Satya Prakash
Uncategorised

କୂଅମୂଳ

ଉତ୍ସର୍ଗ
— ଡ଼ ସତ୍ୟ ପ୍ରକାଶ ସେଠୀ
ଏହି ‘କୂଅମୂଳ ‘ ଗଳ୍ପ ସଂକଳନଟିକୁ ମୁଁ ଜିତୁ ମୁଣ୍ଡାଙ୍କୁ ଉତ୍ସର୍ଗ କରୁଛି, ଯାହାଙ୍କ ସରଳ ଜୀବନସୌକର୍ଯ୍ୟ ମୋତେ ପ୍ରଲୁବ୍ଧ କରିଥିଲା ଏତେ ବଡ଼ ଗଳ୍ପ ସମ୍ଭାରର ପରିକଳ୍ପନା କରିବାକୁ। ଉଦ୍ଦେଶ୍ୟ – କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ଘିନୁଆ ଚରିତ୍ର ଭଳି ଜିତୁ ମୁଣ୍ଡାମାନେ ସବୁଦିନ ବଞ୍ଚିରହନ୍ତୁ, ସମାଜକୁ ନୂତନ ଦିଗ୍ଦର୍ଶନ ଦେବା ପାଇଁ ଆଉ ଚେତାଇ ଦେଉଥାଆନ୍ତୁ ମାନବ ଜୀବନର ସର୍ବନିମ୍ନ ଆବଶ୍ୟକତା ପେଟକୁ ଦାନା, ଗାଣ୍ଡିକୁ କନା ଓ ମୁଣ୍ଡକୁ ଛାତ ତ ସେମାନଙ୍କ ହକ୍ । ଜିତୁ ମୁଣ୍ଡା ମୋର ଆଦର୍ଶ ନୁହେଁ ସତ, କିନ୍ତୁ ଗୋଟେ ବିରାଟ ବର୍ଗର ପ୍ରତିନିଧି ନିଶ୍ଚୟ ଯିଏ ନିଜ ହକ୍ ପାଇଁ ଲଢ଼ିବା ଶିଖିଛି।
(ଇତି)
ଗାଳ୍ପିକ

କୂଅମୂଳ

୧.କୂଅମୂଳ
୨.ଶରମିଳା
୩.କ୍ଷମତା dalalky
୪.ଦିଲ୍ଲୀପ କୁମାର
୫.ଆପଣ କିନ୍ତୁ ଖୁସିରେ achabyiy
୬.କିଛି ଲାଭ ନାହିଁ
୭.ମାଆ

କୂଅମୂଳ
—by Dr satya prakash
କହ୍ନେଇଲାଲ ଓରଫ କାହ୍ନା ମାଷ୍ଟ୍ରେ । ଆଜି ତାଙ୍କୁ ସତୁରୀ ବର୍ଷ ଧରିଲାଣି। ବିଭିନ୍ନ ଜାଗାରେ ମାଷ୍ଟର ଚାକିରି କରି କରି ଶେଷରେ ସେ ଆସି ଡି. ଆଇ ଅଫ ସ୍କୁଲସ୍ ହୋଇ ଚାକିରିରୁ ଅବସର ନେଇ ଏବେ ଅବସର କାଳୀନ ଭତ୍ତା ପାଉଛନ୍ତି ଓ ସେଥିରେ ଚଳୁଛନ୍ତି। ବେଶ୍ ସଂସ୍କୃତି ସମ୍ପନ୍ନ ମଣିଷଟେ। ଏବେକୁ ତାଙ୍କୁ ବୟସ ଢେର୍ ହେଲାଣି, ତଥାପି ଦଣ୍ଡେ କି ଘଡ଼ିଏ ଚଇନି ହୋଇ ସେ ଗୋଟେ ଯାଗାରେ ସ୍ଥିରହୋଇ ବସିପାରିନ୍ତି ନାହିଁ। ସବୁବେଳେ କୌଣସି ନା କୌଣସି କାମରେ ଲାଗିଥିବେ ଯେ ଲାଗିଥିବେ । ବିଭିନ୍ନ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ତାଙ୍କର ଅଭ୍ୟାସ। ଏଇ ବାଟରେ ଏଇ ବାଟରେ ତାଙ୍କର ସମୟ ଗୁଡ଼ାକ କେମିତି ଗୋଟେ କଟିଯାଏ, ଆଦୌ ଜଣାପଡ଼େ ନାହିଁ । ତେଣୁ ସେ ବେଶ୍ କ୍ରିୟାଶୀଳ ଓ କର୍ମତତ୍ପର ଥାଆନ୍ତି । ସଦାବେଳେ ସେ ପ୍ରସନ୍ନ ଓ ଖୁସିରେ ବି ଥାଆନ୍ତି। ତେଣୁ ଲୋକେ ତାଙ୍କୁ ‘ଖୁସି ବାସିଆ ଲୋକ’ କହନ୍ତି। ସିଏ ବି ସମସ୍ତଙ୍କ ମନ ଜିଣି ଚଳନ୍ତି। ସମସ୍ତଙ୍କର ସେ ଆଦରର କାହ୍ନା ମାଷ୍ଟ୍ରେ ।
ଏବେ ଆହୁରି ସିନା ତାଙ୍କର ବୟସ ହୋଇଗଲାଣି, କିନ୍ତୁ ପିଲାବେଳେ ସେ ବେଶ୍ ଡଉଲଡାଉଲ ଥିଲେ ।ରଜାଘର ଛୁଆ ଭଳିଆ ତାଙ୍କ ଚେହେରା ।ସୁନ୍ଦର ସୁଠାମ ଚାହାଣୀ ସାଙ୍ଗକୁ ଜହ୍ନି ଫୁଲିଆ ହସ ଖଣ୍ଡେ ରଖିଥା’ନ୍ତି ଏକା। ଭାରି ଧୀର, ସବୁବେଳେ ଶାନ୍ତଶିଷ୍ଟ। କମନୀୟ ନମନୀୟ ତାଙ୍କ ଗଳା। କେତେବେଳେ ସେ ଉଚ୍ଚବାଚ କରିବାର କେହି ତାଙ୍କୁ ଦେଖି ନାହିଁ। ତେଣୁ ଇଲାକା ସାରା ଦଶ ପନ୍ଦର ଖଣ୍ଡ ମୌଜାର ଲୋକ ତାଙ୍କୁ ମାନନ୍ତି ଆଉ ଭଲ ବି ପାଆନ୍ତି।

ବାହାରକୁ ଆପାତତଃ ଯେତେଟା ଦେଖାଯାଏ ବାସ୍ତବରେ ତାଙ୍କ ଜୀବନଯାତ୍ରା କିନ୍ତୁ ଏତେଟା ସହଜ ଓ ସରଳ ନଥିଲା। ବହୁ ବାଙ୍କଟାଙ୍କ ଦେଇ ବୁଲେଇ ବଙ୍କେଇ ଆଜି ସେ ଆସି ଏଇଠି ପହଞ୍ଚିଛନ୍ତି। ସେତେବେଳେ ତ ଯେଉଁ ଦାରିଦ୍ର୍ୟତା ଯେ ଦାରିଦ୍ର୍ୟତା ସେ କଥା ନକହିଲେ ଭଲ ।ସେତେବେଳିଆ ଲୋକ ଯେଉଁ ହୀନସ୍ଥାରେ ଚଳୁଥିଲେ ସେ କଥା ପରା କାହାକୁ ଅଛପା ନାହିଁ । ଶାନ୍ତିରେ ତ ଦୁଇଓଳା ପେଟପୂରା ଖାଇବା ଦିଟା ଆଚ୍ଛା ଆଚ୍ଛା ଲୋକଙ୍କ ଭାଗ୍ୟରେ ଜୁଟୁ ନଥିଲା। ସେଇଥିରେ ଆହୁରି ପୁଣି ଯୁଝି ଯୁଝି କେମିତି ଅଳ୍ପ କେତକ ଉପରକୁ ଉଠିଛନ୍ତି। ଏଇ କାହ୍ନା ମାଷ୍ଟ୍ରେ ତନ୍ମଧ୍ୟରୁ ଅନ୍ୟତମ। ସେସମୟରେ ସେ ଭଲ ପଢ଼ନ୍ତି ଯେ, ହେଲେ ମାଟ୍ରିକ୍ ପରେ ସେ ପଇସା କୁଆଡୁ ପାଇବେ ଯେ କଲେଜ ଯିବେ? ବିଲେଇ କପାଳରେ ଶିକା ଛିଣ୍ଡିଲା ପରି ଠିକ୍ ସେତିକିବେଳକୁ ବିମ୍ବଳବରରେ ଏମ. ଇ. ସ୍କୁଲଟିଏ ଖୋଲିଲା। ସେ ସେଇଠି ଯାଇଁକି ଅତରଛା ଭର୍ତ୍ତି ହୋଇଗଲେ । ତେଣିକି ପଇସା ମିଳୁ ବା ନମିଳୁ, ଦେ ଟ୍ୟୁସନ୍ କରିକି ନହେଲେ ଚଳିଯିବେ ଭାବିଥିବେ ।ଅବଶ୍ଯ ଏତେବେଳକୁ ସେ ଆନନ୍ଦପୁର କଲେଜରେ ଆଡ଼ମିସନ୍ ନେଇ ସାରିଥିଲେ, କିନ୍ତୁ ପଢ଼ିବାକୁ ଆଉ ଯାଇପାରିଲେ ନାହିଁ, ଖାଲି ଯାହା ପରୀକ୍ଷା ଦେବା କଥା । ଯାହାହେଉ ଆଇ. ଏ. ଖଣ୍ଡକ ବି ପାରି ହୋଇଗଲେ । ତା’ପରେ ବି. ଏ. ଖଣ୍ଡକ ବି ସେଇମିତି ପ୍ରାଇଭେଟରେ ପାସ୍ କରିଗଲେ ।ଅବଶ୍ଯ ଇଚ୍ଛାଶକ୍ତି ଥିଲେ ପରା କୌଣସି ପ୍ରତିବନ୍ଧକ କୁଆଡ଼େ ବାଧା ମାନେନା , ଏକଥା ସତ । ଆସ୍ତେ ଆସ୍ତେ ସେ ଏଣିକି ସ୍କୁଲରୁ ସରକାରୀ ଦରମା ଗଣ୍ଡାକ ବି ପାଇଲେଣି। ତେଣୁ ଟିକିଏ ଚଳିବା ଫର୍ଚ୍ଚା ହେଲା ।
ତଥାପି ସେ ଚୁପ୍ ହୋଇ ବସିପାରିଲେ ତ ? ଭାବିଲେ ବି. ଇଡ୍. ଖଣ୍ଡକ କରିଦେଲେ କେମିତି ହୁଅନ୍ତା? ଆଉ ସିଏ ବି ତାହା କରିକି ଦେଖାଇଲେ । ଶେଷରେ ସେ ରିଜୋନାଲ ବି. ଏଡ୍. କଲେଜ ଭୁବନେଶ୍ୱରରୁ କରେସପଣ୍ଡେନସ୍ କୋର୍ସରେ ପରୀକ୍ଷା ଦେଇ ପାସ୍ କରିଗଲେ ।ଅବଶ୍ଯ ଏଥି ସକାଶେ ଦୁଇ ତିନି ବର୍ଷ ଲାଗିଲା କିନ୍ତୁ କୃତକାର୍ଯ୍ୟ ହେଲେ। ଶେଷରେ ଉଚ୍ଚକିତ ସ୍ଵପ୍ନ ଟିକିଏ ସାକାର ହେଲା। ସେ ଷ୍ଟେଟ ସିଲେକ୍ସନ ବୋର୍ଡରୁ ସିଲେକ୍ଟ ହୋଇ ସରକାରୀ ଉଚ୍ଚବିଦ୍ୟାଳୟରେ ଚାକିରି ପାଇଲେ। ଏଇ ଚାକିରି କାଳ ଭିତରେ ସେ ଅନେକ ଆଡ଼େ ବୁଲିଛନ୍ତି। କେଉଁଠୁ କେଉଁଠିକୁ ଯେ ବଦଳି ହୋଇ ନ ଯାଇଛନ୍ତି ନ କହିବାର କଥା । ତହୁଁ ଅନେକ ସ୍ମୃତି ଓ ଅନୁଭୂତି ବି ସାଉଁଟି ପାରିଛନ୍ତି ।ମାଷ୍ଟରରୁ ପ୍ରଧାନ ଶିକ୍ଷକ ବି ହେଲେ। ଶେଷରେ ତ ଡି. ଆଇ. ପର୍ଯ୍ୟନ୍ତ ବି ମାଡ଼ିଗଲେ।ଅବଶ୍ୟ କରମା ଲୋକଟେ, ନହେଲେ କରମରେ ନଥିଲେ ଏତେ କଥାସବୁ କ’ଣ ସମ୍ଭବପର ହୋଇଥା’ନ୍ତା କି ?

