ତୁମେ ଆଉ ମୁଁ
ତୁମେ ଆଉ ମୁଁ, ମୁଁ ଆଉ ତୁମେ ସେଦିନ ଖୁବ୍ ଆତ୍ମୀୟ ଥିଲେ। ଏକା ସାଙ୍ଗରେ ଏକା ସ୍କୁଲରେ ପାଠ ପଢୁଥିଲେ। ଖେଳଛୁଟି ହେଲେ ଟିଫିନ୍ ବକ୍ସରୁ ଟିଫିନ୍ ଖୋଲି ଏକାସାଙ୍ଗରେ ବଣ୍ଟାକୁଣ୍ଟାକରି ଖାଉଥିଲେ। ମୋ ଟିଫିନ୍ ବକ୍ସରୁ ଟିଫିନ୍ ଖାଲି ହୋଇଗଲେ, ତୁମେ ତୁମ ଟିଫିନ୍ ବକ୍ସରୁ ଟିଫିନ୍ ଖୋଲି ଗୋଟା ଗୋଟା ଟିଫିନ୍ ମୋ ବକ୍ସରେ ଢାଳି ଦେଉଥିଲ। କାହିଁକି ତୁମକୁ ଭୋକ ହେଉ ନଥିଲା ନା ତୁମର ଖାଇବାକୁ ଇଚ୍ଛା ନଥିଲା?
ସ୍କୁଲ୍ ଛୁଟିପରେ ଗେଟ୍ ପାଖରେ ସେଇମିତି ଛିଡ଼ା ହୋଇ କାହିଁକି ରୁହ, ମୁଁ କ୍ଲାସ୍ ରୁମ୍ ରୁ ନ ବାହାରିବାଯାଏ? ମୁଁ ବାହାରି ଆସିଲା ପରେ ଆମେ ଦୁହେଁ ସାଙ୍ଗହୋଇ ବେଶ୍ କିଛିବାଟ ସାଇକେଲ୍ ଯାତ୍ରା କରନ୍ତି। ତା’ପରେ ମୁଁ ବାଟଭାଙ୍ଗି ମୋ ଗନ୍ତବ୍ୟ ପଥରେ ଚାଲିଯାଏ। ତୁମେ କିନ୍ତୁ ସେଇ ଦୋଛକି ରାସ୍ତାରେ ଅଟକିରୁହ ଟା ଟା, ବାଏ ବାଏ କରି, ମୁଁ ତୁମ ଦୃଷ୍ଟି ଆଢୁଆଳରୁ ସମ୍ପୂର୍ଣ୍ଣ ନ ହଟିଯିବାଯାଏ। ମୁଁ ଯେତେବେଳେ ପଛକୁ ବୁଲି ଚାହେଁ, ତୁମେ ହସିଦେଇ ସାଇକେଲ୍ ଘୁମାଅ। ପୁଣି ତା’ପର ଦିନ ସ୍କୁଲ୍ ଆସିଲା ବେଳେ, ତୁମେ ଠିକ୍ ସେଇ ଛକରେ ଅପେକ୍ଷାକରି ରହିଥାଅ। ମୁଁ ପହଁଞ୍ଚିଲା ପରେ, ପୁଣି ଆମର ସାଥିହୋଇ ସ୍କୁଲ ଯିବାହୁଏ।
ତୁମେ ସ୍କୁଲରେ ଗାଳି ଖାଇଲେ, ମୁଁ ଖେଁ-ଖେଁ ହୋଇ ହସେ।ମୁଁ କିନ୍ତୁ ଗାଳିଖାଇଲେ, ତୁମେ କାହିଁକି ଏମିତି ମୁହଁ ଓହଳାଅ? ସାଥିସହପାଠୀ କାହାସହ ମୋର ବଚସା ହେଲେ ବା କୌଣସି କଥାକୁ ନେଇ କେବେ ଯୁକ୍ତିତର୍କ ହେଲେ ତୁମେ ମୋ ପକ୍ଷ ନିଅ, ସେମାନଙ୍କ ସଙ୍ଗେ ଲଢିଯାଅ।
ମନେ ଅଛି ନା! ଦିନେ ଆମେ ସ୍କୁଲ ନ ଯାଇ ସାଇକେଲରେ କେମିତି ସହର ସାରା ପରିକ୍ରମା କରିଥିଲେ। ତୁମର କିନ୍ତୁ ମନରେ ଅସମ୍ଭବ ଡରଥିଲା, ଘରେ ଜାଣିଲେ କ’ଣ ହେବ ବୋଲି। ମୁଁ ତ ଥିଲି ନା, ସାହସ ଦେଇଥିଲି – “ଆମେ କ’ ଣ ଚୋରି କରୁଛନ୍ତି ନା କ’ଣ, ଆମେ ତ କେବଳ ସହର ପରିକ୍ରମା କରିବାର ଅହେତୁକ ଇଚ୍ଛା ନେଇ ଭ୍ରମଣ କରିବା।”
