କବି ସତ୍ୟ ପ୍ରକାଶ ଜଣେ ଭିନ୍ନ ମଣିଷ। ସେ ଏକାଧାରରେ ଜଣେ ଆଦର୍ଶ ସଂଗଠକ, ସମାଜସେବୀ, କବି, ଗାଳ୍ପିକ, ପ୍ରାବନ୍ଧିକ, ଗବେଷକ, ଆତ୍ମ ଜୀବନୀ ଓ ଜୀବନୀ ଚରିତକାର, ସ୍ନେହୀ, ପରୋପକାରୀ,ଅନୁଷ୍ଠାନପ୍ରାଣା ଓ ସଂକୃତିପ୍ରେମୀ, ସମୟାନୁବର୍ତ୍ତି କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ, ବହୁଭାଷୀ, ଅଭିନେତା, ନାଟ୍ୟକାର, ସଙ୍ଗୀତଜ୍ଞ,ପିତୃମାତୃପ୍ରିୟ, ସନ୍ତାନ ବତ୍ସଳ ତଥା ଉଦାରବାଦୀ ମଣିଷ। ଭଦ୍ରକ ଜିଲ୍ଲାସ୍ଥ ଭଣ୍ଡାରିପୋଖରୀ ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ 1968 ମସିହା ଜାନୁଆରୀ 31 ତାରିଖରେ ଏକ ବ୍ରାହ୍ମ୍ ମୁହୂର୍ତ୍ତରେ ତାଙ୍କର ଜନ୍ମ। ପିତା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପୁରୁଷୋତ୍ତମ ସେଠୀ ଓ ମାତା ଲକ୍ଷ୍ମୀପ୍ରିୟା ସେଠୀ।ଏହି ଅନନ୍ୟ ପ୍ରାତିଭା ନିକଟରେ ରହିଛି ଅନେକ ଗୁଣ। ସାହିତ୍ୟକୁ ଭଲ ପାଇବା ଓ ଭାଷାକୁ ସମ୍ମାନ ଦେବା ତାଙ୍କ ଜୀବନର ବ୍ରତ।
ପତ୍ର ପତ୍ରିକା ଅଧ୍ୟୟନ, ସମାଜସେବା, ଗଳ୍ପ, ପ୍ରବନ୍ଧ, କବିତା ଲିଖନ, ବାଡ଼ି ବଗିଚାରେ ବୃକ୍ଷ ରୋପଣ, ଅସହାୟକୁ ସହାୟ ହିଁ ତାଙ୍କ ଜୀବନର ରୁଚି। ମାନବ ସେବା ହିଁ ମାଧବ ସେବା ତାଙ୍କର ଲକ୍ଷ୍ୟ। ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ସାରସ୍ଵତ ଅନୁଷ୍ଠାନରୁ ସେ ପାଇଛନ୍ତି ଅନେକ ସ୍ୱୀକୃତି ଓ ସମ୍ମାନ।”ଆତ୍ମା ଯେଉଁଠି କଥା କହେ”, “ଗାଁରୁ ଫେରିଛି ଗାଁ ହଜିଛି”, “ନୀଳ ଗଗନର ପଥିକ “, “ଫୁସିଆ ମାଆ “, “Capsule Course of English Grammar “, ତାଙ୍କ ରଚିତ ପୁସ୍ତକ ପ୍ରକାଶ ପାଇ ପାଠକୀୟ ମହଲରେ ବହୁ ଆଦୃତି ଲାଭ କରିଛି।ମାନବବାଦର ସେ ପ୍ରବକ୍ତା।
“ଶତ ପତ୍ନୀକ” ତାଙ୍କର ଅନନ୍ୟ କୃତି। ଏଥିରେ ପ୍ରେମର ଉଚ୍ଛ୍ୱଳ ଜଲଧି ତରଙ୍ଗ କଳକଳ ନାଦରେ ଯେପରି ପ୍ରବାହିତ ସେହିପରି ଆଧ୍ୟତ୍ମିକ ଚିତ୍ତବୃତ୍ତିର ଉତ୍ତରଣ ନିମନ୍ତେ ଧର୍ମ, ଦର୍ଶନ ଓ ହେତୁ ଉପଦେଶ ପ୍ରକାଶ ପାଇଛି।ବିଭିନ୍ନ୍ ବ୍ୟକ୍ତି ଚରିତ୍ରର ବିଶ୍ଳେଷଣ ଓ ଅବତାରଣରୁ ତାଙ୍କର ସାମାଜିକ ଅନୁଶୀଳନ ଓ ସୂକ୍ଷ୍ମ ଅନୁଧ୍ୟାନ କଳାର ଗଭୀର ପରିଚୟ ମିଳିଥାଏ।ଭିନ୍ନ ଭିନ୍ନ ପ୍ରସଙ୍ଗକୁ ଭିନ୍ନ୍ ଢଙ୍ଗରେ ଉତ୍ଥାପନ କରି ସେ ସ୍ଵୀୟ ଜ୍ଞାନ ଓ ପାଣ୍ଡିତ୍ୟପୂର୍ଣ୍ଣ ବ୍ୟକ୍ତିତ୍ଵର ପରିଚୟ ସୃଷ୍ଟି କରି ପାରିଛନ୍ତି। ଗଳ୍ପ ଗୁଡ଼ିକରେ ବାର୍ତ୍ତା ବହନ କ୍ଷମତା ଅଧିକ ରହିଛି । ଏଥିରେ ପାଠକୀୟ ଆବେଦନ ମଧ୍ଯ ରକ୍ଷା ହୋଇପରିଛି।ଯାହା ପ୍ରତ୍ୟେକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପାଠକ ପାଠିକା ପାଇଁ ଏକ ଉପାଦେୟ ପୁସ୍ତକ। ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରୁ, ଶ୍ରୀଯୁକ୍ତ ସେଠୀ ଆହୁରି ଅନେକ ପୁସ୍ତକ ରଚନା କରି ଓଡ଼ିଆ ଭାଷାକୁ ସମୃଦ୍ଧ କରନ୍ତୁ, ଏହାହିଁ ପ୍ରଭୂ ମଂଗଳମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
-ପ୍ରକାଶକ
ଉତ୍ସର୍ଗ
ପତ୍ନୀ ପ୍ରିୟମ୍ବଦା ମୋର ଭାରି ପ୍ରିୟ, ଯାହଙ୍କ ପ୍ରେରଣା ମୋ କବିତା ଲେଖାରେ ସହାୟ। ନା ମୋ ପାଠରେ ନା ମୋ ଲେଖାରେ ନଥାଉ ପଛକେ ତାଙ୍କର ଆଗ୍ରହ, ତଥାପି ହୁଅନ୍ତିନି କେବେ ସେ ମୋ ଲେଖାଲେଖିରେ ବାଧକ। ସତ କହିବାକୁ ଗଲେ ତାଙ୍କ ସରଳ ଓ ଭୋଳାପଣ ମୋ ପାଇଁ ଆଶୀର୍ବାଦ। ଓଡ଼ିଆ ଭାଷା ସାହିତ୍ୟରେ ବାଣୀ ବିହାରରୁ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବାରୁ ମଧ୍ୟ କେତେବେଳେ କେମିତି ମୋ ତୃଟି ସୁଧାରିବାରେ ହୋଇଥାନ୍ତି ସହାୟକ। ତେଣୁ କବିତା ସଙ୍କଳନ” ଶତ ପତ୍ନୀକ” ତାଙ୍କୁ ଉତ୍ସର୍ଗ କରି ମୁଁ ଯଥାର୍ଥରେ ମୋ ଖୁସି ଜାହିର୍ କରୁଛି।
-ଇତି)
ତୁମ ହାତ ଧରି ଚାଲିବାକୁ ବାଟ
ଥିଲା ଦିନେ ପରା ସଂକଳ୍ପ ଯାହାର
(ସତ୍ୟ ପ୍ରକାଶ ସେଠୀ)
କଥାରେ କଥାରେ
ପ୍ରେମ ଆଜ୍ଞା! ଗୋଟେ ନିଆରା ଜିନିଷ ।ଏହି ପ୍ରେମରେ ପ୍ରତାରଣା ଅଛି, ପୁଣି ଅଛି ଆତ୍ମ ପରିତୃପ୍ତି। ପ୍ରେମ କେତେବେଳେ ମଣିଷ ମନରେ ବିଷ ଭରି ଦିଏ ପୁଣି ସେଇଠି ବହେ ଅମୃତର ଫଲଗୁ ଧାରା। ପ୍ରେମ ମଣିଷକୁ ଦାନବରୁ ମାନବ କରି ଦିଏ। ପୁଣି କେତେବେଳେ ଏହି ପ୍ରେମ ମାନବକୁ ପଶୁ କରିଦିଏ। ପ୍ରେମର ସଫଳତା ଓ ବିଫଳତାକୁ ନେଇ କେତେ କାହାଣୀ । ମଣିଷ ତା’ ଜ୍ଞାତରେ ହେଉ ବା ଅଜ୍ଞାତରେ ସେ ଅନ୍ୟକୁ ଭଲ ପାଏ। ଏହି ପ୍ରେମରେ ସେ ସଫଳ ହେଲେ କୃତକୃତ୍ୟ ହୋଇଯାଏ। ଜୀବନକୁ ଧନ୍ଯ ମଣେ। ମାତ୍ର୍ ଯେତେବେଳେ ସେ ବିଫଳ ହୁଏ ସେ ଭଗ୍ନ ମନୋରଥ ହୋଇ ଦଣ୍ଡେ ଅଟକି ଯାଏ। ଜୀବନକୁ ଅସାର ମଣେ। ପ୍ରେମ ହିଁ ଜୀବନ, ପ୍ରେମ ବ୍ୟତିରେକେ ଜୀବନ ସଫଳ ଜୀବନ ନୂହେଁ, ସବୁ ନିଷ୍ଫଳ। ପ୍ରେମ ଭାବ ମଣିଷ ଜୀବନର ବିଶିଷ୍ଟ ଭାବ। ଏହି ପ୍ରେମ ଭାବ ନିଜ ଭିତରେ ଯେତେବେଳେ ଉଜାଗର ହୋଇଉଠେ ତାକୁ ଦୁନିଆଟା ଭାରି ଦୀପ୍ତିମୟ ପ୍ରତିଭାତ ହୁଏ। ଯାହାର ଅବର୍ତ୍ତମାନରେ ଚାରିଆଡ଼େ ଅନ୍ଧକାର ଘୋଟି ଆସେ ।ଜୀବନଟା ନିରର୍ଥକ ପାଲଟେ ।ପ୍ରେମ ହିଁ ସାଶ୍ୱତ, ପ୍ରେମ ହିଁ ଜୀବନ। ଦୁଇଟି ଆତ୍ମାର ଓ ଦୁଇଟି ହୃଦୟର ମିଳନ ହେଉଛି ବାସ୍ତବ ପ୍ରେମ। ଯେଉଁଠି ଛଳନା ବା ପ୍ରତାରଣା ଲେଶ ମାତ୍ର୍ ନଥାଏ। ମନ ଓ ହୃଦୟର ମିଳନ ନହେଲେ ସେ କି ପ୍ରେମ? ନହେଲେ କୁହାଯିବ ଏହା ପାଖଣ୍ଡଙ୍କ ବିରାଡ଼ିଆ ପ୍ରେମ, କାମ ସରିଗଲେ ମାରିବେ ଛୁ ମନ୍ତର। ବାସ୍ତବ ପ୍ରେମ ଏମିତି ପବିତ୍ର ପ୍ରେମ ବନ୍ଧନରେ ଦୁଇ ଜଣଙ୍କୁ ଯୋଡି ରଖେ ଯେ ଜଣେ ଅନ୍ୟ ଜଣଙ୍କୁ ନିମିଷେ ନଦେଖିଲେ ବାୟା ପ୍ରାୟ ହୋଇ ଉଠେ। ଏହା ହିଁ ଅନ୍ତରୀଣ ଭାବ ସତ୍ତା । ଯେଉଁଠି ସମର୍ପଣ ଭାବ ଆସିଯାଏ, ସେଠି ବ୍ୟକ୍ତି ସର୍ବସ୍ୱ ଚିନ୍ତାଧାରା ଛାଡ଼ି ମଣିଷ ଆମେର ଭାବ ସର୍ବସ୍ବ ତଲ୍ଲୀନ ହୋଇଯାଏ। ପ୍ରେମ ଆକସ୍ମିକ ସୃଷ୍ଟି ହୁଏ ଓ ମନର ଗହନ ରାଇଜରେ ଭାବାନ୍ତର ସୃଷ୍ଟି କରେ, ଯେଉଁଠି ଦୁଇଟି ଆତ୍ମା ଗୋଟିଏ ଆତ୍ମାରେ ରୂପାନ୍ତରିତ ହୋଇଯାଏ। ଜଣଙ୍କର ଅନ୍ୟ ଜଣଙ୍କ ପାଇଁ ବ୍ୟଗ୍ରତା ପରିଲକ୍ଷିତ ହୁଏ ଓ ଉଦ୍ଗ୍ରୀବତା ବଢି ଯାଏ। ଇଏ କି ପ୍ରେମ ଯାହା ହୃଦୟକୁ ଦହେ ଓ ମନକୁ ଚକଟେ।
ମଣିଷ ମନର ମଣିଷଟିକୁ ପାଇଲେ ସଦାବେଳେ ତାକୁ ପାଖରେ ପାଇବାକୁ ଇଛା କରେ। ଟିକିଏ ଦୂରେଇ ଗଲେ ବିରହ ବେଦନାରେ ମନ ଆନ୍ଦୋଳିତ ହୁଏ। ମନେ ମନେ ଝୁରେ ନିଜର ଆପଣାର ମଣିଷଟା ଫେରି ଆସନ୍ତା କି? ଏହି ଅପେକ୍ଷା ଓ ପ୍ରତିକ୍ଷା ତା ହୃଦୟ ଭିତରେ ତା ଆପଣାର ମଣିଷଟି ପ୍ରତି ତା’ର ପ୍ରେମାନୁରାଗ ଆହୁରି ବଢାଇ ଦିଏ। ଏହି ବିଚ୍ଛେଦ ଓ ବିରହ ଆପଣାର ମଣିଷଟିର ପରଖ ଓ ନିରେଖ ଅଧିକ ହୋଇ ପାରିଥାଏ। ସେ ଜାଣି ଯାଏ ଯେ, ଜଣେ ଅନ୍ୟ ଜଣଙ୍କ ପାଇଁ କେତେ ଅଧିକ ବ୍ୟସ୍ତ ହେଉଛି, ଯାହା ଦ୍ୱାରା ପ୍ରେମର ଗଭୀରତାକୁ ସହଜରେ ମାପି ହୁଏ। ଏହି ପ୍ରତୀକ୍ଷା ବେଳେବେଳେ ଏତେ ଅସହ୍ଯ ହୁଏ ଯେ, ମଣିଷ ଆଖିରୁ ଖାଲି ଧାର ଧାର ହୋଇ ଲୁହ ବୋହିଯାଏ। ହେଲେ ସେ ସମସ୍ତ ମନର ଭାବକୁ ସମ୍ପୂର୍ଣ୍ଣ ପ୍ରକାଶ କରି ପାରେ ନାହିଁ। ଫଳରେ ମନରେ ବେଦନା ମନରେ ମରିଯାଏ। ଅଶାନ୍ତି ଓ ଅସନ୍ତୋଷର ଦାବାନଳରେ ସେ ରାତି ଉଜାଗର ରହେ। ଦୁଖଃ ଓ ଅବସାଦରେ ସେ ମ୍ରିୟମାଣ ହୋଇଉଠେ। ବେଳେବେଳେ ମଧ୍ଯ ପାଗଳଙ୍କ ପରି ଚିତ୍କାର ଓ ପ୍ରଳାପ କରି ବସେ। ଏହି ତ ଭଲ ପାଇବା ଆଉ ପ୍ରେମ ଯାହା ସାଶ୍ୱତ ଓ ଚିରନ୍ତନ। ପ୍ରେମ ନଶ୍ଵର ଓ ପୁଣି ଅବିନଶ୍ଵରର ପରିକଳ୍ପନା। ପ୍ରେମ ଅମୃତର ଫଲଗୁ ଧାରା। ପ୍ରେମ ଚିତ୍ତ ବୃତ୍ତିର ଉତ୍ତରଣ।
ଏହିଭଳି ପ୍ରେମର ବହୁବିଧ ରୂପରସ ସମ୍ଭାରକୁ ନେଇ ଗଳ୍ପ ସଂକଳନ “ଶତ ପତ୍ନୀକ”ର ପରିକଳ୍ପନା କରାଯାଇଛି, ଯେଉଁଥିରେ ରହିଛି ପନ୍ଦରଟି ଗଳ୍ପ। ପ୍ରତିଟି ଗଳ୍ପ ପ୍ରତ୍ୟେକଠୁଁ ଏତେ ଭିନ୍ନ୍ ଯେ, ସ୍ପଷ୍ଟ ତଫାତ୍ ସହଜରେ ବାରି ହୋଇପଡେ ଓ ଗାଳ୍ପିକଙ୍କର ମୌଳିକତା ତଥା ସ୍ଵତନ୍ତ୍ରତାକୁ ପ୍ରମାଣିତ କରିଥାଏ। ଗଳ୍ପ ଗୁଡିକର ଚରିତ୍ର ସମାଜର ବିଭିନ୍ନ ବର୍ଗର ହୋଇଥିଲା ବେଳେ ଘଟଣା ଓ କାହାଣୀ ଗୁଡିକରେ ବୈଚିତ୍ର୍ୟ ପରିଲକ୍ଷିତ ତଥା ସମାଜରେ ନିତି ପ୍ରତିଦିନ ଘଟୁଥିବା ସମସ୍ୟା ସହିତ ସମ୍ବନ୍ଧ ଯୋଡ଼ିବସେ। ତେଣୁ ପାଠକ /ପାଠିକାମାନଙ୍କୁ ଏକ ନିଆରା ଆନନ୍ଦନୁଭୂତିରେ ଦ୍ରବୀଭୂତ କରିପାରିବ ବୋଲି ଆଶା କରାଯାଇପାରେ। ଗଳ୍ପ ଗୁଡିକୁ ପଢିବା କ୍ଷଣି ପାଠକ /ପାଠିକାମାନଙ୍କ ଭିତରେ ପ୍ରେମ ଭାବର ଉଜାଗର ହେବ। ତତ୍ ସହିତ ପ୍ରେମ ଓ ତଦ୍ଜନିତ ଉତ୍ପନ ସମସ୍ୟା ଗୁଡ଼ିକ ପ୍ରତି ମଧ୍ଯ ତା’ର ସଚେତନତାବୋଧ ସୃଷ୍ଟି ହୋଇପାରିବ। ଏହି ଦୃଷ୍ଟିକୋଣରୁ ଗଳ୍ପ ଗୁଡ଼ିକ ନିଶ୍ଚିତ ଭାବେ ଶିକ୍ଷଣୀୟ ଓ ମାନବ ସମାଜ ପାଖରେ ନୂତନ ସନ୍ଦେଶ ପହଞ୍ଚାଇବାକୁ ସକ୍ଷମ।
ବାର୍ତ୍ତାବହନ କ୍ଷମତା ରଖିଥିବା ଗଳ୍ପ ଗୁଡ଼ିକ ଯେହେତୁ ସମାଜର ହିତ ସାଧନ ପାଇଁ ଉଦ୍ଦିଷ୍ଟ ଏହାଦ୍ୱାରା ସାମାଜିକ ପରିବର୍ତ୍ତନର ସ୍ଵର ଝଙ୍କୃତ ହେଉ – ଏହା ହିଁ ପୁସ୍ତକ ପ୍ରକାଶନ ଅବସରରେ ମଙ୍ଗଳମୟ ଈଶ୍ୱରଙ୍କଠାରେ ମୋର ପ୍ରାର୍ଥନା।
ସର୍ବଶେଷରେ ପୁସ୍ତକ ପ୍ରକାଶନ ସଂସ୍ଥା – – – – – – ଓ ମୁଦ୍ରଣକାରୀ – – – – – – ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି।
ପରିଶେଷରେ ଏଥିରେ ପ୍ରକାଶିତ ଗଳ୍ପ ଗୁଡ଼ିକ ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକା ଓ ସମ୍ବାଦ ପତ୍ରରେ ତଥା ବଣମଲ୍ଲୀ, ଷ୍ଟୋରୀ ମିରର, ଆହ୍ଵାନ ପ୍ରଭୃତି ଇ – ପତ୍ରିକା ଓ ୱେବ୍ ପୋର୍ଟାଲରେ ପ୍ରକାଶ ପାଇ ପାଠକୀୟ ଆଦୃତି ପାଇଥିବା ବେଳେ ପୁସ୍ତକଟି ପାଠକୀୟ ସ୍ଵୀକୃତି ଲାଭ କରି ଓଡ଼ିଶାର ପୁରପଲ୍ଲୀରେ ସମସ୍ତ ପାଠକ /ପାଠିକା ନିକଟରେ ପହଞ୍ଚୁ – ଏହାହିଁ କାମନା।
-ଗାଳ୍ପିକ ସତ୍ୟ ପ୍ରକାଶ ସେଠୀ
ସୂଚୀପତ୍ର
1.ଶତ ପତ୍ନୀକ
2. ମୋ ପ୍ରେମରେ ଲାଗିଲା ନିଆଁ
3.ଇଏ ବି ଏକ ପ୍ରେମ
4.ମୋନା ଓ ସୋନା
5.ମୁଁ ବାହା ହେବି
6. ବନ୍ଧୁର ବନ୍ଧୁତ୍ୱ ସତେକି ବନ୍ଧୁର
7.ଦୀର୍ଘ ନିଶ୍ଵାସର ଅନ୍ତରାଳେ
8. ତୁମୁଳ କାଣ୍ଡ
9.ଓଥଡା
10.ଭୂତୁଣୀ ସାହିତ୍ୟିକା
11.ସଂଯୋଗ
12. ତୁଳସୀ
13.ମାଟି ହେବ ଲୋ! Matiy
1.ଶତ ପତ୍ନୀକ
ରାୟ ବାହାଦୁର ବୋଲି ଗୋଟେ ଲୋକ ନୀଳଗିରିରେ ରହୁଥାଏ। ସେ ପ୍ରାକ୍ ସ୍ଵାଧୀନତା ଯୁଗର ଲୋକ। ଭାରି ପାଠୁଆ। ବ୍ରିଟିଶ ଅମଳର ପଢ଼ା। ସେ ସାତଟି ଭାଷାରେ ପାରଦର୍ଶିତା ଲାଭ କରିଥିଲେ। ଇଂରାଜୀ କହିବେ ମାନେ ଅନର୍ଗଳ। ସଂସ୍କୃତ ସାହିତ୍ୟରେ ଗଭୀର ପ୍ରବେଶ । ନିର୍ଭୁଲ ଭାବେ ଶ୍ଲୋକ ପଠନ ଓ ଗାନ କରିଥାନ୍ତି। ଓଡ଼ିଆ ସାହିତ୍ୟରେ ମଧ୍ଯ ବିପୁଳ ଜ୍ଞାନ। ପୁଣି ଉର୍ଦ୍ଦୁ, ଜର୍ମାନୀ, ବଙ୍ଗାଳୀ ଭାଷା ସାହିତ୍ୟ ଅଧ୍ୟୟନ କରି ସେ ଭଲ ଅନୁବାଦ ସାହିତ୍ୟ ରଚନା କରି ପାରନ୍ତି। ଜ୍ଞାନ ଓ କୌଶଳ ଅପୂର୍ବ। ରାଜନୀତି ବିଜ୍ଞାନ ହେଉ ବା ଇତିହାସ ସବୁ ତାଙ୍କ ମୁହଁରେ ଫେରେ ଦର୍ଶନ ଶାସ୍ତ୍ର ଭଲ ଆଲୋଚନା କରନ୍ତି।ଆୟୁର୍ବେଦ, ଭେଷଜ ଓ ହୋମିଓପାଥିକ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଜ୍ଞାନ। ଜ୍ଞାନ ଓ ବିଜ୍ଞାନ କ୍ଷେତ୍ରରେ ତାଙ୍କର ପ୍ରବେଶ ଅତୁଳନୀୟ। ପୁରାଣ ତଥା ବିଭିନ୍ନ କାହାଣୀ ଓ ଉପାଖ୍ୟାନ ତ ତାଙ୍କ ମୁହଁରେ। ଲୋକଟାର ଅଗାଧ ଜ୍ଞାନ। ପାଣ୍ଡିତ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ।ଜ୍ଞାନର ସୀମା ନାହିଁ, ଅସୀମ ସାଗର। ଯେ କେହି ଲୋକ ତାଙ୍କ ସହ ମିନିଟିଏ କି ଦି ମିନିଟ୍ ଆଲୋଚନା କରି ବସିଲେ , ସେ ବଳେ ତାଙ୍କ ଜ୍ଞାନର ପରିସୀମା ମାପି ପାରିବେ। ତେଣୁ ସେ ଏକ ବିସ୍ମୟ ଓ ଅସୀମ ତାଙ୍କର ଜ୍ଞାନର ଆକାଶ।
ଏହିଭଳି ଏକ ବ୍ୟକ୍ତି ଚରିତ୍ର ସହ ମୋର ଭେଟଣା ହୋଇଥିଲା ବିଗତ ଦଶ ବର୍ଷ ତଳେ, ଯେତେବେଳେ ସେ ଜୀବିତ ଥିଲେ ଓ ମୁଁ ତାଙ୍କ ପାଖରୁ ବିଶେଷ ବେଉରା ନେଉଥିଲି। ସେ କିନ୍ତୁ ଏବେ ତ ଆଉ ଜୀବିତ ନାହାନ୍ତି, ହେଲେ ତାଙ୍କ କଥାଟା ଆଲୋଚ୍ୟ ବିଷୟ ହୋଇ ରହିଯାଇଛି। ମୁଁ ଏକ କୌତୁହଳବଶତଃ ତାଙ୍କୁ ଭେଟିବାକୁ ଯାଇଥିଲି ଆଉ ତାଙ୍କ ସହ ଯୋଗକୁ ମୋର ସାକ୍ଷାତ୍ ହୋଇ ଯାଇଥିଲା। ଚା ଜଳଖିଆ ଭିତରେ ଆରମ୍ଭ ହୋଇଥିଲା ଗପର ସୁଅ।
ରାୟ ବାହାଦୁର ନୀଳଗିରିର ଜଣେ ପ୍ରତିଷ୍ଠିତ ଜମିଦାର ଘରର। ଏତେ ପାଠ ପଢ଼ିଥିଲେ ହେଁ ସେ ଚାକିରୀ କରି ନଥିଲେ। କାରଣ ଜମିଦାରୀ ଓ ନିଜସ୍ୱ ସଂସ୍ଥାକୁ ସମ୍ଭାଳିବାକୁ ତାଙ୍କୁ ବେଳ ହେଉ ନଥିଲା। ଏବେ ଅବଶ୍ୟ ସେ ନିସ୍ଵ। ସମୟର ସୁଅରେ ସବୁ ପରିବର୍ତ୍ତିତ ହୋଇଯାଇଛି।
ଦିନ ଥିଲା ଅୟସ ଆରାମରେ ତାଙ୍କ ଜୀବନ ଅତିବାହିତ ହେଉଥିଲା। ବୟସ ମଧ୍ୟ ଥିଲା ଯେତେବେଳେ ସମସ୍ତେ ତାଙ୍କୁ ଡରୁଥିଲେ। ଏବେ ତ ବୟସ ଅପରାହ୍ଣରେ, ବାର୍ଦ୍ଧକ୍ୟର ଜନ୍ତ୍ରଣା ।ହାତରେ ଜମିଦାରୀ ବି ନାହିଁ। ସ୍ଵାଧୀନ ଭାରତରେ ଅନେକ କିଛି ପରିବର୍ତ୍ତନ ହେବା ସମ୍ଭବ।
ବୃଦ୍ଧଙ୍କର ଅତୀତକୁ ଫେରିବା, ସେ ଦୀର୍ଘ ନିଶ୍ଵାସ ପକାଇ ଆରମ୍ଭ କଲେ –
ମୁଁ ଏକ ଧନୀକ ଘରର ପିଲା, ଖୁବ୍ ସୁନ୍ଦର ସୁଠାମ ଠାଣି, ରାଜା ପରି ଚେହେରା। ବପୁବନ୍ତ ଓ ବଳିଷ୍ଠ ଅଙ୍ଗ ସୌଷ୍ଠବ। ସୂର୍ଯ୍ୟସମ କାନ୍ତି, ଗୌର ବର୍ଣ୍ଣ। କଲେଜରେ ପାଠ ପଢୁଥିଲା ବେଳେ ଯିଏ କେହି ଝିଅ ମୋତେ ଦେଖୁଥିଲା ସେ ଲୋଭ କରୁଥିଲା। ବାହା ହେବାକୁ ମଧ୍ୟ ଚାହୁଁଥିଲା। ବାସନ୍ତୀ, ମୀରା କେତକୀ – ଏହିପରି ଅନେକ ସେମାନଙ୍କ ନାଁ। ହେଲେ ମୁଁ ସେମାନଙ୍କୁ ସବୁ ପ୍ରତ୍ୟାଖ୍ୟାନ କରିଦେଉଥିଲି। କାରଣ ମୁଁ ଚାହୁଁଥିଲି ଖାଲି ତାକୁ। ସେ ମୋ ହୃଦୟ ବେଦୀର ରାଣୀ ଓ ମୋ ମନ ରାଇଜର ମୟୂରୀ। ଶୟନେ ସୋପାନେ ଅବା ଜାଗରଣେ ସେ ହିଁ କେବଳ ମୋର ଦୃଷ୍ଟି ଗୋଚର ହୁଏ। ମୋ ମାନସ ଭାଲ ପଟେ ସେ ବରାବର ଉଙ୍କି ମାରେ, ନାଁଟି ତା’ର ଅପସରି। ମୁଁ ଶ୍ରଦ୍ଧାରେ ଯାହାକୁ ଡାକେ ସର। ନାଁଟି ଯେମିତି ତା’ର, ସେମିତି ସେ ସୁନ୍ଦରୀ, ଭାରି ରୂପବତୀ। ଆମେ ଦୁହେଁ ଏକା କଲେଜରେ ପଢୁଥିଲୁ। ସେ ମୋ ସହପାଠିନୀ ନୂହେଁ ସତ, ହେଲେ କଲେଜ ସାଥୀ। ମୋ ତଳ କ୍ଲାସରେ ସେ ପଢୁଥାଏ। ଘଟଣାବଶତଃ ଦୁଇ ଜଣଙ୍କ ଭିତରେ ପ୍ରେମ ଅନୁରାଗ ସୃଷ୍ଟି ହେଲା। ଏହାପରେ ଅନେକ ଭାବ ଆଦାନ ପ୍ରଦାନ, ଚିଠି ଦିଆ ନିଆ ଓ ପରିଶେଷରେ ପ୍ରେମ ଆଉ ଭଲ ପାଇବାର ପ୍ରତିଶ୍ରୁତି ଯାହାର ହୋଇ ପାରି ନଥିଲାଫଳଶୃତି । ଏହି ପ୍ରେମରୁ ବିବାହ ପ୍ରସ୍ଥାବ ଓ ତା’ର ସହମତି। ହେଲେ ପାଠ ସାରି ସେ ଚାକିରୀ କଲା ଓ ଜଣେ ସହକର୍ମୀ ଙ୍କୁ ପ୍ରେମ ଜାଲରେ ଫଶାଇ ଶେଷରେ ସେ ବାହା ହୋଇଗଲା, ଯାହା ଜଳାଇଥିଲା ମୋ ଭିତରେ ପ୍ରତିଶୋଧର ବହ୍ନି। ପରାହତ ହେଲା ମୋର ଦୀର୍ଘ ଦିନର ପ୍ରେମ। ଶେଷରେ ଠକି ଗଲି ମୁଁ ଠକି ଦେଲା ସେ, ଠକି ଗଲା ମୋ ପ୍ରେମ ମୁଁ ପ୍ରତାରଣାର ଶୀକାର ହେଲି।
ସେତେବେଳକୁ ପ୍ରତିଶୋଧର ବହ୍ନି ମୋ ହୃଦୟ ତନ୍ତ୍ରିକୁ ଥରାଇ ଦେଇ ଥାଏ। ପରାଭବର ଗ୍ଲାନି ସୃଷ୍ଟି କରୁଥିଲା ବିପର୍ଯ୍ୟୟ। ଆସନ୍ନ ଝଡ଼ର ସମ୍ଭାବନା ତୋଳୁଥିଲା। ମନରେ ସଂକଳ୍ପ ଆସିଲା ଗୋଟେ ନୂହେଁ ଶହେଟି ଦାର ଗ୍ରହଣ କରିବି। ଆରମ୍ଭ ହେଲା ବିବାହର ପର୍ବ। ଜଣେ ନୂହେଁ ଦୁଇଜଣ ନୂହେଁ ଅନେକଙ୍କୁ ବିବାହ କଲି। ପ୍ରଥମ ପ୍ରଥମେ ଏହା ସୁଗମ ହେଉନଥିଲା। ମୋର ଧନ ଓ ପ୍ରତିପତ୍ତିର ପ୍ରଲୋଭନାରେ ପ୍ରଲୋଭିତ ହୋଇ ଝିଅ ମାନେ ମୋତେ ବିବାହ କରିବା ପାଇଁ ସହମତି ଦେଉଥିଲେ। ହେଲେ ବୟସ ବଢ଼ିଯିବା ସଙ୍ଗେ ସଙ୍ଗେ ଓ ଧନ ସମ୍ପତ୍ତି ତଥା ପ୍ରତିପତ୍ତି କମିଯିବା କାରଣରୁ ମୋତେ ଆଉ କନିଆ ମିଳିବା ସହଜ ହେଲା ନାହିଁ ।ବହୁ କଷ୍ଟରେ ପଟେଇ ପାଟେଇ କାହାକୁ କେମିତି ବାହା ହେଲି, ହେଲେ ବଳ ପ୍ରୟୋଗ କାହା ସହ କେବେ ବିବାହ କରି ନାହିଁ। ହେଲେ ଏବେ ମୋ ପାଖରେ ଆଉ କେହି ରହି ନାହିଁ । ମୋର ଏହି ପାଗଳାମୀ ପାଇଁ ଜଣଙ୍କ ପରେ ଜଣେ ମୋତେ ଛାଡ଼ି ଚାଲି ଯାଇଥିଲେ। ତଥାପି ମୁଁ 91 ପତ୍ନୀଙ୍କ ପାଣି ଗ୍ରହଣ କରିଛି। ଇଚ୍ଛା ଥିଲା ସଂକଳ୍ପ ପୂରଣ କରିବି। ନାରୀମାନଙ୍କ ଉପରେ ପ୍ରଚଣ୍ଡ ପ୍ରତିଶୋଧ ନେବି। ହେଲେ ଏବେ ମୋର ସେ ମୋହ ତୁଟି ଯାଇଛି। ମଣିଷ କାହା ଉପରେ କି ପ୍ରତିଶୋଧ ନେଇ ପାରିବ? ଏ ସିନା ଖାଲି ତା’ର ଭ୍ରମ। କ୍ଷଣିକ ଉତ୍ତେଜନାରେ ଭ୍ରମିତ ହୋଇଗଲି। ସେଦିନର ନିଷ୍ପତ୍ତି ହୁଏତ ଆଜିକା ଦିବସରେ ବିଚାର ବିମର୍ଷ କଲେ ବୋଧେ ଭୁଲ ହୋଇପାରେ। ହେଲେ କ୍ରୋଧ ପରିଣତି ପ୍ରତି ସଚେତନତା ସ୍ରୁଷ୍ଟି କରି ପାରେ ନା। ସେଦିନ ଦୋଷ କରିଥିଲା ସରା। ସେ ତ ହୁଏତ ଖୁସିରେ ତା’ ସଂସାର ନେଇ ରହୁଛି। ମୁଁ କଣ ପାଇଲି? ଅନେକ ଝିଅଙ୍କ ଜୀବନ ନଷ୍ଟ କଲି। ଧନ ସମ୍ପତ୍ତି ସମସ୍ତ ଉଡେଇ ଦେଲି। ଶେଷ ବେଳକୁ କେହି ମୋ ପାଖରେ ନାହାନ୍ତି। ଏପରି ମୋ ଘର, ମୋ ଜମି ଜମା ମୋର ହୋଇ ଆଉ ରହି ନାହିଁ। କେତେ କେତେ ସ୍ତ୍ରୀ ପ୍ରଲୋଭନାରେ ସେ ସମସ୍ତ ସେମାନଙ୍କ ନାଁରେ କରି ଦେଇଥିବାରୁ, ତାକୁ ବିକିଭାଙ୍ଗୀ ଖାଇଦେଇ ସେମାନେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେଣି।
ଏବେ ମୁଁ ଆତ୍ମ ନିର୍ଭରଶୀଳ ହୋଇ ରହି ନାହିଁ। ପର ଉପରେ ନିର୍ଭର କରି ଚଳୁଛି। ଏହି ଝୁମ୍ପୁଡି ଘରେ ରହୁଛି, ସେ ପୁଣି ପ୍ରଥମ ପତ୍ନୀର ସାହାରାରେ ।ସେଦିନ ମୋର ସମସ୍ତ ସାହାରା ଗୁଡିକ ଛିଣ୍ଡି ପଡ଼ିବାରୁ ମୁଁ କଷ୍ଟ ପାଉଥିଲି। ମୋର ଧର୍ମ ପତ୍ନୀ (ପ୍ରଥମ ସ୍ତ୍ରୀ) ଯାହାକୁ ସେଦିନ ମୁଁ ଘରୁ ତଡି ଦେଇଥିଲି, ସେ ମୋ କଷ୍ଟ ଦେଖିପାରିଲା ନାହିଁ, ନେଇ ଆସିଲା ତା’ ପାଖକୁ। ଏବେ ମୋର ସେବା ଯତ୍ନ କରୁଛି, ଭଲମନ୍ଦ ସବୁ ବୁଝୁଛି। ତା’ ମନରେ କିଛି ଆବିଳତା ନାହିଁ, କି ମନରେ ପ୍ରତିଶୋଧର ଭାବନା। ତା’ର କେବଳ ଗୋଟେ ଇଚ୍ଛା ସେ ଅୟୀ ସୁଲକ୍ଷଣୀ ହୋଇ ମରିବ-ମୋ ଆଗରୁ । ତେଣୁ ମୋତେ ଜୀବିତ ରଖିବା ପାଇଁ ସମସ୍ତ ପ୍ରଯତ୍ନ କରୁଛି। କି ଅଦ୍ଭୁତ ଏ ସୃଷ୍ଟି ଲୀଳା, କିଏ କେତେବେଳେ କେଉଁ ମତେ।
ହେଲେ ସେଦିନ ଯଦି ମୁଁ ଏ ଭୁଲ କରି ନଥା’ନ୍ତି, ତାହେଲେ ମୋ ପ୍ରଥମ ପତ୍ନୀ ନନ୍ଦିତା ସହିତ କେତେ ହସଖୁସିରେ ଜୀବନ ସତେ ନ ବିତେଇଥାନ୍ତି? ଆଜି ନା ଶହେ ଦାର ଗ୍ରହଣ କରିବାର ମୋର ଇଚ୍ଛା ଫଳବତୀ ହୋଇପାରିଲା ନା ସୁଖରେ ମୁଁ ସଂସାର କରି ପାରିଲି। ମନରେ ଅସୁମାରି ସ୍ଵପ୍ନ ଭାଙ୍ଗି ଗଲା ପରେ ମୁଁ ଏବେ ନିସ୍ଵ, ବେସାହାରା ମଣିଷ। ହେଲେ ନନ୍ଦିତା, ନନ୍ଦିତା କ’ଣ କାହାର କି ଦୋଷ କରିଥିଲା? ସେ କାହିଁକି କଷ୍ଟ ପାଇଲା?
ଆଉ ସରା? ସରା ବି ଶୁଣୁଛି ଆଜି ଦୁର୍ଦ୍ଦଶାର ଶୀକାର। ତା’ ସ୍ଵାମୀ କେମିତି ଜାଣି ପାରିଥିଲା ମୋ ତା ‘ଭିତରର କଥା। ତେଣୁ ସେ ସରାକୁ ଛାଡ଼ପତ୍ର ଦେଇଦେଲା। ତା’ର ବି ଦୁର୍ଦ୍ଦଶା। ସେ ବି ଶାସ୍ତି ଭୋଗୁଛି। ସରାର ଜୀବନ ଦୁର୍ବିସହରେ ଭରି ଉଠିଛି। ଦିନ ଥିଲା ତା’ର ରୂପ ଯୌବନ ପାଇଁ ତା’ ମନରେ ଥିଲା ଭାରି ଗର୍ବ। କେତେ କେତେ ପୁରୁଷଙ୍କର ପ୍ରେମ ନିବେଦନକୁ ସେ ପଲକ ଝପଟରେ ଅଗ୍ରାହ୍ୟ କରିଦେଉଥିଲା। ଆଜି ମୋ ଶତ ପତ୍ନୀକ ବ୍ରତ ଓ ତା’ ର ସଙ୍କଳ୍ପ ସାରା ବିଶ୍ୱରେ ପ୍ରଘଟ ହେବାରୁ ବହୁ ମିଡିଆ ବନ୍ଧୁ ଓ ବିଦେଶୀ ପତ୍ରକାର ମୋ ଜୀବନୀ ସଂକ୍ରାନ୍ତୀୟ ଟୀକା ଛାପିଛନ୍ତି। ଫଳରେ ସରା ଜୀବନରେ ସୃଷ୍ଟି ହୋଇଛି ଝଡ଼। ମୋ ଜୀବନର secret of truth ସମ୍ପର୍କରେ ଅବଗତ ହୋଇଛନ୍ତି ସରାର ସ୍ଵାମୀ ଦୀପକ ବାବୁ। ଶେଷରେ ତାକୁ ଛାଡ଼ପତ୍ରର ଦଶା ଭୋଗିବାକୁ ପଡ଼ିଛି। ଅସହ୍ଯ ଜନ୍ତ୍ରଣା ଓ ଅନୁତାପ ନିଆଁରେ ସେ ସେଠି ଜଳୁଛି। ଦୀପକ ବାବୁ ନିଜକୁ ଦଣ୍ଡିତ କରି ଭୋଗୁଛନ୍ତି କଷ୍ଟ। ଆଉ ମୁଁ ଏଠି ଜଳି ଦରପୋଡ଼ା କାଠରେ ପରିଣତ ହୋଇ ସାରିଛି। ଜୀବନର ସମସ୍ତ ଖୁସି ଏବେ ପ୍ରାୟ ବିଲୁପ୍ତ। କେବଳ ଶଙ୍କା ଓ ଆଶଙ୍କାରେ ଜୀବନ ଧାଉଁଛି। ପରିଣାମ ନିଶ୍ଚିତ ପକ୍ଷେ ଭୟଙ୍କର। ପ୍ରତିଜ୍ଞାର କୁପରିଣାମ ଭୋଗିବାକୁ ପଡୁଛି । ତେଣୁ ବୁଝୁଛି କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ଅପରିଣାମଦର୍ଶୀ ହେଲେ କ’ଣ ଫଳ ଭୋଗିବାକୁ ମିଳେ।
ଏ କଥା କହିଲା ବେଳକୁ ବୃଦ୍ଧଙ୍କର ନିଶ୍ଵାସ ରୁଦ୍ଧ ହୋଇ ଆସୁଥାଏ। ପତ୍ନୀ ନନ୍ଦିତା ଶାନ୍ତ୍ୱନାର ବାଣୀ ଶୁଣାଉଥାନ୍ତି।
2.ମୋ ପ୍ରେମରେ ଲାଗିଲା ନିଆଁ
ଆଜି କଲେଜରେ ଶେଷ ଦିନ। ଫେରୱେଲ ମିଟିଂ ପରେ କ୍ଲାସ ସସ଼୍ପେଣ୍ଡ ହୋଇଯିବ। ବାକି ରହିଯିବ କେବଳ ପରିକ୍ଷାଟା। ଆଉ ପ୍ରତିଦିନ ଦେଖାହେବ ନାହିଁ – ସହପାଠୀ, ସହପାଠିନୀ, ସାଙ୍ଗ ସାଥିମାନଙ୍କ ସହ । ଦେଖାହେବ ନାହିଁ ସରୋଜିନୀ।
ଚାହୁଁଚାହୁଁ ବର୍ଷ କେଇଟା ବିତିଗଲା, କିଛି ଜଣାପଡ଼ିଲା ନାହିଁ। ସେଦିନ ଗାଁରୁ ଯାଇ ମୁଁ ସହରରେ ପହଁଞ୍ଚିଯାଇଥିଲି ଆଉ ଆରମ୍ଭ ହୋଇଯାଇଥିଲା ଓଡିଶାର ସର୍ବପୁରାତନ ଓ ସର୍ବପ୍ରଶିଦ୍ଧ ଶିକ୍ଷାନୁଷ୍ଠାନ ବାଣୀବିହାରରେ ମୋ ପାଠ ପଢା। ମନରେ ଅନେକ ସ୍ଵପ୍ନ – ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଡିଗ୍ରୀଟା ମୁଁ ହାସଲ କରିବି। ବାପା ମାଆଙ୍କର ସ୍ଵପ୍ନ ସବୁ ସାକାର ହେବ। ପାଠ ପଢି ସାରି ମୁଁ ବଡ଼ ଚାକିରୀଟାଏ କରିବି-ଚାକିରୀ ।ମୋ ଜୀବନ ତମାମର ସବୁ ସ୍ଵପ୍ନ ଫଳବତୀ ହେବ। ବନ୍ଧୁ ବାନ୍ଧବଙ୍କର ଆଶା ଆକାଙ୍କ୍ଷା ମଧ୍ୟ ପୂରଣ ହେବ। ଭଉଣୀଙ୍କୁ ଦେଇଥିବା କଥାଟା ରହିଯିବ। ଚାକିରୀ କଲା ପରେ ଭଲ ଜାଗା ଦେଖି ସେମାନଙ୍କୁ ବାହା କରିଦେବି। ସାନ ଭାଇକୁ ମଣିଷ ପରି ମଣିଷ କରି ଗଢି ତୋଳିବି। ସେ ସବୁ ସତ ହେବାକୁ ଲାଗିଲା ମୁଁ ଭଲ ପାଠ ପଢିବାକୁ ଲାଗିଲି, ପାଠ ହିଁ ପାଠ ।ପାଠ ବ୍ୟତିରେକେ ମୋତେ ଆଉ କିଛି ଦେଖା ଯାଏ ନାହିଁ ।
ହେଲେ ଧୀରେ ଧୀରେ ମୋ ବ୍ୟବହାର ଆଚାରରେ ଅସ୍ୱାଭାବିକ ପରିବର୍ତ୍ତନ ହେବାକୁ ଲାଗିଲା। ମୁଁ ବଦଳି ଗଲି। ଭୂଲିବାକୁ ଲାଗିଲି ସବୁ କିଛି। ଭୂଲି ଗଲି ମୋ ପରିବାର ବାପା ବୋଉଙ୍କର କଥା। ଭୂଲି ଗଲି ସେମାନଙ୍କ କଥା – କେତେ କଷ୍ଟରେ ପେଟକୁ କାଟି ପଇସା ଗଣ୍ଡାକ ପଠାଉଥାନ୍ତି ମୋ କତି ସହି ଭୀଷଣ ତାତି । ଉଦ୍ଦେଶ୍ୟ -” ଟୁନା ଆମର ପାଠ ପଢି ହାକିମ ହେବ- ହାକିମ “। ସେମାନଙ୍କ ଅଭାବୀ ସଂସାରର ଅଭାବ ଦୂର ହୋଇଯିବ। ହେଲେ ସବୁ ସ୍ଵପ୍ନ ସ୍ଵପ୍ନରେ ରହିଗଲା। ଦାୟୀ – ପରିବର୍ତ୍ତିତ ପରିସ୍ଥିତିରେ ମୋର ଏ ପରିବର୍ତ୍ତନ। ଗାଉଁଲିଆ ପିଲାଟା ସହରର ଚାକଚକ୍ୟ ଦେଖି ପୂରା ପଲଟି ଗଲା।
ସେଦିନ ପ୍ରଥମ କରି ଯେତେବେଳେ ଓଡ଼ିଶାର ରାଜଧାନୀ ବଡ଼ ସହର ଭୁବନେଶ୍ୱରରେ ଆସି ପହଁଚି ଗଲି, ମନରେ ବଡ଼ ଭାବାନ୍ତର ସ୍ରୁଷ୍ଟି ହେଉଥିଲା। ସବୁକିଛି ନୂଆ ନୂଆ ପ୍ରତୀତ ହେଉଥିଲା। ଯେମିତିକି ଲାଗୁଥିଲା – ମୁଁ ଟେରା ହୋଇଯାଇଛି, ସବୁ କିଛି ଅଲଗା ଅଲଗା। ସତେକି ଲାଗୁଥିଲା ମୁଁ ଯେମିତି ଗୋଟେ ଚିଡ଼ିଆଖାନାରେ ପଶି ଯାଇ ଦେଖୁଛି ନୂଆ ନୂଆ ଓ ଭଳିକି ଭଳି କେତେ – ଜୀବଜନ୍ତୁ। ମନେ ମନେ ଭାବୁଥାଏ – ଧନ୍ୟ ହୋଇଗଲା ମୋ ଜୀବନ। ସତେ କ’ଣ ଗାଁ ଓ ସହର ଭିତରେ ଏତେ ଫରକ ଥାଏ କି? ଛାଡ଼ ସେ ସବୁ କଥା, ଯେତେବେଳେ ଗାଁ ଭାଲୁ ସହର ପହଁଚି ଯାଇଛି, ସେ ତ ସହରର ବେଉରା ନେବ।
ସେଦିନ ୱେଲକମ୍ ସେରିମୋନିରେ ଦେଖିଲି ସହରର ରଙ୍ଗ ବେରଙ୍ଗର ପ୍ରଜାପତି – ବହୁତ। ରୁପର ପସରା ଧରି ଘୂରି ବୁଲୁଥିଲେ, ଭ୍ରମିତ ହୋଇଗଲି। ସରୋଜିନୀ ମୋ ସହପାଠିନୀ। ଭାରି ସୁନ୍ଦରୀ, ରୂପବତୀ – ସେ। ଘନ କୁନ୍ତଳ, ଲମ୍ବକେଶୀ- ଜଂଘ ଯାଏଁ ଲମ୍ବିଛି ଯାହାର କେଶ। ଅପରୂପ ଲାବଣ୍ୟ – ଲାବଣ୍ୟମୟୀ ସେ। ରୂପର ତୁଳନା ନାହିଁ – ଅତୁଳନୀୟା। କି କମନୀୟ ଠାଣି? ସୁନ୍ଦର ଦୀପ୍ତିମୟୀ କାନ୍ତି। ଅଙ୍ଗ ସୌଷ୍ଠବ ଅବର୍ଣ୍ଣନୀୟ। ନିମିଷକରେ ଯିଏ କୋଟି ମନ ମୀନ ନିଏ ଆକର୍ଷି ତା’ର ଅନ୍ୟ ନାମ ସରୋଜିନୀ। ତା’ର ଗୋରା ଚମକୁ ନାଲି ଡ୍ରେସ୍ଟା ଭାରି ମାନେ, ଯୋଉଟା ସେ ପିନ୍ଧିଥିଲା ପ୍ରଥମ ଦିନରେ ମୋ ପ୍ରଥମ ଦେଖାରେ ୱେଲକମ୍ ସେରିମୋନିରେ। ପ୍ରଥମ ଦେଖାରେ ମୋ ମନ କିଣିନେଲା। ଯୁଆଡେ ଚାହିଁଲେ ମୋତେ ଖାଲି ସରୋଜିନୀମୟ ଲାଗିଲା। ଉଠିଲେ ବସିଲେ ସରୋଜିନୀକୁ ଖୋଜି ବୁଲିଲି। ଶୟନେ, ସପନେ ଅବା ଜାଗରଣେ ଗୋଟିଏ ଛାୟା ମୋ ଚାରିପଟେ ଘୂରିବୁଲେ। ସେଇଟା ସତ କି ମିଛ ମୁଁ କହି ପାରିବି ନାହିଁ। ହୁଏତ ମୋର ସ୍ଵପ୍ନ ହୋଇପାରେ ଅବା ଭ୍ରମ। କିନ୍ତୁ ଛାୟାଟି ହେଉଛି ସରୋଜିନୀର।
ସେଦିନ ନାଲି ଡ୍ରେସ୍ଟା ପିନ୍ଧି ସେ ମୋତେ ବାରମ୍ବାର କଣେଁଇ କଣେଁଇ ଚାହିଁ ରହୁଥିଲା। ମୁଁ ବି ତା’ର ଆକର୍ଷଣକୁ ଏଡ଼ାଇ ନପାରି ତା ଆଡକୁ ଚାହିଁ ଦେଇଥିଲି ଆଉ ଆଖିକୁ ଆଖି ଥରେ ମିଶିଗଲା ପରେ ବୋଧହୁଏ ପ୍ରେମ ସୃଷ୍ଟି ହୋଇଥିଲା। ତା’ପରେ ଆମ ଭିତରେ ଅନେକ ପ୍ରେମ ସମ୍ଭାଷଣ। ଭଲ ପାଇବାର ନାଟକବାଜି। ଲେଡିଜ ହଷ୍ଟେଲ ଆଡକୁ ଥିବା ସତୀ ଚଉଁରା ପାଖ ଇଁଙ୍କଲ ପଟାସ ଗଛ ମୂଳେ ଘଣ୍ଟା ଘଣ୍ଟା ଧରି ଗପର ସୁଅ, ପାର୍କ ଭ୍ରମଣ, ସିନେମା ଦେଖା, କ୍ୟାଣ୍ଟିନରେ ଖିଆପିଆ, ଗୁପ୍ ଚୁପ୍ ଓ ଦହିବରା ଟଲି ଆଗରେ ହସାହସି ଏବଂ ନୋଟ୍ ଓ ବହି ଦେବା ନେବାର ମିଛି ନାଟକ ଭିତରେ ପ୍ରେମ ଭାବର ବିନିମୟ। ବେଶ୍ ଜମୁଥିଲା। ସମୟଟା କେଉଁ ବାଟେ ଅତିବାହିତ ହୋଇଯାଉଥିଲା ଆଦୌ ଜଣାପଡୁ ନଥିଲା।
ହଠାତ୍ ଏହି ମୋହଟା ମୋର ଭାଙ୍ଗି ଯାଇଥିଲା ସେଦିନ ଫେରୱେଲ୍ ମିଟ୍ ଦିନ, ଯେତେବେଳେ ପ୍ରତାରଣାରେ ହେଲି ଶୀକାର। ସୁବିଧା ଉଣ୍ଡୁଥାଏ ସରୋଜିନୀ ସହିତ କଥା ହେବାକୁ।କାରଣ ଆଉ ପ୍ରତ୍ୟେହ ଆମ ଦୁଇଜଣଙ୍କର ଦେଖା ସାକ୍ଷାତ୍ ହେବ ନାହିଁ। ଦେଖା ହେଲେ ବି ହୁଏତ ଏମିତି ସୁଯୋଗ ମିଳି ନ ପାରେ ହୃଦୟ ଖୋଲି ଦୁଇ ପଦ କଥା ହେବାକୁ।
ଏତେ ଭଲ ପାଇବା ଭାବ ଦିଆନିଆ ଭିତରେ ମୋ ଭିତରେ ତ ସରୋଜିନୀ ପାଇଁ ଗଭୀର ପ୍ରେମାନୁରାଗ ସୃଷ୍ଟି ହୋଇ ସାରିଥାଏ। ହେଲେ କେହି କାହାକୁ କହି ପାରି ନଥାଉ।ଭାବିଲି – ଆଜି ନିଶ୍ଚୟ କହିବି – “I love you”. କାରଣ ସରୋଜିନୀ ବିନା ମୁଁ ବଞ୍ଚି ପାରିବି ନାହିଁ। ସେ ହିଁ ମୋର ଭଲ ପାଇବା, ମୋର ସମସ୍ତ ପ୍ରେମ ଓ ସେ ହିଁ କେବଳ ମୋର ଜୀବନସାଥୀ। ହେଲେ ସାହସ ହେଉ ନଥଏ କହିବାକୁ। ସୁଯୋଗ ଦେଖି କହିଲି – “ସଜୁ! କାଲିଠାରୁ ତ ଆମର ଆଉ ଦେଖା ସାକ୍ଷାତ୍ ହୋଇ ପାରିବନି। ଗୋଟେ କଥା ପଚାରିବି କହିବ? ସତ କହିଲ! ତୁମେ ମୋତେ ଭଲ ପାଅ?” ସଜୁ କହିଲା – “ଆରେ ବୁଦୁ! ସେଇଟା କ’ଣ ଆଉ କହିବାକୁ ବାକି ଅଛି? ସତରେ ମୁଁ ତୁମକୁ ବହୁତ ଭଲ ପାଏ।” ସେତେବେଳକୁ ଖୁସିରେ ମୋର ସୀମା ନଥାଏ। ହୃଦୟରେ ପ୍ରେମ ଭାବ ବିଗଳିତ ହେଉଥାଏ। ମନେ ମନେ ଖୁସିରେ ନାଚି ଉଠୁଥାଏ।
ଠିକ୍ ଏହି ସମୟରେ ଆମ ଫୁସୁର ଫାସୁର କଥାବାର୍ତ୍ତା ଦେଖି ମନୋଜର ଇର୍ଷା ହେଲା କି କ’ଣ ସେ ସଜୁକୁ ଭିଡ଼ି ନେଲା ଆମ ଡିପାର୍ଟମେଣ୍ଟର ଏକ ଆଢୁଆଳ ଯାଗାକୁ। ଆଉ ସେଇ ଏକ ପ୍ରେମ ସମ୍ଭାଷଣ ଓ ପ୍ରଶ୍ନ। ଉତ୍ତରରେ ସଜୁ ମନୋଜକୁ କହୁଥାଏ – “ଆରେ ବୁଦୁ! ଏ କଥାଟା କ’ଣ ମୁହଁ ଖୋଲିକି କହିବାକୁ ପଡ଼ିବ? ମୁଁ ତୁମକୁ ବହୁତ ବହୁତ ଭଲ ପାଏ। ଆଇ ଲଭ୍ ଇଉ ଡାର୍ଲିଙ୍ଗ” । ମୁଁ କୌତୁହଳ ବଶତଃ ଅନତି ଦୂରରେ ରହି ସବୁ ଶୁଣିଥାଏ ଓ ମନେ ମନେ ବିସ୍ମିତ ହେଉଥାଏ। ମିଟିଂ ସରି ସରି ଆସୁଥାଏ ମୋ ମନରେ ସରାଗ ନଥାଏ। ଖାଲି ଭାବୁଥାଏ ଭଲ ପାଇବାର ସ୍କୋୟାର ବା ଟୁ ଦି ପାୱାର 2 କୁ ନେଇ। ମିଟିଂ ଶେଷ ହେଲା ବେଳକୁ ପ୍ରଦୀପ ଡାକି ନେଲା ସଜୁକୁ ଆମ କଲେଜ ଛାତ ଉପରକୁ। ଆଉ ସେହି ଏକା କଥା ସଜୁକୁ ପଚାରିଲା। ସଜୁ ହସିହସି ପ୍ରଦୀପ ଗଳାରେ ଓହଳି ପଡି କହୁଥାଏ – “ମୁଁ ତୁମକୁ ବହୁତ ବହୁତ ବହୁତ (ବହୁତ 3)ଭଲ ପାଏ ।ଆଉ ମୁଁ କେବଳ ତୁମର, ଯଦି କାହାର ଜୀବନ ସଙ୍ଗିନୀ ମୁଁ ହୁଏ, ତାହେଲେ ଖାଲି ତୁମର।”
ଏ କଥାଟା ମଧ୍ଯ ମୁଁ ଶୁଣିବାକୁ ସକ୍ଷମ ହୋଇଥିଲି ଯେତେବେଳେ କି ନୁଆଁଣିଆ ଆକାଶଟା ମୋ ମୁଣ୍ଡ ଉପରେ ଛିଡି ପଡୁଥିଲା। ମନ ରାଇଜରେ ଭାବାନ୍ତରିତ -” ଏ ପ୍ରେମିକା ନା ରୂପଜୀବି?” ହେଲେ ଭାବିବାକୁ ମୋ ପାଖରେ ବେଳ ନଥାଏ। କାରଣ ପରୀକ୍ଷାଟା ମୁଣ୍ଡ ଉପରେ। ଦୀର୍ଘ ଦୁଇ ବର୍ଷ ଗଲା ପ୍ରେମ ବେପାରରେ। ଆଉ ରହିଲା ମାତ୍ର ଗୋଟିଏ ମାସର ବ୍ୟବଧାନ। ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ହେବ। କୃତକାର୍ଯ୍ୟ ନ ହୋଇ ପାରିଲେ ସମସ୍ତ ସ୍ଵପ୍ନ ଅସାର ସାବ୍ୟସ୍ତ ହେବ । ଚେତନାଟା ହଜାଇ ଖୋଜି ପାଇଲି। ଏଣିକି ପାଠ ପଢ଼ାରେ ଧ୍ୟାନ ବାଣ୍ଟି ହୋଇଗଲା। ହେଲେ ପ୍ରେମରେ ‘ବହୁତ’ ଓ ‘ବହୁତ’ ର ସ୍କୋୟାର ଓ ‘ବହୁତ’ ର ଟୁ ଦି ପାୱାର କ୍ୟୁକୁ ନେଇ ମୋ ଅଙ୍କ କଷା ସରୁ ନଥାଏ। ଏବେ ବି ଅଙ୍କଟା ଅଛିଣ୍ଡା ହୋଇ ରହି ଯାଇଛି
ମୋ ପ୍ରେମରେ ଲାଗିଲା ନିଆଁ
ମୋ ମୁଣ୍ଡରେ ପଶିଲା ଭୁଆଁ।।
3.ଇଏ ବି ଗୋଟେ ପ୍ରେମ
ଶୁଣିଥିଲି ପ୍ରେମ ଯୁବା ଅବସ୍ଥାରେ ହୁଏ। ହେଲେ ପରିଣତ ବୟସରେ କି ପ୍ରେମ କି ହୋ! ପ୍ରେମ ନା ମାନସିକ ବିକୃତି?
ଆମ ଘର ପାଖରେ ଆଜ୍ଞା ଘରକୁ ଘର ପରା ଲାଗିଛି, ବୁଢ଼ାଟିଏ ରହୁଥାଏ। ନା.. ବୁଢ଼ା କହିଲେ ଭୂଲ ହେବ। କାରଣ ତାଙ୍କ ଭଳିଆ ରସିକ ନାଗର କ’ଣ ଏ ଦୁନିଆରେ କେହି ଅଛନ୍ତି? ବୟସ ଷାଠିଏ, ହେଲେ କ’ ଣ ହେବ ଆଜ୍ଞା! ଏବେ ଏବେ ପରା ସରକାରୀ ଦପ୍ତରରୁ ଛୁଟି ନେଇଛନ୍ତି – ମାନେ ରିଟାର୍ଡେ। ହେଲେ ବୁଢ଼ାର ଯୁବ ସୁଲଭ ଗୁଣ ଭାରି। ମୁଣ୍ଡ ବାଳ ଓ ନିଶ ସବୁବେଳେ କଳା। ଦେହରେ ପୁଳାଏ ଖଣ୍ଡ ପରଫ୍ୟୁମର ବାସ୍ନା। ଖଣ୍ଡେ ବାଟକୁ ମହକି ଆସେ। ଧୋବ ଫରଫର ଇସ୍ତ୍ରି ଦିଆ ଲୁଗା, କୋଉଠି ଖୁଞ୍ଚ ଟିକିଏ ଲାଗି ନଥିବ କି କୁଞ୍ଚା ହୋଇ ନଥିବ। ଭାରି ପରିଷ୍କାର ଲୋକଟା। ସଫାସୁତରା ବୋଇଲେ ଯାହାକୁ କହନ୍ତି ସଫା। ବୁଢ଼ା ଏମିତି କି ଖାଦ୍ୟ ଖାଉଛି କେଜାଣି? ଚେହେରାଟା ପରା ପୂରା ଫୁଟି କି ଦିଶୁଛି। ସତେ କି ଦେହରୁ ତେଲ ନିଗିଡି ପଡୁଛି। ଚମ ଗୁଡ଼ାକ ବି ଏଯାଏଁ ଧୁଡୁକା ହୋଇ ନାହିଁ। ସେ କହେ – “ମୁଁ ଟୋକା, ମୋତେ ଡାକିବନି କେହି ବୁଢ଼ା। ଏବେ ବି ମୋତେ ବାହା ହେବା ପାଇଁ ପରା ଟୋକୀଙ୍କର ଲମ୍ବା ଲାଇନ୍ ଲାଗିଛି। ମୋର ଏମିତି ବୟସ କ’ଣ କି? ମୋତେ ଆଉ ଥରେ ବାହା କରି ଦେଲେ ପରା ମୁଁ ବାହା ହୋଇଯିବି।”
ବୁଢାଙ୍କର କଥା ଶୁଣି ମୋ ହୋସ୍ ଉଡି ଯାଉଥାଏ। ଏଟା ସତରେ ମଣିଷ ନା ଜାନୁଆର? ନିଜ ପୁଅ ଝିଅ ବାହା ହୋଇ ନାତି ନାତୁଣୀ ଖେଳେଇଲେଣି, ବୁଢ଼ା କହୁଛି କ’ଣ ନା ଆଉ ଗୋଟେ ବାହା ହେବ। ମନେ ମନେ ହିରୋ ତ। ଏମାନଙ୍କର କ’ଣ କାମଧନ୍ଦା କିଛି ନାହିଁକି, ଖାଲି ବାହାଘରକୁ ନେଇ ଚିନ୍ତା। କି ହୋ ଭାଇ! ଜୀବନ ତମାମ ତ ଚାକିରୀ କଲ, ଯାହା ମାରି ମୁରା କି ପୁଳାଏ ଖାଇଲ ପୁଣି ପର ଧନ ଓ ପର ଦାର ପ୍ରତି ଏତେ ଲୋଭ?
ବୁଢ଼ାଟା କ’ଣ କମ୍ ଖରକାଣ୍ଡୁଆ କି? ଯଦି ପଦେ ଅଧେ କହି ଦେଲ କି ପଚାରି ଦେଲ ତାହେଲେ କଥା ସରିଲା। ତୁମ ଇଜ୍ଜତ୍ ହକାଳି ଦେବ। ଖାଲି ତ ଖିଙ୍କାରି ଗୋଡାଇ ଆସିବ ତାକୁ କଥା କ’ଣ କହିବ? ବଡ଼ ଅଜବ ଲୋକଟା ।ଭଲ ଦଶା ଦିଆ ମଣିଷ ଏଠି ଘର କଲା ଯେ, ଏଭଳି ଲୋକଙ୍କ ହାବୁଡରେ ପଡ଼ିଲା। ଏଭଳି ଗଣ୍ଡେ ଛଅଟା ଲୋକଙ୍କୁ ଯଦି ପଡ଼ିଶା ରୂପେ ପାଇଲ ନା, ତାହେଲେ କପାଳ ଫାଟିଲା ଜାଣ। କି ପାଗ ଯୋଗରେ ବୁଢ଼ାଟା ଜନ୍ମ୍ ହୋଇଥିଲା କେଜାଣି, ସେ ନିଜେ ଶାନ୍ତିରେ ତ ରହିବ ନାହିଁ ହେଲେ ଲୋକଙ୍କୁ ବି ଶାନ୍ତିରେ ରଖେଇ ଦେବ ନାହିଁ। ଖାଲି ଅହରହ ଗଜର ଗଜର ହେଉଥିବ, ପାଟି ତୁଣ୍ଡ କରି କମ୍ପାଉ ଥିବ। ଖାଲି ଯେତେବେଳେ ଦେଖିବ ବକର ବକର। ଭାରି କଳିହୁଡା ଲୋକଟା ।ଯାହା ସାଙ୍ଗରେ ଦେଖିବ ଗୋଟେ କଳି କରୁଥିବ ସେ ଘର ଲୋକ ହେଉ କି ପର ଲୋକ। ଏମାନଙ୍କର ଆଜ୍ଞା ପ୍ରକୃତି ଏୟା ଏମାନେ କରିବେ କ’ଣ? ପର ନିନ୍ଦା ପର ଚର୍ଚ୍ଚା ନକଲେ ଏମାନଙ୍କର ଭାତ ହଜମ ହେବ ନାହିଁ। ୟାହାପ ୟାଙ୍କ ଉପରେ ରାଧା ଚଡକ ପଡନ୍ତା କି? ବୁଢ଼ାଟା ଭାରି କୂଟକପଟିଆ ମତଲବବାଜକୁ ମତଲବବାଜ, ଧୋକାବାଜକୁ ଧୋକାବାଜ। ପର ଘରର ଛିଦ୍ର ସବୁ ୟା ତା ପାଖରେ ଗାଇବା ଅଭ୍ୟାସ। କାହା ଘରେ ଯଦି ଫାଟ ଦେଖିଲା ସେଠିକୁ ଗଳି ଯିବ। ସୁଦ କଳିହୁଡା ନାରଦ। କଥାକୁ ପାଞ୍ଚ କଥା କରିବ। କୁହନ୍ତି ନାହିଁ! ନଷ୍ଟସ୍ଯ କାନସ୍ୟ ଗତି ।ଏମାନଙ୍କର ଧନ୍ଦା ହେଲା ପରା ସେୟା। ନିଜେ ତ ବୁଡିବେ ବୁଡିବେ ଆଉ ତିନି ଜଣଙ୍କୁ ସାଙ୍ଗରେ ଧରି ବୁଡାଇ ମାରିବେ। ୟାଙ୍କ ସଂସର୍ଗ ଆଜ୍ଞା ଭାରି ଖରାପ। ୟାଙ୍କୁ ଆଜ୍ଞା! ଦୂରୁ ଜୁହାର। ମନେ ମନେ ଭାବୁଥାଏ – ବୁଢ଼ାଟା କୋଉଦିନ ପାନେ ପାଆନ୍ତା କି, ଏକାବେଳକେ ଅଠା ଟାଇଟ୍ ହୋଇ ଯାଆନ୍ତା, ଆଉ ପାଟି ଫିଟାନ୍ତା ନାହିଁ।ହେଲେ ପରା ଚୋରଙ୍କୁ ସାତ ଖୁଣ ମାଫ। ମାନେ ଏମାନେ କ’ଣ ସହଜରେ ଖାଲରେ ପଡିବେ କି? ହଉରେ ପୁଅ! ତୋ ବେଳକାଳ ତ ଏବେ ପଡ଼ିଛି, କେତେ ଦୂର ରଙ୍ଗ ହେଉଛୁ ହୋଉଥା। ଯେତେବେଳେ ଅଯାଗାରେ ଘା’ ହେବ ନା ସେତେବେଳେ ପୁଅ ବୁଝିବ। କାହାକୁ ଦେଖେଇ ପାରିବୁ ନା କହି ପାରିବୁ, ଖାଲି ଆଖି ମଳି ମଳି ଗୁମୁରି କାନ୍ଦିବୁ।
ସତେ ସତେ କ’ଣ ହୋଇଛି କି, କ’ଣ ବୁଢ଼ା ଘର ଆଗେ ଏତେ ଲୋକ? ମୁଁ ଯାଇଁ ଦେଖେ! କ’ଣ ହୋଇଛି। ଇଲୋ ବୋପାଲୋ! ବୁଢାର ତାହେଲେ ଏତେ ଗୁଣ। ଉଁ.. ହୁଁ.. ଟୋକା ଯେମିତି କିଛି ଜାଣିନି, ସୁନା ପିଲା ଭଳିଆ ବୁଢ଼ା କ’ଣ ଗୋଟେ କୋଣରେ ମୁହଁ ଲୁଚାଇ ବସିଛି? ବୁଝୁ ବୁଝୁ ଏତେ କଥା? ହୁଁ.. ହେବ ନାହିଁ କେମିତି, ବୁଢ଼ା ପରା ରସିକ ନାଗରଟି। ପର ଘର ଛିଦ୍ର ସବୁବେଳେ ଗାଉଥିଲା, ଏବେ ନିଜ ଗୁଣ ଗାଉନି?
ଏଥର ଘଟଣାଟା ଟିକିଏ ଫିଟେଇ କହିବା, ନୋହିଲେ ଘଟଣାଟା ଠିକ୍ ସେ ବୁଝା ପଡୁ ନାହିଁ। ହୋଉ ଶୁଣନ୍ତୁ –
ହଠାତ୍ ସେଦିନ ପାଟି ତୁଣ୍ଡ ଶୁଭିଲା, ସମସ୍ତେ ଦୌଡ଼ାଦୌଡ଼ି ହୋଇ ପଡ଼ିଶାଙ୍କ ଘର ଆଗେ ରୁଣ୍ଡ ହୋଇଗଲେ। ମୁଁ କିଛି ଘଟଣାଟା ବୁଝି ପାରୁନଥାଏ। ହେଲେ ଏ ଲୋକ ଗୁଡ଼ାକ ଏମିତି ପାଟି କରୁଥାନ୍ତି କାହିଁକି? ବୁଝୁ ବୁଝୁ ଘଟଣାଟା ଭିନ୍ନ୍ ପ୍ରକାରର। ହଁ ସତରେ… ଶୁଣିଲେ ଆପଣ ମାନଙ୍କର ବି ମୁଣ୍ଡ ଘୂରାଇବ।
ସେଦିନ ଗୋଟେ ଶୀତୁଆ ସକାଳ ହୋଇଥାଏ କୁକୁର ଗୁଡ଼ାକ ଖାଲି ୟା ଓଳି ତା ଓଳି ତଳେ ମୁଣ୍ଡ ଗୁଞ୍ଜୁଥାନ୍ତି, ନୋହିଲେ ହଳି ହଳି ହୋଇ ଶୀତରେ କୁକୁର କାକୁର ହୋଇ ଲାଞ୍ଜ ଯାକୁଥାନ୍ତି। ଶୀତର ପ୍ରକୋପ ସହି ହେଉ ନଥାଏ, ଭାରି ଜାଡ ।ତଥାପି ବାସିକାମ ସାରି, ଯିଏ ଯୁଆଡେ ନିଜ ନିଜ କାମ ଧନ୍ଦାରେ ଚାଲି ଯାଇଥାନ୍ତି। ପଡୋଶୀ ଘରେ ସ୍ତ୍ରୀ ଲୋକଟିଏ ଏକୁଟିଆ ରହୁଥାଏ। ସ୍ଵାମୀ ତା’ର ବିଦେଶରେ। ସେଦିନ ଜାଡୁଆ ଶୀତ ଯୋଗୁ ସେ ବିଳମ୍ବରେ ଗାଧୋଇ ପାଧୋଇ ମୁଣ୍ଡ ବାଳ ଛାତ ଉପରେ ଖରାରେ ଶୁଖାଉ ଥିଲା। ମୀନ କେତନ ବାବୁ ମାନେ ବୁଢ଼ା ଛପି ଛପି ତାଙ୍କର ମୁକୁଳା ପଣକୁ ଉପଭୋଗ କରୁଥାଏ। ମଝିରେ ମଝିରେ ଗଳା ଖଙ୍କରା ମାରି କ’ଣ ମଧ୍ୟ ଈଶାରା କରୁଥାଏ। ସ୍ତ୍ରୀ ଲୋକଟା ସବୁ ଜାଣି ପାରୁଥାଏ। ଚିଡ଼ିକି “ଡାକିନୀ ଖିଆ, ଯୋଗିନୀ ଖିଆ, ଘର ପଶା, ଓଲିଆ ବଳଦ ମରୁ ନାହୁଁ ନା!” ଗାଳି ମଧ୍ଯ ଦେଉଥାଏ। ହେଲେ ବୁଢ଼ାକୁ ବେଶୀ କିଛି ଫରକ୍ ପଡୁ ନଥାଏ। ଓଲଟା ଖିଲି ଖିଲି ହସୁଥାଏ। କାହିଁକି ନା ରସିକ ନାଗର ନା, ସୁଦ ବେହିଆଟା। ତା ମୁହଁକୁ ଲାଜ ଅଛି ନା ସରମ। ଆହୁରି ଗୁଣୁଗୁଣୁ ହୋଇ ଗୀତ ଗାଉଥାଏ ନା – “ପ୍ରେମ ପରା ମାନେ ନାହିଁ ବାଧା ବନ୍ଧନ, ନାହିଁ ଟୋକା ନାହିଁ ବୁଢ଼ା ସବୁ ଏଠି ଗଜାଳିଆ ଟୋକା।” ସ୍ତ୍ରୀ ଲୋକଟା ଏ ମାଙ୍କଡ଼ର ପ୍ରଦୁର୍ଭାବରୁ ରକ୍ଷା ପାଇବା ପାଇଁ ବାଧ୍ଯ ହୋଇ ଘର ଭିତରକୁ ପଳେଇ ଗଲା। ହେଲେ ବୁଢ଼ା ମନ କି ଥୟ ଧରେ? ସୁଯୋଗ ଉଣ୍ଡୁଥିଲା ତା ଘରେ ପଶିବାକୁ। ଟିକିଏ ଯେମିତି ନିରୋଳା ପାଇଲା, ସନ୍ତର୍ପଣ ସହକାରେ ତା ଘର ଡଦରୱାଜା ବାଡେଇଲା। ଯେମିତି ସେ ଘର କବାଟ ଖୋଲିଛି, ଅତର୍ଚ୍ଛା ତା ଘରେ ପଶି ଯାଇ ତା ଉପରକୁ ଝାମ୍ପି ପଡିଲା। ହେଲେ ସ୍ତ୍ରୀ ଲୋକଟାକୁ ଆଉ କିଏ ସମ୍ଭାଳେ ବା ? ସେ ପାଟି କରି ଉଠି ହାତରେ ପନିକିଟେ ଧରି ଗୋଡାଇଲା। ବୁଢ଼ା ଆଗେ ଆଗେ ସେ ପଛେ ପଛେ, ଗାଳି ବର୍ଷୁ ଥାଏ – ହଇରେ ଅଳପେଇସା! ମରୁନୁ ନା,ଛୁଆ ପିଲା, ନାତି ନାତୁଣୀ କମେଇଲୁଣି, ତଥାପି ତୋର ଛତରା ଗୁଣ ଯାଇ ନାହିଁ ନା… ଇତ୍ୟାଦି ଇତ୍ୟାଦି ଅନେକ ଗାଳି। ଲୋକ ସବୁ ଜମି ଗଲା ପରେ “କ’ଣ ହେଲା କ’ଣ ହେଲା” ପଚାରି ବସିଲାଠୁଁ କଥାଟାର ପର୍ଦ୍ଦା ଫ୍ଳାସ୍ ହେଲା।
ସେତେବେଳକୁ ବୁଢାର ପ୍ରେମ ନିଶା ପୂରାପୂରି ଛାଡ଼ି ଯାଇଥାଏ। ଲଜ୍ଜ୍ୟା ଓ ଅପମାନ ଭୟରେ ମୁହଁ ଲୁଚାଇ ଆଢୁଆଳରେ ଛିଡା ହୋଇଥାଏ। ଘର ଲୋକ କୋଉ ଛାଡିଲେ କି? ସ୍ତ୍ରୀଠୁଁ ଆରମ୍ଭ କରି ଝିଅ ବୋହୂ ପର୍ଯ୍ୟନ୍ତ ବୁଢ଼ାକୁ ଛି ଛାକର କରୁଥାନ୍ତି। ବୁଢ଼ା ଖାଲି ବରଡା ପତର ପରିକା ଥରୁଥାଏ।
ସେହିଦିନୁ ବୁଢ଼ା ମୁହଁ ଲୁଚାଇ ଘର ଭିତରେ ପଶିଛି ଯେ ପଶିଛି । ୟା ଭିତରେ ଅନେକ ଦିନ ବିତି ଗଲାଣି। ମୁଁ କାହିଁ ରାସ୍ତା ଘାଟରେ ତାକୁ ଆଉ ଦେଖୁ ନାହିଁ।
4.ମୋନା ଓ ସୋନା
ମୋନା ଓ ସୋନା ଦୁଇଟି ଆତ୍ମିକ ସତ୍ତା, ସେମାନେ ହୋଇପାରନ୍ତି ସ୍ତ୍ରୀ ଅବା ପୁରୁଷ, ଅବା ଦୁଇଟି ପ୍ରାଣୀ, କିନ୍ତୁ ପରସ୍ପରେ ଭଲ ପାଆନ୍ତି । ପରସ୍ପରକୁ ଖୁବ୍ ବେଶୀ ଭଲ ପାଆନ୍ତି-ଜଣେ ଅନ୍ୟ ଜଣଙ୍କୁ ନିଜଠୁଁ ଅଧିକା।ବୁଝିବାକୁ ଗଲେ ଏକେ ବିନା ଆରକର ସ୍ଥିତି ପ୍ରାୟତଃ ଅସମ୍ଭବ। ତେଣୁ ସେମାନେ ଭଲ ବାନ୍ଧବୀ।ସମ୍ପର୍କଟା ଅତି ଉତ୍ତମ । ଉଭୟେ ସ୍ପୋର୍ଟ୍ସ ହଷ୍ଟେଲରେ ରହନ୍ତି। ପଡ଼ିଆରେ ଖୁବ୍ କସରତ କରନ୍ତି। ଆଗାମୀ ଦିନର ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତି। ପଡ଼ିଆରେ ଥିଲା ବେଳେ ଉଭୟ ଉଭୟଙ୍କର ପ୍ରତିଯୋଗୀ, ମାତ୍ର୍ ରୁମ୍କୁ ଫେରି ଆସିଲା ପରେ ପରସ୍ପର ପରସ୍ପରକୁ ଭଲ ପାଆନ୍ତି, ସୁଖ ଦୁଃଖରେ ସାମିଲ ହୁଅନ୍ତି। ନିଜ ମନୋଭାବ ଉଭୟ ଉଭୟଙ୍କୁ ବିନିମୟ କରିଥାନ୍ତି। ଜଣଙ୍କର ସମସ୍ୟା ଅନ୍ୟ ଜଣଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ଉଭୟଙ୍କ ସମ୍ପର୍କର ନିଗଢ ବନ୍ଧନ ଅନ୍ୟ ମାନଙ୍କ ହୃଦୟରେ ଇର୍ଷାର ପ୍ରଦୀପ ଶିଖା ପ୍ରଜ୍ଜ୍ଵଳନ କରୁଥାଏ। ଏମିତି କେଉଁ ପାଗ ଯୋଗରେ ସେମାନେ ବାନ୍ଧବୀ ହେଲେ କେ ଜାଣି ଜଣେ ଅନ୍ୟ ଜଣଙ୍କୁ ଦଣ୍ଡେ ନଦେଖିଲେ ଅନ୍ତରରେ ଉଦ୍ୱେଳନ ସୃଷ୍ଟ ହୁଏ, କେହି କାହାକୁ ଛାଡ଼ି ମିନିଟିଏ ରହି ପାରନ୍ତି ନାହିଁ। ଜଣଙ୍କ ପାଇଁ ଅନ୍ୟ ଜଣଙ୍କ ହୃଦୟ ବିଗଳିତ ହୁଏ । ହୃଦୟ ତନ୍ତ୍ରିରେ ପ୍ରେମ ଭାବ ଶିକ୍ତ ହୁଏ, ପ୍ରବହମାନ ହୁଏ ପ୍ରେମର ଅମନ୍ଦ ମନ୍ଦାକିନୀ। ଦୁଇଟି ଆତ୍ମା ଗୋଟିଏ ପ୍ରାଣ। ଯେତେବେଳେ ଦେଖିବ ଦୁଇଜଣଙ୍କୁ- ଏକାଠି । ଇଏ କି ପ୍ରକାରର ବନ୍ଧୁତା? ଜଣଙ୍କୁ ଛାଡ଼ି ଆଉ ଜଣଙ୍କର ସ୍ଥିତି ଅସମ୍ଭବ, ଅପରିକାଳ୍ପନୀୟ।
ଆଜି ଉଭୟଙ୍କୁ କ୍ରୀଡା ଜଗତରେ ଯଥେଷ୍ଟ ସମ୍ମାନ ମିଳିଛି।, ତା ‘ସହିତ ସରକାରୀ ଚାକିରୀ ବି। ହାତକୁ ଅର୍ଥ, ପ୍ରତିପତ୍ତି, ସମ୍ମାନ ସବୁ ଆସିଛି ।ଉଭୟଙ୍କ ପରିବାର ଚାହୁଁଛି ଭଲ ଘର ଦେଖି ଭଲ ଲଗ୍ନରେ ଉଭୟଙ୍କର ବାହାଘର କରିଦେବାକୁ, ଯେପରି ସେମାନଙ୍କର ଉଜ୍ଜ୍ଵଳ କ୍ରୀଡା ଭବିଷ୍ୟତରେ କିଛି ଆଞ୍ଚ ନ ଆସିବ। କାରଣ ବାହାଘରର ପୁଣି ଗୋଟେ ସମୟ ସୀମା ଅଛି ନା, ବୟସ ଗଡେଇ ଲାଭ କ’ଣ, ଲୋକେ କ’ଣ କହିବେ ? କହିବେ – “ଦେଖ ହୋ! ଅମକେଇ ଲୋକ ସ୍ୱାର୍ଥାନ୍ଧ ହୋଇ ତା’ ଝିଅକୁ ବାହା କଲା ନାହିଁ, ଏ ଅପଯଶ ମୁଣ୍ଡେଇ ହେବ ନାହିଁ, ଡେରି କଲେ ଆଗକୁ ହୁଏତ ବେଶୀ ସମସ୍ୟା ସୃଷ୍ଟି ହୋଇପାରେ, ଯେଉଁ ସମସ୍ୟାରୁ ନିସ୍କୃତି ମିଳିବା କାଠିକର ପାଠ” । ତେଣୁ ଘର ଲୋକଙ୍କର ପ୍ରସ୍ଥାବ ଆଗତ – ବାହାଘର ପ୍ରସ୍ଥାବରେ ହଁ ଭରିବାକୁ ଓ ଦେଖାଦେଖି ପର୍ବକୁ ଆଗକୁ ବଢାଇବାକୁ ।
ମାତ୍ର୍ ଏ ବିବାହ ପାଇଁ ଏ ଦୁଇ ଜଣଙ୍କର ଟାଳଟୂଳ ନୀତି ପରିବାର ବର୍ଗକୁ ଚିନ୍ତାରେ ପକାଇ ଦେଇଥାଏ। କାରଣ ଜାଣିବାକୁ ସମସ୍ତଙ୍କ ମନରେ ବ୍ୟଗ୍ରତା ଓ ଉତ୍ସୁକତା ଭରି ଯାଇଥାଏ। ପୁଣି ପିଲା ପିଚିକା କଥା , କାଳେ କୁଆଡେ ପ୍ରେମ ବେପାର ବା ଲଭ୍ ଆଫାୟାରରେ ଫଶି ଯାଇଥିବେ। ଏଭଳି ଆଶା ଓ ଅକାଂକ୍ଷାରେ ଚିତ୍ତଲୋକ ଶିହରିତ ହୋଇଉଠୁଥାଏ। ତେଣୁ ମନରେ ଉପୁଜୁଥାଏ ଡର – ସନ୍ଦେହ ଐନ୍ଦ୍ରଜାଲ। ଯେତେ ଫୁସୁଲେଇ କି ପଚାରିଲେ ମଧ୍ଯ କଥାଟାର ଗୁମର ଫିଟୁନଥାଏ। ଝିଅ ପିଲା କଥା, ଅଧିକ ଚାପ ପ୍ରୟୋଗ କଲେ , କାଳେ କିଛି କାଣ୍ଡ ସୃଷ୍ଟି କରିବେ, କାରଣ ଏମାନେ ତ ଭାରି ଇମୋସନାଲ୍ ମାନେ ଭାବପ୍ରବଣ। ତେଣୁ ପରିବାର ଲୋକ କିଛି ବେଶୀ କହି ପାରୁନଥିଲେ। ମନରେ ଦୁର୍ଭାବନା ପଶୁଥିବାରୁ ବିରକ୍ତ ହେଉଥାନ୍ତି ଓ ଚିତ୍ତ ଚାଞ୍ଚଲ୍ଯ ସୃଷ୍ଟି ହେଉଥାଏ।
ମୋନାଟା ଟିକିଏ ସିଧା ସଳଖ ଝିଅଟା, ଯାହା କହେ ମୁହଁରେ କହେ। ତେଣୁ ସେ ରୋକଠୋକ୍ କହି ଦେଇଥାଏ – “ତୁମେମାନେ ମୋ ବାହାଘର ଚିନ୍ତା କର ନାହିଁ, ଠିକଣା ସମୟରେ ମୋ ନିଜ ନିଷ୍ପତ୍ତି ମୁଁ ନିଜେ ନେବି। ସେଥିରେ ତୁମର କାହାରି କିଛି ମୁଣ୍ଡ ଖେଳେଇବା ଦରକାର ନାହିଁ”। ଘର ଲୋକଙ୍କର ସେଇଦିନୁ ପାଟି ଫିଟୁନାହିଁ- ତାକୁ କିଛି କହିବା ପାଇଁ। ତାକୁ କିଏ କ’ଣ କହିବ ଲୋ ମାଆ! କିଛି ଯଦି କହିଲ ତେବେ ମଲ, ସେ ଖାଲି ଫଁ ଫଁ କରି ଗୋଡେଇ ଆସିବ, ଘଟଣାଟା କିଛି ବୁଝିବ ନାହିଁ, ଏଟା ପରା ଆଜ୍ଞା ଅଣ୍ଡରା ଚାଣ୍ଡି ତେଣୁ କହି ଲାଭ ନାହିଁ, ଓଲଟା ଅପଦସ୍ତ ହେବାକୁ ହିଁ ପଡିପାରେ। ସେ ତା’ର ଯାହା ଇଛା ସେୟା କରୁ, ଆମର ତା’ କଥା ଆଲୋଚନା କରି ଲାଭ ନାହିଁ। ଆମେ ସିନା ତା’ଭଲ ପାଇଁ ଏତେ କଥା ଚିନ୍ତା କରୁଥିଲେ, ହେଲେ ସେ ବୁଝିଲେ ତ ହୁଏ? ପୁଣି ପରିବାରଟା ତା’ରି ଉପାର୍ଜ୍ଜନ ଉପରେ ନିର୍ଭର କରିଥାଏ। ଘରକୁ ଆଉ ଗୋଟେ କେହି ରୋଜଗାରିଆ ପୁଅ ଥିଲେ ତ ଯାହା। ତାକୁ କିଛି କହିଲେ ଏଇଲାଗେ ଅଘଟଣ ଘଟିବ। ତେଣୁ ସମସ୍ତଙ୍କ ପାଟି ଚୁପ୍- ମାନେ ଏକଦମ୍ ଚୁପ୍।
ଅନ୍ୟ ପଟେ ସୋନା। ସୋନା ପରିବାରବାଲେ କିନ୍ତୁ ଥୟ ଧରୁ ନଥା’ନ୍ତି। ଅଥୟ ହୋଇ ଖାଲି ଥେଇ ଥେଇ କରୁଥାନ୍ତି-ବାହାଘର ପାଇଁ ସମ୍ମତି ପ୍ରଦାନ କରିବାକୁ । ଲାଜକୁଳୀ ସୋନା ବଡ଼ ଅଡୁଆରେ ପଡିଗଲା। ମୁହଁ ଖୋଲି କିଛି କହି ପାରୁ ନଥାଏ। ଏପଟେ ମୋନାକୁ ବାହା ହେବାର ନିଷ୍ପତ୍ତିଟା ସାମାଜିକ ବିଧି ବ୍ୟବସ୍ଥା ଓ ପାରମ୍ପାରିକ ନୀତି ଗତିର ବିରୁଦ୍ଧାଚରଣ କରୁଥାଏ। ଘଟଣାଟିକୁ ସଙ୍ଗିନୀ କରି ଗଢି ତୋଳିଥାଏ, ଯାହା ଅଡୁଆ ସୁତା ପରି ଭାରି କିଟିମିଟିଆ। ପରିସ୍ଥିତି ଅଡୁଆ। ମୁଣ୍ଡ ବାଳର ଅଡୁଆ ଖିଅ ପରି ଜଟିଳ। ଶେଷରେ ହିମ୍ମତ ନହାରି ନିଷ୍ପତ୍ତିଟିକୁ ଜଣେ/ ଦୁଇ ଜଣ ପରିବାର ଲୋକଙ୍କ ଆଗରେ ପ୍ରତ୍ୟେକ୍ଷ ବା ପରୋକ୍ଷରେ ଉଦଗାରୀ ପକେଇଲା । ଏଣିକି ପରିସ୍ଥିତି ଅଣାୟତ୍ତ, ସ୍ଥିତି ବିସ୍ଫୋଟକ। କାରଣ ଘଟଣାଟା ଅଣପାରମ୍ପରିକ ଓ ସ୍ଥାନୀୟ ଅଞ୍ଚଳରେ ଇତିହାସ ରଚିବାକୁ ଯାଉଥାଏ।
ବାସ୍ତବରେ ଏପରି ସମ ଲିଙ୍ଗୀୟ ବିବାହ ଓ ବିବାହ ଚିନ୍ତାଧାରାଟା ବିଦେଶରେ ଭୂଇଁରେ ସିନା ସ୍ପୃହଣୀୟ ହୋଇପାରେ ହେଲେ ଆମ ଦେଶୀୟ ଓ ଦେଶଜ ସଂସ୍କୃତିରେ ଗ୍ରହଣୀୟତା ସୃଷ୍ଟି କରିବା ଏତେଟା ସହଜ ନୁହେଁ। ଫଳରେ ପରିବାର ଭିତରେ ଗ୍ରହଣୀୟତା ସୃଷ୍ଟି କରିପାରିଲା ନାହିଁ ସମସ୍ତେ ପ୍ରତିବାଦ କରି ଉଠିଲେ। ପ୍ରତିବାଦର ସ୍ଵର ହେଲା ଭାଷ୍ବର। ବାଧା ଓ ପ୍ରତିବନ୍ଧକର ଶୀକାର ହେଲା ସୋନା। ମାତ୍ର ମଣିଷର ସଙ୍କଳ୍ପ ନିକଟରେ ସବୁ କିଛି ହାର ମାନେ। ସୋନାର ଏକାନ୍ତ ଜିଦ୍ ସେ ଯଦି ବାହା ହେବ ତ ତାହେଲେ ଏକଦା ତା’ ଖେଳ ସାଥୀ,ହଷ୍ଟେଲ୍ ମେଟ୍, ରୁମ୍ ମେଟ୍ ଥିବା ତା’ର ବେଷ୍ଟ ଫ୍ରେଣ୍ଡ୍ବେ ଓ ବେଡ୍ ପାର୍ଟନର ମୋନାକୁ ହିଁ ବିବାହ କରିବ। ତା ସହିତ କେବଳ ସେ ବିବାହ ବନ୍ଧନରେ ବାନ୍ଧି ହୋଇପାରେ, ନୋହିଲେ ଭୂଲି ଯାଅ ସମସ୍ତେ ତା’ ବାହାଘରର ସ୍ଵପ୍ନ। ଫଳତଃ ପରିସ୍ଥିତି ଓ ପରିବେଶ ସହିତ ଦେଖାଦେଲା ସଂଘର୍ଷ। ଏହି ସଂଘର୍ଷ ଦିନକୁ ଦିନ ତୀବ୍ରରୁ ତୀବ୍ରତର ହେବାରୁ ଘଟଣାଟା ପରିବାର ଭିତରେ ସୀମିତ ନରହି ଲୋକ ଲୋଚନକୁ ଆସିଲା। ସମାଜର ବିଭିନ୍ନ ବର୍ଗରେ ଏହା ହିଁ ବର୍ତ୍ତମାନର ମୁଖ୍ୟ ଆଲୋଚ୍ୟର ବସ୍ତୁ, ଯହିଁରୁ ବିତର୍କର ଅୟମାରମ୍ଭ ହୋଇ ପରିସ୍ଥିତି ଓ ପରିବେଶକୁ ଆହୁରି ଶାଣିତ କରି ଗଢି ତୋଳିଥାଏ।
ସମଲିଙ୍ଗୀ ବିବାହ କେତେଦୂର ଯୁକ୍ତି ସଙ୍ଗତ ଓ ସାମାଜିକତା ଦୃଷ୍ଟିକୋଣରୁ କେତେଦୂର ସ୍ପୃହଣୀୟ – ତାହା ହିଁ ବିଚାର ବିମର୍ଶର ମୂଳତଃ କାରଣ। ଏହିଭଳି ଏକ ସଙ୍ଗିନୀ ମାମାଲାର ନିଷ୍କର୍ଷ ମିଳିବା ପ୍ରାୟତଃ କଷ୍ଟ। ଆମେ ଜାଣିଛେ ଦୁଇଟି ଆତ୍ମାର ମିଳନ ହେଲେ ପ୍ରେମ ଭାବ ଉତ୍ପନ୍ନ ହୁଏ। ପୁଣି ସେହି ବନ୍ଧୁତ୍ୱ ଯେତେବେଳେ ନିଗଢ ବନ୍ଧନର ନିଗୂଢ ଫାାଶରେ ବାନ୍ଧି ହୋଇଯାଏ -ତାକୁ ପ୍ରେମ କହେ। ଶରୀର ସହିତ ଶରୀର ଓ ଆତ୍ମା ସହିତ ଆତ୍ମାର ଅପୂର୍ବ ମିଳନ ହେଉଛି ବିବାହ ବନ୍ଧନ। ହେଲେ ଏହି ବିବାହ ଗତାନୁଗତିକ ଭାବେ ଦୁଇ ବିପରୀତ ଲିଙ୍ଗୀୟ ମଣିଷ ଭିତରେ ସଂଘଟିତ ହୋଇଥାଏ। ତେଣିକି ସେମାନେ ସ୍ତ୍ରୀ ହୋଇଥାନ୍ତୁ ଅବା ପୁରୁଷ ବା ପୁରୁଷ ଓ ନାରୀ ହେଲେ ଏ କି ଆଶ୍ଚର୍ଯ୍ୟ ଚକିତ ବିଷୟ ଯେ, ଦୁଇଟି ସମ ଲିଙ୍ଗୀ ଭିତରେ ବୈବାହିକ ସମ୍ପର୍କ – ହେଲେ କି ତା ‘ସମ୍ଭବ? ପ୍ରାକ୍ ଐତିହାସକ ପ୍ରସ୍ଥର ଯୁଗଠୁଁ ଏଯାଏଁ ସମାଜରେ କେତେ କେତେ ଅଦ୍ଭୁତପୂର୍ବ ପରିବର୍ତ୍ତନ ହେବା ସମ୍ଭବପର ହୋଇଛି। ପୁଣି ପରିବର୍ତ୍ତନର ନିୟମ ଅନୁସୃତ ହୋଇ ସମାଜର ପ୍ରଚଳିତ ବିଶ୍ବାସ ଓ ଭାବଧାରା ପରିବର୍ତ୍ତିତ ହୋଇ କେତେ କେତେ ନୂତନ ସମାଜ, ସଂସ୍କୃତି ଓ ପରମ୍ପରା ତିଆରି ହୋଇଛି। ଇଏ ତାହେଲେ ତାହାରି ଭିତରୁ କ’ଣ ଗୋଟେ?