ଇଏ ତ ଗଲା ଏକ ଲମ୍ବା ଜୀବନର ଗୋଟେ ଛୋଟିଆ ଅଧ୍ୟାୟ । କିନ୍ତୁ ଏତିକି ସଫଳତା ପାଇବା ପାଇଁ ସେ ବହୁ ପରିଶ୍ରମ କରିଥିବେ ନିଶ୍ଚୟ । ସେ ମାଟି ସହିତ ମାଟି ହୋଇ ଯାଇଛନ୍ତି କହିଲେ ଚଳିବ। ବହିପତ୍ର କିଣିବା ଓ ପଇସା ପାଇଁ ପରଘରେ ମୂଲ ଲାଗିବାଠୁଁ ଗାଈ ଜଗିବା ପର୍ଯ୍ୟନ୍ତ କଥା ଯାଇ ପହଞ୍ଚିଥିଲା।
ଜୀବଦଶା ମଧ୍ୟରେ ସବୁଠାରୁ ବିପତ୍ତିର କାରଣ କ’ଣ ଥିଲା ଜାଣନ୍ତି, ତାହା ଥିଲା ବାହାଘରକୁ ନେଇ । ଆଗିକା ଲୋକଙ୍କ ମୁଣ୍ଡରେ ପରା ଖାଲି ଖାଲିଟାରେ ଗୋଟେ ଭୂତ ପଶେ । ଭାଇରେ! ଯେମିତି ବୟସ ସତର କି ଅଠର ହୋଇଯିବ, କହିବେ- “ହକଲାଗେ ତୁ ବାହା ହ, ତେଣିକି ଯାହା” । ସେମାନେ କେବେବି ବୁଝନ୍ତି ନାହିଁ ପାଠ କ’ଣ ସାଠ କ’ଣ।ତାଙ୍କ ପାଇଁ ବାହାଘର ଗୋଟେ ମୂଖ୍ୟ ଆୟୁଧ , ସେଇଟା ଆଗେ ସାରିବେ। ନହେଲେ ଘରେ କିଏ ବୁଢ଼ାବୁଢ଼ୀ ଥିବେ ସେମାନେ ଥିବେ ଥିବେ ଠିକ୍ ସେଇବେଳକୁ କହିବେ – “ଝଅଟ ନାତିଆର ବାହାଘର କର, ମୁଁ ଟିକିଏ ଦେଖିକି ଯିବି, ନହେଲେ କେଉଁଦିନ ମରିଯିବି ।” କାହ୍ନା ମାଷ୍ଟ୍ର ବୁଢ଼ାବା’ ଚେମା ଦାସ ପରା ଠିକ୍ ସେଇ କଥା କହିଲେ । ବାପା ଅବଶ୍ଯ ଟିକେ ବୁଝକର ଲୋକ, ସେ କଥାଟାକୁ ଟାଳିବାକୁ ବହୁତ ଚେଷ୍ଟା କରିଛନ୍ତି। ସେ କୁହନ୍ତି -” ଟିକେ ରହୁନ ବାପା! ପୁଅଟା ହାଲିକି ମାଟ୍ରିକ୍ ପାସ୍ କରି ଏବେ ଏବେ ପ୍ରାଇଭିଟି ଚାକିରି ଖଣ୍ଡେ କରିଛି, ଆଉ ସେଇଥିରେ ପୁଣି ଆହୁରି କ’ଣ ପଢୁଛି ବି, ପରୀକ୍ଷା ଦେବ କହୁଛି । ତୁମେ ଏମିତି ଥେଇ ଥେଇ କଲେ ହେବ ନା? “

ସିଏ କାହିଁକି ବା ଶୁଣିବେ, ଓଲଟା କହିଲେ -” ଏ ଗଙ୍ଗୁ! ତୁ ପରା ଚଉଦ ବର୍ଷର ହୋଇଥିଲୁ, ତୋ ବାହାଘର ମୁଁ ସାରିଥିଲି। ସେଇଥିରେ ତୋ ପୁଅର ଆସି ଅଠର ବର୍ଷ ହେଲାଣି ତୁ ଆହୁରି କଅଣନା ରୋକୁଛୁ ? ନା ନା ସେ ସବୁ ଫିସାଦିଆ କଥା ହେବ ନାହିଁ।ତୋ ମାଆ ଏପଟେ ଗୋଟାକିଆ ପକାଇଲାଣିଟି! ତୁ ଝଅଟ ବୋହୂ ପିଲାଟେ ଆଣିଲୁ, ମୁଁ ବି ଟିକେ ଅଣନାତି ଦେଖିକି ଯିବି । ନହେଲେ ଅନାନି କହି ଦେଉଛି! ମୋ ମଲା ମୁହଁ ଦେଖିବୁ। “

ସେତେବେଳେ ବାପାମାଆଙ୍କ କଥାକୁ ଲୋକେ ଯେଉଁ ଗୁରୁଜ୍ଞାନ କରୁଥିଲେ ଆଉ କିଏ ଏ ଅକାଟ୍ଯ ବାଣୀକୁ କାଟିବ କହୁ ନାହାନ୍ତି ? ଯାହାବି ହେଉ ସେଇଦିନଠାରୁ ପ୍ରସ୍ତାବ ଖୋଜା ଚାଲିଲା। ବହୁ ଆଡୁ ବହୁ ଅଖୋଜା ଅଲୋଡ଼ା ପ୍ରସ୍ତାବ ବି ଆସିଲା। କାହ୍ନା ମାଷ୍ଟ୍ରେ କିନ୍ତୁ ସବୁଟାକୁ ନା ନା କହି ବହୁ ପ୍ରସ୍ତାବ ଭାଙ୍ଗିଲେ। ସେତେବେଳକୁ ସେ ବାହାହେବା କଥା ଆଦୌ ମନକୁ ଆଣିପାରୁ ନଥିଲେ। ନହେଲେ ପସନ୍ଦ ଅପସନ୍ଦ ଦେଖି ସେ କୋଉ ଗୋଟେ ପ୍ରସ୍ତାବକୁ ଅବଶ୍ଯ ହଁ କହି ପାରିଥା’ନ୍ତେ। କିନ୍ତୁ ତାଙ୍କର ତ ମକସଦ ହେଲା – ସବୁ ପ୍ରସ୍ତାବକୁ ନାକଚ କରିବା, କାହିଁକିନା ତାହେଲେ ଯାଇକି ସେ ଆଗକୁ ପାଠ ପଢ଼ିପାରିବେ ବୋଲି ଭାବୁଥିଲେ । ହେଲେ ବୁଢ଼ା କ’ଣ ସେତକ କରେଇ ଦେଲେ କି? ସେ ପରା ଟୋକାର ଏ ରକମର ହାବଭାବ ଦେଖି, ଦିନେ ଭୁସ୍ କିନା ଚାଲିଯାଇ ଦୂର ଗାଁର ଗୋଟେ ଝିଅ ଦେଖିଆସି କହିଲେ – “ମୁଁ ଝିଅ ଦେଖିଆସି କଥା ଦେଇଆସିଛି ।ତେଣିକି ତୁ ନାତିଆ ଦେଖ ବା ନଦେଖ ସେଇଠି ତୋର ବାହାଘରର ହେବ ମାନେ ହେବ, ଏଇଟା ଥୟ ଜାଣିଥା! ନହେଲେ ଏ ଚେମା ଦାସର ନାକ କଟିବ ।”
ଆଉ କାହ୍ନା ମାଷ୍ଟ୍ରେ କହିବେ କ’ଣ? ଏକାବେଳକେ ବାପ ରାଣେ ଢିଙ୍କି ଗିଳି ।ସେତେବେଳେ ପରା ବଡ଼ ବଡୁଆଙ୍କ ମୁହଁରେ ଜବାବ ଦେବା ଢଙ୍ଗଟା ଆଦୌ କାହାରି ପାଖରେ ନଥିଲା। ଅବଶ୍ଯ ଭାରି ମାନତି ଥିଲା, ନହେଲେ ପୁଣି ସେମାନେ କହିବେ ନାହିଁକି ବେଫାଦିଆ ନହେଲେ ବେମୁରିଆ – ଇଏ ବି ଗୋଟେ ଡର।

ଶେଷରେ କାହ୍ନା ମାଷ୍ଟ୍ରେ ଆଉ ‘ନା’ କହିପାରିଲେ ନାହିଁ। କାନନାକ ମୋଡ଼ିହୋଇ ସେଇଠି ବାହାହେଲେ ।ମେହେନା ପାଲିଙ୍କିରେ ବସି ବରକନ୍ୟା ବେଦୀରେ ବାହାହୋଇ ଘରେ ପଶିଲେ। ଚାହୁଁ ଚାହୁଁ ଛୁଆ ବକଟେ ଦି ବକଟେ ବି ହେଲେ। ପବିତ୍ରା ମାଆଟା ବେଶୀ ପାଠ ନ ପଢ଼ିଥିଲେ କ’ଣ ହେବ ବୁଦ୍ଧି ଅକଲର ଲୋକଟା । ତା ଯୋଗୁ ପରା ଘରକରଣା। ଘରପରିବାର ବନ୍ଧୁବାନ୍ଧବ ସବୁଟାକୁ ସିଏ ଏକା ସମ୍ଭାଳେ । ନିଜେ ସେତେ ପାଠ ନ ପଢ଼ିଥିଲେ କ’ଣ ହେବ , କାହ୍ନା ମାଷ୍ଟ୍ରେଙ୍କୁ ସେ କିନ୍ତୁ ସବୁବେଳେ ଉସୁକାଏ – “ଦେଖ! ମୋ ଯୋଗୁ ତୁମ ସ୍ଵପ୍ନ ଯେମିତି ଧୂଳିସାତ୍ ହୋଇ ନଯାଏ। ତୁମେ ଚାହୁଁଥିଲ ତ ପାଠପଢିବା ପାଇଁ, ପଢ଼! ସେଟାକୁ ଆଦୌ କାହା କଥାରେ ବନ୍ଦ କି ଅବହେଳା କର ନାହିଁ।”

ତେଣୁ ପାଠ ପାଇଁ କାହ୍ନା ମାଷ୍ଟ୍ରର ମନରେ ଯେଉଁ ଟିକେ ଅବସୋସ ଥିଲା, ତାହା ଧୀରେଧୀରେ ଦୂରୀଭୂତ ହେବାକୁ ଲଗିଲା। ସବୁକିଛି ତେଣିକି ଠିକ୍ଠାକ୍ ଓ ସ୍ଵାଭାବିକ ଢଙ୍ଗରେ ଚାଲିଲା।

ବାହାଘର ତ ଏମିତି ଅମନମନ କି ହଠାତ୍ ହୋଇ ଯାଇଥିଲା, କିନ୍ତୁ ମଝିରେ ମଝିରେ କାହ୍ନା ମାଷ୍ଟ୍ରେ ଢେର୍ କଥା ଶୁଣନ୍ତି। କେତେବେଳେ ସାହିପଡ଼ିଶା ନହେଲେ ସାଙ୍ଗସାଥି କେହି ସବୁ କୁହନ୍ତି – ଅମକେଇ ଝିଅଟା ତୋତେ ଭଲ ପାଉଥିଲା। ଆଉ କିଏ କୁହେ, ଅମକେଇ ଝିଅଟା ତୋତେ ପାଇବା ପାଇଁ ଦିଅଁ ଦେବତାଙ୍କୁ ଢେର୍ ପୂଜା କରିଥିଲା। ଏମିତି ବାର ଲୋକ ତେର କଥା କହି ମୁଣ୍ଡଟାକୁ ଖରାପ କରନ୍ତି , କିଏ କ’ଣ କାହା ମୁହଁରେ ତୁଣ୍ଡି ବାନ୍ଧିଛି ନା ବାଡ଼ବତା ଦେଇଛି ? ଯାହା ମନକୁ ଯାହା ଆସିଲା ସେୟା ସେ ବୋଝେ ଗପନ୍ତି , କାହ୍ନା ମାଷ୍ଟ୍ରେ ସବୁଟା ଶୁଣି ହସି ଦିଅନ୍ତି। ତେଣୁ କଥାରେ ଆଉ କିଛି ଗୁରୁତ୍ଵ ରହେ ନାହିଁ, ସବୁ ପାଣି ଫୋଟକା ପରିକା କୁଆଡ଼େ ମେଳେଇଯାଏ ।
କିନ୍ତୁ ସେଦିନ ହଠାତ୍ ଯେଉଁଦିନ ସୁଦାମା ବୋଲି ତାଙ୍କର ଜଣେ ସାଙ୍ଗିପିଲା କହିଲା – “ବୁଝିଲୁ ନା କାହ୍ନା ! ତୁ କିନ୍ତୁ କିଛି ଠିକ୍ କଲୁ ନାହିଁ।”
କାହ୍ନା ମାଷ୍ଟ୍ରେ କହିଲେ – “ମୁଁ ଏମିତି କ’ଣ ମାରହାଣ କଥା କଲି କି, ତୁ ମୋତେ କାଠଗଡ଼ାରେ ଛିଡ଼ା କରି ପ୍ରଶ୍ନ ହାଣୁଛୁ? ମୁଁ ଏମିତି କାହାର ଜାନ୍ ହାନୀ କରିଛି ନା ଜନାକାରି କରଛି ବା ? ତୁ ତ ଯେମିତି କଥା କହୁଛୁ, ସତେ ଯେମିତି ମୁଁ କଏଦୀ ହୋଇ ଛିଡ଼ାହୋଇଛି ଆଉ ତୁ ପୋଲିସ୍ ଓ ଓକିଲ ହୋଇ ମୋତେ ଜେରା କରୁଛୁ ।କହିବୁ ଯଦି ଖୋଲିକି କହୁନୁ! କଅଣ ତୋର ଏତେ ଦାମିକା କଥା କହିବାର ଅଛି ? “

