁ କି? ତେବେ ଧୈର୍ଯ୍ୟର ବନ୍ଧ ଭାଙ୍ଗି ଆସିଲାଣି। ଆଉ କାହିଁ ସୁଲୋଚନା ବ୍ୟତିରେକେ କିଛି ଭଲ ଲାଗୁ ନାହିଁ। ଏଇ ସୁଲୋଚନା ଥିଲା ବେଳେ, ମୋର କିଛି ଅସୁବିଧା ନଥିଲା। ମୁଁ କେତେବେଳେ ଖାଇବି, କେତେବେଳେ ଅଫିସ ଯିବି, ପୁଣି ଦିନ ତମାମର ମୋର ସମସ୍ତ ହିସାବ କିତାବ ତାଙ୍କ ପାଖରେ।କୁଆଡ଼େ ଗଲି ଓ କେତେ ସମୟ ରହିଲି ସେ ହିସାବ କିତାବର ବି ତଲବ ସେ କରନ୍ତି।ନିର୍ଘଣ୍ଟ ସମୟ ସୀମାରୁ ଘଣ୍ଟେ ଅଧ ଘଣ୍ଟେ ଏପଟ ସେପଟ ହୋଇଗଲେ ହଜାରେ ଫୋନ୍, ପୁଣି ସଠିକ୍ ସଠିକ୍ କୈଫତ ଦେବାକୁ ହୁଏ, ନହେଲେ ମୁହଁ ହାଣ୍ଡି ଓ ଗୋଡ କଚଡ଼ା। ଏଇ ସୁଲୋଚନା ଭାରି ଇମୋସନାଲ, ପାନରୁ ଚୂନ୍ ଖସିଲେ, ସେ କାହାରି ନୂହେଁ। ତେଣୁ ଜୀବନଟା ସୁଲୋଚନାମୟ ପାଲଟି ଯାଇଥାଏ। ସେ ମୋ ଗୋଡକୁ ହାତକୁ ଖାଲି ଚାହିଁଥାନ୍ତି। ମୋ ସୁବିଧା ଅସୁବିଧାରେ ମୋ ପାଖରେ ଛିଡା ହୋଇଯାନ୍ତି। ଯାହା ଆବଶ୍ୟକ ସବୁ ଆଣି ଖଞି ଦିଅନ୍ତି, ତେଣୁ ବସିଲା ଜାଗାଠାରୁ ମୋତେ ଆଉ ବାରମ୍ବାର ଉଠିବାକୁ ପଡେ ନାହିଁ, ଅଥଚ ସବୁ କାମ ସୁରୁଖୁରୁରେ ହୋଇ ଯାଉଥିଲା।
ତେବେ ଆଜି କ’ଣ ତାଙ୍କର ମୋ କଥା କିଛି ମନେ ପଡୁନାହିଁ? ସେ କ’ଣ ମୋ ପାଇଁ ଆଦୌ ବ୍ୟସ୍ତ ହେଉ ନାହାଁନ୍ତି? ସେ ନିଶ୍ଚୟ ବ୍ୟସ୍ତ ହେଉଥିବେ ଓ ମୋ କଥା ମନେ ପକାଇ କାନ୍ଦୁଥିବେ । ହେଲେ ମୁହଁ ଭୂରି ମାରି ଉପରେ ଟାଣ ପଣ ଭାରି ଗୋଟେ ଦେଖେଇ ହେଉଥିବେ, ସତେକି ମୋ ଚିନ୍ତା ତାଙ୍କର ଆଉ ମୋଟେ ନାହିଁ। ହେଲେ ସେ ତ ଜାଣିଛନ୍ତି – “ସେ ନ ରହିଲେ ମୁଁ ଉପବାସ ଶୋଇ ଯାଉଥିବି ପଛେ ରାନ୍ଧିବି ନାହିଁ “। ଏହି ରନ୍ଧାଟା ମୁଁ ଯେ ଜାଣି ନଥିଲି ତାହା ନୂହେଁ। ମେସରେ ଥିଲା ବେଳେ ପରା ପାଳି କରି ରୋଷେଇ କରି ଆମେ ଖାଉଥିଲୁ। ତେଣୁ ମୋତେ ସବୁ ଜଣା।
ହେଲେ ସୁଲୋଚନା ଏ ଘରକୁ ବୋହୁ ହୋଇ ଆସିବା ପରେ, ସେଗୁଡାକ ସବୁ ଭୁଲି ଗଲିଣି। ଆଉ କାହିଁ ମୋ ଦ୍ୱାରା କିଛି ହେଉ ନାହିଁ। ଭାତ ରାନ୍ଧିଲେ ଭାତ ପୋଡି ଯାଉଛି, ତରକାରୀ ବି ଲାଗିଯାଇ କଳା ଅଙ୍ଗାର ହୋଇଯାଉଛି। ଅଭ୍ୟାସଟା ବଡ଼ ଜିନିଷ। ମଣିଷ ଯେଉଁଥିରେ ଥରେ ଅଭ୍ୟସ୍ତ ହୋଇଯିବ ସେ ସେଇ ଧରାବନ୍ଧା ଗୁଳାରେ ପଡିଯିବ, ସେଥିରୁ ଅନ୍ୟଥା ହେଲେ ସବୁ ବ୍ୟତିକ୍ରମ ଦେଖାଯିବ। ପୁଣି ଅଭ୍ୟାସ ଛାଡି ଦେଲେ ଯେଉଁ କଥାକୁ ସେଇ କଥା। ତା ଛଡା ମଣିଷଟା ବଡ଼ ସୁବିଧାବାଦୀ ।ଥରେ ଜଣଙ୍କ ଉପରେ ନିର୍ଭର କରିଗଲା ପରେ ସେ ସବୁ କଥାରେ ତା ଉପରେ ଭରା ଦେଇଦିଏ। ସତେ କି ତା ବିନା ସେ ଆଉ ଚାଲି ପାରିବ ନାହିଁ କି ବଞ୍ଚି.. ।ତେଣୁ ଆଗକୁ ଆଗେଇ ଚାଲିବାକୁ ହେଲେ ତାକୁ ଏଇ ଠେକା ବା ଭରା ଖଣ୍ଡକର ସାହାରା ନିହାତି ଦରକାର-ଏମିତି କିଛି ଚିନ୍ତାଧାରା ବା ଭାବନା ତା ଭିତରେ ବିକଶିତ ହେବାକୁ ବୋଧହୁଏ ଲାଗେ । ମୋ ନିଜର ତ ସେଇ ଅବସ୍ଥା। ମୋତେ ସୁଲୋଚନାର ଭରା ଦରକାର। ତା ଉପରେ ଭରା ନଦେଇ ମୁଁ ବାଟ ଚାଲି ପାରୁ ନାହିଁ।
ଏହି ପରି ଭାବ ଓ ଭାବାନ୍ତର ଭିତରେ ରାତି ଆସିଲେ ମୁଁ ବିଛଣା ଧରି ଯାଏ। ନିଦ ଆସୁ କି ନଆସୁ ବିଛଣାରେ ପଡି ଛଟପଟ ହେବା ବ୍ୟତୀତ କ’ଣ ବା ଉପାୟ ଅଛି ମୋ ପାଖରେ ? ଦିନ ସାରା ତ ଅଫିସ ଖଟଣି, ନାହିଁ ନଥିବା କାମ। ପୁଣି ରାତି ପାହିଲେ ଘର ଗୋଟାକର କାମ। ଲୁଗା ଦୁଇ ଖଣ୍ଡ କିଟିକିଟିଆ ମଇଳା ଧରିଲାଣି, ସଫା ହୋଇ ପାରୁ ନାହିଁ। ଘରେ ବହଳେ ଧୂଳି, ଗୋଡ ରଖିବାକୁ ଜାଗା ନାହିଁ। ଅତିଥିଟିଏ ଆସିଲେ ଲାଜ ଲାଗୁଛି, ଭଲରେ ଟିକିଏ ବସେଇ ହେଉନାହିଁ। ପୁଣି ଖାଇବା ପିଇବାର ତ ଠିକଣା ନାହିଁ, ଖାଲି ସୁଲୋଚନା ଚିନ୍ତା। ସୁଲୋଚନା ଥିଲେ କିଛି ଚିନ୍ତା ନଥାଏ। ଘର କରଣା ମଣିଷଟେ। ଘରେ ଆସବାବ ପତ୍ରଠାରୁ ସବୁ ଜିନିଷ ସେ ସାଇତି ରଖେ। କିଛି ବି ଅଡୁଆ ନଥଏ, ସବୁ ସଜଡା ଓ ଝଡ଼ାଝଡ଼ି ହୋଇ ଠିକଣା ଜାଗାରେ ନିଇତି ରହେ। ସେ ପାଖରେ ଥିଲେ ମଣିଷ ଟିକେ ଶାନ୍ତିରେ ନିଶ୍ଵାସ ନିଏ। କ୍ଳାନ୍ତି କୁଆଡ଼େ ଆପଣା ଛାଏଁ ଅପମୋଦନ ହୋଇଯାଏ। କଷ୍ଟ ଆଦୌ ଜଣାପଡେ ନାହିଁ। ମଣିଷ ଶାନ୍ତିରେ ଶୋଇଯାଏ ।

ଭାଗ 4

ଭୂତୁଣୀ ସାହିତ୍ୟିକା.. ଭାଗ 4
By ସତ୍ୟ ପ୍ରକାଶ ସେଠୀ —((((———(((((((—(((((—-
ଏମିତି ବେଶ୍ କିଛି ଦିନ ବିତିଗଲା। ସବୁଦିନେ ମୋର ସେହି ଏକା ପ୍ରକାର ଯାଏ। ଭାଗ୍ୟକୁ ଆଦରି ସବୁକଥାକୁ ପିଠେଇ ନିଏ। ମନଟାକୁ କିନ୍ତୁ ଆୟତ୍ତ କରି ପାରେ ନାହିଁ, ସେ ସେମିତି ଅମନ ହୋଇ ରହେ। ସକାଳୁ ଏଯାଏଁ ଟି. ଭି. ଚ୍ୟାନେଲବାଲା ଦୁଇ ତିନି ଥର ଫୋନ୍ କଲେଣି। ମନ ଭଲ ନଥିବାରୁ ମୁଁ avoid କରୁଥାଏ ।ରିଂଗଟା ହୋଇ ହୋଇ କଟି ଯାଉଥାଏ। ତେଣୁ ଅଫିସରୁ ଘରେ ପହଁଞ୍ଚିବା ପୂର୍ବରୁ ଟି ଭି. ଚ୍ୟାନେଲବାଲା ଆସି ଘରଠିଁ ହାଜର। କହିଲେ – “ମୁବାରକ, ଗାଳ୍ପିକ ମହାଶୟ! ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲି। କହିଲେ -” ପ୍ରଥମ ସଫଳତାର ଏହି ଉପହାରଟିକୁ ରଖନ୍ତୁ”। କିଛି ଟଙ୍କା ବୋଧେ ଏନଭଲପ ଭିତରେ ରଖି ମୋ ଆଡକୁ ବଢାଇ ଦେଲେ। କହିଲେ – “ପ୍ରଥମ episodeଟିର ସୁଟିଂ କାର୍ଯ୍ୟ ସରି ଏଡିଟିଂ ପରେ ଗତକାଲି ପ୍ରସାରିତ ହୋଇଥିଲା।ଅସମ୍ଭବ ଟି. ଆର୍. ପି. ବଢିଛି ।ଦର୍ଶକ +ମାନଙ୍କ ଭିତରେ ନାହିଁ ନଥିବା ଆଗ୍ରହ। ‘next ଜଲଦି please’ ବୋଲି କେତେ ଅନୁରୋଧ ଆସିଛି ଅନୁଷ୍କାର ମର୍ଡର ମିଷ୍ଟ୍ରି ଓ କାହାଣୀର ପ୍ରଥମ ଭାଗକୁ ନେଇ ଦର୍ଶକମାନଙ୍କ ଭିତରେ ବେଶ୍ ଉତ୍କଣ୍ଠା ଓ ଉତ୍ସାହ। ଏହି ସିରିଏଲଟା ଯୋଗୁଁ ଆମ ଚ୍ୟାନେଲର ‘ଚାର ଚାନ୍ଦ’ ଲାଗିଯିବା ସମ୍ଭାବନା ସ୍ରୁଷ୍ଟି ହୋଇଛି। ପ୍ଲିଜ୍, ଆପଣ ଷ୍ଟୋରୀକୁ ନେଇ ଆଗାନ୍ତୁ। ଏବେ କ’ଣ ଷ୍ଟୋରୀକୁ ନେଇ ଲେଖିଛନ୍ତି ବା ଭାବିଛନ୍ତି, ଆମକୁ ଟିକେ କୁହନ୍ତୁ! ”
ମୁଁ କହିଲି – “ଦେଖନ୍ତୁ! ମୁଁ ଏପର୍ଯ୍ୟନ୍ତ ହରର ଷ୍ଟୋରୀ ଲେଖିବା ଆରମ୍ଭ କରି ନାହିଁ। ଏବେ ଅନୁଷ୍କାକୁ ନେଇ ଆମ ଜୀବନରେ ଝଡ଼ ଉଠିଛି। ମୋ ସଂସାର ଉଚ୍ଛନ୍ନ ହୋଇ ଯାଇଛି। ସୁଲୋଚନା ରାଗିରୁଗା କି ବାପ ଘରକୁ ଚାଲି ଯାଇଥିବାରୁ ମୁଁ ଏବେ ଲେଖିବାର ମାନସିକତା ହରାଇ ବସିଛି। ମୋତେ କିଛି ଦିନ ଆଉ ସମୟ ଦିଆ ଯାଉ। ମୁଁ ଟିକେ ପ୍ରକୃତିସ୍ଥ ହେଲା ପରେ ଧିରସ୍ଥିର ହୋଇ ଭାବି ଚିନ୍ତି ଲେଖିବି। ପ୍ରଥମ episode ଟା ଯାହା ଆପଣ ପ୍ରସାରଣ କରିଛନ୍ତି ସେଟା ତ କାହାଣୀ ନ ଥିଲା, ପରନ୍ତୁ ଅନୁଷ୍କା ଓ ସୁଲୋଚନାକୁ ନେଇ ଯାହା ସବୁ ଘଟିଥିଲା, ତାହା ମୁଁ ମୋର ପୁରୁଣା ଅଭ୍ୟାସ ଅନୁସାରେ ଡାଇରୀରେ ଟିପି ଦେଇଥିଲି। ସେଇଟିକୁ ଆପଣମାନେ ବ୍ୟସ୍ତ କଲାରୁ ବଢାଇ ଦେଇଥିଲି”। ସେମାନେ କହିଲେ-” ଅତି ଉତ୍ତମ। ଆରେ! ହରର ଷ୍ଟୋରୀ ଥାଇପାରେ, ହେଲେ ଏଭଳି ବାସ୍ତବ ଘଟଣାକୁ ନେଇ ଷ୍ଟୋରୀ ମିଳିବା କଷ୍ଟ ବା କେହି କେବେ ଲେଖି ନଥିବେ । ସେଇଥିପାଇଁ ତ ଷ୍ଟୋରୀଟା ବେଶ୍ ଆତ୍ମିକ ଓ ମାର୍ମିକ ହୋଇ ପାରିଛି। ଆମେ ଆଉ ଟିକିଏ ଡରାନକ କରି ଗଢି ଦେଇଛୁ। ଆପଣ ଭାବି ପାରିବେ ନାହିଁ, ତାହା କେତେ ସୁନ୍ଦର ଓ ଦର୍ଶକମାନଙ୍କ ପାଇଁ ଆକର୍ଷଣୀୟ ହୋଇ ପାରିଛି। ତେଣୁ ଆଉ ପଛକୁ ଫେରି ଚାହିଁଲେ ହେବ ନାହିଁ, ନହେଲେ ଅଧାରୁ ବନ୍ଦ ହୋଇଗଲେ ଆମ ଚ୍ୟାନେଲ୍ ଅଯଥା ବଦାନମ ହେବ। please look forward. “ମୁଁ କହିଲି -” ମୁଁ ତ ଆଉ କିଛି ଲେଖି ନାହିଁ, କାରଣ ଏ ଟେନସନ୍ ଭିତରେ ମୋ ଜୀବନ ହଜି ଯାଇଛି। ସବୁକିଛି ଅଳିକ ଓ ଅସାର ମନେ ହେଉଛି। ଏହି ବାସ୍ତବତାକୁ ଆଙ୍କୁ ଆଙ୍କୁ ପୂର୍ବବତ୍ ତାହା ମଧ୍ୟ ଡାଇରୀରେ ଉତ୍ତାରି ଦେଇଛି। ଯାହା ସୁଲୋଚନାକୁ ନେଇ କେବଳ ମୋ ମନର ଭାବାନ୍ତର। ଏଇଟିକୁ ମୋ ହାତରୁ ନେଇ ପଢି ନିର୍ଦ୍ଦେଶକ ମହାଶୟ ଅତ୍ୟନ୍ତ ଖୁସି ଜାହିର୍ କଲେ। କହିଲେ – “ଆପଣଙ୍କ ଡାଇରୀ ହେଉଛି ବେଦ। କାରଣ ଆମେ ଜାଣିଛୁ ଯେ, ଆପଣ! ଯେତେବେଳେ ଯାହା ଘଟଣା ଘଟେ ବା ଯେଉଁ ଭାବନା ଆପଣଙ୍କ ମୁଣ୍ଡଙ୍କୁ ଜୁଟେ ତାହା ଆପଣ ସବୁ ସେ ଡାଇରୀରେ ଟିପି ବସନ୍ତି, ଯାହା ପରେ ସୁନ୍ଦର କାହାଣୀର ରୂପ ପରିଗ୍ରହ କରେ। ତେଣୁ ଡାଇରୀଟା ପ୍ଲିଜ୍!” ମୁଁ ଇସାରା କରିବାରୁ ଟେବୁଲ୍ ଉପରୁ ଉଠାଇ ନେଇ ପଢିଲେ। କହିଲେ – “ଅତି ଚମତ୍କାର ହୋଇଛି। ଅନୁଷ୍କା ଦେବୀଙ୍କ ସହିତ ଆପଣ ଆଉ ସୁଲୋଚନା ଦେବୀ ଚରିତ୍ର ଭାବେ ଯୋଡ଼ି ହୋଇ ଯାଇଥିବାରୁ ଖୁବ୍ ଗତିଶୀଳ ଓ ଚମତ୍କାରିତା ସ୍ରୁଷ୍ଟି ହୋଇପାରିଛି, ଏହା ଦର୍ଶକମାନଙ୍କୁ ଭଲ ନିଶ୍ଚୟ ଲାଗିବ । ତେଣୁ ଏଇଟିକୁ ଆମେ ଦ୍ବିତୀୟ Episode କରିବୁ, ଦୟାକରି ମନାକରନ୍ତୁ ନାହିଁ। ତେଣିକି କାହାଣୀକୁ କେମିତି ଆଗକୁ ନେବେ, ଆପଣଙ୍କ କାମ”। ମୋତେ ଧନ୍ୟବାଦ ଦେଇ ଚାଲି ଯାଇଥିଲେ। ମୋ ମୁଣ୍ଡଟାକୁ ଏମାନେ କିନ୍ତୁ ଅଧିକ ଭାରକ୍ରାନ୍ତ କରିଦେଇ ଗଲେ।
ଏପଟେ ପତ୍ନୀ ଫେରି ନାହାଁନ୍ତି, ପୁଣି ଅନୁଷ୍କା ଦେବୀଙ୍କର ଦେଖା ନାହିଁ। ମୁଁ ତ ସ୍ମରଣ ନକଲେ ଅନୁଷ୍କା ଦେବୀ କେବେ ଆସନ୍ତି ନାହିଁ ଆମର ପୂର୍ବ ଚୁକ୍ତି ମୁତାବକ । ହେଲେ ଯେବେ ଆହ୍ଵାନ କରିବି ସେ ନିଶ୍ଚୟ ଆସି ହାଜର ହେବେ। ତେବେ ଆଜି ବି ଇଚ୍ଛା ନାହିଁ ତାଙ୍କୁ ଡାକିବା ପାଇଁ। କାରଣ ମନର ପ୍ରସନ୍ନତା ସବୁଠାରୁ ବଡ଼ ଜିନିଷ, ସେଇଟା ପରା ନଥିଲେ ସବୁ ବିଷପିତା। ଏବେ ତ କେବଳ ସୁଲୋଚନାର ଅନୁପସ୍ଥିତି ମୋତେ ବ୍ୟଥିତ କରୁଛି।
ଏଇ ସୁଲୋଚନା କେତେ ଭଲ। ମୁଁ ପହିଲି ଥର ତାଙ୍କୁ ଦେଖିବାକୁ ଯାଇଥିଲି ପଚିଶ ବର୍ଷ ତଳେ। ସେଇଦିନ ତ ସେ ମୋତେ ଖୁବ୍ ଭଲ ଲାଗିଥିଲେ। ଆଉ ମୁହଁଟା ବି ସୁନେଲି ମଣୋହି ପରି ବେଶ୍ ଚିକ୍ଚିକ୍ ଦିଶୁଥିଲା। ତେଣୁ ମୁଁ ପ୍ରସ୍ତାବରେ ହଁ ମାରିଥିଲି। ବିବାହ ହୋଇ ଆମ ଘରକୁ ଆସିବା ପରେ ସେ ମୋତେ ଗୋଟେ ଦିନ ବି ଦୁଃଖୀ ଦେଖିବାକୁ ଚାହିଁ ନାହାଁନ୍ତି। ସବୁବେଳେ ମନରେ ସରାଗ ଭରି କଥା କହନ୍ତି। ମୋ ମନ ଜାଣି ହସନ୍ତି, ଗାଆନ୍ତି, ନାଚନ୍ତି – ସବୁ କରନ୍ତି। ହେଲେ ମୋତେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ କାହିଁ କେତେବେଳ ସୁଯୋଗ ତ ଦେଇ ନାହାଁନ୍ତି।
ଆମ ଗାଁ ନିପଟ ମଫସଲରେ। ରାସ୍ତାଘାଟ ଭାରି କର୍ଦ୍ଦମାକ୍ତ। ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ଯାଏ। ରାସ୍ତା ଉପରେ ପାଣି ଲହଡ଼ି ଖେଳେ। ଚାରିଆଡ଼େ ସନ୍ତସନ୍ତିଆ, ଭାରି ଅପରିଷ୍କାର ଯାଗା । ପାଣିରେ ଲତପତ ହୋଇଯିବା ଭୟ ଥିବାରୁ ଘରୁ ବାହାରି ହୁଏ ନାହିଁ। ସେଇ ଘର ଭିତରଟାରେ ସୁଲୋଚନା ଯାହା କାମରେ ବ୍ୟସ୍ତ ଥାଆନ୍ତି। ସେ ତ ଜଣେ ଆଧୁନିକା ଓ ସହରୀ ଶିକ୍ଷା ସୁବିଧାରେ ବଢ଼ିଥିବା ମଣିଷଟେ। ତେଣୁ ଏଠାକାର ଗ୍ରାମ୍ୟ ପରିବେଶରେ ସେ ଏକଦମ୍ ଅଣନିଶ୍ଵାସୀ ହୋଇଯାଆନ୍ତି।
ପନ୍ଦର ଦିନ ମାସେ ନଯାଉଣୁ ବାପ ଘରକୁ ଯିବାକୁ ଉଚ୍ଛନ୍ନ ହୁଅନ୍ତି। ମୁଁ ବି ମନା କରି ପାରେ ନାହିଁ। କାରଣ ମାନସିକ ପରିବର୍ତ୍ତନ ମଣିଷ ପାଇଁ ବି ନିହାତି ଦରକାର। ବେଳେବେଳେ ମନା କରିଦେଲେ, ସେ ମାଡ଼ି ମକଚି ହୋଇ ରହିଯାଆନ୍ତି। ସବୁ କଥାକୁ ଦେହ ପାତି ସହି ନିଅନ୍ତି। ପ୍ରତିବାଦ କରିବାକୁ ଇଚ୍ଛା ଥିଲେ ବି ସ୍ଵାମୀ ସୁହାଗକୁ ପାଥେୟ କରି ସେ କିଛି କହି ପାରନ୍ତି ନାହିଁ। କିନ୍ତୁ ପରିବେଶ ଓ ଅବାହାୱାର ପରିବର୍ତ୍ତନ ମଣିଷ ପାଇଁ ଏକାନ୍ତ ଜରୁରୀ ମନେ ହୁଏ । ତେଣୁ ମୁଁ କେତେବେଳେ କେମିତି କୁଆଡ଼େ ବୁଲେଇ ନେଲେ, ସେ ପୁଣି ନବ ଉନ୍ମାଦନାରେ କାମରେ ମାତିଯାନ୍ତି। ଘର କାମ ଓ ସେବା ଶୁଶ୍ରୁଶା ପାଇଁ ତାଙ୍କର ବିରୋଧ ନାହିଁ, ଯାହା ଗ୍ରାମ୍ୟ ପ୍ରତିକୂଳ ପରିବେଶଟା ମନ ଉପରେ ଟିକିଏ ନକାରାତ୍ମକ ପ୍ରଭାବଟା ତୋଳେ । ଏଇମିତି ତ ବିବାହ ପରେ ବେଶ୍ କିଛିଦିନ ଶାନ୍ତିରେ କଟି ଯାଇଥିଲା। ପୁଣି ଆମେ ପିଲା ଛୁଆଙ୍କର ଜନକ ଜନକୀ ହେଲୁ। ଧିରେ ଧିରେ ସେମାନେ ଦୁନିଆର ଆଲୋକ ଦେଖିଲେ, ହାତ ଗୋଡ଼ ଛାଟି ଖେଳିବାକୁ ଲାଗିଲେ। ସନ୍ତାନ ସୁଖ ଦେଖି ମନ ସ୍ୱତଃ ଉଚ୍ଚାଟିତ ହୋଇ ଯାଉଥାଏ। ସୁଲୋଚନା ବି ପିଲାଙ୍କ ହସ, ଦରୋଟି ଚାହାଣୀ, ଖଣ୍ଡି ଖଣ୍ଡି କଥାରେ ବିଭୋର ହୋଇ ଯାଇ ଦୁଃଖ ସୁଖ ସବୁ ଭୁଲିବାକୁ ଲାଗୁଥିଲେ। ଏଣିକି ବାପ ଘରୁ ମନଟା ହଟି ଆମ ଘରେ ସମ୍ପୂର୍ଣ୍ଣ ଲାଖି ଯାଇଥିଲା। ପୁଣି ପାଠ ପଢା ବୟସ ହେବାରୁ ଉତ୍ତମ ଶିକ୍ଷା ଓ ସହରୀ ସୁବିଧା ସୁଯୋଗକୁ ଆପଣେଇବା ପାଇଁ ସହର ଚାଲି ଆସିଲୁ। ସେଇଠି ରହି ପିଲା ଦୁଇଟିକୁ ଗଢିବାର ମହତ୍ତ୍ୱ କାମରେ ଲାଗି ପଡ଼ିଲୁ। ବେଶ୍ ସୁନ୍ଦର ଥିଲା ଆମର ପରିବାର। ଏବେ ତ ଉଚ୍ଚ ଶିକ୍ଷା ପାଇଁ ପିଲାମାନେ ଆହୁରି ବଡ ସହରରେ, ତେଣୁ ଦୁରିଆ ଟିକେ ବଢି ଯାଇଛି। ତେବେ ସୁଲୋଚନା ଓ ମୁଁ ଆମର ସମ୍ପର୍କ ବେଶ୍ ଆତ୍ମିକ ଓ ତହୁଁ ନିବିଡ଼। କିନ୍ତୁ ଅଚାନକ଼ ଅନୁଷ୍କାକୁ ନେଇ ଏ ଯେଉଁ କାଣ୍ଡ ଘଟିଗଲା, ତାକୁ ନେଇ ବ୍ୟଥିତ ହେବା ସ୍ୱାଭାବିକ।

ସୁଲୋଚନା ଯିବାର ପ୍ରଥମ କେଇଟା ଦିନ ଗୋଟେ ପ୍ରକାର ଗଲା। ଏଣିକି ମୁଁ ଟିକେ ମୋ ନିଜ କାମରେ ନିଜେ ଅଭ୍ୟସ୍ତ ହୋଇଗଲିଣି। କଥାରେ ନାହିଁ ନା! “ପିଠିରେ ପଡ଼ିଲେ ମଥାରେ ବୁହେ “, ନିଜ ଉପରେ ଦାୟିତ୍ଵର ଚାପଟା ପଡ଼ିଲେ ମଣିଷ ବାଧ୍ୟ ହୁଏ ମୁଣ୍ଡରେ ମୁଣ୍ଡାଇବାକୁ। ତେଣୁ ସବୁ କଥା ନିଜେ କରିବାକୁ ଚେଷ୍ଟା କରୁଥାଏ, ଯଦିଓ ସବୁ କଥା ସିଧା ହେଉ ନଥଏ।ତେବେ ଦିନେଦିନେ ଦେଖୁଛି, ରାତିରେ ପଡିଥିବା ବାସନ ସବୁ ସଫା ହୋଇ ରହୁଛି। ଅଫିସ ଯିବା ପୂର୍ବରୁ ବି ବେଳେବେଳେ ଡ୍ରେସ୍ ଟା ଆଇରନ୍ ହୋଇ ରହୁଛି କେବେକେବେ ବିଞ୍ଚଣାଟା ଝାଡ଼ିଝୁଡ଼ି ହୋଇ ରହିଥିବ ଓ ଘରଟା ବି ସଫା। ତେବେ କ’ଣ ସୁଲୋଚନା ମୋତେ ନଜଣାଇ ମଝିରେ ମଝିରେ ଆସି ଏ ସବୁ କାମ କରି ଦେଇ ଯାଉଛି? ନା ତାହା ବି କାହିଁ ସମ୍ଭବ ଜଣା ଯାଉ ନାହିଁ। ତେବେ ମୋର ମତିଭ୍ରମ ଘଟୁ ନାହିଁ ତ? ମୁଁ ତ ମୋ ଭାବନା ରାଇଜରେ ସବୁ ବେଳେ ଉଡି ବୁଲିଲି, ସାହିତ୍ୟକୁ ନେଇ ଚିନ୍ତା ଓ ଅନୁଚିନ୍ତା ଭିତରେ ମସ୍ତିଷ୍କ ବିଭ୍ରମ ହେବା ସ୍ୱାଭାବିକ। ଏତେବେଳେ କେତେବେଳେ କେଉଁଠି ଘଟିଲା ମୁଁ ଠିକ୍ ସେ କହିପାରେ ନାହିଁ। ତେବେ ମୁଁ କ’ଣ ମୋ ଅଲକ୍ଷ୍ୟରେ ସେସବୁ କାମ ନିଜେ କରି ତା ପର ମୁହୂର୍ତ୍ତରେ ଭୁଲି ଯାଇଛି ନା କ’ଣ? କାହିଁ ମୋର ତ ଏତେଟା ଭୁଲାପଣ ନାହିଁ? ତେବେ କିଏ… ଓ.. କେମିତି.. – ଏ କଥାଟା ଟିକେ ରହସ୍ୟ ପରି ଲାଗୁଛି। ଛାଡ଼ ଏ ସବୁ କଥା ଅଯଥା କଥାରେ ବେଶୀ ଭାବି ସମୟ ନଷ୍ଟ କରିବା ଅନୁଚିତ୍। ଯେମିତି ଯାହା ହେଉ ମଣିଷ ତ ଚଳି ଯାଉଛି। ହେଲେ ଚୁପ୍ ଚାପ୍ ବସି ପଡ଼ିଲେ ସୁଲୋଚନାର ଚିନ୍ତା ହିଁ ଘାରୁଛି।

