Satya Prakash
  • Home
  • Uncategorised
  • ଗୋଟେ ଅକୁଳାଣ ଦୁଇଟାରେ ଭରୁନି ପେଟ
Uncategorised

ଗୋଟେ ଅକୁଳାଣ ଦୁଇଟାରେ ଭରୁନି ପେଟ

ଗୋଟେ ଅକୁଳାଣ ଦୁଇଟାରେ ବି ଭରୁ ନାହିଁ ପେଟ…….
ସେଦିନ ହଠାତ୍ ଅଫିସରୁ ଘରକୁ ଫେରୁଥାଏ। ରାତି ପ୍ରାୟ ଦଶଟା ପାଖାପାଖି ହେବ। ମୋ ଗାଡି ଡ୍ରାଇଭର୍ କହିଲା – “ସାର୍ ଟିକିଏ ପାଞ୍ଚ ମିନିଟ ଅପେକ୍ଷା କରନ୍ତୁ, ମୁଁ ହଳେ ଡ୍ରେସ୍ ମୋ ଭଣଜା ପାଇଁ କିଣି ଧରି ଆସୁଛି”। ମୁଁ କହିଲି – “ମୁଁ ଆଉ ଗାଡ଼ିରେ ବସିବି କ’ଣ, ଚାଲୁନ! ମୁଁ ବି ଦୋକାନ ଆଡ଼େ ବୁଲି ଆସିବି”। ଯାହା ବି ହେଉ ସାଥୀ ହୋଇ ଦୋକାନକୁ ଗଲୁ। ଦୋକାନୀ ଭଳି କି ଭଳି କେତେ ରକମର ଡ୍ରେସ୍ ସବୁ ଦେଖାଇଲା। ସେଥିରୁ ହଳେ ଡ୍ରେସ୍ ତା’ର ମନୋନୀତ ହେଲା। ଡ୍ରେସ୍ କିଣି ସାରିବା ବେଳକୁ ପୁଣି ତା’ର କ’ଣ ମନକୁ ଆଇଲା କେଜାଣି, କହିଲା -” ଆଉ ହଳେ ଡ୍ରେସ୍ ଦେଖାଇଲେ! ମୋ ପୁତୁରା ପାଇଁ ନେବି। ସେ ସେଇ ସମାନ କ୍ୱାଲିଟିର ଡ୍ରେସ୍ ସବୁ ଦେଖାଇଲା। ଜୟନ୍ତ ପର୍ସରେ ହାତ ବୁଲାଇଲା। କହିଲା”-“ନା ଟିକିଏ କମ୍ ଦାମ୍ ରେ ଦେଖାଅ”। ଶେଷରେ ସେ ଦୁଇ ହଳ ଡ୍ରେସ୍ କିଣିଲା। ଗୋଟିଏ ସରସ ଆଉ ଗୋଟେ ଟିକିଏ ନିରସ। ମୁଁ କହିଲି – “ଏମିତି କାହିଁକି”? ସେ କହିଲା – “ଭଣଜା ପିଲାଟା ନୂଆ କରି ଆମ ଘରକୁ ଆସିଛି ତ ସେଥିପାଇଁ ତା ପାଇଁ ହଳେ ଡ୍ରେସ୍ କିଣିଲି। ହେଲେ ତାରି ବୟସର ମୋ ଭାଇ ପୁଅ, ତା ପାଇଁ ଡ୍ରେସ୍ ନ ନେଲେ ସେ ନୂଆ ଡ୍ରେସ୍ ଦେଖି କାନ୍ଦିବ। ତେଣୁ ଭାବିଲି ତା ପାଇଁ ବି ଡ୍ରେସ୍ ଖଣ୍ଡେ ନେଇଯିବି। ମାତ୍ର ପର୍ସ ଅଣ୍ଡାଳିଲା ବେଳକୁ ମୋ ପାଖରେ ଏତେ ପଇସା ନାହିଁ, ଯେତିକି ଅଛି ସେତିକିରେ ଏଡଜଷ୍ଟ କରିବାକୁ ପୁଣି ପଡ଼ିବ ନା। ତା କଥା