ତୁମେ ଏତିକିରେ ସାହସ ପାଇ ଯାଇଥିଲ।
ମୁଁ ପ୍ରସ୍ତାବ ଦେଲି ଆଉ ତୁମେ ହଁ ଭରିଥିଲ। ଉଭୟଙ୍କ ଭିତରେ ଭାରି ଉତ୍ସାହ ଓ କୁତୂହଳ ବି। ଗୋଟେ ଦିନରେ ଆମେ ଲିଙ୍ଗରାଜ ଓ ରାଜାରାଣୀ ମନ୍ଦିର ପୁଣି ଖଣ୍ଡଗିରି ଓ ଉଦୟଗିରି ସବୁ ବୁଲି ଆସିଥିଲେ। ଫେରିଲା ବେଳକୁ ଆମେ ପୂରା କ୍ଲାନ୍ତଶ୍ରାନ୍ତ ହୋଇଯାଇଥିଲେ। ବାଟରେ ଯାହା ଗୁପଚୁପ ଓ ଦହିବରା କେବଳ ସାଥିହୋଇ ସେତିକି ଖାଇଛନ୍ତି।
ସେଦିନ ମାଟ୍ରିକ୍ ପରୀକ୍ଷାରେ ମୁଁ ଯେତେବେଳେ ଟପର ହେଲି। ବାପାମାଆ, ବନ୍ଧୁବାନ୍ଧବ, ଆତ୍ମୀୟସ୍ଵଜନ, ସାଙ୍ଗସାଥି, ସ୍କୁଲଗୁରୁଜୀ ସମସ୍ତେ ଖୁସି ଜାହିର୍ କରିଥିଲେ। କେହି କେମିତି ବି ଇର୍ଷାରେ ଜଳିଥାଇ ପାରନ୍ତି। ମୁଁ କିନ୍ତୁ ସେଗୁଡାକ ଏତେ ନଜର ରଖି ନାହିଁ। ଆତ୍ମୀୟତା ତ କିନ୍ତୁ ବେଶ୍ କିଛି ବାଣ୍ଟି ହୋଇଥିଲା। ହେଲେ ତୁମେ ସେଦିନ କୁଆଡେ ଯାଇଥିଲ କେଜାଣି। ଡେରିରେ ଯାଇ ସ୍କୁଲରେ ତୁମର ମୋର ଭେଟ ହୋଇଥିଲା । ତୁମେ ବୋଧେ ଅପେକ୍ଷାକରି ରହିଥିଲ ଯେ, ମୁଁ କାହିଁକି ନିଜେ ଯାଇ ଏ ଖବରଟା ତୁମକୁ ଆଗ ଦେଇଆସି ନାହିଁ। ତେବେ ଯାହା ବି ହେଉ ଯେତେବେଳେ ମୋ ଦୃଷ୍ଟି ତୁମ ଉପରେ ପଡ଼ିଲା, ତୁମେ ଅଗତ୍ୟା ଦୌଡ଼ିଆସି ମୋତେ କୁଣ୍ଢାଇଧରି ମୋ ଗାଲକୁ ଚୁଚୁମି ଦେଇଥିଲ। ଏସବୁ ଏମିତି ଆକସ୍ମିକ କେମିତି ଘଟିଯାଇଥିଲା । ହେଲେ ଠିକ୍ ପରମୁହୂର୍ତ୍ତରେ ତୁମେ ବୋଧେ ଟିକିଏ ସଚେତନ ହୋଇ ଯାଇଥିଲ, କିଏ କ’ଣ ଭାବିଥିବ ବୋଲି । ତେଣୁ ତ ତୁମେ ଗୋଟେ କୋଣକୁ ଆଉଜିଯାଇ ବେଶ୍ କିଛିସମୟ ଲାଜରେ ଜୁଡୁବୁଡୁ ହୋଇ ସେଠି ଏକୁଟିଆ ଛିଡା ହୋଇଥିଲ।
ମୋ ଭିତରେ କିନ୍ତୁ ଗୋଟେ ଅକସ୍ମାତ୍ ବିଦ୍ୟୁତ୍ ବେଗରେ ଶିହରଣ ଖେଳି ଯାଇଥିଲା। ପ୍ରଥମଥର ମୁଁ ଗୋଟେ ଭିନ୍ନତା ମୋ ଭିତରେ ଅନୁଭବ କରୁଥିଲି। ସେଇ ଛୁଆଁକୁ ମୋ ଭିତରେ ମୁଁ ବାରମ୍ବାର ଅନୁଭବ କରୁଥିଲେ ହେଁ ଆଉ କାହିଁ ତୁମ ସହ ମୋର କେବେ ଭେଟ ହୋଇନାହିଁ- ଦୀର୍ଘଦିନ ଯାଏ।
