Satya Prakash
Uncategorised

ସେଟିଂ ସାଟିଂ

ସେଟିଂ ସାଟିଂ

ମୁଁ ସେଦିନ ଅଫିସ କାର୍ଯ୍ୟରେ ଭାରି ବ୍ୟସ୍ତ ଥିଲି। ଯେହେତୁ ଅଫିସ ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟଭାର ସମ୍ଭାଳିବାକୁ ହେଉଛି ତେଣୁ ଏପଟ ସେପଟ ହୋଇ ସମସ୍ତ କାର୍ଯ୍ୟ ତଦାରଖ କରିବା ମୋର ଦାୟିତ୍ଵ। ଚରକି ଦୋଳି ଚକ୍କର କାଟିଲା ପରି ମୁଁ ଖାଲି ଏଣେତେଣେ ବୁଲିଲାଗେ। ଯାହା ପାଖରୁ ଯେଉଁଠି ଯେଉଁ କାର୍ଯ୍ୟ ଆଦାୟ କରିବାର ଥାଏ ସେଇଠୁ ସେଇ କାର୍ଯ୍ୟ ଆଦାୟ କରିବା ମୋର କାମ। ତେଣୁ ସମସ୍ତଙ୍କ ଉପରେ ମୋର ତିକ୍ଷ୍ଣ ନଜର ଥାଏ- କର୍ମଚାରୀଠୁଁ ସାଧାରଣ ଜନତାଯାଏ। ଯିଏ ଯେଉଁଥି ପାଇଁ ଆସିଥାନ୍ତୁ ନା କାହିଁକି ଯେପରି ସେମାନେ ସରକାରୀ ସେବା ଓ ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ ତାହା ଜଗିବା ଓ ବୁଝିବା ମଧ୍ଯ ମୋର ସର୍ବାଦୌ କର୍ତ୍ତବ୍ୟ। ଏଣୁ ମୁଁ ଚାରି ଆଖିଆ, ନଜର ମୋର ଭାରି ବଡ଼।
ସବୁବେଳେ ତ ଦପ୍ତରକୁ ଲୋକଙ୍କ ସମାଗମ ଲାଗି ରହିଥାଏ। କେଉଁଆଡୁ କେତେ ରକମର ଲୋକ ଆସନ୍ତି। କର୍ମଚାରୀମାନେ ସେବା ଯୋଗାଇ ଦିଅନ୍ତି। କାହାରି କିଛି ବେଶୀ ଅସୁବିଧା ହେଲେ ଲୋକେ ମୋ ପାଖକୁ ଆସନ୍ତି, ମୁଁ ତାର ଆସୁ ସମାଧାନ କରେ। ଲୋକମାନେ ସନ୍ତୁଷ୍ଟ ହୋଇ ଫେରନ୍ତି।
ତେବେ ସେଦିନ ହଠାତ୍ ଜଣେ ଲୋକକୁ ଅଫିସରେ ଦେଖି ମୋର ବଡ଼ ସନ୍ଦେହ ଉପୁଜିଲା। ମୁଁ ତାକୁ ଅନୁଧ୍ୟାନ କଲି। ତାର ଶରିରର ଭାଷା ଓ ଭାବଭଙ୍ଗି ଟିକିଏ ଭିନ୍ନ ପ୍ରକାର ଥିଲା।ତେଣୁ ସନ୍ଦେହ ଘନୀଭୂତ ହେବା ସ୍ୱାଭାବିକ । ତା ପଛେପଛେ ଯାଇ ପଚାରିଲି-“ଆଜ୍ଞା! କାହାକୁ ଖୋଜୁଛନ୍ତି କି, କଣ କିଛି କାମ ଥିଲା”?
ସେ ଉତ୍ତର ନ ଦେଇ ପ୍ରଶ୍ନକୁ ଆଡ଼େଇ ଯିବାକୁ ଚେଷ୍ଟା କରୁଥାନ୍ତି। କହିଲେ – “ନା, ମୁଁ ଜଣକୁ ଖୋଜୁଥିଲି” । ଏତକ କହି ସେ ଅନ୍ୟତ୍ର , ଅନ୍ୟ ରୁମକୁ ଚାଲି ଯାଇଥିଲେ। ମୁଁ ପୁଣି ପିଛାକରି ଯାଇ ପଚାରିଲି – “କାହାକୁ”?
କହିଲେ – “ଇଏ, ସେ ରାଉତ ବାବୁ “।। ମୁଁ କହିଲି -” ହେଇ ପରା ତାପସ ବାବୁ, କଥା ହେଉ ନାହାନ୍ତି ” ?
କହିଲେ – “ନା, ସେ ବଡ଼ ବାବୁ… ବଡ଼ ବାବୁ ଅଛନ୍ତି ନା” ?
ମୁଁ କହିଲି ହଁ ସେ ହେଇ ତ, ଆର ରୁମ୍ ରେ ଅଛନ୍ତି “।
ସେ କହିଲେ -” ହଁ ହଁ “। ଏତକ କହି ସେ ତୁରନ୍ତ ବଡ଼ ବାବୁ ରୁମ୍ ଆଡ଼େ ଚାଲିଲେ ସିନା ହେଲେ ବଡ଼ ବାବୁଙ୍କୁ ଆଦୌ ଚାହିଁଲେ କାହିଁ ନାହିଁ ତ , ଖାଲି ଏଣେତେଣେ ଭେରାଟେ ବୁଲି ଆସି ପୁଣି ଫେରି ଆସିଲେ।