ସୁଦାମା କହିଲା -” ନା ତୋତେ ଆଉ ଏଇଲାଗେ ସେଇଗୁଡ଼ାକ ସବୁ କହି ଲାଭ କ’ଣ? କଥାଟା ତ ତାଳ ଶେଣୀ ଦେଇ ତଳକୁ ବୋହି ଗଲାଣି।”
ତଥାପି କାହ୍ନା ମାଷ୍ଟ୍ରେ ଜିଦ୍ କଲାରୁ ସୁଦାମା କହିଲା। କହିଲାକି -” ଆମ ଗାଁ ରାଧା ତୋତେ ଭଲ ପାଉଥିଲାରେ କାହ୍ନା ! ସେ ତୋତେ ପାଇବା ପାଇଁ କ’ଣ କମତି କାରସାଦି କରିଛି? ଆଗ ତ ତୋ ପାଇଁ ସାତ ମଙ୍ଗଳବାର ରଖି ବ୍ରତ କଲା। ତା ବୁଢୀ ମା’ ଦିନେ ଜାଣିପାରି ତାକୁ ପଚାରିଲା – ‘ଲୋ ଝିଟି! କେଉଁ ଅଣ୍ଡିଆ ଦାସ ଲାଗି ସାତ ମଙ୍ଗଳବାର ବ୍ରତ ରଖିଛୁ କି?’ ସେ ଅଲାଜୁକି ବି ଗୋଟେ ଖିଆସିରେ କହୁକହୁ କହିଦେଲା – ‘ସେ ରସିକ କାହ୍ନା ମାଷ୍ଟ୍ରେକୁ ପାଇବା ପାଇଁ ଆଉ କ’ଣ ତୋ ବୁଢ଼ା ପାଇଁ ରଖିଥା’ନ୍ତି କି ଲୋ ପାକୁଆ ବୁଢ଼ୀ ?’
ଏ କଥାଟା ଧୀରେ ଧୀରେ ତା ମାଆ କାନକୁ ବି ଗଲା। ସେଇଠୁ ତା ବାପାଭାଇ ବି ଜାଣିଲେ। ସେଥିପାଇଁ ସେମାନେ ପ୍ରସ୍ତାବ ଧରି ତୁମ ଘରକୁ ଆଗୁଆ ଆସିଥିଲେ। ହେଲେ ତୋର ତ ‘ଏବେ ବାହାହେବି ନାହିଁ’ କହି ପ୍ରସ୍ତାବ ଭାଙ୍ଗିଦେଲୁ। ପୁଣି ତ ଦେଖିଲା ବେଳକୁ ସେଇ କାମ କଲୁ, ଆଉ କେଉଁ ଅଭିଆଡ଼ା ହୋଇ ଚିରକାଳ ରହିଲୁ କି? କିନ୍ତୁ ଗୋଟେ ଲଳନାର ମନ ଭାଙ୍ଗି ତୁ କିଛି ଠିକ୍ କଲୁ ନାହିଁ ସଙ୍ଗ! “
ଏ କଥା ଶୁଣି କାହ୍ନା ମାଷ୍ଟ୍ରେ କହିଲେ -“ଆବେ! ସିଏ ମୋତେ ଭଲ ପାଉଛି ବୋଲି ମୁଁ ଏକଥା କେମିତି ଜାଣିବି? ନା ସିଏ ମୋତେ କେଉଁଦିନ ମୁହଁ ଖୋଲିକି କହିଛି ନା ମୋର ଏ କଥାରେ କିଛି ଧାର୍ କି ଉଧାର ଅଛି।ତୁ ଯଦି ଏତେ କଥା ଜାଣି ପାରିଥିଲୁ, ମୋତେ କଥାଟା ଖୋଲିକି ସେତେବେଳେ କହିଲୁ ନି? “

ସୁଦାମା କହିଲା -” ଆରେ ସାଙ୍ଗ! ସେଇଠି ତ କଥାର ଅସଲ ପେଞ୍ଚ ରହିଲା ।ତାଙ୍କର କ’ଣ ସେତେବେଳେ ସେକଥାଟା କାହାକୁ କହିଲେ କି ? କାଳେ କଥାଟା କେଇ ଜାଣିଲେ ପ୍ରଘଟ ହୋଇ ଚାରିଆଡ଼େ ଡିଣ୍ଡିମ ବାଜିବ ଅଥବା ନାକରା ହେବ, ସେଥିପାଇଁ ତାଙ୍କର ସବୁ ମନେମନେ ରହିଲେ। ଝିଅକୁ ବି ଆଉ ଅଧିକା ଉଚ୍ଚୁକା ନହେବା ପାଇଁ ତାଗିଦା କଲେ। ହେଲେ ଝିଅ ମନ ରଖିବାକୁ ଖାଲି ପ୍ରସ୍ତାବ ପକାଇଲେ, ହେଲେ ତୁ ଏବେ ବାହାହେବୁ ନାହିଁ ବୋଲି ନାହିଁ କରିଦେଲା ପରେ, ସେମାନେ ଭାବିଲେ ଆଉଥରେ ପ୍ରସ୍ତାବ ଧରି ପରେ ଆସିବେ। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର , ତେଣୁ ସେକଥା ସେଦିନ ହୋଇପାରିଲା ନାହିଁ। ଛାଡ଼ ସେ ସବୁ କଥା, ଆଉ ଅଲୋଚନା କରି ଇଲାଗେ ଲାଭ କ’ଣ? ଖାଲି କଥା ପଡ଼ିଲାରୁ ଟିକିଏ କହିଦେବା କଥା ।ହେଲେ ସାଙ୍ଗ! ବିଚାରୀ ରାଧାଟା ଭାରି କଷ୍ଟ ପାଇଲାରେ! ମାନସିକ ଚାପରେ ଦହଗଞ୍ଜ ହୋଇ ସେ କ’ଣ କହିଲା ଜାଣିଛୁ! କହିଲା -” ମୁଁ ଆଉ ବାହାହେବି ନାହିଁ, ଏ କାହ୍ନା ଯଦି ରାଧାର ହୋଇ ପାରିଲା ନାହିଁ, ଏ ରାଧା ବି ଆଉ କାହାର ହେବ ନାହିଁ ” । ହେଲେ ବାପ ଭାଇ ସେ କଥା ଆଉ ବୁଝିବେ ନା, ଯେଉଁଠି ହେଲେ ତା’ର ବାହାଘର କରିଦେବେ ନା।ବର୍ଷେ ଦି ବର୍ଷ ଗଲା ପରେ ରାଧା ବି ନିଜ ମନକୁ ନିଜେ ବୁଝେଇ ନେଲା।
ଏମିତି ସେଦିନକର ଘଟଣା ଗଲା। ସୁଦାମାଠାରୁ ବିଦାୟ ନେଇ କାହ୍ନା ମାଷ୍ଟ୍ରେ ଘରକୁ ଫେରିଲେ ସତ କିନ୍ତୁ କେମିତି ଗୋଟେ ମାନସିକ ଉତ୍ପୀଡ଼ନ ସେ ଅନୁଭବ କରୁଥା’ନ୍ତି ।ରାତିସାରା ତାଙ୍କୁ ଆଉ ନିଦ ହୋଇ ନାହିଁ ।ସବୁକଥାକୁ ସେ ମନେ ପକାଇଲେ ଯେ, ଏଇ ରାଧା ତାଙ୍କୁ କେବେଠୁଁ ଓ କେମିତି ଭଲପାଇ ଆସୁଥିଲା , ସେଇ କଥାକୁ ସେ ଭାବିହେଲେ ଯେଉଁ କଥାକୁ କାହ୍ନା ମାଷ୍ଟ୍ରେ ନିଜେ ବି ଭଲକି ଜାଣି ନ ଥିଲେ ।

କାହ୍ନା ମାଷ୍ଟ୍ରେ ପଙ୍ଗିରାରୁ ଦୈନିକ ଚାଲିଚାଲି ବିମ୍ବବଳବର ସ୍କୁଲ ଆସନ୍ତି ।ଯିବାଆସିବା ବାଟ ମୋଟ ଦଶ ମାଇଲ ହେବ। ବାଟରେ ରାଣୀପଡ଼ା, କଣ୍ଟାପଡ଼ା, ତେନ୍ତୁଲିଆ କି ଦୁଇ ତିନିଟି ଗାଁ ପଡ଼େ। ତାକୁ ପାରିହେଲା ଯାଇ କାହ୍ନା ଘର ପଙ୍ଗିରା ଆସିବ ।
ସେବର୍ଷ ଖରାଦିନେ ଖୁବ୍ ଟାଣ ଖରା ହେଉଥାଏ। ସକାଳୁଆ ସ୍କୁଲ ସାରି ଘରକୁ ଫେରିବା ବେଳକୁ ସୁଦ ଉଦୁଉଦିଆ ଖରାବେଳ ହୋଇ ଯାଉଥାଏ ।ସେତେବେଳେ ଗାଁ ଗଣ୍ଡାରେ ଆଉ ଦୋକାନ ବଜାର ତ କିଛି ନଥିଲା ନା , ତେଣୁ ଘରୁ ଦୁଇଟା ପଖାଳ ପାଣି ଖାଇ ଗୋଡ଼କାଢ଼ି କି ଗଲେ , ପୁଣି ଘରକୁ ଫେରିଲେ ଯାଇକି ଖିଆପିଆ ଓ ଆଉ ଯେଉଁ କଥା ।ବାଟରେ ଶୋଷ ଟିକେ ଲାଗିଲେ ବି କାହା ଘରୁ ମାଗିକି ମୁନ୍ଦେ ପିଇବ ନ ହେଲେ ଶୋଷରେ ଫକାସି ଉଡ଼ିଯିବ। କାହିଁକିନା ସେତେବେଳେ ପରା ଆଜିକାଲିକା ପରି ପ୍ଲାଷ୍ଟିକ୍ ବୋଟଲ ମିଳୁ ନଥିଲା କି ଧରିକି ଯିବାଆସିବା କରିବା ଅଭ୍ୟାସଟା କାହାରି ନଥିଲା ।ଇଏ ସବୁ ଯୁଗାନ୍ତର କଥା, ଯୁଗକୁ ଯୁଗ ନେଇ କେତେ ଭିନ୍ନତା। ସେଇଥିପାଇଁ ପରା କୁହାହୁଏ-“ସେ କାଳ ପଖାଳ ଏ କାଳେ ନାହିଁ, ଏ କାଳ ବାବାଜୀ ସେ କାଳେ ନାହିଁ।”
ସହଜେ ତ କାହ୍ନା ଲାଜକୂଳା ପ୍ରକୃତିର , ପୁଣି ସେ ମାଷ୍ଟ୍ରିଆ ଲୋକ ହୋଇଥିବାରୁ ମାନ ମହତ୍ କୁ ତା’ର ଭାରି ଡର ।ତେଣୁ ଆଉ ଯାହାକୁ ନାହିଁ ତାହାକୁ ତ ପାଣି ମୁନ୍ଦେ ମାଗି ବାଟଘାଟରେ ପିଇହେବ ନାହିଁ ନା? ସେଦିନ ତେଣେ ଯୋଗକୁ ଫେରିଲା ବେଳେ ବାଟ କଡ଼ରେ ଦାଣ୍ଡ କୂଅରୁ ରାଧା ପାଣି କାଢ଼ୁଥାଏ। କହ୍ନେଇ ମାଷ୍ଟ୍ରଙ୍କୁ ଭାରି ଶୋଷ ଲାଗୁଥାଏ ବୋଧେ ।ତେଣୁ ସେ ଦଣ୍ଡେ ଛିଡ଼ାହୋଇ ସେଠି ଅଟକି ରହିଲେ। ରାଧା ପଚାରିଲା – “ଆଜ୍ଞା! ପାଣି ପିଇବେ କି, ନେଉ ନାହାନ୍ତି? ଏଣେତେଣେ ଚାହୁଁଛନ୍ତି କ’ଣ?”