ଭାଗ – 5

ଆମର ଏ ଅବସ୍ଥା ପାଇଁ ମୁଁ ମନେମନେ ଅନୁଷ୍କାକୁ ଦାୟୀ କରୁଥାଏ। ମୋତେ ଲାଗୁଥାଏ ଆମ ଭିତରେ ଦରାର ପୈଦା (ଅସନ୍ତୋଷ ସ୍ରୁଷ୍ଟି) ଯେମିତି ଅନୁଷ୍କା ହିଁ କଳ କୌଶଳ କରି କରିଆସୁଛି, ସେ ଯେଉଁଦିନ ଠାରୁ ମୋ ଜୀବନ ପରିଧି ଭିତରକୁ ଆସିଲାଣି। ମୁଁ କେତେବାର ଦେଖିଲିଣି ସେ ସବୁ କଥାରେ ଧସେଇ ପଶି ଆସି ଭାରି ଗୋଟେ କଜଳ ପାତିଆ ଭଦ୍ରଲୋକୀ ଦେଖେଇ ହେଉଛି। ସେଥିପାଇଁ ତ ତାକୁ ଆଉ ଆଦୌ ମୁଁ ସ୍ମରଣ କରୁନାହିଁ। ଆମର ସୁଖର ସଂସାରରେ ଆଜି ଯଦି ଭଟ୍ଟା ପଡ଼ିଥାଏ, ତେବେ କେବଳ ତାରି ପାଇଁ।
ଅନୁଷ୍କା ପାଖରେ ରହି ସବୁ ଶୁଣିଥାଏ ବୋଧେ। ତା’ର ମୋ ଉପରେ ଭାରି ନଜର।
ମୁଁ କେଉଁଠି କ’ ଣ କରେ ସେ ପରା ସବୁ ଜାଣି ପାରେ। ତା’ର ଭାରି ଅନିଚ୍ଛା। ଏଇଟା ପିତାଶୁଣୀଟେ। ଡାକରା ଅଡାକରା ନାହିଁ, ଯେତେବେଳେ ସେତେବେଳେ ଆସି ସବୁବେଳେ ହାଜର। ମୋ ହାନିଲାଭ ଚିନ୍ତା ତାକୁ କାହିଁକି ଏତେ ଘାରୁଛି କେଜାଣି? କିଛି ଗୋଟେ କରି ବସୁଥିଲେ, ସେ କାନ୍ଥ ବାଡ଼ରେ ଚିପ୍କି ରହି ସବୁ ଶୁଣୁଥାଏ। ଯେମିତି ମୋର ବ୍ୟକ୍ତିଗତ ସ୍ଵାଧୀନତା ବୋଲି କିଛି ନାହିଁ। ଇଏ କେମିତିକା କଥା, ଭୂତୁଣୀ ହେଲୁ ବୋଲି ମୋର ଗୁପ୍ତ କଥା ସବୁ ଦେଖିବୁ ନା କ’ଣ? କେତେ ୟାକୁ ଲୁଚି କି ରହିବି, କହିଲେ! ଟିକିଏ ସୁଲୋଚନା ସହ ହସଖୁସି ହେଲା ବେଳକୁ, କେଉଁଠି ଥିବ କେଜାଣି ଆସି ଅନତି ଦୂରରେ ମୁହଁ ବୁଲାଇ ଛିଡା ହୋଇ ମୁଚୁକୁନ୍ଦିଆ ହସ ହସୁଥିବ। ରାଗରେ ମୋ ଦେହ ଯାହା ଜଳେ ନା! ଖାଲି ଭୂତୁଣୀ ବୋଲି କିଛି କହି ପାରେ ନାହିଁ, ନହେଲେ ଠୋ ଠା ଦିଟା ଚାପୁଡ଼ା କଷି ଦିଅନ୍ତି। ଏଟାର କାମଧନ୍ଦା କିଛି ନାହିଁ ଭାରି ବେହିସାବୀ ଓ ବେଅକଲବାଲୀ। କାହାରି ରସଭଙ୍ଗ କରିବା ଗୋଟେ ବୁଦ୍ଧିମାନର କାମ କି ହେ! ଏଟାର ଧାଡ଼ିସେଢି କିଛି ନାହିଁ। ମୁଁ ଆହୁରି ଆଖି ଦେଖେଇ ତାଗିଦ୍ କଲେ ସେ ଆହୁରି ଦାନ୍ତ ବୋଝେ ବାହାରକୁ କାଢି ଦେଇ ଜିଭଟାକୁ ଅଧା କାମୁଡି ଧରି ହାତ ଦୁଇଟାକୁ ଗାଲ ଉପରେ ଥୋଇ ନିକୁଟେଇ ହସୁଥିବ। ତେଣୁ ମୋ ଧ୍ୟାନଟା ଭାଙ୍ଗି ଯାଏ, ଜୀବନର ମଜାଟା କମି ଯାଏ।
ଏଇଟା ସହ ସମ୍ପର୍କ ହେଲା ଦିନଠୁଁ ସାହିତ୍ୟରେ ସିନା ମୋର ଉତ୍କର୍ଷତା ସାଧିତ ହୋଇଛି, ହେଲେ ମୋ ବ୍ୟକ୍ତି ସ୍ୱାଧୀନତା ଟିକକ ବିନଷ୍ଟ ହୋଇଛି। ଖାଲି ଛାଇ ପରି ସେ ମୋ ସାଙ୍ଗରେ ଲାଗି ରହିଛି। କେତେବାର ନାହିଁ କରିଦେଲିଣି, ତଥାପି ମନା ମାନି ସେ ରୋକି ଯାଏ ନାହିଁ, ଭାରି ଜିଦିଆଣି।
ତେଣୁ ଦିନେ ଭୀଷଣ ତା ଉପରେ ରାଗ ହୋଇ କହିଲି – “ସେମିତି ହେଲେ ମୋର ଆଉ ସାହିତ୍ୟ ଫାଇତ ଦରକାର ନାହିଁ, ତୁମେ ଆଉ ମୋ ପାଖକୁ ଆସିବା ଦରକାର ନାହିଁ” । ସେଦିନ ସେ କୁଁ କୁଁ ହୋଇ ବହୁତ ଧକେଇ କାନ୍ଦିଥିଲା ସାଧାରଣ ମଣିଷ ପରି, ଆଉ ଟିକେ ଡରି ବି ଯାଇଥିଲା । କହିଲା – “ତେବେ ମୋ ସାହିତ୍ୟ, କ’ଣ ହେବ, ମୋ ସାହିତ୍ୟର ଭବିଷ୍ୟତ ଯାହା ପ୍ରକାଶ୍ଯର ଆଲୋକ ଦେଖିବା ପାଇଁ ଚାତକ ପରି ବହୁ କାଳରୁ ଅପେକ୍ଷା କରି ରହିଛି? ମୁଁ କହିଲି – “ମାର ହୋ! ତୁମ ସାହିତ୍ୟ, ମଣିଷକୁ ଆଗ ଟିକେ ଶାନ୍ତିରେ ବଞ୍ଚିବାକୁ ଦିଅ, ନିଜେ ବଞ୍ଚିଲେ ସିନା ବାପର ନାଁ ତେଣିକି ଯାହା। ଏଥର ସେ ଅଭିମାନ କରି ମୁହଁ ଫଟାଇଲା। କୋହ ଭରା କଣ୍ଠରେ ଉଠି ଚାଲି ଯାଉଥିଲା। ପଛ ପଟରୁ ମୁଁ ଅଧୈର୍ଯ୍ୟ ହୋଇ ଡାକିଲି -” ଏ ଅନୁଷ୍କା ଶୁଣ! ମୁଁ ତୁମ ସ୍ଵପ୍ନ ଭାଙ୍ଗି ପାରିବି ନାହିଁ, ଦେଇଥିବା କଥା ରଖିବି। ହେଲେ ଆମ ଭିତରେ ଗୋଟେ ସମଝୌତା( ବୁଝାବଣା) ହେବା ଦରକାର।କହିଲା-” ମୁଁ ସବୁଥିରେ ରାଜି, ହେଲେ ମୋ ସାହିତ୍ୟ ପାଠକ ପାଖରେ ନ ପହଞ୍ଚିଲା ଯାଏଁ ମୋ ଆତ୍ମ ଶାନ୍ତି ପାଇବ ନାହିଁ। ମୁଁ ଏମିତି ଅଶାନ୍ତ ହୋଇ ଘୂରି ବୁଲିବି। ମୋର ପୁନର୍ଜନ୍ମ ହେବ ନାହିଁ। ମୋ ସ୍ଵପ୍ନ ସାକାର ନହେଲେ ମୁଁ ପ୍ରତିଶୋଧ ପରାୟାଣା ହୋଇ ହୁଏତ ସମାଜରେ ପ୍ରଭୁତ୍ଵ କ୍ଷତି ସାଧନ କରିପାରେ। ଏଥିରୁ ନିବୃତ୍ତ ରହିବାକୁ ହେଲେ ମୋ ସ୍ଵପ୍ନ ଫଳବତୀ ହେବ ଦରକାର।
ଏ କଥା କ’ଣ ତୁମେ ଚାହଁ ନାହିଁ”? ତାକୁ ଡରାଇବାକୁ ଯାଇ ଏଥର ମୁଁ ବି ଡରିବାକୁ ଲାଗିଲି। ଦୟା ଓ ଅନୁକମ୍ପାରେ ହୃଦୟ ବି ସାମନ୍ୟ ଦ୍ରବୀଭୂତ ହେବାକୁ ଲାଗୁଥାଏ । ତେବେ ମୁଁ କହିଲି ଗୋଟେ ସମଝୌତା ଦରକାର। ତୁମେ ରାଜି ତ? ସେ କହିଲା – “ମୁଁ ସବୁଥିରେ ରାଜି। ତୁମେ ଯେ ଏତେ କରୁଛ, ମୋ ସାହିତ୍ୟକୁ ପ୍ରକାଶ୍ୟର ଆଲୋକ ଦେଖାଉଛ, ତେଣୁ ମୁଁ ରାଜି “। ମୁଁ କହିଲି -” ତେବେ ଶୁଣ!” ମୁଁ କହିଲି ମୁଁ ତୁମ ଉପସ୍ଥିତି କାମନା ନକଲା ଯାଏଁ ତୁମେ ଆସିବ ନାହିଁ ବା ମୋତେ ଦୃଶ୍ୟ ହେବ ନାହିଁ। ସେ କହିଲା – “ମୁଁ ରାଜି, ହଁ ହଁ ମୁଁ ତୁମ ପ୍ରସ୍ତାବରେ ଏକଦମ୍ ରାଜି” । ସେଦିନୁ ମଣିଷ ଟିକେ ଶାନ୍ତି ପାଇଲା। ଆଉ ବେଳା ଅବେଳାରେ ସେ ତା ଉପସ୍ଥିତି ଜାହିର୍ କରେ ନାହିଁ କି ମୁଁ ଆଉ ଏତେ ଚିନ୍ତିତ ରହେ ନାହିଁ। ଯେତେବେଳେ ମୁଁ କେବଳ ଟିକିଏ ନିରୋଳା ପାଏ ବା ମୋତେ ସାହିତ୍ୟ ସାଧନା ପାଇଁ ଫୁରସତ୍ ମିଳେ, ସେତେବେଳେ ମୁଁ ତାକୁ ଡାକେ, ସେ ମୋ ପାଖରେ ବସେ। ଆମେ ଦୁହେଁ କଥାବାର୍ତ୍ତା ହେଉ। ସେ ଡାକି ଚାଲେ, ମୁଁ ଲେଖି ଚାଲେ ।କିନ୍ତୁ ଯେତେବେଳେ କିଛି ରୋମାଞ୍ଚିତ ବିଷୟ ଲେଖିବାକୁ ଥାଏ, ସେ କହିଲା ବେଳେ ଯେମିତି ସଙ୍କୋଚ ଅନୁଭବ କରନ୍ତି ମୁଁ ଲେଖିବା ବେଳେ ମଧ୍ୟ ସେମିତି ଲୁଚକୁଚ ହୁଏ। ମୋ ଭିତରେ ଏକ ଅଜଣା ଭୟ ସ୍ରୁଷ୍ଟି ହୋଇ ଚିତ୍ତଲୋକରେ ଚିତ୍ତ ଚାଞ୍ଚଲ୍ଯ ସ୍ରୁଷ୍ଟି ହୁଏ। ମୋତେ ଲାଗେ ମୁଁ ଯେମିତି ଧିରେ ଧିରେ ସେଇ ଭୂତୁଣୀ ପ୍ରତି ଆକର୍ଷିତ ହୋଇ ଯାଉଛି ବା ସେ ମୋତେ ତା ଆଡକୁ ଆକୃଷ୍ଠ କରି ପକାଉଛି। ହେଲେ ପରକ୍ଷଣରେ ମୁଁ ବାସ୍ତବତା ବୁଝେ। – ଇଏ ତ ଆଉ ମଣିଷ ନୁହଁ ନା, ଯାହା ହେଲେ ବି ଭୂତ। ସେ ସବୁ ଅବାନ୍ତର କଥା ଭାବି ଲାଭ ନାହିଁ। ମୁଁ ତେଣୁ ପ୍ରକୃତିସ୍ଥ ହୋଇ ଯାଏ। ଏଇଭଳି ଥରେ ନୂହେଁ ଅନେକ ବାର ହୋଇଛି। ତେବେ ଏଇଟା ସତରେ ଭୂତୁଣୀ ନା ମୋ ସ୍ତ୍ରୀର ସଉତୁଣୀ ବା?
ବେଳେବେଳେ ତ ଆମ ଭିତରେ ଦରାର( ଅସନ୍ତୋଷ) ସ୍ରୁଷ୍ଟି କରିବାରେ ସେ ହିଁ ମୂଳ କାରଣ ହୋଇଥାଏ। ତା ଉତ୍ପତ୍ତି ସ୍ଥଳୁ ଆମ ସମ୍ପର୍କରେ ବ୍ୟବଧାନ। ତେବେ ସେ କ’ଣ ଜାଣିଜାଣି ଆମ ସମ୍ପର୍କକୁ ଖରାପ କରୁଛି କି? କେଜାଣି ହୋଇଥିବ, କହି ହେବ ନାହିଁ। ଏଇ ଭୂତୁଣୀ ମାନଙ୍କର ବି ଅପ୍ରାପ୍ତ ଯୌନ ଲାଳସା ଓ ସମ୍ଭୋଗର ବାସ୍ନା ବି କମ୍ ନଥାଏ। ଏ କଥା ପରା ମୁଁ କେତେ ଲୋକଙ୍କଠୁଁ ଶୁଣିଛି। ସେମାନେ ବି କୁଆଡ଼େ ପ୍ରେମ କରନ୍ତି ଓ ଯାହାକୁ ଭଲ ପାଇ ବସନ୍ତି, ଛାୟା ପରି ତା ସହିତ ଲାଗି ରହନ୍ତି ଓ ବେଳ ପଡ଼ିଲେ ତାକୁ ମାରି ଦିଅନ୍ତି । ସେ ବି ଅଶରିରୀ ଆତ୍ମା ହୋଇଗଲା ପରେ ଭୂତ ଲୋକରେ ଏମାନଙ୍କର ବିବାହ ସମ୍ପନ୍ନ ହୁଏ। ସେଇଠି ଏମାନେ କିଛି କାଳ ସଂସାର ଲୀଳା ବେଶ୍ ପରିବ୍ୟାପ୍ତ ଭାବେ ପାଳନ କରନ୍ତି। ମନ ଭରି ଗଲା ପରେ ଆତ୍ମା ଶାନ୍ତି ପାଏ ଓ ଏମାନେ ସ୍ଵର୍ଗ ଲୋକରେ ପ୍ରବେଶ କରି ପୁନଃ ନୂଆ ଜନ୍ମ ନିଅନ୍ତି। ତେବେ କ’ଣ ଅନୁଷ୍କା ମୋତେ ମାରି ଦେବାକୁ ଚାହୁଁଛି କି? ସେ ପ୍ରେତ ପୁରୀର ପ୍ରେତ ଲୋକକୁ ମୋତେ ନେଇ ଯାଇ ତା ଗଳାରେ ଛନ୍ଦି ଦେବାକୁ ଚାହୁଁଛି କି ? ନା ୟା ହୋଇ ନ ପାରେ। ସେମିତି ହେଲେ ଅନୁଷ୍କା ସହିତ ମୋତେ ଆଉ ସେତେଟା ମିଶିବାକୁ ହେବ ନାହିଁ। ଦୂରତ୍ୱ ବରଂ ଶ୍ରେୟସ୍କର।

ଭାଗ – 6

ଅନୁଷ୍କା କିନ୍ତୁ ବଡ଼ ବ୍ୟସ୍ତ ହୋଇ ଉଠିଲାଣି। ଦୀର୍ଘ ଦିନର ବ୍ୟବଧାନ ପାଇଁ ସେ ହୁଏତ ଅସ୍ଥିର ହେବା ଆରମ୍ଭ କଲାଣି। ସେମାନେ ତ ମଣିଷର ମନଭାବକୁ ବି ପଢିବା ପାଇଁ ବେଶ୍ ସକ୍ଷମ। ତେଣୁ ଆହୁରି ବିବ୍ରତ ଥିବ। କାହିଁକିନା ମୁଁ ଲକ୍ଷ୍ୟ କରୁଛି, ସେ ଚୁକ୍ତିର ଖିଲାପ ହେବ ବୋଲି ସିନା ପ୍ରକଟ ହେଉ ନାହିଁ, କିନ୍ତୁ ବାଡ଼େଇ ଛାଟି ହେଉଛି। ଚାରିଆଡ଼େ ଖଡଖାଡ କରି ଯେମିତି ସବୁ ଧଡଧାଡ ଗଡେଇ ପକାଉଛି।ଢୋ ଢା ସବୁ ପଡି ଯାଉଥାଏ। ଦୁମ୍ ଦୁମ୍ ଚାଲି ଓ ଧୂମ୍ ଧାମ୍ ରଡି ବେଳେବେଳେ ଶୁଭୁଥାଏ। ଏବେ ରାତି ବାର ବାଜିଲାଣି, ଏ ବେଳାଟା ଭାରି ଭୟାନକ। କାରଣ ଏତେବେଳକୁ ସେମାନେ ଖୁବ୍ ସକ୍ରିୟ ହୋଇ ଉଠନ୍ତି ଓ ଭୂତ ମାନେ ଖୁବ ପ୍ରଭାବି ବିସ୍ତାର କରନ୍ତି । ପରିବେଶଟା ଏବେ ଏକଦମ୍ ନିରୋଳା, ଚାରିଆଡ଼େ ନିସ୍ତବ୍ଧତାର ଛାଇ ।ଭୂତୁଣୀର କ୍ରୋଧାଗ୍ନିରେ ଆଖିର ସ୍ଫୁଲିଙ୍ଗ ଗୁଡାକ ବୋଧେ ପ୍ରଜ୍ଜ୍ଵଳିତ ହେବାକୁ ଲାଗୁଥାବ। ସେ ଅଶାନ୍ତ ହୋଇ ଉଠିଲା ପରି ମୋର କାହିଁ ମନେ ହେଉଥାଏ। ମୋତେ ଖାଲି ଶୁଭି ଯାଉଥାଏ – ଯେମିତି ସେ ମୋ ଭାବନାନୁରୂପ ଉତ଼କ୍ଷିପ୍ତ ହୋଇ ପ୍ରତ୍ୟୁତ୍ତର ରଖୁଥାଏ। ସବୁଦିନେ ତ ସେ ନୀରବରେ ଆସେ ପୁଣି ଆଖି ଫାଡ଼ି ଫାଡ଼ି ହାଡ ମାଳ ବେକରେ ପକାଇ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଆସିଲେ ବି ସହଜ ଭାବରେ ପ୍ରକଟ ହୁଏ । ପୁଣି ଧିରେ ମଣିଷ ରୂପ ପରିଗ୍ରହ କରି ପାଖରେ ବସେ। ଶାନ୍ତିରେ ସାହିତ୍ୟ ଆଲୋଚନା ହୁଏ।
ଆଜି କିନ୍ତୁ ସେ ଏତେ ଭୟଙ୍କରା କାହିଁକି ହୋଇ ଉଠୁଛି? ଖିଙ୍କାରି ଗୋଡାଇଲା ଭଳି ଏଣେତେଣେ ସବୁ ଜିନିଷ ଫିଙ୍ଗୁଛି।, କଚାଡ଼ା ନଚଡା ବି କରୁଛି? ଓଃ.. ହୋ!.. ଆଜି ପରା ଅମାବାସ୍ୟା ରାତିଟା। ଏ ରାତିଟାରେ ଏମାନେ ଅତି ବିପଦଜ୍ଜନକ ହୋଇଥାନ୍ତି। ତେବେ କ’ଣ ସେଇଥିଲାଗି…? ଏହି ଭଳି କେତେ କ’ଣ ମନକୁ ଦୋହଲାଇ ଦେଉଥାଏ। ମୋ ମନକୁ କାଳ ଛୁଉଁଥାଏ- ମୁଁ ଯେଣୁ ଓଲାଟା ସୋଲଟା କିଛି ଭୂତୁଣୀ ସମ୍ପର୍କରେ ଭାବି ପକାଇ ଥିଲି। ତେଣୁ ସେ ହୁଏତ ଉଭା ହେଲା ପରେ ମୋତେ ଆଗ କଞ୍ଚା ଖାଇଯିବ।
ଏ କଥା ଶୁଣିଲା ପରେ ଆପଣ ମାନଙ୍କ ଭିତରେ ଯେପରି ଡର ସ୍ରୁଷ୍ଟି ହେଉଥାଇ ପାରେ ମୋ ଭିତରେ ତଦ୍ରୁପ ।ତଥାପି ମୁଁ ଦେହ କିଳି ରହିଥାଏ। ବସିଲା ଜାଗା ଠାରୁ ମୋଟେ ହଲୁ ନଥାଏ କି ହୁଙ୍କୁ ନଥାଏ। ତା’ର ଉତ୍ପାତ ଆହୁରି ବଢ଼ୁଥାଏ। ହୁଏତ ସେ ବ୍ୟସ୍ତ ହେଉଥାଇପାରେ କିଛି ଗୋଟେ କହିବା ପାଇଁ।ହଁ ଏ କଥାକୁ ବି ଅସ୍ୱୀକାର କରାଯାଇ ନପାରେ। ଏମିତି କିଛି ଭାବନା ତ ମୋ ମୁଣ୍ଡକୁ ଆସିଲା ପରେ, ମୋର ଗୋଟାଏ ଭିନ୍ନ୍ ଚେତନା ପଶିଲା। ମୁଁ ତେଣୁ ସଆଗ୍ରହରେ ଅନୁଷ୍କାକୁ ସ୍ମରଣ କଲି। ସବୁଥର ପରି ତା’ ର ଛାୟା ଚିତ୍ର ପ୍ରଥମେ କାନ୍ଥରେ ଉତ୍ତୋଳିତ ହେଲା। ତା ପରେ ଯେମିତି ଦମକାଏ ଝଡ଼ ବତାସିଆ ପାବନ ଝରକା ଠେଲି ଘର ଭିତରକୁ ପଶି ଆସେ, ଠିକ୍ ସେଇମିତି ସେ ହଠାତ୍ କାନ୍ଥରୁ ଡେଇଁ ପଡ଼ିଲା ପରି ଆବିର୍ଭାବ ହୋଇଗଲା।
ତା ପରେ ଅର୍ଦ୍ଧ ଉଲଗ୍ନ ଶରୀର, ବେକରେ ହାଡ଼ ମାଳ, ଆଖି ଗୁଡ଼ାକ ଢିମା ଢିମା ଦିଶୁଥାଏ ।ଦାନ୍ତୁରା ପାଟିରେ ଓ ଧାରୁଆ ନଖରେ ଶତ୍ରୁପକ୍ଷକୁ ବିଦୀର୍ଣ୍ଣ କରି ଦେଲା ଭଳି ଚେହେରାଟିଏ ଧରି ଉଭା ହେଲା। ଅନ୍ୟ ଦିନ ଅପେକ୍ଷା ଆଜି ହୃଦୟରେ ଅଧିକ ଭୀତି ସଞ୍ଚାରିତ ହେଉଥିଲା, ସତେ କି ସେ ବାହାରେ ଉଦଣ୍ଡ ନାଚ କରୁକରୁ ହଠାତ୍ ପଶି ଆସିଛି। ଭୟରେ ମୋ ଆଖି ବୁଜି ହୋଇଯାଉଥିଲା। ମୁଁ ତା ଆଡକୁ ହାତ ଉଠାଇ “ଏ ବନ୍ଦ କର! ଏ ବେଶ ପରିପାଟି” କହି ଆସୁଥିଲି, ଶବ୍ଦଟିଏ ଶୁଭାଗଲା ।ଆଖି ଖୋଲିଲା ବେଳକୁ ସେ ମୋ ପାଖରେ ଲାଗି କରି ଚେୟାରରେ। ଭୂତୁଣୀରୁ ଅନୁଷ୍କାରେ ତନ୍ମଧ୍ୟରେ ରୂପାନ୍ତରିତ ହୋଇଯାଇ ସ୍ଵାଭାବିକ ଭାବେ ବସିଥାଏ। ଘରେ ନୀଳ ରଙ୍ଗର କ୍ଷୀଣ ଆଲୁଅଟିଏ ଜଳୁଥାଏ। କାରଣ ଅନୁଷ୍କାକୁ ଉଜ୍ଜ୍ଵଳ ଆଲୁଅ ଭଲ ଲାଗୁ ନଥିବାରୁ ସବୁଥର ପରି ସେ ଆସିବା ଆଗରୁ ମୁଁ ଏଇ ଜିରୋ ପାୱାର ବଲଟାକୁ ଜାଳି ଦେଇଥାଏ। କାହିଁକି କେଜାଣି ଆଜି ଅନୁଷ୍କାର ଏ ରୂପଟା ଖୁବ୍ ଆକର୍ଷଣୀୟ ଲାଗୁଥାଏ। ନୀଳ ରଙ୍ଗର ଲାଇଟଟା ସାଙ୍ଗକୁ ତା ରୂପ ଜୌବନଟା ବେଶ୍ ପରିଷ୍କାର ହୋଇ ପରିସ୍ଫୁଟ ହେଉଥାଏ। ଖୁବ୍ ସୁନ୍ଦର ଚମତ୍କାରୀ ରୂପକାନ୍ତି, ମସୃଣ ଶରୀର, ଗୋରା ଚମ, ଢଳଢଳ ସୁଢଳ ନେତ୍ର ଯୁଗଳ, ସୁଠାମ ଚାହାଣୀ ହୃଦୟରେ ବିଶେଷ ଅନୁରାଗ ତୋଳୁଥାଏ। କହିଲା – “ଆଗରୁ କ’ଣ ମୋତେ ଦେଖି ନାହଁ ନା କ’ ଣ, ନୂଆ ଦେଖିଲା ଭଳିଆ ହେଉଛ? ମୁଁ କହିଲି -” ନା ସେ କଥା ନୂହେଁ ଯେ, ସତରେ ତୁମେ ଭୂତୁଣୀ ନା ସତ ସତିକା ଅନୁଷ୍କା? କହିଲା-କାହିଁ ଆଜି ପୁଣି ସନ୍ଦେହ ଛୁଇଁ ଦେଖ! ମୁଁ ସତ ନା ମିଛ”। ମୋ ହାତଟାକୁ ନେଇ ତା ଶରୀର ଉପରେ ରଖିଲା। ମୁଁ ଅନୁଭବ କଲି ସେଇ ମଣିଷର ତାତି ଓ ସ୍ପର୍ଶାନୁଭବ, ସବୁ ତାଠେଇଁ ଥିଲା। ମୋ ଦେହ ରୋମାଞ୍ଚିତ ଓ ଦୁର୍ବଳ ହେବା ପୂର୍ବରୁ ମୁଁ ତା ପାଖରୁ ତୁରନ୍ତ ହଟି ଯାଇ ଟେବୁଲର ଅନ୍ୟ ପାର୍ଶ୍ଵରେ ଯାଇ ବସିଲି। କହିଲି-” ଛାଡ଼ ଅନ୍ୟ କଥା ସବୁ ଆମେ ଏବେ ସାହିତ୍ୟକୁ ନେଇ ଆଗକୁ ବଢିବା। ମନ ଭଲ ନଥିବାରୁ ଅନେକ ଦିନ ହେବ ଏଇ ଅଲୋଚନାଟା ସ୍ଥଗିତ ରହିଛି। ପୁଣି ସୁଲୋଚନା ଏବେ ଘରେ ନଥିବାକୁ, ଆସନ୍ତା କାଲି ବି ଛୁଟି ଦିନ ମାନେ ରବିବାର। ତେଣୁ ଦୀର୍ଘ ଅଲୋଚନାଟିଏ ହୋଇପାରିବ ଓ ସାହିତ୍ୟ ମହୋଦଧିରେ ମହାମନ୍ଥନ କରୁକରୁ ତହିଁରୁ ମୋତି ମାଣିକାଦି ସବୁ କିଛି ସଂଗ୍ରୁହିତ ହେବାର ଅବସର ଜୁଟି ପାରେ – ସାରାରାତି । ସେ କହିଲା-” ହଁ.. ଅନେକ ଦିନ ହେବ ଏ ଚର୍ଚ୍ଚାଟା ହୋଇ ନାହିଁ” ।
ଏ କଥାଟା କହିଲା ବେଳକୁ ତା’ ମୂଖ ମଣ୍ଡଳରେ କେମିତି ଗୋଟେ ଗାମ୍ଭୀର୍ଯ୍ୟର ଏକ ଅସମ୍ଭବ ଆବରଣ ମଣ୍ଡାରି ଆସୁଥିଲା ।
ଏମାନଙ୍କର ସତରେ! କେତେବେଳେ କେଉଁ ରୂପ, ଛାର ମାନବ ବା କାହୁଁ ବୁଝିବ? ପ୍ରକୃତପକ୍ଷେ ଏହା ବୁଝିବା ବଡ଼ ଦୁରୂହ ଓ ବିଚିତ୍ର ବେପାର। ପ୍ରଥମେ ପ୍ରଥମେ ସେ ଭୟଙ୍କରା ଅସୁରୁଣୀ ରୂପ, ପୁଣି ମୋ ମନରେ ଆକର୍ଷଣ ତୋଳି ଓ ଭୟକୁ ଟିକେ ଦୂରୀଭୂତ କରି ଆକର୍ଷଣୀୟା ସୁନ୍ଦରୀ ରୂପଶ୍ରୀ ତରୁଣୀଟିଏ। ଏବେ ପୁଣି ଗାମ୍ଭୀର୍ଯ୍ୟର ଆଢୁଆଳରେ ସେ ଲୁଚିଛି ନା ଛପିଛି? ଏମାନେ ସତରେ ରହସ୍ୟମୟ, ରହସ୍ୟର ଘେରରେ ରହିବା ପାଇଁ ସଦା ସର୍ବଦା ଭଲ ପାଆନ୍ତି। ମୁଁ କହିଲି – “ହେଲେ ତୁମେ ଏତେ ଗାମ୍ଭୀର୍ଯ୍ୟ କାହିଁକି” ? କହିଲା – “ହଁ.. ଘଟଣାଟି ସେଇପରି କିଛି ସମ୍ବେଦନଶୀଳ, ଯାହା ମୋତେ ବ୍ୟଥିତ କରିଛି। ମୁଁ କିଛି ବୁଝି ପାରିଲି ନାହିଁ,ଆଶ୍ଚର୍ଯ୍ୟ ହୋଇ କେବଳ ପଚାରିବା ବ୍ୟତୀତ -” ଘଟଣାଟି ତେବେ କ’ଣ ମୋତେ ଫିଟେଇ କୁହ, ମୁଁ ଧ୍ୟାନପୂର୍ବକ ସବୁ ଶୁଣୁଛି”। ମୋ ଭିତରେ ବଡ଼ ଉତ୍ସୁକତା, ଯାହା ଆପଣମାନଙ୍କ ଭିତରେ ବି ସ୍ରୁଷ୍ଟି ହୋଇ ସାରିଥିବା କଥା । ସେ ଏଥର କହିବା ଆରମ୍ଭ କଲେ –

