Satya Prakash
Uncategorised

ମୁଁ ନୋବେଲ ପାଇବି


“ମୁଁ ନୋବେଲ ପୁରସ୍କାର ପାଇବି । ମୁଁ ଓଡିଆରେ ସିନା ଲେଖେ, ଇଂରାଜୀରେ ବି ସନେଟ୍ ଲେଖେ। ତେଣୁ ଶହେ ଆଠ ସନେଟ ଯାହା ଲେଖିଛି ନୋବେଲ ପୁରସ୍କାର ପାଇଁ ପଠାଇବି। ତେଣିକି ମିଳିଲା କେତେ ନମିଳିଲା କେତେ”-
ସନାତନ ସାର୍ ଏମିତି କହି ନିଜକୁ ଆଶ୍ଵସ୍ତ କରନ୍ତି। ଆଜି ସିଏ ୮୮ ବର୍ଷରେ ପଦାର୍ପଣ କଲେଣି । ତେବେବି ହସନ୍ତି, ମଧୁର ଓ ସ୍ମିତହାସରେ ସମସ୍ତଙ୍କ ମନ କିଣନ୍ତି। ଆଜି ବି ସେ ଥକି ନାହାଁନ୍ତି କି ବସି ନାହାଁନ୍ତି। ସାହିତ୍ୟ ସାଧନା କରନ୍ତି, ସାହିତ୍ୟ ଚର୍ଚ୍ଚା କରନ୍ତି। ସେଇଥିରେ ତାଙ୍କର ଆନନ୍ଦ ଓ ଜୀଇଁ ରହିବାର ଅଭିଳାଷା ପ୍ରଛନ୍ନ ଭାବେ ଲୁକ୍କାୟିତ ।

ଏଇ ସନାତନ ସାର୍ ଜଣେ ଅଭିଜ୍ଞ ଅଧ୍ୟାପକ, ସେ ପୁଣି ଓଡିଆ ସାହିତ୍ୟରେ।ଅତିବଡି ଜଗନ୍ନାଥ ଦାସଙ୍କ ଉପରେ ଗବେଷଣା କରି ସେ ପାଇଛନ୍ତି ଡକ୍ଟରେଟ। ସବୁବେଳେ ଲେଖାଲେଖି କରନ୍ତି। ପେଶାରେ ସିନା ସେ ଅଧ୍ୟାପକ ଥିଲେ, କିନ୍ତୁ ନିଶା ତାଙ୍କର ହେଉଛି ସାହିତ୍ୟ ସାଧନା। ସେ ପରା ହଜାର ହଜାର କବିତା ଲେଖିଛନ୍ତି । ତହିଁରୁ କିଛି ବି ପୁସ୍ତକ ଆକାରରେ ପ୍ରକାଶ ପାଇଛି, ହେଲେ ପ୍ରକାଶକଙ୍କ ଆନ୍ତରିକତା ଅଭାବରୁ ସବୁତକ ପ୍ରକାଶ୍ୟର ସ୍ପଷ୍ଟ ଦିବାଲୋକ ଦେଖିପାରି ନାହିଁ। ଆଜି ବୟସର ଭାରାକ୍ରାନ୍ତରେ ସେ ନଇଁ ପଡ଼ିଲେଣି। ତଥାପି ପଢ଼ନ୍ତି ଯେତେ ଲେଖନ୍ତି ସେତେ। ନ ଲେଖିଲେ ନ ପଢିଲେ ପରା କୁଆଡ଼େ ତାଙ୍କ ଆଖିକୁ ନିଦ ଆସେ ନାହିଁ କି ମନକୁ ଶାନ୍ତି । ତେଣୁ ଯେତେବେଳେ ସେ ଫୁରୁସତ୍ ପାଆନ୍ତି ଲେଖି ବସନ୍ତି।ଏତେ ଲେଖିଛନ୍ତି ଯେ ତାହାକୁ ପ୍ରକାଶ କରିବା ପାଇଁ ନା ତାଙ୍କ ପାଖରେ ଏବେ ବଳ ବୟସ ଅଛି ନା ମାନବ ସମ୍ବଳ।
ତେବେ ବୟସର ଅପରାହ୍ନରେ ବି ସେ ବଞ୍ଚିଛନ୍ତି , କେବଳ ବଞ୍ଚିବାର ଲକ୍ଷ୍ୟ ନେଇ। ତାଙ୍କ ବଞ୍ଚିବାର ଲକ୍ଷ୍ୟ ହେଉଛି ସାହିତ୍ୟ ସାଧନା ଓ ବିଶ୍ଵ ଦରବାରକୁ କେତୋଟି ସାହିତ୍ୟର ଶ୍ରେଷ୍ଠକୃତି ଭେଟିଦେବା।