ରେଜଲ୍ଟ ମିଳିଯିବା ପରେ ଉଚ୍ଚଶିକ୍ଷା ପାଇଁ କିଏ କେଉଁଠି ପଢିବା, କେତେ ରକମର କସରତ କରିଥିଲେ ଦୁହେଁ । ମୁଁ ଗଲି ବିଜେପି କଲେଜ୍। ସେଇଠି ମୋର କଲେଜ୍ ଜୀବନ ଆରମ୍ଭ ହେଲା। ତା’ପରେ ବିଭିନ୍ନ ପ୍ରକାର ପ୍ରବେଶିକା ପରୀକ୍ଷା ଓ ଶେଷରେ ଇଞ୍ଜିନିୟରିଂ ପାଠ ଏନ୍. ଆଇ. ଟି. ରାଉରକେଲାରେ ସମ୍ପୂର୍ଣ୍ଣ ହେଲା। କ୍ୟାମ୍ପସ୍ ପାଇ ମୁଁ ଗଲି ବାଙ୍ଗାଲୋର, ଗୋଟେ ଆଇ. ଟି. ସେକ୍ଟରରେ ଚାକିରି ପାଇଲି। ଦରମା ଖୁବ୍ ଭଲ। ହେଲେ ସମୟ ଖୁବ୍ କମ୍। ସବୁବେଳେ ଅଫିସ୍ କାମରେ ମଣିଷ ବ୍ୟସ୍ତ। ନିଜ ପାଇଁ କେତେବେଳେ ଫୁରୁସତ୍ ଟିକିଏ ମିଳେ ନାହିଁ, ଭଲମନ୍ଦ କଥା କିଛି ଭାବିବା ପାଇଁ। ହେଲେ ଯେତେବେଳେ ବି ଟିକିଏ ନିରୋଳା ମିଳେ ତୁମ ମୁହଁଟା କାହିଁ ଭାରି ମନେପଡେ। ସ୍କୁଲ୍ ଜୀବନର ପ୍ରତିଟି ଘଟନା ପ୍ରତିବିମ୍ବ ହୋଇ ମୋ ମନର ଦର୍ପଣରେ ପ୍ରତିବିମ୍ବିତ ହୁଏ। ମୁଁ ନିଜକୁ ଭାରି ଅସହଜ ମନେକରେ। ସେଦିନର ତୁମର ପ୍ରତିଟି କଥା ଆଜି ମୋତେ ଭାରି ଆନନ୍ଦ ଦିଏ। ମୁଁ ସବୁକଥାକୁ ରୋମନ୍ଥନ କରୁକରୁ ପୂରା ଅତୀତକୁ ଫେରିଯାଏ। ତୁମ କଥା ମନେପକାଇ ବି ବେଳେବେଳେ ଭାରି ହସେ।
ତୁମେ ଝିଅପିଲା ହୋଇ ଝିଅମାନଙ୍କ ସହ ସାଙ୍ଗ ନହୋଇ, ମୋ ପଛରେ କାହିଁକି ସବୁବେଳେ ଏମିତି ପଡ଼? ମୁଁ ସ୍କୁଲରେ କ’ଣ କରେ ନକରେ ତୁମର ସେଥିରେ ଯାଏଆସେ କାହିଁକି ଏତେ? ମୋ ଉପରେ ତୁମର କିନ୍ତୁ ଭାରି ନଜର।
ଆମେ କେମିତି ପରସ୍ପରକୁ ଏତେ ଭଲ ପାଉଥିଲେ ଯେ, କାହାକୁ କେହି ଦଣ୍ଡେ ନ ଦେଖିଲେ ପରା ରହିପାରୁ ନଥିଲେ। ହେଲେ କୁଆଡ଼େଗଲା ସେ ଭଲପାଇବା ସବୁ। କଲେଜ ଜୀବନରେ କେବେ କାହିଁ କାହାସହ କେବେ ତ ଆଉ ଦେଖାହୋଇ ନାହିଁ। ତୁମେ ବୋଧେ ମୋତେ ଭୁଲି ସାରିବନି। କାହିଁକିନା କାହାଠାରୁ ଖବରଅନ୍ତର ରଖି କେବେ ନା କେବେ ମୋତେ ତ ତୁମେ ଯୋଗାଯୋଗ କରି ପାରିଥା’ନ୍ତ, କିନ୍ତୁ ନା, ତୁମେ ସେମିତି ଆଦୌ କଲ ନାହିଁ। ହଁ କାହିଁକି ବା କରିବ,ତୁମେ ତ ଏବେ ବହୁତ ସାଙ୍ଗସାଥି ପାଇଯାଇଥିବ। ମୋ ପରି ଆଉ କିଏ ତୁମର ଖୁବ୍ ନିଜର ହୋଇ ଯାଇଥିବେ।