ମୁଁ ସବୁକଥା ଲକ୍ଷ୍ୟ କରିଥିଲି, ଲକ୍ଷ୍ୟ କରୁଥିଲି ତା ଗତିବିଧିରେ ପ୍ରତିକୃତ ହେଉଥିବା ବ୍ୟତିକ୍ରମକୁ । ବାଟରେ ରୋକି ଦେଲି, ପଚାରିଲି – “କି ହୋ କାହାକୁ ଖୋଜୁଛନ୍ତି, କଣ ପାଇଁ ଆସିଛନ୍ତି, ସେ କଥା କହୁ ନାହାନ୍ତି, ଖାଲି ଅଫିସ ସାରା ଦରାଣ୍ଡି ହେଲେ କି ଚଳିବ କ” ? ଲୋକଟି ହରଡଘଣାରେ ପଡ଼ିଗଲା, ନିଜକୁ ଟିକିଏ ଦୋଷୀ ବା ଅପମାନିତବୋଧ ବୋଧହୁଏ କଲା। କହିଲେ- “ଟିକିଏ ଏପଟକୁ ଆସନ୍ତୁନି!” ଟିକିଏ ଆଢୁଆଳକୁ ଡ଼ାକିନେଇ କହିଲେ – “ଆଜ୍ଞା ଖରାପ ଭାବିବେ ନାହିଁ କି କାହାକୁ କିଛି କହିବେ ନାହିଁ। ସେ କଥା କଣ କି, ମୁଁ ଜଣେ କନ୍ୟାପିତା। ମୋ ଝିଅଟି ବେଶ୍ ରୂପବତୀ ଓ ଗୁଣବତୀ। ସେ ମଧ୍ଯ ଜଣେ ଉଚ୍ଚଶିକ୍ଷିତା ଓ ସରକାରୀ କର୍ମଚାରୀ। ତେବେ ସେ ଟିକିଏ ଡେଙ୍ଗୀ ଥିବାରୁ ଗୋଟେ ଡେଙ୍ଗା ପିଲା ପ୍ରସ୍ତାବ ଖୋଜୁଥିଲି। ଖବର ପାଇଲି ବାଲେଶ୍ଵର ଅଞ୍ଚଳରୁ ଜଣେ ଏଠାରେ ନୂଆ ଚାକିରି ପାଇଛନ୍ତି। ସେ କାଳେ ଡେଙ୍ଗା।ସୁନ୍ଦର ସୁଠାମ ତାଙ୍କ ଚେହେରା। ମୁଁ ଖବରପାଇ ତାଙ୍କ ଗାଁ ଘରକୁ ଯାଇଥିଲି। ତାଙ୍କ ବାପାବୋଉଙ୍କ ସହ ମଧ୍ଯ ଭଲମନ୍ଦ କି ଦି ପଦ କଥା ହୋଇ ଆସିଛି। ସେମାନଙ୍କର ପ୍ରସ୍ତାବ ଉପରେ ସହମତି ଅଛି। ହେଲେ ଯିଏ ମୋର ସମୁଦୁଣୀ ହେବେ ସେ କହିଲେ – “ସବୁ କଥା ଠିକ୍ ଯେ ହେଲେ ଆଜିକାଲିକା ପିଲାଙ୍କ କଥା ତ ଜାଣୁଛନ୍ତି। ତେଣୁ ସେମାନଙ୍କର କାଳେ କେଉଁଠି ସେଟିଂସାଟିଂ ଅଛି ଆଗ ସେ କଥା ବୁଝନ୍ତୁ। ପିଲାମାନେ ଆଉ ଏ କଥା ଆମକୁ ତ ମୁହଁ ଖୋଲି କହିବେ ନାହିଁ ନା! ତେଣୁ ନିଜେ ଏ ବିଷୟରେ ଖବର ନେଇ ଆଶ୍ୱସ୍ତ ହେଲା ପରେ ତେଣିକି ଯାହା। ତାପରେ ଯାଇ ଆମେ ଏ ପ୍ରସ୍ତାବ ଉପରେ ଆଗେଇ ପାରିବା “।
ପୁଅମାଆ ପାଖରୁ ଏ କଥା ଶୁଣି ମୁଁ ଆପଣଙ୍କ ଅଫିସ ଆସିଛି, ଲୁଚି କି ପିଲାଟିକୁ ଟିକିଏ ଦେଖିନେବି ଓ ତାର ସେଟିଂ ସାଟିଂ ବିଷୟରେ ଟିକିଏ ଖବର ସଂଗ୍ରହ କରିବି। ଆପଣ ଆଜ୍ଞା! ଏ ବିଷୟରେ ପିଲାଟା ପାଖରୁ ଖବର ସଂଗ୍ରହ କରି ମୋତେ ଟିକିଏ କହିବେ ନା! କାରଣ ଝିଅର ବାହା ବୟସ ଗଡ଼ିଯାଉଛି। ପିଲାଟିକୁ ଏବେ 27 ପୂରି 28 ଧରିଲାଣି ।ଚାକିରି ଚାକିରି ବୋଲି ତ ଏତେଦିନ ବିତିଲା। ଆଉ କେତେ ଦିନ ଅପେକ୍ଷା କରି ହେବ କହୁ ନାହାନ୍ତି”?
