Satya Prakash
  • Home
  • Book
  • ଶୂନ୍ଶାନ୍ ରାତି book
Book Uncategorised

ଶୂନ୍ଶାନ୍ ରାତି book

ଶୂନ୍ଶାନ୍ ରାତି book

ଉତ୍ସର୍ଗ
-——-
ସନ୍ଧ୍ୟା ହେଲେ ଜେଜେଙ୍କ ପାଖରେ ବସି ଉହ୍ମେଇରୁ ନିଆଁ ପିଉ ପିଉ କାହାଣୀ ଆରମ୍ଭ ହୁଏ।ପୁଣି ଜେଜେଙ୍କ କମ୍ବଳ ଭିତରେ ପଶି ଉଷୁମ ଟାଣୁଟାଣୁ ଗପର ଖିଅଟା ଆହୁରି ଲମ୍ବିଯାଏ। କେଉଁଠୁ ଆରମ୍ଭ ହୋଇ କେଉଁଠି ଯେ ସରିଯାଏ, ତାହାର କିଛି ଆଦିଅନ୍ତ ନଥାଏ। ମୁଁ କିନ୍ତୁ ଘୁମଉ ଘୁମଉ ଗହଳ ନିଦର ବହଳ ପରଦା ତଳେ କେତେବେଳୁ ସ୍ଵପ୍ନ ପୁରୀରେ ହଜିଯାଇଥାଏ ।ସେଇ ସ୍ଵପ୍ନରେ ସ୍ଵପ୍ନରେ ଦେଖୁଥାଏ, ପୁକ୍ ଦେଶର କୁହୁକ କାହାଣୀଠାରୁ ପରୀ ରାଇଜର ପରୀ କାହାଣୀ ଯାଏଁ କେତେ କ’ଣ ।ସେଇ ବୋଧେ ମୋ ଗଳ୍ପ ଲିଖନର ପୃଷ୍ଠଭୂମି ଗଢି ତୋଳୁଥିଲା। ହେଲେ ମୋ ଜେଜେ ଆଜି ନାହାଁନ୍ତି , କେଉଁ ଦିନୁ ଟିକଟ କାଟିଲେଣି ଆରପାରିକୁ। ତଥାପି ତାଙ୍କରି ସ୍ମୃତିଟି ମୋ ଚେତନାରେ ଏବେବି ଜୀବନ୍ତ ହୋଇ ରହିଛି, ଯାହା ମୋ କାହାଣୀକୁ ପରିପୃଷ୍ଠ କରିଥାଏ। ତେଣୁ ସେଇ ମୋ ଜେଜେ (ଗୋପିନାଥ) ଯାହାଙ୍କ କରକମଳରେ ମୋର ଏହି ପୁସ୍ତକ “ଶୂନ୍ଶାନ୍ ରାତି” କୁ ସମର୍ପଣ କରି ଯଥାର୍ଥରେ ମୁଁ ତାଙ୍କ ରୁଣ ଶୁଝିବାରେ ବ୍ରତୀ ।
(ଇତି)
ତୁମ ନାତିଆ

କିଞ୍ଚିତ୍

ଭୌତିକ କ୍ରିୟାକାଣ୍ଡ ଓ ଶ୍ରୀ ବିଶ୍ଵନାଥ
——by ସତ୍ୟ ପ୍ରକାଶ ସେଠୀ
ଭୂତ ଓ ପ୍ରେତର ସ୍ଥିତି, ସଂସ୍ଥିତ ଓ ଅବସ୍ଥିତିକୁ ନେଇ ମନ ମଧ୍ୟରେ ଅନେକ ଭାବ ଓ ଭାବାନ୍ତର ସ୍ରୁଷ୍ଟି ହୁଏ। କେତେବେଳେ ମନ ଅଜଣା ଶଙ୍କା ଓ ଆଶଙ୍କାରେ ଶିହରିତ ହୋଇଉଠେ ତ ପୁଣି କେତେବେଳେ ଏକ ଅଜଣା ଭୟର କରାଳ ଛାୟା ମଣ୍ଡାରି ହୋଇଉଠେ। ତେଣୁ ଚିତ୍ତ ଚାଞ୍ଚଲ୍ୟତା ଓ ମନରେ ଉଦବେଗ ପରିପ୍ରକାଶ ହେବା ସ୍ୱାଭାବିକ। ବେଳେ, ହୁଏତ ମନ କହେ ଏଗୁଡିକ ସବୁ ସତ, ଏମିତି କିଛି ନିଶ୍ଚୟ ଅଛି। ପୁଣି ପରମୁହୂର୍ତ୍ତରେ ଆମେ ତାକୁ ମନର ଭ୍ରମ ଓ ଅନ୍ଧ ବିଶ୍ବାସ କହି ଅସ୍ୱୀକାର କରିଥାଏ।ଏହା ଏପରି ରହସ୍ୟଜନକ ଓ ରହସ୍ୟମୟ ଯେ ଅନେକ ବିଜ୍ଞାନୀ ମଣିଷ ତ ଏହା ଉପରେ ଅନୁଧ୍ୟାନ ଓ ଅନୁସନ୍ଧାନ କରି କିଛି ସଠିକ୍ ନିରୂପଣ କରିବା ପୂର୍ବରୁ ସେଥିରୁ କ୍ଷାନ୍ତ ରହିଛନ୍ତି ବା ନିଜର ଗବେଷଣା ନ କରି ପାରି ଅସଫଳ ହୋଇଛନ୍ତି। ତେଣୁ ଏ ସମ୍ପର୍କରେ ଆହୁରି ଅନେକ ପରୀକ୍ଷା ନିରୀକ୍ଷା ଓ ଅନୁସନ୍ଧାନର ହୁଏତ ଆବଶ୍ୟକତା ଥାଇପାରେ । ତେବେ ଯାହାହେଉ ଏଠାରେ ଆମେ ନିଜସ୍ଵ ଅନୁଭୂତି ବା ଅନୁଭବରୁ କିଞ୍ଚିତ୍ ଉପସ୍ଥାପନ କରିବା ।
ଜୀବନର ଆରମ୍ଭରୁ ଆମେ ସମସ୍ତେ ବେଶ୍ ଅନୁସନ୍ଧିତ୍ସୁ ଓ ଅନୁସନ୍ଧାନ କରି କିଛି ନା କିଛି ନୂତନ ତତ୍ତ୍ଵ ଓ ତଥ୍ୟ ଉନ୍ମୋଚନରେ ବ୍ରତୀ ଥାଏ । ସେହି ପ୍ରୟାସରେ ମୁଁ ଯେ କିଛି ଅନୁସନ୍ଧାନ କରି ନାହିଁ ସେ କଥା ନୂହେଁ, କିନ୍ତୁ ଗବେଷଣା ଲବ୍ଧ ଜ୍ଞାନକୁ ଉପସ୍ଥାପନା କଲା ଭଳି ମୋ ପାଖରେ ସେମିତି କିଛି ସମାଗ୍ରୀ ମହଜୁଦ ନାହିଁ।
ଅନେକ ସମୟରେ ଆଧିଭୌତିକ ତତ୍ତ୍ଵ ଓ ସ୍ଥିତିକୁ ନେଇ ମୁଁ ମଧ୍ୟ ମନେମନେ ଅନେକ ଅଙ୍କ କଷିଛି, ଯାହା ଆପଣ ମାନଙ୍କ ମଧ୍ୟରୁ ଅନେକ ହୁଏତ କରିଥାଇ ପାରନ୍ତି । ହେଲେ ଏଯାଏଁ ତା’ର ସମାଧାନର ହେତୁ ବା ସୂତ୍ର ଖୋଜି ନିରୂପଣ କାହିଁ ତ କରି ପାରିନାହିଁ। ତେବେ ମୋ ମନରେ ସ୍ୱତଃ ପ୍ରଶ୍ନ ଉଠେ – ଏ ବିରାଟ ବିଶ୍ଵ ଓ ତହିଁରେ ପୃଥିବୀ ଓ ଜୀବ ଜଗତ ସମସ୍ତେ ଆତଯାତ ହେଉଛନ୍ତି କିପରି? ଏହାର ସ୍ରୁଷ୍ଟି ଓ ବିଲୟ ମୂଳରେ ଯଦି କୌଣସି ତତ୍ତ୍ଵ ବା ସିଦ୍ଧାନ୍ତ ନିହିତ ନାହିଁ, ତେବେ ଏହା ସମ୍ଭବପର ହେଲା କିପରି? ଏହିପରି ମନ ଯେତେ ଯେତେ ପ୍ରଶ୍ନିଳ ହୋଇଉଠେ, ସେତେ ସେତେ ଜଟିଳତାର ନିଗୂଢ ଫାଶରେ ମଣିଷ ବାନ୍ଧି ହୋଇପଡେ। ଅଥଚ ସମାଧାନ ଓ ନିସ୍କୃତିର ମାର୍ଗ ସେ ଅହରହ ଖୋଜି ବସେ। ତେବେ ବି ଅସମାଧିତ ହୋଇ ଅନେକ ରହିଯାଏ। ମୁଁ ତେଣୁ ନିଜକୁ ପଚାରେ –
ସ୍ରୁଷ୍ଟିର ବୈଚିତ୍ର୍ୟ ଏଯାଏଁ ପାରିନି ବୁଝି
ତଥାପି ବୃଥା ଆସ୍ଫାଳନେ ନାହିଁ କାହିଁ କମି
ଅକାଶର କୋଟି କୋଟି ଗ୍ରହ ଉପଗ୍ରହ
କୀଟ ପତଙ୍ଗ ପ୍ରାଣୀ ଓ ଉଦ୍ଭିଦ ଜଗତ
ବାଲି ଗରଡା ନଦ ନଦୀ ପାହାଡ଼ ପର୍ବତ
ଜୀବଠୁଁ ଆରମ୍ଭି ଜଡ ଜଗତ ସମୂହ
ସବୁ କିଛି ସୃଷ୍ଟିର ସେ ଅଦ୍ଭୁତ ବିଚାର
ଯାହାକି ବିଜ୍ଞାନ ଓ ବୈଜ୍ଞାନିକ ପାଇଁ
ଏବେବି ସେ ଅପହଁଚ ଅଗମ୍ଯ ଅଭେଦ୍ୟ
ସୃଷ୍ଟିର ରହସ୍ୟ ଭେଦି ଆଜି କେତେ କ’ଣ
ଆବିଷ୍କୃତ ଉଦ୍ଭାବିତ ତତ୍ତ୍ଵ ଉନ୍ମୋଚିତ
ତଥାପି ଏବେବି ଅନେକ ଅନାବିଷ୍କୃତ
ଅନାବରଣ କରିବାକୁ ପାଇନି ତର
ବିଜ୍ଞାନର ସମସ୍ତ ପରିକ୍ଷା ଶେଷେ ପୁଣି
କେତେ ଅସମ୍ପୁର୍ଣ୍ଣ ଅସଫଳ କାହାଣୀ
ଏଠି ତ ନୂଆ ନୂଆ ପରିକ୍ଷା ଚାଲେ ନିତି
ତଥାପି ସବୁତକ ପରିକ୍ଷାର ମୂଳ ହେତୁ
କାହିଁ ସିଏ ପାଇନି ତ ଏଯାବତ୍ ଖୋଜି
ଯେଉଁଠି ବିଜ୍ଞାନର ସବୁ ତତ୍ତ୍ଵ ଅସଫଳ
ବୈଜ୍ଞାନିକର ସବୁ ଚେଷ୍ଟା ହୁଏ ବିଫଳ
ସେଠି ସିଏ ଉର୍ଦ୍ଧକୁ ଦୁଇ ହାତ ଟେକି ଦେଇ
କେଉଁ ଅଦୃଷ୍ଟ ଶକ୍ତି ପରେ କରେ ନିର୍ଭର?
ଆଦିଭୌତିକ ଚେତନାର ଉର୍ଦ୍ଧକୁ ଉଠି
ଅଲକ୍ଷ୍ୟେ ସ୍ୱୀକାର କରେ ନାହିଁ କି ହେ ତା ‘ଶକ୍ତି?
ଏହି ପରିପ୍ରେକ୍ଷୀରେ ପ୍ରେତ ତାତ୍ତ୍ୱିକ ଶ୍ରୀ ବିଶ୍ଵନାଥଙ୍କ କଥା ବିଚାରକୁ ନିଆଯାଇ ପାରେ। ସେ ଆଜି ଜଣେ ଲୋକ ପ୍ରିୟ ଚେହେରା। ଭୂତ ଓ ପ୍ରେତକୁ ନେଇ ତାଙ୍କର ବୈଚାରିକ ବିଚାରଧାରା ଅନେକ ଜନମାନସକୁ ଆକୃଷ୍ଠ କରିଛି। ୟୁ ଟ୍ୟୁବ୍ ରେ ପ୍ରାୟତଃ ଏ ସମ୍ପର୍କୀୟ ତାଙ୍କର 295 ଟି ଭିଡିଓ ରହିଛି ଓ 74.2k ତାଙ୍କର subscriber ପାଲଟିଛନ୍ତି ।ଏତଦ୍ ବ୍ୟତୀତ ଲକ୍ଷ ଲକ୍ଷ ଦର୍ଶକ ତାଙ୍କର ଭିଡିଓ ଗୁଡିକୁ ଆଗ୍ରହରେ ସହିତ ଦେଖୁଛନ୍ତି।
ତେବେ ମନରେ ପ୍ରଶ୍ନ ଉଠେ- ଏ ବ୍ୟକ୍ତି ଜଣଙ୍କ କିଏ? ଏ କ’ଣ ଜଣେ ସତ୍ୟନିଷ୍ଠ ଅନୁସନ୍ଧିତ୍ସୁ ପ୍ରିୟ ? ୟାଙ୍କ ଅନୁସନ୍ଧାନରେ କେତେ ଦୂର ସତ୍ୟତା ରହିଛି? ନା ଫେର୍ ବଦଳ କରି କିଛି ଅଧିକ କଥନ କରୁଛନ୍ତି । ଏହା ହିଁ ଆଜିର ଆଲୋଚ୍ୟ ବିଷୟ। ତେବେ ଏହି ସେଇ ଶ୍ରୀ ବିଶ୍ଵନାଥ କୁଆଡ଼େ ମାତ୍ର 18 ବର୍ଷ ବୟସରେ ହୋଇଥିଲା ବେଳେ ମିଷ୍ଟର ତ୍ୟାଗୀ ବୋଲି ଜଣେ ଗୁରୁଜୀଙ୍କଠାରୁ ଆନ୍ଦାମାନ ନିକୋବାର ଦୀପ ପୁଞ୍ଜର ନିଲ ଆୟାର୍ଲାଣ୍ଡଠାରେ ଶିକ୍ଷା ଆହାରଣ କରିଥିଲେ। ସେ ଏବେ ଭୂତ ଓ ପ୍ରେତ ଉପରେ ଅନେକ କିଛି ଅନୁସନ୍ଧାନ କରୁଥିବା ମନେହୁଏ। ରାତ୍ରିର ଘନ ଅନ୍ଧକାରରେ ସେ କେଣେ ହଜି ଯାନ୍ତି ଓ କେଉଁ ରହସ୍ୟମୟ ପୁରୀର ଠାବ କରି ସେଠି ସେ ତାଙ୍କର ଅନୁସନ୍ଧାନ ଜାରି ରଖିଥାନ୍ତି। ଏ ଦିଗରେ ପ୍ରାୟତଃ ତାଙ୍କୁ ସହଯୋଗ କରିଥାନ୍ତି ତାଙ୍କ ଡ୍ରାଇଭର୍, ଜଣେ ଦୁଇ ଜଣ କେମେରା ମ୍ୟାନ୍ ଓ ସହାୟିକା କେହି ଜଣେ। ଏଇ ମାନଙ୍କୁ ନେଇ ତାଙ୍କର ଟିମ୍ ଗଠିତ। ରାତ୍ରିର ଘନ ଅନ୍ଧକାର ଓ ନିଶବ୍ଦ ବେଳାରେ କୌଣସି ରହସ୍ୟମୟ ଓ ଅପହଁଚ ଜାଗା ପରିଦର୍ଶନ କରି ସେ ତଥ୍ଯ ସଂଗ୍ରହ କରିବାକୁ ଚେଷ୍ଟା କରିଥାନ୍ତି ଓ ଲାଇଭ ଭିଡିଓ ପ୍ରସ୍ତୁତ କରି ଦର୍ଶକ ମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିଥାନ୍ତି। ନିସନ୍ଦେହ ସେ ଜଣେ ସତ୍ୟ ଅନୁସନ୍ଧିତ୍ସୁ ଓ ରହସ୍ୟ ଉନ୍ମୋଚନକାରୀ। କିନ୍ତୁ ଘଟଣାର ସତ୍ୟାସତ୍ୟକୁ ନେଇ ମନରେ ଶଙ୍କା ଉପୁଜେ, ଯାହାର ଅଧ୍ୟୟନ ଓ ନିଷ୍କର୍ଷ ଆମେ ପରବର୍ତ୍ତୀ ଅଧ୍ୟାୟରେ ଦେବା ପାଇଁ ଚେଷ୍ଟା କରିବା।

ଦୁନିଆଟା ଘନ ଘୋର ଅନ୍ଧକାର
ନିପଟ ଘଞ୍ଚ ବନାନୀ
ଆମେ ପରା ଏଠି ସବୁ ବେପଥୁରା
ପଥଭ୍ରଷ୍ଟ ପଥୁକୀ।।
କଣ୍ଟକିତ ପୁଣି କଙ୍କରିତ ରାସ୍ତା

ପ୍ରତିଟି ପଦ ପାତରେ
ଖଣ୍ଡିଆ ଖାବଡା ଅନ୍ଧକାରେ ହୁଡେ
କଣ୍ଟା ବାଜି ରକ୍ତ ଝରେ।।
ସୀମାହୀନ ଯାତ୍ରା ଅସୀମର ପଥେ
ପଡ଼ି ଉଠି ପୁଣି ଧାଏଁ
ମଝିରେ ମଝିରେ ବିଜୁଳିର ତ୍ଯୁତି
ଉକୁଟି ଚମକି ଉଠେ।।
ଆଲୁଅ ଖୁସିରେ ବିଭୋର ପଥିକ
ବାଟ ବଣା ବେଶୀ ହୁଏ
ହେଲେ ଅନ୍ଧକାରେ ଅନ୍ଧକାରେ ପରା
ସବୁ ଯାତ୍ରା ଶେଷ ହୁଏ।।

“ଭୂତ କ’ଣ ସତ ଓ ବାସ୍ତବ? “ଯଦି ଆପଣ ଏଥିରେ ହଁ ଭରନ୍ତି, ତେବେ ଆପଣ ଏକୁଟିଆ ନୁହଁନ୍ତି, ଏହି ପଥରେ ଅନେକ ଯାତ୍ରୀ। ପୃଥିବୀରେ ପ୍ରାୟତଃ ଅଧିକାଂଶ ସଂସ୍କୃତି ଓ ପରମ୍ପରାର ବିଶ୍ୱାସବୋଧ ଯେ, ମୃତ୍ୟୁ ପରେ ମୃତକ ମୃତାତ୍ମା ବା ସ୍ପିରିଟ୍ ରେ ରୂପାନ୍ତରିତ ହୋଇଯାଏ। ତେଣୁ ଏହା ପ୍ରଚଳିତ ଲୌକିକ ବିଶ୍ବାସବୋଧ ଓ ଜନଶ୍ରୁତି ମଧ୍ୟରୁ ଅନ୍ୟତମ ଅଟେ। କୋଟି କୋଟି ଲୋକ ଏହି ଭୂତପ୍ରେତ ଉପରେ ନିଜର ଆସ୍ଥା ଓ ବିଶ୍ବାସ ପ୍ରକଟ କରୁଥିବା ଦେଖାଯାଏ । 2013 ମସିହାରେ ଏକ ସର୍ବେକ୍ଷଣରୁ ହରିଶ୍ ପଲ୍ ଜାଣି ପାରିଥିଲେ ଯେ, ଆମେରିକାରେ ପ୍ରାୟତଃ 43 ପ୍ରତିଶତ ଲୋକ ଭୂତପ୍ରେତ ଉପରେ ବିଶ୍ବାସ କରନ୍ତି।
ତେଣୁ ମୃତକ ସ୍ପିରିଟ୍ ରୂପେ ଆମ ସହିତ ରହୁଥିବା ବହୁ ପୁରାକାଳରୁ କଥିତ ହୋଇ ଆସୁଛି, ଯାହା ବାଇବେଲ ଠାରୁ ଆରମ୍ଭ କରି ମ୍ୟାକବେଥ ପର୍ଯ୍ୟନ୍ତ ଅନେକ କାହାଣୀ ଓ ଗଳ୍ପଗୁଚ୍ଛରେ ଦେଖିବାକୁ ମିଳେ।ଏହି କଥା ଓ ଉପକଥା ମନରେ ଅନେକ କୌତୁହଳ ତୋଳିଥାଏ। ତେଣୁ ଲୋକେ ଉତ୍ସାହିତ ହୋଇ ଅଧିକ ଏଇ କଥା ଆଲୋଚନାରେ ବ୍ୟାପୃତ ରହିଥାନ୍ତି ବା ଭଲ ପାଆନ୍ତି। କିନ୍ତୁ ଯେଉଁମାନେ ଭୂତ ପ୍ରେତ ଦେଖିଥାନ୍ତି ବୋଲି ଦାବୀ କରିଥାନ୍ତି, ସେମାନେ ସେମାନଙ୍କର ଅନୁଭବକୁ ଠିକ୍ ସେଇ ପ୍ରକାର ସଠିକ୍ ଭାବେ ଉପସ୍ଥାପନା କରିବାରେ ଏତେଟା ସଫଳ ହୋଇ ନଥାନ୍ତି ବା ତାହାର ପ୍ରାମାଣିକତା ଖୋଜି ବସିଲେ ଅନୁସନ୍ଧିତ୍ସୁକୁ ନିରାଶ ହେବାକୁ ପଡିଥାଏ । ଫଳରେ ଆଜିଯାଏଁ ଏହାର ସଠିକ୍ ପ୍ରାମାଣିକତାର ଆକଳନ ହୋଇ ପାରିନଥିବାରୁ ଏହା ଏଯାଏଁ ସନ୍ଦେହ ଘେରରେ ରହି ଆସିଛି। ଅଧୁନା ବିଭିନ୍ନ୍ ହରର ଟି. ଭି. ସିରିଏଲ୍ ବା ଧାରାବାହିକ, ସିନେମା, ୟୁ ଟ୍ୟୁବ୍ ଭିଡିଓ ଓ କିଛି କାହାଣୀ ଏ ଦିଗରେ ପ୍ରସାରିତ ହେଉଥିବାରୁ ଓ ଲୋକମାନେ ଅଧିକ କୌତୂହଳୀ ହୋଇ ଉଠି ଥିବାରୁ ଏହି ଆଲୋଚନା ଜୋହର୍ ଧରିଛି।
ଏଇ ଭୂତପ୍ରେତ ଉପରେ ଯେଉଁମାନେ ଅନୁଧ୍ୟାନ କରୁଛନ୍ତି, ସେମାନଙ୍କୁ ପଚାରିଲେ ସେମାନେ କହନ୍ତି – “ଏଥିପାଇଁ ବିଶେଷ କିଛି ଟ୍ରେନିଂ ନେବା ଜରୁରୀ ନୂହେଁ, କେବଳ ଆପଣ ଏକ ନିରୋଳା ଓ ନିର୍ଜନ ମୁହୂର୍ତ୍ତରେ ଏକ ଶୂନ୍ ଶାନ୍ ସ୍ଥାନକୁ ଆସିଯାଆନ୍ତୁ। ସେଠି ଯେଉଁ ବର୍ଣ୍ଣିନାତୀତ ବା ଅବର୍ଣ୍ଣନିୟ ଆଲୁଅଟେ ଦେଖିବେ ବା ଶବ୍ଦଟେ ଶୁଣିବେ, ତାହା ହିଁ ଭୂତପ୍ରେତର ଉପସ୍ଥିତିର ପ୍ରାମାଣିକତା ବା ନିର୍ଯ୍ୟାସ “।
ଥରେ ସମାଜତତ୍ତ୍ଵବିତ Dennis ଓ Michel Waskul( 2016 ମସିହାରେ ଯାହା ତାଙ୍କ Ghosty Encounters:The Haunting of Everyday Life ରେ ଲେଖିଛନ୍ତି) କିଛି ଭୂତପ୍ରେତ ଅନୁଭବୀ ଓ expert ଙ୍କ ସହ ଇଣ୍ଟରଭିୟୁ ନେଇଥିଲେ। ସେ ଦେଖିଲେ ଯେ ଅନେକ ଏମାନଙ୍କ ଭିତରୁ ନିଶ୍ଚିତ ନୁହଁନ୍ତି ଯେ, ସେମାନେ ଭୂତପ୍ରେତଙ୍କୁ ଭେଟିଛନ୍ତି ବୋଲି। କାରଣ ପାରମ୍ପାରିକ ଓ ପରିକଳ୍ପତ ଭୂତର ପ୍ରତିଛବି ସେମାନେ ଅବଲୋକନ କରି ନାହାଁନ୍ତି। ଏବଂ ଯଦିଚ ସେମାନେ କିଛି ଦେଖିଛନ୍ତି ବା ଅନୁଭବ କରିଛନ୍ତି, ତାହାକୁ ନିର୍ଦ୍ଧିଷ୍ଟ ଭାବେ ପ୍ରଖ୍ଯାପନ କରିବା ବା ରୂପ ପ୍ରଦାନ କରିବା ପାଇଁ ସେମାନେ ଅସମର୍ଥ । କେବଳ ଅନୁଭବରେ କିଛି ଭିନ୍ନ୍ ଅନୁଭବ କରି ପାରିଥିବା ସେମାନେ କହି ପାରନ୍ତି।
କିନ୍ତୁ ବ୍ୟକ୍ତିଗତ ଅନୁଭବ ଓ ବୈଜ୍ଞାନିକ ପ୍ରମାଣ – ଏ ଦୁଇଟା ଏକା କଥା ନୂହେଁ,ନିଶ୍ଚିତ ପକ୍ଷେ ଅଲଗା କଥା। ଭୂତ ପ୍ରେତର ସଂଜ୍ଞା ନିରୂପଣ କରିବାରେ ସବୁଠାରୁ କଷ୍ଟିଆ ଦିଗଟି ହେଉଛି ଯେ, ସମସ୍ତେ କୌଣସି ଏକ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଁଚି ପାରି ନାହାନ୍ତି ବା ସେଗୁଡିକ ଭିତରେ ସମନ୍ଵୟ ରକ୍ଷା ହୋଇ ପାରୁନାହିଁ ବା ସର୍ବଜନ ଗୃହିତ ମତସିଦ୍ଧ ହୋଇ ପାରିନାହିଁ । ମୋଟାମୋଟି ଭାବେ କେତକ ଏହାକୁ ମୃତକଙ୍କ ମୃତ୍ୟୁ ପରର ସ୍ପିରିଟ୍ କହୁଥିବା ବେଳେ ଅନ୍ୟ କେତେକ ଏହାକୁ ଏକ ମାନସିକ ଅବସ୍ଥାର ଟେଲିପାଥିକ କ୍ରିୟାକ୍ରମ ରୂପେ ଅଭିହିତ କରିଥାନ୍ତି। ତେଣୁ ସମସ୍ତେ ଭିନ୍ନ୍ ଭିନ୍ନ୍ ରୂପରେ ଓ ଅବସ୍ଥାରେ ଭୂତର ରୂପ ଚିତ୍ରଣ କରିଥାନ୍ତି, ଯାହାର ଜଣଙ୍କ ସହ ଅନ୍ୟର ବିଶେଷ କିଛି ସାମଞ୍ଜସ୍ୟ ନଥାଏ।
ପୁନଶ୍ଚ ମନକୁ ପ୍ରଶ୍ନ ଆସେ-ଯଦି ଭୂତପ୍ରେତ କୌଣସି ମୃତକର ସ୍ପିରିଟ୍ ଅଟେ, ତେବେ ସେ ତା ମୃତ୍ଯ ରହସ୍ୟ ଉନ୍ମୋଚନ କରିବାକୁ ସକ୍ଷମ ହେଉ ନାହିଁ କାହିଁକି? ତା ଅପମୃତ୍ୟୁର ବଦଳା ନେଇ ପାରୁ ନାହିଁ କାହିଁକି? ତେଣୁ ଅନେକ ବୀପରିତ ମତ ପ୍ରକାଶ ପାଏ । ଭୂତ ବସ୍ତୁ ନା ଅବସ୍ତୁ? ଏହା କଣ solid object ବା କଠିନ ବସ୍ତୁକୁ ଅକ୍ଳେଶରେ ଭେଦ କରି ନିଜର ଉପସ୍ଥିତି ଜାହିର୍ କରିପାରେ? ଏହା କ’ଣ କବାଟ ଠକ ଠାକ୍ କରିପାରେ ଓ ଦ୍ଵାର ବି ବନ୍ଦ କରିପାରେ? ଏହା କ’ ଣ ଘରର ଆସବାବ ପତ୍ର ଉଠେଇ ଏଣେତେଣେ ଫିଙ୍ଗା ଫିଙ୍ଗି କରିପାରେ? Logic ଓ Law of physics ଏହା ହିଁ କହୁଛି ନା ଆଉ କିଛି?
ଆଜିର ghost haunters ଓ psychics ଅନେକ ନୂତନ ପଦ୍ଧତି ଓ ବୈଜ୍ଞାନିକ ଉପକରଣ ବ୍ୟବହାର କରି ଭୂତ ପ୍ରେତର ସ୍ଥିତିକୁ ଜାଣିବା ପାଇଁ ନିଜର ଅନୁସନ୍ଧାନ ଚଳାଇ ରଖିଛନ୍ତି। ଯେପରିକି ହାଇଟେକ୍ ସାଇଣ୍ଟିଫିକ୍ equipments ବା ଉଚ୍ଚ ପ୍ରଯୁକ୍ତ ଓ ବୈଜ୍ଞାନିକ ଉପକରଣମାନ ଯାଥା :Geuger Counters, Electromagnetic Field (EMF) Detector , Ion Detector, Infrared Cameras, Sensitive Microphones ଇତ୍ୟାଦି ।କିନ୍ତୁ ଏହି ସମସ୍ତ ଉପକରଣ ଭୂତପ୍ରେତର ଉପସ୍ଥିତିକୁ ନିର୍ଦ୍ଧାରଣ କରିବାରେ କାହିଁ ସେତେ ସହାୟକ ହୋଇ ପାରିନାହିଁ।
ପୂର୍ବରୁ ବିଶ୍ବାସ ଥିଲା ଅଗ୍ନିର ଝୁଲ ବା flame of the fire ଭୂତପ୍ରେତର ଉପସ୍ଥିତିରେ ନୀଳ ବର୍ଣ୍ଣ ଧାରଣ କରେ। ତାହା ଆଜିର ଭୂତ ତାତ୍ତ୍ୱିକମାନେ ଅସ୍ୱୀକାର କଲେଣି। ସେହିପରି ଏମାନଙ୍କ ସିଦ୍ଧାନ୍ତକୁ ମଧ୍ୟ କିଛି ବର୍ଷ ପରେ ଅନ୍ୟମାନେ ଅସ୍ୱୀକାର କରିବେ। ଏହିପ୍ରକାର ମତାନୈକ୍ୟ ଓ ମତପାର୍ଥକ୍ୟ ଚାଲୁଥିବ।
ତେଣୁ କେତେକ କହିଲେଣି ଭୂତ ପ୍ରେତକୁ ପ୍ରମାଣ କରି ହେଉ ନାହିଁ। କାରଣ ଏ ପର୍ଯ୍ୟନ୍ତ ଉପଯୁକ୍ତ ଓ ସଠିକ୍ ବୈଜ୍ଞାନିକ ଯନ୍ତ୍ରାଂଶ ଆବିଷ୍କୃତ ହୋଇ ପାରିନାହିଁ। ତେଣୁ ଯେହେତୁ ଭୂତର ସଠିକ୍ ଓ ବାସ୍ତବ ଚିତ୍ର ଉତ୍ତୋଳିତ ହୋଇ ପାରି ନାହିଁ କିମ୍ବା ତାହାର ସ୍ଥିତି ଓ ଅବସ୍ଥିତିକୁ ନେଇ କୌଣସି ନିର୍ଦ୍ଧିଷ୍ଟ ପ୍ରାମଣିକ ତଥ୍ଯ ନାହିଁ, ଏହା ପୂର୍ବ ଭଳି ଅନାବିଷ୍କୃତ ଓ ହଁ – ନାହିଁ ସ୍ଥିତିରେ ରହିବାକୁ ବାଧ୍ୟ।

ଆଲବର୍ଟ ଆଇନଷ୍ଟାଇନ ଭୂତର ସ୍ଥିତିକୁ ନେଇ ଏକ ବିଜ୍ଞାନ ସମ୍ମତ ମତ ମଧ୍ୟ ପୋଷଣ କରିଥିଲେ। ତାଙ୍କ ଦ୍ଵାରା ପ୍ରଦତ୍ତ Law of Thermodynamics ଅନୁଯାଇ ଯଦି ଶକ୍ତିର ସ୍ରୁଷ୍ଟି ଓ ବିଲୟ ନାହିଁ, କେବଳ ରୂପାନ୍ତର ଅଛି, ତେବେ ଆମ ଶରୀରର ଶକ୍ତି( body’s energy) ମୃତ୍ୟୁ ପରେ କୁଆଡ଼େ ଯାଏ? ତାହା ନିଶ୍ଚୟ ଯାହା ସବୁରି ଯାଏ, ସେଇ environment ବା ପରିବେଶକୁ ଯାଏ। ମୃତ ଶରୀରରୁ ଶକ୍ତି ଉତ୍ତାପ(heat) ଉତ୍ପନ୍ନ କରେ। ଯେଉଁ ପଶୁ, ପକ୍ଷୀ, ବ୍ୟାକ୍ଟେରିଆ ଓ ବୃକ୍ଷ ଆଦି ସେଇ ଶରୀରକୁ ଗ୍ରହଣ କରେ ସେଇ ଶକ୍ତିରେ ସେ ରୂପାନ୍ତରିତ ହୋଇଯାଏ। ତେଣୁ କୌଣସି biological object ବା ଶାରୀରିକ ବସ୍ତୁ ରହି ଯାଇ ନଥାଏ, ଯାହା କି ghost detector ଦ୍ଵାରା detect ହୋଇପାରିବ ।ତଥାପି ଏ ସମ୍ପର୍କରେ ଆହୁରି ଅନେକ ଅନୁସନ୍ଧାନ ଓ ଗବେଷଣାର ହୁଏତ ପ୍ରୟୋଜନୀୟତା ଥାଇପାରେ।
ତେବେ ଉପରୋକ୍ତ ଅନୁଶୀଳନରୁ ନିଶ୍ଚିତ ପକ୍ଷେ ଅନେକ ତଥ୍ଯ ପଦାକୁ ଆସି ପାରିଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ବିଶ୍ଵନାଥ କେତୋଟି ଲାଇଭ୍ ଭିଡିଓ ପ୍ରସାରଣ କରିଥିଲେ ହେଁ ତାହା ଭୂତ ମାନଙ୍କର ସ୍ଥିତିକୁ ସେତେଟା ଜାହିର୍ କରି ପାରି ନାହିଁ। ସେଥିରେ ବିଶେଷ କିଛି କାଣ୍ଟଛାଣ୍ଟ ବା ଫେର୍ ବଦଳ ହୋଇ ଥିଲା ପରି ମନେ ହେଉ ନଥିଲେ ହେଁ ଭୂତର ସ୍ଥିତିକୁ ଆକଳନ କଲା ପରି ସେତେ କିଛି ଉପାଦେୟ ଆକଳନ କରି ହେଉ ନାହିଁ। ତେବେ ଭାବିବାକୁ ଆମେ ସମସ୍ତେ ମଜବୁର୍ ନିଶ୍ଚୟ ହୋଇଛୁ। କାରଣ ରହସ୍ୟକୁ ବୁଝିବା ଓ ସତ୍ୟାସତ୍ୟର ଅନୁସନ୍ଧାନ କରିବାର ଅଭୀପ଼୍ଙସା ସମସ୍ତଙ୍କର ଅଛି ଓ ରହିଥିବ ମଧ୍ୟ।

ଏହି ଗଳ୍ପ ସଂକଳନ ଭିତରେ ଅନେକ ଗଳ୍ପ ଭରି ଅଛି, ଯେଉଁ ଗଳ୍ପର ସିଦ୍ଧାନ୍ତ ଲେଖକ ନିଜେ ନକରି ଅନେକ କ୍ଷେତ୍ରରେ ପାଠକଙ୍କର ନିଜସ୍ଵ ସିଦ୍ଧାନ୍ତ ଓ ନିଷ୍କର୍ଷ ଉପରେ ଛାଡ଼ି ଦେଇଛନ୍ତି। ଯେମିତିକି ଭୂତ ନା ପାଳଭୂତ, ଅର୍ଘାସୁର ନା ଛାଇ,ବିଜ୍ଞାନ ନ ଅନ୍ଧ ବିଶ୍ବାସ, ମନର ଭ୍ରମ ନା ଭୂତର ତାଣ୍ଡବ, ବାୟାଣୀ ନା ଡାଆଁଣୀ, ମିଛ ନା ସତ ଏମିତି ଅନେକ ଅସମାଧିତ କଥାର ହେତୁ ନିରୂପଣ କରିବା ବା ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାର କାମ ବିଚାରଶୀଳ ପାଠକ ନିଜେ ହିଁ କରନ୍ତୁ – ଏହା ହିଁ ଲେଖକଙ୍କର ବା ମୋ ନିଜର ଲକ୍ଷ୍ୟ। ସେଥିପାଇଁ ମୋ ଲେଖା ଗୁଡ଼ିକ ପାଠକ ମାନଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖେ , ତେଣିକି ଭଲମନ୍ଦ ବିଚାର ଜନତାର ହସ୍ତେ ନ୍ୟସ୍ତ ଯେଉଁମାନେ କି ଏହାର ପ୍ରକୃତ ବିଚାରକ । ମୁଁ ନିମିତ୍ତ ମାତ୍ର।


ଏହିସବୁ ଦୃଷ୍ଟିକୋଣରୁ ଉକ୍ତ “ଶୂନ୍ଶାନ୍ ରାତି” ଗଳ୍ପ ସମ୍ଭାରଟି ପ୍ରଣିଧାନଯୋଗ୍ୟ, ଯେଉଁଥିରେ ପ୍ରକାଶ ପାଉଥିବା ପ୍ରାୟତଃ ସମସ୍ତ ଗଳ୍ପ ସେଇ ଭୂତପ୍ରେତ ଆଧାରିତ। ଏଥିରେ ଭୂତତତ୍ତ୍ଵକୁ ବିଭିନ୍ନ ଦୃଷ୍ଟିକୋଣରୁ ତର୍ଜ୍ଜମା କରାଯାଇଥିବା ମଧ୍ଯ ଦେଖିବାକୁ ମିଳିବ, ଯାହା ବେଶ୍ ଶିକ୍ଷଣୀୟ ଓ ଉପାଦେୟ ସାବ୍ୟସ୍ତ ହୋଇପାରେ। ଶେଷରେ ଉକ୍ତ ପୁସ୍ତକ ବହୁ ସମ୍ଭାବନାକୁ ଏଡ଼ାଇ ନଯାଇ ଆପଣମାନଙ୍କର ସୁଚିନ୍ତିତ ମତାମତକୁ ଅପେକ୍ଷା ରଖି ରହୁଛୁ…….

-ଗାଳ୍ପିକ –

ସୂଚୀପତ୍ର

0.ଶୂନ୍ଶାନ୍ ରାତି

1.1 ନବିନା ବା ‘

1.2 ଘେରି

1.3ଚାପୁଡା
2.ବୈଜ୍ଞାନିକର ଲକ୍ଷ୍ୟ


3.ଜ୍ଞାନେଶ୍ବରୀ ଟ୍ରେନ୍ ଦୁର୍ଘଟଣା
4.ଲାବୋରଟୋରୀ ରେ ଗୋଟେ ରାତି
5.ପାଠୁଆ ନନା
6.ଗୋଟେ ନିଛାଟିଆ ରାତି
7.ମଲା ପୁଅ ବଞ୍ଚିଲା

  1. ଜାଗୁଳାଈ
    9 ବଳି
    10.ନୋଟିଆ
    11.ଆମ ଗାଁ ମଶାଣି ପଦର
    12.କୋଠି
    13.ଭୂତୁଣୀ
    14.ଚନ୍ଦକା

ହାର୍ଟ ଫେ…
By ସତ୍ୟ ପ୍ରକାଶ ସେଠୀ
ମୋରିସ ବେକର। ଭାରତୀୟ ବଂଶୋଦ୍ଭବ ।ଲଣ୍ଡନର ବାସିନ୍ଦା। ଲଣ୍ଡନର ପାଣି ପବନରେ ସେ ସମୃଦ୍ଧ। ସେଇଠୁ ହିଁ ଶିକ୍ଷା ଆହରଣ କରିଛନ୍ତି। ପରିବାର ବୋଲି ଖୁବ୍ ବଡ଼ ନହେଲେ ମଧ୍ଯ ବାପା ମାଆ ଦୁଇ ଜଣ ତ ଥିଲେ।ହେଲେ ସେମାନେ ଏବେ କେହି ନାହାନ୍ତି। ଏକ ନିଶାର୍ଦ୍ଧରେ ଘରକୁ ଫେରିବା ବେଳେ ଗୋଟେ ଏକାନ୍ତ ନିକାଞ୍ଚନ ଯାଗାରେ ତାଙ୍କର ଅତି ରହସ୍ୟଜନକ ଭାବେ ମୃତ୍ୟୁ ହୋଇଗଲା। ମୃତ୍ୟୁର କାରଣ ତେଣିକି ଯାହା ହେଉ ଥାଉନା କାହିଁକି, ପୋଲିସ୍ କିନ୍ତୁ କିଛି ନିର୍ଦ୍ଧିଷ୍ଟ ନିଷ୍କର୍ଷରେ ପହଂଚି ପାରି ନଥିଲା। ତେଣୁ ମୃତ୍ୟୁ ରହସ୍ୟ ଚିର କାଳ ରହସ୍ୟ ହୋଇ ରହିଗଲା। ସହର ଷଠାରୁ ପ୍ରାୟତଃ ଦୁଇ ଶହ କିଲୋମିଟର ଦୂରରେ ରାସ୍ତା ଛାଡି ଗୋଟେ ବେରାସ୍ତାରେ କାରଟି ଛିଡା ହୋଇଥିଲା। କାରର କାଚ ଉପରେ ଲିପଷ୍ଟିକରେ ଲେଖାଥିଲା ‘ଘୋଷ୍ଟ ‘। ବାସ୍ ଏଇ ଏତକ ପ୍ରମାଣ ବ୍ୟତୀତ ଆଉ କିଛି ତ ନଥିଲା । ପୋଲିସ୍ ର ହସ୍ତଗତ ହେଲାବେଳକୁ ବେକର ଦମ୍ପତିଙ୍କ ଶରୀର ପୂରାପୂରି ତାଜା ଥିଲା। ମୃତ୍ୟୁର କାରଣକୁ ସ୍ପଷ୍ଟ କରିବା ପାଇଁ ଅନ୍ୟ କୌଣଷି ଚିହ୍ନ ବର୍ଣ୍ଣ କାହିଁ ମିଳି ନଥିଲା ।
ସେଇଦିନୁ ମୋରିସ ବେକର ଏକୁଟିଆ ହୋଇଗଲେ। ବଞ୍ଚିବାର ଅଭିଳାଷା ତାଙ୍କର ମରି ଯାଇଥିଲା। କେବଳ ଗୋଟିଏ ଲକ୍ଷ୍ୟ – ଭୂତ ପ୍ରେତ ଉପରେ ଅନୁସନ୍ଧାନ ଜାରି ରଖିବା। ଉଦ୍ଦେଶ୍ୟ – କିଛି ଗୋଟେ ନିଷ୍କର୍ଷରେ ପହଂଚି ହୁଅନ୍ତା କି। ଯାହାକୁ ପାଆନ୍ତି, ତାହା ସହ ଏଇ ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ଅଧିକ ବ୍ୟଗ୍ର ହୋଇଥିଲେ। ଆଲୋଚନାର ବିଷୟବସ୍ତୁ ତେଣିକି ଯାହା ଥାଉନା କାହିଁକି ସେ କିନ୍ତୁ କଥାର ଖିଅ ଧରି ଧରି ସେଇ ଏକା ଜାଗାରେ ଯାଇ ପହଂଚି ଯାଆନ୍ତି। ଅନ୍ୟ ଲୋକର ଆଗ୍ରହ ଥାଉ କି ନଥାଉ ସେ କିନ୍ତୁ ଆଲୋଚନାରେ ତ ବ୍ୟାପୃତ ରହନ୍ତି।ଦୁଃଖ ଓ ଅବସାଦରେ ଭାରାକ୍ରାନ୍ତ ହୋଇ ସେ ଅତ୍ୟନ୍ତ ମ୍ରିୟମାଣ ହୋଇ ପଡୁଥିଲେ।
ମୋରିସ ବେକରଙ୍କର ଏଣିକି ଲଣ୍ଡନର ମୋହ ତୁଟି ଗଲାଣି। ଦୁଃଖଦ ଘଟଣାକୁ ଭୁଲିବାକୁ ବି ସେ ଚାହୁଁଥିଲେ, ତେଣୁ ଲଣ୍ଡନ ଛାଡି ସେ ଭାରତ ଆସିଗଲେ। ଭାରତରେ ପୁଣି ଓଡିଶା ତାଙ୍କ ଘର। ରସୁଲଗଡ଼ ନିକଟବର୍ତ୍ତୀ କେନାଲ ବନ୍ଧ କଡରେ ଯେଉଁ ବିରାଟ ଆମ୍ବ ଗଛଟା ଅଛି ଠିକ୍ ତା’ରି ପଛପଟେ ତାଙ୍କ ଘର। ସେଠାକାର ପରିବେଶ ଏକାନ୍ତ ନିରୋଳା, ଯେଉଁଠି ସହରର ହୋ ହାଲ୍ଲା ଟିକେ କମ୍। ତାଙ୍କ ବାପାଙ୍କର କିଛି ଅନୁଗତ ଓ ଆତ୍ମୀୟସ୍ଵଜନ ମଧ୍ଯ ସେଠି ରହନ୍ତି।ସେଠାରେ ଶାନ୍ତିରେ ବେଶ୍ କିଛି ଦିନ ରହିଲା ପରେ ସେ ଇଛା କଲେ ପୁରୀ ଯାଇ ଟିକେ ବୁଲି ଆସିବେ। କାରଣ ପୁରୀ ବେଳାଭୂମିର ଅହେତୁକ ଆକର୍ଷଣ ତାଙ୍କ ମନ ଇଲାକାରେ ଅଚାନକ ଉଙ୍କି ମାରୁଥିଲା।
ପରଦିନ ସକାଳୁ ସକାଳୁ ସେ ପୁରୀ ବାହାରି ପଡିଲେ। ପୁରୀ ବେଳାଭୂମିର ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତରରେ ସେ ଏଣେତେଣେ ଘୂରି ବୁଲିଥାନ୍ତି । ହଠାତ୍ ଜଣେ ଲଣ୍ଡନ ଫେରନ୍ତା ବନ୍ଧୁଙ୍କ ସହ ତାଙ୍କର ଦେଖା ହୋଇଗଲା । ସହଜେ ତ ମଣିଷ ବନ୍ଧୁ ପ୍ରିୟ ସଖା ।ପୂରୁଣା ଦିନର ବନ୍ଧୁଟିଏ କି ସାଥିଟିଏ ପାଇଗଲେ ମନଟା ବେଶ୍ ହାଲକା ହୋଇଯାଏ।ତା ସହ ସେ ଯେମିତି ଯୁଗ ଯୁଗର କଥା ଆଲୋଚନା କରି ବସେ। ତହୁଁ ଉଭୟଙ୍କର ଗପ ବେଶ୍ ଜମିଲା। ଗପଟା କେଉଁଠୁ ଆରମ୍ଭ ହୋଇ କେତେ ବାଟ ଯେ ଲମ୍ବି ଗଲା ତା’ର ହିସାବ ସେମାନେ ରଖି ପାରିଲେ ନାହିଁ। ଶେଷରେ ଗୋଟେ ଟି’ ଷ୍ଟଲ୍ ରେ ପହଂଚି ସେମାନେ ଦୁଇ ଢୋକ ଚା’ ପିଇ ନେଲେ। ଚା’ ପିଆଲାରୁ ସଟକେ ଟାଣି ନେଉନେଉ ମୋରିସ ପଚାରିଲେ – “ଆଛା ଭାଇ ଏ ଯେଉଁ ସମୁଦ୍ର କୂଳର ଅନତି ଦୂରରେ ଗୋଟେ ଜୀର୍ଣ୍ଣସିର୍ଣ୍ଣ ମଳିନ କୋଠାଟିଏ ଦିଶୁଛି, ସେଠି କ’ଣ କେହି ରହୁ ନାହାନ୍ତି, ସେଟା କି କୋଠା” ? ଚା’ ବାଲା କେବଳ ଏତିକି କହିଲା – “ସେଇଟା ଭୂତକୋଠି”। ଏତିକିରେ ମୋରିସଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ଅନିସା କରି ବନ୍ଧୁ ଆଡକୁ ଚାହିଁ ରହିଲେ। ବନ୍ଧୁ ହିତେଶ କହିଲେ – ହଁ ବନ୍ଧୁ ସେଇଟା ଭୂତକୋଠି। ସେଠି କୌଣସି ମଣିଷ ରହନ୍ତି ନାହିଁ। ଅନେକ ଦିନ ହେବ ତାହା ପରିତ୍ୟକ୍ତ ହୋଇ ପଡ଼ି ରହିଛ। ଏହି କୋଠି ସମ୍ପର୍କରେ ମଧ୍ୟ ଅନେକ ଶୁଣା କଥା ଶୁଣିବାକୁ ମିଳେ। ଯାହା ନଶୁଣିଲେ ଭଲ। କାରଣ ଭାରି ଭୟାନକ ସେ କାହାଣୀ। ଯିଏ ଥରେ ସେ କୋଠି ଆଡକୁ ଯାଇଛି, ତା’ର କିଛିନା କିଛି ଅଘଟଣ ଘଟିଛି। ଆଉ ଯିଏ ସେଇ କୋଠି ପ୍ରତି ଆକର୍ଷିତ ହୋଇ ସେଠି ରହିଛି ସେ ରାତିକ ଭିତରେ ନିଜ ଜୀବନ ଦେଇଛି। ତେଣୁ ସେ କୋଠି ନାଁ ତୁମେ ଆଦୌ ମୁହଁରେ ଧର ନାହିଁ “।