ତୁମ ରୂପଗୁଣରେ ଯିଏ କେହି ବି ତ ମୋହିତ ହୋଇପାରନ୍ତି। କାହିଁକିନା ତୁମେ ପରା ଅସାମାନ୍ୟ ସୁନ୍ଦରୀ।ଗୋଟିଏ ଚାଉଳରେ ଗଢ଼ା। କି ସୁନ୍ଦର ତୁମର ଅଙ୍ଗସୌଷ୍ଠବ ଓ ତନୁକାନ୍ତି। ଭାରି ଲାବଣ୍ୟମୟୀ ପରା ତୁମେ । ଗୋରାଚମକୁ ହଳଦିଆ ଡ୍ରେସ୍ ଟା ତୁମକୁ ସତରେ ଭାରି ମାନେ। ଏବେ ବି ସେ କଥା ମୋର ମନେ ଅଛି, ତୁମେ ଯେଉଁଦିନ ସରସ୍ଵତୀ ପୂଜାରେ ମୋତେ ପଚାରୁଥିଲ-“ଏ! ଏ ଡ୍ରେସ୍ ରେ ମୁଁ ସୁନ୍ଦର ଦିଶୁଛି ନା ନାହିଁ କହ ତ?। “
ମୁଁ କହିଥିଲି – “ହଁ ଗୋ ସୁନ୍ଦରୀ! ତୁମେ ସୁନ୍ଦରୀ ଯେ, ହେଲେ ଟିକିଏ ଫୁଲେଇ।”
ତୁମେ ମୋତେ ମାରି ଗୋଡ଼ାଇ ଥିଲ। ମୁଁ ଦୌଡ଼ି ଚାଲି ଯାଉଥିଲା ବେଳେ ବ୍ରାହ୍ମଣ ନନା ଉପରେ ଝୁଣ୍ଟି ପଡ଼ିଥିଲି। ତୁମେ “ଠିକ୍ ହୋଇଛି, ଠିକ୍ ହୋଇଛି” – କହି ଚିଡ଼େଇଥିଲ। କିନ୍ତୁ ଯେତେବେଳେ ବୁଢ଼ା ଆଙ୍ଗୁଠିରେ ଖଣ୍ଡିଆ ଦେଖିଥିଲ, ପୁଣି ତୁମ ଓର୍ନିରୁ କପଡ଼ା ଚିରି ମଲମ ପଟି ବାନ୍ଧିଥିଲ।
ଏବେ ତ ଆହୁରି ତୁମ ଯୌବନ ପୂର୍ଣ୍ଣତଃ ପ୍ରସ୍ଫୁଟିତ ହୋଇସାରିବଣି, ତେବେ ତୁମେ ଏବେ ଖୁବ୍ ସୁନ୍ଦର ଦିଶୁଛ ନା?
ସତରେ ତୁମ କଥା ଆଜି ଖୁବ୍ ମନେପଡୁଛି। ଇଚ୍ଛା ହେଉଛି, ତୁମେ ଯେଉଁଠି ଥାଅ ନା କାହିଁକି, ସନ୍ଧାନ ପାଇଲାକ୍ଷଣି ମୁଁ ଯାଇ ତୁମ ପାଖରେ ହାଜର ହୋଇଯାଆନ୍ତି ଆଉ ତୁମକୁ ମୋ ଶରୀରରେ ଜଡ଼ାଇଧରି କହନ୍ତି – “ମୁଁ ତୁମକୁ ବହୁତ ଭଲପାଏ ।” ହେଲେ ସେ କି ମୋ ଭାଗ୍ୟରେ ଲେଖା ଅଛି ?
ଧେତ୍ ତେରିକା ମୁଁ ଖାଲି ମୋ କଥା ହିଁ କହୁଛି।ହେଲେ ତୁମେ ଏବେ କ’ଣ କରୁଥିବ ଅବା ନାହିଁ, ସେ କଥା ଉପରେ କାହିଁ ଏତେ ତ ଧ୍ୟାନ ଦେଇନାହିଁ। ହଁ… ସତରେ ମଣିଷ ବଡ଼ ସ୍ୱାର୍ଥପର। ସେ ନିଜକୁ ନେଇ ଯେତେ ସ୍ଵପ୍ନଦେଖେ, ଆଉ ଅନ୍ୟପାଇଁ କାହିଁ ସେତେକିଛି ଭାବେ ନାହିଁ। ତେଣୁ ମୁଁ ସ୍ୱାର୍ଥପର ନୂହେଁ ତ ଆଉ କ’ଣ? କାହିଁ ବାସ୍ତବରେ ତୁମ କଥା ତ କିଛି କହିଲି ନାହିଁ?