ସେ ଏହି ପରିଣତ ବୟସରେ ସାଥି ଖୋଜୁଛନ୍ତି, ଖୋଜୁଛନ୍ତି ପଙ୍ଗତ। ଅର୍ଥାତ୍ ତାଙ୍କର ଇଚ୍ଛା ଦଳେ ପାଠକ ବା ସାହିତ୍ୟିକ ମିଳି ଯାଆନ୍ତେ କି, ଯାହା ସହିତ ସେ ସାହିତ୍ୟ ଚର୍ଚ୍ଚା କରନ୍ତେ ବା ନିଜ ସାହିତ୍ୟ କୃତିକୁ ସେମାନଙ୍କୁ ପରସି ଦେଇ ତାହାର ମୂଲ୍ୟାଙ୍କନ କରନ୍ତେ। କିନ୍ତୁ କିଏ କାହିଁକି ବା ତାଙ୍କୁ ଟାଇମ୍ ଦେବ, ସମସ୍ତେ ତ ଆଜି ନିଜ କାମରେ ବ୍ୟସ୍ତ। ତା ଛଡା ଦୁନିଆଟା ପରା ବଡ଼ ସ୍ୱାର୍ଥପର, କାମ ଥିଲେ ଆସି ପାଖରେ ବସିବେ, ଅଭିଜ୍ଞ ମସ୍ତିଷ୍କରୁ ନାନା ପରମର୍ଶ ଲୋଡ଼ିବେ ନିଜ ସମସ୍ୟାର ସମାଧାନ ନିମନ୍ତେ। ସନାତନ ସାର୍ ଉଚିତ୍ ପରାମର୍ଶ ଦିଅନ୍ତି, ନିସ୍କୃତିର ମାର୍ଗ ବି ପ୍ରଦର୍ଶନ କରନ୍ତି। କିନ୍ତି ନିଜ କଥା କହିଲା ପୂର୍ବରୁ ସେମାନେ ଉଠି ଚାଲିଯାଆନ୍ତି। କେହି ବୁଢ଼ା କଥାକୁ ଶୁଣିବାକୁ ଅପେକ୍ଷା କରନ୍ତି ନାହିଁ। ତେଣୁ ତାଙ୍କ ମନ ଭାରି କଷ୍ଟ।

ସେଥିସକାଶେ ସେ ଏବେ ନିରଞ୍ଜନ ୟୁନିଭରସିଟିରେ ନାମ ଲେଖାଇଛନ୍ତି। ସେଠାକୁ ସେ ପ୍ରତିଦିନ ଥରୁଟିଏ ହେଉପଛେ ଆସନ୍ତି। ସେଠାରେ ବିଭିନ୍ନ ତର୍କ ବିତର୍କ ହୁଏ। ଦେଶର ସମସ୍ୟା ଓ ଜାତିର ସମସ୍ୟା ସମ୍ପର୍କିତ ଆଲୋଚନା ମଧ୍ଯ ହୁଏ। ପୁଣି ସାହିତ୍ୟ ଆଲୋଚନା ହୁଏ। ସନାତନ ସାର୍ ନିଜର ଗୋଟେ ଯୋଡ଼େ ସାହିତ୍ୟ ସେଠାରେ ପରିବେଷଣ କରନ୍ତି। କିଛି ଉପଭୋକ୍ତା ତାକୁ ଉପଭୋଗ କରନ୍ତି। ସନାତନ ସାର୍ ଙ୍କ ମନକୁ ଟିକିଏ ଆଶ୍ୱସ୍ତି ଲାଗେ – ଯାହା ହେଉ କେହି ତ ତାଙ୍କ ସାହିତ୍ୟକୁ ଶୁଣିଲେ ବା ପଢିଲେ। ମନ ବୁଝିଯାଏ। ତା’ପରେ ସେ ଉଠନ୍ତି, ଘର ଅଭିମୁଖେ ଯାତ୍ରା ଆରମ୍ଭ ହୁଏ। କାହିଁକିନା ବୋହୂ ସେପଟେ ବ୍ୟସ୍ତ ହୋଇପଡିବେନି – ଶ୍ଵଶୁରଙ୍କର ମେଡିସିନ ଖାଇବା ଓ ଲଞ୍ଚ ଖାଇବା ସମୟ ଉପଗତ ହୋଇଯାଇ ଥିବାରୁ।

ଏହି ବୋହୂ ପିଲାଟା ବାସ୍ତବରେ ଭାରି ଭଲ। ସେ ପରା ସନାତନ ସାର୍ ଙ୍କର ପୂରାପୂରି ଖିଆଲ ରଖନ୍ତି। କେତେବେଳେ ସେ ଖାଇବେ, କେତେବେଳେ ସେ ଶୋଇବେ ଓ ଯଦି ବାହାରକୁ ବୁଲି ଗଲେ ତେବେ କେତେବେଳେ ଫେରିବେ – ସବୁ ହିସାବ କିତାବ ତାଙ୍କ ପାଖରେ। ସେ ଯତ୍ନ ନେଉ ନଥିଲେ ସନାତନ ସାର୍ କ’ଣ ଏତେଦିନ ଥାକି ଥାଆନ୍ତେ କି । ଯାହାବି ହେଉ ଭାଗ୍ୟକୁ ବୋହୂ ରତ୍ନଟିଏ ମିଳିଛି। ପୁଅ ତ ଚାକିରିରେ। ତେଣୁ ସବୁବେଳେ ବାହାରେ। ବୋହୂ କେବଳ ଘରେ। ଶ୍ଵଶୁରଙ୍କ ଦାୟିତ୍ଵ ଗୋଟାପୁଣି ତାଙ୍କର। ଘରେ ଆଉ ଜଣେ ସଦସ୍ୟ ଅଛି – ସିଲି, ବୁଢାଙ୍କ ନାତୁଣୀ।

