ନିର୍ବାଚନ ପୂର୍ବରୁ ଲବି ଭାରି। ଲବି ଶବ୍ଦ ଜୋର୍ ଶୁଭେ। ନିର୍ବାଚନରେ କିଏ ଜିତିବ ହାରିବ ସେ ତ ପ୍ରତିଦ୍ୱନ୍ଦିତାର କଥା ଯାହା ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସଂଘଟିତ ହୋଇଥାଏ , କିନ୍ତୁ ଲବି? ଲବି ହେଉଛି ଦଳୀୟ ଟିକଟ ହାତେଇବା ପାଇଁ ଗୋଟାଏ ପ୍ରକାର କସରତ, ଯାହାକି ଗୋଟିଏ ରାଜନୈତିକ ଦଳର ଭିତିରି କଥା ବା ଆଭ୍ୟନ୍ତରୀଣ ବ୍ୟାପାର । ଏଠି ଗୋଟିଏ ଦଳର ଲୋକ ନିଜ ନିଜ ପାଇଁ ବା ମନୋନୀତ ପ୍ରାଥୀ ସକାଶେ ଯୁକ୍ତି ବାଢନ୍ତି ନିଜ ହାଇ କମାଣ୍ଡ ବା ହାଇ କମାଣ୍ଡଙ୍କ ଚାରିପଟେ ଘେରି ରହିଥିବା ପାୱାର corrider ନିକଟରେ। ଏମିତି ଏ ଲବି ଆକାର ପ୍ରକାର ଧାରଣ କରେ ଯେ ଯାହା ଭାରି ରୋଚକ ହୋଇଥାଏ।ଏହା ଶତୃ ସହିତ ସଂଘର୍ଷଠାରୁ ବି ବଳିଯାଏ। ଏକେ ଆରକକୁ ପଛକୁ ଠେଲିଦେଇ ଆଗକୁ ଧାଇଁବାକୁ ଚେଷ୍ଟାକରେ। ନିର୍ବାଚନ ବିଗୁଲ ବାଜିବ କ୍ଷଣି ମଇଦାନରେ ପ୍ରତ୍ୟେକ୍ଷ ଲଢେଇ ହୁଏ। ଶକ୍ତିର ପରୀକ୍ଷା ଚାଲେ। ମାତ୍ର ପ୍ରାର୍ଥୀତ୍ୱ ପ୍ରାପ୍ତି ବା ଦଳୀୟ ଟିକଟ ହାସଲ ସବୁଠାରୁ ମୁସ୍କିଲ ଘଡି। ଯେଉଁଠି ନେତାଏ ନିଜର ସମସ୍ତ ବଳକଳ ଲଗାଇ ଦିଅନ୍ତି। ଯିଏ ଗୋଟି ଚାଳନାରେ ଅଧିକ ସକ୍ରିୟ ଓ ଦକ୍ଷ ସେ ଏଠି ଜିତାପଟ ନେଇ ଦଳୀୟ ବେନରରେ ନିର୍ବାଚନ ଲଢିବାକୁ ସକ୍ଷମ ହୁଏ। କାରଣ ଦଳୀୟ ବେନର ହେଉଛି ଗୋଟେ ବ୍ରାଣ୍ଡ। ବ୍ରାଣ୍ଡ ମିଳିଗଲେ ନିର୍ବାଚନରେ ପ୍ରକୃତ ରଙ୍ଗ ଆସିଯାଏ।(ରଙ୍ଗ ଲାଇ ବସନ୍ତ)
