Satya Prakash
  • Home
  • ଗଳ୍ପ
  • ମୋ ମାମୁଁ ଘର ଗାଁ ମୋ ବାଲ୍ୟସଙ୍ଗିନୀ
ଗଳ୍ପ

ମୋ ମାମୁଁ ଘର ଗାଁ ମୋ ବାଲ୍ୟସଙ୍ଗିନୀ

ମୋ ମାମୁଁ ଘର ମୋ ବାଲ୍ଯ ସଙ୍ଗିନୀ
By ସତ୍ୟ ପ୍ରକାଶ ସେଠୀ
ପାଠ ପଢି ସାରି ଚାକିରୀ ଖଣ୍ଡେ କରିବା ସ୍ଵପ୍ନ ପ୍ରାୟ ସମସ୍ତଙ୍କର ଥାଏ । ମୋର ବି ଏହି ନିଶାଟା ତ ଥିଲା। ଯାହା ବି ହେଉ ଅନେକ ଦିନ ପରେ ମୋର ଏହି ସ୍ଵପ୍ନଟା ସାକାର ହୋଇଥିଲା, ଯେଉଁ ଦିନ ମୁଁ ଛୋଟ ବଡ଼ କି ଚାକିରୀ ଖଣ୍ଡେ କଲି। ବେଶୀ କିଛି ପାଠ ପଢି ନପାରିଥିଲେ ମଧ୍ୟ ଯେନେତେନେ ପ୍ରକାରେ ସି. ଟି. ଖଣ୍ଡେ ତ ପାସ୍ କରିଥିଲି। ତେଣୁ ସରକାରୀ ଶିକ୍ଷା ନୀତିରେ ସହକାରୀ ଶିକ୍ଷା କର୍ମୀ ଚାକିରୀ ଖଣ୍ଡେ ମିଳିଗଲା। ଏକଦମ୍ ଘର ପାଖ ନହେଲେ ମଧ୍ୟ ଗାଁ ଆଖପାଖ ବଜାର ପାଖ ଗୋଟେ ଗାଁରେ ନିଯୁକ୍ତି ମିଳିଗଲା। ତେଣୁ ଘରୁ ଖାଇ ସ୍କୁଲ ଯାଏ, ବେଳେବେଳେ ସେଠି ହୁଏତ ରହିଯାଏ। ସେଇ ସ୍କୁଲକୁ ଛୋଟ ଛୋଟ ଦୁଇଟା ପିଲା ଆସନ୍ତି। ଭାରି ଗୁଲୁରୁ ଗୁଲୁରୁ ହୋଇ କଥା କୁହନ୍ତି। ମୁଁ ଟିକିଏ ତେଣୁ ସେ ଦୁଇ ଭାଇଙ୍କୁ ଅଧିକ ଭଲ ପାଏ। ପୁଣି କେତେବେଳେ କୋଡ଼ ଉପରକୁ ଉଠାଇ ଆଣି ଗେହ୍ଲବସରରେ ବସାଇ ଦିଏ। ଭାରି ବୁଝକର ପିଲା ଦୁଇଟି। ଯାହା କଥା କହିଲେ ମାନନ୍ତି। କିଏ କ’ଣ କେମିତି କହିଲା ଅବିକଳ ନକଲ ବି କରି ପାରନ୍ତି। ପାଠ ଦେଲେ ଘରୁ ହୋମ୍ ୱାର୍କ କରି ଆସନ୍ତି।