ଆହୁରି ସେ କହୁଥିଲେ – “ବହୁ ଦିନ ତଳର କଥା। ସେ କୋଠିକୁ ଥରେ ଜଣେ ବିଦେଶୀ ଆସିଥିଲେ। ସେ ରାତିକ ସେଠି ଅବସ୍ଥାନ କରିଥିଲେ। ସେ କୋଠିର ଜଗାରଖା କରିବା ପାଇଁ ଜଣେ ୱାଚ ମ୍ୟାନ୍ ମଧ୍ଯ ରହୁଥିଲେ। ତାଙ୍କର ଗୋଟେ ଅପ୍ରାପ୍ତ ବୟସ୍କା ଝିଅ ଥିଲା। ଯାହା ସହ ଯୌନ ସମ୍ଭୋଗ କରି ବିଦେଶୀ ଜଣକ ଚାଲିଯାଇଥିଲେ। ପରେ ତା’ର ଗଳିତ ଶବ ସେଠୁ କିଛି ଦୂରରୁ ଝାଉଁ ବଣର ବାଲିଚର ଭିତରୁ ଉଦ୍ଧାର କରାଯାଇଥିଲା। ସେଇଦିନୁ ରାତିରେ ସେଠି ତାଣ୍ଡବ ହୁଏ। ଭୟରେ କେହି ସେଠାକୁ ଯାଆନ୍ତି ନାହିଁ।
ଏ କଥା ଶୁଣି ମୋରିସ ବେକର କହିଲେ – ଆଚ୍ଛା ବନ୍ଧୁ! ତୁମେ କ’ଣ ଭୂତକୁ କେବେ ଦେଖିଛ “?
-” ନା”
-” ତେବେ ଭୂତକୁ ନେଇ ତୁମ ମନରେ ଏତେ ଡର କାହିଁକି? ଜଣେ ସବଳ ମଣିଷର ଭୂତ ବା କି କ୍ଷତି କରିପାରେ? ତେବେ ଏଇ କଥା ଜାଣିବା ପାଇଁ ମୁଁ ସେଠି ଆଜି ରାତିକ ରହିବାକୁ ଚାହିଁବି । ତେଣିକି ତୁମେ ମୋ ସାଥ ଦିଅ ଅବା ନଦିଅ।” ହିତେଶ ବୁଝାଇଲେ। କହିଲେ – “ବନ୍ଧୁ! ଏପରି ନିଷ୍ପତ୍ତି ଅତି ବିପଜ୍ଜନକ। ମୁଁ ତୁମକୁ ଏଥିରୁ ନିବୃତ୍ତ ରହିବା ବ୍ୟତୀତ ଆଉ ଅଧିକ କିଛି ପରାମର୍ଶ ଦେଇ ପାରିବି ନାହିଁ।”
ହେଲେ ମୋରିସ ବେକରଙ୍କର ସେଇ ଏକା ଜିଦ୍, ଆଜି ରାତିକ କୋଠି ହେବ ତାଙ୍କ ଠିକଣା। ସେ ଜାଣିବାକୁ ଚାହାନ୍ତି ଭୂତପ୍ରେତର ସ୍ଥିତ ଓ ଅବସ୍ଥିତି। ମଣିଷ ମନ ତ ସହଜେ ବଡ଼ ଅନୁସନ୍ଧିତ୍ସୁ। ସବୁ କଥାର ଜଡ ପାଖରେ ପହଞ୍ଚିବାକୁ ତା’ର ଇଛା । ତା’ର ହେତୁ ନିରୂପଣ କରି ନିଗୂଢ ରହସ୍ୟ ଉନ୍ମୋଚନ କରିବାରେ ସେ ସଦା ବ୍ରତୀ।ଏଇ କଥାକୁ ନେଇ ଚାଲିଲା କଥା କଟାକଟି ଓ ଯୁକ୍ତିତର୍କ।
ତେବେ ଯାହା ହେଉ ଶେଷରେ ଦୃଢ଼ ମନୋବଳ ଓ ନିଷ୍ପତ୍ତି ନେଇ ସେ ତାଙ୍କର ଯାତ୍ରା ଆରମ୍ଭ କଲେ। ଯେଉଁଥିପାଇଁକି କିଛି ପ୍ରାରମ୍ଭିକ ପ୍ରସ୍ତୁତି ହେଲା। ଏଥିରେ ଟି ଷ୍ଟଲ୍ ର ମାଲିକ ସୁକୁନା ଭାଇ ଓ ବନ୍ଧୁ ହିତେଶ ତାଙ୍କୁ ସାହାଯ୍ଯ ଓ ସହଯୋଗ କଲେ, ଯେଉଁମାନେ ସମ୍ପୂର୍ଣ୍ଣ ଘଟଣାର ବଡ଼ ମୂକସାକ୍ଷୀ । ଏବେ ସମସ୍ତେ ଯାଇ ପହଁଞ୍ଚିଲେ ଭୂତ କୋଠି ପାଖରେ। ସନ୍ଧ୍ୟା ହେବାକୁ ଆଉ ଅଳ୍ପ ସମୟ ବାକି। ଭୂତ କୋଠିର ଅବସ୍ଥିତି ବଡ ଭୟଙ୍କର ସ୍ଥିତି। ମାଇଲ ମାଇଲ ବ୍ୟାପି ପରିବ୍ୟାପ୍ତ ଝାଉଁ ବଣ।
ଧାସୁ ଧାସୁ ହୋଇ ବାଲିରେ ଧସେଇ ପଶି ଯାଉଥାଏ ଗୋଡ଼। ଚାରିଆଡ଼େ ଲତା କୁଞ୍ଜ ଗୁଳ୍ମାଦି ବୃକ୍ଷ ।କୋଉଠି ବାଲି କୁଦ ତ ପୁଣି ଊଇ ହୁଙ୍କା।ଠାଏଁ ଠାଏଁ ବୁଦି ବୁଦିକା ବୁଦା ତ ପୁଣି ବଡ଼ ବଡ଼ ଗଛ। ମେଲି ହୋଇ ରହିଥିଲା ଡାଳପତ୍ର।
ଇସ୍ ଏଠି କି ଅପରିଷ୍କାର ।ଭୃକୁଞ୍ଚିତ ହେଲା ନାକ। ବହଳ ବହଳ ଧୂଳିରେ ଧୂସରିତ କୋଠି।
ସମସ୍ତେ ମିଶି ପ୍ରଥମେ ସାମାନ୍ୟ ଝାଡୁ ଦେଇ ଘରଟିକୁ ପରିଷ୍କାର କରିନେଲେ। ଝରକା କବାଟ ଖୋଲି ଦେଲାରୁ ଘରଟାରୁ ଉସୁମୁଳିଆ ଗନ୍ଧ ଟିକେ ବାହାରି ଗଲା।ଚାରିଆଡ଼େ ଛନ୍ଦାଛନ୍ଦି ବୁଢିଆଣି ଜାଲ, ମାଳମାଳ ଅଳନ୍ଧୁ lକୁଢକୁଢ ମଇଳା। ଡ୍ରଇଂ ରୁମ୍ ଟାକୁ ସାମାନ୍ୟ ସଫା ସୁତରା କରି ଗୋଟେ ପୁରୁଣା ଟେବୁଲ ଓ ଗୋଟେ ପୁରୁଣା ଚେୟାରକୁ ଝାଡ଼ିଝୁଡ଼ି ରଖିଲେ। ତାରି ଉପରେ ଆଣିଥିବା ସାମାନପତ୍ର ଥୋଇଲେ। ସାମାନପତ୍ର ବୋଇଲେ କ’ଣ କି, ଗୋଟିଏ ଡାଏରୀ ଯାହା ସେ ପ୍ରତ୍ୟେହ ବ୍ୟବହାର କରନ୍ତି ଓ ଆଉ ଗୋଟିଏ ପୁରୁଣା ଫାଉଣ୍ଟେନ୍ ପେନ୍। ରାତି ପାଇଁ କେଇଖଣ୍ଡ ରୋଟି ଓ ଗୋଟେ ଆମ୍ ଲେଟ।କିଛି ଫଳମୂଳ ଓ ଡ୍ରାଏ ଫ୍ରୁଟ୍ସ । ଗୋଟିଏ ଯୋଡ଼ିଏ ବୋତଲରେ ପାଣି, ଦି ଚାରି ପ୍ୟାକେଟ୍ ସିଗାରେଟ୍। ଗୋଟେ ବଡ଼ ରଙ୍ଗୀନ ବୋତଲରେ ତଣ୍ଟି ଯାଏ ବିଦେଶୀ ମଦ। ରାତ୍ରିର ଅନ୍ଧକାରକୁ ଶୋଷି ଖାଇବା ପାଇଁ ଗୋଟେ ଛୋଟ ଲ୍ୟାମ୍ପ।
ପକେଟରେ ଗୋଟେ ପିସ୍ତଲ, କେଇ ରାଉଣ୍ଡ ଗୁଳି। ଗୋଟେ ପ୍ୟାକେଟ୍ ଦିଆସିଲ୍, ବାସ୍ ସେଇ ସେତିକି ସମ୍ବଳ ଲେଖିବାକୁ ରାତିକ ଇତିହାସ।
ଏତେବେଳକୁ ସୁକୁନା ଭାଇ ଓ ବନ୍ଧୁ ହିତେଶ ସେ ସ୍ଥାନ ଛାଡି ଚାଲିଗଲେଣି। ଗଲାବେଳେ କେବଳ ଏତିକି ପରାମର୍ଶ- “ଯଗିରଖି ରହିବ । ଆମେ ସକାଳୁ ସକାଳୁ ଆସି ପହଂଚି ଯିବୁ, ବ୍ୟସ୍ତ ହେବ ନାହିଁ।”

ଏବେ ଅବଗୁଣ୍ଠନବତୀ ସଞ୍ଜ ନଇଁ ଆସିବାରୁ ଚାରିଆଡ଼େ ଅନ୍ଧକାର ଘୋଟି ଆସିଲା, ନିର୍ଜନତାର ନିସ୍ତବ୍ଧ ଛାଇ ଚାରିଆଡ଼େ ଛାଇ ହୋଇଗଲା। ଦିନର କୋଳାହଳମୟ କାକଳି ରାତ୍ରିର ଘନ ନୀରବତା କୋଳେ ଆଶ୍ରୟ ନେଲା। ଏଥର ମୋରିସ ବେକର ଉଠିଲେ ।ସାମ୍ନା କବାଟଟା କିଳି ଦେଇ ଚେୟାର ଉପରେ ବସି ପଡ଼ିଲେ। ଗୋଟେ ପ୍ୟାକ୍ ମଦ ସଜାଡି ନେଇ ଧିରେ ଧିରେ ଢୋକ ଦେଲେ। ଅନ୍ୟପଟେ ଡାଏରୀଟା ଖୋଲି ଟିକିନିକି ଘଟଣାବଳି ସବୁ ଲିପିବଦ୍ଧ କରିବାକୁ ଲାଗିଲେ , ଯେମିତି ଛୋଟମୋଟ ଘଟଣାଟିଏ ମଧ୍ଯ ସେଥିରୁ ବାଦ୍ ନଯାଏ।
ଧିରେଧିରେ ନୀରବତା ଭାଜି ରାତ୍ରିର ଭାୟଙ୍କରତା ବଢିବାକୁ ଲାଗିଲା। ସମୁଦ୍ରର ଘୁଁ ଘୁଁ ଗର୍ଜନ ଅଧିକ ତୀବ୍ରତର ହେଲା। ସାଇଁ ସାଇଁ ନିଶା ଗର୍ଜୁଥାଏ। ଦମକାଏ ପବନରେ ଗଛପତ୍ର ସବୁ ଦୋହଲି ଉଠିଲା। କବାଟ ଝରକା ଗୁଡାକ ଖଡଖାଡ ହୋଇ ଢୋ ଢା ବାଡ଼େଇ ହେଲା
।ଝିଙ୍କାରୀର ଝିଁ ଝିଁ ଶବ୍ଦରେ କର୍ଣ୍ଣ ମୂଳ ଝିଞାରି ଉଠୁଥିଲା। ଏହି ସମୟରେ ଅଚାନକ ଏକ ବିସ୍ଫୋରଣ ହେଲା ଭଳି ଠୋ ଠା ଠି ହସର ଲହରି ଖେଳେଇ ପଡ଼ିଲା। ପୁଣି ଏକ ତୀବ୍ର ଆର୍ତ୍ତନାଦ କ୍ରନ୍ଦନର ରୋଳ। ବିବ୍ରତ ହୋଇ ପଡୁଥିଲେ ମୋରିସ ବେକର। ପୁଣି ଗୋଟେ ଅପ୍ରତ୍ୟାଶିତ ଗର୍ଜନରେ ଚିହିଁଙ୍କି ଉଠିଲେ। ହାତରେ ପିସ୍ତଲଟା ଧରି ଉଠିଲେ। ଆଶ୍ଚର୍ଯ୍ୟ ଝରକାଗୁଡ଼ାକ ସବୁ ବନ୍ଦ ହୋଇଯାଇଛି। ଝରକା ଆଡ଼େଇ “କିଏ କିଏ “ପଚାରି ହେଲେ। କିଛି ତ ଉତ୍ତର ଫେରିଲାନି, ହେଲେ ଗୋଟେ ବିକଟାଳ ଛାୟା ମୂର୍ତ୍ତି ପ୍ରତିଭାତ ହେଲା I ଭାରି ଭୟଙ୍କର କଦାକାର ତା’ର ଚେହେରା। ସତେ ଯେମିତି ସେ ମାଡ଼ି ଆସୁଥିଲା ତାଙ୍କୁ ଆକ୍ରମଣ କରିବାକୁ। ତେଣୁ ସେ ଷ୍ଟପ୍ ଷ୍ଟପ୍ କହି ଅଗତ୍ୟା ଦୁଇ ରାଉଣ୍ଡ ଗୁଳି କରି ପକାଇଲେ। କିନ୍ତୁ କାହିଁ କିଛି ନାହିଁ। ସବୁ କୁଆଡ଼େ ଉଭାନ। ଚିହ୍ନ ବର୍ଣ୍ଣ ବି କିଛି ଦିଶୁ ନାହିଁ। “ଏହା ତାଙ୍କର ମନର ଭ୍ରମ ନା ନିଶା ପାଣିର ପ୍ରଭାବ” – ଭାବି ସେ ଫେରିଆସୁଥିଲେ ନିଜ ଚେୟାରକୁ। ଆସିଲା ବେଳେ ଝରକା ଗୁଡ଼ାକ ଆଛା କରି ସବୁ କିଳି ଦେଇ ଆସିଲେ। ଲିଭି ଯାଇଥିବା ଲ୍ୟାମ୍ପଟାକୁ ଲଗେଇ ଆଉ ଟିକେ ତେଜି ଦେଲେ। ଢକଢକ କରି ଆଉ ଗୋଟେ ରଅ ପ୍ୟାକ୍ ଶୋଷି ନେଲେ।ସିଗାରେଟ୍ ରେ ନିଆଁ ଦେଲେ। ଯାହା ସବୁ ଘଟିଗଲା ଡାଏରୀରେ ଉତ୍ତାରୀଲେ। ଢୁଳ ଲାଗିବାରୁ ଟେବୁଲ ଉପରେ ମଥାନତ କରି ଶୋଇଗଲେ। ନିଦଟା ଘୋଟି ଆସୁଥିଲା ।ଆଖିପତା ଢାଙ୍କି ହୋଇଗଲା। କିନ୍ତୁ ଦିନର ତନାବ ମନ ଭିତରେ କୁଞ୍ଚିତ ରେଖା ତୋଳୁଥିଲା। ସମସ୍ତ ଛୋଟବଡ଼ ଘଟଣା ପରସ୍ପର ସହ ବାଡ଼େଇ ହୋଇ ଧକ୍କା ଖାଉଥିଲେ। ସ୍ଵପ୍ନ ସାଗରରେ ସେ ଭାସି ବୁଲିଲା ପରି ଅନୁଭବ କରୁଥିଲେ।
କିଛି ଗୋଟେ ଶବ୍ଦର ଅହେତୁକ ତାଡ଼ନାରେ ସେ ବିବ୍ରତ ହୋଇ ଉଠିଲେ। ମୁଣ୍ଡଟା ଚକ୍କର କାଟିଦେଲା। ଆଉ କିଛି ବୁଝିବା ପୂର୍ବରୁ ସୁଦୂରରୁ ଗୋଟେ ନାରୀ ନୁପୁରର “ରୁଣୁ ଝୁଣୁ ଝଣ” ସ୍ଵର ଶବ୍ଦ କର୍ଣ୍ଣ ଗହ୍ଵରକୁ ଭେଦି ଗଲା। ସେ ସ୍ଵରଟିକୁ ଏକ ଲୟରେ ଅନୁସରଣ କଲେ।ମଦ ନିଶାଟା ତାଙ୍କୁ କିନ୍ତୁ ବସିବା ସ୍ଥାନରୁ ଉଠିବାକୁ ଦେଉ ନଥାଏ। କିଛି ସମୟର ବିରତି ପରେ ସେ ଦେଖିଲେ କିଛି ଗୋଟେ ଛାୟାଚିତ୍ର। ହଁ ତ ଖୁବ୍ ଦୂରରୁ ଅସ୍ପଷ୍ଟ ହୋଇ ଦିଶୁଛି। କିନ୍ତୁ ଏ କ’ଣ କବାଟଟି କେମିତି ମେଲା ହୋଇ ରହିଛି? ତାଙ୍କର ତ ଯାହା ମନେ ଅଛି ସବୁ କିଛି ସେ ବନ୍ଦ କରି ଶୋଇଥିଲେ। ତେବେ ଯାହା ହେଉ ଛାୟା ଚିତ୍ର ତାଙ୍କରି ଆଡକୁ ଆସୁଛି ନା କ’ଣ ।କିଏ ଗୋଟେ ବେଶ୍ ସୁନ୍ଦର ଓ ସୁଠାମ ଠାଣିରେ ପାଦ ଦୁଇଟିକୁ ଆଗକୁ ଥାପୁଥାଏ, ପାଦର ଘୁଙ୍ଗୁର ଶବ୍ଦଟା ଆହୁରି ସ୍ପଷ୍ଟରୁ ସ୍ପଷ୍ଟତର ହେଉଥାଏ । ଏଥର ଝିଅଟି ଦୁଆର ମୁହଁ ପର୍ଯ୍ୟନ୍ତ ଆସିଗଲା। କେଉଁ ଏକ ନିକଟ ବସ୍ତିର ଝିଅଟା ବୋଧେ। ଆଦିବାସୀ ପରି ବେଶ୍ ପରିପାଟି। ନାକରେ ନୋଥ, କର୍ଣ୍ଣରେ କର୍ଣ୍ଣ କୁଣ୍ଡଳ, ହାତରେ ବାହୁଟି, ପାଦରେ ଘୁଙ୍ଗୁର, ବେକରେ ରୁଞ୍ଜ ମାଳି, ଆଖିରେ କଜ୍ବଳ। ବାର /ତେର ବର୍ଷର ଝିଅଟା। ଚାହାଣିରୁ ତ ନୃତ୍ୟାଙ୍ଗନା ପରି ଲାଗୁଥାଏ। ଆଶ୍ଚର୍ଯ୍ୟ ଲାଗିଲେ ବି ମୋରିସ ବେକର ତାକୁ ସଶ୍ରଦ୍ଧ ଦୃଶ୍ଟିଭଙ୍ଗୀରେ ଚାହୁଁଥାନ୍ତି। ଝିଅଟି ବୋଧେ ତାଙ୍କ ଭାବାବେଗକୁ ହଠାତ୍ ବୁଝି ପକାଇଲା। ତେଣୁ କହିଲା – “ବାବୁ ନାଚ ଦେଖିବେ କି?” ମୋରିସ ସହାସ୍ଯ ବଦନରେ ମୁଣ୍ଡ ଟୁଙ୍ଗାରି ସମ୍ମତି ଦେଲେ। ସିଏ ବି ନାଚିଲା ।ତାକ ଧିନାଧିନ ଥେଇ, ତାଥେଇ ତାଥେଇ ଥେଇ, ଧିକ୍ ଧିନାଧିନ ଧେଇ। ହେଲେ ଆଦୌ ଥକୁ ନଥାଏ। “ସେତିକି ଥାଉ, ସେତିକି ଥାଉ” – କେତେବେଳୁ ମୋରିସ ବେକର କହିଲେଣି ।
ଇଏ କ’ଣ? ହଠାତ୍ ଝିଅଟାର ପାଦ ଦୁଇଟାରେ ଲମ୍ବ ଲମ୍ବ ବାଳ ଆସିଗଲା। ଗୋଦର ଗୋଡ଼ ପରି ଗୋଡ଼ ଦୁଇଟା ଫୁଲିବାକୁ ଲାଗିଲା ତା’ ର ଆଖି ଦୁଇଟା ଜଳିଉଠିଲା।ପୁଣି ପାଟିରେ ଅଙ୍ଗୁଳି ପୁରାଇ ବିକଟାଳ ହୁଳହୁଳି ରାବ।
ମୋରିସ ହତବାକ୍। ଶରୀର ସାରା ଗୋଟାପୁଣି ଝାଳ। ହୃଦୟରେ କମ୍ଫନ ।ହାତରୁ ଖସି ପଡୁଥାଏ କଲମ।
ଓଃ! କି ଭୟଙ୍କର, ବିକୃତ ତା’ର ସ୍ଵର। ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସମଗ୍ର ପରିବେଶ।
ସକାଳୁ ବନ୍ଧୁ ହିତେଶ ଓ ସୁକୁନା ଭାଇ ପହଞ୍ଚିଲା ବେଳକୁ ସବୁ ଶେଷ। ସବୁ ଜିନିଷ ଛିନଛତ୍ର ହୋଇ ପଡିଛି। ଡାଏରୀରେ କଲମ ମୁନର ଶେଷସ୍ପର୍ଶ ଥିଲା – “heart fa” (ହାର୍ଟ ଫେ)।

0.ଶୂନ୍ଶାନ୍ ରାତି
ବହୁ ବର୍ଷ ତଳର କଥା, ଓଡ଼ିଶାର କଟକ ସହର। ଯାହା ଏବେକାର ଏପରି ନଥିଲା, ଆଗ କାଳର ଅଳ୍ପ ଲାଇଟ୍ ପୋଷ୍ଟ, ଚାରିଆଡ଼େ ଝାଉଁ ବଣ। ବୃକ୍ଷାଦି ମଧ୍ୟ ଅନେକ। ୱାନ୍ ଵେ ଟ୍ରାଫିକ, ଅଳ୍ପ ଉନ୍ନତ। ଆଜିର ଗାଁ ଗହଳି ପରି ମଧ୍ୟ ଠାଏଂ ଠାଏଁ ଡରାବନ (ଭୟଙ୍କର) ଦୃଶ୍ୟ। ରାତି ହେଲେ ଡର ଲାଗେ, ଚୋର ତସ୍କରଙ୍କ ପ୍ରାଦୁର୍ଭାବ ବେଶୀ। ନଈ କୂଳ ଓ କାଠଯୋଡ଼ି ପଠା ଭାରି ଜଙ୍ଗଲିଆ, ଅନ୍ଧାରୁଆ ସ୍ଥାନମାନଙ୍କରେ ସାପ ବେଙ୍ଗ ମାନଙ୍କର ଭାରି ବସା। ଦିନ ଦ୍ଵିପ୍ରହରରେ ଡର ଲାଗୁଥିଲାଟି! ଠିକ୍ ସେଇ ସମୟର କଥା।
ଶିଶିର କୁମାର ଘୋଷ ବୋଲି ଜଣେ ଭଲ ଇଂରାଜୀ ଶିକ୍ଷକ ଥାଆନ୍ତି।ଭାରି ସାହସୀ। ପେଶା ତାଙ୍କର ଟ୍ୟୁସନ। ସରକାରୀ ଚାକିରୀ ନଥିଲେ କ’ଣ ହେଲା, ଟ୍ୟୁସନ୍ କରି ଭଲ ଦି’ ପଇସା କମାନ୍ତି। ସେଇ କମାସ୍ତୁକରେ ପରା ଘର ଚଳେ ।ଘରେ କ’ଣ କମ ପ୍ରାଣୀ କି? ମାଇକିନା ଛୁଆ ପିଲା କି ମିଶିକି ଦି /ଚାରି ପ୍ରାଣୀ କୁଟୁମ୍ବ ହେବେ। ଜଣଙ୍କ ରୋଜଗାରକୁ ସମସ୍ତେ ଚାହିଁଥାନ୍ତି। ତେଣୁ ସକାଳୁ ସଞ୍ଜ ଯାଏଁ ନ ଖଟିଲେ, କିଏ ଆଣି ଦେବ କହୁ ନାହିଁନ୍ତି? ଟ୍ୟୁସନ ବୋଲି କ’ଣ ଗୋଟେ କି? ବାର ଆଡ଼େ ତେର ଟ୍ୟୁସନ , ରାତି ପାହିଲାଠାରୁ ରାତି ହେଲା ଯାଏଁ। କେତେ ଆଡ଼େ କେତେ ରକମର ଟ୍ୟୁସନ। ଡବଲ, ସିଙ୍ଗଲ୍ ଓ ଗ୍ରୁପ ଟ୍ୟୁସନ ମଧ୍ୟ ଚାଲିଥାଏ । ପୁଣି ପିଲାଙ୍କ ସ୍କୁଲ ଟାଇମକୁ ଦେଖି ଟ୍ୟୁସନ ଟାଇମ ସ୍ଥିର କରାଯିବ ନା, ନହେଲେ କ’ଣ ଅଭିଭାବକମାନେ ସହଜରେ ରାଜି ହେବେ କି? ସକାଳୁ ସେ କ’ଣ ଗଣ୍ଡେ ଖାଇଦେଇ ସହରକୁ ଚାଲି ଆସନ୍ତି ଯେ, ଫେରିଲା ବେଳକୁ ରାତି। ଦିନରେ ହୋଟେଲରେ ଖାଇଲେ ଖାଇଲେ, ନ ଖାଇଲେ ନାହିଁ, ଟ୍ୟୁସନରେ ଯେଉଁ ଚା ଜଳଖିଆ ଟିକିଏ ମିଳିଯାଏ ସେତିକିରେ କାମ ଚଳିଯାଏ, କାରଣ ପୁଣି ଦୁଇ ପଇସା ଯୋଗାଡ଼ ଯନ୍ତ୍ର କରି ସଞ୍ଚୟ କରିବାକୁ ହେବ ନା, ନହେଲେ ଛୁଆ ପିଲାଙ୍କ ଭବିଷ୍ୟତ କ’ ଣ ହେବ?
ସେଦିନ ଗୋଟେ ବିଳମ୍ବିତ ରାତିରେ ପିଲାମାନଙ୍କୁ ପାଠ ପଢ଼େଇ ସାରି ସେ ଘରକୁ ଫେରୁଥାନ୍ତି। ଘର କଟକ ସହରର ଏକ ଉପାନ୍ତ ଅଞ୍ଚଳରେ। ତ୍ରିଶୁଳିଆ ଦେଇ ପୋଲ ପାରି ହୋଇ ଯିବାକୁ ହୁଏ ଏକ ମଫସଲ ଅଞ୍ଚଳକୁ। ବାଟର ବ୍ୟବଧାନ ପାଞ୍ଚ ମାଇଲ। କାଶ ତଣ୍ଡି ଘେରା ଜଙ୍ଗଲିଆ ରାସ୍ତା। ବୁଦି ବୁଦିକା ବୀଣା ମୂଳୀ ଓ କ୍ଷୀରି କୋଳି ଆଉ ବଇଁଚ କୋଳିର ଲଟାକୁଞ ମଧ୍ୟ ଥାଏ। ବାଟରେ ଆଉ କେତେଟା ବଡ଼ ବଡ଼ ଗଛ ସଣ୍ଢା ଟେକି ଉପରକୁ ମୁଣ୍ଡ ଟେକି ଆଁଟା କରି ଆକାଶକୁ ଚାହିଁଥାଏ। ପାହାଡ଼ ପରିକା କେଇଟା କୁଦ ମଧ୍ୟ ସେଇ ବାଟରେ ପଡେ। କେଉଁଠି କଦବାଏ କିଏ ଫସଲ ଗଣ୍ଡାଏ କରିଥାଏ, ଯେଉଁଠି ନଞୁରିଟେ ବା ପାଣି ନାଳଟିଏ ଥାଏ ପାଣି ମଡେବାକୁ।
ଗରୀବ ବୋଲି ତାଙ୍କର ସାଇକେଲ ଖଣ୍ଡେ ହାତରେ ଥାଏ। ପୁଣି ଟିକି ଟର୍ଚ୍ଚଟେ ପକେଟରେ ପଡିଥାଏ-ସୁବିଧା ଅସୁବିଧାକୁ ସାହାଯ୍ଯ ଓ ନେବା ଆଣିବାକୁ ବି ସୁବିଧା। ସାଇକେଲ ଖଣ୍ଡକ ହାତରେ ଥିଲେ ତାଙ୍କୁ ଯେମିତି ଲାଗେ ତ୍ରିଭୁବନଟା ତିନି ମିନିଟିର ବାଟ।। 9/9.30 ରେ କଟକ ଛାଡିଲେ ,ସେ 10 /10.30 ସୁଦ୍ଧା ଘରେ ପହଂଚିଯାନ୍ତି। ଘରେ ପହଁଞ୍ଚି ଗୋଡହାତ ଧୋଇ କ’ଣ ଦିଟା ଖାଇଦେଇ ଶୋଇ ପଡ଼ନ୍ତି। ରାତି ପାହିଲେ ପୁଣି ସେଇ ସମାନ କାମ। ଇଏ ତାଙ୍କର ଧରାବନ୍ଧା, ନିତି ଦିନିଆ ରୁଟିନିଅସ୍ ଜୀବନ ।
ସେଦିନ ପରୀକ୍ଷା ବେଳ ତ, ପିଲାଙ୍କୁ ପଢାଉ ପଢାଉ ଟିକିଏ ଡେରି ହୋଇଗଲା। ପୁଣି ବାଟରେ ଗୋଟେ ସାଙ୍ଗ ଦେଖା ହୋଇଯିବାରୁ ଅଯାଥା କଥାର ଖିଅ ଗୁନ୍ଥି ହୋଇଗଲା। ସମୟଟା ଅତିକ୍ରାନ୍ତ ହୋଇଯାଉଥାଏ, ଆଦୌ ଜାଣି ହେଉନଥାଏ। ପିଲାଟିକୁ ପଢେଇଥିବା କାହାଣୀଟା ତ ନିଶ୍ଚିତ ପକ୍ଷେ ମନ ଇଲାକାରେ ଜାଗ୍ରତ ଥାଏ। ରସ୍କିନ ବଣ୍ଡଙ୍କ ଗୋଟେ ହରର୍ କାହାଣୀ ସେ ପଢ଼ାଉଥିଲେ। ପିଲାଟି ଡରି ଯିବାରୁ ତା’ ମା’ ପଢ଼ା ଟେବୁଲ୍ ପାଖକୁ ଉଠି ଆସି ଭୂତପ୍ରେତ ଉପରେ କେତେ କ’ଣ ଭାଷଣ ଦେଉଥିଲେ। ସେ ଆହୁରି କହୁଥିଲେ କୋଉ ଗୋଟେ ହିନ୍ଦୀ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କୁ ଦେଖିଥିଲେ, ଯିଏ କି କେମିକାଲ ଲୋଚାର ଶୀକାର ହୋଇଥିଲେ। ଏଗୁଡାକ ସେ କ୍ଷଣେ ଭାବୁଥିଲେ ସିନା ହେଲେ ପରମୁହୂର୍ତ୍ତରେ ଭୁଲି ଯାଉଥାନ୍ତି, କାରଣ ଏଗୁଡାକ ସବୁ ଅନ୍ଧ ବିଶ୍ବାସ ବୋଲି ସେ କେବେଠୁଁ ଜାଣିଛନ୍ତି – ପିଲାଦିନୁ ବାପା ଯେଉଁଦିନଠୁଁ କହିଲେଣି।
ତରବର ହୋଇ ଘରକୁ ଫେରିଲେ। ତେଣୁ ବାଟରେ ବେଙ୍ଗ ସାପ କିଛି ଜଣାପଡ଼ୁ ନଥିଲା। ବାଟରେ ସହରର ଆଲୁଅ ରାସ୍ତା ଖାଲି ହୋଇଗଲେ, ଆହୁରି ଦୁଇ /ତିନି କିଲୋ ମିଟର ଅନ୍ଧାରୁଆ ରାସ୍ତା – ଆରମ୍ଭ ହୁଏ। ସେହି ରାସ୍ତାରେ ପହଞ୍ଚିଛନ୍ତି କି ନାହିଁ, ହଠାତ୍ ସାଇକେଲରୁ ଚେନ୍ଟା ଖସିଗଲା। ସେ ଓହ୍ଲାଇ ପଡି ପାଟିରେ ସରୁ ଟର୍ଚ୍ଚଟା ଭର୍ତ୍ତି କରି ଦେଇ ଦୁଇ ହାତରେ କାମରେ ଲାଗିଗଲେ। ଚେନ୍ ଟା ଆଦୌ ଦେଇ ହେଉନଥାଏ କଳଙ୍କି ଲଗା ଚେନ୍ ଟା। ଭାରି ଜାମ୍। ଚଳେଇଲା ବେଳେ ପରା କଁ କାଁ ଡାକେ। ହାତ ମୁହଁ କଳା ହୋଇଗଲାଣି ପଛେ ସଜଡୁ ନାହିଁ, ଓଲଟି ଚେନ୍ଟି ଏକା ବେଲକେ ଛିଡି ଗଲା। ଯା’.. ଏଣିକି ଦୁର୍ଦଶା ।ସାଇକେଲ ଖରାପ ହେଲେ ତାଙ୍କ ସାହସ କମି ଯାଏ।କ’ଣ ବା କରିଥାନ୍ତେ, ନିଜ ସାଇକେଲଟା ପରା ଶାଳକ ମହାଶୟ ନେଇ ସହର ବୁଲିଯିବାକୁ – ପତ୍ନୀ କହିଲେ। ତେଣୁ ତା’ ଭଙ୍ଗା ସାଇକେଲଟା ଧରି ସେ ଚକ୍କର କାଟିବେ ନାହିଁ ତ କିଏ କାଟିବ? ରାତି ବଢି ଯାଉଥିବାରୁ ରାସ୍ତା ନିରୋଳା ହେଉଥାଏ, ସାଇଁ ସାଇଁ ନିଶା ଗର୍ଜୁଥାଏ। ନଦୀପଠା ଅଞ୍ଚଳ, ଘାଇଁ ଘାଇଁ ପବନ ପିଟୁଥାଏ। ଅମାବାସ୍ୟା ପକ୍ଷର ରାତିଟା ଆହୁରି ଘନ ଅନ୍ଧାରିଆ ଦିଶୁଥାଏ। ଶୂନ୍ ଶାନ୍ ରାତି, ମନରେ ଟିକେ କାଳ ପଶୁଥାଏ। ହେଲେ ସେ ଡରୁନଥାନ୍ତି, କାହିଁକିନା ତାଙ୍କର ଭାରି ଦମ୍ଭ। ଏତିକି ବେଳକୁ ଦୃଷ୍ଟି ପଡିଲା ଅନତି ଦୂରରେ ବୁଦା ମୂଳରେ ଗୋଟିଏ ପଥର ଢିପ ଉପରେ ସ୍ତ୍ରୀ ଲୋକଟିଏ ଉଁ… ଉଁ.. ହୋଇ କାନ୍ଦୁଛି। ସେ ତାଙ୍କ ପାଖକୁ ଯାଇ – “କିଏ ସେ ତୁମେ?କାହିଁକି କାନ୍ଦୁଛ”?? ପଚାରିବାକୁ ଲାଗିଲେ ।ସ୍ତ୍ରୀ ଲୋକଟି କିନ୍ତୁ ପାଟି ଖୋଲୁ ନଥାଏ, ମୁହଁ ତଳକୁ କରି ବସିଥାଏ । ହାତ ଦିଟା ମୁହଁ ଉପରେ ଅଧା ଢାଙ୍କି ରଖିଥାଏ। ସ୍ତ୍ରୀ ଲୋକଟା ତ କାଳିଆ ଦିଶୁଥାଏ, କିନ୍ତୁ ପାଗିଳୀ ହୋଇ ନଥିବ। ଅବଶ୍ୟ ଚିରାଫଟା ପିନ୍ଧି ଥାଇପାରେ କିନ୍ତୁ ବସ୍ତି ଅଞ୍ଚଳର କେହି ଗୋଟେ ନିଶ୍ଚୟ ହୋଇଥିବ। ଗରୀବ ଲୋକଙ୍କର ତ ଝଗଡ଼ା ବେଶୀ, ଘରେ ଝଗଡ଼ା ଲାଗି ଏଠିକି ଚାଲି ଆସିଥିବ। ହୁଏତ ଏକଲା ବସି ଆତ୍ମହତ୍ୟା କଥା ବି ଭାବିପାରେ, ନହେଲେ ଏତେ ରାତିରେ ଏକଲାଟା ଏଠି କାହିଁକି ବସିବ?
ଯାହାବି ହେଉ ପଚାରିବେ କି ନାହିଁ ଆଗ ଥୋଡେ ଖଣ୍ଡ ଭାବି ନେଲେ। ପୁଣି ପଚାରିଲେ – “ଏ! କିଏ ତୁମେ? କାହିଁକି ଏଠି ବସିଛ”?? ସେ କିଛି କହିଲା ନାହିଁ।ସେଇମିତି ନିରୁତ୍ତର ଯେମିତି ସେ ପୂର୍ବରୁ ବସିଥିଲା। ଏଥର ଟିକିଏ ଧମକେଇ ପଚାରିଲେ – “ପଚାରୁଛି ପରା! କ’ଣ କହୁ ନାହଁ! କାହିଁକି ଗୁମାନ ମାରି ବସିଛ “?
ଏବେ ମଳୁକୁ କୁନ୍ଥେଇବା କଷ୍ଟ ହେଲା ପରି ପାୱାର କଷ୍ଟିଆ ଟର୍ଚ୍ଚ ଆଲୁଅଟା ତା’ ମୁହଁକୁ ତେରଛା ପକେଇ ପଚାରି ଆସୁଥିଲେ -” ତୁମକୁ କ’ଣ ଶୁଭୁଛି ନା ନାହିଁ “? ହେଲେ ଦେଖିଲା ବେଳକୁ ମୁହଁଟା ପୁରା ଗୋଟା ମାଟି ହାଣ୍ଡି ପରିକା ଗୋଲ। ଆଖି, କାନ, ନାକ ନାହିଁ। ଖାଲି ପାଟିଟା ଟିକେ ପାକୁ ପାକୁ ଜଣା ପଡୁଥିଲା। ଭ୍ରୂଲତା ବି କାହିଁ ଦୃଷ୍ଟିରେ ଆସୁ ନଥିଲା। ସେ ହାଉଳି ଖାଇ ଉଠିଲେ – “ବୋଉଲୋ! “।ଛାନିଆରେ ପାଟି ଖନି ମାରି ଆସୁଥିଲା, ତେଣୁ ସାଇକେଲ, ଟର୍ଚ୍ଚ ଫର୍ଚ୍ଚ ସବୁ ଫିଙ୍ଗି ଦେଇ ବା ହାତରୁ ଖସେଇ ପକେଇ ଖାଲି ଏକ ମୁହାଁ ହୋଇ ଧାଇଁଲେ-ବାଟ ଘାଟ କିଛି ଦିଶୁ ନଥାଏ । ଏଣିକି ମନ ଭିତରେ ଡର ପଶି ଗଲାଣି କି କ’ଣ ବାଟ ସାରା ହାବୁଡି ହାବୁଡି ଦି /ତିନି କଚଡ଼ା ଖାଇଲେଣି। ପଡ଼ି ଉଠି, ଉଠି ପଡ଼ି ପୁଣି ଧାଉଁଥାନ୍ତି, ହେଲେ ପଛକୁ ଭୁଲରେ ଚାହୁଁ ନଥାନ୍ତି। ଖାଲି ଇଚ୍ଛା କେମିତି ଦୂରକୁ ଦୂରକୁ ଚାଲିଯିବେ।ଗୋଡ଼ ହାତ ସବୁ ଛିଡିଛାଡ଼ି ସେତେବେଳକୁ ରକ୍ତ ଲହୁଲୁହାଣ ହୋଇଗଲାଣି। ଏଥରକ ଏଇଠି ଗୋଟେ କ’ଣ ହାବୁଡ଼ି ପଡ଼ି କୁଣ୍ଢେଇ ପକେଇଲେ, ଦେଖିଲା ବେଳକୁ ମଣିଷଟେ, କିନ୍ତୁ ଭାରି ଡେଙ୍ଗା।
ସେ ତ ଦୌଡ଼ି ଦୌଡ଼ି ହାଲିଆ, ଖାଲି ଧଇଁସଇଁ ହେଉଥାନ୍ତି। ଲୋକଟିକୁ ଦେଖି ଆଶ୍ୱସନା- ମନରେ ଟିକେ ଆଶ୍ୱସ୍ତି ଭରୁଥିଲା। କହିଲେ – “ଟିକିଏ ଶୁଣିବ!”
ଲୋକଟି ହାତରେ ବାଡିଟିଏ ଥାଏ ଓ କାନ୍ଧରେ ମୋଟାଳିଆ ବଡ଼ କାଚ ଦିଆ ଫିତା ଲଗା ପ୍ଲାଷ୍ଟିକ ଟର୍ଚ୍ଚଟିଏ ଝୁଲୁଥାଏ। ଉଚ୍ଚାଳିଆ ଲୋକଟେ, ହୃଷ୍ଟପୃଷ୍ଟ ବି ଥାଏ। ମୁଣ୍ଡରେ ଟୋପିଟାଏ ।ମିଲିଟାରୀଆ ବା ପୋଲିସିଆ ଲୋକଟା ବୋଧେ , ନୋହିଲେ ରାତିରେ ପହନ୍ତରା ମାରିଲାବାଲା ନିଶ୍ଚୟ ହୋଇଥିବ।ହାତରେ ତ ହୁଇସିଲ୍ଟାଏ ବି ଥାଏ ।
ବର୍ଷା ପବନ ରାତି। ବିଜୁଳିଟେ ମାରି ଦେବାରୁ ଗଛପତ୍ର ଓ ରାସ୍ତାଘାଟ ଟିକିଏ ଚିକ୍ଚିକ୍ ହୋଇ ଦିଶିଲା। ହେଲେ ଛାନିଆରେ ଆଖି ଜଳକା ମାରି ନେଉଥାଏ। ଘଡ଼ଘଡ଼ି ଶବ୍ଦ ସହିତ ଛାତିରେ ବି ଘଡ଼ଘଡ଼ି ପଶି ଯାଉଥାଏ। ଏତିକି ବେଳକୁ ଘର ଚଟିଆଟେ ଚିଁ’କିନା ରାବି ଦେଇ ଉଡିଗଲା, ପେଚାଟିଏ ମଧ୍ଯ କେଉଁଠି ଥିଲା କେଜାଣି ହୁକା ଟାଣି ବୋବେଇ ଦେଲା। ପାଦମୁଣ୍ଡ ଶନିପାତ ହୋଇଯାଉଥାଏ। ଅଜଣା ଲୋକଟା ଆଡ଼ୁ ପ୍ରଶ୍ନଟିଏ ଆସିଲା – “କ’ ଣ ହେଲା… ” ? ଶିଶିର ସାର୍ କହିଲେ ଧଇଁସଇଁ ହୋଇ – “ହୋଉଛି.. କହିମିନା… ରାସ୍ତା କଡରେ.. ବୁଦା ମୂଳରେ…. ସ୍ତ୍ରୀ ଲୋକଟିଏ ବସିଥିଲା… ବସିଥିଲା.. ଖାଲି ଉଁ ଉଁ ହେଉଥିଲା.. ହେଲେ ନାକ, କାନ, ଆଖି ନାହିଁ.. ମୁହଁଟା ପୁରା ଗୋ.. ଲ..। ଲୋକଟା ନିଜ ମୁହଁକୁ ଲାଇଟଟା ବୋଧେ ପକେଇ କହିଲା -” ଦେଖିଲ! ମୋ ଭଳିଆ କି… “? ହଁ ତ ତା’.. ମୁହଁଟା ବି ପୁରା ଗୋଲ। ଆଖି, କାନ, ନାକ କିଛି ନାହିଁ।
ଶିଶିର ସାର୍ ଅବାକ୍ ହୋଇ ଖାଲି ଚିରାଡି ଛାଡିଛନ୍ତି – “ହେ…ହେ… ଏ.. !!!

