Satya Prakash
Uncategorised

ଝରକା ସେପାରିର ଝିଅଟା book

ଭିତରେ ଭର୍ତ୍ତି ହେଉଥାଏ ସେସବୁ କୁଆଡ଼େ ଗୋଲ ହୋଇଯାଉଥାଏ।ତଥାପି ନିଅଣ୍ଟିଆ ବଜେଟ। ଯାହା ବି ହେଉ ସବୁ କଥାର ଅନ୍ତ ଘଟାଇ ଶେଷରେ ଗୃହ ପ୍ରବେଶ ହେଲା। ମଣିଷ ଟିକିଏ ସମସ୍ୟାରୁ ମୁକ୍ତି ପାଇଲା। ପିଲାଛୁଆ ଟିକିଏ ଶାନ୍ତିରେ ନିଶ୍ୱାଷ ନେଲେ। ପତ୍ନୀଙ୍କ ମନରେ ବି ବଡ଼ ସରାଗ। ହେଲେ ଭାଗୀରଥୀ ବାବୁ କହୁଥାନ୍ତି – “ବରଂ ଭଡ଼ା ଘରେ ଜୀବନ କାଟିବ କିନ୍ତୁ ଜୀବନରେ ଶତୃକୁ ବି କେବେ କହିବେ ନାହିଁ ଘର ତିଆରି କରିବାକୁ ନ ହେଲେ ମୁଣ୍ଡ ବାଳ ଚନ୍ଦା ହେବ।ଏ ଘର ନୂହେଁ ଘୋର” ।

ବାଣ ନୂହେଁ ହସ ଫୁଟାଇବା

—by Satya Prakash Sethy

ସାଧୁ ନନା ଦ୍ଵିପ୍ରହରରେ ତଟକା ତଟକା ଝୁଡ଼ିଏ ବରା ବିକ୍ରି କରୁଥିଲେ। ସାଥିରେ ତାଙ୍କ ପତ୍ନୀ ସୁଲୋଚନା ତେଲ କଡେଇରେ ଛାଣୁଥିଲେ। ମୋର ଭାରି ଲୋଭହେଲା। ଭାବିଲି ଆଜି ପେଟଭରି ଠୁଙ୍ଗିଏ ଖାଇବି। ବରା ଠୁଙ୍ଗି ହାତରେ ଧରି ପଚାରିଲି – “କ’ଣ ଦୀପାବଳି ପର୍ବରେ ବାଣ ଫୁଟାଇବା ପାଇଁ ଆଜି ଏତେ ସବୁ ବରା ତିଆରି କରିଛନ୍ତି ନା କ’ ଣ” ?ସାଧୁ ନନା ପ୍ରତିଦିନ ଭଳି ନିରିମାଖି ଚାହାଣିରେ ବିକଳ ହୋଇ ଅନାଇ ରହିଲେ ସିନା ହେଲେ କିଛି କହିପାରିଲେ ନାହିଁ। ତାଙ୍କ ମୁହଁରେ ବୋଧେ ବାକ୍ ସ୍ଫୁରୁ ନ ଥାଏ। ସତେ ଅବା ସେ ଅବାକ୍ ହୋଇଯାଇଛନ୍ତି ସବୁଦିନ ପାଇଁ। ସୁଲୋଚନା ଅପା କହିଲେ -” ହୁଁ ବାଣ, ପେଟ ଚାଖଣ୍ଡକ ପୂରାଇ ହେଉ ନାହିଁ ତ ପୁଣି ବାଣ ଫୁଟାଉଛୁ।ଏ ବାଣ ବଡ଼ବଡ଼ିଆମାନେ ଫୁଟାନ୍ତି। ପଇସା ଦେହେରେ ନିଆଁ ଲଗାଇ ସେମାନେ ଖେଳନ୍ତି, ଆନନ୍ଦ ପାଆନ୍ତି। ହେଲେ ଆମେ କୋଉ ବାଇକୁ ମରିବୁ। ଗୋଟେ ପଟେ ଏକମାତ୍ର ଝିଅର ପଢା ଖର୍ଚ୍ଚ ତୁଲାଇ ପାରୁନାହୁଁ। ବିଚାରୀର ପଢ଼ିବାକୁ ଭାରି ମନ ।ଅନ୍ୟ ପଟେ ଅକାଳରେ ଆକ୍ସିଡେଣ୍ଟରେ ଇଏ ବର୍ଷେ ହେବ ପଙ୍ଗୁ ହୋଇଯାଇଛନ୍ତି ଯେ ଗୋଟିଏ ଜାଗାରେ ବସି ବିକ୍ରୀବଟା କରିବା ବ୍ୟତୀତ ଆଉ କିଛି କାମ କରିପାରୁ ନାହାନ୍ତି। ସେଇଥିରେ ଡାକ୍ତର ଅପରେଶନ କରିବାକୁ ଲକ୍ଷାଧିକ ଟଙ୍କା ମାଗୁଛନ୍ତି। ରାତିଦିନ ଖଟିକି ତାହା ଆମେ କେଉଁଦିନ ପୂରଣ କରି ପାରିବୁ ତାହା ମାଆ ଭୁଆସୁଣୀ ଜାଣନ୍ତି”।

 ଏ କଥା ଶୁଣି ମୋ ମନ ବିଶୋଇ ଉଠିଲା। ମୁଁ ସାମାଜିକ ଗଣମାଧ୍ୟମରେ ସାଧୁ ନନାଙ୍କ ବରା ଦୋକାନର ଫଟୋ ସହ ସମ୍ପୂର୍ଣ୍ଣ ବିବରଣ ଓ ଟ୍ଯାଗ ଲାଇନ୍ – “ବାଣ ନୂହେଁ ହସ ଫୁଟାଇବା “ଲେଖି ଦେଇ ଛାଡ଼ିଦେଲି। ଶେଷରେ ଲେଖିଦେଲି – “ସାହାଯ୍ୟର ହାତ ବଢାନ୍ତୁ, ଗରିବର ଦୁଃଖ ବୁଝନ୍ତୁ” ।