ସେଦିନ ହାତରେ ଦୁଇ ଖଣ୍ଡ ପାନ ଧରି ଆସିଲେ। ପାନ କ’ଣ ପାଇଁ? – ପଚାରିଲି। କହିଲେ ପିଉସୀ ନାନୀ ଦେଇଛି, ଆପଣ ଖାଆନ୍ତି ବୋଲି । ମୁଁ ବିଶେଷ ଆଉ ତର୍ଜ୍ଜମା ନକରି ପାନ ଦୁଇ ଖଣ୍ଡ ରଖି ନେଲି। ପୁଣି ଦିନେ ସେ ଦୁଇ ଭାଇଙ୍କୁ ସ୍ଲେଟ୍ ରେ ଫଳା ଶିଖିବା ପାଇଁ ଲେଖିକି ଦେଇଥିଲି। କହିଥିଲି – “ଘରେ ଫଳା ଦୁଇଟିକୁ ଭଲ ଭାବେ ମଡେଇ ଅଭ୍ୟାସ କରି ଆସିବ, ମୁଁ ଏଠି ଯାଂଚ କରି ଦେଖିବି ଯେ ତୁମେ କେତେ ଅଭ୍ୟାସ କରିଛ”। ତା’ପର ଦିନ ସେମାନେ ଫେରି ମୋତେ ସ୍ଲେଟ୍ ଦେଖାଇଲେ। ଦେଖିଲି ସ୍ଲେଟ୍ ର ଗୋଟେ ପଟେ ପାଠ ଓ ଅନ୍ୟ ପଛପଟେ ପାନପାତ୍ର ଓ ତୀର ଚିହ୍ନ କଟା ଯାଇଛି। ପଚାରିଲି, ପିଲା ଯୋଡିକ କହିଲେ – “ପିଉସୀ ନାନୀ ଆମଲ ବଲ ଚିତ୍ର କରେ ତ ସାର୍, ସେ ଚିତ୍ର ଆଙ୍କିଛି, ବଲ ହେଇଚି ନା ସାର୍!” ମୋ ମନରେ ଟିକିଏ ସନ୍ଦେହ ଉପୁଜିଲା।
ଏଣିକି ଦେଖିଲି ଶେଫାଳି ଅନେକ ସମୟରେ ପୁତୁରା ଦୁଇ ଜଣଙ୍କୁ ସ୍କୁଲରେ ଆଣି ଛାଡିବା ଓ ନେବା ବାହାନାରେ ମୋ ପାଖରେ ଟିକିଏ ଛିଡା ହୋଇ ମୁରୁକି ହସି ଦେଇ ଚାଲିଯାଏ। ପୁଣି ସାଇକେଲ ନେଇ ମୁଁ ଘରକୁ ଯିବା ଆସିବା କଲା ବେଳେ ସେ ଦାଣ୍ଡ ପିଣ୍ଡାରେ ଛିଡା ହୋଇ ମୋତେ ଚାହିଁ ରହେ। ଦିନେ ତାଙ୍କ ଗାଁରେ ଯାତ୍ରା ମାନେ ଅପେରା ହେଉଥିଲା, ଶେଫାଳି ଭାଇ ଆସି କହିଲା – ସାର୍! ଆପଣ ଆଜି ଆମ ଘରେ ରହିବେ। ସେଠୁ ଖାଇପିଇ ଆସି ଆମେ ସାଙ୍ଗ ହୋଇ ଯାତରା ଦେଖିବା। ମୁଁ ମନା କରି ପାରିଲି ନାହିଁ। ରହିଗଲି। କାରଣ ସେ ହେଉଛି ଆମ ସ୍କୁଲ ସଭାପତି ରାବଣା । ତାଙ୍କ ଘରେ ସେଦିନ ମାଂସ ତରକାରୀ ହୋଇଥିଲା। ଶେଫାଳି ନିଜେ ରାନ୍ଧି ପରସି ଦେଲା। ନଣନ୍ଦ ଭାଉଜ କ’ଣ ଠରାଠରି ହେଉଥାନ୍ତି କେଜାଣି କିନ୍ତୁ କଥାର ମର୍ମ ତ ଅନ୍ୟ ପ୍ରକାର କିଛି ପ୍ରତୀତ ହେଉଥାଏ। ଶେଫାଳି ଭାରି ବଳେଇ ବଳେଇ ମୋତେ ଖୁଆଉଥାଏ। ଏଇ କଅଁଳ କହି ସୃପଣଖାର କୌଣସି କଥା ମୁଁ ସଠିକ୍ ଭାବେ ବୁଝି ପାରୁ ନଥାଏ। ମୋତେ କିନ୍ତୁ ଟିକେ କାହିଁ ଅଡୁଆ ଅଡୁଆ ଲାଗୁଥାଏ ।