ଅବଶ୍ୟ ଏ ପ୍ରକାର ସମ୍ପର୍କକୁ ସର୍ବୋଚ୍ଚ ନ୍ୟାୟାଳୟ ଓ ସରକାର ମଧ୍ଯ ସ୍ୱୀକୃତି ଦେଇ ସାରିଛନ୍ତି ଓ ଏହା ଏକ ଅପରାଧିକ ମାମଲା ହୋଇ ଆଉ ରହି ନାହିଁ। କାରଣ ଆଜିର ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିଟି ମଣିଷ ସ୍ଵତନ୍ତ୍ର ଭାବରେ ବଞ୍ଚିବାର ଓ ନିଜସ୍ଵ ଶୈଳୀରେ ଜୀବନ ନିର୍ବାହ କରିବାର ଅଧିକାର ତା’ର ଏକାନ୍ତ ବ୍ୟକ୍ତିଗତ। ଏହି ପରିପ୍ରେକ୍ଷୀରେ ଦେଖାଯାଉ ମୋନା ଓ ସୋନାର ଜୀବନର ଗତି କେଉଁ ଦିଗଭାଗ ଦେଇ ଆଗକୁ ବଢୁଛି।
ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ ପ୍ରେମ ହୁଏତ ଭିନ୍ନ୍ କଥା ହୋଇପାରେ , ମାତ୍ର ବିବାହ ଅଧିକନ୍ତୁ ଶରୀରର ଆକର୍ଷଣ ଓ ଯୌନାକର୍ଷଣ ତାହାର ମୂଳପିଣ୍ଡ। ଯେଉଁ ତତ୍ତ୍ଵ ଉପରେ ସୃଷ୍ଟି ସଂରଚନା ଓ ସମ୍ପ୍ରସାରଣ ନିୟମ ନିର୍ଭରଶୀଳ। ତେଣୁ ମଣିଷ ସଂସାରୀ ହୋଇ ଜୀବନ ନିର୍ବାହ କରିଥାଏ। ଯୌନସମ୍ଭୋଗର ଅପୂର୍ବ ଅକାଂକ୍ଷା ଓ ଅପାର ଲାଳସାକୁ ଅତି ଶୃଙ୍ଖଳିତ ମାଧ୍ୟମରେ ପରିଚାଳିତ କରିବା ପାଇଁ ବିବାହ ଏକ ମାଧ୍ୟମ ହୋଇଥାଏ । ଏ ସବୁ ଦୃଷ୍ଟିକୋଣରୁ ମୋନା ଓ ସୋନାର ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ ତ? ସମୟ ହୁଏତ ଏହାର ଉତ୍ତର ରଖିପାରେ, ତେବେ ସାମ୍ପ୍ରତିକ ପରିସ୍ଥିତି ଉପରେ ଦୃଷ୍ଟି ସମ୍ପ୍ରାତ ପୂର୍ବକ କେବଳ ଏତିକି କୁହାଯାଇପାରେ ଯେ, ଆଜିର ସମାଜର ଗତି କୁଆଡେ ଓ ଏହାର ପରିଣତି କ’ଣ ପ୍ରତିପାଦନ କରିବାକୁ ଚାହୁଁଛି । ଏହା ନିଶ୍ଚିତ ଭାବେ ପ୍ରଣିଧାନ ଯୋଗ୍ୟ।
ଯାହା ବି ହେଉ ସଫଳତାର ପାହୁଚେ ଅତିକ୍ରମ କରିଯାଇ ଓ ସମସ୍ତ ବାଧାବନ୍ଧନକୁ ଅକ୍ଳେଶରେ ଏଡ଼ାଇ ଯାଇ ଏବେ ମୋନା ଓ ସୋନା ଉଭୟେ ବିବାହ ବନ୍ଧନରେ ଯୋଡି ହୋଇଯାଇ ଦାମ୍ପତ୍ୟ ଜୀବନ ଖୁସିରେ ଅତିବାହିତ କରୁଛନ୍ତି। ସେମାନଙ୍କର ଭୂକ୍ଷେପ ନାହିଁ ମାନବ ସମାଜ କ’ଣ କହିବ। ସେମାନେ ସ୍ଵାଧୀନ ଓ ସ୍ୱଛନ୍ଦ, ପ୍ରତିବନ୍ଧକ ଓ ପ୍ରତିବାଦକୁ ପ୍ରତିହତ କଲା ପରି ଶକ୍ତି ସେମାନଙ୍କ ଠାରେ ଏକଠା। ସମୟ କହିବ ସେମାନଙ୍କର ସଫଳତା ଓ ବିଫଳତାର କାହାଣୀ। ଆମେ ତ କେବଳ ପ୍ରୟୋଗଶାଳାରେ ଏପରି କିଛି ଭିନ୍ନ୍ ତତ୍ତ୍ଵକୁ ଭିନ୍ନ୍ ଭିନ୍ନ୍ ପ୍ରୟୋଗ କରି ପାରନ୍ତି, ଯହିଁରୁ ନିତ୍ୟ ନୈମିତ୍ତିକ ନୂଆ ନୂଆ ପରୀକ୍ଷା ନିରୀକ୍ଷା ଶେଷେ କିଛି ନୂତନ ସୃଷ୍ଟି ହେବା ସମ୍ଭବ। ଏହା କେତେଦୂର ଫଳପ୍ରଦ ଓ କୃତିତ୍ୱସମ୍ପନ୍ନ ହୋଇପାରୁଛି ତାହା କେବଳ ଅନାଗତ ଭବିଷ୍ୟ କହିବ।
5.ମୁଁ ବାହା ହେବି
ମୁଁ ବାହା ହେବି। ମୋତେ ଯେବେଠାରୁ ବୟସ ଧରିଲାଣି ଚବିଶ କି ପଚିଶ ମୋ ବାହାଘର ଚିନ୍ତା ଘାରିଲାଣି ବନ୍ଧୁ ବାନ୍ଧବଙ୍କଠୁଁ ସମସ୍ତଙ୍କୁ। ହେଲେ ସେତେବେଳେ ମୋର ଚାକିରୀ ବାକିରି ନଥିବାରୁ କେହି ଏତେଟା ବାଧ୍ୟ କରୁ ନଥିଲେ। କିନ୍ତୁ ଯେଉଁ ଦିନ ମୁଁ ଚାକିରୀ ଖଣ୍ଡେ ପାଇଗଲି ସେଇ ଦିନ ଠାରୁ ମୋ ଉପରେ ଭାରି ପ୍ରେସର। ଖାଲି ପ୍ରେସର୍ ଉପରେ ପ୍ରେସର୍। କୁଆଡେ ମୋତେ ବାହା ହେବାକୁ ପଡ଼ିବ। ନୋହିଲେ ଲୋକେ ବାରିବେ। କହିବେ- “ଓଥଡ଼ା।ପୁଣି ବାହା ନହୋଇ ମରିଗଲେ ଲୋକ କହିବେ -” ମରିଗଲା ପରେ ଖପିଶ ହୋଇ ଗୋଡାଇବ। ଆତ୍ମା ଯମାରୁ ଶାନ୍ତି ପାଇବ ନାହିଁ”। ମାଆକୁ ମୋ ବାହାଘର ଚିନ୍ତା ଭାରି। ସେ ଆଉ ଖଟି ପାରିବ ନାହିଁ। ତାକୁ ବୋହୂଟିଏ ଦରକାର। ସତେ କି ବୋହୂ ଆସିଲେ ତାକୁ ରାନ୍ଧି ବାଢି ଦେବ। ତା’ର ସବୁତକ ଦୁଃଖ ପଳେଇବ। ଏଇମିତି କିଛି ଆଲୋଚନା ଜୋହର୍ ଧରିଥାଏ।
ହେଲା ବାବା ହେଲା! ମୁଁ ଏବେ ବାହା ହେବା ପାଇଁ ରାଜି। କାରଣ ଗଡେଇ ଗଡେଇ ଏବେ ମୋତେ ବୟସ ଧରିଲାଣି ବତିଶ। ସେବେ ସିନା ପାଠ ପଢା ଓ ଚାକିରୀ ନିଶା ଥିଲା ଏବେ କିନ୍ତୁ ମୁଁ ପୂରାପୂରି ସେଟଲଡ୍। ମୋର ବି ଗୋଟେ ମନ ଅଛି କି ନାହିଁ? ମୋ ମନଟା ବି ଏ କଥାରେ ଏବେ ଭାରି କୌତୂହଳୀ ହୋଇ ପଡିଲାଣି। ତେବେ ଯେଉଁଠି ନାହିଁ ସେଇଠି ତ ଆଉ ହଁ କରି ପାରିବି ନାହିଁ। ପସନ୍ଦ ବୋଲି ଗୋଟେ ଜିନିଷ ଅଛି କି ନାହିଁ?
ମାଆ କହୁଛି ତା’ର ସୁନା ନାକୀ ବୋହୂ ଦରକାର ଯିଏ କି ଘର କାମ ସବୁ ଜାଣିଥିବ। ବାପା କହୁଛନ୍ତି ବୋହୂଟି ସେବାଯତ୍ନ କରିବା ଦରକାର। ତା ବାପା ମାଆ ଡେମକିଆର ହେଲେ କଥାଟା ଅଡୁଆ । ବନ୍ଧୁ ଘରଟା ବିଗିଡ଼ି ଯିବ। ଭଉଣୀ କହୁଛି ଝିଅଟି ଅସୁନ୍ଦରୀ ହେଲେ ପଛେ ଚଳିବ କିନ୍ତୁ କଳିହୁଡି ହେଲେ ସେ ସେଠି ରାଜି ହେବ ନାହିଁ। ବନ୍ଧୁ ବାନ୍ଧବ କହିଲେଣି ବନ୍ଧୁ ଘରଟା ବନ୍ଧୁ ଘର ଭଳିଆ ହେବା ଦରକାର। ଷ୍ଟାଟସକୁ ଚାହିଁ ପୁଣି ଗୋଟେ କଥା ନା.. ନୋହିଲେ ବର ଯାତ୍ରୀ ଅପଦସ୍ତ ହୋଇ ଫେରିବା ସାର । ଭଲ ଘର ନହେଲେ ସେଠି ବାହାଘର ହୋଇ ପାରିବ ନାହିଁ। ଭାଇ କହୁଛି – ପରିବାର ଓ ବଂଶ ମର୍ଯ୍ୟାଦା ଦୃଷ୍ଟିକୋଣରୁ ଝିଅଟି ଶିକ୍ଷିତା ହୋଇଥିବା ଦରକାର। କିଛି ନହେଲେ ତ ଛୁଆ ପିଲାଙ୍କୁ ପାଠଶାଠ ଦୁଇ ଅକ୍ଷର ପଢ଼େଇ ପାରିବ।
ସବୁ କଥା ଶୁଣି ଶୁଣି ମୁଁ ଭାବୁଥାଏ ଯେ ମୋ ପାଇଁ ବୋଧହୁଏ ଆଉ କିଛି ଅପ୍ସନ ବାକି ନାହିଁ। ତଥାପି ମୁଁ ଯେତେବେଳେ ଖୋଦ୍ ବର, ପୁଣି ପାଠସାଠ ସାଙ୍ଗକୁ ଦେଖିବାକୁ ରାଜକୁମାର ପରିକା ମୋର ବି ଗୋଟେ ପସନ୍ଦ ବୋଲି ଜିନିଷ କିଛି ରହିବା କଥାକି ନୁହଁ? ମୋ ମତାମତକୁ ତ କେହି ଅପେକ୍ଷା ରଖନ୍ତି ନାହିଁ, ତଥାପି ମୁଁ ଭାବେ – ଶିକ୍ଷା ଦିକ୍ଷା ବା ଅନ୍ୟାନ୍ୟ ଗୁଣ ଥାଉ ବା ନଥାଉ ହେଲେ ପାତ୍ରୀଟି ଐଶ୍ଵର୍ଯ୍ୟା ରାୟ ଠାରୁ ବି ସୁନ୍ଦରୀ ହୋଇ ଥିବା ଦରକାର। ଚମଡ଼ାଟା ଟିକେ ଧଳା ହୋଇ ଥିଲେ ଆହୁରି ଭଲ।
ଯାହା ବି ହେଉ ଗଣ୍ଡେ ଛଆଟା ମଧ୍ୟସ୍ଥିକୁ ଡାକି ସମସ୍ତେ ନିଜ ନିଜ ମତାମତ ଶୁଣାଇ ସାରିଲେଣି। ଏଣିକି ଆରମ୍ଭ ହେବ ମାରାଥନ ରେସ୍ ମାନେ କନିଆ ଖୋଜା। ଆସିଥିବା ବହୁ ପ୍ରସ୍ଥାବ ମଧ୍ୟରୁ କିଛି ପ୍ରସ୍ଥାବ ଫଟୋ ଟିପ୍ପଣା ଓ ବାୟୋଡାଟା ଦେଖି ସ୍କ୍ରୁଟିନ କମିଟି ଦ୍ଵାରା ସ୍କୃଟିନ ସରିଲାଣି। ସେଥିରୁ କିଛି ଏକ ଦୁଇ ଓ ତିନି କରି ମଧ୍ଯ ନମ୍ଵରିଂ କରାଯାଇଛି। ଏବେ କନିଆ ଦେଖା ହେବ। ଚୂଡାନ୍ତ ପର୍ବ ପାଇଁ ଶେଷ ପ୍ରସ୍ତୁତି। ମୋର ତ କମ୍ପାନୀ ଚାକିରୀ ଛୁଟି ବୋଲି ଆଦୌ ନାହିଁ କହିଲେ ଚଳେ, ଯାହା ବି ହେଉ ସାତ ଦିନ ଛୁଟି ଧରି ଆସିଛି। ସେଥିରୁ ବାଟେ ବାଟେ ଦୁଇ ଦିନ ଯିବ। ତେଣୁ ଯାହା ହେବ ଶୀଘ୍ର, ନୋହିଲେ ମୁଁ ଚାଲିଯିବି ମୋ ଚାକିରିକୁ। ପୁଣି ଫେରିଲା ବେଳକୁ ବର୍ଷେ କି ଛଅ ମାସ। ଏ କଥା ଶୁଣି ସମସ୍ତେ କହିଲେ ଆଉ ବିଲୁଆ ବିଚାର କରି ସମୟକୁ ଅଯଥା ହେଳା କଲେ ଚଳିବ ନାହିଁ, ତେଣୁ ଆସନ୍ତା କାଲି ଠାରୁ ଦେଖା ଦେଖି ପର୍ବ ଆରମ୍ଭ ହେବ। ଗୋଟେ ଦିନ ପୂର୍ବକୁ, ଗୋଟେ ଦିନ ପଶ୍ଚିମକୁ ଓ ଆଉ ଗୋଟେ ଦିନ ଆଖ ପାଖକୁ ଯାତ୍ରା। ସର୍ବମୋଟ ତିନି ଚାରିଟି ପ୍ରସ୍ଥାବ ଦେଖା ହେବ। ସେଇଥିରୁ ଗୋଟେ ଚୂଡାନ୍ତ ହେବ।
ତହିଁ ଆରଦିନ ଆରମ୍ଭ ହେଲା ଯାତ୍ରା ପ୍ରଥମେ ପୂର୍ବ ଦିଗକୁ। ଗାଡି ଯାଇ ପହଞ୍ଚିଲା କେନ୍ଦ୍ରାପଡାରେ। ଝିଅଟି ଏମ୍. ଏ. ଖଣ୍ଡେ ପଢିଛି। ଏମିତି ଲୋକେ ବାଧ୍ୟ କରିବାରୁ ରାଜନୀତିରେ ଅମନ ମନିଆକି ପଶିଯାଇଛି। ଏବେ ଗୋଟେ କ୍ଷମତାରେ ଅଛି। ଝିଅଟିର ଗୁଣ କର୍ମ ସବୁ ଭଲ। ବାଟେ ଘାଟେ ଲୋକମାନେ ଭଲ ମତାମତ ଦେଉଥିଲେ , ଝିଅକୁ ମଧ୍ୟ ଦେଖିଲୁ। କଥାଟା ଆପତତଃ ସତ। ମୋଉଡାଟା ବି ଗୋଟେ ବାଗରେ। ବାପା ତା’ର କଣ୍ଟ୍ରାକ୍ଟର ବାବୁ। ଦେବା ନେବାକୁ ଭଲ। ହେଲେ ରୂପଟା ତା’ର କଳାଠୁଁ ଟିକିଏ ଅଧିକ ମାତ୍ର ଗୋରାଠୁଁ ଢେର କମ୍। ସେଇଠି ରହିଲା ପେଞ୍ଚ। ଯାହା ବି ହେଉ ଭଲ ବି ଆପ୍ୟାୟିତ କଲେ। ମିଠା ସିଠା ପେଟେ ଖାଇ ଫେରିଲୁ ପଛକୁ।
ବାଟରେ ପଡିଲା ଚଣ୍ଡିଖୋଲ। ସେଠୁ ଗଲୁ ଭଦ୍ରକ। ମଧ୍ୟସ୍ଥି ମହାଶୟ କୁଆଡ଼େ ଆଗରୁ କଥା ହୋଇ ସାରିଥିଲେ। ତେଣୁ ସେଠି ଆଉ ଗୋଟେ ଝିଅ ଦେଖାହେଲା। ଝିଅଟି ଭାରି ସୁନ୍ଦରୀ। ଗଢ଼ଣ ଅତି ଉତ୍ତମ। ଦେଖିବାକୁ ସତେ କି ରାଜ କୁମାରୀ। ଗୌର ବର୍ଣ୍ଣ। ସୁଠାମ ଠାଣି। ଟିଫିନ୍ ପର୍ବ ପରେ ଝିଅ ଆସିଲା। ଇଣ୍ଟରଭ୍ୟୁ ଚାଲିଲା।
-ତୋର ରାଶି କ’ଣ?
କହିଲା – କୁମ୍ଭ
ତା ମାଆ କହିଲା – ସେ ଜାଣେ ନାହିଁ ତା ରାଶି ମୀନ।
ଝିଅ କହିଲା – ନା ନା କୁମ୍ଭ, ମୁଁ ମିଛ କହେ ନାହିଁ ଯାହା କହେ ସତ।
ତା’ ର ପିଉସୀ କଥାଟାକୁ ଏପଟ ସେପଟ କରି ଖାଲି ଆଡଜଷ୍ଟ କରୁଥାନ୍ତି।
୨ୟ ପ୍ରଶ୍ନ – ଆମର ତ ନିରାମିଷ ପରିବାର ହେଲେ ତୁମେ କ’ଣ ଖାଇବାକୁ ଭଲ ପାଅ?
ଝିଅ କହିଲା – ମୁଁ ଦେଶୀ କୁକୁଡା ଖାଇବାକୁ ଅଧିକ ଭଲ ପାଏ, ହେଲେ ବିଧବା (broiler) କୁକୁଡା ପାଇଲେ ହାଡ ଗୋଡ ଚୋବାଇ ଖାଇବାକୁ ଭଲ ପାଏ।
3ୟ ପ୍ରଶ୍ନ – ତୁମକୁ କୋଉଟା ବେଶୀ ଖରାପ ଲାଗେ?
-ମିଛ
-ମିଛ କହିଲେ ତୁମେ କେମିତି ଜାଣ?
-ମିଛ କହିଲେ ତ ମୁଁ ରାଗିଯାଏ। ତା ମୁଣ୍ଡ ଖାଇଯିବି। ପେନସିଲ ଫେନିସିଲି ଯାହା ପାଇବି ସେଥିରେ ତା’ ମୁଣ୍ଡ କଣା କରିଦେବି।
ଇଏ ବାହାଘର ଭାଙ୍ଗିବା ପାଇଁ ପୂର୍ବ ନିର୍ଦ୍ଧାରିତ ଯୋଜନା ନା ମସ୍ତିଷ୍କ ବିକୃତି ନା ସରଳ ନିଷ୍କପଟ ଝିଅଟା?
ସେଦିନ ସନ୍ଧ୍ୟା ହୋଇଯିବାରୁ କନିଆ ଦେଖା ସେଇଠି ରହିଲା। ଗୃହକୁ ପ୍ରତ୍ୟାବର୍ତ୍ତନ କଲୁ। ପୁଣି ରାତି ପାହି ଗଲାଠୁଁ ତା’ ପରଦିନ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କଲୁ। ଆଗ ଭୁବନେଶ୍ଵରରେ ଦେଖିଲୁ ଝିଅଟିଏ, ପାଠ ବି. ଏସି.। ଘର ନିହାତି ଗରୀବ। ବାପା ପରିବା ଦୋକାନୀ। କଷ୍ଟେମଷ୍ଟେ ସଂସାର କୌଣସି ପ୍ରକାରରେ ଚଳିଯାଏ। ସେତେ ଆଗ୍ରହ ନଥିଲେ ହେଁ ମଧ୍ୟସ୍ଥି ବାବୁ ବାଧ୍ୟ କରିବାରୁ ଝିଅଟାକୁ ଦେଖିଲୁ। ଝିଅଟି କିନ୍ତୁ ଗୋଟିଏ ଚାଉଳରେ ଗଢା। ଯେମିତି ରୂପବତୀ ସେମିତି ଗୁଣବତୀ। ତନୁ ପାତିଳୀ, କଟି ସରୁ, ମୃଗ ନୟନା, ଚମ୍ପା ଗୋରା ସର୍ବୋପରି କୋଟି ଜନ ମନ ଆକର୍ଷି ସୁବର୍ଣ୍ଣମୟୀ କାନ୍ତି। ବୁଦ୍ଧି ବିବେକ ପ୍ରଚଣ୍ଡ। ଯୁକ୍ତିଯୁକ୍ତ କଥା। ଜଟିଳ ବୌଦ୍ଧିକ ପ୍ରଶ୍ନର ଅତି ସରଳ ଓ ସୁସ୍ପଷ୍ଟ ଉତ୍ତର। ହେଲେ ଦରିଦ୍ରତା ବିକାଶର ଅନ୍ତରାୟ। ବେଦୀ ଖର୍ଚ୍ଚ ମଧ୍ୟ ଦେବାକୁ ବାପା ତା’ର ଅମତ। ମନରେ କିଛି ପ୍ରଶ୍ନ ଧରି ଉଠିଲୁ। ପ୍ରଶ୍ନଟିଏ ଥିଲା ତା ପାଇଁ -” ଯଦି ଶାଶୁ ନିରୀହ ଓ ଅମାୟିକ ମାତ୍ର ଶ୍ୱଶୁର ରୁକ୍ଷ, କିଛିଟା କଠୋର ଓ ତେଢା ସ୍ୱାଭାବର, ସେ ସ୍ଥଳେ ତୁମେ ଶାଶୁ ପାଖରେ ଆଉଜିବ ନା ଶ୍ୱଶୁର ପାଖରୁ ଦୂରେଇ ରହିବ” ?
ଉତ୍ତର ଥିଲା–“ଯଦି ସେମାନଙ୍କ ମନ ଲାଖି କାମ କରାଯାଏ, ତେବେ ସେମାନେ ନିଶ୍ଚିତ ସନ୍ତୁଷ୍ଟ ହେବେ। ଅସନ୍ତୋଷ ନରହିଲେ ସବୁ ସମସ୍ୟା ଛାଏଁ ସମାଧାନ ହୋଇଯିବ”।
ଗାଡିରେ ବସିଲୁ। ଗାଡି ମୁହାଁଇଲା ଖୋର୍ଦ୍ଧା ଆଡକୁ। ବାଟରେ ଢାବା। ଜଳପାନ ହୋଇଗଲା। କନିଆଁ ଘରେ ପହଁଚି ଗରମ ପାଣି ମୁନ୍ଦେ ପିଇ ଦେଲା ପରେ ଝିଅ ଦେଖା। ଝିଅଟି ମନ୍ଦ ନୁହଁ। ବାପା ବି ଅଫିସରଙ୍କ ଲୋକ, ଭଲ ଘର ଖଣ୍ଡେ କରିଛନ୍ତି। ଝିଅଟି ଆଧୁନିକ ଡ୍ରେସ୍ ଓ ପ୍ରସାଧାନୀ ସାମଗ୍ରୀ ମୁହଁରେ ମାଖି ସାମ୍ନାରେ ଉଭା ହେଲା। ପ୍ରଶ୍ନର ଉତ୍ତର ରୋକ୍ଠୋକ୍ ଦେଉଥାଏ। କହିଲା ଏମ୍. କମ୍. ପଢ଼ିଛି, ପଚାରିଲା ବେଳକୁ ବାଲାନ୍ସ ସିଟରେ ଫେଲ୍।
ଏଥର ସମସ୍ତେ ଘରକୁ ଫେରି ଆସିଲୁ। ଦିନକ ପରେ ଗୋଲ ଟେବୁଲ ବୈଠକ ବସିଲା। ଦେଖା ଯାଇଥିବା ପ୍ରସ୍ଥାବ ଉପରେ ସମସ୍ତେ ଟିପ୍ପଣୀ ଦେବାକୁ ଆରମ୍ଭ କଲେ। ସବୁ ପ୍ରସ୍ତାବରେ କିଛି ନା କିଛି ଖୋଟ ନଜରକୁ ଆସୁଥାଏ। ଏଣୁ ଗୋଟାଏ ସିଦ୍ଧାନ୍ତରେ ପହଁଞ୍ଚିବା ସହଜ ହେଉନଥାଏ।
-“ତେବେ ମୁଁ କାହାକୁ ବାହା ହେବି” ?
6.ବନ୍ଧୁର ବନ୍ଧୁତା ସତେକି
ବନ୍ଧୁର
ଦୁଇ ବନ୍ଧୁ। ବନ୍ଧୁତା ପିଲାଟି ଦିନରୁ। ଯହୁଁ ସମୟ ଅତିକ୍ରାନ୍ତ ହେଉଥାଏ, ବୟସ ବଢି ବଢି ଯାଉଥାଏ ତହୁଁ ବନ୍ଧୁତ୍ୱ ନିବିଡ଼ରୁ ନିବିଡ଼ତର ହେଉଥାଏ। ନାଁଟି ତାଙ୍କର ଭୀରୁ ଓ ବୀରୁ। କେହି କାହାକୁ ଦଣ୍ଡେ ଛାଡି ଘଡିଏ ରହି ପାରନ୍ତି ନାହିଁ। ବଡ଼ ବିସ୍ମୟକର ସେ ବନ୍ଧୁତା, ନ ଦେଖିଲା ଲୋକ ପରତେ ଯିବ ନାହିଁ। ସକାଳ ହେଲେ ଜଣେ ଡାକ ଛାଡେ ଅନ୍ୟ ଜଣଙ୍କୁ କେଳା ପଦ୍ମତୋଳା ଛାଡ଼ିଲା କ୍ଷଣି ସାପ ଗାତରୁ ବାହାରି ଆସିଲା ପ୍ରାୟ ସାଙ୍ଗ ଡାକ ଶୁଣି ସାଙ୍ଗ ବାୟା। ରାତି ପହିଲା କ୍ଷଣି ଇଏ ତା ଘରେ ନୋହିଲେ ସେ ୟା ଘରେ। ଉଭୟଙ୍କ ଭିତରେ ବନ୍ଧୁତା ଭାରି। ସମ୍ପର୍କଟା ବଡ଼ ନିବିଡ। ଉଠୁଣୁ ବସୁଣୁ, ବସୁଣୁ ଉଠୁଣୁ ଉଭୟ ଘୋଷି ଚାଲିଥାନ୍ତି ଉଭୟଙ୍କ ନାଁ। ସତେକି ଦୁହିଁଙ୍କୁ ଦୁହେଁ ଦୁଇ ଯମଜ ଭ୍ରାତା। ଏକା ଗାଁ ଏକା ସାହିରେ ସେମାନଙ୍କ ଘର। ପୁଣି ଘରକୁ ଘର ଲାଗିଛି। ପଡ଼ିଶା ପଣରେ ପଡ଼ିଶା ଦ୍ବୟ। ଜଣେ ଅନ୍ୟ ଜଣଙ୍କର ଖେଳ ସାଥୀ ପୁଣି ପଢ଼ା ସାଙ୍ଗ। ସ୍କୁଲ ଯିବା ଆସିବା ସାଙ୍ଗରେ ପୁଣି ପାଠ ପଢା ସାଥିରେ। ଯେଉଁଠି ଯିଏ ଖୋଜିଲେ ଉଭୟଙ୍କୁ ଏକାଠି ଭେଟନ୍ତି। ଜଣଙ୍କର ଅବର୍ତ୍ତମାନରେ ଆଉ ଜଣଙ୍କର ସ୍ଥିତି ଅପରିକଳ୍ପନୀୟ। ଯାହା ବି କୁହନ୍ତୁ ଭାଗ୍ୟରେ ଥିଲେ ଏପରି ବନ୍ଧୁତା ମିଳେ। ସେଥିପାଇଁ ପରା କୁହଯାଏ –
ପୁଣ୍ୟ କରି ପୁଣ୍ଯ ଜନ ଲଭେ ସିନା
କେହୁ ସ୍ଵର୍ଗ ସୁଖ କିନ୍ତୁ
ମାଆର ମମତା ବନ୍ଧୁର ବନ୍ଧୁତା
ମିଳେନି ସବୁରି ଭାଗ୍ଯେ।।
ଏକା ଶ୍ରେଣୀରେ ସେମାନେ ପଢନ୍ତି। ପାଖାପାଖି ଉଣେଇଶି ବିଶ ହୋଇ ଉଭୟ ଶ୍ରେଣୀରେ ଉଭୟ ଆଗେଇ ଚାଲିଥାନ୍ତି। ସମସ୍ତଙ୍କର ପ୍ରଶଂସାର ପାତ୍ର ହୁଅନ୍ତି ଅପଣାର ପାଠୁଆ ପଣ ପାଇଁ ହେଲେ ନିଜ ଭିତରେ ପ୍ରତିଯୋଗୀତା ବା ହୀନମନ୍ୟତାର ଭାବ ନଥାଏ କାହିଁ ସେମାନଙ୍କର। ବେଶ୍ ସ୍ୱାଭାବିକ ଉଭୟ।
ଧୀରେ ଧୀରେ ସମୟ ଅତିକ୍ରାନ୍ତ ହେଲା, ଉଭୟଙ୍କର ବୟସ ମଧ୍ୟ ବୃଦ୍ଧି ଘଟିଲା। ଏଣିକି ପିଲା ଦିନର ପିଲାଳିଆମୀ ଓ ବୟସର ଚପଳାମୀ ହଟିଲାଣି। ହେଲେ ଉଭୟଙ୍କର ସ୍ନେହ ଭାବର କେତେବେଳେ ବି କମି ନଥାଏ। ଜଣଙ୍କର ମନ ଦୁଃଖ ହେଲେ ଆଉ ଜଣଙ୍କର ମନ ଦୁର୍ଭାବନାରେ ଘାରି ଯାଏ। ଜଣଙ୍କର ଖୁସିରେ ଆଉ ଜଣେ ଉତ଼୍ଙଫୁଲ୍ଲିତ ହୁଏ।ଏମିତି ନିଆରା ପଣରେ ତାଙ୍କର ଜୀବନ ଧାଏଁ।
ଦିନକର ଘଟଣା। ଥରେ ଭୀରୁର ଦେହ ଖରାପ ହୋଇଥଗଲା। ତାକୁ ଭୀଷଣ ଜ୍ଵର। ତାତିରେ ଦେହରେ ଖଇ ଫୁଟୁଥାଏ। ଜ୍ଵର ଆଦୌ ଓହ୍ଲାଉ ନଥାଏ। ରୋଗ ଚିହ୍ନିବାରେ ବିଳମ୍ବ ହେଉଥାଏ। ଡାକ୍ତରୀ ମଇନା କଲାଠୁଁ ଜଣଗଲା ଯେ ଟାଇଫୋଏଡ। ତେଣୁ ଖାଇବା ପିଇବାରେ ଅରୁଚି ହୋଇଗଲା। ଭୀରୁ ଦାନାପାଣି ସବୁ ଛାଡ଼ି ଦେଇଥାଏ। ଏ କଥାରେ କାହାରି ଚିନ୍ତା ଥାଉ କି ନଥାଉ ବୀରୁର କିନ୍ତୁ ଭାରି ମନ ଦୁଖଃ। ରାତି ଦିନ ଭୀରୁର ବିଛଣା ପାଖରେ ଜଗି ବସିଥାଏ। ଯିଏ ଯେତେ ପ୍ରକାରର କହିଲେ ମଧ୍ୟ ତା ପାଖ ଛାଡୁ ନଥାଏ। ନିଜେ ମଧ୍ୟ ମନ ଦୁଖରେ ଭୋକ ଉପବାସରେ ରହି ଯାଉଥାଏ ବରଂ ହେଲେ କାହା କଥା ଶୁଣୁ ନଥାଏ। ଭୀରୁ କେମିତି ଭଲ ହେବ ସେଇ କେବଳ ଏକମାତ୍ର ଚିନ୍ତା। ଯେମିତି କି ଜ୍ଵର ନହୋଇ ମଧ୍ୟ ବୀରୁ ବି ସେଇଥିରେ ପୀଡିତ ଇଏ କି ପ୍ରକାର ବନ୍ଧୁତା? ବଡ଼ ଆଶ୍ଚର୍ଯ୍ୟ ଲାଗେ ଦେଖି। ମନ ଓ ଆତ୍ମାର ମିଳନ ହେଲେ କି ଏପରି ହୁଏ?
ଭଗବାନଙ୍କ ଦୁନିଆରେ ସବୁ କାଳ ସମସ୍ତଙ୍କର ସମାନ ଯାଏ ନାହିଁ। ନାନା ଉତ୍ତାବ ଓ ଚଢାବ ଦେଇ ଜୀବନ ଗତି କରେ। ବହୁ ଅସମ୍ଭବ ଘଟଣା ପୁଣି କେତେବେଳେ ନିଶ୍ଚୟତାର ସମ୍ଭାବନା ତୋଳେ। ନହେବା କଥା ବି ସଂଘଟିତ ହୁଏ। ପ୍ରାଣୀ କୂଳର ସୁଖ ଅପ୍ରମିତ ଦେଖି ବି ଦେବକୁଳ ବେଳେବେଳେ ଇର୍ଷାନ୍ୱିତ ହୁଅନ୍ତି। ତେଣୁ ନାନା ଅଘଟଣ ନିତ୍ୟ ଘଟେ। ଉଭୟଙ୍କର ସନ୍ନିକଟ ସମ୍ପର୍କ ଦେଖି ଅନେକ ଇର୍ଷାନ୍ୱିତ ହୁଅନ୍ତି। ଅବା ନାନା କୁବିଧ ଉପାୟ ଅବଲମ୍ବନ କରି କେତେବେଳେ ସେମାନଙ୍କର ପୂତ ପବିତ୍ର ସମ୍ପର୍କକୁ ନେଇ ନାନା କଦର୍ଥନ ରୂପ ଦିଅନ୍ତି ବା ସମ୍ପର୍କର ବୁଢିଆଣୀ ସୁତାଟାକୁ ଛିଣ୍ଡାଇ ଖିନଭିନ୍ କରି ଦିଅନ୍ତି। ଏଇଟା ଇର୍ଷା ପରାୟଣ ମଣିଷର ପ୍ରବୃତ୍ତି। ତା’ର ଅସହିଷ୍ଣୁ ପଣିଆ। ଏମିତି ତ ସବୁ ନାଟକରେ ଭିଲିଏନ ଚରିତ୍ରଟିଏ ରହିବା କଥା, ତେଣୁ ରହିଥାଏ। ସେହି ମାନଙ୍କ ପ୍ରୟାସରେ ସବୁ ଓଲମବିଲମ ହୋଇଥାଏ। ସଜ ମାଂସରେ ପୋକ ପକାଇବ ସେମାନଙ୍କର ଅଭ୍ୟାସ। ନ ହୋଇଥିବା ଜିନିଷକୁ ସତ ଓ ନହେଲା ଜିନିଷକୁ ହେଲା କରି ଥୋଇଥାନ୍ତେ – ଏଇମାନେ। ସେଇମାନଙ୍କ ଭିତରୁ ମଣ୍ଟୁ ଜଣେ, ଯିଏ କି ପକ୍କା ଖିଲାଡୀଟିଏ।
ସେଦିନ ବୀରୁ ଆଗରେ ମିଛ ଘଟଣାଟିକୁ ରୋଇ ଥୋଇ ଦେଲା। ଯେମିତି ସତରେ ସେ ଘଟଣାଟିକୁ ନିଜ ଆଖିରେ ଦେଖିଛି, ଠିକ୍ ତା’ର ଅବିକଳ ନକଲ କରି ଅକଲ ଲଗାଇ ବଖାଣି ବସିଲା ଯେ, ଭୀରୁ କହୁଥିଲା – “ବୀରୁଟା ବଡ଼ ସ୍ୱାର୍ଥପର। ତା ଠାରୁ ବହି ପତ୍ର ଓ ପଇସା ନେଇ ସେ ବଡ଼ ହୋଇଛି। ଆଜି ଚାକିରୀ ଖଣ୍ଡେ ପାଇଛି ବୋଲି ଫୁଟାଣି ମାରୁଛି।”
ଏ କଥା ଶୁଣି ବୀରୁ ଏକଦମ୍ ଫିଦା। ସେ ଆଉ ଭୀରୁ ସହ କେବେ ବି କଥା ହୋଇ ନାହିଁ। ରାଗରେ ପଞ୍ଚମ ହୋଇ ଭୀରୁକୁ ଗାଳି ଗୁଲଜ କରି ଏକାବେଳେକେ ତା ଜୀବନ ବୃତ୍ତରୁ କକ୍ଷ ଚ୍ୟୁତ କରି ତାକୁ ଅଲଗା କରି ଦେଲା। ଭୀରୁ କିନ୍ତୁ ଏ କଥାର ଅସଲ ମର୍ମ କିଛି ବୁଝି ପାରିଲା ନାହିଁ। ଖାଲି ମନ ଦୁଃଖରେ ଚୁପ ରହିଲା। ଭାବିଲା – ବୀରୁ ଚାକିରୀ ପାଇଗଲା ପରେ ହୁଏତ ତା ମନରେ ଗର୍ବ ହେତୁ ତା ପ୍ରତି ଘୃଣା ଓ ନ୍ୟୁନମନା ପଣିଆ ଆସି ଯାଇ ଥାଇପାରେ। ତେଣୁ ସେ ଭାଗ୍ୟକୁ ଆଦରି ଚୁପ ରହିଲା। ଏମିତି କେତେ ବର୍ଷ ଓ କେତେ ଦିନ ବିତିଗଲା। ସମୟର ରଥ ଚକରେ ସବୁ କିଛି ପରିବର୍ତ୍ତନ ହୋଇଗଲା।
ଭୀରୁ ବି ଏବେ ଚାକିରୀ କରି ବଡ଼ ସହରରେ ରହୁଛି। ନୂଆ ସହର, ନୂଆ ଚାକିରୀ ଓ ତହୁଁ ଅନେକ ସାଙ୍ଗ ସାଥୀ। ଫଳରେ ପୁରୁଣା ଗାଁ ସାଙ୍ଗ ସାଥୀଙ୍କୁ ସବୁ ଭୂଲିବାକୁ ଲାଗିଲେଣି। ହେଲେ ବୀରୁକୁ ସେ କେବେ ବି ଭୂଲି ପାରୁ ନଥାନ୍ତି, ସତେ ଯେମିତି ତା ଜାଗାଟି ହୃଦୟ କନ୍ଦରରେ ସଂରକ୍ଷିତ, ତା ସ୍ଥାନ କେହି ନେବାକୁ ଅକ୍ଷମ।
ସମୟର ଗତି ବଡ ଅଜବ। ଦିନେ ଗୋଟିଏ ସହରରେ ଉଭୟଙ୍କର ଚାକିରୀ କ୍ଷେତ୍ରରେ ବଦଳି ଓ ଅବସ୍ଥାନ ହେଲା,। ଘଟଣା କ୍ରମେ ବୀରୁ ରୋଡ଼ ଦୂର୍ଘଟଣାରେ ଗୁରୁତର ସହ ଘାଇଲା ହୋଇ ବେହୋସ୍ ଅବସ୍ଥାରେ ରାସ୍ତା କଡରେ ପଡିଥିବା ଭୀରୁ ନଜରରେ ପଡ଼ିଲା। ସେ ତତ୍କ୍ଷଣାତ୍ ତାକୁ ତୋଳି ଧରି ସିଧା ଡାକ୍ତରଖାନା ଧାଇଁଲା। ସେଠି କେତେ ଦିଅଁ ଦେବତାଙ୍କୁ ମନାସିଲା, ତାଙ୍କ ଘର ଲୋକଙ୍କୁ ଖବର ଦେଲା। ଯାହା ହେଉ ଈଶ୍ଵର ତାଙ୍କ ଡାକ ଶୁଣିଲେ ବୀରୁ ହୋସ୍ କୁ ଫେରିଲା। ଓ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଘର ଲୋକଙ୍କ ପାଖରୁ ସବୁ ଶୁଣିଲା। ଶେଷରେ ଖୋଜି ଖୋଜି ଯାଇ ଭୀରୁ ପାଖରେ ପହଞ୍ଚିଲା। ଅନେକ ଅନୁଶୋଚନା ଓ ଅନୁତାପ। ତହୁଁ ଆଲୋଚନା ଓ ପର୍ଯ୍ୟାଲୋଚନା ମାଧ୍ୟମରେ ଭିଲିଆନ ମନ୍ତୁର କାରସାଦି ଓ କାରନାମା ସବୁ ପଦାକୁ ଆଇଲା। ଭୂଲ ବୁଝାମଣାର ଗୋଟେ ଦୀର୍ଘ ସୁତ୍ରୀ ପରିସମାପ୍ତି ହେଲା।
ଉଭୟ ସାଙ୍ଗ କାନ ଓ ନାକ ମୋଡିହେଲେ ଯେ ଆଉ କାହା କଥାରେ ପ୍ରରୋଚିତ ବା ପ୍ରତାରିତ ହୋଇ ଜୀବନରେ ଭୂଲ କରିବେ ନାହିଁ। ବରଂ ମନରେ ଯେବେ କୋଣସି କାରଣରୁ ସନ୍ଦେହ ଉପୁଜେ, ସେମାନ ପ୍ରତ୍ୟେକ ସିଧା ସଳଖ ତା’ର ସାମ୍ନା କରି ନିଜେ ହିଁ ନିଜର ସମାଧାନ ସୂତ୍ର ବାହାର କରିବେ। ତେଣୁ ଶପଥ ନେଲେ – ପର କଥାରେ ପଡି ନିଜର ଆତ୍ମିକ ସମ୍ପର୍କକୁ ଆଉ କେବେ ବି ନଷ୍ଟ ହେବାକୁ ଦେବେ ନାହିଁ।
ପୁଣି ସେହି ବନ୍ଧୁତା, ଆତ୍ମିକ ଭାବ ଓ ପିଛିଲା ଦିନର ସ୍ମୃତି ସହିତ ବର୍ତ୍ତମାନ ଜୀବନରେ ବନ୍ଧୁତାର ତାଜା ପଣିଆ ସେମାନଙ୍କ ପାଇଁ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା।
ବାସ୍ତବରେ ବନ୍ଧୁତା ବ୍ୟତିରେକେ ଦୁନିଆରେ ଆଉ କିଛି ସେତେ ସୁଖପ୍ରଦ ନାହିଁ। ବନ୍ଧୁତା ହିଁ ସଂସାରରେ ସବୁଠାରୁ ଶ୍ରେଷ୍ଠ ଓ ମୂଲ୍ୟବାନ୍ ପଦାର୍ଥ। ତେଣୁ ଗାଏ – ବନ୍ଧୁ ପରି ବନ୍ଧୁ ନାହିଁ ଆଉ କେହି, ସେଇ ଏକା ବନ୍ଧୁ ସବୁଠାରୁ ପ୍ରିୟ।
7.ଦୀର୍ଘ ନିଶ୍ଵାସର ଅନ୍ତରାଳେ
ଆଜି କାଲି ଦୁନିଆର ଗତି କୁଆଡ଼େ ? ଅଧୋଗତି ନା ଉର୍ଦ୍ଧ୍ଵଗତି? ଆଧୁନିକତାର ଆଳରେ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଆଜି ମାନବ ସମାଜକୁ ଧୀରେ ଧୀରେ ପଙ୍ଗୁ କରିବାରେ ଲାଗିଛି। ଦିନ ଥିଲା ମଣିଷ ନିଜର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରି ରଖିବ ପାଇଁ ଅହରହ ସଂଗ୍ରାମ ଓ ସଂଘର୍ଷ କରୁଥିଲା। ମାତ୍ର ଅଧୁନା ସମସ୍ତେ ପାଶ୍ଚାତ୍ୟାଭିମୁଖୀ। ଆଧୁନିକତାର ଦ୍ୱାହି ଦେଇ ଅତୀତର ପରମ୍ପରା ଓ ଐତିହ୍ଯକୁ ସେ ଆସ୍ଥେ ଆସ୍ଥେ ଭୁଲିବାକୁ ଲାଗୁଛି।ଫଳରେ ଆମର ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ ଗୁଡ଼ିକ ଭାଙ୍ଗିଯାଉଛି।ନୀତି ନୈତିକତାର ମୂଲ୍ୟବୋଧ କମି ଯାଉଛି। ଏତେବେଳେ ଜୀବନ ନିର୍ଦ୍ଧାରଣର ମାନଦଣ୍ଡ ଓ ମାପକାଠି କ’ଣ ହେବା ଉଚିତ୍ ସେ ସ୍ଥିର ନକରି ପାରି- ବଡ଼ ସନ୍ଦିହାନ ହୋଇ ଉଠିଛି। ଜ୍ଞାନ ବିଜ୍ଞାନର ପ୍ରଚାର ଓ ପ୍ରସାର ଫଳରେ ଆଜି ସମଗ୍ର ବିଶ୍ୱରେ ଭୂୟସୀ ପରିବର୍ତ୍ତନ ଦେଖା ଦେଇଛି। ଏହି ପରିବର୍ତ୍ତନର ଧାରାରେ ଆମ୍ଭେମାନେ ମଧ୍ଯ କମ୍ ପରିବର୍ତ୍ତନ ହୋଇ ନାହୁଁ। ପରିବର୍ତ୍ତନ ବୋଇଲେ ସବୁ କିଛି ପରିବର୍ତ୍ତନ ହୋଇଛି। ଆମ ପୋଷାକ ପରିଚ୍ଛେଦ, ରହଣି ସହଣି, ଖାଦ୍ୟପେୟ, ଚାଲିଚଳନୀ, କଥାବାର୍ତ୍ତା, ଆଚାରବ୍ୟବହାର, ସବୁଥିରେ ଏହି ପରିବର୍ତ୍ତନର ଝଲକ।
ଗୋଟାଏ ଦୀର୍ଘ ନିଶ୍ଵାସର ଅନ୍ତରାଳେ.. ସଂସ୍କୃତି ନାଁରେ ଆଜି ଅପସଂସ୍କୃତି ଗୁଡ଼ାକ ଧସେଇ ପଶି ଆସୁଛି।ଆମ ସଂସ୍କୃତି ଢୋଲେ ମୂଷା (ଅପସଂସ୍କୃତି) ପଶି ଖୋଳ କଲାଣି, ତଥାପି ଆମେ ପ୍ରାଚୀନ ଐତିହ୍ଯ ସମ୍ପନ୍ନ କହି ଦେଶେ ଦେଶେ ବୁଲି ଡିଣ୍ଡିମ ପିଟେ। ଆଜି ନାରୀ ଓ ପୁରୁଷ ଭିତରେ ବିଶେଷ କିଛି ଫରକ୍ ନାହିଁ। ବରଂ ନାରୀ ପୁରୁଷ ଠାରୁ କେଇପାଦ ଆଗକୁ ବଢ଼ି ସେ ତା’ର ପୁରୁଷ ପ୍ରତିପକ୍ଷ (ମେଲ୍ କାଉଣ୍ଟରପାର୍ଟ) ସହିତ ପ୍ରତିଯୋଗୀତା ମୂଳକ ମନୋଭାବ ପୋଷଣ କରି ପୁରୁଷ ଭଳି ପୋଷାକ ପରିଚ୍ଛେଦ ସବୁ ପିନ୍ଧି ପାରୁଛି ଓ ପୁରୁଷ ପରି ସିଗାରେଟ୍ ଓ ମଦ୍ୟପାନ କରିବାକୁ ସକ୍ଷମତା ପ୍ରକାଶ କରିଛି। କ୍ଲବ ବାର ଓ ମଦୁଆ ଆଡ୍ଡାରେ ମଧ୍ଯ ସେ ତା ଉପସ୍ଥିତି ଜାହିର୍ କରି ପାରିଛି। ଏହା ହୁଏତ ଅନୁକରଣ ନହୋଇ ହନୁକରଣ ହୋଇଥାଇ ପାରେ। ତେବେ ଶିକ୍ଷା, ପ୍ରତିଯୋଗୀତା, ପ୍ରତିରକ୍ଷା ଓ ଆତ୍ମରକ୍ଷା ଆଦି କ୍ଷେତ୍ରରେ ମଧ୍ୟ ସେ ସିନା ପାରଙ୍ଗମ ହାସଲ କରିପାରିଲେ ଯଥାର୍ଥରେ ନାରୀ ଜାଗରଣ ଓ ସଶକ୍ତିକରଣ ହୋଇପାରିବ ବୋଲି ଆମେ କହି ପାରିବା, ନୋହିଲେ ସେ କି ଆଉ ବିକାଶ? ତେବେବି ସେ ହଟକି ପଛରେ ଆଉ ନାହିଁ। ସବୁ କଥାରେ ଆଗଭର ହୋଇଛି।ପ୍ରତିବାଦର ସ୍ଵର ମଧ୍ଯ ତା ଭିତରେ ଅନୁରଣିତ ହେଉଛି। ସେ ଆଉ ନିରବ ନିଶ୍ଚଳ ରହି ସବୁ କଥାକୁ ସହିବା ଅବସ୍ଥାରେ ନାହିଁ। ତେଣୁ କୁହାଯାଇ ପାରେ ନାରୀ ପ୍ରଗତୀ ଜିନ୍ଦାବାଦ୍।
ସବୁ କଥା ଠିକ୍ ଯେ, ହେଲେ ସମାଜରେ ଏତେ ଅବକ୍ଷୟ ଘଟୁଛି କାହିଁକି? ଜାତୀୟ ନିରାପତ୍ତା ଓ ସାମାଜିକ ସୁରକ୍ଷା ଆଦି ଆଇନ୍ ଥିବା ସତ୍ତ୍ୱେ, ନାରୀ ଜାଗରଣ, ନାରୀ ସୁରକ୍ଷା ମଞ୍ଚ କାମ କରୁଥିବା ସତ୍ତ୍ୱେ କାହିଁ ଏତେ କିଛି ସୁଧାର ତ ଆସି ପାରି ନାହିଁ। ତଥାପି ନାରୀ ନିର୍ଯ୍ୟାତନା ଓ ଅଶ୍ଳୀଳ ଇଙ୍ଗିତ(sledging) ର ଶୀକାର ହେଉଛି କିପରି? ମଣିଷ ଦିନକୁ ଦିନ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ଏତେଟା ବିଶୃଙ୍ଖଳିତ ଆଚରଣ ଓ ଭାବ ଭଙ୍ଗିର ପରିପ୍ରସାର ଓ ପ୍ରଚାର ଘଟୁଛି କିପରି? ଏଥିପାଇଁ ବାସ୍ତବରେ କିଏ ଓ କେଉଁ ପରିସ୍ଥିତି ଦାୟୀ?