ଯାଯାବର

–by satya prakash Sethy

ଯାଯାବର। ଏମାନେ ସବୁଦିନେ ଏଇମିତିକା। ଏ ଜାଗାରୁ ସେ ଜାଗା ବିଚରଣ କରିବା ସେମାନଙ୍କର ପ୍ରବୃତ୍ତି। କେଉଁଦିନ ଏମାନଙ୍କର ବୁଦ୍ଧି ଉଦୟ ହେବ କେଜାଣି, ହେଲେ ଗୋଟିଏ ଜାଗାରେ ସ୍ଥାୟୀ ହୋଇ ଏମାନେ ନିଶ୍ଚୟ ରହିବେ ନାହିଁ। ଏଇଟା ଏମାନଙ୍କର ରକ୍ତମାଂସ ଦେହରେ ନେସି ହୋଇଯାଇଛି।ତେଣିକି ଆପଣ ଯେତେ ସୁନା ଶିରିପାରେ ବାନ୍ଧି ରଖନ୍ତୁ ନା କାହିଁକି । କିଛି ଲାଭହେବ ନାହିଁ । କଥାରେ ନାହିଁ – “ପ୍ରକୃତି ନୈବ ମୁଚ୍ଯତେ ଯଦିର ମୁଚ୍ୟତେ ସନୈ ସନୈ”।

ସେଦିନ କାଡପା ଆସିଥିଲା ରଥ ବାବୁ ଦୋକାନକୁ। କହିଲା – “ଅଢେଇ ସହ ଗ୍ରାମ ଚାଉଳ ଦିଅ”। ରଥ ବାବୁ ଚାଉଳ ଦେଲେ ତ କିନ୍ତୁ ପଚାରିଲେ – “ତୁମେ କେତେଜଣ ଖାଇବ କି ହୋ! ” କାଡାପା କହିଲା – ଆମେ ସ୍ଵାମୀସ୍ତ୍ରୀ ଆଉ ଆମର ତିନିଟା ଛୁଆ। ସାନ ଛୁଆଟା ଏବେ ତିନି ଚାରି ଦିନ ହେବ ଜନ୍ମ ହୋଇଛି, ସେ ଏବେ ମାଆ କ୍ଷୀର ଖାଉଛି। ସ୍ତ୍ରୀର ଡେଲିଭେରି ପାଇଁ ଆଉ କାମଧନ୍ଦାକୁ ଯାଇହେଉ ନାହିଁ ତ, ତେଣୁ ପାଖରେ ପଇସା ସରି ଆସିଲାଣି, ଏତିକିକୁ ଭାଗ ବଣ୍ଟରା କରି ଖାଇଦେବୁ”। ରଥ ବାବୁ ଏ କଥା ଶୁଣି ବଡ଼ ଆଶ୍ଚର୍ଯ୍ୟ ହେଲେ। ଡାଲି ଚାଉଳ ଭଲମନ୍ଦ କି ଜିନିଷ ନିଜ ଇଛା ଅନୁସାରେ ତାକୁ ଦାନ କଲେ।

ଦିନେ ଦୁଇ ଦିନ ପରେ ପୁଣି କାଡାପା ଆସି ପହଞ୍ଚିଲା, କହିଲା -” ସ୍ତ୍ରୀର ଦେହ ଆଦୌ ଭଲ ରହୁନାହିଁ, ତା ପେଟ କାଟିକାଟି ହେଉଛି, କଞ୍ଚା ଦେହଟା ଆଦୌ ଶୁଖୁ ନାହିଁ, ତେଣୁ 100 /200 ଟଙ୍କା ଧାର ଦେଇଥିବେ କି” ? ରଥ ବାବୁ ତା ପରିସ୍ଥିତି ବୁଝି ତାକୁ ସାହାଯ୍ଯ କଲେ। ଦି ଚାରି ଦିନ ପରେ ପୁଣି କାଡାପା ଆସି କହିଲା – “ଆଜ୍ଞା କେଉଁଠି କିଛି କାମଧନ୍ଦା ମିଳିବ କି, କୁଆଡ଼େ ଯାଇହେଉ ନ ଥିବାରୁ ଛୁଆ ଗୁଡ଼ାକ ଭୋକ ଉପବାସେ ରହିଲେଣି” ।

ରଥ ବାବୁ କହିଲେ – ମୁଁ ଗୋଟେ ପ୍ରସ୍ଥାବ ଦେଉଛି, ତୁମେ ରାଜି ନା! ପ୍ରସ୍ଥାବ ଟି ହେଉଛି – ଆମ ଗାଁ ଏଇ ସହରଠୁଁ ତିନି ମାଇଲ ଦୂରରେ ଅବସ୍ଥିତ। ସେଠି ଆମର ପୈତୃକ ଘର ଓ ଭିଟାମାଟି ଅଛି। ହେପାଜତ ଓ ଲୋକବଳ ଅଭାବରୁ ସବୁ ଅଣହେଳା ହୋଇ ରହିଛି। ତୁମେ ଚାହିଁଲେ ସେଇ ଘରେ ରହନ୍ତ। ବାଡ଼ି ବଗିଚାରେ ଫଳ ପରିବା ଚାଷ କରି ଶାନ୍ତିରେ ଖାଇ ପିଇ ରହନ୍ତ। ଆମ ଘର ଦ୍ଵାର ବି ଅକାଟ ରେ ରହନ୍ତା। କଣ ତମେ ଏଥିରେ ରାଜି ତ”?

କଡପା କହିଲା “ହଁ”।

ତା’ପର ଦିନ କଡପା ପୁରା ପରିବାରଟା ସହ ଚାଲିଲା ରଥ ବାବୁଙ୍କ ଗାଁକୁ। ରଥ ବାବୁ ତାହା ରହିବା ଓ ଚଳିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଇଦେଲେ। ପିଲା ଦୁଇଟାକୁ ମଧ୍ଯ ତାଙ୍କ ଗାଁ ସ୍କୁଲରେ ଭର୍ତ୍ତି କରାଇଲେ। ରେସନ୍ ପତ୍ର ଦେଇ ତାଙ୍କ ଚାଷ ଜମିରେ ଧାନ  ଓ ବାଡ଼ିରେ ପାରିବା ପତ୍ର ଚାଷ କରି ଚଳିବା ପାଇଁ କହି ଆସିଲେ। ମଝିରେ ମଝିରେ ରଥ ବାବୁ ତାକୁ ପଇସାପତ୍ର ଓ ଲୁଗାପଟା ମଧ୍ଯ ଦେଇ ଆସନ୍ତି।ହେଲେ ଦି ତିନି ମାସ ପରେ ହଠାତ୍ ଶୁଣିଲେ କପଡା ଗୋଟେ ଅଟୋ ଭଡା କରି ରାତିରେ ଭଦ୍ରକ ରେଲ ଷ୍ଟେସନ୍ ରେ ଗାଡ଼ି ଚଢି କେଉଁ ଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛି। ଅନିସା କରି କରି ଆଉ ସେ ଫେରିଲାନି ।