ବଳକା ସମୟତକ ବାଣ୍ଟିବା ପାଇଁ ସନାତନ ସାର୍ ଙ୍କୁ ମିଳିଛି ନାତୁଣୀଟିଏ। ସିଏ ସ୍କୁଲ ଯାଏ, ଫେରିଲେ ସନାତନ ସାର୍ ଙ୍କ ଠାରୁ ଗପ ଶୁଣେ ଆଉ ଭଲମନ୍ଦ ବୁଦ୍ଧି ଅକଲ ବି ଶିଖେ। ଜେଜେ କୁହନ୍ତି – “ଏଇ ନାତୁଣୀଟା ମୋ ଜୀବନ”।

ଆଉ ଦିନେଦିନେ ସନାତନ ସାର୍ ନିଜ ଜୋତା ଆଣିବାକୁ ଭୁଲିଯାଇଥିବେ। ସେ ଖାଲି ପାଦରେ ବେଖିଆଲରେ କିଛିବାଟ ଆସିଯିବେଣି। ସିଲି ପଛରୁ ଡାକ ଛାଡ଼ିବ – “ଏ ବୁଢ଼ା! ତୋ ଜୋତା ଛାଡ଼ିଗଲୁରେ। “ଦୌଡ଼ି ଦୌଡ଼ି ଅଧାବାଟରେ ଜୋତା ପିନ୍ଧାଇଦେଇ ଆସିବ। ଏଇମିତି ଗେହ୍ଲ ଭଗିଲି ତାଙ୍କ ଭିତରେ ଚଳେ।

ପୁଣି ବି ଆହୁରି କେତେ ରାହସ ନାତୁଣୀ ଓ ଜେଜେ ଭିତରେ ହୁଏ। ଯେବେବି ନିରଞ୍ଜନ ବିଶ୍ଵବିଦ୍ୟାଳୟକୁ ସନାତନ ସାର୍ ଆସନ୍ତି, ନାତୁଣୀ ଦୌଡ଼ି ଦୌଡ଼ି ଆସି ପଛରୁ ଚାରି ବିଧା ଦେଇ କୁହେ – “ଏ ବୁଢ଼ା ଦିନକୁ ଚାରି ଓଳି ମା’ ତୁମକୁ ଖାଇବାକୁ ଦେଉଛି ଅଧିକ ଦିନ କେମିତି ତୁମେ ବଞ୍ଚିବ ବୋଲି ହେଲେ ସଳଖି ବାଟ ଚାଲି ପାରୁ ନାହଁ ନା?”
ବୁଢ଼ା କୁହନ୍ତି – “ତୋର କ’ଣ ହେଲା, ମୁଁ କ’ଣ ତୋ ବାପର ଖାଉଛି କି? ମୁଁ ତ ମୋ ପୁଅର ଖାଉଛି। “
ନାତୁଣୀ କୁହେ – “ତୁମ ପୁଅ ମୋର କ’ଣ ହେବ ଆଗ କହିଲ , ବାପ ନା? ଆଉ ହେଲା ନାହିଁ ନା, ମୋ ବାପାର ଖାଉ ନାହଁ ନା? ହୋଉ ସେ କଥା ଛାଡ଼,ଏଥର ସଳଖି ବାଟ ଚାଲ, ନହେଲେ ନଇଁଲେ ପୁଣି ପଛରୁ ଚାରିବିଧା ଦେବି। “
ସନାତନ ସାର୍ ଙ୍କ ମନକୁ ଏତିକିରେ ବଳ ଆସିଯାଏ, ସେ ହସି ପକାନ୍ତି, ସେଇଠୁ ସଳଖି ବାଟ ଚାଲନ୍ତି। ଏସବୁ ଛୋଟିଆ ଘଟନା ହୋଇପାରେ, କିନ୍ତୁ ଜିଇଁ ରହିବା ପାଇଁ ଜୀବନକୁ ଗୋଟେ ଖୋରାକ।

ବାସ୍ତବରେ ସିଲି ନଥିଲେ ସେ କାହା ସହିତ ଯେ ଏତେ ସମୟ କାଟନ୍ତେ। ଭାରି ଦିଗଦାର ହୋଇଯାଆନ୍ତେଣି। ଯାହାହେଉ ଭଗବାନ ସମସ୍ତଙ୍କୁ ସବୁଟା ଯୋଗାଇଛନ୍ତି, ନହେଲେ ଏଇ ମହୀଟା ଉପରେ ଏମିତି ଖାଲିଟାରେ ଜୀବନ ଧାରଣ କରିବା କ’ଣ ଏତେଟା ସହଜ ହୁଅନ୍ତା?