ଭାଗ – 7

ପ୍ରଯୋଜକ ଦ୍ୟାନ ସାମନ୍ତ ରାୟକୁ ତୁମେ କେତେଦିନ ହେବ ଜାଣିଛି ମୁଁ ଜାଣି ନାହିଁ, କିନ୍ତୁ ସେଇଟା ଗୋଟେ ପକ୍କା ଖିଲାଡୀ (ଖେଳାଳୀ)। ପୂରା କ୍ରିମିନାଲ୍ ମାଇଣ୍ଡର ଲୋକଟାର। ଏଟା ଆପଣା ସ୍ୱାର୍ଥ ପାଇଁ ସବୁ କିଛି କରି ପାରିବ, ଏପରିକି ମର୍ଡର ବି। ସେ ବଡ଼ ଭୋଗ ବିଳାସୀ, କାଷ୍ଟିଙ୍ଗ କାଉଚ କଥା ଶୁଣିଥିବେ । ଇଏ ତା’ର ମାଷ୍ଟର ମାଇଣ୍ଡ। ପ୍ରତ୍ୟେହ ନୂଆ ନୂଆ ସୁନ୍ଦୁରିଆ ଝିଅମାନଙ୍କୁ ସିରିଏଲ୍ ଓ ଫିଲ୍ମ ପାଇଁ ଚୟନ ଆଳରେ ପ୍ରଥମେ ତାଙ୍କ ସୌନ୍ଦର୍ଯ୍ୟ ଓ ଲାବଣ୍ୟକୁ ଉପଭୋଗ କରିବ। ମନ ମେଣ୍ଟିଗଲା ପରେ ଯାଇ ଯୋଉ କଥା। ସେଥିରେ ଯିଏ ଅମତ ହେବ, ଇଏ ତାକୁ ଅଭିନୟ କରିବାର ସୁଯୋଗ ଦେବ ନାହିଁ। ଅଭିନୟ ପାଇଁ ଅନୁପଯୁକ୍ତ ବୋଲି ଘୋଷଣା କରି କନ୍ଦେଇବ। ସମସ୍ତଙ୍କ ଭିତରେ ତ ଆଜି ନାଁ କମେଇବା ପାଇଁ ଓ ନିଜ କଳା କୌଶଳ ପ୍ରଦର୍ଶନ ପାଇଁ ଗୋଟେ କ୍ରେଜ୍ ଦେଖାଯାଏ। ତେଣୁ ଯେନେତେନେ ପ୍ରକାର ରୋଲଟେ ମିଳି ଗଲେ ଧନ୍ୟ ହୋଇଯିବା କଥା ଚିନ୍ତା କରି ନୂଆ କଳାକାରଟିଏ ବ୍ୟସ୍ତ ହୋଇଯାଏ। ଜାଣିଜାଣି ଏମାନେ ତା ଭିତରେ ଉତ୍କଣ୍ଠା ଓ ଆଗ୍ରହ ଭରି ଦିଅନ୍ତି। ସେ ଯେତେବେଳେ ନିଜ ଅଭିନୟକୁ ନେଇ
ଖୁବ୍ ବେଶୀ ଉତ୍ସାହିତ ହୋଇଯାଏ ଓ ନିଜ ଅଭିଳଷିତ ଲିପସା ଫଳବତୀ ହେବା ପାଇଁ ଆଉ ଦଣ୍ଡେ ମାତ୍ର ବାକି ଥାଏ, ଏମାନେ ନକାରାତ୍ମକ ବାଣୀଟିଏ କହି ସେମାନଙ୍କର ସ୍ୱପ୍ନକୁ ଭାଙ୍ଗି ଚୂରମାର କରନ୍ତି। ସେମାନଙ୍କର ବିଶ୍ଵାସ ମୂଳରେ କୁଠାରଘାତ ହେବା ଫଳରେ, ସେମାନଙ୍କର ଆତ୍ମ ପ୍ରତ୍ୟୟ ଓ ବିଶ୍ବାସବୋଧ ତୁଟି ଯାଏ। ସେମାନେ ନତ୍ କରି ସେଇଟି ବସି ପଡ଼ନ୍ତି। ଏତେବେଳେ କେହି ଟିକେ ଆଶ୍ୱାସନାର ବାଣୀ ବା ସାହାରାର ହାତ ବଢ଼ାଇଲେ ଏମାନେ କୃତ୍ୟ କୃତ୍ୟ ହୋଇଯାଆନ୍ତି। ଗୋଡ ହାତ ଧରି ପକାଇ ନିଜକୁ ସମର୍ପି ଦିଅନ୍ତି କେବଳ ଅଭିନୟ ଟିକକ କରିବା ପାଇଁ । ସେଇ ପ୍ରକାର ସୁଯୋଗର ସେମାନେ ତ ଅପେକ୍ଷା କରି ରହିଥାନ୍ତି।
ସେମାନେ ଯେତେ ଉତ୍କଣ୍ଠିତା ହୋଇ ଆଗପଛ ଚିନ୍ତିବାର ଶକ୍ତି ହରାଇ ବସନ୍ତି, ଏମାନେ ସେତେ ସୁଯୋଗ ନିଅନ୍ତି। ପ୍ରତୀକ୍ଷାର ବାଣ ମାରି ନୂଆ ନୂଆ ନାୟିକା ସହିତ ରାତ୍ରି ଯାପନ କରନ୍ତି।
ସେଦିନ ଏଇ ପ୍ରଯୋଜକ ଦ୍ୟାନ ସାମନ୍ତରାୟ ଏକ ସୁନ୍ଦରୀ ତରୁଣୀକୁ ନେଇ ଲଜରେ ଉପଭୋଗ କରିବାକୁ ଚାଲି ଯାଇଥାଏ। ତରୁଣୀ ସୁନୟନା ତା’ର ସ୍ପଷ୍ଟ ଉଦ୍ଦେଶ୍ୟ ବୁଝି ନ ପାରି ଗୋଟେ ବଡ଼ ହୋଟେଲରେ ଅୟୋଜିତ ଏକ ଫିଲ୍ମର ମହୁରତ ଉତ୍ସବ ପରର ଡିନର ପାର୍ଟିକୁ ଆସି ଯାଇଥାଏ। ଏହି ପାର୍ଟି ମହୋତ୍ସବ ସେମାନଙ୍କ ପାଇଁ ତ ପ୍ରକୃତ ସୁଯୋଗ ଆଣି ଦେଇଥାଏ। ଏଠି ଟିକେ ସାବଧାନ ଓ ସନ୍ତର୍ପଣ ସହ ଗୋଡ଼ ନ ପକେଇ ପାରିଲେ ଗୋଡ ଖସି ଯିବାର ସୁଯୋଗ ଅଧିକ ଥାଏ। ଏଠିକୁ ବଛା ବଛା ନାମୀଦାମୀ କଳାକାର କେଇଟି ମାତ୍ର ଓ ଲେଖକ, ପ୍ରଯୋଜକ, ନିର୍ଦେଶକ, ନିର୍ମାତା ଆଦି ବଡ଼ ବଡ଼ ଲୋକଙ୍କୁ ନେଇ ଏଇ ପାର୍ଟି ଆୟୋଜନ ହୋଇଥାଏ। ସୁନୟନା ତହିଁର ନୂଆ ଅଭିଜ୍ଞତାଟିଏ। ପାର୍ଟି ସରିଲା ବେଳକୁ ଫ୍ରେସ୍ ହୋଇ ସାରିଲା ପରେ ସେ ନିଜେ ନେଇ ଛାଡି ଆସିବାକୁ ସୁନୟନାକୁ କହି ପ୍ରଯୋଜକ ମହାଶୟ ତାକୁ ନେଇ ଗୋଟେ ପ୍ରକୋଷ୍ଠକୁ ଚାଲି ଯାଇଥିଲେ। ସେଠି କବାଟ କିଳି ଦେଇ ସେ ମନଭରି ତାକୁ ଉପଭୋଗ କଲେ। ସୁନୟନା ନିଜର ଆତ୍ମରକ୍ଷା କରିବାର ସୁଯୋଗ ମଧ୍ୟ ପାଇଲା ନାହିଁ।ସେ ପାପିଷ୍ଠି ତା ବସ୍ତ୍ରଟାକୁ ଟାଣି ସମ୍ପୂର୍ଣ୍ଣ ଉଲଗ୍ନ କରି ପକେଇଲା। ସେ କେତେ କାକୁତି ମୀନତି ହୋଇଥିବ, ଈଶ୍ୱରଙ୍କୁ ମଧ୍ଯ ଆତ୍ମ ନିବେଦନ କରିଥିବ, ହେଲେ ବି ବ୍ଯଭିଚାରିତ ଓ କାମୋଦୀପ୍ତ ଦ୍ୟାନ ସାମନ୍ତରାୟ ଉପରେ ତା’ର କୌଣସି ପ୍ରଭାବ ପଡି ନଥିବ। ଶରୀରଟା ସାରା ନଖ ଓ ଦାନ୍ତର ଦାଗ ସେଦିନ ତା’ର ସମସ୍ତ ଭ୍ରମକୁ ଅଚିରେ ସତସିଦ୍ଧ କରି ଗଢି ତୋଳିଥିଲା। ଆଉ କାହାକୁ ସେ ମୁହଁ ଦେଖାଇବାର ଲାଏକ ହୋଇ ରହି ନଥିଲା। ତେଣୁ ଆତ୍ମହତ୍ୟା କଥା ଚିନ୍ତା କରୁଥିବା ବେଳେ ଲେଖିକା ଅନୁଷ୍କାର ସେ ଶରଣ ନେଇଥିଲା। ନିରୁପାୟ ହୋଇ ଅନୁଷ୍କା ଉପରେ ମୁହଁ ଗୁଞ୍ଜି କଇଁ କଇଁ ହୋଇ ଧକେଇ କାନ୍ଦିଥିଲା।
ଏହି କାଷ୍ଟିଙ୍ଗ କାଉଚର କାହାଣୀକୁ ଭିନ୍ନ୍ ରୂପ ଦେଇ ମୁଁ ଯେତେବେଳେ ଗୋଟେ ପତ୍ରିକାକୁ ଛାପିବାକୁ ଦେଲି, ସେତେବେଳେ ଏହା କାହାଣୀ ରୂପ ପରିଗ୍ରହ କରିଥିଲେ ହେଁ ସତ ଘଟଣା ଉନ୍ମୋଚନ ହୋଇଯିବା ଭୟରେ ମୋତେ ଜୀବନରୁ ମରି ଦେବାକୁ ଏଇ ଦ୍ୟାନ ସାମନ୍ତରାୟ ଲୋକ ପଠେଇ ଧମକ ଦେଇଥିଲା।
ଏବଂ ସୁଯୋଗ ଉଣ୍ଡୁଥିଲା ମୋତେ ଜୀବନରୁ ମାରିଦେବା ପାଇଁ।ବିଚାରୀ ସୁନୟନା ବାପ ମାଆର ଗୋଟେ ବୋଲି ଝିଅ, ଉଚ୍ଚ ଶିକ୍ଷିତା କିନ୍ତୁ ସେଇଦିନୁ ଜାଡି ହୁଣ୍ଡି ହୋଇ ରହିଯାଇଛି। ବାୟାଣୀ ପାଗିଳୀ ପ୍ରାୟ ଭୂତୁଣୀ ଭଳିଆ ଘୂରି ବୁଲୁଛି, ଏଯାଏଁ ଭଲ ହୋଇନାହିଁ।ତା ଦୁଃଖ କହିଲେ ନ ସରେ। ବାପା ମାଆ ଦିଟା ତା ଚିନ୍ତା କରି କରି ଅଧା ମଲା ହୋଇ ଜୀଈଁ ରହିଛନ୍ତି। ଘରେ ଛୁଆ ବୋଲି ଆଉ ସାନ ଭାଇଟେ, ତା ଭବିଷ୍ୟତ ବି ଅନ୍ଧାର। ଏ କଥା କହିଲା ବେଳକୁ ସୁନୟନା ପାଇଁ ଦୟା ଓ ଅନୁକମ୍ପାରେ ତା ଆଖିରୁ ଦୁଇ ଧାର ହୋଇ ଦୁଇ ଠୋପା ଲୁହ ନିଗିଡି ଆସୁଥିଲା। ମୁଁ ମଧ୍ୟ ଭାବାବେଶରେ ଆବିଷ୍ଠ ହୋଇ ଭାବୁକ ପାଲଟି ଯାଉଥିଲି। ମନଟା ଭାରି କଷ୍ଟ ହୋଇଯାଇଥିଲା।ଆଃ.. ନିରୀହା ବିଚାରୀ!
ରାତି ପାହି ଆସୁଥିଲା ।ଅନୁଷ୍କା ଉଠି ଚାଲି ଯାଇଥିଲା। ମୁଁ ଟେବୁଲ୍ ଉପରେ ମୁଣ୍ଡଟା ଥୋଇ ଘଡିଏ କେତେ ଶୋଇ ଯାଇଥିଲି ।ଦିନ କେଯାଏଁ ହୋଇଯାଇଥିଲା। କଲିଙ୍ଗ୍ ବେଲଟା କ୍ରିଂ କ୍ରିଂ ବାଜି ଉଠିବାରୁ ଆଖି ମଳି ମଳି କବାଟଟା ଖୋଲି ଦେଲି।ଚାହିଁଲାରୁ ସୁଲୋଚନା ଓ ଶାଳକ
ମହାଶୟ ବାହାରେ ଖାଡା ହୋଇଛନ୍ତି। ସୁଲୋଚନା ମୁହଁ ମୋଡି କଟାକ୍ଷ ଚାହାଣିଟେ ଚାହିଁ ଦେଇ ଝଡ଼ ଭଳିଆ ଘର ଭିତରକୁ ପଶି ଆସିବାରୁ ମୁଁ ଦମକାଏ ପବନରେ ଠେଲି ହୋଇ କାନ୍ଥ ଆଡକୁ ଏକ ରକମର ନଇଁ ଯାଇଥିଲି। ଗଲାବେଳେ ଚୁପ୍ କି ନା କହିଗଲା – “ଉଁ ରାତି ସାରା ପର ନାରୀ ସହ ରାହାସ କରିବ, ବେଳ ଦି’ଘଡ଼ି ଯାଏଁ ନଶୋଇଲେ ହେବ କେମିତି”। ମୁହଁ ହାତ ଧୋଇ ଦାଣ୍ଡଘରେ ଶଳାର ମୋର ଟୁପୁରୁ ଟୁପୁରୁ ହୋଇ ତା ଭଉଣୀ ବିଷୟରେ କଥା ହେଲୁ। ସେପଟେ ସୁଲୋଚନା ଘରଟା ସାରା ଭେରାଟେ ଦରାଣ୍ଡି ଆସି ଦୁଇ କପ ଚା ଓ ଟିକେ ସ୍ନାକ୍ସ ଆଣି ଆମ ପାଖରେ କଚି ଦେଇଥିଲା। ସେପଟେ ଧଡ଼ଧାଡ୍ ଶୁଭି ସୁଲୋଚନାର ରାଗଟା ସିନା ପରିପ୍ରକାଶ ପାଉଥାଏ, ହେଲେ ଘର ଗୋଟା ଝାଡୁ ଠାରୁ ଆରମ୍ଭ କରି ବାସନ ମଜା, ଲୁଗା ସଫା ଓ ରୋଷେଇ ସବୁ ତାରି ଭିତରେ ଚାଲିଥାଏ। ଶାଳକ ମହାଶୟ ଚୁପ୍ କି କାନ ପାଖରେ କହିଲା – “ଭାଇନା! ନାନୀ ମିଛରେ ରାଗ ଦେଖାଉଛି, ହେଲେ ନିଇତି ପରା ସେ ତୁମ କଥା ମନେ ପକାଇ କାନ୍ଦେ। କହେ – ଲୋକଟା ହଇରାଣ ହେଉଥିବ। ବେଳେବେଳେ ନଖାଇ ସେଇମିତି ଅଫିସ ଚାଲି ଯାଉଥିବେ। ତେଣୁ ମୁଁ ଆଉ ରହିବି ନାହିଁ, କାଲିରେ ମୋତେ ନେଇ ଛାଡ଼”। ତୁମେ ଖାଲି ପଦେ ମିଠା ଆଗ କହି ଦିଅନା, ଦେଖିବ! ସେ କେମିତି ତରଳି ଯିବ। ମୁଁ କହିଲି-” ନାଇଁରେ ପୁଅ ! ସେ ସେମିତି ଗରଗର ହେଉଥାଉ, ଆମେ ମଜା ଦେଖିବା ।ଚାଲ ଯିବା! ଆଗ ବଜାରରୁ ଫେରିବା। ନାରେ ନା ନା – ନାନା ବାୟା ଗୀତଟେ ଗାଇ ଗାୟିକା ଟିକେ ସୁଲୋଚନାକୁ ଚିଡ଼େଇ ଦେଇ ଆମେ ଦୁହେଁ ମାର୍କେଟ୍ ବାହାରି ଗଲୁ। ପଛ ଆଡୁ ଦୁଆର ଉଣ୍ଡି ସୁଲୋଚନା ଚାହିଁ ରହିଥାଏ।

ଭାଗ – 8 ଭାଗ

ମାର୍କେଟରୁ ଫେରିଲା ବେଳକୁ ସୁଲୋଚନାର ରାଗ କମି, ଅନୁରାଗ ବଢୁଥିଲା। ଖାଲି କଣେଁଇ କଣେଁଇ ଚାହୁଁଥିଲେ କିନ୍ତୁ ବଳେଇ ଖୁଆଉ ଥିଲେ। ଆଜି ରବିବାର ଥିବାରୁ ଖାଇ ପିଇ ସାରି ଖରା ବେଳଟାରେ ଟିକେ ବିଶ୍ରାମ ନେଇଗଲୁ। ଶୋଇବା ଘରକୁ ସୁଲୋଚନା ପଶି ଆସିବାରୁ କବାଟଟାର କିଳିଣୀ ଦେଇଦେଇ ଟିକେ ଜଡାଇ ଧରିଲାରୁ ତା’ର ଜମାଟ ବାନ୍ଧିଥିବା ଅଭିମାନର ବରଫ ଖଣ୍ଡ ଗୁଡ଼ାକ ଧିରେ ଧିରେ ତରଳିବାକୁ ଲାଗିଲା। କହିଲେ – “ମୁଁ ରାଗରେ ଆସୁ ନଥିଲି ବୋଲି ତୁମେ କୋଉ ମୋତେ ଆଣିବାକୁ ଗଲ କି”? ଏହିଭଳି ହସ ଅଭିମାନ ଭିତରେ ତ ସଂସାର ଚାଲେ।
ବିଛଣାରୁ ଉଠିଲା ପରେ ଆମକୁ ଚା ନାସ୍ତା ଟିକେ ଧରାଇ ଦେଇ ସେ ସଜବାଜ ହେଲେ। ପାଞ୍ଚଟା ବାଜିଲାଠୁଁ ମୁଁ ଆସୁଛି କହି ମୋ ପର୍ସଟାକୁ ମାଡ଼ି ବସିଲେ। କହିଲେ – “ପଞ୍ଚ ହଜାର ଟଙ୍କା ଦେଲ” । ମୁଁ କହିଲି – “କ’ଣ ଏମିତି ଜରୁରୀ ପଡିଲା କି, ମ୍ୟାଡମ୍! ” କହିଲେ -” ଆଉ ଏମିତି ପେରମ ହୁଅ ନାହିଁମ! ମୁଁ ତ ପ୍ରଥମେ ନାହିଁ କରୁଥିଲି, ତୁମେ ହିଁ ତ ନାରୀ ସ୍ଵାଧୀନତାର ଦ୍ୱାହି ଦେଇ ଆଗ ମୋତେ ସେଠିକି ପଠେଇଲ, ଏବେ ନାହିଁ ନାହିଁ କ’ ଣ ହେଉଛ” ? ଯାହା ବି ହେଉ ପାଞ୍ଚ ହଜାର ଟଙ୍କା ମୋର ଲୁଟି ନେଇ ପତ୍ନୀ ଶିରୋମଣୀ ମୋର ଟି. ଟି. ପାର୍ଟି ଆଟେଣ୍ଡ କରିବାକୁ ଚାଲିଲେ। କହିଗଲେ – “ହେଇଟି! ଘର ଦ୍ଵାର ଟିକେ ଚାହିଁଥବ ।କବାଟ କଣ୍ଟା ସବୁ ଦେଇ ବସିଥବ, ନହେଲେ ଶଳା ଭିଣୋଇ ଗପୁଗପୁ ବିଲେଇ ସବୁ ମାଛ ଖାଇ ସଫା କରିଦବ”। ମୁଁ କହିଲି -” ହଉ ବାସୁଳୀ ମାଆ! ତୁମେ ଏଥର ଆସି ପାର” । ଏଥର ବୋକାରାମ ଗିରିଧାରୀ ଶାଳକ ମହାଶୟ ପଚାରି ହେଲେ – “ଭାଇନା! ଏଇ ଟି. ଟି. ପାର୍ଟିଟା କ’ଣ କି ” ? ମୁଁ କହିଲି – “ତୁ ଆଉ ପଚାରେ ନା’ରେ ପୁଅ! ଏ ଟି. ଟି. ପାର୍ଟି ନୂହେଁ, ଲୁଟେରା ଅପେରା। ତୋ ଭଉଣୀ ଗୋଟେ ନୂହେଁ, ଟିକେ ସାଙ୍ଗ ମାନଙ୍କ ସହ ମିଶି ମନ ପରିବର୍ତ୍ତନ କରିବା ପାଇଁ ମୁଁ ଗୋଟେ ନୂହେଁ ଏକାବେଳକେ ଦୁଇ ଦୁଇଟା ପାର୍ଟି ଜଏନ୍ କରେଇ ଦେଇଛି।
ଆଜି ଏ ଯୋଉ ଟି. ଟି. ପାର୍ଟି ଆଟେଣ୍ଡ କରିବାକୁ ଗଲେ, ସେଇଟା 5000 ଟଙ୍କାର ଲୁଟ୍। ମାନେ ଜଣକା ପାଞ୍ଚ ହଜାର ଟଙ୍କା ଲେଖାଏଁ ନେଇକି ଯିବେ। ସବୁ ପଇସା ଏକାଠି କରି ସେଇ ପଇସାରେ ଗୋଟେ ହୀରା ମୁଦି ହେଉ ବା କାନ ଫୁଲ ବା ଅନ୍ୟ ଆଳଙ୍କାର ଖରିଦ କରି ଯାହା ଘରେ ପାର୍ଟି ଆୟୋଜନ ହେଉଥିବ ତାକୁ ଭେଟି ସ୍ଵରୂପ ଦେବେ। ଏହି ପରି କେବେ ନା କେବେ ସମସ୍ତଙ୍କର ପାଇବାର ପାଳି ଆସେ। କୋଉ କୋଉ ପାର୍ଟି ଆଗକୁ ବଢେ ଆଉ କୋଉ ପାର୍ଟି ମଧ୍ଯ ଅଧାରୁ ଛିଡ଼ିଯାଏ, ଯୋଉଟା mismanagement ହୁଏ ।ଏଇଟା ବାପା! ଚେନ୍ ସିଷ୍ଟମରେ.. ଚେନ୍। ତୋ ଭଉଣୀ ହୀରା ଗୋଟେ ସିନା ପାଇଛି ହେଲେ ଲୁଟିଲାଣି ଢେର। ପୁଣି ରାଧିକା ସୁନ୍ଦରୀ ଆଉ ଗୋଟେ 200 ଟଙ୍କିଆ ଟି. ଟି. ପାର୍ଟି ବି ଆଟେଣ୍ଡ କରୁଛନ୍ତି। ଏଠି ହୀରା ଫିରା ନୁହଁ ବା! ଖାଲି ପାର୍ଟ ଶାଢ଼ି ପିନ୍ଧା ଟି. ଟି. ପାର୍ଟି ।
ହଉରେ ପୁଅ!ସେମାନେ ଟି ଟି ପାର୍ଟି ଆଟେଣ୍ଡ କରନ୍ତୁ, ଆମେ ବି ଟିକେ ଟି ଟେବୁଲରେ ବସି ଟି ଦି ଢୋକ ମାରି ଦେବା । ନହେଲେ ଦେହଟା ପୂର୍ତ୍ତିଲା ଲାଗିବ ନାହିଁ”। ଚା ପିଆ ଚାଲିଥାଏ ମୁଁ ପୁଣି କହିଲି – “ଏ ଟି. ଟି ପାର୍ଟିଟା ଭଲ ଯେ, ହେଲେ ହୁଣ୍ଡି ଜାଡିଙ୍କ ପାଇଁ ଅଡୁଆ ।କାରଣ ଏଇ ଟି ଟି ପାର୍ଟିରେ ବିଭିନ୍ନ୍ କଥା ଆଲୋଚନା ହୁଏ।
ଆମ ଭଳିଆ ପତିଦେବ ମାନଙ୍କର ଖାମିଆ ଆଲୋଚନାଟା ବି ବହୁତ ହୁଏ। ଏଠି ବିଗିଡ଼ା ହୁଆ ପତି ମାନଙ୍କୁ ଶାସନ କରିବା ପ୍ରଣାଳୀଟା ଅତି ଉତ୍ତମ ରୂପେ ବତେଇ ଦିଆଯାଏ। ନୀତି ନିୟମର ପାଠଟା ଭଲ କି ପଢ଼ା ହୁଏ। କିନ୍ତୁ ହଜମ କରିବା ଲୋକ ସିନା ହଜମ କରିବେ, ହେଲେ ହଜମ କରି ପାରୁନଥିବା ତୋ ଭଉଣୀ ଭଳିଆ ଲୋକ, ସଙ୍ଗେ ସଙ୍ଗେ ପ୍ରୟୋଗଶାଳାରେ ଆସି ମୋ ଉପରେ ପ୍ରୟୋଗ କରିଦେବେ। ସେଥିପାଇଁ ମୋର ଏତେ ମଜା ବାହାରୁଛି ନା!
ଶାଳକ ମହାଶୟ ବସିଥିଲେ ବସିଥିଲେ ଆଉ ହସଟା ଚାପି ପାରିଲେ ନାହିଁ ଫେଁକିନା ହସି ଦେଲେ। କହିଲେ – “ଏଥର ଭାଇନା! ମୁଁ ବୁଝିଗଲି, ନାନୀ କାହିଁକି
ଏମିତି ହେଉଛି। ତୁମେ ତା କଥା ଶୁଣ ନାହିଁମ! ସେ ଟିକେ ହଠାତ୍ ବୁଝି ପାରେ ନାହିଁ। ମୁଁ ବି ହସି ଦେଲି। କହିଲି – “ହଁ କୀଚକ ବାହୁ ବଳେ ବିରାଟ ରାଜା। ହେଲେ ପୁଅ! ଆହୁରି ଭଲ କି ବୁଝି ଯିବୁ, ଆଗ ବାହା ଶାହା ଟିକେ ହେଇ ସାରେ “। ଏଥର ହସର ଖିଅଟା ଖୁବ୍ ଲମ୍ବି ଗଲା ସୁଲୋଚନାର ପ୍ରତ୍ୟାବର୍ତ୍ତନ ଯାଏଁ।
ସୁଲୋଚନା ଟି. ଟି. ପାର୍ଟିରୁ ଫେରିବା ପରେ ତା ମୁହଁରେ ଅନେକ ପ୍ରସନ୍ନତା ଥିଲା, ସେଠି ଯେହେତୁ ଲଘୁ ଭାବରେ ଜୀବନର ଖୁସି ବାଣ୍ଟିବା ପାଇଁ ହୁଏତ ତାକୁ ସେଠି ଗୋଟେ ଅବସର ମିଳି ଯାଇଥିବ। ହସଖୁସିର ଆସର ଭିତରେ ସେ ବୋଧେ ଖୁବ୍ ହାଲକା ନିଜକୁ ଅନୁଭବ କରୁଥିବେ । ଏଇ ଟି. ଟି. ପାର୍ଟିଟା ପରା ଠିକ୍ ଆମ ଗାଁ ମାଇପ ଲୋକଙ୍କ ଚାଟଶାଳୀ ପରି, ଯେଉଁଠି ବୁଦ୍ଧି ଅକଲ, ଭଲମନ୍ଦ ଶାଠଣା ମାଠଣା – ସବୁ ଶିଖା ଯାଏ ।ମାନେ ଲଞ୍ଚ ପରେ ଆଉ ସନ୍ଧ୍ୟା ପୂର୍ବରୁ ଏମାନେ ଜଣଙ୍କ ପିଣ୍ଡା ନହେଲେ ବାଡ଼ିପଟେ ଗଛ ମୂଳେ ହାତରେ ଟିକେ ଟିକେ ରାଉଳ ଗୁଣ୍ଡି ଓ ଦୁକ୍ତା ଧରି ଆସିଯାଆନ୍ତି, ତେଣୁ ଆମେ ତାକୁ ଦୁକ୍ତା ପାର୍ଟି ବା ରାଉଳ ଗୁଣ୍ଡି ପାର୍ଟି କହିଲେ ବି ଚଳିବ। ସେଠି ସେମାନେ ଖଣ୍ଡେ ପାନକୁ ଦଳି ନହେଲେ ରାଉଳ ଗୁଣ୍ଡି ଓ ଦୁକ୍ତା ବଣ୍ଟାବଣ୍ଟି ହୋଇ କେତେ ଖୁସି ଗପ କରି ହସାହସି ହୁଅନ୍ତି ।ଜୀବନଟା ବେଶ୍ ଧାଏଁ ।କ୍ଳାନ୍ତି ଅପନୋଦନ ପାଇଁ ଇଏ ବି ଗୋଟେ ଭଲ ମାଧ୍ୟମ । ଯାବତୀୟ ଘର କରଣା କଥା ଓ ଘରେଲୁ ହିଂସା (ଘର ସମସ୍ୟା) ର ସମାଧାନ ପନ୍ଥାଟା ମଧ୍ଯ ଏଇଠୁ ବାହାରିଥାଏ। ଏଇଟା ସେଇ ରକମର ଆଉ ଟିକେ ଉନ୍ନତ, ଯାହାକୁ ଆମେ ଚାଏ ଚାଏ କହୁ ମାନେ ଚା ଟେବୁଲରେ ବୈଠକ। ଏଇ ଚା’ଟା ଟିକେ ଗରମ ହୋଇଥିବାରୁ ଏମାନଙ୍କର ଆଉ ଟିକେ hot discussion ମାନେ ଗରମାଗରମ ଆଲୋଚନାଟା ହୁଏ। ଆଉ ଗାଉଁଲି ସ୍ତ୍ରୀ ଲୋକମାନଙ୍କର ଖଇନି ଖିଆ ପାଟିରେ ପାଟି ଟିକେ ଖନି ମାରି ଯାଉଥିବାରୁ ସେଇ ଏକା Topic ଟିକିଏ ଥଣ୍ଡା ଦିମାଗରେ ଥଣ୍ଡା ଆଲୋଚନା ହୁଏ।
ହଉ ଛାଡ଼ ଆମ ଘରଣୀ କ’ଣ ଭାସୁଛନ୍ତି ଦେଖିବା। ହଁ ଭାଇକୁ ସାକ୍ଷୀ କରି ମୋତେ କ’ଣ ଶୁଣେଇ କହିବା ତ ଆରମ୍ଭ କଲେଣି। ହଁ କାନରେ ବିଣ୍ଡା ଦେଇଦେଲେ ବରଂ ଭଲ। କହି କହି ଆଉ କ’ଣ କହିବେ ଯେ! – ଏଇ ମିସେସ୍ ହୋତା ଡ୍ୟାସ୍ କହିଲେ, ମିସେସ୍ ସାଲଭିଆ ଭାରି ଗପୁଡି ଖାନାପିନାଟା ଭାରି ବଢିଆ ହେଲା, ମୁଁ ଆଉ ରାତିରେ ଖାଇବି ନାହିଁ, ଝଅଟ ଆସ ତୁମକୁ ଦିଟା ଖାଇବାକୁ ଦେଇ ମୁଁ ଟିକେ ଥକ୍କା ମାରିବି, ଓଃ ହୋ! ଏତେଦିନ ପରେ ମନଟା ଟିକେ ହାଲକା ହେଲା ଇତ୍ୟାଦି, ଇତ୍ୟାଦି।
ହଉ ତୁମ ମନଟା ସବୁବେଳେ ଏମିତି ହାଲକା ଫୁଲକା ରହୁ। ହେଲେ ତୁମେ କେତେବେଳେ ବି ଆଉ ରଣଚଣ୍ଡି ରୂପ ଧାରଣ କର ନାହିଁ।ବରଂ ତୁମ ଚାରି ଖୁରାକୁ ଜୁହାର ଲୋ ମା ।

ଭାଗ -9

ଖାଇପିଇ ସାରି ଯାଇ ଶୋଇଲି। ସୁଲୋଚନାକୁ ଯେତେ ହଲେଇ ଉଠେଇଲି ସେ ଉଠିଲେ ନାହିଁ। ଦିନ ସାରା ଗାଡି ଥକ୍କାକୁ ପୁଣି ଟି. ଟି. ପାର୍ଟି ର ଥକାନ। ତେଣୁ ସେ ନିଘୋଡ଼ ନିଦରେ ଶୋଇ ଯାଇଥାନ୍ତି। ଶଳାଟା ବି ଗୋଡ ହାତ ମେଲା କରି ଦାଣ୍ଡ ଘରଟାରେ ଅଛାଟ ହୋଇ ପଡ଼ିଥାଏ ।ଏ ଭାଇ ଭଉଣୀ ଦିଟା ଗଧ। ଥରେ ଶୋଇ ଗଲେ ୟାଙ୍କୁ ଡାକି ଡାକି ଥକିଲେ ବି ଉଠିବେ ନାହିଁ। ହୋସ୍ ହାୱାସ ଖୋ କର( ହରେଇ) ମଲାଙ୍କ ଭଳିଆ ପଡ଼ି ରହିଥିବେ। ଭଲ ହୋଇଛି, ଆଜି ଭୂତୁଣୀ ପାଖରୁ ଆଉ କିଛି ଶୁଣି ନେବା। ଟିକିଏ ସାହିତ୍ୟ ସାଧନାଟା କରି ସାରିଲା ବେଳକୁ ଏମାନଙ୍କ ନିଦଟା ବି ପାକଳ ହୋଇ ଯାଇଥିବ।
ତେଣୁ ପଢ଼ା ଘରକୁ ଚାଲିଲି। ଅନୁଷ୍କାକୁ ସ୍ମରଣ କଲି। ଡାକି ଡାକି ଥକିଲିଣି, ହେଲେ ତା’ର ବି ଆଜି ଦେଖା ଦର୍ଶନ ନାହିଁ। ଏମିତି ବେଳେବେଳେ ସବୁ ନିଷ୍ଫଳ ଯାଏ।
ଏତେଦିନ ପରେ ଘରକୁ ସୁଲୋଚନା ଟା ଆସିଥିଲା ଯେ, ଭଲ କି କଥା ପଦେ ହୋଇ ପାରି ନାହିଁ। ସେ ତାଙ୍କର ନିଦରେ ଶୋଇ ଘଙ୍ଗଡ଼ା ମାରୁଛନ୍ତି। ଏପଟେ ଅନୁଷ୍କା, ତା’ର କ’ଣ ହୋଇଛି କେଜାଣି, ଏମିତି କେଉଁ ବିଶେଷ କାମରେ ଭୂତୁଣୀ ମହାରାଣୀ ଯାଇଛନ୍ତି ଯେ, ତାଙ୍କର ବି ଗୁମାନ ଭାଙ୍ଗୁ ନାହିଁ। ମନଟା ଖରାପ ହୋଇଗଲା। ଶୋଇ ପଡ଼ିଲି। ଆଜି ଯେମିତି କାଳ ନିଦ୍ରାଟା ସମସ୍ତଙ୍କୁ ଘାରିଛି।
ଦିନେ ଦୁଇ ଦିନ ପରେ ଅନୁଷ୍କା ସହିତ ଯେବେ ମୋର ପୁଣି ଭେଟ ହେଲା, ସେ କହୁଥିଲା, ଏହି ଦିନର ଅନୁପସ୍ଥିତିର କାରଣଟା ଆଗ ମୁଁ ପଚାରିଲାଠୁଁ। ସେ ଯାହା କହିଥିଲେ ମୁଁ ତ ହସି ହସି ଗଡ଼ି ଯାଉଥିଲି, ଆପଣମାନେ ବି ଶୁଣିଲେ ହସି ହସି ବେଦମ ହେବେ।
ସେଦିନ କୁଆଡ଼େ ଗୋଟେ ବଡ଼ ହୋଟେଲରେ ଗୋଟେ ବଡ଼ ପାର୍ଟି ହେଉଥିଲା, ଯେଉଁଠିକି ଆମ ମୁଖ୍ୟ ପଇସାବାଲା ପ୍ରଯୋଜକ ବାବୁ ଯାଇଥିଲେ। ସେ ତ ଏ ସବୁଥିରେ ପ୍ରଚ୍ଛଦପଟ ଶିଳ୍ପୀ ମାନେ ମହାନାୟକ ଓରଫ ଖଳନାୟକ। ଯାହା ହେଲେ ବି ଖର୍ଚ୍ଚ ବାଚ ବାବୁ ଯେଣୁ ସବୁ କରନ୍ତି, ତେଣୁ ତାଙ୍କର ଆଦର ବେଶୀ। ତେଣୁ ଏଇ ଆଦରମଣି ଆଦରରେ ଆଉ ଗୋଟେ ନୂଆ ନାୟିକାକୁ ଫଶେଇ ତା ସହ ରାତ୍ରି ଜାପାନ କରିବା ପାଇଁ ମସୁଧା କରୁଥାନ୍ତି। ବାବୁଙ୍କର ତ ମାଷ୍ଟର ପ୍ଳାନ ଏଇ ବାଟ ଦେଇ ବେଶୀ ଫଳବତୀ ହୋଇଥାଏ। କିନ୍ତୁ ଅନୁଷ୍କାର ଏଇ କଥାଟା ଯେହେତୁ ମନରେ ତାଜା ହୋଇଥିଲା,ତେଣୁ ସେ ସେଠିକୁ ତା ଖବର ବୁଝିବା ପାଇଁ ଚାଲି ଯାଇଥିଲା। ସେ ନଜରଟାକୁ ଦ୍ୟାନ ସାମନ୍ତରାୟ ଉପରେ ଜମେଇକି ରଖିଥାଏ। ଦ୍ୟାନ ସାମନ୍ତ ରାୟର ଚାଲଟାକୁ ବୁଝିଗଲା ପରେ ସେ ସେଇ ଝିଅଟାକୁ ପଟେଇ ଖସେଇ ଦେଇଥିଲା ଓ ନିଜେ ସେଇ ଝିଅଟାର ବେଶ ପରିପାଟି ପରିହିତା ହୋଇ ହୋଟେଲର ତା ଉଦ୍ଦେଶ୍ଯରେ ଥିବା ନିର୍ଦ୍ଧିଷ୍ଟ କୋଠରୀକୁ ଧରି ଚାଲି ଯାଇଥିଲା। ଦ୍ୟାନ ସାମନ୍ତରାୟ ମନ ତ ନୂଆ ଛନ ଛନିଆ ଟୋକୀ ଦେଖି ଖାଲି କଲକଲ ହେଉଥାଏ। ସେତେବେଳକୁ ଖାଇପିଇ ହୋଟେଲରୁ ଅନ୍ୟାନ୍ୟ ସମସ୍ତ ଅତିଥି ଚାଲି ଯାଇଥାନ୍ତି ।ବାକି ରହି ଯାଇଥାନ୍ତି କେବେଳ ଲମ୍ପଟ ପୁରୁଷ ଦ୍ୟାନ ସାମନ୍ତରାୟ। ପ୍ରକୋଷ୍ଠ ଭିତରେ ଏମିତି ରସ ରସିଆ କଥା କହି ଅନୁଷ୍କା ତାକୁ ପ୍ୟାକ୍ ପରେ ପ୍ୟାକ୍ ଗୋଟେ ଗୋଟେ ନୂଆ ପ୍ୟାକ୍ ବନେଇ ବଡ଼ ସରଧାରେ ପିଆଇଲେ। ଯେତେବେଳେ ନିଶାଟା ତା ମୁଣ୍ଡ ଉପରକୁ ଚଢିଗଲା, ସେତେବେଳେ ତା ଗୋଡ ଗୁଡାକ ଖାଲି ଏପଟ ସେପଟ ପଡି ଗୋଟେ ରିଦିମ୍ ରେ ନର୍ତ୍ତନ କରିବାକୁ ଲାଗିଲା। ସେ ଭାବ ବିହ୍ଵଳ ହୋଇ ତା ସ୍ଵପ୍ନର ନାୟିକାକୁ ଖାଲି ଅଣ୍ଡାଳି ହେଉଥାଏ ।ପ୍ରେମ ଚିନ୍ତାମଣିର ପ୍ରେମ ଅନୁଚିନ୍ତା ମୁଖ ମଣ୍ଡଳ ଦେଇ ମୁଖ ଗହ୍ଵରରେ ବିଳିବିଳେଇ ଅନୁପ୍ରକାଶ ହେଉଥାଏ। ସେ ଖାଲି ନିଶାରେ ଟୁଳୁଟୁଳୁ ହୋଇ ଭୂମିରୁ ଅଣ୍ଡାଳି ହୋଇ ସ୍ଵପ୍ନ ନାୟିକାକୁ ଖଟ ତଳ ଉପର ଅଣ୍ଡାଳି ହେଉଥାଏ। ଅନୁଷ୍କା ତା ସହ ଲୁଚ କାଳି ଖେଳ କହୁଥାଏ। ପଡିଉଠି ଆଣ୍ଠୁ ଛିଡିଲା ବେଳକୁ ଅନୁଷ୍କା କାନ୍ଧରେ ଭାରା ଦେଇ ତାକୁ ଆଣି ତା ଗାଡି ପାଖରେ କଚି ଦେଲା। ଡ୍ରାଇଭର୍ ନେଇ ବାବୁଙ୍କୁ ଘରେ ପହଞ୍ଚେଇଲା ବେଳକୁ ବାବୁ ଆମର ପାଛିଏ କନ୍ତରୁ ହଗି ପକାଇଥାନ୍ତି। ଘରେ କବାଟ ଖୋଲିଲା ବେଳକୁ ଦୁଆର ମୁହଁରେ ପଡି ଭଳଭଳ କରି ବାନ୍ତି କରି ପକାଇଲା। କିନ୍ତୁ ନାୟିକା ନାଁଟା ତଥାପି ବିଳିବିଳି ହୋଇ ଘୋଷୁଥାଏ। ତେଣୁ ସ୍ତ୍ରୀ ପିଲାମାନେ ଭଲ ଭାବେ ତାଟିଏ ତାଟିଏ ଔଷଧ ଚଢ଼େଇଲେ ମାନେ ଘୃଣା ଓ ବିରକ୍ତିର ଅପଶବ୍ଦ। ତା ପରେ ପାଇପ୍ ପାଣିଟା ଆଣି ତା ଉପରକୁ ଛାଟି ରାତି ଅଧରେ ତିନ୍ତେଇ କାତରା କଲେ ଦୁର୍ଗନ୍ଧ ପାଣି ଗୁଡାକ ଘରେ ଓ ବାହାରେ ଲହଡ଼ି ଖେଳୁଥାଏ।ତିନ୍ତି ବୁଡି ସେ ଓଦାରେ ସରପଟା ହୋଇଥାଏ। ସମସ୍ତେ ଇଁ.. ହିଁ.. ହୋଇ ନାକରେ ହାତ ଦେଉଥାନ୍ତି। ଘୋଷାରା ଟଣା ଖାଇ ବୁଢ଼ା ପୂରାପୂରି ସାଇଜ୍ ହୋଇ ଯାଇଥାଏ। ହୋସ୍ ଆଇଲା ଯାଏଁ ଦୁଆର ମୁହଁଟାରେ ସେଇମିତି ପଡି ଥାଏ, ଯେମିତି ରୋଗୀଣା କୁକୁରଟା ଦୁଆର ମୁହଁରେ ରହି ଦଇଁ ପେଲୁଛି, କିନ୍ତୁ ଭାରି କୁକୁରୀଆ ଗନ୍ଧଉଛି । ଗନ୍ଧଟା ସହି ନ ହେଉଥିବାରୁ ସ୍ତ୍ରୀଟା ରାଗରେ ଗରଗର ହୋଇ ତା ଉପରେ ଫିନାଇଲ୍ ପକେଇ ଦେଇ ଥାଏ। ରାତି ପାହି ଆସିଲା ବେଳକୁ ବୁଢ଼ାର ନିଶାଟା ଟିକେ ଉତୁରି ଆସୁଥାଏ। ଅନୁଷ୍କା ଦୂରରେ ଥାଇ ମଜା ଦେଖି କିରିକିରି ହୋଇ ହସୁଥାଏ ଓ ତାଳି ମାରି ଉଦଣ୍ଡି ନାଚ ନାଚୁଥାଏ।।
ଏ କଥା ଅନୁଷ୍କା ପାଖରୁ ଯେଉଁଦିନ ମୁଁ ଶୁଣିଲି ଏମିତି ହସି ହସି ବେକଣ୍ଟ୍ରୋଲ ହୋଇ ଗଲି ଯେ, ଶେଷରେ ସୁଲୋଚନା ନିଦରୁ ଦୌଡ଼ି ଆସି କହିଥିଲା – “ସାହିତ୍ୟିକ ବାବୁ କ’ଣ ପାଗଳ ହୋଇ ଗଲ ନା କ’ଣ” ?

ଭାଗ – 10

କିନ୍ତୁ ମନେମନେ ଭାବୁଥାଏ- ଏ ଅନୁଷ୍କାର ସେ ଦ୍ୟାନ ସାମନ୍ତରାୟ ଉପରେ ଏତେ ରାଗ କାହିଁକି? ସେ ତ ତା ନାଁ ପଡିଲା କ୍ଷଣି ବା ଛାଇ ପଡ଼ିବା ମାତ୍ରେ ଖାଲି ଡେଉଁଛି, ଯେମିତି ପୁରୁଣା ରାଗ କିଛି ଅଛି। ତେବେ ଏଥର ଦେଖା ହେଲେ କାରଣାଟା ନିଶ୍ଚୟ ପଚାରି ବୁଝିବା ।
ସେଦିନ ଅନୁଷ୍କା ଆସିଥିଲା। ସାହିତ୍ୟ ସମ୍ପର୍କରେ କିଛି ଆଲୋଚନା ତ ନିଶ୍ଚୟ ହେଲା, ହେଲେ ମୁଁ ପଚାରି ବସିଲି
-“ଏହି ଦ୍ୟାନ ସାମନ୍ତରାୟ ସହିତ ତୁମର ସମ୍ପର୍କ କ’ଣ? ତା ଉପରେ ତୁମେ ଏତେ କ୍ଷୁବ୍ଧ କାହିଁକି” ??
ସେ କିଛି ସମୟ ନିଜ ସହିତ ବୋଧେ ନିଜେ ବିଚାର ବିମର୍ଶ କରୁଥିଲେ। କାହିଁକିନା ବେଶ୍ ଗମ୍ଭିର ହୋଇଯାଉଥିଲେ। ନିଜ ଭିତରେ ଜମାଟ ବାନ୍ଧି ରହିଥିବା କିଛି ଅବ୍ୟକ୍ତ ବେଦନାକୁ ପରିପ୍ରକାଶ କରିବାକୁ ହୁଏତ କୁଣ୍ଠିତ ହେଉଥିଲେ। ପୁଣି ମୋ ପ୍ରଶ୍ନକୁ ଦୋହରାଇ ମୁଁ ପ୍ରଶ୍ନବାଣ କଲି। ତେଣୁ ସେ ଇତଃସ୍ତତଃ ହୋଇଯାଇ ଆରମ୍ଭ କଲେ। କହିଲେ – ମଣିଷ ଅନ୍ୟର ଦୁଃଖ ଭାବକୁ ବ୍ୟକ୍ତ କରିବା ଯେତେ ସହଜ ହୋଇଥାଏ, ନିଜ କଥା ପଡ଼ିଲେ ସେ ଟିକେ ସଙ୍କୋଚ ଅନୁଭବ କରେ। କାରଣ ତହିଁରେ ବ୍ୟକ୍ତିଗତ ଭାବାବେଗ ଅଧିକ ଥାଏ, ଯହିଁରୁ ମଣିଷ ଅଧିକ ଦୁଃଖୀ ହୋଇଯାଏ। ତେବେ ତୁମେ ଖୁବ୍ ବେଶୀ ଆଗ୍ରହ ପ୍ରକାଶ କରୁଥିବାରୁ, ଏଭଳି ଏକ ଅବ୍ୟକ୍ତ ଯନ୍ତ୍ରଣାକୁ ବ୍ୟକ୍ତ କରିବାକୁ ମୁଁ ବାଧ୍ୟ ହେଉଛି। ଘଟଣାଟି ହେଉଛି ଗୋଟେ ଝଡ ବତାସିଆ ରାତି।
ସେଦିନ ରାତିରେ ଗୋଟେ ସାହିତ୍ୟାନୁଷ୍ଠାନ ତରଫରୁ ଗୋଟିଏ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ରଟିଏ ସହରର ଅନତି ଦୂରରେ ଅନୁଷ୍ଠିତ ହେଉଥିଲା। ଯେଉଁଥିରେକି ମୁଁ ବକ୍ତା ଓ ଦ୍ୟାନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେଣୁ ସଭାର ଶେଷ ପର୍ଯ୍ୟନ୍ତ ରହିବାକୁ ଆମେ ବାଧ୍ୟ ହୋଇଥିଲୁ। କିନ୍ତୁ ସଭାକାର୍ଯ୍ୟ ନିର୍ଘଣ୍ଟ କର୍ଯ୍ୟସୂଚୀର ସାମନ୍ୟ ବିଳମ୍ବରେ ସରିଥିଲେ ମଧ୍ୟ ଝଡ଼ ପବନ ପାଇଁ ଅନାବଶ୍ୟକ ଭାବେ ଆଉ ଟିକେ ବିଳମ୍ବ ହୋଇଥିଲା। ମୋତେ ବାଧ୍ୟ ହୋଇ ମୋ ସ୍କୁଟିରେ ମୋତେ ଏକୁଟିଆ ଫେରିବାକୁ ପଡିଥିଲା। ଯଦିଓ, ରାତ୍ରିର ଅନ୍ଧକାର ମନରେ ଭିତ୍ତି ସଞ୍ଚାର କରୁଥାଏ, ତଥାପି ମୋ ଜୀବନରେ ଯେତେକ ଅଘଟଣ ଘଟିବା କଥା ଠିକ୍ ସେଇଦିନ ହିଁ ସେଇ ବର୍ଷା ପବନ ରାତିରେ ସବୁ ଘଟି ଯାଇଥିଲା। ମୋର ବିଶେଷ ଭୁଲ ଥିଲା, ସେଦିନ ଗୋଟେ ବ୍ୟଂଗ କବିତା ଆବୃତ୍ତି ଛଳରେ ଆଜିର ଢୋଙ୍ଗି ବାବା, ଛଦ୍ମବେଶୀ ଓ ଆତ୍ମପ୍ରଚାର ସର୍ବସ୍ଵ ସାହିତ୍ୟିକ ଗୋଷ୍ଠୀ , ଆଦର୍ଶ ଓ ନିଷ୍ଠା ବିହୀନ ସମାଜପତି ଓ ଜନନାୟକ, କାଷ୍ଟିଙ୍ଗ କାଉଚର ପୁରୋଧା ଫିଲ୍ମନିର୍ମାତା ଆଦିଙ୍କୁ ତୀବ୍ର ଆକ୍ଷେପ ଓ ସମାଲୋଚନାମୂଳକ ସାହିତ୍ୟ ପରିବେଷଣ କରିବା।ମୋ ଭାଷଣର ଦିଗଭାଗ ମଧ୍ଯ ଠିକ୍ ଏହିପରି କିଛି ଥିଲା। ଯାହା ମୋତେ ବୁମେରାଂ ହୋଇଥିଲା। ମୋର ନିର୍ଭୀକ ଓ ସାହାସିକ ପଦକ୍ଷେପ ପାଇଁ ସେଦିନ ସଭା ସ୍ଥଳ ସିନା ତାଳି ଓ ହର୍ଷ ରୋଳରେ ପ୍ରକମ୍ପିତ ହୋଇଥିଲା, ମାତ୍ର୍ ମୋ ପାଇଁ ସତର୍କ ଘଣ୍ଟି ତୋଳିଥିଲା। ସମସ୍ତଙ୍କର ଶରବ୍ୟ ମୁଁ ହୋଇ ଯାଉଥିଲି। କିଏ କେତେ ପ୍ରକାର ହୁଏତ ମୋ ଉପରେ ପ୍ରତିଶୋଧ ପରାୟଣ ହୋଇ ଉଠୁଥିଲେ ବା ବଦଳା ନେବା ପାଇଁ ସୁଯୋଗ ଉଣ୍ଡି ହୋଇଥିବେ।
ଘଟଣାକ୍ରମେ ମୁଁ ଯେତେବେଳେ ସ୍କୁଟିରେ ଏକୁଟିଆ ଘରକୁ ଫେରୁଥିଲି, ମୋତେ କିଛି ଲୋକ ମୋ ଗାଡି ଆଗରେ ତାଙ୍କ ଗାଡିକୁ ଆଡା ପକାଇ ଅଟକେଇ ଥିଲେ ଓ ରାସ୍ତା ମଝିରୁ ତାଙ୍କ ଗାଡିକୁ ଉଠେଇ ନେଇ ଥିଲେ। ମୁଁ କାର ଭିତରେ ଛାଟିପିଟି ହେବାରୁ ମୋ ହାତଗୋଡ଼ ମୋ ପିନ୍ଧା ଶାଢ଼ି କାନିରେ ବାନ୍ଧି ମୋତେ ପଛପଟ ସିଟରେ ପକାଇ ଦେଇଥିଲେ। ମୁହଁରେ ବି କଳ ପାଟିଆ କରି ରୁମାଲ୍ ବାନ୍ଧି ଦେଇଥିଲେ। ମୁଁ ଏକଦମ୍ ନିରୁପାୟ। ମୁକ୍ତି ପାଇଁ କେତେ କାକୁତି ମୀନତି ହୋଇଥିବି ଯେ , ତାହା ଭୁକ୍ତ ଭୋଗୀ ନ ହେଲେ ଜଣେ ସହଜରେ ଉପଲବ୍ଧି କରି ପାରିବ ନାହିଁ।
ଗୋଟେ ପ୍ଲାଣ୍ଟେଡ ଜଙ୍ଗଲ ଭିତରେ ଏକାନ୍ତ ନିକାଞ୍ଚନ ଯାଗାରେ ମୋତେ ଗାଡିରୁ ଘୋଷାରି ଘୋଷାରି ଟାଣି ନେଇଥିଲେ। ସାମ୍ନାରେ ଦ୍ୟାନ ସାମନ୍ତରାୟ ଠୋ ଠୋ ହୋଇ ଅତି ଉତ୍କଟ ସ୍ଵରରେ ମୋତେ ତାଛଲ୍ଯ କରି ହସୁଥିଲା। ତା ଲୋକମାନେ ସେଠି ତା ପାଖରେ ମୋତେ ଏକୁଟିଆ ଛାଡ଼ି ଦୂରକୁ ଚାଲି ଯାଇଥିଲେ। ସେଠି ସେ ମନଇଚ୍ଛା ଶାଳୀ, ଖାନକୀ, ଛିଣ୍ଡାଳି କହି ଭୀଷଣ ଭାବେ ଗାଳି ଗୁଲଜ କଲା। କହିଲା – “କଣ ଦି’ ଅକ୍ଷର ପାଠ ପଢିଛୁ ବୋଲି ତୋର ତ କମ୍ ଗର୍ବ ନୂହେଁ ଲୋ ! ଭାବିଛୁ ସାଧା କାଗଜରେ ଗାରେଇ ପକେଇଲୁ ବୋଲି ଆମ ଇଜ୍ଜତକୁ ହକାଳି ପକାଇବୁ। ହୋଉ ଦେଖିବା! ମୁଁ ତୋ କାଗଜରେ ଏବେ ଗାରେଇ ପକେଇବି ତୁ କେମିତିକା ସତୀ ଶିରୋମଣୀ ରାଧା ହୋଇ ସମାଜରେ ମୁହଁ ଟେକିବୁ। ତୁ ବିଛା ମନ୍ତ୍ର ନଜାଣି ସାପ ଲାଙ୍ଗୁଡ଼ରେ ହାତ ମାରିଦେଇଛି ମାନେ ଆଉ ତୋର ନିସ୍ତାର ନାହିଁ। ଏଥର ସେ ନିଜ ଦେହରୁ ଲୁଗା ପଟା ଖୋଲିଲା। ମୋର ଦେହରୁ ବନ୍ଧନ ଫିଟାଇ ଜଙ୍ଗଲଟା ସାରା ଗୋଡାଇ ଗୋଡାଇ ଖେଦିଲା। ମୋ ସହିତ ବାଘ ଛେଳି ଖେଳ ଖେଳିଲା। ମୁଁ ଯେତେ ବିକଳ ହୋଇ ଏପଟ ସେପଟ ଧାଉଁଥାଏ ସେ ସେତେ ମଜ୍ଜା ଦେଖିବା ପାଇଁ ଆଗ ଆସି ଛେକୁଥାଏ। ମୁଁ ବିକଳ ହୋଇ ଈଶ୍ୱରଙ୍କୁ ସୁମରଣା କରୁଥାଏ, ସେ ନିର୍ଦ୍ଦୟ ଭାବେ କହୁଥାଏ – “ଡାକ କୋଉ ଘଇତାକୁ ଡାକିବୁ! ମୁଁ ଦେଖେ, ସେ ଆସି କେମିତି ମୋ କବଳରୁ ତୋତେ ଉଦ୍ଧାର କରୁଛି। ମୋତେ ଦୌଡ଼େଇ ଦୌଡେଇ ବଡ଼ ନିର୍ଦ୍ଦୟ ଭାବେ ହାଲିଆ କରି ସାରିଲା ପରେ ମୋ ଉପରକୁ ଝାମ୍ପି ପଡିଲା।ସେତେବେଳକୁ ମୋ ଦେହରେ ଆଉ ବଳ ନଥାଏ – ହଲିବାକୁ। ସେ ଲମ୍ପଟ ମୋ ଶରୀରଟାକୁ କ୍ଷତ ବିକ୍ଷତ କରି ଝୁଣି ଖାଇ ସାରିଲା ବେଳକୁ ମୋ ପ୍ରାଣବାୟୁ ଉଡିଗଲା ପ୍ରାୟ ମୁଁ ମଲାବତ୍ ପଡି ରହିଥିଲି । ଭୟରେ ସେ ତା ଲୋକ ମାନଙ୍କୁ ଡାକିଲା। ସେମାନେ ମୋତେ ଗାତ ଖୋଲି ସେଇ ଜଙ୍ଗଲ ଭିତରେ ଜୀଅଁନ୍ତା ସମାଧୀ ଦେଇଦେଲେ।
ସେମାନେ ବି ମୁଁ ବଞ୍ଚିଛି କି ମରିଛି ଆଉ ଭାବିବାକୁ ସମୟ ନେଲେ ନାହିଁ, ବରଂ ରାତି ପାହି ଆସୁଥିବା ଦେଖି ତୁରନ୍ତ ଗୋଟେ ଗାଢ଼ା ଖୋଳି ତହିଁରେ ମୋତେ ପୋତି ଦେଇଥିଲେ।
ପରେ ଶିଆଳ ବିଲୁଆ ମୋ ସମାଧୀ ଉପରୁ ମାଟି ଗୁଡାକ ଟାଣି ପକାଇବାରୁ ମୋ ଗଳିତ ଶବ ଉଦ୍ଧାର ହୋଇଥିଲା। କେସର କିନ୍ତୁ ନାଁ ଗନ୍ଧ ନାହିଁ, ସବୁ କେମିତି ଚାପି ହୋଇଗଲା। ସମ୍ବାଦ ପତ୍ରରେ ବାହାରିଲା “ସାହିତ୍ୟିକା ଅନୁଷ୍କାଙ୍କ ରହସ୍ୟ କନକ ଭାବେ ମୃତ୍ୟୁ” । ଆଉ ମୋ ଉଦ୍ଦେଶ୍ଯରେ ସହରରେ ବୁଦ୍ଧିଜିବୀ ଓ ସାହିତ୍ୟନୁରାଗୀ ଦ୍ଵାରା ପାଳିତ ଶୋକ ସଭାରେ ଦ୍ୟାନ ସାମନ୍ତରାୟ ଯୋଗ ଦେଇ ମୋ ଗୁଣ ଗ୍ରାମର ଖୁବ୍ ଆକାଶ ଛୁଆଁ ପ୍ରସଂଶା କରିଥିଲା।ମୋର ତୈଳ ଚିତ୍ର ଉପରେ ପୁଷ୍ପମାଲ୍ୟ ଓ ପୁଷ୍ପ ଗୁଚ୍ଛ ଦେଇ ମୋ ଆତ୍ମାକୁ ଖୁବ୍ କଷ୍ଟ ଦେଇଥିଲା। ସେଇ ସେତକ ଯାହା ମୋ ମୁକ୍ତିର ବାଟ ଓ ମୋ ଅତୃପ୍ତ ଆତ୍ମାର ନିଆଁ।
ନୀରବରେ ଦେଖୁଛି, ଦ୍ୟାନ ସାମନ୍ତରାୟ ପରି ଲୋକମାନେ ଆଜି କେମିତି ସମାଜରେ ସମାଜପତି ହୋଇ ଉଚ୍ଚ ସୋପାନରେ ଅୟସ ଆରାମରେ ବସି ରହିଛନ୍ତି ଆଉ ଆର ଦଳୀୟାକ କେତେଦିନ ସେମାନଙ୍କ ସମର୍ଥନରେ ତାଳି ମାରି ମଜା ଦେଖୁଛନ୍ତି ।ଆଉ ମଧ୍ୟ ଦେଖିବାକୁ ବାକି ରହିଲା ସତ୍ୟ ଧର୍ମ ଓ ନ୍ୟାୟର ନାଗରା ପିଟୁଥିବା ସ୍ଵଳ୍ପ ନ୍ୟାୟିକ ଗୋଷ୍ଠୀ ଏ ସଂଘର୍ଷରେ ହାରି ହାରି କ’ଣ ଶିଖୁଛନ୍ତି ଓ ନିଜ ସଂଘର୍ଷକୁ ଆଗକୁ କେତେବାଟ ବୋହି ନେଇ ପାରୁଛନ୍ତି।ଏ କଥା କହିଲା ବେଳକୁ ଭୂତୁଣୀ ଅନୁଷ୍କା ବଡ଼ ବିଷାଦିତ ହୋଇ ଯାଇଥିଲା ଆଉ ମୋତେ ମଧ୍ଯ ବିଷାଦିତ କରି ଦେଇ ଅନେକ ବସ୍ତୁର ହେତୁ ନିରୂପଣ ସକାଶେ ଏକାକୀ ଛାଡି ଚାଲି ଯାଇଥିଲା।