ରଥ ବାବୁଙ୍କ ଅକଲ ଗୁଡୁମ ।ସେଦିନ ଦୋକାନରେ ବସି ରହି ବିଳିବିଳେଇ ହେଉଥାନ୍ତି – “ଏମାନେ ସୁଧୁରିବେ ନାହିଁ ବାରବୁଲା ଲୋକ ବାର ଜାଗା ବୁଲି ଲାଗିବା ଏମାନଙ୍କ କାମ। ଘୁସୁରି କୁ ପାଚିଲା କଦଳୀ ପିତା ପରି ଏମାନଙ୍କୁ ଅୟସ ଆରାମ ଜୀବନ ବିଷପିତା।ଚଢେଇ ପରି ରାତି ପାହିଲେ ଏ ଡାଳରୁ ସେ ଡାଳ ଡେଇଁଲା ପରି ଏମାନେ ଠିକଣା ଓ ରହଣି ସ୍ଥାଳୀ ଖୋଜି ବୁଲନ୍ତି। ପୁଣି ସେଠି କିଛି ଦିନ ମନ ଭରି ଗଲା ପରେ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯିବାକୁ ମସୁଧା କରନ୍ତି। ଏଇଟା ସେମାନଙ୍କର mind set ବା ମନର ସିଦ୍ଧାନ୍ତ ଯେଉଁଥିରେ ଅନାୟାସରେ ପରିବର୍ତ୍ତନ ଆଣିବା ଅତୀବ କଷ୍ଟକର ବେପାର। 

କେମିତି ଏମାନେ ସଭ୍ଯ ଶିକ୍ଷିତ ହେବେ, ଚେତନା ଜାଗ୍ରତ ହେବ ସେ କଥା ଭଗବାନ ଜାଣନ୍ତି। ଏମାନଙ୍କର ଅଜ୍ଞତା ବିକାଶର ଅନ୍ତରାୟ।

ଶିବୁ ବାବୁ ଦୋକାନ କାଣ୍ଡ

—by Satya Prakash Sethy

ସେଦିନ ଅଫିସ କାମ ସାରି ଘରକୁ ଫେରିଲି। ଟିକିଏ ମନକୁ ହାଲୁକା କରିବା ପାଇଁ ଗୋଟେ ରିଫ୍ରେସମେଣ୍ଟ ଦୌରାରେ ବୁଲାବୁଲି କରିବା ପାଇଁ ଏବେ ବଜାର ବାହାରିଲି।ସନ୍ଧ୍ୟା 7 କି 8 ଟା ହେବ। ଶିବୁ ବାବୁଙ୍କ ଦୋକାନରେ ପହଂଚିଲା ବେଳକୁ ବନ୍ଧୁ ଦୁଇ ଜଣ ଭେଟ ହୋଇଗଲେ। ସାଙ୍ଗ ହୋଇ ଚା ଟିକିଏ ପିଇଲୁ।

ଗପସପର ମାହୋଲ ଟିକିଏ ଅଲଗା ଥିଲା। ସାମ୍ପ୍ରତିକ ଘଟଣାବଳି ଓ ତହିଁରେ ଯୁବ ସମ୍ପ୍ରଦାୟର ଉଶୃଙ୍ଖଳତାକୁ ନେଇ ଆଲୋଚନା ବେଶ୍ ରୋଚକ ସ୍ଥିତିରେ। ଠିକ୍ ଏତିକି ବେଳକୁ ସିଗାରେଟଟିଏ ଶୋଷି ନେଇ ଆକାଶକୁ ଧୂଆଁ ଛାଡ଼ିଛାଡି ପାଖରେ ଲଣ୍ଡଭଣ୍ଡ ହେଉଥିବା ଟୋକାଟିଏ ମାଡ଼ି ଆସିଲା।

ବିରାଟକାୟ ଟୋକାଟିଏ। ଶାରୀରିକ ବଳ ଅଖଣ୍ଡ।ନାଁ ତାର ସମସେର। ମୋର ବାହୁଟାକୁ ଧରିନେଇ ଏକ ରକମର ଗୋଟେ ପଟରୁ ଆରପଟରୁ ପେଲି ପେଲି ହଟେଇ ଦେଲା। ମୋତେ ଲାଗିଲା ମୋତେ ଫୁଲ ପରି ଟେକି ନେଇ କିଏ ଯେମିତି ଗୋଟେପଟରୁ ଆରପଟରୁ ଉଠେଇ ନେଇ ଥୋଇଦେଲା। ଉଦ୍ଦେଶ୍ୟ ମୋତେ ସେଠୁ ହଟେଇ ଦେଇ ସେ ମୋ ପଛପଟେ ଥିବା ଆଳୁଚିପସ୍ ମାଳରୁ ଗୋଟେ ଓ ଗୋଟେ ଯୋଡ଼େ ଗୁଟଖା ନେବ। ହେଲେ ସେ ତ ମୋତେ ଭଲରେ କହିପାରିଥାନ୍ତା ଯେ “ଅଙ୍କଲ୍! ଆପଣ ଟିକିଏ ସେଠୁ ସରେଇ ଯାଆନ୍ତୁ, ମୁଁ ଚିପସ୍ ନେବି “। ତେବେ ସେ ଏପରି ନ କରି ସେପରି କାହିଁକି କଲା? ଏଇ ତେବେ କ’ଣ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା ନା ନବ୍ଯ ଶିକ୍ଷିତ ଯୁବ ସମ୍ପ୍ରଦାୟର ଭବ୍ଯ ଅଧିକାର? କେମିତି ଏମିତି ଏମାନେ ସାଧାରଣ ଶିଷ୍ଟାଚାର ଓ ବୟସ୍କ ପ୍ରତି ଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବା କଥା ଭୁଲି ଯାଉଛନ୍ତି କେଜାଣି। ବାସ୍ତବରେ ଆଜି ମଣିଷ ସମାଜର ଗତି କୁଆଡ଼େ ଉର୍ଦ୍ଧ୍ୱ ଗତି ନା ଅଧୋଗତି? ଏ କଥା ଭାବିଲା ବେଳକୁ ପାଦ ତଳୁ ମାଟି ଖସିଯାଏ। ଲାଗେ ଦୁନିଆରେ ଯେମିତି ନାହିଁ ନ ଥିବା ପରିବର୍ତ୍ତନ ଘଟିଯାଇଛି।