ସେ ଦ୍ୱିପ୍ରହର ବେଳକୁ ଟିକିଏ ଆସକତିଆ ମେଣ୍ଟାଇବା ପାଇଁ ଶୋଇ ପଡ଼ନ୍ତି। ତା’ପରେ ବିଛଣାଛାଡି ପୁଣି ରାତିକୁ ବିଛଣାକୁ ଗଲାଯାଏ ସେଇ ନାତୁଣୀ ସହିତ ସମୟ ବିତାନ୍ତି। କେତେବେଳେ ତାକୁ ପାଠ କହି ଦିଅନ୍ତି ତ, ପୁଣି କେତେବେଳେ ତାଠାରୁ ତାଙ୍କ ସାହିତ୍ୟକୃତିର ଚରିତ୍ରମାନଙ୍କ ସମ୍ପର୍କରେ ସେ ସୁଝାବ ନିଅନ୍ତି। କାହିଁକିନା ସିଲିଟା ଭାରି ବୁଦ୍ଧିଆ। ସିଏ ତା ପିଲା ମୁଣ୍ଡରେ ଯାହା ବିଚାର ଆସେ ତତ୍କ୍ଷଣାତ୍ କହିଦିଏ ଆଉ ଜେଜେ ବି ତା ବିଚାରକୁ ନେଇ ସାହିତ୍ୟରେ ସିଦ୍ଧାନ୍ତ ଭାବରେ ତାହା ଗ୍ରହଣ କରି ନିଅନ୍ତି।ବେଳ ପାଇଲେ ସେ ବହିପତ୍ର ଖଣ୍ଡେ ଦୁଇ ଖଣ୍ଡ ଦେଖନ୍ତି ନହେଲେ କେତେବେଳେ ଘଡିଏ ଅଧେ ସମ୍ବାଦ ଶୁଣନ୍ତି। କିନ୍ତୁ ରାତିଟା ତାଙ୍କର ନିଆରା ଢଙ୍ଗରେ କଟେ। ଏଇ ରାତିଟାଯାକ ସେ ବିଛଣାରେ ପଡ଼ି ପଡ଼ି ଖାଲି କଡ ଲେଉଟାଉଥା’ନ୍ତି ଯେ କେମିତି ବୋହୂ ମା ଶୋଇ ପଡନ୍ତୁ। ଚେଇଁ ରହିଥିବା କଥା ଜାଣିଲେ ପରା ଚିଡିବେ, କହିବେ – “ବାପା ରାତିରେ ଠିକ୍ ରେ ନ ଶୋଇଲେ ଦେହ ଖରାପ ହେବ। ତେଣୁ ଯେମିତି କିଛି ପଢ଼ାପଢ଼ି ନକରି ଝଅଟ ଶୁଅ, ନହେଲେ ମୁଁ ବହିପତ୍ର ସବୁ ଘରୁ ଫିଙ୍ଗିଦେବି।”

ସନାତନ ବାବୁ – ହୁଁ ହାଁ ମାରି ବୋହୂ ମାଆଙ୍କୁ ସିନା ବିଦା କରିଦିଅନ୍ତି, କିନ୍ତୁ ଛକିକି ରହନ୍ତି। ଯେମିତି ବୋହୂ ମା ଶୋଇ ପଡିବେ, ଇଏ ତାଙ୍କର ବିଛଣାରୁ ଉଠିପଡି କବିତା, ଗଳ୍ପ ଆଦି ଲେଖିବେ ନହେଲେ ବସି ବହି ପଢ଼ିବେ ଅନ୍ୟଥା ତାଙ୍କୁ କୁଆଡ଼େ ନିଦ ହୁଏ ନାହିଁ। ଏଇ ଅଭ୍ୟାସଟା ତାଙ୍କର ମୂଳଠୁଁ, ଆଜି ନୂଆ ନୂହେଁ। ଅବଶ୍ଯ ପତ୍ନୀ ସରସ୍ଵତୀ ଥିଲା ବେଳେ ସିଏ ବି ଜଗନ୍ତି, ତଥାପି ସେ ନିଶାଚର, ଯେମିତି ହେଲେ ରାତିରେ ସାହିତ୍ୟ ସାଧନା କରିବେ।