କାହ୍ନା ମାଷ୍ଟ୍ରେ କହିଲେ – “ହଁ ପାଣି ମୁନ୍ଦେ ଦିଅନ୍ତୁନି! କାହିଁକି ଭାରି ଶୋଷ ଲାଗିଲାଣି।”
ସେହିଦିନଠାରୁ ଏମିତି ଗୋଟେ ଅଭ୍ୟାସରେ ପଡ଼ିଗଲା ଯେ, କାହ୍ନା ମାଷ୍ଟ୍ରେ ଯେତେବେଳେ ଆସି ସେଇ କୂଅମୂଳ ପାଖରେ ପହଞ୍ଚିବେ ଠିକ୍ ତାଙ୍କୁ ସେତିକି ବେଳକୁ ଶୋଷ ଲାଗିବ ଆଉ ସେ ରାଧା କେଉଁଠି ଛକିକି ଥିବ କେଜାଣି, ହଲହଲ ହୋଇ ଗଣ୍ଡିଟାକୁ କାଢ଼ି ଦାଣ୍ଡପଟକୁ ବାହାରିଆସିବ। କୂଅରୁ ନୋଟିଆରେ ପାଣି କାଢ଼ିଦେଇ କହିବ -” ସାର୍! ପାଣି ଠୋପାକ ଭଲକି ପିଇ ଦେଇକି ଯାଆନ୍ତୁ, କାହିଁକିନା ଆହୁରି ମାଇଲିଏ ଦି’ମାଇଲି ବାଟ ଯିବେ ପରା? ବାଟରେ ତ ସୁଦ ଟାଙ୍ଗରା ଭୂଇଁ ପଡ଼ିବ, ଘରଦ୍ଵାର କିଛି ନାହିଁ। ତେଣୁ ବାଟରେ ଶୋଷ ଲାଗିଲେ ଏଇ ରାଧା କଥାକୁ ଭାଳି ହେଉଥିବେ , ରାଧା ଠିକ୍ କହୁଥିଲା କି ଭୁଲ କହୁଥିଲା।”

କାହ୍ନା ମାଷ୍ଟ୍ରେ ହସି ଦେଇକି ପାଣିପିଇ ସେଠୁ ଚାଲିଯାଆନ୍ତି, ହେଲେ ଲାଜ ସରମକୁ ଡରି ଆଉ ଅଧିକ କିଛି ମୁହଁ ଖୋଲି କହିପାରନ୍ତି ନାହିଁ। ରାଧା ବେଳେବେଳେ ଟାଉଳିକି ପଦେ ଅଧେ କହିଦେଲେ ମାଷ୍ଟ୍ରେ ସମ୍ଭ୍ରମ ରକ୍ଷାକରି କିଛି କହନ୍ତି ନାହିଁ ସିନା କିନ୍ତୁ ରାଧାର ସରଳିଆ ଓ କଅଁଳିଆ ବୟସର ଉଦ୍ଦୀପନାକୁ ବୁଝି ବେଶ୍ ମୁରୁକି ହସାଟେ ମାରି ଚାଲିଯାଆନ୍ତି। ମନେମନେ ଭାବନ୍ତି – “ଇଏ ରାଧା ବି ନା” ।
ରାଧା କିନ୍ତୁ ସେଇଠି ସେଇମିତି ଉଗୁରି ହେଉଥିବ ଆଉ ପାଣି କାଢ଼ିବା ବାହାନାରେ କହ୍ନା ମାଷ୍ଟ୍ରେ ତା ଆଖି ସାମ୍ନାରୁ ଅଦୃଶ୍ୟ ହେଲାନଯାଏ ସେଇ ରକମର ଚାହିଁ ରହିଥିବ ।ଆଉ ବେଳେବେଳେ ଗୁଣୁଗୁଣୁ ହୋଇ ମନକୁ ମନ କହୁଥିବ – “ଏଇ ହୁଣ୍ଡା ମାଧିଆଟା କିଛି ବୁଝିପାରୁ ନାହିଁ। କାଲିଠାରୁ ଆଉ ଏ କୂଅମୂଳକୁ ଆସିବି ନାହିଁ ଯେ, ଏକାଥରକେ ତା ରଗ ମରିଯିବ।” ହେଲେ ପୁଣି ଯୋଉ କଥାକୁ ସେଇ କଥା ପ୍ରତିଦିନ ସେ ସେଇ କଥାକୁ କରେ। କହ୍ନା ମାଷ୍ଟ୍ରେ ବେଳେ ବେଳେ ପଛକୁ ଚାହିଁ ଦେଖିଲେ, ସେ ଦେଖନ୍ତି ଯେ ରାଧା ସେଇ କୂଅମୂଳରେ ଖରାରେ ସେଇମିତି ଛିଡ଼ାହୋଇ ଇଆଡ଼େ ସିଆଡ଼େ ଉଣ୍ଡୁଥିବ ନହେଲେ ତାଙ୍କୁ ଅନିସା କରି ରହିଥିବ। ସେ କିନ୍ତୁ କଥାଟାକୁ ଆଉ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ।
ଆଜି କିନ୍ତୁ ବିଛଣାରେ ଶୋଇ ଶୋଇ ବାରମ୍ବାର କଡ଼ ଲେଉଟାଇ ସେ ଏଇ ଚିତ୍ର ଗୁଡ଼ାକ ସବୁ ମନ ମଧ୍ୟରେ ଉତ୍ତୋଳିତ କରୁଥା’ନ୍ତି ଆଉ ମଧ୍ଯ ବୁଝିବାକୁ ଚେଷ୍ଟା କରୁଥା’ନ୍ତି ଯେ, ରାଧା ମନରେ ସେଦିନଗୁଡ଼ିକରେ ଆନ୍ଦୋଳିତ ହେଉଥିବା ତା’ର ଭାବାବେଗ ଓ ଉଦ୍ୱେଳନକୁ। ହେଲେ ସେ ତ ଏବେ ନିରୁପାୟ।

କହ୍ନା ମାଷ୍ଟ୍ରେଙ୍କର ଆଜି ବି ସ୍ପଷ୍ଟ ମନେ ଅଛି, ତାଙ୍କ ବାହାଘର ପରେ ରାଧା ଆଉ କୂଅ ପାଖରେ କାହିଁ ଲଣ୍ଡଭଣ୍ଡ ହୁଏ ନାହିଁ। କିନ୍ତୁ ଦାଣ୍ଡ ଦୁଆର କବାଟ କଣରେ ସେ ଲୁଚିକି କହ୍ନା ମାଷ୍ଟ୍ରେଙ୍କୁ ଦେଖେ, ଆଉ ସେ ତାଙ୍କ ଘର ପାରି ହୋଇଗଲା ପରେ ପଛରୁ ତାଙ୍କୁ ଉଙ୍କି ମାରି ଗଳି କି ଦେଖେ। ସେଇ ସେତିକିରେ ହୁଏତ ତା’ର ଆତ୍ମସନ୍ତୁଷ୍ଟି, କିନ୍ତୁ କେବେବି ସେ ଆଉ ସମ୍ମୁଖକୁ ଆସି ନାହିଁ। ବରଂ କାହ୍ନା ମାଷ୍ଟ୍ରେ ସାମ୍ନାରେ ପଡ଼ିଲେ ସେ ଝପଟି ଲୁଚିଯାଏ ।

ଅବଶ୍ୟ ବର୍ଷେ ଦୁଇ ବର୍ଷ ପରେ ରାଧା ନିଜ ମନକୁ ହୁଏତ ବୁଝେଇ ନେଇ ପୁଣି ବାହାଘର ପ୍ରସ୍ତାବରେ ରାଜି ହେଲା ଓ ଅନ୍ୟତ୍ର ଶାଳନିଆଁ ଆଡ଼େ କେଉଁଠି ଗୋଟେ ଗାଁରେ ବାହା ହୋଇଗଲା। ଘଟଣାର ପୂର୍ଣ୍ଣଛେଦ ପଡ଼ିଲା ।

ତଥାପି ବେଳେ ବେଳେ କାହା ପାଖରୁ ନା କାହା ପାଖରୁ ନହେଲେ ସୁଦାମା ପାଖରୁ ସେ ଶୁଣନ୍ତି ଯେ, ରାଧା ଘରକୁ ଆସିଥିଲା ଆଉ ତାଙ୍କ କଥା ସବୁ କାହା ପାଖରୁ ନା କାହା ପାଖରୁ ପଚାରି ବୁଝୁଥିଲା – ଏବେ କାହ୍ନା ମାଷ୍ଟ୍ରେ କେଉଁଠି ଅଛନ୍ତି, କିପରି ଅଛନ୍ତି, ତାଙ୍କର ପିଲାଛୁଆ କ’ଣ କରୁଛନ୍ତି, ଏବେ ଚାକିରି କେଉଁଠି, ଆଉ ପଦୋନ୍ନତି କ’ଣ ହେଲା, ଆଉ ସବୁ ତାଙ୍କର ଭଲ ନା, ତା ଦେହ ପା’ ଭଲ ଅଛି କି ନାହିଁ ଇତ୍ୟାଦି ଇତ୍ୟାଦି ଅନେକ କଥା। କାହ୍ନା ମାଷ୍ଟ୍ରେ ଶୁଣି ଦିଅନ୍ତି ଆଉ ହୁଁ ହାଁ ମାରି ରହି ଯାଆନ୍ତି। ସିଏ ବା କାହିଁକି ଏ କଥାରେ ଏତେ ଆଗ୍ରହ ପ୍ରକାଶ କରନ୍ତେ?