ଶୂନ୍ଶାନ୍ ରାତି part 2
By ସତ୍ୟ ପ୍ରକାଶ ସେଠୀ
ରାତି ଆସି ବାର ବାଜିଲାଣି ଲୋକଟା ଘରକୁ ଫେରିବ ବୋଲି କହି ଏପର୍ଯ୍ୟନ୍ତ ଫେରିଲା ନାହିଁ। କ’ଣ ଦିଟା ସକାଳୁ ଖାଇ ଦେଇ ଘରୁ ବାହାରି ଯାଇଥିଲା ଯେ ଏଯାଏଁ ଦେଖାନାହିଁ । ଦିନ ତମାମ ବାର ଯାଗାରେ ତେର ଟ୍ୟୁସନ। ଦିନ ସାରା ବକର ବକର ହୋଇ ଦେହରୁ ବଳ ନିଶେଷ ହୋଇଯାଇଥିବ। ସଅଳ ସିନା ଘରକୁ ଫେରିଲେ କ’ଣ ଦିଟା ଖାଇ ଦେଇ ଶୋଇ ପଡି ଟିକିଏ ବିଶ୍ରାମ ନେବେ, ନୋହିଲେ ଲୋକଟା ଜଲଦି ହଟି ଯିବ। ନିଜେ ସିନା ସୁସ୍ଥ ରହିଲେ ଏଡ଼େ ବଡ଼ ସଂସାରଟାର ବୋଝ ମୁଣ୍ଡାଇବେ, ନୋହିଲେ ଆଉ କିଏ ଅଛି ଯେ ବୁଝିବ?
ନିଦରେ ଢୁଳେଇ ଢୁଳେଇ ଚୂଲି ମୁଣ୍ଡରେ ବସି ଏମିତି କିଛି ଭାବୁଥିଲେ ଶିଶିର ସାର୍ ଙ୍କ ପତ୍ନୀ ଭାବନା । ହଠାତ୍ ନିଦ ବାଉଳାରେ ବିଳିବିଳି ହୋଇ ପାଟିକରି ଉଠିଲେ -” ଆରେ ବାବନା! ତୋ ଭାଇନା ଏଯାଏଁ କାହିଁ ଫେରିଲେ ନାହିଁ? ମୁଁ କ’ଣ କରିବି? ମୋ ସଂସାର ଉଚ୍ଛନ୍ନ ହୋଇଯିବ। ଚାଲ ଯିବା ବାଟକୁ, ଦେଖିବା କୁଆଡ଼େ ଗଲେ। ଏକଥା ଶୁଣି ବୁଢ଼ା ବାପାଟାର ବି ନିଦ ଭାଙ୍ଗି ଗଲା। ସେ ବି ଧଡପଡ ହୋଇ ଉଠିପଡି ହାତରେ ଲଣ୍ଠନ ଓ ଖଣ୍ଡେ ବାଡ଼ି ଧରି ଦାଣ୍ଡକୁ ବାହାରି ପଡ଼ିଲେ। ପଛରେ ବ୍ୟସ୍ତ ଆସ୍ତ ହୋଇ ଭାବନା ଓ ବାବନା ଉଭୟ ଚାଲିଲେ। ଧଇଁସଇଁ ହୋଇ ଝପଟି ଚାଲିଥାନ୍ତି। ରାସ୍ତା ଚାରି କଡ଼େ ଟର୍ଚ୍ଚ ପକାଇ ଖୋଜାଖୋଜି କରୁଥାନ୍ତି। କାହିଁ କେଯାଏଁ ବାଟ ଆସିଗଲେଣି, ପ୍ରାୟ ତିନି ଚାରି ମାଇଲ ରାସ୍ତା।
ହେଲେ କେଉଁଠି କିଛି ସନ୍ଧାନ ମିଳୁନାହିଁ। ନାରୀ ମନ ଭାରି ବ୍ୟସ୍ତ ହେଉଥାଏ। କେଉଁଠି ଟିକିଏ ଖଡକି କି ଧଡକି ହେଲେ ସେ ଚମକି ପଡି ଚାହୁଁ ଥାଏ, ହେଲେ ସ୍ଵାମୀଙ୍କର ମିଳିବାର ସମ୍ଭାବନା ଦେଖା ଦେଉ ନଥାଏ। ତେଣୁ ମନକୁ କେତେ କାଳ କଥାମାନ ଆସୁଥାଏ। ସେ ଆହୁରି ଅଧୈର୍ଯ୍ଯ ହେଉଥାନ୍ତି ।କିନ୍ତୁ ବୁଢ଼ା ଶ୍ୱଶୁର ଆଶ୍ୱସନା ଦେଉଥାନ୍ତି ଆଉ ସାନ ଭାଇଟା ବି ହିମ୍ମତ । ତଥାପି ମନ ବୁଝୁ ନଥାଏ, ଭାରି ଅଥୟ ଲାଗୁଥାଏ। ଠିକ୍ ଏତିକି ବେଳକୁ ଟର୍ଚ୍ଚଟା ଯାଇ ପଡିଲା ଗୋଟିଏ ପାଳ ଭୂତଠିଁ, ଯିଏକି ମିଲିଟାରୀଆ ଡ୍ରେସ୍ ପିନ୍ଧି ହାତରେ ଗୋଟେ ଟର୍ଚ୍ଚ ଧରି ପାଟିରେ ଗୋଟେ ହୁଇସିଲ ପୁରାଇ ଥାଏ ଓ ମୁଣ୍ଡ ଉପରେ ଗୋଟେ ଟୋପି ଥାଏ ।ତା’ରି ପାଖକୁ ଟିକିଏ ଅନତି ଦୂରରେ ମଣିଷଟେ ଚିତକାତ ହୋଇ ପଡ଼ିଥାଏ, ବୋଧେ ହୋସ୍ ନଥାଏ ।ସମସ୍ତେ ତରବର ହୋଇ ଧାଇଁଲେ। ଦୌଡିଯାଇ ଦେଖିଲା ବେଳକୁ ଶିଶିର ସାର୍।

ଘେରି
—by ସତ୍ୟ ପ୍ରକାଶ ସେଠୀ
ଘେରି। ଘେରି କହିଲେ ଆପଣମାନେ କ’ଣ ବୁଝନ୍ତି କେଜାଣି, ଇଏ କିନ୍ତୁ କୌଣସି ଘେରା ବା ବାଡ଼ି ବଗାୟତ ନୂହେଁ।ଘେରି ମାନେ ଚିଙ୍ଗୁଡ଼ି ଘେରି, ଯେଉଁଠି ଚିଙ୍ଗୁଡ଼ି ଚାଷ କରାଯାଏ। କେହି କେହି ଏହାକୁ ପ୍ଲାଣ୍ଟ ମଧ୍ଯ କହନ୍ତି। କାରଣ ଯେମିତି କଳ କାରଖାନାରେ ଅହରହ କାମ ଲାଗିରହେ, ଏଠି ସେହିପରି ସବୁବେଳେ କାମ ଲାଗିରହିଥାଏ। ଗଣ୍ଡେ ଛଅଟା ଲୋକଙ୍କର ସଦା ସର୍ବଦା ଏଠି ଆବଶ୍ୟକତା ଥାଏ ।କେତେବେଳେ ମାଛକୁ ଖାଇବାକୁ ଦିଆ ଯାଏ ତ ପୁଣି ଔଷଧ ପତ୍ର ପକାଇବାକୁ ହୋଇଥାଏ। ପୁଣି ଅଧିକାଂଶ ବେଳେ ଜାଲ ଦେବାକୁ ହୁଏ ନତୁବା ମୋଟର ଚାଲୁ କରି ପାଣି ଚାଲୁ କରାଯାଏ ।ମୋଟର ଫିଟ୍ କରାଯାଇ ପାଣିରେ ଫ୍ଯାନ୍ ମଧ୍ଯ ଘୂରାଯାଏ। ଏହି ପ୍ରକାର ଅହରହ କାମ ଲାଗିରହିଥାଏ। ଟିକିଏ ଓଲମବିଲମ ହୋଇଗଲେ ଖେଳ ସରିଲା।ଭେକାଳ ବୁଡିଲା ଜାଣ। ସଙ୍ଗେ ସଙ୍ଗେ ମାଛ ସବୁ କଟିଯିବେ। ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର କ୍ଷତି ହେବ। ଏଇଟା ଭାରି ଭଲ ଲାଭ ଜନକ ବ୍ୟାପାର ଯେ, ରାତାରାତି ପରା କୋଟିପତି ହୋଇଯିବାର ସୁଯୋଗ ଥାଏ। ତେଣୁ ଜଗି ନରହିଲେ ବହୁବିଧ ଅସୁବିଧା। ସେଥିପାଇଁ ଗୋରା ବାବୁ ତ ଚାରି ଛଅଟା ଜୁଙ୍ଘା ଟୋକା ଆଣି ରଖିଛନ୍ତି। ସେମାନେ କାମକୁ ଭାରି ଧୂରନ୍ଧର।
ଏହି ପିଲା ଗୁଡ଼ାକ ତାଙ୍କ ଗାଁ ଆଡୁ ଧରା ହୋଇ ଆସିଛନ୍ତି। ତା ଭିତରେ ଗୋଟେ ଯୋଡ଼େ ଶିକ୍ଷିତ ବେକାରୀ ଯୁବକ ମଧ୍ଯ ଅଛନ୍ତି। ଯେଉଁମାନେ ରୋଜଗାର ଲାଳସାରେ ଏଠି ପଡ଼ି ରହିଛନ୍ତି।ତା ଭିତରେ ନିଧିରାମ ବୋଲି ଜଣେ ବୁଢ଼ା ଲୋକ ଥାଏ, ସେ ମୂରୁଖ ହେଲେ ମଧ୍ଯ ପୁରୁଖା, ତେଣୁ ଅଭିଜ୍ଞ । ଆଉ ଜଣେ ହେଲା ଚନିଆ। ସେ ପାଠସାଠ ଜାଣି ନଥିଲେ କ’ଣ ହେଲା ଭାରି ପରିଶ୍ରମୀ ପିଲା।ବାକି ରହିଲେ ଦୁଇ ବେକାରୀ ଯୁବକ ଶାନ୍ତନୁ ଓ ସୀମାଞ୍ଚଳ ବାବୁ, ଯେଉଁମାନେ କି ଆଧୁନିକ ଶିକ୍ଷା ସଭ୍ୟତାର ମଣିଷ । ସେଇ ହେତୁ ସେମାନଙ୍କ ଶୋଚ ଓ ବିଚାରରେ ଟିକିଏ ଫରକ ଥାଏ। ଏମାନେ ଦିନସାରା ଖଟନ୍ତି ତ ଖଟିବେ। ହେଲେ ରାତି ହେଲେ ଏପଟ ସେପଟ ହୋଇ ଯଗନ୍ତି, ପାଳି କରି ଶୁଅନ୍ତି- କାଳେ ମାଛ ଚୋରି ହୋଇଯିବ ବୋଲି ବା ଇର୍ଷାରେ କିଏ କେତେବେଳେ ବିଷ ପକାଇ ଦେବ ବୋଲି। ଏଇ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଚିଙ୍ଗୁଡ଼ି ଜାଆଁଳ ଛାଡି ଚିଙ୍ଗୁଡ଼ି ଉତ୍ତାରିବା ଗୋଟେ ତପସ୍ୟାର ଫଳ। ଏଥିପାଇଁ ଅନେକ ସାଧନ ଓ ସାଧନା ଲୋଡ଼ା ।
ଏହି ଭେରି ଅଞ୍ଚଳଟାକୁ ପରା ଭେଡା କୁହଯାଏ ଯେଉଁଟା ଭଦ୍ରକ ସହର ଠାରୁ ଚାଳିଶ ପଚାଶ କିଲୋ ମିଟର ଦୂରବର୍ତ୍ତୀ ହେବ, କିନ୍ତୁ ଧାମରା ପାଖାପାଖି ।ଏବର ପରିକା ସେତେବେଳେ ସେଠି ପୋର୍ଟ ନଥିଲା କି ରାସ୍ତା ଘାଟର ବିକାଶ ।
ଭାରି ନିଛାଟିଆ । ମାଇଲ ମାଇଲ ଧରି ସ୍ଥାନରେ ଜନ ବସତି ସେମିତି ନଥାଏ।ଧୋଇ ଅଞ୍ଚଳ, ତେଣୁ ଧାନ ଫସଲ ବି ଭଲ ହୁଏ ନାହିଁ। ମାତ୍ର ଚିଙ୍ଗୁଡ଼ି ଚାଷ ପାଇଁ ବହୁତ ଉତ୍କୃଷ୍ଟ ସ୍ଥାନ। ଆଜକୁ ପ୍ରାୟ ତିରିଶ ବର୍ଷ ତଳର ଏ ଘଟଣା।
ସେଇଠି ଥାଏ ଗୋରା ବାବୁଙ୍କର ଗୋଟିଏ ଚିଙ୍ଗୁଡ଼ି ଘେରି, ଯାହା ଅତି କମ୍ ରେ ପଚାଶ ଏକର ପରିମିତ ଜାଗା ଉପରେ ଅବସ୍ଥିତ। ଛୋଟ ବଡ଼ ଅନେକ ପୋଖରୀ ତାରି ଭିତରେ ଅଛି।ସବୁଥିରେ ମାଛ ଚାଷ ହେଉଥାଏ। କିନ୍ତୁ ଏତେ ବଡ଼ ଅଞ୍ଚଳକୁ ବାଡ଼ ଦେଇ ଆକଟ କରିବା ଏତେ ସହଜ କଥା ନୁହେଁ, ତେଣୁ ଜାଲରେ ଘେରି ବାନ୍ଧି ଘେରା ଦିଆ ଯାଇଥାଏ। ଏହା ଦ୍ଵାରା ଚୌର୍ଯ୍ଯ ଭୟରୁ ଟିକିଏ ମୁକ୍ତି ମିଳେ। ଗୋରୁ ଛେଳି ମଧ୍ଯ ସହଜରେ ଘେରିରେ ପଶି କିଛି କ୍ଷତି କରି ପାରନ୍ତି ନାହିଁ।
ସଞ୍ଜ ହୋଇଗଲେ ଲୋକ ସମାଗମ ଆଖପାଖରେ କେଉଁଠି ଦେଖାଯାଏ ନାହିଁ, ତେଣୁ ଭାରି ନିକାଞ୍ଚନ ଲାଗେ। ନିର୍ଜନତା ଛାଇ ଯାଏ। ଏତେବେଳେ ଭୟ ଲାଗିବା ସ୍ୱାଭାବିକ। ରାତିରେ ଏକୁଟିଆ ବାହାରକୁ ବାହାରି ହୁଏ ନାହିଁ, ଭାରି ଭୟ ଲାଗେ।
ଏଇ ଘେରି ଗୁଡ଼ିକ ଗୋଟେ ଗୋଟେ ଦର୍ଶନୀୟ ସ୍ଥଳୀ ପରି। ଭାରି ମନୋଲୋଭା ସ୍ଥାନ। ଚିଙ୍ଗୁଡ଼ି ଚାଷ ସାଙ୍ଗକୁ ନାନା ପ୍ରକାର ଫଳ ଫୈସଲ କରାଯାଇଥାଏ। ବୁଲି ଦେଖିବା ପାଇଁ ଅଧିକ କୌତୁହଳ ଲାଗେ।
ସତରେ ନୂଆ କରି ଯିଏ ସେଠାକୁ ଥରେ ଯାଇଥିବ ନା ଭୋକଶୋଷ ସବୁ କିଛି ଭୁଲିଯିବ। ପିକ୍ନିକ୍ ସ୍ପଟ୍ ଭଳିଆ ବହୁତ ମନୋରମ ସ୍ଥାନ। ପ୍ରାକୃତିକ ଶୋଭା ସୁଷମାରେ ଭରପୂର , ଭାରି ଏକାନ୍ତ ଓ ନିରୋଳା ଜାଗା। ଜନ ବସତି ଠାରୁ କିଛିଟା ଦୂରରେ ଏହାର ଅବସ୍ଥିତି।

ପାଖରେ ଲୁଣା ନଦୀ ନାଳ। ଜୁଆର ସମୟରେ ସମୁଦ୍ରରୁ ପାଣି ଲୁଣା ନଦୀକୁ ଓ ନଦୀରୁ ନାଳକୁ ପାଣି ଉଠି ଆସେ, ଯେଉଁଠୁ ପାଣି ପୋଖରୀକୁ ବୁହା ହୋଇ ପୂରା ଯାଏ। ସେଇ ପାଣି ଚିଙ୍ଗୁଡ଼ି ଚାଷ ପାଇଁ ଏକାନ୍ତ ଉପଯୋଗୀ, ଯେଉଁଥି ପାଇଁକି ତ ସେଇଠି ଚିଙ୍ଗୁଡ଼ି ଘେରି ହିଁ କରାଯାଇଥାଏ।

ସନ୍ଧ୍ଯା ହେଲେ ଘେରିରେ କାମ କରୁଥିବା ପିଲାମାନେ କୁଡିଆକୁ ଫେରି ଆସନ୍ତି, ଆଶ୍ରୟ ନେବା ପାଇଁ ବା ବିଶ୍ରାମ ନେବା ପାଇଁ, ଯାହା ସେଇ ଘେରି ମଧ୍ୟରେ ନିର୍ମିତ। ଏହି କୁଡିଆ ଗୁଡିକ ଅସ୍ଥାୟୀ ଭାବରେ ତିଆରି ହୋଇଥାଏ।ଗୋଟିଏ ଯୋଡ଼ିଏ ବଖରା ଥାଏ। ନୂଆଁଣିଆ ଛଣ ଛପର ଘର। ତାହାରି ଭିତରେ ଶୁଅନ୍ତି ଓ ଜାଲ, ଔଷଧ, ମାଛ ଖାଦ୍ୟ ତଥା ଅନ୍ୟାନ୍ୟ ଉପକରଣ ସବୁ ସେଇ ଘର ଭିତରେ ସାଇତି ରଖନ୍ତି। ସେଇଠି ବି ସେମାନେ ରୋଷେଇ ବାସ କରନ୍ତି। ଜାଲ ପକାଇ ଯେଉଁ ଗୋଟେ ଅଧେ ଚୂନା ମାଛ ଧରନ୍ତି ତାକୁ ନେଇ ରାନ୍ଧନ୍ତି, ନାନା ପ୍ରକାର ପରିବା ପତ୍ର ସହଜେ ତ ସେଠି ଫଳେ। ଦିନ ତମାମ ଖଟଣି ପରେ ପିଲାମାନେ ଆପୋଷ କଥାବାର୍ତ୍ତା ଓ ଥଟ୍ଟା ମଜ୍ଜା ଭିତରେ କର୍ମ କଷଣ ଭୁଲନ୍ତି। କଥାର ଖିଅ କେଉଁଠୁ ଆରମ୍ଭ ହୋଇ କେଉଁ ଆଡକୁ ମାଡ଼ି ଯାଏ ତାହାର କିଛି ଆଦି ଅନ୍ତ ନଥାଏ, କିନ୍ତୁ ବେଶ୍ ଆନନ୍ଦିତ ହୁଅନ୍ତି ସେମାନେ।
ରାତିରେ ଖାଇପିଇ ସାରି ସମସ୍ତେ ଶୋଇବାକୁ ଗଲେ ।ସେତେବେଳକୁ ନିଶାର୍ଦ୍ଧ ହେଲାଣି ।ନିଦରେ ଅନ୍ୟମାନେ ଘୁଙ୍ଗୁଡ଼ି ମରିଲେଣି। ଚନିଆ ଏକୁଟିଆ ଚେଇଁ ଥାଏ। କାରଣ ଆଜି ତା’ର ପାଳି। ରାତି ସାରା ସେ ଜଗିରହିବ। ଠିକ୍ ଏଇ ସମୟରେ ଘେରି ପାଖ ନାଳ ପାଖରେ ଚବର ଚବର କିଛି ଶବ୍ଦ ଶୁଭଗଲା । କାଳେ କେଉଁ ଚୋର ତସ୍କରର ଏସବୁ କାମ ହୋଇଥିବ ବୋଲି ଭାବି ସେ ତତ୍ପର ହୋଇ ଉଠିଲେ। ହାତରେ ଖଣ୍ଡେ ବାଡ଼ି ଓ ଲଣ୍ଠନ ଧରି ସେ ଦୌଡିଲା। ଏସବୁ କାମରେ ଚନିଆ ପରା ମାହିର।ତେଣୁ ତାକୁ ଓସ୍ତାଦ ଡାକନ୍ତି। ସବୁକଥାରେ ସେ ଆଗଭର। ଭେରି ବନ୍ଧ ପାଖରେ ପହଞ୍ଚି ଚନିଆ ଯାହା ଦେଖିଲା ସେ ନିଜକୁ ବିଶ୍ବାସ କରି ପାରିଲା ନାହିଁ।
ସେଠି ନାଳ କଡେ କଡେ ସ୍ତ୍ରୀ ଲୋକଟିଏ ପାଦ ଦୁଇଟାକୁ ଉପରକୁ ଟେକି ଦେଇ ଦୁଇ ହାତରେ ରାସ୍ତା ଚାଲୁଥାଏ। ଆଉ ସଁ ସଁ ଡାକ ଛାଡି ଆଗକୁ ଆଗକୁ ଚଷି ନେଉଥାଏ ।ମଝିରେ ମଝିରେ ଚାଟୁ ଚାଟୁ ଶବ୍ଦ ଶୁଭା ଯାଉଥାଏ, ଯେମିତିକି କୁକୁର ଚାଟିଲା ପରିକା ସେ ଘୁଆ ଗୁଡାକ ଚାଟିକି ସଫା କରି ଖାଇ ଖାଇକା ଯାଉଛି। ଡରରେ ଚନିଆର ହଲକ ଶୁଖି ଗଲା। ଭୟରେ ଗୋଡ଼ ହାତ କିଳି ହୋଇ ଯାଉଥିଲା। ପାଦ ତଳୁ ଯେମିତି ଅତଡା ଖସି ଯାଉଥିଲା। ଆଖିରୁ ଜୁଳୁ ଜୁଳିଆ ପୋକ ବାହାରି ଆସୁଥିଲା।ଦେହ ମୁଣ୍ଡ ଶିଥିଳ ହୋଇ ଆସୁଥିଲା। ଦେହରେ ଶକ୍ତି ନିସ୍ତେଜ ହୋଇ ଆସୁଥିଲା। “କିଏ କିଏ ସେଠି “ବୋଲି ଖନି ମାରି ଆସୁଥିବା ପାଟିରେ ଉଚ୍ଚାରଣ କରି ତା ଆଡ଼କୁ ଲଣ୍ଠନ ଆଲୁଅଟା ଟେକି ଧରି ଶିଖାଟାକୁ ଆଉ ଟିକିଏ ତେଜି ଦେଲା-ଚନିଆ । ଆଲୁଅ ତା ମୁହଁକୁ ପଡିବାରୁ ସ୍ତ୍ରୀ ଲୋକଟା ଉତ୍କ୍ଷିପ୍ତ ହୋଇ ଚନିଆ ଆଡ଼କୁ ଧାଇଁ ଆସିଲା।ଆଲୁଅରେ ଚନିଆର ସ୍ପଷ୍ଟ ଭାବରେ ତା ବିଭତ୍ସ ଚେହେରା ଉପରେ ସଠିକ୍ ନଜର ପଡ଼ିଥିଲା। କି ଭୟଙ୍କର ଓ କଦାକାର ତା’ର ରୂପ । ଅଦ୍ଭୁତ ତା ଭାବଭଙ୍ଗି, ସମ୍ପୂଣ୍ଣ ଉଲଗ୍ନ ଶରୀର । ମୁହଁଟା ଅର୍ଦ୍ଧ ଦଗ୍ଧ ହୋଇ କଦାକାର ଦିଶୁଥାଏ। ଘୁଅ ଗୁଡ଼ାକ ମୁହଁରେ ବିଲିବିଲା ହୋଇ ଲାଗିଥାଏ। ମୁଣ୍ଡରେ ମଥାଏ ଖଣ୍ଡ ସିନ୍ଦୁର। ଆଖି ଗୁଡ଼ାକ ଢିମାଢିମା ହୋଇ ଜଳିଲା ଜଳିଲା ପରିକା ଦିଶୁଥାଏ।ବାଳ ଗୁଡ଼ାକ ଜଙ୍ଘ ଯାଏଁ ଖେଳେଇ ହୋଇ ଶରୀରକୁ ଆଚ୍ଛାଦିତ କରି ରଖିଥାଏ। ଅଳିଆ ବାଳ ଗୁଡାକ ଆଲୁର ବାଲୁର ହୋଇ ପଡ଼ିଥାଏ। ଚନିଆ ଆଉ କିଛି କହିବା ଅବସ୍ଥାରେ ନଥିଲା। ତା ପାଟିରୁ ବାଣୀ ସ୍ଫୁରିବା ଆଗରୁ ସ୍ତ୍ରୀ ଲୋକଟା ହେସ୍ରା ଓ କିଳିକିଳା ରାବ ଦେଇ ଖେଦି ଆସିଲା।ଦାନ୍ତ ଗୁଡ଼ାକୁ କଡ଼ମଡ଼ କରୁଥାଏ “ହୁଁ ହାଁ ତୋତେ ଖାଇବି “ର ଅସ୍ପଷ୍ଟ ସ୍ଵର ଚନିଆ କାନରେ ଭାଉଁ ଭାଉଁ ହେଉଥିଲା। ସତେ ଯେମିତି ଏଇଲାଗେ ତା ଛାତି ଚିରି ସେ କଲିଜା ଚୋବାଇ ରକ୍ତ ପିଇ ଯିବ।
ତେଣୁ ଅତରଛିଆକି ସେ ଲଣ୍ଠନଟାକୁ ହାତରୁ ଗଳେଇ ପକାଇ ଏକ ମୁହାଁ ଧାଇଁଲା। ପଛରୁ ତାକୁ ଖୁବ୍ ଜୋହରରେ ଶୁଭି ଯାଉଥିଲା ଉଦଣ୍ଡି ନାରୀ କଣ୍ଠ ସ୍ଵରରେ କର୍କଶିଆ ଗାଳି ।ସୁଦ କଞ୍ଚା ଦୋ ଅକ୍ଷରୀ ଅଶ୍ରାବ୍ଯ ଶବ୍ଦରାଜି।
ବାଟରେ ଯେ କେତେ କଚଡା ଖାଇ ଖଣ୍ଡିଆ ଖାବରା ହୋଇଛି ସେ କଥା ସେ ଜାଣେ। ହେଲେ କୁଡ଼ିଆ ପାଖରେ ଲେଉଟିକି ଫେରିଲା ବେଳକୁ ଚାରି ଆଡୁ ଛିଡି ମିଡି ସେ ଲହୁ ଲୁହାଣ ହୋଇ ସାରିଥିଲା। ଝିରିଝିରି ହୋଇ ରକ୍ତ ବହୁଥିଲା। ଯେଉଁ ଗତି ବେଗରେ ସେ ଯାଉଥିଲା ଧଡାସକିନା କବାଟ ଦେହରେ ବାଡ଼େଇ ହୋଇ ଛିଟିକି ପଡ଼ିଲା। ଅଚାନକ ଏପରି ଅପ୍ରତ୍ୟାଶିତ ଶବ୍ଦରେ ସମସ୍ତେ ହାଉଳି ଖାଇ ଚିହିଁଙ୍କି ଉଠିଲେ। ଦେଖିଲା ବେଳକୁ ହୋସ୍ ହରେଇ ଚନିଆ ଦ୍ଵାର ମୁହଁରେ ପଡିଛି। ତାକୁ ପାଣି ଛାଟି ହୋସ୍ କୁ ଆଣିଲେ। ସେ ବାଉଳି ଚାଉଳି ହୋଇ ଆଗ ବେଲେ ଖଣ୍ଡ ପାଣି ପିଇଗଲା। ତା ପରେ ସବୁକଥା କହିବାରୁ ଅନ୍ୟମାନେ ତତ୍କ୍ଷଣାତ୍ ଖୋଜାଖୋଜି କଲେ। ହେଲେ କିଛି ପାଇଲେ ନାହିଁ। କେବଳ ଦେଖିଲେ ଅସ୍ପଷ୍ଟ ଛାୟା ଚିତ୍ରଟିଏ ଖୁବ୍ ଦୂରରେ ଗୋଟେ ବୁଦା ଆହୁଡରେ କ୍ଷଣକେ ପ୍ରତିଭାତ ହୋଇ କେଉଁଆଡ଼େ ଲୀନ ହୋଇଗଲା।
ଶାନ୍ତନୁ ବାବୁ ଓ ସୀମାଞ୍ଚଳ ବାବୁ ଫେରି ଆସି ସବୁକଥା ନିଧି ରାମ ମଉସାଙ୍କୁ କହିଲେ। ନିଧି ରାମ ମଉସା କହିଲେ – “ଏଇଟା ଚରା ଡାହାଣୀ, କଞ୍ଚା ଖାଇଯିବ, ରାତିରେ ଘୁଅ ଚରେ। “ସୀମାଞ୍ଚଳ ବାବୁ କହିଲେ – “କେଜାଣି ହୋଇପାରେ, କିନ୍ତୁ ଏଟା ପାଗିଳୀ ନୂହେଁ ତ ?

ନବିନା ବା’
—–by ସତ୍ୟ ପ୍ରକାଶ ସେଠୀ
ନବିନା ବା’ ହୃଷ୍ଟପୃଷ୍ଟ ହୋଇ ଭାରି ଡେଙ୍ଗାଳିଆ ଲୋକଟେ। ସାଢେ ଛଅ ଫୁଟରୁ ଅଧିକ ହେବ ଉଚ୍ଚତା। ତୋଫା ଗୋରା। ଗୋଟିଏ ନାଲି ଲମ୍ବହାତି ଗାମୁଛା ଓ ଢାଉ ରଙ୍ଗର ପାଇଜାମାଟେ ପିନ୍ଧି ସାରା ଦୁନିଆ ବୁଲି ଆସନ୍ତି ସେ।ଆଉ ଗୋଟେ ଗାମୁଛା ମୁଣ୍ଡ ଉପରେ ଟାୟା ହୋଇ ଭିଡ଼ା ହୋଇଥିବ ବା ବେକରେ ଝୁଲୁଥିବ ନତୁବା କେତେବେଳେ କେମିତି ଅଣ୍ଟିରେ ଗୁଡ଼ା ହୋଇଥିବ। ବଡ଼ ସାହସୀ। ଦୁନିଆର କାହାକୁ ଡର ନଥାଏ ତାଙ୍କର। ବିଦେଶ ଗସ୍ତରେ ଥିଲା ବେଳେ କେହି ସିନା ତାଙ୍କୁ ମନେ ରଖି ନଥାନ୍ତି, ହେଲେ ଯେତେବେଳେ ଗାଁକୁ ଫେରନ୍ତି, ସମସ୍ତେ ତାଙ୍କ ଦାଣ୍ଡ ଆଗରେ ଜମା ହୋଇଯା’ନ୍ତି। ନବିନା ବା’ ମିଠେଇ ପାଖରୁ ଆରମ୍ଭ କରି କଲିକତିଆ ରସଗୋଲା ଓ ଆହୁରି କେତେ କ’ଣ ସବୁ ଆଣିଥାଏ। ଗାଁ ସାରା ଲୋକଙ୍କୁ ବାଣ୍ଟେ। ପିଲାମାନଙ୍କୁ ପାଖରେ ବସେଇ ଭାରି ଗେହ୍ଲ କରେ। ବିଦେଶରେ ଘଟିଥିବା କେତେ କ’ଣ ନୂଆ କାହାଣୀ ସବୁ ବଖାଣି ବସେ। ଆମେ ଗାଁ ପିଲାତକ ତା ଚାରିପଟେ ବେଡି ଆଣ୍ଠୁ ମାଡି ଚେକା ପକେଇ ବସି ପଡୁ। ନବିନା ବା’ ମିଠେଇ ବାଣ୍ଟେ ଓ ଗପ ଶୁଣାଏ। ତେଣୁ ସବୁ ପିଲାଙ୍କର ସେ ଅତି ଆଦରଣୀୟ ନବିନା ବା’।
ଏଇ ନବିନା ବା’ ସେଦିନ ଗାଁକୁ କଲିକତାରୁ ଫେରୁଥିବା ବେଳେ ବାଟରେ କ’ଣ ସବୁ ଅଘଟଣ ଘଟିଥିଲା-ସେଇ କଥା ସେଦିନ ସେ କହୁଥିଲେ ଓ ଆମେ ସବୁ ବଡ଼ ଉତ୍ସୁକତାର ସହ ଶୁଣୁଥିଲୁ। ଏଇ ନବିନା ବା’ କୌଣସି ଘଟଣାକୁ ଉପସ୍ଥାପନ କଲା ବେଳେ ଏମିତି ସ୍ଵତନ୍ତ୍ର ଶୈଳୀ ଆପଣାନ୍ତି ଯେ, ଯେମିତି ଲାଗିବ ଆଖି ସାମ୍ନାରେ ସବୁ କଥା ଏଇ କ୍ଷଣି ଘଟିଯାଉଛି। ସେ ପରା କଥାରେ ନଥା ପକାଇ ଘଟଣାକୁ ରୋଇ କି ଏମିତି ଥୋଇ ଦେବେ ଯେ , ଲାଗିବ ଯେମିତି ସବୁ ସତ ସତିକା ସତ ।ତେଣୁ ଆମେ ଆହୁରି ଆଗ୍ରହରେ ସହ ତାଙ୍କ ମୁହଁଟାକୁ ଖାଲି ଆଁଟା କରି ଚାହିଁ ରହିଥାଉ। ସେ କ’ଣ କେତେବେଳେ କୋଉ କଥା କହିବେ କେବଳ ସେଇ କଥାକୁ ଅପେକ୍ଷା।
ଏଇ ନବିନା ବା’ କଲିକତାରେ ରହନ୍ତି, ବର୍ଷେ ଛଅ ମାସକେ ଯାହା ଥରେ ଅଧେ ଗାଁକୁ ଆସନ୍ତି। ପିଲାଟି ଦିନରୁ ସେ ବିଦେଶ କଲେଣି। ଗାଁରେ ତାଙ୍କର ଜମି ବାଡ଼ି ସେତେ ନାହିଁ। ତେଣୁ ବିଦେଶରେ ରହି କାମ ଧନ୍ଦା କରିବାକୁ ସେ ଅଧିକ ପସନ୍ଦ କରନ୍ତି। ସେଇ ବିଦେଶ ପାଇଁ ତ ତାଙ୍କ ଘର କରଣା, ପିଲା ଛୁଆ ଭଲରେ ଚଳୁଛନ୍ତି। ଯାହା ଦି ପଇସା ରହିଲା ଜମି ବାଡ଼ି ଗୁଣ୍ଠେ ଅଧେ କିଣିଲେଣି। ତେଣୁ ବିଦେଶଟା ତାଙ୍କ ନିଶା, ତାକୁ ଛାଡ଼ି ସେ ଏଠି ବେଶି ଦିନ ରହି ପାରିବେ ନାହିଁ। ବିଦେଶରେ ତାଙ୍କର କେତେ ଅନୁଭୂତି। ସେଠି ସେ କେତେ କେତେ ନୂଆ ଲୋକଙ୍କ ସହ ମିଶନ୍ତି, ସେଠୁ ସେ ଆଚାର ବିଚାର ସବୁ ଶିଖିଛନ୍ତି। ସେ ସିନା ପଢା ଲେଖା ସେମିତି କିଛି ଜାଣି ନାହାଁନ୍ତି, ହେଲେ ବେଙ୍ଗଲୀ, ହିନ୍ଦୀ ସବୁଥିରେ ସେ ପାରଙ୍ଗମ। ଆଛା ଆଛା ବାବୁ ମାନଙ୍କ ସହ ମିଶି ସେ ପରା ଗପସପ ହୁଅନ୍ତି। ସମସ୍ତେ ତାଙ୍କୁ ଭାରି ଭଲ ପାଆନ୍ତି। ସେଠି ତାଙ୍କର ଭାରି ନାଁ। ବାବୁଙ୍କର ସେ ଏକାନ୍ତ ବିଶ୍ୱସ୍ତ। ଘରେ କେହି ନଥିଲା ବେଳେ ବାବୁଆଣୀ ପରା ତାଙ୍କୁ ଘର ଗୋଟାକର ଦାୟିତ୍ଵ ଦେଇ ଯାଆନ୍ତି। କାମ ବୋଲି କ’ଣ କି, ସେମିତି କିଛି ଚପଟ କାମ ନୂହେଁମ! କେବଳ ସକାଳୁ ଛେନା ଭାର ଧରି ବାହାରନ୍ତି। ବୁଲିବୁଲି ଦୋକାନରେ ସବୁ ଛେନା ଦେଇଦେଲେ କାମ ଶେଷ। ଆଉ ଦିନ ତମାମ କେହି କିଛି କହିବାକୁ ନାହିଁ। ଖାଲି ବୁଲି ବସି ଟାଇମ୍ ପାସ୍ କରିବା କଥା। ଅବଶ୍ଯ ଛେନା ଭାରଟା ଭାରି ଓଜନିଆ, ତାଙ୍କ ଭଳିଆ ଟାଣୁଆ ଲୋକ ନହେଲେ ସମସ୍ତେ ସେ କାମ ପାରିବେ ନାହିଁ। ଦିନେ ଦୁଇ ଦିନରେ ସେ କାମ ଛାଡ଼ି ପଳାଇବେ। ନବିନା ବା କିନ୍ତୁ ସେଇ ଏକା କାମ ଦୀର୍ଘ ପଚାଶ ବର୍ଷ ଧରି କରି ଆସୁଛି। ତାକୁ ଏ କାମ ଚିତର (ଚିତ୍ର) ପରିକା, ସେ ଆଦୌ କଷ୍ଟ ଅନୁଭବ କରେ ନାହିଁ । ହେଲେ ଭଲ ଦୁଇ ପଇସା ମିଳେ। ମାଲିକ ବି ବକସିସ୍ କେତେବେଳେ କେମିତି ଦିଅନ୍ତି ଆଉ ସେଇ ମିଠା ଦୋକାନୀମାନେ ଘରକୁ ଆସିଲା ବେଳେ “ପିଲା ଛୁଆ ଖାଇବେ”- କହି ପୁଳାଏ ପୁଳାଏ ମିଠା ଦିଅନ୍ତି ଯାହାକୁ ନେଇ ସେ ଘରକୁ ଆସେ ।
ଏଇଟା ପରା ଭାରି ବଡ଼ ସହର, ଲୋକବାକ ଅନେକ। ଗହଳିପୂର୍ଣ୍ଣ ଯାଗା। ଯୁଆଡେ ଚାହଁ ଖାଲି ଲୋକ ସମୁଦ୍ର ନଜରକୁ ଆସିବେ। ଯେଣୁ କଲିକତା ମହାନଗରୀ, ଭାରତର ଅନ୍ୟତମ ସହର। ଉଡ଼ା ଜାହାଜ, ଚିଡ଼ିଆଖାନା ସବୁ ସେଇଠି ଅଛି। ସେଠାକାର ଲୋକମାନେ ରଙ୍ଗ ବେରଙ୍ଗର ପୋଷାକ ପତ୍ର ପିନ୍ଧି ଭାରି ପରିଷ୍କାର ଓ ପରିଚ୍ଛନ୍ନ ଦିଶନ୍ତି। ବେଙ୍ଗଲୀ ଭାଷା ବି ଭାରି ମିଠା, ମିଠା ବାସେ, ମଧୁର ମଧୁର ତା’ର ବୋଲି ।ସେଠି ରୂପଜିବୀ ବେଶ୍ୟାଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ସବୁ କିସମର ଲୋକ ଅଛନ୍ତି।ଭଲ ଠାରୁ ଖରାପ ହାବୁଡ଼ରେ ପଡ଼ିବାର ସମ୍ଭାବନା ବେଶି ଥାଏ। ତେଣୁ ଟିକିଏ ଜଗାରଖା କରି ଚଳିବା ଉଚିତ୍। ନୋହିଲେ ଠକଙ୍କ ମାୟାଜାଲରେ ଫସି ପଟେ ନାମ ନେବା ସାର ହେବ। ନୂଆ ଲୋକ ହେଲେ ପରା ଆକାବାକା ହୋଇଯିବେ, କେବଳ ନବିନା ବା’ ଭଳିଆ ପୁରୁଖା ଲୋକ ପାଇଁ କିଛି ଅସୁବିଧା ନାହିଁ। ସେ ସହରର ଗଳିକନ୍ଦି ସବୁ ଜାଣିଛନ୍ତି। ତାଙ୍କୁ କେହି ଭୂତେଇ ପାରିବେ ନାହିଁ କି ଠକେଇ ପାରିବେ ନାହିଁ। ନବାବ ମୁହଁରେ ଜବାବ ଦେବା ଲୋକ ସେ। ଭାରି ରାଇଟିଆ ଲୋକ। ଯାହା କହନ୍ତି ମୁହେଁ ମୁହେଁ ରୋକଠୋକ୍ ଶୁଣେଇ ଦିଅନ୍ତି, ତେଣିକି ଯିଏ ଯାହା ଭାବୁ। ସତ କଥାରେ ସେ କାହାକୁ ଡରିବାର ନୂହେଁ। ହେଲେ ଯେତେ ସୁଖ ସ୍ୱାଛନ୍ଦ୍ଯ ସେଠି ଥାଉନା କାହିଁକି ଜନ୍ମ ମାଟିକୁ ବର୍ଷେ ଛଅ ମାସକେ ଟିକିଏ ଫେରି ନ ଆସିଲେ ମନଟା ଆଦୌ ଶାନ୍ତି ଲାଗେ ନାହିଁ। କାହିଁକି ନା ଏଇଠି ଅଛନ୍ତି ତାଙ୍କ ଛୁଆ ପିଲା, ଘର ସଂସାର ଗାଁ ଲୋକ, ଜନମ ଭୂଇଁ – ଭାରି ଆପଣାର। ହେଲେ ସୁଦୂର କଲିକତାରେ – କେହି ହେଲେ ଜଣେ ନିଜର ନାହାଁନ୍ତି। ଦେହ ପା’ ଭଲ ମନ୍ଦରେ ଆହାଃ ପଦେ କହିବାକୁ। ତେଣୁ ଗାଁକୁ ଆସିବାକୁ ତାଙ୍କର ଭାରି ସରାଗ।
ଏଥର କିନ୍ତୁ ଗାଁକୁ ଆସିଲେ ବେଳେ ତାଙ୍କ ସହ ଛୋଟ ବଡ଼ ଅନେକ ଘଟଣା ଘଟିଯାଇଛି, ଯାହାକୁ ନେଇ ସେ ବଡ଼ ଗମ୍ଭିର ଥିଲା ପରି ମନେ ହେଉଥିଲେ। ସମ୍ପୂର୍ଣ୍ଣ କାହାଣୀଟି ବ୍ୟାଖ୍ୟାନ କରୁକରୁ ତାଙ୍କ ଦେହରୁ ଶରମ ଝାଳ ବୋହି ଯାଇଥିଲା। ସେ ବେଶ୍ ଅଣ ନିଶ୍ୱାଷୀବୋଧ ଅନୁଭବ କରୁଥିଲେ। ତେବେ ଆସନ୍ତୁ ଘଟଣାଟି ଫିଟାଇ ଶୁଣିବା।
ସେଦିନ ସଅଳ ଦିନ ଯାକର ସମସ୍ତ କାମ ଗୋଟେଇ ନବିନା ବା’ ନିଜ ସାମାନ ପତ୍ର ସବୁ ସଜାଡି ରଖିଲେ। ଟ୍ରେନ୍ ଆସିବା ସମୟ ପାଖେଇ ଆସିବାରୁ ହାୱାର୍ଡାରେ ଯାଇ ପହଁଞ୍ଚିଲେ।ଟ୍ରେନ୍ କୁ ଚଢିବା ପାଇଁ କୁଲିମାନେ ହୋ ହାଲ୍ଲା କରୁଥିଲେ ଆଉ ଯାତ୍ରୀମାନେ ଧାଁ ଦୌଡ଼। କେତେଟା କୁଲି ଆସି ନବିନା ବା’ ଜିନିଷକୁ ଟଣାଓଟରା କରୁଥିଲେ, ହେଲେ ନବିନା ବା’ ସେମାନଙ୍କୁ ଭୂରୁଡି ଦେଖାଇ ଘଉଡେଇ ଦେଲେ। ସେ ପରା ଏକା – ଶତ ସିଂହର ବଳ ତାଙ୍କର। ଏକଲା ସେ ନିଜେ ସବୁ ଜିନିଷ ପତ୍ରକୁ ଗାଡ଼ିରେ ଚଢେଇଲେ, କାହାରି ବି ସାହାଯ୍ୟ ନେଇ ନାହାଁନ୍ତି। ଗାଡ଼ି ଭିତରେ ବହୁତ ଜାମ୍, ଗୋଡ଼ ରଖିବାକୁ ବି କେଉଁଠି ଜାଗା ନଥାଏ। ତଥାପି ବହୁତ କଷ୍ଟରେ ଅଧା ବାଟରେ ସିଟ୍ ଖଣ୍ଡେ ପାଇଗଲେ ।ଏଣିକି ଟିକେ ନିଶ୍ଵାସ ଫେରାଇଲେ। ଏଣିକି ଆଉ କିଛି ଚିନ୍ତା ନାହିଁ, ଖାଲି ଘର ପାଖରେ କେମିତି ଜଲଦି ପହଁଚିବେ କେବଳ ସେଇ ଚିନ୍ତା।ଆଖି ସାମ୍ନାରେ ଝଲସି ଉଠୁଥିଲା ବନା ମାଆର ଚେହେରାଟା ଆଉ ନାତୁଣୀ ଗେଲିର ମୁହଁଟା। ଗାଁ ଲୋକ, ଘର ବାଡ଼ି ସବୁ କିଛି ନାଚି ଉଠୁଥିଲା। ଇଛା ହେଉଥିଲା ନିମିଷକେ ପକ୍ଷୀରାଜ ଘୋଡାରେ ଚଢ଼ି ସେ ଗାଁ ମାଟିରେ ଯାଇ ପାଦ ଥାପନ୍ତେ କି।

ଶେଷରେ ଛୁକ୍ ଛୁକ୍ କରି କୋଇଲା ଇଞ୍ଜିନ୍ ରେଳ ଗାଡିଟା ଧକେଇ ଧକେଇ ଯାଇଁ କେନ୍ଦୁପଦା ଷ୍ଟେସନରେ ପହଞ୍ଚିଲା। ରାତି ବାର। ଚାରିଆଡେ ଶୂନ୍ଶାନ୍। ଜଣେ ଅଧେ କେହି କେମିତି ସେଇ ଷ୍ଟେସନରେ ଓହ୍ଲାଇ ଥିଲେ, ହେଲେ ସେମାନେ ବି ଗହଳ ଅନ୍ଧକାର ଭିତରେ କେଉଁଆଡ଼େ ହଜି ଯାଇଥିଲେ। ଆଉ କେହି କୁଆଡ଼େ ନଥାନ୍ତି, ଭାରି ନିଛାଟିଆ ଲାଗୁଥାଏ ।ଷ୍ଟେସନ୍ ଭିତରେ କେବଳ ଜଣେ ଷ୍ଟେସନ୍ ମାଷ୍ଟର୍ ଚେୟାରରେ ବସି ଢୁଳାଉ ଥାନ୍ତି । ଆଉ ଜଣେ ପତାକା ଓ ଫୋକସ ଲାଇଟ୍ ଟେ ଧରି ତଳେ ଘୁମଉ ଥାଏ।
ସେଇଠୁ ଆହୁରି ଚାରି ପାଞ୍ଚ ମାଇଲ୍ ରାସ୍ତା ହେବ ଘରକୁ। ରାସ୍ତା ଘାଟର ତ ସେତେ ସୁବିଧା ନାହିଁ ରେଳ ଧାରଣାଟା କେବଳ ସାହାରା। ଏହି ରେଳ ଧାରଣା ଉପରେ କିଛି ବାଟ ଚାଲିବାକୁ ହୁଏ। ତା’ପରେ ଗୋଟେ ଘଞ୍ଚ ଜଙ୍ଗଲ ପଡ଼ିବ, ସେଇ ଜଙ୍ଗଲ ଖଣ୍ଡଟା ପାରି ହୋଇଗଲେ ଆମ ଗାଁ ପଡ଼ିବ।
ତେବେ ଯାହା ବି ହେଉ ନବିନା ବା’ ନିଜ ମନେମନେ ଶକ୍ତି ସାମର୍ଥ୍ୟ ଏକଠା କରି ଆଗକୁ ବଢ଼ିଲେ।ତେଣେ ବହୁ ଦିନ ପରେ ଗାଁକୁ ଫେରିବାକୁ ମନରେ ଉଦବେଗ ।କାରଣ ଏବର ଭଳି ସେତେବେଳେ ତ ଆଉ ବିଜୁଳୀ ଆଲୁଅ ନଥାଏ। ତେଣୁ ଚାରିଆଡ଼େ ଖାଲି ଅନ୍ଧକାରର ଛାଇ, ଭାରି ଭୟଙ୍କର ସ୍ଥିତି। ନବିନା ବା’ ଆଉ ବେଶି କିଛି ନଭାବି ପାଦ ଆଗକୁ ପକାଇଲେ। ଗଣ୍ଠୁଳିଟା କାନ୍ଧରେ ପକାଇଲେ ଓ ଗୋଟିଏ ଯୋଡ଼ିଏ ପେଟି ଯାହାଥିଲା ମୁଣ୍ଡରେ ମୁଣ୍ଡେଇ ଝପଟି ଚାଲିଲେ। ବୋଝ ଭାରରେ ମୁଣ୍ଡଟା ଲୋଚା ହୋଇ ଯାଉଥିଲା। କ’ଣ କମତି ଜିନିଷ ଧରି ସେ ବିଦେଶରୁ ଫେରିଛନ୍ତି କି?
ରେଳ ଧାରଣାରୁ ଗଡ଼ି ଯେଉଁଠୁ ପାଦ ଚଲା ରାସ୍ତାରେ ଗାଁ ଆଡକୁ ଢ଼ଳିବାକୁ ପଡ଼ିବ, ସେଇଠି ସେ ଆଗ ଘଡିଏ ଖଣ୍ଡ ବସି ଥକ୍କା ମେଣ୍ଟାଇଲେ। ତା’ପରେ ସଜବାଜ ହୋଇ ଏକା ନିଶ୍ଵାସକେ ସେ ଗାଁ ଆଡକୁ ମୁହାଁଇଲେ। ଭାରି ଡର ଲାଗୁଥାଏ । ସେଇ ଘଞ୍ଚ ଜଙ୍ଗଲିଆ ରାସ୍ତାଟାରେ ପତ୍ର ଝଡ଼ା ବୃକ୍ଷରୁ ପତ୍ର ଝଡ଼ି ଭାରି ଅପନ୍ତରିଆ ହୋଇଥାଏ। ତେଣୁ ସାପ ବେଙ୍ଗର ଭୟ ମଧ୍ୟ ରହୁଥାଏ। ଅନ୍ଧାରରେ ଠଉରେଇ ଠଉରେଇ ରାସ୍ତା ଚାଲିବା ବଡ଼ କଷ୍ଟ। ତେଣୁ ତ ହାବୁଡି ହାବୁଡି ଖଣ୍ଡିଆ ଖାବରା ହୋଇ ସେ ବାଟ ଚାଲୁଥାନ୍ତି। ଏଥିସହ କାଲୁଆ ଅନ୍ଧାରିଆ ରାତିର ଶୀତୁଆ ଥର ଦେହକୁ ଆହୁରି ମଧ୍ୟ ଥରାଇ ଦେଉଥାଏ। ପତ୍ରର ଖଡଖାଡ ଶବ୍ଦ ସହିତ ଚଢେଇ ଚିରିଗୁଣୀର ବସା ମଧ୍ୟରୁ କେଁ କଟର ବିଭତ୍ସ ଶବ୍ଦ ମନରେ ଭ୍ରାନ୍ତି ତୋଳୁଥିଲା।ମନ ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ଉଠୁଥିଲା। ଚିତ୍ତ ଲୋକରେ ଚିତ୍ତ ଚାଞ୍ଚଲ୍ୟତା ସ୍ରୁଷ୍ଟି ହେଉଥିଲା ।
ଏଇ ସମୟରେ ମୁଣ୍ଡ ଉପରେ କ’ଣ ଗୋଟେ ଚିଁ ଚିଁ ହୋଇ ଉଡିଗଲା ଯେ ମୁହଁ ବୁଲାଇ ପଛକୁ ଚାହିଁଲାରୁ ଲାଗିଲା-ଯେପରି କିଏ ଗୋଟେ କଳା ଛାୟା ତାଙ୍କୁ ଅନୁସରଣ କରୁଛି। ବିରାଟ ତା’ର ରୂପ ଅର୍ଘାସୁରର ପରିକଳ୍ପନା ଗଢି ତୋଳୁଥିଲା ମନ ମଧ୍ୟରେ। ଭୟରେ ହୃଦୟ ମନ୍ଥିତ ହେବାରୁ ନବିନା ବା ‘ ଛାତିରେ ପୁଳାଏ ଖଣ୍ଡ ଛେପ ପକାଇ ଇଷ୍ଟ ଦେବଙ୍କୁ ସ୍ମରଣ କଲା। କିଛି ବାଟ ପରେ ଗୋଟେ ମୋଡ଼ ରାସ୍ତା ପଡ଼ିଲା। ସେଇ ମୋଡ଼ଟା ପାର ହେଲା ପରେ ଲାଗିଲା ସେ ଅର୍ଘାସୁର ଏଥର ପିଛା ଛାଡି ପାର୍ଶ୍ଵ ଅନୁସରଣ କରୁଛି। ସେ ଭୟରେ ତା ଆଡକୁ ବିଶେଷ ନଚାହିଁ, “ହେ ମାଆ ବୁଢୀ ଜାଗୁଳାଈ! ହେ! ମାଆ ବୁଢୀ ଜାଗୁଳାଈ!!” ଜପି ଜପି ଆଗକୁ ଧାଇଁଲେ। ମନେମନେ ଭାବୁଥାନ୍ତି ଛୁଆ ଖାଇବେ ବୋଲି ଗୋଟେ ବଡ଼ ଗଙ୍ଗା ଇଲିଶି ମାଛ ସେ ସାଙ୍ଗରେ ଆଣିଛନ୍ତି। ସେଇ ଆଇଁଷ ବାସନାରେ ବୋଧେ ଭୂତ ପିଶାଚ ତା ପଛରେ ପଡ଼ିଛନ୍ତି। ଆଇଁଷ କୁଆଡ଼େ ସେମାନଙ୍କୁ ଭାରି ବାଇ।ଏଇ ସମୟରେ ହେଟାଟେ କି ବିଲୁଆଟେ କୁହାଟ ଛାଡିବାରୁ ପେଟ ଭିତରେ ଛନକା ପଶି ଖାଲି ଘୁଙ୍ଗଳେଇ ହେଲା।
ଇଛା ହେଉଥିଲା ଅର୍ଘାସୁର ଦାଉରୁ ରକ୍ଷା ପାଇବା ପାଇଁ ସେଇଟିକୁ ପେଟିରୁ ଖୋଲି ଫିଙ୍ଗି ଦେବାକୁ, କିନ୍ତୁ ମନ ବୋଲ ମାନୁ ନଥିଲେ ।ଯା’ ହେଲେ ଛୁଆ ପିଲାଙ୍କ ତୁଣ୍ଡରେ ଦେବା ପାଇଁ ଏତେ କଷ୍ଟ କରି ସେ କଲିକତା ସହରରୁ ପୁଣି ବୋହି ବୋହି ଆଣିଛନ୍ତି, ଅଧା ବାଟରେ ଫିଙ୍ଗି ଦେବେ ବା କିପରି? ତେଣିକି ଯାହା ହେଉ, ଅର୍ଘାସୁର କବଳରେ ପଡ଼ି ଜୀବନ ଯାଉ ପଛେ। ଏତେବେଳକୁ ଝାଳ ନାଳରେ ସେ ଆଣ୍ଠୁଏ ହୋଇ ସାରିଲେଣି, ତଥାପି ପାଦର ଗତି ତାଙ୍କର ଧିମଉ ନଥଏ କି ଶିଥିଳ ପଡ଼ୁ ନଥଏ । କାହିଁକି ନା ପିଲା ଛୁଆଙ୍କ ପାଇଁ ବାପାମାଆ ପରା ସବୁ କଷ୍ଟକୁ ବରୀ ନେବେ, ଏପରିକି ହାଣ ମୁହଁକୁ ନିଜକୁ ଠେଲି ଦେବାକୁ ପଡ଼ୁନା କାହିଁକି । ଯାହା ବି ହେଉ ଶେଷରେ ଘର ଦୁଆର ମୁହଁ ପାଖରେ ଗୋଡ଼ ଘୋଷାରି ଘୋଷାରି ବହୁ କଷ୍ଟରେ ପହଞ୍ଚିଗଲେ। କେବଳ “ବନା ମାଆ” ବୋଲି ଏତିକି ଡାକିଛନ୍ତି ନିଜର ହୋସ୍ ବାୟୁ ଉଡିଗଲା। ବନା ମାଆ ପାଟି ଶୁଣି ଦୌଡିକି ଆସିଲା। ପାଣି ଛାଟି ସ୍ରାସ୍ଟମ କଲା ପରେ ଦରଜା ଖୋଲି ଘର ଭିତରକୁ ନେଲା।
ଏ କଥା ଶୁଣି ଆମେ ଛୁଆ ସବୁ କେତେ ରକମର କେତେ କଥା କହିଲେ । କିଏ କହିଲା “ଏଇଟା ଖପୀଶ ହୋଇଥିବ” , ଆଉ କେହି କେହି କହିଲେ “ନା ଏଇଟା ପିତାଶୁଣୀ “। ବନା ମାଆ କହିଲେ – “ଚିରିଗୁଣୀ” ।ଡାକ୍ତର ଦାଦା କହିଲେ – “ନାଇଁମ ଏଇଟା ନିଜ ଛାଇ ହୋଇଥିବ। କାରଣ ଚନ୍ଦ୍ରର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ବେଳେ ନିଜ ଛାଇଟା ବହୁତ ଲମ୍ବା ହୋଇ ପଡ଼େ, ଯାହାକୁ ଅନ୍ଧାର ରାତିରେ ଦେଖି ଡର ଲାଗେ”। ତେବେ ସେ ଯାହା ହେଉ ବନା ଝିଅ କିନ୍ତୁ ଜେଜେଙ୍କ ପିଠିକୁ ବାଡ଼େଇ ବାଡ଼େଇ -” ଜେଜେ ଆଉ କୁହ, ଅଉ କୁହ କହି “ଚିରାଡି ଛାଡ଼ି କାନ୍ଦୁଥାଏ।