ଯାତ୍ରା ଟିକଟ

–by Satya Prakash Sethy

ପିଲାବେଳେ ଯାତ୍ରା ଦେଖା ଗୋଟେ ସଉକ ଥିଲା। ସେତେବେଳେ ସାରୋ ପାର୍ଟି, ଦହିପୁର ଅପେରା, ପଣ୍ଡା ଯାତ୍ରା ଦଳ ଆଦି ବେଶ୍ ନାଁ କରା ଯାତ୍ରାପାର୍ଟି ଥିଲା। ଏଇ ଅପେରା ପାର୍ଟି ନାଁ ଶୁଣି ଆମେ ଯାତ୍ରା ଦେଖିବାକୁ ଧାଇଁ ଯାଉଥିଲୁ। ଅଖା ମଶିଣା ପକାଇ ତଳେ ବସି ଯାତ୍ରା ଦେଖୁଥିଲୁ। ଭାରି ମଜା ଆସୁଥିଲା। ହେଲେ ଏବର ଯୁଗରେ ପରିବର୍ତ୍ତନ ଅନେକ ଘଟିଛି। ସେବେକାର ଯାତ୍ରା ଏବେ ରଙ୍ଗମଂଚ ରଙ୍ଗମହଲରେ ପରିବର୍ତ୍ତିତ ହୋଇଛି। ଆଲୋକ ସଜ୍ଜିକରଣଠାରୁ ବେଶପରିପାଟି ଓ ଢଙ୍ଗଢାଙ୍ଗରେ ଖୁବ୍ ଭିନ୍ନତା।ଆଉ ଫ୍ରିସେଲ୍ ଯାତ୍ରାଦେଖା ନାହିଁ। ଏବେ ଟିକଟକଟା ଯାତ୍ରାଦେଖା। ଯାତ୍ରା ଦେଖିବା ପୂର୍ବରୁ ଲମ୍ବା ଲାଇନ୍ ରେ ଛିଡା ହେବାକୁ ହୁଏ। ଟିକଟ କାଟି ବିରାଟ ତମ୍ବୁ ଭିତରକୁ ପଶିଲେ ଯାଇ ଯାତ୍ରାଦେଖା । କିନ୍ତୁ ସିଟ୍ ଖୋଜି ବସିବାରେ ଭାରି ସମସ୍ୟା। କିଏ ପାଞ୍ଚଟା ଟିକଟ କାଟି ସାତଟା ସିଟ୍ ଆବୋରି ବସିଲାଣି ତ ଆଉ କିଏ ପ୍ରଭାବଶାଳୀ କହି ସିଟ୍ ମାଡ଼ି ବସିଲେଣି। ତେଣୁ ସିଟ୍ ପାଇଁ ଝାମେଲା। ବାଡ଼ିଆପିଟା ଓ ଠେଲାପେଲା ଅନେକ। ଏମିତି ଦୁର୍ଦଶା ସେଦିନ ଆମ ଭାଗ୍ୟରେ ଜୁଟିଥିଲା। ବହୁ ଦିନରୁ ମୁଁ ଏ ଆଧୁନିକ ଯାତ୍ରା ଦେଖିବାକୁ କେବେ ଯାଇ ନଥିଲି। ସେଦିନ କିଛି ବନ୍ଧୁଙ୍କ ଅନୁରୋଧ କ୍ରମେ ଯାତ୍ରା ଦେଖିବାକୁ ଯାଇଥିଲୁ ଯେ ବାର ହିନସ୍ଥା ହେବାକୁ ହେଲା। ଏଠୁ ଉଠ ସେଠିକି, ସେଠୁ ଉଠ ଏଠିକି, ଶେଷରେ ପଛ ଆଡ଼େ ଦୁଇ ତିନିଟା ଏକ୍ସଟ୍ରା ଚେୟାର ଦେଲେ ଯେ ବସିକି ଯାତ୍ରା ଦେଖିଲୁ।ଝିଲିମିଲି ଆଲୁଅରେ ରଙ୍ଗମଞ୍ଚ ଝଲସୁଥାଏ। ଆଧୁନିକ ବାଦ୍ୟ ଜନ୍ତ୍ରର ଚମକ ଟମକ ମଧ୍ୟ ଅନୁଭୂତ ହେଉଥାଏ। କଳାକାରଙ୍କ ପଟୁ ଅଭିନୟ ଓ କଳା ପାଟବତା ବେଶ୍ ଠଉରେଇ ହେଉଥାଏ। ସବୁଠି ଆଧୁନିକତା, ଆଧୁନିକତାର ଗନ୍ଧ। କିନ୍ତୁ ଅଶ୍ଳୀଳ ଭାବଭଙ୍ଗୀର ଉଲ୍ଲଂଘନ ସ୍ଥିତି।

 ଈସ କି ହୁଇସିଲ। ହିରୋଇନ୍ ପେଣ୍ଡାଲ ଉପରକୁ ଆସିବା କ୍ଷଣି ହୁଇସିଲ ଓ ତାଳିମାଡ ଗଦା ଗଦା । ହୋହାଲ୍ଲା ବେଶୀ, ଯାତ୍ରା ଦେଖା କମ୍ ।ଇଏ କି ମନୋରଞ୍ଜନ କି ହୋ! ଯେଉଁଠି ଶୃଙ୍ଖଳାର ଘୋର ଅଭାବ। ଗଦାନା କହିଲେ – “ଜୀବନରେ ମୋତେ ଆଉ କେବେ ଏ ଯାତ୍ରା ଦେଖିବାକୁ ଆଣିବ ନାହିଁ”।