ଆଜି ସରସ୍ଵତୀ କଥା କାହିଁକି ଭାରି ମନେପଡୁଛି।ଏଇ ସରସ୍ଵତୀ ତାଙ୍କ ଜୀବନ ସାଥି। ଜୀବନସାରା ସେ ସାଥ୍ ଦେଇଛି। ସବୁକଥାରେ ତାଙ୍କର ସମର୍ଥନ ରହେ। ତେଣୁ ପରିବାର କ୍ଷେତ୍ରରୁ ତାଙ୍କୁ ବିଶେଷ ବାଧାବିଘ୍ନର ସମୂଖୀନ ହେବାକୁ ପଡ଼ି ନାହିଁ।ତେଣୁ ତ ସେ ଏତେ ସାହିତ୍ୟ ଲେଖି ପାରିଛନ୍ତି। ସରସ୍ଵତୀ ଏବେ ଝିଅ ପାଖରେ ରହୁଛନ୍ତି। ଝିଅର ପିଲା ଜନ୍ମ ହେବାର ଥିଲା ତ, ସେ ଯାଇଥିଲେ। ପିଲା ଜନ୍ମ ପରେ ବି ସେଇଠି ରହି ଯାଇଛନ୍ତି। ଝିଅ କୁଆଡ଼େ ମୋଟେ ଛାଡୁ ନାହିଁ, ଆଜକୁ ଦୁଇ ବର୍ଷ ବିତି ଗଲାଣି। ସନାତନ ବାବୁ ବି କେଉଁ ଯାଇ ପାରୁଛନ୍ତି ଯେ, ତାଙ୍କର ପରା ରଥ ଅଟକି ଗଲାଣି। ତେଣୁ ସେ ଯାହା ଏଇଠି ଏଇ ଭଦ୍ରକରେ ଟିକିଏ ନଟପଟ ହେଉଛନ୍ତି ନହେଲେ କେଉଁଆଡ଼େ ଆଉ ଦୂରକୁ ଯାଇପାରୁ ନାହାଁନ୍ତି, ଶରୀର ଅନୁମତି ଦେଉନାହିଁ ।

ଏଇ ବୟସରେ ହୁଏତ ଶାରୀରିକ ସମ୍ପର୍କ ସମ୍ଭବ ହୋଇ ନପାରେ କିନ୍ତୁ ମାନସିକ ଶାନ୍ତି। ସରସ୍ୱତୀଙ୍କୁ ଦେଖିଲେ ପରା ମନ ସ୍ୱତଃ ଆହ୍ଲାଦିତ ହୋଇଯାଏ। ତେବେ ମନ ବେଳେ ବେଳେ ଦୁଃଖ ହୁଏ – ସରସ୍ଵତୀ କେବେ ଆସିବେ।ଯେତେ ହେଲେ ସେମାନେ ଜୀବନ ତମାମ ଏକାଠି ଥିଲେ ନା, ଆଜି ତେଣୁ ତାଙ୍କ ଅନୁପସ୍ଥିତି ଅନ୍ତରକୁ ଭାରି ବାଧା ଦେଉଛି।ଇଏ ତ ଜୀବନ ଚକ୍ର, ତେଣୁ ଆପେଆପେ ବହୁତ କିଛି ସ୍ୱତଃ ସଂଘଟିତ ହୋଇଯାଏ। ତେଣିକି କାହାରି ଇଚ୍ଛା ଥାଉ ବା ନଥାଉ। ଏଠି ଇଚ୍ଛା ଅନିଚ୍ଛା ବିଶେଷ କିଛି କତ୍ତୃତ୍ୱ ନଥାଏ, କତ୍ତୃତ୍ୱ ଥାଏ କେବଳ ସମୟର। ସମୟ ବହୁତ କିଛି ମନକୁ ମନ ନିରୂପଣ କରିଦିଏ।
ଏହି ସାହିତ୍ୟ ସାଧନା ପାଇଁ ଜୀବନ ତମାମ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଚି। ଦେଖୁ ନାହାଁନ୍ତି ପ୍ରାଥମିକ ପର୍ଯ୍ୟାୟରେ ସରସ୍ଵତୀ ସହ ପୁଣି ଏବେ ବୋହୂ ସହିତ କେମିତି ଛକାପଞ୍ଝା ଓ ଲୁକାଛପି ଖେଳ ଚାଲିଛି। ଅବଶ୍ୟ ଏଗୁଡାକ ଅତି ନଗନ୍ୟ କଥା ପରିବାର କରିକି ରହିଲେ ଏଗୁଡାକ ସବୁ ହୁଏ। ତା ଛଡା ସମସ୍ତେ ଚାହାଁନ୍ତି ତୁମ ସମୟ ଭାଗରୁ ତାଙ୍କୁ ଟିକିଏ ଅଧିକ ବଡ଼ ଭାଗ ମିଳୁ, ତେଣୁ ସମୟ ଆବଣ୍ଟନ ଠିକ୍ ସେ ହୋଇପାରେ ନାହିଁ ଅଥଚ ଏଥି ସକାଶେ କେହି କେମିତି ଅସନ୍ତୋଷ ହେବା ସ୍ଵାଭାବିକ।
ତେବେ ସବୁଠାରୁ ବଡ଼ କଥା ହେଉଛି ଅଫିସ ସହକର୍ମୀ ଓ ସାହିତ୍ୟିକ ଗୋଷ୍ଠୀ ସହ ଯେଉଁ ସଙ୍ଘର୍ଷ ଜୀବନ କାଳରେ ହୋଇଛି। ଏହି ସଂଘର୍ଷ ପାଇଁ କୌଣସି ଖାସ୍ କାରଣ ନାହିଁ, କିନ୍ତୁ ଇର୍ଷା। କଥାରେ ନାହିଁ ନା, ଇର୍ଷା ସମ୍ପର୍କକୁ ଖାଏ। ବାସ୍ତବରେ ଘଟନାର କିଛି କୁଆଡୁ ଅଗମୂଳ ନଥିବ କିନ୍ତୁ ଘଟନା ଓ ଅଘଟନର କେନ୍ଦ୍ରବିନ୍ଦୁ ସାଜେ ଏଇ ଇର୍ଷା।

ଏଇ ସାହିତ୍ୟକୁ ନେଇ ସତରେ ସେ ଅନେକଥର ରୋଷର ଶିକାର ହୋଇଛନ୍ତି, କେତେବେଳେ ଛୁଟିକୁ ନେଇକି ତ ପୁଣି କେତେବେଳେ ବିଭିନ୍ନ ସାହିତ୍ଯାନୁଷ୍ଠାନକୁ ବାରମ୍ବାର ଅତିଥି ହୋଇ ଯାଉଥିବା କାରଣରୁ।ଅଧ୍ଯକ୍ଷ ରାଗିକି ସେଥିସକାଶେ ଦୁଇ ଦୁଇଥର ପରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କ’ଣ କରିବେ, ସାହିତ୍ୟ ଓ ଲେଖାଲେଖିକୁ ଛାଡ଼ି ପାରିଲେ ତ।
ସେହିପରି କେତକ ସାହିତ୍ୟିକ ମଧ୍ଯ ବଡ଼ ଖେସା ହୁଅନ୍ତି। ଇର୍ଷାରେ ଜଳି କ୍ଷତିକରିବା, ଚାକିରି କ୍ଷେତ୍ରରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି କରିବା ଏମିତି ସବୁ ଅଯାଥା କାମରେ ଲାଗିପଡ଼ନ୍ତି। ଯାହା ଯୋଗୁଁ ସନାତନ ସାର୍ ତ ଜୀବନତମାମ ବଡ଼ କଷ୍ଟ ସହି ଆସିଛନ୍ତି ନା । ତେବେ ସବୁ ଭାଗ୍ୟ ଦୋଷ, ସେ କାହିଁକି କାହାକୁ ତୁଚ୍ଛାଟାରେ ଦୋଷ ଦେବେ। ସହଜେ ତ ଏ ପରିଣତ ବୟସରେ ତାଙ୍କର ଆଉ କାହା ପ୍ରତି ସେତେ ରାଗ ବା ଦ୍ଵେଷ ନାହିଁ।

ଛାଡନ୍ତୁ ସେସବୁ କଥା, ଆମେ ପୁଣି ସେଇ ନିରଞ୍ଜନ ୟୁନିଭରସିଟିକୁ ଫେରିବା ଯେଉଁ
ୟୁନିଭରସିଟିରେ କୁଳପତି ହେଉଛନ୍ତି ସ୍ଵୟଂ ନିରଞ୍ଜନ ପତି। ତାଙ୍କର ତୃପ୍ତିପ୍ଲାଜା ନିକଟରେ ଗୋଟେ ତେଜରାତି ଦୋକାନ ଅଛି, ଯାହାର ସେ ମାଲିକ।ସେ ପରା ଭାରି ସାହିତ୍ୟପ୍ରେମୀ ଲୋକ। ବେପାରବଣିଜ କଲେ କ’ଣ ହେବ, ସାହିତ୍ୟ ତାଙ୍କର ନିଶା। ସାହିତ୍ୟ ଆଲୋଚନା ହେଲେ ସେ ଭୋକଶୋଷ ସବୁ ଭୁଲି ଯାଆନ୍ତି, ଭୁଲି ଯାଆନ୍ତି ବେପାର ବଣିଜରେ ଲାଭ ଓ କ୍ଷତି।ସାହିତ୍ୟ ତାଙ୍କ ରଗେରଗେ ଅଛି। ମୁଁ ବି ସେଇ ୟୁନିଭରସିଟିର ଜଣେ ଭାଗୁଆଳି।ଅର୍ଥାତ୍ ମୁଁ ବି ସେଇ ଆଲୋଚନାରେ ଭାଗ ନିଏ। ଭାରି ବୌଦ୍ଧିକ ଆଲୋଚନା ହୁଏ। ଆଉ କେତକ ମଧ୍ୟ ଏହାର ସଦସ୍ୟ ଅଛନ୍ତି କିନ୍ତୁ ସମୟ ସୁବିଧା ପାଇଲେ ସେମାନେ ବେଳେଅଧେ ଭାଗ ନିଅନ୍ତି।
ବୁଢ଼ା ଯେବେବି ଆସନ୍ତି ସେଇ ନୋବେଲ ପୁରସ୍କାର କଥା ଓ ଶହେ ଆଠ ସନେଟ ପ୍ରସଙ୍ଗ ନିଶ୍ଚୟ ଥରେ ଦୁଇଥର ଦୋହରାନ୍ତି। ଏଥି ସକାଶେ ସେ ଅନେକ ଲୋକଙ୍କର ଦ୍ୱାରସ୍ଥ ହୁଅନ୍ତି, କୁହନ୍ତି – “ଗୋଟେ ବହି ପାଇଁ ଅନେକ କଥା କରିବାକୁ ପଡ଼େ। ଏଇ ଯେମିତି ଡି. ଟି. ପି. କରେଇବା କି କାହା ପାଖରୁ ମୁଖବନ୍ଧ ଲେଖେଇବା, ପୁଣି ବହିର ମଲାଟ ଠାରୁ ଏହାର ଲେ ଆଉଟ୍ ଯାଏ ଅନେକ କିଛି କଥା ଅଛି। ହେଲେ ସେଗୁଡାକ ସବୁ ମୁଁ ପାରିବି ନାହିଁ। କାହିଁକିନା ମୁଁ ଏବେ ସଳଖି ଚାଲିପାରୁନାହିଁ କି ଗାଡ଼ି ମୋଟରରେ ବସି କେଉଁଠିକୁ ଆଉ ଯାଇପାରୁନାହିଁ। ହେଲେ ତୁମ ଭିତରୁ କେହି ଏଇ ଏତକ କରି ଟିକିଏ ନୋବେଲ୍ ପୁରସ୍କାର ଚୟନ କମିଟିକୁ ପଠେଇ ଦିଅନ୍ତ ନାହିଁ। “