ଭାଗ-11

ସୁଲୋଚନା ଏହା ଭିତରେ ଆସିବାର କେତେଦିନ ବିତିଗଲାଣି। ତଥାପି ସ୍ୱାଭାବିକ ହୋଇ ପାରୁ ନାହିଁ ସ୍ଥିତି । ବେଳେ ଖରା ବେଳେ ଛାଇ, ସୁଖ ଦୁଃଖର ଲୁଚକାଳି ଭିତରେ ଜୀବନ ଦୁର୍ବିଶହ ପାଲଟୁଥାଏ ।ସଂସାରର କଠୋର ନିୟମାନୁବର୍ତ୍ତି ଜୀବନ ବେଶ୍ ଧାଉଁଥିଲେ ହେଁ ସୁଲୋଚନା ଭିତରେ ମଲ୍ଟି ପର୍ସନାଲିଟି ବା ଡବଲ ପର୍ସନାଲିଟି ରୂପ ପରିଳକ୍ଷିତ ହେଉଥାଏ। କେତେବେଳେ ସେ ପ୍ରସନ୍ନ ତ ପୁଣି ଉଦାସୀନ, ବିଷର୍ଣ୍ଣ ମୁଖମଣ୍ଡଳ । ମୋ ସହ ବେଭାର ଆଚାର ମଧ୍ୟ ଠିକ୍ ସେଇ ଢାଞ୍ଚାରେ। ମୁଁ ସୁଲୋଚନାର ଏତେଟା ଦୋଷ ଦେଇ ପାରିବି ନାହିଁ। କାରଣ ତାଙ୍କ ବିରକ୍ତି ହେବା ମଧ୍ୟ କିଛି ଅସ୍ୱାଭାବିକ ନୁହେଁ । ଯାହା ମୁହଁ ଚାହିଁ ସେ ଏ ଘରକୁ ଆସିଥିଲେ, ସେ ତ ସାହିତ୍ୟ ସାରଥି। ସାହିତ୍ୟ ପଛରେ ପଡି ତାଙ୍କ ସମୟ ଗୁଡାକ ବରବାଦ ହେଉଛି। ଦିନରେ ଅଫିସ, ସନ୍ଧ୍ୟାବେଳେ ନିଜକୁ ଅପଡେଟ୍ ରଖିବା ପାଇଁ ଟି. ଭି. ରୁ ଦେଶ ବିଦେଶର ଖବର ଶୁଣିବା ଓ ରାତି ହେଲେ ସମସ୍ତେ ବିଛଣାକୁ ଯାଉଥିବା ବେଳେ ଇଏ ଚୋରଙ୍କ ଭଳିଆ ସୁଲୋଚନାଙ୍କ ଆଖିକୁ ଚାହିଁଥାନ୍ତି। ଟିକେ ତାଙ୍କ ଆଖିକୁ ନିଦ ଘୋଟି ଆସିଲେ ଇଏ ଛପିଛପି ନିଜ ପଢ଼ା ଟେବୁଲ୍ ପାଖକୁ ଖସି ଯାଆନ୍ତି। ଭୂତୁଣୀକୁ ଡାକି ସାହିତ୍ୟ ଆଲୋଚନାରେ ନିମଗ୍ନ ରହନ୍ତି । ବହୁ ସମୟରେ ରାତିରେ ସୁଲୋଚନାର ନିଦ ଭାଙ୍ଗିଗଲେ ଅଣ୍ଡାଳିଲା ବେଳକୁ ବାବୁ ବିଛଣାରେ ନଥାନ୍ତି। ତେଣୁ ଖୋଜିଖୋଜି ସେ ଆସି ପଢ଼ା ଘରେ ଆବିଷ୍କାର କରନ୍ତି। ତେଣୁ କେତେବେଳେ ସନ୍ଦେହ ଓ ବିରକ୍ତି ଆସିବା ସ୍ୱାଭାବିକ। ଏ ସାହିତ୍ୟିକ ମାନଙ୍କର ଜୀବନଟା କ’ଣ ସତରେ ଏୟା? ୟାଙ୍କୁ ପରା ଘଡିଏ ଫୁରୁସତ୍ ହେବ ନାହିଁ, ଖାଲି ଅହରହ ସେଇ ନିଶାରେ ଜୁଡ଼ୁବୁଡ଼ୁ।
ଘର ପରିବାର କରି ସମସ୍ତଙ୍କୁ ତାଙ୍କ ହିସାବରେ ଟିକିଏ ସମୟ ଦେବା କଥା କି ନୂହେଁ? କିନ୍ତୁ ଏ କଥା ହୋଇପାରେ ନାହିଁ। ତେଣୁ ଯିଏ ନାହିଁ ସିଏ ଅସନ୍ତୋଷ ହେବା ସ୍ୱାଭାବିକ। ମୁଁ ତ ଅନ୍ୟ କାହାରି ସର୍ବନିମ୍ନ୍ ଆବଶ୍ୟକତା ଟିକକ ବି ପୂରଣ କରି ପାରେ ନାହିଁ କି ବଜାର ଘାଟରୁ ସୌଦା ପାତି ବି ଠିକ୍ ସେ ମୋ ଦ୍ଵାରା ହୋଇ ପାରେ ନାହିଁ। ଯଥାର୍ଥରେ ଗୋପାଳ ଚନ୍ଦ୍ର ପ୍ରହରାଜ କହିଛନ୍ତି, ଏଗୁଡାକ ସବୁ ଦୋନା ବୁଡିଆ ନୀତି। ତେଣୁ ଆମ ଦ୍ୱାରା ନା ସଂସାର କାମ ଠିକ୍ ସେ ହୋଇ ପାରୁଛି ନା ସାହିତ୍ୟ। ସବୁ ଅଧା ଖଣ୍ଡିଆ, ସବୁ ଅଧା ପନ୍ତରିଆ- ସବୁଥିରେ ଅସଫଳ ।
ତେବେ ଏଇ କିଛିଦିନ ହେବ, ସୁଲୋଚନା ଏମିତି ବାଘୁଣୀ ଭଳିଆ ହେଉଛି କାହିଁକି? ତା ଭିତରେ ଆଉ ଅନୁଷ୍କା ଭୂତୁଣୀ ପଶି ହଲାପଟା କରୁ ନାହିଁ ତ? ଅନୁଷ୍କାର ସବୁ ଭଲ ଯେ, ହେଲେ ମୋ ପ୍ରତି ତା’ର ଦୃଷ୍ଟିଭଙ୍ଗୀ ଓ ଆଭିମୁଖ୍ୟ ସେତେ ସୁସ୍ପଷ୍ଟ ନୂହେଁ। କାରଣ ମୁଁ ତ ନିଜେ ଦୋ ଘାଇରେ ରହିଯାଇ ସନ୍ଦେହରେ ପଡିଯାଉଛି। ତା ଛଡା ଯେତେ ଭଲ ଆତ୍ମା ହେଲେ ବି ଏଇ ଭୂତ ଭୂତୁଣୀକୁ ପରା ବିଶ୍ବାସ କରି ହେବ ନାହିଁ। ଏମାନଙ୍କର କେତେବେଳେ କେଉଁ ରୂପ ତା ମଧ୍ଯ ଭଗବାନଙ୍କୁ ଅଗୋଚର ।
ଏଇ ଭୂତଲୋକର ଅଶରୀରୀ ଆତ୍ମାମାନେ ବିଭିନ୍ନ କାଣ୍ଡ କାରଖାନା ସ୍ରୁଷ୍ଟି କରିବାରେ ଧୂରୀଣ ବ୍ୟକ୍ତିତ୍ୱ।
ତେବେ ମୋତେ ସୁଲୋଚନାକୁ ଟିକେ ଅଧିକ ସମୟ ଦେବା ନିହାତି ଉଚିତ୍। ଜଣେ ସାହିତ୍ୟିକର ମନସ୍ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀ ନେଇ ବିଚାର କଲେ, ମୋତେ ଲାଗେ ସୁଲୋଚନା ମୋତେ ଖୁବ୍ ଭଲପାଏ। ତେବେ ଆମ ଭଲ ପାଇବାରେ ଯେମିତି କାହାର ନଜର ଲଗି ଯାଇଛି। ସେ ଏବେ ସବୁକଥାରେ ଖାଲି ଭିଣିଭିଣି ହେଉଛନ୍ତି।ଅବଶ୍ୟ ଅନୁଷ୍କା ଆସିବା ପରେ ଓ ମୋ ସାହିତ୍ୟିକ ପ୍ରତିଭା ବିକାଶ ହେବା ଫଳରେ ମୋ ଭାବଭଙ୍ଗୀରେ ସାମନ୍ୟ ପରିବର୍ତ୍ତନରେ ସୁଲୋଚନା ଏକଦମ୍ ଅତିଷ୍ଠ ହୋଇ ଉଠୁଛି। ତେଣୁ ନିଜର ଅସନ୍ତୋଷ ଓ କ୍ରୋଧକୁ ଜାହିର୍ କରିବା ପାଇଁ ସେ ହୁଏତ ଥେଣ୍ଟେଇ କି ଇମିତି କଥା ହେଉଛି ବ କେତେବେଳେ ବାକ୍ଯ ବାଣ ମାରି ଠେସା କଥା କହୁଛି । କାମଧନ୍ଦା କରିବା ମଝିରେ ଢୋ ଢା, କଚଡା ନଚଡାରୁ ମଧ୍ଯ ତାଙ୍କ ଅସନ୍ତୋଷତାର ସ୍ପଷ୍ଟ ଆଭାସ ମିଳିଯାଏ।
ତେବେ ମୁଁ କ’ଣ କରିବି ଯେ! ମୁଁ ତ ଏ ଭୂତୁଣୀମାନଙ୍କ ମେଳରେ ଭୂତ ପାଲଟି ଯାଇଛି। କେତେବେଳେ କେଉଁ କାମ କରିବି ନିଜେ ହିଁ ଠିକ୍ କରି ପାରୁ ନାହଁ। ରାତିରେ ସତସତିକା ଭୂତୁଣୀର ପ୍ରାର୍ଦୁଭାବ ଓ ଦିନରେ ଜୀଅନ୍ତା ଭୂତୁଣୀର ଡିଆଁଡେଇଁ ଓ ତାନା ମରା କଥା। ମୁଁ ଆଉ ଦି ଆଡକୁ ଦି ଫାଳ ହୋଇ ଟାଣି ହୋଇ ଯାଇ ଚିରି ହୋଇ ଯିବି କି? ଏଥିରେ କାହାକୁ ସମ୍ଭାଳିବା କଥା ସମ୍ଭାଳ। ଅଫିସବାଲା କୋଉ ସହଜରେ ଛାଡୁଛନ୍ତି କି? ସେମାନେ ବି କାମ ଆଦାୟ କରିବାରେ ବ୍ୟସ୍ତ। ସେମାନେ ବି ଟିକେ କଥାରେ ମାଡ଼ି ବସୁଛନ୍ତି ନହେଲେ ଭୂତୁଣୀ ଭଳିଆ ଡରାଉଛନ୍ତି ।ତେଣୁ ଦି ଫାଳ କ’ଣ ମୁଁ ତ ତିନି ଫାଳ ହେବାକୁ ବାଧ୍ୟ। ତେଣୁ ମଣିଷ ମଲା। ଏଥର ପ୍ରକୃତ ନାଟ ଦେଖିବେ ପାଠକେ ଓ ଘିରିଘିରି ହୋଇ ନାଚିବେ ଲେଖକ। ଚାଲନ୍ତୁ ଆଗକୁ ଦେଖିବା! ବହି କୁଆଡ଼େ ଯାଉଛି ।

ଭାଗ-12

ସେଦିନ ବିଭିନ୍ନ୍ କଥାକୁ କେନ୍ଦ୍ର କରି ଝଗଡ଼ା ଝାଣ୍ଟି ହେବାରୁ ସୁଲୋଚନା ମୁହଁ ମାଡି କବାଟ କିଳି ଘରେ ଯାଇ ଏକୁଟିଆ ଶୋଇଲା। ମୋ ମୁଣ୍ଡ ଏଇ ସବୁ ସମସ୍ୟାରେ ପେଶି ହୋଇ ଏକଦମ୍ ଭାରକ୍ରାନ୍ତ ହୋଇଯାଉଥାଏ। ମୁଁ ତ୍ରାହି ମାଂ ତ୍ରାହି ମାଂ ଡାକି ଶରଣ ପଶୁଥାଏ।ମୋ ମୁଣ୍ଡ କିଛି କାମ କରୁ ନଥାଏ । ଭାବିଲି ଆଜି ଅନୁଷ୍କାକୁ ଡାକି କହିବି – ଯେତିକି ହେଲା ହେଲା, ଆଉ ସେ ଆସିବା ଦରକାର ନାହିଁ କି ମୋର ସାହିତ୍ୟ ସାଧନା ଆଉ କରିବାର ନାହିଁ। କାରଣ ମୁଁ ଏତେ ଆଉ ମାନସିକ ଚାପରେ ରହି ପାରିବି ନାହିଁ।ଯେତିକି ସାହିତ୍ୟିକର ଗୌରବ ମୁଣ୍ଡେଇବା କଥା ମୁଣ୍ଡେଇ ସାରିଲିଣି। କିନ୍ତୁ ସବୁ ବେଳେ ଗୋଟେ କେଟେ କେଟେ ଭିତରେ କିଏ ରହିବ କହୁ ନାହାଁନ୍ତି? ପୁଣି ଶାନ୍ତି ବୋଲି ଗୋଟେ କିଛି ଜିନିଷ ଅଛି କି ନାହିଁ, ଯାହା ପଛରେ ମଣିଷ ଅହରହ ଦୌଡ଼ି ଗୋଡ ହାତ ଛିଡାଏ ? କାହିଁ ସେ ଟିକକ ତ ମୋ ଭାଗ୍ୟରେ ଜୁଟିଲା ନାହିଁ, ଯାହା କଲେ ତ ଅଶାନ୍ତି ଅଧିକ ବଢୁଛି। ଅଶାନ୍ତି ଓ ଅସନ୍ତୋଷର କରାଳ ଛାୟା ମୋତେ ଗ୍ରାସ କରୁଛି। ଯେକୌଣସି ମାର୍ଗ ଆଜିକାଲି ଆପଣାଉଛି, ତାହା ସମାଧାନର ପନ୍ଥାଟିଏ ଦେଖାଇବା ପରିବର୍ତ୍ତେ ବରଂ ଅଶାନ୍ତିର ଦାବାନଳ ଭିତରକୁ ଅଧିକ ମୋତେ ଠେଲି ଦେଉଛି। ମଣିଷ ସେଥିରେ ଧନ୍ଦିଧୁନ୍ଦି ହୋଇ ଅଣନିଶ୍ଵାସୀ ହୋଇ ପଡିବ ଅସମ୍ଭବ ନୂହେଁ। ମୁଁ ବା ସେଥିରୁ ବାଦ ପଡ଼ନ୍ତି କେମିତି? ପରନ୍ତୁ ଏଥିରୁ ନିସ୍କୃତି ସକାଶେ ଏ ସବୁଥିରୁ ବିରତ ରହିଯିବା ଭଲ।
ତେଣୁ ଅନୁଷ୍କାକୁ ଡାକି ଗୋଟେ ଶେଷ ନିଷ୍ପତ୍ତି ନେବାକୁ ସ୍ଥିର କଲି। ଭାବିଲି ତା ଠାରୁ ବିଦାୟ ନେଇଯିବା ବରଂ ଶ୍ରେୟସ୍କର । ଅନୁଷ୍କା ମୋ ମନ ଭାବକୁ ବେଶ୍ ପଢି ଏକ ଭିନ୍ନ ବେଶ ପରିପାଟୀରେ ମୋ ନିକଟରେ ଆସି ସେଦିନ ଉଭା ହେଲା। ପଚାରିଲି-” ତୁମେ କ’ଣ ଆଜି କଲେଜ ବେଳାର ପୋଷାକ ପରିହିତା ହୋଇ ଆବିର୍ଭୁତା ହୋଇଛ? ଏମିତି କେଉଁ ପରିସ୍ଥିତି ବାଧ୍ୟ କଲା ଯେ, ତୁମେ ଆଜି ଖୁବ୍ ପଛକୁ ଫେରି ଯାଇଛ? ପୁଣି ତୁମ ମୁହଁଟା ମୋତେ କାହିଁକି ଚିହ୍ନିଲା ଚିହ୍ନିଲା ଲାଗୁଛି। ତୁମେ ତ ମୋ ସହରର ସାହିତ୍ୟିକା ଅନୁଷ୍କା ନୁହଁ? ତୁମେ ତେବେ କ’ଣ ଭିନ୍ନ୍ ଏକ ଆତ୍ମା, ଅନୁଷ୍କାର ଅନୁପସ୍ଥିତିରେ proxy ପକାଇବାକୁ ଚାଲି ଆସିଛ? ତୁମେ ଯେମିତି ମୋତେ ଲାଗୁଛ ଦୀର୍ଘ ତିରିଶ ବର୍ଷ ତଳର ମୋ ସହିତ ପଢୁଥିବା ତୁମେ ହେଉଛ ସେଇ ଅନୁଷ୍କା ।ମୋ କଲେଜରେ ମୋ ତଳ ଶ୍ରେଣୀରେ ପଢୁଥିବା ଅନୁଷ୍କା। ଯାହା ସହିତ ଏକ ବିଶେଷ ମୁହୂର୍ତ୍ତରେ ମୋର ଗୋଟେ ସମ୍ପର୍କ ଯୋଡି ହୋଇ ଯାଇଥିଲେ ବି ତା ପରର ଆଉ ବିଶେଷ ସମ୍ପର୍କ କିଛି ନଥିଲା।
ବା କେଉଁଠି କେମିତି ଆଉ ଦେଖା ବି ହୋଇ ନଥିଲା। ଅବଶ୍ୟ ବେଳେବେଳେ ଏ ମନଟା ତାକୁ ଯେ ଖୋଜି ହେଉନଥିଲା, ସେ କଥା ନୂହେଁ ।କିନ୍ତି ସେ ତ ବହୁ ପିଛିଲା ଦିନର ଘଟଣା, ଯାହା ଆଜି ବିସ୍ମୃତ ପ୍ରାୟ ହେଲାଣି। କାହିଁ ତା’ର ସ୍ପଷ୍ଟ ରୂପ କାନ୍ତି ମୋ ନଜରକୁ ତ ଆସୁ ନାହିଁ। ତା ଛଡା ସେ କଥା ଆଜି ଆଉ ମନେ ପକାଇ ବା ଲାଭ କ’ ଣ? ସେ କିନ୍ତୁ ଖୁବ୍ ଉତ୍ସାହିତ କରି କହିଲେ – “ଠିକ୍ ସେ ମନେ ପକାଅ ତ, ସେ କେଉଁ ଘଟଣା ଓ କେବେ ଏବଂ କେଉଁଠି ଘଟିଥିଲା। ମୁଁ କହିଲି- ନା ସେମିତି କିଛି ସ୍ପଷ୍ଟ ମନେ ପଡୁ ନାହିଁ। ତେବେ ସେ ମୋତେ ମନେ ପକାଇବାର ସାହାଯ୍ଯ କରିବାକୁ ପାଇଁ କହିଲେ -” ହଁ ଆଉ ଟିକେ ପଛକୁ ଫେରିଯାଇ ମନେ ପକାଅ ତ, ତୁମେ ଗୋଟେ କଲେଜରେ ପାଠ ପଢୁଥିଲ। ଏଣୁ ଗୋଟେ ଟେମ୍ପୁ, ତେଣୁ ଗୋଟେ କଲେଜ ପଢୁଆ ଝିଅ ସ୍କୁଟିରେ ଆସୁଥିଲା। ତୁମକୁ ରାସ୍ତା ସେପଟରୁ ଥାଇ ତୁମର କେହି ସାଙ୍ଗ ତୁମକୁ” ଓଡ଼ିଆ” ବୋଲି ସମ୍ବୋଧନ କରି ଡାକିଦେବାରୁ ତୁମେ ହିତାହିତ ଜ୍ଞାନ ହରାଇ କ୍ଷଣକେ ଅପ୍ରତିଭ ହୋଇଗଲ। ଅତରସିଆ ସେପଟକୁ ରୋଡ଼ କ୍ରସ୍ କରିଯିବ ବୋଲି ଭାବି ରୋଡ଼ ମଝିକୁ ଚାଲି ଆସିଲ। ଟେମ୍ପୁ ଆଉ ସ୍କୁଟି ମଝିରେ ତୁମେ। ସ୍କୁଟିରୁ ଝିଅଟି ଛିଟିକି ଯାଇ ଗୋଟେ କଡରେ ପଡିଗଲେ ବି ତା’ର ଆଞ୍ଚୁଡା ଦାଗ ବ୍ୟତୀତ ବିଶେଷ କିଛି କ୍ଷତ ହୋଇ ନଥାଏ। ହେଲେ ତୁମ ହାତ ପଡି ଟେମ୍ପୁର ସାମ୍ନା କାଚ ଭାଙ୍ଗି ଯିବାରୁ ଟେମ୍ପୁ ଡ୍ରାଇଭର୍ ଗୁରୁତ୍ୱର ସହ ଆହତ ହେଲା। ଟେମ୍ପୁର ସାମ୍ନା ଲୁହା ବାର୍ ମଧ୍ୟ ତୁମ ମୁଣ୍ଡରେ ବାଜି ଫାଟିଗଲା ଓ ଧାରଧାର ହୋଇ ରକ୍ତ ଝିରିଝିରି ବହୁଥିଲା । ହେଲେ କଲେଜ ସାଙ୍ଗ ସାଥି ସବୁ ଆସି ସଙ୍ଗେ ସଙ୍ଗେ ସମସ୍ତଙ୍କୁ ମେଡିକାଲ୍ ବୋହି ନେଲେ, ଯେହେତୁ ଘଟଣାଟି ଠିକ୍ କଲେଜ ଗେଟ୍ ସାମ୍ନାରେ ଘଟିଥିଲା।
ମୁଁ ଯେମିତି କିଛି ସମୟ ପାଇଁ ଫ୍ଲାସ୍ ବ୍ୟାକରେ ପଛକୁ ଚାଲି ଯାଇଥିଲି, ହଠାତ୍ ଚିତ୍କାର ଛାଡି କହିଲି – ହଁ ହଁ ମୋର ସବୁ ମନେ ପଡି ଯାଉଛି।କପାଳରେ ହାତ ବୁଲାଇ – ଏବି ବି ମୋ ମୁଣ୍ଡରେ ସେ କଟା ଦାଗ ଦିକ୍ ଦିକ୍ ହୋଇ ଜଳୁଛି, ମୋ ସ୍ମୃତି ଭାଲପଟେ ସ୍ମୃତି ଟିଏ ହୋଇ ରହିଛି ।
ସେଦିନ ମୁଁ କଲେଜରେ ଅନର୍ସ କ୍ଲାସ୍ ଆଟେଣ୍ଡ କରିବା ପାଇଁ ତରବର ହୋଇ ଯାଉଥାଏ। ଗେଟ୍ ପାଖରେ ହୋଇଛି କି ନାହିଁ ଶୁକ୍ଲା ବୋଲି ବନ୍ଧୁ ଜଣେ ଓଡ଼ିଆ ବୋଲି ଚହଳ ପକାଇବାରୁ ମୁଁ ହଠାତ୍ ରୋଡ଼ ଅତିକ୍ରମ କରି ଯାଉଥିଲି।। ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଜକୁ ଖୋଜି ପାଇଲାଠୁଁ ମେଡିକାଲରେ ଯାଇ ପାଇଲି। ମୋ ମୁଣ୍ଡରେ ଷ୍ଟିଚ୍ ପଡୁଥାଏ। ମୁଁ ଯନ୍ତ୍ରଣାରେ ଚିତ୍କାର କରୁଥାଏ। ମୋ ମୁଣ୍ଡ ତଳେ ତକିଆ ପରି ଦୁଇଟି କୋମଳ ହାତ ରହିଥାଏ। କାହାର ବୁନ୍ଦାଏ ଅଶ୍ରୁ ମୋ ମୁହଁ ଉପରେ ନିଗିଡି ପଡିବାରୁ, ମୁଁ ଉପରକୁ ଚାହିଁଥିଲି ସରଳ ନାରୀ ମୂର୍ତ୍ତିଟିଏ ନିଜକୁ ଦୋଷୀ ମଣି ଛିଡା ହୋଇଥାଏ। ତା ଆଖି ସେଦିନ ଅନେକ କଥା କହୁଥାଏ, ମୋତେ ବିଚିତ୍ର ଅନୁଭବ ହେଉଥାଏ।
ଅନୁଷ୍କା କହିଲା – “ହଁ ସେଇ ପାଖରେ ଟେମ୍ପୁ ଡ୍ରାଇଭର୍ ବି ଖଣ୍ଡିଆ ଖାବଡା ହୋଇ ଡ୍ରେସିଂ ହେଉଥାଏ। ଏଥିରେ ପ୍ରକୃତରେ କାହାର ଦୋଷ ଥାଏ କହିହେବ ନାହିଁ। କିନ୍ତୁ ଝିଅଟି ଭାବୁଥାଏ – ତା ନୂଆ ସ୍କୁଟି ଚଲାର ତ୍ରୁଟି ଯୋଗୁଁ ହୁଏତ ଏ ଦୁର୍ଘଟଣା ଘଟିଥିଲା। ତେଣୁ ସେ ମନେମନେ କ୍ଷମା ଭିକ୍ଷା କରୁଥିଲା ଓ ତୁମକୁ ଆରାମ ହେବ ବୋଲି ଭାବି ତୁମ ମୁଣ୍ଡ ତଳେ ତା ହାତକୁ ତକିଆ କରି ରଖି ନିଜ ଦୋଷ ମାର୍ଜନା କରୁଥିଲା। ତୁମର ଷ୍ଟିଚ୍ ପଡିଲା ବେଳେ ତୁମକୁ କାଳେ କଷ୍ଟ ହେଉଥିବ, ସେ କଥା ଅନୁମାନ କରି ଝିଅଟି କାନ୍ଦି ପକାଉଥିଲା।
ମୁଁ କହିଲି – “ହଁ ସତେ ଯେମିତି ମୋ ଠାରୁ ତାକୁ ଅଧିକ କଷ୍ଟ ହେଉଥାଏ। ସେ ତ ବଡ଼ ବ୍ୟତିବ୍ୟସ୍ତ ହୋଇ ପଡୁଥାଏ। ପୁଣି ମୁଁ ମେଡିକାଲରେ ସାତ ଦିନ ରହିଲି। ଘର ଲୋକ ବ୍ୟସ୍ତ ହେବେ ବୋଲି କାହାକୁ ଖବର ଦେଇ ନଥାଏ। ସାଙ୍ଗମାନେ ଯାହା ଯେତେବେଳେ ଜଗି ରହନ୍ତି। ସେଦିନ ସେଇ ଝିଅଟି ତା’ର ଆଉ ଜଣେ ବାନ୍ଧବୀ ସହ ମୋତେ ଦେଖା କରିବାକୁ ଆସିଥିଲା। ହାତରେ ତା’ର ଫୁଲ ତୋଡ଼ା ଥାଏ। ମୁଖରେ ମୋର ଆରୋଗ୍ୟ କାମନା କରି ଇଶ୍ବରଙ୍କୁ ପ୍ରାର୍ଥନାଟିଏ। ଆଉ ମୋତେ କେଇବାର ଆଶ୍ୱସନାର ଟିକେ ବାଣୀ ।ଏହି ପରି ପ୍ରତିଦିନ ସେ ଆସେ, ମୁଁ ମେଡିକାଲରେ ଥିଲା ଯାଏଁ।
ମୋ ମନକୁ ଆସୁଥାଏ ଆଉ କିଛିଦିନ ଏମିତି ଏଠି ରହି ଯାଆନ୍ତି କି, ସୁନ୍ଦରୀ ତରୁଣୀ ତା ହାତର କୋମଳ ସ୍ପର୍ଶରେ ଛଡ଼େଇ ଫଳମୂଳ ବଳେଇ ବଳେଇ ଦେଉଥାନ୍ତା ଆଉ ମୁଁ ନାଇଁ ନାଇଁ କରି ସବୁ ଖାଉଥାନ୍ତି। କିଛି ନହେଲେ ମୋ ପାଖରେ ବସି ଏମିତି ଗୁଲୁରୁ ଗୁଲୁରୁ କେଇ ମିନିଟ ତ ଗପୁଥାନ୍ତା। ଭାରି ମିଷ୍ଟ ଭାଷୀ, ତହୁଁ ତ ସେ ସୁନ୍ଦରୀ।ରୂପ କାନ୍ତି ଯେମିତି ମୁହଁର ଆକର୍ଷଣ ସେମିତି ଗୋଟେ ନିଆରା। ତେଣୁ ଭାରି ଭଲ ଲାଗୁଥିଲା। ବାସ୍ ସେଇ ସେତିକି ନିବିଡ଼ ଚାହାଣୀ ଓ କେଇ ପଲର ସମ୍ପର୍କ। ତା ପରେ କଲେଜରେ କେତେଥର ମଧ୍ୟ ଦେଖାହୁଏ। ଏକା କଲେଜରେ ପଢୁଥିଲେ ହେଁ ସେ ତଳ ଶ୍ରେଣୀର, ତେଣୁ ଆମର ଦେଖା ସାକ୍ଷାତର ସୁଯୋଗ ଖୁବ୍ କମ୍। ତେବେ ମୋତେ ଲାଗେ ସେ ଯେମିତି ବାରବାର ମୋତେ ଦେଖା କରିବାକୁ ଚାହୁଁଛି ଆଉ ମୁଁ ବି । ଅବଶ୍ଯ ଥରେ ଦୁଇ ଥର ଆମର ଲାଇବ୍ରେରୀଲେ ସାକ୍ଷାତ୍ ହୋଇଛି। ପାଖାପାଖି ବସି ଅଳ୍ପ ଖୁସି ଗପ ହୋଇଛୁ। ଆଉ ବେଳେ ଅଧେ ସାଥି ହୋଇ ଗୁପଚୁପ ଦହି ବରା ଖାଇଛୁ। କେବେ ନୋଟଟେ ବା ବହି ଖଣ୍ଡେ ମଧ୍ଯ ଆଦାନ ପ୍ରଦାନ ହୋଇଛି। କିନ୍ତୁ କେହି କାହା ସମ୍ପର୍କରେ ବେଶୀ କିଛି ଘନିଷ୍ଠ ହୋଇ ତଥ୍ଯ ସଂଗ୍ରହ କରିପାରି ନଥିଲୁ ବା ନିଜ ମନୋଭାବ ଖୋଲି କି ପରସ୍ପରକୁ ବ୍ୟକ୍ତ କରି ପାରି ନଥିଲୁ।ଏଇ ସମ୍ପର୍କଟା ଡାଳ ପାତ୍ର ମେଲି କାୟା ବିସ୍ତାର କରିବା ପାଇଁ ବିଶେଷ ସମୟ ସୁବିଧା ପାଇ ନଥିଲା। କାରଣ ଅଳ୍ପ ଦିନର ବ୍ୟବଧାନ ପରେ ପରୀକ୍ଷା ଓ ତା’ପରେ ମୁଁ ଉଚ୍ଚ ଶିକ୍ଷା ପାଇଁ ଅନ୍ୟତ୍ର ଚାଲି ଯାଇଥିଲି। ସେ ହୁଏତ ଆଉ ବର୍ଷେ ସେଇ କଲେଜରେ ରହିଥିବ। ତାପରର ଆଉ କେହି କାହା ଖବର ବିଶେଷ ରଖି ପାରି ନଥିବୁ। କିନ୍ତୁ ମନରେ ପରସ୍ପର ପ୍ରତି କେଉଁଠି ନା କେଉଁଠି ଟିକେ ଦୁର୍ବଳତା ବୋଧେ ଆସି ଯାଇଥାଏ।
ଅନୁଷ୍କା କହିଲା – “ହଁ ତୁମେ କଲେଜ ଛାଡ଼ି ଦେଲା ପରେ ବହୁ ସମୟରେ ଅନୁଷ୍କା ତୁମ କଥା ଭାବେ। କାହା ପାଖରୁ କେମିତି ଖବର ନେବା ପାଇଁ ଚେଷ୍ଟା କରେ। ହେଲେ ସବିଶେଷ ତଥ୍ଯ ମିଳି ପାରେ ନାହିଁ। ତୁମେ ଶିକ୍ଷା ସମାପନ କରି ଚାକିରୀ କଲ ଓ ଏହି ସହରରେ ରହୁଛ ଖବର ପାଇ ଭାରି ଖୁସି ହୋଇ ଯାଇଥିଲା – ସେ । ମନେମନେ ଭାବି ହେଉଥିଲା – ତା ମନର ମଣିଷ ସହ ଯାଇ ତୁରନ୍ତ ଭେଟ କରିବା ପାଇଁ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା। ସେ ପୁଣି ଖବର ପାଇଲା ତୁମେ ସୁଲୋଚନାକୁ ବାହା ହୋଇ ସୁଖରେ ସଂସାର କରୁଛ। ତେଣୁ ସେ ଆଉ ଦେଖାଦେଲା ନାହିଁ କି ତୁମ ସହ ପରିଚିତି ଯୋଡ଼ିଲା ନାହିଁ ।ତା’ ପ୍ରଥମ ପ୍ରେମ ଅସଫଳ ହେବାରୁ ତା’ ମନ ମରି ଯାଇଥିଲା।
ମୁଁ ତା କଥା ଶୁଣି ଉଦ୍ବିଗ୍ନ ହୋଇ ଉଠୁଥିଲି। ବ୍ୟସ୍ତ ହୋଇ ପଚାରିଲି। ହେଲେ ତୁମେ କିଏ? ସତ କୁହ ତୁମେ ମୋ ଅନୁଷ୍କାକୁ କେମିତି ଜାଣିଲ। ସେ କ’ଣ ତୁମର ପରିଚିତି ନା ସମ୍ପର୍କୀୟା ।ସେ କହିଲା ସେ କଥା ପରେ। ହେଲେ ଆମେ ସବୁ ଯେଣୁ ଆତ୍ମା ଅନ୍ୟର ଭିତିରି କଥା ଆମକୁ ସବୁ ଜଣା। ମୁଁ କହିଲି ଆଉ କ’ଣ ମୋ ଅନୁଷ୍କା ଖବର ରଖିଛ ମୋତେ କୁହ! ମୁଁ ଆଜି ସବୁ ଶୁଣିବାକୁ ଚାହେଁ। ଏକ ଦୀର୍ଘ ନିଶ୍ଵାସର ଅନ୍ତରାଳେ ସେ ପୁଣି ଆରମ୍ଭ କଲେ – ହଁ କ’ଣ କହିବି ଓ କୋଉଠୁ କହିବି! ବିଚାରୀ ହତ ଭାଗିନୀଟା।