ଯାହା ବି ହେଉ କନସର୍ଟ ବାଜି ଉଠିବାରୁ ଆମେ ସମସ୍ତେ ଯାତରା ଦେଖି ବାହାରିଲୁ। ଶେଫାଳି ଯାତରା ଦେଖିବ କ’ଣ ଖାଲି ମୋତେ ବଲବଲ କରି ଚାହୁଁଥାଏ। ମଝିରେ ମଝିରେ ପୁତୁରା ମାନଙ୍କ ହାତରେ ପାନ ଓ ବାଦାମ ପୁଡିଆ ପଠାଉଥାଏ। ବେଳେବେଳେ ଆଖିରେ ଆଖିରେ ତ ଅନେକ କିଛି ତ ଇସାରା କରୁଥାଏ, ମୁଁ ଚାହିଁଦେଲା କ୍ଷଣି ହସି ଦେଉଥାଏ ।ମୁଁ ବୁଝି ପାରୁଥିଲେ ବି ଅର୍ଥଟା ଠିକ୍ ସେ ଧରି ପାରୁନଥାଏ।
ଅବଶ୍ୟ ଶେଫାଳି ଭଲ ଝିଅ ହୋଇପାରେ। ଦେଖିବାକୁ ତ ସୁନ୍ଦରୀ ଥିଲା।ପୁଣି ଧନୀକ ଘରର ଝିଅ। ପ୍ରତିପତ୍ତି ଓ ପ୍ରତିଷ୍ଠା ଅନେକ। ତା ବଡ଼ ଭାଇ ସ୍କୁଲ କମିଟିର ସଭାପତି। ତାକୁ ବାହା ହେଲେ ଅନେକ ଲାଭ। ଜାନି ଯୌତୁକ ଅନେକ ମିଳିବ। ହେଲେ ମୋ ମାମୁଁ ଘର ଗାଁର ବାଲ୍ଯ ସଙ୍ଗିନୀ, ଯାହାକୁ ମନେମନେ ମୁଁ ଭଲ ପାଏ। ତାକୁ ଛାଡି ମୁଁ ଆଉ କାହାକୁ ଯେ ଜୀବନ ସଙ୍ଗିନୀ ରୂପେ ଗ୍ରହଣ କରିପାରିବି, ସେ କଥା କାହିଁ ଭାବି ପାରୁ ନଥାଏ। ତା ନାଁଟା ଯେପରି ସୁନ୍ଦୁରୀ ସେ ସେଇ ପ୍ରକାର ଅପରୂପା ସୁନ୍ଦରୀ।ଅନିନ୍ଦ୍ୟ ତା’ର ରୂପ ଲାବଣ୍ୟ। ମୋ ହୃଦୟର ସେ ରାଣୀ। ତା ଖିଲିଖିଲି ହସରେ ପରା ମେଦିନୀ ଫାଟି ପଡେ। ସେ କଥା ପଦେ କହିଦେଲେ ସତେ ଯେମିତି ପାଟିରୁ ଅମୃତ ଝଡ଼ି ପଡେ। ମନ ତ ସ୍ଵତଃ ଆହ୍ଲାଦିତ ହୋଇଯାଏ।