ଏହିଭଳି କିଛି ଭାବନା ଓ ଭାବାନ୍ତର ସେଦିନ ସୃଷ୍ଟି ହେଉଥିଲା ଡାକ୍ତର ଅନିଲ ବାବୁଙ୍କ ମୁଣ୍ଡରେ। ମୁଣ୍ଡକୁ ଭାରକ୍ରାନ୍ତ କରି ସେ ଗନ୍ତବ୍ୟ ସ୍ଥଳୀକୁ ଫେରୁଥାନ୍ତି। ନିଜ ପ୍ରଶ୍ନରେ ନିଜେ ଶରବ୍ୟ ହୋଇ ସେ ବାରମ୍ବାର ଉତ୍ତର ଖୋଜୁଥାନ୍ତି। ପ୍ରଶ୍ନର ସବୁତକ ଉତ୍ତର ଖୋଜି ପାଇବା ପୂର୍ବରୁ ରାଇରଙ୍ଗପୁରରେ ବସ୍ ଆସି ପହଞ୍ଚିଯାଇଥିଲା। କଣ୍ଡକ୍ଟରର “ଓହ୍ଲାଇବେ ନାହିଁକି ବାବୁ! “କୁହାଟରେ ସେ ଚମକି ପଡି ପ୍ରକୃତିସ୍ଥ ହେବାକୁ ଚେଷ୍ଟା କରୁଥିଲେ। ଫଳରେ ଗାଡିରୁ ଧୀରେ ଧୀରେ ଓହ୍ଲାଉ ଓହ୍ଲାଉ ପିଛିଲା କଥା ଗୁଡ଼ାକ ଭୁଲିବାକୁ ଲାଗୁଥାନ୍ତି। କାରଣ ଅନତି ଦୂରରେ ହସପିଟାଲ୍ଟିଏ, ଯେଉଁଠି ତାଙ୍କୁ ଅପେକ୍ଷା କରି ରହିଥାନ୍ତି ସହସ୍ରାଧିକ ରୋଗୀମାନେ। ପେଶାରେ ସେ ଡାକ୍ତର ହୋଇଥିବାରୁ ରୋଗୀ ସେବାରେ ହିଁ ତାଙ୍କର ଆନନ୍ଦ। ଅନ୍ୟ କଥାରେ ତାଙ୍କର ଏତେଟା ଆଗ୍ରହ ରହେ ନାହିଁ। ସମୟର ଅଭାବ ହୁଏତ ଏହାର ଗୋଟେ କାରଣ ହୋଇପାରେ।
ତଥାପି ତାଙ୍କର ଏତେଗୁଡିଏ ଭାବନାର କାରଣଟା ତ କାହିଁ ଏତେ ସ୍ପଷ୍ଟ ହେଉନାହିଁ। ତେବେ ସେ କ’ଣ ପ୍ରଳାପ କରୁଥିଲେ? ନା.. ଏ କଥାଟା ଆଦୌ ନୂହେଁ,ତେବେ…ସେ କୌଣସି କଥାର ହୁଏତ ହେତୁ ନିରୂପଣ କରୁଥା ଇପାରନ୍ତି।
କଥାଟା ହେଉଛି ସେଦିନ ଡାକ୍ତର ବାବୁ ବସ୍ ଯୋଗେ ରାଇରଙ୍ଗପୁର ଅଭିମୁଖେ ଯାତ୍ରା କରୁଥାନ୍ତି। ବାଟରେ ନିଳଗିରି ଓ କପ୍ତିପଦା ପାଖରେ ହୋଇଛନ୍ତି କି ନାହିଁ – ବସ୍ ରେ ଅସମ୍ଭବ ଭିଡ଼। କାରଣ ବାହାଘର ସିଜିନ୍ ତ, ସେଇଥି ଲାଗି ଏହି ରୁଟ୍ ରେ ଚାଲୁଥିବା ପ୍ରାୟତଃ ଆଧିକାଂଶ ବସ୍ ବାହାଘରିଆ ରିଜର୍ଭେସନ୍ ଭଡା ଯୋଗୁଁ କ୍ୟାନସଲ୍, ମାନେ ବନ୍ଦ। ତେଣୁ ଅସମ୍ଭାଳ ପରିସ୍ଥିତି, ନାହିଁ ନଥିବା ଅସୁବିଧା। ଗୋଡ଼ ଉପରେ ଗୋଡ଼ ପକାଇ ଯାତ୍ରୀମାନେ ଦଳି ଚକଟି ପକାଉଥାନ୍ତି। କାହାକୁ କ’ଣ ବା କହିବ, ବେନି ଜନେ ତ ପଡ଼ିଛି ସମ ଦଶା। ଖାଲି ନିରବରେ ଜନ୍ତ୍ରଣା ସହିବା ବ୍ୟତୀତ ଉତ୍ତର ନାହିଁ ପ୍ରତିବାଦ କରିବାକୁ। ଦେହକୁ ଦେହ ବାଜିଯାଉଥାଏ। ତଳେ ଶୋରିଷ ପକାଇବାକୁ ଜାଗା ନଥାଏ। ଭାରି ଭିଡ଼ ।ଏହିଭଳିଆ ଭିଡ଼ ତ ଅସାମାଜିକ ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ନିଜ ଅଭିଳଷିତ କୁକର୍ମକୁ ଅଞ୍ଜାମ୍( ସଫଳ ରୂପାୟନ) ଦେବା ପାଇଁ।
ହଠାତ୍ ପଛପଟୁ ଶବ୍ଦ ଶୁଭିଲା। ସ୍ତ୍ରୀ ଲୋକଟିଏ ବୋଧେ, ମାଷ୍ଟ୍ରାଣୀ ହେବ କି କ’ଣ। – “ମୋ ପର୍ସ.. ପର୍ସ.. କିଏ ଲୁଟି ନେଲା” । ଏ କଥା ଶୁଣି ଯାତ୍ରୀ ମାନେ ହୋ ହୋ ହୋଇଉଠି-“ଏ ଗାଡି ରଖ, ଗାଡି ରଖ” ପାଟି କରି ଉଠିଲେ। ଡ୍ରାଇଭର୍ ଗାଡି ସ୍ଲୋ କଲାଠୁଁ ଚୋର ଝରକା ଦେଇ ପାର। ବିଚରା ସ୍ତ୍ରୀ ଲୋକଟା ମୁଣ୍ଡ କାଣ୍ଡ ଆଉଁଷି ହୋଇ ରହିଲା। କିଛି ସମୟ ବାରୁବାରୁ ହେଉଥିଲା, ପୁଣି ଚୁପି ମାରି ବସିଲା। କ’ଣ କରିବ ନିଜ ଭାଗ୍ୟ ତ ଖରାପ, କାହାକୁ କହିବ, କହିଲେ ବା କେହି ଶୁଣନ୍ତେ? ନିଜ ମନକୁ ନିଜେ ବୋଧେ ବୁଝାଇ ଦେଇଥାଏ। ହେଲେ ଦେଖଣାହାରୀ, ଯେଉଁମାନେ ଦେଖୁଥିଲେ? ଏମାନଙ୍କର କ’ ଣ କିଛି କର୍ତ୍ତବ୍ୟ ନଥିଲା? ଏମାନେ ପରା ସବୁ ଶୁଣିବେ, ସବୁ ଦେଖିବେ, ହେଲେ ଚୁପ୍ ରହିବେ। ଅସଲ କଥାଟା ହେଲା ଝାମେଲା ଭିତରେ କିଏ ପଶୁଛି? ନିଜ ଉପରେ ନ ପଡିବା ଯାଏଁ ଏମାନେ ଘର ଛେଇବେ ନାହିଁ। ତେଣିକି ଦୁନିଆ ଭାସି ଯାଉ… କ’ଣ ହେଉଛି…
ଯାହା ହେଉ ଏ ହଟଚମଟ ପରେ କିଛି ସମୟ ଶାନ୍ତି ବିରାଜମାନ କଲା। ପରିବେଶ ଏକାନ୍ତ ସ୍ତବ୍ଧ। ସମସ୍ତେ ନିରବ। ବସ୍ ଧୀରେ ଧୀରେ ଆଗକୁ ବଢିଲା। ବସ୍ ଷ୍ଟପ୍ ଆସିଲେ କିଛି ଲୋକ ଓହ୍ଲାଇ ଯାଉଥାନ୍ତି ଓ କିଛି ନୂଆ ନୂଆ ଲୋକ ବସ୍ ଉପରକୁ ଉଠୁଥାନ୍ତି। ଯେତିକି ଓହ୍ଲାଉଥାନ୍ତି ତା ଠାରୁ ଦ୍ୱି ଗୁଣା ଚଢୁଥାନ୍ତି। ଲୋକାଲ୍ ବସରେ ଯାତ୍ରା ସତରେ ଭାରି କଷ୍ଟଦାୟକ, ମରଣାନ୍ତକ ଜନ୍ତ୍ରଣା। ଏପରି ଯାତ୍ରା ସମସ୍ତଙ୍କ ଭାଗ୍ୟରେ ସବୁବେଳେ ଜୁଟେ ନାହିଁ।
କିଛି ସମୟର ବ୍ୟବଧାନ ପରେ ଠିକ୍ ଡାକ୍ତର ବାବୁଙ୍କ ପାଖରେ ଏକ ଅଭାବନୀୟ ଘଟଣା ଘଟିଲା, ଯେଉଁ ଘଟଣା ପ୍ରତି ସେ ଉଦାସୀନ ହୋଇ ରହି ପାରିଲେ ନାହିଁ, ଲମ୍ଫ ମାରିଦେଲେ। ତାଙ୍କ ପାଖରେ ଗୋଟେ କଲେଜ ପଢୁଆ ଝିଅ- ଛିଡ଼ା ହୋଇଥିଲା। ବେଶ୍ ଆଧୁନିକା, ଜଣାପଡ଼ୁନଥିଲା ପୋଷାକ ପରିଚ୍ଛେଦରୁ। କୋଉଟା କଟା ତ ଆଉ ଖଣ୍ଡେ ଅଧା ଖୋଲା। ତାକୁ ପରିବେଷ୍ଟିତ କରି ରହିଥାନ୍ତି ଦୁଇ /ତିନିଟା ଅସାମାଜିକ ଟୋକା। ଝିଅଟା ସହିତ ସ୍ଲେଜିଙ୍ଗ କରୁଥାନ୍ତି। କେତେବେଳେ ତା ‘ଗୋଡ ଉପରେ ଚଢି ଯାଉଥାନ୍ତି ତ ପୁଣି କେତେବେଳେ ତା ଅଙ୍ଗ ସୌଷ୍ଠବକୁ ଛୁଇଁ ଯାଉଥାନ୍ତି। ବେଳେବେଳେ ତା ଉପରେ ଏମିତି ଅଜାଡ଼ି ପଡୁଥାନ୍ତି ଯେ, ସେ ବିଚରା ଉପାୟ ନପାଇ ଡାକ୍ତର ବାବୁଙ୍କ ଆଡକୁ ଆଉଜି ଆସୁଥାଏ। ବିଚାରୀ ହତଚକିତ ହୋଇ ଉପାୟ ଖୋଜୁଥାଏ। ସେମାନେ ଯେତେବେଳେ ତାକୁ କିଛି ହଇରାଣ ହରକତ କରୁଥାନ୍ତି, ସେ ଜାଣିଶୁଣି ଡାକ୍ତର ବାବୁଙ୍କ ଆଡକୁ ଝୁଙ୍କି ପଡ଼ି ଯେପରି ଇଶାରା କରୁଥାଏ – “ଅଙ୍କଲ୍ ମୋତେ ସାହାଯ୍ୟ କରନ୍ତୁ, ଏ ରାକ୍ଷସ ଗୁଡ଼ାକ କବଳରୁ ମୋତେ ରକ୍ଷା ଦିଅନ୍ତୁ” । ତେଣୁ ଡାକ୍ତର ବାବୁ ଘଟଣାଟା ପ୍ରତି ତିକ୍ଷ୍ଣ ନଜର ରଖିଥାନ୍ତି। ଯେତେବେଳେ ଏମାନଂକର ଦୌରାତ୍ମ୍ୟ ବଢିବାକୁ ଲାଗିଲା, ଡାକ୍ତର ବାବୁ ଶୁଣାଇଲେ ସତର୍କ ଘଣ୍ଟି – “ଏ ବାବୁ ଟିକିଏ ସରେଇ କି ଛିଡା ହୁଅ”। ଓଲଟା ସେ ଦୁଇ /ତିନି ଜଣ କହୁଥାନ୍ତି-” ଆଉ ଆମେ କେଉଁଠି ଛିଡା ହେବୁ? ଗାଡିରେ ଆମକୁ ସିଟ୍ ଟେ ଦେଇ ଦେଉନ!” ଏହିଭଳି ଭ୍ରୂକ୍ଷେପବିହୀନ ପ୍ରତ୍ଯୁତ୍ତର ଓ ତାଚ୍ଛଲ୍ୟଭରା ହସ – ଠୋ.. ଠୋ.. ।
ଏହା ଭିତରେ ଡାକ୍ତର ବାବୁ ମନୋବଳକୁ ଦୃଢ଼ କରି ସାରିଥାନ୍ତି। ସେ ସୁଯୋଗ ଅପେକ୍ଷାରେ – ଠିକଣା ଅବସରକୁ। ଏହାପରେ କିନ୍ତୁ ସେମାନେ ଅଧିକ ଉତ୍ସାହିତ ହୋଇ ଝିଅଟା ପାଖକୁ ଅଧିକ ଲାଗି କରି ଛିଡା ହେଲେ। ବୋଧେ ଏହାହିଁ ଥିଲା ସେମାନଙ୍କର ଔଦ୍ଧତ୍ୟତାର ପ୍ରତିବାଦ ଓ ପ୍ରତିବଦ୍ଧତାର ଶାଣିତ ସ୍ଵର – ଆଲେଖ୍ୟ। ଘଟଣା କ୍ରମେ ତା ଶରୀରର ବିଶେଷ ଅଙ୍ଗ ଦେଶକୁ ସ୍ପର୍ଶ କରିବାର ଧୃଷ୍ଟାତା କରିବାକୁ ମଧ୍ୟ ଭୁଲିଲେ ନାହିଁ, ଯେଉଁଥିରେ ଝିଅଟି ଉତ୍କ୍ଷିପ୍ତ ହୋଇ ଚଟକଣିଟିଏ ଦେବାକୁ ପଛେଇ ନଥିଲା। ଚୋରଙ୍କର ତ ମୁହଁ ଟାଣ, ଓଲଟା ସେମାନେ ଆକ୍ରମଣ କରି ଆସୁଥିଲେ। ଡାକ୍ତର ବାବୁଙ୍କ ଧୈର୍ଯ୍ୟର ବରଫ ତରଳିବାକୁ ଲାଗୁଥାଏ। ତାଙ୍କର କ୍ରୋଧାଗ୍ନିର ବହ୍ନି ଶିଖା ପ୍ରଚଣ୍ଡ ପ୍ରଜ୍ଜ୍ଵଳିତ ହେବାକୁ ଲାଗିଲା। ଆଖିରେ ସ୍ଫୁଲିଙ୍ଗ, ମନରେ ବିଦ୍ରୋହର ଲେଲିହାନ ଶିଖା, ଦେହରେ ତେଜସ୍କ୍ରିୟ ରଶ୍ମିର ଉଦ୍ଗୀରଣ ହୋଇ ଶରୀରକୁ ଯୋଗାଉ ଥାଏ ଅସୀମ ଅପରିମିତ ବଳ। ସେ ଗୋଟାକୁ ଭିଡ଼ି ଆଣି କଷିକି ଥାପଡଟେ ଦେଲେ। ଆଉ ଜଣେ ପ୍ରତିବାଦ କରି ଭିଡ଼ି ଆସିବାରୁ ତାକୁ ମଧ୍ଯ ଗୋଟେ ଶକ୍ତ ମୁଥ। ବସ୍ ସାରା ହଇଚଇ ସୃଷ୍ଟି ହୋଇଗଲା। ସମସ୍ତ ଲୋକ ମାଡ଼ି ଆସିଲେ, ସେମାନେ କିନ୍ତୁ ମୁହଁ ଭୂରି ମାରୁଥାନ୍ତି, ହେଲେ ଲୋକମାନେ ଏତେବେଳେକୁ ସେମାନଙ୍କୁ ଗଳା ଧକ୍କା ଦେଇ ବସରୁ ନିକାଲି ଦେଇଥାନ୍ତି ।
ଏହିପରି ବସରେ ଯାହା ଅଘଟଣ ଘଟିବାର ଥିଲା ସବୁ ଘଟି ସାରିଥିଲା। ଆଉ କିଛି ଘଟିବା ପୂର୍ବରୁ ବସ୍ ରାଇରଙ୍ଗପୁରରେ ପହଞ୍ଚି ସାରିଥିଲା। ଡାକ୍ତର ବାବୁ ଓହ୍ଲାଇ ସିଧା ଡାକ୍ତର ଖାନା ମୁହାଁ ଧାଇଁଲେ। ପଛରୁ କିଏ ଗୋଡ଼ଟାକୁ ଅଣ୍ଡାଳି ଧରିବାରୁ, ବୁଲି ପଡ଼ି ଚାହିଁଲେ। ଝିଅଟା ଗୋଡ଼ରୁ ନେଇ ମୁଣ୍ଡିଆ ମାରିଲା ଆଉ କୃତଜ୍ଞତା ମଧ୍ୟ ଜଣାଇବାକୁ ଭୁଲି ନଥିଲା। ଡାକ୍ତର ବାବୁ କହିଲେ – “ମାଆରେ ତୋ ସାହସକୁ ମୁଁ ନମନ କରୁଛି। ତୁ ଆହୁରି ସାହସୀ ହୋଇ ପ୍ରତିପକ୍ଷ ସହିତ ଲଢ଼ିବା ପାଇଁ ଶକ୍ତି ଓ ସାମର୍ଥ୍ୟ ଏକଠା କର। ଈଶ୍ଵର ତୋତେ ସହାୟକ ହୁଅନ୍ତୁ”।
ଡାକ୍ତର ବାବୁ ଆହୁରି କହୁଥିଲେ – “ନିଜେ ନିଜ ପାଇଁ ନଲଢି ପାରିଲେ ତୁମ ପାଇଁ କେଉଁ ସ୍ଵର୍ଗ ଦୂତ ଆସିବ ନାହିଁ ଲଢିବାକୁ। ନିଜେ ହିଁ ନିଜର ରକ୍ଷା କବଚ ପାଲଟ” । ଝିଅଟି ନିରବରେ ସମ୍ମତି ଦେଉଥାଏ। କୃତଜ୍ଞାତରେ ଭରି ଉଠୁଥାଏ ତା’ର ଅନ୍ତରାତ୍ମା।
8.ତୁମୁଳ କାଣ୍ଡ
ନନ୍ଦିକା ଆର ଗାଁର ଝିଅ। ମଧୁ ସାଆଁନ୍ତଙ୍କ ନାତୁଣୀ ସରପଞ୍ଚ ବାବୁଙ୍କ ଝିଅ। ଜମିଦାରୀ ସିନା ଚାଲି ଯାଇଛି , ହେଲେ ଖାତିରଟା ଏଯାଏଁ ଯାଇ ନାହିଁ କି ଧନ ସମ୍ପତ୍ତିରେ କୌଣସି କମତି ହୋଇ ନାହିଁ। ସେହି ଛାଣ୍ଟ ଓ ଆଦବ କାଇଦା ଏବେ ବି ଅଛି। ନନ୍ଦିକା ଗେହ୍ଲ ବସରରେ ବଢିଥାଏ। ଅତି ଅଲିଅଳି ରାଜଜେମା। ମାଛିକୁ ‘ମ’ କହେ ନାହିଁ କି ଏଠୁ କୁଟା କେରେ ନେଇ ସେଠିିକେବେ ପକାଏ ନାହିଁ। ଭାରି ନିରିମାଖି ଝିଅଟା। ଦୁଃଖ କ’ଣ ଜୀବନରେ ବୁଝି ନାହିଁ। ସୁଖ ପାରାବାରରେ ରାଜ ଉଆସ ପରି ଉଆସରେ ପରୀ ରାଣୀର ଜୀବନ ବିତୁ ଥାଏ। ଜୀବନରେ ଅସୁମାରି ସୁଖ ସମ୍ଭୋଗ ତା ଭାଗ୍ୟରେ ଜୁଟି ଥିଲା। ଅଳି ଅର୍ଦ୍ଦଳି ସବୁ ବାପା ଭାଇ ସହନ୍ତି। ଚାକର ବାକର ସବୁ ଜେମାମଣିଙ୍କ କଥାକୁ ଅନେଇ ରହିଥାନ୍ତି। ଆଦେଶ ମାତ୍ରକେ ଦୌଡ଼ି ଧାମ୍ଫୁଡି କରନ୍ତି। ଦଣ୍ଡେ ବିଳମ୍ବ ହୋଇଗଲେ ଜେମା ମୁହଁ ଫଟାଇ କାନ୍ଦିବେ। ତେଣୁ ନନ୍ଦିକା ଯେତେବେଳେ ଯାହା ଚାହେଁ ସବୁ ତା ହାତ ପାହାନ୍ତାରେ ତାକୁ ମିଳିଯାଏ । ଏପରି କି ଅଗନା ଅଗିନି ବନସ୍ତର କଥା କୁହା ଚଢେଇ ଓ କୁହୁକ ରାଇଜର କୁହୁକ ପେଡ଼ି ପର୍ଯ୍ୟନ୍ତ। ପିଲା ଦିନୁ ସେ ଯାହା ଚାହିଁଛି ବାପ ଭାଇ ସବୁ ପୂରଣ କରିଛନ୍ତି। କୌଣସିଥିରେ ଅବହେଳା ହେବାକୁ ଦେଇନାହାଁନ୍ତି ।ମା’ଙ୍କୁ ଏଥିରେ ବିଶେଷ କିଛି ମୁଣ୍ଡ ପୂରେଇବାକୁ ପଡ଼ି ନାହିଁ।କାରଣ ନନ୍ଦିକା ପାଟିରୁ କିଛି ଉଦ୍ଗୀରଣ ହେଲା କ୍ଷଣି ଅନୁଚର ଓ ଅନୁଗତମାନଙ୍କୁ ଆଦେଶ ଦିଆ ଯାଇଥାଏ ତାହା ଅବିଳମ୍ବେ ପାଳନ କରିବା ପାଇଁ। ଏହିଭଳି ଭାଗ୍ୟ କୋଟିକରେ ଗୋଟିଏ, ଭାଗ୍ୟରେ ଥିଲେ ସିନା……
ଧୀରେ ଧୀରେ ନନ୍ଦିତା ବଡ଼ ହେବାକୁ ଲାଗିଲା। ପିଲାବେଳ ଧୂଳିଖେଳ ଓ ବାଲ୍ଯ କୈଶୋର ସବୁ ଗୋଟେ ପରେ ଗୋଟେ ମହା ଆନନ୍ଦରେ ବିତି ଯାଉଥିଲା। ଏଣିକି ଆରମ୍ଭ ହେଲା ଯୌବନ, ଯାହା ମାନବ ଜୀବନର ଶ୍ରେଷ୍ଠ କାଳ ଓ ଶ୍ରେଷ୍ଠ ସମ୍ପଦ । ସ୍କୁଲ ଜୀବନ ଯାଇ ତାଇ ଭାବେ କଟିଗଲା। ଆକଟ ମାନି ପିଲା ଦିନୁ ଚଳି ଆସୁଥିଲା, ଏଣୁତେଣୁ କଥାରେ ସେତେ ମନ ବଳୁ ନଥିଲା। ଏଣିକି ଝିଅ ଆମର କଲେଜ ଯିବ। ସୁରକ୍ଷା କାରଣରୁ ବାପ ଭାଇ ପ୍ରଥମେ ମନା କରୁଥିଲେ, ହେଲେ ନନ୍ଦିକାର ଏକାନ୍ତ ଜିଦ୍ ସେ ଉଚ୍ଚ ଶିକ୍ଷିତା ହେବ। ତା ସାଙ୍ଗସାଥିମାନେ ଯାଉଛନ୍ତି ସିଏ ବି କଲେଜ ଯିବ। ଖୋଲା ପବନରେ ମୁକ୍ତ ବିହଙ୍ଗ ପରି ଘୂରି ବୁଲିବ। ଏ ବନ୍ଦୀ କୋଠରୀରେ ଜୀବନ ଦୁର୍ବିଶହ ହେଲାଣି, ସେ ବାହାର ଦୁନିଆ ଦେଖିବ, ସମସ୍ତଙ୍କ ସହ ମନ ଖୋଲି କଥା ହେବ, ସାଙ୍ଗସାଥି ସହ ହସାହସି ହୋଇ କମ୍ପାଇବ। ସ୍ଵାଧୀନତା ଗୋଟେ ନିଆରା ଜିନିଷ, ତେଣୁ ସେ ସ୍ୱାଧୀନତାର ସ୍ୱାଦ ଚାଖିବ। ପରିବାରର ଆଭିଜାତ୍ୟ ଓ ପରମ୍ପରାରେ ସେ ଅଣନିଶ୍ଵାସୀ ହୋଇଗଲାଣି। ତେଣୁ ଯାହା ବି ହେଉ ସେ କଲେଜ ଯିବ ଓ ପାଠ ମଧ୍ୟ ପଢି ନାରୀ ଶିକ୍ଷାର ଟେକ ରଖିବ।
ବାପ ଭାଇ ସିନା ରାଜି ହେଲେ, ହେଲେ ନନ୍ଦିକାର ସୁରକ୍ଷା ଚିନ୍ତାକୁ ନେଇ ଅଡୁଆରେ ପଡିଗଲେ। ଝିଅର ନିରାପତ୍ତା ପାଇଁ ଗଣ୍ଡେ ଛଅଟା ସୁରକ୍ଷାକର୍ମୀ ନିଯୁକ୍ତ ହେଲେ। ବାପାଙ୍କର ଇଚ୍ଛା ଝିଅ ଉପରେ ଯେମିତି କିଛି ଆଞ୍ଚ୍ ନ ଆସୁ ବା କୌଣସି ବାତରା ଟୋକାଙ୍କର ନଜରନପଡୁ ।
ସେୟା ହେଲା। ଝିଅ ଗଲା ଅନତି ଦୂରରେ ଥିବା ସହରକୁ ପାଠ ପଢି। ସୁରକ୍ଷା କର୍ମଚାରୀ ଜଗି ରହିଲେ। ସୁରକ୍ଷା ବଳୟ ଅତିକ୍ରମ କରି ତା ‘ପାଖକୁ ଆସିବାକୁ କାହାରି ଧୃଷ୍ଟତା ନଥିଲା। ପୁଣି ଗୋଟିଏ ଦୁଇଟା ଚାପୁଲିସ କରିବା ଲୋକ ଚୌକିଦାରୀ ସହିତ ଗୁଇନ୍ଦାଗିରି କରୁଥାନ୍ତି। ସେମାନେ ନନ୍ଦିକାଙ୍କର କଲେଜ ଯିବା ଆସିବାର ଧାରା ବିବରଣୀ ଅହରହ ବାବୁଙ୍କୁ ଶୁଣାଉଥାନ୍ତି। କୋଉଠି କିଛି ବ୍ୟତିକ୍ରମ ହେଲେ ସରପଞ୍ଚ ବାବୁ ଗର୍ଜି ଉଠୁଥାନ୍ତି। କେଉଁଠି କିଛି ସୂଚନା ପାଇଲେ ଆଗୁଆ ତାଙ୍କ ଲୋକମାନେ ଜଗିରହୁଥାନ୍ତି। ତଥାପି ଯଦି କିଏ ଦୁଃସାହସ କଲା ବା ନନ୍ଦିକା ଉପରେ ନଜର ପକେଇ ପଦେ ଅଧେ କହି ଦେଲା, ତେବେ ସେ ମଲା। ବାବୁଙ୍କର ଲୋକମାନେ ତାକୁ ଧରି ନିସ୍ତୁକ ବାଡ଼େଇ ହାଇଲି କାଇଲି କରି ଛାଡୁଥିଲେ। ବଡ଼ ରକ୍ଷଣଶୀଳ ଚିନ୍ତା ଓ ଚେତନାର ପୃଷ୍ଠପୋଷକ ଥିଲେ ଏହି ସରପଞ୍ଚ ବାବୁ।
ସୃଷ୍ଟି ସଦା ତା’ ପରିବର୍ତ୍ତନର ଲୀଳା ରଚୁଥାଏ – ସମସ୍ତଙ୍କ ଅଲକ୍ଷ୍ୟରେ। ଏପଟେ ନନ୍ଦିକା ଆସ୍ଥେ ଆସ୍ଥେ ଯୌବନରେ ପଦାର୍ପଣ କରୁଥାଏ। ତା’ ମନୋଭାବରେ ଅନାୟାସରେ ଅନେକ ପରିବର୍ତ୍ତନ ସଂଘଟିତ ହେଉଥାଏ। ଯୌବନ ମୁଣ୍ଡ ଟୁଙ୍ଗାରିବାରୁ ତା’ ଅଙ୍ଗ ସୌଷ୍ଠବ ଆହୁରି ପରିସ୍ଫୁଟ ହୋଇ ଦିଶୁଥାଏ। ମନରେ ବିକାର ଓ ଦେହରେ ପୁଲକ ପରିଲକ୍ଷିତ ହେଉଥାଏ। ସବୁ କିଛି ତାକୁ ସୁନ୍ଦର ହୋଇ ପ୍ରତିଭାତ ହେଉଥାଏ, ତେଣୁ ସେ ଚାହୁଁ ଥାଏ ଆହୁରି ସୁନ୍ଦର ହୋଇ ନିଜକୁ ସଜେଇବାକୁ, ଯେମିତି ସମସ୍ତଙ୍କର ଦୃଷ୍ଟି ତା’ ଆଡକୁ ଆକୃଷ୍ଟ ହେଉ ଓ ସମସ୍ତେ ତାକୁ ସୁନ୍ଦରୀ ବୋଲି ପ୍ରସଂଶା କରନ୍ତୁ-ଏମିତି କିଛି ଭାବନା ତା ମୁଣ୍ଡକୁ ଘାରୁଥାଏ । ଆଗ ଭଳି ସେ ଆଉ ନିରିମାଖି ସାଧବ ଝିଅ ହୋଇ ରହି ନାହିଁ। ଏବେ ସେ ପୂର୍ଣ୍ଣ ଯୌବନପ୍ରାପ୍ତା। ମନ ଚାହୁଁଛି ମୁକ୍ତ ପବନ ଓ ଖୋଲା ଆକାଶ। ଆମ୍ବ ବଗିଚା ଓ ତୋଟାମାଳ। ଯେଉଁଠି ସେ ସାଙ୍ଗ ସାଥି ସହ ଖିଲିଖିଲି ହୋଇ ହସି ପାରିବ, ନିଜର ମନୋଭାବକୁ ଅକ୍ଳେଶରେ ପରିପ୍ରକାଶ କରି ସାଙ୍ଗସାଥି ସହ ଥଟ୍ଟା ମଜ୍ଜା କରି ପାରିବ। ଟିକିଏ ମନଟାକୁ ହାଲୁକା କରି ଉଡ଼ନ୍ତା ଚଢେଇ ପରି ଦଣ୍ଡକେ ପୃଥିବୀଟା ପରିକ୍ରମା କରି ଆସନ୍ତା କି?
ହେଲେ ସବୁ ଭାବନା ମନରେ ଉଙ୍କି ମାରି ମନ ରାଇଜରେ ମରି ଯାଉଥାଏ। କାରଣ ଏଗୁଡ଼ିକ ସବୁ ଅବାସ୍ତବ ପରିକଳ୍ପନା, ଦୁର୍ଦ୍ଦମନୀୟ କାମନାର ଅସରନ୍ତି ସ୍ଵପ୍ନ ସମ୍ଭାର। ବାସ୍ତବତା ହେଉଛି ବାପା ଭାଇଙ୍କର ଅନୁଶାସନ ମାନି ଘରର ଚାରିକାନ୍ଥ ଭିତରେ ଜୀବନ ନିର୍ବାହ କରିବା। ହେଲେ କି ଏହା ସମ୍ଭବ? ମନରେ ଦେଖାଦେଲା ବହିର୍ଦ୍ଵନ୍ଦ୍ବ ଓ ଅନ୍ତର୍ଦ୍ୱନ୍ଦ୍ବ ଭିତରେ ତୀବ୍ର ସଂଘର୍ଷ। ସଂଘର୍ଷରୁ ସର୍ବଦା ନୂତନ ସିଦ୍ଧାନ୍ତମାନ ଆଣିଥାଏ। ତେଣୁ ନିଷ୍କର୍ଷ ସ୍ଵରୂପ ଫଳ ଓଲଟା ପାଳିବାକୁ ଆରମ୍ଭ କଲା।
ସେହି କଲେଜକୁ ନୂଆ କରି ସୂର୍ଯ୍ୟକାନ୍ତ ଆସିଥାଏ। ଖୁବ୍ ସୁନ୍ଦର ଚେହେରା।ଦେଦିପ୍ଯମାନ ରୂପକାନ୍ତି।ସୂର୍ଯ୍ୟସମ କାନ୍ତି। ଶରୀରରେ ଅମିତ ପରାକ୍ରମ, ଅପରିମିତ ବଳ। ପ୍ରଥମ ଦେଖାରେ ଉଭୟଙ୍କର ଉଭୟଙ୍କ ପ୍ରତି ଆକର୍ଷଣ ଓ ଆକର୍ଷଣରୁ ପ୍ରେମାନୁରାଗ ସୃଷ୍ଟି ହୋଇସାରିଥାଏ। ମନର ଅବ୍ୟକ୍ତ ଭାବ ପରିପ୍ରକାଶ ଲାଭ କରି ନ ପାରୁଥିଲେ ମଧ୍ଯ ମନ ଚାହୁଁ ଥାଏ ସବୁକିଛି ବ୍ୟକ୍ତ କରିଦେବାକୁ – “ମୁଁ ତୁମକୁ ଭଲ ପାଏ”। ହେଲେ ମନର ଭାବ ଓଠରେ ପରିପ୍ରକାଶ ହେବା ପୂର୍ବରୁ ଛେପ ହୋଇ ପାଟି ଭିତରେ ଢୋକି ହୋଇ ଯାଉଥାଏ।
ଏହି ସୂର୍ଯ୍ୟକାନ୍ତଙ୍କର ହାବଭାବ ଓ ଚାଲିଚଳଣି ନନ୍ଦିକାର ଖୁବ୍ ପସନ୍ଦ। ବେଶୀ ପସନ୍ଦ ତାଙ୍କ ମାପିଚୁପି କଥା କହିବାର ଶୈଳୀ ଓ ଶିଷ୍ଟାଚାର ଭଦ୍ରୋଚିତ ବ୍ୟବହାର। ସୂର୍ଯ୍ୟକାନ୍ତ ବି ଭଲ ପାଠ ପଢ଼ନ୍ତି, ଦରକାର ପଡିଲେ ଅନ୍ୟକୁ ସାହାଯ୍ଯ ଓ ସହଯୋଗ ଯୋଗର ହାତ ବଢାନ୍ତି। ଅନ୍ୟାୟ ଅନୀତିର ସେ ଘୋର ବିରୋଧୀ। ତାଙ୍କର ବି ସାଙ୍ଗଠନିକ ଦକ୍ଷତା ଭଲ ଅଛି। ସମସ୍ତଙ୍କର ହାନି ଲାଭ ସେ ବୁଝନ୍ତି। କେହି ଜଣେ ଅସୁବିଧାରେ ପଡିଲେ ସେ ନିଜ ମଥା ପାତି ଦେବେ ପଛେ ଚୁପ୍ ହୋଇ ବସି ରହି ପାରିବେ ନାହିଁ। ତେଣୁ ସମସ୍ତେ ତାଙ୍କୁ ଭଲ ପାଆନ୍ତି। ନନ୍ଦିକା ବି ସେଥିରୁ ବାଦ୍ ପଡନ୍ତା କେମିତି?