ଗ -13

ଅନୁଷ୍କାର ଜନ୍ମ ଜାତକ ତ ଲେଖା ହୋଇଥିଲା ଦୁଃଖ ଯାତନାରୁ। ଜନ୍ମ ବେଳୁ ଯେଣୁ ମାଆଟା ଗର୍ଭ ବେଦନା ସହି ନପାରି , ସେଇ ଡାକ୍ତରଖାନା ବେଡରେ ପଡି ରହି ଗୋଟିଏ ଯୋଡ଼ିଏ ଉପରକୁ ହେକା ଟେକି ପ୍ରାଣବାୟୁ ଛାଡ଼ି ଦେଇଥିଲା। ପୁଣି ବାପା ବଡ ଦୁଃଖକଷ୍ଟରେ ଯତ୍ନ ନେଇ ଛୁଆଟାକୁ ସମ୍ଭାଳି ମଣିଷ କଲେ। ଝିଅର ସମସ୍ତ ଅଳିଅର୍ଦ୍ଦଳି ସହି ତାକୁ ମଣିଷ ପରି ମଣିଷ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ହେଲେ ମାଆର ଅଭାବବୋଧ ପିଲାଟିକୁ ନିରାଶବାଦିନୀ କରି ଗଢି ତୋଳିଥିଲା। କୌଣସି କଥାରେ ସେଥିପାଇଁ ତା’ର ବିଶେଷ କିଛି ଆଉ ଅଧିକ ଆଗ୍ରହ ନଥାଏ। ଆଗ୍ରହ ରହିଲେ ବି ଭଗବାନ ବିଶେଷ ସନ୍ତୋଷ ପ୍ରକାଶ କରନ୍ତିନି। କି ଅଭାଗିନୀ କପାଳ ନେଇ ଝିଅଟା ଜନ୍ମିଲା କେଜାଣି, ସବୁ ଖାଲି ତା ପାଖରୁ ହାତଛଡା ହୋଇଯାଉଥାଏ । ପଢ଼ା ସରିଲା ପରେ ବହୁତ ଭଲ ଭଲ ପ୍ରସ୍ଥାବ ଆଣି ବାପା ଦେଲେ। ଇଚ୍ଛା ଝିଅ ଶାନ୍ତିରେ ରହିବ। ସୁଖ ଶାନ୍ତିରେ ସେ ଘର ଦ୍ଵାର ବସେଇ ସଂସାର କଲେ, ବୁଢ଼ା ବାପଟା ଦେଖି ଟିକେ ଶାନ୍ତିରେ ଆଖି ବୁଜନ୍ତା। କିନ୍ତୁ ଅନୁଷ୍କାର ନାଇଁ ନାଇଁ ପାଇଁ ସବୁ ପ୍ରସ୍ତାବ ଭାଙ୍ଗି ଯାଉଥାଏ। ବାପା ବଡ଼ ବ୍ୟସ୍ତ ହୋଇ ଇଆଡେ ସିଆଡେ ଧାଉଁଥାନ୍ତି। ସେଦିନ ଏମିତି ଚିନ୍ତାଗ୍ରସ୍ତ ହୋଇ ଗୋଟେ ପ୍ରସ୍ଥାବ ଦେଖି ଫେରୁଥାନ୍ତି, ବାଟରେ ରୋଡ଼ ଆକ୍ସିଡେଣ୍ଟରେ ଅକାଳରେ ପ୍ରାଣ ବାୟୁ ଉଡିଗଲା । ଏଥର ସେ ଏକଲା ଖାଲି ଏକଲା ମଣିଷ ।ନିଜ ଦୁଃଖ ନିଜେ ସହିବାକୁ ତା ପାଖରେ ଶକ୍ତି ନଥାଏ। ଇଛା ହେଲେ ଆଖିର ଲୁହ ଗୁଡାକ ମନ ଭରି ପିଇ ଯାଇ ମନର ତୃଷ୍ଣା ମେଣ୍ଟାଏ। ଭାବୁଥାଏ ତା ପ୍ରଥମ ପ୍ରେମ ତାକୁ ମିଳିଗଲେ ହୁଏତ ସେ ତାଙ୍କ କୋଡ଼ ଉପରେ ମୁଣ୍ଡ ରଖି କଇଁ କଇଁ ଧକେଇ କାନ୍ଦି ଜୀବନର ସବୁତକ ଦୁଃଖ ବାଣ୍ଟନ୍ତା। ସେ ମୁଣ୍ଡ ଆଉଁଷି ଦେଉ ଦେଉ କେତେ ସୁନେଲି ସ୍ଵପ୍ନ ଦେଖାଉଥାନ୍ତେ। ସମବେଦନା ପ୍ରକାଶ କରୁଥାନ୍ତେ ଓ ସମଭାଗୀ ବି ହୋଇଥାନ୍ତେ।ସରଗ ସୁଖ ବି ହାତ ପାହାନ୍ତାକୁ ଆସି ଯାଉଥାଆନ୍ତା, ଭାରି ଭଲ ଲାଗୁଥାନ୍ତା। ତାଙ୍କ ସ୍ନେହ ବୋଳା କଥାରେ ଜୀବନର ସବୁତକ ଦୁଃଖ ଓ ଅବସାଦ ଧୋଇ ହୋଇଯାଉଥାନ୍ତା। କିନ୍ତୁ ଭାଗ୍ୟ ବାମ ହେଲା ସେଇ ସେତକ ବି ଭାଗ୍ୟରେ ଜୁଟିଲା ନାହିଁ। ଯୌବନରେ ଭାବ ଦିଆନିଆ ଓ ପ୍ରେମ ସବୁ ଅସାର ହେଲା। ଈଶ୍ୱର କାହିଁକି କେଜାଣି ଦୁଃଖୀକୁ ଅଧିକ ଦୁଃଖ ଦେଇ ଏମିତି କଠୋର ପରୀକ୍ଷା ନିଅନ୍ତି?
ମୁଁ ପଚାରିଲି – ତା ‘ପରେ….

ସାମନ୍ୟ ବିରତି ଟାଣି ଆହୁରି କ୍ଲାନ୍ତ ଅଥଚ ଗମ୍ଭିର ହୋଇ ସେ କହିଲା – “ବାପା ମାଆ ଦିଟା ଅକାଳରେ ଚାଲି ଯାଇଥିବାରୁ ପରିବାରର ଏକମାତ୍ର ସନ୍ତକ ଭାବେ କେବଳ ହିଁ ଅନୁଷ୍କା ରହି ଯାଇଥିଲା। ନିଜର ମନର ମଣିଷ ମଧ୍ୟ ମିଳିବା ଅସମ୍ଭବ ହୋଇଯାଇଥିଲା। ତେଣୁ ସମାଜ ସେବା ଓ ସାହିତ୍ୟ ସାଧନା ଭିତରେ ନିଜକୁ ସେ ହଜେଇ ଦେଇଥିଲା” ।
ମୁଁ କହିଲି – “ମୁଁ କିନ୍ତୁ କଲେଜ ଛାଡିବା ପରେ ସମ୍ପୂର୍ଣ୍ଣ ତାକୁ ଭୁଲି ଯାଇଥିଲି। ସେଦିନୁ ଏଦିନ ଯାଏଁ ତା ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ। ତଥାପି କାହିଁକି କେଜାଣି ତୁମଠୁଁ ତା ସମ୍ପର୍କରେ ସବୁ କଥା ଶୁଣିଲା ପରେ ମୋ ମନରେ ଆଜି ଅନେକ ପ୍ରଶ୍ନ। ଅନେକ ଭାବାନ୍ତର। ମନେ ହେଉଛି ତା’ର ଏକଲାପଣ ଓ ଅସହାୟତା ପାଇଁ ମୁଁ ଯେମିତି ଦାୟୀ। ମୁଁ ବା କେମିତି ତା ମନୋଭାବ ସଠିକ୍ ଭାବେ ବୁଝି ପାରିଥାନ୍ତି ଯେ! ସେଦିନ ହୁଏତ ଇଶାରାରେ ଇଶାରାରେ ସବୁ କଥା ଚାଲିଥିଲା, ହେଲେ କେହି ତ ମୁହଁ ଖୋଲି କେବେ କିଛି କହି ପାରି ନଥିଲୁ। ସେଦିନ କଲେଜ ଛାଡିବା ପୂର୍ବରୁ ଆମେ ଶେଷ ଥର ପାଇଁ ପରସ୍ପର ପରସ୍ପର ସହିତ ମିଶିଥିଲୁ। ଘଣ୍ଟା ଘଣ୍ଟା ଧରି ବିଭିନ୍ନ୍ ଅନାବଶ୍ୟକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ମୋର ଇଚ୍ଛା – ଅନୁଷ୍କା ତା ମନର ଭାବ ମୋତେ ଟିକେ ଖୋଲି କି କହନ୍ତା କି? କିନ୍ତୁ ତା ହୋଇପାରିଲା ନାହିଁ। ଝିଅପିଲା ଆଗ କେମିତି କହିଥାନ୍ତା ଯେ! – “ମୁଁ ତୁମକୁ ଜୀବନସାଥୀ ଭାବେ ପାଇବାକୁ ଚାହେଁ”? ମୁଁ ବି ତ କହି ପାରି ନଥିଲି। କହିବି କହିବି ଭାବି ମୋ ଓଠରେ ସବୁ ଶବ୍ଦଗୁଡାକ ଶବ୍ଦାୟିତ ହେଉଥିଲେ ହେଁ ଅଟକି ଯାଇଥିଲା ପ୍ରତ୍ୟାଖ୍ୟାନ ହୋଇଯିବା ଭୟରେ। ଏମିତି ଆମ ପ୍ରେମ ଅନୁଚ୍ଚାରିତ ଓ ନିଃଶବ୍ଦ ହୋଇ ରହିଗଲା ଯେ, କାରଣ ଆମ ପ୍ରେମ ପୂର୍ଣ୍ଣଙ୍ଗ ରୂପ ପରିଗ୍ରହ କରିବା ପୂର୍ବରୁ ମୁଁ କଲେଜ ଛାଡ଼ି ଦେଇଥିଲି। ଏହି ଅସଫଳ କାହାଣୀକୁ ପୁନଃ ଦୋହରାଇଲେ କାଳେ ମନରେ ଦୁଃଖ ହେବ ବୋଲି ମୁଁ ଆଉ ଅନୁଷ୍କାକୁ ଦେଖା କରିବା ପାଇଁ କେବେ ଚାହିଁ ନାହିଁ, ଜଦିଓ ମନ ଚାହୁଁଥାଏ ତାକୁ ବାରବାର ଭେଟିବାକୁ। ହେ ରାମ! କାହିଁକି ମୋ ମନକୁ ଏପରି ଭୁଲ ସିଦ୍ଧାନ୍ତ ସେଦିନ ଆସିଥିଲା?

ଅନୁଷ୍କା କହିଲା – ସେ କିନ୍ତୁ ତୁମକୁ ଭୁଲି ପାରି ନଥିଲା, ଭୁଲି ନଥିଲା ତୁମେ ଦେଇଥିବା ତା ଜନ୍ମଦିନରେ କ୍ଷୁଦ୍ର ଉପହାରଟିକୁ। ସେଦିନ ତା ଜନ୍ମଦିନରେ ତୁମେ ଦେଇଥିବା I love you ଲେଖାଥିବା ହାତ ଘଣ୍ଟାଟିକୁ, ଯାହାକୁ ମରିବା ଯାଏଁ ଛାତିରେ ସେ ଜଡାଇ ଧରିଥିଲା। ତୁମକୁ ଅହରହ ଝୁରୁଥିଲା ।ତା ପ୍ରଥମ ପ୍ରେମ ବିଫଳ ହେବାରୁ ସେ ଆଉ ଜୀବନରେ ବିବାହ କଥା ପରିକଳ୍ପନା ବି କରି ପାରିନଥିଲା।

ମୋ ଭିତରେ ଆସିଲା ପ୍ରଚଣ୍ଡ ଭାବାବେଗ। ବଡ଼ ଭାବାତୁର ହୋଇ କହିଲି – “କିନ୍ତୁ ମରିଗଲା କେମିତି, ମୋତେ କୁହ ନହେଲେ ମୁଁ ପାଗଳ ହୋଇଯିବି”।
ଅନୁଷ୍କା ଏବେ ଅଚାନକ଼ ଅଥଚ ଧିରେ ଧିରେ ଏ କଥାରେ ବିସ୍ମିତ ହୋଇ ରୂପାନ୍ତରିତ ହୋଇଯାଉଥିଲା କଲେଜ ପଢୁଆ ଝିଅରୁ ସାହିତ୍ୟିକା ଅନୁଷ୍କାକୁ। ଲେଖକ ଚମକି ଯାଉଥିଲେ। ତୁମେ ତେବେ ସେଇ ଅନୁଷ୍କା” “ପାଟିରୁ ଅସ୍ପଷ୍ଟ ଶବ୍ଦ ରାଜି ବାହାରିବା କ୍ଷଣି ସେ ଚିତ୍କାର ଛାଡି କହୁଥାଏ -” ତୁମେ ଏ ଯାଏଁ କ’ଣ ଚିହ୍ନି ପାରୁ ନ ଥିଲା” ? ମୁଁ ଆଉ ନିଜକୁ ସମ୍ବରଣ କରି ପାରିଲି ନାହିଁ ଅନୁଷ୍କାକୁ କୁଣ୍ଢେଇ ଧରି କଅଁଳା ଛୁଆ ପରି ଧକେଇ କାନ୍ଦିଲି।ମୋ ହୃଦୟକୁ କେତେ ବିଧା ଚାପୁଡ଼ା ମାରି ଭାଗ୍ୟକୁ ନିନ୍ଦିଲି ଓ ଭଗବାନଙ୍କୁ ପ୍ରଶ୍ନ ହାଣିଲି।-” ହେ ଭଗବାନ ମୋ ଅନୁଷ୍କାକୁ ପ୍ରତି କାହିଁକି ଏମିତି ନିସ୍କରୁଣ ସାଜିଲ? କାହିଁକି…? କାହିଁକି ଭଗବାନ?” ଅନୁଷ୍କା ଆଖିରେ ବି ଲୋତକର ଅମାନିଆ ଅଶ୍ରୁଧାର। ଏହି କ୍ରନ୍ଦନ ରୋଳ ଖୁବ୍ ନୀରବରେ କିନ୍ତୁ ଅନେକ ସମୟ ଯାଏଁ ଚାଲିଥିଲା।
ପ୍ରକୃତି ନିୟମରେ ହଠାତ୍ କିଛି ପରିବର୍ତ୍ତନ ହେବାରୁ, ପ୍ରକୃତି କିନ୍ତୁ ଭାରି ଅଶାନ୍ତ ହେବାକୁ ଲାଗିଲା। ଆମ ମନର କ୍ରିୟା ବିକ୍ରିୟା ସହିତ ପ୍ରକୃତିର ମଧ୍ଯ ନାନା ଅସ୍ୱାଭାବିକ ଭାବଭଙ୍ଗୀ ପ୍ରକାଶ ପାଇଲା। କୁକୁର ଗୁଡାକ ହଠାତ୍ ଭୁକି ଉଠିଲେ। ପେଚାଟିଏ ବି ପ୍ରକୃତିକୁ ସାଥ ଦେଲା। ଚାରିଆଡ଼େ କଡ଼ମଡ଼, ରଡ଼ରଡ଼ ଓ ଖସମସ୍ ଶବ୍ଦ ହେଲା। ପ୍ରକୃତି ନିଶ୍ଚିତ ଭାବେ ଏ କଥା ଚାହିଁ ନଥିବ ଯେ, ଜଣେ ଜିନ୍ଦା ଇନସାନ( ବଞ୍ଚିଲା ମଣିଷ) ସହିତ ମୃତାତ୍ମାର ସଂସର୍ଗ ହେଉ, ଯାହା ସ୍ରୁଷ୍ଟି ନିୟମର ଉଲଙ୍ଘନ ଅଟେ।ଅନୁଷ୍କା ମଧ୍ୟ ମୋ ସଂସର୍ଗ ପାଇବା କ୍ଷଣି ତା ଭାବଭଙ୍ଗୀ ଓ ବିଚାର ଧାରାର ପରିବର୍ତ୍ତନ ହେବାକୁ ଲାଗିଲା। ସେ ଯେମିତି ଭଲ ଆତ୍ମାରୁ କୁଆତ୍ମାକୁ ରୂପାନ୍ତରିତ ହୋଇ ଯାଉଥାଏ। ତା ଭିତରେ ବି ଅବଦମିତ କାମନା ବାସନାର ଉଦ୍ୱେଳନ ପରିଳକ୍ଷିତ ହେଉଥାଏ। ମୁଁ ଘଟଣାରୁ ନୂତନତା କିଛି ବୁଝିବା ପୂର୍ବରୁ ବୌଦ୍ଧିକ ସତ୍ତା ହରାଇ କେବଳ ସ୍ଥାଣୁ ପାଲଟି ଯାଇଥାଏ।
ଅନୁଷ୍କା କହିଲା -ମୋ ଅତୃପ୍ତ ଆତ୍ମାକୁ ଶାନ୍ତ କରିବା ପାଇଁ ତୁମେ ମୋ ସହିତ ଭୂତଲୋକ ଆସି ପାରିବ? କାରଣ ଏବେ ମର୍ତ୍ତ୍ୟଲୋକରେ ତୁମ ଲୁଳାଖେଳା ଚାଲିଛି, କିନ୍ତୁ ମୋ ଲୀଳା ଖେଳା ସରିଛି ।ଭୂତଲୋକର ଆତ୍ମା ସହିତ ମର୍ତ୍ତ୍ୟଲୋକର ମଣିଷର ମିଳନ ହେବା ସମ୍ଭବ ନୂହେଁ। ଏହା ବିଧି ନିଷେଧ। କାରଣ ବିହିର ସ୍ରୁଷ୍ଟି ପ୍ରକରଣ ଭିନ୍ନ୍ ଓ ସେଇଟା ତା ଇଚ୍ଛାଧୀନ ବ୍ୟାପାର । ମୁଁ ତେଣୁ ଚାହେଁ ତୁମକୁ ଭୂତଲୋକକୁ ନେଇ ଯିବାକୁ, ସେଇଠି ଭୂତ ଲୋକର ଭୂତଭୂତୁଣୀ ମାନଙ୍କ ଗହଣରେ ଶଙ୍ଖ ଓ ହୁଳହୁଳି ପରିବର୍ତ୍ତେ କିଳିକିଳା ରାବ ଓ ବିକଟାଳ ହର୍ଷରୋଳ ଭିତରେ ଆମର ବିବାହ ବଡ଼ ଧୂମ୍ ଧାମ୍ ରେ ସମ୍ପନ୍ନ ହେବ। ଏଠାକାର ଡିସ୍କୋ ଡ୍ୟାନ୍ସ ପରିବର୍ତ୍ତେ ସେଠି ସମସ୍ତେ ଉଦଣ୍ଡ ନାଚ ନାଚିବେ ଓ ହୋ.. ହୋ.. ହେସ୍ରାରବ ଦେଇ ଗୀତ ଗାଇବେ। ତାହାରି ଭିତରେ ଘନଘୋର ଅମବାସ୍ୟାର ଅନ୍ଧକାର ରାତିରେ ଆମେ ଯାପିବା ଆମର ପହିଲୁ ବାସର ରାତି। ଆମର ପ୍ରଣୟ ଲୀଳା ରଚିବା ପାଇଁ ଯୂଇର ଶେଜରେ ଶେଯ ପରା ହେବ। ମାଟି ହାଣ୍ଡିରେ ପ୍ରେତପୁରୀରେ ଭୂରି ଭୋଜନ ବି ହେବ। ଆମର ନିଆରା ଖେଳା ଲୀଳା ଦେଖି ଯେମିତି ମର୍ତ୍ତ୍ୟବାସୀ ବି ଇର୍ଷାନ୍ୱିତ ହୋଇ ଉଠିବେ। ଭୂତଲୋକରେ ଆମ ଅତୃପ୍ତ ଆତ୍ମାର ପରିତୃପ୍ତି ହୋଇଗଲେ ଆମେ ସାଙ୍ଗ ହୋଇ ହାତ ଧରାଧରି ହୋଇ ପୁଣି ଯିବା ପରଲୋକ, ଯେଉଁଠି ଭୋଗାଭୋଗ ଦଣ୍ଡ ଭୋଗୀ ଆମେ ପୁଣି ଫେରି ଆସିବା ଏଇ ମର୍ତ୍ତ୍ୟଲୋକ। ସେଠି ତୁମର କ’ଣ ଇଚ୍ଛା ପଚାରି ବସିଲେ -” ଆମେ କହିବା ଗୋଟେ ଜନ୍ମ ନୂହେଁ ଆମେ ଦୁହେଁ ସାତ ଜନ୍ମ ଯାଏଁ ପତିପତ୍ନୀ ହୋଇ ରହିବାକୁ ଚାହୁଁ “। ଏହି ବର ପ୍ରାପ୍ତି ପରେ ଆମେ ପୁଣି ଖୁସିରେ ଲେଉଟିବା ମର୍ତ୍ତ୍ୟଲୋକ। କାରଣ ମୁଁ ତୁମକୁ ପାଇବାକୁ ଚାହେଁ ଯୁଗଯୁଗ ଧରି।ମୋ ପାଟି ଆଫାଆଫା ମାରି ନେଉଥାଏ, ଶବ୍ଦଟିଏ କି ବାଣୀଟିଏ ବି ମୁଖରୁ ସ୍ଫୁରୁ ନଥାଏ। ଅନୁଷ୍କା କିନ୍ତୁ ବହୁତ ଉତକ୍ଷୀପ୍ତ ହୋଇ ଉଠୁଥାଏ। ମୋ ପ୍ରତ୍ୟୁତ୍ତରକୁ ତା’ର ଭ୍ରୁକ୍ଷେପ କି ଅପେକ୍ଷା ବୋଧେ ନଥାଏ।ଅନୁଷ୍କା ଏଥର ମୋତେ ସଧିରେ ଠେଲି ଦେଇ ଉଠି ଛିଡ଼ା ହେଲା ।ମନରେ ତା’ର ସୀମାହୀନ ଅସୀମ କୁଟିଳ ରେଖା। ମୁଖ ମଣ୍ଡଳରେ ଗାମ୍ଭୀର୍ଯ୍ୟ ଓ ଅସମ୍ଭବ ଦୃଢତା। ଏବେ ତା ମୁଖ ମଣ୍ଡଳ ଅସମ୍ଭବ ଭାବେ ବିକୃତ ବା କୁଞ୍ଚିତ ହୋଇ ଯାଉଥିଲା। ଧିରେ ଧିରେ ସେ ଭୟଙ୍କର ଓ ବିକଟାଳ ରୂପ ଧାରଣ କରୁଥିଲା, ସତେ କି ତା ସ୍ଥିତିରେ ସେ ଆଉ ନାହିଁ। ମୋ ପ୍ୟାଣ୍ଟରେ ପରିସ୍ରା ପଡି ଓଦା ହୋଇ ସାରିଥିଲା, ହେଲେ ମୁଁ ନିସ୍ତେଜ । ମୋତେ ଲାଗୁଥାଏ ମୁଁ ଯେମିତି ତା ଇଶାରାରେ ଧାଇଁବାକୁ ବାଧ୍ୟ। କାରଣ ମୁଁ ସେତେବେଳେ ମୋର ହୋଇ କିଛି ନଥିଲି। କେବଳ ମୋତେ ଶୁଭି ଯାଉଥିଲା ଜୋହର୍ କରି ଅନୁଷ୍କାର ନିର୍ଦ୍ଦେଶ ଆଉ ମୁଁ ଯେମିତି ତା ହସ୍ତ ଅଙ୍ଗୁଷ୍ଠିକାର କାଠ ପୁତୁଳୀ।
ଅନୁଷ୍କା ଏଥର ମୋଡ଼ ପରିବର୍ତ୍ତନ କରି ଗତିଶୀଳା ହେଲା। ଘର ମୁଖ୍ୟ ଡଦରୱାଜା ତା’ର ପରବର୍ତ୍ତି ଲକ୍ଷ୍ୟସ୍ଥଳୀ ଯେଉଁ ବାଟ ଦେଇ ସେ ମୋତେ ନେଇଯାଇ ପାରିବ ମଶାଣୀ ଭୂଇଁ । ସେ ତେଣୁ ସିଆଡ଼କୁ ମୁହାଁଇଲା। ମୁଁ ମଧ୍ଯ ତା ଆଙ୍ଗୁଳିର ନିର୍ଦ୍ଦେଶରେ କେବଳ ଯନ୍ତ୍ରବତ୍ ପରିଚାଳିତ ହେଲା ପରି ତା ଇଶାରା ପାଇ ତାରି ଆଡକୁ ଢଳୁଥାଏ। ସେତେବେଳେ ମୋ ଆଖିରେ ଯେମିତି କିଏ ସେ ଅନ୍ଧପୁଟୁଳି ବାନ୍ଧି ଦେଇଥାଏ ବା ଐନ୍ଦ୍ର ଜାଲରେ ମୋ ଚକ୍ଷୁ ବନ୍ଧନ ହୋଇଥାଏ। ମୁଁ କିଛି ଜାଣି ପାରୁ ନଥାଏ କି ମୋର ହିତାହିତ ଜ୍ଞାନ କିଛି ନଥାଏ।