ଏଇମିତି କାହ୍ନା ମାଷ୍ଟ୍ରେ ସେସବୁ ପୁରୁଣା କଥାକୁ ଏବେ ସମ୍ପୂର୍ଣ୍ଣ ବିସ୍ମରି ଗଲେଣି। ବୟସ ବି ଆଜି ତାଙ୍କୁ ସତୁରି ଧରିଲାଣି, କ’ଣ କମ୍ କଥା।
ସେଦିନ କିନ୍ତୁ ଗୋଟେ ଘଟଣା ତାଙ୍କୁ ହଠାତ୍ ଏ ବୁଢ଼ା ବୟସରେ ବି ବିସ୍ମିତ କରିଦେଇଥିଲା, ସେ ସ୍ତମ୍ଭୀଭୂତ ହୋଇ ରହିଗଲେ ।ରାଧା ଗାଁକୁ ଆସିଥିଲା, ସୁଦାମା ପୁଅର ବାହାଘରକୁ ।ସୁଦାମା ତାଙ୍କର ଭାଇ ଘରିଆ। କାହ୍ନା ମାଷ୍ଟ୍ରେ ମଧ୍ଯ ବନ୍ଧୁ ଡାକରାରେ ବାହାଘରକୁ ଆସିଥିଲେ ।ସେଠି କିଛି ସମୟର ରହଣି ଭିତରେ ସେ ଲକ୍ଷ୍ୟକଲେ, ବୁଢ଼ୀଟିଏ କେହି ତାଙ୍କୁ ବାରମ୍ବାର ଚାହୁଁଛି। ପୁଣି କେତେବେଳଠୁଁ ସେଇଠି ତାଙ୍କରି ଆଗ ଦେଇ ଖାଲି ନଟରପଟର ହେଉଛି ନହେଲେ ଦେହରେ ଘସି ହୋଇ କେତେବେଳେ ଚାଲିଯାଉଛି । କାହ୍ନା ମାଷ୍ଟ୍ରେ ଟିକେ ଦୋ ଦୋ ଚିହ୍ନା କରି ଠଉରେଇ ନେଲେ – “ଇଏ ବୋଧେ ରାଧା ହୋଇଥିବ” । ତେଣୁ ସାହାସ କରି ପଚାରି ଦେଲେ -” ରାଧା ମୋତେ ଚିହ୍ନିପାରୁଛ ନା ? “
ସେଇଠୁ ସେ ହଠାତ୍ ମୁହଁ ଫୁଲେଇ ଅଚିହ୍ନା ଲୋକ ପରି ଛିଗୁଲେଇ ହୋଇକି କାହିଁକି ନ କହେ – “ଚିହ୍ନିଛି! ଚିହ୍ନିଛି!! କାହ୍ନେଇକି ଚିହ୍ନିଛି, କାହ୍ନେଇଲାଲକୁ ବି ଚିହ୍ନିଛି। ଆଉ ସେଇ କାହ୍ନା ମାଷ୍ଟ୍ରଙ୍କୁ ବି ଚିହ୍ନିଛି। ହଁ, ସେ ଠକ କାହ୍ନା ମାଷ୍ଟ୍ରେକୁ କିଏ ନ ଚିହ୍ନିଛି। ଭଲପାଇ ଯିଏ ଠକିଦେଲା , ତାକୁ କ’ଣ ଦୁରାଚାର କହିନ୍ତି ନା? ସେ କାହ୍ନାଟା ସୁଦ ଦଗାବାଜଟେ ।”
ଏ କଥା ଶୁଣି ସେ କହ୍ନା ମାଷ୍ଟ୍ରେଙ୍କର ବୋଧେ ରାଗ ଆସି ଯାଉଥାଏ। କାହିଁକିନା ଲୋକବାକ ସବୁ ସେଠି ପୂରି ରହିଛନ୍ତି ଆଉ ତାଙ୍କୁ ସମସ୍ତଙ୍କ ଆଗରେ ଏମିତି ଅସମ୍ମାନିତ କରି କଥା କହିବା କ’ଣ ଠିକ୍ ହେଲା? ତେଣୁ ସେ କିଛି କହିବେ କହିବେ ବୋଲି ଭାବି ଉଙ୍କରି ଆସୁଥିଲେ। ତାଙ୍କୁ ହଠାତ୍ ସୁଦାମା ଆସି ବାଡ଼ିପଟକୁ ଗୋଟେ ଏକାନ୍ତ ଜାଗାକୁ ଟାଣିନେଲା। ସୁଦାମା କହିଲା – “ତାକୁ ତୁ କିଛି କହନି ରେ! ଏତେ ଦିନ ପରେ ହେଲେ ବି ତା ମନର କ୍ରୋଧ ସେ ଆଜି ପ୍ରକାଶ କରିଦେଲା। ହେଲେ ଆଜି ବି ତୋ ପ୍ରତି ତା ଭଲ ପାଇବା କିଛି କମି ନାହିଁ ରେ! ତୁ ଜାଣୁ! ଯେତେବେଳେ ସେ ଆସୁନା କାହିଁକି ବା ମୋ ସହିତ ତା’ର ଭେଟ ହେଉନା କାହିଁକି ସବୁ କାମ ଛାଡ଼ି ଆଗ ତୋରି କଥା ହିଁ ସେ ପଚାରି ବସେ । ମୋଠୁଁ ତୋ ଭଲମନ୍ଦ ଆଗ ସବୁ ବୁଝି ସାରିଲା ପରେ ଯାଇ ସେ ପେଟକୁ ଦାନା ନେବ ନହେଲେ ନିର୍ଜଳା ଉପବାସରେ ରହିଯିବ ପଛେ ପାଟିକୁ କିଛି ଦାନା ନେବ ନାହିଁ। ଯେଉଁଦିନ ତୁ କଟକ ବଡ଼ ମେଡିକାଲ୍ ରେ ପଡ଼ି ହୃଦଘାତ ଜନିତ ସମସ୍ୟାର ନିରାକରଣ ପାଇଁ ଅପରେସନ୍ ହେଉଥିଲୁ। ସେଦିନ ସେ ଏଇଠି ଥିଲା। କମ୍ ଦିଅଁ ଦେବତାଙ୍କୁ ଆକୁଳ ହୋଇ ଡାକିଛି ନା – “ହେ ଈଶ୍ୱର! ମୋ କାହ୍ନାକୁ ତୁମେ ଭଲ କରି ଦିଅ ଭଲ କରିଦିଅ” ବୋଲି। ଅଖଣ୍ଡ ଦ୍ଵୀପ ଜାଳି ରାତିସାରା ଉଜାଗର ରହିଛି ।ତୁ ତା ହୃଦୟ ବେଦନା ବୁଝିପାରିବୁ ନାହିଁରେ କାହ୍ନା! ସେ ଗରିବ ମଣିଷଟେ ସିନା ହେଲେ ଅନ୍ତର ଚିହ୍ନଥିବା ମଣିଷଟେ ।ତୋ ଉପରେ ଆପଣାର ପଣିଆ ଓ ଅଧିକାର ଜାହିର୍ କରି ସେ କେତେବେଳ କ’ଣ ରାଗରେ କହିଦିଏ ସିନା କିନ୍ତୁ ସତ କହିବାକୁ ଗଲେ ତୋ ଉପରେ ତା’ର ଭାରି ଲୋଭ। “

ସୁଦାମା ପାଖରୁ ଏତିକି କଥା ଶୁଣିଲା ପରେ ସେ ‘ଏକ’ ଯିବା ବାହାନାରେ ବାଡ଼ିପଟ ଝଙ୍କାଳିଆ ଆମ୍ବ ଗଛ ମୂଳକୁ ଏକୁଟିଆ ଖସିଯାଇ କେଯାଏ ସମୟ ସେଇଠି ନୀରବରେ କାନ୍ଦିଉଠିଲେ କଇଁ କଇଁ ହୋଇ, ଏକ ଅବ୍ୟକ୍ତ ଯନ୍ତ୍ରଣାରେ। ହୃଦୟରାଣୀ ଛଟପଟ ହେଉଥିଲା ।
ମନେ ମନେ ପ୍ରଶ୍ନ ବାଢୁଥିଲେ-ତେବେ ଏମିତି ଅନେକ ହୃଦୟର କଥା ସତରେ କ’ଣ ଅକୁହା ଆଉ ଅବ୍ୟକ୍ତ ହୋଇ ରହିଯାଏ ଚିରକାଳ ?
ଏତିକି ବେଳକୁ ପଛପଟୁ ସୁଦାମା ଆସି ପିଠି ଥାପୁଡେଇ ଦେଲା ବେଳକୁ କାହ୍ନା ବୁଲିପଡ଼ି ତା କୋଳକୁ ଆଉଜି ଆସି କହି ଉଠିଲେ – “ତାହେଲେ ପ୍ରେମ କ’ଣ ସତରେ ଅଜର, ଅମର ନା କ୍ଷଣଭଙ୍ଗୁର ଦୁନିଆରେ ଗୋଟେ କ୍ଷଣିକ ଉତ୍ତେଜନା ?ତେବେ ରାଧା ପ୍ରେମ ଓ ଶ୍ରୀରାଧାଙ୍କ ପ୍ରେମ ଭିତରେ ଦୂରତା କେତେ?”
ସୁଦାମା ଆହୁରୁ ଜୋର୍ ରେ ପିଠି ଥାପୁଡ଼େଇ ଦେଉଥାଏ ।ରାତ୍ରିର ଅନ୍ଧକାରଟା ଆହୁରି ଘନୀଭୂତ ହେଉଥାଏ ।

ଶରମିଳା
—By Dr satya prakash sethy
ଶରମିଳା କଲେଜ ପଢୁଆ ଝିଅ, ଭାରି ଗରିବ। ଭଗବାନ ଯୋଗକୁ ବାପାମାଆଙ୍କ କୋଳରେ ଆହୁରି କେମିତି ଛୁଆ ବକଟେ ଦେଇଛନ୍ତି, କିନ୍ତୁ ସେଇ ଗୋଟିଏ ଛୁଆ। ପାଖକୁ ଭାଇଭଉଣୀ ବୋଲି ସାଥ୍ ଦେବାକୁ ଆଉ କେହି ନାହିଁ। ତେଣୁ ସେ ଖାଲି ଏକଲା, ବାପାମାଆଙ୍କର ଏକମାତ୍ର ସନ୍ତାନ ।ତହୁଁ କେମିତି ତାକୁ ପାଠପଢ଼େଇ ମଣିଷ କରିବେ ବୋଲି ପରିବାରର ଖାଲି ସେଇ ଗୋଟିଏ ଚିନ୍ତା। ବାପାମାଆ ଦି ଜଣ ସେରନ୍ତା ନହେଲେ କ’ଣ ହେବ, ଝିଅ ପାଇଁ କିନ୍ତୁ ସବୁ ଖଞେଇକି ରଖିଥା’ନ୍ତି, ଯେମିତି କୌଣସି କଥାରେ ତା’ର କେଇବେଳେ କିଛି ଅସୁବିଧା ନହୁଏ ।
ସାହିପଡ଼ିଶା ତ କାହାରି ଶିରି ଦେଖାଇପାରନ୍ତି ନାହିଁ କି ସହିପାରନ୍ତି ନାହିଁ, ଏଟା ସ୍ୱାଭାବିକ କଥା। ତେଣୁ ଦେଖେଇ ସେକେଇ କେତେ କଥା କୁହନ୍ତି -” ଦେଖ ହୋ! ବାପାମାଆ ଦୁଇଟା କେତେ ଫୁଲେଇ ହେଉଛନ୍ତି, ଆହୁରି ଯଦି ପୁଅ ଛୁଆ ଖଣ୍ଡେ ହୋଇଥା’ନ୍ତା ଆହୁରି କେତେ କ’ଣ ନବରଙ୍ଗୀ ହୋଇଥା’ନ୍ତେ। “
ଏକଥା କଦବାଏ କ୍ଵଚିତ୍ ଶରମିଳା କାନରେ ପଡ଼ିଗଲେ ସେ ଶକଶକ ହୋଇ ମାଆକୁ କହେ – “ବୋଉ! ମୋତେ କାହିଁକି ତୁ ପୁଅ କଲୁ ନାହିଁ କି ଲୋ? ଦେଖୁଛୁନା! ହରିଆ ବାପା ହର ବଡ଼ମାଆ କ’ଣ କହୁଛି? “