ସେଦିନ ଏମିତି ଏକ ଅଭାବନୀୟ ଘଟଣା ଘଟିଥିଲା ଯେତେବେଳେ କି କଲେଜ ନିର୍ବାଚନରେ ସରପଞ୍ଚ ବାବୁଙ୍କ ଗୁମସ୍ତା ଭିଲେନ୍ଙ୍କ ବଡ଼ ଭାଇ ସୃଷ୍ଟିଧରଙ୍କ ପୁଅ ଭାଲୁ ନିର୍ବାଚନରେ ସୂର୍ଯ୍ୟକାନ୍ତଙ୍କଠୁଁ ନିର୍ବାଚନ ହାରି ଯାଇଥିଲା। ହାରି ଯାଇଥିଲା ଗର୍ବୋନ୍ମତ୍ତ ଦାମ୍ଭିକପଣ। କାରଣ ଏହି ସୃଷ୍ଟିଧର ହେଉଛନ୍ତି ପ୍ରକୃତପକ୍ଷେ ସରପଞ୍ଚ ବାବୁଙ୍କର ଗୁମାସ୍ତା ଭୂମିକାରେ ମନ୍ତ୍ରୀ ପରି ଅଭିନୟ କରୁଥିବା ମହାମାନବ ଓ ତାଙ୍କ ପୁତ୍ର ମଣି ଭାଲୁ ହେଉଛନ୍ତି ନନ୍ଦିକାର ସୁରକ୍ଷା ବାହିନୀର ମୁଖିଆ ମାନେ ସେନାପତି। ଏମାନଙ୍କର କୂଟକପଟତା ଓ ମନ୍ଦ ବୁଦ୍ଧିକୁ ବୁଝି ପାରୁନଥାନ୍ତି ସରପଞ୍ଚ ବାବୁ ଓ ତାଙ୍କ ପୁଅମାନେ। ଏମାନେ ଅସଲରେ ଚାହୁଁଥାନ୍ତି ନନ୍ଦିକାକୁ ଶୀକାର କରି ତାକୁ ଅସ୍ତ୍ର ରୂପେ ବ୍ୟବହାର କରି ତାଙ୍କର ସମସ୍ତ ସମ୍ପତ୍ତି, କ୍ଷମତା ଓ ପ୍ରତିପତ୍ତି ସବୁ ହାତେଇବା ପାଇଁ। ଏମାନେ ମଣିଷ ନୁହଁନ୍ତି ତ ସାକ୍ଷାତ୍ ରାକ୍ଷାସ। ସବୁତକ ମନ୍ଦ ଉଦ୍ଦେଶ୍ୟ ଓ ମନ୍ଦ କର୍ମ ଏମାନଙ୍କ ଜୀବନ ପଞ୍ଜିକାରେ ଲିପିବଦ୍ଧ ହୋଇସାରିଥାଏ। ସରପଞ୍ଚ ବାବୁଙ୍କର ସରଳତାର ସୁଯୋଗ ନେଇ ଓ ତାଙ୍କର ଖାତିରର ଦୁରୁପୋଯୋଗ କରି ଯେତେକ କଳା ଧନ୍ଦା ଓ କାରନାମା ଏମାନଙ୍କର ପରିସ୍ଫୁଟ ହେବାକୁ କେବଳ ବାକି ଥାଏ। ଏମାନଙ୍କୁ ଆଧୁନିକ ଭାଷାରେ ପରା କୁଜି ନେତା କହନ୍ତି ନହେଲେ ନାଟକରେ କଳିଆ ନାରଦ।
ଏହି ଭାଲୁଟା କ’ଣ କମ୍ ବଦମାସ୍ କି। ସୁଦ ମୂର୍ଖଟା ଦଶ ବର୍ଷ ହେଲା ଏହି କଲେଜରେ ରହିଛି। ପାସ୍ କରି ପାରୁନାହିଁ। ମୁହଁ ଫୁଟାଣି ଖାଲି ।କଲେଜ ଇଲେକ୍ସନଟା ଲଢ଼ିବା ତା’ର ମୁଖ୍ୟ। ଯେତେକ ଜାନାକାରୀ, ହଣାକଟା ଓ ମର୍ଡର କେସ୍ ସବୁ ଏହାରି ନାଁରେ।ଲୋକଟାକୁ ନନ୍ଦିକା ଆଦୌ ପସନ୍ଦ କରୁ ନଥାଏ। ହେଲେ ତା’ର ଲୋଲୁପ ଦୃଷ୍ଟି ନନ୍ଦିକା ଉପରେ ଥାଏ।
ସେଦିନ କଲେଜ ନିର୍ବାଚନରେ ହାରିଗଲା ପରେ ଏମାନେ ପରାଭବର ଘୋର ଗ୍ଲାନି ନେଇ ସୁଯୋଗ ଉଣ୍ଡୁଥାନ୍ତି , ପ୍ରତିଶୋଧ ନେବା ପାଇଁ। କାରଣ ତାଙ୍କ ଆଗରେ କୌଣସି ପ୍ରତିଯୋଗୀ ଓ ପ୍ରତିଦ୍ଵନ୍ଦୀ ମୁଣ୍ଡ ଟେକି ଛିଡା ହେଉ ଏ କଥା ସହଜରେ ସେମାନେ ହଜମ କରି ପାରୁ ନଥିଲେ।
ସେଦିନ ନନ୍ଦିକା ଓ ସୂର୍ଯ୍ୟକାନ୍ତଙ୍କର ସାମନ୍ୟ ଶିଷ୍ଟାଚାର ମୂଳକ ସାକ୍ଷାତକାର୍ ଓ ଆଳାପ ଆଲୋଚନାକୁ ଏମାନେ ଏମିତି ନାଟକୀୟ ଢଙ୍ଗରେ ସରପଞ୍ଚ ବାବୁଙ୍କ ଠାରେ ଉପସ୍ଥାପନ କଲେ ଯେ, ଯହିଁରୁ ସୃଷ୍ଟି ହେଲା ମହାଭାରତ। ସରପଞ୍ଚ ବାବୁ ରାଗିକି ଏକଦମ୍ ଖପ୍ପା ହେଲେ ଓ ତାଙ୍କ ଲୋକ ମାନଙ୍କୁ ପଠାଇ ସୂର୍ଯ୍ୟକାନ୍ତଙ୍କୁ ଏମିତି ପ୍ରହାର କଲେ ଯେ , ସେ ଯାଇ ମେଡିକାଲରେ। ତାଙ୍କ ଝିଅକୁ ମୁହଁ ଟେକି ଆଉ ନ ଚାହିଁବା ପାଇଁ ମଧ୍ୟ ଧମକ ଦେଲେ। ସୂର୍ଯ୍ୟକାନ୍ତ ଅସଲରେ ଘଟଣାଟା ସେତେବେଳେକୁ ବୁଝିବାକୁ ସକ୍ଷମ ହେଉନଥିଲେ। ପରେ ବୁଝୁ ବୁଝୁ ଘଟଣାଟା ଏମନ୍ତ।
ନନ୍ଦିକା କିନ୍ତୁ ଘଟଣାଟା ଶୁଣିବା ପରେ ନିଜକୁ ଦାୟୀ ମଣୁଥାଏ। କିପରି ଏକ ଅମୂଳକ ଘଟଣାକୁ ନେଇ ଏପରି କଦର୍ଥନ ରୂପ ଦେଇହୁଏ ଓ ତହିଁରେ ଜଣେ ନୀରିହ ବଳି ପଡି ଯାଇପାରେ ତାହାର ବଳିଷ୍ଠ ନମୁନା ଏହି ଘଟଣା ସମୂହ ।ସେଥିସକାଶେ ମନେ ମନେ ଦୁଃଖିତା ହେଉଥାନ୍ତି ନନ୍ଦିକା ଓ “ସରିି” ବୋଲ କହି ଦେବାକୁ ବ୍ୟଗ୍ର ହେଉଥାଏ ମନ। ଅନ୍ୟ ପଟେ ସୂର୍ଯ୍ୟକାନ୍ତଙ୍କୁ ଜୀବନରୁ ମାରିଦେଇ ରାସ୍ତାରୁ ଏହି ପ୍ରତିବନ୍ଧକ ରୂପକ କଣ୍ଟାକୁ ଉପାଡି ମୂଳରୁ ଫିଙ୍ଗି ଦେବାକୁ ମସୁଧା କରୁଥାନ୍ତି ସୃଷ୍ଟିଧର ଓ ଭାଲୁର ଲୋକମାନେ। ଏ ଗୁପ୍ତ ମନ୍ତ୍ରଣା ପରିଚାରିକା ପାଖରୁ ଶୁଣି ନନ୍ଦିକାର ମନ ବୋଲ ମାନୁଥାଏ। ତେଣୁ ସେ କୌଣସି ପ୍ରକାର ସୂର୍ଯ୍ୟକାନ୍ତ ପାଖରେ ପହଞ୍ଚି ତାଙ୍କୁ ଘଟଣା ପ୍ରତି ସତର୍କ ରହିବାକୁ କହିବାକୁ ଉଚ୍ଚାଟିତ ହେଉଥାନ୍ତି । ତେଣୁ ସେ ଲୁଚି ସୂର୍ଯ୍ୟ କାନ୍ତ ପାଖରେ ପହଞ୍ଚିବାକୁ ଚେଷ୍ଟା କଲେ। ଏହାର ସୁଯୋଗ ନେଇ ଭାଲୁ ଓ ତା’ର ଲୋକମାନେ ନନ୍ଦିକା କୁ କିଡନାପ କରିନେଇ ଫାର୍ମ ହାଉସକୁ ଉଠେଇ ନେଲେ। ସେଇଠି ପଣ୍ଡିତ ଓ ମନ୍ତ୍ର ଉଚ୍ଚାରଣ ଜରିଆରେ ଜୋହର୍ ଜବରଦସ୍ତି ବାହା ହେବାର ନାଟକ ରଚିଲା। ସରପଞ୍ଚ ବାବୁ ଓ ତାଙ୍କ ପୁଅମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସୃଷ୍ଟିଧରର ଗୁଣ୍ଡାମାନେ ସେମାନଙ୍କୁ ବାନ୍ଧି ପକାଇ ଉଇଲ୍ ପେପରରେ ଦସ୍ତଖତ କରିବାକୁ ବାଧ୍ୟ କରୁଥାନ୍ତି। ଏତେବେଳକୁ ସରପଞ୍ଚ ବାବୁଙ୍କର ଚେତନା ଫେରୁଥାଏ ଯେ, ଯାହାକୁ ଏତେ ଦିନ ଧରି ସେ ଦୁଧ ଭାତ ଦେଇ ପୋଷି ପାଳି ରଖିଥିଲେ ସେଗୁଡାକ ସୁଦ କୃତଘ୍ନ ପ୍ରମାଣିତ ହେଲେ। ଧୀରେ ଚିହ୍ନୁଥାନ୍ତି ଅହରହ ମିଠା କହୁଥିବା ଲୋକଟା କେତେ ବଡ଼ ବିଷଧର କାଳସର୍ପଟା। ମଣିଷ ଏଡ଼େ ଧୋକାବାଜ ଓ ବେଇମାନ୍ କି ହୋଇପାରେ?
ସୂର୍ଯ୍ୟକାନ୍ତ ବନ୍ଧୁମାନଙ୍କଠାରୁ ଏଇ ଖବରଟା ପାଇଁ ସିଧା ଚାଲିଲା ଫାର୍ମ ହାଉସ, ଯେଉଁଠି ଏ କାଣ୍ଡ କାରନାମା ସବୁ ଚାଲିଥାଏ। ଖୁବ୍ କସରତ ପରେ ସୃଷ୍ଟିଧର ଓ ଭାଲୁ କବ୍ଜାକୁ ଆସିଥିଲେ। ଉତ୍ତମ ମାଧ୍ୟମ ଭଲ ରକମର ମଧ୍ୟ ଦି’ଟା ଖାଇଥିଲେ। ସେମାନଙ୍କୁ କାବୁ କଲା ପରେ ପୋଲିସ ପହଞ୍ଚି ଯାଇଥିଲା। ଫର୍ଦ୍ଦ ଓଲାଟାଇଲା ବେଳକୁ ଲମ୍ବା କାରନାମାର ପାର୍ଚ୍ଚା।
ସରପଞ୍ଚ ବାବୁ ସବୁ ଶୁଣି ଚେତନା ଶୂନ୍ୟ ହୋଇଗଲେ, ଚେତନା ପାଇଲା ବେଳକୁ ମେଡିକାଲରେ। ସେଇଠି ସେ ନନ୍ଦିକା ଓ ସୂର୍ଯ୍ୟକାନ୍ତଙ୍କ ହାତକୁ ହାତ ଛନ୍ଦିଦେଇ ଆଖି ବୁଜି ଦେଇଥିଲେ। ହେଲେ ତା ପୂର୍ବରୁ କହି ଯାଇଥିଲେ-” ମୋ ନନ୍ଦିକା ତୁମକୁ ଲାଗିଲା”।
9. ଓଥଡ଼ା
ଓଥଡ଼ା
—-By ସତ୍ୟ ପ୍ରକାଶ ସେଠୀ
ତୁମେ କାହିଁକି ବାହା ହେଇନ, ଓଥଡା ଦୋଷ ଲାଗିବ ।ହେଲେ ଖପୀଶ ହୋଇ ଆମକୁ ଡରାଇଲେ ଆମେ ଗୁଣିଆ ହୋଇ ନାକରେ ଶୁଖିଲା ଲଙ୍କା ଧୂଆଁ ଦେଇ ପାନେ ଦେବୁ। ସେତେବେଳେ ଆମ ଦୋଷ ଧରିବ ନାହିଁ।
ଏମିତି କିଛି ଚଟୁଳପୂର୍ଣ୍ଣ ଉକ୍ତିରେ ବନ୍ଧୁ ଦୈତାରୀ ଟିକିଏ ହସି ପକାଉଥିଲେ। ନା କାହିଁ ହସିଲେ ନାହିଁ ତ। ବୋଧହୁଏ ନିଜ ହସକୁ ସମ୍ବରଣ କରି ନେଇ କିଛି ଭାବିଲେ। ହଁ.. ହଁ.. ସେ ଭାବୁଥାନ୍ତି – ମୁଁ କିଛି କହିବି ନା କହିବି ନାହିଁ। ପୁଣି ପରକ୍ଷଣରେ ମତଟା ବଦଳି ଗଲା। କାହିଁ ଏକଦମ୍ ଚୁପ୍ ହୋଇଗଲେ।ହେଲେ ମୁଁ କି ସହଜରେ ଛାଡିବା ଲୋକ, ଟିକିଏ ତାଙ୍କ ଜଂଘଟା ଉପରେ ହାତ ପକାଇ ଦେଇ ହଲେଇ ଦେଇ କହିଲି – “ଏ ସାଙ୍ଗ ଶୁଣୁଛ! ଗୋଟେ ଭଲ ଝିଅଟେ ଦେଖିଛି ମ! ତୁମେ ଖାଲି ହଁ କହିଲେ ଗାଡି ଚାଲିଲା। ସେମାନଙ୍କୁ ତୁମ ସମ୍ପର୍କରେ ସବୁ କହିଛି, ତୁମେ ଖାଲି ରାଜି ହେଲେ ଆଗେଇବା।
ଏ ରସ ରସିଆ କଥା ଶୁଣି ତାଙ୍କ ଧ୍ୟାନଟା ଭାଙ୍ଗି ଆସୁଥିଲା।ସେ ସଜାଡି ହେଉଥିଲେ, ଉତ୍ତର ରଖିବେ।ହଁ ଉତ୍ତର ଭାସି ଆସିଲା -” ତୁମକୁ ଆଉ ପାରି ହେବ ନାହିଁ। ହେଲେ ବୟସ ଗଡ଼ି ମୋର ଏବେ ଚାଳିଶ ଧରିଲାଣି। ଆଉ କିଏ ମୋତେ ରାଜି ହେବ? ହେଲେ ବି ମୋର ପ୍ରଥମ ପ୍ରେମ? ମୁଁ ତ ତାକୁ ଏଯାଏଁ ଭୁଲି ପାରିନାହିଁ”।
-ପ୍ରଥମ ପ୍ରେମ? ଆରେ ସେ କଥାଟା କ’ଣ ଖୋଲିକି କହିଲେ ସିନା, ମୁଁ କିଛି ପରାମର୍ଶ ଦେଇପାରିବି, ନ କହିଲେ କ’ଣ ଜାଣିବି । ଏ ସାଙ୍ଗ କୁହ ନା?”
ଏତେବେଳକୁ ସେ ମୋ କଥା ଆଡ଼କୁ ଢ଼ଳିବା ଆରମ୍ଭ କଲେଣି। ବୋଧହୁଏ ଅତୀତକୁ ରୋମନ୍ଥନ କରି ବିଷାଦିତ ହେବାର ଭୟ ଘାରୁଥାଏ, ଅନ୍ୟପଟେ ବନ୍ଧୁର ଅନୁନୟ ଓ ବିନୟକୁ ସେ ସହଜରେ ଏଡ଼ାଇ ଯାଇ ପାରୁନଥାନ୍ତି -ଏଭଳି ଦୋ ଘାଇରେ ପଡି ଘୂରି ସାରି ହେଉଥାନ୍ତି । ଟିକିଏ ମୋ ଆଡ଼କୁ ଚାହିଁଲେ ପୁଣି ତଳକୁ ମୁହଁ ହାଣି ଆରମ୍ଭ କଲେ –
“ହଁ ମୁଁ କାହିଁକି ବାହା ହେଇନି- ଯାହା କାହାକୁ କେବେ କହିନି, ଆଜି ତୁମକୁ କହିବି, ସବୁ କଥା ଖୋଲି କରି। ଶୁଣନ୍ତୁ! ତୁମେ ତ ମୋ ସମ୍ପର୍କରେ ପ୍ରାୟ ସବୁ କିଛି ଜାଣିଛ। ହେଲେ ଏହି କଥାଟି ଖାଲି ଗୁପ୍ତ। ଯାହାକୁ କାହା ଆଗରେ କହିବାକୁ ମୋର ସାହସ ହୋଇନାହିଁ । କାରଣ ସେହି ଥିଲା ମୋ ଜୀବନର ସର୍ବ ଶ୍ରେଷ୍ଠ ପରାଜୟ, ଯାହା ମୋତେ ଆଜି ପଙ୍ଗୁ କରି ପକାଇଛି। ଆଜି ମୁଁ ପୂରାପୂରି ଚୁପ୍ ଚାପ୍। ଏକ ଭିନ୍ନ ମଣିଷ। ମନରେ ଆଉ ସରାଗ ନାହିଁ, ସଂସାର କଥା ତ ମାର ଗୁଳି”। ମୁଁ ଟିକିଏ ଉତ୍ସାହିତ କରିବା ଠାଣିରେ କଥାଟାର ଖିଅ ଧରୁଥାଏ।ସେ ବଖାଣି ବସିଲେ –
ଜାଣିଛ ତ! ବାପା ଆମର ମଫସଲିଆ ଲୋକ, ପର ଘରର ମୂଲ ଲାଗିଲେ ଚୁଲି ଜଳେ। ନୋହିଲେ ଉପବାସ ଭୋକରେ ଦିନ କଟେ। ସହିବୁ ବୋଲି ଯେ କେତେ ସହିବୁ, ଯେତେକ ଦୁଃଖ କଷ୍ଟ ସବୁ ଜୁଟିଛି ଭାଗ୍ୟରେ। ଘରେ ଅନ୍ୟ ଭାଇ ଭଉଣୀମାନେ ପାଠ ପଢି ପାରିଲେ ନାହିଁ। ମୁଁ ଖାଲି ମେଧା ବୃତ୍ତି ପାଇ ପାଇ ପଢିଲି। ପିଲା ବେଳ ଯାଇ ତାଇ ଭାବେ କଟିଗଲା। ତା’ପରଠାରୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ଚାକିରୀ କଲା ଯାଏଁ ଟ୍ୟୁସନ୍ ଓ ତହିଁର ଉପାର୍ଜନ ଥିଲା ମୋର ଭାଗ୍ୟ ନିୟନ୍ତା। ଯାହା ଦୁଇପଇସା ପାଏ ଚଳିଯାଏ, ସେଇଥିରୁ ପୁଣି ବଳକା ହେଲେ ଘର ଖର୍ଚ୍ଚ ପାଇଁ ବାପାଙ୍କ ପାଖକୁ ପଠାଇଦିଏ। ଏହି ଟ୍ୟୁସନ୍ ହେଉଛି ମୋର ଜୀବିକା।ଏହି ମୋର ନିଶା ଓ ପେଶା। କେତେ ଅଧିକରୁ ଅଧିକ ଟ୍ୟୁସନ୍ କରି ପାରିବି ସେୟା ଅହରହ ମୁଁ ଭାବୁଥାଏ। ପଢୁଥିଲା ବେଳେ ଯାଇ ଗୋଟେ ଯୋଡ଼େ ଟ୍ୟୁସନ୍ କରୁଥିଲି, ହେଲେ ପାଠ ପଢା ସରିଲା ପରେ ଏହି ଟ୍ୟୁସନ୍ଟା ଖୁବ୍ ବଢି ଯାଇଥିଲା। ପଇସା ଲାଳସାରେ ଏଣିକି ମୁଁ ବଡ଼ ପିଲାମାନଙ୍କୁ ଟ୍ୟୁସନ୍ କଲି। ପୁଣି ଜଣିକା ଟ୍ୟୁସନ୍ ଠାରୁ ଗ୍ରୁପ୍ ଟ୍ୟୁସନଟାକୁ ଅଧିକ ଗୁରୁତ୍ୱ ଦେଲି, କାରଣ ଅଧିକ ପଇସା ମିଳିଲେ ମୋର ଅଭାବ ଦୂର ହୋଇପାରିବ। ଏହି ଭଳି ଗୋଟେ ବ୍ଯାଚରେ ଛଅଟି ଝିଅ ମୋ ପାଖରେ ପଢୁଥିଲେ, ନମ୍ରତା ତା’ ଭିତରୁ ଜଣେ। ପଢିବା ବେଳଠୁଁ ସେ ମୋ ପ୍ରତି ଆକୃଷ୍ଟ ହୋଇପଡୁଥିଲା। ହେଲେ ମୁଁ ଶିକ୍ଷକର ସମ୍ଭ୍ରମ ଓ ସଂଜମତା ରକ୍ଷା କରି ତାକୁ ସେ ସୁଯୋଗ ଦେଇ ନାହିଁ। ହେଲେ ପଢ଼ା ସାରିବା କିଛି ଦିନ ଅନ୍ତରାଳେ ତା’ ମୋ ପ୍ରେମର ଇତିହାସ। କାରଣ ମୁଁ ତାଙ୍କ ଘର ସମ୍ମୁଖ ଭାଗରେ ଭଡ଼ା ନେଇ ରହୁଥାଏ। ସେ ମୋ ଯିବା ଆସିବା ଭଲ ମନ୍ଦ ଉପରେ ନଜର ରଖିଥାଏ। ମୋର ଭଲ ମନ୍ଦ ସବୁ ପଚାରି ବୁଝେ। ସୁବିଧା ଅସୁବିଧାରେ ସାହାଯ୍ଯ କରିବାକୁ ଆଗେଇ ଆସେ। ମୋର ଅବସ୍ଥା ପ୍ରତି ଦୟା ଭାବ ଦେଖାଏ ଆଉ ସମବେଦନା ମଧ୍ୟ ଜଟାଏ। କେତେବେଳେ କେମିତି ଖାଇବା ଜିନିଷ ଧରି ଆସେ, ଭଲ ତିଅଣ ବି ।ବାଧ୍ୟ କରି ଦିଏ, ବଳେଇ ଖୁଆଏ। ତାଙ୍କ ଘରୋଇ କାର୍ଯୟକ୍ରମ ଓ ଉତ୍ସବରେ ମୁଁ ମଧ୍ଯ ଯୋଗଦିଏ। ମଝିରେ ମଝିରେ ସେ ଖୁବ୍ ପ୍ରେମ ଭାବ ରଖି ଇଶାରା କରୁଥାଏ। ମୁଁ ବୁଝି ପାରୁଥାଏ – ତା’ ମନର ଭାବ, ହେଲେ ନିରବ ରହୁଥାଏ। ସେ କିନ୍ତୁ ଆଶା କରୁଥାଏ ଉତ୍ତର। ମୋ ନିରବତାକୁ ସେ ଆଦୌ ସହ୍ୟ କରି ପାରୁ ନଥାଏ, ତା’ ସ୍ପଷ୍ଟ ହୋଇଯାଉଥାଏ ତା’ ହାବଭାବରୁ ଓ କଚଡ଼ା ନଚାରୁ। ସେ ବେଳେବେଳେ ଚିଡ଼ି ଉଠୁଥାଏ। ଜିନିଷ ପତ୍ର କଚାଡି ଭାଙ୍ଗି ପକାଉ ଥାଏ – ଖାସ୍ କରି ମୋ ଦୃଷ୍ଟି ଆକର୍ଷଣ କରିବା ପାଇଁ । ସେ ସବୁବେଳେ ଚେଷ୍ଟା କରୁଥାଏ ମୋ ସହିତ କୌଣସି ନା କୌଣସି ଭାବ ବିନିମୟ ସୂତ୍ରରେ ସମ୍ପର୍କଟା ଜାରି ରଖିବା ପାଇଁ। ମୁଁ ଦିନେ ଦୁଇ ଦିନ ଗାଁକୁ ବା କୌଣସି କାମରେ କେଉଁଆଡ଼େ ଚାଲିଗଲେ ସେ ମୋଟେ ବରଦାସ୍ତ କରି ପାରେ ନାହିଁ। ରାଗିକି ହୂତାସନ, ସତେ କି ମୁଁ ତା ଅଧିକାର। ତା’ର ଏହି ଉତ୍କଟ ପ୍ରେମ ଭାବ ସମାନ୍ତରାଳ ଭାବେ ମୋ ଭିତରେ ମଧ୍ୟ ତା ଆଡକୁ ଟିକିଏ ଢଳନ ସୃଷ୍ଟି କରୁଥିଲା। ତେଣୁ ମୁଁ ଆଉ ଏତେଟା ଅନାସକ୍ତ ହୋଇ ରହିପାରିଲି ନାହିଁ। ଧୀରେ ଢଳି ଗଲି। ତା କଥାକୁ ଗୁରୁତ୍ଵ ଦେବାକୁ ଆରମ୍ଭ କଲି। ମୋ ଧ୍ୟାନ ତା ଆଡକୁ କିଛିଟା ବାଣ୍ଟି ହୋଇଗଲା। ଫଳରେ ମୋର ଅନ୍ୟ କାମରେ ବ୍ୟାଘାତ ସୃଷ୍ଟି ହେଲା ସତ, ହେଲେ ତାକୁ ମୁଁ ଅଧିକ ସମୟ ଦେବାକୁ ଲାଗିଲି ।ତା’ ଇଛାର ପରିପୁର୍ତ୍ତି ସକାଶେ ଧୀରେ ଧୀରେ ତା’ କଥାରେ ମୁଁ ପରିଚାଳିତ ହେଲି।
ତା’ର ପାଗଳପଣ ଆସ୍ଥେ ଅସ୍ଥେ ବଢିବାକୁ ଲାଗୁଥାଏ। ଆଉ ମୋର ଶାନ୍ତି ଭଗ୍ନ ହେଉଥାଏ। ଅନ୍ୟାନ୍ୟ କାମ ସବୁ ମାଡ ଖାଉଥାଏ। ସମୟ ଅସମୟ ନାହିଁ – ଖାଲି ଫୋନ୍ କରି ବ୍ୟସ୍ତ କରିବ।ଏଟା ଆଣିବ, ସେଟାର ପୁଣି ବରାତି। କେତେବେଳେ ମୋ ପାଖରେ ହାଜର ହୋଇଯାଉଥାଏ ନହେଲେ ବିଭିନ୍ନ୍ ବାହାନା କରି ମୋତେ ଡକାଇ ପଠାଉଥାଏ। ମୁଁ ନାଚାର। ନାଚି ଯାଉଥାଏ ତା’ କଥାରେ। ଭଲ ପାଇବାର ଠିକ୍ ଅର୍ଥ ମୁଁ ବୁଝି ନଥିଲେ ହେଁ, ତା’ ପ୍ରେମ ମୋତେ ପାଗଳ କରି ଦେଉଥାଏ। ମୁଁ ବି ଏଣିକି ତାକୁ ଭଲ ପାଇଲିଣି। ଦିନେ ତାକୁ ନଦେଖିଲେ କି ତା’ ସହ କଥା ନହେଲେ ମନ ଆପଣାଛାଏଁ ଅଶାନ୍ତ ହୋଇ ଉଠୁଥାଏ। ଏଇ ତେବେ କ’ ଣ ପ୍ରେମ ଆଉ ମୋ ଭଲ ପାଇବା ତାକୁ ? ଏଥର ମନକୁ ସଙ୍କଳ୍ପ ଆସିଲା – ସେ ନିଶ୍ଚୟ ମୋ ପାଇଁ ଆଉ ମୁଁ ତା ପାଇଁ। ଏ କଥାଟା ଆହୁରି ଦ୍ରୁଢୀଭୂତ ହୋଇଥିଲା, ଯେଉଁଦିନ ସେ ମୋତେ ଏକାନ୍ତରେ ପାଇ କହିଥିଲା – “ଆଇ ଲଭ ୟୁ। ମୁଁ ତୁମକୁ ଭଲ ପାଏ, ତୁମ ବିନା ବଞ୍ଚି ପାରିବି ନାହିଁ।ପ୍ଲିଜ୍ ‘ନା’ କୁହ ନାହିଁ, ନ ହେଲେ ମୁଁ ମରିଯିବି-ସତ କହୁଛି”। ମୁଁ ବି ତା କଥା କାଟି ପାରିଲି ନାହିଁ। ତା ସ୍ଵର ସହ ସ୍ଵର ମିଶାଇ ହଁ ଭରିଥିଲି। ଏଣିକି ଆମେ ଖୁଲମ୍ ଖୋଲା। ପରସ୍ପର ଅତି ନିବିଡ଼ ଭାବ ବିନିମୟ କରୁଥିଲୁ ଆଉ ବିବାହ ପାଇଁ ସହମତି ହୋଇଥିଲୁ। ଘର ଲୋକମାନେ ଏହାର ସୁରାକ୍ ମଧ୍ଯ ପାଇ ସାରିଥିଲେ ଓ ପରୋକ୍ଷରେ ସ୍ୱୀକୃତି ମଧ୍ଯ। ତେଣୁ ଆମ ଆଚରଣ ଓ ବିଚରଣରେ କେହି ବିଶେଷ ବାଧକ ସାଜୁ ନ ଥିଲେ। କେବଳ ଅପେକ୍ଷା ଏଇ ପ୍ରେମୀ ଯୁଗଳଙ୍କୁ ମିଶାଇବା ପାଇଁ ଓ ଆମ ପ୍ରେମକୁ ବିବାହର ସ୍ୱୀକୃତି ଦେବା ପାଇଁ।
ଦୈବାତ ମୁଁ ଗୋଟାଏ ବିଶେଷ କାମରେ ଗାଁକୁ ଆସି ଆସିଥାଏ । ହେଲେ ନମ୍ରତାର ଆଉ ଫୋନ୍ ନ ପାଇ ମୁଁ ବ୍ୟସ୍ତ ହୋଇ ଉଠିଲି। ଫୋନ୍ଟା ସୁଇଚ୍ ଅପ୍ ଆସୁଥାଏ। କାରଣଟା ନ ଜାଣି ପାରି ବ୍ୟସ୍ତ ଲାଗୁଥାଏ। କାମ ଅଧା ପନ୍ତାରିଆ ରଖି ମୁଁ ବାଧ୍ଯ ହୋଇ ଫେରି ଆସିଲି କଟକ।।
ଏଠାକୁ ଆସି ଯାହା ଦେଖିଲି ନିଜକୁ ନିଜେ ତ ବିଶ୍ବାସ କରି ପାରୁ ନଥାଏ । ପ୍ରଥମେ ଭାବିଲି ଏହା ମୋ ଆଖିର ଧୋକା ହୋଇଥାଇ ପାରେ। ତେଣୁ ଆଖିରେ ଆଉ ଥରେ ଭଲ ଭାବେ ପାଣି ଛାଟି ଦେଖିଲି। ଲେଖା ହୋଇଥିଲା ତାଙ୍କ କାନ୍ଥରେ, ବଡ଼ ବଡ଼ ଅକ୍ଷରରେ -ଶୁଭ ପରିଣୟ “ନମ୍ରତା ଓ ସାଗର” ଆଉ ତଳକୁ ଦୁଇଟି କଦଳୀ ଗଛର ଚିତ୍ର। ପୁଣି ଘର ଭିତରକୁ ଚାହିଁଲି ଦେଖା ଯାଉଥିଲେ କିଛି ବନ୍ଧୁ ପରିଜନ ଆତଯାତ ହେଉଥିବାର। ଖବର ନେଲି – ସୁନିତା ବାହା ହୋଇଯାଇଛି ତା’ ମାମୁଁ ପୁଅକୁ। ମୋ ମୁଣ୍ଡ ଘୂରାଇ ଦେଲା, ମୁହଁ ମାଣ୍ଡି ତଳେ ପଡିଗଲି। ଖଣ୍ଡିଆ ଖାବଡା ହୋଇ ନିଜେ ନିଜକୁ ଉଠାଇଲି। ଏତେ ବେଳକୁ ଦୁନିଆଟା ମୋତେ ଅନ୍ଧକାର ଲାଗୁଥିଲା। ଭାରି ଏକୁଟିଆ ବୋଧ ହେଉଥିଲା। ଇଛା ହେଉଥିଲା ଆତ୍ମ ହତ୍ୟା କରିଦେବି କି? ହେଲେ ପରକ୍ଷଣରେ ଅଟକି ଗଲି।
ଆଉ ଗୋଟିଏ ନିବିଡ଼ ମୁହୂର୍ତ୍ତ ଆଜି ଭାରି ମନେ ପଡିଯାଉଛି । ସେଦିନ ତାଙ୍କ ଘରେ ସମସ୍ତେ ପୁରୀ ଚାଲିଯାଇଥିଲେ ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ନମ୍ରତା ବାହାନା କରି ପୁରୀ ଯାଇ ନଥିଲା। ଏକୁଟିଆ ରହି ଯାଇଥିଲା ଘରେ। ଉଦ୍ଦେଶ୍ୟ ମୋ ସହିତ ଅନ୍ତରଙ୍ଗ ମୁହୂର୍ତ୍ତେଟିଏ କାଟିବ। ନିରୋଳାରେ ସମୟ ଟିକିଏ ବ୍ୟଥିତ କରିବ। ଏକୁଟିଆ ପାଇଲେ ମନର ସବୁତକ ଭାବ ଅଭିବ୍ୟକ୍ତି ଲଭିବ। ମୋତେ ନେଇ ଆମ ଆଗାମୀ ଦିନର ନକ୍ସା ସେ ଆଙ୍କିବ। ସେୟା ହେଲା। ମୋତେ ଘରକୁ ଡାକି ନେଲା। ଆମେ ସାଙ୍ଗରେ ବସିଲୁ ଉଠିଲୁ। କଥା ହେଲୁ। ଏବେ ରଥ ଘଡି ବାହୁଡାରେ ପରେ ଆମର ବାହାଘର ହେବ। ତୁମେ ଗାଁକୁ ଯାଇ ତୁମ ଘର ଲୋକଙ୍କୁ ଡାକି ଆଣି ପ୍ରସ୍ଥାବଟା କଥାଟା ଚୂଡାନ୍ତ କର। ତା’ ପରେ ବାହାଘର ଓ ଆମ ସ୍ଵପ୍ନର ଚତୁର୍ଥୀ ରାତି। ଆମର ବି ପିଲା ଛୁଆ ହେବେ। ଖୁସିରେ ଆମେ ସଂସାର ପାଳିବା। ପିଲା ଛୁଆ ନେଇ ଘର କରିବା। ଏମିତି ଅନେକ କିଛି ସୁନେଲି ସ୍ଵପ୍ନ। ତା ଦେହର ଛୁଆଁ ଓ ହାତର ସ୍ପର୍ଶ ଶେଷଥର ପାଇଁ ସେଦିନ ମୁଁ ପାଇଥିଲି। ମନ ଉତ୍ତାବଳ ହେଉଥିଲା। ହେଲେ ନୀତି ନୈତିକତା ଅଙ୍କୁଶ ଦେଉଥିଲା। ଆହାଃ କି ସୁନ୍ଦର ସେ ମୁହୂର୍ତ୍ତ ଯାହା ମୋ ପାଇଁ ଆଜି ମଧ୍ୟ ଅଭୂଲା ସ୍ମୃତି। କ୍ଷଣଭଙ୍ଗୁର ଏ ଦୁନିଆରେ ସବୁ ସ୍ଵପ୍ନ ଭାଙ୍ଗି ଗଲା ପରେ ଆଜି ମୁଁ ଉଦ୍ବିଘ୍ନରେ ଓ ଉଦବେଗରେ କାଳାତିପାତ କରୁଛି। ଭାବିଲେ ଦୁଃଖ ନ ଭାବିଲେ ରହି ହେଉ ନାହିଁ। ଏବେ ବି ସେ କଥା ମୋ ମନକୁ ଆସିଲେ ହୃଦୟକୁ ବିଦାରି କ୍ଷତ ବିକ୍ଷତ କରି ପକାଉଛି। କଥା ରହିଲା, ମୁଁ ଗାଁକୁ ଚାଲିଲି। ଫେରିଲେ ଜୀବନ ନାଟିକାରେ ଲେଖା ହେବ ନୂଆ ରଙ୍ଗ ରୂପ ରସ। ମନ ଦୋଳା ଉଡିଥିଲା ଭାରି। ଘରକୁ ଯାଇ ସବୁ ଜିନିଷ ଠିକ୍ ଠାକ୍ ହେଲା। ଏଠାକୁ ଫେରି ଆସିଲା ବେଳକୁ ପରିବର୍ତ୍ତନର ଝଲକ ଝଲସିତ ହେଉଥିଲା, ଯାହା ଏବେ ମଧ୍ୟ ଝଟକୁଛି।
ନମ୍ରତା ଘର ବ୍ରହ୍ମପୁରରେ। ସେମାନଙ୍କର ଏମିତି ବିବାହ ଘର ପ୍ରଥା ସାଧାରଣ କଥା। ଏଥିରେ ଅସ୍ଵାଭାବିକତା ବିଶେଷ କିଛି ନ ଥାଏ। ସାଗରଙ୍କ ବିବାହ ଘର ଠିକ୍ ହୋଇଥିଲା ଗୋଟାଏ ଯାଗାରେ, ମାତ୍ର୍ କନିଆ ବିବାହ ମଣ୍ଡପକୁ ଆସିବା ପୂର୍ବରୁ ତା ପ୍ରେମିକା ସାଙ୍ଗରେ କୁଆଡ଼େ ଛୁ ମନ୍ତର ମାରିଥିଲା। ତେଣୁ ଶିଶୁପାଳ ହୋଇ ଫେରୁଥିବା ବେଳେ ମଙ୍ଗୁଳା ବରର ମାନ ରଖିବାକୁ ଯାଇ ପରିବାରର ଲୋକ ଏପରି ଅଚାନକ ନିଷ୍ପତ୍ତି ନେଇଥିଲେ। ଯେଉଁ ନିଷ୍ପତ୍ତିକୁ ମାନିବାକୁ ହୁଏତ ବାଧ୍ୟ ହୋଇଥାଇ ପାରେ ନମ୍ରତା । ମାତ୍ର୍ ମୋର ପ୍ରେମ? ଦୀର୍ଘ ଦିନର ଆମର ସମ୍ପର୍କ? ସବୁ କ’ଣ ନିଷ୍ଫଳ ହୋଇଗଲା? ନମ୍ରତା କ’ଣ ସେ ପ୍ରସ୍ତାବରେ ହଁ ଭରି ପାରିଲା?କୁଆଡ଼େ ଗଲା ତା’ର ସମସ୍ତ ଭଲ ପାଇବା ଆଉ ବାହାଘରର ପ୍ରତିଶୃତି।ମୁଁ ତେବେ ଚନ୍ଦ୍ର ଶେଣା ନା ଶିଶୁପାଳ? କାହିଁକି ଭାଗ୍ୟ ଏମିତି ଖେଳେ? ମୁଁ କିଛି ଆଦି ଅନ୍ତ ପାଉନଥାଏ।
ସେହିଦିନୁ ଉତ୍ତର ଖୋଜୁଛି। ପାଉ ନାହିଁ ଉତ୍ତର। ଇଚ୍ଛା ନମ୍ରତା ସହ ଥରୁଟିଏ ଦେଖା ହୁଅନ୍ତ କି। ପଚାରନ୍ତି କାରଣ-ଏ ପ୍ରେମର ପ୍ରତାରଣା ନା ପରିସ୍ଥିତିର ତାଡ଼ନା? ମୁଁ କିନ୍ତୁ ଓଥଡ଼ା ଦୋଷରେ ଦଣ୍ଡିତ ।
10. ଭୂତୁଣୀ ସାହିତ୍ୟିକ
ଆମେ ଛୋଟ ମୋଟ ଚାକିରୀ ଖଣ୍ଡେ ଅଧେ କରିଛୁ। ପଢ଼ା ଲେଖା ବି କିଛି କମ୍ ନାହିଁ। ତେଣୁ ସାମାଜିକ ପ୍ରତିପତ୍ତି ଓ ପ୍ରଭାବ ମଧ୍ୟ କିଛିଟା ଅଛି। ସେଥିପାଇଁ କେଉଁଠି କେମିତି ସଭା ସମିତିକୁ ବେଳେ ଅଧେ କେହି କେହି ଆମକୁ ଡାକନ୍ତି। ହେଲେ ରାଜନୈତିକ ସଭାରେ ରାଜନେତା, ସାହିତ୍ୟିକ ସଭାରେ ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ପ୍ରବକ୍ତାମାନେ ଭଲ ଭାଷଣ ଦିଅନ୍ତି। କିନ୍ତୁ ଆମେ ବା କି ଭାଷଣ ଦେବୁ? ତେଣୁ ଆମର ନିକୃଷ୍ଠିଆ ଗୁଣ ଦେଖି ବହୁତ ଯାଗାରେ କଣ ଠେସା ଦଶା ଭୋଗିବାକୁ ପଡ଼ିଛି । ଅନ୍ୟାନ୍ୟ ସଭା ସମିତି ଗୋଟେ ପ୍ରକାରର। ହେଲେ ଏହି ସାହିତ୍ୟିକମାନଙ୍କର ସମ୍ମିଳନୀ ଗୁଡାକ ଭାରି ବିପଦଜ୍ଜନକ। ଏଠି ସମସ୍ତେ ଆବୁଡ଼ା ପଡ଼ନ୍ତି, ସାହିତ୍ୟିକର ସ୍ୱୀକୃତି ପାଇବା ପାଇଁ। ଆଉ ଯଦି କେଉଁଠି ଓଳମ ବିଳମ ହୋଇଗଲା ବା କଥା ଓ ଭାବର ତାଳମେଳ ନ ରହିଲା, ତେବେ ମଲ। ଏମାନଙ୍କ ଭିତରୁ ଦଳେ ମାଡ଼ି ଆସିବେ ଆକ୍ରମଣ କରିବାକୁ। ମାତୃଭାଷା ଓ ମାତୃଭୂମିର ଦ୍ୱାହି ଦେଇ ଏମିତି ବହେ ଗପିବେ ଯେ, ମନ ଘର ଧରିଯିବ। ଏମାନେ ସମସ୍ତେ ଦୋଷ ବାଛିବାରେ ପି. ଏଚ୍. ଡି. କରିଛନ୍ତି। ଅନ୍ୟକୁ ସମାଲୋଚନା କରି ସମାଲୋଚକ ହେବାର କୃତି ଓ ଗୌରବ କିଣିବା ପାଇଁ ଏମାନେ ଯତପରୋନାସ୍ତି ତତ୍ପର। ଏମାନେ ଭଲ ସାହିତ୍ୟିକ କି ନୁହେଁ, ମୁଁ କହି ପାରିବି ନାହିଁ, କିନ୍ତୁ ସଭା ସମିତିରେ ବୁଲି ବୁଲି ଭଲ କହି ପୋଛିଲା ବାଲା ହୋଇଛନ୍ତି। ଏମାନେ ଆତ୍ମ ପ୍ରଚାର ପାଇଁ ଚାରିଆଡ଼େ ଧସେଇ ପଶିବେ, ଅନ୍ୟକୁ ଗାଳି ଦେଇ ନିଜେ ସୁସାହିତ୍ୟିକର ଗୌରବ ମୁଣ୍ଡେଇବେ।
ସେଦିନ ପ୍ର. ଅଟ୍ଟକଳଙ୍କ ଘରେ ଗୋଟେ ସାହିତ୍ୟ ଆସର ହେଉଥାଲା । ମୋତେ ସେଠିକି ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି କରିକି ଡାକିଥିଲେ, ହେଲେ କୁହାଇ ଦେଲେ ନାହିଁ । କ’ଣ ଗୋଟେ ମୋ ପାଟିରୁ ପାନରୁ ଚୂନ ଖସିଗଲା ପରି ଗୋଟେ ବାହାରି ଗଲା ଯେ, ଖାଲି ହୋ ହୋ ହୋଇ ପାଟି କରି ଉଠିଲେ-“ସାହିତ୍ୟରେ ସ ଅକ୍ଷର ଜଣା ନାହିଁ କ’ଣନା ଚାଲି ଆସିଲେ ସାହିତ୍ୟ ସଭାରେ ଅତିଥି ହୋଇ” ।ଏତିକିରେ ଲଜ୍ଜା ଓ ଅପମାନରେ ମୋ ମୁହଁ କଳାକାଠ ପଡିଗଲା। ମୁଁ ଆତ୍ମ ଗୋପନ କରି ନ ଖାଇ ପିଇ ଘରକୁ ଫେରି ଆସିଲି। ମନରେ ସରାଗ ନଥିବାରୁ “କ’ଣ ହେଲା କି” ବୋଲି ପତ୍ନୀ ମୋର ପଚାରି ବସିଲେ।, ମୁଁ କିଛି କହିଲି ନାହିଁ। ମନେ ମନେ ଭାବିଲି କିଛି ଲେଖାଲେଖି କରି ମୁଁ ବି ସାହିତ୍ୟିକ ହୁଅନ୍ତି କି? କିନ୍ତୁ କେମିତି? ମୋର ତ ସାହିତ୍ୟ ହୁଏ ନାହିଁ, ତାଛଡା କେବେ ବି ଲେଖା ଲେଖି ନାହିଁ। ମନକୁ ଆସିଲା- “ସାହିତ୍ୟ କୁଆଡେ ସରସ୍ଵତୀଙ୍କ ବାଣୀ ଓ ସାଧନା । ସେ କଣ୍ଠରେ ନ ବସିଲେ ସାହିତ୍ୟ ହେବ ନାହିଁ। ହେଲେ ଏ ଦେବାଦେବୀ କଥା ଆଜ୍ଞା କୁହନ୍ତୁ ନାହିଁ। ଏମାନଙ୍କୁ ଡାକିଲେ ଏମାନେ କୋଉ ସହଜରେ ଦେଖା ଦେବେ କି? ବର ପ୍ରଦାନ କଥା ତ ପଛରେ। ତେଣୁ ଯଦି କୋଉ ଭୂତୁଣୀ ବା ପ୍ରେତିନୀକୁ ସ୍ମରଣ କରାଯାଏ, ସେ ହୁଏତ ସହଜରେ ଦୃଶ୍ୟ ହୋଇପାରନ୍ତି ଓ ତତ୍ କ୍ଷଣାତ୍ ବର ମଧ୍ଯ। ହେଲେ ସରସ୍ଵତୀ, ହିଙ୍ଗୁଳା, ଲକ୍ଷ୍ମୀ, ତାରିଣୀ ପ୍ରଭୂତି ଦେବୀ ଓ ଗଣେଶ, କାର୍ତ୍ତିକ, ବ୍ରହ୍ମା, ବିଷ୍ଠୁ, ମହେଶ୍ୱର ଆଦି ଦେବତାଙ୍କର ଯେପରି ନାଁ ଅଛି ସେହିପରି କୌଣସି ଭୂତ ପ୍ରେତର ତ ନାଁ ନାହିଁ କି ରୂପ ।ତେବେ ମୁଁ କେଉଁ ଭୂତ ଭଉଣୀଙ୍କୁ ଡାକିବି? ମନ ଉପରେ ଟିକିଏ ଜୋହର୍ ଲଗେଇ ଭାବିଲି। ପୁଣି ଯାହାକୁ ନାହିଁ ତାକୁ ତ ଡାକିଲେ ଚଳିବ ନାହିଁ, କାରଣ ଯାହାର ଯେଉଁଥିରେ ପୁଣି ଦଖଲ ଥିବ ନା? ଏଇ ଯେମିତି ଧନ କଥା ହେଲେ ଲକ୍ଷ୍ମୀ ଓ ବିଦ୍ୟା କଥା ହେଲେ ସରସ୍ଵତୀ ବା ଗଣେଶ। ସେହିପରି ସାହିତ୍ୟରେ ଜ୍ଞାନ ଥିବା ଗୋଟେ କେହି ଭୂତ ବା ଭୂତୁଣୀ ଦରକାର। ବହୁତ ଭାବିଲା ପରେ ଆଖି ସାମ୍ନାକୁ ଆସିଲେ ଅନୁଷ୍କା ଦେବୀ, ଯିଏକି ଜଣେ ବଡ଼ ସାହିତ୍ୟିକା ଓ ସୁଲେଖିକା ଏବଂ ଯାହାଙ୍କର ନିକଟ ଅତୀତରେ ଆମ ସହରର ରହୁଥିବା ବେଳେ ଅତି ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଥିଲା । ତେଣୁ ସେହି ଅନୁଷ୍କା ରୂପୀ ଭୂତୁଣୀକୁ ଧ୍ୟାନ କରିବାକୁ ମନେ ମନେ ସ୍ଥିର ନିଶ୍ଚୟ କରି ନେଲି।