ଏମ୍ ଏଲ୍. ଏ. ଜିତନ ବାବୁଙ୍କ ଅକାଳ ବିୟୋଗ ଖବର ପ୍ରସାରିତ ହେବା କ୍ଷଣି ଜିତନ ଗଡ଼ର ବାଇ ଇଲେକ୍ସନ ହେବା ଏକ ରକମର ସୁନିଶ୍ଚିତ ହୋଇ ସାରିଥିଲା। ତେଣୁ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନେ ତୁରନ୍ତ ନିଜ ନିଜ ଦଳୀୟ ପ୍ରାଥୀ ଚୟନ ପ୍ରକ୍ରିୟାକୁ ତୋରାନ୍ୱିତ କରିଦେଇଥିଲେ।କାରଣ ଆସନ୍ତା ସାଧାରଣ ନିର୍ବାଚନ ଅଉ ମାତ୍ର ଗୋଟିଏ ବର୍ଷ ବାକି ଥାଏ, ତେଣୁ ଉକ୍ତ ଉପ ନିର୍ବାଚନ ଆସନ୍ତା ସାଧାରଣ ନିର୍ବାଚନ ଉପରେ ଗଭୀର ପ୍ରଭାବ ପକାଇବାକୁ ଥିବା ହେତୁ ଏହି ନିର୍ବାଚନର ଗୁରୁତ୍ଵ ସ୍ୱତଃ ଅନୁଭୂତ ହେଉଥାଏ। ରାଜନୈତିକ ଉଷ୍ମତା ପାଣି ପାଗକୁ ଅଧିକ ବିଗାଡ଼ୁ ଥାଏ। ସବୁଦଳରେ ଛକାପଞ୍ଝା। ପଞ୍ଚଙ୍କ ପେଞ୍ଚୁଆ ରାଜନୀତି । ସରଗରମ ସ୍ଥିତି।
ଏତେବେଳ ଅଣ୍ଟାଭିଡ଼ିଥା’ନ୍ତି ଅନେକ ଛୋଟ ବଡ଼ ନେତାଏ। ପୁଣି ଯୁବାଠାରୁ ବୃଦ୍ଧଯାଏ ନବାଗତଙ୍କ ଆଗମନ ମଧ୍ଯ କିଛି କମ୍ ନଥାଏ।
କଥା ହେଉଛି ସାଙ୍ଗଠନିକ ଦୁର୍ବଳତା ଓ ଦଳୀୟ କନ୍ଦଳକୁ କେନ୍ଦ୍ର କରି ଗତ ଥର ଏଠୁ ଦଳୀୟ ପ୍ରାର୍ଥୀଙ୍କୁ ହାର୍ ର ସାମ୍ନା କରିବାକୁ ପଡ଼ିଥିଲା। ଫଳରେ ଜିତନ ବାବୁ ଜିତି ବିଧାୟକ ହୋଇଥିଲେ। ତେଣୁ ସରକାରୀ ଦଳ ଏଥର ଭଲ ଭାବେ ଅଙ୍କ କଷିବାକୁ ଚାହୁଁଛି। ଗତ ଥରର ହାରୁଆ ବିଧାୟକ ପ୍ରାର୍ଥୀ ଶ୍ୟାମାନନ୍ଦ ଏଥରର ମଧ୍ୟ ଆଶାୟୀ ପ୍ରାର୍ଥୀ। ହେଲେ ତାଙ୍କ କଥାକୁ ଦଳ ଏଥର ଏତେ ଗୁରୁତ୍ୱ ଦେଉ ନାହିଁ, ଯେହେତୁ ତାଙ୍କୁ କେନ୍ଦ୍ର କରି ଦଳ ଦୁଇ ଭାଗରେ ଦୁଇ ଫାଳ ହୋଇରହିଛି। ସେ ହେଲେ ଦଳର ସଂହତି ରକ୍ଷା କରିବା କଷ୍ଟ। ସେଇପରି ଆଉ ଜଣେ ଟାଣୁଆ ନେତା ହେଲେ କମଳ ଯାହାଙ୍କ ସ୍ତ୍ରୀ ଏବେ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇ ଯାଇଛନ୍ତି। ତେଣୁ ଗୋଟେ ପରିବାରରୁ ଦୁଇ ଜଣଙ୍କୁ କ୍ଷମତା ଦେବା ସପକ୍ଷରେ ହାଇ କମାଣ୍ଡ ନାହାନ୍ତି। ବାକି ରହିଲେ ମୃତକ ବିଧାୟକଙ୍କ ପୁତ୍ରକୁ ସେ ଦଳରୁ ଏ ଦଳକୁ ଆଣି ଦଳୀୟ ଟିକଟ ଦେବା କଥା। ତା ବି ମଧ୍ୟ ଟିକିଏ ଅଡ଼ୁଆ ସୂତାଖିଅ ପରି ଗୁଡେଇ ତୁଡେଇ ଅଡୁଆ ଧରିଲାଣି।