୧.୩

ଚାପୁଡ଼ା
—by ସତ୍ୟ ପ୍ରକାଶ ସେଠୀ
ବାଳିଆ ପିଟା ବୋଲି ଗୋଟିଏ ଛୋଟିଆ ଗାଁ। ସେଇଟା ବାସ୍ତବରେ ଗାଁ ନୂହେଁ, ଗୋଟେ ବଡ଼ ରେଭିନ୍ୟୁ ଭିଲେଜର ଗୋଟିଏ ଛୋଟିଆ ହାମଲେଟ୍। ମାନେ ସାହି ବା ବସ୍ତି ପରିକା ଗୋଟେ କ୍ଷୁଦ୍ର ଜନ ବସତି, ଯେଉଁଠି ସତର ଅଠର ଘର ଲୋକ ରହନ୍ତି। ଅବଶ୍ୟ ଏମାନଙ୍କର ପରିବାର ଟିକିଏ ବଡ଼, କାହିଁକିନା ପିଲା ଛୁଆ ଟିକିଏ ବେଶୀ। ଜଣକା ପାଞ୍ଚ ସାତ ପିଲାରୁ କମ୍ ନାହିଁ। ଏଠି ଶିକ୍ଷା ସଭ୍ଯତାର ବିକାଶ ମୋଟେ ନାହିଁ କହିଲେ ଚଳେ। ପଢ଼ା ଲେଖା ଲୋକ ବି ଟିକେ କମ୍। ଆଗେ ତ ଏଠି କେହି ପଢୁ ନଥିଲେ, କାରଣ ଏଇ ଗାଁ ଖଣ୍ଡକରେ ସ୍କୁଲ କଲେଜ ବୋଲି କିଛି ନାହିଁ। ପିଲାମାନଙ୍କୁ ପଢିବାକୁ ହେଲେ କୋଶେ ବାଟ ଯିବାକୁ ହୁଏ । ସେ ପୁଣି ଚାଲି ଚାଲି ଯେହେତୁ ରାସ୍ତାଘାଟର ସୁବିଧା ସେମିତି ନାହିଁ।
ଏହି ଗାଁରେ ଇନ୍ଦିରା ରାଢି ବୋଲି ଜଣେ ଲୋକ ରହନ୍ତି। ସେ ଭଲ ଦାସ କାଠିଆ ଗାଆନ୍ତି, ତେଣୁ ଗୋଟେ ଦାସ କାଠିଆ ଦଳ ସହ ଗାଁରୁ ଦଶ ଗାଁ ବୁଲି ଦେଖିଛନ୍ତି। ସେଥିପାଇଁ ତାଙ୍କର ଭାରି ଇଚ୍ଛା ପୁଅ ସାରୁଆକୁ ସେ ପାଠସାଠ ଦି ‘ଅକ୍ଷର ପଢ଼େଇ “ବାବୁ” କରିବେ। ସାରୁଆଟାର ବି କି ଦିମାକ, ପ୍ରଖର ତା’ର ବୁଦ୍ଧି। ଗାଁକୁ ପାଞ୍ଚ ମାଇଲ ବାଟରୁ ଜଣେ ଅବଧାନେ ଆସନ୍ତି, ତାଙ୍କ ପାଖରେ କେତେ କେତେ ପିଲା ପଢନ୍ତି। ସେଇଠିକୁ ସାରୁଆ ବି ଯାଏ ପାଠ ପଢିବାକୁ। ଅବଧାନେ ତା ଉପରେ ଭାରି ଖୁସି, ସେ କୁଆଡେ ଭାରି ଭଲ ପାଠ ପଢ଼େ। ଚାହୁଁ ଚାହୁଁ ଚାଟଶାଳୀ ପାଠ ସରିଗଲା। ଏଣିକି ଆରମ୍ଭ ହେଲା ଗାଁ ଠାରୁ ଚାରି ମାଇଲ ଦୂରରେ ଥିବା ଗୋଟେ ସ୍କୁଲରେ ପାଠ ପଢା। ସେଇ ସ୍କୁଲ ନାଁ ହେଉଛି ଷେଣ୍ଢତିରା। ଭାରି ନାମକରା ସ୍କୁଲ। ସେ ସ୍କୁଲରେ ଯିଏ ପଢ଼ିବ ଭଲ ଛାତ୍ର ହୋଇ ନିଶ୍ଚୟ ଉତୁରିବ। ଏପରି ଏକ ବିଶ୍ବାସ ବୋଧ ହେତୁ ଦୂର ହେଉ ପଛେ ବାପା ସାରୁଆକୁ ସେଇ ସ୍କୁଲରେ ପଢାଇଲେ।
ସେଠି ଶ୍ରେଣୀ ପରେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ସାରୁଆ ଏବେ ଏକାଦଶ ଶ୍ରେଣୀର ଛାତ୍ର। ଏଣିକି ପାଠ ଟିକିଏ କଷ୍ଟିଆ ଧରିଲାଣି, ତେଣୁ ଗଣିତ ପାଠ ପାଇଁ ଟିକିଏ ଟ୍ୟୁସନ ହେବା ଦରକାର । ଅନ୍ୟ ପିଲାମାନେ ଟ୍ୟୁସନ ହେଉଥିବାରୁ ସାରୁଆ ବି ବାପାଙ୍କୁ ମନେଇ ଟ୍ୟୁସନ ହେଲା। କିନ୍ତୁ ଦୂର ବାଟ ହେଉଥିବାରୁ ଟ୍ୟୁସନ ହେବା ପାଇଁ ଆଉ ଥରେ ଆସି ହେବ ନାହିଁ। ସେଥିପାଇଁ ସାର୍ ଙ୍କୁ କହି ଦୂରିଆ ପିଲାମାନେ କ୍ଲାସ୍ ସରିବା ପରେ ଅର୍ଥାତ୍ ସନ୍ଧ୍ୟା ଛଅଟାରୁ ସାତଟା ପର୍ଯ୍ୟନ୍ତ ଟ୍ୟୁସନ ହୁଅନ୍ତି। କିନ୍ତୁ ଶୀତ ଦିନ ପାଇଁ ଟିକିଏ ଅଡ଼ୁଆ, କାହିଁକିନା ଶୀଘ୍ର ସନ୍ଧ୍ୟା ହୋଇଯାଏ। ତେଣୁ ରାତିରେ ଘରକୁ ଫେରିବାକୁ ପିଲାମାନଙ୍କ ପାଇଁ ଟିକେ କଷ୍ଟ ହୁଏ।
ଶୀତ ରୁତୁ ସରି ସରି ଆସୁଥିଲା ବସନ୍ତ ରିତୁ ଆରମ୍ଭ ହେଉଥିଲା, ପରୀକ୍ଷା ବେଳଟା ପାଖେଇ ପାଖେଇ ଆସୁଥିଲା। ତେଣୁ ପାଠ ପଢା ପାଇଁ

ସମସ୍ତେ ତତ୍ପର। ପିଲାମାନେ ଯେମିତି ପଢା ପାଇଁ ବ୍ୟସ୍ତ ହେଉଥିଲେ ସେହିପରି କୋର୍ସ ସାରିବା ପାଇଁ ସାର୍ ମାନେ ବ୍ୟସ୍ତ। ସେଦିନ ମଦନ ମାଷ୍ଟ୍ରେ ଟ୍ୟୁସନରେ ଟିକିଏ ଅଧିକ ସମୟ ନେଇଗଲେ। ଟ୍ୟୁସନ ସରିବା ବେଳକୁ ନାହିଁ ନଥିବା ବିଳମ୍ବ ହୋଇ ଯାଇଥିଲା। ତେଣୁ ଟ୍ୟୁସନ ସରିବା ମାତ୍ରକେ ଯିଏ ଯୁଆଡେ ଡିଆଁ ମାରି ଆଗ ପାର। ସେତେବେଳେ ରଘୁ, ସଦା ଓ ହଗୁରାର ଆଉ ମନେ ନାହିଁ ସାରୁଆ କଥା। ସାରୁଆ ବହି ବସ୍ତାନି ବାନ୍ଧି ବାହାରିବା ପୂର୍ବରୁ ସେମାନେ ଘରକୁ ବାହୁଡି ଯାଇଥିଲେ ।ସାରୁଆ ସାଙ୍ଗ ମାନଙ୍କୁ ଏଣେତେଣେ ଖୋଜି ପଛେ ପଛେ ଧାଇଁଲା। ହେଲେ ବାଟରେ କାହାକୁ ପାଇଲା ନାହିଁ। ସେ ଏଥି ପୂର୍ବରୁ କେବେ ବି ଘରକୁ ଏକା ଫେରି ନାହିଁ। ତେଣୁ ମନ ଶଙ୍କି ଗଲା ।ଭୟରେ କାକୁସ୍ଥ ହୋଇ ଗଲା। ହେଲେ ତା’ର ଆଉ କଣ ବା ଉପାୟ ଅଛି ସେ କରି ପାରିବ? ସେ ପ୍ରକୃତିସ୍ଥ ହେଲା ବେଳକୁ ନିଜକୁ ଅଧା ବାଟରେ ପାଇଲା। ତେଣୁ ଏବେ ସେ ପଛକୁ ଫେରି ନା ସ୍କୁଲକୁ ଯାଇ ପାରିବ ନା ଘରକୁ ଯିବା ପାଇଁ ତା’ର ସାହସ ହେଉଛି। ତେବେ ବି ତାକୁ ଘରକୁ ତ ଫେରିବାକୁ ହେବ ନା? ସେଥିପାଇଁ ସେ ଆଗକୁ ଆଗକୁ ଚାଲିଲା। ଭୟରେ ହୃଦୟ ମନ୍ଥି ହୋଇଯାଉଥିଲା। ଡରରେ ଗୋଡ଼ ହାତ ହିମ ହୋଇ ଯାଉଥିଲା।
ବାଟସାରା ବୃକ୍ଷଲତା, ବୁଦା, ହୁଡ଼ା, ଓଇ ହୁଙ୍କା – ସବୁ କିଛି ବାଘ ଭଳି ତାକୁ ମାଡ଼ି ବସୁଥିଲା। ତାକୁ ଲାଗୁଥିଲା ସତେ ଯେମିତି ରାସ୍ତା ମଝିରେ କିଏ ଗୋଟେ ବସିଛି ବା ହୁଁ ହାଁ ହୋଇ ତାକୁ କିଏ ଡରାଛି। ରାସ୍ତା ସାରା କେଁ କଟର କେତେ ରକମର ଶବ୍ଦ ରାଜି ତାକୁ ଅସ୍ତ ବ୍ୟସ୍ତ କରି ପକାଉଥିଲା। ପୁଣି ବାଟରେ ପଡୁଥିବା ପଣ୍ଡୁଆ ଗଛ ପାଖରେ ପହଂଚିଛି କି ନାହିଁ ତା’ର ଏହି ଡରଟା ଆହୁରି ଦି ଗୁଣିତ ହୋଇ ଗଲା। ଏହି ପଣ୍ଡୁଆ ଗଛ ମାନେ ବିରାଟ ବର ଗଛ। ଏହାର ନାମ ପଣ୍ଡୁଆ କାହିଁକି ଦିଆ ଯାଇଛି ସେ କଥା ସାରୁଆ ଜାଣେ ନାହିଁ। ତା’ର କେବଳ ଏତିକି ମନେ ଅଛି – ବୁଢ଼ା ବା’ କହୁଥିଲା ପଣ୍ଡୁଆ ବୋଲି ଆଗ କାଳର ଗୋଟେ ଲୋକ ଏହି ବର ଗଛ ତଳେ ପ୍ରାଣ ଦେଇ ଦେଇଥିଲା। ତାକୁ କୁଆଡ଼େ ଗୋଟେ ଭୂତ ମାଡ଼ି ବସିଥିଲା। ରାତି ପାହିଲା ବେଳକୁ ଲୋକେ ଦେଖିଲେ ସେ ସେଠି ମରି ପଡ଼ିଛି। ସେହିଦିନୁ ଏହି ଗଛର ନାମ କରଣ କରାଯାଇଛି ପଣ୍ଡୁଆ ଗଛ। ଆଛା ଆଛା ଲୋକ ରାତିରେ ଏଇ ଗଛ ମୂଳ ଦେଇ ଏକୁଟିଆ ଯା’ ଆସ କରିବାକୁ ସାହସ କରନ୍ତି ନାହିଁ। ଏ ସବୁ କଥା ସାରୁଆର ମନେ ପଡିଯିବାରୁ ସେ ଆହୁରି ଡରିବାକୁ ଲାଗିଲା।
ଏହି ପଣ୍ଡୁଆ ଗଛଟା ଏକରେ କି ଅଧ ଏକରେ ଜମି ମାଡି ବସିଛି। ବଡ଼ ଝାମ୍ପରା ଗଛଟେ। ତା’ର ଓହଳ ଗୁଡାକ ଚାରିଆଡକୁ ଲମ୍ବି ଯାଇ ଏମିତି ମାଟି ତଳକୁ ପଶି ଯାଇ ଦ୍ରୁମ ହୋଇଯାଇଛି ଯେ, କେଉଁଟା ମୂଳ ଗଛ ଚିହ୍ନିବା ବଡ଼ କଷ୍ଟ। ତା’ର ଡାଳ ଗୁଡାକ ଭାରି ଲମ୍ବା, ଲମ୍ବି ଯାଇଛି କେଯାଏଁ ବାଟ। ଡାଳ ପାତ୍ର ମେଲି ବେଶ୍ ସମୃଦ୍ଧ ଦିଶୁଥାଏ ଗଛଟା। ସେଇ ଗଛ ଦେହରେ କେତେଟା ବଡ କୋରଡ଼ ରହିଛି, ସେଇ କୋରଡ଼ ଭିତରେ କ’ଣ ରହିଛି ବୋଲି ଦେଖିବାକୁ ଦିନେ ସାରୁଆ ଅତି କୌତୂହଳୀ ହୋଇ ବାରମ୍ବାର ଜିଜ୍ଞାସା କରୁଥିଲା ।ଆଜି ସେଇ କୋରଡ ଭିତରୁ ଗୋଟେ ଅଜଣା ଆତଙ୍କିତ ସ୍ଵର ଶୁଭା ଗଲା। ଶୁଭା ଗଲା ଯେମିତି କିଏ ଗୋଟେ ଗଁ ଗଁ ହେଉଛି। ପୁଣି ସଁ ସଁ ଗର୍ଜନ ମଧ୍ଯ ତା କର୍ଣ୍ଣ ଗହ୍ଵର ଭେଦ କରି ବଡ଼ ବିବ୍ରତ କରି ପକାଉଥିଲା। ସେ ଭୟରେ” ଏ ବନ୍ଦ କର ” କହି କାନ ଦୁଇଟିକୁ ଦୁଇ ହାତରେ ବନ୍ଦ କରି ନେଉଥିଲା।ହନୁ ମାଙ୍କଡ଼ ଗୁଡ଼ାକ ବି ସେଇଠି ରହନ୍ତି। ଖାଲି ଦୁଲଦାଲ ହୋଇ ଦଳ ମାଦଳ କରୁଥାନ୍ତି। କେଁ କଟର, ଚିଁ ଚାଁ ଶବ୍ଦ ବି ଶୁଭୁଥାଏ।
ସେଇ ପଣ୍ଡୁଆ ଗଛଟା ପରା ଡାହାଣୀ ଚିରି ଗୁଣୀଠାରୁ ଆରମ୍ଭ କରି ସବୁ ଚଢେଇଙ୍କର ବସା।ଏଟା ହେଉଛି ଭଜଭଜଳିଆ ବଣୀଠାରୁ ଶାଗୁଣା ଗିଧ ପର୍ଯ୍ୟନ୍ତ ସମସ୍ତଙ୍କର ବାସ ସ୍ଥାନ । ଏହି ସମୟରେ କ’ଣ କେତେ ରକମର ଶବ୍ଦ ହେଲା। ଫଡଫଡ ହୋଇ କିଏ ଯେମିତି ଉଡିଗଲା ।ଖଡଖାଡ, ଧଡ଼ଧାଡ୍ ଆଦି ଶବ୍ଦ ବେଗ ବଢିବାକୁ ଲାଗିଲା। ମୁଣ୍ଡ ଚକ୍କର କାଟିଲା।ସତେ ଯେମିତି ସେଠି କିଏ ତାଣ୍ଡବ ନୃତ୍ୟ କରୁଛି। ପୁଣି ଅନ୍ଧାରରେ ସବୁ ବସ୍ତୁ ଗୁଡାକ କେମିତି କିମ୍ଭୁତ କିମ୍ଭକାର ଦିଶୁଥିଲା। ନ ଡରିଲା ଲୋକ ତ ଡରିକି ଛାନିଆ ହେବା ସ୍ୱାଭାବିକ। ଏଇ ସମୟରେ ସାରୁଆକୁ ଲାଗିଲା ଗଛ ଉପରୁ ବସି ଗୋଟେ ବିରାଟକାୟ ଜୀବ ଯେମିତି ରାସ୍ତା ଉପରକୁ ତା’ର ଲାଞ୍ଜଟା ଓହଳାଇ ତା ପଥ ରୋଧ କରୁଛି। ପୁଣି ସେ ଦେଖିଲା ଗୋଟେ ଛାୟାଟେ ତା ସହ ଛକାପଞ୍ଝା ଖେଳ ଖେଳୁଛି। ଏତେବେଳେ ସେ ନିରୁପାୟ ହୋଇ ଖାଲି ବୁଢା ବା’ଙ୍କ କଥାକୁ ସୁମରଣା କଲା।
ବୁଢ଼ା ବା’ କହୁଥିଲା –
“ଯଦି କେଉଁ ଭୂତ ପ୍ରେତ କେବେ ଆକ୍ରମଣ କଲା ବା ଡରେଇଲା, ତେବେ କେବେ ବି ଡରିବ ନାହିଁ। କାରଣ ଡରିଗଲେ ବା ପଡିଗଲେ ତତ୍କ୍ଷଣାତ୍ ସେ ମାଡ଼ି ବସିବ। ତେଣୁ ବରଂ ଲଢିବ। ତା ସହିତ ତାଳ ଦେଇ ଆଗକୁ ଆଗକୁ ଚାଲିବ। ଜମାରୁ ଡରିକି ପଛଘୁଞ୍ଚା ଦେବ ନାହିଁ କି ପଛକୁ ଫେରି ଚାହିଁବ ନାହିଁ। ସେ ବାଟ ଛେକିଲେ ତୁମେ ବାଟ କାଟି ବା ଆଡ଼େଇ ଆଗକୁ ଧାଇଁବ। “
ବୁଢ଼ା ବା’ ର ଏହି କଥା ସେ ମନେ ପକାଇ ମନରେ ସାହସ ବାନ୍ଧିଲା। ଛାୟା ସହିତ ଲଢିବାକୁ ମନସ୍ଥ କରି ସାରୁଆ ଛାୟାଟିକୁ କହିଲା-” ମାର ନି ମାର ଦେଖିବା! ” ଏୟା କହି ସେ ଛାୟା ଗାଲରେ ଗୋଟେ ଶକ୍ତ ଚାପୁଡ଼ା କଷି ଦେଲା। କିନ୍ତୁ ସାରୁଆ ଅନୁଭବ କଲା ଯେମିତି ଚାପୁଡ଼ାଟା ଛାୟା ଗାଲରେ ନ ବାଜି ତା ନିଜ ଗାଲରେ ବସିଛି। ନିଜେ କଷ୍ଟ ଅନୁଭବ କରିବାରୁ ଅଧିକ ଡରି ଯାଇ ଏକା ନିଶ୍ବାସକେ ଧାଇଁଲା। ଧାଇଁ ଧାଇଁ କେତେବେଳେ ଘର ଦ୍ଵାର ମୁହଁ ପାଖରେ ପହଞ୍ଚି ଯାଇଛି, ସେ କଥା ସେ ନିଜେ ଜାଣି ପାରି ନାହିଁ। କେବଳ “ବୋଉଲୋ “ବୋଲି କୁହାଟଟେ ଛାଡିଛି, ଚେତା ବୁଡା ହୋଇ ସେଇଠି ପଡ଼ି ଗଲା। ବୋଉ କବାଟ ଖୋଲି ପୁଅକୁ ଦେଖି ହାଉଳି ଖାଇ ଉଠିଲା। ପାଟି ତୁଣ୍ଡ ଶୁଣି ଗାଁ ସାରା ଲୋକ ଜମା ହୋଇଗଲେ। ବୁଢ଼ା ବା ‘ ଲଙ୍କା ଧୂଆଁ ଦେଇ ଗଇଛ ଗଛରେ ସାରୁଆକୁ ଝାଡୁଥାନ୍ତି। ମନ୍ତରା ପାଣି ମୁନ୍ଦେ ଧରି ତା ମୁହଁରେ ଛାଟି ଦେବାରୁ ସାରୁଆର ଚେତା ଫେରି ଆସିଲା । ସେ ଘର ଭିତରକୁ ଦୌଡ଼ି ଯାଇ ଆଇନାଟାରେ ମୁହଁଟା ଦେଖିଲା ବେଳକୁ ତା ଗାଲରେ ପାଞ୍ଚ ଆଙ୍ଗୁଳିଆ କି ନୋଳା ବସି ଯାଇଛି।

2. ବୈଜ୍ଞାନିକର ଲକ୍ଷ୍ୟ


—-by ସତ୍ୟ ପ୍ରକାଶ ସେଠୀ
ସେଦିନ ଜଣେ ଭଦ୍ରଲୋକ ଟ୍ରେନରେ ଦୀର୍ଘ ପାଥ ଯାତ୍ରା କରୁଥିଲେ। ବେଶ ପରିପାଟିରୁ ଜଣେ ସମ୍ରାନ୍ତ ପରିବାରର ଲୋକ ପରି ତ ମନେ ହେଉଥିଲେ। ମନେ ହେଉଥିଲେ ଜଣେ ଜ୍ଞାନୀ ଗୁଣୀ ପରିଜନ ପରି। ପୋଷାକ ଓ ପରିଚ୍ଛେଦ ବି କହୁଥିଲା କେହି ଜଣେ ଶିକ୍ଷିତ ବୋଲି। କାରଣ ବେଶ୍ ପରିଷ୍କାର ଓ ପରିଚ୍ଛନ୍ନ ଥିଲା ଚେହେରାଟି। ସାର୍ଟ, ପ୍ୟାଣ୍ଟ ଓ କୋର୍ଟ ପିନ୍ଧା ମଣିଷଟେ। ଗଳାରେ ଟାଇ ଲଗାଇଥାନ୍ତି। ବେଲ୍ଟ ବି ଚଢାଇଥାନ୍ତି। ପାଦରେ ଥାଏ ହଳେ ଜୋତା ଓ ମୌଜା। ମସ୍ତକରେ ଧୋବ ଫରଫର ବାଳ। ଅସ୍ୱାଭାବିକ କିନ୍ତୁ ଢଙ୍ଗ ଢାଙ୍ଗ। ହାତରେ ଗୋଟେ ମାଳି ଧରିଥାନ୍ତି। oh God! Oh God!! ସମ୍ବୋଧନ କରି ମାଳି ଗଡାଉଥନ୍ତି। ପାଖରେ ଯାତ୍ରା କରୁଥିବା ଅନ୍ୟ ଏକ ସହଯାତ୍ରୀ ଏ ସବୁ ଜିନିଷକୁ ବେଶ୍ ନିରେଖି ଦେଖୁଥାନ୍ତି। ସବୁକିଛି ଟିକିନିଖ ନଜର ଘୁମେଇ ଫେରେଇ ପରଖୁଥାନ୍ତି।
ଭଦ୍ର ଲୋକଟିର ଜପ ସରିବା ବେଳକୁ ପାଖ ଲୋକଟି ବଡ଼ ବିରକ୍ତି ଓ ଅସୂୟା ପରବେଶ ହୋଇ କହିଲେ – “ଆଜିକାଲି ଆଇନ୍ ଷ୍ଟାଇନ୍ ଯୁଗରେ, ପୁଣି ଲୋକଙ୍କର ଏ superstition? ବଡ଼ ଆଶ୍ଚର୍ଯ୍ୟ ଲାଗେ ମୋତେ” ।
-“କାହିଁକି? What made you difference??”
-” ମାଳା ଗଡେଇ ଠାକୁରଙ୍କୁ ଡାକିବା superstition ନୂହେଁ ତ ଆଉ କ’ଣ” ?
-“ହଁ ଯେ! ହେଲେ ଆପଣ କ’ଣ କରନ୍ତି ଓ କେଉଁଠି ରହନ୍ତି” ?
ପାଖ ଯାତ୍ରୀ ଜଣଙ୍କ ଟିକିଏ ତାଚ୍ଛଲ୍ୟ ହସିଲେ। ସେ ହସରେ ଯେମିତି କିଛି ଗର୍ବ ଓ ଔଦ୍ଧତ୍ଯର ଝଲକ ବି ସ୍ପଷ୍ଟ ନଜର ଆସୁଥିଲା। ସେ କହିଲେ – “ମୁଁ ଜଣେ ବୈଜ୍ଞାନିକ। ଘର ମୋର ଚାଇନାରେ। ମୁଁ ତେଣୁ କୌଣସି ଅନ୍ଧ ବିଶ୍ବାସ ବା ସୁପର netural ପାୱାରରେ ବିଶ୍ବାସ କରେନା। I’m very practical. ବିନା ଯୁକ୍ତିରେ ମୁଁ କିଛି ଗ୍ରହଣ କରେନା।”
ଭଦ୍ର ଲୋକଟି ଟିକେ ସ୍ମିତ ହସିଲେ।ନମ୍ର ଓ କୋମଳ ଥିଲା ଚାହାଣୀ। ସେ ଅଳ୍ପ କିଛି ସମୟ ଚୁପ୍ ଓ ଗମ୍ଭିର ହୋଇ ଗଲେ। ପୁଣି ବେଶ୍ ଶାନ୍ତ ଓ ସରଳ ଗଳାରେ କହିଲେ -” ଆଛା! ଚାଇନା ଓ ଭାରତର ଲୋକମାନେ ବିଶ୍ବାସ କରନ୍ତି ହାତରୁ ଗୋଟେ କିଛି ପଡିଗଲେ ବା ପିଢା ଉପରେ କାଉଟେ ରାବି ଦେଲେ, ଅତିଥି କେହି ଜଣେ ଘରକୁ ଆଗମନ କରନ୍ତି। ଏହାର ସତ୍ୟାସତ୍ୟ ମୁଁ ନିଜେ ପରୀକ୍ଷା କରିଛି ଓ ଅନେକ ସମୟରେ ଏପରି ହେବାର ମୁଁ ମଧ୍ୟ ଅନୁଭବ କରିଛି। ତେବେ ଏହାର କାରଣ ସ୍ପଷ୍ଟ ଭାବେ ମୁଁ କିଛି ବୁଝି ନାହିଁ। ତେବେ ଆପଣ ଏହାକୁ ବିଜ୍ଞାନ ନା ଅନ୍ଧ ବିଶ୍ବାସ କହିବେ? ଆପଣଙ୍କର ଏ ସମ୍ପର୍କରେ ବ୍ୟକ୍ତିଗତ ଉପଲବ୍ଧି କ’ଣ?
ପାଖ ଯାତ୍ରୀଟି ପୁଣି ଓଷ୍ଠରେ ତାଚ୍ଛଲ୍ୟର ହସଟିଏ ଭରି ଟିକିଏ ମୁହଁକୁ କୁଞ୍ଚିତ କରି କହିଲେ – “ହୁଁ Very interesting point you have raised. କିନ୍ତୁ ସତ କହିବାକୁ ଗଲେ, ଏପରି ଅନେକ ସମୟରେ ମୋ କ୍ଷେତ୍ରରେ ମଧ୍ୟ ଘଟିଛି। ହେଲେ ଏହା କୋ- ଇନ୍ସ୍ଡେଣ୍ଟ ହୋଇପାରେ। ଏହା ମୂଳରେ ସେମିତି କିଛି ବିଜ୍ଞାନ ଥିଲା ପରି ମୋର କାହିଁ ମନେ ହୁଏ ନାହିଁ। କାରଣ ମୁଁ ଜଣେ ଖ୍ୟାତି ସମ୍ପର୍ଣ୍ଣ ବୈଜ୍ଞାନିକ, ତେଣୁ ଏ କଥା ଦୃଢତାର ସହିତ ମୁଁ ତ କହିପାରେ”।
ଭଦ୍ରଲୋକଟି କହିଲେ -” ହଁ ମୁଁ ଜାଣି ପାରୁଛି, କାହିଁକି ନା ଆପଣ ଆଇନ୍ ଷ୍ଟାଇନ୍ ଯୁଗର ମଣିଷ। ତେବେ ଆଇନ୍ ଷ୍ଟାଇନ୍ କୁ ଆପଣ ଦେଖିଛନ୍ତି? ”
-“ନା, ମୁଁ ଆଇନ୍ ଷ୍ଟାଇନ୍ଙ୍କୁ କେବେ ଦେଖି ନାହିଁ। କିନ୍ତୁ ସେ ଜଣେ ବିଶିଷ୍ଟ ବୈଜ୍ଞାନିକ। ତାଙ୍କର ସିଦ୍ଧାନ୍ତ ଗୁଡିକ ବହୁ ନୂତନତ୍ୱ ସ୍ରୁଷ୍ଟି କରିବାକୁ ସମର୍ଥ। ହେଲେ ଆପଣ କ’ଣ ଆଇନ୍ ଷ୍ଟାଇନ୍ଙ୍କୁ ଦେଖିଛନ୍ତି? ଏତେ ଦୃଢତାର ସହିତ ପଚାରିଲେ ଯେ!”
ଭଦ୍ର ଲୋକଟି ମୁହଁ ଖୋଲିଲେ -” କହିଲେ – “ନା, ମୁଁ ଆଇନ୍ ଷ୍ଟାଇନ୍ ଙ୍କୁ ଦେଖିନାହିଁ। କିନ୍ତୁ ଭଲ ଭାବେ ଜାଣିଛି। କାରଣ ମୁଁ ନିଜେ ଆଇନ୍ ଷ୍ଟାଇନ୍ “।
ପାଖ ଯାତ୍ରୀଟି ଆଗ ଶଙ୍କି ଗଲେ। ପରେ କିନ୍ତୁ ବେଶ୍ ନରମ ଗଳାରେ ଓ ସନ୍ତର୍ପଣ ସହକାରେ କହିଲେ -” ନା! ମୁଁ ଏ କଥା ସହଜରେ ବିସ୍ଵାଶ କରି ପାରିବି ନାହିଁ। କାରଣ ଯେଉଁ ଆଇନ୍ ଷ୍ଟାଇନ୍ E=mc(2)ଥିଓରିର ପ୍ରବର୍ତ୍ତକ, ସେ ପୁଣି ଏପରି ଅନ୍ଧ ବିଶ୍ବାସ…..
ଆଇନ୍ ଷ୍ଟାଇନ୍ କହିଲେ – “ଦେଖନ୍ତୁ ମୁଁ ତ କେବଳ ବିଜ୍ଞାନର ପାଦ ଦେଶରେ ପହଁଞ୍ଚିଛି ।ମାତ୍ର୍ ଶିଖର ଦେଶରେ ପହଞ୍ଚିବାକୁ ଆହୁରି ଅନେକ ଡେରି। ଶିଖର ଦେଶରେ ଅଛି superstion, ଯାହା super science. ବାସ୍ତବରେ I think, Superstion is absolute science ଯାହା ଉପରେ ଏଯାଏଁ search ତ ହୋଇନାହିଁ, ତେଣିକି research କଥା ଛାଡ଼ନ୍ତୁ। ତେବେ ଏହା ଉପରେ ଯଦି search ହୁଅନ୍ତା ତେବେ ଅନେକ ନୂତନ ତଥ୍ୟର ତ ଅଲୋକପାତ ନିଶ୍ଚିତ ଭାବେ ହୋଇପାରନ୍ତା। ଯାହାର ଅଧିକ ଅନୁଶୀଳନ ଓ ଅନୁଧ୍ୟାନର ହୁଏତ ଆବଶ୍ୟକତା ଥାଇପାରେ। କିନ୍ତୁ ସଭ୍ୟ ମଣିଷ ନିଜକୁ ଅଧିକ ବିଜ୍ଞାନୀ ଓ ଅଭିଜ୍ଞ ମଣିଷ କହି ବା ନିଜ ବିଜ୍ଞତାର ପରିଚୟ ଦେବାକୁ ଯାଇ ଏମିତି ସବୁ କଥାକୁ ସହଜରେ ଏଡ଼ାଇ ଯାଏ। କିନ୍ତୁ ତହିଁରେ ଲୁକକାୟିତ ହୋଇ ରହିଥିବା ସତ୍ୟକୁ ଅବଲୋକନ କରିବା ବା ଅନୁଧ୍ୟାନ କରିବାକୁ ସେ ସେତେ ଆଗ୍ରହୀ ନୂହେଁ। ତାକୁ ନିରେଖି ଦେଖିବାର କଳା ପାଟବତା ହାସଲ କରିବା ହିଁ ବୈଜ୍ଞାନିକର ଲକ୍ଷ୍ୟ। ”
3.ଜ୍ଞାନେଶ୍ୱରୀ ଟ୍ରେନ୍ ଦୁର୍ଘଟଣା
ସେଦିନ ଥିଲା ଗୋଟେ କାଳ ରାତ୍ରି। ଯାହାର ଠିକ୍ ପରଦିନଠାରୁ ମାଓବାଦୀମାନେ ଚାରି ଦିନିଆ ବନ୍ଦ ଡାକରା ଦେଇଥିଲେ ଯାହା କଳା ସପ୍ତାହ ରୂପେ ପାଳନ ନିମନ୍ତେ ଘୋଷାଣପତ୍ର ଜାରି କରିଥାନ୍ତି। କୁଆଡ଼େ ପୋଲିସ ଅତ୍ୟାଚାର, ଉତ୍ପୀଡ଼ନ ଓ ଅତ୍ୟାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଥିଲା ସେମାନଙ୍କର ଏ ଉଦ୍ଘୋଷଣ। ଯେଉଁଥିରେକି ସହସ୍ରାଧିକ ଲୋକ ଦେଇଥିଲେ ପ୍ରାଣ ବିସର୍ଜନ। ଅଚିରେ ବିଲୀନ ଭଜିଥିଲା ମାନବୀୟ ଜୀବନର ମୁଲ୍ୟବୋଧ। ରଚିତ ହେଲା ଧ୍ଵଂସର ଲେଲିହାନ ଶିଖା। ଅକାଳରେ ଝରି ପଡ଼ିଲେ କେତେ ନୀରିହ ଜନତା । କାହାଠାରୁ ବାପା ତ କାହାଠାରୁ ମାଆ ପୁଣି ମାଆ କୋଳରୁ ସନ୍ତାନ ଓ ସ୍ଵାମୀଠାରୁ ସ୍ତ୍ରୀ ବା ସ୍ତ୍ରୀ ଠାରୁ ସ୍ଵାମୀ ନେଇ ଶ୍ରୀହୀନ କରିଦେଇଥିଲା କେତେ କେତେ ସ୍ୱପ୍ନ ବିଧୁରା ପରିବାର ଓ ସେମାନଙ୍କର ସୁନ୍ଦର ସୁନେଲି ସଂସାର । ପରିବେଶରେ ବୁଣି ହୋଇ ପଡିଥିଲା ଏକାନ୍ତ ବିକଳ ଚିତ୍କାର ଓ ବୁକୁଫଟା ବିଭତ୍ସତାର ନିଖୁଣ ସ୍ଵର । ହାଏ ରାମ! ହାଏ ରାମ!! ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଗଗନ ପବନ। ଇସ୍ କି ବିଭତ୍ସ ଓ କରୁଣ ଦୃଶ୍ୟ! ହତାଶାର କାଳିମା ଓ ବଡ଼ିମାର ଲଘିମା। ଏଡିକି ନିଷ୍କରୁଣ କାହିଁ ହେଲା କେଜାଣି ବିଧାତା?
2010 ମସିହା ମେ 27 ତାରିଖ ଶୁକ୍ର ବାର। ରାତି 10/10.30 ହେବ ଲୋକବାକ ପୂରିଛନ୍ତି କଲିକତା ହାୱାର୍ଡ଼୍ ଷ୍ଟେସନ୍। କୁଲି ତତ୍ପର ହୋଇ ଉଠି ଏଣେତେଣେ ଧାଇଁ ଲାଗିଲେ। ଯାତ୍ରୀମାନେ ବି ବେଡିଂ ପତ୍ର ଧରି ଦୌଡ଼ିଲେ। ଲାଗିଲା ହାୱାର୍ଡ଼୍ – କୁର୍ଲା ଲୋକମାନ୍ୟ ଜ୍ଞାନେଶ୍ବରୀ ସୁପର୍ ଡିଲକ୍ସ ଏକ୍ସ୍ପ୍ରେସ୍ ଟ୍ରେନ୍। ସେଦିନ କଲିକତା ସହର ଗ୍ରୀଷ୍ମ ପ୍ରବାହରେ ଜଳୁଥାଏ, ନାହିଁ ନଥିବା ଗର୍ମୀ ।ଖାଲି ଯାହା ଗଙ୍ଗା ନଦୀ କୂଳରୁ ଝଲକାଏ ଥଣ୍ଡା ସୁଶୀତଳ ପବନ ଦେହର ଅନୁରଣରେ ବାଜି ଅନୁକମ୍ପନ ସ୍ରୁଷ୍ଟି କରୁଥାଏ ।ସେଇ ଶାନ୍ତି, ଶେଷ ଶାନ୍ତି।
10.40 ବେକକୁ ଯାତ୍ରୀବାହିଟ୍ରେନ୍ ରେ ଶବାର ହୋଇ ସାରିଥାନ୍ତି ଯାତ୍ରୀ । ଏଥର ଛୁକ୍ ଛୁକ୍ ଶବ୍ଦ ଟ୍ରେନ୍ ଛୁଟିଲା ତା ଗନ୍ତବ୍ୟ ପଥରେ ।
ହୁଏତ 11/11.30 ସୁଦ୍ଧା ନିଜ ନିଜ ସାମାନପତ୍ର ସଠିକ୍ ସ୍ଥାନରେ ରଖି ଯାତ୍ରୀମାନେ ଖିଆପିଆ ସାରି ଦେଇଥିବେ। ଆଉ 12/12.30 ସୁଦ୍ଧା ଆପଣା ବର୍ଥରେ ସିଟ୍ ଉପରେ ନିଘୋଡ଼ ନିଦରେ ଶୋଇ ଆସୁଥିବେ ଯେ, ରାତି ପାହିଲେ ପୁଣି ଯାହା। ସ୍ବପ୍ନିଳ ହୋଇ ଉଠୁଥିବ ମନ। ପୂରା କମ୍ପାଟମେଣ୍ଟ ଶାନ୍ତ ପଡି ଆସୁଥିଲା ।କିଏ ଜାଣିଥିଲା କେଉଁ ଆସନ୍ନ ବିପନ୍ନ ପରିବେଶକୁ ଏମିତି ନୀରବ ଓ ନିଶ୍ଚଳ କରି ଗଢି ତୋଳୁଥିଲା ବୋଲି।
ଏତେବେଳକୁ ଗାଡି ଖଡ଼ଗପୁର ଅତିକ୍ରମ କରି ସାରିଥାଏ। ଗାଡି ଚାଲିଥାଏ ମାଓପ୍ରବଣ ଅଞ୍ଚଳ ଦେଇ ବେଶ୍ ଦ୍ରୁତ ଗତିରେ। ଠିକ୍ ଯେଉଁଠି ଘଟିଥିଲା ଦୁର୍ଘଟଣା ସେଇଠି ରାତି 12.30 ରେ ଆଗେ ଆଗେ ପାଇଲଟ ଟ୍ରେନ୍ ପାସ୍ କରି ଯାଇଥିଲା ଓ ବିପଦର କୌଣସି ଚିହ୍ନବର୍ଣ୍ଣ ନଥିବାରୁ ଦେଇଥିଲା ସବୁଜ ସଂକେତ। ରାତି ପ୍ରାୟ 1.30 ହେବ ଗାଡି ଯେତେବେଳେ ପହଂଚିଥିଲା ଘନ ଘୋର ଜଙ୍ଗଲ ଘେରା ଓ ଇଉକେଲ ପଟାସ ବଣ ପର୍ବତିଆ ଅଞ୍ଚଳ ଦେଇ। ସାରଡିହା ଓ କ୍ଷେମାସୁଲି ଷ୍ଟେସନ୍ ମଧ୍ୟବର୍ତ୍ତୀ ଇଲାକା । ହଠାତ୍ ଗୋଟେ ଢ଼ୋ କିନା ଶବ୍ଦରେ ସମସ୍ତେ ସ୍ତମ୍ଭୀଭୂତ। ଗାଡି ଦୋହଲି ଗଲା। କିଏ କେତେ ରକମର ଖଣ୍ଡିଆ ଖାବଡା ହୋଇ ପ୍ରାଣ ବିକଳରେ ଜୀବନ ବଞ୍ଚେଇବାକୁ ହେଲେ ତରତର, ଯେଣୁ କେତୋଟି ବଗି ଲାଇନ୍ ଚ୍ୟୁତ ହୋଇ ବିପଦଜ୍ଜନକ ଅବସ୍ଥା ସ୍ରୁଷ୍ଟି କରି ସାରିଥାଏ।ଦେଢ ଫୁଟ୍ ଲମ୍ବର ଟ୍ରେନ୍ ଲାଇନ୍ ଉଡି ଯାଇ କୁଆଡ଼େ ଉଭାନ । ସମସ୍ତେ ତ୍ରାହି ମାଂ ତ୍ରାହି ମାଂ ଡାକ ଛାଡ଼ୁଥାନ୍ତି ।କାହିଁକି ବା ଏ ଅଘଟଣ, କେମିତି ଘଟିଲା – ମନ ଅଙ୍କ କଷୁଥିଲା। ପରିକଳ୍ପନାରେ ଆଙ୍କୁ ଥିଲା ରେଖାଚିତ୍ର ପାଇବାକୁ ଜ୍ୟାମିତିକ ସୂତ୍ରରେ ସମାଧାନ। ହେଲେ ଏତିକିରେ ସରି ନଥିଲା ଦୁର୍ଦ୍ଦଶାର ଲମ୍ବା କାହାଣୀ। ପରିସ୍ଥିତି ହେଲା ଅଧିକ ଜଟିଳ ଓ ଭୟାନକ। ଯେତେବେଳେ ସାମ୍ନା ପଟରୁ କେତୋଟି ବଗି ଧରି ଆସୁଥିବା ମାଲବାହୀ ଟ୍ରେନ୍ଟି ଧକ୍କା ଦେଇଥିଲା ଏହି ଯାତ୍ରୀ ବାହି ଟ୍ରେନ୍ ଟିକୁ। ତାହାର ମଧ୍ୟ କେତୋଟି ବଗି ଡିରେଲ ହୋଇଗଲା। କେଉଁ ବଗି କାହା ଉପରେ ଚଢି ଯାଇଥିଲା ତ ପୁଣି କେଉଁ ବଗିକୁ ହାତୀ ଶୁଣ୍ଢରେ ଚାପି ଠୋଲା କରିଦେଲା ପରି ଚେପା କରିଦେଇଥିଲା। କେତେ ବଗି ପରା ପଲଟବାର ଖାଇ ଯାଇଥିଲା। ତେଣୁ ରଚି ହୋଇଗଲା ପ୍ରକୃତ ଧ୍ଵଂସର ତାଣ୍ଡବ ଲୀଳା ଓ ମଣିଷର ଅମାନବୀୟ କ୍ରିୟାକ୍ରମର ଭୟଙ୍କର ପରିଣତି। ମଣିଷ ଦେଖିଲା ମାଓ ଆକ୍ରମଣର ସଂହାର ଲୀଳା।ଦୁର୍ଘଟଣାର ପୁଣି ବିଷମ ସଙ୍କଟ, ନାହିଁ ନଥିବା ଅପୂରଣୀୟ କ୍ଷତି। ଯାହାର ଭରପାଇ (ଭରଣା) ଖାଲି ମିଛ ନାଟକ, ହୃଦୟକୁ କରୁଥାଏ ବାରବାର କ୍ଷତ।