ହଁ ସେଦିନ ସେଇ ସ୍କୁଲରେ ଆମର ଶେଷ ଦେଖା ହୋଇଥିଲା। ତୁମେ ପୋଷ୍ଟାଲ କଲୋନୀରେ କ୍ବାର୍ଟର୍ ପାଇ ମଉସା ମାଉସୀଙ୍କ ସହ ରହୁଥିଲ। ତେଣୁ ଭୁବନେଶ୍ବରରେ ତୁମର ମାଟ୍ରିକଯାଏ ପଢ଼ା ସରି ଯାଇଥିଲା। ହେଲେ ଅଚାନକ ମଉସାଙ୍କର ବିହାର ଟ୍ରାନ୍ସଫର ହୋଇଯିବାରୁ ତୁମେ କୁଆଡ଼େ ସହର ଛାଡ଼ି ଚାଲି ଯାଇଥିଲ ବୋଲି ଖବର ପାଇଲି। ହେଲେ ତା’ପରେ ଯେତେ ଖୋଜିଲି ଆଉ ପାଇଲିନି। ସାଙ୍ଗ ସାଥିମାନଙ୍କୁ କେତେ ପଚାରିଲି, କେହି ତୁମ ଠିକଣା ମୋତେ ଦେଇପାରିଲେ ନାହିଁ।ଅବଶ୍ଯ ଠିକଣା ବି କେତେଦିନ ପରେ କଷ୍ଟେମଷ୍ଟେ ପାଇଲି କିନ୍ତୁ ତଥାପି ତୁମକୁ ଯୋଗାଯୋଗ କରିବା ପାଇଁ କେବେବି ସାହାସ କରିପାରିଲି ନାହିଁ। ଫୋନ୍ ନମ୍ଵର୍ ତ ମିଳିଲା ନାହିଁ। ଚିଠିପତ୍ର ଦେଇ ପାରିଥା’ ନ୍ତି ଯେ, ହେଲେ ମଉସା ମାଉସୀ କ’ଣ ଭାବିବେ ବୋଲି ଦେଇ ପାରିଲି ନାହିଁ। ପୁଣି ଆମର ସେଇ ସେତକ ସମ୍ପର୍କ ସେ ତ କେବେକା କଥା, ତାହା ପୁଣି ତୁମେ ଯେ ମନେ ରଖିଥିବ ବା ଆମ ସମ୍ପର୍କକୁ ଗୁରୁତର ସହ ନେବ, ତାହା କାହିଁ ମୁଁ ଭାବି ପାରିଲି ନାହିଁ।
ତେଣୁ ଭାବିଲି, ତୁମକୁ ଭୁଲିଯିବା ଉଚିତ ହେବ। ଏମିତି ଝୁରିହୋଇ କିଛି ଲାଭ ନାହିଁ। କିନ୍ତୁ କ’ଣ ଭୁଲି ହେଲା? ଶୟନେ, ସପନେ, ଜାଗରଣେ ବା ଖାଲି ତୁମ କଥା ମୋର ମନେପଡ଼ିଲା। ତେଣୁ ମୁଁ ଭାରି ବ୍ୟସ୍ତ ହୋଇପଡ଼ିଲି। ଯେହେତୁ ଏବେ ପାଠପଢାର ବୋଝ ମୁଣ୍ଡଉପରୁ ହଟିଗଲାଣି ଆଉ ମୋର ଚାକିରି ଜୀବନ ଆରମ୍ଭ ହୋଇଗଲାଣି ପୁଣି ମୁଁ ଘରଠାରୁ ଦୂରରେ ଏକୁଟିଆ ବାଙ୍ଗାଲୋରରେ ରହୁଛି, ତେଣୁ ଏଠି ଚାକିରି ଡ୍ୟୁଟି ସରିଲା ପରେ ବାକି ବଳକା ସମୟତକ କ’ଣ କରିବି ଯେ-କେବଳ ଅତୀତକୁ ରୋମନ୍ଥନ କରିବା ବ୍ୟତୀତ?
ଆଜି ଯେ କେବଳ ତୁମକଥା ଏକାନ୍ତରେ ବସି ମୁଁ ଏଠି ଭାବୁଛି ସେକଥା ନୁହେଁ, ସ୍କୁଲକଲେଜ ଜୀବନଠାରୁ ଇଞ୍ଜିନିୟରିଂରେ ରାଗିଂ ପର୍ଯ୍ୟନ୍ତ ସବୁକଥା ମନେ ପଡିଯାଉଛି। ହେଲେ ତୁମକଥା ମନେପଡିଗଲେ, ମନଟା ଏତେ ଅଶାନ୍ତ ହୋଇ ଉଠୁଛି କେମିତି? ତୁମ ପ୍ରତି ମୋ ମନରେ ଏ ଅହେତୁକ ଆକର୍ଷଣ କ’ଣ ପାଇଁ? ଯୁଆଡ଼େ ଗଲେ, ଯାହା ଭାବିଲେ, ତୁମ ପ୍ରତି ମୋ ଧ୍ୟାନଟା କେମିତି ଗୋଟେ କେନ୍ଦ୍ରିତ ହୋଇଯାଉଛି ।