ଭାଗ – 14 

ସୁଲୋଚନା ସିନା ନିଦରେ ଶୋଇଥାଏ ହେଲେ ତାଙ୍କର ଭାରି ପତଳା ନିଦ। ଯେତେ ନିଘୋଡ ନିଦରେ ସେ ଶୋଇଥାନ୍ତୁ ନା କାହିଁକି, ଟିକେ କେଉଁଠି ଖଡକିନା ହେଲେ ସେ ଧଡ଼୍କିନା ଉଠିପଡ଼ନ୍ତି।ଘରଟାକୁ ପରା ସେ ଶୋଇଶୋଇ ମଧ୍ୟ ଜଳଜଳ କରି ରାତିରେ ଚାହିଁ ଜଗି ରହିଥାନ୍ତି।ତେଣୁ ତ ଆମ ଘରେ ଦିନଟିଏ ହେଲେ ଏ ଯାଏଁ ଚୋରି ହୋଇ ନାହିଁ, ଯଦିଓ ପାଖ ଘରୁ କେତେଥର ଚୋରି ହେଲାଣି। ମୋ ଉପରେ ବି ତାଙ୍କର ଭାରି ଅନିଶା। ମୁଁ ପଢ଼ା ଘରେ ଥିଲା ଯାଏଁ ସେ କିଛି କହନ୍ତି ନାହିଁ, ମୁଁ କିନ୍ତୁ ରାତିରେ ଉଠି ପାଣି ପିଇବାକୁ ବା ଇଉରିନାଲ ଗଲେ ମଧ୍ଯ ସେ ଜାଗି ଯାଆନ୍ତି, ସକାଳୁ ଉଠି ପରା କହନ୍ତି – “ରାତିରେ କ’ଣ ତୁମେ ଏତେଥର ନଅର ପଅର ହେଉଥିଲ କି ହୋ! ”
ତେଣୁ କବାଟର ଖିଡ଼ିକି ଖୋଲିବାର ଶବ୍ଦ ତାଙ୍କ କାନରେ ବାଜିଲାଠୁଁ ସେ ଶୁଣି ଧଡାସକିନା ନିଦରୁ ଉଠି ଧାଇଁ ଆସିଲେ। କହିଲେ – “କି ପାଗଳ ଲୋକଟା କି ହୋ! ରାତି ଅଧରେ କୁଆଡ଼େ ଯାଉଛ” ? ଠିକ୍ ଏତିକି ବେଳକୁ ଗୋଟିଏ ଛାୟାଚିତ୍ର କବାଟ ଆଡ଼େଇ ବାହାରକୁ ଚାଲି ଯାଉଥାଏ। ବଡ଼ ଅସମ୍ଭବ ତା’ର ବେଶ୍ ପରିପାଟୀ, ନୁଖୁରା ଝାମ୍ପୁରା ମୁଣ୍ଡିଆ, ଅର୍ଦ୍ଧ ଲଙ୍ଗଳା ଚେହେରା, କେଶ ଗୁଡ଼ାକ ଶରୀରକୁ ଆବରଣ କରି ଘୁଷୁରୁ ଥାଏ ଭୂଇଁ ଯାଏଁ। ଅତି ଭୟଙ୍କର ଓ କଦାକର ଦିଶୁଥାଏ ପ୍ରଚ୍ଛଦପଟ। ତା’ର ସମ୍ମୁଖ ଭାଗ ଆମ ବିପରୀତାଭିମୁଖୀ ହୋଇ ରହିଥାଏ। ସେ ପଛ କରି ଆମକୁ ଛିଡା ହୋଇଥାଏ। ମୁଁ ଏରୁଣ୍ଡି ବନ୍ଧ ଡେଇଁ ବାହାରକୁ ଚାଲି ଯିବା ପୂର୍ବରୁ ସୁଲୋଚନା ମୋତେ କୁଣ୍ଢାଇ ଧରି ଟାଣି ଓଟାରି ବାଟ ଓଗାଳି ଥିଲା। ଅନୁଷ୍କା ବିକଟାଳ ହସ ଠୋ ଠୋ ହସି ବଡ଼ କର୍କସିଆ ସ୍ଵରରେ କହୁଥାଏ – “ଏ ଛାଡ଼ ତାକୁ ମୁଁ ନେଇଯିବି ମୋ ସାଙ୍ଗରେ ମଶାଣି ଭୁଇଁକୁ। ସେଇଠି ସେ ଭୂତଲୋକରେ ମୁଁ ତାକୁ ବିବାହ କରି ଜୀବନସାଥି କରି ରଖିବି, ମୋ ଅତୃପ୍ତ ଆତ୍ମାର ପରିତୃପ୍ତି ପାଇଁ। ମୋ ରାସ୍ତାରେ ଯିଏ କଣ୍ଟା ହୋଇ ଆସିବ ମୁଁ ତାକୁ କଞ୍ଚା ଖାଇ ଯିବି।
ସୁଲୋଚନା ମନରେ ଶିହରଣ ଓ ଭୟରେ ହୃଦୟ କମ୍ପୁଥିଲେ ହେଁ ସେ ପରିସ୍ଥିତିକୁ ବୁଝି ମନରେ ସାହସ ଓ ଶକ୍ତି ସଞ୍ଚୟ କଲା। ମୁଁ ସେତେବେଳକୁ ସ୍ଥାଣୁ ପାଲଟି ଯାଇଥାଏ। ମୋ ଶରୀରରେ ସମସ୍ତ ବଳବୀର୍ଯ୍ୟ ଲୀନ ହୋଇଯାଇଥାଏ। ମୁଁ କେବଳ ଅନୁଷ୍କା ଆଡକୁ ଟାଣି ହୋଇ ଆକର୍ଷିତ ହୋଇ ଯାଉଥାଏ। ଯେପରି ଗୋଟେ ମାଧ୍ୟାକର୍ଷଣ ଶକ୍ତି ବା ବଳୟ କାମ କରୁଥାଏ। ମୁଁ ବୋଧେ ମୋ ଆୟତ୍ତ ଭିତରେ ଆଉ ନଥାଏ ବା ମୋ ସ୍ଥିତିକୁ ମୁଁ ଭୁଲି ଯାଇଥାଏ। ସୁଲୋଚନା କିନ୍ତୁ ବେଶ୍ ଧୈର୍ଯ୍ୟଶୀଳା ଓ ପ୍ରତ୍ୟୁତ୍ପନ୍ନା ବି। ସେ ବିପଦ କାଳରେ ବୁଦ୍ଧି ପାଞ୍ଚିଲା। ସେଦିନ ସିନା ମୋ ପାଖରୁ ଭୂତୁଣୀ ସମ୍ପର୍କରେ ଶୁଣି ମୋତେ ଗାଲୁଆମି ଭାବି ତା ପ୍ରତି କର୍ଣ୍ଣପାତ କରୁ ନଥିଲେ ଆଜି କିନ୍ତୁ ଚାକ୍ଷୁସ ପ୍ରମାଣ ପାଇ ବୁଝିବାକୁ ବେଶୀ ଡେରି ହେଲା ନାହିଁ ଯେ, ଏ ସବୁ ସେଇ ଅନୁଷ୍କା ଭୂତୁଣୀର କାଣ୍ଡ ହୋଇଥିବ ବୋଲି।ପୁଣି ଯାହାକୁ ଦିନେ ସେ ଟି. ଭି ସିରିଏଲର କାହାଣୀ ଭାବି ଅନୁଧ୍ଯାନ କରୁଥିଲେ ସେ ଯେ ସବୁ ସତ, ଏ କଥା ଜାଣିବା ପରେ ସେ ଆଶଙ୍କିତ ହୋଇ ପଡୁଥିଲେ ।ତେଣୁ ସେ ପ୍ରଥମେ ନିଜ ପତି ପରମେଶ୍ୱରଙ୍କ ଡାହାଣ ହାତ ସହ ନିଜ ବାମ ହସ୍ତ ଆଣି ନିଜ ଶାଢ଼ି କାନିରେ ଶକ୍ତ କରି ବାନ୍ଧି ଗଣ୍ଠି ପକାଇଦେଲେ। ଆଉ କହିଲେ- “ମୋ ଜୀବନ ପଛେ ନିଅ, ହେଲେ ମୋ ସ୍ୱାମୀଙ୍କ ଜୀବନ ମୋତେ ଭିକ୍ଷା ଦିଅ, କାରଣ ତାଙ୍କ ବିନା ମୋ ସଂସାର ଭାସି ଯିବ, ମୁଁ ଉଚ୍ଛନ୍ନ ହୋଇଯିବି । ତେଣୁ ମୋର ଏ ଜୀବନ ରଖି ଲାଭ କ’ଣ”?ଅନୁଷ୍କା କିନ୍ତୁ ଦୋଳାୟମାନା ଅବସ୍ଥାରେ ଅହରହ ଝୁଲୁଥିଲା ଓ ଘୁମିରି ପାରା ପରି ହୁଁ.. ହାଁ.. ନାଁ ଛାଡ଼ିବିନି. କିଛି ଶୁଣିବିନି.. ହୋଇ ଘୁମୁରା ଥାଏ।ଅନୁଷ୍କା କହିଲା -” ତୋ ପୂର୍ବରୁ କଲେଜ ଜୀବନରୁ ମୁଁ ୟାଙ୍କୁ ଭଲ ପାଏ, ସେ ମୋର ସମସ୍ତ ପ୍ରେମ। ତୁ ତାଙ୍କୁ ଛାଡ଼! ମୁଁ ସାଥିରେ ନେଇଯିବି”। ଏଥର ପୁଣି ସୁଲୋଚନା ନାନା ଅନୁନୟ ଓ ବିନୟ ହୋଇ ଉତ୍ତର ରଖିଲା। କହିଲା -” ଦେଖ ଅନୁଷ୍କା! ମୁଁ ତୁମର ମନର ଗତି ଓ ସମସ୍ତ ଘଟଣାକୁ ବେଶ କିଛି ହୃଦୟଙ୍ଗମ କରି ପାରୁଛି। ତୁମେ ଯଦି ଆଜି ବଞ୍ଚିଥାନ୍ତ, ତାହେଲେ ମୋର ଆପତ୍ତି ନଥିଲା ତୁମକୁ ମୁଁ ସଉତୁଣୀ ରୂପେ ପାଇବାରେ ବା ୟାଙ୍କୁ ତୁମ ସହ ଭାଗ ବସେଇବାରେ । ହେଲେ ତୁମେ ତ ଏବେ ଗୋଟେ ମୃତ ଆତ୍ମା। ଭୂତଲୋକ ତୁମର ଠିକଣା। ସେଠି ଜଣେ ଜୀବିତ ଆତ୍ମା ସହିତ ତୁମେ ରହି ପାରିବ ନାହିଁ। ନା ତୁମ ପ୍ରେତ ଲୋକ ନା ମର୍ତ୍ତ୍ୟ ଲୋକ ନା ଦେବଲୋକରେ ଏହାକୁ କେହି ସ୍ୱୀକାର କରି ପାରିବେ। ହେଲେ କେବଳ ବ୍ୟତିକ୍ରମ ହେବ, ଯାହା ପାଇଁ ସ୍ରୁଷ୍ଟି ନିୟମ ଧ୍ଵଂସ ପାଇଯିବ।
ଅନୁଷ୍କା କହିଲା ମୁଁ ତେବେ ତାକୁ ମାରି ଦେଇ ସାଙ୍ଗରେ ନେଇ ଯିବି।
ସୁଲୋଚନାର ପାଦ ତଳୁ ମାଟି ଖସି ଯାଉଥିଲା। ସେ ଅନନ୍ୟୋପାୟ ହୋଇ ବାକି ରହିଥିବା କାନିର ଅନ୍ୟ ଅଂଶଟିକୁ ପତାଇ ଅନୁଷ୍କାକୁ ସ୍ୱାମୀଙ୍କର ଜୀବନ ଭିକ୍ଷା କଲା। କହିଲା – “ଭଉଣୀ! ମୋ ଉପରେ ଦୟା କର। ମୁଁ ଜାଣିଛି ତୁମେ ଜଣେ ଭଲ ଆତ୍ମା, ଯେତେ କଷ୍ଟ ପଡ଼ୁ ପଛେ ତୁମେ କେବେ ଅପଯଶ ମୁଣ୍ଡରେ ମୁଣ୍ଡାଇବାକୁ ଚାହିଁବ ନାହିଁ। ଆମର ପିଲା ଛୁଆର ସଂସାର ଅଛି, ତୁମେ ଦୟା ନକଲେ ସେ ସବୁ ଅଚିରେ ବିନଷ୍ଟ ଯିବ। ମୁଁ କିନ୍ତୁ ତୁମକୁ କଥା ଦେଉଛି ଆର ଜନ୍ମକୁ ମୁଁ ତୁମର କଣ୍ଟା ହେବି ନାହିଁ, ବରଂ ତୁମ ଦୁଇ ଜଣଙ୍କର ମିଳନ ପାଇଁ ମୁଖ୍ୟ ଘଟସୂତ୍ର ସାଜିବି। ଦାସୀ ପୋଇଲି ପରି ତୁମ ଦୁଇ ଜଣଙ୍କର ସେବା ଅର୍ଚ୍ଚନା କରିବି। ଈଶ୍ୱରଙ୍କଠାରେ ମଧ୍ୟ ଆତ୍ମ ନିବେଦନ କରିବି – ତୁମେ ତୁମ ପ୍ରେମକୁ ଗୋଟେ ଜନ୍ମ କାହିଁକି ସାତ ଜନ୍ମ ପାଅ। ହେଲେ ଏ ଜନ୍ମଟା ତୁମେ ଟିକିଏ ମୋତେ ଦୟା କର “।
ଅନୁଷ୍କା ବିଭତ୍ସ ହସ ହୋ ହୋ ହସି ଉଠି ତାଚ୍ଛଲ୍ୟ କହି ଆସୁଥିଲା । ସୁଲୋଚନା କିନ୍ତୁ କହିଲା, ଦେଖ ଭଉଣୀ! ମୁଁ ପରା ତୁମରି ପରି ନାରୀଟିଏ ଆଉ ତୁମର ସାନ ଭଉଣୀ। ତୁମେ କ’ଣ ତୁମ ସାନ ଭଉଣୀର ଦୁଃଖ ଦେଖିପାରିବ? ତା ଛଡା ତୁମେ ଯେ ଏକ ସାଧାରଣ ଆତ୍ମା ନୂହେଁ, ତୁମେ ପରା ସୁସାହିତ୍ୟିକା ଯାହାଙ୍କ କଲମ ମୁନରେ ସମାଜରେ ନାନା ପରିବର୍ତ୍ତନ ସଂଘଟିତ ହୋଇଛି। ପୁଣି କାଷ୍ଟିଙ୍ଗ କାଉଚମାନଙ୍କୁ ମଜା ଚଖାଇବା ପାଇଁ ତୁମ ପରେ ଇଏ ତ ଏକା ହିଁ ନିର୍ଭୀକ ଲେଖନୀ ଧରିଛନ୍ତି ନା! ଇଏ ନ ରହିଲେ ସମାଜର କଳୁଷ ନାଶ କିଏ କରିବେ, କିଏ ତୁମ ମୃତ୍ୟୁର ପ୍ରତିଶୋଧ ନେବେ? ”
ଏହିଭଳି ପ୍ରଶ୍ନବାଣରେ ଅନୁଷ୍କାର କାନ ଫାଟି ପଡୁଥିଲା। ସେ ଯନ୍ତ୍ରଣାରେ” ବନ୍ଦ କର ଏ ସବୁ” ବୋଲି ଚିତ୍କାର କରି ଉଠୁଥିଲା। ସୁଲୋଚନାର ବାକ୍ ପଟୁତାରେ ଅନୁଷ୍କା ବ୍ୟତିବ୍ୟସ୍ତ ହୋଇ ପଡୁଥିଲା। ଅନୁଷ୍କା କହିଲା -” ଠିକ୍ ଅଛି ମୁଁ କିନ୍ତୁ ଭୂତଲୋକରେ ତାଙ୍କୁ ସେ ଯାଏଁ ଅପେକ୍ଷା କରିବି, ଯେ ଯାଏଁ ସେ ସାଂସାରୀକ କାମଧନ୍ଦା ନ ତୁଟାଇ ନ ଫେରିଛନ୍ତି। ୟାଙ୍କର ସଂସାର ଲୀଳା ସରିଲେ ଯାଇ ଆମେ ସାଥି ହୋଇ ପରଲୋକ ଗମନ କରିବୁ ଓ ପୁଣି ନୂତନ ଜନ୍ମ ନେଇ ଏ ଭବ ସାଗରକୁ ଫେରିବୁ। ତୁମେ କିନ୍ତୁ କଥା ଦିଅ! ସେତେବେଳେ ଆଉ ଯେମିତି ଆମ ପଛରେ ନ ପଡ।
ସୁଲୋଚନା କହିଲା – “ମୁଁ ରାଣ ନିୟମ ଖାଉଛି, କଥା ବି ଦେଉଛି। ହେଲେ ଏ ଜନ୍ମରେ ତୁମେ ଆଉ ବାଧକ ସାଜିବ ନାହିଁ। ଆଉ କେବେବି ମୋ ଘର ଅଗଣା ମାଡ଼ିବ ନାହିଁ। ଯିଏ ପ୍ରତିଶ୍ରୁତି ଭାଙ୍ଗିବ ସେ ନର୍କଗାମୀ ହେବ। ଆମକୁ ତୁମ ଛାୟା ପ୍ରଭାବରୁ ମୁକ୍ତି ଦିଅ” ।
ଅନୁଷ୍କା କହିଲା – “ବେଶ୍ ସେୟା ହିଁ ହେଉ”। ଏତେ ବେକକୁ ରାତି ପାହି ଆସୁଥିଲା ।ଅନୁଷ୍କାର ଛାୟାଚିତ୍ର ଧିରେ ଧିରେ ବିଲୀନ ଭଜୁଥିଲା। ପରିସ୍ଥିତି ସ୍ୱାଭାବିକ ହେଉଥିଲା। ମୁଁ କିନ୍ତୁ ଧଡ଼ାସକିନା କଚଡ଼ାଟେ ଖାଇ ମୋର ଚେତା ଚାଲି ଯାଇଥିଲା। ସୁଲୋଚନା ପାଣି ଛାଟି ସ୍ରାଷ୍ଟମ କଲା।