ଭାଗ 2… ……..
ଦୁର୍ଘଟଣା ସ୍ଥାଳୀ ହେଉଛି ପଶ୍ଚିମ ବଙ୍ଗର ଖଡ଼ଗପୁର ନିକଟବର୍ତ୍ତୀ ପଶ୍ଚମି ମେଦିନାପୁର ଜିଲ୍ଲା ଅନ୍ତର୍ଗତ, ଯାହା ଏବେ ହୁଏତ ଝାରଗ୍ରାମ ଜିଲ୍ଲା ଭାବେ ଅଭିହିତ । ରାତ୍ରିର ବିଳମ୍ବିତ ପ୍ରହର ଚାରିଆଡ଼େ ନିଶା ଗର୍ଜୁଥାଏ – ସାଇଁ ସାଇଁ। ଏକାନ୍ତ ନିକାଞ୍ଚନ ଯାଗା। ଅଗମ୍ଯ ଦୁର୍ଗମ ଅଞ୍ଚଳ। ଆଖପାଖ କେଇ ମାଇଲ ଯାଏଁ ଦିଶୁ ନଥାନ୍ତି ଗୋଟେ ହେଲେ ଲୋକବାକ ।ଚାରିଆଡୁ ଭାସି ଆସୁଥାଏ କଳରବ, ଯାତ୍ରୀମାନଙ୍କର ବିକଳ ସ୍ଵର । ପାଖ ବସ୍ତି ରାଜିଆବାଦ ଗାଁର ଲୋକବାକ ଏ କଥା ଯେ ଶୁଣି ନ ପାରୁଥିଲେ, ତାହା ନୂହେଁ, ମାତ୍ର ହାତୀ ପ୍ରାଦୁର୍ଭାବ ଡରରେ ରାତିରେ କେହି ଘରୁ ବାହାରି, ସାହସ କରି ପାରିନଥିଲେ ଦୌଡ଼ି ଆସି ଘଟଣା ସ୍ଥଳୀରେ ଭରିବାକୁ ସାହଯ୍ୟର ହାତ ।
ଗୋଟାଏ ପରେ ଗୋଟେ ଜୀଅନ୍ତା ମଣିଷ ପାଲଟି ଯାଉଥାନ୍ତି ଶବ। ମଣିଷ ମଣିଷକୁ ଦେଖି ଡରି ଯାଉଥାଏ। କି ବିକଟାଳ ରଡି? ପୁଣି ବିକୃତ, କଦାକର ଓ କୁତ୍ସିତ ଚେହେରା। ରକ୍ତ ଜୁଡ଼ୁବୁଡ଼ୁ ଅଧିକାଂଶ ଶରୀର। କାହାର ଗୋଟେ ଅଙ୍ଗ ନାହିଁ ତ କାହାର ଶରୀରରୁ ପୁଳାପୁଳା ମାଂସ ଝୁଲି ରହିଥାଏ। ଆଉ କେହି କ୍ଷତାକ୍ତ ହୋଇ ପୁଣି ବିରୂପା ଧାରଣ କରିଥାଏ। ସବୁଠାରୁ ଦୁସ୍ଥ ପରିସ୍ଥିତି ହୋଇଥାଏ ଯେ, କେଉଁଠି ମଳେ ଅନ୍ଧକାର ଖାଲି ହୋଇ ଆଲୁଅ ଜଳି ଉଠୁ ନଥଏ।
ଖବର ପ୍ରସାରିତ ହେଲା କ୍ଷଣି ହୁଏତ ପ୍ରଶାସନ ତତ୍ପର ହୋଇ ଉଠିଥିଲା, କିନ୍ତୁ ସେତେବେଳକୁ ଅନେକ ବିଳମ୍ବ ହୋଇ ସାରିଥିଲା। ଅଳ୍ପକିଛି ସାହାଯ୍ୟକାରୀ ଦଳ ପହଞ୍ଚିଲା ବେଳକୁ ରାତି ଚାରିଟା ବାଜି ସାରିଥିଲା। ସେ ପୁଣି ସମୁଦ୍ରକୁ ଶଙ୍ଖେ।ତେଣୁ “ରାହାତ ଓ ବଚାବ” କାର୍ଯ୍ୟକ୍ରମ ହୋଇ ପାରୁ ନଥିଲା ତୋରାନ୍ବିତ।ଯେହେତୁ ଲୋକବଳ ଓ ଉଦ୍ଧାର ପାଇଁ ଆୟୁଧ ସେତେଟା ଏତେ ଶୀଘ୍ର ଉପଲବ୍ଧ କରି ହେଉ ନଥିଲା। ଦିବସର ଫର୍ଚ୍ଚା ଆଲୁଅ ପଡ଼ିବା ପରେ ଧିରେ ଧିରେ ଲୋକ ଆସି ଜମା ହେଲେ। ସେ ଯାଏଁ ପାଣି ଠୋପାଏ କେହି କାହାକୁ ଦେବାକୁ ତ ନଥିଲେ।
ଟି. ଭି. ଓ ସମ୍ବାଦ ପତ୍ରରୁ ଶୁଣି ବା ଖବର ପାଇ ସ୍ଥାନୀୟ ଅଧିବାସୀଙ୍କଠାରୁ ଆତ୍ମୀୟ ସ୍ଵଜନ ଯାଏଁ କେତେ ଆସି ପହଁଞ୍ଚିଗଲେଣି। ତଥାପି ଉଦ୍ଧାର କାର୍ଯ୍ୟରେ ସେତେ କିଛି ସନ୍ତୋଷ ଆସି ପାରୁନଥାଏ। ଏହି ଉଦ୍ଧାର କାର୍ଯ୍ୟ 28 ତାରିଖ ଯାଇ 29 ତାରିଖ ଯାଏଁ ବିତି ଯାଇଥିଲା।
କିଏ ବା କେଉଁ ମେଡିକାଲକୁ ଗଲେଣି, କାହାରି ବା ଶବ ଚିହ୍ନଟ ହୋଇ ପାରିଲା ଅବା ନାହିଁ, ତା କିଏ କହିବ। ଇଏ ତ ସରକାରୀ ଆକଡା ବା ଆକଳନ ମୃତକଙ୍କ ସଂଖ୍ଯା ଏତେ। ବାସ୍ତବରେ ମୃତକଙ୍କ ସଂଖ୍ଯା ତାଠାରୁ କେଇ ଗୁଣା ଜ୍ୟାଦା ବା ଅଧିକ। ଆଜି ବି ଅନେକ ଆତ୍ମୀୟଙ୍କ ଶବକୁ ନପାଇ ପ୍ରତୀକ୍ଷାମାଣ। ଗୋଟେ ଗୋଟେ ପରିବାର ତ ସେଇଠି ମୂଳପୋଛ ହୋଇ ଯାଇଥିଲା। ସବୁଠାରୁ ଦର୍ଦ୍ଦନାକ ଥିଲା ଯାହାଙ୍କର କିଛି ମରି ହଜି ଯାଇଥାନ୍ତି ଓ ଆଉ କିଛି ଖଣ୍ଡିଆ ଖାବଡା ହୋଇ ବଞ୍ଚି ଯାଇଥାନ୍ତି। ସେମାନେ ସେଇଠି ମୁଣ୍ଡ କୋଡ଼ି କଚାଡ଼ି କାନ୍ଦୁଥାନ୍ତି। ଆତ୍ମୀୟଙ୍କୁ ଝୁରି ବାହୁନି ହେଉଥାନ୍ତି ।କିଏ ବା ଦେଖି ବରଦାସ୍ତ କରି ପାରିବ ସେ ଦୃଶ୍ୟରାଜି, ଯାହାକୁ ଦେଖି ଖାଲି ଫାଟି ପଡ଼ୁଥିଲା ମୂର୍ଦ୍ଧା। କେଉଁ ମାଆ କ୍ରୋଡ଼ରୁ ଦୁଧଖିଆ ଛୁଆଟା ଖସି ଯାଇଛି ତ କାହାର ଛୁଆ ତା ମାଆ ବାପାଙ୍କୁ – “ମାଏବାପୁ” ଡାକି ଡାକି ରାହା ଛାଡି କାନ୍ଦୁଥାଏ, ହେଲେ ପାଖରେ ନଥାନ୍ତି ଗୋଟେ ବୋଲି ପରିଜନ।
ଭାଗ.. 3

ଏକାବେଳେ ଏତେଗୁଡିଏ ଲୋକ ମୃତାହତ ହେବା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥାଏ। ସୁଶ୍ରୀ ମମତା ବାନାର୍ଜୀ ଥାନ୍ତି, ସେ ସମୟର ରେଲୱେ ମନ୍ତ୍ରୀ। ଅବଶ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଢାଳିଥିଲେ କେଇ ବୁନ୍ଦା ଅଶ୍ରୁ ଓ ଯତ୍ କିଞ୍ଚିତ୍ ସମବେଦନା। ପୁଣି ଘୋଷଣା କରିଥିଲେ ମୃତକଙ୍କ ପରିବାର ପାଇଁ ପାଞ୍ଚ ଲକ୍ଷ୍ୟ ଟଙ୍କାର ମୁହୱାଜା (ଅନୁକମ୍ପା ରାଶି) ଓ ପରିବାର ବର୍ଗକୁ ଖଣ୍ଡେ ଚାକିରୀ, ତଥା ଆହତଙ୍କୁ ଲକ୍ଷେ ଟଙ୍କାର ଧନରାଶି। କିନ୍ତୁ କିଏ ବା ଆଣିଦେବ ମୃତକଙ୍କ ପରିବାରକୁ ତାଙ୍କ ବାପା, ମାଆ, ଭାଇ, ଭଉଣୀ, ସନ୍ତାନ , ସନ୍ତତି ଓ ଆତ୍ମୀୟ ସ୍ଵଜନ ଯେଉଁମାନେ କି ଦୁର୍ଘଟଣାରେ ହଜି ଯାଇଛନ୍ତି, ଚାଲି ଯାଇଛନ୍ତି କେଉଁ ସୁଦୂର ରାଇଜକୁ। ଫେରିବାକୁ ଦେଇ ନିର୍ଭର ପ୍ରତିଶ୍ରୁତି କାହିଁ କେହି ଫେରିଲେ ନାହିଁ ତ । ଚାତକ ଚାତକୀ ପରି ବାଟ ଚାହିଁ ବସିଛନ୍ତି, ଫେରିବେ କି ଫେରିବେ ନାହିଁ ବୋଲି ମନେ ଉପୁଜଇ ଶଙ୍କା। ଏହାହିଁ ତ ସବୁଠାରୁ ଦୁଃଖ, ଯେଉଁମାନେ ଶବ ଖୋଜି ଚିହ୍ନଟ କରି ପାରିଲେନି, କରିବାକୁ ଶେଷ ଦର୍ଶନ। କ’ଣ ସତରେ ଏତେ ଭୟାନକ ଥିଲା ସେ ଦୁର୍ଘଟଣା, ଯାହା ବିସ୍ମରି ମଧ୍ୟ ବିସ୍ମୃତ ହୋଇ ପାରେନା ମନ ଇଲାକାରୁ।
ଶବର ସ୍ତୁପିକୃତ ପାହାଡା, ତା ଭିତରୁ ଖୋଜି ପାଇବା ଆପଣାର ମଣିଷକୁ କ’ଣ ଏତେ ସହଜ? ଅନ୍ୟତ୍ର ପୁଣି କାଣ୍ଡି ହୋଇଥାଏ ଯାତ୍ରୀୀଙ୍କ ଜିନିଷ, ସାମାନପତ୍ର। ଖୋଜି ହେଉଥାନ୍ତି ନିଜ ହଜିଲା ଧନ, ଦରକାରୀ ନଥିପତ୍ର ଯାହା ସାଙ୍ଗରେ ଧରି ଆସିଥିଲେ ସେଦିନ। ପୁଣି , ତା ଭିତରେ ପର୍ସ ଓ ଭେନିଟି ବ୍ୟାଗ୍ ରହି ଯାଇଥିବାରୁ କାହା କାହା ପାଖରେ ପରା ଖାଇ ଖର୍ଚ୍ଚ ଓ ଲେଉଟାଣି ଗାଡି ଭଡ଼ା ନଥାଏ। କି ଯନ୍ତ୍ରଣା? ବୁଭୁକ୍ଷାର ବି ସ୍ପଷ୍ଟ ଚିତ୍ର ଉତ୍ତୋଳିତ ହେଉଥାଏ।
ଆଜି ବି ସେ ମାଟି କାନ୍ଦେ। କାନ୍ଦେ ସେଠି ପଡି ରହିଥିବା ଭଙ୍ଗା କମ୍ପାର୍ଟମେଣ୍ଟ କେଇଟା। ଯେଉଁଠୁ ଏବେ ବି ଶୁଭିଯାଏ ଅତୃପ୍ତ ଅଶରୀରୀ ମାନଙ୍କର ଆର୍ତ୍ତନାଦ – ବିକଳ ସ୍ଵର।ରାତ୍ରିର ନିଶବ୍ଦ ପ୍ରହରରେ କିଏ କଇଁକଇଁ କାନ୍ଦେ ତ, କିଏ ପୁଣି ମାଏ ବାପୁ କହି ରଡି ଛାଡେ। ସ୍ଥାନୀୟ ଲୋକେ ପରା କେତେବାର ଏଇ କଥା ସ୍ୱୀକର କରିଛନ୍ତି, ଯେଉଁଥି ପାଇଁକି ରାତିରେ ସେମାନେ ଏକାଏକା ସେଠିକୁ ଯିବାକୁ କମ୍ପନ୍ତି। ହାଏରେ ଭଗବାନ! ମଣିଷ ପୁଣି କ’ଣ ନଦେଖିଲା?
ଦୁର୍ଘଟଣା ମଣିଷ ତ ଦେଖିଥାଏ, ହେଲେ ଏପରି ଦୁର୍ଘଟଣା କ’ଣ କେହି କେବେ ସ୍ଵପ୍ନରେ ଭାବି ପାରେ?

ଭାଗ 4-କୋଚ ସଂଖ୍ୟା ପାଞ୍ଚ

“ମୁଁ ଭଟ୍ଟାଚାର୍ଯ୍ୟ କହୁଛି, ସେଦିନ ଯିଏକି ମୁର୍ମୁଷୁ ଅବସ୍ଥାରେ ଅଳ୍ପକେ ନିଜକୁ ମୁକୁଳେଇ ପାରିଥିଲା ଏସ୍ 5 ବଗିରୁ । ନିଜର ସାମାନପତ୍ର କୁଆଡ଼େ ସବୁ ଛିନ୍ନଛତ୍ର ହୋଇଯାଇଥିଲା। ଲୋକ ଉପରେ ଲୋକ ସବୁ ଓଜାଡି ହୋଇ ପଡିଥିଲେ।”। ସେଇ ଭିଡ଼ ଭିତରୁ କେତେ ଯେ ମଲା ଶବକୁ ସେ ନିଜ ହାତରେ ଆଡ଼େଇ ନିଜକୁ ମୁକୁଳେଇ ଆଣିବାରେ ସଫଳ ହୋଇଥିଲା। ହେଲେ ଅଣ୍ଟିରେ ନଥିଲା ପଇସାକର ବଳ କି ଶରୀରରେ ତାକତ୍। ସବୁ ହଜି ଯାଇଥିଲା, ଲିଭି ଯାଇଥିଲା ସେଇ ଗହଳି ଭିତରେ। ତେଣୁ ପାଖରେ ଗଦା ହୋଇଥିବା କାହାର ସାମାନପତ୍ର ଭିତରୁ ଅଣ୍ଡାଳି ପାଇଥିଲା କେଇଟା ମାତ୍ର୍ ଅର୍ଥ ରାଶି, ଯହିଁରୁ ଗଣ୍ଡେ ଖାଇ ମୁନ୍ଦେ ପିଇ ଫେରି ଆସିଥିଲା ନିଜ ସହର ହାୱାର୍ଡ଼୍ ଷ୍ଟେସନ୍। ଏଥିରୁ ସହଜରେ ଅନୁମେୟ ସୀମାହୀନ ଅସୀମ ସେ ଦୁର୍ଦ୍ଦଶାର ଭୟାବହତା ।
ସେଦିନ ସେଇ ଟ୍ରେନ୍ ରେ 13 ଟି ମାତ୍ର ବଗି ଥିଲେ ହେଁ, ବିଶେଷ ଭାବେ କ୍ଷତିଗ୍ରସ୍ଥ ହୋଇଥିଲା କୋଚ୍ ସଂଖ୍ୟ ଏସ୍ 5,ଏସ୍ 6,ଏସ୍ 7 ଓ ଏସ୍ 8. କିନ୍ତୁ ସବୁଠାରୁ ବେଶୀ ସଙ୍ଗିନୀ ସ୍ଥିତି ହୋଇଥିଲା କୋଚ୍ ସଂଖ୍ୟା ଏସ୍ 5 ର ଓ ଏସ୍ 6 ର ଅବସ୍ଥା ମଧ୍ୟ ତଥୈବଚ ବା ତଦ୍ରୁପ । ଏହି ଏସ୍ 5ରେ ମୃତକଙ୍କ ସଂଖ୍ଯା ସବୁଠୁଁ ଅଧିକ। କାରଣ ଏଠି ଏପରି ଅବସ୍ଥା ହୋଇଥିଲା ଯେ, ଗ୍ୟାସ୍ କଟରର ସହାୟତାରେ ଆଲୁମିନିଅମ୍ ସିଟ୍ କାଟି ଫଶି ରହିଥିବା କିଛି ଲୋକ ଓ ଚାପି ହୋଇ ଯାଇଥିବା ଶବକୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ସକ୍ଷମ ହୋଇଥିଲା। ତେଣୁ ଏଠାରୁ ଉଦ୍ଧାର କରାଯାଇଥିବା ଅନେକ ଶବକୁ ପ୍ରାୟତଃ ଚିହ୍ନଟ କରିବା ଅସମ୍ଭବ ହୋଇ ଯାଇଥିଲା। ଶବ ଉପରେ ଶବ ପଡି ସବୁ ବୁଜୁଳା ହୋଇ ଯାଇଥିଲା।ତେଣୁ କାହାକୁ ବା ନିର୍ଦ୍ଧିଷ୍ଟ ଭାବେ କେମିତି ଚିହ୍ନି ହୋଇଥାନ୍ତା? ପୁଣି ଉଦ୍ଧାରକାରୀ ଦଳ ଏଗୁଡ଼ିକୁ ଏକାଠି ଟାଣି ଓଟାରି ପକାଇ ଠୁଳେଇ ରଖି ଥିବାରୁ କାହାରି ଚିହ୍ନବର୍ଣ୍ଣ ସ୍ପଷ୍ଟ ଭାବେ ଠଉରେଇ ହେଉ ନଥିଲା। ଏଗୁଡିକ ବୁହା ହୋଇ ଏକାବେଳେ ମେଡିକାଲରେ ପହଞ୍ଚିଲା ବେଳକୁ ଆହୁରି ସାଙ୍ଘାତିକ ଅବସ୍ଥା ହୋଇଥିଲା। ତେଣୁ ଦୁର୍ଘଟଣାକୁ ଆଠ /ଦଶ ବର୍ଷ ବିତି ଯାଇଥିଲେ ବି ଏହି ବଗିରେ ଯାତ୍ରା କରୁଥିବା ପ୍ରାୟତଃ କୋଡ଼ିଏଟି ପରିବାରକୁ ଏ ଯାଏଁ ମିଳି ପାରିନାହିଁ ମୃତକଙ୍କ ପ୍ରମାଣପତ୍ର। ଗଳିତ ଶବର ଅଙ୍ଗାବଶେଷ ହୁଏତ କେଉଁଠି ହଜି ଯାଇଥିଲା ବା ଜଣେ ଅନ୍ୟର ଶବକୁ ଠିକ୍ ସେ ଚିହ୍ନି ନପାରି ନେଇ ଯାଇ ଶବଦାହ କରିଦେଇଥିବାରୁ ହୁଏତ ଏପରି ସ୍ଥିତି ଉତ୍ପନ ହୋଇଥାଇ ପାରେ। ।
ଯେଉଁଥି ପାଇଁକି ତ ପ୍ରସନ୍ନଜିତ ଥାଟ୍ଟଙ୍କ ମୃତ ପ୍ରମାଣପତ୍ର ମିଳି ପାରୁନି। ପତ୍ନୀ ଯୁଥିକା କେତେ ସରକାରୀ ଦ୍ଵାରର କବାଟ ଠକ୍ଠକ୍ କଲେଣି। ଝିଅ ପୌଲମୀ kinship ପ୍ରମାଣ ପାଇଁ ମଧ୍ୟ ଦୁଇ ଦୁଇ ଥର ଡି. ଏନ୍. ଟେଷ୍ଟର ସମ୍ମୁଖୀନ ହେଲେଣି। ତଥାପି ସବୁ ନିଷ୍ଫଳ ହୋଇ ଯାଉଛି। ଏ ସମସ୍ୟା କ’ଣ ପିଛା ଛାଡିବନି?
ପୁଅ ରାହୁଲ ଓ ପତ୍ନୀ ନିଲମଙ୍କ ମୃତ୍ୟୁ ପ୍ରମାଣପତ୍ର ବି ତ ମିଳି ପାରୁନାହିଁ ସୁରେନ୍ଦ୍ର କୁମାର ସିଂହକୁ। ଏ ଦିଗରେ ଆଇନ୍ ସହାୟତା ମଧ୍ୟ ସହାୟକ ହୋଇ ପାରୁନାହିଁ। ଦୁର୍ଦ୍ଦଶାର ଅନ୍ତ ଘଟୁ ନାହିଁ। ସିଏ ବି ଦେଲେଣି ଦୁଇ ଦୁଇ ଥର ରକ୍ତ ଡି. ଏନ୍ ଟେଷ୍ଟ୍ ପାଇଁ। ଏ କି ବ୍ୟବସ୍ଥା ସରକାରୀ କଳର ନିଷ୍କ୍ରିୟତା ନା ହାଲାତରୁ ସ୍ରୁଷ୍ଟ ଜଟିଳ ପରିସ୍ଥିତି। ତାହେଲେ ଆଉ କେଉଁଠି ବା ମିଳି ପାରନ୍ତା ମଣିଷକୁ ନ୍ୟାୟ? ଅବର୍ଣ୍ଣନୀୟ ଓ ବଣ୍ଣନାତୀତ ଏହି ଏସ୍ 5 ର କାହାଣୀ। ଶରୀର ଗୁଡାକ କ୍ରସର୍ ରେ ପେଶିହେଲା ପରିକା ପେଶି ହୋଇ ଯାଇଥିଲା, ଚାପି ହୋଇ ଯାଇଥିଲା, ସତେକି ସବୁ ମିଶି ପିଣ୍ଡୁଳା ହୋଇ ଯାଇଥିଲା। ଲେଖିଲା ବେଳେ ତ ଲେଖି ହେଉ ନାହିଁ, ପଢି ବସିଲେ ଧୈର୍ଯ୍ଯ ରହୁ ନାହିଁ, ଆଖିରୁ ବୋହୁଛି ଧାର ଧାର ହୋଇ ଲୁହ, ଭାବିଲା ବେଳକୁ ମୁଣ୍ଡ ଘୂରାଇ ଦେଉଛି ମସ୍ତିଷ୍କ ହେଉଛି ଫାଙ୍କା (vaccum)। ମଣିଷ ତ ଅନ୍ୟର ଦୁଃଖ ଦେଖି ଏତେ ବେଶୀ ଉଦାସୀନ ହୋଇ ରହି ପାରେନା, ମୁଁ ତେଣୁ କାନ୍ଦୁଛି, ବସି ଲେଖୁଛି। ବେଶୀ ଭାବବିହ୍ଵଳ ହୋଇ ପଡିଲା ବେଳକୁ ଯାହା ଦଣ୍ଡେ ଅଟକୁଛି।

ଭାଗ 5 କୋଚ୍ ସଂଖ୍ୟା ଏସ୍ 7

ଅଧିକ କ୍ଷତିଗ୍ରସ୍ତ ଚାରିଟି ବଗି ଭିତରୁ ଏସ୍ 7 ଓ ଏସ୍ 8 ରୁ ଲୋକଙ୍କୁ ଉଦ୍ଧାର କରିବା ଟିକିଏ ସହଜ ହୋଇଥିଲା, ତେବେ ବି ମୃତାହତଙ୍କ ସଂଖ୍ୟା କିଛି କମ୍ ନଥିଲା। ଏବେ ବି ସେ ବଗି ସେଇଠି ଶ୍ରୀହୀନ ହୋଇ ପଡିରହି ଦେଉଛି ତା’ର ପ୍ରମାଣ, ହୋଇଛି ତା’ର ମୂକ ସାକ୍ଷୀ। ଧ୍ଵଂସାବଶେଷ ସବୁ ଧ୍ଵଂସ ପାଇ ଯାଇଥିଲେ ହେଁ, ତଥାପି କେଉଁଠି ଢାଙ୍କୁଣୀ ଖୋଲା ଟିଫିନ୍ ବକ୍ସଟିଏ ବା ଠାଏ ପ୍ଲାଷ୍ଟିକ୍ ପାଣି ବୋତଲ କେଇଟା ପଡି ରହି ଦର୍ଶାଉଛି ସେବର ଯାତ୍ରୀ ମାନଙ୍କର ଉପସ୍ଥିତି। କିଛି ନକହି ବୟାନ କରୁଛି ତ ଖୁବ୍ ବେଶୀ। କେତେବେଳେ ପୁଣି ସେଇ ପଡି ରହିଥିବା ସମାଗ୍ରୀ କେଇଟି ଅତୃପ୍ତ ପ୍ରେତାତ୍ମାଙ୍କ ହାତରେ କ୍ରୀଡ଼ନକ ସାଜେ ବା ସେମାନଙ୍କ ଉପସ୍ଥିତିକୁ ଜାହିର୍ କରିବା ପାଇଁ ମାଧ୍ୟମ ପାଲଟି ଯାଏ। ।ସ୍ଥାନୀୟ ଲୋକେ ଶୁଣୁଛନ୍ତି କେତେବେଳେ କିଏ ସେଇ ଟିଫିନ୍ ବକ୍ସଟାକୁ ଠଣଠଣ ଶବ୍ଦ କରୁଛି ତ ପୁଣି କେତେବେଳେ ଗଡେଇ ଫୁଟ୍ ବଲ୍ ପରିକା ଖେଳୁଛି। ଠାଏଁ ଠାଏଁ ରାତିରେ ଘାଏଁ ଘାଏଁ, ସାଏଁ ସାଏଁ ଶୂନ୍ ଶୂନ୍ ରାତିର ରାହା ପରି ଭୟାନକ ଶବ୍ଦ ହୁଏ। କେତେବେଳେ ମଣିଷ ସ୍ଵରରେ କ୍ରନ୍ଦନରୋଳ ଓ ବିକଟାଳ ଚିତ୍କାର ମଧ୍ୟ ଶୁଭିଯାଏ। ପୁଣି କାହାର ଅସ୍ପଷ୍ଟ ଛାୟାଚିତ୍ର ନିମିଷକେ ଉତ୍ତୋଳିତ ହୋଇଯାଇ ମଣିଷର ଭିତ୍ତି ପ୍ରସ୍ତରକୁ ଚହଲାଇ ଦିଏ, ମନର ନିଭୃତ କୋଣରେ ଭୟ ସଞ୍ଚାରିତ ହୋଇଯାଏ।
ଏବେ ବି ସେ ଲୋମ ହର୍ଷଣକାରୀ ଘଟଣା ମନରୁ ଲିଭି ପାରିନାହିଁ। ସେ କଥା ପଡ଼ିଲେ ଦେହ ସ୍ୱତଃ ଶୀତେଇ ଉଠେ। ଆହାଃ କି କରୁଣ ପରିସ୍ଥିତି ତୋଳିଥିଲା ସେଦିନ ନିଝୁମ ରାତି ।
ଏଯାଏଁ ବିଚାର ଛିଡିନି ଏହା (sabotage ନା bomb blast) ବମ୍ ବିସ୍ଫୋରଣ ନା ଲାଇନ୍ କି ଉଦ୍ଦେଶ୍ୟ ମୂଳକ ଭାବେ କ୍ଷତି ପହଁଞ୍ଚା ଯାଇଥିଲା ନା କିଛି ଅଂଶ କଟା ଯାଇଥିଲା। ଯାହା ବି ହେଉ ଘଟଣା ତ ଘଟିଗଲା। ତେଣିକି କାହାର ହାତ ଥାଉ ବା ନଥାଉ। କିନ୍ତୁ ଅକାଳରେ ଝଡ଼ିଗଲା କେତେ ଯେ ପ୍ରାଣ। କାହାର ବା କି ଦୋଷ ଥିଲା? କିନ୍ତୁ ମଣିଷ ପିଲାକୁ ତ ମଣିଷ କଇଁଞ୍ଚିରେ କତରେଇ କାଟି ପକାଇଲା ପରି କାଟି ଦେଲା ନା? ସତ କହିବାକୁ ଗଲେ ଅନୁକମ୍ପାରେ ହୃଦ ବିଗଳିତ ହେଲାରୁ ଆମ ମୁଖେ ଆଉ ଭାଷା ନାହିଁ, ଆମେ ନିରୁତ୍ତର।
4.
ଲାବୋରଟୋରୀର ରାତ୍ରି ଉଜାଗର

ଲାବୋରେଟୋରୀରେ ରାତ୍ରି ଉଜାଗର
—by ସତ୍ୟ ପ୍ରକାଶ ସେଠୀ
ଅଧ୍ୟାପକ ଜୀବନରେ ଗୋଟେ ଉପକଥା, କିନ୍ତୁ ଲୋମହର୍ଷଣକାରୀ ଭାରି। ଭୟାନକ ସେ କାହାଣୀ। ଶୁଣିଲେ ଛାତି ମୁଣ୍ଡ ବିନ୍ଧି ଉଠିବ ନିଶ୍ଚୟ। ମୁଁ କିନ୍ତୁ କାହିଁକି କହିବି? ଆପଣମାନେ ତ ପଢିଲେ ଘଟଣାଟି କେତେ ଆତ୍ମିକ ଓ ସତ୍ୟ ଅନୁସନ୍ଧିତ୍ସୁର ସତ୍ୟ ଉନ୍ମୋଚନ, ତାହା ଆପଣମାନେ ହିଁ କହିବେ। ମୁଁ କେବଳ ସତ୍ୟର ଉଜାଗର କରିବା କଥା ତାହା ହିଁ ତ କରିଛି।
1968 ମସିହାର କଥା। ଏମ୍. ଏସସି. ପାସ୍ କରି ଲକ୍ଷ୍ମୀକାନ୍ତ ନାୟକ ଗଲେ ଅନୁଗୁଳ କଲେଜକୁ ଅଧ୍ୟାପନା ପାଇଁ। ପ୍ରାଣୀ ବିଜ୍ଞାନରେ ସେ ଅଧ୍ୟାପକ। ନୂଆ ଚାକିରୀ। ମନରେ ଭିନ୍ନ୍ ପ୍ରକାରର ଉତ୍ସାହ ଓ ଉଦ୍ଦୀପନା ଭରି ରହିଥାଏ। ପୁଣି ଟୋକା ଲୋକ ତ, ତେଣୁ ସାତ ସିଂହର ବଳ। ହେଲେ ଖେଚଡଙ୍କର ସେ ଶିରୋମଣୀ। ସବୁ କଥାକୁ ହାଲକା ନିଅନ୍ତି। ଥଟ୍ଟା ମଜ୍ଜା କରି ଯେକୌଣସି ଗମ୍ଭିର ଓ ସମ୍ବେଦନଶୀଳ କଥାକୁ ମଧ୍ୟ ସେ ହସି ଉଡେଇ ଦିଅନ୍ତି। ସହଜେ ତ ବୟସ କମ୍, ଏଇ ବୟସରେ ପ୍ରାୟତଃ ସମସ୍ତେ ଏଇମିତି। ଯେମିତିକି ଏକାବେଳକେ ପାହାଡ଼ଟା ଖୋଳି ଓଲାଟାଇ ପକେଇବେ – ଭାରି ପାରିବାର ପଣିଆ ଦେଖାନ୍ତି ଏମାନେ। ଫୁଟାଣି ଟିପ୍ପଣୀ ସବୁ ମାରନ୍ତି। ଅଭିଜ୍ଞ ଓ ବୟସ୍କ ମାନଙ୍କ କଥାକୁ ବଡ଼ ଅକ୍ଳେଶରେ ବାଏଁ ବାଏଁ ଉଡେଇ ଦିଅନ୍ତି – ଏମାନେ। ହେଲେ ବାସ୍ତବତା ବୁଝିଲା ବେଳକୁ ସବୁ ଶୂନ୍, ସେ ଦମ୍ଭୋକ୍ତି ଓ ମୁହଁ ଭୂରି ଆଉ ବେଳକୁ ନଥାଏ।
ଲକ୍ଷ୍ମୀକାନ୍ତ ନାୟକ ଡାକରା ପାଇ ଗଲେ ଅନୁଗୁଳ କଲେଜ। ସେଠି ନୂଆ ଚାକିରୀରେ ଜଏନ୍ କଲେ। ହାତରେ ଛୋଟ ବେଡିଂଟେ, କିଛି ଲୁଗାପଟା, ସାମାନପତ୍ର କେତୋଟି ଓ କାଗଜପତ୍ର କେଇଖଣ୍ଡ ମାତ୍ର। ହଠାତ୍ କେଉଁଠି ରହିବେ ଭାଳେଣି ପଡ଼ିଥାଏ। ବଡ଼ ବାବୁ କହିଲେ- “ଲାବୋରଟୋରୀରେ ଗୋଟେ ବେଡ୍ ପଡ଼ିଛି, ସେଇଠି ରାତିକ ରହିଯାଅ! ତା ପରେ ଘର ଫର୍ ନେଲେ ଦେଖିବା, ଗେଟ୍ ପାଖରେ ତ ଦରୱାନ୍ ରହୁଛି, କେଉଁଠି କିଛି ଦରକାର ହେଲେ ତା ହାତରେ ମଗେଇ ନେବେ” ।
ସାହସୀ ବିଜ୍ଞାନୀ ମଣିଷ ଜୀବନରେ ଆରମ୍ଭ ହେଲା ନୂଆ ଅଧ୍ୟାୟ। ରାତିକ ଭଲରେ କଟିଲା, ସେଇଠି କିଛି ଦିନ ବିତିଗଲା। ଭାବିଲେ – “ପି. ଏ. ସି. ତ ଏଯାଏଁ ଦୃଢ଼ୀକରଣ (confirm) ହୋଇ ନାହିଁ, ଆଗ ହୋଇଯାଉ ତା’ପରେ ଦେଖିବା, ନହେଲେ ଅଯଥାରେ ଘର ନେଉଥିବେ, ଦେଖିଲା ବେଳକୁ ପୁଣି ବଦଳି ଫଳ ଭୋଗିବାକୁ ପଡିପାରେ। ତେଣୁ କନଫାର୍ମ ପରେ ଯାଇ ଘର ଦ୍ଵାର ଯୋଗାଡ଼ କରିବାକୁ ମନସ୍ଥ କଲେ। ସେ ଯାଏଁ ମାଡ଼ି ମକଚି ହୋଇ ଏଇଠି ଏଡଯଷ୍ଟ କରିନେଲେ କାମ ଶେଷ ।
ସେଦିନ ଭାରି ବର୍ଷା ପବନର ରାତି। ବିଜୁଳି ଓ ଘଡଘଡି ଖାଲି ଚମକୁଥାଏ। ଅନ୍ଧାରିଆ ବାଦଲ ଭରା ଆକାଶ ଦେହରେ ଭିତ୍ତି ସଞ୍ଚାର କରୁଥାଏ। ବର୍ଷଣ ମୁଖର ନିଝୁମ୍ ଶୂନ୍ଶାନ୍ ରାତି ତ ଯେକୌଣସି ବସ୍ତୁର ବି ଭିତ୍ତି ପ୍ରସ୍ତର ଦୋହଲେଇ କି ରଖିଦେଇ ପାରେ, ଏ ତ ଛାର୍ ମଣିଷର କଥା, କିଏ ବା ପଚାରେ। ଆସନ୍ନ ବାତ୍ୟାର ଆଶଙ୍କା କରି ବିଦ୍ୟୁତ୍ ବିଭାଗ ହୁଏତ କରେଣ୍ଟ କାଟି ଦେଇଥାଇପାରେ। ପବନର ବେଗ ତ ଶହେ ଉପରେ ହେବ କି କ’ଣ। ଗଛପତ୍ର ତ ରଡ଼ରାଡ଼ ଡାକି ଭାଙ୍ଗି ଯାଉଥାଏ। ଗଛର ପତ୍ର ସବୁ ପତପତ ହୋଇ ଖସୁଥାଏ। ବରକୋଳିଆ ଟୋପା ସବୁ ଝଡୁଥାଏ। ପତ୍ର ଉପରେ ପାଣି ପଡି ଟପଟପ ଶବ୍ଦ ହୋଇ ଛନକା ପଶୁଥାଏ। ତେଣୁ ତାର ଖୁଣ୍ଟିଗୁଡା ସବୁ ଉପୁଡ଼ି ପଡିଥିବ ଓ ତାର ଗୁଡିକ ସବୁ ରାସ୍ତାରେ ବିଛାଡି ହୋଇ ନିଶ୍ଚୟ ପଡ଼ିଥିବ। ଏତେବେଳେ ଆଉ ଲାଇନ୍ କଥା କିଏ ବା ଚିନ୍ତା କରିବ? ତେଣୁ ରାତିକ ଅନ୍ଧାରରେ କଟିବାଟା ସ୍ଥିର ନିଶ୍ଚୟ ଜାଣ। ଏଭଳି ପାଗରେ ବରଂ ଘୋଡେଇ ଘାଡେଇ ହୋଇ ଶୋଇ ପଡିବା ଭଲ। କିନ୍ତୁ ବାହାରକୁ ବାହାରି କିଛି ଲାଭ ନାହିଁ। ଖାଲି ଦେହ ପୀଡା ଓ ପ୍ରାଣହାନୀ।
ବରଂ ନିଢଳ ନିଦର ନିବିଡ଼ ସ୍ପର୍ଶରେ ରାତିଟା ସ୍ଵପ୍ନ ମହଲରେ ହଜେଇ ଦେଲେ ବହୁତ ଭଲ।ଏଭଳି ଭାବି ବିଛଣାରେ ଲେଟଇ ଶରୀରଟାକୁ ଶୋଇ ଗଲେ। ଲାବୋରଟୋରୀରୁ ଆଉ ବାହାରି ନାହାଁନ୍ତି କି ଖାଇବା ପାଇଁ ମଧ୍ୟ ଯାଇ ପାରିଲେ ନାହିଁ। ରାତିଟା ଆହୁରି ଗାଢରୁ ଗାଢତର ହେଉଥାଏ। ଚାରିଆଡ଼େ ନିଶା ଗର୍ଜିଉଠୁଥାଏ ।ସେ ଟିକିଏ ଉଠି ପଡ଼ି ପୁଣି ସରୁ ବେଡ୍ ସିଟଟା ଘୋଡେଇ ହୋଇ ଶୋଇ ପଡିଲେ। ହଠାତ୍ ଗୋଟେ ଅଜବ ପ୍ରକାର ଖଡଖାଡ ଶବ୍ଦ ହେଲାରୁ ଧଡ଼ଧାଡ୍ ହୋଇ ଉଠିପଡ଼ି ଚାରିଆଡକୁ ଚାହିଁଲେ। କାହିଁ କିଛି ଜଣା ପଡିଲା ନାହିଁ। ଟର୍ଚ୍ଚ ପକେଇ ନିଖାରି ଦେଖିଲା ବେଳକୁ ପାଖରେ କାଚ ବାକ୍ସ ଭିତରେ ଚାବି ପଡି ବନ୍ଦଥିବା କଙ୍କାଳଟି ଭାରି ଯୋହରସେ ଦୋହଲୁଛି ।ସେ ଭୟ ପାଇଗଲେ। ମନରେ ଡର ପଶିଗଲା। ମନେ ମନେ ଭାବୁଥାନ୍ତି, ପଢିଲା ବେଳେ ଜଣେ ଲାବୋରେଟାରୀଆନ୍ କହୁଥାନ୍ତି – “ରାତିରେ ଲାବୋରଟୋରୀରୁ କଙ୍କାଳ ଓ ପ୍ରେତାତ୍ମା ଗୁଡାକ ସବୁ ବାହାରି କୁଆଡ଼େ ନାଚନ୍ତି। ଭାରି ଅଥୟ କରନ୍ତି। ଏକୁଟିଆ ପାଇଲେ ନାନା ହଇରାଣ ଓ ହରକତ ମଧ୍ୟ କରିପାନ୍ତି” । ସେଦିନ ସେ ତାଙ୍କୁ କେତେ ତାଚ୍ଛଲ୍ୟ କରିଥିଲେ। ଆଜି କିନ୍ତୁ କଥାଟି କିଞ୍ଚିତ୍ ସତ୍ୟବୋଧ ହେଉଛି। ସେ ବିଛଣାରୁ ଉଠିଲେ ହାତରେ ଟର୍ଚ୍ଚଟା ଧରି – “ଏ ବାହାଦୁର! ବାହାଦୁର!! ମାତାଲ ସିଂ କୁଆଡ଼େ ଗଲୁ! ହୁଡ଼ି ପକାଇଥାନ୍ତି। ଜବାବ ନମିଳିବାରୁ ଗେଟ୍ ପାଖକୁ ଆସିଗଲେ। ଦେଖିଲେ ଗେଟ୍ ଟା ବାହାରୁ ତାଲା ପଡିଛି, ମାତାଲ ସିଂ ନାହିଁ। ଏଇ ମାତାଲ ସିଂଟା ଭାରି ଠକ। ଯେତେବେଳେ ମନ ହେବ ରାତି ଅଧରୁ ଉଠି ତା’ ସ୍ତ୍ରୀ ବୁଦ୍ଦିନ ପାଖକୁ ଚାଲିଯାଏ। ନହେଲେ ହାଣ୍ଡିଆବାଲି ବୀର୍ ସିଂ ମୁଣ୍ଡା ମାଆ ପାଖକୁ ଯାଇଥିବ। ଏ କଥାଟା ସେ ଦିନେ ତା ମୁହଁରେ ତ କହୁଥାଏ – “ନାଇଁ ବାବୁ! ସବୁ ଦିନେଟା ନୂହେଁମ, ଏମିତି ଥୁରେ ଥୁରେ ମନ ହେଲେ ହଁ ଯିବାଟା” ।
ମନେ ମନେ ଅଧ୍ୟାପକ ରାଗି ଆସୁଥିଲେ। ନିଜକୁ ନିଜେ କହିହେଲେ – ରାତି ପାହି ଆସୁ, ସେ ମାତାଲ ସିଂ କଥାଟା ବିଚାର କରିବେ। ପ୍ରିନ୍ସପାଲଙ୍କୁ କହି ଏମିତି ପାନେ ଦେବେ ଯେ ଏକା ଥରେକେ ମଜ୍ଜା ପାଇବ। ଚାକିରୀ ଖଣ୍ଡକ ଗଲେ ଯାଇ ପୁଅ ବୁଦ୍ଧି ଶିଖିବ”।
ହେଲେ ମୁଣ୍ଡରେ ଚଡକ- ଏକଲା କେମିତି ଏଡେ ବଡ ରାତିଟା ଗୁଜାରିବେ? ରାତିଟା ଆଗ ଜୀବନ ବଞ୍ଚିଲେ ତ ତା’ପରେ ଯାଇ ଯୋଉ କଥା। ବୁଦ୍ଧି ବାଟ କାହିଁ ଦିଶୁ ନାହିଁ, ଉପାୟ ବି ତ ନାହିଁ। ବାହାରେ ତ ଭୀଷଣ ବର୍ଷା, ମୁହଁକୁ ମୁହଁ ଦିଶୁ ନାହିଁ। ଖାଲି ଅଯଥାରେ ବର୍ଷାରେ ଭିଜି ତିନ୍ତି ଗଲେ ସିନା ହେଲେ ମାତାଲ ସିଂର ଦେଖା ଅଛି ନା ଏଠୁ ମୁକୁଳିବାର ଭିନ୍ନ୍ କିଛି ଉପାୟ ଅଛି। ଡର ଭୟ ନଥାଉ ପଛେ ଏକଲାପଣ ଭୂତଟା ପରା ଗୋଡାଇ ଖାଏ।
ଉଚ୍ଚା ବାଉଣ୍ଡ୍ରୀ ସାଙ୍ଗକୁ ଗେଟ୍ ରେ ଭୁଣ୍ଡା ତାଲା। ପୁଣି ବଜାର ଘାଟ ସବୁ ତ ବନ୍ଦ। ଏଠି ସେ ଆଉ କାହାକୁ ଚିହ୍ନିଛନ୍ତି ଯେ, କାହା ଘରକୁ ଯାଇ ରାତିଟା ମୁଣ୍ଡ ଗୁଞ୍ଜିବେ। ଏହିଭଳି କିଛି ଅନାବଶ୍ୟକ ଚିନ୍ତା ମୁଣ୍ଡରେ ଉଙ୍କାରି ଆସୁଥିଲା। ହେଲେ ଫାଇଦା କ’ଣ? ବାହାରେ ତ ଭୀଷଣ ବର୍ଷା, ମୁହଁକୁ ମୁହଁ ଦିଶୁ ନାହିଁ ।ଖାଲି ଅଯଥାରେ ବର୍ଷାରେ ଭିଜି ତିନ୍ତିବା ସାର ହେଲା। ନିଜ ପ୍ରକୋଷ୍ଠକୁ ଫେରି ଆସି ପୋଛିପାଛି ହେଲାଠୁଁ ଜଣାପଡ଼ିଲା ଦେହକୁ ଟିକେ ଜ୍ଵର ଆସିଗଲାଣି। ହେଲେ ମନକୁ ଟିକେ ଦୃଢ଼ କଲେ। ଏଥର ଗୋଟେ ଚାଦର ଓ ବେଡ୍ସିଟ ଏକାବେଳକେ ମୁହଁ ଉପରେ ଢାଙ୍କି ଦେଇ ଘୋଡ଼ାଇ ହୋଇ ଶୋଇ ପଡିଲେ। ଟିକିଏ ଛାଇ ନିଦଟା ଘୋଟି ଆସିଛି। ସେ ଅନୁଭବ କଲେ କଙ୍କାଳଟା କାଚରୁ ବାହାରି ଆସି ତାଙ୍କରି ପାଖରେ ଛିଡ଼ା ହୋଇଛି ମାନେ ଖୁବ୍ ପାଖରେ।ହେଁ ହେଁ…. ହେଁ ହେଁ.. କୁରୁଳି ଉଠି ହସୁଥାଏ ଓ ନାକରେ କଥା କହୁଥିଲା ପରି ମନେହେଲା – “ରହିନ୍ଥାଲେ ପୁଅ… ତୋତେ ମଜ୍ଜା ଚଖଉଁଛି…” ଏବେ ସେ ଦୁଇଟା ଯାକ ହାତ ବଢାଇଲା ତାଙ୍କ ଗଳା ଆଡକୁ ଓ ଦୁଇ ହାତରେ ତଣ୍ଟିଟାକୁ ଚିପି ଧରିଲା, କିନ୍ତୁ ସେ କଣ୍ଢେଇ ନାଚ ନାଚିଲା ପରିକା ଦୁଇ ପାହୁଲ ଗୋଟେ ତାଳରେ ତଳ ଉପର କରି ସେମିତି ହିଁ ହିଁ ହୋଇ ହସୁଥାଏ। ଅଧ୍ଯାପକ ଛାଡ଼ ଛାଡ଼ ବୋଲି ବହୁତ ଜୋହର୍ ଚିତ୍କାର ଛାଡୁଥାନ୍ତି। ଅବଶ୍ୟ କଥାଟା ନିଜ ବ୍ୟତୀତ ଆଉ କାହାକୁ ଶୁଭ ନଥାଏ। ଏଥର ପୂର୍ଣ୍ଣମାତ୍ରାରେ ଶକ୍ତି ଖଟେଇ ସେ ନିଜ ଦୁଇ ହାତରେ ତଣ୍ଟି ପରିବେଷ୍ଟିତ ତା’ ହାତ ଦୁଇଟାକୁ ଛଡ଼େଇବାକୁ ଚେଷ୍ଟା କରୁଥାନ୍ତି। ତଣ୍ଟିଟା ଏଣେ ଚାପି ହୋଇଯାଉଥାଏ। ଶ୍ଵାସରୁଦ୍ଧ ହେଲା ପରି ମନେ ହେଉଥାଏ। ଶରୀରର ବଳ କେଉଁ ଆଡ଼େ ଭୂଶାୟିତ ହୋଇ ଯାଉଥାଏ। ତଥାପି ଆହୁରି ଶକ୍ତି ଲଗାଇ ତାହାର ଶକ୍ତ କବଜାରୁ ସେ ଏଥରକ ମୁକ୍ତି ପାଇବାକୁ ସକ୍ଷମ ହେଲେ। “ଓଃ! କି ଶାନ୍ତି” ପାଟିରୁ ଅଗତ୍ୟା ବାହାରି ପଡ଼ିଲା। ନିଶ୍ବାସ ଓ ପ୍ରଶ୍ୱାସ ଟିକିଏ ଫେରିଲା। ଛାତି କିନ୍ତୁ ଧଡପଡ ହେଉଥାଏ। ମୃଦୁ ଭୂମି କମ୍ଫ ହେଲା କି କ’ଣ, ସେ ଧଡକିନା ଉଠି ପଡ଼ି ଟର୍ଚ୍ଚଟାକୁ ଆଗ ଅଣ୍ଡାଳି ହେଲେ। ଟର୍ଚ୍ଚଟା ପାଇଗଲାଠୁଁ ଆଗ ଜଳାଇ ଦେଖିଲେ। କାହିଁ କିଛି ତ ଜଣାପଡୁ ନଥାଏ। କଙ୍କାଳଟା ବି ତା ଜାଗାରେ ଠିକ୍ ସେମିତି ଅଛି। ହେଲେ ତାଙ୍କ ଆଡ଼କୁ ଦୃଷ୍ଟି ନିବଦ୍ଧ କରି ଚାହିଁ ରହିଥାଏ। ଅଧ୍ୟାପକ ଆଲୁଅଟା ଜାଳି ଦେଇଥିବାରୁ ତେରିମେରି ହୋଇ ତା ଉପରେ କ୍ରୋଧ ପ୍ରକାଶ କରୁଥାନ୍ତି। କଙ୍କାଳଟା ଆଡକୁ ଚାହିଁ କହୁଥାନ୍ତି – “ରହ! ରହ!! କାଲି ତୋତେ ନେଇ ବାହାରେ ଫିଙ୍ଗି ଦେବି ଯେ ଏକାବେଳକେ ସବୁ ନାଟକ ଖତମ” । ହେଲେ ପରକ୍ଷଣରେ ଭାବିଲେ – “ଏହା କଣ ତାଙ୍କର ମନରେ ଭ୍ରମ ନା ପ୍ରେତାତ୍ମାର ଅଦୃଶ୍ୟ କାଣ୍ଡ? କାହିଁ ଆମ ବିଜ୍ଞାନରେ ପ୍ରେତାତ୍ମାର ସ୍ଥିତି ସମ୍ପର୍କରେ କିଛି ତ କୁହାଯାଇ ନାହିଁ, ବରଂ ଅସ୍ୱୀକାର କରାଯାଇଛି। ” ?ଏବେ ବୁଢୀ ମା କଥାଟା ମନେ ପକେଇ ହାତଟାକୁ ନିଜ ନଖରେ ଚିମୁଟିକି ଦେଖିଲେ। ହଁ ତ କାଟୁଛି ତ। ବୁଢୀ ମା ପରା କହିଥିଲା – “ଭୂତ ପ୍ରେତ କଥା ସତ କି ମିଛ ଜାଣିବାକୁ ହେଲେ, ନିଜ ଶରୀରକୁ ଆଗ ଚିମୁଟିକି ଦେଖିବ କାଟୁଛି ନା’ ନାହିଁ। ଯଦି କାଟୁଛି, ତେବେ ଭୂତଟା ମିଛ ନୂହେଁ କି ସ୍ଵପ୍ନ ସବୁ ସତ “। ଏଥର ଅଜଣା ଡରରେ ଶିହରିତ ହୋଇ ଗଲେ। ତେବେ କ’ଣ ବୁଢୀ ମା’ର ଗପ ଗୁଡାକ ବି ସତ ଆଉ ସତ ଏ କଙ୍କାଳର ତାଣ୍ଡବ ନୃତ୍ୟ? ମନେ ମନେ ଭଗବାନଙ୍କୁ ସୁମରଣା କଲେ – “ହେ ମାଆ ବୁଢୀ ଠାକୁରାଣୀ ମୋତେ ତୁ ରକ୍ଷା କର। ତୋ ଦେହୁରିକୁ ଡାକି ତୋତେ ବରଂ ଗୋଟେ କୁକୁଡା ବଳି ଦେବି”। ସେଦିନ ଏମିତି କିଛି ପରା ମାତାଲ ସିଂ କହୁଥିଲା । ତାକୁ ଯେତେବେଳେ ପଚାରିଲେ – “ତୁ ତ ଏଠି ଏକଲା ଏଇମିତି ରହୁଛୁ! ହେଲେ ତୋତେ କେବେ ଡର ଲାଗେ ନାହିଁନା? ସେତେବେଳ ସେ କହିଲା -” ଆମେ ଡରିବୁ କାହେ ବାବୁ କି! ଆମର ପରା ବୁଢୀ ଠାକୁରାଣୀ ଅଛିନା। ସେଇରି ଲାଗି ଆମେ କାହାକୁ ନାହିଁ ଡରେ, ସତ କହିମୁ ବାବୁ! ଆରର ବରଷକେ ଆମେରଟା ପରା ତାହାର ଲାଗେ କୁକୁଡା ବଳି ଦେଇଛନ । ସେ ଆମର କିଛି ନାଇ କରେ “। ଏତେବେଳକୁ ବିଜ୍ଞାନୀ ମଣିଷର ସମସ୍ତ ଟାଣପଣ କୁଆଡ଼େ ମାଟିରେ ମିଶିଗଲାଣି। ସେ ଦମ୍ଭୋକ୍ତି ଆଉ ନଥାଏ। ଦେହ ରାତିରେ ଖଇ ଫୁଟୁଥାଏ।
ଏଥର ସେ ଦେହରୁ ଖୋଲି ଚାଦରଟା ସେ କଙ୍କାଳ ଉପରେ ପକାଇଦେଲେ। ଟିକିଏ ମନକୁ ଆଶ୍ୱସ୍ତି ବୋଧ ହେଲା। କାହିଁକିନା ଆଖି ସାମ୍ନାରେ ଆଉ ସେହି କଙ୍କାଳଟା ପଡ଼ିବ ନାହିଁ। ଗୋଟାପୁଣି ଢାଙ୍କି ହୋଇଯାଇଛି। କିନ୍ତୁ ବାତ୍ୟାରେ ଚଡଚଡ ଓ ରଡରଡ ଗଛ ଭାଙ୍ଗିବାର ଶବ୍ଦ ଓ ବର୍ଷାର ଟୁପୁରୁ ଟାପୁର ଶବ୍ଦ ସହିତ ଝରକା ଗୁଡ଼ାକର କେଉଁଠି ଠୋ ଠା ବାଡ଼େଇ ହେଉଥିବାର ଧୋନୀ ପ୍ରବାହ କଲିଜାକୁ ଥରାଇ ଦେଉଥାଏ। ତଥାପି ସେ ସବୁକୁ ଭୁଲି ଶୋଇବାକୁ ସଂଗ୍ରାମ ଜାରି ରଖିଥାନ୍ତି।ନିଦଟା ଘୋଟି ଆସୁଥାଏ ।ହେଲେ ପାଣି? ପାଣି ତ ମାତାଲ ସିଂ ଆଜି ଦେଇନାହିଁ। ଶୋଷରେ ତଣ୍ଟି ଶୁଖି ଯାଉଛଥାଏ, ଏବେ ସେ କ’ଣ କରିବେ? ଭାବିଲେ ଆଉ ତ କିଛି ବାଟ ନାହିଁ, ଯାଉଛି ଲାବୋରେଟୋରୀ ବ୍ୟବହାର ପାଇଁ ପିଲାଙ୍କ ପାଇଁ ଥିବା ଆଲକୋହୋଲରୁ ଚଳାଏ ପିଇ ଯିବେ। ତେଣିକି ପ୍ରିନ୍ସିପାଲ ଯାହା କୁହନ୍ତୁ। ଶେଷରେ ସେୟା କଲେ, ଶୋଷ ମେଣ୍ଟିଗଲା। ହେଲେ ନିଶାଟା ଘାରିଲା ଖଟ ଉପରେ ବେଶ୍ କିଛି ସମୟ ଶାନ୍ତିରେ ଶୋଇଗଲେ।
ବେଶ୍ କିଛି ସମୟର ବଡ ବ୍ୟବଧାନ ପରେ ସେହି ସମାନ ଘଟଣାକ୍ରମର ପୁନରାବୃତ୍ତି । କଙ୍କାଳର ଉପଦ୍ରବ, ଉତ୍ପୀଡକର ଉତ୍ପୀଡ଼ନ, ଅଟ୍ଟହାସ୍ୟରେ ପୁରି ଉଠୁଥାଏ ସମଗ୍ର୍ ନିଭୃତ କୋଠରୀଟି ।ଅସ୍ପଷ୍ଟ କୋଳାହଳ ଓ ଅଶରୀରୀ ପ୍ରେତାତ୍ମା ମାନଙ୍କର କଳରବ କର୍ଣ୍ଣ ଗୁହା ଭେଦି ଅଣନିଶ୍ଵାସୀବୋଧ ହେଉଥାଏ।ସତେ କି ସେମାନଙ୍କର ବୈଠକ ବସିଛି।ସେମାନଙ୍କ ଭିତରୁ କେହି ଜଣେ ଯେମିତି ଉଠି ଆସି ତାଙ୍କୁ ଜଗି ରହିଛି, ଯେପରି ସେ ଭୂତ ରାଇଜର କଥାଟା ନ ଜାଣି ପାରନ୍ତି। ଯେମିତି ସେ ଟିକିଏ ହାତ ଗୋଡ଼ ହଲେଇ କଡ଼ ଲେଉଟାଇବାକୁ ଚେଷ୍ଟା କଲେ, କେହି ଜଣେ ତାଙ୍କ ଗଳାଟାକୁ ଜୋହରରେ ଦବାଇ ଧରିଲା। ନିଶ୍ଵାସ ଓ ପ୍ରଶ୍ୱାସର ଚଳପ୍ରଚଳ ଥମି ଯାଉଥାଏ। ଯେମିତି ତଣ୍ଟିଟାକୁ କିଏ ଆକଟ କରି ରଖିଛି। ଦୁଇ ହାତର ଦଶଟା ଆଙ୍ଗୁଠି ମାଂସ ନଲଗା ହାଡ଼ରେ ତଣ୍ଟିଟାକୁ ଚିପି ଧରିଥାଏ ଯେ, ଅଧ୍ୟାପକ ଆଉ ହଲି ଚଳି ପାରୁନଥାନ୍ତି। ଆଃ.. ଆଃ.. ଖାଲି ଅସ୍ପଷ୍ଟ ଗୁଞ୍ଜରଣ। ନାକ ବାଟେ ଦେଇ ସିଂଘାଣି ଗୁଡାକ ବାହାରି ଆସୁଥାଏ। ରୀତିମତ କସରତ। ଭୂତ ଛଡେଇବାର ପ୍ରଚେଷ୍ଟା। “ହେ.. ତ.. ତୁ.. କିଏ.. ? – କହି ଜୋହର୍ ଲଗେଇ ହାତଟାକୁ ଛିଞ୍ଚାଡି ଦେଲେ। କ’ଣ ସବୁ ହାତ ବାଜି ଘରରଘରର ଝଣର ଝଣର ଶବ୍ଦ ହୋଇ ଭାଙ୍ଗି ତଳେ ପଡି ଯାଉଥାଏ । କାନକୁ କିନ୍ତୁ ଜୋହର୍ ଶୁଭ ଥାଏ। ହୋସ୍ ଟିକିଏ ଆସିବାରୁ ଅତରଛିଆ ଟର୍ଚ୍ଚଟା ଜାଳି ଦେଇ କିଛି ସମୟ ଉଠିକି ବସିଲେ । ରେଜେଇ ତକିଆ ଯାହା ଥିଲା ସବୁ ସେହି କଙ୍କାଳ ଉପରେ ପକେଇ ଢାଙ୍କି ପକେଇଲେ।
ମନକୁ ଆସୁଥାଏ – ଏଥର ଜୀବନ ବଞ୍ଚେଇ ରଖିବା ବୋଧହୁଏ ଆଉ ସମ୍ଭବପର ନ ଥାଏ । ତେବେବି ତ ଆଉ କିଛି ବାଟ ନାହିଁ। ରାତି ପାହିଲା ଯାଏଁ ଯଦି ଜୀବନ ବଞ୍ଚି ରହେ ତେବେ ଲାବୋରେଟୋରୀ କାହିଁକି ଏ କଲେଜ ଛାଡ଼ି ସିଧା ଘରକୁ ଧାଇଁବେ। ମାଆକୁ ସବୁ କଥା କହିଲା ପରେ ଯାହା, ନହେଲେ ମନ ଥୟ ଧରୁ ନଥାଏ। ମାଆ ତ ଆଇଲା ବେଳେ ଠିକ୍ କଥା କହୁଥିଲା – “ବାବୁରେ! ଜଙ୍ଗଲିଆ ଜାଗା ଦେଖିକି ଚଳିବୁ ,ସେଠି ତ ଭୁତପ୍ରେତ ଓ ଗୁଣୀଗାରେଡ଼ି ଭାରି। ଯେତେବେଳେ କିଛି ଡର ଲାଗିବ ହନୁମାନ ଚାଳିଶା ଖଣ୍ଡକ ପଢ଼ିନେବୁ ” । ସେ କିନ୍ତୁ ତାଙ୍କ କଥାକୁ ସେଦିନ ଗିରାଜ କରି ନଥିଲେ। ମାଆ କଥା ମନେ ପଡିବାରୁ ବ୍ୟାଗରୁ ବହି ଖଣ୍ଡକ ଖୋଲି ଗୂଣୁଗୁଣୁ ହୋଇ ଗାଇଲେ । କେତେବେଳେ ଯେ ନିଦ ଖଣ୍ଡକ ଆଖିରେ ପହଳ ପକାଇ ମାଡି ଆସିଛି ସେ ଆଦୌ ଜାଣି ପାରି ନାହାଁନ୍ତି।
ଉଠିଲା ବେଳକୁ ସକାଳେ ବିଛଣାଟା ଉପରେ ପଡ଼ିଛନ୍ତି। ରାତ୍ରିର ଘନ ଅନ୍ଧକାରର ପଟଳ ଦୂରୀଭୂତ ହୋଇସାରିଥାଏ, ଦିବସର ପ୍ରଖର ସୂର୍ଯ୍ୟ କିରଣ ମଧ୍ଯ ଚାରିଆଡ଼େ ବିଚ୍ଛୁରି ହୋଇ ପଡ଼ିଥାଏ । ବର୍ଷା ପବନ ବି ଏକଦମ୍ ଥପ୍। ପିଲାମାନେ ବୋଧହୁଏ କଲେଜ ଆସିଗଲେଣି ବେଶ୍ କୋଳାହଳମୟ ପରିବେଶ ଜଣାପଡ଼ୁଥିଲା।ଏଥର ଝାଡ଼ିଝୁଡ଼ି ହୋଇ ସେ ବିଛଣାରୁ ଉଠିଲେ।