ବୋଉ କୁହେ – “ତୁ ମାଆ ସେମାନଙ୍କ କଥାକୁ ଆଦୌ କାନ ଦେ ନା! ସେମାନେ ହେଲେ ପରମଣିଷ । ତେଣୁ କାହାରି ଭଲମନ୍ଦଟାକୁ ସହିପାରୁ ନାହାନ୍ତି ।ଇଲୋ! ପୁଅ ଝିଅ ଗୋଟେ କ’ଣ? ଇଏ ସବୁ ସେଇ ଈଶ୍ୱରଙ୍କ ଭିଆଣ। ସ୍ରୁଷ୍ଟି ରକ୍ଷାକରିବା ପାଇଁ ଭଗବାନ ପରା ଉଭୟଟାକୁ ସ୍ରୁଷ୍ଟି କରିଛନ୍ତି । ତା ବୋଲି ଆମେ ଈଶ୍ୱରଙ୍କ ସୃଷ୍ଟିକୁ ଆଉ କ’ଣ ଭୁଲ କହିପାରିବା କି?”
ଶରମିଳା ମୁଣ୍ଡ ହଲାଇ ନାଇଁ କଲାରୁ ପୁଣି ମାଆ କହିଲେ -” ତେଣୁ ଆଜିଠାରୁ ଜାଣିଥା, ନିଜକୁ କମ୍ ଭାବିବା ସବୁଠାରୁ ବଡ଼ ଭୁଲ। ଦୁନିଆରେ ସମସ୍ତେ ମଣିଷ ଆଉ ସମସ୍ତଙ୍କର ବଞ୍ଚିରହିବାର ଗୋଟେ ଅଧିକାର ରହିଛି। ତେଣୁ ତୁ ନିଜକୁ କିଛି ଆଚ୍ଛା କରି ଦେଖାଇବାକୁ ଚେଷ୍ଟାକର, ଦେଖିବୁ! ବଳେ ସେମାନଙ୍କ ପାଟି କେମିତି ବନ୍ଦ ହୋଇଯିବ । କହିବାକୁ ଆଉ କିଛି ପାଟିରେ ପଶିଲେ ସିନା କହିବେ, ପାଟି ତ ଆପେଆପେ ଖନି ମାରି ନେଇଯାଇଥିବ ।”
ସେଇଦିନ ପାଖରୁ ଏ କଥାର କ’ଣ ଏମିତି ପ୍ରଭାବ ଶରମିଳା ଉପରେ ପଡ଼ିଲା କେଜାଣି, ସେ ନିଜକୁ ଏଣିକି ବେଶ୍ ସହଜ ଅନୁଭବ କଲା। ତା ଭିତରେ ଗୋଟେ ଗଭୀର ଆତ୍ମବିଶ୍ବାସ ବୋଧେ ଜନ୍ମ ନେଲା ।ଆଉ ସେ ପଛକୁ ଫେରି ଚାହିଁ ନାହିଁ, ତା’ର ଗତି ଆଗକୁ ଆଗକୁ, କ୍ଷୀପ୍ର ତା’ର ବେଗ, ବେଗଗାମୀ ଦ୍ରୁତ ଜାନ ପରି ।ଚାହୁଁଚାହୁଁ ସେ ବଡ଼ ହେବାକୁ ଲାଗିଲା, ଯହୁଁ ସେ ବଡ଼ ହେଉଥାଏ, ସଫଳତା ତା’ର ଶୀର୍ଷ ଚୁମୁଥାଏ ।ଏମିତି ଦିନେ ସମୟ ଆସିଲା ସାରା ଦୁନିଆରେ ତା ନାଁ ବି ରୋଶନ ହେଲା ।
ବାସ୍ତବରେ ମଣିଷ ମନରେ ଥରେ ଆତ୍ମବିଶ୍ଵାସ ଆସିଗଲେ ତା’ର ମନୋବଳ ବଢ଼ିଯାଏ ଆଉ ମନୋବଳ ବଢ଼ିଗଲେ ସେ ଅସମ୍ଭବ କାର୍ଯ୍ୟକୁ ବି ସମ୍ଭବ କରି ଦେଖାଏ। ଦେଖୁ ନାହାନ୍ତି! ଗୋଟେ ଛୋଟିଆ ଗାଁର ଛୋଟିଆ ପରିବାରଟିଏ।ପରିବାରରେ ପୁଣି ଗୋଟିଏ ମାତ୍ର ଝିଅ, ଗରିବକୁ ଗରିବ ବି ।କିନ୍ତୁ କ’ଣ ସେ ହାର୍ ମାନିଲା ।ସଙ୍ଘର୍ଷ କଲା ନା! ପୁଣି ଖାଲି ସଂଘର୍ଷ ନୁହେଁ, ସଫଳତା ବି କମେଇଲା। ଏୟାକୁ କୁହନ୍ତି ଅସିଲ ଜିତ୍।
ଶରମିଳା ଗାଁ ଗହଳିର ଅଭାବ ଅନାଟନକୁ ସାଥ୍ କରି ଗାଁ ଗହଳିରେ ପଢ଼ିଲା ସତ କିନ୍ତୁ ଭାରି ଡଗଡଗୀ। ତା’ର ତେଜ୍ ଦିମାଗ ।ଯାହା ଥରେ ପଢ଼ିଦେବ ଏକାବେଳକେ ମନେ ରଖିଦେଇଥିବ ।ସେଥିପାଇଁ ସାଥୀ ପିଲା କେହି ତାକୁ ପାରନ୍ତି ନାହିଁ। ସମସ୍ତଙ୍କୁ ଟପି ଅଧିକା ମାର୍କ ରଖି କ୍ଲାସରେ ସେ ଯେମିତି ହେଲେ ଫାଷ୍ଟ ହୋଇ ଯାଇଥିବ। ଶ୍ରେଣୀ ଶିକ୍ଷକ ହୁଅନ୍ତୁ ବା ସ୍କୁଲର ପ୍ରଧାନ ଆଚାର୍ଯ୍ୟ ସମସ୍ତେ ପରା ପ୍ରଶଂସାରେ ପୋତି ପକାନ୍ତି ।ସମସ୍ତଙ୍କୁ ଉଦାହରଣ ଦିଅନ୍ତି, କୁହନ୍ତି – “ଦେଖ! ପଢ଼ିବ ଯଦି ଶରମିଳା ଭଳି ପଢ଼ ।”
ଗୁରୁଜୀଙ୍କର ତା ଉପରେ ଭାରି ଆଶା। ସମସ୍ତେ ବହୁ ଆଗରୁ କହିଥିଲେ – “ଏ ସ୍କୁଲ ପାଇଁ କେହି ଯଦି ପ୍ରଥମ କରି ସର୍ବୋତ୍କୃଷ୍ଟ ଗୌରବ ଆଣିପାରେ, ସେ ହେଉଛି ଶରମିଳା।ସତକୁ ସତ ମାଟ୍ରିକ୍ ପରୀକ୍ଷା ହେଲା, ବହୁ ବର୍ଷର ରେକର୍ଡ ଭାଙ୍ଗି ସରମିଳା ଖାଲି ସ୍କୁଲରେ ସର୍ବୋଚ୍ଚ ନମ୍ବର ରଖିଲା ନାହିଁ ସାରା ରାଜ୍ୟରେ ବେଷ୍ଟାଣ୍ଡ ପାଇଲା। ସେଦିନ ବାପାମାଆ ଗ୍ରାମବାସୀଠାରୁ ଆରମ୍ଭ କରି ବିଦ୍ୟାଳୟ ଯାଏ କି ଖୁସୀ, କହିଲେ ନ ସରେ।
ସାଗିରିଆ ସେଇ ଗାଁର ପିଲା, ଆର୍ ସାହିର ତା ଘର। ଗୋଟେ କ୍ଲାସ୍ ଉପରେ ପଢ଼େ। ଦୁଇ ଜଣଙ୍କର ପଡ଼ତା ଭଲ। ସେମାନେ ଖେଳସାଥୀ । ଛୋଟ ବେଳେ ଏକାଠି ହୋଇ ଧୂଳିଘରଠାରୁ କଣ୍ଢେଇ ବାହାଘର ଖେଳିଛନ୍ତି। ପୁଣି ପଢ଼ାସାଥୀ, ଏକାଠି ସେମାନେ ଦୁଇଜଣ ସ୍କୁଲ ଯାଆନ୍ତି। ପାଠପଢ଼ି ପୁଣି ଘରକୁ ଫେରିଲା ବେଳେ ସାଗିରିଆ ତାକୁ ଆକଟ କରି ଆଣି ଘରେ ଛାଡ଼େ। ଶରମିଳାର ବାପା ଚିତ୍ତ ମଉସା ଓ ମାଆ ଦମୟନ୍ତୀ କୁହନ୍ତି – ସାଗିରିଆରେ! ଛୁଆଟି ବେଳୁ ଦିଜଣ ସାଙ୍ଗ ହେଉଛ, କିନ୍ତୁ ଶରମିଳାକୁ ଯେମିତି ଗୋଡ଼େ ଗୋଡ଼େ ଯଗିଥିବୁ, ତା’ର ଯେମିତି କିଛି ଅସୁବିଧା ନ ହୁଏ। ଆଜିକାଲିର ଯୁଗ ତ ଦେଖୁଛୁ! ପୁଣି ଝିଅ ଛୁଆଟାକୁ ଏକୁଟିଆ ଦେଖି ତାକୁ କିଏ କେତେ ରକମର ହଇରାଣ କରିବେ। “
ସାଗିରିଆ ତେଣୁ ମୂଳଠୁଁ ଗୁରୁଦାୟିତ୍ଵ ନେଲା ଭଳିଆ ଗୋଟେ ଅଭିଭାବକର ଦାୟିତ୍ଵ ତୁଲାଏ ।ଶରମିଳାର ପଢ଼ା ପାଇଁ କ’ଣ ଦରକାର କ’ଣ ନ ଦରକାର ସବୁ ସାଗିରିଆ ବୁଝିଦିଏ ।ତେଣିକି କାଗଜକଲମ ବହିପତ୍ରଠାରୁ ନୋଟ୍ ଯାଏ ।ଯେହେତୁ ସାଗିରିଆ ଗୋଟେ କ୍ଲାସ୍ ଉପରେ ପଢ଼େ ତେଣୁ ତା ବହିପତ୍ର ସବୁ ସରମିଳାର କାମରେ ଆସିଯାଏ। ତାକୁ ଆଉ କିଣିବାକୁ ପଡ଼େ ନାହିଁ। ଅଧା ଖର୍ଚ୍ଚ ତା’ର ରହିଯାଏ। ସାଗିରିଆ ବି ତା ଶ୍ରେଣୀରେ ସେ ଫାଷ୍ଟ୍ ହୁଏ, ତେଣୁ ଯେଉଁଠି କିଛି ଶରମିଳାର ବୁଝିବାରେ ଟିକେ ଅସୁବିଧା ହୁଏ ସାଗିରିଆ ସେଇ ସେତକ ବୁଝେଇଦିଏ ।ଏ ଦୃଷ୍ଟିରୁ ଯାହାହଲେ ବି ଶରମିଳା ସାଗିରିଆ ପାଖରେ ଚିର କୃତଜ୍ଞ। ଯେମିତି ଅନ୍ୟ ପିଲାମାନେ ଅନ୍ୟ କଥାକୁ ନେଇ ସବୁବେଳେ ହେଁ-ହେଁ ଫେଁ-ଫେଁ ହୁଅନ୍ତି, ସେ ଦୁଇ ଜଣଙ୍କର କିନ୍ତୁ ସେକଥା ସବୁ ନାହିଁ। ସବୁବେଳେ ପାଠକୁ ନେଇ ଯାହା ବ୍ୟାପୃତି ଓ ସମ୍ପୃକ୍ତି। ପିଲା ଦୁଇଟିର ପାଠୁଆପଣ ଦେଖି ସମସ୍ତେ ଖୁସି ହୁଅନ୍ତି, ତେଣୁ କିଏ କିଛି ଈର୍ଷାରେ ବି କିଛି କହିଦେଲେ, ସେଗୁଡ଼ାକ ତାଙ୍କୁ ସେମିତି କିଛି ଫରକ୍ ପକାଏ ନାହିଁ। ବାସ୍ତବରେ ସାଗିରିଆ ନ ଥିଲେ ହୁଏତ ଶରମିଳା ଏତେ ଭଲ ଓ ଅଧିକ ବାଟଯାଏ, ହୁଏତ ପଢ଼ିପାରି ନ ଥା’ନ୍ତା ।କାହିଁକିନା ତା ବାପାମାଆ ଯେତେ ଗରିବ, ତାକୁ ଏତେ ପାଠ୍ଯ ସମାଗ୍ରୀ ଯୋଗାଇ ଥାଆନ୍ତା କିଏ ? ସେଇଥିରେ ପୁଣି ଆହୁରି ଟ୍ୟୁସନ୍ ଦେବାକୁ ପଡିଥା’ନ୍ତା ନାହିଁକି? ଯାହା ବି ହେଉ ସାଗିରିଆ ଶରମିଳା ପାଇଁ ଏକ ପ୍ରକାର ଆଶୀର୍ବାଦ। ଈଶ୍ୱରଙ୍କ କୃପାରୁ ଏମିତି ଗୋଟେ ସଂଯୋଗ କେମିତି ଆହୁରି ସ୍ରୁଷ୍ଟି ହୋଇଥିଲା।
ତେବେ ଯାହା ହେଉ ଏବେ ମାଟ୍ରିକ୍ ଖଣ୍ଡକ ସିନା ଗାଁ ଗହଳି ବିଦ୍ୟାଳୟରେ ସରିଗଲା, ଏଥର କଲେଜ ଯିବା କଥା।
ତଥାପି ଯେଉଁ ବର୍ଷ ମାଟ୍ରିକ୍ ଡେଇଁ ସାଗିରିଆ ରେଭେନ୍ସାରେ ଯାଇଁ ପଢ଼ିଲା, ସେ ଗୋଟେ ବର୍ଷ ଶରମିଳା କ’ଣ କମତି ହଇରାଣ ହୋଇଛି କି , ନାକରେ ପରା କାନ୍ଦିଛି। ସେକଥା କ’ଣକି ଗାଁ ସ୍କୁଲରେ ସିନା ଏମ. ଇ. ସ୍କୁଲ ଯାଏ ଥିଲା, କିନ୍ତୁ ମାଟ୍ରିକ୍ ପଢ଼ିବା ପାଇଁ ସେମାନେ ପାଞ୍ଚ ଛଅ ମାଇଲ ଦୂର ଯାଇ କେନ୍ଦୁଆପଦା ହାଇସ୍କୁଲରେ ପଢ଼ୁଥିଲେ। ତେଣୁ ବାଟରେ କେତେ ବିଲବାଡ଼ି ପାରିହୋଇ ହିଡ଼ନାଳ ସବୁ ଡେଇଁ ପୁଣି ରେବ ନଦୀ ଉପରେ ରେଲୱେ ପୋଲ ଚଢ଼ି ରେଲ ଲାଇନ୍ କଡ଼େ କଡ଼େ ଯାଇ ସ୍କୁଲରେ ପହଞ୍ଚୁଥିଲେ। ଘରକୁ ଫେରିଲା ବେଳେ ଦିନେ ଦିନେ ପରା ସନ୍ଧ୍ୟା ହୋଇଯାଏ, ତେଣୁ ବାପା ବାଡ଼ି ଖଣ୍ଡେ ଧରି ନିଇତି ଅଧା ବାଟ ଆସନ୍ତି। ସାଗିରିଆ ଥିଲା ବେଳେ ଏତେ ଜଣାପଡ଼ୁ ନଥିଲା ।ତେଣୁ ସେତେବେଳେ ଯେ ଦୂର ଦୁରନ୍ତାକୁ ଯାଇ ପାଠପଢ଼ିବା କେତେ କାଠିକର ପାଠ ଥିଲା ସେକଥା ଜଣେ ଅନୁଭବୀ ଲୋକ ନହେଲେ, ସହଜେ ଅନୁମାନ ଲଗେଇ ପାରିବେ ନାହିଁ। ଏହିସବୁ ବିପରୀତ ପରିସ୍ଥିତି ଓ ପ୍ରତିକୂଳ ପରିବେଶ ଯୋଗୁ ସହଜେ ତ ସେତେବେଳ ଝିଅ ପାଠପଢ଼ାକୁ ନେଇ ସମାଜରେ ଯେଉଁ ବିରୋଧ ଭାଷ ଥିଲା, ନକହିବା ଭଲ । ତେବେ ପିଲାର ଦୃଢ଼ ମନୋବଳ ଓ ବାପାମାଆ ମାନଙ୍କର ଇଚ୍ଛାଶକ୍ତି ନଥିଲେ, ଏସବୁ ସମ୍ଭବପର ହୋଇ ନଥା’ନ୍ତା। ଯାହାହଲେ ବି ଆମ ଶରମିଳା ଗୋଟେ ଆଦର୍ଶ ନା, ସେକଥାକୁ ଅସ୍ୱୀକାର କ’ଣ କେବେ କରିହେବ?
କିନ୍ତୁ ମାଟ୍ରିକ୍ ପରେ ଶରମିଳା କ’ଣ କରିବ? ସମସ୍ତଙ୍କର ନାଇଁ ନାଇଁ, ବାପା ମାଆଙ୍କର ବି ଅଣ୍ଟିରେ ସେତେ ବଳ ନାହିଁ। ତେବେ ଟାଣଟୁଣ ହେଲେ ବି ପଇସାପତ୍ର କଥା ଦେଖାହେବ ।କିନ୍ତୁ ଦୂରଦୁରାନ୍ତରେ ତା ମାର୍କ ଦେଖି ପଢ଼େଇବା ଆଦୌ ସମ୍ଭବ ନୁହେଁ। ଅବଶ୍ଯ ସ୍କୁଲ ଶିକ୍ଷକ ଓ ପାଖ ଆଖର କିଛି ଶିକ୍ଷିତ ଲୋକ କହିଲେ – “ଏହାଦ୍ୱାରା ଗୋଟେ ମେଧାବୀ ଛାତ୍ରୀର କ୍ୟାରିଅର ନଷ୍ଟ ହୋଇଯିବ। ଏଇ ରକମର ନାନା ଚିନ୍ତା ଅନୁଚିନ୍ତା ପ୍ରକଟ କରି ସମସ୍ତେ ବ୍ୟଥିତ ହେଉଥିଲେ ହେଁ ସଠିକ୍ ଉପାୟ ଗୋଟେ କିଛି ବାହାରି ପାରୁ ନ ଥିଲା।