ଯେମିତି ତୁମେ ହେଉଛ ମୋ ଭାବନାର କେନ୍ଦ୍ର ବିନ୍ଦୁ। ଏକଥା ମୁଁ ଏକା ନୂହେଁ, ମୋ ସାଥିସହକର୍ମୀ ମାନେ ବି ସେଇ ଏକା କଥା କହୁଛନ୍ତି। ସେମାନେ କହୁଛନ୍ତି – “ଏଇଟା ହେଉଛି ପ୍ରେମ। ତୁମେ ନିଶ୍ଚୟ ତାଙ୍କୁ ପ୍ରେମ କରୁଛ। ସେଇଥିପାଇଁ ତ ପିଛିଲା ଦିନର ପିଛିଲା କଥାଗୁଡ଼ାକୁ ମନେପକାଇ ଏମିତି ଭାବୁକ ପାଲଟି ଯାଉଛ। ତେଣୁ ଆଉ କାଳ ବିଳମ୍ବ ନକରି ତୁମ ପ୍ରେମକୁ ଖୋଜ, ନିଶ୍ଚୟ ପାଇବ। ସାମାଜିକ ଗଣମାଧ୍ୟମରୁ ନିଶ୍ଚୟ କେଉଁଠୁ ନା କେଉଁଠି ତାଙ୍କ ପତ୍ତା ତୁମକୁ ମିଳିଯାଇପାରେ ।”
ଏତେବେଳେ ଯାଇ ମୁଣ୍ଡରେ ଚେତନା ପଶିଲା।ମୁଁ ଫେସ୍ ବୁକ୍ ଘାଣ୍ଟୁ ଘାଣ୍ଟୁ ତୁମକୁ ପାଇଲି। ତୁମ ପତ୍ତା ଓ ଫୋନ୍ ନମ୍ବର ଧୀରେ ଧୀରେ ସବୁ ଏକଠା ହୋଇଗଲା।
ମେସେଞରରେ ବାରମ୍ବାର ମେସେଜ୍ ଦେଲାପରେ ଶେଷରେ ତୁମେ ଦେଖିଲ ଆଉ ‘ଏବାଉଟ ମି’ ରେ ଏକା ସ୍କୁଲ ନାଁ ଦେଖି ହୁଏତ ସେଦିନ ପ୍ରଥମେ ଚମକି ପଡିଥିବ। ତାପରେ ମୋ ସହ ଚାର୍ଟିଂ କଲ। ଫୋନ୍ ନମ୍ଵର୍ ଆଦାନ ପ୍ରଦାନ ହେତୁ ଆମେ କେତେବାର କଥା ନ ହୋଇଛନ୍ତି କହିଲ? ହେଲେ ସେଇ ସମାନ ଦୋସ୍ତି ଓ ଦୋସ୍ତି ଖାତିରରେ ଯାହା। ମୁଁ ସିନା ତୁମକୁ ଭଲାପାଏ, ହେଲେ ତୁମେ ମୋତେ ଭଲପାଅ କି ନାହିଁ କେମିତି ଜାଣିବି ଯେ, କେବେ ତ ପଚାରି ନାହିଁ । କାରଣ ମୋର ତ ସବୁଠୁଁ ବଡ଼ଡର – ଏତେଦିନ ଉପରାନ୍ତେ କଠିନ ପରିଶ୍ରମ ଓ ଖୋଜାଖୋଜିର ପରିଣତି ସ୍ଵରୂପ ପାଇଥିବା ମୋ ବେଷ୍ଟ ଫ୍ରେଣ୍ଡ୍ କୁ ମୁଁ ଆଉ କେବେବି ଏତେଶୀଘ୍ର ହରେଇବାକୁ ଚାହୁଁ ନ ଥିଲି। ଯଦି କଥାରେ କିଛି ଓଲମବିଲମ ହୋଇଯିବ ଆଉ ତୁମେ ମୋ ପ୍ରସ୍ତାବ ପ୍ରତ୍ୟାଖାନ କରିଦେବ, ତେବେ ଆମ ସମ୍ପର୍କର ଡୋର ସବୁଦିନ ପାଇଁ ଏମିତି ଅନାୟାସରେ ଛିଡ଼ିଯିବ ଆଉ ମୁଁ ସେଇତକ ସହ୍ୟ କରି ପାରିବି ତ? କାହିଁକିନା ତୁମକୁ ଛାଡ଼ି ମୁଁ ଆଉ ବଞ୍ଚି ପାରିବି ନାହିଁ। ତୁମେ ପରା ମୋ ମନ ମୟୂରୀ।
ଏମିତି ଏମିତି ତ ଢେର୍ ଦିନ ବିତିଗଲା। ସେଦିନ ତୁମେ କହିଲ – “ମୋ ବିବାହ ଲଗ୍ନ ସ୍ଥିରୀକୃତ ହୋଇସାରିଛି। ଆସନ୍ତା ଲଗ୍ନରେ ବାହାଘର ହେବ। “
