ହେତୁ ଓ ସେତୁ
—by ସତ୍ୟ ପ୍ରକାଶ ସେଠୀ
ବହୁଦିନ ପରେ ପାଞ୍ଚ ଖଣ୍ଡି ଗାଁ ରୁ ପଚିଶ ଭଦ୍ରଲୋକ ଏକାଠି ହେଲେ, ଗୋଟେ ନ୍ୟାୟ ଦରବାର ବସିଲା। ସରପଞ୍ଚ ବାବୁଙ୍କ ଇଜିଲାସରେ ଏହି ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେଲା। ଅନେକ ଆଡୁ ଅନେକ ଭଦ୍ରଲୋକଙ୍କର ସମାଗମ।ସମସ୍ତଙ୍କର ଭିନ୍ନ୍ ଭିନ୍ନ୍ ମତପୋଷଣ। ଆରମ୍ଭ ହେଲା ଶୁଣାଣୀ। ପ୍ରଥମେ ଉଭୟ ପକ୍ଷଙ୍କୁ ସେମାନଙ୍କର ମତ ରଖିବାର ସୁଯୋଗ ମିଳିଲା। ପ୍ରତ୍ୟେକ ପରସ୍ପର ବିରୁଦ୍ଧରେ ବିଷୋଦଗାର କରୁଥାନ୍ତି ।
ପ୍ରଥମପକ୍ଷ, ଯିଏକି ବେଶୀ ପରିମାଣରେ ପୀଡିତା ବୋଲି ଅନେକ ପ୍ରକୋଷ୍ଠରେ ଭିନ୍ନ୍ ଭିନ୍ନ୍ ଅଭିଯୋଗ ଫର୍ଦ୍ଦ ଦାଖଲ କରି ଆସୁଛନ୍ତି। ତାଙ୍କର ଅଭିଯୋଗ ହେଲା – ସେ ଗୋଟେ ହତଭାଗିନୀଟିଏ। ପିଲାଟି ଦିନରୁ ଦୁର୍ଭାଗ୍ୟର ଶିକାର ହୋଇଆସୁଛି। ଛୋଟ ହୋଇଥିଲା ବେଳେ ବାପା ବୋଉ ଚାଲି ଗଲେ, ମାମୁଁ ମାଇଁ ଘରେ ଜୀବନ କଟିଲା। ଲାଳନ ପୋଷଣ ପାଇଁ ମାମୁଁ ଓ ମାଇଁର ଛତ୍ରଛାୟା ତଳେ ଆଶ୍ରୟ ନେଲା। ସେଇମାନେ ହେଲେ ସେତେବେଳେ ଏକମାତ୍ର ତ୍ରାଣକର୍ତ୍ତା ଓ ପ୍ରାଣକର୍ତ୍ତା। ହେଲେ ମାଇଁ ଆଦୌ ସାନ ପିଲାଟିକୁ ସହି ପାରନ୍ତି ନାହିଁ। ଗୁଣ୍ଡେ ଦେଇ ଖୁନ୍ଦେ ମାରନ୍ତି। ଖାଇବା ପିଇବା କଥା ଛାଡ଼ନ୍ତୁ, ଫଟା କପଡା ଉପରେ ଛିଣ୍ଡା ଗାମୁଛାଟେ ଗୁଡେଇ ହୋଇ ନିଜ ଇଜ୍ଜତ୍ ଓ ମହତକୁ ଢାଙ୍କି ରଖିବାକୁ ହୁଏ। ସେତିକିରେ ମାଇଁର ମନ ବୁଝିଲା ନାହିଁ ଯେ, ମୋତେ ମାତ୍ର ପନ୍ଦର ଷୋହଳ ବର୍ଷ ହୋଇଥିଲା କି ନାହିଁ ଗୋଟେ ବୁଢ଼ା ବର ମାନେ ପଇଁତିରିଶ /ଚାଳିଶି ବର୍ଷର ବର ସହିତ ମୋର ବାହାଘର କରିଦେଲେ। ଏଇ ମରଦଟା ସୁଦ ମଦୁଆ। ପ୍ରତ୍ୟେକ ଦିନ ମାଲ୍ ପିଇ ଆସି ମୋତେ ବାଡ଼ିଆ ବାଡ଼ି କରେ। ପାଠ ସାଠ ଦୁଇ ଅକ୍ଷର ପଢ଼ିଥିଲେ କ’ଣ ହେବ, ଚାକିରି ବାକିରି ଖଣ୍ଡେ ତା’ର ନାହିଁ। ପୂରା ଅଳସୁଆ। ଘରେ ଖାଲି ବସି ରହିବ। ତେଣୁ ଛୁଆ ପିଲା ଅଧା ବେଳେ ଉପବାସ।ଭଗବାନଙ୍କ ଇଚ୍ଛାରୁ ପାଠସାଠ ଟିକିଏ ପଢିଥିଲି କୁହନ୍ତୁ। ତେଣୁ ମୁଁ ଅଙ୍ଗନୱାଡି ଚାକିରି ଖଣ୍ଡେ ଆହୁରି କଲାଠୁଁ ଘର ଚଳୁଥିଲା। ହେଲେ ମୁଁ କୁଆଡେ ଫୋନ୍ କଲେ ୟା ଛାତି ଫାଟିଯାଏ। ସେଇ ଫୋନ୍ କୁ କେନ୍ଦ୍ର କରି ବାର ଖୁଣ୍ଟା ଦେବ। କୋଉ ଟୋକା ସହ ତୋର ସମ୍ପର୍କ ଅଛି, ଏତେ ଫୋନ୍ କାହାକୁ କରୁଛୁ କହି ନିସ୍ତୁକ ବାଡେଇବ। ମାଡଗାଳି ଖାଇ ୟା ପାଖରେ ମଣିଷ କେତେ ଦିନ ରହିବ ଯେ! ଦିନେ ପିଟିକି ଖଣ୍ଡିଆ ଖାବଡା କରିଦେଲା ଯେ, ମୁଁ ଆସି ସ୍କୁଲ ପାଖରେ ଭଡ଼ାଘରେ ରହୁଛି। ଘରେ ତ ବାପଭାଇ ବୋଲି କେହି ସାହାରା ନାହାନ୍ତି। ଏପଟେ ଏ ଲୋକଟା ପିଲା ଛୁଆଙ୍କୁ ମୋ ପାଖକୁ ଛାଡୁ ନାହିଁ।ଓଲଟା ଛୁଆଙ୍କୁ ଶିଖାଉଛି ମାଆ ଡାହାଣୀ ତା ପାଖକୁ ଯିବ ନାହିଁ, ସେ ଗୁଣୀ ଗାରେଡ଼ି କରିଦେବ, ଖାଇବାରେ ବିଶ ମିଶାଇ ଦେବ ଇତ୍ୟାଦି କେତେ କଥା। ଏ ଲୋକଟା ମନରେ ବିଶ ରଖିଛି, ବିଶ। ତେଣୁ ବାଧ୍ୟ ହୋଇ କେସ୍ କରିଛି। ସେ ମୋତେ ଘର ମଳେ ରହିବାକୁ ଦେଉ ଓ ମୋ ପିଲାମାନଙ୍କୁ ମୋ ପାଖକୁ ଛାଡୁ। ହେଲେ ଏ ମରଦଟା ସହ ମୁଁ ଆଉ ରହି ପାରିବି ନାହିଁ। କାରଣ ସେ ନିଶା ପାଣି ଛାଡି ପାରିବ ନାହିଁ କି ବାଡ଼ିଆ ପିଟା। ପୁଣି ବଡ଼ ସନ୍ଦେହୀ ଲୋକଟା।