ସାଗିରିଆ କଲେଜ ହଷ୍ଟେଲରୁ ଫେରିଲା ପରେ ଯାଇ ଆଲୋଚନା ପର୍ଯ୍ୟାଲୋଚନାର ଅନ୍ତ ଘଟିଲା। ସେ କହିଲା – “ଶରମିଳା ଯେହେତୁ ଓଡ଼ିଶା ଟପର, ସେ ତେଣୁ ଓଡ଼ିଶାର ଟପ୍ କଲେଜରେ ପଢ଼ିବା ଉଚିତ୍ ।ସେଠି ତ ସେ ହଷ୍ଟେଲ ପାଇଯିବ, ସ୍କଲାରସିପ୍ ବି ମିଳିବ , ମୁଁ ଅଛି ଫର୍ମ ଫୁର୍ମା ପକାଇଦେବି। ମୁଁ ତ ସେଠି ଅଛି ତେଣୁ ଭଲମନ୍ଦକୁ ବି ମୁଣ୍ଡ ଦେଖାଇବି, ତୁମେ ମାଉସୀ! ଖାଲି ହଁ କହିଲେ ହେଲା ।”

ଏତେବେଳେ ସମସ୍ତଙ୍କର ଟିକେ ହିମ୍ମତ ହେଲା ।ଶରମିଳା ବି ନୂଆ କଲେଜ ନୂଆ ସହର କଥା ଭାବି ଟିକେ ଉତ୍ସୁକତା ପ୍ରକାଶ କଲା ।ଭାବୁଥିବ – ତା’ର ଆଉ ଚିନ୍ତା କ’ଣ, ପାଖରେ ତ ସାଗିରିଆ ଅଛି, ଦେଖା ଯିବନି? ସେୟା ହେଲା ସରମିଳା ରେଭେନ୍ସାରେ ପଢ଼ିଲା, ହଷ୍ଟେଲରେ ରହିଲା ।କିଛିଦିନ ଘରକଥା ମନେପକାଇ ଗୁମାନ ମାରି ରହିଲା ।ଧୀରେ ଧୀରେ ଅଭ୍ୟାସରେ ପଡ଼ିଗଲା, ପାଠରେ ମନ ଲାଖିଗଲା। ବେଳେଅଧେ ବହୁ ଘଟନ ଅଘଟନ ବି ହୁଏ ଯାହା ସବୁ ଛୁଆଙ୍କ ଜୀବନରେ ଊଣା ଅଧିକେ ଘଟେ, କିନ୍ତୁ ଉପର ଶ୍ରେଣୀର ପିଲାଙ୍କ ସମ୍ପର୍କୀୟ ବୋଲି ଜାଣି, ତାକୁ କେହି ସେମିତି ବିଶେଷ କିଛି ହଇରାଣ କରିପାରିନ୍ତି ନାହିଁ। ଏଇମିତି ତ ଦଙ୍ଗା ହେଙ୍ଗାମ ବେଳେବେଳେ ହୁଏ ଯାହା ସ୍ୱାଭାବିକ ଘଟନା , ସେ କିନ୍ତୁ ଫେର୍ ପୁଣି କୁଆଡ଼େ ପାଣି ଫୋଟକା ପରି ମେଳେଇଯାଏ ।ମଝିରେ ମଝିରେ ବି ସାଗିରିଆ ହଷ୍ଟେଲ୍ ଆସି ତାଙ୍କ ଘରୁ ଯାହା ଚୁଡ଼ାମୁଢ଼ି ଭଲମନ୍ଦ ଆସିଥାଏ, ଦେଇ ଆସେ। ମିଛରେ ସତରେ କୁହେ ମଉସା ମାଉସୀ ପଠାଇଛନ୍ତି। ପୁଣି ବହିପତ୍ର ନୋଟ୍ ବି ଯୋଗାଇଦିଏ ।ଏଇମିତି ଏଇମିତି ଆଇ. ଏ., ବି ଏ., ଏମ୍. ଏ. ସବୁ ସରିଗଲା ।ଘରୁ ସତରେ କେତେ ପଇସା ଆସେ ନ ଆସେ କେଜାଣି, କିନ୍ତୁ ଯେତେବେଳେ ଯାହା ଦରକାର କହିଲେ ସାଗିରିଆ ତ ଆଣିକି ଦେଇଯାଏ। କୁହେ- “ତୁ ସେଗୁଡ଼ାକ ଚିନ୍ତା କର ନାହିଁ, ମାଉସୀ ମଉସା ମୋ ପାଖକୁ ପଠାଉଛନ୍ତି, ମୁଁ ମୋର ଏଡ଼ଜଷ୍ଟ କରୁଛି।”
ସେମିତି ବୁଝିବାକୁ ଗଲେ, ଏହି ପଢ଼ା ଭିତରେ ଆଉ ବିଶେଷ କିଛି ପ୍ରତିବନ୍ଧକ ହୋଇ ନାହିଁ, ଖାଲି ଯେତେବେଳେ ଗୋଟେ ଗୋଟେ ମାଇଲ ଖୁଣ୍ଟ ପାରିହୋଇ ଶରମିଳା ଘରକୁ ଆସେ, ସେତେବେଳେ ତା ବାହାଘରକୁ ନେଇ ଯାହା ଗୋଟେ ରୀତିମତ ଝଡ଼ ଉଠେ ।ସାହିପଡ଼ିଶାଙ୍କର ତ କିଛି କାମ ନାହିଁ, ଖାଲି କାହା ଝିଅ ବାଢୁଅ ରହିଲା ତାଙ୍କୁ ଖାଲି ସେତିକି ଦେଖାଯାଏ। ପୁଣି ସାଗିରିଆ ଶିଖେଇଦିଏ, ସରମିଳା ପଢ଼ିବା ପାଇଁ ଜିଦ୍ କରେ, ବୋଉ ବି ତାକୁ ସମର୍ଥନ କରେ, କଥା ଟଳିଯାଏ ।

ଏବେ ପାଠପଢ଼ା ସରିଲା ।ସାଗିରିଆ ସହରରେ ରହି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରୁଥିଲା, ଆଇ. ଏ. ଏସ୍. ପାଇଲା ନାହିଁ ସତ କିନ୍ତୁ ଓଏସ ପାଇ ବି. ଡି ଓ. ହେଇଛି। ଆଉ ଗାଁକୁ ସେ ଆସିପାରୁ ନାହିଁ। ଶରମିଳା କିନ୍ତୁ ଗାଁରେ ରହିଗଲା। ଆଉ ସହରରେ କାହା ସାହାରାରେ ରହିବ ଯେ? ପୁଣି ଝିଅ ଛୁଆଟା, କେଉଁଠି ରହି ଚାକିରି ପାଇଁ ପଢ଼ିବ ବୋଲି ଭାବି ମନଟା ଟିକେ ଛୋଟ ହୋଇଗଲା। ଏହି ସମୟରେ ସାଗିରିଆ ଯେବେ ପୁଣି ଥରେ ଗାଁକୁ ଆସିଥିଲା, କହିଲା – “ଏଇ ନେ! ମୋ ବହିପତ୍ର ସବୁ ନେଇ ଆସିଛି। ତୁ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳା।ମୁଁ ଚାକିରି ଝାମେଲାରେ ଆଉ କିଛି ଆଗକୁ ବଢ଼ିପାରିବି ନାହିଁ। ତୁ କିନ୍ତୁ ତୋ ସ୍ଵପ୍ନ ପୂରା କର, ଯେଉଁ ସ୍ଵପ୍ନ ଆମେ ଦିନେ ଆମ ସ୍କୁଲକୁ ପରିଦର୍ଶନରେ ଆସିଥିବା କଲେକ୍ଟରକୁ ଦେଖି ମନରେ ବୁଣିଥିଲେ।”
ବେସାହାରା ଓ ଦିଗଦିଶା ହରା ହୋଇଯାଇଥିବା ଶରମିଳାକୁ ପୁଣି ଗୋଟେ ନୂଆ ରାସ୍ତା ମିଳିଗଲା ।ସେ ତେଣୁ ବାହାଘର ନା ଫା’ଘର, ଆଉ କାହା କଥା କିଛି ଶୁଣିଲା ନାହିଁ। ଖାଲି ଗୋଟିଏ ନିଶାରେ ମାତିଗଲା ।କଲେକ୍ଟର ହେବାର ସ୍ଵପ୍ନଟା ତାକୁ ବିଭୋର କରିଦେଲା। ସ୍ଵପ୍ନ ବି ସାକାର ହେଲା, ସେ ପୁଣି ଓଡ଼ିଶା ଟପର ହୋଇ ସମସ୍ତଙ୍କୁ ଚମକେଇ ଦେଲା ।ଦାଣ୍ଡରେ ଘାଟରେ ସବୁଆଡ଼େ ଲୋକେ କଥା କୁହାକୁହି ହେଉଥିଲେ-” ଝିଅ ଆମର ଜଗତଜିତା , ଖଣ୍ଡ ମଣ୍ଡଳରେ ଆମ ଟେକ ରଖିଲା ଏକା ।”
ସବୁଥର ପରି ଏଥର କିନ୍ତୁ ତା ଖୁସିରେ ସାମିଲ ହେବା ପାଇଁ ସାଗିରିଆ କାହିଁକି କେଜାଣି ଆସି ନଥିଲା। ଶରମିଳା କିନ୍ତୁ ତା ଅନୁପସ୍ଥିତିକୁ ସହଜରେ ଗ୍ରହଣ କରିପାରୁ ନଥିଲା।
ଏଥର ଶରମିଳା ଚାକିରି କଲାଣି ପୁଣି ବଡ଼ ଚାକିରି, ତାକୁ କିଏ ନୀଚ୍ଚା ଦେଖାଇବା ପାଇଁ ଏଣୁତେଣୁ କହିବ? ତେବେ ଯେବେ ଘରକୁ ଆସେ ମାଆ ତାକୁ କୁହେ -“ତୋ ମନମାନି ଢେର୍ ଆମେ ଶୁଣିଲୁଣି । ଏଣିକି ତୋତେ ଆମ କଥା ରଖିବାକୁ ହେବ। ତୁ ଝଅଟ ବାହା ହେଲେ ପୁଣି ଆମ ସଂସାର ବଢ଼ିବ ନା, ନହେଲେ ତୋ ଛଡ଼ା ଆମର ଆଉ କିଏ ଅଛି କହିଲୁ! ତେଣୁ ସଫାସଫା କହି ଦେଉଛୁ ଆଉ କୌଣସି ବାହାନାବାଜି ତୋର ଚଳିବ ନାହିଁ।”
ସରମିଳା କହେ – “ହେ ବୋଉ! ତୁ ଏମିତି କ’ଣ ହେଉଛୁ କହନି? ମୋଠାରୁ ସାଗିରିଆ ବଡ଼ଟି? ସେ ପୁଣି କେବେଠାରୁ ଚାକିରି କଲାଣି, ତେଣୁ ତା ବାହାଘର ଆଗ ସରୁ, ତାର ଗୋଟେ ସୁନାନାକୀ ଭାଉଜ ଆସୁ, ତା ପରେ ମୋ ବାହାଘର କଥା ଚିନ୍ତା କରିବୁ। “