5.ପାଠୁଆ ନନା
—————–
ମୁଁ ଆଜ୍ଞା! ଜଣେ ଭୂତତାତ୍ତ୍ୱିକ। ସହଜରେ ତ ବ୍ରାହ୍ମଣ କୂଳରେ ଜନ୍ମ, ତେଣୁ ମୋର ଭାରି ନାଁ। ଦରିଦ୍ରତା ଯୋଗୁଁ ପାଠସାଠ ବେଶୀ କିଛି ପଢ଼ିପାରିଲି ନାହିଁ,ତଥାପି ଯାହା ଯେତିକି ପଢିଛି ଚଳନୀୟ। କର୍ମକାଣ୍ଡ ଓ ପୂଜା ବିଧି ଉପରେ ବେଶ୍ କିଛି ଅଧ୍ୟୟନ କରି ଜଣେ ଗୁରୁ ଧରି ଶିକ୍ଷା ଲାଭ କରିଛି। ସେ ଗୁରୁ ଜଣଙ୍କ ମୋର ଭାରି ଜ୍ଞାନୀ। ସେ ଜଣେ ବାସ୍ତବବାଦୀ ମଣିଷ ଓ ଅଭିଜ୍ଞ ଲୋକ। ଯାହାଙ୍କର ଅଭିଜ୍ଞତା ଓ ପରାମର୍ଶ ମୋର ବ୍ୟବହାରିକ ଜୀବନରେ ଅନେକ କାମରେ ଆସେ।
ମନ୍ଦିରରେ ପୂଜା ଅର୍ଚ୍ଚନା ଓ ଘରୋଇ ମେଳା ମହୋତ୍ସବରେ ସ୍ପଷ୍ଟ ଓ ନିର୍ଭୀକ ଭାବେ ମନ୍ତ୍ର ଉଚ୍ଚାରଣ କରି ପାରୁଥିବାରୁ ମୋର ଭାରି ସୁଖ୍ୟାତି । କ୍ରମଶଃ ଲୋକମାନେ ସେମାନଙ୍କ ସମସ୍ୟାର ହେତୁ ନିର୍ଦ୍ଧାରଣ ଓ ସମାଧାନ ପାଇଁ ମୋତେ ଲୋଡିବାକୁ ଲାଗିଲେ ମୋର ଆଦୃଜା ହେଲେ । ମୋର ବା ସେଥିରେ କି ବିଶେଷ ଜ୍ଞାନ ଅଛି ଯେ ମୁଁ ବିଶେଷ କିଛି ସମାଧାନ ଦେଇ ପାରିବି? ତଥାପି ବିଶ୍ଵାସ। ଲୋକମାନଙ୍କର ସରଳ ବିଶ୍ବାସ ତା ବୋଲି ଆଉ କ’ଣ ସହଜରେ ଭାଙ୍ଗି ହେବ? ତେଣୁ ଅଗଡ ବଗଡ କରି ଯାହା ଗୋଟେ ଉପାୟ ବତାଇ ଦେଲେ ବା ଆରୁଡୁ ବାରୁଡୁ କରି ଯାହା ଗୋଟେ ମନ୍ତ୍ର ଉଚ୍ଚାରି ଦେଲେ ତାକୁ ନେଇ ସେମାନେ ଗୋଟେ ସମାଧାନ ପନ୍ଥା ଖୋଜନ୍ତି ଓ ମୋତେ ମଧ୍ଯ କିଛି ପାଉଣା ମିଳିଯାଏ, ଯାହାକୁ ନେଇ ମୁଁ ମୋ ଗୁଜୁରାଣ ମେଣ୍ଟାଏ।
ଧିରେ ଧିରେ ଲୋକମାନଙ୍କର ଏହି ବିଶ୍ବାସବୋଧ ଓ ଭରସାପଣ ମୋ ଉପରେ ଅଧିକ ବଢିବାକୁ ଲାଗିଲା। ମୁଁ ତେଣୁ ଅନନ୍ୟୋପାୟ ହୋଇ ରାସ୍ତା କଡରେ, ଫୁଟ୍ ପାଥରେ ଆଉ ରେଲୱେ ପ୍ଲାଟଫର୍ମଠାରେ ବିକ୍ରି ହେଉଥିବା କିଛି ଶସ୍ତା ବହି କିଣି ଆଣି ଅଧ୍ୟୟନ କଲି। ଆକ୍ୟୁପଙ୍କଚର, ଭୁତ ଝଡ଼ାଫୁଙ୍କା, କୋଷ୍ଠି ଦେଖା, ହାତ ଦେଖା, ସରଳ ସମାଧାନ ସୂତ୍ର, ହନୁମାନ ପ୍ରଶ୍ନ ଆଦି କେତେକ ପୁସ୍ତିକା ପଢିବାକୁ ବାଧ୍ୟ ହେଲି। ସେଥିରୁ ଯାହା କିଛି ସହଜ ଜ୍ଞାନ ଲାଭ ହେଲା, ତାହା ମୁଁ ପ୍ରୟୋଗ କରିବାକୁ ଲାଗିଲି।
ସତ କହିବାକୁ ଗଲେ ଭୂତ ପ୍ରେତ ହେଉ ବା ଭଗବାନ କାହାରି ପ୍ରତି ମୋର ସେତେ କିଛି ବିଶେଷ ଜ୍ଞାନ ବା ଧ୍ୟାନ ଧାରଣା ନାହିଁ। ତେଣୁ ଲୋକାଚାର ଓ ଲୌକିକ ବିଶ୍ଵାସରେ ଲୋକେ ଯାହା ବିଶ୍ବାସ କରନ୍ତି ମୁଁ ବି ତାହା ବିଶ୍ବାସ କରେ।
ଜୀବନ ସାରା କେତେ ଲୋକଙ୍କୁ ତ କେତେ କଥା ମୁଁ କହିଛି। ହନୁମାନ ପ୍ରଶ୍ନ ବୁଝି ଏପରିକି ପରୀକ୍ଷାରେ ଫେଲ ହେବକି ପାସ୍ ହେବ ତାହା ମଧ୍ୟ କହିଛି। କହିଛି କାହାର ଝିଅ ହେବ ବା ପୁଅ ହେବ ଅଥବା ପିଲାପିଲି ହେବା ପାଇଁ କ’ଣ ବିଧି ଅବଲମ୍ବନୀୟ।ସେଥିରୁ ଯାହାର କିଛି ବାଜିଗଲା ସେ ମୋ ପାଇଁ ଉପହାର ଓ ଉପଢୌକନ ଆଣି ଦେଲା। ଯାହାର ନ ବାଜିଲା, ମୁଁ କହେ ତୁ ଅବେଳାରେ ପଚାରିଥିବା ତ ତେଣୁ ତୋ ପ୍ରଶ୍ନର ଉତ୍ତର ଭୁଲ ଆସିଥିବ। ସବୁ କଥାରେ ଗୋଟେ ପରା ଭଲ ଓ ଖରାପ ବେଳା ଅଛି।ସମୟ, ସମୟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ (it is time, time is important).ସେ ତ ବୌଦ୍ଧିକ ବିଚାରରେ ପାଠୁଆ ମଣିଷ, ତେଣୁ ମୁଣ୍ଡ ଟୁଙ୍ଗାରି ହଁ ଭରେ, କୁହେ ଟିକିଏ ପଣ୍ଡିତ ମହାଶୟ ଶୁଭ ବେଳାଟା ବିଚାର କରି ଦେବେଟି।ମୁଁ ପାଞ୍ଜି ଦେଖି ଶୁଭ ଘଡି ଓ ଶୁଭ ଲଗ୍ନ ସ୍ଥିର କରେ। ମୋ ନିର୍ଘଣ୍ଟକୁ ସେ ଉତ୍ତମ ନିଷ୍କର୍ଷ ଭାବି ଗ୍ରହଣ କରିନିଏ । ମୁଁ ନାଚାର, କାରିକା ବତେଇବାକୁ ମଧ୍ଯ ବାଧ୍ୟ। କାରଣ ସହଜେ ତ ମଣିଷ ଦୁର୍ବଳ ମାନସିକତାରେ ଶିକାର ହୋଇ ଆଜି ବ୍ୟାଧିଗ୍ରସ୍ତ,। ତେଣୁ ଏତେବେଳେ ସହଜ ସରଳ ଉପାୟଟେ ବା ମାର୍ଗଟେ ତା ପାଇଁ ମହୋଷଧି ସଦୃଶ୍ୟ, ମାନସିକ ପରିବର୍ତ୍ତନ ପାଇଁ ଖୋରାକ ଟିକେ।
ତେବେ ଯାହା ହେଉ ସେଦିନ ମୁଁ ମନ୍ଦିର ପୂଜା କରୁଥାଏ, ମୋର ଗୋଟେ ଜଜମାନ ଫୋନ୍ କରି କହିଲା – ହେ ଗୋସାଇଁ ମହାପ୍ରଭୁ! କେଉଁଠି ଅଛ, ଟିକେ ଝଅଟ ଆସନ୍ତ ନି? ଆମ ନୂଆ ବୋହୂଟା ପରା ବାୟାଣୀ ପାଗଳୀ ପରି ହେଉଛି। ତାକୁ ବୋଧେ ଭୂତ ପ୍ରେତ କିଏ ସେ ଗୋଟେ ମାଡ଼ି ବସିଛି ।ସେଇଥି ପାଇଁ ଛାଟି ପିଟି ହେଉଛି, ତୁମେ ଟିକେ ଝାଡ଼ା ଫୁଙ୍କା ନକଲେ ହେବ ନାହିଁ। ପୁରା ପରିବାରଟାକୁ ପରା ଅଥୟ କରି ରଖି ଦେଲାଣି। ”
ମୁଁ କି ଗୁଣିଆ, କ’ଣ ବା ଝାଡ଼ିବି? ତଥାପି ତାଙ୍କ ବ୍ୟସ୍ତଆସ୍ତ ଦେଖି କହିଲି -” ଠିକ୍ ଅଛି, ଗୋଟେ କାମ କର! 250 ଗ୍ରାମ ହଳଦୀ ଗୁଣ୍ଡ ଆଉ କିଛି ଲଙ୍କା ଗୁଣ୍ଡ ଯୋଗାଡ କର। ଚାଉଳ ଗୁଣ୍ଡ ମାନେ ଚୂନା ବି କିଛି ରଖିଥାଅ। what’s up ରେ ଚିଠା ପଠାଇ ଦେଉଛି, ସେଇ ଅନୁସାରେ ବଜାରରୁ ଝୁଣା ଗୁଗ୍ଗୁଳ, ଧୂପ ଆଦି କିଛି କିଣି ଆଣ। ପିତ୍ତଳ କଳସୀ, କାଂସ୍ୟ ଥାଳି, ଦୁବ, ବରକୋଳି ପତ୍ର, ଆମ୍ବ ଡାଳୁଆ, କଦଳୀ ପତ୍ର କିଛି ଯୋଗାଡ ଜନ୍ତ୍ର କରି ରଖିଥାଅ। ମୁଁ ଗୋଟେ ଜଯମାନର ବାକିଆ କାମ ସାରି ଯାଇ ପହଂଚୁଛି। ଏହିଭଳି ପ୍ରସ୍ତୁତି ପର୍ବ ପାଇଁ ଗୋଟେ ଲମ୍ବା ତାଲିକା ପଠାଇ ଦେଲି।
ମୁଁ ଅନ୍ୟ ଜଯମାନ ଘରେ କାମଧନ୍ଦା ସାରି ତାଙ୍କ ଘରେ ପହଞ୍ଚିଲା ପରେ ସେମାନେ ସମସ୍ତେ ବଡ଼ ଉତ୍ସୁକତାର ସହକାରେ ଦାଣ୍ଡକୁ ଦୌଡ଼ି ଆସିଲେ। କହିଲେ – “ହେଇ! ଆମ ପାଠୁଆ ନନା ଆସିଲେଣି, ଆଉ କେହି କିଛି ଚିନ୍ତା କର ନାହିଁ, ସେ ସବୁ ଠିକ୍ କରିଦେବେ”।
ମୁଁ ମୋଟର ସାଇକେଲଟା ଥୋଇ ଘରେ ପଶୁଣୁ ନପଶୁଣୁ ସେ ବୋହୂଟା ତ ଗୋଟେ କୁହାଟ ମାରିଲା। ଖାଲି ସେତିକି ନୁହେଁ ଗୁମୁରି ପାରା ଭଳିଆ ତ ଗୁମୁରି ଗୁମୁରି ଓ ଦୋହଲି ଦୋହଲି କହିଲା – “ହୁଁ ମୁଁ ଖାଇବି। ତୋତେ କଞ୍ଚା ଖାଇବି, ମୋତେ କୁକୁଡା ବଳି ଦେ ‘। ତୁ କାହିଁକି ଆସିଲୁ? ତୋ ବେକକୁ ମୋଡ଼ି ଖାଇବି”, ଇତ୍ୟାଦି ଇତ୍ୟାଦି ଅନେକ କିଛି ଓ ବିକଟାଳ ରଡି ସହିତ କିଳିକିଳା ରାବ ଓ ଠୋ ଠୋଇଆ ହସ ।ଯିଏ କେହି ଶୁଣିବ, ଡରରେ ତ ତା ଲୁଗାରେ ମୂତ ପଡିଯିବ। ହେଲେ ମୁଁ ବଡ଼ ସାହସୀ। ଜୀବନସାରା ଏଭଳି ନାଟକ, ମୁଁ ଅନେକ ଦେଖିଲିଣି। ତେଣୁ ଏ ଅଭିଜ୍ଞତାଟା ମୋର ପାଇଁ କିଛି ନୂଆ ନୂହେଁ। ମୁଁ କହିଲି-” ଯାହା କହିଥିଲି ସବୁ ସଜାଡି ରଖିଛ ତ! ତୁରନ୍ତ ସେସବୁ ମୋ ପାଖକୁ ନେଇଆସ। ଯାହା କହୁଛି, ସେୟା କର। ମୋତେ ସାହାଯ୍ଯ କରିବା ପାଇଁ ଗଣ୍ଡେ ଛଅଟା ଲୋକ ସଜିଲି ହୋଇ ରୁହ। କାଳେ ଯଦି ଦୌଡାଦୌଡ଼ି କଲା, ଧରି ପକାଇବ, ନହେଲେ ଏକୁଟିଆ ସମ୍ଭାଳିବା କଷ୍ଟ ହେବ। ବୋହୂକୁ ଆଣି ମୋ ସାମ୍ନାରେ ବସାଅ ” ।
ଆଗ ଘର କାଟି ବିଭିନ୍ନ୍ ପ୍ରକାର ଚିତ୍ର ଆଙ୍କି ଦେଲି। ଭୋଗରାଗ ଓ ପଣାପାଣି ସବୁ ପ୍ରସ୍ତୁତ କରି ସଜାଡି ରଖିଲି। ଝୁଣା ଗୁଗ୍ଗୁଳ ସହିତ ଲଙ୍କା ଧୂଆଁ ଦେଇ ତାକୁ ଆକଚା କରିଦେଲି। ସେ ପ୍ରାଣ ବିକଳରେ ଚିତ୍କାର ଛାଡ଼ିଲା ପରେ ତା ଚୂଟିଟାକୁ ରୁମ ମୂଳ ସହ ମଥା ପଛ ପଟୁ ଜୋହରରେ ଚିମୁଟୁ ଧରିନେଲି। ସେ ଆଃ ଆଃ ହୋଇ ଚିତ୍କାର କରି ଉଠିଲାରୁ ପଚାରିଲି- ତୁ କିଏ ସତ କହ! ଡାହାଣୀ ପିତାଶୁଣୀ ନା ଖପୀଶ ବ୍ରହ୍ମରାକ୍ଷସ?ଯଦି ବ୍ରହ୍ମ ରାକ୍ଷସ ବା ଖପୀଶ ତେବେ ନୋଟିଆକୁ ଦାନ୍ତରେ କାମୁଡି ମଶାଣି ପଦରକୁ ଦୌଡ଼ି ଯାଆ ନହେଲେ ଏଇଠି ଏ ଶରୀରକୁ ଛାଡ଼ି ତୁରନ୍ତ ପଳା। ନଚେତ୍ ବହୁତ କଷ୍ଟ ଦେବି “। ଶରୀରକୁ କଷ୍ଟ ହେଲାଠୁଁ ସେ ବାଉଳି ଚାଉଳି ହୋଇ ୟାଡୁ ସିଆଡୁ କେତେ କଥା ଗପି ଗଲା। ମୁଁ ପୁଣି କାନ ମୂଳୀଟାକୁ ଜୋହର କରି ରଗଡି ଦେଲି ଓ ହାତ ନାଡିଟାକୁ ଚିପି ଡାକ୍ତର ପରୀକ୍ଷା କଲା ପରି ଆଉ ଟିକେ ଜୋହର କରି ଚିପି ଧଇଲି। ଏଥର ତା’ର ରକ୍ତ ସଞ୍ଚାଳନରେ ବାଧା ପହଞ୍ଚିଲା କି କ’ଣ, ସେ ଅଛାଟ ହୋଇ ତଳେ ପଡିଗଲା। ମୁଁ କହିଲି ପାଣି ଛାଟି ଶ୍ରାଷ୍ଟମ କର।
ଏଥର ସେ ହୋସ୍ କୁ ଆସି ପ୍ରକୃତିସ୍ଥ ହେଲା ପରେ ଅନ୍ୟ କାହାଣୀର ନାୟିକା ଭଳିଆ ସେ ମଧ୍ୟ କହିଲା – “ଏମାନେ ସବୁ କିଏ? କାହିଁକି ଏତେ ଲୋକ ମୋତେ ଘେରି ରହିଛନ୍ତି? ମୋର କ’ଣ ହୋଇଥିଲା କି? ମୁଁ କେମିତି ଓଦା ହୋଇଗଲି? ମୋତେ କିଏ ଏଠାକୁ ଆଣିଲା, ମୁଁ ପରା ରୋଷେଇ ଘରେ ରୋଷେଇ କରୁଥିଲି” ଇତ୍ୟାଦି। ହୋସ୍ ହାୱାସକୁ ଆସିଲା ପରେ ପୂର୍ବ କଥାଗୁଡାକ ସବୁ ସ୍ମରଣକୁ ଆସିଯାଏ ।
ତେବେ ଏହା କ’ଣ ମାନସିକ ବିକାରଗ୍ରସ୍ତ ମଣିଷର ବିକାର ନା ସ୍ନାୟୁବିକ ଦୁର୍ବଳ ମଣିଷର ଦୁର୍ବଳତା?
ବାସ୍ତବରେ ମୁଁ ତ କିଛି କରି ନାହିଁ, କାରଣ ମୋତେ କିଛି ଜଣା ନାହିଁ।
6.ଗୋଟେ ନିଛାଟିଆ ରାତି
By ସତ୍ୟ ପ୍ରକାଶ ସେଠୀ
ଆଜି ହେଉଛି ପବିତ୍ର ଦୀପାବଳୀ ଅମାବାସ୍ୟା। ଉକ୍ତ ଦିବସରେ ପ୍ରଭୂ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ। ଯାହଙ୍କ ଉଦ୍ଦେଶ୍ଯରେ ଅଯୋଧ୍ୟା ନଗରୀ ଆଲୋକ ମାଳିନୀରେ ରୂପାନ୍ତରିତ ହୋଇଥିଲା। ସମଗ୍ର ଅଧିବାସୀ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆଲୋକମୟ କରି ଗଢି ତୋଳିଥିଲେ ରାସ୍ତା ଘାଟ। ଏହି ଦିବସରେ ଘରଦ୍ଵାର ସଫାସୁତର ରଖି ଲୋକେ ରଙ୍ଗ ମୁରୁଜ ଓ ରଙ୍ଗୀନ ଫୁଲରେ ଘର ଓ ବାହାର ସୁସଜ୍ଜିତ କରିଥାନ୍ତି। ଏହା ଏକ ଆଲୋକର ଦିବସ ଯାହା ମନରେ ଖୁସି ଆଣିଦେବା ସଙ୍ଗେସଙ୍ଗେ ଏକ ସକାରାତ୍ମକ ଭାବ ଓ ବିଚାରଧାରାର ଅଭିବ୍ୟକ୍ତ କରିଥାଏ। ଦୀପାବଳୀ ହେଉଛି, ପବିତ୍ରତାର ଓ ବୈଭବର ଉତ୍ସବ। ଏହି ଦିବସରେ ଦେଶର ଓ ସମାଜର ବିକାଶ ଓ ଅଭିବୃଦ୍ଧି ସକାଶେ ମାଆ ଲକ୍ଷ୍ମୀ ଓ ଗଣେଶଙ୍କୁ ମଧ୍ଯ ଆରାଧନା କରାଯାଏ। ଏହା ଏପରି ଏକ ଦିବସ ଯେଉଁ ଦିବସରେ ଲୋକେ ପରସ୍ପରର ମଙ୍ଗଳ ମନାସୀ ପ୍ରାର୍ଥନା କରିଥାନ୍ତି। ଉପହାର ଓ ମିଷ୍ଟାନ୍ନ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ପାଇଁ ମଧ୍ୟ ମନ ବଳାଇ ଥାନ୍ତି। ଭଗବାନ ବିଷ୍ନୁ ସମ୍ପଦ ଓ ବୈଭବର ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ବିବାହ କରିଥିଲେ। କେହି କେହି ଲକ୍ଷ୍ମୀଙ୍କର ଜନ୍ମ ଦିବସ ରୂପେ ଏହି ପୂଜା ଅବଧିକୁ ମଧ୍ୟ ପାଳନ କରିଥାନ୍ତି। ମାଆ କାଳୀଙ୍କର ଉତ୍ସବ ମଧ୍ୟ ବଡ଼ ଧୂମ୍ ଧାମରେ ପାଳିତ ହୋଇଥାଏ । ଏହି ସମୟରେ ଶ୍ରୀକୃଷ୍ଣ ନରକାସୁରକୁ ବଧ୍ୟ କରିଥିଲେ, ତେଣୁ ଯାହା ନରକା ଚତୁର୍ଦଶୀ ରୂପେ ମଧ୍ଯ ପରିଗଣିତ ହୁଏ। ମହାବଳୀ ବଳୀ ପାତାଳପୁର ଛାଡି ଏତିକି ବେଳକୁ ମର୍ତ୍ତ୍ୟ ମଣ୍ଡଳ ଉପରେ ରାଜୁତି କରିଥିଲେ ବୋଲି ବିଦିତ ଅଛି । ଜମ ତୃତୀୟା ଭାଇ ଧ୍ଵଜା ରୂପେ ପାଳିତ ହୁଏ ଯାହା ପଶ୍ଚିମ ବଙ୍ଗର ଏକ ପ୍ରସିଦ୍ଧ ପର୍ବ। ଭୂତମାନଙ୍କର ଏଇ ସମୟରେ ପ୍ରଭାବ ଆଧିକ୍ୟ ହେଉଥିବାରୁ ଏହାକୁ ଭୂତ ଚତୁର୍ଦଶୀ ମଧ୍ୟ କହନ୍ତି।
ତେଣୁ ଏହିଭଳି ଏକ ଉତ୍ସବ ମୁଖର ଦିବସରେ ସେଦିନ କିଛି ଉପହାର ଓ ମିଷ୍ଟାନ୍ନ ଧରି ମୁଁ ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଶଙ୍ଖାରୀ ଗ୍ରାମରେ ଥିବା ମୋର ବନ୍ଧୁ ନିରଞ୍ଜନ ଘରେ ପହଞ୍ଚିଲି। ଏହି ନିରଞ୍ଜନ ମୋର ପଢ଼ା ସାଥି, ଭାରି ପ୍ରିୟବନ୍ଧୁ। ତାଙ୍କ ଗାଁକୁ ଯିବା ପୂର୍ବରୁ ବାଟରେ ପଡେ ଗାଁ ମୁଣ୍ଡରେ ଥିବା ମାଇଲ ମାଇଲ ପରିବ୍ୟାପ୍ତ ଘଞ୍ଛ ଜଙ୍ଗଲ, ଯାହାର ଅପରୂପ ପ୍ରାକୃତିକ ଶୋଭା ଓ ଲାବଣ୍ୟ କହିଲେ ନସରେ। ଯେକୌଣସି ଲୋକ ଦେଖିବ, ଘଣ୍ଟାଏ କାଳ ସେଇଠି ଅଟକି ରହି ସେ ତାର ପ୍ରାକୃତିକ ଶୋଭା ଓ ସୁଷମାକୁ ଉପଭୋଗ କରିବାକୁ ଚାହିଁବ। ସେଇ କାରଣରୁ ହୁଏତ ମୁଁ କିଛି କ୍ଷଣ ସେଇଠାରେ ଅଟକିଗଲି। ପୁଣି ସେଇ ଜଙ୍ଗଲକୁ ଲାଗି ରହିଛି ଗୋଟିଏ ଶ୍ମଶାନ ଭୂଇଁ ଯେଉଁଠି ପୁରୁଷ ପୁରୁଷ ଧରି ଶବମାନଙ୍କୁ ଦାହ ବା ଅନ୍ତେଷ୍ଟି କ୍ରିୟା କରାଯାଏ। ତେଣୁ ଭାରି ଭୟଙ୍କର ଜାଗା। ନିକଟରେ ଗୋଟେ ଶବ ପୋଡ଼ା ହୋଇଥିଲା କି କ’ଣ ଯୂଇ ତ ଜଳୁଥିଲା। ଆହୁରି ପରକୁ ପର କେତେ ଯୂଇ ଜଳିଥିବା ଚିତା ଚିହ୍ନ ସ୍ପଷ୍ଟ ନଜରକୁ ଆସୁଥିଲା, ହୁଏତ ଏବେ ସେଠୁ ସମ୍ପ୍ରତି ଅଗ୍ନି ସବୁ ନିର୍ବାପିତ ହୋଇ ସାରିଥିବ । ଅନେକ ସ୍ଥାନରେ ସେଠି ଦେଖିଲି ଚିର ବା କାଠ ଖମ୍ବ ବା ଖୁଣ୍ଟି ସବୁ ପୋତା ହୋଇଥାଏ। ପରେ ଜାଣିଲି ସେଗୁଡାକୁ ସବୁ ପରମ୍ପରା କ୍ରମେ ଅନ୍ତେଷ୍ଟି କ୍ରିୟା ପରେ ଶବସ୍ଥାନ ଉପରେ ପୋତା ହୋଇଥାଏ । ଚାରିଆଡ଼େ ମୁଣ୍ଡ ମାଳ ମାଳ ହୋଇ ଗଡୁଥାଏ । ପୁଣି ସେଇଠି ଥାଏ ମାଲହାଣ୍ଡି, ନାନା ଚିତ୍ର ବିଚିତ୍ର ରେ ସଜ୍ଜିତ ମାଟି ହାଣ୍ଡି ଓ କେତେ କଳସୀ। ପୁଣି କୋକେଇର ଦୃଶ୍ୟ ଓ ଶବ ଉପରେ ଚଢା ହୋଇଥିବା କିଛି ଛଡା ଫୁଲ ଏବଂ ଛିଣ୍ଡା ଲୁଗା ପଟା।ଯତ୍ରତତ୍ର ଅନେକ ଚିତା ଭଷ୍ମ ବି ଦେଖିବାକୁ ମିଳୁଥାଏ, ଯାହା ମନରେ ଭିତ୍ତି ସଂଚାର କରିବା ପାଇଁ ଯଥେଷ୍ଟ ଥାଏ। ହାଡ଼ର ଫୁରୁକୁଟିଆ ବାସ୍ନା ନାକରେ ବାଜୁଥାଏ। ବଡ଼ ଶୋକାକୁଳ ପରିସ୍ଥିତି। ଏ ପ୍ରକାର ବିଭତ୍ସତାର ଚିତ୍ର ମନ ଇଲାକାରୁ ଆଦୌ ହଟୁ ନଥାଏ।
ଫେରିଆସି ଗାଡିରେ ବସିଲି। କିଛି କ୍ଷଣର ବ୍ୟବଧାନ ପରେ ବନ୍ଧୁ ନିରଞ୍ଜନ ଘରେ ପହଞ୍ଚିଗଲି। ନିରଞ୍ଜନ ମୋତେ ଦେଖି କୁଣ୍ଢାଇ ପକାଇଲା। କହିଲା ଯାହା ହେଉ ସାଙ୍ଗ ତୁ କଥା ରଖି ଆସି ପହଞ୍ଚିଛୁ। ବହୁତ ଖୁସି ଲାଗିଲା। ଆମେ ଦୁହେଁ ସାମନ୍ୟ ଖିଆ ପିଆ ସାରି ଦୁଇବନ୍ଧୁ ବସି ଜୀବନ ତମାମର ଖୁସି ଗପ ସବୁ କରି ବସିଲୁ। ମୋର କିନ୍ତୁ ମନ ଥାଏ ଭୂତର ଚିଡ଼ିଆଖାନା ମଶାଣି ପଦର ପାଖରେ। କୌତୂହଳୀ ହୋଇ ଅନେକ କିଛି ବନ୍ଧୁଙ୍କ ଠାରୁ ଜିଜ୍ଞାସା କରି ପଚାରି ବସିଲି। ସେ କହିଲା-” ତୁ ଯଦି ଏତେ କୌତୁହଳ ପ୍ରକାଶ କରୁଛୁ, ତେବେ ଚାଲୁନୁ ଆଜି ରାତିରେ ଯିବା ସେଇଠିକୁ, ଦେଖିବା! ତୁ କେତେ ସାହସୀ ଅଛୁ। ହେଲେ ଭୂତ ଦେଖି ଡରିବୁନି ଯଦି କହ। ନହେଲେ ତୋ ସାହସ ପଣିଆ ବୃଥା ଯିବ। “ମୁଁ କହିଲି – “ନାହିଁରେ ଭାଇ! ମୁଁ ଡରିବା ଲୋକ ନୂହେଁ, ନହେଲେ କି ଭୂତ ପ୍ରେତ ଉପରେ ଥେସିସ୍ ଲେଖିବା ପାଇଁ ସାହସ କରିଥାନ୍ତି। ହେଲେ ତୁ ଖାଲି ସାଥ ଦେଲେ ହେଲା। ଭାବିଲି ମୋ ଥେସିସ୍ ପାଇଁ ନିଶ୍ଚୟ କିଛି ଉପାଦାନ ସେଠୁ ମୋତେ ମିଳିଯିବ।
ସେୟା ହେଲା ରାତି ବାରଟା ପରେ ସମସ୍ତେ ଶୋଇ ପଡିଲା ପରେ ଏକ କୌତୁହଳବଶତଃ ଆମେ ଚାଲିଲୁ ସେଇ ଭୂତଖାନା ମାନେ ଶଙ୍ଖାରୀ ମଶାଣି ପଦର। ସାଥିରେ ଥାଏ ଜୁଙ୍ଘା ଟୋକା ନିରଞ୍ଜନ ଓ ତା’ର ପାଳତୁ କୁକୁର ଡ୍ରୋଗରମ୍ୟାନ୍ ।ହାତରେ ଦୁଇଟା ଟର୍ଚ୍ଚ ଓ ଗୋଟେ ଶକ୍ତିଶାଳୀ କ୍ୟାମେରା କିଛି ଅଦ୍ଭୁତ ଓ ଅଦୃଶ୍ୟକୁ ଦୃଶ୍ୟ କରି ଫଟୋ ଉତ୍ତୋଳିତ କରି ଧରି ରଖିବା ପାଇଁ। କାରଣ ମୋ ଥେସିସ୍ ପାଇଁ ତାହା ନିସନ୍ଦେହ ଅତି ପ୍ରୟୋଜନ ଥିଲା।
ସେଦିନ ଯେଣୁ କାଳୀ ପୂଜା ଘଡି ଥାଏ ଗାଁ ଗଣ୍ଡାରେ ପୟା ଡାକନ୍ତି। ଖାଡି ଜାଳି ବଡ଼ ବଡୁଆ ଚଉଦ ପୁରୁଷଙକୁ ଡାକନ୍ତି। ସେମାନଙ୍କ ଆତ୍ମାର ସଦ୍ଗତିଃ ନିମନ୍ତେ ପ୍ରାର୍ଥନା କରନ୍ତି। ପୁଣି ଆତ୍ମାର ଶାନ୍ତି ପାଇଁ ଭୋଗରାଗ ଓ ପିଠା ପଣା ସବୁ ବାଢି ଦିଅନ୍ତି। କାରଣ ବିଶ୍ବାସ ବର୍ଷର ସେଇ ଗୋଟିଏ ଦିନ ଯେଉଁଦିନ କି ଆତ୍ମାମାନେ ବହୁ ସକ୍ରିୟ ହୋଇ ଉଠନ୍ତି ଓ ଭୋଜ୍ୟ ବସ୍ତୁ ବା ପଦାର୍ଥ ମଣିଷ ଯାହା ସେମାନଙ୍କ ଉଦ୍ଦେଶ୍ଯରେ ଟେକି ଦିଏ ତାହା ସେମାନେ ଗ୍ରହଣ କରନ୍ତି। ତେଣୁ ଏହାକୁ ଭୂତ ଚତୁର୍ଦଶୀ ରୂପେ ଅନେକ ମାନନ୍ତି। କାହିଁକିନା ଭୂତ ପ୍ରେତ ମାନେ ଏହି ସମୟରେ ଭାରି ଜାଗିଯାନ୍ତି।ତେଣୁ ଏକୁଟିଆ ଘର ଛାଡି କେହି ଏହି ରାତିରେ ଏକାନ୍ତରେ ଏକାନ୍ତ ସ୍ଥାନରେ ଘୂରି ବୁଲିବାକୁ ସାହସ କରି ଯାଆନ୍ତି ନାହିଁ, ଯାହାକି କିନ୍ତୁ ଆମେ ସେଦିନ ଦୁଃସାହସ କରିଥିଲୁ। ଏହା କାଳେ ସବୁଠାରୁ ଭୟାନକ ଓ ଭୟଙ୍କର ଅମାବାସ୍ୟା ରାତି।
ଯାହା ବି ହେଉ, ଆମେ ଏଥର ଦୁଇ ବନ୍ଧୁ ଆସି ପହଞ୍ଚିଗଲୁ ଶଙ୍ଖାରୀ ଶ୍ମଶାନରେ। ଚାରିଆଡ଼େ ନିଶା ଗର୍ଜୁଥାଏ ସାଇଁ ସାଇଁ। ଖାଁ ଖାଁ ଲାଗୁଥାଏ ବନ ଭୂଇଁ।
ଝଙ୍କାଳିଆ ବର ଗଛର କୋରଡରୁ ଭାସି ଆସୁଥିଲା ଚଢେଇ ଚିରିଗୁଣୀଙ୍କର କିଳି କିଳା ରାବ ।କେଉଁଠି ଗୋଟେ ବିଲୁଆଟେ କି ଠେକୁଆଟେ ଦୌଡ଼ି ପଳାଇ ଯାଉଥିଲା। ପତ୍ରର ଖସ୍ ଖାସ୍ ଶବ୍ଦ ମନର ଭିତ୍ତି ପ୍ରସ୍ତରକୁ ଦୋହଲାଇ ରଖି ଦେଉଥିଲା।ପୂରା କିଟିମିଟିଆ ଅନ୍ଧାର। ମୁହଁକୁ ମୁହଁ ଦିଶୁ ନଥାଏ ।ମଶାଣି ଭୂଇଁର ଭୟାନକ ସ୍ଥିତି ହୃଦୟକୁ ମନ୍ଥି ଦେଉଥାଏ। କାରଣ ଗତକାଲି ବା ଆଜି ବୋଧେ ଗୋଟେ ଶବ ସେଇଠି ପୋଡ଼ା ହୋଇଥାଏ। ଏପର୍ଯ୍ୟନ୍ତ ନିଆଁ ଲିଭି ଥାଏ କି ନଥାଏ କେଜାଣି ନିଆଁ ଗୁଡାକ ତ ରଡ଼ ରଡ଼ ହୋଇ ଜଳୁଥାଏ। ଭାରି ନାଲି ଦେଖା ଯାଉଥାଏ। ହଠାତ୍ ଗୋଟେ ଅଦ୍ଭୁତ ପ୍ରଜାତିର ପକ୍ଷୀଟିଏ ଉଡିଗଲା ଫଡଫଡ ହୋଇ ।ହୃଦୟରେ ଛନକା ପଶିଗଲା। କାରଣ ଏପ୍ରକାର ପକ୍ଷୀ ତ କାହିଁ ଆଗରୁ କେବେ ଆମେ କେଉଁଠି ଦେଖି ନାହୁଁ। ପୁଣି ତା’ର ରାବିବା ସ୍ଵରଟା ମଧ୍ୟ ଭାରି କର୍କଶିଆ ଓ ବିକଟାଳ ଥିଲା। ତେଣୁ ମନରେ ଅଶରିରୀର ପରିକଳ୍ପନା ତୋଳୁ ଥିଲା। ସାଙ୍ଗଟା ଡରି ଯାଇ ମୋ ପାଖକୁ ଲାଗି ଯାଉଥିଲା।ଠିକ୍ ଏତିକି ବେଳକୁ ଗୋଟେ ଫୁଟା କଳସୀ ଗଡିଗଡି ଆସି ଆମ ସମୁଖ ଭାଗରେ ଅଟକି ଗଲା। ବଡ଼ ଅଜବ କଥା। କେହି କୁଆଡ଼େ ନାହାଁନ୍ତି, ହେଲେ ଏଇ ମାଟି କଳସୀଟା କେମିତି ଗରଡ ଗରଡ ଶବ୍ଦ କରି ଆମ ଆଡକୁ ଗଡି ଆସିଲା? ତେବେ କ’ଣ ଏହା କେଉଁ ଭୂତାତ୍ମାର କାଣ୍ଡ କାରନାମା ନା କ’ ଣ? ମନ ଟିକେ ଅସ୍ଥିର ହୋଇ ଉଠୁଥିଲା, ଶଙ୍କି ଯାଉଥିଲା ହୃଦୟ ।ପାଖକୁ ଯାଇ ଟର୍ଚ୍ଚ ପକାଇ ଦେଖିଲୁ। ଏଇଟା ହେଉଛି ଶବକୁ ମଶାଣିକୁ ଆଣିଲା ବେଳେ ଯେଉଁ ଜଳ ଛାଡି ବା ଆତ୍ମାର ଶାନ୍ତି ପାଇଁ ଜଳ ଦାନ କରାଯାଇଥାଏ ସେଇ କଣା କଣା ହୋଇଥିବା କଳସୀଟା।ତେଣୁ ସେ ଚିତ୍ର ଆଖି ସାମ୍ନାରେ ଉତ୍ତୋଳିତ ହୋଇ ଉଠିଲାରୁ ମନ ଟିକେ ଦବି ଯାଉଥାଏ। ମଝିରେ ମଝିରେ ଆଜେବାଜେ ଅନେକ ଶବ୍ଦ ହେଉଥାଏ। କେଉଁ ପ୍ରାଣୀର କେଜାଣି ବିକଟାଳ ରଡି ତ କାନରେ ବାଜୁଥାଏ। ପୁଣି ଗ୍ରାମ୍ୟର ଗହଳି ପୂର୍ଣ୍ଣ ବସତି ଆଡୁ ଭାସି ଆସୁଥାଏ କେଉଁ ଶିଶୁ ସନ୍ତାନର କ୍ରନ୍ଦନ ରୋଳ କି ତାହା ପିଶାଚର ଚିଁଚିଁ ଶବ୍ଦ ବି ହୋଇପାରେ । ପୁଣି ହୃଦୟକୁ ବିଦାରିତ କରି ଦେଲା ପରି ମଧ୍ୟ କେତୋଟି ହୃଦୟ ବିଦାରକ ଶବ୍ଦରାଜି, ଯେମିତି ଆଦିବାସୀ ବସ୍ତିରେ ହାଣ୍ଡିଆ ପିଇ କେତୋଟି ସରଳ ମଣିଷ କଳିଗୋଳରେ ବ୍ରତୀ ରହି ଆରୁଡୁ ବାରୁଡ ପାଟି ତୁଣ୍ଡରେ ଲାଗି ଯାଇଥାନ୍ତି। ପୁଣି କେଉଁଠି ଝାପସା ଆଲୁଅଟେ ହଠାତ୍ ଉଜ୍ଜ୍ଵଳତର ହୋଇ ଜଳି ଉଠି ଲିଭି ଯାଉଥିଲା, ଆମେ ସଠିକ୍ କିଛି ଆକଳନ କରିବା ପୂର୍ବରୁ।ପୁଣି ମଧ୍ୟ କେଉଁଠି ଛାୟା ଚିତ୍ରଟିଏ ଅନତି ଦୂରରେ ଉତ୍ତୋଳିତ ହୋଇ ଉଠି ହଲିବାକୁ ଲାଗୁଥାଏ। ସେଇଟା କେଉଁ ଗଛ ଲଟାର ପବନରେ ଝୁଲି ଖେଳୁଥିବା ଡାଳପତ୍ରର ଚିତ୍ର କି କେଉଁ ଜନ୍ତୁର ଅସ୍ପଷ୍ଟ ଛାଇ ବା ଉପସ୍ଥିତି ତା ତ କହିବା ବଡ଼ ମୁସ୍କିଲ୍, କିନ୍ତୁ ଏପରି ତ କିଛି ଦେଖା ହେଉଥିଲା। କେଉଁଠି ହେଟାର ଗର୍ଜନ ବା ବିଲୁଆ ଶିଆଳର ହୁକେ ହୁ ବା ହେଟ୍ ହାଟ୍ ଶବ୍ଦ କର୍ଣ୍ଣ ଗୁହା ଭେଦି ଗିରି ଉତ୍ଥିତ ହେଉଥିଲା। ସେଦିନ ଦୀପାବଳୀ ଥିବାରୁ ରାତି ସାରା ମଧ୍ୟ କେଉଁଠି କେମିତି ବାଣ ଫୁଟିବାର ଶବ୍ଦ ଚମକାଇ ଦେଉଥାଏ।
ବାସ୍ତବରେ ଏଇ ଶୂନ୍ଶାନ୍ ଅନ୍ଧକାର ରାତି ଜଣଙ୍କ ମନରେ ତ ଭୟ ସ୍ରୁଷ୍ଟି କରିବା ପାଇଁ ଯଥେଷ୍ଟ ଥିଲା ।”ହେଲେ ରାତି ସାରା ଅନିଦ୍ରା ଦେଖିଲା ବେଳକୁ ମୁଗୁରା ମୁହଁ ମେଲା” ପରି ଆମ ଅଭିଯାନ ସେତେ କିଛି ସଫଳ ଉପାଦାନ ଖୋଜି ପାଇବାରେ ସମର୍ଥ ହୋଇ ନଥିଲା।ତେବେ ଅଳ୍ପ କିଛି ଏଣୁତେଣୁ ବିସ୍ମୟକର ଶବ୍ଦ ଓ ଗୋଳମାଳିଆ ସ୍ରୁଷ୍ଟି କରୁଥିବା ଅଳ୍ପ କେତେକ ବସ୍ତୁକୁ ଛାଡିଦେଲେ। ମଣିଷ ତ ସହଜେ ସେତେ କିଛି ଜ୍ଞାନୀ ନୂହେଁ ବା ଏତେ କିଛି ଭୂତ ପ୍ରେତ ଓ ଈଶ୍ୱରଙ୍କ ସ୍ଥିତି ସଂସ୍ଥିତକୁ ନେଇ ସଠିକ୍ ଜ୍ଞାନ ବା ଧ୍ୟାନ ଧାରଣା ଏପର୍ଯ୍ୟନ୍ତ ଅର୍ଜନ କରି ପାରି ନାହିଁ। ତେଣୁ ସେ ସନ୍ଦିହାନ ହୋଇ ଏପରି ପରିସ୍ଥିତିରେ ଡରି ଯିବା ସ୍ୱାଭାବିକ।
ରାତି ସାରା ଏମିତି କୌତୁହଳରେ ଗଲା ଭୟରେ ପଞ୍ଜରା ହାଡ଼ ନିଶ୍ଚିତ ପକ୍ଷେ ଥରି ଉଠୁଥାଏ। ପୁଣି ତା ସହିତ ଜାଡୁଆ ଶୀତର ହାଡ଼ ଫଟା ପ୍ରଭାବ। ଯାହା ବି ହେଉ ରାତିସାରାର ଏଇ ଅପରେସନ ପରେ କିଛି ମାତ୍ର ଶକ୍ତି ସଞ୍ଚୟ କରି ଓ ମନ ବଳକୁ ଟିକିଏ ଦୃଢ଼ କରି ଆମେ ଫେରିବାକୁ ସକ୍ଷମ ହୋଇଥିଲୁ ଘରକୁ, ଅନ୍ୟମାନେ ବିଛଣା ପରିତ୍ୟାଗ କରି ଉଠିବା ପୂର୍ବରୁ। କୁଆଡୁ କେମିତି କେଜାଣି ଭୟଙ୍କର ନିଦଟା ମାଡ଼ି ଆସିଥିଲା, ଉଠିଲା ବେଳକୁ ଦିନ ଦ୍ୱିପହର।
7.ମଲା ପୁଆ ବଞ୍ଚିଲା
By ସତ୍ୟ ପ୍ରକାଶ ସେଠୀ
———////—————
ବାସୁଦେବପୁରର ବ୍ରାହ୍ମଣୀ ଗାଁରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ଏକ ବ୍ରାହ୍ମ ମୁହୁର୍ତ୍ତରେ ପିତା ଭୈରବ ଚନ୍ଦ୍ରଙ୍କ ଔରସରୁ ମାଆ ଶାନ୍ତିଲତାଙ୍କ କ୍ରୋଡ଼ ମଣ୍ଡନ କରି ପରିବାରରେ ପଞ୍ଚମ ସନ୍ତାନ ରୂପେ ଜନ୍ମ ଗ୍ରହଣ କରନ୍ତି ବିସ୍ମୟ ବାଳକ ଶିବ ବାବା। ଯାହାଙ୍କର ଜାତକ ନାମ ଜଗବନ୍ଧୁ ଓ ସାର୍ଟିଫିକେଟ୍ ନାମ ଦୈତାରୀ। ପୁଣି ଶ୍ରଦ୍ଧାରେ ମାଆ ଡାକୁଥିଲେ ବାବୁ। ସେଇଠି ଥା’ନ୍ତି ଆହୁରି ତାଙ୍କର ତିନୋଟି ଭାଇ ଓ ଦୁଇଟି ଭଉଣୀ। କିନ୍ତୁ ଶିବ ବାବା ଉପରେ ନଜରଟା ସମସ୍ତଙ୍କର ଟିକିଏ ଅଧିକା। ତାଙ୍କର ଆର୍ଥିକ ଅବସ୍ଥାଟା ସମ୍ପର୍କରେ ନକହିଲେ ଭଲ। ନିହାତି ଗରୀବ ଲୋକ, ମାନେ ଓଳିଏ ଖାଇଲେ ଦୁଇ ଓଳି ଉପବାସ। ପିଲାଟିର ଜନ୍ମ୍ ଜାତକ ଲେଖୁ ଲେଖୁ ସେଦିନ ଜ୍ୟୋତିଷ ମହାଶୟ ବିସ୍ମୟ ପ୍ରକାଶ କରି କହି ପକାଇ ଥିଲେ – “ଇଏ ଜଣେ ମହାତ୍ମା। ବିଶ୍ଵ ଦରବାରରେ ସ୍ଵୀୟ କୃତି ବଳରେ ଅମର ସ୍ୱୀକୃତି ପାଇବାକୁ ହକ୍ଦାର। ସମଗ୍ର ବିଶ୍ୱରେ ଦିନେ ପ୍ରସିଦ୍ଧି ଲାଭ କରିବ ଓ ବିଶ୍ଵର ସନ୍ତାନ ରୂପେ ଯଶ କୀର୍ତ୍ତି ଓ ଗୌରବ ଅର୍ଜ୍ଜିବ। ମାଆ ମନ ବଡ ବଡ଼ କଥା ଶୁଣି ଶଙ୍କି ଯାଉଥିଲା। ମନେ ମନେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ -” ହେ ଶିବାନନ୍ଦ! ମୋ ଶିଶୁ ସନ୍ତାନ ତୁମକୁ ଲାଗିଲା”।