କାହିଁକି ନା ଜିତନ ବାବୁଙ୍କ ଏକାଦଶାହ କ୍ରିୟାରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ର ନେତୃତ୍ୱ ସହିତ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ତାଙ୍କ ପୁତ୍ର ତପନକୁ ଅନେକ ପ୍ରବୋଧନା ଓ ଆଶ୍ଵାଶନା ଦେଇ ଯାଇଛନ୍ତି । ତେଣୁ ଦଳୀୟ ପ୍ରଲୋଭନା ଓ ଆନୁଗତ୍ୟକୁ ଏଡ଼ାଇ ସେ ସହଜରେ ଦଳ ଡିଆଁ କରି ପାରିବେ ନାହିଁ। ଏତେବେଳେ ତେଣୁ ନୂଆ ପ୍ରାର୍ଥୀ ଚୟନକୁ ନେଇ ସର୍ବାଗ୍ରେ ବିଚାର୍ଯ୍ୟ ।
ନୂଆ ପ୍ରାର୍ଥୀ ବୋଲି କ’ଣ ଜଣେ ଅଧେ ନା କ’ ଣ ବରଂ ପାଞ୍ଚ ସାତ ପ୍ରାର୍ଥୀଙ୍କର ଲମ୍ବା ଲାଇନ୍ ଲାଗିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ କରିବା ସତରେ କାଠିକର ପାଠ।
ଏଇଠି ରହିଛନ୍ତି ସାମ୍ବାଦିକ ଶୁକ ବାବୁ, ପଇସାବାଲା ମଣି ବାବୁ ଅବସରପ୍ରାପ୍ତ କର୍ମଚାରୀ ହର ବାବୁ, ଶିଳ୍ପପତି ନିଶି ବାବୁ ଏବଂ ଯୁବ ସାହିତ୍ୟିକ ତଥା ସରକାରୀ ଅଧିକାରୀ ମନା ବାବୁ। ଏମାନେ ସମସ୍ତେ ଜଣେ ଜଣେ କଳାକାର। କଳା ପାଟବତା ଏମାନଙ୍କର କିଛି କମ୍ ନାହିଁ। ସମସ୍ତେ କୌଣସି ନା କୌଣସି ଗୁଣରେ ଭାରି। ହେଲେ ଜିତିବା ସମ୍ଭାବନା କାହାର ଅଧିକ ରହୁଛି ତାହା ହିଁ ବେଶୀ ଗୁରୁତ୍ୱପୂର୍ଣ୍ଣ।