ଏଥର ଅନୁଷ୍କା ଦେବୀଙ୍କ ମୁଖ ମଣ୍ଡଳଠୁଁ ଶରୀର ଯାଏଁ ସବୁ ଦୃଶ୍ୟମାନ କରି ଗଢି ତୋଳିଲି ଓ ମୋତେ ସାହିତ୍ୟ ଜଗତରେ ଲେଖାଲେଖି କରିବାରେ ସାହାଯ୍ଯ କରିବାକୁ କାକୁସ୍ଥ ହୋଇ ଜଣାଇଲି । ସେ ତଥାସ୍ତୁ କହି ବର ଦେଲେ। ସେତେବେଳକୁ ମୁଁ ମୋ ଭାବନା ରାଜ୍ୟରେ ବୁଡ଼ି ଯାଇଥାଏ। ପତ୍ନୀ ମୋର ଶୋଇ ପଡ଼ିଥାନ୍ତି। ଅନୁଷ୍କା ଦେବୀଙ୍କର ଛାୟା କାନ୍ଥରେ ଦୃଶ୍ୟମାନ ହେବାକୁ ଲାଗିଲା।
ପଢ଼ା ଘରେ ଅନ୍ଧାରଟାରେ ରାତି ଅଧରେ ମୁଁ ଏକୁଟିଆ ବସି ରହି ଛଟପଟ ହେଉଥାଏ। କିଟିମିଟିଆ ଅନ୍ଧାର। ଯୋଗକୁ ବିଦ୍ୟୁତ୍ କାଟ ହୋଇଥାଏ। ଭାରି ଅଣନିଶ୍ଵାସୀ ବୋଧ ଲାଗୁଥାଏ। ସାଇଁ ସାଇଁ ନିଶା ଗର୍ଜୁଥାଏ, ଚାରିଆଡ଼େ ଅଣଚାଶ ପବନ ବହୁଥାଏ। ହଠାତ୍ ଝରକା ଗୁଡ଼ାକ ଖଡଖାଡ ହୋଇ ଖୋଲିଗଲା। ଅମବାସ୍ୟାର ରାତି। କ୍ଷଣିକେ ଭୟରେ ହୃଦୟ ମନ୍ଥିତ ହୋଇଗଲା। କାନ୍ଥରେ ଛାୟାଟିଏ ଉତ୍ତୋଳିତ ହେବାକୁ ଲାଗିଲା।ପ୍ରଥମେ ମୁଖ ମଣ୍ଡଳର ଚିତ୍ର ଓ ପରେ ସମ୍ପୂର୍ଣ୍ଣ ଶାରୀର। ଖୁବ୍ ସୁନ୍ଦର ନାରୀ ମୂର୍ତ୍ତିଟିଏ। ଇଚ୍ଛା ହେଉଥିଲା ତା ରୂପ ଓ ଯୌବନ ଦୁଇଟାଯାକ ଦେଖିବା ପାଇଁ, କିନ୍ତୁ ପରକ୍ଷଣରେ ଏପରି ଅସ୍ୱାଭାବିକ ଘଟଣା ପାଇଁ ମନରେ ଡର ପଶୁଥାଏ। ଏହା ମନର ଧାରଣା ନା ଭ୍ରାନ୍ତି ମୁଁ କିନ୍ତୁ କିଛି ବୁଝି ପାରୁ ନଥାଏ। ଦେହ ହାତ କିନ୍ତୁ ରୋମାଞ୍ଚିତ ହୋଇ ଉଠୁଥାଏ। ମନର ବଳ କମି ଯାଉଥାଏ ଆଉ ଶରୀରର ବି ଶକ୍ତି। ମୁଁ ବଳବୀର୍ଯ୍ୟହୀନ ହୋଇ ପଡୁଥାଏ। ଧୀରେ ଧୀରେ କାନ୍ଥରୁ ଛାୟା ଉଠି ଆସି ମୋ ପାଖରେ ପଡିଥିବା ଅନ୍ୟ ଗୋଟେ ଚେୟାର ଉପରେ ବସିପଡି ଦୋହଲିବାକୁ ଲାଗିଲା। ମୁଁ ହାଉଁ ହାଉଁ ହୋଇ ପାଟି କରି ଆସୁଥିଲି, ଯେମିତି କିଏ ମୋ ମୁହଁରେ ଉପରେ ବଳ ପୂର୍ବକ ହାତ ରଖି ଦେଇ ଚାପି ଦେଲା। ମୋର ଗଇଁ ମାରିନେଲା। ମୁଁ ପାଟି ଖୋଲି ପାରିଲି ନାହିଁ। ଏହି ସମୟରେ ବିଜୁଳିଟା ଚକମକ ହୋଇ ଦିଶିବାରୁ ମୁଁ ସ୍ପଷ୍ଟ ଭାବେ ଦେଖି ପାରିଲି ଛାୟା ମୂର୍ତ୍ତିଟି ହେଉଛି ଅନୁଷ୍କା ଦେବୀଙ୍କର। ମୁଁ ଆହୁରି ଡରି ଗଲି ଓ ନିଜକୁ ମନେ ମନେ ଦାୟୀ କରୁଥିଲି ମୋର ଏହି ଅବାସ୍ତବ ପରିକଳ୍ପନା- ପ୍ରେତ ପୂଜା ପାଇଁ। ଏଥର ଛାୟା ମୂର୍ତ୍ତିଟି କିଛି ନିର୍ଦ୍ଦେଶ ଦେବା ଠାଣିରେ ହାତ ହଲାଇଲା। ବୁଝିଗଲି – କିଛି ବୋଧେ ଈଶାରା କରିବାକୁ ଚାହୁଁ ଥାଏ। ଏଥର ଆହୁରି ଡରି ଗଲି। ତଣ୍ଟି ଶୁଖି ଅଠା ଅଠା ହୋଇଯାଉଥାଏ। ଛାତି ଧଡପଡ ହେଉଥାଏ। ଭାବୁଥାଏ – ରକ୍ତ ବଳି କି ଜୀବ ବଳି ବୋଧେ ମାଗି ପାରେ। କାରଣ ଏପରି ମୁଁ ଶୁଣିଛି – ପ୍ରେତାତ୍ମାମାନେ କୁଆଡ଼େ ମାଗନ୍ତି, ନଦେଇ ପାରିଲେ କଞ୍ଚା ଚୋବାଇ ଯିବେ। ମୋର ଧ୍ୟାନ ଭଗ୍ନ ହୋଇଥିଲା ଯେତେବେଳେ ମୋର ସମସ୍ତ ଭାବନାକୁ ବିପର୍ଯ୍ୟସ୍ତ କରି ସେପଟରୁ
ଉତ୍ତର ଆସିଲା – “କାଗଜ କଲମ ଧରି ଲେଖ”। “କ’ଣ ଲେଖିବି “ପଚାରି ଆସୁଥିଲି ଆଦେଶ ଦେବା ଠାଣିରେ ଧମକ ଆସିଲା – “ଯାହା କହୁଛି ଚୁପଚାପ ସେୟା କର, ନହେଲେ ଗଳା କାଟି ରକ୍ତ ପିଇ ଯିବି”। ଦେହ ଭୟରେ ଶିହରିତ ହୋଇ ଉଠୁଥାଏ। ଭୟରେ କମ୍ଫୁଥାଏ ।ଥରଥର ହୋଇ କାଗଜ ଉପରେ କଲମ ଥୋଇ ଲେଖିବା ଆରମ୍ଭ କଲି। ସେ ଯାହା କହୁଥାଏ ସେୟା ଲେଖି ଗଲି। କାରଣ ଦେବାଦେବୀ କଥା ଟିକିଏ ଅଲଗା। ଏମାନେ ସହଜଲଭ୍ଯ ନୁହଁନ୍ତି ସତ ହେଲେ ଡରାଡରି କରନ୍ତି ନାହିଁ। ମାତ୍ର୍ ଏ ପ୍ରେତପୁରୀର ପ୍ରେତାତ୍ମାମାନେ ଭାରି ବେଆଡ଼ା ।ଏମାନେ ଥରେ ଶବାର ହେଲେ ଖାଲି ସବୁବେଳେ ନଚେଇବେ। ଯାହା ଚାହିଁବେ ସେୟା କରିବାକୁ ପଡ଼ିବ। ନଚେତ୍ ମଲ। ଭାରି ଜିଦିଆ।
ଏଇମିତି ପ୍ରତିଦିନ ନିଶାର୍ଦ୍ଧ ରାତିରେ ମୁଁ ଲେଖି ଚାଲେ। ବହୁ କୃତି ଷରାଜି ସୃଷ୍ଟି ହେଲା ପରେ ମୁଁ ଗୋଟେ ଟି. ଭି . ଚ୍ୟାନେଲ ସହ ଅନୁବନ୍ଧିତ ହୋଇଗଲି। ସେ ମୋ ପାଖରୁ ଷ୍ଟୋରୀ ନେଇ ସିରିଏଲ ଓ ଚଳଚ୍ଚିତ୍ର ତିଆରି କରିବା ଆରମ୍ଭ କରିଦେଲେ।ଲୋକମାନଙ୍କର ମୋ ଷ୍ଟୋରୀ ଭାରି ପସନ୍ଦ ଆସିଲା। ଲୋକ ପ୍ରିୟତା ସୁଉଚ୍ଚକୁ ଉଠିଲା। ସେ ବାବଦକୁ ଯାହା ଅର୍ଥ ମିଳେ ମୋ ପିଲାମାନଙ୍କର ଉଚ୍ଚ ଶିକ୍ଷା ପାଇଁ ଲାଗେ। ହେଲେ ଚୁକ୍ତି ଅନୁସାରେ ତାଙ୍କ ଜରୁରତକୁ ପୂରଣ କରିବାକୁ ବାଧ୍ୟ। ନହେଲେ ଦାୟ ଜୋରିମାନା ଦେବାକୁ ପଡିବ। ତେଣୁ ତଦନୁସାରେ ମୋତେ ଲେଖା ଦେବାକୁ ହେଉଥାଏ। ସେଦିନ କହିଲେ ଗୋଟେ ହରର ସିରିଏଲ୍ ପାଇଁ ଗୋଟେ ଭୂତ ବା ଭୂତୁଣୀ ଗପ ଦେବାକୁ। ଚିନ୍ତାରେ ପଡିଗଲି –
ପତ୍ନୀ ଘରେ ନଥାନ୍ତି। ସାଙ୍ଗ ଘରକୁ ଟି. ଟି. ପାର୍ଟି ଆଟେଣ୍ଡ କରିବାକୁ ଯାଇଥାନ୍ତି। ଏହି ଟି ଟି ପାର୍ଟିଟା ଭଲ ଯେ, ଖରାପ କିଛି ନାହିଁ। ଖାଲି ଯାହା ପତିମାନଙ୍କର ଧ୍ଵଜିଆ ଟିକିଏ ଉଡେ ।ପୁରୁଷମାନେ ତ ରାତି ପାହିଲା କ୍ଷଣି ମାର୍କେଟଠାରୁ ଆରମ୍ଭ କରି ଅଫିସ ଯାଏଁ ଚାରିଆଡ଼େ ବୁଲି ଆସୁଛନ୍ତି। ହେଲେ ନାରୀ? ନାରୀ ଘର କୋଣରେ ପଶି ଭାରି ବୋର୍ ହେଉଛନ୍ତି। ସେମାନଙ୍କର ପୁଣି ମନ ଅଛି ନା ନାହିଁ, ଆଉ ବାହାର ଦୁନିଆ ଦେଖିବା ପାଇଁ ଅଭିଳାଷା ବି। ପୁଣି ସାଙ୍ଗ ସାଥି ଗହଣରେ ଦୁଇ ପଦ କଥା ନ ହେଲେ ହେବ କି ହେ! ତେଣୁ ସେଇଠି ଥାଏ ନାରୀର ସ୍ୱାଛନ୍ଦ ବିହାର, ନାରୀ ସ୍ଵାଧୀନତା, ନାରୀ ମାନଙ୍କ ଗହଣରେ ପୁରୁଷ ମନସ୍ତତ୍ତ୍ୱର ଆଲୋଚନା, ମନ ଖୋଲା ହସ ଗପର ସୁଅ, ଦୁଇ ପାଲି ତାସ୍ ଖେଳ – ସବୁ। ହେଲେ ପତିମାନଙ୍କର ବଡ଼ ଧୁଲାଇ ହୁଏ। ପତିମାନେଙ୍କୁ କେମିତି ନିଜ କବଜାରେ ରଖିବାକୁ ହେବ, ଅଲଗା ନାରୀ ଚକ୍କରରେ ପଡ଼ିଲେ କେମିତି ସେମାନଙ୍କୁ ସାଇଜ କରାଯିବ ଓ କାବୁକୁ ଅଣା ଯିବ – ସବୁ ସେଇ ମହିଳା ପ୍ରତିନିଧିମାନେ ବୁଝାଇ କହିଥାନ୍ତି ଆଉ ଗୁରୁ ମନ୍ତ୍ର ବି।
ସନ୍ଧ୍ୟା ସମୟ। ଏକୁଟିଆ ବସିଥାଏ। ଟି ଭି ଚ୍ୟାନେଲକୁ କମିଟମେଣ୍ଟ ଅନୁସାରେ ଗପଟିଏ ଦେବା ପାଇଁ କାହିଁକି ବି. ପି. ବଢି ଯାଉଥାଏ। ଚିନ୍ତାରେ ଆଲୁଅ ଜାଳିବାକୁ ମଧ୍ୟ ଭୁଲି ଯାଇଥାଏ। ଭାବୁଥାଏ – ଯାହା ତ ଭୂତୁଣୀ କହୁଛି ତାହା ମୁଁ ଲେଖୁଛି। ପୁଣି ଭୂତୁଣୀକୁ କହିବି ଭୂତଭୂତୁଣୀ କାହାଣୀ କହିବାକୁ, ଇଏ କେମିତିକା କଥା? ଯଦି ଭୂତୁଣୀ ରାଗିଗଲା? ଏମିତି ଭାବୁ ଭାବୁ ମୋ ପଢ଼ା ଟେବୁଲ୍ ଉପରେ ଛାୟାଟିଏ ପ୍ରତୀତ ହେଲା। ଆସ୍ଥେ ଆସ୍ଥେ ସେ ମଣିଷ ରୂପ ପରିଗ୍ରହ କରିବାରୁ ଚେହେରାଟି ଅନୁଷ୍କା ଦେବୀଙ୍କର ବୋଲି ଜଣା ପଡୁଥିଲା। ହେଲେ ବେକରେ ହାଡ ମାଳ ଓ ଆଖିରେ ହାଡ଼ର ଚଷମା ଦେଖି ମୁଁ ଡରି ଗଲି। ମୋ ଶରୀରରେ ପ୍ରାଣ ନଥାଏ। ସେ କଥା ହେବାକୁ ଲାଗିଲେ – “ମୁଁ ଜଣେ ବିଶିଷ୍ଟ ସାହିତ୍ୟିକ ଥିଲି। ମୋତେ ପ୍ରତିଷ୍ଠିତ ସାହିତ୍ୟିକ ଓ ଜଣାଶୁଣା ସମାଜପତିମାନେ ସହ୍ୟ କରି ପାରୁ ନଥିଲେ। ଶେଷରେ ଗୋଟେ ସାହିତ୍ୟ ସଭାରୁ ଫେରୁଥିଲା ବେଳେ ମୋତେ ରେପ୍ ଏଣ୍ଡ ମର୍ଡର କରି ଦିଆଗଲା।ଯାହା ଏବେ ମଧ୍ୟ ରହସ୍ୟ ଘେରରେ ଅଛି, ତା ଉପରୁ ପରଦା ଏଯାଏଁ ହଟି ନାହିଁ। କାରଣ ମୋ ଲେଖା ଗୁଡ଼ିକ କୁଆଡ଼େ ସେମାନଙ୍କର ଗତାନୁଗତିକ ସମାଜର ଓ ସଂସ୍କୃତିର ବିରୁଦ୍ଧାଚରଣ କରୁଥାଏ। ଧର୍ମ ଯାଜକମାନଙ୍କୁ ମଧ୍ଯ ଗାତ୍ରଦାହ ହେଉଥାଏ। ରାଜ ନେତାମାନଙ୍କୁର ତ ଗଳା କୁଣ୍ଡେଇ ହେଉଥାଏ ମୋତେ ଗାଳି କରିବାକୁ। ମୁଁ କିନ୍ତୁ ଭୂତ ଲୋକରେ ଗୋଟେ ସଙ୍ଗଠନ ଗଢିଛି। ଆମର ଉଦ୍ଦେଶ୍ୟ – ନୂଆ ସାହିତ୍ୟିକମାନଙ୍କୁ ସାହାଯ୍ଯ କରିବା। ସେମାନଙ୍କୁ ପ୍ରେରଣା ଓ ପ୍ରୋସାହନ ଦେଇ ଭାଷା ସାହିତ୍ୟର ବିକାଶ କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିରେ ସଂସ୍କାର ଆଣି ବୈପ୍ଲବିକ ପରିବର୍ତ୍ତନ ଆଣିବା। । ତେଣୁ ତୁମକୁ ମୁଁ ସାହାଯ୍ଯ କରୁଛି। ଠିକ୍ ଏତିକି ବେଳେ ମୋ ପତ୍ନୀ ଘରକୁ ଫେରି ଆସୁଥିଲେ।ଆହୁରି କେତେ କ’ଣ ବୋଧେ କହିଥାନ୍ତେ, କିନ୍ତୁ ପତ୍ନୀ ଆସି ସବୁ ବିଗାଡି ଦେଲେ। ମନରେ ଶଙ୍କା ଉପୁଜିଲା – ଅନୁଷ୍କା ଦେବୀ ବର୍ତ୍ତମାନ ପ୍ରକୃତ ମଣିଷର ରୂପ ପରିଗ୍ରହ କରିଛନ୍ତି। ଯଦି ପତ୍ନୀ ମୋର ଦେଖି ଦିଅନ୍ତି, ତେବେ ନାରୀ ମନରେ ସନ୍ଦେହ ଉପୁଜିବା ସ୍ୱାଭାବିକ। ଆମ ପତି ପତ୍ନୀ ମନରେ ହଟ ଚମଟ ସୃଷ୍ଟି ହେବ। ଘଟଣାକୁ ସ୍ପଷ୍ଟ କରିବା ପୂର୍ବରୁ ଅଣାୟତ୍ତ ହୋଇଯିବ।
ମୋର ଅନ୍ୟମନସ୍କତା ଓ ଅସ୍ପଷ୍ଟ ଆଳାପରୁ ପତ୍ନୀର ସନ୍ଦେହ ହେଲା। କହିଲେ – “କିଏ? କିଏ ଘର ଭିତରେ? କାହା ସହ ଅନ୍ଧାରରେ କଥା ହେଉଥିଲ ? ଗୋଟେ ଝିଅ ସହ ଗପୁଥିବାର ମୁଁ ସ୍ପଷ୍ଟ ଜାଣି ପାରିଛି” । ଲାଇଟଟା ଜଳାଇ ଦେଇ ଚାରିଆଡ଼େ ଦରାଣ୍ଡି ଆସିଲେ ଓ ଜେରା ମଧ୍ଯ ଚାଲିଲା। ମୁଁ ସଫେଇ ଦେଲି -” କାହିଁ କେହି ନାହିଁ। ମୁଁ ଏମିତି ମୋ ଭାବନା ରାଇଜରେ ବୁଲୁବୁଲୁ ମୋ ଗଳ୍ପ ନାୟିକା ସହିତ କଥା ହେଉଥିଲି। ଏଗୁଡ଼ିକ ସବୁ ପରିକଳ୍ପନା ବାସ୍ତବତା ନାହିଁ। ତୁମେ ସନ୍ଦେହ କର ନାହିଁ।”
ପତ୍ନୀ କିନ୍ତୁ ମୋର ବୁଝିଲେ ନାହିଁ। ମହାଭାରତ ସୃଷ୍ଟି କରିଦେଲେ। କହିଲେ ମୋ ସାଙ୍ଗମାନେ ଠିକ୍ କଥା କହୁଥିଲେ- ତୁମେ ସାହିତ୍ୟିକମାନେ ବଡ଼ ରସିକ। ତୁମ୍ଭ ମାନଙ୍କୁ ବିଶ୍ବାସ କରି ହେବ ନାହିଁ। ତୁମମାନଙ୍କୁ ପ୍ରତ୍ୟେହ ନୂଆ ନୂଆ ପ୍ରେମିକ ଦରକାର ।ତାଙ୍କର ରୂପ ଯୌବନକୁ ନେଇ ବର୍ଣ୍ଣନା କରିବା ପାଇଁ ଓ ନୂଆ ନୂଆ ସିଦ୍ଧାନ୍ତ ଦେବା ପାଇଁ । ସତ କୁହ! ମୋ ଅନୁପସ୍ଥିତିର ସୁଯୋଗ ନେଇ କାହା ସହ କି ଗପ ଜମାଇଥିଲ? ତୁମ ପ୍ରେମିକାକୁ ଡାକି ରୋମାନ୍ସ କରୁଥିଲ ନା? କାରଣ ତୁମ ପାଟିରୁ ମୁଁ ସ୍ପଷ୍ଟ ଶୁଣିଛି ତୁମେ କହୁଥିବାର – ‘ହେଇ ମୋ ପତ୍ନୀ ଆସିଲେଣି, ତୁମେ ପଳା। ପଳା।ଜଲଦି ଯାଅ, ପ୍ଲିଜ୍’ । ତା ନାଁଟା ମୋତେ କୁହ, ନହେଲେ ସତ କହୁଛି! ରାତି ପାହିଲା ବେଳକୁ ବାପ ଘରକୁ ଚାଲିଯିବି।
ପତ୍ନୀର କିଳିକିଳା ରାବ ଦେଖି ଅକସ୍ମାତ୍ ମୋ ପାଟିରୁ ବାହାରି ପଡିଲା – “ଅନୁଷ୍କା” ।
ଏଥର ପତ୍ନୀର ରଣଚଣ୍ଡି ରୂପ- “ଆଛା! ତୁମ ପ୍ରେମିକାର ନାମ ତାହେଲେ ଅନୁଷ୍କା, ସେ ମୋର ସଉତୁଣୀ ହେବ। ଏଣିକି ତା ବୋଲବୋଲାରେ ମୁଁ ଚଳିବି। ଏଡ଼େ ବଡ଼ ଧୋକା। ଗୋଟିଏ ଘର ଭିତରେ ରହି ଏକାଠି ଏତେ ଦିନ ରହିଲା ପରେ ଶେଷରେ ତୁମେ ତା ସହ ପ୍ରଣୟ ଲୀଳା ରଚୁଥିଲ । ଏତେ ଦିନ ହେଲା ତୁମେ ତାହେଲେ ମୋତେ ଠକି ଚାଲିଥିଲ। ଏଥର ବୁଝିଗଲି ତୁମ ସାହିତ୍ୟରେ ଯେଉଁ ସବୁ ନାରୀ ଓ ତା’ର ପ୍ରେମ କାହାଣୀ ବର୍ଣ୍ଣିତ ହୋଇଛି ସେ ସବୁ ସେହି ଅନୁଷ୍କାର। ମୁଁ ଭାବୁଥିଲି ତୁମେ ମୋ ରୂପ ଗୁଣ ଓ ଯୌବନର ତାରିଫ୍ କରୁଥିଲ। ହେଲେ ତୁମେ ତ ମିଛୁଆ ରାଧୁଆ, ଠକ, ଚରିତ୍ରହୀନ ସାବ୍ୟସ୍ତ ହେଲ। ହାଇରେ ମୋ କପାଳ! “ଏହିପରି ଅନର୍ଗଳ ଗପି ଚାଲିଲେ। ମୋ କଥା ସିନା କିଛି ଶୁଣିବା ଅବସ୍ଥାରେ ଥିଲେ ମୁଁ କିଛି ବୁଝାଇ ପାରିଥାନ୍ତି। ଇଏ ତ ସବୁ ସେହି ଟି ଟି ପାର୍ଟିର ପ୍ରଭାବ। ପୁଣି କଚଡା ନଚଡା, ଫୋପଡ଼ା ଫୋପାଡ଼ି, ଦୁମ୍ ଦୁମ୍ ଚାଲି, ଗଣ୍ଡ ଭୈରବୀ ରଡି – ସବୁ। ରାତିରେ ଗଣ୍ଡେ ଖାଇବାକୁ ଦେଲେ ନାହିଁ ଯେ, ଭୋକରେ ଆଉଟି ପାଉଟି ହୋଇ ଶୋଇଲି। ରାତିରେ କେତେ ବୁଝେଇଲି – “ସେଇଟା କୋଉ ଅନୁଷ୍କା ରୂପୀ ମାନବୀ ନୂହେଁ ଭୂତୁଣୀଟାଏ। that is secret truth behind the creation of all my literary activities. ମୁଁ ସତ କହୁଛି ତୁମେ ମୋତେ ବିଶ୍ବାସ କର।”
ସିଏ ବା କାହିଁକି ବିଶ୍ବାସ କରନ୍ତେ? ଓଲଟା ମୁହଁ ଛିଞ୍ଚଡା ଓ ତୀର୍ଯ୍ୟକ୍ ଚାହାଣୀ। ରାତିଟା ସାରା ତ ଅନିଦ୍ରା। ସକାଳ ହେଲାଠୁଁ ବ୍ୟାଗରେ ଜିନିଷ ପତ୍ର ସବୁ ପ୍ୟାକ୍ କରି ପତ୍ନୀ ଚାଲିଲେ ବାପ ଘରକୁ। ଯେତେ ବୁଝା ଶୁଝା ସବୁ ବେକାର ଗଲା। ପଛରେ ମୁଁ ରହିଗଲି। ଏକଲା ଏଡ଼େ ବଡ଼ ଘରଟାରେ।
ଥକା ହୋଇ ପଢ଼ା ଟେବୁଲ୍ ପାଖରେ ବସି ପଡ଼ିଲି। ମୋ ମନକୁ ଯାହା ଆସିଲା ଲେଖିଦେଲି। ଟି ଭି. ଚ୍ଯାନେଲ୍ ବାଲା ଆସିବାରୁ କାହାଣୀଟା ଉପରକୁ ତୋଳି ଧରି ହାତକୁ ବଢ଼ାଇ ଦେଲି।
11.ସଂଯୋଗ
—-by ସତ୍ୟ ପ୍ରକାଶ ସେଠୀ
ସେଦିନ ଶିବାନନ୍ଦ ବାବୁ କଟକ ଯାଇଥାନ୍ତି। ଏକ ଜନ ଗହଳିପୂର୍ଣ୍ଣ ରାସ୍ତା – ବାଦାମ ବାଡ଼ି ପାଖ। ଦଳେ ଲୋକ କାହାକୁ ଗୋଟେ ଘେରି ରହିଥାନ୍ତି, ଯେମିତି ଚିଡ଼ିଆଖାନାରେ କେଉଁ ଜୀବଜନ୍ତୁକୁ ଦେଖୁଛନ୍ତି। ହୋ ହାଲ୍ଲା ଶୁଭୁଥାଏ। ସିଏ ବି ମନରେ ଉତ୍ସୁକତା ଭରି ସେଠିକୁ ଧାଇଁଲେ। ଦେଖିଲେ ସ୍ତ୍ରୀ ଲୋକଟିଏ କୋଡ଼ି ଛେଚି ହୋଇ କାନ୍ଦୁଛି। କହୁଛି – “ମୋ ଘର ଭଦ୍ରକ କୁପାରୀ। ବାପା ମୋ ଏଇଠି ଥିଲେ। ଫଳ କିଣିବାକୁ ଯାଇଥିଲେ। କାହିଁ ଫେରିଲେ ନାହିଁ? ମୁଁ ଘଣ୍ଟା ଘଣ୍ଟା ଧରି କେଯାଏଁ କେତେଆଡେ ଖୋଜିଲିଣି ହ କେଉଁଠି ପାଉନାହିଁ। ମୁଁ ଏବେ କ’ଣ କରିବି, କେଉଁଠାକୁ ଯିବି”?
ଶିବାନନ୍ଦ ବାବୁ ଭଦ୍ରକ କୁପାରୀ କଥା ଶୁଣି ଟିକିଏ ଆତ୍ମୀୟତା ସହକାରେ ଧସେଇ ଗହଳି ଠେଲି ଭିତରକୁ ପଶି ଗଲେ। କହିଲେ –” ବ୍ୟସ୍ତ ହୁଅ ନାହିଁ ଭଉଣୀ! ମୁଁ ଭଦ୍ରକ ଯିବି, ସାଙ୍ଗ ହୋଇ ଯିବା ।ଲୋକ ମାନଙ୍କୁ ମଧ୍ୟ ଏପଟ ସେପଟ କଥା କହି ଘଉଡେଇ ଦେଇ ସାରିଲେଣି। ଲୋକମାନେ ବି ଭାବିଲେ- ତାଙ୍କର କିଏ ବୋଧେ ସମ୍ପର୍କୀୟ ଆସିଗଲେଣି। ତେଣୁ ପରିସ୍ଥିତି ଟିକିଏ ଶାନ୍ତ ପଡିଗଲା। ସ୍ତ୍ରୀ ଲୋକଟି ମଧ୍ଯ ଭଦ୍ରକର ଲୋକ ବୋଲି ଶୁଣି ଆଶ୍ୱସ୍ତ ହେଲେ, ଭାଇ ବୋଲି ଡାକି ଦେଇ ସମ୍ପର୍କ ଯୋଡ଼ି ବସିଲେ। ଶିବାନନ୍ଦ ବାବୁ କହିଲେ – “ତୁମ ଫୋନ୍ କାହିଁ, ବାପାଙ୍କୁ ଫୋନ୍ ଲଗାଉନ? ସ୍ତ୍ରୀ ଲୋକଟି କହିଲା -“ମୋ ଫୋନ୍ ଓ ପର୍ସ ସବୁ ସେହି ବ୍ୟାଗରେ ଥିଲା, ଯୋଉଟାକୁ ବାପା ଧରି ସାଙ୍ଗରେ ଯାଇଛନ୍ତି”। ଶିବାନନ୍ଦ ଏବେ ନିଜ ଫୋନ୍ ପକେଟରୁ ଖୋଲିଲେ, କହିଲେ -” ନମ୍ବର ଦିଅ ମୁଁ ଲଗାଉଛି। ସ୍ତ୍ରୀ ଲୋକଟି ଯେଉଁ ନମ୍ବର ଦେଲା ସେଟା ଆଦୌ ଲାଗିଲା ନାହିଁ। ଭାବିଲେ ଚାର୍ଜ ନଥିବାରୁ ବ୍ୟାଟେରୀ ଲୋଓ ହୋଇଯାଇ ଥିବ। ବୋଧେ ସୁଇଚ୍ ଅପ୍ ହୋଇଯାଇଛି। ସେମାନେ ଉଭୟ ମିଶି କିଛି ସମୟ ଖୋଜିଲେ ତାଙ୍କ ବାପାଙ୍କୁ, ମାତ୍ର୍ ନିଷ୍ଫଳ ହେବାରୁ ଶିବାନନ୍ଦ ଶାନ୍ତ୍ୱନା ଦେଇ କହିଲେ -” ଡେରି ହୋଇଯିବ,ପୁଣି ଭଦ୍ରକରୁ କୃପାରୀ ବସ୍ ମିଳିବା କଷ୍ଟ ହୋଇଯିବ, ବରଂ ମୋ ସହିତ ଆସ! ଆମେ ଭଦ୍ରକ ପର୍ଯ୍ୟନ୍ତ ଚାଲିଯିବା, ତେଣିକି ପରିସ୍ଥିତି ଦେଖି ଯାହା ନିଷ୍ପତ୍ତି ନେବା, ଏଠି ତୁମକୁ ଏପରି ଭାବେ, ଏକୁଟିଆ ଛାଡ଼ି ମୁଁ ଯାଇ ପାରିବି ନାହିଁ”। ସେୟା ହେଲା କିଛି ସମୟର ବିଚାର ବିମର୍ଶ ପରେ ଉଭୟ ବସରେ ଉଠିପଡି ଭଦ୍ରକ ଅଭିମୁଖେ ଯାତ୍ରା କଲେ। ମଝିରେ ମଝିରେ ଶିବାନନ୍ଦ ବାବୁ ଫୋନ୍ ଲଗାଉଥାନ୍ତି, ମାତ୍ର୍ ସେହି ଏକା କଥା – ସୁଇଚ୍ ଅପ୍। କଥାବାର୍ତ୍ତା ହୋଇ ହୋଇ ଉଭୟ ଭଦ୍ରକରେ ପହଞ୍ଚିଗଲେ। ସ୍ତ୍ରୀ ଲୋକଟି ବେଳେ ବେଳେ କାନ୍ଦ କାନ୍ଦ ହୋଇ ଶିବାନନ୍ଦଙ୍କ ଉପରେ ଢଳି ପଡୁଥାଏ। ଶିବାନନ୍ଦ ବାବୁଙ୍କର ମଧ୍ୟ ତା’ ଉପରେ ଭାରି ଦୟା ଆସୁଥାଏ। ଭାବୁଥାନ୍ତି- ଏ ବୋଧେ କେଉଁ ଜନ୍ମରେ ତାଙ୍କ ସହ ସମ୍ପର୍କିତା ବା ସମ୍ବନ୍ଧିତା ବୋଧେ ଥିଲା। ଭଲ ସ୍ତ୍ରୀ ଲୋକଟିଏ, ବହୁତ ସ୍ନେହୀ। ଯେମିତି ସୁନ୍ଦରୀ ସେମିତି ହୃଦୟ ନିର୍ମଳ। ଦେଖୁ ନାହାନ୍ତି! କେମିତି ନିମିଷକେ ମନ କିଣିନେଲେ ।ଶିବାନନ୍ଦ ବାବୁଙ୍କ ହୃଦୟ ତା ପ୍ରତି ଦୟା ଓ ଅନୁକମ୍ପାରେ ଭରି ଉଠୁଥାଏ। ହେଲେ ମନକୁ ବିଛା କାମୁଡୁ ଥାଏ, ୟାକୁ ଏତେ ରାତିରେ କୁପାରୀ କେମିତି ପଠେଇବେ? ଯଦି ଭଦ୍ରକରୁ ବସ୍ ନମିଳେ ତେବେ କ’ଣ କରିବେ?
ଯାହା ହେଉ ଇତ୍ୟବସରରେ ବସ୍ ଆସି ଭଦ୍ରକଠିଁ ପହଞ୍ଚିଗଲା। ହେଲେ ଗୋଟେ ବି ବସ୍ ବା ଅନ୍ୟ କୌଣସି ଗାଡି କୁପାରୀ ପାଇଁ ନାହିଁ। କିଛିଟା ଆଶ୍ୱସ୍ତ ଲାଗି ଆସୁଥିଲା ପୁଣି ସେହି ଚିନ୍ତା ଘାରିଲା। ଗାଡି ଭଲା ଗୋଟେ ମିଳନ୍ତା? ବରଂ ସେ ନିଜେ ଯାଇ ତାଙ୍କ ଘରେ ତାଙ୍କୁ ନେଇ ସୁରକ୍ଷିତ ଛାଡି ଆସନ୍ତେ, ତେଣିକି ଯିଏ ଯାହା ଭାବୁ। ବଜାରଟା ଭିତରେ ଆଉ କେତେ ସମୟ ବା ଏପଟ ସେପଟ ହୋଇ ଅପେକ୍ଷା କରିବେ? ଅପେକ୍ଷା କଲେ ବା ତାଙ୍କ ବାପା ବା ବସ୍ କେହି ଗୋଟେ ମିଳିବାର ବା ସମ୍ଭାବନା ଥାଆନ୍ତା କି? ସେତେବେଳକୁ ରାତି ଏଗାରଟା ବାଜିଲାଣି, ଟେନସନରେ ତାଙ୍କ ମୁଣ୍ଡ ଆଉ କାମ କରୁ ନଥାଏ। ତା’ ବୋଲି ସ୍ତ୍ରୀ ଲୋକଟାକୁ ଏକୁଟିଆ ରାସ୍ତାରେ ଛାଡ଼ି ସେ ତ ଆଉ ଚାଲି ଯାଇ ପାରିବେ ନାହିଁ। ତେବେ ନିଜ ଘରକୁ ନେଇ ଯିବେ? ଏ କଥାଟା କହିଲେ ସ୍ତ୍ରୀ ଲୋକଟା ଯଦି କିଛି ଭାବିବ? ପୁଣି ଘରେ ଅପର୍ଣ୍ଣା ଯଦି କିଛି ଓଲଟା ସିଧା କହିଲେ, ତାଙ୍କ ପତି ପତ୍ନୀ ସମ୍ପର୍କ ବିଗିଡ଼ି ଯିବ। ତଥାପି ମାନବିକତା ଓ ମାନବୀୟ ଧର୍ମ ବଡ଼। ଏମିତି କିଛି ଭାବୁ ଭାବୁ ଅଗତ୍ୟା କହି ପକେଇଲେ – “ଆଉ କିଛି ଉପାୟ ନାହିଁ, ଚାଲ! ଆମ ବସାକୁ ପଳେଇ ଯିବା। ସକାଳ ହେଲେ ମୁଁ ନିଜେ ଯାଇ ତୁମକୁ ତୁମ ଘରେ ଛାଡ଼ି ଆସିବି। ସ୍ତ୍ରୀ ଲୋକଟା ବି “ହଁ.. ନାହିଁ..”ଧସପସ ହୋଇ ଶେଷରେ ହଁ ଭରିଲା।
ଦୁହେଁ ଯାଇ ଶିବାନନ୍ଦ ବାବୁଙ୍କ ଘରେ ପହଞ୍ଚି ଗଲେ। ଘରେ ତାଲା ଦେଖି ମନେ ପଡ଼ିଲା – ତାଙ୍କ ପତ୍ନୀ ବାପା ଘାରକୁ ଯିବା କଥା କହୁଥିଲେ, ବୋଧେ ଯାଇଛନ୍ତି। ହଁ.. ହଁ… ବସରେ ଥିବା ବେଳେ ସେ ତ ଫୋନ୍ କରିଥିଲେ, କ’ଣ କହୁଥିଲେ ଭଲ କି ଶୁଭୁନଥିଲା । ବୋଧହୁଏ ବାପ ଘରକୁ ଯିବା କଥା ନିଶ୍ଚୟ ଜଣାଇଥିବେ। ନିଜ ପାଖରେ ଥିବା ଅନ୍ୟ କାଠିଟିରେ ଚାବି ଫିଟାଇ ଘର ଭିତରକୁ ପଶିଲେ। ସ୍ତ୍ରୀ ଲୋକଟି କହିଲା – “ଭାଉଜ? ଭାଉଜ କ’ଣ ଘରେ ନାହାଁନ୍ତି?” ଶିବାନନ୍ଦ କହିଲେ – “ଥିବା କଥା। ହେଲେ ବାପ ଘରକୁ ଯିବା କଥା କହୁଥିଲେ- ବୋଧେ ଯାଇଥିବେ। ତେବେ ତୁମେ କିଛି ବ୍ୟସ୍ତ ହୁଅ ନାହିଁ, ମୁଁ ତୁମର କିଛିବି କ୍ଷତି କରିବି ନାହିଁ। ଏ ତ ସବୁ ପରିସ୍ଥିତିର ଖେଳ। ଯାହାକୁ ଆମେ coincident କହିଥାଉ। ୟୁ ପ୍ଲିଜ୍ କାମ୍। ତୁମେ ଘର ଭିତରକୁ ଆସ! ବାହାରେ ଛିଡା ହୋଇ ରହିଲେ ଲୋକମାନେ କ’ଣ ଭାବିବେ? ସ୍ତ୍ରୀ ଲୋକଟି ଡରି ଡରି ଘର ଭିତରକୁ ପଶିଲା। ଶିବାନନ୍ଦ ବାବୁ କବାଟ ଦେଇ ଫ୍ରେସ୍ ହେଲେ ଓ ତାଙ୍କୁ ମଧ୍ୟ କହିଲେ – “ଏଇଟା ଭାଉଜଙ୍କ ରୁମ୍ ଯାଇ ଫ୍ରେସ୍ ହୋଇପଡ଼! ଭୋକ ଲାଗିଲାଣି କ’ଣ ଦୁଇଟା ଖାଇବା। ଶିବାନନ୍ଦ ବାବୁ ଚଟାପଟ ଗୋଡ଼ ହାତ ଧୋଇ ରୋଷେଇରେ ଲାଗି ପଡ଼ିଲେ। ସ୍ତ୍ରୀ ଲୋକଟା କହିଲା _”ଆପଣଙ୍କୁ କ’ଣ ରୋଷେଇ ଜଣା”? ଶିବାନନ୍ଦ କହିଲେ -” ହଁ ଅଳ୍ପ ଅଳ୍ପ “।
ସ୍ତ୍ରୀ ଲୋକଟି କହିଲା – “ଛାଡ଼ ମୁଁ ରୋଷେଇ କରିଦେବି”। ଶିବାନନ୍ଦ ବାବୁ କହିଲେ – “ନା..”
-“ତାହେଲେ ଦୁଇ ଜଣଯାକ ସାଙ୍ଗ ହୋଇ ରୋଷେଇ କରିବା” ।
ସେୟା ହେଲା। ସାଙ୍ଗ ହୋଇ ରୋଷେଇ କଲେ। ଜଣେ କଡ଼େଇ ବସେଇ ଖଡର ଖଡର କଲା ବେଳକୁ ଆଉ ଜଣେ ପରିବା କଟାରେ ଲାଗିଗଲେ। ରୁଟି ତରକାରୀ ସବୁ ପ୍ରସ୍ଥୁତ ହୋଇଗଲା। ଇତ୍ୟବସରରେ ଉଭୟ ଉଭୟଙ୍କର ଭଲ ମନ୍ଦ ସବୁ ପଚାରି ବୁଝି ସାରିଥାନ୍ତି। ଆହୁରି ଆତ୍ମୀୟତା ବଢି ବଢି ଆସୁଥିଲା। ଟିକିଏ ଥଟ୍ଟା ମଜ୍ଜା ଭିତରେ ଦିନ ତମାମର ସବୁ ତନାବ ଦୂର ହେଉଥିଲା। ଉଭୟ ବସି ସାଙ୍ଗ ହୋଇ ଖାଇଲେ। ଶିବାନନ୍ଦ ବାବୁ ନିଜେ ଦାଣ୍ଡ ଘରେ ଶୋଇ ତାଙ୍କୁ ବେଡ୍ ରୁମ୍ ରେ ଶୋଇବାକୁ କହିଲେ।
ଶିବାନନ୍ଦ ବାବୁଙ୍କର ନିଦ ଲାଗି ଆସୁଥିଲା। ସ୍ତ୍ରୀ ଲୋକଟି ହାଉଳି ଖାଇ ପାଟି କରି ଉଠିଲା। କହିଲା – “ମୋତେ ଭାରି ଡର ଲାଗୁଛି”। ଶିବାନନ୍ଦ ବାବୁ ଉଠିକି ବସିଲେ। କହିଲେ – “ନୂଆ ଜାଗା ସେମିତି ଲାଗୁଥିବ। ତୁମେ ଶୋଇପଡ କିଛି ହେବ ନାହିଁ” । ସ୍ତ୍ରୀ ଲୋକଟି କହିଲା-” ନା.., ବରଂ କଥା ହୋଇ ହୋଇ ରାତି ପୁହାଇ ଦେବା, ମୁଁ କିନ୍ତୁ ଏକୁଟିଆ ଶୋଇ ପାରିବି ନାହିଁ। ମୋତେ ଭାରି ଡର ଲାଗୁଛି, ତୁମେ ଏଇଠିକି ଆସ!” ଶିବାନନ୍ଦ ବାବୁ କଥା କାଟି ପାରିଲେ ନାହିଁ।ଉପାୟ ବି ତ ନଥିଲା । ପୁଣି ମଣିଷ ତ କେବଳ ପରିସ୍ଥିତିର ଦାସ। ପାଖରେ ଯାଇ ବସିଲେ। କଥାର ସୁଅ ଥରେ ଛୁଟିଲେ, କେଉଁଠୁ ଆରମ୍ଭ ହୋଇ କୋଉଠି ଯାଇ ଛିଡେ ତାହାର କିଛି ଆଦି ଅନ୍ତ ନଥାଏ।
ରୁମ୍ ରେ ଜିରୋ ପାୱାର ନୀଳ ବତୀଟିଏ ଜୁକଜୁକ ହୋଇ ଜଳୁଥାଏ। ସ୍ତ୍ରୀ ଲୋକଟି ଉଠିକି ବସିଥାଏ। କିଛି ସମୟ ଶୋଇ ଯାଇଥିବା କାରଣରୁ ତା’ର ଲୁଗାପଟା ଟିକିଏ ଇତଃସ୍ତତଃ ହୋଇଯାଇ ଅଙ୍ଗ ସୌଷ୍ଠବ ପରିସ୍ଫୁଟ ହୋଇ ଦିଶୁଥାଏ। ଅନ୍ତଃ ବସ୍ତ୍ର ବୋଧେ ଖୋଲି ଥୋଇ ଦେଇ ଥାଏ। ନା ଝାଳୁଆ ଗନ୍ଧାଉ ଥିବାରୁ ବୋଧେ ଧୋଇ ଖଟ ବାଡ଼ାରେ ଶୁଖାଇ ଦେଇ ଥାଏ। ମିଞ୍ଜି ମିଞ୍ଜି ଆଲୁଅରେ ସେ ଚିକ୍ଚିକ୍ ଦିଶୁଥାଏ। କେଶ ବିନ୍ୟାସ ବି ଅଧା ମୁକୁଳା ରହି ଟିକିଏ ବିପର୍ଯ୍ୟସ୍ଥ ହୋଇ ପଡ଼ି ଥାଏ। ସେ ବାରମ୍ବାର ମୁଣ୍ଡଟାକୁ ଛିଞ୍ଚାଡି ବାଳଟାକୁ ସାଇଜ୍ କରୁଥାଏ ବା କେତେବେଳେ ମୁହଁ ଉପରକୁ ପଡି ଆସୁଥିବା ବାଳଟାକୁ ନେଇ କାନ ଉପରେ ଗୁଞ୍ଜି ଦେଉଥାଏ। ମଝିରେ ମଝିରେ ପଦେ କହି ମଲ୍ଲି ଫୁଲିଆ ହସଟିଏ ଚେନାଏ ଖଣ୍ଡ ହସି ପକାଉଥାଏ। ଖୁବ୍ ସୁନ୍ଦର ତ ଚେହେରା, ରୂପ କାନ୍ତି ଖାଲି ଝଟକୁ ଥାଏ। ଦେହରୁ ଚମ୍ପା ଫୁଲିଆ ବାସ୍ନା ବୋହି ଆସି ଶିବାନନ୍ଦ ବାବୁଙ୍କ ନାସିକା ଅଗ୍ର ଚୁମ୍ବୁଥାଏ। ମନ ପ୍ରାଣ ଶିକ୍ତ ହୋଇ ଯାଉଥାଏ। ଶରୀର ଉନ୍ମାଦ ଅବସ୍ଥାକୁ ଆସି ଯାଉଥାଏ। ଏଥି ପୂର୍ବରୁ ଶିବାନନ୍ଦ ବାବୁ ତାକୁ ହୁଏତ ଭଲ ଭାବେ ଚାହିଁ ନଥିଲେ ବା ଦେଖିବାକୁ ଏତେଟା ଆଗ୍ରହ ପ୍ରକାଶ କରି ନଥିବେ। ସ୍ତ୍ରୀ ଲୋକଟି ପ୍ରଥମେ ଆରମ୍ଭ କଲେ-” ମୁଁ ଆପଣଙ୍କୁ ନିଦରୁ ଉଠେଇ ହଇରାଣ କଲି ନା? ସତ କହୁଛି ମୋତେ ଛାଇ ନିଦ ଆସିଯାଇଥିଲା। ଦେଖିଲି ମୋତେ କିଏ ମାଡ଼ି ବସିଛି ।ମୁଁ ଭୟଭୀତ ହୋଇ ଗଲି। ମୋ ନାଁଟି ଯେଣୁ ପଦ୍ମିନୀ ମୁଁ ଭାରି କୋମଳ, ଟିକିଏ କିଛି ହେଲେ ଭୟ ପାଇ ଯାଏ। ଏବେ ବି ମୋ ଭିତରେ କମ୍ପାନ ଥମି ନାହିଁ। ହାତ ମାରି ଦେଖୁନ”!ଶିବାନନ୍ଦଙ୍କ ହାତ ସଧୀରେ ନେଇ ତା’ ଶରୀର ଉପରେ ଛାଡି ଦେଲା। ଏତିକିରେ ଶିବାନନ୍ଦ ବାବୁଙ୍କ ଶରୀରରେ ଯେପରି ବିଦ୍ୟୁତ୍ ବେଗରେ ବିଜୁଳୀ ଖେଳି ଗଲା। ସେ ଚମକ ଓ ଟମକ ଅନୁଭବ କଲେ। ସେ ହତଚକିତ ହୋଇ ଗଲେ। ତାଙ୍କ ଶରୀରରେ କ୍ରିୟା ବିକ୍ରିୟା ସୃଷ୍ଟି ହେଉଥିଲା।ସେ ନିଜର ମନର କଥା ସିନା କାହାକୁ କହି ପାରୁନଥିଲେ, ହେଲେ ଶରୀର ଆଉ ବୋଲ ମାନୁ ନଥିଲା। ସେ ନିଜକୁ ନିଜେ ସମ୍ବରଣ କରି ପାରୁ ନଥା’ନ୍ତି। ମନ ବିକାରଗ୍ରସ୍ତ ହେଲାଣି ।ଚେଷ୍ଟା କରି ମଧ୍ୟ ନିଜକୁ ପ୍ରକୃତିସ୍ଥ କରି ପାରୁ ନଥାନ୍ତି। ଅବଶ୍ୟ ଗୋଟେ କିଛି ଭୁଲ ହୋଇଯିବା ଭୟରେ ଟିକିଏ ରହି ଯାଉଥାନ୍ତି।ଯାହା ହେଲେ ବି ସେ ପୁରୁଷ ପୁଅ ନା? ତାଙ୍କର ପୌରୁଷତ୍ବକୁ ଯେପରି କିଏ ଲଲକାର ଦେଉଥାଏ। ତେଣୁ ତାଙ୍କ ଭିତରେ ପୁରୁଷ ପଣିଆ ଯାଗି ଉଠୁଥାଏ। ଏଣିକି ସେ ତା’ ଉପରେ ଥୋଇଥିବା ହସ୍ତିକାଟିକୁ ଧୀରେ ଧୀରେ ଅଥଚ ଭୟ ଓ ସତର୍କତାର ସହିତ ମୃଦୁ ସଞ୍ଚାଳନ କରିବାକୁ ଲାଗିଲେ-ତା’ ଶରୀର ଉପରେ ।ପାଟି ମଧ୍ଯ ଖୋଲିଲେ – “ସତରେ ତୁମ ନାଁଟି ଭାରି ସୁନ୍ଦର। ଏଇ ନାଁଟି ତୁମକୁ କିଏ ଦେଇଥିଲେ? ଏଇ ନାଁଟି ମୋର ଭାରି ପସନ୍ଦ” । ପଦ୍ମିନୀ କହିଲା – “ସତରେ ନା କ’ଣ? ମୋ ନାଁଟା ଖାଲି ସୁନ୍ଦର ନା ମୁଁ ବି” ?