ଶୁଣି ମୋ ହୃଦୟ ବ୍ୟଥିତ ହେଉଥାଏ। କାରଣ ଆଜିର ମହାଙ୍ଗା ସମୟରେ ସବୁକିଛି ତ ଆକାଶ ଛୁଆଁ ଦର। ହେଲେ ଚାକିରି ନାହିଁ କି ବାକିରି। ପୁଣି ପେଟ ପାଟଣା ପାଇଁ ଯାହା ବି କିଛି ରୋଜଗାରର ମାଧ୍ୟମ ଆଜିର ସଭ୍ଯ ଶିକ୍ଷିତ ମଣିଷ ଯୋଗାଡ଼ କରୁଛି ସେତିକିରେ ଘର ଚଳେଇବା କଷ୍ଟକର ହେଉଛି। ଏଇ ଜୟନ୍ତ ଗୋଟେ ପଢ଼ାଲେଖା ପିଲା। ସେ ଗ୍ରାଜୁଏସନ୍ କରିଛି, ହେଲେ ରୋଜଗାର ପାଇଁ ଗାଡି ଡ୍ରାଇଭିଙ୍ଗ କରୁଛି। ସେ ପୁଣି ପ୍ରାଇଭେଟ ଗାଡ଼ିରେ ଯେଉଁ ଗାଡ଼ିଟି ଆମ ଅଫିସରେ ଲାଗିଛି। ଦରମା ବୋଲି କେତେ କି ଜମା ଛଅ ହଜାର।
ଯାହା ବି ହେଉ ଡ୍ରେସ୍ ଧରି ଫେରିଲୁ। ମୋତେ ଘରେ ଛାଡ଼ି ଦେଇ ସିଏ ତା’ର ତା ଘରକୁ ଚାଲିଗଲା। ତା’ପରଦିନ ମୋତେ ଘରୁ ଯାଇ ଜୟନ୍ତ ନେଇକି ଆସିଲା। ଏ. ସି. ର ଭଲ୍ୟୁମ୍ ଟା ସେ ବଢାଇ ଦେଲା ।ମୁଁ ଶାନ୍ତିରେ ନିଶ୍ୱାଷ ନେଲି। ହେଲେ ଜୟନ୍ତ ମୁହଁକୁ ଚାହିଁଲା ବେଳକୁ, ମନଟା ଖରାପ ହୋଇଗଲା। କାହିଁକି ନା ତା ମୁହଁରେ ଆଦୌ ସରାଗ ନ ଥାଏ। ପଚାରିଲି – “କିରେ! କ’ଣ ହେଲା କି ପୁଅ! ମୁହଁଟା ଏମିତି ହାଣ୍ଡି କରି କାହିଁକି ବସିଛୁ” ? କହିଲା – “ନାହିଁ ସାର୍ କିଛି ନୂହେଁ”। ମୁଁ ଟିକିଏ ଫଟରେଇକି ପଚାରିଲାଠୁଁ ସବୁ କହିଲା। କହିଲା – “ସାର୍ ମନଟା ଟିକିଏ କାଲି ରାତିଠାରୁ ଭଲ ନାହିଁ” । ମୁଁ କହିଲି – “ତୁ ତ ନୂଆ ଲୁଗାପଟା ସବୁ ଧରି ଖୁସିରେ ଘରକୁ ଗଲୁ, ପୁଣି ମନଟା ଖରାପ କାହିଁକି ହେଲା , କ’ଣ ସ୍ଵାମୀ ସ୍ତ୍ରୀ କଳି ଲାଗିଲ କି “? ସେ କହିଲା -” ନଇଁ ସାର୍! ଲିଜାଟା ଭାରି ଭଲ ।ସେ ମୋ ସହ କେବେ କଳି କରେ ନାହିଁ। ହେଲେ ସେଇ ଲୁଗାପଟାକୁ ନେଇ ସବୁ ଅନର୍ଥ।