ବୁଢ଼ାର କଥା ଶୁଣି ମୁଁ ଟିକିଏ ସମବେଦନା ପ୍ରକଟ କଲି। କହିଲି – ହୋଉ ଆଜ୍ଞା! ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ସାବତ ବାବୁଙ୍କ ସହ କଥା ହୋଇ ସବୁ କଥା ଆପଣଙ୍କୁ ଜଣାଇଦେବି। ଯାଆନ୍ତୁ, ଦିନେ ଦୁଇ ଦିନ ପରେ ମୋ ସହ ଯୋଗଯୋଗ କରିବେ।
ବାସ୍ତବରେ ଆଜିର ଦୁନିଆ ବଡ଼ ବିଚିତ୍ର, କିଏ କେଉଁ ମତେ ଥାଏ ବୁଝିବା ବଡ଼ କଷ୍ଟ। ଆଉ ଏ କଥା ମଧ୍ଯ ସତ୍ୟ ଯଦି ଗୋଟେ ବଡ଼ recruitment ହୋଇ କୌଣସି ବିଭାଗରେ କିଛି ପିଲା ନୂଆ ଚାକିରି ପାଇଲେ ସେ କଥାଟି ଭଲ କି ପ୍ରଚାରିତ ହୋଇଯାଏ ଏବଂ ସେତେବେଳେ ଦୁଇଟି ଲୋକଙ୍କର ଭିଡ଼ ଦେଖାଦିଏ, ଯେଉଁମାନେ କି ନୂଆ ଚାକିରିଆଙ୍କ ପଛରେ ଗୋଟାପୁଣି ପଡ଼ିଯାଆନ୍ତି। ଏଲ୍. ଆଇ. ସି. ଏଜେଣ୍ଟଙ୍କ କଥା ତ ନ କହିଲେ ଭଲ। ଏମାନେ ଟିଙ୍କ ପରି ଲାଗି ରହନ୍ତି ଯେଯାଏ ଗ୍ରାହକ ତାଙ୍କ ଫାଶରେ ନ ପଡ଼ିଛନ୍ତି। ବନ୍ଧୁବାନ୍ଧବ, ଅଫିସ ସହକର୍ମୀ, ଉଚ୍ଚପଦସ୍ଥ ଅଧିକାରୀ, ସାଙ୍ଗସାଥି ଆଦି କେତେ କୁଆଡୁ ରେଫରେନ୍ସ ଧରି ଏମାନେ ଆସି ହାଜର ହୋଇଯାଆନ୍ତି। ପଲିସ୍ ଗୋଟେ ସେମାନଙ୍କ ପାଖରୁ ନ କଲାଯାଏ ଛାଡିବେ ନାହିଁ କି ଶୁଆଇବସେଇ ଦେବେ ନାହିଁ। ଏ କଥା ଜଣଙ୍କ କ୍ଷେତ୍ରରେ ନୂହେଁ ହଜାରଙ୍କ ପାଖରେ ଘଟିଥିବ।ମୋ ନୂଆ ଚାକିରି ବେଳେ ମଧ୍ଯ ତାହା ହିଁ ଘଟିଥିଲା। ତେଣୁ ମୋର ତିକ୍ତ ଅନୁଭୂତି ଅଛି। ସେଥିପାଇଁ ଏଲ୍ ଆଇ. ସି. Agent ନାଁ ଶୁଣିଲେ ମୁଁ ଲୁଚିପଡେ, ଏମାନେ ନଛୋଡବନ୍ଧାର ଦଳ। ନିଜେ ପଛେ ପଲିସ୍ ସମ୍ପର୍କରେ ଅନଭିଜ୍ଞ ଥାନ୍ତୁ, କିନ୍ତୁ ବଡ଼ ଅଭିଜ୍ଞ ମଣିଷ ପରି ଭାଷଣବାଜି ସର୍ବଜ୍ଞାତା ମଣିଷର। ଛାଡନ୍ତୁ ସିଆଡୁକୁ ଆଉ ଏତେ ଭିତରକୁ ଯିବା ନାହିଁ। ବରଂ ଆର ଦଳିଆଙ୍କ କଥା ଏବେ ଚିନ୍ତା କରିବା। ଆର ଦଳକ ହେଲେ ବିଭାଘର ପ୍ରସ୍ତାବ ନେଇ ଆସୁଥିବା ଭଦ୍ରଲୋକ ବା କନ୍ୟା ଓ ବରପକ୍ଷ। ଏମାନଙ୍କୁ ମଧ୍ଯ ଖୋରାକ ମିଳିଯାଏ, ଯେମିତି ମାର୍କେଟକୁ କିଛି ନୂଆ ଅଣ୍ଡିଆ ଓ ଛଡା ଆସିଗଲେ। ତେଣୁ ବେପାର କରିବାକୁ କଜଳ ପାତିଆ ଭଦ୍ରଲୋକ ବାହାରି ପଡ଼ନ୍ତି। ମୂଲଚାଲ ବେଶ୍ ଚାଲେ। ବୟସ ଗଡିଯାଉଥିବା କନ୍ୟା ପିତାମାତା ଓ ସମ୍ପର୍କୀୟମାନେ ବ୍ୟସ୍ତଆସ୍ତ କାରଣରୁ ଲମ୍ବା ଲାଇନ୍ ଲଗାନ୍ତି। ଅଫିସ ଅଫିସ ବୁଲି ପାତ୍ର ଓ ପାତ୍ରୀ ଖୋଜନ୍ତି। ଏ ଅନୁଭୂତି ଆମ ସମସ୍ତଙ୍କର ଅଛି, ଆମ ବେଳେ ବି ଘଟିଥିଲା।ତେଣୁ ସାବତ ବାବୁଙ୍କ ପାଇଁ ପ୍ରସ୍ତାବ ଆସିବା କିଛି ନୂଆ କଥା ନୂହେଁ।
ଦିନ ଇଲା କେତେ ଗଲାପରେ ସାବତ ବାବୁଙ୍କୁ ପାଖକୁ ଡାକିଲି। ସବୁକଥା କଅଁଳେଇ କି ପଚାରିଲି। ସେ ମୁରୁକିହସା ମାରୁଥିଲେ ସିନା କିନ୍ତୁ ସତ କଥା ଖୋଲି ଆଦୌ କହୁ ନ ଥାନ୍ତି। ଟିକିଏ ଗେହ୍ଲେଇ ପଚାରିଲାଠୁଁ ହଁ ନାହିଁ ହୋଇ ସବୁ କଥା କହିଲେ। ଆଗ କହୁଥିଲେ – “ବାପା ମାଆ ଯେଉଁଠି କହିବେ ସେଇଠି ବାହା ହେବି। ମୁଁ ଆଉ ଏ ବିଷୟରେ କଣ ନିଷ୍ପତ୍ତି ନେବି”। ଏବେ କହିଲେଣି – “ନା ସେ କଥା ନୁହେଁ ଯେ ସାର୍! ହେଲେ ହଠାତ୍ ମୋର ଗୋଟେ ସେଟିଂ ସାଟିଂ ହୋଇଛି, କିନ୍ତୁ ପରିସ୍ଥିତି କଣ ହେଉଛି ଦେଖିବା “।
ଏ କଥା ଶୁଣି ମୁଁ ଏକଦମ୍ ତାଜୁବ୍। ବାସ୍ତବରେ ଏ ଛୁପାରୁସ୍ତମ୍ ମାନଙ୍କୁ ଚିହ୍ନିବା ବଡ଼ ମୁସ୍କିଲ୍। ଯୁଗର ପରିବର୍ତ୍ତନ ହେଲାଣି। ଆଜିକାଲିକା ଛୁଆ ଖୋଲିକି ଜୀବନକୁ ଜୀଇଁବା ଜୀବନ ବୁଝନ୍ତି। ତେବେ ଆମେ ମଧ୍ଯ ଏ କଥାରେ ବିରୋଧ କରୁ ନାହୁଁ ଯେ, ହେଲେ ସାବତ ବାବୁଙ୍କଠାରୁ ଘଟଣାଟାର ସବିଶେଷ ବିବରଣ ନିଶ୍ଚୟ ନେବା।
ତେଣୁ ମୁଁ ଟିକିଏ ରସିକ ହୋଇ କହିଲି – “ହୋଉ ଠିକ୍ ଅଛି, ଏ କଥା ଏମିତି କୋଉ ଖରାପ କି, ଆମେ ତ ବରଯାତ୍ରୀରେ ଯାଇ ପେଟ ପୂରାଇ ଦୁଇଟା ଭଲ କି ଖାଇକି ଆସିଲେ ହେଲା, ତେଣିକି ସେ ବାହାଘର ଯେଉଁଠି ହେଉଛି ହେଉ। ହେଲେ ତୁମ ପ୍ରେମ ଆଉ ପ୍ରେମିକା ସମ୍ପର୍କରେ ଟିକିଏ କୁହନ୍ତନି!