ପିଲାଟିର ମୁହଁରେ ନିଆରା ହସ ଓ ଭାବ ଭଙ୍ଗି ଦେଖି ପରିବାରର ଲୋକ ଖୁସିରେ ନାଚି ଯାଉଥିଲେ। ହେଲେ ଭଗବାନଙ୍କ ରାଜ୍ୟରେ ସବୁ ଓଲଟା ହୁଏ – ଏକଥା ଜଣା। ଖୁସିର ମୁହୂର୍ତ୍ତ ଗୁଡା ବେଶୀ କ୍ଷଣ ତିଷ୍ଟି ରହିପାରେ ନାହିଁ। ହଠାତ୍ କ’ଣ ହେଲା କେଜାଣି ପିଲାଟା ମଟକା ମାରି ନେଲା, ଯେତେବେଳେ କି ତାକୁ ମାତ୍ର୍ ସାତ ମାସ। ଆଉ ଗୋଡ଼ ହାତ କିଛି ହଲାଇଲା ନାହିଁ। ଯେତେ ଝଡ଼ା ଫୁଙ୍କା କଲେ ସବୁ ନିଷ୍ଫଳ ହେଲା। ସମସ୍ତେ କହିଲେ-” ପିଲାଟି ଆଉ ନାହିଁ। ଆତ୍ମାରୁ ପ୍ରାଣ ବାୟୁ ଉଡ଼ିଯାଇଛି” ।
ଏ କଥା ଶୁଣି ମାଆ ମନ ବା କେମିତି ସହଜେ ବୁଝନ୍ତା? ସେ ଖାଲି କୋଡ଼ି ଛେଚି ହୋଇ କାନ୍ଦୁଥାଏ। ଘଣ୍ଟାକୁ ଘଣ୍ଟା ବେହୋସ୍ ହୋଇ ମୂର୍ଚ୍ଛା ଯାଉଥାଏ। ନାହିଁ ଶୁଣିଲାଠୁଁ ବେଶ୍ ସମସ୍ତଙ୍କର କାନ୍ଦ ବୋବାଳି ପଡ଼ିଯାଇଥାଏ। ସାହି ପଡ଼ିଶା କେଇ ଜଣ ଆସି ପିଲାଟିକୁ କୋଳରୁ ଛଡାଇ ନେଇ ବାଘପଦା ମଶାଣି ପଦର ମଶାଣି ଭୂଇଁରେ ଉତ୍ତର ଆଡକୁ ମୁହଁ କରି ଯାମୁ ଗଛ ମୂଳେ ଗାତ ଖୋଳି ଶୁଆଇ ଦେଲେ। ସମସ୍ତେ ଚୁପ। ଏକ ସନ୍ନଟା ଛାଇ ଗଲା। ମାଆ କିନ୍ତୁ କହୁଥାଏ – “ମୋ ପୁଅ ମରି ନାହିଁ। ବଞ୍ଚିଛି। ସେ ଈଶ୍ୱରଙ୍କ ସନ୍ତାନ। ସେ କେବେ ମରି ପାରେନା। ମୋତେ ନେଇ ଚାଲ ତା ପାଖକୁ ମୁଁ ଥରେ ଦେଖିବି”। ତା’ର ବାୟାଣୀ ଓ ପାଗଳପଣ ଦେଖି ବାଧ୍ୟ ହୋଇ ସାହି ପଡ଼ିଶା ମେଳରେ ରାତି ଅଧରେ ମଶାଣି ଭୂଇଁକୁ ତାକୁ ନେଇଗଲେ। ଗଲା ବେଳକୁ କୁକୁର ଶିଆଳ କିଏ ବୋଧେ ଖୋଳି ପକାଇଛି, ଗାତରୁ ମାଟିଟା କିଛି ହଟି ଯାଇଛି, ପିଲାଟି କଇଁ କଇଁ ହୋଇ କାନ୍ଦୁଛି। ମାଆ ଦୌଡ଼ି ଯାଇ ଆବେଗରେ ପିଲାଟାକୁ କୋଳକୁ ଟାଣି ଆଣିଲା। କ୍ଷୀର ଦେଇ ବୋଧ କଲାଠୁଁ ତୁନି ହେଲା। ସମସ୍ତଙ୍କ ମୁହଁରେ ଆଶ୍ଚର୍ଯ୍ୟର ବାଣୀ – ଏ କି ବିଚିତ୍ର ହେଲା, ମଲା ପୁଅ କି ଜୀବନ ପାଇଲା”? ଯାହା ବି ହେଉ ଏ ସବୁ ଦଇବର ଖେଳ। ନୋହିଲେ କି ମଲା ଗାତରୁ ସେଦିନ ସେ ଛୁଆ ଉଦ୍ଧୁରି କି ଆସିଥାନ୍ତା? ସତରେ ମାଆର ମମତା – ଅପାର ତା’ର ବଳ। ଯମ ବି ଶେଷରେ ହାର ମାନିଲା।

ପିଲାଟିକୁ ମାତ୍ର୍ ଅଢେଇ ବର୍ଷ ହୋଇଛି କି ନାହିଁ କହିଲା – ମାଆଲୋ! ଭାଇହରିକେ କାନ୍ଧରେ ବସ୍ତାନି ପକାଇ କୁଆଡେ ଯାଉଛନ୍ତି, ମୋତେ ତୁ ସ୍କୁଲ୍ ପଠାଉନୁ। ପିଲାଟିର ଆଗ୍ରହ ଦେଖି ମାଆ ତାକୁ ଚାଟଶାଳୀ ପଠାଇ ଦେଲେ। ପୁଣି ବରଷେ ଖଣ୍ଡେ ପଢ଼ି ଯାଇଛି କି ନାହିଁ ମାଆକୁ କହିଲା – “ସମସ୍ତେ ତ ସ୍କୁଲ୍ ଯାଉଛନ୍ତି, ମୋତେ ତୁ ଚାଟଶାଳୀ ଅବଧାନେ ପାଖକୁ କାହିଁକି ପଠାଉଛୁ “।
ମାଆ କହିଲେ _”ସବୁ ଏକା କଥା। ତୁ ବଡ଼ ହୋଇଗଲେ ପୁଣି ବଡ଼ ସ୍କୁଲ୍ ଯିବୁ।ଏହି ସ୍କୁଲ୍ କୁ ପୂର୍ବେ ଚାଟଶାଳୀ କହନ୍ତି”।

ପିଲାଟି ପୁଣି ପଚାରିଲା -“ଚାଟଶାଳୀ ପୂର୍ବରୁ ଏହାକୁ କ’ଣ କହଁନ୍ତି”?
ମାଆ କହିଲେ -” ଚାଟଶାଳୀ ପୂର୍ବରୁ ଏହାକୁ ଆଶ୍ରମ ଓ ଆଶ୍ରମ ପୂର୍ବରୁ ଏହାକୁ ଗୁରୁକୁଳ ଆଶ୍ରମ କହୁଥିଲେ “।
ପିଲାଟି ଆହୁରି ଜିଜ୍ଞାସୁ ହୋଇଉଠିଲା। ପୁଣି ପ୍ରଶ୍ନ ବାଢିଲା -” ପ୍ରଥମ ଗୁରୁକୁଳ ଆଶ୍ରମ କୋଉଟା? ପ୍ରଥମ ଗୁରୁ କିଏ?? ପ୍ରଥମ ଗୁରୁଙ୍କର ପ୍ରଥମ ଶିଷ୍ୟ କିଏ” ???
ମାଆ କହିଲେ ତୋର ଏତେ ସବୁ ପ୍ରଶ୍ନର ଉତ୍ତର ମୁଁ ଦେଇ ପାରିବି ନାହିଁ, କେବଳ ଏ ସବୁ ମହାଦେବ ତୋତେ କହି ପାରିବେ। ପୁଣି ପିଲାଟି କହିଲା -” ମହାଦେବଙ୍କୁ କେଉଁଠି ପାଇବି”? ମାଆ କହିଲେ – “ତୁ ଓମ୍ ନମଃ ଶିବାୟ ଡାକ, ସେ ଦିନେ ନିଶ୍ଚେ ତୋତେ ଦେଖା ଦେଇ ତୋର ସମସ୍ତ ପ୍ରଶ୍ନର ସମାଧାନ କରି ଦେବେ “। ସେଦିନ ଗୁରୁ ଓ ଗୁରୁ ମନ୍ତ୍ର ଦୁଇଟାଯାକ ବୋଧହୁଏ ମିଳିଯାଇଥିଲା ଶିବ ବାବାଙ୍କୁ।
ଅତିଶୟ ଦୁଃଖ ଓ ଦାରିଦ୍ର୍ୟରେ ମ୍ରିୟମାଣ ହୋଇପଡିଥିବା ପରିବାରରେ ଶିକ୍ଷା ପ୍ରତି ଏତେଟା ଧ୍ୟାନ କାହିଁକି ବା କିଏ କୁଆଡୁ ଦେଇ ପାରିଥାନ୍ତେ? ବଡ଼ ପିଲାମାନେ କାମଚଳା ଦୁଇ ଅକ୍ଷର ପଢି ଏବେ ମୂଲ ଲାଗି ହେଲେଣି। ବାପା ସାନ ପିଲାଟିକୁ ଧରି ଘର କାମତକ ତୁଲାଇ ନିଅନ୍ତି। ସାଲମା, ତେନ୍ତୁଳି ପାଣି ଖଟା ନୋହିଲେ ବାଡ଼ି କାନଶିରି ଶାଗରେ ପଖାଳ ପାଣି ଗଣ୍ଡେ ଖାଇ ସମସ୍ତେ ଚଳିଯାଉଥାନ୍ତି। ଓଳିଏ ଖାଇଲେ କେତେବେଳେ ଦୁଇ ଓଳା ଉପବାସ। ଏହି ତ ଗରୀବ ବାପୁଡାର ଜୀବନ ବିନ୍ୟାସ। ତଥାପି ଏତେ ସବୁ ସତ୍ତ୍ୱେ ନିଜର ଗଭୀର ଆତ୍ମବିଶ୍ଵାସ, ଧୀଶକ୍ତି ଓ ପଠନ ପିପାସା ଶିବ ବାବାଙ୍କୁ ରୋକି ପାରିନଥିଲା ମାଟ୍ରିକ ଯାଏଁ ପଢିବାକୁ।

ସେଦିନ ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ, ଘରକୁ ଜଣେ ତାମ୍ବ୍ର ବର୍ଣ୍ଣଧାରୀ ବାବାଜୀ ଆସିଥିଲେ। ବେଶ୍ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ ଓ ଉଦାର ଚରିତ୍ର ପରି ପ୍ରତିଭାତ ହେଉଥାନ୍ତି। ପିଲାଟିର ମୁହଁକୁ ଚାହିଁ ଦେଇ ମାଆଙ୍କୁ କହିଥିଲେ – “ଏ ପିଲା ବିଶ୍ୱର ଧର୍ମ ଜାଜକ ପାଲଟିବ। ଆପଣା ଅଲୌକିକ ପଣିଆ ଓ ବିଦ୍ୱାନ ବ୍ୟକ୍ତିତ୍ୱ ପାଇଁ ସାରା ବିଶ୍ୱରେ ଦିନେ ପରିଚିତ ହେବ” । ଏତିକି କହି ବାବାଜୀ କେଉଁଆଡ଼େ ଚାଲି ଯାଇଥିଲେ ତାଙ୍କର ସନ୍ଧାନ କାହିଁ ଏ ଯାଏଁ ଆଉ କେହି ପାଇନାହିଁ।
ଯାହା ବି ହେଉ କଷ୍ଟେମଷ୍ଟେ ପିଲାଟି ବି. ଏ. ଖଣ୍ଡକ ସ୍ଥାନୀୟ ବାସୁଦେବପୁର କଲେଜରୁ ପଢି କୃତିତ୍ଵର ସହ ପାସ କରିଗଲା। ଜଣେ ବଦାନ୍ୟ ବ୍ୟକ୍ତି ପିଲାଟିର ଜ୍ଞାନ ଗାରିମାରେ ପ୍ରୀତ ହୋଇ ଥରେ ଶହେଟି ଦୁଇ ଟଙ୍କିଆ କଏନ୍ ଥଳୀଟିଏ ହାତକୁ ବଢ଼ାଇ ଦେଇଥିଲେ, ସେହି ସେତିକିରେ କୌଣସି ପ୍ରକାର ପଢ଼ା ଖର୍ଚ୍ଚଟି ଉଠି ଗଲା। ଏବେ ‘କ’ଣ କରିବେ କ’ ଣ କରିବେ’ ବୋଲି ମନ ବଡ଼ ଘୂରି ସାରି ହେଉଥାଏ। କିଛି ଗୋଟେ ବୁଦ୍ଧି ବାଟ ମୁଣ୍ଡକୁ ଯୁଟୁ ନଥାଏ। ବାପା ଚାହୁଁଥାନ୍ତି ସୁଦୂର କଲିକତାର ବଙ୍ଗାଳୀ ବାଡ଼ିରେ ପୂଜାପୂଜି କରି ଦି’ ପଇସା ରୋଜଗାର କରିବାକୁ କୁଆଡୁ କାହା ସହ କଥା ହୋଇସାରିଛନ୍ତି । ପିଲାଟିି କିନ୍ତୁ ଚାହୁଁ ଥାଏ ଆହୁରି ପଢିବ। ମାଆଙ୍କ ସାମ୍ନାରେ ବିଚାରଧାରା ବ୍ୟକ୍ତ କରିବାରୁ ମାଆ କ୍ଷୀର, ଦହି ଓ ଘସି ବିକି ରଖିଥିବା ଜୀବନ ତମାମର ସମ୍ବଳ ପିଲାଟି ହାତକୁ ବଢ଼ାଇ ଦେଲେ। କହିଲେ – “ପୁଅରେ! ଏଇ ନେ, ଏଇଥିରେ ତୋର ଯାହା ଇଛା ସେୟା କର, ହେଲେ ଗୋଟିଏ କଥା ମନେ ରଖିଥିବୁ – ମନ ଯାହା କହିବ ଥରେ ବିବେକକୁ ମାତ୍ର୍ ପଚାରି ବୁଝିବୁ, ତେଣିକି ତୋ ଭାଗ୍ୟରେ ଯାହା ଅଛି ସେୟା ହିଁ ହେବ”। ସେଦିନ ସେହି ଷାଠିଏ ପଇସାର ପୁଞ୍ଜି ଧରି ସେ ଭଦ୍ରକ ଷ୍ଟେସନ ଅଭିମୁଖେ ଯାତ୍ରା କଲା। ମନରେ ଅହେତୁକ କୌତୁହଳ ନୂଆ କରି ଭଦ୍ରକ ସହର ଓ ଷ୍ଟେସନ ଦେଖିବ। ଏହି ସମୟରେ ଟ୍ରେନ୍ଟିଏ ଷ୍ଟେସନରେ ପହଂଚିବାରୁ ରେଲିଂ ଧରି ସିଧା ଭିତରକୁ ଉଠିଗଲା। ନୂଆ ଲୋକବାକ ଦେଖି ଆକାବାକା ହୋଇଯାଉଥାଏ। କୁଆଡେ ଯିବ କ’ଣ କରିବ ବୋଲି ମନରେ କୌଣସି ସ୍ଥିରତା ଆସୁ ନଥାଏ, କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ବି ନଥାଏ। ବର୍ଣ୍ଣବୋଧରେ ପଢ଼ିଥିବା’ କଟକ ସହର ଧବଳ ଟଗର’ ମନେ ପଡିଯିବାରୁ ସେହି ଆକର୍ଷଣରେ କଟକ ଲେଖା ଯାଇଥିବା ସହରରେ ସେ ଓହ୍ଲାଇ ପଡ଼ିଲା। ସେହି ପ୍ଳାଟ ଫର୍ମରେ ଏଗାର ଦିନ ବିତିଗଲା। ଗାଧୁଆ ପାଧୁଆ ନାହିଁ କି ବଳକା ଲୁଗା ଖଣ୍ଡେ ନାହିଁ ବଦଳେଇବାକୁ। ପ୍ରତ୍ୟେହ ପାଞ୍ଚ ପଇସାରେ ମଟର କିଣେ, ସେଥିରୁ ସକାଳେ ଅଧା ଓ ରାତିରେ ଅଧା ଖାଇ ପାଣି ପିଇଦିଏ। ଏଇମିତି ପଞ୍ଚାବନ ପଇସା ଶେଷ। ଆଉ ବଳକା ପାଞ୍ଚ ପଇସା ଆଜି ବି ଲଟକିଛି ବେକରେ ମାଳା ହୋଇ।

ଏହା ଭିତରେ ଦୀର୍ଘ ଏଗାର ଦିନ ଅତିକ୍ରାନ୍ତ୍ ଉତ୍ତାରୁ ମ୍ବାଇରୁ ଟ୍ରେନ୍ ଯୋଗେ ଫେରୁଥିଲେ ଦୟାର୍ଦ୍ର ଚିତ୍ତ ରାମ ଚନ୍ଦ୍ର ପଣ୍ଡା ମହୋଦୟ। ଘଟଣାକ୍ରମେ ପିଲାଟି ପାଖ ଦେଇ ଅତିକ୍ରମ କରି ଯାଉଁ ଯାଉଁ ଅଟକିଗଲେ କ୍ଷଣେ। ପଚାରିଲେ – “ଖାଇଛୁ” ?
– ନାଁ
-“ଖାଇବୁ” ?
-ହଁ
ଆଉ ବିଶେଷ କିଛି ପଚାରି ନାହାଁନ୍ତି। ସିଧା ପିଲାଟିକୁ ସାଥିରେ ଧରି ନେଇ ଆସିଲେ ଘରକୁ। ସାବୁନ୍ ଦେଲେ, କହିଲେ – “ଘସି ଘାସି ହୋଇ ଗାଧୋଇ ପଡ଼”। ତାପରେ ପେଟପୂରା ଖାଦ୍ୟ ଓ କିଛିଟା ଆଳାପ ଆଲୋଚନା। ସେଇଠୁ ଆରମ୍ଭ ହେଲା ଜୀବନର ଏକ ନୂଆ ମୋଡ। ଟିଉସନ୍ ହେଲା ଜୀବନର ପେଶା। ରହଣି ଜାଗା ରାମ ଚନ୍ଦ୍ର ପଣ୍ଡା ଘର। ନିଜ ଅଧ୍ୟୟନ ଓ ଅଧ୍ୟବସାୟ ଜୀବନରେ ସାଧନା କିନ୍ତୁ ଅହରହ ଚାଲିଥାଏ। ଗୋଟେ ପଟେ ସାହିତ୍ୟର ସାଧନା ଓ ଅନ୍ୟପଟେ ଗୋଟେ ପରେ ଗୋଟେ ବିଷୟରେ ପରୀକ୍ଷା ଦେଇ ସାତଟି ବିଷୟରେ ଏମ୍. ଏ ପାଶ୍।ତହୁଁ ରାଜଧାନୀ କଲେଜରେ ମିଳିଗଲା ଚାକିରୀଟାଏ – ସେଇ ବିରଳ ପ୍ରତିଭାଙ୍କୁ। ପୁଣି ସେଦିନ ଏମିତି କ’ଣ ହେଲା କେଜାଣି, ସରକାରୀ ଚାକିରୀର ମୋହ ଛାଡ଼ି ଶିବ ବାବା ଚାଲିଲେ ହିମାଳୟ ପାଦଦେଶ। ଯେଉଁଠି ସେ ଘୋର ତପସ୍ୟାରେ ଜୀବନରେ ମୂଲ୍ୟବାନ୍ ଅଢେଇଟି ବର୍ଷ ସାଧନାରେ କାଟି ଦେଲେ। ସେଇଠି ପୁଣି ତାଙ୍କର ଭେଟ ହୁଏ କାଞ୍ଚି କାମ କୋଟିର ଶଙ୍କରାଚାର୍ଯ୍ୟଙ୍କ ସହ।ଯାହାଙ୍କ ସାହଚର୍ଯ୍ୟ ପାଇ ସେ ମାତିଗଲେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ପାଇଁ – ବେଶ୍ କିଛି ଦିନ। ତହିଁ ଉତ୍ତାରୁ ଫେରି ଆସିଲେ ପୁଣି କଟକ ସହର ସେଇ ପୁରୁଣା କର୍ମ ଭୂମିକୁ ଯେଉଁଠୁ ସେ ବାସ୍ତବ ଜୀବନ ଆରମ୍ଭି ଥିଲେ।ପରିଶେଷରେ ପିତାମାତାଙ୍କର ଦେହାନ୍ତ ଖବର ଶୁଣି ଦୁଃଖ ଓ ପରିତାପରେ ଭାଙ୍ଗି ପଡିଥିଲା ମନ।

ତେଣୁ ଏବେ ଭଦ୍ରକରେ ସେ ଅବସ୍ଥାପିତ,ଯାହାକି ପାଲଟିଛି ତାଙ୍କ ସାଧନାର ପୀଠସ୍ଥଳୀ। ଯେଉଁଠି ସେ ରଚନା କରିଚାଲିଛନ୍ତି ଗୋଟେ ପରେ ଗୋଟେ କାହିଁ କେତେ ସାହିତ୍ୟିକ କୃତି। ଏବେ ସୁଦ୍ଧା 1566 ଖଣ୍ଡ ବହି ପ୍ରକାଶିତ ହୋଇ ସାରିଲାଣି। ଆହୁରି ଅନେକ କୃତି ପ୍ରକାଶନୀ ଅପେକ୍ଷାରେ। ଧର୍ମ, ଦର୍ଶନ, ପୁରାଣ, ପ୍ରକୃତି, ଶିଶୁ ସାହିତ୍ୟ, ନୀତି ଓ ହେତୁ ଉପଦେଶ, ଜୀବନୀ, ସାମାଜିକ ସଂସ୍କାର ପାଖରୁ ଆରମ୍ଭ କରି ପ୍ରାୟତଃ ସାହିତ୍ୟର ସବୁ ବିଭାବ ଓ ବିଭାଗରେ ଅଶୀ ଚାଳନା କରି ସେ ଏକ ବିରଳ କୃତିତ୍ଵରେ ମହିମା ମଣ୍ଡିତ।ଏହି ଅନନ୍ୟ ପ୍ରତିଭାଧର ବ୍ୟକ୍ତିତ୍ୱ ନିକଟରେ ଆଧ୍ୟାତ୍ମିକତା, ତ୍ୟାଗ, ବିଦ୍ ବତ୍ତା ଓ ସେବା ମନୋବୃତ୍ତିର ଅପୂର୍ବ ସମନ୍ଵୟ ଘଟିଛି। ସେ ଏକାଧାରରେ ଜଣେ ସଂସ୍କୃତିପ୍ରାଣ, ଗବେଷକ, କବି, ଗାଳ୍ପିକ, ଲେଖକ, ନାଟ୍ୟକାର, ପ୍ରାବନ୍ଧିକ, ପ୍ରବକ୍ତା, ସମ୍ବାଦିକ, ଏବଂ ଯୋଗ ତଥା ଜ୍ୟୋତିଷ ବିଶାରଦ।ସାହିତ୍ୟର ବହୁବିଧ ଦିଗକୁ ପୁଷ୍କଳ କରିଛି ଆଜି ତାଙ୍କର କୃତି ରାଜି।

ହେଲେ ମନରେ ପ୍ରଶ୍ନ ଉଠେ ଏହା କି ସମ୍ଭବ?
8.ବୁଢୀ ଜାଗୁଳାଈ
ଆମେ ଆଜି କାଲି ସମସ୍ତେ ସହରୀ । ଗାଁ କୁ ବର୍ଷେ / ଛଅ ମାସରେ କେବେ ଥରେ ଯାଏ । ପୁଣି ଅଳ୍ପ ସମୟ ରହେ । ଗାଁ ସହ ଆମର ସଂପର୍କ ଖୁବ୍ କମ୍ । ପୁଣି ଆମେ ଗାଁ ରୀତି-ନୀତି, ଚାଲି-ଚଳନୀ, ବିଶ୍ୱାସ-ସଂସ୍କୃତି ସଂପର୍କରେ ସଂପୂର୍ଣ୍ଣ ଅନଭିଜ୍ଞ । ମାତ୍ର ଗାଁର ଯେଉଁ ଗୋଟିଏ ଅଧେ ରୀତି-ନୀତି, ପରମ୍ପରା ମନେପଡ଼େ – ତାହା ଭାରି କୌତୁହଳପ୍ରଦ । ଗାଁର ପର୍ବ-ପର୍ବାଣୀ, ଯାନି-ଯାତ୍ରା, ଉପବାସ-ବ୍ରତ ଟିକିଏ ଭିନ୍ନ ପ୍ରକାରର । ଆମ ସହର ପରିକା ଆଦୌ ନୁହେଁ । ପୁଣି ଗାଁର ପୁନେଇ ପର୍ବ, ପିଠା-ପଣା ଏକ ଭିନ୍ନ ସ୍ୱାଦର । ଭିନ୍ନ ରୁଚିର ।

ଯେତେ ସହରର ଚାକଚକ୍ୟ, ସୁବିଧା -ସୁଯୋଗ ସବୁ ଥାଉନା କାହିଁକି ମନ ଡ଼ାକେ ଟିକିଏ ଗାଁ ଆଡ଼େ ଯାଇ ବୁଲି ଆସିବାକୁ । ଆଜି ଗାଁକୁ ମୁଁ ବାହାରି ଥାଏ । ଗାଁ ମୁଣ୍ଡ ଜାଗୁଳାଇ ଠାରେ ପହଁଞ୍ଚିଛି କି ନାହିଁ, ମନେ ପଡ଼ିଗଲା ପିଲାଦିନର କଥା । ମୁଁ ଛୋଟ ହୋଇଥିଲି ଆଉ ଥରେ ଏମିତି ମୁଁ ଗାଁକୁ ଆସିଥିଲି ……….. ।

ଗାଁରେ ମୋଟେ ବର୍ଷା ହେଉ ନଥିଲା। ଲୋକଙ୍କର ଭାଳେଣି ପଡ଼ି ଯାଇଥାଏ – “କେମିତି ଚାଷ ହେବ? ରୁଆ ପୋତା ହୋଇ ନାହିଁ। ଦଇବ ନିଷ୍ଠୁର ସାଜିଛି। ଗାଁରେ ପାପ – ତାପ ବଢି ଗଲାଣି। ମିଟି ମିଟିଣି ଡାକ।”

ଗାଁ ସାରା ଏକାଠି ହେଲେ । କଥା ହେଲା – “ଦୁଇ ଟଙ୍କା ଲେଖାଏଁ ଆଦେଇ ହେବ । ସାତ ନଈରୁ ପାଣି ଆସିବ । ନଡ଼ିଆ, କଦଳୀ, ଗୁଡ଼, ଚୁଡ଼ା, ଝୁଣା, ଗୁଗୁଳ, ଧୂପ, ଦୀପ, ବସାଦହି, ପଣା, ପାଣି , ଭୋଗରାଗ ସବୁ ଆସିବ ।

ସ୍ଥିର ହେଲା – “ଠାକୁରାଣୀ ଗାଧୁଆ-ପାଧୁଆ ହେବ । ଗ୍ରାମର ଗ୍ରାମ ଦେବତୀ ବୁଢୀ ଜାଗୁଳାଇଙ୍କୁ ଗାଧୋଇ ଦିଆଯିବ । ଆଉ ପୁଣି ପ୍ରତି ସାହିରେ କୀର୍ତ୍ତନ ଗୋସାଇଁ ଠାକୁର -ବାକୁର ଅଛନ୍ତି- ସେ ବି ଏକା ବେଳକେ ଗାଧୋଇବେ ।”

ଠାକୁରାଣୀ ଗାଧୋଇ ଦେବା ଦିନ ଧାର୍ଯ୍ୟ ହେଲା । ଜଣେ କହିଲା – “ମଙ୍ଗଳବାର ବା ଶନିବାରକୁ ରଖ । ସେ ଦି’ଟା ମା’ଙ୍କ ବାର ।” ସେୟା ହେଲା, ଶନିବାରକୁ ସ୍ଥିର ହେଲା । ଗାଧୋଇ ଦେବାର ସମୟଟା ମଧ୍ୟ ବଡ଼ ବିଚିତ୍ର ଲାଗୁଥାଏ । ଜଣେ କହିଲା – “ଉପର ଓଳିକୁ ରଖ ।” ମୁଁ ଜାଣିଥାଏ ଲୋକ ସକାଳୁ ସକାଳୁ ଉଠି ଗାଧୋଇ ପଡ଼େ । ନିଜ ନିତ୍ୟକର୍ମ ସାରି କାମ -ଧନ୍ଦାକୁ ଚାଲିଯାଏ । ନତୁବା କେହି କେହି କାମ-ଧନ୍ଦା ସାରି ଦିପହର ବେଳକୁ ଗାଧୋଇ ଖାଇଥାଏ । ହେଲେ ସଂଜୁଆ ଠାକୁରାଣୀ କେମିତି ଗାଧୋଇବେ ? ଓ……ହୋ …..ସେ ପରା ଠାକୁରାଣୀ -ତାଙ୍କର ସବୁ ଅଲଗା । ତାଙ୍କ ଗାଧୋଇବାର ବେଳଟା ବି ଟିକିଏ ଅଲଗା । ନା …..ନା….. ସକାଳେ ଯେଣୁ ଗାଁ ଲୋକ ସବୁ ଚାଷ କାମରେ ମାତିଥିବେ ଆଉ ଉପର ଓଳିକୁ ସେମାନେ ଏକ ଓଳିଆ କରି ଘରକୁ ଫେରି ଆସିଥିବେ, ସେଇଥିପାଇଁ ଠାକୁରାଣୀ ବୋଧେ ସଂଜ-ସଂଜୁଆ ଗାଧୋଇବେ । ହେଲେ ଠାକୁରାଣୀ ଯଦି ସର୍ଦ୍ଦିରେ ପଡ଼ି ଛିଙ୍କି ହେବେ ? ଜ୍ୱରରେ ପଡ଼ି ଆକ୍ରାନ୍ତ ହେବେ ?? ଆମ ମଣିଷଙ୍କ କଥା କିଏ ବୁଝିବ ??? ଓ …..ହୋ…. ସେଇଥିପାଇଁ ତା’ହେଲେ ଠାକୁରାଣୀଙ୍କୁ ଘିଅ ଲଗାଇ ଦେବେ । ଦିହ ଗରମ ରହିବ ବୋଲି । ପୁଣି ପଣା ପାଣି କଅଣ ହେବ ? ସେଇଟା ନିଶ୍ଚୟ ସିରାପ ହୋଇଥିବ । ସର୍ଦ୍ଦିକୁ କାଟୁ କରିବ …. ।

ଏଥର ଠାକୁରାଣୀ ଗାଧୋଇ ଦେବା ଦିନ ଆସିଗଲା । ଲୋକେ ବିଲ ବାଡ଼ିରୁ ଫେରି ଆସିଲେ । ପେଟେ ଖାଇ ବାହାରି ପଡ଼ିଲେ – ହାତେ ଖୋଳ କରତାଳ – ଧରି । ଢମ-ଢମ ଢୋଲ, ଝମ-ଝମ ଝାଞ୍ଜ ଶଦ୍ଦ ଶୁଣି, ଆଉ କି କେହି ଘରେ ରହେ ? ଗାଁଟା ଯାକ ଛୁଆ ଲାଇନ୍ ଲଗେଇ ଦେଲେ । ପାଟି କରି ହୋ ହାଲ୍ଳା ମଚାଉଥାନ୍ତି । ମାଗୁଣୀ ନନାବି ଆସିଯାଇଥାନ୍ତି । ସେ ଭାରି ମନ୍ତ୍ର ବୋଲିଲା ବାଲା । ବଡ଼ ପାଟି କରୁଥା’ନ୍ତି । ଏକା ନିଶ୍ୱାସକେ ମନ୍ତ୍ର ଗୁଡ଼ାକ ପଢି ଯାଉଥା’ନ୍ତି । ମଝିରେ ଯାହା ଟିକିଏ ରହି ଯାଉଥା’ନ୍ତି । ବୋଧହୁଏ ଏଇଠି ଟିକିଏ ମନ୍ତ୍ରଟା ମନେ ପଡ଼ୁନଥାଏ । କିମ୍ବା ନିଜକୁ ଲୁଚାଇବା ପାଇଁ ଗୁଣୁ ଗୁଣୁ ହୋଇ, ମନ୍ତ୍ରଟାକୁ ଗୋଳେଇ ଦେଉଥାନ୍ତି । ନା ……..ଲୋକେ କୁହନ୍ତି ସେ ଭାରି ପାଠୁଆ ନନା । ତା ହେଲେ ………..ତାଙ୍କ ପାଟି ବୋଧେ ଶୁଖି ଯାଉଥିବ ବା ସେ ନିଶ୍ୱାସ ଢୋକୁଥିବେ ।

ଏଣିକି ଭୋଗସବୁ ସଜଡ଼ା ଗଲା। ନନା ଆଗ ଭୋଗ ସବୁ ଭାଗ କରିଦେଲେ । ଇଏ ବଡ଼ ଠାକୁର ଟିକିଏ ଅଧିକା । ଇଟ ଛୋଟ ଠାକୁର ଟିକିଏ କମ୍ । ସାହି ଦେହୁରିଙ୍କୁ ଡ଼ାକି ଧରାଇ ଦେଲେ । କହିଲେ- “ଆଗ ଗ୍ରାମ ଦେବତୀଙ୍କ ଭଉଣୀ ସାହି ଠାକୁରାଣୀ ଓ ଠାକୁରଙ୍କୁ ଗାଧୋଇ ଦେଇକି ଆସ । ନୋହିଲେ ଅନ୍ୟ ଦିଅଁ-ଦେବତା ମନ ଉଣା କରିବେ ।”

ଇତ୍ୟବସରରେ ନନା ଆଗୁଆ ଭୋଗ ସବୁ ପ୍ରସ୍ତୁତ କରି ରଖୁଥା’ନ୍ତି । କଦଳୀ ଛଡ଼ା ଗଲା । ନଡ଼ିଆ ଭଙ୍ଗା ଗଲା । ଘିଅ, ମହୁ, ବସାଦହି ଢଳାଗଲା । ଗୁଡ଼ -କର୍ପୂର ପଡ଼ିଲା । ଛୁଆ ଡ଼େଇଁଲେଣି ଭୋଗ ଖାଇବାକୁ ।

ଏବେ ପଣା-ପାଣିର ପ୍ରସ୍ତୁତି ଚାଲିଲା । ବଡ଼ ଲୋକମାନଙ୍କର – ତା’ଠେଇଁ ଭାରି ନଜର । କହିଲେ – “ନନା ! ଠାକୁରାଣୀଙ୍କୁ ଦେଇ, ଆଉ ଯାହା ହେଲା, ଟିକିଏ ଅଲଗା ରଖିଥିବୁ । ସେଥିରେ ଟିକିଏ ଭାଙ୍ଗ ଜୋହର ପକେଇବୁ” । – “ଆମକୁ ଟିକିଏ ଦେବୁ ଲୋ ନନା”- “ଢାଙ୍କି-ଢୁଙ୍କି ନନା ରଖିଥା’ । ନୋହିଲେ ଛୁଆ କେତେବେଳେ ହାପୁଲା ମାରି ଦେବେ ।”

– “ମୋତେ ଟିକିଏ ନଡ଼ିଆ ନଡ଼ିଆ ବାଛିକି ନନା ଦବୁଲୋ ।” ନନା ସମସ୍ତଙ୍କ କଥା ଶୁଣି ଶୁଣି ବିରକ୍ତ ହୋଇ ଉଠୁଥାନ୍ତି । ଛୁଆ ଥଟ୍ଟା କରୁଥାନ୍ତି – “ଏ ଚିଡ଼ୁଆ ନନା! ଟିକିଏ ୟାଡ଼କୁ ଅନା” । ଏଥର ନନା ଚିଡ଼ିକି କହିଲେ- “ମୋତେ କେଣ୍ଟା ମେଣ୍ଟା କରୁଛ ବଡ଼ ଚିଟା ନାଗୁଛି; ଏଇଲାଗେ ଛାଡିକି ପଳେଇବି ଯେ…..ତୁମେ ତୁମର ସବୁ କରୁଥା’ ।” – “ନା …….ଲୋ …..ନନା ! ତୁ କାହିଁକି ଇମିତି ରାଗୁଛୁ । ହୋଉ ……..ହୋଉ…ତୁ ମୋତେ ସଢେଇଟା ଦେନି । ମୁଁ ଆଗୁଆ ରଖିଥାଏଁ । ଛୋଟିଟା ପାଇଁ ଟିକିଏ ଭୋଗ ନେମି । ନହେଲେ ସେ କାନ୍ଦିବ” ।

ଏଥର ଚୂଡ଼ାନ୍ତ ପର୍ବ । ଧୂପ -ଦୀପ ଥୁଆ ହେଲା । ଠାକୁରାଣୀ ଘିଅ-ହଳଦୀ ମାଖି ହେଲେ । ଅଗୁର ଅତର ନାଇଲେ । ସାତ ନଈର ପାଣି ଢଳା ହେଲା । ନାଲି କପଡ଼ା ପିନ୍ଧିଲେ, ସିନ୍ଦୂର-ଚନ୍ଦନ ଟିପା ଲଗାଇଲେ । ଠାକୁରାଣୀଙ୍କ ଗାଧୁଆ-ପାଧୁଆ ଚାଲିଲା । ନନା କହିଲେ- “ଖୋଳ କରତାଳ ଜୋହର କରି ବାଡ଼ା; ସମସ୍ତେ ଶଙ୍ଖ ହୁଳହୁଳି ଦିଅ” ।

ଏଥର ଅନନ୍ତ ହାଜିରା କୋଉଠି ଥିଲା କେଜାଣି ? ଦୌଡ଼ି ଦୌଡ଼ି ଆସିଲା । କୁଆଡ଼େ ଅରୁଆ ଭାତ ଖାଇ ଘରେ ଶୋଇଥିଲା । ଲୋକେ କୁହା କୁହି ହେଉଥିଲେ- “ତା’କୁ ଭାରି କାଳିସୀ ଲାଗେ । ତା’ର ଦେବତା ଗଣ ବୁଢୀ ଠାକୁରାଣୀ- ଜୀଅନ୍ତା ଦେବତା। ତା’ର ଭାରି ପ୍ରତାପ । କଞ୍ଚା ଖାଇ ଯିବ ।” ମୁଁ ଟିକିଏ ଡ଼ରି ଗଲି । ଦିହଟା ଶୀତେଇ ଉଠିଲା ।

ଏଥର କାଳିସୀ ଦମେ ନାଚିଲା । ଡ଼େଇଁ -କୁଦି ଖାଲି କୁହାଟ ମାରୁଥାଏ । ହାତ-ଗୋଡ଼ ମୋଡ଼ି-ମୋଡ଼ି କରି ସାପ କରୁଥାଏ । ଦେହଟା ସାରା ମେଲେରିଆ ଜ୍ୱର ହେଲା ପରି ଖାଲି କଂପୁଥାଏ । ଥର-ଥର ହୋଇ କଥା କହୁଥାଏ । ଘୁମୁରି ପାରା ଭଳି ଘୁମୁରୁ ଥାଏ ।

ଏବେ ସେ ଚେକା ମାଡ଼ି ବସି ପଡ଼ିଲା, ଖାଲି ଦୋହଲୁ ଥାଏ । ଗାଁର ଦି-ଚାରି ଜଣ ପୁରୁଖା ବାଟ ଆଡ଼େଇ ଆଗକୁ ତଡ଼ି ନେଲେ । କହିଲେ- “ରୁହବେ ଛୁଆ! ପାଟି କରନା; ଠାକୁରାଣୀ ଆଇଛନ୍ତି; ଭଲମନ୍ଦ କଅଣ ପଚାରି ବୁଝିବା ।”

ଝାଡ଼ାଫେରିଲା ପରିକା ତା’ ଆଗରେ ବସି ପଡ଼ିଲେ । କହିଲେ – “ମାଲୋ ….ମା ..କୁଆଡ଼େ କେମିତି ଆଇଲୁ ? ବର୍ଷା ପାଣି ଖବର କଅଣ ? ? ବିଲ ପୋଖରୀ ତ ଶୁଖି ଗଲାଣି ।”

ଏଥର ଠାକୁରାଣୀ କହିଲେ – “ଘୋର ଅନ୍ୟାୟ…କଳି କାଳ ଉପସ୍ଥିତ ….ଲୋକେ – ଠାକୁର ବାକୁର ମାନୁ ନାହାଁନ୍ତି ” ।

ଏତିକି ବେଳେ ଗୋଟେ ଛୁଆ କହିଲା – “ଇବେ ……ଏ’ଅନନ୍ତା ଗୋସିପା ଏଇଁନ୍ତି କଅଣ ହଉଚି”?

ଠାକୁରାଣୀ ରାଗିଗଲେ । କହିଲେ – “ଏ ନିଷ୍ଠୁର ବାଳକ! ମୋତେ ଜାଣ ନାହିଁ ……ଅନାନି କହୁଚି ……ନିଆଁ ନଗେଇ ଦେମି । ସବୁ ଜାଳି ପୋଡ଼ି ପାଉଷଁ କରିଦେମି । ମୋତେ ତୁମେ ହାସ୍ୟ କରୁଛ ……?

ମୁରବୀମାନେ ନେହୁରା ହେଲେ କହିଲେ- “ମାଲୋ! ନିଷ୍ପାପ ଛୁଆଟା, କିଛି ଜାଣି ନାହିଁ । ତୋରି ଛୁଆ ତୁ କ୍ଷମା ଆଚରଣ କରିବୁ ନାହିଁ ତ, ଆଉ କିଏ କରିବ କହିଲୁ ? ହଉ….ବର୍ଷା ପାଣି କଥା କଅଣ ଟିକିଏ କହନି” ….