ଶିବାନନ୍ଦ ବାବୁ ହସି ପକେଇ କହିଲେ – “ଦୁଇଟାଯାକ “।ହଁ.. ନାହିଁ.. ମିଛ କହୁଛ.. ଇତ୍ୟାଦି ଭିତରେ କିଛି ସମୟ ପାଇଁ ହସର ରୋଳ ଘରଟି ଭିତରେ ଗୁମୁରି ଉଠିଲା। ଦୁହେଁ ଯାକ ହସି ହସି ଗଡି ଯାଉଥିଲେ।ପଦ୍ମିନୀ କହିଲେ -” ମୁଁ ଯଦି ସୁନ୍ଦର ତେବେ ମୋର କୋଉଟା ବେଶୀ ସୁନ୍ଦର କହିଲ”! ଶିବାନନ୍ଦ କହିଲେ -” କେଉଁଟା ସୁନ୍ଦର କହିବି, ତୁମର ସବୁ ସୁନ୍ଦର” ।
-” ଖାଲି ସୁନ୍ଦର କହିଲେ କ’ଣ କୋଉ ନାରୀ ଖୁସି ହୋଇ ପାରିବ? ତା’ ରୂପ ଯୌବନର ବର୍ଣ୍ଣନା ଶୁଣିବାକୁ ସେ ବହୁତ ଭଲ ପାଏ । ତୁମେ କ’ଣ କେବେ କେଉଁ ନାୟିକାର ବର୍ଣ୍ଣନା କରିନାହଁ ବା ପଢିନାହଁ? ଯଦି ହଁ ତେବେ ମୋର ବର୍ଣ୍ଣନା କର ତ! ମୁଁ ତୁମ ବାକ୍ଚାତୁର୍ଯ୍ୟ ଦେଖିବି” ।
ଶିବାନନ୍ଦ ବାବୁ କହିଲେ -” ତୁମ ନାକ, କାନ ଭ୍ରୂଲତା, ଦନ୍ତ ପଂକ୍ତି, ନଖଶ୍ରୀ, ନୟନର ଛଟା, ଓଠରେ ଶବ୍ଦାବଳୀ, କଣ୍ଠ ନିକ୍ବଣର ମଧୁର ସ୍ଵନ, ମସ୍ତକରେ ବିନ୍ଦୁ ବିନ୍ଦୁ ହୋଇ ଝାଳେଇ ଆସୁଥିବା ଝାଳ, ଶରୀରର ଗନ୍ଧ, କୁନ୍ତଳର ଘନତ୍ଵ ଓ ଚିତ୍ତ ଉତ୍ତେଜକ ବାସ୍ନା ସବୁ ନିଆରା, ସବୁଥିରେ ମିଠାସ ଭରି ରହିଛି”। ଏଥରେ ପଦ୍ମିନୀ ଖିଲିଖିଲି ହୋଇ ହସି ଉଠିଲେ ଓ ଆହୁରି ମଧ୍ୟ ଉତ୍ସାହିତ କରି କହିଲେ -” ଆଉ କିଛି କହିବ ନାହିଁ? ମୋ ଶରୀରର ଅନ୍ୟ ଅଙ୍ଗ ଦେଶମାନ କ’ଣ ଅସୁନ୍ଦର”? ଶିବାନନ୍ଦ ବାବୁ କହିଲେ – “ନା ସେ କଥା ନୂହେଁ। ବାସ୍ତବରେ ତୁମ ଅତୁଳନୀୟା। ତୁମର ଦୀପ୍ତିମୟୀ ଆଭା, ଅପୂର୍ବ ରୂପକାନ୍ତି ଯେକୌଣସି ପୁରୁଷ ହୃଦୟରେ ଭାବାନ୍ତର ସୃଷ୍ଟି କରିବାକୁ ବେଶ୍ କ୍ଷମ। ପାଦରେ ହାତ ରଖି – ତୁମ ପାଦଦେଶ ଖୁବ୍ ମସୃଣ। ହସ୍ତ ଚାଳନା କରି ତା’ର ହସ୍ତ ଏକକୁ ଦୁଇ ପାପୁଲିରେ ଜାବୁଡି ଧରି –”ତୁମ ଆଙ୍ଗୁଠି ଗୁଡିକ ଖୁବ୍ ନମ୍ର ଓ ପାପୁଲି ଅତି କୋମଳ। ତୁମର ନିତମ୍ବ ଗୁଡ଼ିକ ମଧ୍ଯ ଖୁବ୍ ପୃଷ୍ଟ। ଚିବୁକଗୁଡିକ ପାଚିଲା ଟମାଟୋ ପରି ଲାଲ କହି ଗାଲଟିକୁ ଚିପି ଦେଲେ। ପଦ୍ମିନୀ ଓଠ କାମୁଡି ଲାଜେଇ ଗଲେ ସିନା ହେଲେ ପାଖକୁ ଧୀରେ ଆଉଜି ଆସୁଥିଲେ। ଏତିକିବେଳେ ଶିବାନନ୍ଦ ବାବୁ ତା’ର ଗଣ୍ଡ ଦେଶରେ କେତୋଟି ମୃଦୁ ଚୁମ୍ବନ ଆଙ୍କି ଦେବାରୁ ସେ ଶିହରିତ ହୋଇ ଅତି ଉଲ୍ଲସିତ ହୋଇ ଉଠିଲେ ଓ ଶିବାନନ୍ଦ ବାବୁଙ୍କୁ ଜୋହରରେ ଜାବୁଡି ଧରିଲେ। କହିଲେ – “ତୁମେ ବି ସୁନ୍ଦର, ହେଲେ ଟିକିଏ ଦୁଷ୍ଟ। ଏହାପରେ ଦୁହେଁ ଦୁହିଁଙ୍କୁ ଅତି ନିବିଡ଼ ଭାବେ ପାଇଲେ। ଆଲିଙ୍ଗନ ଓ କୋଳାକୋଳି ରଜ୍ଜୁରେ ବାନ୍ଧି ହୋଇଗଲେ। ଜଣେ ଅନ୍ୟ ଜଣଙ୍କ ସ୍ପର୍ଶରେ ଆହ୍ଲାଦିତ ହୋଇଯାଉଥାନ୍ତି।
ମୃଦୁ ଶ୍ଲେଷର ଉଭୟ ଉଭୟଙ୍କୁ ଶରାଘାତ କରୁଥିଲେ। ଶେଷରେ ଉଭୟ ଉଭୟଙ୍କ ଭିତରେ ସମାହିତ ହୋଇଗଲେ। ଉଠିଲା ବେଳକୁ ଅଙ୍ଗବସ୍ତ୍ର ଉନ୍ମୁକ୍ତ, ପରସ୍ପର ପରସ୍ପରର ଖୁବ୍ ନିକଟରେ। ରାତି ପାହି ଯାଇଥିଲା। ସମୟ ଅତିକ୍ରାନ୍ତ ହୋଇସାରିଥାଏ। ବିଛଣାରୁ ଉଠିବାକୁ କେହି ମନ କରୁନଥା’ନ୍ତି। ତେଣୁ ବିଳମ୍ବିତ ପ୍ରହର।
କେହି ଜଣେ ଆଗନ୍ତୁକ କବାଟ ବାଡେଇବାରୁ ଧଳପଡ଼ ହୋଇ ବିଛଣାରୁ ଉଠିଲେ। ତୁରନ୍ତ ଆଗନ୍ତୁକଙ୍କୁ କ’ଣ ଏଣୁ ତେଣୁ କହି ଶିବାନନ୍ଦ ବାବୁ ଫେରି ଆସୁଥିଲେ ପ୍ରକୋଷ୍ଠକୁ। ସେତେବେଳକୁ ପଦ୍ମିନୀ ଗାଧୋଇ ସାରି ଅଙ୍ଗ ବସ୍ତ୍ର ପରିଧାନ କରୁଥା’ନ୍ତି। ଉଭୟ ଉଭୟଙ୍କୁ ନିମିଷକେ ଚାହିଁ ଦେଇ ପୁଣି ଥରେ ସ୍ନେହ ଆଶ୍ଳେଷରେ ବାନ୍ଧି ହୋଇ ପଡୁଥିଲେ – ଶେଷ ଥର ପାଇଁ। ସେମାନେ ଭୁଲି ଯାଉଥାନ୍ତି ଯେ, ପଦ୍ମିନୀକୁ ଫେରିବାକୁ ହେବ ତା ବାପା ଘରକୁ – ଘର କୁପାରୀ। ଶିବାନନ୍ଦ ଭାବାବେଶ ହୋଇ କହିଲେ – “ଆଉ ଦିନେ ଦୁଇ ଦିନ ତମେ ଅଟକି ଗଲେ ଚଳିବ ନାହିଁ? ମୋର ଆଦୌ ଛାଡିବାକୁ ଇଚ୍ଛା ହେଉ ନାହିଁ”। ପଦ୍ମିନୀ କହିଲା -” ମୁଁ କ’ଣ ଚାହୁଁନାହିଁ, ହେଲେ ସେ କଥା ପରେ। ତୁମେ ଆଗ ଗଲ! ତୁମକୁ ପରା କିଏ ଡାକି ଆସିଥିଲେ କେଉଁ ଏକ ଅର୍ଜଣ୍ଟେ କାମରେ ଯିବା ପାଇଁ। କେତେବେଳେ ଫେରିବ”?
_” ଦୁଇ ଘଣ୍ଟା ପରେ”।
-“ଠିକ୍ ଅଛି, ତୁମେ ଫେର୍! ମୁଁ ତୁମ ପାଇଁ ରୋଷେଇ କରି ରଖୁଛି। ଫେରିଲେ ସାଙ୍ଗ ହୋଇ ଖାଇବା। ତା’ ପରେ ଯେଉଁ କଥା”।
-” ଠିକ୍ ଅଛି ଡାର୍ଲିଂ, ମୁଁ ତେବେ ଆସୁଛି କହି ପାଖକୁ ଭିଡ଼ି ନେଇ ଚୁମ୍ବନଟିଏ।
ଏହି ସୁଯୋଗର ଅପେକ୍ଷାରେ ତ ପଦ୍ମିନୀ। ବେଡ୍ ରୁମ୍ ଓ ଗଡ଼ରେଜ୍ ଚାବିକାଠି ତ ତା’ ପାଖରେ, ଯାହା ସିଏ ଶିବାନନ୍ଦ ବାବୁଙ୍କୁ ପ୍ରେମ ନିଶାରେ ମତୁଆଲା କରି ହାତେଇ ନେଇଥିଲା। ସୁନା ରୂପା, ଟଙ୍କା ପଇସାଠୁଁ ଶାଢ଼ି ପାଟମଠା ଯାଏଁ ଯାହା ଥିଲା ସବୁ ସେ ଗୋଟେ ବ୍ୟାଗରେ ପ୍ୟାକ୍ କଲା। ଟଙ୍କା ପଇସା ଯାହାର, ଝୁଲା ମୁଣି ବି ତାହାର – ସେଇଥିରେ ପୁରାଇ ରଖିଲା। ଅଣ୍ଟିରୁ ଲୁଚାଇ ରଖିଥିବା ଫୋନ୍ ବାହାର କଲା। କାହାକୁ ଗୋଟେ ଫୋନ୍ କଲା। ଘର ସାମ୍ନାରେ ଚାରି ଚକିଆ ଯାନଟେ ଲାଗିଲା। କବାଟଟା ଧୀରେ ଆଉଜେଇ ନେଇ ସିଧା ଗାଡିରେ ଯାଇ ବସିଲା। ଆଖି ପିଛୁଳାକେ ଗାଡ଼ି କୁଆଡ଼େ ରବାନା ହୋଇଗଲା। ଶିବାନନ୍ଦ ଠିକ୍ ଦୁଇ ଘଣ୍ଟା ପରେ ଘରକୁ ଫେରିଲେ। ମନରେ ଅନ୍ୟ ପ୍ରକାରର ଉତ୍ସୁକତା ଭରି ରହିଥିଲା। ଘରେ ଯାଇ ଦେଖନ୍ତି ତ ସବୁ କଳା କନା ବୁଲି ଯାଇଥାଏ। ପଡ଼ିଶାଙ୍କ ଠାରୁ ଖବର ପାଇଲେ ତାଙ୍କ ଘରକୁ ଯେଉଁ ସମ୍ପର୍କୀୟା ଜଣଙ୍କ ଆସିଥିଲେ ସେ ବ୍ୟାଗ୍ ଧରି ଗାଡିରେ ବସି ଚାଲି ଯାଇଛନ୍ତି। ସେ ଏଣେ ତେଣେ ହୋଇ ଧାଇଁଲେ, ପୁଣି ସେ ଦେଇଥିବା କୁପାରୀ ଆଡ୍ରେସର ପତା ନେଇ ନିରାଶ ହୋଇ ଫେରିଲେ। ମିଛ। ସବୁ ମିଛ। କିଏ ଜଣେ କହିଲା ଗାଡି ଉତ୍ତର ଆଡକୁ ଯାଇଛି, ବିଦେଶୀ ନମ୍ବର ଥିଲା, ବୋଧେ କଲିକତାର। ଏବେ ତାଙ୍କର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଗାଡି କଲିକତା ଆଡକୁ ମୁହାଁଇଛି। ଏମାନେ ରୂପଜିବୀ। ଏମାନଙ୍କର ପେଶା ହେଲା ଏୟା। ଅନ୍ୟକୁ ଜାଲରେ ପକାଇ ଲୁଟିବା। ଏମାନଙ୍କର ବିରାଟ ଗ୍ୟାଙ୍ଗ ଅଛି। ଦିନ ଦ୍ଵିପ୍ରହରରେ ଏମାନେ ଡାକା ଡାଲି ପାରନ୍ତି। କାନ ମୁଣ୍ଡ ଆଉଁଷି ହୋଇ ରହିଲେ। କାହାକୁ କିଛି କହି ପାରିଲେ ନାହିଁ। ପୁଲିସକୁ କହିଲେ ନିଜେ ଜନାକାରୀରେ ପଡ଼ିବେ। ପତ୍ନୀ ଫେରିଲେ। ସଫେଇ ଦେଲେ। କହିଲେ – “ବାହାରକୁ ଯାଇଥିଲି କିଏ ସବୁ ତାଲା ଭାଙ୍ଗି ଲୁଟି ନେଇଛି। ବ୍ୟସ୍ତ ହୁଅ ନାହିଁ। ସବୁ ଗଢି ଦେବି” । ପତ୍ନୀକୁ ସିନା ମିଛ ଆଶ୍ୱସନା ଦେଇ ଠକି ଦେଲେ, ହେଲେ ଭିତରେ ଭିତରେ କୁନ୍ଥେଇ କାନ୍ଦୁଥାନ୍ତି।
ତୁଳସୀ
12.ତୁଳସୀ
_-by ସତ୍ୟ ପ୍ରକାଶ ସେଠୀ
ତୁଳସୀ ବାପା ମାଆଙ୍କର ଗୋଟେ ବୋଲି ଝିଅ। ଭାରି ଅଲିଅଳି। ପିଲାଟି ଦିନରୁ ସୁଖ ସମ୍ଭୋଗ ଭାଗ୍ୟରେ ଜୁଟିଥିଲା। ଯାହା କହିଲେ ବାପା ମା ଦି’ଟା କିଣି ଆଣି ପହଁଞ୍ଚେଇ ଦେଉଥିଲେ। ଅଭାବ ବୋଲି କିଛି ନଥିଲା।
ପୁଣି ପିଲାବେଳ ଧୂଳି ଘର ମନରେ ଭାରି କୌତୁହଳ ସ୍ରୁଷ୍ଟି କରୁଥିଲା। ସାଙ୍ଗସାଥି ଓ ଖେଳସାଥି ସହ ହସି ଖେଳି ଜୀବନ ବିତିଯାଉଥିଲା, ସମୟଟା କେଉଁ ବାଟେ ଚାଲି ଯାଉଥିଲା କିଛି ଜଣାପଡୁ ନଥିଲା । ପୁଣି ସେଇଠି ଥାଏ ନିଜ ସମବୟସ୍କର ବିନୋଦ। ସେ ଭାରି ଭଲ ପାଉଥାଏ ତୁଳସୀକୁ। ଯେତେବେଳେ ଦେଖିବ ଦୁଇ ଜଣଙ୍କୁ ଏକାଠି। ବାପା ମା ଖୋଜି ବସିଲେ ଇଏ ତାଙ୍କ ଘରେ ନହେଲେ ସେ ୟାଙ୍କ ଘରେ । ଦୁଇ ଜଣଙ୍କର ଭାରି ଆତ୍ମୀୟତା। ପିଲାବେଳେ କଣ୍ଢେଇ ବାହାଘର ଓ ଧୂଳି ଘର ସଜାଡି ଖେଳୁଥାନ୍ତି। ବଡ଼ ହେଲାରୁ ସ୍କୁଲ ଗଲେ। ସେମାନେ ଏକା କ୍ଲାସ୍ ରେ ପାଠ ପଢନ୍ତି, ସାଙ୍ଗରେ ହାତ ଧରାଧରି ହୋଇ ଯାଆନ୍ତି। ଛୁଟି ହେଲେ ଥଟ୍ଟା ମଜ୍ଜା ହୋଇ ଘରକୁ ଫେରନ୍ତି। ସାଥୀ ଝିଅମାନେ ତୁଳସୀକୁ ଇର୍ଷା କରନ୍ତି ସେ ଝିଅ ସାଙ୍ଗ ନ ହୋଇ ବିନୋଦ ସହିତ ସାଙ୍ଗ ହେଉଛି ବୋଲି। ଏଥିରେ ତାକୁ କିଛି ଫରକ୍ ପଡେ ନାହିଁ। ସେ କହେ – “ବିନୋଦ ମୋ ସଖା” ମୁଁ ସାଙ୍ଗ ହେଲି ତୁମର କ’ଣ ଗଲା ସେଠୁ?
କ୍ରମଶଃ ସେମାନେ ବଡ଼ ହେଲେ। ଶ୍ରେଣୀ ପରେ ଶ୍ରେଣୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କଲେଜ ଆସିଗଲେ। କଲେଜରେ ମଧ୍ୟ ସେହି ବନ୍ଧୁତା ଅତୁଟ ରହିଥାଏ। କିଏ କ’ଣ ତୁଳସୀକୁ କହିଦେଲେ ବା ନଜର ଉଠେଇ ତାକୁ ଦେଖିଲେ ବିନୋଦ ଆଦୌ ସହି ପାରେ ନାହିଁ, ପ୍ରଚଣ୍ଡ ରାଗିଯାଏ, ଦରକାର ପଡିଲେ ଧୂଳେଇ ମଧ୍ୟ କରେ। ତୁଳସୀ କୁହେ-” ତୁ କାହିଁକି ଏତେ ମୋ ପାଇଁ ବ୍ୟସ୍ତ ହେଉଛୁ? ସେମାନେ କହିଦେଲେ ଯଦି, କହିଦେଲେ। ଆମେ ନ ଶୁଣିଲେ ଗଲା। ତା ବୋଲି ତୁ ସେମାନଙ୍କ ସହିତ ଲଢ଼ି ନିଜ ଜୀବନକୁ ବିପନ୍ନ କରିବୁ? ମୋତେ ଏଗୁଡାକ ଭଲ ଲାଗେ ନାହିଁ। ତୋର ଯଦି କିଛି ହୋଇଯାଏ ମୁଁ ଆଦୌ ସହି ପାରିବି ନାହିଁ”।
ବିନୋଦ ଚିଡ଼େଇବା ପାଇଁ କୁହେ – “ଆହା ଲୋ ମଲ୍ଲୀ! ମୋ ଦେହକୁ କାଟିଲେ ତୋତେ କାହିଁକି କାଟୁଛି”? ତୁଳସୀ କହେ -” ରହ! ରହ!! ତୋତେ ଦି’ଟା ଦେଉଛି “କହି ମାରି ଗୋଡ଼ାଏ। ବିନୋଦ ବାଙ୍କ ଶିଆଳି ଦେଇ ଖଣ୍ଡେ ବାଟ ଦୌଡ଼ି ପଳାଏ।ତୁଳସୀ ରାଗରେ ଗରଗର ହୁଏ। ନାକ ମୁହଁ ଫୁଲାଇ ମୁହଁ ଛିଞ୍ଚାଡେ। ବିନୋଦ ଫେରି ଆସି। କାନ ଧରି କହେ – “ଆଉ ଚିଡ଼େଇବି ନାହିଁ, ଭୁଲ ହୋଇଛି, ତୁ କିନ୍ତୁ ମୁହଁ ହାଣ୍ଡି କର ନାହିଁ”। ତା ପରେ ହସର ଜୁଆର ଛୁଟେ, ଯେଝା ଘରକୁ ଯେଝା ଚାଲି ଯା’ନ୍ତି। ତୁଳସୀର କିଛି ଦରକାର ଥିଲେ ଫୋନ୍ କରେ, ନହେଲେ ବାଡ଼ି ପଛ ପଟକୁ ଯାଇ ଚିଲାଏ।ପଦ୍ମ ତୋଳା ଡାକିଲେ ଯେପରି ସାପ ଗାତରୁ ବାହାରି ପଡ଼େ ସେହିପରି ବିନୋଦ ତୁଳସୀର ଡାକରା ପାଇଲା କ୍ଷଣି ଆସି ହାଜର । ଅନ୍ୟ ମାନେ ଇର୍ଷାରେ କହନ୍ତି ଏ ଦୁଇଟା ପୂର୍ବ ଜନ୍ମରେ ନାଗ ନାଗୁଣୀ ଥିଲେ, ଯୁଆଡେ ଦେଖିବ ଖାଲି ହଳି ହୋଇ ବୁଲୁଛନ୍ତି। ଏମାନେ ଉଭୟ ଉଭୟଙ୍କୁ ଏତେ ପାଖରେ ପାଇଲା ପରେ ବି ପୁଣି ଫୋନ୍ କରି ଗପିବେ। ସେମାନଙ୍କର ଗପ ସରେ ନାହିଁ। ଗପର ଗୋଟେ ପରେ ଗୋଟେ ଖିଅ ବାହାରି ପଡେ। ସେୟାକୁ ନେଇ ସେମାନଙ୍କର ଗପର ପେଡ଼ି ଖୋଲିଯାଏ। ଗପ ବୋଲି କ’ଣ କି ଖାଲି ଝଗଡ଼ା ଝାଣ୍ଟି। ଇଏ ତାକୁ ଚିଡ଼ଉଥିବ ଓ ସେ ତାକୁ ଚିଡ଼ଉଥିବ। ମା’ ବେଳେବେଳେ ଶୁଣିଲେ ପଚାରନ୍ତି – “ଆଲୋ କ’ଣ ହେଲା କି, କାହା ଉପରେ ରାଗୁଛୁ” ? ତୁଳସୀ କହେ – “ମା ଦେଖିଲୁ ବିନୋଦ କେମିତି ଚିଡ଼ାଉଛି” ? ମା କହେ-” ତୁମ ଦୁଇ ଜଣଙ୍କର ଝଗଡ଼ାରେ ମୋର କିଏ ପଶିବ ଲୋ ମା ‘, ପୁଣି ମେଣ୍ଟେଇ ପାରିଲେ ତ ହବ ନା? ହେଲେ ତୁ ଏଡ଼େ ବଡ଼ ହେଲୁଣି ତଥାପି ସେହି ପିଲା ବେଳର କଳିକୁ ନେଇ ମହାଭାରତ? ବଡ଼ ହେଲଣି, ଟିକିଏ ବୁଦ୍ଧି ଅକଲ ଶିଖ। ଜୀବନର ବାସ୍ତବତା କ’ଣ ବୁଝ ।ତୁ ଆଉ ବିନୋଦ ସହିତ ଏତେଟା ମିଳାମିଶା କର ନା ମା’! ଲୋକେ ଖରାପ ଭାବିବେ”।
ମାଆର ଏଇ ଶେଷ କେଇପଦ କଥା କାହିଁକି କେଜାଣି ତୁଳସୀ ମନରେ ଖୁବ୍ ଭାବାନ୍ତର ସୃଷ୍ଟି କଲା। ସେ କିଛି ସମୟ ଚୁପ୍ ଚାପ୍ ହୋଇଗଲା। ମା କାହିଁକି ଏମିତି କହିଲେ? ଏ ବୟସରେ କ’ଣ ସବୁ ଅଲଗା କି? ହଁଁ… ହଁ.. . ଏହି କେହି ଦିନ ହେବ ମୋର ହାବଭାବର କିଞ୍ଚିତ୍ ପରିବର୍ତ୍ତନ ଆସିଛି। ମୋତେ ଝିଅ ସାଙ୍ଗ ଅପେକ୍ଷା ବିନୋଦର ସାଥି ସାହଚର୍ଯ୍ୟ ଅଧିକ ବିମୋହିତ କରୁଛି। ତେବେ ଆଗରୁ ତ ମୁଁ ବିନୋଦ ସହିତ ମିଶିଛି, ସେତେବେଳେ ମୋ ହୃଦୟ ଭିତରେ ସେମିତି କିଛି ଭାବାବେଗ ସ୍ରୁଷ୍ଟି ହେଉ ନଥିଲା। ତେବେ ଆଜିର ଏ ପରିବର୍ତ୍ତନରେ ନିଶ୍ଚିତ କିଛିଟା ଫରକ୍ ଅଛି ଯାହା ପାଇଁ କିଛି ବି ପ୍ରଯତ୍ନ କରା ଯାଇ ନାହିଁ, ଆପଣା ଛାଏଁ ସବୁ କିଛି ଘଟିଯାଉଛି। ତେବେ ବିନୋଦ ମନରେ ମୋ ପାଇଁ କ’ଣ କିଛି ଦୁର୍ବଳତା କେବେ ଆସି ନାହିଁ, ନା ସେ ମୁହଁ ଖୋଲି କିଛି କହି ପାରୁ ନାହିଁ।
ଆମେ ତ ପିଲାଦିନୁ କେହି କାହାକୁ କିଛି ଲୁଚାଇ ନାହୁଁ। ସବୁ କଥା ଆମେ ଉଭୟଙ୍କୁ କହିଥାଉ। ନିଜ ମନର ଭାବଠାରୁ ଦୁନିଆ ଯାକର ଘଟଣା ପରା ଆମେ ହୋଇଥାଏ। ତେବେ ବିନୋଦ କ’ଣ କେବଳ ମୋର ବନ୍ଧୁ, କିନ୍ତୁ ତା’ର ଜୀବନ ସଙ୍ଗିନୀ ଅଲଗା? ସେ ହୁଏତ ବାଛି ସାରିଥିବ ବା କାହାକୁ ଭଲ ପାଇ ତା’ ପଛରେ ପଡିଥିବ, ଯାହା ମୋତେ କେବେ କହି ନାହିଁ। ଆଜି ଆସୁ ତାକୁ ପଚାରିବି, ଉତ୍ତରଟା ନଆଦାୟ କଲା ଯାଏଁ ତାକୁ ଛାଡ଼ିବି ନାହିଁ।ସେ ପୋତା ମୁହାଁ କ’ଣ କମ୍ କି? ଖାଲି ହିଁ ହିଁ ହୋଇ ହସିବ, ଏଣୁ ତେଣୁ କରି କଥା ବୁଲାଇବ। ହେଲେ ମୁଁ ତୁଳସୀ। ମୋତେ ସେ ଚିହ୍ନି ନାହିଁ। ଭାରି ଜିଦିଆଣୀ। ଥରେ କଥାଟା ଥାମ୍ ନେଲେ ଆଉ ଛାଡ଼ିବି ନାହିଁ”।
ରାତି ସାରା ଏମିତି ବ୍ୟସ୍ତତା ଓ ଭାବନା ଭିତରେ ରାତି ପାହିଗଲା। ସକାଳୁ ଉଠି ବିଛଣାରୁ ଦୁଇଥର ଫୋନ୍ କରି ସାରିଲାଣି – ବିନୋଦକୁ।ବିନୋଦ ଡେରି କରିବାରୁ ବାଡ଼ି ପଟେ ଯାଇ ଚିଲ୍ଲେଇଲା-ବଡ଼ ପାଟିରେ । ବିନୋଦ ଆସି ପହଞ୍ଚିଯିବାରୁ କହିଲା – “ଏ ପୋଡ଼ା ମୁହାଁ! ଏ ଯାଏଁ କୁଆଡ଼େ ଯାଇଥିଲୁ, କାହିଁ ତୋର ତ ଦେଖାନାହିଁ? ବିନୋଦ କହିଲା -” କାହିଁ ମୋଠିଁ ତୋର କି କାମ କି”?
ଏ ଯୋଗିନୀ ଖିଆ! କଥା ବାଁରା ନାହିଁ କହିଦେଉଛି, ନ ହେଲେ ଏଇ ଲାଗେ ଦେଖିବୁ( ବିଧା ଉଞ୍ଚାଇ)।।
-” ରହ ଲୋ! ରଣ ଚଣ୍ଡି ତୁ ଏମିତି ହଅ ନାହିଁ। କଥା କ’ଣ କହ! ସକାଳୁ ସକାଳୁ ବଢିଆ ନିଦଟେ ହୋଇଥିଲା ଭାଙ୍ଗି ଦେଲୁ” ।
-“କ’ଣ କହିବି, ତୁ ଆଜି କାଲି ପଦ ଗଦ ମାନୁ ନାହୁଁ। କୁଆଡ଼େ ବୁଲୁଛୁ ଯେ ବୁଲୁଛୁ। ଡାକିଲେ ଶୁଣୁନୁ। ନିଶ୍ଚୟ କୋଉ ଟୋକି ପଛରେ ପଡ଼ିଛୁ। ନହେଲେ ତୋଠିଁ ଏ ବଦଳାବ ମୁଁ କେବେ ଦେଖି ନାହିଁ।
-” କଥାଟା ତାହେଲେ ଏଠି.. ହୁଁ । ଠିକ୍ ତୁ କହିଛୁ। ମୁଁ ଗୋଟେ ଝିଅକୁ ଭଲ ପାଉଛି। ତା ନାଁଟା ହେଲା.. ନା କହିବି ନାହିଁ, ତୋତେ କାହିଁକି କହିବି? କହିଲେ ତୁ ତା ପଛରେ ପଡ଼ିଯିବୁ” ।
ବିନୋଦକୁ କହ କହ ବୋଲି ତୁଳସୀ କେତେ ଅନୁରୋଧ କଲା। ବିନୋଦ ନ କହିବାରୁ ତୁଳସୀ ଏଥର ରାଗିଗଲା। କହିଲା – “ମୁଁ ତୋ ସହ ଆଉ ଜମାରୁ କଥା ହେବି ନାହିଁ। ମୁଁ ମୋର ସମସ୍ତ କଥା ତୋତେ କହେ, ହେଲେ ଏହି କଥାଟା ତୁ ମୋଠୁଁ ଲୁଚେଇ ରଖିଛୁ, ତୋ ସହିତ ଆଜିଠାରୁ କଟି କଟି ମାନେ ଡବଲ କଟି।
ମାନ ଅଭିମାନରେ କେଇଟା ଦିନ କଟିଗଲା। ଏଥି ଉତ୍ତାରୁ ଗୋଟେ ପ୍ରସ୍ଥାବ ଆସିଲା। ବାପା ହଁ ଭରିଦେଲେ। ତୁଳସୀକୁ ପଚାରିଲାରୁ ସେ ବିନୋଦ ଉପରେ ରାଗିକି ନିରବ ରହିଲା। ବାହାଘରଟା ହଠାତ୍ ଉପରେ ହୋଇଗଲା। ସେପଟେ ଶ୍ୱଶୁର ଘର ପଟେ ବୁଢୀ ଶାଶୁ କୁଆଡେ ଗୋଟିକିଆ ପକାଉଥିଲେ। ନାତୁଣୀ ବୋହୂକୁ ଦେଖିବାକୁ ଥେଇ ଥେଇ କଲେ। ତେଣୁ କିଛି ଗୋଟେ ଧୀର ସ୍ଥିର ହୋଇ ନିଷ୍ପତ୍ତି ନେବା ଆଗରୁ ବାହାଘରଟା ଅଚାନକ ହୋଇଗଲା। ବିନୋଦ ବି ପରିସ୍ଥିତିଟାକୁ ଠିକ୍ ସେ କିଛି ବୁଝି ପାରିଲା ନାହିଁ। କେମିତି ଏତେ ସବୁ ଘଟିଗଲା ଚାହୁଁ ଚାହୁଁ। ସେ ଖାଲି ବୋକାଙ୍କ ଭଳି ଚାହିଁ ରହିଲା ସିନା କିଛି କରି ପାରିଲା ନାହିଁ। ହେଲେ ତୁଳସୀ ବାପ ଘର ଛାଡ଼ି ଚାଲି ଯାଉଥିବା ଶୁଣି ତା ମନ ଘର ଧରୁ ନଥାଏ। ରାତି ସାରା ବିଛଣାରେ ବସି ଏଣୁ ତେଣୁ ଭାବିଲା। କେତେ ଭାବନା ଆସି ମୁଣ୍ଡ ଟେକିଲା। ନିଜକୁ ମନେ ମନେ ଦୋଷୀ କରୁଥାଏ। ସେଦିନ ସାମନ୍ୟ ମିଛ କଥାଟିଏ ତୁଳସୀର ବିଶ୍ବାସବୋଧକୁ ଭାଙ୍ଗି ଦେଇନଥାଇ ପାରେ । ସତ କଥା ହେଲା ମୁଁ ତୁଳସୀକୁ ଭଲ ପାଏ। ସେ ମୋ ଆତ୍ମା। ମୋ ନିଶ୍ଵାସ ଓ ପ୍ରଶ୍ୱାସରେ ତୁଳସୀ । ତାକୁ ଛାଡ଼ି ମୁଁ ମୁହୂର୍ତ୍ତଟିଏ ବଞ୍ଚି ପାରିବି ନାହିଁ। କାରଣ ପିଲାଟି ଦିନରୁ ମୋର ବିଶେଷ ମୁହୂର୍ତ୍ତ ଗୁଡ଼ିକ କେବଳ ତାହାରି ସହିତ ବିତିଛି। ସେ ହିଁ ମୋର ସ୍ମୃତି ଓ ବିସ୍ମୃତି। ତା ବିନା ମୋ ସ୍ଥିତି ଅପରିକାଳ୍ପନୀୟ। ହେଲେ ଏ କଥା ମୁଁ ତାକୁ କେମିତି କହିଥାନ୍ତି ଯେ? ସେ ପରା ମୋର ପ୍ରେମ ଓ ଭଲ ପାଇବା। ମୋ ପ୍ରେମ ଯଦି ମୋତେ ମନା କରି ଦେଇଥାନ୍ତା, ମୁଁ କ’ଣ ତୁଳସୀକୁ ଆଉ ମୁହଁ ଦେଖାଇ ପାରିଥା’ନ୍ତି? ତେବେ ତୁଳସୀ କ’ଣ ମୋତେ ଭଲ ପାଉନଥିଲା। କାହିଁ ସେ ଦିନେ ମୋତେ ମୁହଁ ଖୋଲି ତ କହି ନାହିଁ। ତଥାପି ସେ କ’ଣ ମୋ ହୃଦୟକୁ ପଢି ପାରି ନଥିବ ନା କ’ଣ ମୁଁ ତା’ର ପସନ୍ଦ ନଥିଲି? ସେଥିପାଇଁ ସେ କ’ଣ ଆଉ କାହାକୁ ବାହା ହୋଇଗଲା। ନା.. ଏ କଥାଟା ଆଦୌ ବିଶ୍ବାସ କରି ହେଉ ନାହିଁ। ତୁଳସୀ ନିଶ୍ଚୟ ମୋତେ ଭଲ ପାଏ, କେବଳ ମୋତେ। ତେବେ ଆଉ କ’ ଣ ଅଛି ଯେ, ବାହାଘରଟା ପରା ମୁଣ୍ଡ ଉପରେ। ଏଥର ଝାଡ଼ିଝୁଡ଼ି ହୋଇ ସେ ବିଛଣାରୁ ଉଠିଲା। ତୁଳସୀ ପାଖ ସିନା ମାଡ଼ିଲା ନାହିଁ, କିନ୍ତୁ ବାହାଘରର ସବୁ ଦାୟିତ୍ଵ ବୁଝିଲା। କାରଣ ଆଜି ଯାଏଁ ସେ ତୁଳସୀର ଖୁସି ପାଇଁ ସବୁ ତ କରିଛି, ଆଉ ଏତେବେଳେ ସେ ସାଥ ନଦେଲେ କିଏ ଦେବ? କିନ୍ତୁ ସେ ତୁଳସୀ ସାମ୍ନାକୁ ଯାଇ ପାରିବ ନାହିଁ, କାରଣ ସେ ସହି ପାରିବ ନାହିଁ , ତାକୁ କାନ୍ଦ ମାଡ଼ିବ। ହେଲେ ବାହାଘରର ‘ଏ ‘ଠୁଁ ‘ଜେଡ୍’ସବୁ କାମ ବୁଝିଲା। ଯେପରି କେଉଁଠି ତ୍ରୁଟି ରହି ନଯାଏ। ଉଦ୍ଦେଶ୍ୟ ତୁଳସୀର ଖୁସି ପାଇଁ ସେ ସବୁ କରିବ। ବିଦାୟ ବେଳା ଆସିଲାଠୁଁ ତୁଳସୀ ମୁହଁ ଫଟାଇ କାନ୍ଦିଲା। କହିଲା – “ବିନୋଦ କାହିଁ? ମୁଁ ତାକୁ ନଦେଖିଲେ ଏଠୁ ଇଞ୍ଚେ ଘୁଞ୍ଚିବି ନାହିଁ। ବିନୋଦ ତୁଳସୀର କାନ୍ଦୁରା ମୁହଁକୁ ଦେଖି ପାରିବ ନାହିଁ ବୋଲି ଆସୁ ନଥିଲା। ହେଲେ ସମସ୍ତେ ହୁଡ଼ି ପକେଇବାକୁ ସେ ଆସିଲା। ଦୁଇ ସାଙ୍ଗ ପରସ୍ପରକୁ ଧରି ବହୁ ସମୟ କାନ୍ଦିଲେ। ଯେମିତି କିଛି ସମୟ ପାଇଁ ସେମାନେ କଅଁଳା ଛୁଆ ପାଲଟି ଯାଇଛନ୍ତି। ଶେଷରେ ସମସ୍ତେ ବୋଧଶୋଧ ଦେଇ ବିଦା କଲେ। ପରି ସମାପ୍ତି ଘଟିଲା ଗୋଟେ ଯୁଗର। ବାପ ଘରେ ଏତିକି ତୁଳସୀ ଜୀବନର ସୁଖ ଶାନ୍ତି। ଏହା ପରେ ଆରମ୍ଭ ହେଲା ଶ୍ୱଶୁର ଘରେ ଜୀବନର ନୂଆ ଇନିଂସ।
ଏପଟେ ବିନୋଦ ତୁଳସୀ ଆଖି ସାମ୍ନାରୁ ଅଦୃଶ୍ୟ ହେବା ଯାଏଁ ସେମିତି ରାସ୍ତାଟା ଉପରେ ଆଁଟା କରି ଚାହିଁ ରହିଥିଲା। କେହି ଜଣେ “ଯାଉନୁ ! ଛିଡ଼ାହୋଇଛୁ କାହିଁକି” କହିଲାଠୁଁ ଫେରି ଆସିଥିଲା ଘରକୁ। ଦିନ ଯାକର କ୍ଳାନ୍ତି ସହ ଶାନ୍ତ ହୋଇ ନଥିଲା ନିଜର ଅଶାନ୍ତ ମନ। ଖାଲି ତୁହାଇ ତୁହାଇ ମନେ ପଡି ଯାଉଥାଏ ତୁଳସୀ ସହିତ ଅତିବାହିତ କରିଥିବା ଜୀବନ ତମାମର ଇତିହାସ। ସବୁ ଗୋଟି ଗୋଟି ହୋଇ ଦୃଶ୍ୟମାନ ହୋଇ ଯାଉଥାଏ। ତେବେ କାହିଁକି? ତୁଳସୀ କ’ଣ ଆଉ ବାହା ହୋଇ ନଥା’ନ୍ତା, ସେ ଖାଲି ସେଇ ଟିକି ପିଲା ହୋଇ କ’ ଣ ଥା’ନ୍ତା ଆଉ ତା ସହ ଖେଳିଥାନ୍ତା। ନା ଆଦୌ ନୂହେଁ। ତା’ର ବି ମନ ଅଛି। ରୂପ ଯୌବନ ଅଛି। ବୟସ ହୋଇଗଲେ ସମସ୍ତେ ଚାହାଁନ୍ତି ଜୀବନ ସାଥିଟିଏ। ତେଣୁ ତୁଳସୀ ତ କିଛି ଭୁଲ କରି ନାହିଁ। ତେବେ ତୁଳସୀ କ’ଣ ତାଙ୍କୁ ଝୁରୁ ନଥିବ। ତାଙ୍କ ମନ ତ ସ୍ଥିର ହେଉ ନାହିଁ, ତୁଳସୀକୁ ଝୁରୁଛି? ସେମାନେ ପରା ଗୋଟିଏ ମନ, ଗୋଟିଏ ପ୍ରାଣ ଓ ଗୋଟିଏ ଆତ୍ମା। ପରସ୍ପରକୁ ଭୁଲିବେ କେମିତି? ରାତି ପାହି ଆସୁଥିଲା ମା’ ଡାକିଲେ ଉଠ୍! ଧଡ ପଡ ହୋଇ ଉଠି ପଡିଲା। ସେହିଦିନୁ ଆଉ ତା ମନରେ ସରାଗ ନଥାଏ କି କୌଣସିଥିରେ ଆଗ୍ରହ। ସବୁବେଳେ ଗୁମ୍ ସୁମ୍।