ଏଥର ପାଳି ଦ୍ଵିତୀୟ ପକ୍ଷର। ଦ୍ଵିତୀୟ ପକ୍ଷ ରାମନାଥ କହିଲେ – ମୋର ବୟସ ପଇଁତିରିଶ ନୂହେଁ ଆଜ୍ଞା ମାତ୍ର ଅଠେଇଶି ବର୍ଷ ବେଳେ ମୁଁ ତାକୁ ବିବାହ ହୋଇଥିଲି।ଏବେ ଅବଶ୍ଯ ଟିକିଏ ବୟସ ହୋଇ ଗଲାଣି। ମୁଁ ଗଞ୍ଜା କି ମଦ ପିଏ ନାହିଁ। ହଁ ଏ କଥା ସତ, ବେକାରୀ ଜୀବନର ବୋଝ ଉଠେଇ ନପାରି ମାନସିକ ଚାପ ଯୋଗୁଁ ବିଡି ଖଣ୍ଡେ ଖଣ୍ଡେ ଟାଣେ। ମୁଁ ସିନା କୌଣସି ସରକାରୀ ଚାକିରି ଖଣ୍ଡେ କରିବାକୁ ସକ୍ଷମ ହେଲି ନାହିଁ, ହେଲେ ଗୋଟେ ମେଡିସିନ ଷ୍ଟୋରରେ କାମ କରି ଏବେ ମାସକୁ ଛଅ/ସାତ ହଜାର ଟଙ୍କା ରୋଜଗାର କରୁଛି। ପୂରା ସଂସାର ଚଳେଇ ନପାରିଲେ ବି କିଛିଟା ତ ସାହାଯ୍ଯ କରୁଛି। ମୁଁ ତାକୁ ସବୁବେଳେ ବାଡେଇବା କଥା ମିଛ। ଅବଶ୍ଯ ରାଗରେ ଗାଳି ଗୁଲଜ କରେ। ହେଲେ ସେ ଦିନେ ମସୁରୀ ବାଡିରେ ମୋତେ ପିଟିଲା। ତେଣୁ ମରଦ ପୁଅ ଭାବେ କେମିତି ସହିଥାନ୍ତି? ସେଇ ମସୁରୀ ବାଡ଼ି ତା ହାତରୁ ଛଡ଼େଇ ଦିଟା ଥୋଇଲି। ହେଲେ ଆଜ୍ଞା! ସେ ସ୍ତ୍ରୀ ଲୋକଟା ହୋଇ ମୋତେ ଆଗ ପିଟିବାଟା କ’ଣ ଠିକ୍ ହୋଇଛି? ଏମିତି ରାଗ ରୁଗାରେ କେହି କ’ଣ କାହାକୁ କିଛି କହୁ ନାହାନ୍ତି? ଦେଖୁ ନାହାନ୍ତି, ମୁଁ କେତେ ସମ୍ଭ୍ରମ ରକ୍ଷା କରି କଥା କହୁଛି, ହେଲେ ସେ କେମିତି ମୋତେ ତୁ ତା କରି ହୀନ କଥା କହୁଛନ୍ତି । ମୋ ମର୍ଯ୍ୟାଦାର ଖିଆଲ କେବେ ସେ ରଖନ୍ତି ନାହିଁ। ସବୁବେଳେ ଫୋନରେ କଥା ହେଉଥିବେ। ତେଣୁ ଛୁଆ ପିଲାଙ୍କର ଯତ୍ନ ନିଅନ୍ତି ନାହିଁ। ତେଣୁ ମୁଁ ତାଙ୍କ ସହ ଆଉ ସଂସାର କରି ପାରିବି ନାହିଁ। ଆମେ ଅଲଗା ହୋଇଯିବା ବରଂ ଭଲ।