କିଏ କାହିଁକି ବା ସେ କଥାକୁ ଏତେ ଗୁରୁତ୍ୱ ଦେବେ। ଓଲଟା ଏ କଥା ଶୁଣି କେହି କେହି ମୁରୁକା ହସ ହସି ସେଠୁ ଚାଲିଯାଆନ୍ତି। ସେମାନେ ବାର୍ଦ୍ଧକ୍ୟ କୁ ସମ୍ମାନ ଦେବା ବା ବୁଢାଙ୍କ କଥାକୁ ଗୁରୁତ୍ବ ଦେବା ଜରୁରୀ ବୋଲି କେବେ ମନେ କରନ୍ତି ନାହିଁ। ନିରଞ୍ଜନ କିନ୍ତି ନିଇତି ସେ ପାଣ୍ଡୁଲିପିଟି ଖେଳାନ୍ତି ଓ ପୁଣି ନିଜ ନିଜ ଡ୍ରୟାରରେ ରଖିଦିଅନ୍ତ। ବୃଦ୍ଧ ଉଠି ଯିବାବେଳେ, କହନ୍ତି – “କାହାକୁ ଏ କାମ କରିବା ପାଇଁ ଦେଲୁ ନାରେ!”
ନିରଞ୍ଜନ ମୁଣ୍ଡ ହଲାଇ ନାହିଁ କରେ, କୁହେ – “ମୁଁ ଢେର୍ ଲୋକଙ୍କୁ କହିଛି, ଦେଖିବା କିଏ କଣ କରୁଛନ୍ତି, ବ୍ୟସ୍ତ କାହିଁକି ହେଉଛନ୍ତି, ଯାହାର ଏଥିରେ ଆଇଡିଆ ଅଛି ପୁଣି ତାଙ୍କୁ କହିବାକୁ ହେବ ନା, ସମସ୍ତେ କଣ ଏ କାର୍ଯ୍ୟ କରିପାରିବେ।” ବୃଦ୍ଧ ବୁଝିଯାଆନ୍ତି, ଘରକୁ ଫେରିଯାଆନ୍ତି। ଏହା ଭିତରେ ଢେର୍ ଦିନ ବିତିଗଲାଣି। କିନ୍ତୁ ନିରଞ୍ଜନ ଦେଖିଲେ କୌଣସି କାର୍ଯ୍ୟ ଏଯାଏ ଠିକ୍ ସେ ସମ୍ପାଦିତ ହୋଇପାରୁ ନାହିଁ। ସେପଟରୁ ବୁଢାଙ୍କ ଦେହ ଦିନକୁଦିନ କ୍ଷୀଣ ହେବାକୁ ଲାଗିଲାଣି। ବୃଦ୍ଧ ଲୋକ କେତେବେଳେ କୋଉ କଥା କିଏ ଜାଣେ। ତେଣୁ ଦିନେ ଭାବିଲେ – କଥାରେ ଅଛି ପରା “ନିଜେ ନମଲେ ଜମ ଦର୍ଶନ ନାହିଁ”। ତେଣୁ ସେ ନିଜେ ଦୌଡ ଧାମ୍ପଡା କରି ସବୁକାମ ସାରିଦେଲେ। ଏଥର କେବଳ ନୋବେଲ୍ ପୁରସ୍କାର ପାଇଁ ପଠାଇବାର ବେଳ। ସେତକ ବି ସେ ସାରିଦେଲେ।
ଏଥର ବୃଦ୍ଧଙ୍କ ମନରେ ଭାରି ଆଶ୍ୱସ୍ତି – ଯାହା ହେଉ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିରଞ୍ଜନ ପତି ଥୋକେ ପରିଶ୍ରମ କରିଛନ୍ତି ତେଣିକି ମିଳିଲା କେତେ ନମିଳିଲା କେତେ ।କିନ୍ତୁ ମନରେ ଦୃଢ଼ତା ଯେ ବିଶ୍ୱ ସାହିତ୍ୟ ଦରକାରକୁ ଏହା ଏକ ଉପାଦେୟ ଗ୍ରନ୍ଥ ହେବ। କାରଣ ଜୀବନ ତମାମର ଶ୍ରେଷ୍ଠ ସାଧନା ତାଙ୍କର ଏଥିରେ ରହିଛି।