କାହାଣୀ ପାଇଁ କଥାକାର ଉକ୍ତି

ଗଳ୍ପ କହିବା ବା ଶୁଣିବାର ଆଗ୍ରହ ବହୁ ପୂରା କାଳରୁ ଚାଲି ଆସୁଅଛି। ଯେତେବେଳେ କି ଲିପିର ଉଦ୍ଭାବନ ବା ବିକାଶ ଆଦୌ ସମ୍ଭବପର ହୋଇ ନ ଥିଲା, ସେତେବେଳେ ମୁଖରୁ ମୁଖ ଜନଶ୍ରୁତି ଆଧାରରେ ଗଳ୍ପଗୁଡିକ ପ୍ରଚାରିତ ଓ ପ୍ରସାରିତ ହୋଇ ଆସୁଥିଲା। ଲୋକେ ଶୁଣିଶୁଣି ଗଳ୍ପଗୁଡିକୁ ମନେ ରଖୁଥିଲେ ଓ ପିଢିରୁ ପିଢି ତାହା ସଞ୍ଚରିତ ହେଉଥିଲା। ଗଳ୍ପଗୁଡିକର ଲୋକପ୍ରିୟତା ଯୋଗୁ ତାହା ସେ ଯୁଗରୁ ଏ ଯୁଗ ଯାଏ ଲୋକପ୍ରିୟତା ହରାଇ ବସି ନାହିଁ। ବରଂ ଅଧିକ ଆଦୃତ ହୋଇପରିଛି। ମଣିଷ ସ୍ୱତଃ କାହାଣୀପ୍ରିୟ। କାହାଣୀ ଧର୍ମିତା ତାହାର ପ୍ରବୃତ୍ତି। ତେବେ ସେତେବେଳେ କାହାଣୀର ବିଷୟବସ୍ତୁ ଆକର୍ଷଣୀୟ କଥାବସ୍ତୁ ବା ବିଶେଷ ଘଟଣାବଳିକୁ ନେଇ ବେଶ୍ ଚର୍ଚ୍ଚିତ ହେଉଥିଲା। ଯେଉଁଥିରେ କି ରାଜାରାଣୀ, ପଶୁପକ୍ଷୀ, ଅସୁରଅସୁରୁଣୀ ପ୍ରମୂଖ ଚରିତ୍ର ଭାବେ କାହାଣୀରେ ପ୍ରଖ୍ଯାପିତ ହେଉଥିଲା। କ୍ରମଶଃ ରୁଚି ବଦଳିଲା। ଅଧିକ ଭାବେ ବାସ୍ତବାଭିମୁଖୀ ହୋଇପଡିବା ମଣିଷର ବୈଲକ୍ଷଣ ହେଲା । ସେ ମଣିଷର ସୁଖଦୁଃଖ, ହର୍ଷବିଷାଦ, ଆଳାପ ଆଲୋଚନା ତଥା ଦଇନିକୁ ନେଇ ନାନା ଚିତ୍ର ଆଙ୍କିଲା। ଯେଉଁଥିରେ ମଣିଷମାନେ ଚରିତ୍ର ହୋଇ ଉଭା ହେବା ସଙ୍ଗେ ସଙ୍ଗେ ତା ଜୀବନର ଇତିବୃତ୍ତ ତହିଁରେ ସ୍ଥାନିତ ହେଲା। ଏହି ଆଦ୍ୟକ୍ରମରେ ସାହାଡ଼ା ସୁନ୍ଦରୀ, ଅଗନାଅଗିନି ବନସ୍ତ, ଠେକୁଆ କଇଁଛ, ବୁଢୀ ଅସୁରୁଣୀ, କୁହୁକଦର୍ପଣ, କୁହୁକ ପେଡ଼ି ସାତତାଳ ପଙ୍କ, ଭଅଁର, ଫରୁଆ, ସିନ୍ଦୁକ ଆଦି ଗଳ୍ପ ଗୁଡିକ ବେଶ୍ ପ୍ରଣିଧାନଯୋଗ୍ୟ। ତେବେ ଲିପିର ଉଦ୍ଭବ ଓ ବିକାଶ ପର୍ବରେ ଯେଉଁ ଅଳ୍ପ କେତେକ ତାଳପତ୍ର ପୋଥି ହେଉ ବା ଅନ୍ୟ କିଛି ସାଧନ ସେଥିରେ ମଧ୍ୟ କାହାଣୀର ମୂଳ ରୂପ ଖୋଜି ପାଇବାକୁ ହୁଏ ଯେପରି ମାଦଳା ପାଞ୍ଜି ହେଉ ବା ଅନ୍ୟ କିଛି ସାହିତ୍ୟକୃତି ରେ।
ତେବେ ପ୍ରତି ସାହିତ୍ୟ ପରି ଓଡ଼ିଆ ସାହିତ୍ୟର ଆଦ୍ୟ ଉନ୍ମେଷ କାଳରେ ମଧ୍ଯ ସାହିତ୍ୟର ମୂଳ ରୂପ କାବ୍ୟିକ ଚିନ୍ତା ଚେତନାରେ ପରିପୁଷ୍ଟ। ଧୀରେଧୀରେ ସାହିତ୍ୟର ଅନ୍ୟାନ୍ୟ ବିଭବ, ଯଥା ନାଟକ , ଉପନ୍ୟାସ ପ୍ରବନ୍ଧ ଓ ଗଳ୍ପ ଆଦି ଅନ୍ୟାନ୍ୟ ଗଦ୍ୟ ରୂପର ବିକାଶ ସାଧିତ ହେବାକୁ ଲାଗିଲା।
ଏହି ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟରେ କଥାକାର ଫକୀର ମୋହନ ସେନାପତିଙ୍କ ଆର୍ବିଭାବ ଓ ତାଙ୍କ ଦ୍ଵାରା ପ୍ରଥମ ଓଡ଼ିଆ କ୍ଷୁଦ୍ର ଗଳ୍ପ୍ ଲଛମନିଆର ସ୍ରୁଷ୍ଟି ପ୍ରକରଣ ସେତେବେଳେ ଓଡ଼ିଆ ସାହିତ୍ୟ ଜଗତରେ ବେଶ୍ ହଟଚମଟ ସ୍ରୁଷ୍ଟି କରିବାକୁ ସକ୍ଷମ ହୋଇଥିଲା। ପରବର୍ତ୍ତୀ ସମୟରେ ଫକୀରମୋହନଙ୍କ ଦ୍ଵାରା ଆଉ କୋଡ଼ିଏ ଗୋଟି କ୍ଷୁଦ୍ର ଗଳ୍ପ ରଚନା ସମକାଳୀନ ସାହିତ୍ୟ ସ୍ରଷ୍ଟାମାନଙ୍କୁ କ୍ଷୁଦ୍ର ଗଳ୍ପ ଲେଖିବାକୁ ପ୍ରଲୁବ୍ଧ କରିଥିଲା। ଫଳତଃ ଓଡ଼ିଆ ସାହିତ୍ୟରେ କ୍ରମଶଃ ବହୁ କ୍ଷୁଦ୍ର ଗଳ୍ପ ସ୍ରୁଷ୍ଟି ହେବାକୁ ଲାଗିଲା। ହେଲେ ଏହାର ଆକାର ଓ ପ୍ରକାରର ଅନେକ ପରିବର୍ତ୍ତନ ସଂଘଟିତ ହୋଇଛି। ପ୍ରଥମ 1000 ରେ ଶବ୍ଦ ରୁ ଦେଢ଼ ହଜାର ଶବ୍ଦ ମଧ୍ୟରେ ରଚିତ ଏହି ଗଳ୍ପ ଗୁଡିକ କେବେ କେବେ 2500ରୁ 3500 ଶବ୍ଦ କୁ ବୃଦ୍ଧି ପାଇଲାଣି। ସେହିଭଳି ଆଉ କେତେକ ଗାଳ୍ପିକ ଏହାର କଳେବର କୁ 500 ରୁ 1000 ଶବ୍ଦ ମଧ୍ୟରେ ସୀମିତ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ଆଉ କେତକ ମାତ୍ର 500 ଶବ୍ଦ ମଧ୍ୟରେ ଏହାର କଳେବରକୁ ସୀମିତ କରି କ୍ଷୁଦ୍ର ଗଳ୍ପର ଗୁରୁତ୍ଵକୁ ଓ ସାର୍ଥକତାକୁ ମଧ୍ୟ ଅକ୍ଷୁର୍ଣ୍ଣ ରଖି ପାରିଛନ୍ତି। ତେଣୁ ଆହୁରି କ୍ଷୁଦ୍ରରୁ କ୍ଷୁଦ୍ରତର କରି ଗଢି ତୋଳିବା ପ୍ରୟାସରେ ମୁଁ ଉକ୍ତ ପୁସ୍ତକରେ ସ୍ଥାନିତ ସମସ୍ତ ଗଳ୍ପ ଗୁଡିକୁ ଅତି କ୍ଷୁଦ୍ର କରି ଗଢି ତୋଳିବାକୁ ଉଦ୍ୟମ କରିଛି। ଯେଉଁଠି ଗଳ୍ପ ଗୁଡିକ ମାତ୍ର ଅତିବେଶିରେ 100 ବା 150 ଶବ୍ଦ ମଧ୍ୟରେ ସୀମିତ ରହି ପାରିଛି। ଏପରି କିଛି ଗଳ୍ପ ମାତ୍ର 30 ବା ଚାଳିଶ ଶବ୍ଦ ମଧ୍ୟରେ ମଧ୍ୟ ପ୍ରଖ୍ଯାପିତ ହୋଇଛି। ତେଣୁ କହିବା ବାହୁଲ୍ୟ ହେବ ଯେ ଗଳ୍ପ ଲିଖନ କଳାରେ ଅନେକ ନୂତନତ୍ୱ ସଂସ୍ଥାପିତ ହୋଇଛି। ଏଥିରେ ଗଳ୍ପଗୁଡିକର ଅବୟବ କ୍ଷୁଦ୍ର ହେଲେ ହେଁ ତା’ର ବୈଶିଷ୍ଟ୍ୟ ହରାଇ ନାହିଁ। ଗଳ୍ପ ପାଇଁ ଆବଶ୍ୟକୀୟ ଉପାଦାନ ଚରିତ୍ର, ଘଟଣାବଳି, ବିଷୟବସ୍ତୁ, ଉତ୍କଣ୍ଠା, ଦ୍ଵନ୍ଦ ଆଦି ବିଶେଷତା ରହିଛି। ବିଶେଷ ପରିଣତି ମଧ୍ୟ ରହିଛି ଯାହା ପାଠକମାନଙ୍କ ହୃଦୟରେ ଚମକ ସ୍ରୁଷ୍ଟି କରିବାକୁ ସମର୍ଥ। ପ୍ରତିଟି ଗଳ୍ପର ଲକ୍ଷ୍ୟ ସମାଜକୁ ବାର୍ତ୍ତାଟିଏ ଦେଇ ସମାଜର ହିତ ସାଧନ କରିବା। ଏହି ଗଳ୍ପ ଗୁଡିକରେ ମଧ୍ୟ ଖୁବ ସୁନ୍ଦର ବାର୍ତ୍ତା ରହିଛି ଯାହା ସମାଜ ପାଇଁ ଅତୀବ ଶିକ୍ଷଣୀୟ ହୋଇ ପାରିଛି। ଏଗୁଡ଼ିକୁ ଅଣୁଗଳ୍ପ ପର୍ଯ୍ୟାୟଭୁକ୍ତ ବା ଅତି ଅଣୁଗଳ୍ପ କହିବା ଯଥାର୍ଥ ହେବ।