ମଝିରେ ପଡିଲା ବିରାଟ ବିରତି। କିଛି ଦିନର ବ୍ୟବଧାନ ପରେ।ତୁଳସୀର ଶରୀର ସିନା ଶ୍ୱଶୁର ଘରେ ହେଲେ ତା’ର ଆତ୍ମା ଥାଏ ବିନୋଦ ପାଖରେ। କେହି ଜଣେ ଘର ଲୋକ ଗଲେ ସେ ଆଗ ବିନୋଦ କଥା ପଚାରି ବୁଝେ । ତା’ର ଭଲ ମନ୍ଦର ବେଉରା ନିଏ । ସେମାନଙ୍କ ହାତରେ ଖବର ନହେଲେ ଚିଠିଟିଏ ଦିଏ – “ବିନୋଦ! ତୁ ପରା ମୋ ସଖା? ଯେମିତି ଦ୍ରୌପଦୀଙ୍କର ସଖା ଭଗବାନ କୃଷ୍ଣ। ତେଣୁ ଭଲ ମଣିଷ ହେବୁ। ଜୀବନରେ କିଛି ବି ଭୁଲ କରିବୁ ନାହିଁ। ଭଲ ଝିଅଟିଏ ଦେଖି ବାହା ହୋଇଯିବୁ। ଜୀବନରେ ଏମିତି କିଛି କରିବୁ ନାହିଁ ଯେ, ମୁଁ ଯେମିତି ତୋ ଦୁଃଖ ସହି ନ ପାରି ମରି ନଯାଏ”।ତା ‘ଠାରୁ ଖବର ପାଇ ବିନୋଦ ଉଦ୍ବିଗ୍ନ ହୋଇ ଉଠେ ।ମନ ଭିତରେ ନିଜକୁ ନିଜେ ଉତ୍ତର ବାଢେ -” ନା ଲୋ ତୁଳସୀ! ମୁଁ ତୋର ସବୁ କଥା ଅକ୍ଷରେ ଅକ୍ଷରେ ପାଳିବି ପଛେ ହେଲେ ତୋତେ କେବେ ଦୁଃଖୀ ଦେଖି ପାରିବି ନାହିଁ”।ଏ କଥାଟା ଯେମିତି ବିଦ୍ୟୁତ୍ ବେଗରେ ପବନ ସହିତ ଖେଳି ଯାଇ ଗୁଞ୍ଜରିତ ହୋଇ ଯାଏ – ତୁଳସୀ କାନରେ। ତୁଳସୀ କହେ – “ମୁଁ ଜାଣିଛି ବିନୋଦ! ତୁମେ ମୋ କଥା କାଟି ପାରିବ ନାହିଁ “।ଏହି ଭଳି ଦୁଇ ଜଣଙ୍କର କେମିସ୍ଟ୍ରି ବଡ଼ ଅଦ୍ଭୁତ। ତାଙ୍କ ଭିତରେ telepathy କାମ କରେ ବୋଧେ, ଜଣଙ୍କ କଥା ଆଉ ଜଣେ ଅତି ସହଜରେ ବୁଝି ନିଏ। ତୁଳସୀଟା ତ ଭାରି ଭଲ ଝିଅ। ସେ କେଇଟା ଦିନରେ ଶ୍ୱଶୁର ଘର ଲୋକଙ୍କୁ ସମସ୍ତଙ୍କୁ ନିଜର କରି ନେଲା।ଆଉ ତାଙ୍କ ସ୍ଵାମୀ ଅର୍ଜୁନ ମଧ୍ଯ ଜଣେ ଭଲ ମଣିଷ ଯିଏକି ଅନ୍ୟର ଭାବାବେଗକୁ ଅକ୍ଳେଶରେ ବୁଝି ପାରନ୍ତି। ଭାରି ବାସ୍ତବବାଦୀ ଚିନ୍ତାଧାରାର ମଣିଷଟେ। ସେ ତ ତୁଳସୀକୁ ବାଧ୍ୟ କରିଥାନ୍ତି ବିନୋଦ ପାଖକୁ ଚିଠି ଲେଖିବା ପାଇଁ ବା ଯୋଗାଯୋଗ ରକ୍ଷା କରିବା ପାଇଁ । କାରଣ ସେ ଜଣେ ଭଲ ଆତ୍ମା ଓ ପ୍ରଥମ ଦେଖାରେ ବୁଝି ଯାଇଥିଲେ ବିନୋଦଙ୍କର ମଣିଷ ପଣିଆକୁ ଓ ତା’ର ତୁଳସୀ ପ୍ରତି ଥିବା ଅହେତୁକ ସ୍ନେହ ମମତାକୁ। ତୁଳସୀ ବି ଚତୁର୍ଥୀ ରାତିରେ ସବୁ କଥା ସ୍ୱାମୀଙ୍କୁ ସଫା ସଫା କହି ଦେଇଥିଲା। କହିଲା – “ଦେଖ ସରଳ ତରଳ ଛୋଟ ଝିଅର ମନ ନେଇ ମୁଁ ଏବେ ବି କୁଆଁରୀ ଓ ମୋ ମନ ନିର୍ମଳ। ହେଲେ ମୋର ଗୋଟିଏ ଦୁର୍ବଳତା, ସେ ହେଉଛି ବିନୋଦ। ଏହା ଭଲ ପାଇବା କି ବନ୍ଧୁତା କି ପ୍ରେମ ମୁଁ କିଛି ବୁଝେ ନାହିଁ। ମୁଁ ଖାଲି ଏତିକି ବୁଝିଛି ସେ ମୋ ପିଲା ଦିନର ସାଥୀରୁ ଏଯାଏଁ ଉତ୍ତମ ବନ୍ଧୁ। ଆମେମାନେ ସାଙ୍ଗ ହୋଇ ମିଶିଛୁ, ବସିଛୁ ହସିଛୁ କିନ୍ତୁ ନିର୍ମଳ ହୃଦୟ ନେଇ, ଅନାବିଳ ପ୍ରେମ ଦେଇ, ବିକାରହୀନ ମଣିଷ ହୋଇ ।ତେବେ ବି ଯଦି ତୁମେ ଅବିଶ୍ବାସ କରିବ ମୁଁ ନିରୁପାୟ ଓ ଆତ୍ମ ହତ୍ୟା କରିବାକୁ ମୁଁ ବାଧ୍ୟ। ତେଣୁ ନା ମୁଁ ମୋ ପ୍ରେମକୁ ଠକି ପାରିବି ନା ବିବାହକୁ। ମୁଁ ମୋ ବନ୍ଧୁକୁ ଠକି ପାରିବି ନାହିଁ କି ମୋ ଇହକାଳ ଓ ପରକାଳର ଦେବତା ସ୍ୱାମୀଙ୍କୁ। ତେଣୁ ମୁଁ ଚାହେଁ ସମ୍ପର୍କଟା ବିଶ୍ବାସବୋଧ ଉପରେ ଗଢି ଉଠୁ। ସେଠି କେହି କାହାକୁ ଠକିବା ଠିକ୍ ନୂହେଁ। ବରଂ ଖୋଲା ହୃଦୟରେ ଜୀବନର ବାସ୍ତବତାକୁ ବୁଝି ଆଗକୁ ବଢିବା ହିଁ ବାସ୍ତବତା। ସେଦିନ ମନସ୍ତତ୍ତ୍ଵର ଅଧ୍ୟାପକ ଅର୍ଜୁନ ବାବୁ କହିଥିଲେ – “ମୁଁ ସବୁ କଥା ବୁଝି ପାରୁଛି ଆଉ ତୁମ ମନର ଅବସ୍ଥାକୁ ମଧ୍ୟ। ବିନୋଦ ଆଉ ତୁମେ, ତୁମେ ଦୁଇଟା ଯାକ ଭାରି ସରଳ ଆଉ ତୁମ ଦୁଇଜଣଙ୍କର ପିଲାଳିଆମୀ ଏଯାଏଁ ଯାଇନାହିଁ। ଯାହା ହେଉ ମୁଁ ଦୁଇଟି ଭଲ ଆତ୍ମା ସହିତ ସଂଶ୍ଳିଷ୍ଟ ହୋଇଛି। ତୁମର ପରା ଭାଇ ନାହିଁ, ତେଣୁ ବିନୋଦ ଆଜିଠାରୁ ମୋର ଶାଳକ। ମୁଁ ମଧ୍ୟ ତା’ର ଦାୟିତ୍ଵ ନେବି। ତା’ଛଡା ପ୍ରେମ ଆଉ ଭଲ ପାଇବା ଦୁଇଟିଯାକ ଏକା ଭଳି ପ୍ରତୀୟମାନ ହେଲେ ହେଁ ଦୁଇଟିଯାକ ଏକା କଥା ନୂହେଁ। ପ୍ରେମର ସାର୍ଥକତା ହୁଏ ବିବାହରେ, ଯେଉଁଠି ଶରୀର ସହିତ ଶରୀରର ମିଳନ ହୁଏ। ସେଠି ଆତ୍ମାର ମିଳନ ହୋଇ ପାରେ ବା ନହୋଇ ପାରେ, କିନ୍ତୁ ଯୌନ ଅକାଂକ୍ଷା ଓ ଲାଳସା ଏବଂ ଅଦମ୍ୟ କାମନା ବାସନା ରହିଥାଏ। ଆହୁରି ମଧ୍ଯ ଏହା କେବଳ ଦୁଇ ବିପରୀତ ଲିଙ୍ଗ ମଧ୍ୟରେ ପ୍ରାୟତଃ ସଂଘଟିତ ହୋଇଥାଏ। ମାତ୍ର୍ ଭଲ ପାଇବା ଏକ ଭିନ୍ନ ବସ୍ତୁ, ଯେଉଁଠି ଦିବ୍ୟାନନ୍ଦାନୁଭୂତି ଥାଏ। ସେମାନେ ହୋଇପାରନ୍ତି ସ୍ତ୍ରୀ ଅବା ପୁରୁଷ ବା ଉଭୟ ସମଲିଙ୍ଗୀ। ମାତ୍ର୍ ଏ ଭଲ ପାଇବା ପାଇଁ କୌଣସି ବିଶେଷ ପ୍ରଯତ୍ନ କରିବାକୁ ପଡ଼ି ନଥାଏ। କାରଣ ଏହି ଭଲ ପାଇବା ହେଉ ହେଉ ହୋଇଯାଏ। ଯେମିତ ମା’ ତା’ ପୁଅକୁ ବା ବନ୍ଧୁ ତା ବନ୍ଧୁକୁ ଭଲ ପାଏ, ସେହି ପରି ଏହି ଭଲ ପାଇବା ସ୍ୱତଃ ଏକ ପରିସ୍ଥିତିରୁ ଜାତ। ଯେଉଁଠି ସମର୍ପଣ ଭାବ ଥାଏ, ଉତ୍ସର୍ଗୀକୃତ ମନୋଭାବ ଥାଏ, ଅଦେୟ ବୋଲି କିଛି ନଥାଏ, ହେଲେ ଅନ୍ୟ ଜଣେ ଆର ଜଣଙ୍କ ଠାରୁ କିଛି ବି ଲୁଟି ନିଏ ନାହିଁ। ଏହାହିଁ ବାସ୍ତବ ଭଲ ପାଇବା ଓ ଯଥାର୍ଥରେ ବନ୍ଧୁତା। ମୋର ତ ତୁମ ଦୁଇଜଣଙ୍କର ବନ୍ଧୁତା ଦେଖି ଇର୍ଷା ହେଉଛି। ଇଚ୍ଛା ହେଉଛି ମୋ ଭାଗ୍ୟରେ ବି ଏହି ଭଳି ବନ୍ଧୁ ମିଳିଥାନ୍ତା କି? ତେଣୁ ଆଜିଠାରୁ ବିନୋଦ କେବଳ ତୁମର ନୂହେଁ ମୋର ବି ସଖା ଓ ସହୋଦର।ସେଦିନ ତୁଳସୀ ଏତେ ଖୁସି ହୋଇଯାଇଥିଲା ଯେ ତା’ର ଖୁସିର ସୀମା ରହିଲା ନାହିଁ। କୃତଜ୍ଞତାରେ ତା’ ଚକ୍ଷୁ ଯୁଗଳ ଲୋତକାପ୍ଲୁତ ହୋଇଯାଉଥିଲା। ଅର୍ଜୁନ ପାଖକୁ ଭିଡ଼ି ନେଇ ସ୍ନେହ ଆଶ୍ଳେଷରେ ବାନ୍ଧି ଦେଇଥିଲେ।
13.ମାଟି ହେବ ଲୋ! ମାଟି
ଦୁଇ ଯାଆ
—by ସତ୍ୟ ପ୍ରକାଶ ସେଠୀ
ଘର ଶେରଗଡ଼। ସହର ନୂହେଁ କି ମଫସଲ, ଏକ ଛୋଟ ବଜାର ପାଖ ଘର । ପକ୍କା ଘର ନୂହେଁ କି କୋଠା ଘର, ଛଣ ଛପର ଘର। ଘରର ଆଭିଜାତ୍ୟ ବୋଇଲେ କେଇଟା ସିମେଣ୍ଟ ଖୁଣ୍ଟ ଓ ବାଡ଼ି ପଟେ ଥିବା ଦି ଚାରିଟା ନଡ଼ିଆ ଗଛ ଆଉ କେତେଟା ସଜନା, ଅମୃତଭଣ୍ଡା ଓ କଦଳୀ ଗଛ। ଶାଗ ମାରିସ ଫସଲ କେରାଏ ହୁଏ। କହନ୍ତି ନାହିଁ ନା, “ବଜାରିଆଙ୍କର ଫୁଟାଣି ଭାରି, ଘରେ ନଥାଉ ପଛେ ତେଲ ଲୁଣ ଦୁଇ ଭାଡି “, ଠିକ୍ ସେୟା ଆଜ୍ଞା! ମାଇପଙ୍କର ଦିମାକ ଭାରି ।ଦୁଇଜଣ ଯାକ ପାଠ ସାଠ ଦି ଅକ୍ଷର ପଢିଛନ୍ତି। ତେଣୁ ପୁରା ମୂର୍ଖ ନୂହେଁ ଅର୍ଦ୍ଧ ପାଠୁଆ, କିନ୍ତୁ ଯାହା କହନ୍ତି ଗଣ୍ଡ ମୂର୍ଖ। ଖାଲି କ’ଣ ପାଠ ପଢି ଦେଲେ ହେଲା, ପୁଣି ବୁଦ୍ଧି ଅକଲ ଟିକିଏ ରହିବା କଥା କି ନୂହେଁ? ସେତକ ବି ଏମାନଙ୍କର ନାହିଁ। କି ହୋ! ଶାଶୁ ଶ୍ୱଶୁର ତ ଦିଟା କେବେଠୁଁ ମଲେଣି, ଘରକୁ ବୋଲି ତୁମେ ଦୁଇଟା ଯାଆ’ ଆଉ ସେ ଦୁଇ ଭାଇ। ଛୁଆ ଗୋଟେ ଗୋଟେ ଜନମ କରିଥିଲ ଯେ ସେ ଦୁଇ ଜଣ ବଡ଼ ସହରରେ ରହି ପାଠ ପଢୁଛନ୍ତି। ସେଇଥିରେ ୟା ଛୁଆ କିଏ ତା ଛୁଆ କିଏ? ଛୁଆ ଦୁଇଜଣଙ୍କର ତ ଭଲ ମିଳାମିଶା। କେହି କାହାକୁ ଛାଡ଼ି ଦଣ୍ଡେ ରହି ପାରନ୍ତି ନାହିଁ। ଘରୁ ଯାହା ଯାଏ ମିଳିମିଶି ଖାଆନ୍ତି, ସାଙ୍ଗ ହୋଇ ହଷ୍ଟେଲରେ ଚଳି ଯାଆନ୍ତି। ହେଲେ ତୁମେ ଦିଟା ମାଇକିନାର ଏତେ ଅହନ୍ତା କ’ଣ ପାଇଁ? ଇଏ ତା ଛୁଆକୁ ଦେଖି ପାରିବ ନାହିଁ, ସେ ୟା ଛୁଆକୁ ଦେଖି ପାରିବ ନାହିଁ। ଇଲୋ! ଧନ ସମ୍ପତ୍ତି କ’ଣ ତୁମକୁ ମୁଣ୍ଡେଇବ, ନା ମଲା ବେଳେ ସାଙ୍ଗରେ ନେଇକି ସ୍ଵର୍ଗପୁରୀକୁ ଯିବ? ଗଣ୍ଡେ ଶାନ୍ତିରେ ଖାଇ ଖଣ୍ଡେ ଠିକ୍ସେ ପିନ୍ଧି ପାରିଲେ ଜୀବନ ଭଲସେ ଅତିବାହିତ ହେଲା।ତା ବୋଲି ଏତେ ଲୋଭ କାହିଁକି? ସବୁବେଳେ ମୋର ତୋର। ଏଗୁଡାକ କ’ଣ ସବୁ ଭଲ କଥା କି? ପୁଣି ଶାନ୍ତି ବୋଲି ଗୋଟେ ଜିନିଷ ଅଛିନା, ସେଇ ଶାନ୍ତି ଟିକକ ଯଦି ନମିଳିଲା, ଏ ଜୀବନ ଥାଇ କି କେତେ ନ ଥାଇ କି କେତେ। ମାଇପେ ଜାତିଟା ପରା କିଛି ବୁଝିବେ ନାହିଁ। ସବୁବେଳେ ହିଂସା ବାଦ। ଏଗୁଡାଙ୍କର ବଡ଼ ପ୍ରକୃତି ଖରାପ ଆଉ କରିବ କ’ଣ। ଯେମିତି ସବୁ ଉଠେଇକି ନେଇ ସ୍ଵର୍ଗକୁ ପଳେଇବେ। ଖାଲି ରଣପା ଅସୁରାଣୀ ଭଳିଆ ହେଉଛନ୍ତି, ତାଙ୍କୁ କରିବ କ’ଣ? ଯାହା ପାଇଲେ ଲୁଚେଇ କି ନେଇ ନିଜ ଶୋଇଲା ଘରେ ପୁରେଇଲେ। କି ହୋ ଘର ବୋଲି ତ ବକଟେ, ସେଥିରେ ପୁଣି ସବୁ ଜିନିଷ ଖୁନ୍ଦି ଖାନ୍ଦି କି ପୂରାଉଛ, ପୁଣି ଜାଗା ହେଲେ ତ? ଘର ଭିତରୁ କେହି କ’ଣ ବାହାର ଲୋକ ଚୋରେଇ ନେଉଛି। ନା.. ଚୋର ଧନ ପରା ଚୋର ଗଣ୍ଠିଲିର। ତେଣୁ ସବୁ ଜିନିଷକୁ ଆବୁଡା ପଡି ମୋର ବୋଲି କରି ରଖିବେ। ନହେଲେ ଭିନେ ହେଲେ କାଳେ ତା ଭାଗ ଅଧିକ ପଡିଯିବ। ଉଁ.. ହୁଁ.. ଘରେ ଯଦି ସୁନା ଶିଳିପତା ଥାନ୍ତା ଆହୁରି କେତେ ଲୋଭ କରୁଥାନ୍ତେ ନା ।ମୁଁ ତୁମ ରଙ୍ଗ କେତେ ଦେଖିଛି ଲୋ! ବାପ ଘରେ ଘୋଡେଇ ହେବାକୁ ଅଖା ଦି’ପଟ ନାହିଁ, ଝିଅ କିନ୍ତୁ ଛଟକ ହେଉଛି କେତେ? ପୁଣି ସେହି ଘରେ ତ ପୁଅ ପିଲା ଦିଟା ଅଛନ୍ତି, ସେମାନେ କେବେ ଝଗଡ଼ା ଲାଗନ୍ତି, ନା କାହାକୁ କିଛି କୁହନ୍ତି? ସେମାନଙ୍କୁ ଶାଗ ଦିଅ ପେଜ ଦିଅ କ’ଣ ଦିଟା ଖାଇ ଦେଇ ଦୁଇ ଭାଇଯାକ ଯାଇ ଦୋକାନରେ। ସେଠି କ’ଣ ତାଙ୍କର ବିକ୍ରି ବଟା କଲେ ହିସାବ କିତାବ କରି ଦୁଇ ଭାଇ ସାଙ୍ଗରେ ଘରକୁ ଫେରିଲେ, ପୁଣି ରାତି ପାହିଲେ ଦୋକାନକୁ ଚାଲିଲେ। ଖାଲି ଖାଇଲା ବେଳେ ଯାହା ଦୁଇ ଭାଇ ଦୁଇ ଓଳା ଘରକୁ ଟିକିଏ ଆସନ୍ତି। ହେଲେ ତୁମ ଦୁଇ ଯାଆଙ୍କ କଥାରେ କେତେବେଳେ ମୁଣ୍ଡ ଖେଳାନ୍ତି ନାହିଁ। ହେଲେ ତୁମେ ଦିଟା କ’ଣ ମଣିଷକୁ ରଖେଇ ବସେଇ ଦେଉଛ ନା? ନିଇତି ଘରକୁ ଫେରିଲେ ତାଙ୍କ କାନରେ ମିଛ ସତ କହି ଏଣୁତେଣୁ ଫୋଡିଲ। ତୁମର ଜାଣି ରଖିବା ଉଚିତ୍, ମରଦ ପୁଅ ଦି’ ଟା ଥକା ହୋଇ ଦୋକାନରୁ ଘରକୁ ଫେରିଛନ୍ତି। ଟିକିଏ ଶାନ୍ତିରେ ବିଶ୍ରାମ ନେଲେ ପୁଣି ସକାଳୁ ସେଇ ଖଟଣି।
ଇଲୋ ମାଇପ ହୋଇଛ ବୋଲି, ତା ବୋଲି ତୁମେ ଯାହା କହିବ ସେ କ’ଣ ସେୟା କରିବେ? ସେ ପୁଣି ପୁରୁଷ ପୁଅ, ତାଙ୍କର ସ୍ୱାଭିମାନ ବୋଲି କ’ଣ କିଛି ନାହିଁ? ତୁମର ସେଇ ଅବାଣିଆ କଥା ଗୁଡ଼ାକରେ ସେ ସହମତି ବା ସମ୍ମତି ନ ଦେବାରୁ ମୁହଁ ହାଣ୍ଡି କରିକି ବସିଛ। କ’ଣ ନା ଏକାଠି ରହି ପାରିବ ନାହିଁ, ଭିନେ ନହେଲେ ଆଉ ଚଳି ପାରିବ ନାହିଁ, କଥା ନଶୁଣିଲେ ବାପ ଘରକୁ ଚାଲିଯିବୁ ଇତ୍ୟାଦି ଇତ୍ୟାଦି – ଦୈନିକ। ଦିନେ ଭଲା ବିରାମ ଦିଅନ୍ତ? କି ବାପ ଘରକୁ ଯଦି ଯିବା କଥା ଚାଲି ଯାଉନ, ଫଟରେଇ ହେଇଛ କାହିଁକି ନିତି? ବୋପା ଘରେ ତ ସୁନା ଶିରିପା ଛିଡୁଛି। ଅଲାଜୁକୀ, ଝିଟି କୋଉଠିକାର। ଯାଅ ବାପ ଘରକୁ, ସେଠି ତ ଭାଉଜ ଅଛି ସାଠଣା ମାଠଣା କରିକି ଦେବ, ପେଟ ପୂରା ଦୁଇ ଓଳା ଖାଇବାକୁ ଦେବ, ଖାଲି ବସିକି ଗୋଡ ଉପରେ ହାତ ପକାଇ ଗେଫା ମାରିବ। ଦିନ ଗୋଟେ ଦିଟା ଗଲେ ଛାଞ୍ଚୁଣୀରେ ପାହାରେ ଦି ପାହାରେ ଦେବ ଯେ ଏକା ବେଲକେ ବାପକୁ ମୋଉସା କହି ଧାଇଁବ। ଆରେ ଯାହା ହେଲେ ବି ନିଜେ ନିଜ ଘରେ ବନସ୍ତରେ ହସ୍ତୀ, ପର ଓଳି ତଳେ ମୁଣ୍ଡ ଗୁଞ୍ଜିବା ଅପେକ୍ଷା ନିଜ ଘରେ କାହିଁକି ସଣ୍ଢା ଟେକି ବାଟ ନଚାଲିବା? ମାନୁଛି ସେହି ଘର ଦିନେ ତୁମର ନିଜର ଥିଲା। ହେଲେ ଏବେ ସେଠି ଭାଇଜର ରାଜ ଚାଲିଛି। ଆଉ ନିଜ ବାପ ଭାଇ କିଛି ବି କହି ପାରିବେ ନାହିଁ। କହିଲେ ବୁଢ଼ା ବୁଢୀ ଦିଟା ବାର୍ଦ୍ଧକ୍ଯ ବେଳେ ଯାଇ ଖାଇବାକୁ ପାଉଛନ୍ତି ସେତକ ବି ପାଇବେ ନାହିଁ। ତେଣୁ ଶ୍ୱଶୁର ଘର ତ ଭାଙ୍ଗିଲ ଭାଙ୍ଗିଲ ପୁଣି ବାପ ଘର ଯାଇଁ କାହିଁକି ଅଯଥାରେ ତାଙ୍କ ଶାନ୍ତ ପରିବେଶରେ ଅଶାନ୍ତି ବୁଣିବ। ବରଂ ଯାହା ହୋଇଛି ହୋଇଛି, ନିଜ ନିଜ ଭିତରେ ଦୁଇ ଯାଆ ଆପୋଷ ମିଳାମିଶା ସୂତ୍ରରେ ବୁଝାବଣା କରି ନେଇ ଶାନ୍ତିରେ ରୁହ। ନହେଲେ ନିଜେ ତ ଅଶାନ୍ତି କିଣିବ ତା ସହିତ ସେଇ ଶାନ୍ତ ସୁଧାର ପୁରୁଷ ପିଲା ଦୁଇଟାକୁ ବି ଅଶାନ୍ତିରେ ପକେଇବ। ଅଯଥା ତୁମ ଦି’ଟା ମାଇକିନା କଥାରେ ବହରି ଯାଇ, ପାଟି ତୁଣ୍ଡ ଲାଗି, ହଣାକଟା ହେବେ। ସେଇଥିରେ ପୁଣି କିଏ ମରିବ କି ବଞ୍ଚିବ ସେ କଥା କିଏ କହିବ ଲୋ ମାଆ! ପୁଣି ମାମାଲା ଯଦି ଘର ପାଖରେ ନ ଛିଡିଲା, ତେବେ ପ୍ରଥମେ ଥାନା ତା’ପରେ କୋର୍ଟ କଚେରୀ। ଆଗ ତ ଗାଁ ଟାଉଟର ଓ କଜଳ ପାତିଆ ଭଦ୍ରଲୋକ କଥାଟାକୁ ମିମାଂସା କରିଦେବା ଆଳରେ ଥୋଡେ ଖଣ୍ଡ ଖାଇଯିବେ। କିନ୍ତୁ ଭାଗ ଯଦି ଭଲ ରକମର ନପଡିଲା ବା ପାଉଣାରୁ ଟିକିଏ କମ୍ ହୋଇଗଲା ତାହେଲେ ଏମିତି ଘଣା ବୁଲେଇବେ ଲୋ ମା’! ଖାଲି ତ ଘିରି ଘିରି ହୋଇ ବୁଲୁଥିବୁ, ନ ହେଲେ ଚକ୍କି ପେଷୁଥା’… ।ଘଟଣାଟିକୁ ନେଇ ଦାରୋଗା ବାବୁ ପାଖରେ ପହଞ୍ଚେଇ ଦେଇ ସେଠୁ ଦି ପଇସା ବକ୍ସିସ ନେଇ ପଳେଇବେ। ସେଠି ତୁମେ ତୁମର ରାତି ସାରା ଥାନା ପିଣ୍ଡାରେ ମଶା ମାରୁଥା, ମଜ୍ଜା ଚାଖୁଥା। ବେଶୀ ପାଟି କଲେ ଦାରୋଗା ବାବୁଙ୍କର କଡା କଥା ଓ ନାଲି ଆଖିରେ ମନ ଘର ଧରିଯିବ। ସେଠି ଯଦି ମୋଟା ଅଙ୍କର ପଇସା ଅଛି ତାହେଲେ ଉଦ୍ଧୁରି କି ଥାନା ବାରଣ୍ଡା ମୁହଁରୁ ଆସିବୁ। ନହେଲେ ସିଧା ଜେଲ ହାଜତରେ ରହିବୁ। ଏକାବେଳକେ କୋର୍ଟ ଚାଲାଣ କରିଦେବେ ଯେ ଯାଇ ଅନ୍ଧାରି ସେଲ୍ ଭିତରେ ଚଷୁ କୁଟୁଥିବୁ। ଅନାନି! ଖାଇବାକୁ ଦେବେ ସୁଦ ଡାଲି ପାଣି ଆଉ ପୋଡ଼ା ଅଙ୍ଗାର ଭାତ।
ଇଚ୍ଛା ହେଉଥିବ ଖାଲି ଥୁ ଥୁ ଫିଙ୍ଗି ଦେବାକୁ। ହେଲେ କ’ଣ ଫିଙ୍ଗି ପାରିବୁ କି? କାରଣ ସେପଟେ ଭାରି ଭୋକ ହେଉଥିବ। ତେଣୁ ନ’ଅଙ୍କ କାଙ୍ଗାଳ ଭଳିଆ ଯାହା ପାଇବୁ ଗିରାସେ ଖାଇଯିବୁ। କାହିଁକି ନା ଉପାୟ ନଥିବ, ଭୋକରେ ପେଟ ଆଉଟି ପଉଟି ହେଉଥିବ। ଖାଲି କ’ଣ ସେତିକି, ଘରେ ଯେମିତି ଦୁଇ ଯାଆଯାକ ସବୁବେଳେ ରାଉରାଉ ହେଇଛ, ସେଠି ଆଦୌ ବଡ଼ ପାଟି କରି ପାରିବ ନାହିଁ, ନହେଲେ ରୋଲ୍ ବାଡିରେ ଭଲ ରକମର ଦି କୁଟା ଖାଇବ। ଲୁଗା ପଟା ବୋଲି ଦୁଇଟା କମଳ ଲୋ ମା’! ଗୋଟେ ଘୋଡେଇ ହେବୁ ଆଉ ଗୋଟେ ବିଛେଇବୁ। ଯାହା ନେଇଥିବୁ ସେତିକି ପିନ୍ଧିବୁ। ତୋ ବୋଲବୋଲା ସେଠି କାମ କରିବ ନାହିଁ। ତାଙ୍କ ଇଛାରେ ଗାଧୋଇବା ଓ ତାଙ୍କ ଇଛାରେ ଚଳିବା ହେବ । ପୁଣି ଜେଲରୁ ମୁକୁଳିବାକୁ ହେଲେ କଳା କୋର୍ଟ ପିନ୍ଧା ଓକିଲ ବାବୁ ଥିବେ, ତାଙ୍କୁ ବିଡାଏ ଦିବିଡା ପଇସା ଗଣି ଦେବାକୁ ପଡ଼ିବ, ଯାହା କୋଠ ଧନ କରି କୁମ୍ଫିରେ ପୂରେଇଛ। ସେତକ ପୁଣି ନିଅଣ୍ଟ ହେଲା ଯେବେ, ତାହେଲେ ଶେଷକୁ ଘର ଢିଅ ଖଣ୍ଡକ ବନ୍ଧା ପକେଇବୁ। ତୋ ଛୁଆ ଛପର ଖଣ୍ଡକ ହରେଇ ଗାଁ ଦାଣ୍ଡର ଭିକାରୀ ହେବେ। ହାକିମ ହେବେ ନା ହାକିମ – ଆହୁରି କ’ଣ ସ୍ଵପ୍ନ ଦେଖୁଥା’ ।ହେଲେ ବେଳ ଥାଉ ଥାଉ ହୁସିଆର ହୁଅ ଓ ଦୁଇ ଯାଆଯାକ ସାଲିସ୍ କରି ନିଅ। ନହେଲେ ସବୁ ସ୍ଵପ୍ନ ମାଟି ହେବ ଲୋ! ମାଟି।
କ୍ରମଶଃ.. ଦୁଇ ଯାଆ
—–By ସତ୍ୟ ପ୍ରକାଶ ସେଠୀ
ହେଲେ ସେ କାହୁଁ ଶୁଣନ୍ତେ ଯେ। ତାଙ୍କୁ ତ ଦଶା ବାଟ କଢେଇ ନେଉଛି, ସେ କରିବେ କ’ଣ? ସେଦିନ ସାମନ୍ୟ ଘଟଣାକୁ କେନ୍ଦ୍ର କରି ଦୁଇ ଯାଆଙ୍କ ଭିତରେ ସ୍ରୁଷ୍ଟି ହେଲା ତୁମୁଳ କାଣ୍ଡ। ସାନ କହିଲା – “ଦେଇ! ତୁମେ ଟିକିଏ ଭାତଟାକୁ ଦେଖୁଥିବ, ମୁଁ ଶାଗ ଗଣ୍ଡେ କାଟି ଆଣେ। ଆସିଲେ ତେଣେ କେତେ କାମ, ଖାଇ ପିଇ ପୁଣି ସ୍କୁଲ ଯିବାକୁ ହେବ । କାରଣ ବେଳ ହୋଇଗଲାଣି”। ବାସ୍ ଏତିକିରେ ମହାଭାରତ ଯୁଦ୍ଧ ଲାଗିଗଲା। ବଡ଼ ଜୋହରସେ କଳିଗୋଳ, ଭେମା ରଡି, ମୁଣ୍ଡ ଫଟାଫଟି – ସବୁକିଛି, କେମିତି ଅଚାନକ ଘଟିଗଲା। କାହିଁକି ନା ବଡ଼ ଯାଆ କହିଲା -” ଏ ଅନାନି କହୁଛି! ମୋତେ ତୁ ସେମିତି ବରାତି କରି ପାରିବୁ ନାହିଁ। ମୁଁ କ’ଣ ତୋ ବୋଲବାଲାରେ ଅଛି ନା କ’ଣ? ତୁ ସାନଟେ ହୋଇ ମୋତେ କ’ଣ ପାଇଁ ଆଦେଶ ଦେଉଛୁ? ତୋର ତେଣିକି ଖାଇଲେ ଖାଆ, ନ ଖାଇଲେ ସେଇମିତି ସ୍କୁଲ ଯାଆ”। ସାନ ଏଗୁଡାକ ଶୁଣି ରାଗରେ ଗରଗର ହେଲା। ଶୁଣେଇ ଶୁଣେଇ କହିଲା – “ମୁଁ ଏମିତି କେଉଁ ମାରହାଣ କଥା କହିଦେଲି କି? ଅସଲ କଥା କୋଉନୁ? ମୁଁ ନୂଆ ଅଙ୍ଗନବାଡି ଚାକିରୀ ଖଣ୍ଡେ ପାଇଛି ବୋଲି ତୁ ହିଂସାରେ ଜଳୁଛୁ”। ବାସ୍ ଏଥର ଆଉ କିଏ କାହାକୁ ସମ୍ଭାଳେ? ଘୋଷରା ଟଣା ହୋଇ ଖଣ୍ଡିଆ ଖାବଡା ହେଲେ। ଚୁଟି ଟଣାଟଣି ହୋଇ ମୁଣ୍ଡ ବାଳ ଛିଡ଼ାଇଲେ। ପୁଣି ସାନକୁ କାଟିବାରୁ ଉପାୟ ନ ପାଇ ହାତ ମୋଡାରୁ ରକ୍ଷା ପାଇବା ପାଇଁ ଟିକିଏ ତା ବେଢରୁ ଖସି ପାଖରେ ପଡ଼ିଥିବା କାଠ ଫାଳୀଆରେ ଦେଲା ଯେ ଶକ୍ତ ପାହାରେ ଏକା ଥରେକେ ଦୁଇ ଫାଳ। ମୁଣ୍ଡ ଫାଟି ରକ୍ତ ଝିରି ଝିରି ବୋହିଲା। ଲୋକେ ଗଦା ହୋଇଗଲେ। ଦେଖଣାହାରି କିଏ କେତେ ପ୍ରକାର କଥା କହିଲେ। ଖଳ ପ୍ରକୃତିର ଲୋକଙ୍କୁ ତ ମୌକା ମିଳିଗଲା, ନିଜ ମନ୍ଦ ଉଦ୍ଦେଶ୍ୟଟାକୁ ଚରିତାର୍ଥ କରିବା ପାଇଁ। ଘଟଣାଟାକୁ ଉସୁକାଇ ଦେଲେ। ଘଇତାମାନେ ଆସିବାରୁ ଯେଝା ଯେଝା ସ୍ଵାମୀଙ୍କୁ କାନ୍ଦି କାଟି ଯେତେ ଅଭିନୟ କରି କହିବା କଥା କହିଲେ। ଏଥର ଘଟଣାଟା ଯେହେତୁ ମାଡ ଗାଳିରେ ସୀମିତ ନହୋଇ ରକ୍ତ ପାତ ଯାଏଁ ଗଲାଣି, ଆଉ କଥାଟାକୁ କେହି ହାଲୁକା ନେଇ ପାରିଲେ ନାହିଁ। ଘଟଣାଟା ଚୂଡାନ୍ତ ରୂପରେଖ ନେବାକୁ ଲାଗିଲା। କେହି ଜଣେ ମନ୍ଥରା କହିବାରୁ – “ସାନ ଯାଆ ତୋର ନୂଆ କରି ଚାକିରୀ ଖଣ୍ଡେ ପାଇଥିବାରୁ ତା ମନରେ ଏତକ ଗର୍ବ। କେସ୍ ଗୋଟେ ଠୁଙ୍କି ଦେ’, ଆଗ ଚାକିରୀ ଯାଉ ତା ପରେ ଯାଇ ମାଇକିନା ଠିକ୍ ବୁଝି ପାରିବ” । କଥାଟା ମନକୁ ପାଇବାରୁ ଇର୍ଷାରେ ଜଳି ହୁମୁହୁମୁ ହୋଇ ଡାକ୍ତରଖାନାରୁ ସିଧା ଥାନାକୁ ଧାଇଁଲା। ପୁଲିସ ତାକୁ ସେଇଠି ଅଟକ ରଖି, ସାନକୁ ଡାକି ଜେରା କେଲା।ବଡ଼ ପାଖରୁ କିଛି ମାଲ୍ ନ ଝଡ଼ିବାରୁ ସାନକୁ ଶିଖେଇ ଗୋଟେ କାଉଣ୍ଟର କେସ୍ କରିଦେଲା। କହିଲେ -” ତୁମେ ଚାକିରୀ କରିଛ, ଚାକିରୀ ଚାଲିଯିବ ଜେଲ୍ ହୋଇଗଲେ।ବରଂ ଗୋଟେ କାମ କର! ତା’ ନାଁରେ ବି ଗୋଟେ ଏଫ୍. ଆଇ. ଆର୍. ଦେଇ ଦିଅ, ମୁଁ ଚେଷ୍ଟା କରିବି, ଘଟଣାଟିକୁ ଏଇଠି ରଫାଦଫା କରିବାକୁ। ତେଣୁ ମୁଁ ଡାକୁଛି ଲେଖ, ଲେଖିବ-“ସେ ମୋ ତଣ୍ଟି ଆଗ ଚିପି ଧରି ମାରି ଦେବାକୁ ଚାହୁଁ ଥିଲା, ପୁଣି ପନିକି ଉଠାଇ ହାଣି ବସିଥିଲା, ମୁଁ ଧରି ନେବାରୁ ତା’ ପଟାଟା ବାଜି ତା ମୁଣ୍ଡ ଫାଟିଗଲା “। ଉଭୟଙ୍କୁ ଚୌକିଦାର ଓ ହାବିଲଦାର ଜରିଆରେ ବଡ଼ ବାବୁ ମୋଟା ଅଙ୍କରେ କିଛି ମାଗିଲେ। ହେଲେ କେହି ପଇସା ଧରି ଯାଇ ନଥିଲେ କି କାହାଠାରୁ ସନ୍ତୋଷଜନକ ଉତ୍ତର ମଧ୍ଯ ମିଳି ନଥିଲା। ତେଣୁ ଦୁଇ ଯାଆଙ୍କୁ କୋର୍ଟ ପଠେଇଦେଲା। ସିଧା ଯାଇ ବାଲେଶ୍ଵର ଜେଲରେ ରହିଲେ।
ସେଠି ଜେଲର ଅବାହାୱା ଖାଇ ଓ ପାଣିପାଗ ଦେଖି ସବୁ ବୁଝିଗଲେ। ଦୁର୍ଦ୍ଦଶା ମଣିଷକୁ ଏପରି ହଟହଟା କରେ ଯେ, ଖାଲି ଆଖି ମଳିମଳି କାନ୍ଦିବା ଛଡା କାହାକୁ କିଛି କହି ହୁଏ ନାହିଁ।
କ୍ରମଶଃ
——-By ସତ୍ୟ ପ୍ରକାଶ ସେଠୀ
ହାଜତ ଭିତରକୁ ପଶିବା ପାଇଁ ଅନେକ କଟକଣା। ଆଗେ ଲେଖା ପଢ଼ି ହେବ। ଲଙ୍ଗଳା ମୁଙ୍ଗୁଳା କରି ସବୁ ଅଣ୍ଡାଳିବେ, କାଳେ କିଏ କେଉଁଠି କ’ଣ ରଖିଛିକି ନାହିଁ ସବୁ ଦେଖିବେ। ଭାରି ଲାଜ ଲାଗିବ। ମାନ ମହତ୍ ସବୁ ଯିବ। ପୁଣି ପିନ୍ଧିଲା ଲୁଗା ଖଣ୍ଡେ ଦୁଇ ଖଣ୍ଡ ଛାଡ଼ି ସବୁ ଖୋଲିକି ରଖି ଦେବେ। ଏପରିକି ସୁନା ରୂପା ଗହଣା ମଧ୍ୟ ଖୋଲି ଜିମା ଦେବାକୁ ହେବ। ମନ ଯାହା ଛଟପଟ ହେଉଥିବ, ସେ କଥା ଭଗବାନ ଜାଣନ୍ତି। ଗୋଟେ ପରେ ଗୋଟେ ଦି ତିନିଟା ଗେଟ ଫାଟକ ପାର୍ କରି ଭିତରକୁ ନେବେ। ଦାରୋଗା ସବୁ ଜଗି ରହିଥିବେ। ଉଚ୍ଚା ଦେଵାଲକୁ ବଡ଼ ବଡ଼ କୋଠା। ପୁଣି ଚୋର ତସ୍କର ଠାରୁ ଜନାକାରି ଘଟାଇଲାବାଲା ଓ ମର୍ଡର ଆସାମୀ ସବୁ ସେଇଠି। ମନରେ ଭାରି ଡର ଉପୁଜି ଥାଏ। ପୁଣି ଜେଲରେ ନିୟମ କାନୁନ୍ ସବୁ ଅଲଗା। ପ୍ରତି ଦିନ ସନ୍ଧ୍ୟା ପୂର୍ବରୁ ମାନେ ସାଢେ ପାଞ୍ଚଟା ବେଳକୁ ଖାଇବାକୁ ଦିଆଯାଏ। ମାତ୍ର୍ ଆମେ ସେଦିନ ଡେରିରେ ଜେଲକୁ ଆସିଥିବାରୁ ଖାଇବାକୁ ମିଳିଲା ନାହିଁ। ବଡ଼ କଷ୍ଟରେ ଭୋକ ଉପବାସରେ ରହିଲୁ। ଦିନ ତମାମ ତ ମନ ପୋଡ଼ି ଯାଇଥିବାରୁ କିଛି ଖିଆ ପିଆ ନଥିଲା, ଏଠି ଭୋକ ସମ୍ଭାଳି ହେଲା ନାହିଁ। ତା ଭିତରେ ପୁଣି ପୁରୁଣା ଓ ସଜ୍ଜା କାଟୁଥିବା କଏଦୀଙ୍କର ଦବଦବା ଅଧିକ। ତାଙ୍କ କଥା ନମାନିଲେ କି ତାଙ୍କ ସେବା ଯତ୍ନ ନକଲେ ମାରିବେ। କେହି ଭିଜିଟର ଘରୁ ଆସି ଯଦି କିଛି ଖାଈବା ଜିନିଷ ଦେଇଗଲେ, ସେଥିରୁ ଗେଟଠିଁ ଆଗ ଅଧା ଖୋଲି ରଖିଦେବେ। ପୁଣି ପୁରୁଖା କଏଦୀ ମାନଙ୍କୁ ଅଧା ଭାଗ ନଦେଲେ ସଜ୍ଜା ଶୁଣାଇବେ। ବାହାରେ ସଜ୍ଜା ଭିତରେ ବି ସଜ୍ଜା। ଅନ୍ୟ ଆଡ଼େ ଜାଗା ନଥିବାରୁ ଆମ ଦୁଇ ଯାଆଙ୍କୁ ଗୋଟିଏ ରୁମରେ ଏକାଠି ରହିବାକୁ ହେଲା।ଯେହେତୁ ଗୋଟିଏ କେସରେ ଦୁଇ ଜଣ ଆସିଛୁ, ତେଣୁ ମଝିରେ ପୋଲିସ୍ ଦିଦି ଜଗି ରହିଲେ, ଯେମିତି ଆମେ ଝଗଡ଼ା ଝାଣ୍ଟି ନଲାଗୁ। ରାତିଟା କୌଣସି ପ୍ରକାରେ କଟି ଗଲା । ଦିନ ହେଲାଠୁଁ ସକଳ ଘର କରଣା ଓ ଘର କଥା ମନେ ପଡ଼ି ଯାଉଥାଏ। କେମିତି ସେ ଦୁଇଟା ପୁରୁଷ ପୁଅ ଚଳୁଥିବେ। ପୁଣି ଗାଁରେ ଲୋକେ କ’ଣ କୁହାକୁହି ହେଉଥିବେ। ମାନ ଇଜ୍ଜତ୍ ଯାହା ବାପ ଗୋସିବାପ ଚଉଦ ପୁରୁଷ କମେଇ ଥିଲେ- ସବୁଗଲା,ସବୁ ମାଟିରେ ମିଶିଲା। ଆଉ କାହାକୁ ମୁହଁ ଦେଖାଇ ହେବ ନାହିଁ, ଛୁଆ ଦି’ଟା କ’ଣ ଭାବିବେ, କି ଶିକ୍ଷା ପାଇବେ,କ’ଣ ସେମାନଙ୍କ ଉପରେ ପ୍ରଭାବ ପଡ଼ିବ, ନିଷ୍ପାପ ଛୁଆ ଦିଓଟି, ସେମାନଙ୍କ ପଢାପଢିରେ ନିଶ୍ଚିତ ବ୍ୟାଘାତ ହେବ ଇତ୍ୟାଦି ଇତ୍ୟାଦି କେତେ କଳୁଷ ଚିନ୍ତା ମନକୁ ଘାରୁଥାଏ।ସମୟ ତ କିଛି ଜାଣି ହେଉ ନଥାଏ, କାରଣ ଘଣ୍ଟା ନଥାଏ, କେବଳ ସମୟ ନିର୍ଘଣ୍ଟ ଅନୁସାରେ ବାଜୁଥିବା ହୁଇସିଲ ଓ ବେଲ ଶୁଣି ଯାହା କିଛି ଅନୁମାନ କରିହୁଏ। ସକାଳୁ ଉଠି ରଘୁପତି ରାଜାରାମ ପ୍ରାର୍ଥନା କରାଯାଏ।ପାଇଖାନା ଯିବା ପାଇଁ ଲାଇନ୍ ଲାଗିଥାଏ। ଚା ଟିକିଏ ପିଆ ହୋଇ ନାହିଁ ବୋଲି ମୁଣ୍ଡଟା ଦିଗ୍ ଦିଗ୍ ହୋଇ ବିନ୍ଧୁଥାଏ। କେତେ ବେଳକେ ଚା ଟିକେ ଆସିଲା ଯେ, ଖାଇ ହେଲା ନାହିଁ। ସୁଦ ପାଣି ଚା। ନା ସ୍ୱାଦ ଅଛି ନା ରଙ୍ଗ। ଭଗବାନ ତ ଏୟା ଭୋଗିବାକୁ ଦେଇଛି। ହାୟରେ କପାଳ! ସେତକ ପାଇଁ ବାଇ ସମସ୍ତେ ଧାଡ଼ି ହୋଇ ଛିଡ଼ା ହୋଇଯାନ୍ତି, ପୁଣି ଧାଡ଼ି ହୋଇ ଥାଳି ତାଟିଆ ଧରି ଖାଈବା ଜିନିଷ ଆଣିବାକୁ ହୁଏ। ସେଇଥିରେ ବି ଠେଲାପେଲା ହୋଇ ଫୋକଡ଼ା ଫିଙ୍ଗା ଓ ମାଡ ଗୋଳ ହୁଅନ୍ତି। ଜେଲର ଆସି ବାଡ଼େଇ ବାଡ଼େଇ ହାଲିଆ କରେ। ସେଠି ଟିକେ ନିୟମ ଅଲଗା, ଜଣେ ଭୁଲ କଲେ ଗ୍ରୁପଟା ସାରା ମାଡ ଖାଆନ୍ତି। ରାତି ଦିଦିଟା ଭାରି ଖରାପ ଥିଲା। ଖାଲି ଦୋ ଅକ୍ଷରୀ ଗାଳି କରୁଥିଲା – “କହୁଥିଲା ଉଁ ଝଗଡ଼ା ଲାଗିବାକୁ ଦୁଇ ଜଣଙ୍କୁ ଭାରି ଭଲ ଲାଗୁଥିଲା, ଏଠି ଆସି କି ଛଇ କାଢୁଛନ୍ତି କ’ଣ ନା ନିଦ ଆସୁ ନାହଁ, ଶୁଅବେ ଶାଳୀ! ମୋତେ ନିଦ ଲାଗିଲାଣି, ନହେଲେ ଦେବି ଯେ ପାହାରେ”। କିନ୍ତୁ ଦିନ ଦିଦିଟା ଭାରି ଭଲ, ସେ କେତେ ବୁଝା ଶୁଝା କଲେ। ନୀତି ଆଦର୍ଶର ପାଠ ପଢାଇଲେ। ହେଲେ ଆମେ କେହି କାହା ମୁହଁକୁ ଚାହିଁ ପାରୁ ନଥାଉ। ଥରେ ମୁହଁ ପୋଡ଼ିଗଲେ, ଅବସ୍ଥା ସୁଧୁରିବା ଏତେ ସହଜ ନୁହେଁ।ଖାଲି ଯାହା କଣେଁଇ କଣେଁଇ ପରସ୍ପରକୁ ଚୁହାଁଚୁହିଁ ଟିକେ ହେଉଥିଲୁ ସିନା ହେଲେ ଦୁଇ ଧାର ଦେଇ ଲୁହ ବୋହି ଆସୁଥିଲା। ଖାଲି ମନେ ପଡି ଯାଉଥାଏ – “ଆମ ଗାଁ ପୀତେଇ ନାନୀ କଥା। ବୁଢୀ ଯାହା ସବୁ ତା ଅଭିଜ୍ଞତାରୁ ଆମକୁ କହି ବୁଝାଉଥିଲା ସେଦିନ କଳି ନଲାଗିବା ପାଇଁ – ସବୁ ସତ। ସେଦିନ ଯଦି ପୀତେଇ ନାନୀ କଥା ମାନିଥାନ୍ତୁ ଆଜି କାହିଁକି ଏ ଜମ ଜନ୍ତ୍ରଣା ଭୋଗିଥାନ୍ତୁ” ।