ଭାଉଜ ଯେତେବେଳେ ଦେଖିଲେ ତାଙ୍କ ପୁଅ ଡ୍ରେସ୍ ଭଣଜା ଡ୍ରେସ୍ ଠାରୁ ଟିକେ କମ୍ ଦାମ୍ ଅଛି ସେତେବେଳେ ସେ ରାଗରେ ଖାଲି ଗରଗର ହେଲେ। ଯେତକ କଚଡ଼ା ନଚଡା କରିବା କଥା ସବୁ କଲେ। ଶେଷରେ ଭାତ ହାଣ୍ଡିକଯାକ ଭାତ ନେଇ ବାଡ଼ି ଆଡ଼େ ଫିଙ୍ଗି ଦେଇ ଆସିଲେ। କହିଲେ ମୋ ପୁଅ ପାଇଁ ଭଲ ଜାମା ଖଣ୍ଡେ କିଣିବାକୁ ଯଦି ପଇସା ନାହିଁ ତେବେ ବଉଁଶଟାଯାକ ଉପବାସ ଭୋକେ ରୁହ। ମୁଁ କାହିଁକି ତୁମ ସମସ୍ତଙ୍କୁ ରାନ୍ଧିବାଢି ନିଇତି ପରଷିବି। ଦିନେ ଦୁଇ ଦିନ ଉପବାସେ ରହିଗଲେ ବଳେ ପଇସା କୁଳାଣ ହୋଇଯିବ ନାହିଁକି “।ତାଙ୍କ ରାଗ ପଞ୍ଚମ ଦେଖି ସମସ୍ତଙ୍କ ପାଟି ଚୁପ୍। ଆଉ କେହି କିଛି କହିବାକୁ ସାହସ କଲେ ନାହିଁ। ମୋତେ କହିଲେ -” କାଲିରେ ଯେମିତି ହେଉ ଏ ଡ୍ରେସ୍ ନେଇ ଫେରାଇ ଭଲଟେ ଆଣିବ, ନ ହେଲେ ସମସ୍ତଙ୍କର ଖାଇବା ପିଇବା ବନ୍ଦ। ମୋତେ ଚିହ୍ନି ନାହଁ ମୁଁ ଦାସ ଘର ଝିଅ ମୋତେ ଚିଡ଼େଇଲେ ମୁଁ କରିବି ସର୍ବନାଶ”।
ଆମ କଥା ସରିଲା ବେଳକୁ ସେଇ ଦୋକାନ ଆସି ଯାଇଥିଲା ଜୟନ୍ତ ଗଲା ଡ୍ରେସ୍ ଟା ବଦଳେଇବାକୁ। ଡ୍ରେସ୍ ଫେରାଇ ଆଉ ଗୋଟେ ଦାମିକା ଡ୍ରେସ୍ କୁ ଖାଲି ଏପଟ ସେପଟ କରି ବାରମ୍ବାର ଦେଖୁଥାଏ ହେଲେ ତା ଅଣ୍ଟିରେ ଯୁ ନଥାଏ ତାକୁ ସେ ଖରିଦ କରିବାକୁ। ମୁଁ ତା ପଛେ ପଛେ ଯାଇ ସେଇ ଦୋକାନରୁ ତା ଚଏସ୍ ର ସେଇ ଭଲ ଡ୍ରେସ୍ ଟା କିଣିଲି। ଜୟନ୍ତ ଡ୍ରେସ୍ ଫେରାଇବ ଫେରାଇବ ହେଉଥିଲା ବେଳେ ମୁଁ ନୂଆ ଡ୍ରେସ୍ ପାଇଁ ପଇସା ଗଣୁଥିଲି। ସେ କିଛି ବୁଝିବା ପୂର୍ବରୁ ତା ହାତରେ ଧରାଇ ଦେଲି। ସେ ନାଇଁ ନାଇଁ ହୋଇ କାନ୍ଦକାନ୍ଦ ହୋଇଯାଉଥିଲା ବେଳେ ମୁଁ ତା ପିଠି ଟିକେ ଥାପୁଡେଇ ଦେଇ ଆସି ଗାଡ଼ିରେ ବସିଲି। ସେ ମୋ ପଛେ ପଛେ ଆସି ଗାଡ଼ିରେ ବସିଲା।