ଆଜିକାଲି ବ୍ୟସ୍ତବିବ୍ରତ ସମଜରେ କାହାରି ପାଖରେ ସମୟ ନାହିଁ, ତେଣୁ ଘଣ୍ଟା ଘଣ୍ଟା ଧରି ପଠନ ଅଭ୍ୟାସର ଅନ୍ତ ଘଟିଛି। ଏତେବେଳେ ଅଳ୍ପରେ ଅଧିକ ଲାଭ ଉଠାଇବା ପ୍ରୟାସରେ ଅଣୁଗଳ୍ପ ପ୍ରତି ଅସମ୍ଭବ ସମର୍ଥନ ମିଳିବା ସଙ୍ଗେ ସଙ୍ଗେ ଆଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏ ଦିଗରେ ମୋର ଏହି କ୍ଷୁଦ୍ର ପ୍ରୟାସ ଏକ ଆନନ୍ଦାନୁଭୂତିରେ ସମସ୍ତଙ୍କୁ ନିଶ୍ଚିତ ଅଭିଭୂତ କରିବା। ଏ ଆଶା ଓ ବଳକା ବିଶ୍ୱାସ ରଖି ମୁଁ ମୋ ଉଦ୍ୟମରେ ବ୍ରତୀ ରହିଚି। ତେବେ ଏହି ଗଳ୍ପ ଗୁଡିକର ସାଫଲ୍ଯତା ପାଠକମାନଙ୍କର ଭଲପାଇବା ଉପରେ ନିର୍ଭରଶୀଳ ଯାହାର ଅପେକ୍ଷା ସଦା ରହିବ ।
ଏଥିରେ ସ୍ଥାନିତ ହୋଇଥିବା ଗଳ୍ପ ଗୁଡିକର କଥାବସ୍ତୁ ଏତେ ଶାଣିତ ଓ ସାନ୍ଦ୍ର ଭାବେ ନିହିତ ଯେ ତାହା ପାଠକମାନଙ୍କୁ ଭାବିବାକୁ ବାଧ୍ୟ କରିବ। ଏହାର ଭାବବସ୍ତୁ ନିଗୂଢ ରହସ୍ୟରେ ସଂଗୁପ୍ତ। ନିଆରା ଢଙ୍ଗରେ ପ୍ରକ୍ଷିପ୍ତ ଯାହା ଆପ୍ତବାକ୍ଯ ପରି ପ୍ରତୀତି ହୁଏ।
ସମୟ। ସମୟ ବଡ଼ ବଳବାନ। ଏବର ନିଅଣ୍ଟିଆ ସମୟରେ କାହା ପାଖରେ ବା ବଳକା ସମୟ ଅଛି ଯେ ନାତିନିଷ୍ଠ ଓ ସୁଦୀର୍ଘ ଗଳ୍ପ ପଢିବା ପାଇଁ। ତେଣୁ ତ ବୃହତ୍ତ ଛାଡି ଏ କ୍ଷୁଦ୍ରର ପରିକଳ୍ପନା। ସମୟର ସତର୍କ ଘଣ୍ଟି ଯୋଗୁ ଆଜି ଶବ୍ଦର ମିତବ୍ୟୟିତା, କଳେବରର କ୍ଷୁଦ୍ରତା ଓ ଶାଣିତ ଉକ୍ତି ଆୟୁଧ ସାଜିଛି।
ବୃହତ ଗଳ୍ପ ଲେଖିବାରେ ବିଶେଷ କିଛି ଅସୁବିଧା ନାହିଁ କାରଣ ବର୍ଣ୍ଣନା ଚାତୁରୀରେ ଓ ଶବ୍ଦର ପରିପାଟି ଭିତରେ ଘଟଣାବଳିରେ ଗତିଶୀଳତାସ୍ରୁଷ୍ଟି କରିବା ସହଜ ହୁଏ।ମାତ୍ର ଅଣୁଗଳ୍ପ କ୍ଷେତ୍ରରେ ଗୋଟିଏ ଦୁଇଟି ମାତ୍ର ଚରିତ୍ର ମାଧ୍ୟମରେ ଗୋଟିଏ ନିର୍ଦିଷ୍ଟ ଘଟନାକୁ ଅତି ଚମତ୍କାରିତା ମାଧ୍ୟମରେ ପ୍ରକାଶ କରିବା କେବଳ କଷ୍ଟସାଧ୍ଯ ନୂହେଁ ଅତି ଆୟାସ ସାଧ୍ଯ ହୋଇଥାଏ। ପୁଣି ତହିଁରେ ବାର୍ତ୍ତାଟିଏ ଗଢିତୋଳିବା ନିଶ୍ଚେତପକ୍ଷେ କାଠିକର ପାଠ। ତେବେ ଯାହା ବି ହେଉ ଏ ସବୁ ଦୃଷ୍ଟିକୋଣ ପ୍ରତି ତୀର୍ଯ୍ୟକ ଦୃଷ୍ଟି ସମ୍ପ୍ରାତ ପୂର୍ବକ ଅନୁ ଗଳ୍ପର ବୈଶିଷ୍ଟ୍ୟ କୁ ବଜାୟ ରଖିବା ପାଇଁ ଯଥେଷ୍ଟ ପ୍ରୟାସ କରାଯାଇଛି। ତେଣିକି ତାହା ପାଠକୀୟ ସ୍ଵୀକୃତି ପାଇ ପାରିଲେ ଧନ୍ୟ ହେବ ମୋର କୃତିରାଜି। ଅନେକ ଆଶାଆକାଙ୍କ୍ଷା o ଅପେକ୍ଷା ରଖି ମୋର ଏ ଅଭିନବ ପରିକଳ୍ପନା।
-ଗାଳ୍ପିକ
(ସତ୍ୟ ପ୍ରକାଶ ସେଠୀ)