ଠାକୁରାଣୀ କହିଲେ – “ନନାକୁ ଆଗ ଡ଼ାକ; ଝୁଣା ଧୂଆଁ ଟିକିଏ ଭଲ କି ଦେଉ” । ନନା ଝୁଣା ଧୂଆଁ ଦିଅନ୍ତେ, ବେତରେ ଦି-ଚାରି ପାହାର କଷି ଦେଲେ । କହିଲେ- “ଆଗ ପଣା-ପାଣି କଥା କାହିଁକି ଭୁଲି ଗଲୁ? ନନା ତରବରରେ ପଣା ହାଣ୍ଡିଟା ଆଗରେ ଥୋଇ ଦେଲା । ଛୋଟ ମାଟି କଳସୀରେ , କଳସୀ କଳସୀ ଢାଳି ଦେଲା । ଠାକୁରାଣୀ କହିଲେ- “ଏଣିକି ଆଉ ଯାହା ରହିଲା ମୋ ଭକ୍ତଙ୍କୁ ବାଣ୍ଟି ଦେ । ପଣା ପାଇଁ ଠେଲା -ଠେଲି, ଚଢା ଚଢି ହେଉଥା’ନ୍ତି । ଠାକୁରାଣଈ ପୁଣି କହିଲେ – “ବର୍ଷା ହେବ ଯେ, ହେଲେ ଗାଁରେ ଆଗେ ବିବାଦ ତୁଟାଅ ।”

“ଗାଁରେ କାଁ ଭାଁ ଗଣ୍ଡଗୋଳ ଲାଗିଗଲାଣି; ଠାକୁରାଣୀ ରାଗି ଗଲେଣି;ଉପାୟଟା ଆଗେ ପଚାରି ବୁଝ”- ମଧୁ ବଡ଼ପା କହିଲେ ।

– “ଉପାୟ ଅଛି । ହେଲେ ଦୋଳିଆ ଆଗ ବାଡ଼ ଉଠାଉ । ଠାକୁରାଣୀ ରାତିରେ ତାଙ୍କ ଭଉଣୀ ଠାକୁରାଣୀଙ୍କ ପାଖକୁ ଯାଇ ପାରୁ ନାହାଁନ୍ତି। ତାଙ୍କ ଯିବା ଆସିବା ବାଟ ସବୁ ବନ୍ଦ ହୋଇ ଯାଇଛି । ମାଧିଆ କେସ୍ ଉଠାଉ। ସନା ହିଡ଼ ଉଠାଉ । ଗାଁ ସାରା ଲୋକ ବଡ଼ି ଭୋରରୁ ଉଠି, ଦାଣ୍ଡରେ ଲିପା-ପୋଛା କରି, ପଣା ଢାଳନ୍ତୁ । ଗାଁକୁ ବୁଢୀ ଠାକୁରାଣୀ ଆଇଛି । ହଇଜା, ମହାମାରାୀ ବ୍ୟାପିବ । ତେଣୁ ସାତ ଦିନ ରାତିରେ ଗାଁ ସାରା ଅରନ୍ଧା ବଢା ରହିବ । ସଂଜେ ବାଡ଼ି ଠାକୁରାଣୀ ଉଦେ୍ଦଶ୍ୟରେ ସମସ୍ତେ ସଂଜ ଦେବେ ।”

– “ଗାଁରେ ଏତେ ଲୋକ ଅଛନ୍ତି; ହେଲେ ଦୋଳିଆ ବଡ଼ପା ଏକା କାହିଁକି ବାଡ଼ ଉଠେଇବ ? ହଁ ….ହଁ ମନେ ପଡ଼ିଗଲା । ନୁହଁ …..ନା… ଅନନ୍ତ ଗୋସିପାହର ଗୋ ମା ସହିତ ଦୋଳିଆ ବଡ଼ପାହର ବଡ଼ମା’ର ଝଗଡ଼ା ହୋଇଥିଲା ପା …. ।

ଏଥର ଠାକୁରାଣୀ ଉଠିଲେ । କହିଲେ ତାଙ୍କ ଯିବା ସମୟ ହୋଇଗଲାଣି, ଖାଳି ଗାଁଟାକୁ ବନ୍ଦନ କରି ଦେଇକି ଯିବେ । ଦୁଷ୍ଟ ଶକ୍ତି, ଭୂତୁଣୀ -ପୁତୁନୀ, ଡ଼ାହାଣୀ-ଚିରିକୁଣୀ ଗାଁରେ ପଶି ପାରିବେ ନାହିଁ । ଝୁଣା ଧରି ଦୌଡ଼ିଲେ, ଶଙ୍ଖ, ହୁଳହୁଳି, ମୃଦଙ୍ଗ, ଝାଞ୍ଜ ପୁଣି ବାଜିଲା । ଠାକୁରେ ନାଚି ନାଚି ଆଗେ ଚାଲିଲେ । ପିଲାଏ ହୋ…..ହୋ…. ହୋଇ ପଛେ ପଛେ ଧାଇଁଲେ । ଗାଁ ଦୋଷମାଳୀରେ କୁକୁଡ଼ା ବଳି ଦେଲେ । କହିଲେ – “ଗାତ ଖୋଳି ପୋତି ଦିଅ, ରାତିରେ ବୁଢି ଠାକୁରାଣୀ ଆସି ଖାଇବ” । ଏବେ ଗାଁ ପରିକ୍ରମା ସରିଲା ଅନନ୍ତ ଗୋସିପା ଠାକୁରାଣୀ ଆଗେ ପଡ଼ି ଗଲେ । ଗୋଡ଼ ନାଠି କରିଦେଲେ । ଲୋକ ପାଣି ଛାଟି ସ୍ରାଷ୍ଟାମ କଲେ । ଟେକି ଟେକି ଘରକୁ ନେଇଗଲେ, ଠାକୁରାଣୀ ଗାଧୁଆ ସରିଗଲା । ଖାଲି ରହିଗଲା କୁକୁଡ଼ାଟା ପୋତା ହୋଇ । ଠାକୁରାଣୀ ରାତିରେ ଖାଇଲେ କି ନାହିଁ ? ସକାଳୁ ଯାଇ ଦେଖେ ତ ଗାତଟା ଖାଲି ପଡ଼ିଛି । ଅନନ୍ତ ଗୋସିପା ବାଡ଼ିରେ ଯାଇ କଣ୍ଟାଟା ପଡ଼ିଛି ।
9.ବଳି
SHARE2

ଗୋଧୂଳିର ବେଳା । ଚାରିଆଡ଼େ ସ୍ନାନ୍ତା-କାନ୍ତା ପରିବେଶ । ପ୍ରକୃତି ଅପରୂପ ଲାବଣ୍ୟରେ ଝଲସି ଉଠୁଥାଏ । ଗାୟାଳ ପିଲାଟି “ରାମ ଯେ ଲକ୍ଷ୍ମଣ ବନସ୍ତକୁ ଗଲେ” ଆଦି ମନ ମତାଣିଆ ଗୀତ ବୋଲି ବୋଲି ଚାଲିଥାଏ । ଆକାଶରେ ମେଘମାଳ ଦେଖି ମାଛି ଲାଗୁଥାଏ କି କଣ : ଗୋରୁ ପଲ ଲାଙ୍ଗୁଳ ଟେକି ଦୌଡ଼ୁଥାନ୍ତି । ହେଲେ ପିଲା ଦୁଇଟା ଖେଳରେ ମଜି ଯାଇଥା’ନ୍ତି । ଜାଣି ପାରୁ ନଥା’ନ୍ତି; ସଂଜ ଯେ ନଇଁ ଆସିଲାଣି ମା’ ତେଣେ ଚାହିଁ ରହିଥିବ । ହଠାତ୍ ବୁଢାଟିଏ ଆସି ଡ଼ାକିଲା –

“ଶୁଣୁ ବାବା! ଏଇଠିକି ଆ….ଅଇ”

– “କାହିଁକି ? ମୁଁ ଯିବିନି……”

– “ଚକ୍ଲେଟ୍ ଦେବି । ନେବୁ ନାହିଁ ?”

– “ଆଗ ଦେ”

– “ହୋଉ ନେ । ଆମ ଘରକୁ ଚାଲ ଆହୁରି ରଖିଛି ଦେବି”

– “ସତ କହୁଛୁ….ଦବୁ ……”

– “ହଁ………ହଁ………ସବୁ ଦେବି । ବସିକି ଖାଉଥିବୁ ମୋଟେ ସରିବନି ।”

ପିଲାଟି ବୁଢାର ବୋଲ ମାନି ଗଲା। ବୁଢା ସଙ୍ଗରେ ତା’ଘରକୁ ଗଲା। ବୁଢା ମନେ ମନେ ବେଶ୍ ପ୍ରୀତ ଥିଲା ପରି ମନେ ହେଉଥିଲା। ପିଲାଟି ଘର ଭିତରକୁ ପଶନ୍ତେ, ବୁଢା କିଳିଣି ଦେଇଦେଲା I ପିଲାଟା ଚିଲେଇ ଉଠିଲା –

“ଏଁ ……….ଏଁ…………କବାଟ କ’ଣ ଦେଇ ଦେଉଚୁ ।”

– “ଚୁପ୍ ପାଟି କରନା ।”

ତିନି ଦିନ ବିତିଗଲା । ଚାରିଆଡ଼େ ଖୋଜା ଖୋଜି କଲେ । କୁନା କିନ୍ତୁ ମିଳିଲା ନାହିଁ । ବାପା ମା’ ଦି’ଟା କାନ୍ଦି କାନ୍ଦି ବିଛଣାରେ ଲାଗି ଗଲେ । ଦିନ ସାରା ଖୋଜିବାରେ ଯାଏ । ରାତି ହେଲେ ଜଣେ ଆଉ ଜଣଙ୍କର ମୁହଁକୁ ଚାହିଁ ଚାହିଁ ରାତିଟା ପାହିଯାଏ । କୁନା ବୋଉଟାକୁ ମଟକା ମାରି ନେଲାଣି । ଯେଉଁଠି ବସୁଛି, ସେଇଠି । ହାତ ଗୋଡ଼ରେ କାମ ପଶୁ ନାହିଁ; ରୋଷେଇ ପତର ହୋଇପାରୁ ନାହିଁ । ଉପବାସ ଭୋକେ, ବିଛଣାରେ ବାପା ମା’ ହଳକ ପଡ଼ି ରହନ୍ତି । ସତେକି ନୁଆଁଣିଆ ଆକାଶଟା ମୁଣ୍ଡ ଉପରେ ଛିଡ଼ି ପଡ଼ିଛି; । ସଂସାର ତାଙ୍କର ଉଚ୍ଛନ ହୋଇଯାଇଛି,ମନରେ ଘୋଟି ଯାଇଥାଏ ବିଷାଦର କାଲିମା । ସତେବା ସିନ୍ଧୁରାଜ ବାଇ ଚଢେଇର ସୁଖରେ ଇର୍ଷାନ୍ୱିତ ହୋଇ , ଲହଡ଼ି ପଠାଇ ସାଥିରେ ନେଇ ଯାଇଛି, ବାଇ ଚଢେଇର ବସା ସହ ଏକମାତ୍ର ତା’ର ଏକୋଇର ବାଳା ବିଶିକେଶନକୁ । ବାଇ ଚଢେଇ ଦି’ଟା ବା କାହାର କ’ଣ କ୍ଷତି କରିଥିଲେ ? ମୁଣ୍ଡ ବାଡ଼େଇ ଖାଲି ଧକେଇ ଧକେଇ କାନ୍ଦି କୋଡ଼ି ଛେଚି ହେଉଥା’ନ୍ତି ।

ବଡ଼ିଭୋରରୁ ଉଠି କାମଧନ୍ଦା ପାଇଁ ମଦନା କେଉଁଆଡ଼େ ଚାଲିଯାଏ । ସବୁତକ ଅବାଟ ତା’ ପାଇଁ ବାଟ । ସଅଳ ଯେଉଁ ବାଟେ ହୁଏ, ସେହି ବାଟେ ସେ ଚାଲିଯାଏ । ସେଦିନ ସିନ୍ଦୂରା ଫାଟିବାକୁ ଡ଼େରି ଥାଏ । ଚାରିଆଡ଼େ ଆହୁରି ଅନ୍ଧାରୁଆ ଥାଏ । ସଅଳ ବିଛଣାରୁ ଉଠି ପଡ଼ି, ମଦନା ପାଖ ଗାଁକୁ ଚାଲିଲା । କେଉଁଠି ଗୋଟେ ମହୁ ବସାର ସନ୍ଧାନ ପାଇଥିଲା ବୋଧେ । ମହୁ ଫେଣା ସେ ଭାଙ୍ଗିବ । ସବୁ ସଂଗ୍ରହ କରି ବିକିବ । ଓଠରେ ବିଡ଼ି ଲଗାଇ ସଟକାଏ ଛାଡ଼ି ଦେଉଥାଏ । ଡ଼ର ଭୟ ତା’ର କାହାକୁ ନାହିଁ । ଚାରିଆଡ଼େ ନିସ୍ତବ୍ଧତା । କୂଆ କୋଇଲି କେହି ଉଠି ନଥାଆନ୍ତି । ହଠାତ୍ ଗୋହିରି ବିଲ ପାଖରେ ତା’ ଗୋଡ଼ଟା ଅଟକି ଗଲା । ସେ ଟିକିଏ ଡ଼ରି ଗଲା କି କ’ଣ ; ଛାତିରେ ପୁଳାଏ ଖଣ୍ଡ ଛେପ ପକାଇଲା । ପୁଣି ଦମ୍ଭ କରି ଆଗକୁ ମାଡ଼ିଗଲା । ପିଚ୍ଛାଲ ତଳେ ଧୋବ ଫର -ଫର କ’ଣ ଦେଖା ଯାଉଥାଏ । ମୁହଁଟାକୁ ଫିଟାଇ ଦେଖିଲା; ୟୁରିଆ ସାର ଥଳିଆ ମୁଣିରେ କ’ଣ କିଛି ବନ୍ଧା ହୋଇଥିଲା । “ଏ କ’ଣ …” ଶବର ପଚା ଗନ୍ଧ ନାକରେ ବାଜିଲାରୁ ହାଉଳି ଖାଇ, ଗାଁକୁ ଧାଇଁଲା । ଏକା ନିଶ୍ୱାସକେ ଡ଼ିଆଁ ମାରି ଗାଁ ଧରିଲା । ଚାରିଆଡ଼େ ଚହଳ ପଡ଼ିଗଲା, ଲୋକ ଜମା ହୋଇଗଲେ, ଗୋହିରି ଅଭିମୁଖେ ସବୁ ଧାଇଁଲେ ।

ପଟ ଫିଟାଇ ଭଲ ଭାବେ ସମସ୍ତେ ଦେଖିଲେ । ଭିତରେ ଶବଟାଏ ଥାଏ । ପଚା ଗନ୍ଧରେ ନାକ ଫାଟି ପଡ଼ୁଥାଏ । କୁନାର ଛିଣ୍ଡା ସାର୍ଟଟା ଦେଖି ବାପାଂ ମା’ଦିଟା କାନ୍ଦି କାନ୍ଦି ଗଡ଼ିଗଲେ । ତାଙ୍କ କାନ୍ଦ ଶୁଣି ଗାଁର ଅନ୍ୟ ସ୍ତ୍ରୀ ଲୋକ, ଛୁଆ ପିଲାମାନେ ମଧ୍ୟ କାନ୍ଦି ଉଠିଲେ । ଖୋଳ ତାଡ଼ ଚାଲିଲା । କିଛି ଲାଭ ହେଲା ନାହିଁ । ଅସଲ ଆସାମୀ ଧରା ପଡ଼ିଲା ନାହିଁ । କେତେ ରକମର କେତେ ଲୋକ ସନେ୍ଦହ କଲେ । ହେଲେ ବୁଝା ପଡ଼ିଲା ନାହିଁ; ନିରୀହ ଛୁଆଟା ବା କାହାର କି ଦୋଷ କରିଥିଲା ।

ପୋଲିସ୍ ଷ୍ଟେସନରେ ଖବର ଦିଆଗଲା । ପୋଷ୍ଟମର୍ଟମ୍ ପାଇଁ ଶବ ପଠାଇ ଦେଇ ପୁଲିସ୍ ଚୁପ୍ ରହିଲା । ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିଲା । ଜଣାଗଲା, ଏହା ଏକ ଅମାନୁଷିକ ନାରକୀୟ କାଣ୍ଡ । ଗାଁ ସାରା ଭାଳେଣୀ ପଡ଼ିଗଲା – “ଦୋଷୀକୁ ଧରି ଉଚିତ୍ ଦଣ୍ଡ ଦିଅ; ନ ହେଲେ ପିଲା ଛୁଆ ଧରି କେହି ଶାନ୍ତିରେ ରହି ପାରିବା ନାହିଁ” । ପୋଲିସ୍ କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବ ଆଳରେ ନୀରବ ରହୁଥାଏ । ଗାଁରେ ବସି ସମସ୍ତେ ଏକାଠି ହେଲେ; ନ୍ୟାୟ ଦରବାର ବସିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା- “ଏ କାଣ୍ଡ କାରଖାନାକୁ ନ ରୋକିଲେ, କେହି ଶାନ୍ତିରେ ଗାଁରେ ସହାବସ୍ଥାନ କରିପାରିବା ନାହିଁ ।” ସମସ୍ତେ କଥାଟାକୁ ସହମତି ଜଣାଇଲେ । କୁନା ମା’କୁ ଡ଼ାକି ପଚାରିଲେ । କହିଲା- “କୁନାଟା ମୋର ଭାରି ଶାନ୍ତ- ସୁଧାର ପିଲା,ଘର ଦ୍ୱାର ଛାଡ଼ି ମୋତେ କୁଆଡ଼େ ଯାଏ ନାହିଁ । ସେଦିନ ଟୁନା ଡ଼ାକିବାରୁ, ଗାଁ ମୁଣ୍ଡ ବର ଓହଳରେ, ଝୁଲି ଖେଳିବାକୁ ଯାଇଥିଲା । ଟୁନାକୁ ଡ଼ାକି ପଚାରିବାରୁ , ପିଲା ଲୋକ ଡ଼ରିଗଲା । ଖାଲି ଆଖି ମଟ-ମଟ କରି ଚାହିଁଲା । ବେଶି ପଚାରିଲାରୁ ପାଟି ଖନି ମାରି ନେଲା; କିଛି କହି ପାରିଲା ନାହିଁ । ଗେହ୍ଲେଇ କରି ଗାଁ ମୁଖିଆ ପଚାରିଲେ- “ମୋ ସୁନା ପୁଅ, ସତ କହିଲୁ ବାବା, କୁନା କାହିଁ? – “ଧନୀ ସାଆଁନ୍ତେ ତା’କୁ ଡ଼ାକି ନେଇ, ଚକଲେଟ୍ ଦେବାକୁ କହିଲା; ମୁଁ ମାଗିଲି ମୋତେ ମୋଟେ ଦେଲା ନାହିଁ ।” ଏଥର ଧନୀ ସାଆଁନ୍ତଙ୍କୁ କିଏ ସମ୍ଭାଳେ?

– “ମୁଁ ଯଦି ମିଛ କହୁଥାଏ ମୋ ଆଖି ଫୁଟି ଯିବ । ମୁଁ ଜମା କୁନିକୁ ଦେଖି ନାହିଁ । ପିଲାଟା କି ଡ଼ାହା ମିଛ କହୁଛି ।” ଟୁନା କହିଲା – “ଏ ସାଆଁନ୍ତଟା କି ମିଛୁଆ; ମୁଁ ତୋତେ ଚକ୍ଲେଟ୍ ମାଗିଲି, ତୁ ମନା କଲୁ ନାହିଁ ନା? କହିଲୁ, ତୁ ଯା’ ପଳା, କୁନାଟା ଆମର ସୁନା ପୁଅ, ସେ ଏକା ଖାଇବ । ମୁଁ ସେଇଠୁ କାନ୍ଦି କାନ୍ଦି ଦୌଡ଼ି ପଳାଇଲି ।” ଏଥର ଟୁନା ସତକୁ ସତ କାନ୍ଦିବାକୁ ଲାଗିଲା । ବୋଧହୁଏ ଚକଲେଟ ନପାଇବାର ଲଜ୍ଜା ଆଉ ଅପମାନ ତା’ମନରୁ ଏଯାଏଁ ଲିଭି ନଥାଏ ।

ଏଥର ସତ ଘଟଣାଟାକୁ ବୁଝିବାକୁ, ଆଉ କାହାରି ବାକି ରହିଲା ନାହିଁ । ସମସ୍ତେ ଜାଣିଲେ,ସାଆଁନ୍ତଟା ମିଛ କହୁଛି । ହେଲେ ଠୁଳେ ମାନୁନାହିଁ । ଗାଁ ଦରବାରକୁ ଫାଙ୍କିଲା । ନ୍ୟାୟରୁ ଉଠି ଚାଲିଗଲା । ଲୋକଙ୍କର ସନେ୍ଦହ ଆହୁରି ଦି’ଗୁଣା ହେଲା । ପୋଲିସ୍ରେ ଯାଇ ସବୁ ଗୋଟି ଗୋଟି କହିଲେ, ହେଲେ ସାଆଁନ୍ତ ପୁଅର ସେ ଶୁଭ ଗମନ୍ୟ । ପଇସା ତଳଠୁ ଉପର ଯାଏଁ ସବୁଠି ବିଞ୍ଚି ଦେଇଥାଏ । ଲୋକଙ୍କ କଥା କେହି ଶୁଣିଲେ ନାହିଁ । ପୋଲିସର ନିରବତା ଲୋକଙ୍କୁ ଭାରି ବାଧିଲା । ପୁଣି କୁନାଟା ବହୁତ ହତଭାଗା । ତା ବାପା-ମା ଦି’ଟା ଭାରି ଗରିବ । କାହାକୁ କ’ଣ କହିବେ? ଗୋଟାଏ ବୋଲି ତ ପୁଅ – ଗଲା ; ଧର୍ମ ଦେବତା ସହିଲା ନାହିଁ । କାନ୍ଦି କାନ୍ଦି କତରା ଲଗା ହୋଇଗଲେ । ଗାଁ ଲୋକ ଦୁଃଖ ସହି ପାରିଲେ ନାହିଁ । “ବଳିଆ”- ସାଆଁନ୍ତ ଘରର ବାର ମାସିଆ ହଳିଆ । ସେଦିନ କାଣ୍ଡ ଭିଆଇବେ ବୋଲି ତା’କୁ ଘରକୁ ପଠାଇ ଦେଇଥାନ୍ତି । ବଳିଆ ଫେରିଲା ପରେ, ତାଙ୍କ ଫୁସ୍ ଫୁସ୍ ସବୁ ଶୁଣିଲା । କୁନା ବୋଉର ଦୁଃଖ ସହିପାରିଲା ନାହିଁ ; ଆସି ସବୁ କହିଲା- “ସାଆଁନ୍ତ ଘରକୁ ଗୋଟେ ଗୁଣିଆ ଆସିଥିଲା କହିଲା- “କୋଠାଟା ଅଶୁଭ ଲଗ୍ନରେ ତିଆରି ହୋଇଛି ; ଗୋଟାଏ ଶିଶୁ ବଳି ଖୋଜୁଛି; ନହେଲେ ଭାରି କ୍ଷତି ହେବ । ଗାଈ ମଣିଷକୁ ମିଶାଇ ସାତ ମୁଣ୍ଡ ଖାଇବ । ସବୁ ଉପଚାର ସେ କରିଦେବ । ଟଙ୍କା ଦି’ଚାରି ହଜାର ଖର୍ଚ୍ଚ ହେବ । ସାଆଁନ୍ତ ଓ ତା’ ପୁଅ କି ଚିନ୍ତାରେ ପଡ଼ିଥିଲେ । ମନେ ମନେ ଉପାୟ ପାଞ୍ଚୁଥାନ୍ତି । ଯୋଗକୁ କୁନାଟା ହାବୁଡ଼ରେ ପଡ଼ି ଗଲା । ତା’କୁ ଧରି ନେଇ ରାତିରେ ବଳି ଚଢେଇ ଦେଇଛନ୍ତି । ପିଛାଲ ତଳେ ଅଖାରେ ପୂରାଇ ନେଇ ପୋତି ଦେଇଥିଲେ; ବିଲୁଆ କି ଶିଆଳ ଶବ ବାସନା ପାଇ ଟାଣି ପକାଇଥିବ ।

ଏଥର ସତ ଘଟଣାଟା ଚାରିଆଡ଼େ ପ୍ରଘଟ ହୋଇଗଲା । ପୋଲିସବାଲା ସବୁ ଶୁଣି ପୂର୍ବବତ୍ ଚୁପ୍ ରହିଲେ । ପାଞ୍ଚ ମୌଜା ଏକାଠି ହେଲେ । ବୁଢାର ଘର ଘେରାଉ କରିଦେଲେ । କିଏ କେତେ ରକମର କହୁଥାନ୍ତି – “ଘର ନିଆଁ ଲଗାଇ ଦିଅ ।” – ବୁଢାକୁ ଘରୁ ଘୋଷାରି ଆଣ ।” – “ଟୋକାଟାକୁ(ତା’ପୁଅ) ଦେଖ, କୁଆଡ଼େ ଗଲା ।” – ବାଡ଼ି ପଛ ପଟେ ଦଳେ ଜଗ, ଯେମିତି ଖସି ଯାଇ ନପାରେ ।” – “ଦମେ ଚ୍ଛେଚି ଗାଁରୁ ତଡ଼ିଦିଅ ।” – “ସମ୍ପତି ବାଡ଼ି ସବୁ ଭାଙ୍ଗିରୁଜି ଛାରଖାର କରିଦିଅ ।” – “ସବୁ ପିଟିକି ଭାଙ୍ଗିଦିଅ” । ହେଲେ ବୁଢା ପୁଅ କେମିତି ଖସିଯାଇ ପୋଲିସ୍ ଷ୍ଟେସନରେ ଗୁହାରି କଲା । ପୋଲିସ୍ ବାଲା ପନ୍ଝାଏ ପହଁଞ୍ଚି ଗଲେ । ଲୋକଙ୍କ ଉପରେ ଗରମ ଖାଇଲେ, ଠେଙ୍ଗାରେ କାହାକୁ କେମିତି ପାହାରେ ଅଧେ ଦେଲେ । ସମସ୍ତଙ୍କୁ ବାନ୍ଧି କରି ପଠାଇ ଦେବାକୁ ଧମକ୍ ଦେଲେ । ହେଲେ ଗୋଟାଏ ବଡ଼ ଜନ ସମାବେଶକୁ ନିୟନ୍ତ୍ରଣ କରିବା କ’ଣ ସହଜ କଥା ? ଲୋକ ତ ସମୁଦ୍ର ଭଳିଆ ଥାଟ୍ଟ ପତ୍ର ଭାଙ୍ଗୁଥା’ନ୍ତି । ଘଟଣାଟି ଯେଣୁ ଆଖ ପାଖର; ଦେଖଣାହାରି ବି ବହୁତ । ଏତେବେଳକୁ ପୋଲିସ୍ ବାଲା ଉପରେ ଲୋକ ରାଗିଗଲେଣି । କହୁଥା’ନ୍ତି – “ଆମେ ଡ଼ାକିଲା ବେଳେ କୁଆଡ଼େ ଯାଇଥିଲ ହୋ ।” – ସାଆଁନ୍ତ ବୁଢା ଲକ୍ଷେ ଟଙ୍କା ଦେଇଛି; ଆମେ କ’ଣ ଜାଣି ନାହୁଁ କି ?” – “ଓ ହୋ! ସେଇଥି ପାଇଁ ଭଦ୍ର ଲୋକ ଦେଖେଇ ହେଉଛ । ବୁଢା ପୁଅ କହିଲାରୁ ଦୌଡ଼ି ଚାଲିଆସିଲ ।” ପାଖ ଆଖ ଗାଁର ତ ସବୁ ଲୋକ ରୁଣ୍ଡ; କିଏ କାହା ମୁହଁରେ ବାଡ଼ ବତା ଦେଉଛି । ମବ୍ କଣ୍ଟ୍ରୋଲ ଅବସ୍ଥାରେ ନଥା’ନ୍ତି । ସମସ୍ତେ ଉତ୍କ୍ଷିପ୍ତ । ପୋଲିସ ରାଗିକି ଫଲ୍ସ ଫାୟାରିଂ କଲା । ଏଥର ଲୋକଙ୍କୁ ଆଉ କିଏ ସମ୍ଭାଳେ । ବାଡ଼ି ଡେଙ୍ଗା କାହା ଘରେ ରହିଲା ନାହିଁ । ହୋ….ହୋ ….ହୋଇ ଖାଲି ଧାଇଁଲେ, ପିଟି ପିଟି ଶୁଆଇ ଦେଲେ । ପୋଲିସ୍ ବାଲା ବି ରହମଣ ପଡ଼ିଲେ ନାହିଁ । ଘରୁ ଘୋଷାରି ନେଇ ଉତ୍ତମ ମଧ୍ୟମ ଭଳିକି ଦି’ଟା ଥୋଇଲେ, ଘରେ ନିଆଁ ଲଗେଇ ଦେଲେ । ଜିନିଷପତ୍ର ସବୁ ଭାଙ୍ଗି ରୁଜି ସଫା କରିଦେଲେ ।

ପୋଲିସ୍ ମାଡ଼ ଖାଇବା କଥାଟା ଓୟାରଲେସ୍ ମେସେଜ୍ ହୋଇଗଲା ; ପୋଲିସ୍ ତତ୍ପର ହୋଇ ଉଠିଲେ । ଜିଲ୍ଲା ସାରା ପୋଲିସ୍ ଠୁଳ ହେଲେ । ଗଣ୍ଡ ଗୋଳିଆ ଲୋକ ସେତେବେଳକୁ ସେଠୁ ସମସ୍ତେ ପାର ହୋଇ ଯାଇଥା’ନ୍ତି । ସାଧାରଣ ଲୋକେ ପୋଲିସର ଲାଠି ଚାର୍ଜରେ ଅଧେ ଦରମଲା ହେଲେ; ଯିଏ ରହିଲେ ବନ୍ଧା ହୋଇ କୋର୍ଟ ଚାଲାଣ ହେଲେ । ପୋଲିସର ଜୁଲମ୍ ଭୟରେ ସାଧାରଣ ଲୋକ ଘର ଦ୍ୱାର ଛାଡ଼ିଲେ । ଅସଲ କେସ୍ କୁଆଡ଼େ ରହିଲା; ଗାଁ ସାରା କିନ୍ତୁ କୋକୁଆ ଭୟ- “ଏବେ କ’ଣ ହେବ”?
10.ନୋଟିଆ
ଭଗବାନଙ୍କର ଅଜବ ସୃଷ୍ଟି – ଏ ମଣିଷ। କିଏ ଧୋବ ଫରଫର ଗୋରା ତ କିଏ ପୁଣି ବିଚିକିଟିଆ କଳା। କାହାର ପେଟଟା ଅସ୍ୱାଭାବିକ ଭାବେ ଆଗକୁ ବଢି ଯାଇଛି ତ ପୁଣି କାହାର ଅନ୍ତଃନଳୀ ସହ ଚିପିକି ଯାଇଛି। କିଏ ପୁଚୁକା ଗାଲୁଆ ତ କାହାର ଟିକେ ଖାଲୁଆ, ପୋଷେ ଚାଉଳ ଧରେ। କିଏ ଚନ୍ଦା ମୋଟେ ବାଳ ନାହିଁ ତ ଆଉ କିଏ ଝାମ୍ଫରା ମୁଣ୍ଡିଆ, ରୁମି-ରୁମିକା, ଭାଲୁ-ଭାଲୁକା ।କେହି କେହି ପୁଣି ଗ୍ରହଣ ଖଣ୍ଡିଆ, କେମ୍ଫା, କୁଜା, କଣା, ଜଡ଼ା, କାଲା, ହୁଣ୍ଡା, ହାବା, ଗେବା, ବା ଅନ୍ଧାର କଣା ହୋଇଥା’ନ୍ତି। ଲୀଳାକାରଙ୍କ ଉଦ୍ଦେଶ୍ଯ – ଯେହେତୁ ସୃଷ୍ଟିରେ ବୈଚିତ୍ର ରଚିବା, ପ୍ରତ୍ୟେକ ପରସ୍ପର ଠାରୁ ଏତେ ଭିନ୍ନ୍ ଯେ,ସହଜରେ ବାରି ହୋଇ ପଡ଼ନ୍ତି।
ଏହି ଭଳି ଗୋଟେ ଚରିତ୍ର -କମ୍ମାପଲ୍ଲୀର ଜୁଳୁକା। ପିଲାଟି ବେଳୁ ସେ ଟିକିଏ ହାବା-ଗେବା। ଆଖିଟା ତା’ର ଧଳା ବୋଲି ଲୋକେ ଜଳୁକା ଡାକନ୍ତି। ପାଠ-ଶାଠ ଦି ଅକ୍ଷର ନାହିଁ। ନିହାତି ମୂର୍ଖଟା। ବୁଦ୍ଧି ଅକଲ ବୋଲି କିଛି ନାହିଁ, ଯିଏ ଯାହା ବୁଝାଇ ଦେବ ସେୟା। ସେଇଥିରେ ହଁ ଭରେ। ବଡ଼ ହୋଇଗଲାଣି, ହେଲେ ପିଲା ବୁଦ୍ଧି ଛାଡ଼ିନାହିଁ। ଖାଲି ବଲବଲ କରି ଚାହିଁ ରହିଥିବ, ବୋକା ପରି ସବୁ ଦେଖୁଥିବ। ପାଞ୍ଚ ପଦରେ ପଦେ କହେ। ବିଗିଡ଼ି କହିଲେ ହେଁ ହେଁ ହୋଇ ହସୁଥିବ।
ବାପା ଟା ତା’ର ଭାରି ଗଞୋଡ଼। ଗଞାଖୋର।ଛୁଆ ପିଲାଙ୍କ ଜତ୍ନ କ’ଣ ଜାଣେ ନାହିଁ। ସବୁ ବେଳେ ଗଞ୍ଜା ଟାଣି ଦେଇ ପଶା ଖେଳରେ ମାତିଥାଏ। ଆଗେ ଯାଇ କାମ ଧନ୍ଦା କରୁଥିଲା, ହେଲେ ଜୁଳୁକା ମୂଲ ଲଗିଲାଠୁଁ ଆଉ ହୁଙ୍କୁନି କି ଉଠୁ ନାହିଁ, ଏଠୁ କୁଟା କେରେ ନେଇ ସେଠି ପକାଉ ନାହିଁ। ଭାରି କୋଢିଆ। ଛୁଆଟା ଯାହା ଦି ପଇସା ଆଣୁଛି ସବୁ ଗଞ୍ଜା ଖାଇ ଉଡ଼ାଉଛି। ଜୁଳୁକା ମନା କରୁଥିଲା ବାହା ହେବାକୁ। ଯବରଦସ୍ତି ତା’ ଗଳାରେ ଗୋଟେ ଛନ୍ଦି ଦେଲା। ବୋହୂଟା ବି ଭାରି ନରମା। ଏବେ ଛୁଆ ପିଲା ଗୋଟେ ଯୋଡ଼େ ହେଲେଣି। ଘରେ ମାଆ ସ୍ତ୍ରୀ ଭାରି ବ୍ୟସ୍ତ। ବାପା ତ ଗଞ୍ଜୋଡ଼, ପୁଅ ତ ହାବା, ଛୁଆ ପିଲାଙ୍କ ଭବିଷ୍ୟତ ପୁଣି ଦେଖିବେ ନା… ।
ଘରେ ନିତି କଳି, ବାପା ସବୁ ପଇସା ନେଇ ଗଞ୍ଜା ପିଇ ଦିଏ।ଜୁଳୁକାଟା ପୁଣି ବୋକାଟା ସବୁ କାମକୁ ପାରେ ନାହିଁ। କେବଳ କାଠ କାଟିବା ଓ ଚିରିବା ପାଇଁ ସାଥୀ କଟାଳୀମାନେ, ଦୟାକରି, ତା’କୁ ସାଙ୍ଗରେ ନିଅନ୍ତି। ସେଦିନ ଜୁଳୁକା କାମ କରିବାକୁ- ଦୂର ଗାଁକୁ ଯାଇଥିଲା। ଖାଇ ପିଇ ମଜୁରୀ ତିନି ଶହ। ସାତ ଦିନ ରହିଲା। ଟଙ୍କା ହଜାରେ ଦି ହଜାରେ ଧରି ଆଇଲା। ମାଆ, ସ୍ତ୍ରୀ କହିଲେ – “ଆମକୁ ଦେ, ଛୁଆ ପିଲାଙ୍କ ପଢ଼ା ପାଇଁ ଖର୍ଚ୍ଚ ହେବ।” ସେ ନାଇଁ ନାଇଁ ହେଲା। କହିଲା – ବାଆ ମାରିବ”। ବୋଉ ଶିଖେଇ ଦେଲା, କହିଲା –
” ବଡ଼ ପିଲା ହେଲୁଣି, ବାଆ ମାରିବ କ’ଣ କି ବେ? ବୁଦ୍ଧି ଅକଲ ସିନା ଥିଲେ ହେବ? ତୁ କହିବୁ ମୁଁ କାଠ କାଟିବାକୁ ଯାଇଥିନି, ସୁନା ନୋଟିଆଟେ ପାଇଛି। ନୁଚେଇକି ରଖିଛି ମୋତେ ମାଇନେ ମୋଟେ ଦେବିନି। ଛୁଆ ପିଲାଙ୍କ ପାଇଁ ରଖିବି, ତୋତେ ଦେଲେ ତୁ ଗଞ୍ଜା ଖାଇ ଉଡେଇ ଦେଉଛୁ”।
ସେୟା କଲା। ବାପା ପଇସା ମାଗିଲା, ନ ଦେଲାରୁ ମାରି ଗୋଡ଼ାଇଲା। ଜୁଳୁକା ସୁନା ନୋଟିଆ କଥା କହିଲା। ଗଞ୍ଜା ଛାଡ଼ି ଦେଲେ, ନୋଟିଆ ଦେବାକୁ କହିଲା। ବାଆ ଛାଡ଼ି ଦେଲା, ଆଉ ମାଇଲା ନାହିଁ। ଏଣିକି ତେଲା ତେଲି କଲା। କହିଲା -” ଆଣିକି ଦେ, ମୁଁ ବିକିକି ତୋ ଛୁଆ ପିଲାଙ୍କ ପାଇଁ ରଖିବି” । ଜୁଳୁକା ବହରିଲା ନାହିଁ ଦେଖି ଦିନେ ଗଞ୍ଜା ନିଶାରେ ନିସ୍ତୁକ ମାଇଲା। କହିଲା-
ସୁନା ନୋଟିଆଟା ଦେ, ନୋହିଲେ ପିଟି ପିଟି ଜୀବନୁ ମାରିଦେବି। ଯା’ ନୋଟିଆଟା ଧରି ଆସିବୁ, ନହେଲେ ଘରକୁ ଆଉ ଫେରିବୁନି। ”
ମାଆ, ସ୍ତ୍ରୀ କିଟିମିଟି କରି ଚାହିଁଥା’ନ୍ତି ସିନା ହେଲେ ମାଡଗାଳି ଭୟରେ କିଛି କହି ପାରୁ ନଥା’ନ୍ତି କି ପାଟି ଖୋଲୁ ନଥା’ନ୍ତି। ଜୁଳୁକାଟା ଛାନିଆରେ ଘରକୁ ଫେରିଲା ନାହିଁ। ଡରରେ ସ୍କୁଲ ପିଣ୍ଡାରେ ଶୋଇ ପଡିଲା। ମାଆ, ସ୍ତ୍ରୀ କିନ୍ତୁ ରାତି ସାରା ଉଜାଗର ହୋଇ ରହିଲେ। ଭାତ ଘୋଡ଼ା ଘୋଡି ହୋଇ ରହିଲା। ମେଘ ପବନ ରାତି। ବିଜୁଳୀ ଦେଖାଇଣ ଘଡ଼ଘଡି ମାରି,ଭିତ୍ତି ପ୍ରସ୍ତର ଦୋହଲାଇ ଦେଉଥାଏ। ଯୋଗକୁ ଦଶା ଦିଆ ଡିବିରିବତୀଟା ବି ଲିଭି ଗଲା। ମୁହଁକୁ ମୁହଁ ଦିଶୁ ନଥାଏ। ଏକ ଅଜଣା ଆତଙ୍କରେ ଚିତ୍ତ ଶିହରିତ ହେଉଥାଏ। ଲୋମମୂଳ ଟାଙ୍କୁରି ଉଠୁଥାଏ। ବୋଉ ପିଲାଟା କ’ଣ ଭାବିଲା କେଜାଣି, “ମାଆଲୋ” କହି ଶାଶୁଙ୍କୁ କୁଣ୍ଢାଇ ଧରି କାନ୍ଦି ଉଠିଲା….
ସେତେବେଳକୁ ସୁନା ନୋଟିଆଟା କଥା ଗାଁ ସାରା ପ୍ରଘଟ ହୋଇଗଲାଣି। କାହାରି କାହାରି ତା’ ଉପରେ ମଧ୍ୟ – ନଜର। ଜୁଳୁକାଟାକୁ ପଟାଇ ପାଟେଇ ହାତେଇବାକୁ ଚେଷ୍ଟା କରୁଥା’ନ୍ତି। ସେଦିନ ଯୋଗକୁ ଦଳେ ଟୋକା ସ୍କୁଲ ପାଖ ବରଗଛ ମୂଳେ ଭୋଜି ଭାତ କରୁଥା’ନ୍ତି। ମଦ ନିଶାରେ ଏକଦମ୍ ଚୁର୍। ଜୁଳୁକାକୁ ଦେଖି ଦି ଖଣ୍ଡ ମାଂସ ଦେଲେ, ଶିଖେଇ ବୁଝେଇ ଫୁଳପାଳ ବଣକୁ ନେଇଗଲେ। ଦୁଇଟା ରଡ଼ ପଛପଟେ ଲୁଚାଇ ଧରିଥା’ନ୍ତି। ତା’କୁ କବଲେଇ ପଚାରିଲେ-“ସୁନା ନୋଟିଆଟା କେଉଁଠି ରଖିଛୁ – କହ? ଆମେ ତୋ ବାଆକୁ କହିବୁନି। ବିକିକି ତୋତେ ଅଧେ ଦେବୁ, ଆଉ ଅଧେ ଆମେ ରଖିବୁ। ଜୁଳୁକା କହିଲା ନାହିଁ କି ମଙ୍ଗିଲା ନାହିଁ। ସେ ହବାଟା, ଯାହା ଯିଏ ଥରେ ବୁଝେଇ ଦେଇଥିବ, ସେୟା ମୁଣ୍ଡରେ ପଶିଥିବ, ତେଣିକି ସତ ହେଉ ବା ମିଛ ହେଉ। କହିଲା -” ମୋ ଛୁଆ ବଡ଼ ହୋଇ ଗଲେ ଖୋଲିବି। କାହାକୁ ଦେବିନି, ଏପରିକି ବାଆକୁ ବି ନୂହେଁ।” ବେଶୀ ଫଟରେଇକି ପଚାରିଲାଠୁଁ ଜୁଳୁକାଟା ଖାଲି ଭେଁ ଭେଁ ହୋଇ ରଡି ଛାଡ଼ିଲା। ହାଉଁ ହାଉଁ ହୋଇ ୟାଡ଼ୁ ସିଆଡୁ କ’ଣ ବକିଲା।
ଏଥର ଟୋକାଙ୍କର କ୍ରୋଧାନଳ ଯାଇ ପଞ୍ଚମ ନକ୍ଷତ୍ରରେ। ଆଉ କିଏ ସମ୍ଭାଳେ? ରାଗିକି ଖପ୍ପା। ଜୋହର୍ ଜବରଦସ୍ତି କଲେ। ଧମକ ଚମକ ଆରମ୍ଭ କରିଦେଲେ। ଜୁଳୁକା ରାଜି ନହେବାରୁ, ରଡ଼ରେ ଦି’ପାହାର ତା’ ମୁଣ୍ଡକୁ ଦେଲେ। ସେଇଠି ସେ ତଳେ ପଡ଼ିଗଲା। ଦେଖିଲା ବେଳକୁ, ସବୁ ଶେଷ। ଧରା ପଡିଯିବା ଭୟରେ ଅଖା ମୁଣିରେ ପୂରାଇ, ପାଖ ଟ୍ରେନ୍ ଲାଇନରେ ଶୁଆଇ ଦେଲେ। ଟ୍ରେନ ଚାପିଦେଲା। ଘର ଲୋକେ ଖବର ପାଇ ଧାଇଁଲେ। କାନ୍ଦି କୁନ୍ଥି ରହିଲେ। କ୍ରମଶଃ ଦଶାହ ଯାଇ ଏକାଦଶାହ ହେଲା। ଶୁଦ୍ଧିକ୍ରିୟା ଚାଲିଲା। ଶୁଦ୍ଧିକ୍ରିୟା ଦିନ ଜୁଳୁକାର ଆତ୍ମା ହେବ କି କ’ଣ ବା ଗୁପ୍ତ ରହସ୍ୟର ଉନ୍ମୋଚନ ହେଉ, ଜଣ ଜଣ କରି ପାଞ୍ଚ ସାତ ଜଣଙ୍କୁ ସବାର୍ ହେଲା। କହିଲା – “ଏମାନେ ମୋତେ ପିଟିକି ମାରିଦେଲେ। ମୋର ଚେତା ବୁଡ଼ି ଯାଇଥାଏ। ଟ୍ରେନ୍ ଲାଇନରେ ଶୁଆଇଦେଲେ। ଟ୍ରେନ୍ ଆସିଲା,ମୋର ଚେତା ଫେରି ଆସୁଥାଏ। ହେଲେ ବନ୍ଧାବନ୍ଧି ହୋଇଥିବାରୁ, ମୁଁ ହଲି ପାରୁ ନଥାଏ କି ହୁଁଙ୍କି ପାରୁନଥାଏ। ବିକଳରେ ପଛକୁ ହାତ ଠାରି ଡାକିଲି। ହେଲେ କେହି ଭଲା ଶୁଣନ୍ତେ, ହେଲେ କେହି ଶୁଣିଲେ ନାହିଁ। ବରଂ ଭୂତ ଭୂତ ହୋଇ ସମସ୍ତେ ଡିଆଁ ମାରି ପାର। ମୁଁ ଏକଦମ୍ ଏକଲା ।ଏଥର ଟ୍ରେନ୍ ମୋତେ କାଟି ଦେଲା। ”
ଏଥର ଗାଁ ମିଟିଣି ହେଲା। ଲୋକ ଜମା ହେଲେ। ଖାଲି ହୋ ହୋ କଳରବ ଭିତରେ ଗ୍ରାମ୍ୟ ବୈଠକ ଚାଲିଲା।ଗାଁ ଟୋକାଙ୍କର ପ୍ରଦୁର୍ଭାବ ସିନା ଅଧିକା, ହେଲେ ମିଟିଂରେ ପୁରୁଖାଙ୍କ ଦବଦବ଼୍ଙା ଟିକେ ଅଧିକା। ଆଗେ ପଚାରିଲେ, ଟୋକାଏ ମାନିଲେ ନାହିଁ। ମାଡ ହେଲାଠୁଁ, ସବୁ କହିଲେ ।ଗାଁ’ର ଜଣେ ପୁରୁଖା କହିଲେ –
” କେସ୍ -ବାସ୍ କରି କ’ଣ ହେବ,ଗରୀବ ଲୋକଟା କେଉଁ ଲଢ଼ି ପାରିବ। ଖାଲି ଗାଁର ମର୍ଯ୍ୟାଦା ଯିବ। ଗାଁ କଥା ଗାଁରେ ଚାପି ଦେବା। ଯାହା ହେବା କଥା ତ ହେଲାଣି, ସେ ଆଉ କ’ଣ ଫେରିବ? ବରଂ ଗୋଟେ କାମ କର, ଏମାନେ ଜମି ଦି’ପା’ତା’ ଛୁଆ ନାଁ ରେ କରି ଦିଅନ୍ତୁ।”
ସମସ୍ତେ ରାଜି ହେଲେ,” ହଁ – ହାଁ”-ମାରିଲେ। କେସ୍ ଦିଆ ହେଲା ନାହିଁ। କିଛି ଦିନ ବିତିଗଲା। ତା’ମାଆ ସ୍ତ୍ରୀ ପୁଣି ନିଶାପ ଡାକିଲେ। ନ୍ୟାୟ ଦରବାର ଚାଲିଲା। ହେଲେ ସେତେବେଳକୁ ଜୋରିମାନା ଫାଙ୍କିବା ବାହାନାରେ, ଦୋଷୀତକ କଲିକତା ଚାଲିଯାଇଥା’ନ୍ତି। ନ୍ୟାୟ ଦରବାର ଅଧା ପନ୍ତାର ହୋଇ ସବୁଦିନ ପାଇଁ ରହିଗଲା।
ଘରର ଏକମାତ୍ର ରୋଜଗାରକ୍ଷମକୁ ହରାଇ ସମସ୍ତେ ଗୁମ୍ ସୁମ୍। ଖାଲି ପିଲା ଛୁଆ ଗୁଡ଼ାକ ଭୋକରେ ଆଉଟି ପଉଟି ହୋଇ ଡହଳ ବିକଳ ହେଉଥା’ନ୍ତି। ଘରେ ଦିନ ଇଲା କେତେ ହେବ, ଚୂଲି ଚାଉଳ ଜଳି ନାହିଁ। ମାଆ ମୁଣ୍ଡରେ ହାତ ଦେଇ ଦାଣ୍ଡ ପିଣ୍ଡାରେ ବସି ପଡିଥାଏ। ମନେ ମନେ ଭାବୁଥାଏ -” ଏମିତି ଗୋଟେ ଅଧେ ଅମୂଳକ ମିଛ କ’ଣ ସବୁ ନାସ୍ କରି ପାରେ? ”
ନିଜକୁ ଧିକ୍କାର କରେ – “ମୁଁ ଯା’ଝିଟି ନମରି ବଞ୍ଚିଛି?”

Related posts

Truthfulness

satya

କନ୍ୟା ରତ୍ନ

satya

ଖାଦ୍ୟ ଦିବସ

satya

Leave a Comment

Login

X

Register