କହିଲା – “ସତ କଥା ସାର୍ ଏତିକି ପଇସାରେ ସାତ ପ୍ରାଣୀ କୁଟୁମ୍ବ ଚଳେଇ ହେଉ ନାହିଁ। ମୁଁ ଭାବିଛି ଆଜିଠାରୁ ଦୁଇଟା ଚାକିରି କରିବି। ଅଫିସ ଡ୍ୟୁଟି ସରିଲା ପରେ ଘରକୁ ନ ଫେରି ମୁଁ ଡେଲିଭରୀ ବୟ ଭାବେ କାମ କରି ଆଉ ଦୁଇ ପଇସା ରୋଜଗାର କରିବାକୁ ଚାହୁଁଛି। ଆପଣଙ୍କର କେହି ଚିହ୍ନା ଅଛି ନା! ମୋ ପାଇଁ ଯୋଗାଡ଼ କରିଦେବେ ନା ସାର୍” !!
ଗରିବ ଘରର ଏମିତି ଦୁଃଖ ଅନେକ କହିଲେ ସରିବ ନାହିଁ।ଆଜିର ଅନିୟନ୍ତ୍ରିତ ବଜାର ଦର, ବେରୋଜଗାରୀ ଓ ବେତନ ସକାଶେ ତ ଦୁଇ ଦୁଇଟା ଚାକିରି ବି ଅର୍ଥ ସମସ୍ୟା ଦୂର କରିବା ପାଇଁ ଅକୁଳାଣ। ଖାସ୍ ଏଇଥିପାଇଁ ପରା ସଫ୍ଟୱେୟାର୍ ଇଂଜିନିୟରିଂ ପିଲା ମାନେ ମଧ୍ୟ ରାତି ଦିନ ନ ଶୋଇ ଏକା ସାଙ୍ଗରେ ତିନି ତିନିଟା ଚାକିରି ଖୋଜୁଛନ୍ତି। ତେଣିକି ନିଜର ପଢା ରୁଣ ଶୁଝିବା ପାଇଁ ହେଉ ବା ପରିବାରର ବୋଝ ମୁଣ୍ଡାଇବା ସହିତ ନିଜର ଉତ୍ତର ଦାୟିତ୍ଵ ସମ୍ଭାଳିବା କାରଣରୁ ହେଉ ।
ଗାଡ଼ି ଭିତରେ ବସିଥିବା ସହକର୍ମୀ ସଦାନନ୍ଦ ସାର୍ କହିଲେ – “ଏମାନେ ତ ଯାଇ ଖଣ୍ଡେ ଅଧେ ଚାକିରି କରିଛନ୍ତି,ହେଲେ ଯେଉଁମାନେ ଆଦୌ ଚାକିରି ପାଇ ନାହାନ୍ତି ସେମାନଙ୍କ କଥା କହୁ ନାହାନ୍ତି କେମିତି ଦିନ କାଳ ବିଚରା କାଟୁଥିବେ” ? ମୁଁ କହିଲି ତାଙ୍କ କଥା ଛାଡ଼ନ୍ତୁ, ସେମାନଙ୍କୁ ଆମ ନେତାମାନେ ତ ସେଲ୍ଫ ଏମପ୍ଲଏଡ ଗୌରବରେ ଗୌରବାନ୍ୱିତ କରି ମିଛ ବାଃ ବାଃ ଦେଇ ଭଣ୍ଡୁଛନ୍ତି ଯେଉଁମାନେ କି ତାଙ୍କ ଜୟ ଜୟ ଧ୍ୱନୀର ତାଳେ ତାଳେ ନାଚୁଛନ୍ତି ଓ ପାଳି ବି ଧରୁଛନ୍ତି ।ଧରନ୍ତୁ ନା! ଆମେ କାହିଁକି କହିବା? ଏଇ ସ୍ଵଳ୍ପ ବେତନଭୋଗୀ କର୍ମଚାରୀ କଥା ତ ଦେଖୁଛନ୍ତି ଆଉ କାହା କଥା ନ କହିଲେ ଭଲ।by ସତ୍ୟ ପ୍ରକାଶ ସେଠୀ

Related posts

ନଭଶ୍ଚୁମ୍ବୀ

satya

ଚଢେଇ

satya

ରୋଜି ଡେ

satya

Leave a Comment

Login

X

Register