ଏକଥା ଶୁଣି ମୋ ଅନ୍ତରାତ୍ମା ଫାଟିପଡ଼ୁଥିଲା। ମୁଁ ଆଉ କୋହ ସମ୍ବରଣ କରିପାରିଲି ନାହିଁ। ଛୋଟିଆ ଛୁଆ ପରି ବିଛଣାରେ ପଡ଼ିପଡ଼ି ଧକେଇ ହୋଇ କାନ୍ଦିଲି। ରାତିସାରା ଅନିଦ୍ରାରହି ସ୍ଥିର ନିଷ୍ପତ୍ତି ନେଲି, ମନର କଥାକୁ ପାଟିରେ ଖୋଲି ଥରୁଟିଏ ତୁମକୁ ନିଶ୍ଚୟ କହିବି। ତେଣୁ ରାତି ପାହିବାକ୍ଷଣି ତୁମ ଫୋନ୍ ରେ ରିଙ୍ଗ୍ ହେଲା କ୍ରିଂ କ୍ରିଂ। ତୁମେ ନିଦ ବାଉଳାରେ ହାଇମାରି କିଏ କହିଲା ବେଳକୁ ମୁଁ ଫୋନ୍ କାଟିଦେଲି। ପୁଣି କିଛି ସମୟ ପରେ ତୁମେ କଲ ବ୍ୟାକ୍ କଲାଠୁଁ, ମୁଁ ଅଗତ୍ୟା କହିଲି – “ମୁଁ ତୁମକୁ କେତେ ଭଲ ପାଏ ତୁମେ ଜାଣିଥିବ। ହେଲେ ଏହି ଭଲ ପାଇବାକୁ ବିବାହରେ କ’ଣ ରୂପାନ୍ତରିତ କରିହେବ ନାହିଁ? ତୁମେ ହଁ କହିଲେ ଚିରଦିନ ଅପେକ୍ଷା କରିବି, ନା କହିଲେ ଆକୁମାର ରହିବି। ଭାବିଚିନ୍ତି ଉତ୍ତର ଦେବ, ହେଲେ ଆମ ସମ୍ପର୍କରେ ଆଞ୍ଚ୍ ଆଣିବାକୁ ଦେବ ନାହିଁ। “
ତୁମେ ସ୍ତବ୍ଧ, ନୀରବ ପାଲଟି ଯାଇଥିଲ। କିଛି ଉତ୍ତର ଦେବା ପରିବର୍ତ୍ତେ ଏକଦମ୍ ନିଶ୍ଚୁପ ହୋଇଯାଇଥିଲ। ମୁଁ ହ୍ୟାଲୋ ହ୍ୟାଲୋ କହି ଫୋନ୍ କାଟି ଦେଇଥିଲି। ତେଣୁ ମୋ ମୁଣ୍ଡରେ ଶଙ୍କା ଆଶଙ୍କାରେ ବିପର୍ଯ୍ୟୟ ତୋଳୁଥିଲା।
ବିଳମ୍ବିତ ରାତ୍ରିରେ ତୁମର ଫୋନ୍ ଆସିଲା। ତୁମେ କହୁଥିଲ -” ଆସନ୍ତା ଦଶ ତାରିଖ ପୂର୍ବରୁ ତୁମେ ଆସିପାରିବ? ଜୁବୁଲି ପାର୍କରେ ଆମର ଭେଟ ହେବ।ଏହା ନିତ୍ୟାନ୍ତ ଜରୁରୀ। କେବେ ଫେଲ୍ କରିବ ନାହିଁ। “
ମୁଁ ହଁ କହିଲି। ଆଜି ହେଉଛି ଡିସେମ୍ବର ଦଶ ତାରିଖ। ଫ୍ଲାଇଟ୍ ଧରି ମୁଁ ବାଙ୍ଗାଲୋରରୁ ବିହାର ଆସିଛି। ଜଣା ନାହିଁ ସାକ୍ଷାତ୍ କେଉଁ ପରିଣତି ଆଣିଦେବ। ମନ କିନ୍ତୁ ବଡ଼ ଅସ୍ତବ୍ୟସ୍ତ ଲାଗୁଛି। ଯାହା କୁହପଛେ ତୁମ ବିନା ଏ ଜୀବନଟା ଅଧା ଅଧୁରା ରହିଯିବ। ମୁଁ ଜାଣେନା ତୁମେ ଏମିତି କେଉଁ କଠୋର ନିଷ୍ପତ୍ତି ନେବ, ତଥାପି ମୁଁ ଆଶାବାଦୀ – ଆମ ପ୍ରେମ କେବେ ନିରର୍ଥକରେ ଯିବ ନାହିଁ।