ଜନ୍ମଦିନ ବନ୍ଦ
—-by Satya Prakash Sethy
ବାପା ଆମ ଘରେ କ୍ରାଇସିସ୍ ମ୍ଯାନେଜର ଏବଂ ଇଭେଣ୍ଟ ମ୍ଯାନେଜର। ଯେକୌଣସି ସଙ୍କଟ ଘଡିରେ ତାଙ୍କ ଆଜ୍ଞା ଓ ପରମର୍ଶ ଏକାନ୍ତ ଶିରୋଧାର୍ଯ୍ୟ।
ଥରେ ଆମ ଘରେ ଜନ୍ମଦିନ ପାଳିତ ହେଉଥାଏ ନାତିର ଜନ୍ମ ଦିନକୁ ନେଇ ବାପା ବେଶ୍ ସଦା ସର୍ବଦା ଉତ୍ସାହିତ ଥାଆନ୍ତି। ସେଇଥିପାଇଁ ତ ଲିଟୁର ଜନ୍ମଦିନ ଆମ ଘରେ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ। ବହୁ ବଡ ଆକାରରେ ନ ହେଲେ ମଧ୍ଯ ଗୋଟେ ସୁନ୍ଦର ପାର୍ଟିର ଆୟୋଜନ ହୁଏ। ବହୁ ଲୋକ ସମାଗମ ହୁଏ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଲିଟୁର ଜନ୍ମଦିନ ଅତି ଜାକଜମକରେ ସମାପିତ ହେଲା। ବହୁଆଡୁ ବହୁ ଲୋକ ଆସିଥିଲେ। କିନ୍ତୁ କେମିତି କଣ ହେବ ସେ କଥା ସବୁ ବାପା ବୁଝନ୍ତି। ଆମକୁ ଖାଲି ତାଙ୍କର ଯାହା ନିର୍ଦ୍ଦେଶ ଥାଏ ଆମେ ତାହା ଅବିଳମ୍ବେ ଅନୁପାଳନ କରୁ। ଭୋଜିରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ। ସେଥିରେ ବାପାଙ୍କର ତିଳେ ହେଁ ଚିନ୍ତା ନାହିଁ। ସେ କୁହନ୍ତି – “ଲିଟୁର ଖୁସି ତୁଳନାରେ ଏଗୁଡାକ ସବୁ କିଛି ବଡ଼କଥା ନୂହେଁ” ।
ସମସ୍ତଙ୍କ ମନରେ ମନେ ଖୁସି ଯାହାହେଉ ଅତି ଆଡମ୍ବର ସହକାରେ କାର୍ଯ୍ୟଟି ଯାହାହେଉ ସୁରଖୁରରେ ସମ୍ପାଦିତ ହୋଇଗଲା। ଅତିଥିଙ୍କୁ ଆତିଥ୍ୟ ଓ କାର୍ଯ୍ୟକ୍ରମ ପ୍ରସ୍ତୁତିରେ କେଉଁଠି କିଛି ତ୍ରୁଟି ରହିଲା ନାହିଁ, ନ ହେଲେ ବାପା ଯେମିତିକା ଶୃଙ୍ଖଳିତ ଲୋକ ପାନରୁ ଟିକେ ଚୂନ୍ ଖସିଲେ କଣ ନାହିଁ କଣ ଶୁଣେଇଦେବେ।
ବିଳମ୍ବିତ ରାତିରେ ସମସ୍ତ କାମ ନିପଟେଇ ଆମେ ଶାନ୍ତିରେ ଶୋଇଲୁ। ତା’ପର ଦିନ ଡେରିରେ ଉଠିଲୁ। ବାପା ବି ଉପରଓଳି ଚା ଦି ଢୋକ ପିଇ ଦେଇ ବଜାର ବାହାରିଗଲେ। ବାଟରେ ପଡ଼ିଲା ଭାସ୍କର ସାହୁ ତେଜରାତି ଦୋକାନ। ବାପା ଲିଟୁ ପାଇଁ ଦୁଇଟା ଚିପସ୍ କିଣିବାକୁ ତା ଦୋକାନକୁ ଗଲେ। ଭାସ୍କର ବାବୁ କହିଦେଲେ – “ଗତକାଲି ଆପଣଙ୍କ ପୁଅ ୧୭୦ ଟଙ୍କାର ପତ୍ର ଓ ଦନା ନେଇଥିଲେ ପଇସା କାହିଁ ଦେଲେ ନାହିଁ! “
ଏତିକିରେ ବାପାଙ୍କ ମୁଡ୍ ଅପ୍। ତୁରନ୍ତ ଘରକୁ ଫେରି ଆସି କହିଲେ – “ଆସନ୍ତା ବର୍ଷଠାରୁ ଲିଟୁର ଜନ୍ମଦିନ ଉତ୍ସବ ବନ୍ଦ। ଆଉ କେବେ ହେବାକୁ ମୁଁ ଦେବି ନାହିଁ”।
ସମସ୍ତେ ଆଶ୍ଚର୍ଯ୍ୟ – ହଠାତ୍ ବାପାଙ୍କର କଣ ହେଲା। କାଲି ପର୍ଯ୍ୟନ୍ତ ତ ସେ ଖୁବ୍ ଉତ୍ସାହିତ ଥିଲେ ଓ ଏ ସମସ୍ତ ଆୟୋଜନ ତାଙ୍କ ନିର୍ଦ୍ଦେଶରେ ହିଁ ହୋଇଥିଲା।
ବୁଝବୁଝ ଘଟଣା ଅନ୍ୟ ପ୍ରକାରର। କାରଣ ବାପାଙ୍କର ପ୍ରିନ୍ସିପୁଲ ହେଲା ଯାହା କରିବ ନଗଦ କାରବାର କରିବ। କାହା ପାଖରୁ ବାକିରେ କିଛି ଖାଇବ ନାହିଁ। କାରଣ ବେଳ ପଡ଼ିଲେ ସେ କହିଦେବ ବା ମାଗିଦେବ। ସେଇଟା ସମ୍ମାନହାନି ହେବ।
ଏତେବେଳକେ ମୁଁ ମୋ ଭୁଲ ବୁଝିପାରିଲି ଯେ ଭାସ୍କର ବାବୁଙ୍କ ଦୋକାନରୁ ବାକି ଆଣି ମୁଁ ପଇସା ଫେରାଇବାକୁ ସମୟ ପାଇ ପାରି ନାହିଁ । ସେ କିନ୍ତୁ କାହୁଁ ଜାଣିବ ବାପାଙ୍କ ମତିଗତି କଥା। ସେ କହିଦେଇଛି ଓ ବାପାଙ୍କୁ ତାହା ବାଧି ଯାଇଛି। ତେଣିକି ଆମେ ଯେତେ ଭୁଲ ଭଟକା ମାଗିଲୁ ବାପା ଆଉ ବୁଝିଲେ ନାହିଁ। ସେଇଦିନଠାରୁ ଆମ ଘରେ ଲିଟୁର ଜନ୍ମଦିନ ବନ୍ଦ। ବାପାଙ୍କ ନିଷ୍ପତ୍ତି ଏହିପରି ସବୁବେଳେ ବଜ୍ରନିର୍ଘୋସ ହୋଇଥାଏ।
ଆଉଥରେ ସମବାୟ ସମିତିରୁ ଅଳ୍ପ ସୁଧହାର ବୋଲି ମୁଁ ଥରେ ରୁଣ ଆଣିଥିଲି, ଅବହେଳା ଯୋଗୁ ଶୁଝିବାକୁ ଭୁଲି ଯାଇଥିଲି। ଡିଫଲ୍ଟ ରହୁଥିବାରୁ ସମିତିରୁ ଡିମାଣ୍ଡ ନୋଟିସ ଆସିଲା ।ଯୋଗକୁ ବାପା ସେଦିନ ଘରେ ଥିଲେ। ତାଙ୍କ ହାବୁଡରେ ଏ କଥା ପଡ଼ିଗଲା। ସେ ତ ରାଗି କି ନିଆଁ ବାଣ ହୋଇଗଲେ। ତୁରନ୍ତ ରୁଣ ଟଙ୍କା ପୈଠ କରିଆସି, ତାଗିଦ୍ କଲେ ଆଉ ଦିନେ ଯେମିତି ଏମିତି ଧାର ଉଧାରି ବା ରୁଣ କାରବାର ନକର। ଆଗକାଳ ଲୋକ ଏମିତି ନୀତି ନିୟମରେ ବନ୍ଧା। ସେମାନଙ୍କ ପାଇଁ ସମ୍ମାନ ବଡ଼। ଭୋକ ଉପବାସରେ ରହିବେ ପଛେ କାହାଠାରୁ କେବେ କିଛି ଧାରନ୍ତି ନାହିଁ। ଏଭଳି ନୀତି ନିୟମର କଷଟି ପଥରେ ଚାଲୁଥିବା ଲୋକ ଦୁନିଆରେ ବିରଳ। ହେଲେ ସେମାନେ ଆମ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ।

Related posts

ମୁଁ ଆଉ କହିବି କ’ଣ

satya

ସାଗର

satya

ପ୍ରାଥମିକ ଚିକିତ୍ସା

satya

Leave a Comment

Login

X

Register