ସାବତ ବାବୁ ଏ ସମ୍ପର୍କରେ କିଛିଟା କହିବା ପାଇଁ ନିଜକୁ ଲାଜ ପାଉଥିଲେ ହେଁ ଅଳ୍ପରେ ତ ବହୁତ କିଛି କହିପକାଇ ଥିଲେ। କହିଥିଲେ ତାଙ୍କର ପ୍ରେମ ସମ୍ପର୍କ ଗୋଟିଏ ବସ୍ ଯାତ୍ରାରୁ ହିଁ ଆରମ୍ଭ ହୋଇ କେମିତି ଏଯାଏ ତିଷ୍ଟି ରହିଛି। ସେ ଘଟଣା କଣ କି, ଦିନେ ସାବତ ବାବୁ ଭୁବନେଶ୍ୱରରୁ ପ୍ରଥମ ଚାକିରିର ପେଗାମ ଧରି ବାଲେଶ୍ଵର ଫେରୁଥିଲେ। ବାଟରେ ଅଚାର୍ଯ୍ୟ ବିହାରରୁ ଆଉ ଜଣେ ସହଯାତ୍ରୀ ଉଠିଲେ ଯିଏକି ସାବତ ବାବୁଙ୍କ ପାଖରେଥିବା ଖାଲି ସିଟ୍ ଟେ ଦେଖି ବସି ପଡ଼ିଲେ। ବାଦାମ ବାଡ଼ିରେ ଗାଡ଼ି ପହଞ୍ଚିଲା ବେଳକୁ ପାଣି ବୋତଲଟିଏ ଆଣିବାକୁ ସାବତ ବାବୁ ଗାଡିରୁ ଓହ୍ଲାଇଲେ। କିଛି ସମୟ ଉପରାନ୍ତେ ପାଣି ବୋତଲ ହାତରେ ଧରି ବାବୁ ଫେରିଲେ। ହେଲେ ଫେରିଲା ବେଳକୁ ଗୋଟେ ବ୍ୟତିକ୍ରମ ଘଟିଲା, ଯାହା ମୁଖ୍ୟ ଘଟଣାର ମୂଲପିଣ୍ଡ । ଘଟଣାଟି ହେଉଛି ସାବତ ବାବୁ ଯେହେତୁ ବସ୍ ରେ ଝରକା କଡ଼ରେ ବସିଥିଲେ, ତେଣୁ ତାଙ୍କୁ ମହିଳା ସହଯାତ୍ରୀଙ୍କୁ ଡେଇଁ ସେପରିକୁ ଯିବାକୁ ହେବ। ଏହି ଉଦ୍ୟମରେ ସାବତ ବାବୁ କୁଆଡ଼େ ଶର୍ମିଷ୍ଠାଙ୍କ ଗୋଡ ଉପରେ ଭୁଲବଶତଃ ଚଢି ଯାଇଥିଲେ। ଯାହାକୁ ଆଧାର କରି ସାମାନ୍ୟ ଅଭିଯୋଗ ଓ ଯନ୍ତ୍ରଣାର କ୍ଷଣପ୍ରଭ ସ୍ଵର – “ଆଃ… କଣ ଦେଖା ଯାଉ ନାହିଁ କି? ” ।ସାବତ ବାବୁଙ୍କ ପାଟିରୁ ବି ଝରି ପଡିଥିଲା – sorry, don’t mind, ମୁଁ ଜାଣି ପାରିଲି ନାହିଁ। ଆରପଟରୁ ଶୁଭିଥିଲା – “it’s OK but my ଗୋଡ଼ … ଉଃ ..”। ସାବତ ବାବୁ ନିଜ ବୋତଲ ବଢାଇ ଦେଇ – “ପାଣି please “।ବାସ୍ ସେଇ ସେତିକି ପ୍ରେମ ରାଗିଣୀ ସ୍ଵର ତୋଳିବା ପାଇଁ ଯଥେଷ୍ଟ ଥିଲା। ଏତେବେଳକୁ ଉଭୟ ଉଭୟଙ୍କୁ ଖୁବ୍ ନିକଟରେ ପାଇ ଯେତିକି ଆହ୍ଲାଦିତ ହେଉଥିଲେ ସେତିକି ମଧ୍ଯ କୌତୂହଳୀ ହୋଇ ଉଠି ପରସ୍ପରର ପରିଚୟ ସାଉଁଟୁ ଥିଲେ। କିଛିଟା କଥୋପକଥନ ଓ ଜିଜ୍ଞାସା ପରେ କେମିତି ଗୋଟେ ଆତ୍ମୀୟତାବୋଧ ପ୍ରତୀତ ହେଉଥିଲା। ତାପରେ ଫୋନ୍ ନମ୍ବର ଆଦାନପ୍ରଦାନ ତଥା ଶିକ୍ଷା ଓ କର୍ମସଂସ୍ଥାନକୁ ନେଇ କିଛିଟା ପରିଚିତି ଯୋଡାଯୋଡି। ଇତିମଧ୍ୟରେ ଉଭୟ ଉଭୟଙ୍କ ଶରୀରର ସ୍ପର୍ଶ ଓ ଗନ୍ଧରେ ପ୍ରାୟତଃ ବିହ୍ଵଳ ହେଉଥାନ୍ତି।