ଆମ ଘର ପାଖରୁ ବେଶ୍ କିଛି ଦୂରରେ ମାମୁଁ ଘର। ହେଲେ ପାଞ୍ଚ ସାତ ଖଣ୍ଡ ଗାଁ ପାରି ହେଲେ ମାମୁଁ ଘର ଆସେ। ଅଧିକାଂଶ ବେଳେ ତ ମୁଁ ମାମୁଁ ଘରକୁ ଚାଲିଯାଏ ନହେଲେ ଅଜା ଆସି ମୋତେ ନେଇଯାଏ। ମୁଁ ମାମୁଁ ଘରେ ପହଁଞ୍ଚିବା କ୍ଷଣି ପଡୋଶୀ ଚଷା ଘରର ଝିଅ ସୁନ୍ଦୁରୀ କେଉଁଠି ଥାଏ କେଜାଣି ଆସି ହାଜର ହୋଇଯାଏ। ମୁଁ ମାମୁଁ ଘରେ ଖାଇ ବସିଥିଲା ବେଳେ ସେ ଗାଲରେ ହାତ ଦେଇ ଘଡିଏ ଯାଏଁ ଅପେକ୍ଷା କରି ରହିଥାଏ। ଅନ୍ୟ ପିଲାମାନେ ଡାକି ଡାକି ଥକିଲେ ମଧ୍ୟ ସେ ଖେଳେ ନାହିଁ। ମୁଁ ଖାଇ ସାରିଲା ପରେ ଆମର ଆରମ୍ଭ ହୁଏ ଧୂଳି ଘର, କଣ୍ଢେଇ ବାହାଘର, ମିଛି ମିଛିକା ଭାତ ତରକାରୀ ରନ୍ଧା ଓ ତିତିତିତି ଖପରା ଡିଆଁ। ଆମେ ଏମିତି କେତେ ଖେଳ ସାଙ୍ଗ ହୋଇ ଖେଳିଛୁ। ପୁଣି ସେ ସିଙ୍ଘାଣି ନାକୀ ଖେଳରେ ଟିକିଏ ହାରି ଗଲେ ମୁହଁ ଫୁଲେଇ ବସି କାନ୍ଦେ ।ମୁଁ ଟିକିଏ ତାକୁ କୁତୁରୁ କାଳିଆ ଦେଇଦେଲେ ସେ ପୁଣି କିରିକିରି ହୋଇ ହସିଉଠେ, ମୋତେ ମାରି ଗୋଡ଼ାଏ। ତା’ପର ଠାରୁ ଆମେ ପୁଣି ଏ ଖେଳ ରଖିଦେଇ ଗୋଡାଗୋଡି ଓ ଲୁକାଛପି ଖେଳ ଖେଳୁ। ସନ୍ଧ୍ୟା ବେଳେ ଅଜା ଗପ କହେ। ଆମ ଅଜା ଭାରି ଜ୍ଞାନୀ ରୁଷି ବାଲ୍ମୀକି ପ୍ରତିମ ସବୁ କଥା ଜାଣିଛି। ଆମେ ଦୁଇ ଜଣ ଟୁଆଁ ଟୁଇଁ ପରିକା ହଁ ଢଁ ମାରୁ। ହେଲେ କେହି କାହାକୁ ଦଣ୍ଡେ ଛାଡି ରହି ପାରୁନା।
ପୁଣି ଟିକିଏ ବଡ ହେଲା ପରେ ବି ମୁଁ ମାମୁଁ ଘରକୁ ଯାଇଛି। ଆମେ ଦୁହେଁ ମିଶି ଲୁଡୋ ଓ ତାସ୍ କେତେ ଖେଳିଛୁ। ଲମ୍ବା ଛୁଟିରେ ମୁଁ ତ ବହି ବସ୍ତାନି ନେଇ ନଥାଏ। ତେଣୁ ତା’ରି ବହିରେ ଖଳାରେ ଲଣ୍ଠନ ଜାଳି ପାଠ ପଢିଛୁ । କେତେ ମଜା ଗପ କରିଛୁ। ଭାରି ହସକୁରୀ ଝିଅଟା। ଟିକିଏ ହସ କଥା ପଡ଼ିଲେ ହସି ହସି ବେଦମ ହୋଇଯିବ। ଜମାରୁ ହସ ଚାପି ପାରିବ ନାହିଁ। ଦିନେ ତ ହସି ହସି ମୂତି ପକାଇଲା। ସେଇଦିନ ଠାରୁ ମୁଁ ତାକୁ ମୁତୁରୀ ଡାକେ। ସେ ଲାଜ ପାଏ। କୁହେ -” ସେମିତି କହିଲେ ମୁଁ ଆଉ ତୋ ସହ କଥା ହେବି ନାହିଁ “। ଏମିତି ଅନେକ କିଛି ମୋର ମଧୁର ସ୍ମୃତି ତାହାରି ସହିତ ଜଡ଼ିତ ରହିଛି , ଯାହାକୁ ହୁଏତ ଭୁଲିବା ଏତେଟା ସହଜ ନୁହେଁ ।

ଆହୁରି କେତେବାର ମୁଁ ତ ମାମୁଁ ଘରକୁ ଯାଇଛି। ମାମୁଁ ଘରକୁ ବାରମ୍ବାର ଯିବାଟା ମୋର ଅଭ୍ୟାସରେ ଏଣିକି ପରିଣତ ହୋଇ ଯାଇଥାଏ। ତା’ର କାରଣଟା ଅଜା ଯେତିକି ନୂହେଁ ତା ଠାରୁ ବେଶୀ ବୋଧେ ସୁନ୍ଦୁରୀ। ହେଲେ ମୁଁ ପହଁଞ୍ଚିବା ଆଗରୁ ସୁନ୍ଦୁରୀ ଆଗ ଆସି ବାଟ ଯଗିଥାଏ। ମୋତେ ଆଗ ଯେମିତି ହେଲେ ଦେଖା କରିବ, ତେଣିକି ଯେଉଁ କଥା । ଗାଁରୁ କମଳା, କଇଁଥ, ଖଜୁରୀ କୋଳି ସବୁ ସାଉଁଟି ଆଣି ମୋତେ ଦେବ। ଆମେ ସାଙ୍ଗ ହୋଇ ଖାଉ, କେତେ କଥା ହେଉ। ତା’ ର ମୋର ଭାରି ସାଙ୍ଗ, ସେ ମୋର ବେଷ୍ଟ ଫ୍ରେଣ୍ଡ। ବଡ଼ ହେଲା ପରେ ମଧ୍ୟ ସେଇ ସମ୍ପର୍କ ଆମ ଭିତରେ ବଜାୟ ରହିଥିଲା। ମୋ ମାମୁଁ ଘର ଯିବା କେବେକେବେ ବଡ଼ ବ୍ୟବଧାନ ତୋଳିଲେ, ସେ ବଡ ବ୍ୟସ୍ତ ହୋଇପଡ଼ି ମୋ ମାମୁଁ ଝିଅକୁ ନହେଲେ ଅଜାକୁ ପଚାରି ସାରିଥିବ ଯେ, “ରାମ କାହିଁ ଆଉ ଅନେକ ଦିନ ହେବ ଆସି ନାହିଁ ତ? “ମୋ ପାଠ ପଢ଼ାରେ ମୁଁ ସହରରେ ରହି କିଛି ଦିନ ବ୍ୟସ୍ତ ରହିଗଲି। ତେଣୁ ମାମୁଁ ଘରକୁ ଆଉ ସେତେ ଯାଇ ପାରେ ନାହିଁ। କିନ୍ତୁ ସୁନ୍ଦୁରୀ କଥା ମୋର ସବୁବେଳେ ମନେପଡେ। ଅଜା ଯେତେବେଳେ ଘରକୁ ବା ମୋ ପାଖକୁ ସହର ଆସନ୍ତି କୁହନ୍ତି – “ସୁନ୍ଦୁରୀ ତୋତେ କାହିଁକି ଭାରି ଖୋଜୁଥିଲାରେ”। ଆମେ ଅଜା ନାତି ଏହିଭଳି ଥଟ୍ଟା ମଜ୍ଜା କରି ହସାହସି ହେଉ। କିନ୍ତୁ ସୁନ୍ଦୁରୀର ସ୍ମୃତିଟା ଆହୁରି ତାଜା ହୋଇ ମୋ ମାନସ ପଟରେ ନାଚି ଉଠେ।