ତେବେ ଆଉକିଛି ଦିନ ହେବ ବୃଦ୍ଧ କାହିଁ ଆଉ ୟୁନିଭରସିଟି ଆସୁ ନାହାଁନ୍ତି। ନିରଞ୍ଜନ ଚାହୁଁଥିଲେ ତାଙ୍କ ଘର ପାଖରୁ ଯାଇ ଖବରଟା ବୁଝି ଆସିବେ, ପୁଣି ଭାବନ୍ତି ନା ଥାଉ। ଏକାବେଳେକେ ପୁରସ୍କାରଟା ଘୋଷଣା ହୋଇଯାଉ ତା’ପରେ ସେ ଯାଇ ଦେଖାକରିବେ। ସେଦିନ ସତକୁ ସତ ପୁରସ୍କାର ଘୋଷଣା କରାଗଲା। ସନାତନ ସାର୍ ନୋବେଲ୍ ପାଇଛନ୍ତି। ସହରର ବହୁଲୋକ ତାଙ୍କ ଘରକୁ ଦୌଡିଲେ – ବଧାଇ ଜଣାଇବା ପାଇଁ। ନିରଞ୍ଜନ ପତି ମଧ୍ଯ ତରବର ହେଲେ ଖବରଟା ନିଜେ ଯାଇ ଦେବା ପାଇଁ। କିନ୍ତୁ ତାଙ୍କ ଘର ପାଖରେ ପହଞ୍ଚି ସ୍ତବ୍ଧ ହୋଇଗଲେ। କାରଣ ଖୁସିର ମାହୋଲ ସ୍ଥାନରେ ଦୁଃଖର ବାତାବରଣ ଖେଳେଇ ହୋଇ ପଡ଼ିଥିଲା। ଲୋକ ଜମା ହୋଇଛନ୍ତି, ହେଲେ ସନାତନ ସାର୍ ଆଉ ନାହାଁନ୍ତି। ନିରଞ୍ଜନ ସେଇମିତି ଗୋଟିଏ ଜାଗାରେ ଛିଡା ହୋଇ ନୟନରୁ ଲୋତକ ଢାଳୁଥିଲେ, ଯାହା ଧାର ଧାର ହୋଇ ବୋହି ଯାଉଥିଲା ଗଣ୍ଡଦେଶ ଦେଇ।
ନାତୁଣୀ କହୁଥିଲା – “ଜେଜେଙ୍କର କିଛିଦିନ ହେବ ସିନା ଦେହ ଖରାପ ଥିଲା, ତଥାପି ସେ ଭଲ ଥିଲେ। କିନ୍ତୁ ଏ ନୋବେଲ ପୁରସ୍କାର ଦେଖି ଏମିତି ଭାବବିହ୍ଵଳ ହୋଇଗଲେ ଯେ, ଆଉ କାହିଁ ମୋ ସହିତ କିଛି କଥା ହେଉ ନାହାଁନ୍ତି। ଏ ଜେଜେ ଉଠନା! ଆହୁରି ପରା ତୁମର କେତେ କାମ ଅଛି। ତକିଆ ତଳେ ପୁଳା ପୁଳା କାଗଜ ଅଛି ସେଗୁଡାକ କ’ଣ ହେବ? “

ବୋହୂ ମାଆ ତାକୁ କୋଳକୁ ଆଉଜେଇ ନେଇ ଶାନ୍ତ୍ୱନା ଦେଉଥିଲେ। କୋହ ଓ ଆବେଗଭରା କଣ୍ଠରେ କହୁଥିଲେ -” ସେ ଏକ ନିର୍ଦିଷ୍ଟ ଆଶା ଓ ବିଶ୍ଵାସରେ ଆଜିଯାଏଁ ବଞ୍ଚିଥିଲେରେ ବବଲି! ଆଜି ତାଙ୍କ ଆଶା ଓ ଅଭିଳାଷା ତ ପୂରଣ ହୋଇଗଲା, ଆଉ କାହିଁକି ସେ ରହିବେ? ହେଲେ ଆମକୁ…କେମିତି.. ଛାଡ଼ି… ଚାଲିଗଲେରେ ବବଲି… “

Related posts

ସଂଘର୍ଷ ଓ ଦକ୍ଷତା

satya

ନଭଶ୍ଚୁମ୍ବୀ

satya

A great get together and farewell ceremony of Pandit in my Tarago High school conducted under my anchoring and stage management of

satya

Login

X

Register