ଶରିରର କେତେକାଂଶ ପରସ୍ପରକୁ ଛୁଉଁଥିବାରୁ ପରିବେଶରେ ଟିକିଏ ଉଷୁମତା ଭରି ଯାଉଥିଲା। ବେଳେବେଳେ ଶର୍ମିଷ୍ଠାଙ୍କ କେଶାଗ୍ର ମଧ୍ଯ ସାବତ ବାବୁଙ୍କ ନାଶିକାକୁ ଚୁମ୍ବୁଥାଏ। ଝରକା ସେପାରିର ଶୀତଳ ବାଆ ଦେହରେ ଶିହରଣ ଖେଳାଉଥାଏ, ତେଣୁ ମନର ବାତାବରଣ ମଧ୍ଯ ଘନଘନ ବଦଳୁଥାଏ । କେତେବେଳ ବି ଦୁଷ୍ଟ ଓର୍ନିଟାରୁ ଫାଳେ ଉଡ଼ିଯାଇ ସାବତ ବାବୁଙ୍କ ମୁହଁକୁ ଢଙ୍କେଇ ପକାଇବାରୁ ଶର୍ମିଷ୍ଠା ଲାଜେଇ ଯାଇ ଦାନ୍ତରେ ଓଠ କାମୁଡ଼ି ହୋଇ ବସ୍ତ୍ର ସାଉଁଟି ଥିଲେ। ଭାବାବେଗ ଗମ୍ଭିର ହେଉଥିଲା। ଭୁବନେଶ୍ଵରରୁ ବାଲେଶ୍ଵର ଏହି ଲମ୍ବା ଯାତ୍ରା ସେମାନଙ୍କ ମନରେ ପ୍ରେମାନୁରାଗ ଲେପନ କରୁଥିଲା।
ଏତିକିରୁ ଆପତତଃ ଏକଥା ସ୍ପଷ୍ଟ ହୋଇଥିଲା ଯେ, ସାବତ ବାବୁ ନୂଆ କରି ଭଦ୍ରକରେ ନୂତନ କର୍ମସଂସ୍ଥାନରେ ଯୋଗ ଦେବାକୁ ଯାଉଥିବା ବେଳେ ଶର୍ମିଷ୍ଠା ଦେବୀ ପୂର୍ବରୁ ଭଦ୍ରକରେ ଅନ୍ୟ ଏକ କର୍ମସଂସ୍ଥାନରେ ଚାକିରି କରି ଆସୁଛନ୍ତି। ମାତ୍ର ଉଭୟଙ୍କ ଘର ବାଲେଶ୍ବର ସହରରେ ଓ ଉଭୟଙ୍କୁ ଏବେ ଭଦ୍ରକରୁ ବାଲେଶ୍ବର ବସରେ ଯିବା ଆସିବା କରି ଚାକିରୀ ତୁଲାଇବାକୁ ହେବ। ଏ ପ୍ରକାର ସୁଯୋଗ ଓ ଅବସର ଯାହା ଭାଗ୍ୟରେ ଜୁଟିବ ତାଙ୍କ ପ୍ରେମ ତରୀ ଆଗକୁ ଧାବମାନ ହେବ ନାହିଁ ତ ଆଉ କାହାର ହେବ କହୁ ନାହାନ୍ତି?
ସେୟା ହିଁ ହେଲା। ଏହାପରେ ଉଭୟ ସାଥି ହୋଇ ବାଲେଶ୍ଵରରୁ ଆସନ୍ତି ଓ ସାଥୀ ହୋଇ ଅଫିସ ସାରି ପୁଣି ବାଲେଶ୍ଵର ଫେରନ୍ତି। ଯିଏ ଆଗରେ ବସ ଷ୍ଟପ୍ ଧରେ ସେ ଆଉ ଜଣଙ୍କ ପାଇଁ ଆସ୍ଥାନଟିଏ ମାଡ଼ିବସେ। ଏହିପରି ଉଭୟଙ୍କର ବସ ଯାତ୍ରାର ଜୟଗାନ ହେଉଥାଏ ଓ ପ୍ରେମ ସମ୍ପର୍କ ବଢ଼ୁଥାଏ। କେବେକେବେ ବସରୁ ଓହ୍ଲାଇ ଗୁପ୍ ଚୁପ୍ ଓ ଦହିବାର ଖିଆହୁଏ ଏବଂ ଠେଲାଗାଡ଼ି ସାମ୍ନାରେ ଛିଡା ହୋଇ ଘଣ୍ଟାଘଣ୍ଟା ଗପସପ ଓ ମଜାମସ୍ତି ମଧ୍ଯ ହୁଏ। ହସର ଜୁଆର ଛୁଟେ, ଜୀବନ ଆଗକୁ ବଢ଼େ। ଘଟଣା ଆଗକୁ ବଢ଼ିବାରୁ କଥାଟା ଘର ଲୋକଙ୍କ କାନକୁ ଧୀରେ ଧୀରେ ଗଲାଣି। ତଥାପି ସମ୍ପର୍କର ସ୍ପଷ୍ଟ ସ୍ଵରୂପ ଘର ଲୋକଙ୍କୁ ବଖାଣିବାକୁ କେହି ମନସ୍ଥ କରି ନାହାନ୍ତି। ଦେଖାଯାଉ ଘଟଣାର ମୋଡ଼ କେଉଁ ରୂପ ନେଉଛି, ଦେଖିବାକୁ ବାକି ରହିଲା।