କଲେଜ ପାଠ ପଢା ସରିଲା ପରେ ଓ ପ୍ରଥମ ଚାକିରୀ ପାଇଲା ପରେ ମୁଁ ମାମୁଁ ଓ ଅଜାକୁ ଦେଖା କରିବାକୁ ଯାଇଥିଲି। ସେଇଠି ସୁନ୍ଦୁରୀ ସହିତ ମଧ୍ୟ ମୋର ଦେଖା ହୋଇଥିଲା। ସୁନ୍ଦୁରୀ କହିଥିଲା – “ବାବୁଙ୍କର ଏବେ ଚାକିରୀ ହୋଇ ଗଲାଣି, ଆଉ କାହିଁକି ଆମକୁ ପଚାରିବେ। ଏଥର ତ ସହରରୁ ସୁନ୍ଦରୀ ଭାଉଜ ଧରି ଘରକୁ ଫେରିବେ” । ମୁଁ ମାରି ଗୋଡାଇଲାରୁ ସେ ହସିହସି ଦୌଡ଼ି ପଳାଇଥିଲା। ଅଜା ପଛରୁ ପାଟି କରି ଉଠୁଥାଏ – “ଆରେ! ତୁମେ ଦିଟା ଏତେବଡ଼ ହେଲଣି, ତଥାପି ଛୋଟ ପିଲା ପରି ହେଉଛ କ’ଣ । ଗୋଟେ କାମ କରରେ! ଟୁଆଁ ଟୁଇଁ ଦୁଇ ଜଣଯାକ ବାହା ହୋଇପଡ଼।ଆଉ ଏମିତି ଖିଙ୍କରା ଖିଙ୍କିରୀ ଲାଗନ୍ତ ନାହିଁ। “ଏ କଥା ବୋଧେ ସେଦିନ ସୁନ୍ଦୁରୀ ଶୁଣି ପାରିଥିଲା କି କ’ଣ ହଠାତ୍ ଝୁଣ୍ଟି ପଡିଲା ପରି ଅଟକି ଯାଇଥିଲା। ମୋତେ ଟିକେ ମୁହଁ ଫେରାଇ ଲେଉଟି ଚାହିଁ ଦେଇ ଲାଜେଇ ଦାନ୍ତରେ ଓର୍ନିଟାକୁ କାମୁଡି ଧରି ଦୌଡ଼ି ଚାଲିଗଲା। ସେବେଠାରୁ ମୁଁ ଯେତେବେଳେ ମାମୁଁ ଘରକୁ ଯାଏ, ସେ ଆଉ ସାମ୍ନାକୁ ଆସେ ନାହିଁ। ହେଲେ ତାଙ୍କ ଟ୍ୟୁବ୍ ୱେଲ୍ ପାଖରେ ବାସନ ମାଜିଲା ବେଳେ ବାରମ୍ବାର ଖଡଖାଡ କରି ହେଉ ବା ସାଙ୍ଗସାଥି କାହା ସହ ବଡ଼ ପାଟିରେ କଥାବାର୍ତ୍ତା କରି ହେଉ ସେ ନିଜ ଉପସ୍ଥିତି ନିଜେ ଜାହିର କରି ମୋ ଦୃଷ୍ଟି ଆକର୍ଷଣ କରେ। ମୁଁ ଚାହିଁ ଦେଲେ ଲାଜରେ ସରମି ଯାଇ ଝାଉଁଳି ପଡେ। ଏତେବେଳକୁ ମୋତେ ଲାଗୁଥିଲା ଆମ ଖେଳ ସାଥି ସମ୍ପର୍କଟା ବୋଧେ ପ୍ରେମ ସମ୍ପର୍କରେ ରୂପାନ୍ତରିତ ହୋଇ ଯାଇଥାଏ।