ବୋଉ ଏ କଥା ଶୁଣି କହିଲା -” ତୁମେ ଦି’ଟା ଗୋଟେ ଫିସାଦ ଲଗେଇଛ କି ଲୋ! ଆର ଥର ସେ ଘରକୁ ଆସିଥିଲା, ତାକୁ ମୁଁ କହିଲି, କହିଲା ଶରମିଳା ଝିଅ ଛୁଆଟା, ତା’ର ବାହାଘର ହୋଇ ନାହିଁ, ମାଉସୀ ତୁମକୁ ମୋ ବାହାଘର କଥା ଚିନ୍ତା ହେଉଛି? ଆମ କଲେକ୍ଟୋରିଏଟରେ ଗୋଟେ ନୂଆ ଟୋକା ହାଲିକି ଆଇ. ଏ. ଏସ୍. ପାଇ ଯଏନ୍ କରିଛି ।ସେ ଆମ ଶରମିଳାକୁ ଫିଟ୍ ହେବ, କହନ୍ତ ଯଦି ମୁଁ ବୁଝାବୁଝି କରିବି।”
ସରମିଳା କହିଲା -” ହଁ, ଏମିତି କାରସାଦି ସେ ତାହେଲେ କରିଛି। ମୁଁ ସେୟା ଭାବିଲି ଆଉ ,ସାଗିରିଆ ତୋତେ ନ ଶିଖେଇଥିଲେ ତୁ କ’ଣ ଏତେ କଥା ମୋତେ କହିଥା’ନ୍ତୁ କି?
ହେଲେ ତାକୁ ପଚାରିଲୁ ନାହିଁ, ମୁଁ ଆଇ. ଏ. ଏସ୍. ପାଇଲି, ପୁଣି କଲେକ୍ଟର ଚାକିରି କଲି ହେଲେ ସେ ପୋତା ମୁହାଁକୁ ଦିନେ ତର ନାହିଁ ନା, ମୋତେ ଦେଖା କରିବାକୁ କି ମୋ ସହ କଥା ହେବାକୁ? “
ବୋଉ କହିଲା -” ସେ ନ ହେଲେ ତୁ କଥା ହେବାକୁ ତୋତେ କେହି ମନା କରିଛନ୍ତି ନା କ’ଣ? ତୁ କଥା ହେଲୁ ନାହିଁ? “
ଶରମିଳା କହିଲା – ” ମୁଁ କାହିଁକି କଥା ହୋଇଥା’ନ୍ତି? ମୋର ଆଉ ରାଗ ନାହିଁନା? ସେ ଏଥର ଭେଟ ହେଉ ତା ଦିମାଗ ଯଦି ନ ଚାଟିଛି, ମୋତେ ସିଏ ଚିହ୍ନିବ ।”
ଠିକ୍ ଏତିକି ବେଳକୁ ଅକାଳ ବାବାଜୀ ସକାଳେ ଦେଖା ।ସାଗିରିଆ ପଛପଟରୁ ଆସି ପହଞ୍ଚି କହିଲା -” ହଁ କଲେକ୍ଟର ସାହିବାଣୀ ଯେତେବେଳେ ସେ ସବୁ କରିପାରିବେ। “
ଏତିକି କଥାରେ ଶରମିଳା ତାନତୋଡ଼ ଦେଖାଇ ପୁଣି ଥୋକେ ଝାଡ଼ିମାଡ଼ି ହୋଇ, ଯାଇ ଖଳାଆଡ଼େ ମୁହଁ ପଛକୁ କରି ନ ବସେ କାହିଁକି ।ମାଉସୀ କହିଲେ-” ତୁମେ ଦି ଜଣ ଆସି ଏତେବଡ଼ ଚାକିରି କଲଣି, ହେଲେ ତୁମର ସେଇ ଖିଙ୍କରାଖିଙ୍କିରି ଗୁଣଟା ଗଲା ନାହିଁ। କିଏ ତୁମ ଭିତରେ ମୋର ପଶିବ ଲୋ ମା! ତୁମେ ତୁମର ବୁଝାବୁଝି ହୁଅ। “

ଏତିକି କହି ସିଏ ତାଙ୍କ କାମରେ ଚାଲିଗଲେ। ସାଗିରିଆ ଖଳା ଆଡ଼କୁ ମୁହାଁଇଲା ।ସେଇଠି କିନ୍ତୁ କାହାରି କାହା ପ୍ରତି ଅଭିମାନ ଓ ମୁହଁ ଫୁଲାଫୁଲି କମି ନ ଥାଏ ।କେଯାଏ ସମୟ ନୀରବରେ ବସି ରହିଲା ପରେ ସାଗିରିଆ କହିଲା -” ଆରେ ତୁମେ ଯେତେବେଳେ ଆଇ. ଏ. ଏସ୍. ପାଇଗଲ, ସେତେବେଳେ ମୁଁ ଭାବିଲି, ହୁଏତ ତୁମେ ମୋତେ ନୀଚ୍ଚା ଦେଖାଇବ।ତେଣୁ ମୁଁ ଆଉ ଆସିଲି ନାହିଁ କି ତୁମ ସହ ଜାଣିଜାଣି କିଛି କଥା ହେଲି ନାହିଁ। ଏଇଟା ମୋର ଇନଫେରିଅଟି କମ୍ଫ୍ଲେକ୍ସନ୍ ଭାବିପାର ।ହେଲେ ତୁମେ କେଉଁ ମୋତେ ଫୋନ୍ କଲ କି?”
ଏ କଥା ଶୁଣି ସରଳ ଅବାଧ୍ୟ ଶିଶୁ ପରି ଶରମିଳା କଇଁ କଇଁ ହୋଇ କାନ୍ଦି ନ ଉଠେ କାହିଁକି? କହିଲା -” ଏତେଦିନ ପରେ ବି ତୁମେ ଏମିତି ଭାବି ପାରିଲ କେମିତି? ଆଜି ଯାହା ମୁଁ ହୋଇଛି ସେସବୁ ତ ତୁମରି ପ୍ରେରଣା ଓ ପ୍ରୋତ୍ସାହନରେ। ତେଣୁ ଏଡ଼େ ବଡ଼ ବେଇମାନି ମୁଁ କିପରି ହୋଇ ପାରିଥା’ନ୍ତି? ତା’ ମାନେ ଆଜି ପର୍ଯ୍ୟନ୍ତ ତୁମେ ଏ ଶରମିଳାକୁ ଠିକ୍ ସେ ଚିହ୍ନିପାରିଲ ନାହିଁ? ମୁଁ ଦେଖୁଛି! ମୁଁ ବି ତୁମ ତ୍ୟାଗ ବଳିଦାନକୁ ଠିକ୍ ସେ ବୁଝିପାରି ନଥିଲି ବା ବୁଝିବାକୁ କେବେବି ଚେଷ୍ଟା କରି ନ ଥିଲି, ଯଦିଓ ଆଜି ବୁଝିପାରୁଛି ତୁମେ ମୋତେ ଉଠେଇବାକୁ ଚେଷ୍ଟା ନ କରିଥିଲେ ତୁମେ ଆହୁରି ବି ବହୁତ ଉପରକୁ ଉଠି ପାରିଥା’ନ୍ତ। କାହିଁକିନା ତୁମେ ବି ମେଧାବୀ ଛାତ୍ର ଥିଲ। ହେଲେ ମୋ ପାଇଁ ଯେତେ ସମୟ ବରବାଦ କରିଛ, ସେ କଥା କେହି ନଜାଣିଲେ ବି ମୁଁ ଜାଣିଛି। ମୁଁ ଚାକିରି ପାଇଲା ଯାଏ ତୁମ ପରାମର୍ଶ ଓ ସହଯୋଗରେ ସବୁ କଥା କରି ଆସୁଥିଲି, ତେଣୁ ତୁମ ଉପସ୍ଥିତିଟା ବୁଝିପାରୁ ନ ଥିଲି, ହେଲେ ଏଇ ପାଞ୍ଚ ଛଅ ମାସ ହେବ ତୁମ ସହ ପଦୁଟିଏ କଥା ହୋଇ ନ ପାରି ଦୂରେଇ ରହିବା ଫଳରେ ମୁଁ ବୁଝୁଛି, ମୋ ଜୀବନଟା ସତରେ ତୁମ ଉପରେ କେତେ ନିର୍ଭରଶୀଳ ହୋଇଯାଇଛି। ତେଣୁ ତୁମକୁ ଦଣ୍ଡେ କି ଘଡ଼ିଏ ଛାଡ଼ି ମୁଁ ବୋଧେ ଆଉ ବଞ୍ଚିପାରିବି ନାହିଁ। “

ଏ କଥା କହି ଆସିଲା ବେଳେ ନିଜ କୋହ ସମ୍ବରଣ ନ କରିପାରି ଶରମିଳା ହଠାତ୍ କାନ୍ଦି ଆସିଲା କଇଁ କଇଁ ହୋଇ। ଅଗତ୍ୟା ସାଗିରିଆ ନିଜକୁ ବି ରୋକିପାରିଲା ନାହିଁ। ତା ଚକ୍ଷୁରୁ ଦୁଇ ଧାର ଲୋତକ ହୋଇ ତଳକୁ ନିଗିଡ଼ି ପଡ଼ୁଥିଲା । ହେଲେ ସାଗିରିଆ ନିଜକୁ ସମ୍ଭାଳି ନେଇ ଶରମିଳା ମୁହଁରେ ନିଜ ହାତଦେଇ ଦେଇ, ଏପରି ଆଉ ନ କହିବାକୁ ମଣ୍ଡ ହଲାଇ ନାଇଁ କଲା ।ଅଜାଣତରେ ଶରମିଳା ଧୀରେ ଧୀରେ ତାଙ୍କ ଉପରକୁ ଢ଼ଳି ପଡ଼ୁଥିଲା ।ସାଗିରିଆ ଅଚାନକ ପିଠିଟାକୁ ଥାପୁଡ଼େଇବ କି ନାହିଁ ଭାବି ଆସ୍ଥେକରି ଥାପୁଡ଼େଇ ଦେଇ ଆଶ୍ୱାସନାର ବାଣୀ ଗୁଡ଼ାକ ଖର କରୁଥିଲା ।ଯେମିତି ଉଭୟ ନିଜ ଭିତରେ ନିଜେ କିଛିକାଳ ପାଇଁ ସମାହିତ ହୋଇ ଯାଉଥିଲେ।

ଏଇ ବୋଧେ ହେଉଛି ପ୍ରେମ ଫଲଗୁ ଧାରା ଓ ଅନ୍ତରୀଣ ଭାବସତ୍ତା । ନିସର୍ତ୍ତ ଭଲପାଇବା ପ୍ରେମକୁ ଆଉ ଗୋଟେ ସୋପାନକୁ ନେଇ ଯାଉଥିଲା ।

Related posts

Exclusive interview

satya

ମୁଁ ଆଉ ତୁମେ

satya

ପ୍ରାଥମିକ ଚିକିତ୍ସା

satya

Login

X

Register