ଏବେ ସାବତ ବାବୁଙ୍କ ପାଇଁ ବିବାହ ଘର ପ୍ରସ୍ତାବର ଲାଇନ୍ ଲାଗିଥିବାରୁ ସେ ଘଟଣାଟିକୁ ଘର ଲୋକଙ୍କୁ ଖୋଲି କହିବାକୁ ଚାହୁଁଛନ୍ତି। କାରଣ ତାଙ୍କ ସାଙ୍ଗ ମୁକୁନ୍ଦ ମଧ୍ଯ ଜଣଙ୍କୁ ଭଲ ପାଉଥିଲେ। ହେଲେ ଏ କଥା ଘର ଲୋକଙ୍କୁ କହିବା ପୂର୍ବରୁ ତାଙ୍କର ଅନ୍ୟତ୍ର ବାହାଘର ହୋଇଗଲା। ତାଙ୍କ ପତ୍ନୀ ପରେ ଅନ୍ୟ ମାନଙ୍କ ପାଖରୁ ଶୁଣି ଏ କଥା ଯେତେବେଳେ ଜାଣିପାରିଲେ, ଏହାକୁ ନେଇ ଅନେକ ଝଗଡ଼ା ଝାଣ୍ଟି ହେଲା। ସେହି କଳହ ଏଯାଏ ଚାଲିଛି ଯେ ଚାଲିଛି କାହିଁ ଥମୁ ନାହିଁ। ତାଙ୍କ ବୈବାହିକ ଜୀବନରେ ଏବେ ଯେଉଁ ଝଡ଼ ସ୍ରୁଷ୍ଟି ହୋଇଛି ତାହା ଆଉ ସବୁଦିନ ପାଇଁ ତାଙ୍କର ସୁଖର ସଂସାରକୁ ଉଡେଇ ନେବ ନାହିଁ ତ। ଏପରି ତ କିଛି ଘଟୁଛି। କଥା ପରା ଛାଡ଼ପତ୍ର ଯାଏ ଗଲାଣି ।ତେଣୁ ମୁକୁନ୍ଦ ବାବୁଙ୍କ ପରିସ୍ଥିତି ତାଙ୍କ କ୍ଷେତ୍ରରେ ନ ଘଟୁ ବୋଲି ସାବତ ବାବୁ ଚାହାନ୍ତି। ଏଥିପାଇଁ ତାଙ୍କୁ କି ପ୍ରକାର ନିଷ୍ପତ୍ତି ନେବାକୁ ହେବ ବୋଲି ସେ ସାଥି ସହକର୍ମୀଙ୍କ ପରମର୍ଶ ସେଦିନ ଲୋଡ଼ିଥିଲେ।
ଆମ ଅଫିସରେ ଆଉ ଜଣେ ମୋଟାପା ବାବୁ ଥାଛନ୍ତି। ଆମେ ତାଙ୍କୁ ରାଣା ସାହେବ ବୋଲି ଡାକୁ। ସେ ଏତେବେଳଯାଏ ସବୁକଥା ଧୀରସ୍ଥିର ହୋଇ ଶୁଣୁଥିଲେ। ହଠାତ୍ ନୀରବତା ଭଙ୍ଗ କରି କହିଲେ – “ବୁଝିଲେ ନା ସୁପରିଣ୍ଟେଣ୍ଡେଣ୍ଟ ବାବୁ! Arrange marriage ହେଉ ବା ଲଭ୍ marriage ଦୁଇଟା ଯାକ ଭଲ, ହେଲେ ମଝି ମଝିଆଟା ଭାରି ଖରାପ”। ମୁଁ କହିଲି _-“ମଝି ମଝିଆ କଣ କି ହୋ” ! ସେ ବକ୍ତବ୍ୟ ଆରମ୍ଭ କଲେ…
କହିଲେ ବିବାହ ଏକ ବୈବାହିକ ବନ୍ଧନ ଓ ସମାଜର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ । ପୁରୁଷ ଓ ନାରୀଙ୍କୁ ନେଇ ସଂସାରର ଅସୁମାରି ଲୀଳାଖେଳା ହୁଏ , ଯାହା ଜଣକୁ ବାଦ ଦେଇ ଅସମ୍ଭବ ପ୍ରତୀତ ହୁଏ । ସ୍ଵାମୀସ୍ତ୍ରୀର ସମ୍ପର୍କ ଘଟସୂତ୍ରଙ୍କର ଏକ ନିଆରା ଭାବଧାରା ।ସତରେ ମଣିଷ ଭଗବାନଙ୍କର ଅନ୍ୟତମ ସ୍ରୁଷ୍ଟି ଯାହାର ଜୀବନ ନାନା ବୈଚିତ୍ର୍ୟ ଓ ରହସ୍ୟରେ ପରିପୂର୍ଣ୍ଣ। ଏହି ରହସ୍ୟମୟ ଦୁନିଆରେ ପ୍ରାୟତଃ ସମସ୍ତଙ୍କୁ ଦିନେ ନା ଦିନେ ବିବାହ କରିବାକୁ ପଡ଼ିଥାଏ ଓ ଜୀବନ ସାଥି ଚୟନ ମଧ୍ଯ । ତାହା ତେଣିକି ବାପାମାଆ ଓ ପରିଜନ ବର୍ଗଙ୍କ ଦ୍ଵାରା ହେଉ ବା ନିଜ ଦ୍ୱାରା, କିନ୍ତୁ ଜୀବନସାଥି ଚୟନ ନିଶ୍ଚୟ। ଏତେବେଳେ ଭଲମନ୍ଦ ବହୁ କଥା ଭାବିବାକୁ ହୁଏ। କିନ୍ତୁ ଥରେ ଚୟନ ପ୍ରକ୍ରିୟା ସରିଗଲେ ସେଇ ସାଥୀକୁ ନେଇ ଜୀବନ କାଟିବାକୁ ପଡ଼େ ଓ ଜୀବନ ସାରା ସାଥି ହୋଇ ରହିବାକୁ ହୁଏ। ଅନ୍ୟଥା ନାନା ବ୍ୟତିକ୍ରମ ଓ ଜୀବନ ନାଟକ ଅସହଜ ହୋଇ ଯାଏ।
କଥା ହେଉଛି କଣ କି ଯିଏ ଯାହାକୁ ଭଲ ଲାଗିଲା, ସେ ତାକୁ କିଆ ଫୁଲ ପରି ବାସିଲା। ତହୁଁ ପ୍ରେମ ଉପୁଜାତ ହୁଏ ଓ ଧିରେ ଧିରେ ପ୍ରେମ ସମ୍ପର୍କ ବଢିବାକୁ ଲାଗେ।ପ୍ରେମ ରାସ୍ତା ଏତେଟା ସହଜ ନୁହେଁ। ଏଥିରେ ଜୁଆର ଓ ଭଟ୍ଟା ପରି ଅନେକ ଉତ୍ଥାନ ଓ ପତ୍ତନ ରହିଛି। କେତେ ପଙ୍କିଳ ଓ କଙ୍କର ରାସ୍ତା ଦେଇ ତାଙ୍କୁ ଗତି କରିବାକୁ ହୁଏ। ବେଳେବେଳେ ଅଶ୍ରୁ, ଅନୁଶୋଚନା ଓ ମନୋମାଳିନ୍ୟ। ପୁଣି କ୍ଷଣକେ ହସର ଜୁଆର ଛୁଟେ, ସବୁ ଠିକ୍ଠାକ୍ ଚାଲେ ।ତେବେ ପ୍ରେମର ସାର୍ଥକତା ଅସଲରେ ବିବାହରେ। କିନ୍ତୁ ଅନେକ ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମ କରୁଥିଲେ ହେଁ ବିବାହ କରି ପାରନ୍ତି ନାହିଁ। ପରିସ୍ଥିତି ଓ ପରିବେଶ ସବୁକିଛି ବିଗାଡ଼ିକି ରଖି ଦେଇଥାଏ।
ତେଣୁ ମୁକୁନ୍ଦ ବାବୁଙ୍କ ପରି ଦୁର୍ଦଶା ସମସ୍ତଙ୍କ ଭାଗ୍ୟରେ ନ ଜୁଟୁ। ନିଜର ପ୍ରେମ ସମ୍ପର୍କକୁ ଅନ୍ୟ ଆଗେ ଖୋଲି କହିବାରେ ଏତେଟା ସଙ୍କୋଚବୋଧ କାହିଁକି? ଯଦି ନିଜର ବିବାହ ପୂର୍ବରୁ ନିଜ ପ୍ରେମ ସମ୍ପର୍କ କଥା ମୁକୁନ୍ଦ ବାବୁ ଅନ୍ୟ ଆଗେ ପ୍ରକାଶ କରିଥାନ୍ତେ ତେବେ ତାଙ୍କ ପ୍ରେମ କଣ ନିରର୍ଥକରେ ଯାଇଥାନ୍ତା ନା ଜୀବନ ବ୍ୟାପି ସେ ପାରିବାରିକ କଳହର ସ୍ୱୀକାର ହୋଇ ଏମିତି ହନ୍ତସନ୍ତ ହେଉଥାନ୍ତେ। ବାସ୍ତବରେ ସ୍ପଷ୍ଟତା ହିଁ ପ୍ରେମର ପ୍ରଧାନ ବୈଶିଷ୍ଟ୍ୟ।
By Satya Prakash Sethy

Related posts

ମୁଖବନ୍ଧ… ଅବଧୂତ

satya

ଫଟୋଗ୍ରାଫି ଦିବସ

satya

ଭି. ଜେ. ଡେ

satya

Leave a Comment

Login

X

Register