ଏମାନଙ୍କର ଏହି ତୁ – ତୁ, ମେଁ – ମେଁ ଓ ତକା ତକିରେ ଭଦ୍ରଲୋକମାନେ କୌଣସି ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଁଚି ପାରୁ ନଥାନ୍ତି କି ଗୋଟାଏ କିଛି ନିଷ୍କର୍ଷ ବାହାରି ପାରୁ ନଥାଏ।ଆପାତତଃ ଗୋଟେ କଥା ସ୍ପଷ୍ଟ ଯେ, ଏମାନଙ୍କର ମନୋମାଳିନ୍ୟ ଓ ସମସ୍ୟାର ହେତୁ ଅନେକ, ଯାହା ସେମାନଙ୍କ ମଧ୍ୟରେ ଦୂରତ୍ୱ ସ୍ରୁଷ୍ଟି କରିବା ପାଇଁ ଯଥେଷ୍ଟ।
ଅନ୍ୟ ପଟରେ ସେହି ସଭାସ୍ଥଳରେ ବସି ରହି ରିମୁ, ଛଅ ବର୍ଷର ଶିଶୁ ସନ୍ତାନଟିଏ ବେଳେବେଳେ ମାଆ ଉପରେ ଓଜାଡି ହୋଇ ପଡୁଥାଏ ଓ ମାଆ ରମା ତା ମୁଣ୍ଡ ଉପରେ ନିଜ କୋମଳ ଗାଲକୁ ଲଦି ଦେଇ ହାତରେ ତା ମୁଣ୍ଡ ବାଳକୁ ସାଉଁଳି ଦେଉଥାଏ ।ଭଦ୍ରଲୋକମାନେ ସବୁ ଲକ୍ଷ୍ୟ କରୁଥାନ୍ତି।
ଜଣକୁ ବୁଝେଇଲା ବେଳକୁ ଆଉ ଜଣେ ତା ଉପରେ କୁଦି ପଡୁଥାଏ। ଏହିଭଳି ଆରୋପ ଓ ପ୍ରତ୍ଯାରୋପ ବେଶ୍ ଉଭୟଙ୍କ ଭିତରେ ଶେଷ ଯାଏଁ ଚାଲିଥାଏ। ନିଜେ ନିଜର ଓକିଲ ହୋଇ ଜେରା, ତର୍କ ଓ ବିତର୍କ ସବୁ କରୁଥାନ୍ତି। ଭଦ୍ରଲୋକମାନେ ଯେଉଁମାନେ କି ଆଜିକା ବିଚାରରେ ଜଜସାହେବ ହୋଇଥାନ୍ତି, ସେମାନେ କେତେବେଳେ ବା କେମିତି ସରକାରୀ ଓକିଲ ହୋଇ କ୍ରସ୍ ଏକଜାମିନେସନ ଟିକେ କରୁଥାନ୍ତି, ନୋହିଲେ ପଦୁଟିଏ ପଚାରୁଥାନ୍ତି ।ଚାଲିଥାଏ ସତ୍ୟ ଉନ୍ମୋଚନ ଓ ସମ୍ପର୍କର ଦୁରିଆ ସ୍ରୁଷ୍ଟିର ପ୍ରକୃଷ୍ଟ ହେତୁ ନିର୍ଦ୍ଧାରଣ ପ୍ରକ୍ରିୟା । ଉଭୟ ପକ୍ଷଙ୍କ ପାଇଁ ସାକ୍ଷ୍ୟ ଦେଉଥାନ୍ତି କିଛି ଗ୍ରାମବାସୀ ଓ ଉଭୟଙ୍କର ହିତୈଷୀ ବନ୍ଧୁଗଣ। ଏଣିକି ଚୂଡାନ୍ତ ପର୍ବ।
ଘଟଣାରୁ ଯାହା ସ୍ପଷ୍ଟ ହେଲା, ତାହା ହେଉଛି ଉଭୟ ଉଭୟଙ୍କୁ ଦୋଷାରୋପ କରୁଥିଲେ ହେଁ କେହି ସତ କଥା କହୁ ନାହାନ୍ତି ବା ପୁନଃ ମିଳନ ପାଇଁ ବାଟ ଫିଟାଉ ନଥାନ୍ତି, ଯଦିଚ ଘଟଣାରେ ଘାଣ୍ଟି ହୋଇ ଉଭୟ ହନ୍ତସନ୍ତ ହେଉଥାନ୍ତି। ଏପଟେ ପାଟି କଥା କହୁଥିଲେ ହେଁ, ସେପଟେ ପାଦ ସନ୍ନିପାତ ହେଲାଣି। ନିଜ ସମସ୍ୟା ନିଜେ ସମାଧାନ କରି ନପାରିବାରୁ ଉଭୟ ତ ନାକେଦମ୍ ନିଶ୍ଚୟ । ବାହ୍ୟ ଘମଣ୍ଡ ଓ ଫୁଟାଣି ଟିପ୍ପଣୀ କିନ୍ତୁ ଭାରି ବଡ଼-ଏମାନଙ୍କର । ମୁହଁ ଟାଣପଣ କେହି ଛାଡୁ ନଥାନ୍ତି, ତେଣିକି ମନ ଯାହା କହିଥାଉ ନା କାହିଁକି। ଉଭୟଙ୍କ ବିବାଦର ହେତୁ ଅସ୍ପଷ୍ଟ ହେଲେ ହେଁ ଆପାତତଃ କଥାଟା ତ ବୁଝା ପଡୁଥାଏ । ତେବେ ଯାହା ହେଉନା କାହିଁକି, ଏହିଭଳି ଅକ୍ଳେଶରେ ଏମାନଙ୍କ ସମ୍ପର୍କର ତାର ଛିଡ଼ିଗଲେ, କ’ଣ ହେବ ପିଲାମାନଙ୍କର ଭବିଷ୍ୟତ, ଯାହାଙ୍କର ଜନକ ଜନନୀ ସାଜିଛନ୍ତି ଏଇ ଦୁଇଜଣ ? ସେମାନଙ୍କୁ ସେମାନଙ୍କ ସୁନ୍ଦର ଭବିଷ୍ୟତ ଏମାନେ ଦେଇ ପାରିବେ ତ , ଯିଏ ସେମାନଙ୍କ ପ୍ରେମର ସନ୍ତକ ହୋଇ ଛିଡ଼ା ହୋଇଛନ୍ତି ?
ଉପସ୍ଥିତ ପିଲାଟିକୁ ପଚାରିଲାରୁ, ସେ କହିଲା – “ମୋର ବାପା ଦରକାର ଆଉ ମାଆ ବି। ମୁଁ ଦୁଇ ଜଣଙ୍କ ପାଖରେ ରହିବି”। ଭଦ୍ରଲୋକମାନେ କହିଲେ – “ଦେଖିବା ବାବା! ତୁମେ ବାପା ମାଆଙ୍କ ପାଖରେ କେମିତି ରହିବ”।
ରିମୁ ଦୌଡ଼ି ଗଲା, ବାପାଙ୍କୁ ସଭା ମଝି ଭାଗକୁ ଭିଡ଼ି ନେଲା। ପୁଣି ମାଆଙ୍କୁ ମଧ୍ୟ ସେଇଟିକୁ ଟାଣି ନେଲା। ସେ ୟା ମୁହଁକୁ ଓ ତା ମୁହଁକୁ ଥରେ ଦୁଇ ଥର ଚାହିଁଲା। ଶେଷରେ ବାପାର ହାତ ଉପରେ ମାଅର ହାତଟାକୁ ପକାଇ ଦେଇ ମାଆ ବାପାକୁ କୁଣ୍ଢାଇ ଧରି କାନ୍ଦିଲା।ହାତ ଦୁଇଟା ଛନ୍ଦାଛନ୍ଦି ହୋଇଥିଲେ ହେଁ ଉଭୟଙ୍କ ମୁହଁ ଥିଲା ଦୁଇ ବିପରୀତାଭିମୁଖୀ, ତଥାପି ତ ଆଶାର କିରଣ ଉଦ୍ଗୀରଣ ହେଉଥିଲା ।
ସା – ରାଣୀପଡା, ପୋ :ତରାଗୋ
ଜିଲ୍ଲା :ଭଦ୍ରକ, ଓଡିଶା
ଲିଖନ କାଳ:26.11.19.
previous post