ମୁଁ ଯେଉଁଠି ଥାଏ ନା କାହିଁକି ସୁନ୍ଦୁରୀର ସ୍ମୃତି ଗୁଡାକ ମୋତେ ଅସ୍ତବ୍ୟସ୍ତ କରି ପକାଏ । ଏତେବେଳେ ଶେଫାଳିର ପ୍ରେମ ନିବେଦନ ମୋତେ କିନ୍ତୁ ଅଡୁଆରେ ପକାଇ ଦେଉଥାଏ। ସେତିକିରେ ଶେଫାଳି ରୋକି ହେଲା ନାହିଁ। ମୋ ପାଖକୁ ମଧ୍ୟ ପ୍ରେମ ପତ୍ର ଲେଖିବା ଆରମ୍ଭ କରିଦେଲା। ମୋ ପାଖରୁ କିଛି ପ୍ରତ୍ୟୁତ୍ତର ନପାଇ ଦିନେ ସୁଯୋଗ ଉଣ୍ଡି ଭେଟିଲା। କହିଲା-” ମୋ ପାଖରେ ରୂପ ଗୁଣ, ଧନ ଓ ଦୌଲତ କୋଉଟା କମ୍ ଅଛି କି, ତୁମେ ମୋତେ ପ୍ରତ୍ୟାଖାନ କରୁଛ ? “ମୁଁ କହିଲି – “ଦେଖ! ମୋତେ ତୁମେ କ୍ଷମା କରିଦିଅ। କାରଣ ମୁଁ ଗୋଟେ ସୀତାକୁ ହୃଦୟ ଦେଇ ସାରିଛି, ତେଣୁ ଆଉ କୋଉ ସୃପଲେଖାର ମନ ରଖି ପାରିବି ନାହିଁ। ସେ ଉତ୍କ୍ଷିପ୍ତ ହୋଇ ଉଠି କହିଲା- କିଏ ସେ ଗୌରୀ, ମୋତେ ଟିକିଏ ତା ନାଁଟା କହିବଟି? “ମୁଁ କହିଲି ମୋ ହୃଦୟ ରାଣୀ ହେଉଛି ମୋ ମାମୁଁ ଘର ଗାଁର ମୋ ବାଲ୍ଯ ବାନ୍ଧବୀ ଶେଫାଳି। ଏକଥା ଶୁଣି ସେ ଗୋଡ କଚାଡି ଚାଲିଗଲା। କୁମ୍ଭକର୍ଣ୍ଣି ଚେହେରାରେ ନିଜ ସାନ ଭାଇ ପାଇଁ ସେ ଶେଫାଳିର ପ୍ରସ୍ଥାବ ପଠାଇଲା। ମୋ ପ୍ରେମକୁ କିଣି ନେଇ ତା ପ୍ରେମକୁ ମୋ ଡୋଲିରେ ପକାଇବାକୁ ଚେଷ୍ଟା କଲା। ମୋ ବାପା ପାଖକୁ ପ୍ରସ୍ଥାବ ନେଇ ତା ଭାଇ ରାବଣା ଗଲା। ଅନେକ ଧନ ଲୋଭ ଦେଖାଇଲା । ପୁଣି ମଧ୍ୟ ଟିକେ ପରୋକ୍ଷରେ ଧମକ ଦେଲା, କହିଲା _”ସେ ଯେଉଁ ସ୍କୁଲରେ ଶିକ୍ଷକ ମୁଁ ସେ ସ୍କୁଲରେ ସଭାପତି, ତେଣୁ ମୋ କଥା ନ ରଖିଲେ ଟିକେ ଅସୁବିଧା ହୋଇପାରେ। ବାପାମାଆ ଧନଲୋଭରେ ହୁଏତ ତା କଥାରେ ଟିକେ ରାଜି ହୋଇଗଲେ। ମୁଁ କିନ୍ତୁ ଏ କଥା ସବୁ ଅଜାକୁ କହିଦେଲି, କାରଣ ମୋ ଅଜା ମୋ ସାଙ୍ଗ। ଅଜା କହିଲା-” ଇରେ ବାପରେ! ବଡ଼ ସାତିଲ ତ ଏ ଶେଫାଳି। ଆମର ଧନ କ’ଣ ହେବ ଚାଷୀ ଗରିବ ଘରର ଝିଅ ହେଲେ ମଧ୍ୟ ସୁନ୍ଦୁରୀ ହେଉଛି ସର୍ବଗୁଣ ସମ୍ପର୍ଣ୍ଣା, ତେଣୁ ଏଠି ଧନ ଦୌଲତର ତାରତମ୍ୟ ଦେଖା ଯିବ ନାହିଁ। ତା ବାପା ଦଶରଥକୁ ମୁଁ ବୁଝାଇବି “। ଅଜା ତେଣୁ ବସିଲା ଜାଗାରୁ ଧଡ଼କିନା ଉଠିପଡ଼ି- “ସୁନ୍ଦୁରୀ ବୋଉ! ସୁନ୍ଦୁରୀ ବୋଉ! କୁଆଡ଼େ ଗଲ” ବୋଲି ଡାକି ଡାକି ସୁନ୍ଦୁରୀ ଘରେ ପହଂଚି ସବୁ କଥା କହି ମୋ ପ୍ରସ୍ଥାବ ଦେଲା। ସେ ସମ୍ମତି ଜଣାଇଲାରୁ ଆମ ଦୁଇଜଣଙ୍କର ବାହାଘର ବନ୍ଦୋବସ୍ତ କରି ତୁରନ୍ତ ମନ୍ଦିରରେ ସାରି ଦେଲା। ଅବଶ୍ଯ ସେ ଗରୀବ ବୋଲି ଘରେ ଅନ୍ୟମାନେ ବିରୋଧ କରୁଥିଲେ। ହେଲେ ଅଜା କହିଲା – ମୁଁ କଥା ଦେଇଛି ମାନେ ଆଉ କାହା କଥା ଶୁଣିବି ନାହିଁ। କାରଣ ମୁଁ ଦେଖିଛି ପିଲା ଦୁଇଟି ପିଲାଟି ବେଳୁ ପରସ୍ପରକୁ ଭଲ ପାଆନ୍ତି। ତେଣୁ ବରଂ ମନ୍ଦିରରେ ବାହାଘର କରିବି, ହେଲେ ଏ ବାହାଘର ହେଇକି ରହିବି, ଧନ ଖାଲି ସର୍ବସ୍ଵ ନୂହେଁ କି ମଣିଷକୁ ସବୁ ଖୁସି ଦେଇ ପାରିବ ନାହିଁ । ସେୟା ହେଲା। ଏବେ ଆମେ ଦୁହେଁ ପତି ପତ୍ନୀ। ଶେଫାଳିର ରଗ ଏକାଥରକେ ମରିଗଲା। ଖବର ପାଇଲି ଆମ ଚତୁର୍ଥୀ ରାତି ନ ପାହୁଣୁ ଶେଫାଳି ଆଉ ଗୋଟେ ଟୋକାକୁ ଧରି କୁଆଡ଼େ ପାର। ଏକା ଥରକେ କେତେଟା ଟୋକାକୁ ସେ ଏମିତି ଲାଇନ୍ ରେ ରଖିଥିଲା କେଜାଣି?
By ସତ୍ୟ ପ୍ରକାଶ ସେଠୀ
ସା :ରାଣୀପଡା, ପୋ :ତରାଗୋ
ଜିଲ୍ଲା :ଭଦ୍ରକ
ରଚନା କାଳ :4 .12. 2019

Related posts

ମୁଁ ବିଧବା କହୁଛି

satya

ମୁଁ ବାହା ହେବି

satya

କାଳିସୀ

satya

Leave a Comment

Login

X

Register