ସେଦିନ ଫାଇଟ ଧରି ସିଧା ମୁଁ ବିହାରରେ ପହଞ୍ଚିଲି ।ହୋଟେଲରେ ଜିନିଷପତ୍ର ଥୋଇଦେଇ ଟିକିଏ ରିଫ୍ରେସ୍ ହୋଇ ଜୁବଲି ପାର୍କରେ ପହଞ୍ଚି ସେଇ ଗୋଲାପ ବଣର ଚମ୍ପା ଗଛମୂଳେ ପଡିଥିବା ବ୍ଯାଞ୍ଚ୍ ଉପରେ କେଯାଏଁ ସମୟ ବସିରହିଲି । ଦି ତିନି ଘଣ୍ଟା ବିତିଗଲାଣି, ତଥାପି ଘଣ୍ଟାରେ ପାଞ୍ଚଟା ବାଜି ନାହିଁ। କିନ୍ତୁ ଅଧଘଣ୍ଟା ହେବ ଜଣେ କେହି ପାଖାଅଖାରେ ଟହଲ ମାରୁଥିବା ପରି ନଜର ହେଉଥିଲା। ତୁମେ ବୋଧେ ମୋତେ ଠଉରେଇ ପାରୁ ନଥିଲ, ମୁଁ ବି ତ ତୁମକୁ ଦୋ ଦୋ ଚିହ୍ନା କରୁଥିଲି। ହେଲେ ଦେଖିଲି ତୁମେ ହଠାତ ମୋ ଆଡ଼କୁ ଧାପିଆସି କହିଲ – “ତୁମେ ତ ୟୁନିଟ୍ ୱାନ୍ ହାଇ ସ୍କୁଲର… “
ମୋ ପାଟିରୁ ବି ଖସିପଡ଼ିଲା- “ହଁ… ଆଉ ତୁମେ… “
ତାପରେ ବୋହୁ ପ୍ରେମ ସମ୍ଭାଷଣ ଓ ଅତୀତକୁ ରୋମନ୍ଥନ। ସବୁକଥା ଭାବି ଭାବି ଆଖି ଛଳଛଳ ହେଉଥିଲା। ହୃଦୟରେ କୋହ, ମନରେ ବିଷାଦ। ଘଟନାର ସଠିକ ନିଷ୍କର୍ଷ କିଛି ବାହାରି ପାରୁ ନଥିଲା। ସମୟ ବିଳମ୍ବିତ ହେଉଥିବାରୁ ତୁମେ ଆଗ ଉଠିଲ, ମୋ ଉପରେ ସବୁତକ ଦୋଷ ଲଦିଦେଇ – “କୁଆଡ଼େ ଥିଲ ଏତେଦିନ ଧରି, ଥରୁଟିଏ ମୋ କଥା କେମିତି ତୁମର ମନେପଡ଼ିଲା ନାହିଁ, ମନେ ପଡ଼ିଲା ନାହିଁ ଯେ ମୁଁ ଥିଲି ବୋଲି। ମନେମନେ କ’ଣ କମତି ତୁମକୁ ଖୋଜିଛି। ହେଲେ ସମୟର ମରୁଭୂମିରେ ସବୁକିଛି ଧୋଇ ହୋଇଗଲା, ରହିଗଲା କେବଳ ଏଇ ଛାଇ ମରୀଚିକା ଗୁଡ଼ାକ ଅତୃପ୍ତ ଆତ୍ମାର ସାକ୍ଷୀହୋଇ। ଲଗ୍ନ ସ୍ଥିରୀକୃତ, ସବୁକିଛି ଶେଷ ସମୟରେ ଉପନୀତ। ମୁଁ କ’ଣ କରିବି କିଛି ଉପାୟ ମୁଣ୍ଡରେ ପଶୁ ନାହିଁ। ବାହାଘର ମାତ୍ର ଆଉ ପାଞ୍ଚଦିନ ବାକି। ସବୁଥର ପରି ଏଥର ମଧ୍ୟ ନିଷ୍ପତ୍ତି ମୁଁ ତୁମ ଉପରେ ଛାଡ଼ିଲି। ଯାହା ନେବ ଭାବିଚିନ୍ତି ନେବ, ତୁମ ନିଷ୍ପତ୍ତି ମୁଁ ମାନିନେବି। “
କୋହ ଉଠୁଥିଲା ଭାରି, ଅନ୍ତରର ସବୁତକ ଭାଷା ମୁଖଗହ୍ଵର ଦେଇ ସମ୍ପୂର୍ଣ୍ଣ ପରିସ୍ଫୁଟ ହୋଇପାରୁ ନ ଥିଲା-କେବଳ ବୋକାଙ୍କ ଭଳିଆ ଜଣେ ଆଉ ଜଣଙ୍କ ମୁହଁକୁ ବଲବଲ କରି ଚାହିଁବା ବ୍ୟତୀତ ।
ତୁମେ ଚାଲିଗଲା ପରେ ମୁଁ ହତାଶ ହୋଇପଡ଼ିଥିଲି। ତୁମେ ପୁଣି କ’ଣ ଭାବିଲ କେଜାଣି, ତତ୍କ୍ଷଣାତ୍ ଫେରିଆସି ମୋତେ ଜାବୁଡ଼ିଧରି ମୋ ଗାଲଟାକୁ ଚୁଚୁମି ଦେଇ ଅଗତ୍ୟା ପୁଣି ଦୌଡ଼ି ଚାଲି ଯାଇଥିଲ-କାହାକୁ ଅପେକ୍ଷା ନକରି ।
ମୁଁ କିନ୍ତୁ ସେଇମିତି ଏଇଠି ବସି ରହିଛି ନିଷ୍ପତ୍ତି ନେବା ଅପେକ୍ଷାରେ, ସୀମାହୀନ ଅସୀମ ପ୍ରତୀକ୍ଷାରେ…