ଭାଗ – 15

ବଡ଼ ସମସ୍ୟା ବହୁଳ ସ୍ରୁଷ୍ଟି ସାର ଏ ସଂସାର। ଏଠି ବିନା ସମସ୍ୟାରେ କିଛି ହୁଏ ନାହିଁ। ଖାଲି ସମସ୍ୟା ହିଁ ସମସ୍ୟା। ସମସ୍ୟା ଘେରରେ ରହି ମଣିଷ ବୋଧେ ଜୀବନର ପରମ ସତ୍ୟକୁ ଖୋଜୁଥାଏ ଓ ତାହାରି ବାଟ ଦେଇ ସେ ସମସ୍ତଙ୍କ ଅଲକ୍ଷ୍ୟରେ ମୃତ୍ୟୁର ଖୁବ୍ ନିକଟବର୍ତ୍ତି ହୋଇ ଯାଉଥାଏ। ଏଇ ତ ଜୀବନ ଯାହାର ଅନ୍ୟ ନାମ ସଙ୍ଘାତ ଓ ସଂଘର୍ଷ।
ଏଣିକି ଜୀବନଟା କିନ୍ତୁ ବଡ଼ ଦୁର୍ବିଶହ ମନେ ହେଲାଣି ।ମୋତେ ଲାଗୁଛି ମୁଁ ଯିମିତି ଭୂତୁଣୀ ସାହିତ୍ୟିକାକୁ ଡାକି ଭୁଲ କରିଛି। ମଣିଷ ବିନା ସାଧନା ଓ ପ୍ରୟାସରେ ସବୁ ଜିନିଷ ହାତ ପାହାନ୍ତାରେ ପାଇଯିବାକୁ ଏମିତି ଅନେକ କାମନା ବାସନା ମନରେ ପୋଷଣ କରେ। ହେଲେ ସେ ଜାଣି ନଥାଏ, ସେଇ କାମନା ବାସନା ତା ପାଇଁ କାଳ ହୋଇ ଦିନେ ଛିଡା ହୋଇପାରେ। ସବୁ କଥାରେ ସହଜଲଭ୍ଯ ଓ ସରଳ ସୌକର୍ଯ୍ୟ ଏତେଟା ଭଲ ନୂହେଁ ।ଭଗବାନଙ୍କ ଦୁନିଆକୁ ମଣିଷ ଆସିଛି ମାନେ ହକ୍ ସେ ଖଟିବ, ଖୁଆଇବ ଓ ଖାଇବ। ଖାଇ ପିଇ ଯେଉଁ ଫଳପୁଷ୍ପ ଗଣ୍ଡେ ବଳିବ, ତାକୁ ସେ ପୁଟୁଳୀ ଧନ କରି ଆର ପାରିକୁ ସାଥିରେ ବୋହି ନେବ।ଫଳପୁଷ୍ପ ବୋଇଲେ ପଦାର୍ଥ କିଛି ନୂହେଁମ! ଯାହାକୁ ଭାର କରି ବୋହି ନେବାକୁ କଷ୍ଟ ହେବ, ବରଂ ତା ହେଉଛି ସୁଖ୍ୟାତି ଓ ସୁଫଳ। ସେଇଥିରେ ଭଗବାନ ତ ସନ୍ତୁଷ୍ଟ ହୁଅନ୍ତି। କିନ୍ତୁ ମାଗି ଅଣା ତୁଣ ସଟକେ ଭଳି ମାଗି ଅଣା ଧନ ଓ ଚୌର୍ଯ୍ଯବୃତ୍ତିରେ ଉପାର୍ଜନ ଅର୍ଥ, ସାମଗ୍ରୀ ଓ ପ୍ରଶଂସା’ କାଳେ ପ୍ରାପତ ନୂହେଁ ତାହା’ । ମୋ ମନକୁ ଆସୁଛି,ସାହିତ୍ୟ ସାଧନା ପାଇଁ ଭୂତୁଣୀକୁ ଡାକି ମୁଁ କିଛି ଭୁଲ କରି ନାହିଁ ତ? ଏପରି ଏକ ଅମୂଳକ ଓ ବିଚାର ବୁଦ୍ଧିହୀନ ସିଦ୍ଧାନ୍ତ, ସେଦିନ ମୋ ମୁଣ୍ଡକୁ କାହିଁକି ଜୁଟିଲା କେଜାଣି। ବରଂ ମୋତେ ସାଧନା କରିବାକୁ ଥିଲେ, ଅନେକ ପୁସ୍ତକ ଓ ମୋଟା ମୋଟା ଗ୍ରନ୍ଥ ସେଇ ସମୟତକ ନିଷ୍ଠା ଓ କର୍ତ୍ତବ୍ୟର ସହକାରେ ଅଧ୍ୟୟନ ଓ ଅନୁଧ୍ୟାନ କରିବାର ଥିଲା। ଯାହାବି ହେଉ, ମୁଁ ଆଜି ସାହିତ୍ୟିକ ଓ ନିଜସ୍ଵ ଚେତାନାରେ ପରିପୃଷ୍ଟ। କାରଣ ଅନ୍ୟ ଉପରେ ନିର୍ଭର କରିବା ବୃତ୍ତି, ମୁଁ ଛାଡ଼ି ଦେଇଛି।ସାଧନା ଏବର ମୋ ବ୍ରତ ପାଲଟିଛି। ସାଧନାର ପୃଷ୍ଠଭୂମି ଉପରେ ଯିଏ କେହି ଯେତେବେଳେ ଛିଡା ହେଉନା କାହିଁକି ତା ପାଇଁ କିଛି ବି ଅସଫଳ ନୂହେଁ, ସବୁ ସଫଳ।ତେଣୁ ସଫଳତା ଯଥାର୍ଥରେ ଗାହେ କୃତିତ୍ଵର
ଗାଥା ।ସେଦିନ କିନ୍ତୁ ସାହିତ୍ୟିକ ହେବାର ନିଶାରେ ଅନୁଷ୍କାକୁ ଡାକି ମୁଁ କେତେଦୂର ସଫଳ ସାହିତ୍ୟିକ ହୋଇଛି ତାହା ତ ମୁଁ କହି ପାରିବି ନାହିଁ, ମୁଁ କିନ୍ତୁ ସମସ୍ୟା ଘେରରେ ଅଧିକ ଛନ୍ଦି ହୋଇ ଯାଇଥିଲି। ସମାଜର ଯେତିକି ସମସ୍ୟା ଆସ୍ତେ ଆସ୍ତେ ମୋହରି ନିଜସ୍ଵ ସମସ୍ୟା ହୋଇ ମୋ ଆଗରେ ମୁଣ୍ଡ ଟେକେ, ଯାହା ମୋତେ ଅଧିକ ଭାରକ୍ରାନ୍ତ କରି ଗଢି ତୋଳୁଥାଏ। ଏଥି ସହିତ ସମୟର ଘୋର ଅଭାବ କାରଣରୁ ସବୁ ଜିନିଷ ଅବହେଳିତ ହେଉଥାଏ। ନା ଚାକିରୀ ଠିକ୍ ସେ ହୋଇ ପାରୁଥାଏ, ନା ପିଲା ଛୁଆର ସଂସାରକୁ ଠିକ୍ ସେ ଦେଖି ପାରୁଥାଏ। କୌଣସି ଛୋଟ ବଡ଼ କାର୍ଯ୍ୟଟେ ପାଇଁ ମଧ୍ଯ ମୋ ପାଖରେ ବଳକା ଟାଇମ୍ ଟିକେ ବଞ୍ଚୁ ନଥାଏ। ତେଣୁ ସବୁକିଛି ଗୋଲକଧନ୍ଦା ପରି ଗୋଳମାଳିଆ ହୋଇ ଯାଉଥାଏ। ମୁଁ ତେଣୁ ଖାଲି ଥେଇଥେଇ ନାଚୁଥାଏ ।କିଏ କେତେ ପ୍ରକାର ଅସନ୍ତୋଷ ହେଲେଣି ତା’ର ସୀମା ନାହିଁ । ସୁଲୋଚନା ତ ଆଗେ ଚିଡିଚିଡି କହୁଥିଲେ – “ତୁମ ଭଳିଆ ଅଘରାକୁ ନେଇ ମୁଁ ଘର କରି ପାରିବି ନାହିଁ। ଆଉ କ’ଣ ପିଲା ଛୁଆର ସଂସାର ନାହିଁ ନା କ’ଣ ସେଇ ସାହିତ୍ୟକୁ ନେଇ ତୁମେ ସବୁ ବେଳେ ବସିଥିବ”?
ଅବଶ୍ୟ ଏବେ ପରିସ୍ଥିତି ଭିନ୍ନ। ସୁଲୋଚନା ଏବେ ମୋ ପଛରେ ଟିଙ୍କ ଭଳିଆ ପଡ଼ିଛନ୍ତି। ଦଣ୍ଡେ ଏକୁଟିଆ ଛାଡୁ ନାହାଁନ୍ତି। ଭାରି ଯତ୍ନ ନେଉଛନ୍ତି, ଅହରହ ଜଗିକି ରହୁଥାନ୍ତି। ମୁଁ ଯେମିତି ତାଙ୍କୁ ଛାଡ଼ି ଆଉ କୌଣସି ଭୂତୁଣୀ ବା ନାରୀ ପଛରେ ଚକ୍କର ନ କାଟେ, ସେଥିସକାଶେ ସେ ଭାରି ପ୍ରଯତ୍ନଶୀଳା। ଏପରି କି ଭୂତୁଣୀ ସାହିତ୍ୟିକାର ଅଭାବବୋଧ ଦୂର କରିବା ପାଇଁ ସେ ବି ମୋ ସାହିତ୍ୟରେ ରୁଚି ରଖି ଏଣିକି ଆଲୋଚନା କରନ୍ତି। ସୁଚିନ୍ତିତ ମତାମତ ଦିଅନ୍ତି। ପୁନଶ୍ଚ ଅନୁଷ୍କାର ଆତ୍ମାକୁ ଶାନ୍ତି ପ୍ରଦାୟନ ପାଇଁ କ’ଣ ଉପାୟ ଅବଲମ୍ବନୀୟ, ସେ ସମ୍ପର୍କିତ ପରମର୍ଶ ମଧ୍ଯ ଦେଉଥାନ୍ତି। ଏଣିକି ଆମେ ଦୁଇ ଜଣ ସମାନ ରୁଚିର ମଣିଷ, ତେଣୁ ଆମ ସାଂସାରୀକ ସୁଖ ମଧ୍ଯ ଦୁଇ ଗୁଣିତ। ତେଣୁ ଲାଗୁଥାଏ, ଆମେ ଦୁଇ ଜଣ ବୋଧେ ସତ ସତିକା ସ୍ଵାମୀସ୍ତ୍ରୀ ଓ ପରମ ମିତ୍ର, ଯାହାର ଉପଲବ୍ଧି ଆଗରୁ କାହିଁ କେବେ ଉପଲବ୍ଧି କରି ହେଉ ନଥିଲା ତ । ଖାଲି ଯେ ପତିପତ୍ନୀ ହୋଇଗଲେ ସମ୍ପର୍କ ନିବିଡ ହୋଇଯାଏ ବା ନିମିଷକେ ବନ୍ଧୁତ୍ୱ ସ୍ରୁଷ୍ଟି ହୋଇଯାଏ- ମୁଁ ଏ କଥା ସ୍ୱୀକାର କରିବାକୁ ପ୍ରସ୍ତୁତ ନୂହେଁ। କାରଣ ଏଥିପାଇଁ ଲୋଡ଼ା ଅନେକ ତ୍ୟାଗ ଓ ସାଧନା। ତେଣୁ ଏହା ଅଚିରେ ଆୟସସାଧ୍ଯ ନୂହେଁ କଷ୍ଟଲବ୍ଧ।
ଏଥିପାଇଁ ଗୋଟେ ବଡ଼ ମାନସିକତା ଓ ଉତ୍ସର୍ଗୀକୃତ ମନୋଭାବ ଦରକାର, ଯାହା କେବଳ ଦୁଇଟି ଭିନ୍ନ୍ ଆତ୍ମାକୁ ଯୋଡି ଏକାବେଳେକେ ଏକାକାର କରିଦେଇ ପାରେ ଓ ଦୁଇଟି ଅଭିନ୍ନ ସତ୍ତା ଭିତରେ ଭିନ୍ନ୍ ଏକ ବନ୍ଧୁତ୍ୱ ସ୍ରୁଷ୍ଟି ହୋଇ ପଡେ। ଏହି ବନ୍ଧୁତ୍ୱ ସ୍ରୁଷ୍ଟି ପାଇଁ କାହାକୁ ହୁଏତ ଦିନ କେଇଟା ଲାଗି ପାରେ ଆଉ କାହାକୁ ବା ବର୍ଷ ବର୍ଷ କେଯାଏଁ କେତେ ବର୍ଷ ଲାଗି ଯାଇ ପାରେ।ଯାହା ବି ହେଉ, ଆମେ ଦୁହେଁ ଏବେ ଖୁବ୍ ଭଲ ବନ୍ଧୁ ବା ବାନ୍ଧବୀ।
ଅନ୍ୟପକ୍ଷରେ ଅନୁଷ୍କାର ସମସ୍ୟା ବହୁବିଧ। ତାକୁ ଗୋଟେ ଚୂଡାନ୍ତ ରୂପରେଖ ଦେବା ମୋ ପାଇଁ ଚ୍ୟାଲେଞ୍ଜ।
ଏ ଟି. ଭି. ଚ୍ୟାନେଲ ସହିତ ଅନୁବନ୍ଧିତ ହୋଇ ପଡ଼ି, ହରର ସିରିଏଲ୍ ଲେଖିବା ମଧ୍ୟ ମୋ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥାଏ। ପୁଣି ଅନୁଷ୍କା କାହାଣୀ ଯେଉଁ ମୋଡରେ ଆସି ପହଞ୍ଚିଲାଣି, ତାକୁ ଚ୍ୟାନେଲରେ କେଉଁ ବାଟରେ ଯେ ପ୍ରସାରିତ କରି ହେବ ମୁଁ କାହିଁ କିଛି ଭାବି ପାରୁ ନଥାଏ। ସୁଲୋଚନାକୁ ପାଖକୁ ଡାକିଲି। ସୁଲୋଚନା କହିଲେ – ତୁମେ ଗୋଟେ କାମ କର! ସବୁ ଜିନିଷ ଉପରେ ତିକ୍ଷ୍ଣ ନଜର ରଖ ଓ କାହାଣୀକୁ ଖୁବ୍ ଚମତ୍କାରୀ ରୂପ ପ୍ରଦାନ କର । ଏମିତି ଢଙ୍ଗରେ ସେ କାହାଣୀକୁ ଲେଖିବ ଯେ, ଯେମିତି ଛଦ୍ମନାମ ଓ ରୂପ ପରିପାଟୀ ଭିତରେ କାହାଣୀ ପ୍ରସ୍ଫୁଟିତ ହେବ କିନ୍ତୁ ଦ୍ୟାନ ସାମନ୍ତରାୟ ତା’ର ଟେର ପାଇବ ନାହିଁ। ଓଲଟା ଟି. ଆର୍. ପି. ବଢିବା ଆଶାରେ ସେ କାହାଣୀକୁ ପ୍ରଯୋଜନା କରି ଚାଲିଥିବ ଓ ନିଜ ଅପକର୍ମର ହିସାବ ନିଜେ ବଖାଣୁଥିବ । ଶେଷରେ ସତ୍ୟ ଯେତେବେଳେ ଲୋକଲୋଚନକୁ ଆସିବ, ଲୋକେ ତା ଉପରକୁ ଛେପ ପକାଇବେ ଓ ଅନୁଷ୍କାର ପ୍ରତିଶୋଧ ପୂରା ହୋଇଯିବ”।
ମୁଁ କହିଲି – ହଁ ଠିକ୍ କହିଛ, ମୁଁ ତ ଠିକ୍ ସେୟା ଭାବୁଥିଲି। ସତରେ ଏହା ନିଜ ଗୋଡକୁ ନିଜେ କୁରାଢ଼ି ମାରିବା ପରି ହେବ। କାରଣ ଦ୍ୟାନ ସାମନ୍ତରାୟ କାହାଣୀ ଭିତରେ ପଶେ ନାହିଁ, ସେ ତ ଉପରେ ଉପରେ ଭାସିବା ଲୋକ। ସୁଲୋଚନା କହିଲେ -” ହଁ.. କିନ୍ତୁ ଏଥିପାଇଁ ଟିକେ ଅଧିକ ସତର୍କତା ଅବଲମ୍ବନୀୟ, କାରଣ ଅନୁଷ୍କାକୁ ନ୍ୟାୟ ଦେବା ଆମର ଲକ୍ଷ୍ୟ, ନହେଲେ ତା ଅତୃପ୍ତ ଆତ୍ମା ଶାନ୍ତି ପାଇବ ନାହିଁ” ।
ମୁଁ କହିଲି – ହଁ.. ଅନୁଷ୍କାର ଆତ୍ମା ଶାନ୍ତି ନପାଇଲେ ଆମେ ବି ଶାନ୍ତିରେ ବସି ପାରିବା ନାହିଁ। କାରଣ ତା ପାଇଁ ଆମେ ସମସ୍ତେ ମିଶି ବହୁ ଅନ୍ୟାୟ କରିଛନ୍ତି, ଶେଷରେ ଏହି ଲମ୍ପଟ ଦ୍ୟାନ ସାମନ୍ତରାୟ ତା ଇଜ୍ଜତକୁ ନେଇ ଅତି ଘୃଣ୍ୟ ଖେଳ ଖେଳିଦେଲା। ତେଣୁ ତାକୁ କ୍ଷମା ନାହିଁ। ତାଛଡା ଯାହା ବି ହେଲେ ଆମେ ସାହିତ୍ୟିକ ନା! ତେଣୁ ଆମର କର୍ତ୍ତବ୍ଯ ହେବା ଉଚିତ୍ ନିର୍ଦ୍ଦୋଷକୁ ନ୍ୟାୟ ଓ ଦୋଷୀକୁ ଦଣ୍ଡ। ନହେଲେ ସମାଜରୁ କଳୁଷ ରୂପକ ଅନ୍ଧକାର ଦୂରୀଭୂତ ହୋଇ ଧର୍ମ – ସତ୍ୟ – ନ୍ୟାୟ କେବେ ବି ପ୍ରତିଷ୍ଠିତ ହୋଇ ପାରିବ ନାହିଁ।
ଏଥିପାଇଁ ଘୋର ଅଗ୍ନି ପରୀକ୍ଷା ହେଲେ ବି ମୋତେ ଖାଡା ଉତୁରିବାକୁ ପଡ଼ିବ। ଏଇଭଳି କିଛି ଦୃଢତା ଓ ସଙ୍କଳ୍ପ ମୋ ଭିତରେ ଆସିବାରୁ ମୁଁ ଟିକିଏ ଶକ୍ତି ଓ ସାମର୍ଥ୍ୟ ମୋ ଭିତରେ ଏକଠା କରି ମୋ ନିଷ୍ପତ୍ତିରେ ମୁଁ ଦୃଢ଼ ରହିଲି । ଏହିପରି କାହାଣୀ ଆଗକୁ ବଢ଼ୁଥାଏ।
ତଥାପି ଅନୁଷ୍କାର ଦୁଃଖଭାଗ, ମୋତେ ବ୍ୟଥିତ କରୁଥାଏ ।ତା ମନର ଅବଶୋଷ ମେଣ୍ଟାଇବା ପାଇଁ ଓ ତା ଆତ୍ମାର ସଦ୍ଗତି ନିମନ୍ତେ କ’ଣ ଯେ କାରିକା କରିବାକୁ ହେବ, ମୁଁ ସେ କଥା ବସି ଭାବୁଥାଏ।ଠିକ୍ ଏଇ ସମୟରେ, ସୁଲୋଚନା ସଜବାଜ ହୋଇ ଆସି କହିଲେ – ଝଅଟ ଚାଲ! ମନ୍ଦିର ଯିବା। ଆଜି ଅନୁଷ୍କାର ଆତ୍ମାର ସଦ୍ଗତି ନିମନ୍ତେ ହୋମାଦି ଯଜ୍ଞ କରିବାକୁ ପଡ଼ିବ। ପୂଜାପୂଜି କରି ଫେରି ଆସିଥିଲୁ। କିଏ ଯେମିତି ସେଇ ଅନ୍ଧକାର ଭିତରେ ଦୁଇ ଆଞ୍ଜୁଳା ଲୁହ ଢାଳି ଦେଇ ଓ ଆଶୀର୍ବାଦ କେତକ ଦେଇ ଦେଇ ଅନ୍ଧକାରର ବହଳ ପରଦା ତଳେ ହଜିଗଲା। ପଛରୁ ଯେତେ ଡାକିଲି ଆଉ କାହିଁ କେବେ କେଉଁ ଦିନ ଫେରି ଚାହିଁଲାନି। ସୁଲୋଚନା କିନ୍ତୁ ନିତି ଚଉଁରା ମୂଳେ ସଂଜବତୀ ଢାଳି ତା ଶୁଭ ମନାସେ।
ଶେଷ ସ୍ପର୍ଶ….

ଭୂତୁଣୀ ସାହିତ୍ୟିକା
ଭାଗ 16
By ସତ୍ୟ ପ୍ରକାଶ ସେଠୀ
ଏତେବେଳକୁ ହରର ସିରିଏଲ୍ ଟା ଯାଇ climax ସ୍ଟେଜ୍ ରେ ପହଂଚି ଯାଇଥିଲା। ଲୋକମାନଙ୍କ ମଧ୍ୟରେ ଏହି ସିରିଏଲ୍ କୁ ନେଇ ନାହିଁ ନଥିବା କ୍ରେଜ୍। ରାତି 9 ଟା ହୋଇ ଗଲେ ସମସ୍ତେ ଟି ଭି ପାଖରେ ବସି ପଡୁଥିଲେ। ଲୋକମାନଙ୍କ ମଧ୍ୟରେ ଏମିତି ଉତ୍ସାହ ଭରି ଯାଇଥିଲା ଯେ ସହରରେ ସବୁଠିଁ ସେଇ ସିରିଏଲ୍ କୁ ନେଇ ଚର୍ଚ୍ଚା ଜୋହର୍ ଧରିଥିଲା। ଯେଉଁଦିନ କାହାଣୀର ଏହି climax ସିନ୍ ଟା ପ୍ରଦର୍ଶିତ ହୋଇଥିଲା ସେଦିନ ଯେମିତି କାହାଣୀର ସମସ୍ତ ରହସ୍ୟ ଓ ଗୁମର ଧିରେ ଧିରେ ଫିଟିବାକୁ ଲାଗୁଥିଲା। ନିକଟ ଅତୀତରେ ସହରରେ ଘଟିଥିବା ଅନୁଷ୍କା ଦେବୀଙ୍କର ଘଟଣା ସହିତ ଏହି କାହାଣୀକୁ ଯୋଡ଼ି ଲୋକମାନେ ଦେଖିବାକୁ ଆରମ୍ଭ କରି ଦେଇଥିଲେ। ତେଣୁ ସମସ୍ତଙ୍କ ମନରେ ଉଙ୍କି ମାରୁଥିବା ପ୍ରଶ୍ନର ସମାଧାନ ଲୋକେ ଖୋଜୁଥିଲେ। ଅନୁଷ୍କା ଦେବୀଙ୍କର ମର୍ଡର ମିଷ୍ଟ୍ରି (ହତ୍ୟା ରହସ୍ୟ) ଧିରେ ଧିରେ ଖୋଲୁଥିଲା। ଶେଷରେ ଯେତେବେଳେ ସେମାନେ ଜାଣିଲେ ଏହି ହତ୍ୟା ପଛରେ ସହରରେ ରହୁଥିବା ଜଣେ ପ୍ରତିଷ୍ଠିତ ଧନୀକ ବ୍ୟକ୍ତି ଯିଏକି ଜଣେ ଟି ଭି ସିରିଏଲ୍ ର ପ୍ରଯୋଜକ ଅଟନ୍ତି, ସେତେବେଳେ ସେମାନଙ୍କର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ, ଏହା ପଛରେ ଦ୍ୟାନ ସାମନ୍ତରାୟଙ୍କ ହାତ ରହିଛି ବୋଲି। ତେଣୁ ସମସ୍ତେ ଉତ୍କ୍ଷିପ୍ତ ହୋଇ ଉଠିଲେ। ଡାକରା ଅଡାକରା ନାହିଁ, କିନ୍ତୁ କେମିତି କେଜାଣି ସହସ୍ର ଲୋକ ସେଦିନ ଟି ଭି ଚ୍ୟାନେଲ ସାମ୍ନାରେ ରୁଣ୍ଡ ହୋଇଗଲେ। କଥାଟା ଆସ୍ତେ ଆସ୍ତେ ପ୍ରଘଟ ହୋଇ ଯିବାରୁ ଆହୁରି ଅନେକ ଲୋକଙ୍କର ସେଠି ସମାଗମ। ଏକ ରକମର ଗୋଟେ ମେଳି ଆରମ୍ଭ ହୋଇଗଲା। ଚାହୁଁ ଚାହୁଁ ମିଡିଆବାଲା ଓ ସମ୍ବାଦ ପତ୍ରର ପ୍ରତିନିଧି ମଧ୍ୟ ସେଠି ପହଁଚି ଗଲେ। ଦ୍ୟାନ ସାମନ୍ତରାୟ ବିରୁଦ୍ଧରେ ଉଚ୍ଚକିତ ସ୍ଲୋଗାନ୍ ଓ ତାଙ୍କ ଆରେଷ୍ଟ ଦାବୀର ନାଆରା ଜୋହର୍ ଧରିଲା ।ଢେଲା ପଥର ମାଡ଼ରେ ଟି ଭି ଚ୍ୟାନେଲ୍ ର ପ୍ରଭୁତ୍ଵ କ୍ଷତି ସାଧନ ହେଲା।
ଠିକ୍ ଏତିକି ବେଳକୁ ଦ୍ୟାନ ସାମନ୍ତରାୟ କେଉଁଠି ଥିଲା କେଜାଣି ପଦ୍ମତୋଳା ଡାକିଲେ ସାପ ଯେପରି ଗାତରୁ ବାହାରି ଆସେ ଠିକ୍ ସେଇପରି ସେ ଗର୍ଜି ଉଠିଲା। କହିଲା -” କାହାର ଏତେ ସାହସ ସେ ପୁଣି ଦ୍ୟାନ ସାମନ୍ତରାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବ?” ଅକସ୍ମାତ ତା ପାଟିରୁ ବାହାରି ପଡ଼ିଲା – “ହଁ ମୁଁ ଅନୁଷ୍କାକୁ ବଳାତ୍କାର କରି ମାରି ଦେଇଛି। ଦେଖିବା! ମୋର କିଏ କଣ କରିବ?” ଧନ ଓ ପ୍ରତିପତ୍ତିର ମିଛ ବାହାସ୍ପୋଟ ପଣରେ ସେ ଏକା ନିଶ୍ଵାସରେ ଏତକ ଗପି ଗଲେ ସିନା ହେଲେ କାଳ ଛଞ୍ଚଣା ଯେ ଉପରେ ଘୂରି ବୁଲୁଛି ଏ କଥା ସେ ଜାଣି ପାରିଲେ ନାହିଁ। ଔଦ୍ଧତ୍ଯର ସୀମା ଲଂଘି ସେ ପିସ୍ତଲ ଦେଖାଇ ଲୋକଙ୍କୁ ଘଉଡେଇବାକୁ ଅଯଥା ଅପଚେଷ୍ଟା କରୁଥିଲେ। ହେଲେ ଜନତା ତାଙ୍କ ମୁହଁରୁ ଅନୁଷ୍କା ସମ୍ପର୍କରେ ଏଇ କେଇପଦ କଥା ଶୁଣିବା ପରେ କ୍ରୋଧର ଦାବାନଳେ ପ୍ରଜ୍ଜ୍ଵଳିତ ହେବାକୁ ଲାଗିଲେ। ଆଉ କିଏ କାହାକୁ ବା ସମ୍ଭାଳେ? ସମସ୍ତେ ହୋ ହୋ ହୋଇ ଧାଇଁଲେ। ଦଣ୍ଡକେ ଦ୍ୟାନ ସାମନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ କଲେ। ଭୟରେ ଦ୍ୟାନ ସାମନ୍ତରାୟ ପ୍ରାଣ ବିକଳରେ ରାସ୍ତାରେ ଧାଇଁ ପଳେଇବାକୁ ଚେଷ୍ଟା କରୁଥାଏ ଆଉ ଲୋକେ ତା ପଛେ ପଛେ ଟେକା ପଥର ଫିଙ୍ଗି ଗୋଡାଉ ଥାନ୍ତି, ସତେ ଯେମିତି ବନସ୍ତର କେଉଁ ଦନ୍ତା ହସ୍ତୀକୁ ଘଉଡେଇବାର କସରତ ଚାଲିଥାଏ ।
ଘଟଣା ସ୍ଥଳରେ ପୋଲିସ୍ ପହଂଚି ମବ୍ କଣ୍ଟ୍ରୋଲ କରିବାରୁ ଓ ଦ୍ୟାନ ସାମନ୍ତରାୟଙ୍କୁ ଭ୍ଯାନ ଉପରକୁ ଉଠାଇ ନେବାରୁ ଅଳ୍ପକେ ସେ ବର୍ତ୍ତି ଯାଇଥିଲେ।ହେଲେ ଭ୍ଯାନ ଉପରୁ ଦ୍ୟାନ ସାମନ୍ତରାୟଙ୍କ ଅହଙ୍କାରପୂର୍ଣ୍ଣ ତାଚ୍ଛଲ୍ୟ ହସ ସାଧାରଣ ଜନତାଙ୍କୁ ଅସହ୍ୟ କଷ୍ଟ ଦେଇଥିଲା। ସେମାନେ ଆଉ ଚୁପ୍ ହୋଇ ବସିବେ ନାହିଁ ବୋଲି ମନେମନେ ସ୍ଥିର ନିଶ୍ଚୟ କରି ନେଇଥିଲେ।
ପରଦିନ ସକାଳୁ ସମସ୍ତ ସମ୍ବାଦ ପତ୍ରର ପୃଷ୍ଠା ସେଇ ସମ୍ବାଦକୁ ନେଇ ଖୁଲାସା କଲା। ଅନେକ ସତ୍ୟ ପଦାକୁ ଆସିଲା। କେତେକ ସାମାଜିକ ଅନୁଷ୍ଠାନ ଓ ନ୍ୟାୟିକ ପ୍ରତିଷ୍ଠାନ ଏଇ ସ୍ଵରକୁ ଆହୁରି ତୀବ୍ର ଓ ଶାଣିତ କଲେ। ସମସ୍ତଙ୍କର ଗୋଟିଏ ଦାବୀ – ଅନୁଷ୍କାକୁ ନ୍ୟାୟ ପ୍ରଦାନ କରାଯାଉ ଓ ତା ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟେଇବାକୁ ହେଲେ କେସ୍ ର ସାନି ତଦନ୍ତ କରାଯାଉ। ଏଥିପାଇଁ ଏସ୍. ଆଇ. ଟି. ଗଠନ କରାଯାଉ। ଶେଷରେ ସରକାର ହାର ମାନିଲେ। ଏସ୍. ଆଇ. ଟି. ଗଠନ କରାଯାଇ କେସ୍ ର ପୁନଃ ତଦନ୍ତ ଆରମ୍ଭ ହେଲା। ପୋଲିସ୍ ସେଇ ବଣରେ ତନତନ କରି ସବୁ ତଦନ୍ତ କଲା। ଯେଉଁଠି ଅନୁଷ୍କାକୁ ମାଟି ତଳେ ପୋତି ଦିଆ ଯାଇଥିଲା ତା’ର ଠିକଣା ମଧ୍ଯ କୁକୁର ସାହାଯ୍ୟରେ ପୋଲିସ୍ ପାଇଗଲା। ଅନୁଷ୍କାର ଅସ୍ତି ହାଡ଼ କଙ୍କାଳର ସନ୍ଧାନ ମଧ୍ଯ ମିଳିଗଲା। ଦ୍ୟାନ ସାମନ୍ତରାୟର ଡ୍ରାଇଭର୍ ବି ପୋଲିସ୍ ର ନାଲି ଆଖି ଆଗରେ ସବୁ ସତ ମାନିଗଲା। ବାକି ସତ କଥାଗୁଡ଼ା ଦ୍ୟାନ ସାମନ୍ତରାୟ ଜେରା ବେଳେ ଉଗାଳି ପକାଇଲା।
ଏହା ଭିତରେ ଘଟଣାକୁ ବିତି ଗଲାଣି ମାସେ। ଦ୍ୟାନ ସାମନ୍ତରାୟ ଏବେ ଜେଲରେ। ସମସ୍ତଙ୍କ ମୁହଁରେ ମୋର ପ୍ରସଂଶା। ଘଟଣାର ପର୍ଦ୍ଦା ଫାସ ପାଇଁ ଜନତା ଶ୍ରେୟ ଢ଼ାଳୁଥିଲେ ମୋ ମୁଣ୍ଡ ଉପରେ। ମୁଁ କିନ୍ତୁ ସେ ସମସ୍ତ ଶ୍ରେୟକୁ ଏକାକୀ ବୋହି ନପାରି ଭାଗୀଦାରୀ କରୁଥିଲି ପତ୍ନୀ ସୁଲୋଚନାକୁ। ସୁଲୋଚନା କହୁଥିଲେ – “ଇଏ ତୁମର ଯୋଉ କଥା ନା”। ସେ ହସି ଦେଉଥିଲେ ଆମର ସଂସାର ଆହୁରି ସୁନ୍ଦର ହୋଇ ଦିଶି ଯାଉଥାଏ।
ସବୁ ସତ୍ତ୍ୱେ ଅନୁଷ୍କାର ଦୁଃଖ ଭାଗ ତଥାପି ମୋତେ ବ୍ୟଥିତ କରୁଥାଏ। ତା ମନର ଅବଶୋଷ ମେଣ୍ଟାଇବା ପାଇଁ ଓ ଆତ୍ମାର ସଦ୍ଗତିଃ ପାଇଁ କଣ ଯେ ଆଉ ମୋତେ କରିବାକୁ ହେବ କେବଳ ସେଇ କଥା ଭାବୁଥାଏ। ଠିକ୍ ଏଇ ସମୟରେ ସୁଲୋଚନା ସଜବାଜ ହୋଇ ଆସି କହିଲେ-ଝଅଟ ଚାଲ! ମନ୍ଦିର ଯିବା। ଆଜି ଅନୁଷ୍କାର ଶ୍ରାଦ୍ଧ ବାର୍ଷିକୀ। ତା ଆତ୍ମାର ସଦ୍ଗତି ପାଇଁ ହୋମାଦି ଯଜ୍ଞ କରିବାକୁ ପଡ଼ିବ। ପୂଜାପୂଜି କରି ଫେରି ଆସିଥିଲୁ। କିଏ ଯେମିତି ସେଇ ବହଳ ଅନ୍ଧକାର ଭିତରେ ଦୁଇ ଆଞ୍ଜୁଳା ଲୁହ ଢାଳି ଦେଇ ଓ ଆଶୀର୍ବାଦ କେତେକ ଦେଇ ଅନ୍ଧକାରର ଗହଳ ପରଦା ତଳେ ହଜିଗଲା। ପଛରୁ ଯେତେ ଡାକିଲି ଆଉ କାହିଁ କେବେ କେଉଁଦିନ ଫେରି ଚାହିଁଲାନି। ସୁଲୋଚନା କିନ୍ତୁ ନିତି ଚଉଁରା ମୂଳେ ସଂଜବତୀ ଢାଳି ତା ଶୁଭ ମନାସେ।

Related posts

ପରିତ୍ୟକ୍ତ କୋଠି

satya

My bio

satya

Collect Published book

satya

2 comments

oprol evorter 9th August 2019 at 2:24 am

fantastic points altogether, you simply gained a brand new reader. What would you suggest about your post that you made a few days ago? Any positive?

Reply
satya 13th October 2019 at 5:44 pm

Yes now story is complete. You read once again and get your answer

Reply

Leave a Comment

Login

X

Register