ଶୁକ ବାବୁ ଠେଲାପେଲା କରି ଏଇମାତ୍ର ଦୌଡିବା ଆରମ୍ଭ କରିଛନ୍ତି। ହର ବାବୁ ବୟସ ଆଧିକ୍ଯରୁ ନଇଁ ପଢିଲେଣି। ତଥାପି ନିଶା ଛାଡୁ ନାହାନ୍ତି। ଘୁସୁରି ଘୁସୁରି ତଥାପି ଚାଲୁଛନ୍ତି। କିନ୍ତୁ ବୟସ କାରଣରୁ ଢେର୍ ପଛରେ ରହିଛନ୍ତି। ସେହିପରି ଶିଳ୍ପପତି ନିଶି ବାବୁ ଆକାଶକୁ କେବଳ ବାଣ ଛାଡ଼ିଲା ଭଳି ବେଶ୍ ହଟଚମଟ ସ୍ରୁଷ୍ଟି କରୁଛନ୍ତି। କିନ୍ତୁ ସବୁ ବାଣ ଗୁଡ଼ାକ କୁଆଡେ ଫୁସୁକା ବାଣ ଭଳି ସବୁ ଫୁସ୍ ହୋଇଯାଉଛି। ନିଜ ଶିଳ୍ପାନୁଷ୍ଠାନ କଥା ତ ବୁଝିବାକୁ ତାଙ୍କୁ ତର ନାହିଁ ଏତେବେଳେ ରାଜନୀତି ପାଇଁ ତାଙ୍କୁ ବା ଫୁରୁସତ୍ କାହିଁ ନା ବେଳ କେଉଁଠି ହେଉଛି। ହେଲେ ମଣି ବାବୁ? ସେ ତ ପଇସାବାଲା। ଖାଲି ପଇସାର ମୁଣି ଢାଳି ଦେଉଛନ୍ତି। ଗଦା ଗଦା ଲୋକ ନେଇ ରାଜଧାନୀରେ ତଳା ପକାଉଛନ୍ତି। ଏ ନେତାଙ୍କ କ୍ୱାଟରରୁ ସେ କ୍ୱାଟର ଖାଲି ଘୂରି ବୁଲୁଛନ୍ତି। ହାଣ୍ଡିଆ ପାଟି କରି ଟୋକାଏ ତାଙ୍କ ରଡି ଛାଡୁଛନ୍ତି। ତେଣୁ ତାଙ୍କ ପାଲା ଟିକେ ଭାରି ରହୁଛି। ପ୍ରଚାର ପ୍ରସାର ଅଧିକ ହେତୁ ତାଙ୍କ ସ୍ଵର ଶବ୍ଦ ଅଧିକ ଶୁଣା ହେଉଛି ।
ବାକି ରହିଲେ ମନା ବାବୁ। ସନୈ ସନୈ ଧିର ମନ୍ଥର ତାଙ୍କ ଗତି। ବଡ଼ ହୁସିଆରରେ ପାଦ ଥାପି ଥାପି ଆଗକୁ ଗୋଡ଼ ପକାଉଛନ୍ତି। ସନ୍ତର୍ପଣ ସହକାରେ ସମସ୍ତଙ୍କୁ ସାଥିରେ ନେଇ ଚାଲିଛନ୍ତି। ତଳଠାରୁ ଉପର ନେତା ଯାଏ ପୁଣି କର୍ମୀଠାରୁ ସାଧାରଣ ଜନତା ଯାଏ ସମସ୍ତଙ୍କ ସହ ସୁସମ୍ପର୍କ ରକ୍ଷା କରି ସେ ଆଗକୁ ବଢୁଛନ୍ତି। ବାହାରକୁ ଏହା ଏତେଟା ପରିସ୍ଫୁଟ ହୋଇ ଦିଶୁ ନ ଥିଲେ ହେଁ ଭିତରେ ଭିତରେ ସେ ସମ୍ପର୍କ ଯୋଡିବାରେ ଲାଗି ପଡ଼ିଛନ୍ତି। ଯାହାର ବାସ୍ତବ ରଙ୍ଗ ଆସିବାକୁ ବାକି ଅଛି। ଏତେବେଳେ କେଉଁ ପାଣି କୁଆଡ଼କୁ ଯାଉଛି ତାହା ଅନୁଧ୍ୟାନ କରିବାର ଅଛି। ହେଲେ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାର ଏହା ବି ଗୋଟେ କିଶା।
By ସତ୍ୟ ପ୍ରକାଶ ସେଠୀ